Unknown

 

 

 

 

 

 

 

 

 

 

ଜୀବନ ପଞ୍ଜିକା

(ପ୍ରଥମ ଭାଗ)

କବିଶେଖର ଚିନ୍ତାମଣି ମହାନ୍ତି

 

କେତେ ଜଣ ଆତ୍ମୀୟ ବନ୍ଧୁଙ୍କ ଜ୍ୱାଳାରେ କମ୍ପିତ କରରେ ଆଜି ମୁଁ ମୋର ଜୀବନ ଘଟଣା ଲେଖିବାକୁ ବସିଅଛି । ଯେଉଁମାନେ ଏ କାର୍ଯ୍ୟର ପ୍ରବର୍ତ୍ତକ, ସେମାନଙ୍କର ଅମୂଲ୍ୟ ଅଭିଯୋଗ ଏହି ଯେ, ମୋର ଜୀବନର ଘଟଣାବଳୀ ମୁଁ ଟିପିରଖି ନଗଲେ ଭାବୀଜୀବନୀ ଲେଖକଙ୍କୁ ବଡ଼ ଅସୁବିଧାରେ ପଡ଼ିବାକୁ ହେବ । ମୋର ଭବିଷ୍ୟତ ସମ୍ବନ୍ଧରେ ସେମାନଙ୍କର ଏ ଭଳି ଉଚ୍ଚ ଧାରଣା ବାସ୍ତବରେ ବିସ୍ମୟଜନକ । ସେମାନେ ସ୍ନେହ ମମତା ବଶତଃ ଯାହା କହନ୍ତୁ ପଛକେ, ମାତ୍ର ଯାହାର ବର୍ତ୍ତମାନ ନାହିଁ, ତାହାର ଭବିଷ୍ୟତ କାହୁଁ ଆସିବ ! ଯାହାର ଜୀବନ ନାହିଁ, ତାହାର ଜୀବନୀଲେଖା ବିଷମ ସମସ୍ୟା ସିନା ! ବିଶ୍ୱ-ମହାରଣ୍ୟ ଗର୍ଭରେ ମୋ ଭଳି କେତେ କ୍ଷୁଦ୍ର ନିର୍ଗନ୍ଧ ପୁଷ୍ପ ଫୁଟି ଝଡ଼ି ମାଟିରେ ମିଶି ଯାଉଅଛି, ତାହା ଜାଣିବାକୁ କିଏ କାହିଁକି ଆଗ୍ରହ ପ୍ରକାଶ କରିବ ? ମୋର ଶୂନ୍ୟଗର୍ଭ ଜୀବନୀ ପଢ଼ି ବୃଥା ସମୟ ନଷ୍ଟ କରିବାକୁ ନିତାନ୍ତ ନିଷ୍କର୍ମା ଲୋକର ସୁଦ୍ଧା ପ୍ରବୃତ୍ତି ହେବ ନାହିଁ । ଯଦି ଆତ୍ମଜୀବନ ପ୍ରକାଶରେ ଏତେଦୂର ବୀତସ୍ପୃହ, ତେବେ ଲେଖନୀଧାରଣର କାରଣ କଅଣ ବୋଲି କେହି କେହି ପ୍ରଶ୍ନ କରିପାରନ୍ତି । ତଦୁତ୍ତରରେ ମୋର ବକ୍ତବ୍ୟ ଏହି ଯେ; ମୁଁ କେବଳ ଜୀବନଘଟଣା ଲେଖିବାକୁ ବସିନାହିଁ, ତାହା ଉପଲକ୍ଷ ମାତ୍ର । ସେହିପ୍ରସଙ୍ଗରେ ଅତୀତ କାଳର ବିଭବ ପ୍ରଦର୍ଶନ ମୋର ମୁଖ୍ୟ ଉଦ୍ଦେଶ୍ୟ । ମୋର ଆତ୍ମକାହାଣୀରେ ବିଶେଷତ୍ୱ ଥାଉ ବା ନଥାଉ ସେକାଳର ରୀତିନୀତି ଅନେକଙ୍କ ପକ୍ଷରେ ଶିକ୍ଷଣୀୟ ହେବ । ଚାଳିଶ ବର୍ଷ ପୂର୍ବର ଅବସ୍ଥା ସଙ୍ଗରେ ବର୍ତ୍ତମାନ ଅବସ୍ଥା ତୁଳନା କଲେ ନିଜ ପ୍ରତି ନିଜର ଅବିଶ୍ୱାସ ଜାତ ହୁଏ । ଏମନ୍ତ କି ଆକାଶ ପାତାଳର ପ୍ରଭେଦ ଅନୁଭୂତ ହୁଏ । ସେକାଳର ପ୍ରକୃତ ଅବସ୍ଥା ବର୍ତ୍ତମାନ ଉପନ୍ୟାସ ତୁଲ୍ୟ ପ୍ରତୀୟମାନ ହେବ । ସମ୍ପ୍ରତି ମୋର ଜୀବନ–ସ୍ରୋତ ଅର୍ଦ୍ଧଶତାବ୍ଦୀ ଅତିକ୍ରମ କରିଅଛି । ମୋର ଭାଗ୍ୟ ମୋତେ ସର୍ବଦା ମୃତ୍ୟୁ–ସ୍ରୋତସ୍ୱିନୀର ପତନୋନ୍ମୁଖ ତଡ଼ା ଉପରେ ଠିଆ କରାଇଅଛି । ଏହି ସୁଦୀର୍ଘ ଅର୍ଦ୍ଧଶତାବ୍ଦୀକାଳ ମଧ୍ୟରେ ଜୀବନ ଯେ ସ୍ରୋତରେ ଢଳି ପଡ଼ି ନାହିଁ, ଏହାହିଁ ଆଶ୍ଚର୍ଯ୍ୟ । ସେ ଯାହାହେଉ ଗତିପଥରେ କେତେ କେତେ ବିପଦ ବାଧା ଏବଂ ହତାଶାରୂପ ଉଚ୍ଚୂଡ଼ ହିମାଦ୍ରି, ଉଗ୍ରାଉତ୍କୂଳାପଦ୍ମା ଏବଂ ମରୀଚିକାମୟୀ ଉତ୍ତପ୍ତ ସାହାରା ଅତିକ୍ରମ କରିଆସିଅଛି, ତାହା ଥରେ ଅତୀତ ଦର୍ପଣରେ ଦେଖିଲେ ନିଜକୁ ମହାବୀର ଜ୍ଞାନରେ ସମ୍ମାନ କରିବାକୁ ଇଚ୍ଛା ହୁଏ ଏବଂ ବୀରଗର୍ବରେ ଛାତି କୁଣ୍ଢେ ମୋଟ ଫୁଲିଯାଏ । କିନ୍ତୁ ପରମୁହୂର୍ତ୍ତରେ ନିଜକୁ ଚାହିଁ ଦେଲେ ଗର୍ବସ୍ଥାନରେ ଲଜ୍ଜା ଆସି ବସିଯାଏ । ମୟୂର ମେଘ ଦେଖି ଆନନ୍ଦରେ ନୃତ୍ୟ କରେ, ମାତ୍ର ନିଜର ଗୋଡ଼ ଉପରେ ଦୃଷ୍ଟି ପଡ଼ିଲେ ଲଜ୍ଜାରେ ଅଧୋବଦନ ହୁଏ ।

 

୧୨୭୫ ସାଲ ଚୈତ୍ରମାସ ୪ ଦିନ ସୋମବାର ଅର୍ଦ୍ଧରାତ୍ର ସମୟରେ ମୋର ଜନ୍ମ । ସେଦିନର ତିଥି କୃଷ୍ଣାଷ୍ଟମୀ । ମାତୃମୁଖରୁ ଶୁଣିଅଛି, ମୋର ଜନ୍ମ ସମୟରେ ବର୍ଷା, ତୋଫାନ ଏବଂ ଅନ୍ଧକାର ପ୍ରବଳରୂପ ଧାରଣ କରିଥିଲା । ଶୂଳୁଣୀବୁଢ଼ୀ ‘‘ଚୌଧୁରିଆମା’’ ଧାତ୍ରୀବିଦ୍ୟାରେ ଖୁବ୍‌ ନିପୁଣା ଥିଲା । ପାଦଜନ୍ମ ହେତୁ ସେ ମୋର ସଦ୍ୟ–କୋଷ୍ଠୀ ଗଣନା କରି କହିଥିଲା, ପିଲାଟି ସୁଖୀ ହେବ । କିନ୍ତୁ ତାହାର ଗଣନା ଅଭ୍ରାନ୍ତ ହେଲା ନାହିଁ । ମୋତେ ଯେବେ ସୁଖୀ କୁହାଯିବ, ତେବେ ଜଗତରେ ଦୁଃଖୀ ମିଳିବ ନାହିଁ । ଜନ୍ମର ଅବ୍ୟବହିତ ପରେ ମୁଁ ପିହୁଡ଼ା ରୋଗରେ ଆକ୍ରାନ୍ତ ହେଲି । ତେଲ–ପଳା ତତାଇ କପାଳରେ ଚେଙ୍କା ଦିଆଗଲା । ତାହାହିଁ ସେ ରୋଗର ଚିକିତ୍ସା । କିନ୍ତୁ ମୋର ବିଶ୍ୱାସ, ବିଧାତା ମୋତେ ଚେତାଇବା ପାଇଁ ଜନ୍ମଚେଙ୍କାର ବ୍ୟବସ୍ଥା କଲେ । ଅର୍ଥାତ୍‌, ସଙ୍କେତରେ କହିଲେ–ତୁ ସାରାଜୀବନ ଏହିପରି ଚେଙ୍କାରେ ଜଳିବୁ । ସେହି ଚେଙ୍କାର ଚିହ୍ନ ଅବଧି ମୁଁ କପାଳରେ ବହନ କରିଅଛି । ତାହା ମୋ ଭାଗ୍ୟର ସାଙ୍କେତିକ ଲିପି । ମୋର ଦୁଇଟି ଅଗ୍ରଜା ଅଛନ୍ତି । ଉପର୍ଯ୍ୟୁପରି ଦୁଇଟି ‘‘ପରଘରୀ’’ ଜନ୍ମ ହେଲେ, ମାତ୍ର ମୋଭଳି ସୁପୁତ୍ରର ମୁଖାବଲୋକନ ହେଲା ନାହିଁ, ସର୍ବଦା ମାତାଙ୍କର ଏହି ଚିନ୍ତା ହେଲା । ତାଙ୍କର ସେହି ଚିନ୍ତାର ସ୍ମୃତି ସ୍ୱରୂପ ମୋର ନାମ ‘‘ଚିନ୍ତାମଣି’’ ରଖାଗଲା । ମୋଭଳି ସୁଖମୋକ୍ଷଦା ପୁତ୍ରଲାଭ କରି ଜନନୀଙ୍କର ଆନନ୍ଦର ସୀମା ରହିଲା ନାହିଁ । ମାତ୍ର ମୁଁ ଶପଥ କରି କହିପାରେଁ, ଜୀବନରେ ପୁତ୍ର ସେବା ତାହାଙ୍କ ଭାଗ୍ୟରେ ଘଟିନାହିଁ । ମୋର ପିତାଙ୍କର ନାମ ୰ ମଦନମୋହନ ମହାନ୍ତି ଏବଂ ମାତାଙ୍କର ନାମ ୰ ନେତ୍ରମଣି ଦେବୀ । ମୋର ଜନ୍ମସ୍ଥାନ–ଭଦ୍ରଖ ଟାଉନ ଅନ୍ତର୍ଗତ କୁଳମୂଳାଇ ଗ୍ରାମ । ତାହା ପୁଣ୍ୟତୋୟା ସାଳନ୍ଦୀନନ୍ଦୀ ତୀରରେ ଅବସ୍ଥିତ । ତାହାର ଡାକନାମ ନରିପୁର । କୁଳମୂଳାଇ, ଅସ୍ତଳ, ନରିପୁର ଏହିପରି ବିଭିନ୍ନ ନାମ ଥିଲେ ମଧ୍ୟ ଏସମସ୍ତ ଗୋଟିଏ ଗ୍ରାମ । ମୋର ଜନ୍ମ ସମୟର ଗ୍ରହ ସଂସ୍ଥିତି ନିମ୍ନ ଚିତ୍ରରେ ପ୍ରଦର୍ଶିତ ହେଲା ।

 

ଚତୁର୍ଥ ବର୍ଷର ବାଲ୍ୟରିଷ୍ଟ ଭଙ୍ଗ ସକାଶ ଜନନୀଙ୍କର ଉଦ୍‌ବେଗର ସୀମା ରହିଲା ନାହିଁ । ଦିବାରାତ୍ର ଦେବଦେବୀଙ୍କୁ ପ୍ରାର୍ଥନା ଏବଂ ଭୋଗ ମାନସ ଲାଗିଲା । ଦେବତାମାନେ ଏ ଉତ୍‌କୋଚରେ ସନ୍ତୁଷ୍ଟ ହୋଇଥିଲେ କି ନାହିଁ ତାହା ଜାଣେ ନାହିଁ । ମାତ୍ର ତାଙ୍କର ପ୍ରାଣର କାତର ପ୍ରାର୍ଥନାରେ ନିଶ୍ଚୟ କର୍ଣ୍ଣପାତ କରିଥିଲେ । ରିଷ୍ଟଭଙ୍ଗ ହେଲା, ମାତା ପୁନର୍ଜନ୍ମ ଲାଭ କଲେ । ମାତ୍ର ସେହି ଦେବତାମାନଙ୍କର ଲାଞ୍ଚ ବା ଋଣ ପରିଶୋଧ ମୋର ଷୋଡ଼ଶ ବର୍ଷ ପର୍ଯ୍ୟନ୍ତ ଲାଗିଥିଲା । ମାତୃସ୍ନେହ ଏବଂ ମାତୃହୃଦୟ ଏହିପରି ପଦାର୍ଥ । ପାଞ୍ଚବର୍ଷ ବୟଃକ୍ରମ ସମୟରୁ ମୁଁ ଯାହା ଦେଖିଛି, ଶୁଣିଛି ବା ଅନୁଭବ କରିଅଛି, ସେ ସମସ୍ତ ଘଟଣା ମୋର ଅବଧି ସ୍ମରଣ ଅଛି । ସେହି ସ୍ମୃତି ଉପସ୍ଥିତ କାର୍ଯ୍ୟରେ ମୋର ଅନେକ ସହାୟତା କରିବ ।

 

ଶାସ୍ତ୍ରୀୟ ରୀତ୍ୟନୁସାରେ ଚାରିବର୍ଷ ଚାରିମାସ ସମୟରେ ମୋର ବିଦ୍ୟାରମ୍ଭ ହେଲା । ଆମ୍ଭ ଦାଣ୍ଡରେ ଗୋଟିଏ ସରସ୍ୱତୀ-ମଣ୍ଡପ ଥିଲା । ସେହି ମଣ୍ଡପରେ ପ୍ରତିବର୍ଷ ସରସ୍ୱତୀଙ୍କର ପ୍ରତିମା ପୂଜା ହୁଏ । ସେହି ମଣ୍ଡପରେ ମୋର କର୍ଣ୍ଣବେଧ ଏବଂ ବିଦ୍ୟାରମ୍ଭ ଗଣେଶ ଚତୁର୍ଥୀଦିନ ସମାହିତ ହୋଇଥିଲା । ପ୍ରଥମରେ କାନଫୋଡ଼ା ହେଲା । ଭଗବାନ ବାରିକ ଭଣ୍ଡାରୀ ମୋ ହାତରେ ଗୁଡ଼ମେଞ୍ଚାଏ ଦେଇ ଅନେକ ମନ ବହଲା କଥା କହିଲା ପରେ ‘‘ଗୁଡ଼ଖା, ଗୁଡ଼ଖା, ଟୁକ୍‌’’ କହି ହଠାତ୍‌ ଗୋଟାଏ କାନ ଫାଡ଼ିଦେଲା ଏବଂ କହିଲା–‘‘ସୁନାପୁଅ ପରା, ଦେଖ୍‌ କିମିତି କାନ୍ଦିଲା ନାହିଁ ।’’ ସୁନାପୁଅ ଶବ୍ଦର ମହିମା ଅଳ୍ପ ନୁହେଁ, ତାହା ଶୁଣିବାମାତ୍ରେ ମୋର ଯନ୍ତ୍ରଣା ଉଭେଇଗଲା । ମୁଁ ଆଉ କାନ୍ଦିଲି ନାହିଁ । ଶିଶୁଠାରୁ ବୃଦ୍ଧପର୍ଯ୍ୟନ୍ତ ପ୍ରଶଂସାର ବଶ କିଏ ନୁହେଁ ? ଗୁଡ଼ର ମାଧୁରୀଠାରୁ ପ୍ରଶଂସାର ମଧୁରିମା ବଳି ପଡ଼ିଲା, ସୁତରାଂ ମୁଁ ଗୁଡ଼ ଖାଇଲି ନାହିଁ । ଶିଶୁର ଅବୋଧ ପ୍ରାଣରେ ସୁଦ୍ଧା ପ୍ରଶଂସା ଏଭଳି କାର୍ଯ୍ୟକାରୀ ହୁଏ । ଏହିପରି ଆର କାନଟି ଫୋଡ଼ା ଗଲା, ତହିଁପରେ ବିଦ୍ୟାରମ୍ଭ । ଶ୍ରୀଧର ନାୟକ ଆମ୍ଭଘରର ଜ୍ୟୋତିଷ । ସେ ସରସ୍ୱତୀଙ୍କ ପୀଢ଼ ତଳେ ବନମାଟି ଘଷିଦେଇ ଖଡ଼ିରେ ଘର କାଟି ‘‘ସିଦ୍ଧିରସ୍ତୁ’’ ଲେଖିଦେଲା ଏବଂ ତାହାର ଚାରିପାଖରେ ଗୋଟାଏ ମୁଣ୍ଡଳା କାଟିଦେଲା । ସିଦ୍ଧିରସ୍ତୁ ବନ୍ଦୀଘରେ ରହିଲେ, ଆଉ ପଳାଇବାର ଉପାୟ ନାହିଁ । ଜ୍ୟୋତିଷ ପଣ୍ଡିତେ ସେହି ବର୍ଣ୍ଣାବଳୀ ଉପରେ ଖଡ଼ିଟି ରଖିଦେଇ ମୋତେ ତହିଁରେ ମୁଣ୍ଡ ଲଗାଇବାକୁ କହିଲେ, ମୁଁ ପ୍ରଥମ ଗୁରୁଙ୍କର ସଦ୍ୟ ଆଦେଶ ପାଳନ କଲି । ଗୋଟାଏ ଡାଲାରେ ଖଡ଼ି, ପୋଥି, ଲେଖନ, ଫୁଲ, ମିଠାଇ ପ୍ରଭୃତି ଥିଲା । ସେଥିରୁ ଯାହା ଇଚ୍ଛା ନେବା ସକାଶ ମୋପ୍ରତି ଦ୍ୱିତୀୟ ଆଦେଶ ହେଲା । ମୁଁ ଟଗରଫୁଲ ମାଳାଟି ଉଠାଇ କଣ୍ଠରେ ଲମ୍ୱାଇ ଘରକୁ ଚାଲିଗଲି । ଉପସ୍ଥିତ ଜନମଣ୍ଡଳୀରୁ ଗୋଟାଏ ଉଚ୍ଚ ହାସ୍ୟରୋଳ ଉଠିଲା । ଅନନ୍ତର ମୋର ଦୁଇକାନ ଫୋଡ଼ା ହୋଇଥିବା ସ୍ଥାନରେ ବ୍ୟଥାହରଣ ସକାଶ ଦୁଇଟୋପା ସିନ୍ଦୂର ଲଗାଇ ଦିଆଗଲା । ଏହିପରି କର୍ଣ୍ଣବେଧ ଏବଂ ବିଦ୍ୟାରମ୍ଭ ଶେଷ ହେଲା ।

 

ତହିଁ ପର ଦିନ ପୂର୍ବୋକ୍ତ ସାରସ୍ୱତ ମନ୍ଦିରରେ ମୋର ବର୍ଣ୍ଣଶିକ୍ଷା ଆରମ୍ଭ ହେଲା । ଶିକ୍ଷାଦାତା ମୋର ଜଣେ ସମ୍ପର୍କୀୟ ଖୁଡ଼ୁତା । ତାଙ୍କର ନାମ ଅନିରୁଦ୍ଧ ମହାନ୍ତି । ସେ ବଙ୍ଗଳାରେ ଛାତ୍ରବୃତ୍ତି ପାସ କରିଥିଲେ । ସେ ସମୟରେ ଓଡ଼ିଆ ଭାଷାରେ ଛାପାପୁସ୍ତକ ଥିଲା ନାହିଁ । ଶିକ୍ଷାର୍ଥୀମାନେ ବଙ୍ଗଳା ପୁସ୍ତକ ପଢ଼ୁଥିଲେ ଏବଂ ବଙ୍ଗଳାରେ ହସ୍ତାକ୍ଷର ଲେଖୁଥିଲେ । ଅନିରୁଦ୍ଧ କେବଳ ସ୍କୁଲଶିକ୍ଷାରେ ଶିକ୍ଷିତ ନ ଥିଲେ, ପ୍ରାଚୀନ ସାହିତ୍ୟରେ ସୁଦ୍ଧା ତାଙ୍କର ଅସାଧାରଣ ଦକ୍ଷତା ଥିଲା । ଭଞ୍ଜ, କବିସୂର୍ଯ୍ୟ, ସାମନ୍ତ ସିଂହାର, ଦୀନକୃଷ୍ଣ ପ୍ରଭୃତି ମହାକବିମାନଙ୍କର କାବ୍ୟ ତାଙ୍କର କଣ୍ଠସ୍ଥ; ସେ ତାହା ଛନ୍ଦନିୟମରେ ଗାଇ ମୁଖେ ମୁଖେ ଅନର୍ଗଳ ଅର୍ଥ କହିଯାଉଥିଲେ । ଗ୍ରନ୍ଥ ଲେଖି ବିତରଣ କରିବା ତାଙ୍କର ଅନ୍ୟତମ ସଦ୍‌ଗୁଣ ଥିଲା । ତାଳପତ୍ର ଏବଂ କାଗଜରେ ସେ ବୈଦେହୀଶବିଳାସ, ରସକଲ୍ଲୋଳ, ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମସୁଧାନିଧି, ରସିକହାରାବଳୀ, ବିଦଗ୍‌ଧଚିନ୍ତାମଣି ପ୍ରଭୃତି ଗ୍ରନ୍ଥମାନ ଲେଖି ଅନେକ ବିତରଣ କରିଯାଇଅଛନ୍ତି । ତାଙ୍କର କଣ୍ଠ ଅତି ଲଳିତ ଏବଂ ମଧୁର ଥିଲା । ଏକେ ମନୋମୁଗ୍‌ଧକର ଛାନ୍ଦଗୀତ, ଦ୍ୱିତୀୟରେ ସୁଗାୟକ, ସୁତରାଂ ମଣି କାଞ୍ଚନ ସଂଯୋଗ । ସେ ଗୀତ ଗାଉଥିବା ସମୟରେ ନିତାନ୍ତ କଠୋର ପ୍ରାଣ ଅରସିକ ସୁଦ୍ଧା ନ ଶୁଣି ଚାଲିଯାଇ ପାରୁ ନ ଥିଲା, ତାହାର ଶୁଷ୍କ ହୃଦୟରେ ଆବେଗ ଲହରୀ ଉଦ୍‌ବେଳିତ ହୋଇ ଉଠୁଥିଲା । ପ୍ରାଗୁକ୍ତ ବାଣୀ-ମଣ୍ଡପ ତଳେ ସେ ବନମାଟିରେ ଜାଗା ପ୍ରସ୍ତୁତ କରି ଅ ଠାରୁ ଔ ପର୍ଯ୍ୟନ୍ତ ଖଡ଼ିରେ ଲେଖିଦେଲେ ଏବଂ ମୋ ହାତ ଧରି ଥରେ ଦୁଇଥର ମଡ଼ାଇଦେଇ ସ୍ଥାନାନ୍ତରକୁ ଚାଲି ଗଲେ । କାହିଁକି କେଜାଣି ମୋର ମନ ‘‘ଏ ଐ’’ ପ୍ରତି ଆକୃଷ୍ଟ ହେଲା । ମୁଁ ସେହି ଦୁଇଟି ବର୍ଣ୍ଣ ଲେଖିବାକୁ ଚେଷ୍ଟା କଲି । ଏହି ସମୟରେ ଅନିରୁଦ୍ଧଙ୍କ ଭ୍ରାତୃଜାୟା ଉପସ୍ଥିତ ହୋଇ ମୁଁ କଅଣ ପଢୁଛି ବୋଲି ପଚାରିଲେ । ମୁଁ ଏ ଐ ଦୁଇଟିକି ଦେଖାଇ ଦେଇ କହିଲି,–ଏଇଟା ତୁଳାଭିଣାନାଠୀ ଆଉ ଏଇଟା ଚଢ଼େଇ ଗୋଡ଼ । ତେତେବେଳେ ଏ ଐ ଏହିପରି ଲେଖାଯାଉଥିଲା-। ପ୍ରଶ୍ନକର୍ତ୍ତ୍ରୀ ମୋର ଉତ୍ତର ଶୁଣି ଆନନ୍ଦରେ ବିହ୍ୱଳ ହୋଇ ସେହିକଥା ସମସ୍ତଙ୍କ ପାଖରେ କହି ବୁଲିଲେ । ଗୋଟାଏ ହାସ୍ୟର ଝଟିକା ପ୍ରବାହିତ ହେଲା । ଅନିରୁଦ୍ଧ ଉପସ୍ଥିତ ହେଲା କ୍ଷଣି ଏ କଥା ତାଙ୍କର କର୍ଣ୍ଣଗୋଚର ହେଲା । ସେ ଆନନ୍ଦରେ ଅଧୀର ହୋଇ ମୋତେ ଟେକି ନେଇ କହିଲେ–ଏ ଗୋଟାଏ କବି ହେବ । କବି ଜନ୍ତୁ ବିଶେଷ କି ଭୂତ ପ୍ରେତ ତାହା ମୋର ଅଜ୍ଞାତ-। ସୁତରାଂ କବି ଶବ୍ଦ ମୋର ଅଜ୍ଞାନ ବାଲ୍ୟ ପ୍ରାଣରେ ଆନନ୍ଦ ଦାନ କରିପାରିଲା ନାହିଁ । ତାଙ୍କର ସାହିତ୍ୟ-ରସପ୍ଳୁତ ଭାବମୟ ପ୍ରାଣରେ କି ଭାବ ଜାତ ହେବାରୁ ସେ ଏଭଳି ଉଚ୍ଚ ମନ୍ତବ୍ୟ ପ୍ରକାଶ କଲେ ତାହା ତାଙ୍କୁହିଁ ଏକା ବିଦିତ ।

 

‘‘ତୁଳାଭିଣା ନାଠୀ’’ ସହିତ ‘‘‘ଏ’’ ର ତୁଳନା ସମୀଚୀନ । ‘‘ତୁଳାଭିଣା ନାଠୀ’’ ଶବ୍ଦ ଶୁଣିଲେ ଏକାଳର ପିଲାମାନେ ଅଭିଧାନ ଫିଟାଇ ଅର୍ଥ ଖୋଜି ବସିବେ । ମାତ୍ର ସେକାଳର ପିଲାମାନେ ତାହା ପ୍ରତ୍ୟହ ଦେଖୁଥିଲେ । ଧନୁକାକୃତିବିଶିଷ୍ଟ ଖଣ୍ଡେ ବାଉଁଶ ଫାଳିଆର ଦୁଇମୁଣ୍ଡ ‘‘ତନ୍ତ’’ ଦ୍ୱାରା ବନ୍ଧା ହୋଇଥାଏ । ତନ୍ତର ଅର୍ଥ ସୂକ୍ଷ୍ମ ଚର୍ମରଜ୍ଜୁ । ଏହା ତନ୍ତୁ ଶବ୍ଦଜ । ଗୁଣଯୁକ୍ତ ଧନୁତୁଲ୍ୟ ସେହି ଯନ୍ତ୍ରରେ ତୁଳା ଭିଣାଯାଏ । ସେ ସମୟରେ ପ୍ରାୟ ପ୍ରତ୍ୟେହ ଗୃହସ୍ଥ କପାଚାଷ କରୁଥିଲେ । ଘରେ ଘରେ ଅରଟ ବୁଲୁଥିଲା । ସୂତା ଗାଁ ତନ୍ତୀକୁ ଦେଲେ ସେ ବାଣନେଇ ଲୁଗା ବୁଣି ଦେଉଥିଲା । ସାଧାରଣ ଲୁଗାର ବାଣ ବା ବୁଣାମୂଲ୍ୟ ହାତପ୍ରତି ଦେଢ଼ପଇସା ଏବଂ ଅଧିକ ଓସାର ଲୁଗାର ବୁଣାମୂଲ୍ୟ ହାତପ୍ରତି ଦୁଇ ପଇସା ଥିଲା । ଲୁଗାର ଧଡ଼ି ‘‘ତଅଁର’’ରେ ହେଉଥିଲା । ଆଛୁଗଛର ମୂଳକୁ ପାଣିରେ ଶିଝାଇ ସେହି ପାଣିରେ ସୂତା କଷାଇନେଲେ ସୂତା ଲାଲ ହୋଇଥାଏ-। ତାହାକୁ ‘‘ତଅଁର’’ କହନ୍ତି । ସୂତାକଟା, ତୁଳାଭିଣା ଅନାଥା ବିଧବାମାନଙ୍କର ଏକମାତ୍ର ଜୀବନୋପାୟ ଥିଲା । ଅନେକ ବିଧବା ସୂତାକଟା, ତୁଳାଭିଣା ଦ୍ୱାରା ଜୀବିକା ନିର୍ବାହ କରି ସଞ୍ଚିତ ଅର୍ଥରେ କୂପ-ପୁଷ୍କରିଣୀଖନନ ଏବଂ ଦେଉଳତୋଳା ପ୍ରଭୃତି ମହତ୍‌ କାର୍ଯ୍ୟମାନ କରିଯାଇଅଛନ୍ତି । ମୋଫସଲରେ ଏରୂପ ସୁକୀର୍ତ୍ତିର ଦୃଷ୍ଟାନ୍ତ ଅବଧି ଅନେକ ଦେଖାଯାଏ ।

 

ପୂର୍ବୋକ୍ତ ଅନିରୁଦ୍ଧ ମହାନ୍ତି ମୋତେ ଅତ୍ୟନ୍ତ ସ୍ନେହ କରୁଥିଲେ । କିଛିଦିନ ପରେ ସେ ପାଗଳ ହେଲେ । ତାଙ୍କର ଅତ୍ୟାଚାରରେ ଗ୍ରାମ ଶଙ୍କିତ ହୋଇ ଉଠିଲା । ଯେ ତାଙ୍କ ସମ୍ମୁଖରେ ପଡ଼ିଲା ତାକୁ ଅନର୍ଗଳ ପ୍ରହାର କଲେ । ଏକେତ ପାଗଳ, ଦ୍ୱିତୀୟରେ ବଳବାନ୍‌, ସୁତରାଂ କାହାରି ପ୍ରତି ଭୟ ବା ଭ୍ରୁକ୍ଷେପ ନାହିଁ । କେବଳ ତାଙ୍କ ଜ୍ୟେଷ୍ଠଭ୍ରାତା ପାର୍ବତୀଚରଣ ମହାନ୍ତିଙ୍କ ବ୍ୟତୀତ ସେ ଭୂମଣ୍ଡଳରେ ଆଉ କାହାକୁ ଭୟ କରନ୍ତି ନାହିଁ । ମାତ୍ର ଅଜ୍ଞାନ ବାତୁଳ ଅବସ୍ଥାରେ ସୁଦ୍ଧା ମୋ ପ୍ରତି ସ୍ନେହ ବିଚ୍ୟୁତ ହୋଇ ନଥିଲେ । ଅନେକ ସମୟରେ ମୋତେ କୋଳରେ ବସାଇ ଉଚ୍ଚସ୍ୱରରେ ବୈଦେହୀଶ ପ୍ରଭୃତି ଛନ୍ଦଗୀତ ଗାନ କରନ୍ତି ଏବଂ ସାମୟିକ ଫୁଲ ଓ କୋଳି ତୋଳିଦେଇ ମୋର ତୃପ୍ତିସାଧନ କରନ୍ତି । ବାଳକର କି ଗୁଣ ଦେଖି ସେ ପାଗଳ ଅବସ୍ଥାରେ ସୁଦ୍ଧା ବଶୀଭୂତ ହୋଇଥିଲେ ତାହା ସେହି ଏକା ଜାଣନ୍ତି । ଲୋକେ କହନ୍ତି,– ହନୁମାନ ସାଧନାରେ ବିଫଳ–କାମ ହୋଇ ସେ ପାଗଳ ହୋଇଥିଲେ । ସେହି ପାଗଳ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା । ମୃତ୍ୟୁ ପରେ ତାଙ୍କ ଘରୁ ଅନେକ ମନ୍ତ୍ର ପୋଥି ମିଳିଥିଲା । ବିପଦର ଆଶଙ୍କା କରି ତାହା ସବୁ ନଷ୍ଟ କରିଦିଆଗଲା-। ପୋଥିଗୁଡ଼ିକ ତାଙ୍କର ସ୍ୱହସ୍ତ ଲିଖିତ ଥିଲା । ତାଙ୍କ ଦେହାନ୍ତର ପରେ ମୁଁ ସ୍ନେହରେ ଗୋଟିଏ ଶୀତଳ ସୁବର୍ଣ୍ଣ କକ୍ଷ ହରାଇ ବସିଲି । ତାଙ୍କର ଜ୍ୟେଷ୍ଠଭ୍ରାତା ଏବଂ ଭ୍ରାତୃଜାୟା ଅନପତ୍ୟ ହେତୁ ମୋତେ ପୁତ୍ରତୁଲ୍ୟ ସ୍ନେହ କରୁଥିଲେ । ସେହି ପବିତ୍ର ଅନାବିଳ ସ୍ନେହର ଜାହ୍ନବୀଧାରାରେ ମୋର ପ୍ରାଣ ପରିପୁଷ୍ଟ ହୋଇଅଛି । ସେହି ସ୍ନେହସ୍ମୃତି ଏ ବୃଦ୍ଧବୟସରେ ସୁଦ୍ଧା ନୟନ ଆର୍ଦ୍ର କରିଦିଏ । ହାୟ, ସେ ସ୍ୱର୍ଗୀୟ ସୁଖ ମୋର ଦୂରଦୃଷ୍ଟରେ ବହୁଦିନ ସ୍ଥାୟୀ ହେଲା ନାହିଁ । ସେ ଦେବଦେବୀ ଯୁଗଳ ସମ୍ପ୍ରତି ସ୍ୱର୍ଗରେ ।

 

ଅର୍ଦ୍ଧଶତାବ୍ଦୀ କାଳବ୍ୟାପୀ ଜୀବନ–ପଞ୍ଜିକା ଧାରାବାହିକରୂପେ ଲେଖିବା ଏକାନ୍ତ ଅସମ୍ଭବ । କେତେ ଘଟଣା ବିସ୍ମୃତି–ସାଗରର ଅତଳଗର୍ଭରେ ନିମଜ୍ଜିତ ହୋଇ ଅସ୍ତିତ୍ୱ ହରାଇ ସାରିଲାଣି; କେତେ ଅବା ପ୍ରଭାତ ନକ୍ଷତ୍ର ପଙ୍‌କ୍ତିତୁଲ୍ୟ କ୍ରମଶଃ ଅସ୍ପଷ୍ଟ ହୋଇ ଆସୁଅଛି । ସୁତରାଂ ଯାହା ଲିଖିତ ହେବ ତାହା ବିଶୃଙ୍ଖଳ ଭାବରେ ଲିଖିତ ହେବ । ତାହା ମୋର ଦୋଷ ନୁହେଁ,–ସେ ଦୋଷ ସର୍ବହର କାଳର ଏବଂ ମାନବ ସୁଲଭ ଭୁଲା ମନର । ସୁଖ ଦୁଃଖରେ ବାଲ୍ୟକାଳ କ୍ରମଶଃ ଅତିବାହିତ ହେବାକୁ ଲାଗିଲା । ମୋର ଅଗ୍ରଜା ଦୁହେଁ ମୋତେ ପ୍ରାଣଠାରୁ ବଳି ସ୍ନେହ କରୁଥିଲେ । ସେ ଦୁହିଙ୍କ କାଖ ବ୍ୟତୀତ ବସୁମତୀରେ ମୋର ପାଦ ପଡ଼ୁ ନ ଥିଲା । କେବଳ ମୋତେ ହରଘଡ଼ି କାଖେଇ କାଖେଇ ଜ୍ୟେଷ୍ଠା ଭଗିନୀର କଟିର ବାତ ପଡ଼ିଗଲା । ବାତ ପାଚିଯାଇ ଫୋଡ଼ ହେଲା, ସେ ଅନେକ କଷ୍ଟ ପାଇଅଛି ।

 

ସେ ସମୟରେ କଥା କଥାକେ ଚିକିତ୍ସକ ଡକା ଥିଲା ନାହିଁ, ଚିକିତ୍ସକର ମଧ୍ୟ ଅଭାବ । ମାତ୍ର ସେ ଅଭାବ ଗ୍ରାମର ବୁଢ଼ାବୁଢ଼ୀମାନେ ପୂର୍ଣ୍ଣ କରୁଥିଲେ । ପ୍ରତ୍ୟହ ସକାଳେ ପିଲାମାନଙ୍କୁ ନଳିତାପିତା ପାଣି ପିଇବାକୁ ଦିଆଯାଉଥିଲା । ଦୁଇତିନି ବର୍ଷର ପୁରୁଣା ନଳିତାପତ୍ରକୁ ପଥର ତାଟିଆରେ ରାତ୍ରିରେ ତିନ୍ତାଇ ଦିଆଯାଏ; ସେଥିରେ ପୋଡ଼ା କଞ୍ଚା ଶୁଣ୍ଠି ଦୁଇଖଣ୍ଡ ମଧ୍ୟ ପଡ଼େ । ସକାଳୁ ପତ୍ର ଛାଙ୍କି ଶୁଣ୍ଠି ଚୋବାଇ ଦେଇ ପାଣିଟିକକ ପିଇ ଦେବାକୁ ହୁଏ । ସେଥିରେ ଉଦରର ସମସ୍ତ ଦୋଷ କଟିଯାଏ । ନଳିତାପାଣି ପିଇବାବେଳେ ମୋର ଉତ୍ପାତର ସୀମା ନଥାଏ । ଯେହେତୁ ନଳିତା ପାଣି ଅବଧାନର ଶାସ୍ତି କିମ୍ୱା ଦୁର୍ଜନର ତିରସ୍କାର ତୁଲ୍ୟ ବଡ଼ ଆପାତ ମଧୁର । ଏପରି ମଧୁର ଯେ କୋଚିଳାର ମଧୁରିମା ତାହାର ସହସ୍ରାଂଶର ଏକାଂଶ ସଙ୍ଗେ ସମାନ ନୁହେଁ । ଔଷଧ ପରେ ବାଳଭୋଗର ବ୍ୟବସ୍ଥା ପୋଡ଼ାପିଠା ଗୁଡ଼ କିମ୍ୱା ମୁଢ଼ି ଉଖୁଡ଼ା । ତେତେବେଳେ ମିଠାଇ, ଜିଲିପି, ପୁରି ପ୍ରଭୃତିର ନାମ ବା ସ୍ୱରୂପ ସୃଷ୍ଟି ହୋଇ ନଥିଲା । ମିଠାଇ ବାଲେଶ୍ୱରରେ ମିଳୁଥିଲା । ସେଥିପାଇଁ ଆଜିପର୍ଯ୍ୟନ୍ତ ମିଠାଇର ନାମ ‘‘ବାଲେଶ୍ୱରୀ ମିଠାଇ’’ ଅକ୍ଷତ ରହିଅଛି । ସଜ ମୁଢ଼ି ଦୁଧ କିମ୍ୱା ପୋଡ଼ାପିଠା ଦୁଧ ସେ କାଳର ପ୍ରଧାନ ଜଳଖିଆ ଥିଲା । ପ୍ରତି ଗୃହସ୍ଥର ଗୃହରେ ମୁଢ଼ି ଭଜା ହେଉଥିଲା । ମଧୁର ପଦାର୍ଥ ମଧ୍ୟରେ ଏକମାତ୍ର ଗୁଡ଼ ସମସ୍ତ ଅଭାବ ପୂର୍ଣ୍ଣ କରୁଥିଲା । ଶିଶୁମାନଙ୍କ ସକାଶ ‘‘ମିଠାଖଣ୍ଡ’’ ପ୍ରସ୍ତୁତ ହେଉଥିଲା । ତାହା ଅଠାଶୂନ୍ୟ ନିର୍ଦ୍ଦୋଷଗୁଡ଼ର ନାମାନ୍ତର । ଏହିରୂପ ବିଶୁଦ୍ଧ ପଦାର୍ଥ ଖାଇବାଦ୍ୱାରା ଶରୀର ପୁଷ୍ଟ, ସବଳ ଏବଂ ନୀରୋଗ ଥିଲା । ବର୍ତ୍ତମାନ ଚା, ବିଷ୍କୁଟ, ବିଦେଶୀ ଚିନି, ମଇଦା, ଘିଅ ପ୍ରଭୃତି ବିକୃତ ପଦାର୍ଥ ପ୍ରସ୍ତୁତ ଜଳଖିଆଦ୍ୱାରା ଆଉ ଯାହା ଘଟୁ ମାତ୍ର ରୋଗବୃଦ୍ଧି ଏବଂ ଆୟୁକ୍ଷୟ ଅନିବାର୍ଯ୍ୟ । ଅଧିକ ପରିତାପର ବିଷୟ ଯେ ତାହା ନହେଲେ ବଡ଼ଲୋକୀ ପୁଣି ସଭ୍ୟତାରେ ବାଧା ଘଟିବ । ଏହାଠାରୁ ବଳି ଅଧୋଗତିର ଉନ୍ନତି ଆଉ କଅଣ ହୋଇପାରେ ? ସେ କାଳରେ ଗୋପାଳନ ଧର୍ମ ମଧ୍ୟରେ ପରିଗଣିତ ହେଉଥିଲା । ଦୁଧ ଘିଅ ପ୍ରାୟ ସମସ୍ତଙ୍କ ଘରେ ସୁଲଭ । ନଥିବା ଲୋକ ପ୍ରତିବେଶୀ ଘରୁ ମାଗି ଆଣୁଥିଲା । ଯାହା ମାଗି ଆଣୁଥିଲା ତାହାର ମୂଲ୍ୟ ବର୍ତ୍ତମାନ ତୁଳନାରେ ଦୁଇଅଣାରୁ ଊର୍ଦ୍ଧ୍ୱ ହୋଇପାରେ ମାତ୍ର ଊଣା ନୁହେଁ । ନିର୍ଜଳ ଦୁଧ ସେର ଏକଅଣା ଏବଂ ଘିଅ ସେର ଏକଟଙ୍କା ଥିଲା । ଅବସ୍ଥାପନ୍ନ ଲୋକଙ୍କ ଘରେ ସଜ ଲହୁଣୀରେ ତରକାରୀ ବଘରା ହେଉଥିଲା । ସାଧାରଣ ଲୋକେ ତେଲ ବ୍ୟବହାର କରୁଥିଲେ । ତେଲ ସେର ଚାରିଅଣା ଥିଲା ।

 

ଗ୍ରାମରେ ପାଠଶାଳା ଥିଲା ନାହିଁ । ତେତେବେଳେ ବିଦ୍ୟା ପ୍ରତି ତେତେ ଆଗ୍ରହ ନ ଥିଲା-। ଲୋକେ କୃଷି, ଶିଳ୍ପ, ବାଣିଜ୍ୟରେ ଅଧିକ ମନୋଯୋଗୀ ଥିଲେ । ପାଠପଢ଼ି ଚାକିରୀ କରିବା କାହାରି ମୁଖ୍ୟ ଲକ୍ଷ୍ୟ ଥିଲା ନାହିଁ । ଚାକିରି ମଧ୍ୟ ଜମିଦାରୀ ସିରସ୍ତାରେ ଏକାଧିପତ୍ୟ ବିସ୍ତାର କରିଥିଲା । ଅଳ୍ପବିଦ୍ୟାରେ ଚଳିଯାଉଥିଲା । ଅଙ୍କ, ସାହିତ୍ୟ ଏହି ଦୁଇ ବିଷୟର ଶିକ୍ଷା ପ୍ରଚଳିତ ଥିଲା । ଗଣିତଶିକ୍ଷାର କ୍ରମ ଏହିପରି, –ପ୍ରଥମରେ ପଣକିଆ, ତହିଁପରେ ଯଥାକ୍ରମେ ଶୋଧି, ଓଡ଼ାଙ୍କ (ମିଶାଣ), ଫେଡ଼ାଙ୍କ (ଫେଡ଼ାଣ), ଅଙ୍କଗୁଣା (ଗୁଣନ), ହରିଗୁଣ (ହରଣ), ଫେଡ଼ିମିଶା, ନଳ, ଭିଆଣ, କୁଟା, କ୍ରୟବିକ୍ରୟ ଏବଂ ଅସଲହବୁ (ସୁଧକଷା) । ସାହିତ୍ୟଶିକ୍ଷାର ଧାରା-ଫଳା, ବନା, ସତରଫଳା (ଯୁକ୍ତାକ୍ଷର), ତାଳପତ୍ରରେ ମୁଣ୍ଡଳାକଟା, ଅକ୍ଷରଲେଖା, ରାସ, ଦଶମ, ଏକାଦଶ, ତହିଁପରେ ଅନ୍ୟାନ୍ୟ ପ୍ରାଚୀନକବି ଉପେନ୍ଦ୍ରଭଞ୍ଜ ପ୍ରଭୃତିଙ୍କ କବିତା ଅର୍ଥ ସହିତ ଛାତ୍ରମାନେ କଣ୍ଠସ୍ଥ କରୁଥିଲେ । ପଟ୍ଟା ପାଉତିର ଆଦର୍ଶ ଏବଂ ଜମିଦାରୀ ସିରସ୍ତାର କାର୍ଯ୍ୟ ଶିକ୍ଷା ଦିଆଯାଉଥିଲା ।

 

କିଛିଦିନ ପରେ ଗ୍ରାମରେ ଜଣେ ଅବଧାନ ରହିଲେ । ଆମ୍ଭେମାନେ ତାଙ୍କ ଶିଷ୍ୟତ୍ୱ ସ୍ୱୀକାର କଲୁଁ । ଚାଟଶାଳୀମଡ଼ା ଚାଉଳ ସେରେ, ପଇସାଟିଏ, ଗୁଆଟିଏ ଦକ୍ଷିଣା ଦେଇ ମୁଁ ଚାଟଶ୍ରେଣୀରେ ଭର୍ତ୍ତି ହେଲି । ପ୍ରତିଫଳା, ପଣକିଆ ବା ନୂଆପାଠ ଶିକ୍ଷା ସମୟରେ ଚାଟଶାଳୀକୁ ପୂଜା ନେବାକୁ ହୁଏ । ପୂଜାଥାଳୀରେ ଥାଏ କିଛି ଚାଉଳ, ଗୋଟିଏ ପଇସା, ଗୋଟିଏ ଗୁଆ ଫୁଲ, ଚନ୍ଦନ, ସିନ୍ଦୂର, ଦୂବ, ବରକୋଳିପତ୍ର, ଠୋଲାଏ ପଞ୍ଚୁବର୍ଣ୍ଣୀ ଭୋଗ ଏବଂ ଖଣ୍ଡେ ଦୁଇଖଣ୍ଡ ପାନ । ଅବଧାନେ ପୂଜାକରି ନୂଆପାଠ ଲେଖିଦିଅନ୍ତି । ଶିଶୁ ତାହା ଗ୍ରହଣ କରି ଗୌରବ ଜ୍ଞାନ କରେ । ଆହା ସେ କି ଆନନ୍ଦ ! ସମସ୍ତ ପଦାର୍ଥ ଅବଧାନଙ୍କର, କେବଳ ଭୋଗପୋଟଳାଟି ଶିଷ୍ୟମାନଙ୍କ ମଧ୍ୟରେ ବଣ୍ଟିତ ହୁଏ । ଅବଧାନେ ଅର୍ଦ୍ଧାଂଶ ମାତ୍ର ଗ୍ରହଣ କରନ୍ତି । ତାହା ସୁଦ୍ଧା ସର୍ବତ୍ର ନୁହେଁ, –କୌଣସି କୌଣସି ଶିଷ୍ୟବତ୍ସଳ ଗୁରୁ ନିଜେ ସମସ୍ତ ଶିଷ୍ୟର ପ୍ରତିନିଧି ହୋଇ ଠୋଲାଟିଯାକ ଉଦରସାତ୍‌ କରନ୍ତି । ସେ ଯାହା ହେଉ ମାତ୍ର ପୂଜାର ରୀତି ଅତି ମହତ୍‌ । ବିଦ୍ୟାଧିଷ୍ଠାତ୍ରୀ ଦେବୀ ବୀଣାପାଣିଙ୍କୁ ପୂଜାକରି ନୂତନ ବିଦ୍ୟା ଗ୍ରହଣ କରିବାଦ୍ୱାରା ଶିଶୁମାନଙ୍କର ସୁକୁମାର ପ୍ରାଣରେ ଧର୍ମଶିକ୍ଷାର ବୀଜ ବପନ କରାଯାଏ । ଏ ରୀତି ପବିତ୍ର, ଉଦାର ଏବଂ ଧର୍ମାନୁପ୍ରାଣିତ । ଚାଟଶାଳୀରେ ନୀତିଶିକ୍ଷାର ମଧ୍ୟ ଅଭାବ ଥିଲା ନାହିଁ । ହାତ ବାହାରକୁ ରଖିଲେ, ବାଳ ଫିଟିଗଲେ, ମସ୍ତକର ଧୂଳିଚିତା ନିଭିଗଲେ ଜୋରିମାନା ସ୍ୱରୂପ ଗୋଟାଏ ଗୋଟାଏ ଗୁଆ ଦେବାକୁ ହୁଏ । ଏହି ପ୍ରାୟଶ୍ଚିତ୍ତର ପୁରୋହିତ ବଡ଼ଚାଟ । ସେ ଆଦାୟ କରି ଅବଧାନଙ୍କୁ ଦିଏ । ଚାଟଶାଳୀ ମଧ୍ୟରେ ଯେ ବଡ଼ ପାଠୁଆ, ସେ ବଡ଼ଚାଟ ଉପାଧି ପ୍ରାପ୍ତ ହୁଏ । ସମୟ ସମୟରେ ନିମ୍ନଶ୍ରେଣୀର ପଢ଼ାଇବା ଭାର ତାହା ଉପରେ ନ୍ୟସ୍ତ ହୁଏ । ବଡ଼ଚାଟର ଗୌରବ ଊଣା ନୁହେଁ, ତାହା ଅନୁଭବୀ ବିନା ଅନ୍ୟ କେହି ବୁଝିବ ନାହିଁ । ଉପସ୍ଥିତ ଏବଂ ବିଦାୟବେଳେ ପିଲାମାନେ ‘‘ଛାମୁ’’ କହି ଅବଧାନଙ୍କୁ ଦଣ୍ଡବତ କରନ୍ତି । ଛୁଟିପୂର୍ବରୁ ପିଲାମାନେ ଚାଟଶାଳୀ ହାତରେ ପରିଷ୍କାର କରୁ କରୁ–‘‘ଚାଟଶାଳୀ ପୋଛୁ ହାତେ, ମା ସରସ୍ୱତୀ ବିଦ୍ୟାଦିଅ ମୋତେ’’ ଏହି ପ୍ରାର୍ଥନାଶ୍ଳୋକ ବାରମ୍ୱାର ଆବୃତ୍ତି କରନ୍ତି । ଶିଶୁ ପ୍ରାଣର ସେହି ସରଳ ବ୍ୟାକୁଳ ପ୍ରାର୍ଥନା ଶ୍ରୋତାଶ୍ରବଣ ପବିତ୍ର କରିଦିଏ । ଆହା ଧର୍ମଶିକ୍ଷା ଏବଂ ନୀତିଶିକ୍ଷାର କି ସୁନ୍ଦର ନିୟମ । ମୋର ବର୍ଣ୍ଣଶିକ୍ଷା ଆରମ୍ଭ ହେଲା । ଅବଧାନଟି ଦୁର୍ବାସାଙ୍କ ଗୁରୁ, ଜାତିରେ ଆଘୁରିବଙ୍ଗାଳୀ । ମାରଣାଗୋରୁର ଶିଙ୍ଗ, ନାତ ପରି ତାଙ୍କର ହାତଗୋଡ଼ ଅଜସ୍ର ଚାଳିତ ହୁଏ, ତହିଁ ସଙ୍ଗେ ସଙ୍ଗେ ମୁଖ ମଧ୍ୟ ଅନର୍ଗଳ ଛୁଟେ । ରସନାଖଣ୍ଡି ଖଣ୍ଡିଏ ଅଗ୍ନିମୟ ଅସ୍ତ୍ର । ସୌଭାଗ୍ୟବଶତଃ ମୁଁ ତାଙ୍କର କୌଣସି ଶରୀର-ଶରବ୍ୟ ହୋଇ ନାହିଁ । ପୂର୍ବରୁ କହିଅଛି ଛାତ୍ରମାନଙ୍କର ପୃଷ୍ଠପରୀକ୍ଷାରେ ସେ ଖୁବ୍‌ ନିପୁଣ । ସେହି ମହାପୁଣ୍ୟ ଫଳରେ ସେ ଅଳ୍ପଦିନ ମଧ୍ୟରେ ସ୍ୱର୍ଗଗାମୀ ହେଲେ । ସମସ୍ତଙ୍କର ପାଠ ଇତିଶ୍ରୀରେ ପରିଣତ ହେଲା ।

 

ଆମ୍ଭ ଗ୍ରାମରେ ହରମୋହନ ଘୋଷ ଏବଂ ଆର୍ତ୍ତବଲ୍ଲଭ ଘୋଷ ନାମରେ ଦୁଇଜଣ କଟକଜିଲାବାସୀ ବଙ୍ଗାଳୀ ଅମଲା ସପରିବାରରେ ବସା କରିଥିଲେ । ସେମାନଙ୍କ ପିଲାମାନଙ୍କର ପଢ଼ିବାରେ ଅସୁବିଧା ହେବାରୁ ସେହି ଦୁଇଜଣଙ୍କ ଯତ୍ନରେ କିଛି କାଳ ପରେ ଗ୍ରାମରେ ପାଠଶାଳା ସ୍ଥାପିତ ହେଲା । ପୂର୍ବୋକ୍ତ ଆର୍ତ୍ତବାବୁଙ୍କ ପ୍ରତିବେଶୀ ଦାଶରଥି ପାଣିଗ୍ରାହୀ ଶିକ୍ଷକ ନିଯୁକ୍ତ ହେଲେ । ସତୀର୍ଥବର୍ଗଙ୍କ ସହିତ ମୁଁ ସେହି ପାଠଶାଳାରେ ପଢ଼ିବାକୁ ଲାଗିଲି । ପୂର୍ବରୁ ଯେଉଁ କେତୋଟି ଫଳା ଶିଖିଥିଲି, ତାହା ଦୀର୍ଘ ଅବସରରେ ଗୁରୁଙ୍କୁ ସମର୍ପଣ କରି ଗୁରୁଋଣ ପରିଶୋଧ କରି ଦେଇଥିଲି । ସୁତରାଂ ପୁନଶ୍ଚ ମୂଳରୁ ଆରମ୍ଭ କରିବାକୁ ହେଲା । ଉପରୋକ୍ତ ଆର୍ତ୍ତବାବୁ ଏବଂ ହରମୋହନବାବୁଙ୍କ ନାମ ପ୍ରସଙ୍ଗ କ୍ରମେ ଅନେକ ଥର ଲିଖିତ ହେବ । ତେଣୁ ସେମାନଙ୍କର ସଂକ୍ଷିପ୍ତ ପରିଚୟ ନିମ୍ନରେ ପ୍ରଦତ୍ତ ହେଲା ।

 

ହରମୋହନବାବୁ ସବ୍‌ଡ଼ିଭିଜନ ଅଫିସରଙ୍କର ଏବଂ ଆର୍ତ୍ତବାବୁ ସବ୍‌ଡ଼େପୁଟିଙ୍କର ପେଷ୍କାର ଥିଲେ । ତେତେବେଳେ ସବ୍‌ଡ଼ିଭିଜନ ଅଫିସ ବର୍ତ୍ତମାନ ପରି ଅମଲା ବହୁଳ ଥିଲା ନାହିଁ । ଏହି ଦୁଇଜଣ ସର୍ବୋଚ୍ଚ ଅମଲା, ସୁତରାଂ ଅବ୍ୟାହତ କ୍ଷମତାପନ୍ନ । ମାତ୍ର କ୍ଷମତାର ଅପବ୍ୟବହାର ଥିଲା ନାହିଁ । ଏହି ଦୁଇଜଣଙ୍କ ଦ୍ୱାରା ଗ୍ରାମର ଯଥେଷ୍ଟ ମଙ୍ଗଳ ସାଧିତ ହୋଇଥିଲା । ଏକାଦିକ୍ରମେ ତିରିଶ ବର୍ଷକାଳ ବାସ କରି ସେମାନେ ଗ୍ରାମବାସୀ ତୁଲ୍ୟ ହୋଇ ଯାଇଥିଲେ । ଗ୍ରାମର ସମସ୍ତ ଲୋକେ ତାଙ୍କ ପରିବାରଙ୍କ ସହିତ ନାନା ଧର୍ମ-ସମ୍ପର୍କରେ ଆବଦ୍ଧ ଥିଲେ । ଉଭୟେ ପରମାର୍ଥ ପରାୟଣ ଏବଂ ଦୟାଳୁ । ଗ୍ରାମର ସମସ୍ତେ ତାଙ୍କୁ ମୁରବି ତୁଲ୍ୟ ଜ୍ଞାନ କରି ତାଙ୍କ ପ୍ରତି ଭୟଭକ୍ତି ପ୍ରକାଶ କରୁଥିଲେ । ଏତିକି କହିଲେ ଯଥେଷ୍ଟ ହେବ ଯେ ସେ ଜମିଦାର ତୁଲ୍ୟ ଗ୍ରାମର ଗୁହାରି ବିବାଦ ସମସ୍ତ ମୀମାଂସା କରି ଦେଉଥିଲେ । ତାଙ୍କ ସୁବିଚାରକୁ କେହି ସାହସ କରି ଲଙ୍ଘିପାରୁ ନଥିଲେ । ବାଦୀ ପ୍ରତିବାଦୀ ଉଭୟେ ତାଙ୍କ ବିଚାରକୁ ଶିରୋଧାର୍ଯ୍ୟ କରୁଥିଲେ । ସେମାନେ ହଳ, ବଳଦ, ମୂଲିଆ ରଖି ଚାଷ କରୁଥିଲେ ଏବଂ ଅମାର ପ୍ରଭୃତି ତୋଳାଇ ଠିକ୍‌ ସ୍ଥାୟୀ ଗୃହସ୍ଥ ପରି ବାସ କରୁଥିଲେ । ସେମାନଙ୍କ ଯତ୍ନରେ ଗୋଟିଏ ଭାଗବତ ସଭା ସ୍ଥାପିତ ହୋଇଥିଲା । ସବ୍‌ଡ଼ିଭିଜନର ଅଧିକାଂଶ ଧନୀ ଏବଂ ପରମାର୍ଥୀ ମାସିକ ଚାନ୍ଦା ଦାନ କରି ଉକ୍ତ ସଭାର ସଭ୍ୟ ହୋଇଥିଲେ । ମାସିକ ସାତ ଟଙ୍କା ବେତନରେ ଜଣେ ପଣ୍ଡିତ ଏବଂ ଦୁଇ ଟଙ୍କା ବେତନରେ ଜଣେ ଚାନ୍ଦା ଆଦାୟକାରୀ ନିଯୁକ୍ତ ଥିଲେ । ପ୍ରତି ରବିବାର ଅପରାହ୍ନ ଚାରି ଘଣ୍ଟାଠାରୁ ରାତ୍ର ଦଶଘଣ୍ଟା ପର୍ଯ୍ୟନ୍ତ ସଭାର ଅଧିବେଶନ ହୁଏ । ନିକଟବର୍ତ୍ତୀ ଗ୍ରାମର ବହୁ ଭଦ୍ରବ୍ୟକ୍ତି ସଭାରେ ଯୋଗଦାନ କରନ୍ତି । ପଣ୍ଡିତ ନାଗରକିଶୋର ଭଟ୍ଟାଚାର୍ଯ୍ୟ ସଂସ୍କୃତ ଭାଗବତ ପଢ଼ି ଅର୍ଥ କରନ୍ତି । ତାଙ୍କ ପରେ ସୂର୍ଯ୍ୟପୁରବାସୀ ଗୋସ୍ୱାମୀ ରାମକୃଷ୍ଣ ଅଧିକାରୀ ସଭାପଣ୍ଡିତ ପଦରେ ନିଯୁକ୍ତ ହୋଇଥିଲେ । ସଂସ୍କୃତ ଭାଗବତ ପାଠ ଶେଷରେ ଜଣେ ବ୍ରାହ୍ମଣ ଓଡ଼ିଆ ଭାଗବତ ପଢ଼ନ୍ତି । ଶେଷରେ ଚୈତନ୍ୟଚରିତାମୃତ ପାଠ ହୋଇ ନାମ ସଂକୀର୍ତ୍ତନ ଏବଂ ପ୍ରସାଦ ବିତରଣ ପରେ ସଭା ଭଙ୍ଗ ହୁଏ-। ଭୋଗଲୋଭରେ ଗ୍ରାମର ପିଲାମାନେ ଆସି ରୁଣ୍ଡ ହୁଅନ୍ତି । ପ୍ରତ୍ୟେକଙ୍କୁ ଫଡ଼ାଏ ପୁରି ଏବଂ କିଞ୍ଚିତ୍‌ କନ୍ଦଗୁଣ୍ଡା ଦିଆଯାଏ । ତେତେବେଳେ ଚିନିର ଶୁଭାଗମନ ହୋଇ ନଥିଲା । ପୁରି ସେର ଚାରିଅଣା ଥିଲା । ରାଧାଷ୍ଟମୀ, ନନ୍ଦୋତ୍ସବ, ଗରୁଡ଼ ଦ୍ୱାଦଶୀ ପ୍ରଭୃତିରେ ମହୋତ୍ସବ ହୁଏ । ବାର୍ଷିକ ଉତ୍ସବକୁ ଧଣ୍ଡା ମହୋତ୍ସବ କହନ୍ତି । ସେଦିନ ସଭା ନିକଟରେ ଗୋଟାଏ ପ୍ରକାଣ୍ଡ ଧଣ୍ଡା (ପତାକା) ପୋତା ହୋଇ ମହୋତ୍ସବ ଓ ନାମ ସଂକୀର୍ତ୍ତନ ହୁଏ । ପ୍ରତି ମହୋତ୍ସବଦିନ ସହସ୍ରାଧିକ ଲୋକ ପ୍ରସାଦ ଭୋଜନ କରନ୍ତି । ଚାନ୍ଦାଦ୍ୱାରା ସେଥିର ବ୍ୟୟ ନିର୍ବାହିତ ହୁଏ । ତେତେବେଳେ ଚାଉଳ ଟଙ୍କାକୁ ୪୮ ସେର ମିଳୁଥିଲା । କେବେ କେବେ ଲାଟବନ୍ଦୀ ସମୟରେ ୬୪ ସେର ହୋଇଯାଏ । ମୁଗ, ବୁଟ ଓ ହରଡ଼ ସେର ଚାରି ପଇସା, ବିରି ତିନି ପଇସା, ମାତ୍ର ଆମଦାନୀ ବେଳେ ଦୁଇ ପଇସା, ବରଗୁଡ଼ି, ମସୁର ସେର ଦୁଇ ପଇସା ଏବଂ କୋଳଥ ଓ ଖେସାରୀ ସେର ପଇସାଏ ମାତ୍ର ଥିଲା । ପନିପରିବା ମଧ୍ୟ ସୁଲଭ । ଦୁଇ ଅଣାରେ ବାଇଗଣ ଭାରେ ମିଳୁଥିଲା । ବୋଇତାଳୁ ପୁଞ୍ଜା ଦୁଇଅଣା, ବଡ଼ ହେଲେ ଚାରିଅଣାରୁ ଊର୍ଦ୍ଧ୍ୱ ହେଉ ନ ଥିଲା । କଦଳୀ ସମସ୍ତଙ୍କ ବାଡ଼ିରେ ଅପର୍ଯ୍ୟାପ୍ତ-। କଖାରୁ କେହି ବିକ୍ରୟ କରୁ ନଥିଲେ । ‘‘କଖାରୁ ସୁବର୍ଣ୍ଣ ଫଳ, ତାହା ବିକ୍ରୟ କରିବା ଦୋଷାବହ’’ ବୋଲି ସାଧାରଣର ବିଶ୍ୱାସ ଥିଲା । କେବଳ ଲୁଣ ମହାର୍ଘ ଥିଲା । ସମୟ ସମୟରେ ଲୁଣସେର ପାଞ୍ଚଅଣା ହୋଇଯାଏ । ମାତ୍ର ସାଧାରଣତଃ ତିନିଅଣା । ବିଲାତିଲୁଣର ନାମଗନ୍ଧ ସୁଦ୍ଧା ଥିଲା ନାହିଁ-। ସମୁଦ୍ର କୂଳେ କୂଳେ ଲୁଣମରା ହେଉଥିଲା । ତାହା ସବୁ ଆସି ପୁରୁଣାବଜାରସ୍ଥ ଲୁଣଗୋଲାରେ ଜମା ହେଉଥିଲା । ସେଠାରୁ ବେପାରୀମାନେ କିଣି ବଳଦରେ ଲଦି ମୋଫସଲକୁ ନେଇ ଯାଉଥିଲେ । ଗୁଆଘିଅ ଟଙ୍କାକୁ ଏକସେର, ମହିଷିଆ ଘିଅ ଦୁଇସେର ଏବଂ ସୋରିଷତେଲ ଚାରିସେର ମିଳୁଥିଲା । ଗନ୍ଧରାଜ କେରୋସିନ୍‌ ଆବିର୍ଭୂତ ହୋଇ ନଥିଲେ । ଗୃହସ୍ଥମାନେ କରଞ୍ଜ ତେଲ ଏବଂ ଜଡ଼ା ତେଲ ଦୀପରେ ଜାଳୁଥିଲେ । କରଞ୍ଜକୁ କୁଟି ତେଲି ଘରୁ ଘଣାରେ ପେଡ଼ାଇ ଆଣିବାକୁ ହେଉଥିଲା । ପୁଡ଼ିଏ କରଞ୍ଜ ପେଡ଼ିଲେ ସେରେ ତେଲ ବାହାରେ । ତେଲିର ପାରିଶ୍ରମିକ ଛଟାଙ୍କିଏ ତେଲ ଏବଂ ଦୁଇଟି ପଇସା । ଗୃହସ୍ଥ ଘରେ ଗାତ ଖୋଳି କରଞ୍ଜ ତେଲ କଳସୀ ପୋତି ରଖୁଥିଲେ । ସେଥିରେ ତେଲ ଢାଳିଯିବାର ବା ନଷ୍ଟ ହୋଇଯିବାର ଆଶଙ୍କା ଥାଏ ନାହିଁ । ଅନେକଙ୍କ ଗୃହ ପୟାଁଖାଡ଼ିରେ ଆଲୋକିତ ହେଉଥିଲା । ତାହା ଖୁବ୍‌ ଦରିଦ୍ର ବା କୃପଣ ଶ୍ରେଣୀରେ ପ୍ରଚଳିତ ଥିଲା ।

 

ନୂତନ ଅବଧାନେ ଖୁବ୍‌ ପରିଶ୍ରମ ସହିତ ପଢ଼ାଇବାକୁ ଲାଗିଲେ । ତେତେବେଳେ ଅବଧାନ ଶବ୍ଦ ନବ୍ୟସଭ୍ୟତାର ଆଲୋକଚୂର୍ଣ୍ଣରେ ମାର୍ଜିତ ହୋଇ ‘‘ମାଷ୍ଟର’’ରେ ପରିଣତ ହୋଇ ନ ଥିଲା । ମାତ୍ର ଏ ସୌଭାଗ୍ୟ ତାର ଅଧିକ ଦିନ ରହିଲା ନାହିଁ । ପରିବର୍ତ୍ତନଶୀଳ କାଳ ତାହାକୁ କିଛିଦିନ ପରେ ସ୍ୱପଦରୁ ବେଦଖଲ କରିଦେଲା । ପିଟିବା ବିଷୟରେ ମାଷ୍ଟର ମହାଶୟଙ୍କର ହେଳା ବା କୃପଣତା ଥାଏ ନାହିଁ । ପାଠଶାଳା ପାଖରେ ଅନେକ କନିଅର ଗଛ ଥିଲା । ମାଷ୍ଟର ମହାଶୟ ସେ ଗୁଡ଼ିକ ଶାଖାଶୂନ୍ୟ କରିରଖିଥିଲେ । କନିଅର ଛଡ଼ ସ୍ୱଭାବତଃ ମଟକା, କୌଣସି ପିଲା ପିଠିରେ ଦୁଇ ପାହାର ବସିଲେ ଭାଙ୍ଗି ଚୂର୍ଣ୍ଣୀଭୂତ ହୋଇଯାଏ । ତହୁଁ ଆଉ ଖଣ୍ଡିଏ ଆସେ । ଏହିପରି ପ୍ରତ୍ୟହ ୬।୭ ଖଣ୍ଡି ତାଙ୍କର ଶାସନ ଦଣ୍ଡ ରୂପେ ବ୍ୟବହୃତ ହୁଏ । ମାଷ୍ଟରଙ୍କ ଆଖିରେ ସୁଦ୍ଧା କି ଅଦ୍ଭୁତ ଶକ୍ତି, ସେ ଯା ଉପରେ ପଡ଼େ, ତାହା ଶରୀରରୁ ଅଧେ ରକ୍ତ ଶୁଖିଯାଏ । ଯାହାହେଉ ତାଙ୍କର ପରିଶ୍ରମ ଏବଂ ଶିକ୍ଷାପ୍ରଣାଳୀର ସୁଖ୍ୟାତି ଅଳ୍ପଦିନ ମଧ୍ୟରେ ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହୋଇପଡ଼ିଲା । ଦୁଇକ୍ରୋଶ ଦୂରରୁ ପିଲାମାନେ ଆସି ତାଙ୍କ ନିକଟରେ ପଢ଼ିଲେ । ଶେଷରେ ପାଠଶାଳାର ଛାତ୍ରସଂଖ୍ୟା ୯୫ ପର୍ଯ୍ୟନ୍ତ ବୃଦ୍ଧିଲାଭ କରିଥିଲା । ଶିକ୍ଷକ ମହାଶୟ ସକାଳୁ ପାଠଶାଳାକୁ ଆସି ଯେ ପଢ଼ୁଥାଉ ବା ବସିଥାଉ ସମସ୍ତଙ୍କ ପୃଷ୍ଠରେ ତାଙ୍କର ସାରସ୍ୱତ ସ୍ୱର୍ଣ୍ଣଦଣ୍ଡ ଛୁଆଇଁ ଦିଅନ୍ତି । ଦଣ୍ଡମହିଁମାରୁ ସେହିକ୍ଷଣି ପିଲାଙ୍କ ମୁଣ୍ଡରେ ପ୍ରତିଭା ଉଛୁଳି ଉଠେ । ଛେଳିପଲ ବାଘକୁ ଦେଖିଲାପରି ସମସ୍ତ ଚାଟପିଲା ଏକ ସଙ୍ଗରେ ଭେଁ ଭେଁ କରି ଉଠନ୍ତି ଏବଂ ଖୁବ୍‌ ଉଚ୍ଚରେ ଚିତ୍କାର ଛାଡ଼ି ପାଠାବୃତ୍ତି କରନ୍ତି । ଦିନେ ଏହିପରି ପାଟିଗୋଳ ଶୁଣି ଜଣେ ସାହେବ ଡେପୁଟି ମାଜିଷ୍ଟ୍ରେଟ ଦଙ୍ଗାର ଆଶଙ୍କା କରି କୋଠିରୁ ଆସି ପାଠଶାଳାରେ ଉପସ୍ଥିତ ହେଲେ । ସ୍କୁଲ ସବ୍‌ଇନ୍‌ସପେକ୍‌ଟରଙ୍କ ବସା ପାଠଶାଳାର ଅତି ନିକଟରେ ଥିଲା । ସାହେବଙ୍କୁ ଦେଖି ସବ୍‌ଇନ୍‌ସପେକ୍‌ଟର ବାବୁ ଧାଇଁ ଆସିଲେ । ସାହେବ ତାହାଙ୍କୁ ଗୋଳମାଳର କାରଣ ପଚାରନ୍ତେ ସେ କହିଲେ,–ପିଲାଏ ପାଠ ପଢୁଅଛନ୍ତି । ତହୁଁ ସାହେବ ଖପାହୋଇ ଏତେ ଜୋରରେ ପାଟି ନ କରିବା ସକାଶ ସବ୍‌ଇନ୍‌ସପେକ୍‌ଟରଙ୍କ ମୁଖରେ ଶିକ୍ଷକଙ୍କୁ ଧମକ ଦେଇଗଲେ । ସେ ସମୟରେ ସାହେବ ଭିନ୍ନ ଦେଶୀୟଲୋକ ସବ୍‌ଡ଼ିଭିଜନ ଅଫିସର ହୋଇ ଭଦ୍ରଖକୁ ଆସୁ ନ ଥିଲେ । ଯେଉଁ ସାହେବମାନେ ଆସୁଥିଲେ ସେମାନେ ଖାଣ୍ଟି ଉଇରୋପିଆନ୍‌ । ସେମାନେ ଠିକ୍‌ ଧର୍ମନିକ୍ତି ଧରି ବିଚାର କରୁଥିଲେ । କେହି ଗୋଟାଏ ସାପ ମାରି କଚେରୀରେ ନେଇ ଦେଖାଇଲେ ହିଂସ୍ରଜନ୍ତୁ ବଧ କରିଅଛି ବୋଲି ତାହାକୁ ଚାରିଅଣା ପୁରସ୍କାର ମିଳୁଥିଲା । ମୁଁ ସହାଧ୍ୟାୟୀଙ୍କ ସହିତ ବିଦ୍ୟାରେ ପ୍ରତିଯୋଗିତା କରେଁ ବା ନ କରେଁ ମାତ୍ର ଉପସ୍ଥିତ ବିଷୟରେ ଏକାନ୍ତ ସହଯୋଗିତା କରିଥାଏଁ । ମାଷ୍ଟର ମହାଶୟ ଥରେ ନିୟମ କଲେ, ଯେ ଏକାଦିକ୍ରମେ ମାସେ କାଳ ପ୍ରତିଦିନ ଶୂନ ହେବ ଅର୍ଥାତ୍‌ ସ୍କୁଲରେ ପ୍ରଥମ ଉପସ୍ଥିତ ହେବ ସେ ପଇସାଏ ପୁରସ୍କାର ପାଇବ । ସେହି କଠିନ ପରୀକ୍ଷାରେ ମୋ ବ୍ୟତୀତ ଅନ୍ୟ କେହି ଉତ୍ତୀର୍ଣ୍ଣ ହୋଇପାରି ନଥିଲେ । ମାତ୍ର ସେହି କୁବେରନିଧି ପଇସାଟି ମୋ ଭାଗ୍ୟରେ ଘଟି ନ ଥିଲା । କେବଳ ଖଣ୍ଡିଏ ମୌଖିକ ଦୀର୍ଘ ସାର୍ଟିଫିକେଟ ପାଇଥିଲି-। ପାଠଶାଳାରେ ନୀତିଶିକ୍ଷା ଏବଂ ଧର୍ମଶିକ୍ଷା ମଧ୍ୟ ଦିଆଯାଉଥିଲା । ମାନଧାତାଙ୍କ ଅମଳରୁ ଚାଣକ୍ୟ ପୁସ୍ତକଖଣ୍ଡି ନୀତିଶିକ୍ଷାକୁ ସ୍ଥାୟୀପଟ୍ଟା ନେଇଅଛି । ଆମ୍ଭମାନଙ୍କ ସମୟରେ ସେଥିର ବ୍ୟତ୍ୟୟ ଅବା କାହିଁକି ଘଟିବ ? ଚାଣକ୍ୟ ପଣ୍ଡିତେ ହାତୀଘୋଡ଼ାକୁ ବାଟରେ ଚଲାଇ ନ ଦେବା ସକାଶ କଠୋର ଆଇନ ବାନ୍ଧି ଯାଇଅଛନ୍ତି । ‘‘ହସ୍ତୀହସ୍ତ ସହସ୍ରେଣ ଶତହସ୍ତେନ ବାଜିନଃ’’ ଏହାକୁ ଗଳାଧଃ କରିବା ମଧ୍ୟ ତତୋଽଧିକ କଠୋର । ରବିବାରଦିନ ଉପରଓଳି ପାଠଶାଳା ବନ୍ଦ ହୁଏ । ପୂର୍ବରୁ ଚୈତନ୍ୟଚରିତାମୃତର ଗୋଟିଏ ଶ୍ଳୋକ ଏବଂ ପୟାର ଲେଖି ପିଲାମାନଙ୍କୁ ଦିଆଯାଇଥାଏ । ସଭାଦିନ ପ୍ରଥମେ ସେମାନେ ତାହା ସଭାରେ ଆବୃତ୍ତି କରନ୍ତି । ଶିକ୍ଷକଙ୍କର ନୀତି ବାହ୍ୟିକ କଠୋର ହେଲେହେଁ ଅନ୍ତର ସରସ ଥିଲା । ଏହାହିଁ ସୁଶିକ୍ଷକ-ସୁଲଭ ସୁଲକ୍ଷଣ । ଯେଉଁ କଠୋରତା ସରସ ତାହା ବାଞ୍ଛନୀୟ । ରସ ଥିବାରୁ ନାରିକେଳର କଠୋରତା ସୁଖ ତୃପ୍ତିପ୍ରଦ ହୁଏ । ଧନୁ ସଙ୍କ୍ରାନ୍ତି ଏବଂ ମକର ସଙ୍କ୍ରାନ୍ତିରେ ପିଲାମାନଙ୍କଠାରୁ ପଇସାଏ ଲେଖାଏଁ ଚାନ୍ଦା ନେଇ ଧନୁମୁଆଁ ଏବଂ ଚୂଡ଼ା ଖଜା କିଣାହୋଇ ଆସେ । ତାହା ସମସ୍ତ ପିଲାଙ୍କୁ ବିତରଣ କରାଯାଏ । ଅନ୍ୟାନ୍ୟ ପର୍ବରେ ମଧ୍ୟ ଯଥାବିଧି କାର୍ଯ୍ୟ ହୋଇଥାଏ । ଶିଶୁମାନଙ୍କ ଚିତ୍ତାକର୍ଷଣର ଏହା ଗୋଟିଏ ସୁନ୍ଦର ସୁକୌଶଳ ।

 

ଭାଗବତ ସଭାରେ ପିଲାମାନେ ଯେଉଁ ଶ୍ଳୋକପୟାର ଆବୃତ୍ତି କରନ୍ତି, ହରମୋହନ ବାବୁ ତାହା ନିଜେ ଲେଖି ପିଲାମାନଙ୍କୁ ଦିଅନ୍ତି । ସେ ଜଣେ ଭକ୍ତକବି, ଶ୍ଳୋକର ପୟାର ସେ ନିଜେ ଓଡ଼ିଆଭାଷାରେ ରଚନା କରନ୍ତି । ବଙ୍ଗଭାଷାରେ ସେ ଅନେକ ସଂକୀର୍ତ୍ତନ ସଙ୍ଗୀତ ରଚନା କରିଥିଲେ । ସଙ୍ଗୀତ ଗୁଡ଼ିକ ସଭାରେ ଗୀତ ହୁଏ । ସେ ସମୟରେ ତାଙ୍କର ଜ୍ୟେଷ୍ଠପୁତ୍ର କଟକରେ ବି,ଏ, ଅଧ୍ୟୟନ କରୁଥିଲେ । କଲେଜ ଛୁଟି ହେଲେ ସେ ଭଦ୍ରଖ ଆସନ୍ତି । ସେ ଅନେକ ସମୟରେ ପାଠଶାଳାକୁ ଯାଇ ଆମ୍ଭମାନଙ୍କୁ ପଢ଼ାନ୍ତି । ପରବର୍ତ୍ତୀକାଳରେ ସେ ଗୋଟାଏ ଗଡ଼ଜାତର ଦେୱାନ ହୋଇଥିଲେ । ଦୁଃଖର ବିଷୟ, ଅପଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କପରି ନିରଭିମାନ ଜନହିତବ୍ରତ ଯୁବକ ଆଜିକାଲି ଅଳ୍ପ ଦେଖାଯାଆନ୍ତି ।

 

ତେତେବେଳେ ଭଦ୍ରଖରେ ଅଦାଲତ କଚେରୀ ଥିଲା ନାହିଁ । ଜଣେ ଡେପୁଟୀ ଏବଂ ସବ୍‌ଡ଼େପୁଟୀଙ୍କ ଦ୍ୱାରା କଲେକ୍‌ଟରୀ ବିଭାଗ ପରିଚାଳିତ ହେଉଥିଲା । ଗୋଟିଏ ଅତି କ୍ଷୁଦ୍ର ମାଟିଘରରେ ପୋଷ୍ଟଅଫିସ ହେଉଥିଲା । ଦଶଟଙ୍କା ବେତନରେ ଜଣେ ପୋଷ୍ଟମାଷ୍ଟର ଥିଲେ । ସାମାନ୍ୟ କେତେ ଖଣ୍ଡ ପୋଷ୍ଟ ଅଫିସର ନୋଟିସ ବିଜ୍ଞାପନ ଛଡ଼ା ଚିଠିପତ୍ର ଅଧିକ ଆସୁ ନଥିଲା । ମଣିଅଡ଼ର ସୃଷ୍ଟି ଥିଲା ନାହିଁ । କଲିକତାରୁ ହୁଣ୍ଡିଆମାନେ ଟଙ୍କା ଆଣି ଗାଁ ଗାଁ ବୁଲି ଯାହାର ଟଙ୍କା ତାହା ଘରେ ଦେଉଥିଲେ । ଥାନାରେ ଜଣେ ଦାରୋଗା (ଇନିସ୍‍ପେକ୍‌ଟର୍‌), ଜଣେ ମୁନ୍‌ସି (ସବ୍‌ଇନିସ୍‌ପେକ୍‌ଟର), ଜଣେ ଜମାଦାର (ହେଡ଼କନେଷ୍ଟବଲ) ଏବଂ କେତେ ଜଣ କନେଷ୍ଟବଲ ଥିଲେ । ବିପିନବାବୁ ଦାରୋଗା ଏବଂ ଦୌଲତ୍‌ଖାଁ ମୁନସି ଭଦ୍ରଖରେ ଚିରସ୍ମରଣୀୟ ହୋଇଅଛନ୍ତି । ଅଦ୍ୟାପି ଉଦାହରଣ ଛଳରେ ଲୋକେ ତାଙ୍କ ନାମ କୀର୍ତ୍ତନ କରନ୍ତି । ତାଙ୍କର ଗୋଟିଏ ଦୁଇଟି କୀର୍ତ୍ତିକାହାଣୀ ଶୁଣିଲେ ସେକାଳର ପୋଲିସ ପ୍ରତାପର ଯଥେଷ୍ଟ ପରିଚୟ ମିଳିବ । ବିପିନବାବୁ ଦାରୋଗା ଜଣେ ବଙ୍ଗୀୟ ପ୍ରତାପୀଯୁବକ । ନାମ ଶୁଣିଲେ ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ । ଠେଙ୍ଗା ତାଙ୍କର ପ୍ରଧାନ ଅସ୍ତ୍ର । ଯମଦଣ୍ଡ ତୁଲ୍ୟ ଗୋଟିଏ ବିଶାଳ ଠେଙ୍ଗା ଧରି ସେ ଦିବାରାତ୍ର ଶାସନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । କେଉଁଠାରେ ଦୁଇ ତିନି ଜଣ କଥାବାର୍ତ୍ତା ହେଉଥିବାର ଦେଖିଲେ ସେମାନଙ୍କୁ ଚୋର ଭାବି ଉତ୍ତମ ମଧ୍ୟମ ପ୍ରଦାନ କରନ୍ତି । ଦିନେ ସନ୍ଧ୍ୟା ସମୟରେ ସେ ମହାପୁରୁଷ ବଜାର ଆଡ଼କୁ ବିଜେ କରୁଥିଲେ । ତାଙ୍କ ପଛରେ ‘‘ଛକା’’ ନାମରେ ଜଣେ ପାଣ ଯାଉଥିଲା । ବାବୁ ପଛକୁ ଚାହିଁଦେଇ ରୁଷ୍ଟ ସ୍ୱରରେ ପଚାରିଲେ–‘‘ତୁ ବେଟା କେ ରେ ?’’ ପ୍ରାଣ ଭୟରେ ଜଡ଼ୀଭୂତ ହୋଇ କହିଲା–‘‘ମୁଁ ତ ବାବୁ ଛକା ।’’ ଆଉ ଯାଏ କୁଆଡ଼େ, ବାବୁଙ୍କ ରାଗ ସପ୍ତମରେ ଚଢ଼ିଗଲା । କହିଲେ–‘‘ଶାଲାର ବେଟା ଶାଲା ଆମାକେ ଛକ୍‌ବି ।’’ କଥା ସଙ୍ଗେ ସଙ୍ଗେ ଠେଙ୍ଗାରେ ବେଦମ ପ୍ରହାର । ଦ୍ୱିତୀୟ ମହାପୁରୁଷଙ୍କ କୀର୍ତ୍ତି ଆହୁରି ବିଚିତ୍ରତର । ସେ ସମସ୍ତଙ୍କୁ ସ୍ୱୀୟ ପ୍ରଣୟିନୀଙ୍କର ଭ୍ରାତୃସମ୍ୱନ୍ଧରେ ଆବଦ୍ଧ କରନ୍ତି । ଆକୃତି ସ୍ଥୂଳ, ବର୍ଣ୍ଣ କୃଷ୍ଣ ପାଣ୍ଡୁର, ଠିକ୍‌ ଗୋଟାଏ କେନ୍ଦୁ ଗଛର ଗଣ୍ଡିତୁଲ୍ୟ । ଦିନେ ସେ ଘୋଡ଼ାରେ ଚଢ଼ି ଯାଉଥିଲେ । କିଛି ଦୂରରେ ଜଣେ ଚଣା ବିକ୍ରୟ କରିବା ଲୋକ ‘‘ଚଣା ଖାଓ ମଜା ପାଓ’’ ବୋଲି ଡାକି ଡାକି ଯାଉଥିଲା । ଘୋଡ଼ା ଦୁଷ୍ଟାମୀ କରି କାଷ୍ଠଖଣ୍ଡ ତୁଲ୍ୟ ତାଙ୍କୁ କଚାଡ଼ି ଦେବା ସମୟରେ ଚଣାବାଲା କହିଲା–‘‘ମଜା ପାଓ ।’’ ଆଉ କି ରକ୍ଷା ଅଛି, ମୁନସିଜ ଝାଡ଼ିଝୁଡ଼ି ଉଠି ଆରକ୍ତ ନେତ୍ରରେ କହିଲେ–‘‘କୋନ୍‌ ହେ ରେ, ସୁଅର୍‌ ବଦ୍‌ମାସକେ ପକଡ଼ ଲାଓ ।’’ କନେଷ୍ଟବଲମାନେ ତତ୍‌କ୍ଷଣାତ୍‌ ଆଦେଶ ପାଳନ କଲେ । ନିର୍ଦ୍ଦୋଷ ବିଚାରା ଚଣାବାଲାର ପୃଷ୍ଠ ଘୋଡ଼ା କୋରଡ଼ାରେ ସ୍ୱୟଂ ମୁନସିଜି ପରୀକ୍ଷା କରି ତହିଁପରେ ଛାଡ଼ିଦେଲେ ।

 

ଆଜି କେତେ ବାଲ୍ୟସ୍ମୃତି ମୂର୍ତ୍ତି ଧରି ଆଖି ଆଗରେ ନାଚି ବୁଲୁଅଛି । ସ୍ୱଚ୍ଛନ୍ଦ ଆହାର ବିହାର ଏବଂ ସହପାଠୀମାନଙ୍କ ସହ କ୍ରୀଡ଼ା କୌତୁକରେ ଦିନ ପାଣି ପରି ସୁଖରେ ବହିଯାଉଥିଲା । ସଂସାର ଭ୍ରୁକୁଟୀ ଦେଖାଇବା ଦୂରେ ଥାଉ ସଂସାରକୁ ଭ୍ରୁକୁଟୀ ଦେଖାଇବାକୁ ହେଉଥିଲା । ପାଠଶାଳାରେ ଦୁଇଜଣ ପିଲା ଦୁଷ୍ଟାମୀରେ ଗ୍ରାଜୁଏଟ ଉପାଧିକୁ ବଳିଯାଇଥିଲେ । ରାଜାର ଫୁଲପତ୍ର ଊଣା ହୋଇପାରେ ମାତ୍ର ସେମାନଙ୍କର ମାଡ଼ କେବେ ଊଣା ହୁଏ ନାହିଁ । ପ୍ରଥମ ମୂର୍ତ୍ତିଙ୍କର ନାମ ଭାଗବତ । ସେ ଆର୍ତ୍ତବାବୁଙ୍କର ଜ୍ୟେଷ୍ଠପୁତ୍ର । ସେ ଗୋଟିଏ ଧୂମକେତୁ, ଘରୁ ବାହାରିଲେ କାହାରି କିଛି ଅନିଷ୍ଟ ନକରି ଶୂନ୍ୟ ହସ୍ତରେ ଫେରି ଆସେ ନାହିଁ । ଗୋପରେ ଶ୍ରୀକୃଷ୍ଣ ପରି ତାହାର ବାଳଲୀଳା ବର୍ଣ୍ଣନା କଲେ ସରିବ ନାହିଁ । ଆଜି କାହାର ବାଡ଼ ଉପାଡ଼ି ପକାଇଲା, କାଲି କାହାର କୂଅନନ୍ଦ ଭାଙ୍ଗିଦେଲା, କାହା ଗୋରୁକୁ ନିର୍ଘାତ ପ୍ରହାର କଲା, କାହା ପିଲାକୁ ଟେକି କଚାଡ଼ିଦେଲା, ଏହିପରି ପ୍ରତ୍ୟହ ତାହାର କୀର୍ତ୍ତି ବିକଶି ଉଠୁଥାଏ । ଥରେ ଶୀତ ସନ୍ଧ୍ୟାରେ ଆମ୍ଭେମାନେ କେତେ ଜଣ ପିଲା ପତ୍ର ଜାଳି ନିଆଁ ପୁଇଁବା ସମୟରେ ଭାଗବତ ଗୋଟିଏ ପିଲାକୁ ଟେକିନେଇ ସେହି ନିଆଁ ଗଦା ଉପରେ କଚାଡ଼ି ଦେଇ ପଳାଇଲା । ପିଲାଟିର ଲୁଗା ଏବଂ ଦେହ ସ୍ଥାନେ ସ୍ଥାନେ ପୋଡ଼ିଗଲା । ସେ କିଛି ଦିନ କଷ୍ଟ ଭୋଗ କରି ଭଲ ହେଲା । ଥରେ ଭାଗବତ ଦେହରେ କାଛୁ ହେଲା । ସେ କାଛୁରୁ ପୂଜ ବାହାର କରି ଚିନିରେ ଗୋଳାଇ ପିଲାଙ୍କୁ ଖାଇବାକୁ ଦେଲା । ଫଳରେ ସମସ୍ତେ କାଛୁରେ କଷ୍ଟଭୋଗ କଲେ । ବେଙ୍ଗ, ଉଡ଼ୁବଣିଆ, ମୂଷାର ପେଟଚିରି ଦେଖିବା ତାହାର ଗୋଟିଏ ଭାରୀ ଆମୋଦ ଥିଲା । ବାପ, ମା ଏବଂ ମାଷ୍ଟର ତାହା ପ୍ରତି ସର୍ବଦା ତୀକ୍ଷ୍ଣ ଦୃଷ୍ଟି ରଖିଥାଆନ୍ତି, ଅଧିକନ୍ତୁ ଦୁଇଜଣ ଚାକର, ଜଣେ ପୂଜାରୀ ଜଗୁଆଳି, ତଥାଚ ଭାଗବତ କେତେବେଳେ ଯାଇ କାହାର କଣ କରିଆସେ କେହି ଜାଣି ପାରନ୍ତି ନାହିଁ । ବାପ, ମା, ମାଷ୍ଟରଙ୍କଠାରୁ ସେ ଦିନରେ କେତେ ଥର ଯେ ମାଡ଼ଖାଏ ସେଥିର ସଂଖ୍ୟା ନାହିଁ । ମାତ୍ର କାଠପରି ସବୁ ସହ୍ୟ କରେ, ଆଖିରୁ ଲୁହ ସୁଦ୍ଧା ବହେ ନାହିଁ । ସେହି ଚଗଲା ଚୂଡ଼ାମଣି ଭାଗବତ ବର୍ତ୍ତମାନ ଶାନ୍ତିର ପ୍ରତିମୂର୍ତ୍ତି ଏବଂ ଜଣେ ଲବ୍‌ଧ୍‌ପ୍ରତିଷ୍ଠ ଡାକ୍ତର ।

 

ଦ୍ୱିତୀୟ ପିତୁଳିଟିର ନାମ ଗୋପାଳିଆ । ସେ ବର୍ତ୍ତମାନ ସୁଦ୍ଧା ସେହି ଗୋପାଳିଆ ଅଛି-। ‘‘ପ୍ରକୃତି ନୈବ ମୁଚ୍ୟତେ’’ ଏହି ପ୍ରବଚନକୁ ବଞ୍ଚାଇ ରଖିଅଛି । ସେ ପାଠଶାଳାକୁ ନ ଆସି ଲୁଚେ-। ଥରେ ଶିଆଳଗାତରେ ଦୁଇଦିନ ଲୁଚି ରହିଲା । ଆଉଥରେ ହାଣ୍ଡିଶାଳଘର ଘସିସଙ୍ଗାରେ ତିନିଦିନ କାଳ ଲୁଚି ରହିଲା । ରାତିରେ ସମସ୍ତେ ଶୋଇଲେ ସଙ୍ଗାରୁ ଓହ୍ଲାଇ ଭାତ ବାଢ଼ି ଖାଇ ପୁଣି ସଙ୍ଗାରେ ଲୁଚେ । ତାହାର ମା ଡାଙ୍ଗରେ ଖୁଞ୍ଚି ଘସି ବାହାର କରିବାବେଳେ ସେହି ଖୁଞ୍ଚାଖାଇ କହିଲା,–‘‘ବୋଉ ମରିଗଲି ଲୋ, ଜୁହାର ହେଉଛି ଲୋ ମୁଁ ଏଇଠି ଅଛି ।’’ ତହୁଁ ଜଣାଗଲା–ଗୋପାଳଜିଉ ମହାପ୍ରଭୁ ସଙ୍ଗା-ସିଂହାସନରେ ବିଜେ କରିଅଛନ୍ତି । ଯାହା ସଙ୍ଗରେ ତାହାର ନ ପଡ଼େ ତାହାର ପୁସ୍ତକରୁ ଦୁଇ ଚାରିପତ୍ର ଛିଣ୍ଡାଇ ଚୋବାଇ ଖାଇଦେଇ ପ୍ରତିହିଂସା ସାଧନ କରେ । ଏହିପରି ସେ ଅନେକ ପୁସ୍ତକ ଏବଂ ତହିଁ ସଙ୍ଗେ ସଙ୍ଗେ ଅନେକ ମାଡ଼ ଖାଇଅଛି । ସେ ବୃତ୍ତି ପାଇବା ଆଶାରେ ତିନିଥର ଅପର ପ୍ରାଇମେରୀ ପରୀକ୍ଷା ଦେଇ ପ୍ରଥମ ଥର ପ୍ରଥମ ଶ୍ରେଣୀରେ, ଦ୍ୱିତୀୟ ଥର ତୃତୀୟ ଶ୍ରେଣୀରେ ଏବଂ ଶେଷଥର ଫେଲ ଶ୍ରେଣୀରେ ପାସକଲା । ଅତିଲାଭ ଆଶାରେ ମୂଳ ସୁଦ୍ଧା ନଷ୍ଟହେଲା । ସେ କେଉଁ ବିଦ୍ୟାରେ ଊଣାନୁହେଁ, ତାହାର ଜୀବନ ବିଦ୍ୟାରମ୍ଭ, ଶରୀର ଭିନ୍ନ ମୃତ୍ତିକାରେ ଗଠିତ ।

 

ମୋର ଫଳା ଶିକ୍ଷା ପରେ ପଣକିଆ, ଶୋଧି ପ୍ରଭୃତି କ୍ରମରେ ପାଠୋନ୍ନତି ହେବାକୁ ଲାଗିଲା । ସକାଳେ ପାଳି ଅନୁସାରେ ସାଧାପଣକିଆ, କଡ଼ା ପଣକିଆ, ପାହିପଣକିଆ, ଗୁଣ୍ଠବିଶ୍ୱା ପଣକିଆ ଲେଖେଁ ଏବଂ ଉପରଓଳି ତାଳପତ୍ରରେ ମୁଣ୍ଡଳା କାଟି ସାରି ରାସପୋଥିରୁ ଅକ୍ଷର ଚିହ୍ନେ-। ସେ ସମୟରେ ଛାପାପୁସ୍ତକ ଥିଲା ନାହିଁ । କିଛିଦିନ ପରେ ପ୍ରାଇମେରୀ ବିଭାଗ ସୃଷ୍ଟି ହେଲା । ଖଣ୍ଡିଏ ଖଣ୍ଡିଏ ଓଡ଼ିଆ ଛାପା ପୁସ୍ତକ କ୍ୱଚିତ୍‌ ଦେଖାଗଲା । ମିସନାରୀ ପ୍ରଚାରକମାନେ ‘‘ଜଗନ୍ନାଥ ପରୀକ୍ଷା’’ ପ୍ରଭୃତି ପୁସ୍ତକ ଅଧପଇସାଏ, ପଇସାଏ ମୂଲ୍ୟରେ ହାଟବଜାରରେ ବୁଲି ବିକ୍ରୟ କରନ୍ତି ମାତ୍ର କେହି ନିଅନ୍ତି ନାହିଁ । ତହୁଁ ସେମାନେ ବିନାମୂଲ୍ୟରେ ବିତରଣ କଲେ । ତେବେ ସୁଦ୍ଧା କେହି ନେଲେ ନାହିଁ । ତାହା ପଢ଼ିଲେ ଜାତିଧର୍ମ ନଷ୍ଟ ହେବ ବୋଲି ସାଧାରଣଙ୍କର ବିଶ୍ୱାସ ଥିଲା । ଏପରି ବିଶ୍ୱାସର କାରଣ ମଧ୍ୟ ଥିଲା । ଜଗନ୍ନାଥପରୀକ୍ଷା ଖଣ୍ଡି ଜଗନ୍ନାଥଙ୍କ ନିଷ୍କରୁଣ ନିନ୍ଦାରେ ଶତଜିହ୍ୱ । ଲୋକେ ତାହାକୁ ‘‘ପାଦୁଡ଼ି ବହି’’ (ପାଦ୍ରି) କହି ଘୃଣା କରୁଥିଲେ । କିଛିଦିନ ପରେ ବାଲେଶ୍ୱର ନର୍ମାଲ ସ୍କୁଲର ହେଡ଼ମାଷ୍ଟର ଗୋବିନ୍ଦଚନ୍ଦ୍ର ପଟ୍ଟନାୟକଙ୍କର ‘‘ବର୍ଣ୍ଣବିଜ୍ଞାନ’’ ଛାପାହୋଇ ବାହାରିଲା-। ତାହା ପ୍ରାଥମିକ ପାଠ୍ୟ ନିର୍ଦ୍ଧାରିତ ହେବାରୁ ଆମ୍ଭେମାନେ ଖଣ୍ଡିଏ କିଣି ପଢ଼ିଲୁଁ । ସେହିଠାରୁ ଚିତା, ଆଙ୍କୁଶୀକୁ ଚିରକାଳ ସକାଶ ବିଦାୟ ଦେଇ ଆକାର ଇକାର ଧରିବାକୁ ହେଲା । ପ୍ରାଇମେରୀ ଶିକ୍ଷା ବିସ୍ତାର କଳ୍ପେ ପ୍ରଥମରେ ଟଙ୍କା ଢାଳି ଦିଆଗଲା । ପରୀକ୍ଷାବେଳେ ସ୍କୁଲ ସବ୍‌ଇନିସ୍‌ପେକ୍‌ଟର ପ୍ରତି ଥାନାରେ ରହି ପରୀକ୍ଷା କରନ୍ତି । ଥାନା ଅଧୀନସ୍ଥ ସମସ୍ତ ପାଠଶାଳାର ଶିକ୍ଷକ ଛାତ୍ରମାନଙ୍କୁ ଘେନି ଥାନାଗୃହ ନିକଟରେ ଉପସ୍ଥିତ ହୁଅନ୍ତି । ତହୁଁ ପରୀକ୍ଷା ଆରମ୍ଭ ହୁଏ । ସ: ଇ: ପିଲାଙ୍କୁ ପଚାରନ୍ତି–‘‘ତୋ ହାତରେ କେତେଟା ଆଙ୍ଗୁଳି ?’’ ଛାତ୍ର ଉତ୍ତର କଲାପରେ ପୁନଶ୍ଚ ପଚାରନ୍ତି,–‘‘ଦୁଇହାତର ମିଶି କେତେଟା ଆଙ୍ଗୁଳି ?’’ ଛାତ୍ର ଯଦି କହିପାରେ ତେବେ ତାହା ସକାଶ ଶିକ୍ଷକ ଆଠଅଣା ପୁରସ୍କାର ପାଏ । ଯେଉଁ ଛାତ୍ର ୩।୪ ଜଣଙ୍କର ଅଙ୍ଗୁଳି ସଂଖ୍ୟା ଠିକ କହିପାରେ ଅବଧାନ ତାହା ପାଇଁ ଟଙ୍କାଏ ପୁରସ୍କାର ପାଏ । ତେତେବେଳେ ଅବଧାନଙ୍କର ଏକାଦଶ ବୃହସ୍ପତି ଯୋଗ, ଜଣେ ଜଣେ ଶଏ ଦେଢ଼ଶ ପର୍ଯ୍ୟନ୍ତ ପୁରସ୍କାର ପାଇ ଥାଆନ୍ତି । ଏହି ରଜତ୍‌ଚନ୍ଦ୍ର ଲୋଭରେ ଅବଧାନମାନେ ତାଳପତ୍ର ପୋଥି ଛାଡ଼ି ଛାପା କାଗଜ ପୁସ୍ତକ ଆଡ଼କୁ ଆକୃଷ୍ଟ ହେଲେ । ପ୍ରଥମାବସ୍ଥାରେ ଅବଧାନମାନେ ପୁରସ୍କାର ଟଙ୍କା ପୋଲିସ ସମକ୍ଷରେ ତତ୍‌କ୍ଷଣାତ୍‌ ହାତେ ହାତେ ପାଉଥିଲେ ।

 

ସହପାଠୀମାନଙ୍କ ସହିତ କଳିଗୋଳ ବା ବିତଣ୍ଡାରେ ନିଯୁକ୍ତ ହେବା ମୋର ସ୍ୱଭାବ ବିରୁଦ୍ଧ । ପଠନାବସ୍ଥାରେ କେବେ କୌଣସି ଛାତ୍ର ମୋ ନାମରେ ଶିକ୍ଷକମାନଙ୍କ ନିକଟରେ ଅଭିଯୋଗ ଦାଏର କରିନାହିଁ । ପାଠଶାଳାରେ ଥିବାଯାଏଁ ମୁଁ ମୋ କର୍ତ୍ତବ୍ୟରେ ଲାଗି ଥାଏଁ । ବର୍ଣ୍ଣବିଜ୍ଞାନର ବନାନ ମୋ ପରି କେହି ଶୁଦ୍ଧଭାବରେ କରିପାରନ୍ତି ନାହିଁ । ମୋର ଆଦୌ ଭୁଲ ହୁଏ ନାହିଁ । ମୋର ନିରୀହ ଭାବ ଦେଖି ମାଷ୍ଟର ମହାଶୟ ମୋତେ ଖୁବ୍‌ ଭଲ ପାଉଥିଲେ । ପ୍ରତି ଶନିବାର ଅପରାହ୍ନରେ ସମସ୍ତ ଶ୍ରେଣୀର ଛାତ୍ରଙ୍କୁ ଏକତ୍ର ବସାଇ ବନାନ ପରୀକ୍ଷା କରାଯାଏ । ମୁଁ ନିମ୍ନଶ୍ରେଣୀର ଛାତ୍ର, କିନ୍ତୁ ପ୍ରତିଥର ତଳୁ ଉଠି ଉଠି ସର୍ବ ପ୍ରଥମରେ ଆସି ବସେଁ । ମାଷ୍ଟର ମହାଶୟ କୌତୁକାବିଷ୍ଟ ହୋଇ କେତେ ଥର ଏହି ବ୍ୟାପାର ଶିକ୍ଷିତ ଭଦ୍ରବ୍ୟକ୍ତିମାନଙ୍କୁ ଦେଖାଇ ଅଛନ୍ତି । ମୋର ସ୍ମରଣଶକ୍ତିର ଅନେକେ ପ୍ରଶଂସା କରନ୍ତି । ମାତ୍ର ମୁଁ ଏତିକି ଜାଣେ ଯେ ମୁଁ ଯାହା ପଢ଼େ ବା ଶୁଣେ, ତାହା ସହଜରେ ବିସ୍ମୃତି ହୁଏ ନାହିଁ । ମାଷ୍ଟର ମହାଶୟ ବାଲେଶ୍ୱର ନର୍ମାଲ ସ୍କୁଲରେ ପଢ଼ିବାକୁ ଗଲେ । ତାଙ୍କ ସ୍ଥାନରେ ସାହାପୁର ନିବାସୀ ମାଧବାନନ୍ଦ ଦାସ ଏକଟିଂ ନିଯୁକ୍ତ ହେଲେ । ଛମାସ ପରେ ପୂର୍ବ ଶିକ୍ଷକ ନର୍ମାଲ ପୁଟ ପାଇ ଫେରିଆସିଲେ । ସରକାରରୁ ତାଙ୍କୁ ମାସିକ ପାଞ୍ଚଟଙ୍କା ଲେଖାଏଁ ବେତନ ମିଳିଲା । ତହିଁ ପରେ ସେ ନିଜେ ନିଜେ ପଢ଼ି ଅ: ପ୍ରା: ଏବଂ ଛାତ୍ରବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍କୁଲଟି ଅ: ପ୍ରା:ରେ ପରିଣତ ହେଲା, ଶିକ୍ଷକ ଦଶଟଙ୍କା ବେତନ ପାଇଲେ । ତେତେବେଳେ ଅ: ପ୍ରା:ସ୍କୁଲର ଶିକ୍ଷକମାନେ ପ୍ରତି ରବିବାର ଦିନ ବୁଲି ବୁଲି ନିକଟବର୍ତ୍ତୀ ଗ୍ରାମ୍ୟ ପାଠଶାଳାମାନ ପରିଦର୍ଶନ କରୁଥିଲେ । ତାହାର ଅନେକ ଦିନ ପରେ ଇନ୍‌ସପେକ୍‌ଟିଂ ପଣ୍ଡିତ ପଦର ସୃଷ୍ଟି ହେଲା । ଅ: ପ୍ରା: ଶ୍ରେଣୀରେ ‘‘ସଂକ୍ଷିପ୍ତ ଭାରତ ଇତିହାସ’’ ପାଠ୍ୟ ଥିଲା । ତାହା ସାହିତ୍ୟ ଏବଂ ଇତିହାସ ଉଭୟ ପାଠ୍ୟରୂପେ ବ୍ୟବହୃତ ହେଉଥିଲା । ଏହା ପ୍ରଥମ ପୁସ୍ତକ; ଦ୍ୱିତୀୟ ପୁସ୍ତକ–‘‘ଜମିଦାରୀ ସିରସ୍ତା ।’’ ଏହି ଦୁଇଖଣ୍ଡି ପୁସ୍ତକରେ ଅ: ପ୍ରା: ପରୀକ୍ଷା ଗୃହୀତ ହେଉଥିଲା । ତଳ ଶ୍ରେଣୀମାନଙ୍କରେ ଆଖ୍ୟାନମଞ୍ଜରୀ, ହିତବୋଧ ପାଠ୍ୟ ଥିଲା । ଆମ୍ଭମାନଙ୍କ ନରିପୁର ସ୍କୁଲ ପ୍ରତିବର୍ଷ ବୃତ୍ତି ପାଇଲା । ଏହି ସୁଖ୍ୟାତିରେ ଦାଶରଥି ପାଣିଗ୍ରାହୀ ବାରଟଙ୍କା ବେତନରେ ଇ: ପଣ୍ଡିତ କାର୍ଯ୍ୟକୁ ଉନ୍ନୀତ ହେଲେ । କୁଆଁସ ନିବାସୀ ଜାନକୀରାମଦାସ ଆମ୍ଭମାନଙ୍କର ଜୀବନବିନ୍ଧାଣୀ ହେଲେ । ତେତେବେଳେ ମୁଁ ଅପର ପ୍ରାଇମେରୀର ତୃତୀୟ ଶ୍ରେଣୀସ୍ଥ ।

 

କାଗଜ ପଠାଣ ପେଜରେ ପ୍ରସ୍ତୁତ ହୁଏ ବୋଲି ଅନେକଙ୍କର ଧାରଣା ଥିଲା । ସୁତରାଂ କାଗଜ ପ୍ରସ୍ତୁତ ପୁସ୍ତକ ଛୁଇଁଲେ ଅପବିତ୍ର ହୋଇଯିବେ ବୋଲି ସେମାନେ ନାସିକା କୁଞ୍ଚିତ କରୁଥିଲେ । ମାତ୍ର ନରିପୁର ସ୍କୁଲ ଉପର୍ଯ୍ୟୁପରି ବୃତ୍ତିପାଇବାର ଦେଖି ସେମାନଙ୍କ ମନ ଟାକୁ ଟାକୁ ହେଲା । ସେମାନେ ସ୍ୱୀୟ ପୁତ୍ରାଦିଙ୍କ ହସ୍ତରେ କାଗଜ ପୁସ୍ତକ ଅର୍ପଣ କରି ସେମାନଙ୍କୁ ସ୍କୁଲକୁ ପ୍ରେରଣ କଲେ । ପଠାଣପେଜର ଅପବିତ୍ରତା ଆଉ ରହିଲା ନାହିଁ । ଅର୍ଥ–ଲାଳସା ତାହାକୁ ପବିତ୍ର କରିଦେଲା । ଧନ୍ୟ ଅର୍ଥର ମହିଁମା ! ପୁଅ ପାଠ ପଢ଼ୁ ପଢ଼ୁ ମାସକୁ ତିନିଟଙ୍କା ଉପାର୍ଜନ କରିବ ଏଥିରେ କାହାର ଜିହ୍ୱା ଲାଳାୟିତ ନହେବ ? ପୁଣି ସେକାଳରେ ତିନିଟଙ୍କା ସାମାନ୍ୟ ନୁହେଁ–ଜଣେ ଜମିଦାର ଗୁମାସ୍ତାର ବେତନ । ସେ କାଳର ପରୀକ୍ଷା ବର୍ତ୍ତମାନ ପରି ପୁସ୍ତକ ହିମାଦ୍ରି ବକ୍ଷରେ ଚାପିଦେଇ ଛାତ୍ରମେଧ ଯଜ୍ଞରେ ପରିଣତ ହୋଇ ନଥିଲା । କିନ୍ତୁ ସେ ସୁଯୋଗ ଅଧିକ କାଳ ରହିଲା ନାହିଁ । ପରୀକ୍ଷା କ୍ରମଶଃ ଅଗ୍ନି ପରୀକ୍ଷା ଆଡ଼କୁ ଗତି ବିସ୍ତାର କଲା ଏବଂ ପାଠ୍ୟପୁସ୍ତକର ବହର ନଈବଢ଼ି ପରି ମାଡ଼ି ଆସିଲା । ମୁଁ ଅ: ପ୍ରା: ର ପ୍ରଥମଶ୍ରେଣୀରେ ପଢ଼ିବା ବେଳକୁ ନିମ୍ନଲିଖିତ ପୁସ୍ତକମାନ ପାଠ୍ୟ ନିରୂପିତ ଥିଲା:–ଗଦ୍ୟ–‘‘ହିତବୋଧ’’, ପଦ୍ୟ–‘‘ସରଳ କବିତା’’, ‘‘ଭାଷାବ୍ୟାକରଣ’’, ‘‘ସରଳ ଭୂଗୋଳ’’, ‘‘ଭାରତବର୍ଷର ସଂକ୍ଷିପ୍ତ ଇତିହାସ’’, ‘‘କ୍ଷେତ୍ରତତ୍ତ୍ୱ’’ (ପ୍ରଥମ ଅଧ୍ୟାୟର ୨୬ ପ୍ରତିଜ୍ଞା ପର୍ଯ୍ୟନ୍ତ) ‘‘ବିଜ୍ଞାନସୂତ୍ର’’, ‘‘ସ୍ୱାସ୍ଥ୍ୟରକ୍ଷା’’ ଏବଂ ଅଙ୍କ ତ୍ରୈରାଶିକ ପର୍ଯ୍ୟନ୍ତ । ସେ ସମୟରେ ଓଡ଼ିଆରେ ଗଣିତ ପୁସ୍ତକ ମୁଦ୍ରିତ ହୋଇ ନଥିଲା, ବଙ୍ଗଳା ‘‘ଗଣିତ ବିଜ୍ଞାନ’’ ସାହାଯ୍ୟରେ ଅଙ୍କଶିକ୍ଷା ଦିଆଯାଉଥିଲା ।

 

ପୂର୍ବ ମାଷ୍ଟର ଗଲେ, ନୂତନ ମାଷ୍ଟର ଆସିଲେ । ସେ ‘‘ଜାନକୀ ମାଷ୍ଟର’’ ନାମରେ ଅଭିହିତ ହେଲେ । ସ୍କୁଲ ନିକଟସ୍ଥ ସ୍ଥାଣୁ କନିଅର ଗଛଗୁଡ଼ିକ ନିଃଶ୍ୱାସ ଛାଡ଼ି କଞ୍ଚେଇ ଉଠିଲେ । ବୋଲିବା ବାହୁଲ୍ୟ, ଜାନକୀ ମାଷ୍ଟରଙ୍କର ପାଞ୍ଚଣ ପିଟାରୋଗ ଥିଲା ନାହିଁ । ଦକ୍ଷିଣ ହସ୍ତଟି ତାଙ୍କର ଅମୋଘ ଅସ୍ତ୍ର ରୂପେ ବ୍ୟବହୃତ ହେଉଥିଲା । ବିଧା, ଚାପୁଡ଼ା, ଖୁନ୍ଦା, କାନମୋଡ଼ାରେ ସେ ଖୁବ୍‌ ନିପୁଣ । ତାଙ୍କର ବିଧା ଆଶ୍ଚର୍ଯ୍ୟ ରକମର । ଆଗେ କହୁଣୀର ଆଘାତ, ତହିଁପରେ ମୁଷ୍ଟ୍ୟାଘାତ, ସୁତରାଂ ଏକା ଥରକେ ପିଠିରେ ଦୁଇଟା ମାଡ଼ ବସିଯାଏ । କ୍ଷେତ୍ରତତ୍ତ୍ୱ ଏବଂ ଗଣିତ ବିଦ୍ୟାରେ ସମସାମୟିକ ଶିକ୍ଷକମଣ୍ଡଳୀରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କପରି ଶ୍ରମପ୍ରାଣ ଶିକ୍ଷକ ମୁଁ ଅବଧି ଦେଖିନାହିଁ । ଶାନ୍ତଶିଷ୍ଟ ପଣରେ ଗୋଟିଏ ଦେବତା ତୁଲ୍ୟ, ତାଙ୍କର ମୂର୍ତ୍ତି ଦେଖିଲେ ଛାତ୍ର ହୃଦୟ ଭକ୍ତିରେ ଅବନତ ହୋଇଆସେ । ପିଲାଙ୍କୁ ମାରନ୍ତି, ମାତ୍ର ପଛରେ ଅନୁତାପ କରି କାନ୍ଦି ପକାନ୍ତି ଏବଂ ମଧୁର ସ୍ନେହମଖା ବାକ୍ୟରେ ନାନାପ୍ରକାର ସଦୁପଦେଶ ପ୍ରଦାନ କରି ଛାତ୍ରର ସଂଶୋଧନ କରନ୍ତି । ସେହି କୋମଳ ବାଣୀରେ ଛାତ୍ରର ଶାରୀରିକ ଏବଂ ମାନସିକ ବେଦନା ସେ ହରଣ କରି ନିଅନ୍ତି । ସ୍କୁଲରେ ଛଘଣ୍ଟା କାଳ କଠୋର ପରିଶ୍ରମ କରି ସେ ଘରକୁ ଯାଇ ନିଜ ବଗିଚାରେ କାର୍ଯ୍ୟ କରନ୍ତି । ବଗିଚାରେ ଦେଶୀ ବିଲାତି ସକଳ ପ୍ରକାରର ଫଳମୂଳ ଶାକ ସବ୍‌ଜି ହୁଏ । କୋଡ଼ିହଣା, ତେଣ୍ଡାରେ ପାଣି ବୋହିବା ପ୍ରଭୃତି ସମସ୍ତ କାର୍ଯ୍ୟ ସେ ସ୍ୱହସ୍ତରେ କରନ୍ତି-। ଗ୍ରୀଷ୍ମ କାଳରେ ସକାଳିଆ ସ୍କୁଲ ହୁଏ, ଉପରଓଳି ଉଚ୍ଚ ଶ୍ରେଣୀର ଛାତ୍ରମାନେ ତାଙ୍କ ଘରପାଖକୁ ଯାଇ ପଢ଼ିଆସନ୍ତି । କେବେ ଦଉଡ଼ିବଳା ହେଉଥାଏ, ଏଣେ ଛାତ୍ରମାନଙ୍କୁ ପାଠ ପଢ଼ାଇବାକୁ ହେଉଥାଏ, କେବେ ବା ତେଣ୍ଡାରେ ପାଣି ବୋହୁଁ ବୋହୁଁ ପିଲାମାନଙ୍କୁ ମୌଖିକ ଶିକ୍ଷା ଦିଆଯାଉଥାଏ । ବାସ୍ତବରେ ପରିଶ୍ରମକୁ ସେ ଜୀବନର ପ୍ରହରୀ କରି ରଖିଥିଲେ ଏବଂ ନିଜେ ପ୍ରହରୀ ପରି ପରିଶ୍ରମ ପାଦରେ ସବୁବେଳେ ଖଟିଥିଲେ । ଭଗବାନଙ୍କର କି ବିଚିତ୍ର ଲୀଳା, ସେହି ଋଷି ପ୍ରକୃତିକ ବ୍ୟକ୍ତି ନିଃସନ୍ତାନ ଥିଲେ । ଶେଷଜୀବନରେ ସେ ପ୍ରତ୍ୟକ୍ଷ ମୁକ୍ତିତୀର୍ଥ ପୁରୀଧାମରେ ସସ୍ତ୍ରୀକ ବାସ କରି ପବିତ୍ର କ୍ଷେତ୍ରରେ ତନୁତ୍ୟାଗ କଲେ । ତାହାଙ୍କର ଚରିତ୍ର, ସାଧୁତା ଏବଂ ସାଧନା ତାହାଙ୍କୁ ତାଙ୍କର ଉପଯୁକ୍ତ ସୁଖମୟ ଧାମକୁ ଘେନିଯାଇ ସ୍ୱର୍ଣ୍ଣାସନରେ ବସାଇଥିବ, ଏ ଅନୁମାନ ଅସଙ୍ଗତ ନୁହେଁ ।

 

କାହିଁକି କେଜାଣି ଗୀତ ଶୁଣିବାକୁ ମୁଁ ବଡ଼ ଭଲ ପାଏ । ଯାତ୍ରା ଦେଖିବା ମୋର ଗୋଟାଏ ପ୍ରଧାନ ସାଧ ଥିଲା । ପୁରାଣ ପ୍ରଭୃତି ପାଠ ସ୍ଥାନରେ ଅବହିତଚିତ୍ତରେ ଆଗ୍ରହପୂର୍ବକ ବସି ଶୁଣେଁ । ସେ ସମୟରେ ପ୍ରାୟ ପ୍ରତ୍ୟେକ ଅବସ୍ଥାପନ୍ନ ଗୃହରେ ବର୍ଷାକାଳର ରାତିରେ ପୁରାଣପାଠ ହେଉଥିଲା । ଆମ୍ଭ ଘରେ ମଧ୍ୟ ହୁଏ । ପ୍ରତିବେଶୀ ବୃଦ୍ଧ ବୃଦ୍ଧାମାନେ ଆସି ଶୁଣନ୍ତି । ଗୋପୀକର ନାମରେ ଜଣେ ବ୍ରାହ୍ମଣ ରାତ୍ରି ଛଘଡ଼ି ପର୍ଯ୍ୟନ୍ତ ପୁରାଣ ପାଠ କରେ । ପଢ଼ୁ ପଢ଼ୁ ମଝିରେ ମଝିରେ ‘‘ଆହେ ଆହେ’’ କହିବା ତାହାର ଚିର ଅଭ୍ୟାସ । ତାହାର ପଢ଼ିବାର ଧରଣ ଏହିପରି ଯଥା,–‘‘ତୋହରି ଆହେ ତୋହରି ମନ ଆହେ ଆହେ ଆହେ ତୋତେ ଗୁରୁ, ଆହେ ଉଦ୍ଧବ, ଆହେ କେତେ ଆହେ ଆହେ କେତେହେଁ ପଚାରୁ ।’’ ‘‘ଆହେ’’ ତାହାର ସଙ୍ଗୀତର ଦୀର୍ଘ ମୂର୍ଚ୍ଛନା ମାତ୍ର ତାହା ଶ୍ରୋତାମାନଙ୍କୁ କର୍ଣ୍ଣକିଳକବତ୍‌ ବୋଧହୁଏ । ତହୁଁ ଶ୍ରୋତାମଧ୍ୟରୁ ଜଣେ ଉଠି ବ୍ରାହ୍ମଣଠାରୁ ପୋଥିନେଇ ପାଠକରେ । ବ୍ରାହ୍ମଣବିଚାରା ଜଞ୍ଜାଳରୁ ରକ୍ଷାପାଇ କାନ୍ଥକୁ ଆଉଜି ନିଦ୍ରାଦେବୀଙ୍କ ଆମନ୍ତ୍ରଣ ଗ୍ରହଣ କରେ । ଆହେ ସେ ସମୟ କି ମଧୁର ! ବାହାରେ ପ୍ରକୃତିର ମହାପୂଜା ଲାଗିଥାଏ-। ଅନ୍ଧାରରେ ମୁହଁକୁ ମୁହଁ ଦିଶୁ ନ ଥାଏ । ଭେକ ଶମ୍ଭୁକାଦି ଅନର୍ଗତ ନହବତ ବସାଇ ଥାଆନ୍ତି । ପିଢ଼ାରେ ମାଡ଼ିଥିବା ବୋଇତାଳୁ କଖାରୁ ପତ୍ରରେ ବୃଷ୍ଟିବାରିବିନ୍ଦୁ ପଡ଼ି ଟପଟାପ ଧ୍ୱନି ପୃଥୁଳହୋଇ ଉଠୁଥାଏ । ବାତୁଳ ବାୟୁ ବାଉଁଶ ପତ୍ରରେ ମର୍ମର ଶବ୍ଦ ଜାତ କରି କାହାର ନୀରବ ଆହ୍ୱାନରେ ଗୃହଛଡ଼ା ହୋଇ ଇତସ୍ତତଃ ଧାଇଁ ବୁଲୁଥାଏ । ଗଗନ ସୁନ୍ଦରୀ ବିଦ୍ୟୁତ୍‌ ଖଳଖଳ ହାସ୍ୟସହ ପ୍ରକୃତିଦେବୀଙ୍କ ଆରତ୍ରିକରେ ନିଯୁକ୍ତ ଥାଏ । ବେଳେବେଳେ ଘଡ଼ଘଡ଼ି ଶବ୍ଦ ପୂଜାଭେରୀ ପ୍ରାୟ ଚିତ୍କାର କରି ଉଠୁଥାଏ । ତେଣେ ଉପକଣ୍ଠରେ ସାଳନ୍ଦୀ ନଦୀ ମଧୁର କୁଳୁକୁଳୁ ଧ୍ୱନିରେ ହୁଳାହୁଳୀ ଦେଇ ମୃଦୁମନ୍ଥର ଗତିରେ ବହିଯାଉଥାଏ । ନଦୀ ଗର୍ଭରେ ପକ୍ୱତାଳ ପତନର ଶବ୍ଦ ଏବଂ ଭୀଷଣ ଅତଡ଼ାପାତ ସେହି ଶବ୍ଦକୁ ଅଧିକତର ଗଭୀର ଏବଂ ପୃଥୁଳ କରୁଥାଏ । ପ୍ରକୃତିର ସେହି ଆନନ୍ଦ କୋଳାହଳ ମଧ୍ୟରେ ପୁରାଣପାଠ କି ମଧୁର, କି ପ୍ରାଣଉନ୍ମାଦକ ତାହା ଭୁକ୍ତଭୋଗୀ ବ୍ୟତୀତ ଅନ୍ୟ କେହି ବୁଝିପାରିବ ନାହିଁ । ପ୍ରକୃତିର ସେ ରୁଦ୍ରସୁନ୍ଦର ରୂପ ଶୋଭାପିପାସୁର ଏକା ଉପଭୋଗ୍ୟ । ସେହି ଶୋଭାସ୍ମୃତି ବର୍ତ୍ତମାନ ମୋର ପୌଢ଼ତ୍ୱକୁ ଅତୀତ ଶୈଶବ ଆଡ଼କୁ ଘେନିଯାଇ ମୋତେ ମୁଗ୍‌ଧ ଏବଂ ଉନ୍ମତ୍ତ କରୁଅଛି ଓ ମୋର ଅସ୍ମିତା ସେହି-ଗଭୀର ଅଗାଧ ସ୍ମୃତି ସାଗରରେ ବୁଡ଼ିଯାଉଅଛି ।

 

ପୁରାଣ ଶେଷରେ ପ୍ରତିବେଶୀ ଶ୍ରୋତାମାନେ ନିଜ ନିଜ ଘରକୁ ଯାଆନ୍ତି । ଆସିବାବେଳେ କରଞ୍ଜ ତେଲପୂର୍ଣ୍ଣ ଗୋଟିଏ ଗୋଟିଏ ଦୀପାଳୀ ଆଣିଥାଆନ୍ତି । ଯିବାବେଳେ ତାହାକୁ ଜାଳିନେଇ ଯାଆନ୍ତି । ସେ କାଳରେ ଲଣ୍ଠନ ପ୍ରାୟଶଃ ଥିଲା ନାହିଁ । ଚାରିଖଣ୍ଡ କାଚନିର୍ମିତ ‘‘ମରହଟୀ ଲଣ୍ଠନ’’ ଧୂମକେତୁର ଉଦୟ ତୁଲ୍ୟ କ୍ୱଚିତ ଦେଖାଯାଉଥିଲା । ତାହା ଯାହା ଘରେ ଥାଏ ସେ ଭାଗ୍ୟବାନ୍‌ । ସେ ସମୟରେ ଉଗ୍ରଗନ୍ଧରାଜ କେରୋସାଇନ୍‌ତେଲ ଏ ଦେଶରେ ରାଜତ୍ୱ ବିସ୍ତାର କରି ନ ଥିଲା । ରାତ୍ରରେ କରଞ୍ଜତେଲର ଦୀପରେ ଗୃହ ଆଲୋକିତ ହେଉଥିଲା । ବିଲବଛା ସମୟରେ ଗୋଡ଼ହାତ ପାଣିଖାଇ ଫଳିଗଲେ ଲୋକେ କରଞ୍ଜତେଲ ଲଗାନ୍ତି । କରଞ୍ଜତେଲ କୀଟ ନାଶକ, କାଛୁ କୁଣ୍ଡିଆ ରୋଗନିବାରଣ ପକ୍ଷରେ ତାହା ବ୍ରହ୍ମାସ୍ତ୍ର ତୁଲ୍ୟ । କେରୋସାଇନ ତେଲର ଶିଖାରୁ ଆଗ୍ନେୟଗିରିର ଧୂମୋଦ୍‌ଗାର ତୁଲ୍ୟ ଯେପରି କୃଷ୍ଣଧୃମ୍ରରାଶି ଉତ୍‌ଥିତ ହୋଇ କ୍ଷଣକ ମଧ୍ୟରେ ଘରଦ୍ୱାର କଳା କରି ପକାଏ, କରଞ୍ଜତେଲଦ୍ୱାରା ସେପରି ହୁଏ ନାହିଁ । ତାହାର ଧୂଆଁ ଉଗ୍ର ବା ବିଷାକ୍ତ ନୁହେଁ । ସେହି କାରଣରୁ ବର୍ତ୍ତମାନ ପରି ସେ କାଳରେ ଚକ୍ଷୁ, କର୍ଣ୍ଣ ବା ମସ୍ତିଷ୍କ ରୋଗର ପ୍ରବଳତା ଥିଲା ନାହିଁ କିମ୍ୱା ଅନ୍ତୁଡ଼ିଶାଳରୁ ଉଠି ପିଲାମାନେ ଆଖିରେ ଚଷମା ଲଗାଉ ଥିଲେ ନାହିଁ । ନିତାନ୍ତ ଗରିବ ଲୋକଙ୍କ ଗୃହ ରାତ୍ରିରେ ପୟାଁଖାଡ଼ିରେ ଆଲୋକିତ ହେଉଥିଲା । ଚକ୍‌ମକି ପଥର ଡିଆସିଲାଇ ରୂପେ ବ୍ୟବହୃତ ହେଉଥିଲା । ଡିଆସିଲି ନୂଆ ଆସୁଥିଲା, ଅଣାଏ ବା ଛପଇସାରୁ ଊଣାରେ ଗୋଟାଏ ମିଳୁ ନ ଥିଲା । ଖୁବ୍‌ ବଡ଼ ଲୋକମାନେ ତାହା ବ୍ୟବହାର କରୁଥିଲେ । ସେ କାଳରେ ବରଡ଼ା ଛତା ଏବଂ ପଖିଆ ସର୍ବତ୍ର ବ୍ୟବହୃତ ହେଉଥିଲା । ଲୁଗାଛତା ଅତି ଅଳ୍ପ ଦେଖାଯାଉଥିଲା । ଲୁହାବେଣ୍ଟରେ ସରୁ ସରୁ ବେତ ଗୁନ୍ଥି ଲୁଗା ଛତା ପ୍ରସ୍ତୁତ ହେଉଥିଲା । ତାହା ସୁଦ୍ଧା ସୌଭାଗ୍ୟର ପରିଚାୟକ ଥିଲା ।

 

ଆମ୍ଭ ଘର ସାଳନ୍ଦୀନଦୀର ତୀରରେ ଅବସ୍ଥିତ । ଗୃହ ଏବଂ ନଦୀର ବର୍ତ୍ତମାନ ବ୍ୟବଧାନ ୨୫ । ୩୦ ହାତ ମାତ୍ର । ସେଠାରେ ସବୁ ଋତୁରେ ପ୍ରକୃତିର ଶୋଭା ବଡ଼ ମଧୁମୟ ଦିଶେ । ସେ ଶୋଭା ଦର୍ଶକ ଏବଂ ଭାବୁକର ଉପଭୋଗ୍ୟ । ବର୍ଷାକାଳରେ ମେଘାସନ ମହୀଧର ରାଜଜେମା ସାଳନ୍ଦୀ ପୂର୍ଣ୍ଣଗର୍ଭା ହୋଇ ଗର୍ବମନ୍ଥର ଗତିରେ ଖେଳିଖେଳି ଚାଲିଥିବାବେଳେ ଯେ ମହାଦୃଶ୍ୟର ଆବିର୍ଭାବ ହୁଏ ବାସ୍ତବରେ ତାହାହିଁ ଅପାଶୋରା ସ୍ୱପ୍ନରାଜ୍ୟର ଶୋଭା । ସ୍ରୋତ-ଲତାରେ ଫୁଲ ଫୁଟିଲାପରି ଭଉଁରୀ ଏବଂ ଫେନମାଳା ଭାସିଯାଉଥାଏ । ସ୍ରୋତର ମଧୁର କଳକଳ ଶବ୍ଦ କର୍ଣ୍ଣରେ ଅମୃତ ବର୍ଷଣ କରୁଥାଏ, ନୌକାରୋହୀମାନଙ୍କର ହରିଧ୍ୱନି, ନାବବାହୀର ଆନନ୍ଦବୋଳା ଢମାଳୀ ସ୍ୱର ଏବଂ ବର୍ଷାବାନ୍ଧବୀ ଗାଙ୍ଗୋଇର ଉଚ୍ଚାଟ ଅସ୍ଥିର ସ୍ୱର ନଦୀର ସେହି ଶବ୍ଦକୁ ପ୍ରତି-ମୁହୂର୍ତ୍ତ ପ୍ରାଣବାନ୍‌ କରିଦେଉଥାଏ । ସେ କାଳରେ ଖଣ୍ଡିଏ ସଙ୍ଗୀତର ଛବି ଭାସିଯିବା ପରି ବୋଧହୁଏ । ସେ ଶୋଭା ଦର୍ଶନୀୟ ମାତ୍ର ବର୍ଣ୍ଣନୀୟ ନୁହେଁ । ସାରସ୍ୱତ ଭାଷା ସେ ଶୋଭା ବର୍ଣ୍ଣନାକୁ ଏକାନ୍ତ ଅକ୍ଷମ ।

 

ବାଲ୍ୟକାଳ କି ମଧୁର କି ସୁଖମୟ ! ବାଲ୍ୟକାଳ ଚାଲିଯାଇ ଅଛି ମାତ୍ର ତାହାର ଅବିନଶ୍ୱର ସ୍ମୃତି ରଖିଯାଇଅଛି । ସେହି ସ୍ମୃତିର କଣିକାରେ ମଧ୍ୟ ଯଥେଷ୍ଟ ସୁଖ ଅଛି । ସେହି ସ୍ମୃତି-ସାଗର ମନ୍ଥନ କଲେ ଯେଉଁ ସୁଖ ମିଳେ ତାହାହିଁ ଅମୃତ । ପ୍ରିୟ ବିଷୟ କଦାପି ପୁରୁଣା ହୁଏ ନାହିଁ-। ଯେତେବେଳେ ଆଲୋଚନା କଲେ ତାହା ନୂତନ ପରି ବୋଧହୁଏ । ସେହି ହେତୁରୁ ବାଲ୍ୟସ୍ମୃତିର ଉଦ୍‌ବୋଧନ ମୁଁ ବାରମ୍ୱାର କରୁଅଛି । ଆଶାକରେଁ ଏହାକୁ କେହି ବହୂକ୍ତି ଦୋଷ ମଧ୍ୟରେ ଗ୍ରହଣ କରିବେ ନାହିଁ ।

 

ଶୀତକାଳରେ ରାତି ପ୍ରହରେ ଥାଉଁ ନିଦ ଭାଙ୍ଗିଯାଏ । ତେତିକି ବେଳୁ ପୁରୀ ଯାତ୍ରିମାନେ ଜଗନ୍ନାଥ ସଡ଼କରେ ଚାଲନ୍ତି । ତେତେବେଳେ ରେଲ ବା ଷ୍ଟିମାର ପଥ ଥିଲା ନାହିଁ । ଅବସ୍ଥାପନ୍ନ ଯାତ୍ରୀମାନେ ଶଗଡ଼ରେ ଏବଂ ସାଧାରଣ ଯାତ୍ରୀଏ ଚାଲିଯାଉଥିଲେ । ଶଗଡ଼ମାନ ଆର୍ତ୍ତକରୁଣ ସ୍ୱରରେ ବିଷାଦଗୀତ ଗାଇଗାଇ ଚାଲିଥାଏ । ବୋଧହୁଏ ହାଡ଼ଭଙ୍ଗାଶୀତରେ ସୁଦ୍ଧା ସେ ବିଶ୍ରାମ ନ ପାଇ ଚାଳକକୁ ଅଭିସମ୍ପାତ ଦେଇ ଚାଲିଥାଏ । ଶୀତକାଳରେ ଅସଂଖ୍ୟ ଭୋଜପୁରୀଯାତ୍ରି ଦଳ ଦଳ ହୋଇ ପୁରୀ ଅଭିମୁଖରେ ଯାତ୍ରା କରନ୍ତି । ସେମାନଙ୍କର ଉଚ୍ଚ ପୃଥୁଳ ସଙ୍ଗୀତରେ ସୁଖମୟ ପାହାନ୍ତିଆ ନିଦ ଭାଙ୍ଗିଯାଏ । ସେମାନେ ଯେଉଁ ଭଜନ ଗାଆନ୍ତି, ତାହା ସେ ସମୟରେ ବଡ଼ ମନୋହର ବୋଧହୁଏ । ଯେମନ୍ତକି ସେମାନେ ଅମୃତରାଜ୍ୟର ଯାତ୍ରୀ ଏବଂ ସେମାନଙ୍କ ଭଜନ ସଙ୍ଗୀତ ସ୍ୱପ୍ନରାଜ୍ୟର ଆଶାବାଣୀ । ସେହି ଗୀତରୁ ପଦେ ଏଠାରେ ଲିଖିତ ହେଲା ।

 

‘‘ଜଗନ୍ନାଥିଏ ହୋ ଭାଏ, ଦାନିକେ ସୁରତ ମନ ରଖିଏ’’ । ଭୋଜପୁରୀମାନଙ୍କୁ ସମସ୍ତେ, ‘‘ଧେଡ଼’’ ବୋଲି କହନ୍ତି । ସେମାନଙ୍କର ସ୍ୱଭାବ ବିଚିତ୍ର । ଖଣ୍ଡିଏ କମ୍ୱଳ, ଖଣ୍ଡିଏ ଲୁହାତସଲା, ଗୋଟିଏ ଲୋଟା ଏବଂ ଖଣ୍ଡିଏ ସ୍ଥୂଳଦୀର୍ଘ ବଂଶ ଯଷ୍ଟି ସେମାନଙ୍କର ସମ୍ୱଳ । ଆପାଦ ମସ୍ତକ କମ୍ୱଳ ଘୋଡ଼ି ହୋଇ ମୁଣ୍ଡରେ ତସଲାଟି ଉବୁଡ଼େଇ ଦେଇ ଚାଲୁଥିବାବେଳେ ଅରଣ୍ୟ ଜନ୍ତୁ ବିଶେଷ ପରି ଦେଖାଯାନ୍ତି । ସେମାନେ ଯେଉଁପରି ଏକବୁଝା, ସେହିପରି ରାଢ଼ ଏବଂ ମେଳିଆ । ଟଙ୍କା ଭଙ୍ଗାଇଲେ ପଇସା ବ୍ୟତୀତ ଦୋପଇସୀ ନିଅନ୍ତି ନାହିଁ । କାଳେ କେଉଁଠି ଦୋପଇସୀର ମୂଲ୍ୟ ପଇସାଏ ହୋଇଯିବ ଏହି ଆଶଙ୍କାରେ ଦୋପଇସୀ ଗ୍ରହଣ କରିବା ଦୂରେ ଥାଉ, ସ୍ପର୍ଶ ସୁଦ୍ଧା କରନ୍ତି ନାହିଁ । ଭଡ଼ା ଘରେ ରହିବା ସେମାନଙ୍କର କୋଷ୍ଠୀରେ ନାହିଁ । କି ଖରା, କି ବର୍ଷା, କି ଶୀତ ସବୁକାଳରେ ବୃକ୍ଷମୂଳରେ ରାତ୍ରିଯାପନ କରନ୍ତି । ଖାଦ୍ୟର ତ ପଟାନ୍ତର ନାହିଁ । ମେଞ୍ଚାଏ ହଳଦୀପଡ଼ି ତସଲାରେ ଭାତ ରନ୍ଧାଯାଏ । ଆଶ୍ରୟତରୁ କାଠ ଯୋଗାଏ । ଭାତରୁ ପେଜ ଗଳାହୁଏ ନାହିଁ, ତରକାରୀର ଅଭାବ ଲୁଣ ପୂର୍ଣ୍ଣ କରେ । ଏତିକିରେ ଅପଦେବତା ଅବତାର ସେହି କ୍ଷୀଣ ଦୀର୍ଘାକୃତି ମାନବ ବିଶେଷର ତୃପ୍ତିକର ଅମୃତମଣୋହୀ ବଢ଼େ । କୃପଣତାରେ ସେମାନଙ୍କ ପରି ଜୀବ ବିଧାତାସୃଷ୍ଟିରେ ଦ୍ୱିତୀୟ ନାହିଁ । ସେମାନେ ପ୍ରାଣ ଦେବାକୁ ପ୍ରସ୍ତୁତ ମାତ୍ର ପଇସା ଦେବାକୁ ଏକାନ୍ତ ନାରାଜ । ପଇସାକୁ ସେମାନେ ‘‘ଢବୁଆ’’ ଏହି ଅପୂର୍ବ ଶ୍ରୁତିରସାୟନ ନାମରେ ଅଭିହିତ କରନ୍ତି । ଗୋଟିଏ ଦୃଷ୍ଟାନ୍ତରୁ ସେମାନଙ୍କର ବୃଦ୍ଧି, ବୃତ୍ତି ଏବଂ କୃପଣତାର ଚୂଡ଼ାନ୍ତ ପରିଚୟ ମିଳିବ ।

 

ଧେଡ଼ମାନେ ନୌକାରେ ନଦୀ ପାରିହୋଇ ପଇସା ଦିଅନ୍ତି ନାହିଁ; ମେଳିବାନ୍ଧି ପଳାଇ ଯାଆନ୍ତି । ଥରେ ସାଳନ୍ଦୀ ରାଜଘାଟର ଇଜରାଦାର ପଇସା ନ ପାଇବାରୁ ଦଳେ ଧେଡ଼ଙ୍କୁ ପାର କଲାନାହିଁ । ତହୁଁ ଜଣେ ଅଗ୍ରସର ହୋଇ ଦଳକୁ ସମ୍ୱୋଧନ କରି କହିଲା–‘‘ଓ ମଦନ୍‌ ଓ ମୋହନ୍‌ ଓ କହ୍ନିୟାଁଲାଲ୍‌, ଘଟୁଆର କହେତ ଢବୁଆ ଲଗ୍ନି, ଢବୁଆ କାହାଁସେ ଲାଇ–ଚଲୋ ହିଲ୍‌କେ ଯାଇ ।’’ ଏହା କହି ବାଡ଼ିଖଣ୍ଡି ବଢ଼ାଇ ଦେବାରୁ ଜଣେ ତାହା ଧରିଲା, ତାହାର ବାଡ଼ି ଆଉ ଜଣେ, ପୁଣି ତାହାର ବାଡ଼ି ଆଉ ଜଣେ ଏହିପରି ଧରା ଧରି ହୋଇ ନଦୀରେ ପଶିଲେ । ଏହିପରି ଯମଦଣ୍ଡରେ ନିଜକୁ ନିଜେ ଗୁନ୍ଥି ସମସ୍ତେ ଅଗାଧ ଜଳରେ ବୁଡ଼ିଗଲେ । ନୌକା ଯୋଗେ ଏବଂ ସନ୍ତରଣ ପଟୁ ବ୍ୟକ୍ତିମାନଙ୍କ ଦ୍ୱାରା କେତେ ଜଣର ପ୍ରାଣରକ୍ଷା ହେଲା ମାତ୍ର ଅଧିକାଂଶ ଭବ-ନଦୀର ଆରପଖକୁ ଚାଲିଗଲେ । ପୋଲିସ ଦ୍ୱାରା ଶବ ଧୃତ ହୋଇ ଦେଖାଗଲା, ସମସ୍ତଙ୍କ ଅଣ୍ଟାରେ ଟଙ୍କା ଥିଲା । ଜଣ ଜଣକ ଅଣ୍ଟାରେ ୨୦୦।୨୫୦ ପର୍ଯ୍ୟନ୍ତ ଟଙ୍କା ଥିଲା । ଅଥଚ ପଇସାକ ପାଇଁ ପ୍ରାଣ ହରାଇଲେ । ଟଙ୍କା ଗାଞ୍ଜିଆ ଅଣ୍ଟାରେ ବାନ୍ଧି ତହିଁ ଉପରେ ଏପରି ଭାବରେ ଲୁଗାପିନ୍ଧି ଥିଲେ ଯେ, ବାହାରକୁ କିଛି ଜଣାପଡ଼ୁ ନଥିଲା । ଏମାନଙ୍କ ଠାରୁ ମାସୁଲ ଆଦାୟ କରିବା ସକାଶେ ଘାଟ ଇଜରାଦାରକୁ ଅନେକ ସମୟରେ ପୋଲିସର ଆଶ୍ରୟ ଗ୍ରହଣ କରିବାକୁ ପଡ଼ୁଥିଲା । ବର୍ତ୍ତମାନ ସାନ୍ଦନ୍ଦୀ ଉପରେ ଏ ଲୌହସେତୁ ବନ୍ଧା ହୋଇଅଛି । ଏହି ବଜ୍ରବନ୍ଧନ ଅପ୍ରତିହତଗାମିନୀ ସାଳନ୍ଦୀର ଉନ୍ନତି ନା କଳଙ୍କ ତାହା ତାହାକୁହିଁ ଜଣା ।

 

ସାଳନ୍ଦୀର ବାସନ୍ତୀ ସାନ୍ଧ୍ୟଶ୍ରୀ ଅତୀବ ଚିତ୍ତହର । ପ୍ରତିଚୀ ଦିଗ୍‌ବଧୂ ଅନୁରାଗରେ ଆରକ୍ତ, ଗୋଧୂଳି ତାହାର ସୁନ୍ଦର ମୁଖରେ ପାଟଳ ଲୋଧ୍ରରେଣୁ ବୋଳି ଦେଉଥାଏ । ତାହାର ସୁନ୍ଦର ଅଙ୍ଗରେ କେଉଁଠାରେ ସୌନ୍ଦର୍ଯ୍ୟରେ ଲେଶମାତ୍ର କୃପଣତା ଥାଏ ନାହିଁ । ଅସ୍ତୋନ୍ମୁଖ ସୌରକର ବୁଣା କ୍ଷୌମବସ୍ତ୍ର ସେ ଶୋଭାକୁ ଆହୁରି ବଢ଼ାଇଦେଉଥାଏ । ସାଳନ୍ଦୀ ସେହି ଅନିନ୍ଦ୍ୟ ମହାଶୋଭାକୁ ସାଦର ଆମନ୍ତ୍ରଣ କରିନେଇ ସ୍ୱୀୟବକ୍ଷରେ ଧାରଣ କରେ । ତହୁଁ ବାସନ୍ତୀବାୟୁ ନୃତ୍ୟ ଧ୍ୱନିରେ ସାଳନ୍ଦୀର ସ୍ତବାବୃତ୍ତିରେ ନିଯୁକ୍ତ ହୁଏ । ତେତେବେଳେ ସାଳନ୍ଦୀ ମସ୍ତକରେ ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ କଳାର ଗୌରବ ମୁକୁଟ ଅବଲୋକନ କରି ଶୋଭାରଙ୍କ ଦର୍ଶକର ହୃଦୟ ମୁଗ୍‌ଧତାରେ ସ୍ତବ୍‌ଧ ହୋଇଯାଏ । ଯେଉଁ ଆଡ଼କୁ ଚାହିଁଲେ ଶାଳ୍ମଳୀ, ପଳାଶ ଏବଂ ପାଳଧୁଆର ଆରକ୍ତ ଆଭା ନେତ୍ରରେ ଶୀତଳ ଅମୃତାଞ୍ଜନ ବୋଳିଦିଏ । ପ୍ରତିବାଦରେ ବାସଙ୍ଗ ହସି ହସି ଦୋହଲୁଥାଏ । ବାସଙ୍ଗର ‘ସିଂହାସ୍ୟ’, ‘ବାଜିଦନ୍ତା’ ନାମ ଯଥାର୍ଥ । ବାସଙ୍ଗ ଫୁଲର ଆକୃତି ଦେଖି ବିଧାତା ଏ ଦୁହିଙ୍କି ସୃଷ୍ଟି କରିଅଛି କି ଏଦୁହିଙ୍କି ଦେଖି ବାସଙ୍ଗ ଫୁଲ ନିର୍ମାଣ କରିଅଛି ଏ ମୀମାଂସା କିଏ କରିବ ? ପ୍ରକୃତିର ଏହି ମହା ମଧୁର ଶୋଭାଉପରେ କୋକିଳ, କଜ୍ଜ୍ୱଳପତ୍ରୀ ଏବଂ ହଳଦୀବସନ୍ତ ମଧୁଉପରେ ମଧବୃଷ୍ଟି କରୁଥାଆନ୍ତି । ସମ୍ପ୍ରତି ସେ ଚିତ୍ତଚୋରା ଦୃଶ୍ୟ କେଉଁଠାରେ ଆଉ ମୁଁ ଅବା କେଉଁଠାରେ ! ନିୟତିର ଅଲଙ୍ଘ୍ୟ ପର୍ଯ୍ୟାୟରେ ଏବେ ମୁଁ ମାତାମହୀ ଅଙ୍କଭ୍ରଷ୍ଟ । କେଉଁ ପାପରେ ମୋ ଦଗ୍‌ଧଭାଗ୍ୟରେ କଠୋର ଶାସ୍ତି ବିଧାନ ବିଧିଦତ୍ତ ହୋଇଅଛି, ତାହା ଭାବିଲେ ମୋର ସନ୍ତାପ-ନିର୍ଜଳ ନେତ୍ର ଲୋତକିତ ହୋଇଉଠେ । ଏଭଳି ନିଷ୍କରୁଣ ନିଦାରୁଣ ଅଭିଶାପ ଶତ୍ରୁପତି ସୁଦ୍ଧା ବାଞ୍ଛନୀୟ ନୁହେଁ । ଯାଉ ସେ କଥା । ଶୀତକାଳର ଶେଷ ରଜନୀରେ ବଳଦିଆମାନେ ଉଠି ଛେଲା ବଳଦ ହଙ୍କାଇ ଶଗଡ଼ରେ ଚାଲନ୍ତି । ସେ କାଳରେ ଚାନ୍ଦବାଲି ବନ୍ଦର ବିଶେଷ ସମୃଦ୍ଧ ଥିଲା । ବଳଦିଆମାନେ ଚାଉଳ ଧାନ ପ୍ରଭୃତି ସେଠାକୁ ନେଇ ବିକ୍ରୟ କରନ୍ତି । ଗଡ଼ଜାତରୁ ରାଶି, ସୋରିଷ, ରାମତିଳା, ହରଡ଼ ପ୍ରଭୃତି ବଳଦରେ ଆସି ତଳଘଟି ଆଡ଼କୁ ଯାଉଥିଲା । ବଳଦିଆମାନେ ସଙ୍ଗରେ ତମ୍ୱୁ ଘେନି ଯାଆନ୍ତି । ସେହି ତମ୍ୱୁ ତାଳ ପତ୍ରରେ ପ୍ରସ୍ତୁତ ହୋଇଥାଏ । କେହି କେହି ଅଖାପଟିରେ ତମ୍ୱୁ ନିର୍ମାଣ କରି ଥାଆନ୍ତି । ବଳଦିଆମାନଙ୍କର ଖାଦ୍ୟ ସମ୍ୱନ୍ଧରେ ଅଦ୍ଭୁତ ଜନଶ୍ରୁତି ଶୁଣାଯାଉଥିଲା । ତରକାରୀର ଅଭାବ ଘଟିଲେ ସେମାନେ ବଡ଼ ବଡ଼ ଦୁଇ ତିନିଟା ଗୋଡ଼ିକୁ ପାଣିରେ ସିଝାଇ ସେହି ପାଣିକୁ ପରକ୍ଷି ନିଅନ୍ତି । ସେହି ଗୋଡ଼ି ଝୋଳ ତରକାରୀ ଅଭାବ ପୂର୍ଣ୍ଣକରେ । କେହି କେହି ଭାତ ରାନ୍ଧିବାବେଳେ ରନ୍ଧନ ପାତ୍ରରେ ମୁଠାଏ ଧାନ ପକାଇ ଦିଅନ୍ତି । ଗୁଣ୍ଡାଏ ଖାଇ ଭାତରୁ ଧାନ ବାଛୁଁ ବାଛୁଁ ସେ ଗୁଣ୍ଡାକ ଗର୍ଭସ୍ଥ ହୋଇଯାଏ । ତେନ୍ତୁଳି, ଲଙ୍କାମରିଚ ଓ ଲୁଣ ଥିଲେ ଆଉ ତରକାରୀ ଆବଶ୍ୟକ ହୁଏ ନାହିଁ । ବଳଦିଆମାନେ ଏହିପରି କଷ୍ଟସହ୍ୟକରି ଅର୍ଥୋପାର୍ଜନ କରନ୍ତି । କଷ୍ଟ ସହ୍ୟନକଲେ ଲକ୍ଷ୍ମୀ କାହାକୁ ଅନୁଗ୍ରହ କରନ୍ତି ନାହିଁ । ଅନ୍ୟଥା ଉଡ଼ା ରୋଗପରି ସମ୍ପତ୍ତି ଉଡ଼ିଆସି କାହାରି ଦେହରେ ଲାଗିଯାଏ ନାହିଁ । ଧନବାନ୍‌ ହେବାକୁ ହେଲେ କି ଭଳି ଆପଦ, କ୍ଳେଶ ଭୋଗ କରିବାକୁ ହୁଏ, ଆରବ୍ୟୋପନ୍ୟାସର ସିଦ୍ଧବାଦ ବଣିକର ଜୀବନ ଇତିହାସ ସେଥିର ପ୍ରକୃଷ୍ଟ ଉଦାହରଣ ।

 

ଚାନ୍ଦବାଲି ବନ୍ଦରକୁ ଦୁଇଖଣ୍ଡ ଜାହାଜ ପ୍ରତିସପ୍ତାହରେ କଲିକତାରୁ ଆସୁଥିଲା । ତାହା ସାହେବ ଜାହାଜ ଏବଂ ବାବୁ ଜାହାଜ ନାମରେ ନାମିତ । ସେହି ଜାହାଜରେ ଲୋକେ କଲିକତା ଯାତାୟତ କରୁଥିଲେ । ସମୟ ସମୟରେ ଏହି ଦୁଇ କୋମ୍ପାନୀର ତଡ଼ାତଡ଼ିରେ ଭଡ଼ା ଖୁବ୍‌ ଊଣା ହୋଇଯାଉଥିଲା । ଖଣତାପଡ଼ା ପ୍ରଭୃତି ସ୍ଥାନରେ ଡକାଏତି ହେଉଥିବାରୁ ସଡ଼କ ପଥ ନିରାପଦ ଥିଲା ନାହିଁ । ସୁତରାଂ ଅଧିକାଂଶ କଲିକତିଆ ଜାହାଜରେ ଗତାୟାତ କରୁଥିଲେ । ସେମାନଙ୍କର ଟଙ୍କା କଲିକତାରୁ ହୁଣ୍ଡିଆ ହାତରେ ଆସୁଥିଲା । ହୁଣ୍ଡିଆ ଅର୍ଥ ଆଧୁନିକ ଭାଷାରେ ମାନବ ମଣିଅର୍ଡ଼ାର । ଜଣେ ଜଣେ ବିଶ୍ୱାସୀଲୋକ କଲିକତିଆଙ୍କ ଟଙ୍କା ଆଣି ସେମାନଙ୍କ ଘରଠାରେ ଦେଉଥିଲେ । ହୁଣ୍ଡିବହନକରି ଆଣିବାରୁ ସେମାନେ ହୁଣ୍ଡିଆ ଆଖ୍ୟା ପ୍ରାପ୍ତ ହୋଇଥିଲେ । କଲିକତିଆମାନେ ଘରକୁ ଆସିବାବେଳେ ଶୁଣ୍ଠି, ପିପ୍‌ପଳୀ, ପାନମସଲା (ଗୁଜରାତି, ଅଳାଇଚ ପ୍ରଭୃତି) ଗୁଣ୍ଡୁଚି ତେଲ ଏବଂ ରାଇତେଲ ପ୍ରଭୃତି କଲିକତାରୁ କିଣି ଆଣୁଥିଲେ । ଏ ସମସ୍ତ ପଦାର୍ଥ ସେ ସମୟରେ ଦେଶରେ ସୁଲଭ ଥିଲା ନାହିଁ । କଲିକତିଆମାନଙ୍କର ଢଙ୍ଗ ବଡ଼ ଚମତ୍କାର । ସେମାନେ କିଛିଦିନ ଯାଏଁ ବିଚିତ୍ର ଖେଚଡ଼ିଭାଷାରେ କଥା କହି ନିଜର ଚାଲାକି–ଚତୁରତା ପ୍ରଦର୍ଶନ କରି ବୁଲନ୍ତି । ଯେମନ୍ତ କି ସେମାନେ ପୂର୍ବର ମାନବଜୀବ ନୁହନ୍ତି, କଲିକତାରେ ନୂତନ ଛାଞ୍ଚରେ ଢଳାହୋଇ ଏକପ୍ରକାର ଚଟକନିପୁଣଜୀବରେ ପରିଣତ ହୋଇ ଆସିଅଛନ୍ତି । ‘‘ପର୍ଶୁଦିନ ଜାହାଜରୁ ନାବେଇଲି, ସିକି ପଇସାର ଲୁଣ ଦେ ନା ଭାଇ, ନାଇତେ ଯିବି’’ ପ୍ରଭୃତି–ସେମାନଙ୍କର ତାତ୍କାଳିକଭାଷା । ସେମାନେ ଦିନାକେତେ ଖୁବ୍‌ ସଫା ସୁତୁରା ହୁଅନ୍ତି ଏବଂ ଭାରି ଚଟକ ଦେଖାଇ ହୁଅନ୍ତି । କେହି କେହି ନିଜ ସିଆଣପଣର ପ୍ରଶଂସା ଦେଖାଇବାକୁ ଯାଇ ଶହକରେ ପାଞ୍ଚକୋଡ଼ି ମିଥ୍ୟା କହନ୍ତି । କିଛିଦିନ ବଡ଼ଲୋକୀ ଦେଖାଇ କାମ ଦାମ କରନ୍ତି ନାହିଁ । ମାତ୍ର ପଇସା ସରିଗଲେ ଯେଉଁ ଫକୀରକୁ ସେହି ଫକୀର । ସେ କାଳରେ କଲିକତାରୁ ଯେଉଁ ଚିଠି ଲେଖାଯାଉଥିଲା ସେଥିର ଆଦର୍ଶ ଏହିରୂପ:– ‘‘ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚରଣେ ଶରଣ । ଦାନୀକର୍ଣ୍ଣ, ମାନୀଦୁର୍ଯ୍ୟୋଧନ, କହିବାକୁ ଶୁକଦେବ, ଶୁଣିବାକୁ ପରୀକ୍ଷିତ, ଗଙ୍ଗାଜଳ ନିର୍ମଳ, ଏଠାରେ ସବୁ କୁଶଳ ମଙ୍ଗଳ, ତୁମ୍ଭ ସେଠାକାର କୁଶଳ ମଙ୍ଗଳକୁ ମା ଗଙ୍ଗାକାଳୀ ବିଚାର କରୁଥିବେ ।’’ ଏ ତ ଗଲା ମଙ୍ଗଳାଚରଣ, ଏହାପରେ ମାନ୍ୟଧର୍ମ । ମାନ୍ୟ ଧର୍ମରେ ଆତ୍ମୀୟ, କୁଳ, ଗୋତ୍ର ପ୍ରଭୃତି ସମସ୍ତଙ୍କର ନାମ ତାଲିକା ଥାଏ । ମଙ୍ଗଳାଚରଣ ଏବଂ ଆତ୍ମୀୟ ସ୍ୱଜନଙ୍କର କଲ୍ୟାଣ ଦଣ୍ଡବତ ପ୍ରଭୃତିରେ ଚଉଠେ ବାଲିକାଗଜର ପାଖେ ପୂର୍ଣ୍ଣ ହୋଇଯାଏ । ଦାନ ଏବଂ ମାନ ଓଡ଼ିଆଜାତିର କିରୂପ ଗୌରବ ସାମଗ୍ରୀ ତାହା ଉପରୋକ୍ତ ମଙ୍ଗଳାଚରଣରୁ ଅନୁମେୟ ।

 

ପିଲାକାଳରେ ଯାତ୍ରା ଦେଖିବା ମୋର ଗୋଟାଏ ସୌଖିନ କର୍ମ ଥିଲା । ଗହ୍ମାପୂର୍ଣ୍ଣିମା ସମୟରେ ପ୍ରାୟ ପ୍ରତି ଠାକୁର ବାଡ଼ିରେ କୁଞ୍ଜ ତିଆରି ହୁଏ ଏବଂ ଏକାଦିକ୍ରମେ ପାଞ୍ଚରାତ୍ରି ଲୀଳା ଯାତ୍ରା ହୁଏ । ମୁଁ ନାନା ସ୍ଥାନରେ ବୁଲି ବୁଲି ଯାତ୍ରା ଦେଖେଁ । ଚତୁର୍ମାସ୍ୟାର କାଦୁଅ ପାଣିରେ ରାତିସାରା ବୁଲି ପାଦରେ ବେଦନା ହୁଏ ମାତ୍ର ସେହି ଆନନ୍ଦମୟ ବେଦନା ଆଦୌ ବାଧେ ନାହିଁ । ବାସ୍ତବରେ ସେ ସମୟ ବଡ଼ ଆନନ୍ଦମୟ । ରଜନୀରେ ପ୍ରକୃତିଦେବୀ କ୍ଷଣ କ୍ଷଣକେ ବିଭିନ୍ନ ଶୋଭା ଧାରଣ କରନ୍ତି-। କେବେ ଆକାଶ ଚୂର୍ଣ୍ଣ ମେଘରେ ପୂର୍ଣ୍ଣ ହୋଇ ନିଜର ସ୍ୱାଭାବିକ ଗାମ୍ଭୀର୍ଯ୍ୟ ହରାଇବସେ । କେବେ ଚନ୍ଦ୍ର ଉଜ୍ଜ୍ୱଳ, କେବେ ବା ମେଘାବରଣରେ ଦରିଦ୍ରର ଭାଗ୍ୟ ପ୍ରାୟ ମଳିନ ଦେଖାଯାଏ । ଘନପ୍ରାଣ ଚାତକର ଆନନ୍ଦବଂଶୀ ମୁହୁର୍ମୁହୁଃ ବାଜି ଉଠୁଥାଏ । କେବେ ଅନ୍ଧାରର ଯବନିକା ଧୀରେ ଧୀରେ ଖସିଆସି ସୃଷ୍ଟିକୁ କୃଷ୍ଣ ସମୁଦ୍ରରେ ବୁଡ଼ାଇଦିଏ ଏବଂ ସେହି ନିଦ୍ରିତ ଅନ୍ଧାରର ବକ୍ଷ ବିଦୀର୍ଣ୍ଣ କରି ବିଜୁଳି ଚହଟି ଉଠେ । ତଦ୍ଦର୍ଶନରେ ବୋଧହୁଏ, ଯେମନ୍ତ କି ମହାଯୋଗୀ ମହାକାଶର ଅନ୍ତଃକରଣ ନିହିତ ସତ୍ୟ ଆତ୍ମପ୍ରକାଶ କରି ଉଠୁଅଛି । ତହିଁପରେ ବିନ୍ଦୁ ବିନ୍ଦୁ ବର୍ଷା ଯେପରି କି କେଉଁ ଶୂନ୍ୟ ସୁନ୍ଦରୀ ଶୂନ୍ୟରେ ବସି ଅଶ୍ରୁ ମୁକ୍ତାମାଳା ଗୁନ୍ଥି ଯାଉଅଛି । ଘଡ଼ ଘଡ଼ି ବିଶୁଦ୍ଧ ବର୍ଷାଧାରାରେ ସ୍ନାନ କରି ଆତ୍ମଶୁଦ୍ଧିର ଅଗ୍ନିମନ୍ତ୍ର ପ୍ରଚାର କରୁଥାଏ । ପ୍ରଭଞ୍ଜନର ରୋଷ ନିଃଶ୍ୱାସରେ ଗଛ ପତ୍ର ଥରି ଉଠୁଥାଏ । କିନ୍ତୁ ପ୍ରକୃତିର କି ଆଶ୍ଚର୍ଯ୍ୟ ଐନ୍ଦ୍ରଜାଲିକାଶକ୍ତି ! ଘଡ଼ିକ ପରେ ଏହି ଖଣ୍ଡ ଯୁଦ୍ଧ କେଉଁଆଡ଼େ ଉଭେଇ ଯାଏ । ରହସ୍ୟମୟୀ ପ୍ରକୃତି କର୍‌ କର୍‌ ହୋଇ ହସିଉଠେ । ସେହି ହାସରୁ ବର୍ଷାଧାର ବ୍ୟାଜରେ ଅମୃତ ଝରଝର୍‌ ହୋଇ ଝରିପଡ଼େ । ସେ ହାସ୍ୟରେ ସାଳନ୍ଦୀର ଉଦ୍‌ବେଳ ହାସ୍ୟ ବହୁଗୁଣ ଜ୍ୟୋତିଃଶୀଳ ହୋଇ ଉଠେ । ସାଳନ୍ଦୀର ସେ କାଳର ସେହି ଭାଷାଭରା ନୀରବତା ଭାବୁକକୁ କିଛିକ୍ଷଣ ପାଇଁ ସ୍ୱପ୍ନରାଜ୍ୟର ରାଜା କରାଇ ଦିଏ । ଫୁଲ ନିଜର ଶୋଭା ସୌରଭରେ ନିଜେ ମୁଗ୍‌ଧ ହେଲା ପ୍ରାୟ ସାଳନ୍ଦୀ ସେକାଳରେ ନିଜର ଶୋଭା ସମ୍ପଦରେ ନିଜେ ମୁଗ୍‌ଧ ହୁଏ । ସେ ଯୋଗଧନ ମେଘାସନ ମହୀଧରର ଘର୍ମ ବା ପ୍ରେମାଶ୍ରୁ ରୂପରେ ବହି ଆସି ଯେମନ୍ତ କି ଶତ ଆଶାଭାର ବକ୍ଷରେ ଧରି ଧାଇଁଅଛି । କେଉଁ ସୁଦୂରର ଉଚ୍ଚାଟ ଆହ୍ୱାନ ବାଣୀ ତାହାକୁ ଗୃହତ୍ୟାଗୀ କରିଅଛି କିମ୍ୱା କାହାର ପ୍ରାଣର ଅଭୀଷ୍ଟବାଣୀ ସେ ବହି ନେଉଅଛି ତାହା ଏକା ସେହି ଜାଣେ ସିନା ।

 

ଝୁଲଣ କୁଞ୍ଜଗୁଡ଼ିକ ଅଭ୍ରଚକି, ପନି ଏବଂ ରଙ୍ଗତାରେ ମଣ୍ଡିତ ହୋଇ ବଡ଼ ବାହାର ଦିଶେ । ଦାନର ଗୌରବରେ ଦାତା ସମୂଜ୍ଜ୍ୱଳ ହେଲା ପ୍ରାୟ ଦୀପାଲୋକରେ କୁଞ୍ଜ ଝଟକି ଉଠେ । ତେତେବେଳେ ଜ୍ୟୋତିର ତୋଫାନ ବହିଗଲା ପ୍ରାୟ ବୋଧହୁଏ । ମୋର ଜୀବନରେ କେତେ ଭବିଷ୍ୟତ ବର୍ତ୍ତମାନ ହୋଇଗଲାଣି ଏବଂ କେତେ ବର୍ତ୍ତମାନ ଅତୀତରେ ମିଳେଇ ଗଲାଣି ମାତ୍ର ସେହି ବାଲ୍ୟଦୃଷ୍ଟ ଶୋଭାସ୍ମୃତି ଅଦ୍ୟାପି ମନରୁ ନିର୍ବାସିତ ହୋଇ ନାହିଁ । କାଳର ଧ୍ୱଂସପଟୁ କଠୋର ହସ୍ତ ତାହାକୁ ପୋଛିଦେଇ ପାରି ନାହିଁ ।

 

ମୋର ପିଲାକାଳରେ ଉନ୍ନତଧରଣର ଯାତ୍ରାଭିନୟ ସୃଷ୍ଟ ହୋଇ ନଥିଲା–ସର୍ବତ୍ର ଲୀଳା ସୁଆଙ୍ଗର ପ୍ରଚଳନ ଥିଲା । ତାହା କେବଳ ହରଣମୟ–ସୁଭଦ୍ରାହରଣ, ଭାନୁମତୀ ହରଣ, ଲୀଳାବତୀ ହରଣ ପ୍ରଭୃତି । ବୁଲୁବୁଲିଆ ଜେନାର ସୁଆଙ୍ଗ ଖୁବ ରୁଚି-ପ୍ରୀତିକର ଥିଲା । କିନ୍ତୁ କାହିଁକି କେଜାଣି ବୁଲୁବୁଲିଆର ବିଭତ୍ସରୂପ ଏବଂ ନିର୍ଲଜ୍ଜ ଉକ୍ତି ମୋ କର୍ଣ୍ଣରେ ବଜ୍ରସୂଚି ବିଦ୍ଧବତ୍‌ ଯନ୍ତ୍ରଣାପ୍ରଦ ବୋଧହୁଏ ଏବଂ ଶରୀରର ଶିରା ପ୍ରଶିରାରେ ବୈଦ୍ୟୁତିକ ଅନଳ ଜଳିଉଠେ । ଅଥଚ ସେହି ବେହିଆ ବେଶ ଦେଖି ଏବଂ ବେହିଆ କଥା ଶୁଣି ଦର୍ଶକବୃନ୍ଦ ହସି ହସି ଗୋଟାକ ଉପରେ ଗୋଟେ ପଡ଼ନ୍ତି । ବୋଧହୁଏ ସେଥିର ରସ ମୋଭଳି ହତଭାଗ୍ୟ ବେରସିକର ଭୋଗ୍ୟ ନୁହେଁ । ଯହିଁରେ ସାଧାରଣର ଚିତ୍ତ ଆର୍ଦ୍ର ହୁଏ ସେଥିରେ ମୋର ମନ ନତିନ୍ତିବା ମୋର ଭାଗ୍ୟର ଦୋଷ ନହୋଇ ଆଉ କଅଣ ହୋଇପାରେ । ଘନ ଜଳସେଚନ ଦ୍ୱାରା ସମସ୍ତଙ୍କୁ ସିକ୍ତ କରେ ମାତ୍ର ସାରୁ ପତ୍ର ଚିର ଅସିକ୍ତ । ତାହା ତ ଆଉ ଘନର ଦୋଷ ନୁହେଁ ।

 

କୁଞ୍ଜଗୁଡ଼ିକର ଶୋଭା ଆପାତଃ ଦୃଷ୍ଟିରେ ଖୁବ୍‌ ଚିତ୍ତହର । ମାତ୍ର ତାହା ମାନବୀୟ କଳ୍ପନା । ସେଥିରେ ଶୋଭାକୁ ଶୃଙ୍ଖଳାବଦ୍ଧ କରାଯାଇଥାଏ । ଯାହା ଶୃଙ୍ଖଳାବଦ୍ଧ ତାହା ସୀମା ବଦ୍ଧ-। ବିଶ୍ୱସୁନ୍ଦରୀଙ୍କ ଶୋଭାର ଅସୀମ ଉଚ୍ଛ୍ୱାସ ସେଥିରେ ଅଭାବ ପରିଲିକ୍ଷିତ ହୁଏ । ବିଶୃଙ୍ଖଳାହିଁ ଶୋଭାର ପ୍ରାଣ, ଏହି ହେତୁରୁ ଅରଣ୍ୟ କୁସୁମ ଉଦ୍ୟାନ କୁସୁମକୁ ପରାଜୟ କରେ । ଆକାଶରେ ତାରାରାଜି ବିଶୃଙ୍ଖଳ ଭାବରେ ରହିବାରୁ ସୁନ୍ଦର ଦିଶନ୍ତି । ଅନେକ ବାଜେ କଥା କହି ପଞ୍ଜିକାର ବିଭ୍ରାଟ ଘଟାଇଲିଣି, ଏଣିକି ଡାଳପତ୍ର, ଛାଡ଼ି ମୂଳଧାରିବା ଆବଶ୍ୟକ । ଏହିପରି ପଞ୍ଜିକା ବିଭ୍ରାଟ ବାରମ୍ୱାର ଘଟିବ । ପଞ୍ଚମୀ ବିବରଣ ସପ୍ତମୀ ତିଥିରେ ଚତୁର୍ଦ୍ଦଶୀ ବିବରଣ ପ୍ରତିପଦ ତିଥିରେ ଲିଖିତ ହେବ । କାରଣ, ଏହା ଅଡ଼ୁଆପଞ୍ଜିକା, ମୋର ଭାବୀଜୀବନୀଲେଖକ ଯଦି ପୃଥିବୀରେ କେବେ ଜନ୍ମନ୍ତି ତେବେ ସେ ଏହି ଅଡ଼ୁଆ ସୂତାରୁ ଖିଅ ବାହାର କରି ସଜାଡ଼ିବେ । ବୋଧହୁଏ ସେ ଭଳି ଅକର୍ମା ମା ବସୁମତୀ ଅଙ୍କରେ ଧରିବେ ନାହିଁ ।

 

ତେରବର୍ଷ ସମୟରେ ମୁଁ ଅ: ପ୍ରା: ପରୀକ୍ଷା ଦେଲି । ତେତେବେଳେ ଭଦ୍ରଖରେ ଏନ୍‌ଟ୍ରାନ୍‌ସ ସ୍କୁଲ ହୋଇ ନ ଥିଲା । ବୁଧବାର ହାଟ ପାଖରେ ମାଇନର ସ୍କୁଲ ଥିଲା । ସବ୍‌ଡ଼ିଭିଜନର ସମସ୍ତ ଭର୍ଣ୍ଣାକ୍ୟୁଲାର ଏବଂ ଅ: ପ୍ରା: ସ୍କୁଲର ଛାତ୍ରମାନେ ସେହି ସ୍କୁଲରେ ପରୀକ୍ଷା ଦିଅନ୍ତି । ସେ ସମୟରେ ଚତୁର୍ଭୁଜ ପଟ୍ଟନାୟକ ବାଲେଶ୍ୱର ଜିଲାର ସ୍କୁଲ ଡେପୁଟୀ ଇନ୍‌ସପେକ୍‌ଟର-। ଚତୁର୍ଭୁଜ ବାବୁଙ୍କ ପ୍ରଭାବରେ ବାଲେଶ୍ୱର ଶିକ୍ଷାବିଭାଗ କମ୍ପୁଥାଏ । ଭଦ୍ରଖ କେନ୍ଦ୍ରରେ କପି ଚଳୁଥିବାର ସମ୍ଭାବନା କରି ସେ ସ୍ୱୟଂ ସୁପରିଣ୍ଟେଣ୍ଡଣ୍ଟ ହୁଅନ୍ତି । ପରୀକ୍ଷା କେନ୍ଦ୍ରରେ କଡ଼ା କଡ଼ି ନିୟମ । ଶିକ୍ଷକ ବା ଦର୍ଶକ କେହି ପରୀକ୍ଷାଗୃହର ସୀମାସ୍ପର୍ଶ କଲେ ଆଉ ତାହାର ରକ୍ଷାନାହିଁ । ସେ ନିଶ୍ଚୟ କୌଣସି ଦଣ୍ଡରେ ଦଣ୍ଡିତ ହେବ । ଡେପୁଟୀ ଇନ୍‌ସପେକ୍‌ଟରଙ୍କ ପ୍ରତାପଠାରୁ ତାଙ୍କ ଚପରାଶୀ ପଦନର ପ୍ରତାପ ବଳି ପଡ଼ୁଥାଏ । ପରୀକ୍ଷା ସ୍ଥଳରେ ଗୋଟାଏ ବିଷମ ବିଭ୍ରାଟ ଘଟିଲା । ଆମ୍ଭେମାନେ ଅନେକ ଛାତ୍ର ଗୋଟାଏ କୋଠରୀରେ ବସି ଉତ୍ତର ଲେଖୁଥିଲୁଁ । ଏହି ସମୟରେ ମୂର୍ତ୍ତିମାନ ଉପଦ୍ରବ ଭାଗବତ କେଉଁବାଟେ ଗଳିଆସି ସେଠାରେ ଉପସ୍ଥିତ । ସେ ମୋ ଆଡ଼କୁ ଚାହିଁ ତାହାର ସ୍ୱାଭାବିକ ଉଚ୍ଛୃଙ୍ଖଳ ହାସ୍ୟସହ କହିଲା,–‘‘କିରେ, କଅଣ ଲେଖୁଛୁ, ପ୍ରଶ୍ନ ବଡ଼ କଠିନ, ରହରହ ମୁଁ ଆସେ ।’’ ଏହା କହି ବିଦ୍ୟୁତ୍‌ ବେଗରେ ପଳାୟନ କଲା । ଦେଖୁଁ ଦେଖୁଁ ମୁହୂର୍ତ୍ତକ ପରେ ତାଳ ପରି ଗୋଟାଏ କାଗଜ ପେଣ୍ଡୁଳା ଧରି ଆସି ପୁଣି ଉପସ୍ଥିତ । ସେହି କାଗଜ ପେଣ୍ଡୁଳାଟା ମୋ ପାଖକୁ ଫୋପାଡ଼ି ଦେଇ ‘‘ଏହାକୁ ଉତ୍ତାରି ପକା’’ ବୋଲି କହି ଦେଇ ହଠାତ୍‌ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ଏହି ସମୟରେ ଗୋଟାଏ ପିଲା ‘‘କପି କପି’’ ବୋଲି ଚିତ୍କାର କରି ଉଠିଲା-। ତାହାଶୁଣି ଚତୁର୍ଭୁଜ ବାବୁ ଅନ୍ୟ କୋଠରୀରୁ ଧାଇଁ ଆସିଲେ । ମୋର ଅନ୍ତରର ଅନ୍ତସ୍ତଳ ଥରି ଉଠିଲା, ହୃଦୟରୁ ଗୋଟାଏ ଆତଙ୍କର ବିଦ୍ୟୁତ୍‌ ଶିଖା ଉଠି ମସ୍ତକ ଭେଦକରି ଚାଲିଗଲା । ବିପଦ ବେଳେ ବୁଦ୍ଧି ଦିଶେ ନାହିଁ ସତ୍ୟ, ମାତ୍ର ଅତିବିପଦରେ ବୁଦ୍ଧି ପ୍ରଖର ହୋଇ ଉଠେ । ମୋର ତାହାହିଁ ଘଟିଲା । ମୁଁ ଅତି ସନ୍ତର୍ପଣରେ ସେହି କାଗଜ ପେଣ୍ଡୁଳାଟା ପଛବାଟେ ଫିଙ୍ଗିଦେଲି । ତାହା ଯାଇ ଯେଉଁ ପିଲାଟା ଚିତ୍କାର କରିଥିଲା ତାହାରି ପାଖରେ ପଡ଼ିଲା । ତହୁଁ ଗୋଟାଏ ଗଣ୍ଡଗୋଳ ଉଠିଲା । ଚତୁର୍ଭୁଜ ବାବୁ ଆସି କାଗଜ ପେଣ୍ଡୁଳା ସହିତ ପିଲାକୁ ଉଠାଇ ନେଇଗଲେ । କପି କରିବା ଅପରାଧରେ ସେହି ପିଲାଟିକୁ ସେହି ଓଳିକ ସକାଶ ପରୀକ୍ଷାସ୍ଥଳରୁ ବାହାର କରି ଦିଆଗଲା । ସେ ତାହାର ମାତ୍ସର୍ଯ୍ୟର ଫଳ ଭୋଗକଲା ।

 

ସେ ଦିନ ଆଉ ଗୋଟାଏ ରହସ୍ୟ ଘଟିଲା । ବାଗୁରାଇ ମି: ଇ: ସ୍କୁଲର ହେଡ଼ପଣ୍ଡିତ ଗଣେଶ୍ୱର ବାଚସ୍ପତି ପରୀକ୍ଷାଗାରର ଦ୍ୱାରପାଖରେ ଠିଆ ହୋଇ ଭିତରକୁ ଚାହିଁଥିଲେ । ପଦନ ତାହା ଦେଖି ଧାଇଁ ଆସି ତାଙ୍କୁ କହିଲା,–‘‘କୋନ୍‌ ହେ, ହଟ ଯାଓ ।’’ ପଣ୍ଡିତେ କହିଲେ,–‘‘ତୁମ୍‌ ହଟ ଯାଓ ।’’ ତହୁଁ ପଦନ କହିଲା,–‘‘ହାମ୍‌ ହଟ୍‌ନେ ବାଲା ନେହିଁ, କଟ୍‌ଯାଙ୍ଗେ ଲେକିନ୍‌ ହଟ୍‌ଯାଙ୍ଗେ ନେହିଁ-।’’ ପ୍ରତ୍ୟୁତ୍ତରରେ ପଣ୍ଡିତ ମହାଶୟ କହିଲେ,–‘‘ତବ୍‌ ଜଲିଦି କଟ୍‌ଯାଓ ।’’ ଆଉ ପଦନକୁ କିଏ ସମ୍ଭାଳେ, ସେ ଡେ: ଇ:ଙ୍କ ଫେରଣ୍ଡା, ବଙ୍କା ପଗଡ଼ିଆ, ଏଭଳି ଅପମାନ କି ସେ ନୀରବରେ ଜୀର୍ଣ୍ଣ କରିପାରେ । ସେ ତର୍ଜନ ଗର୍ଜନ କରି ଧାଇଁ ଯାଇ ଡେ: ଇ: ପ୍ରଭୁଙ୍କ ପାଖରେ ଫେରାଦ୍‌ ହେଲା-। ଭୃତ୍ୟର ଏ ଅପମାନରେ ଭୃତ୍ୟବତ୍ସଳ ପ୍ରଭୁଙ୍କର ସିଂହାସନ ଟଳି ଉଠିଲା । ସେ ଦ୍ୱାରକୁ ଚାହିଁ ଦେଖିଲେ ତାଙ୍କର ବାଲ୍ୟଗୁରୁ ପଣ୍ଡିତେ ମହାଶୟ ଶଙ୍କିତଭାବରେ ଠିଆ ହୋଇଅଛନ୍ତି । ଦ୍ରୋଣ ଦର୍ଶନରେ ଅର୍ଜ୍ଜୁନର କ୍ରୋଧ ଦମିତ ହେଲା ପ୍ରାୟ ତାଙ୍କର ଉଦ୍‌ବେଳ କ୍ରୋଧ ଶାନ୍ତ ହୋଇପଡ଼ିଲା । ସେ ହଠାତ୍‌ ଉଠି ଆସି ପଣ୍ଡିତଙ୍କୁ ପ୍ରଣାମ କରି ତାଙ୍କ ହସ୍ତଧାରଣ ପୂର୍ବକ ନିଜର ଆସନ ପାଖକୁ ନେଇଗଲେ ଏବଂ ପଦନ ଦ୍ୱାରା ଗୋଟାଏ ଚୌକି ଅଣାଇ ପଣ୍ଡିତଙ୍କୁ ସେଥିରେ ବସାଇଲେ । ଦୁରନ୍ତ ପଦନର ଦର୍ପ ଚୂର୍ଣ୍ଣ ହୋଇଗଲା, ସେ ଅପରାଧୀ ପରି ଶୁଷ୍କମୁଖରେ ଠିଆ ହୋଇ ରହିଲା । ଚତୁର୍ଭୁଜ ବାବୁ ତାହାକୁ କଠୋର ଦୃଷ୍ଟିରେ ଚାହିଁଲେ ମାତ୍ର କିଛି କହିଲେ ନାହିଁ । ସେହି ନୀରବ ଭର୍ତ୍ସନାରେ ପଦନର ଯଥେଷ୍ଟ ଶିକ୍ଷା ହେଲା । ବାସ୍ତବରେ ନୀରବ ଭର୍ତ୍ସନା ଭାଦ୍ରମାସର କାଉଁଳିଆ ଖରା ପ୍ରାୟ ଏକାନ୍ତ ଅସହ୍ୟ ।

 

ଚତୁର୍ଭୁଜ ବାବୁ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‌ । ତାଙ୍କ ପଢ଼ିବା ସମୟରେ ରେଭେନ୍‌ସା କଲେଜ ହୋଇ ନଥିଲା । ସେ ବଙ୍ଗଦେଶରେ ପଢ଼ି ବି, ଏ, ପାସ୍‌ କରିଥିଲେ । ସେ ସତ୍ୟର ପୂଜାରି, ସ୍ପଷ୍ଟବାଦିତା ତାଙ୍କର ଆତ୍ମଶୁଦ୍ଧିର ଅଗ୍ନିମୟ ମହାମନ୍ତ୍ର । ସତ୍ୟ ଏବଂ ନ୍ୟାୟକୁ ସେ ମୁକ୍ତିର ସିଂହଦ୍ୱାର ତୁଲ୍ୟ ମଣନ୍ତି । ତାଙ୍କର ଚରିତ୍ର ମନୁଷ୍ୟତାର ଗୌରବରେ ସମୂଜ୍ଜ୍ୱଳ । ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ତାଙ୍କର ଅସାଧାରଣ ପଟୁତା ସର୍ବବାଦୀ ସମ୍ମତ । ସେ ଜଣେ କବି ଏବଂ ଗ୍ରନ୍ଥକାର । ତାଙ୍କର ଖାଣ୍ଟି ଓଡ଼ିଆ ଭାଷା ଭାବକୁ ମୂର୍ତ୍ତିମନ୍ତ କରି ଗଠନ କରେ । ତାଙ୍କ ପରି କର୍ତ୍ତବ୍ୟପ୍ରାଣ ରାଜକର୍ମଚାରୀ ବିରଳ ପରିଲକ୍ଷିତ ହୁଅନ୍ତି । ତାଙ୍କ ସମୟରେ ବାଲେଶ୍ୱର ଜିଲାର ଶିକ୍ଷାଫଳ ଓଡ଼ିଶା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରୁଥିଲା । ସେ ସମୟରେ ଅତି ଅଳ୍ପ ସଂଖ୍ୟକ ଶିକ୍ଷାବିଭାଗୀୟ କର୍ମଚାରୀଙ୍କଦ୍ୱାରା ବାଲେଶ୍ୱର ଜିଲା ଯେପରି ସୁଫଳ ପ୍ରସବ କରୁଥିଲା, ବର୍ତ୍ତମାନ ତାହାର ବହୁଗୁଣ ପରିଦର୍ଶନ କର୍ମଚାରୀଙ୍କ ଦ୍ୱାରା ତାହାଠାରୁ ଅଧିକ ଫଳ ହେବାର ଦେଖାଯାଉ ନାହିଁ । ହାୟ, ସେହି ଜ୍ୟୋତିର୍ମ୍ମୟ ଅତୀତ ବାଲେଶ୍ୱର ଭାଗ୍ୟରେ ଆଉ କି ଫେରିଆସିବ ନାହିଁ ? ହଁ, ନିଶ୍ଚୟ ଆସିବ, କାଳ ତାହାକୁ ସାଦର ଅଭ୍ୟର୍ଥନା କରି ଦିନେ ଅବଶ୍ୟ ଆଣିବ ମାତ୍ର କାଳ ଦୂରବର୍ତ୍ତୀ । ପ୍ରକୃତିର ସବୁକାର୍ଯ୍ୟ ଚଞ୍ଚଳତା ଶୂନ୍ୟ, କିନ୍ତୁ ଧୀରେ ଧୀରେ ହୁଏ । କାଳର ଅଜ୍ଞେୟଗତି କଳନା କରିବା କାହାର ସାଧ୍ୟ ? ଅତି ଦୁଃଖର ସହିତ ଲେଖିବାକୁ ହେଉଅଛି ଯେ, ଭଦ୍ରଖର ସେହି ଗୌରବମଣି ଚତୁର ଚୂଡ଼ାମଣି ଚତୁର୍ଭୁଜ ଆଉ ଇହଜଗତରେ ନାହିଁ ।

 

ପରୀକ୍ଷା ଶେଷ ହେଲା । ମୁଁ ଯଥା ଶିକ୍ଷା-ଶକ୍ତି ଉତ୍ତର ଲେଖିଅଛି ମାତ୍ର ଗଣିତରେ ସନ୍ଦେହ । ଗଣିତ ଦେବତାଙ୍କ ସଙ୍ଗରେ ମୋର ଚିରକାଳ ଅପଡ଼ । ‘‘ତ୍ୱମେକା ଶରଣଂ ତ୍ୱମେକା ତାରଣଂ’’ କହି ତାଙ୍କ ପାଦପଦ୍ମରେ ଭକ୍ତି ପୁଷ୍ପାଞ୍ଜଳୀ ଢାଳି ଦେବାକୁ ମୁଁ ଏକାନ୍ତ ଆଗ୍ରହାନ୍ୱିତ ନୁହେଁ । ଏହି ଅପରାଧରେ ଅଙ୍କ ଦେବତା ମୋତେ ଦୁଇ ଆଖିରେ ଦେଖିପାରନ୍ତି ନାହିଁ । ପରୀକ୍ଷାଫଳ ତିନିମାସ ପରେ ବାହାରିବ, ଏଥି ମଧ୍ୟରେ ଆଉ ସ୍କୁଲ ଯିବାର ଆବଶ୍ୟକତା ନାହିଁ, ଅଥଚ ପାଠପଢ଼ାରୁ ତ୍ରାହି ମିଳିଲା ନାହିଁ । ଭାଗବତର ଗୃହ ଶିକ୍ଷକଙ୍କ ନିକଟରେ ରାତିରେ ମୋତେ ପଢ଼ିବାକୁ ହେଲା । ଖାସ୍‌ ଭାଗବତକୁ ଜଗିବା ପାଇଁ ଶିକ୍ଷକ ନିଯୁକ୍ତ ଥିଲେ । ବାପ ମାଆଙ୍କର ଯଥେଷ୍ଟ ଦୃଷ୍ଟି ଥାଏ । ତହିଁ ପରେ ଶିକ୍ଷକ ଏବଂ ଚାକରମାନେ ଜଗୁଆଳି, ଏତେ କଟକଣାରେ ସେ ସମସ୍ତଙ୍କ ଦୃଷ୍ଟିରେ ଧୂଳି ଦେଇ କେତେବେଳେ ଯାଇ ଡଙ୍ଗାରେ କାତ ମାରେ, କେତେବେଳେ ବା ଜାମଗଛର ଅଗରେ ବସି କୋଳିଗୁଡ଼ିକର ବଂଶ ନିପାତରେ ଲାଗିଯାଏ । ରାତିରେ ଆବଦ୍ଧ ହୋଇ ଦୀପ ପାଖରେ ବସି ରହିବା ତାକୁ ଭଲ ଲାଗେ ନାହିଁ । ତହୁଁ ସେ ଦୀପ ନିଭାଇବାର ଗୋଟାଏ ସହଜ ଉପାୟ ଆବିଷ୍କାର କଲା । ପଢ଼ିବାକୁ ଆସିବା ବେଳେ ସେ ଖଣ୍ଡେ କନା ଅଣ୍ଟିରେ ଗୁଞ୍ଜି ଆସିଥାଏ । ମାଷ୍ଟର ମହାଶୟ ରାତିରେ ସନ୍ଧ୍ୟା କରନ୍ତି, ସେ ଆଖି ବୁଜି ସନ୍ଧ୍ୟାରେ ବସିଲେ ଭାଗବତ କନାମେଞ୍ଚାକ ଦୀପରେ ବୁଡ଼ାଇ ତେଲ ଶୋଷିନିଏ ଏବଂ ପ୍ରସ୍ରାବ କରିବା ବାହାନାରେ ବାହାରକୁ ଯାଇ ତାହା ବଣକୁ ଫିଙ୍ଗି ଦେଇଆସେ । ତୈଳାଭାବରେ ଦୀପ ନିଭିଗଲେ ସେ ନିଶ୍ଚିତ ହୋଇ ନିଦ୍ରାଦେବୀଙ୍କର ଆରାଧନାରେ ନିଯୁକ୍ତ ହୁଏ । ମାତ୍ର ‘‘ଚୋର ଘରେ ସଦା ରହେ କି ଆଲୋକ’’ ଦିନେ ଧରାପଡ଼ି ମାଷ୍ଟରଙ୍କ ହାତରୁ ତାକୁ ପ୍ରଚୁର ମଧୁର ସାମଗ୍ରୀ ଖାଇବାକୁ ହୋଇଥିଲା-। ସେହି ଦିନଠାରୁ ସେ ଦୀପ ପାଖରେ ବସିବାପୂର୍ବରୁ ମାଷ୍ଟର ମହାଶୟ ତାହାର ଦେହଯାକ ଖାନ୍‌ତଲାସି କରି ତାହାକୁ ବସିବାକୁ ଆଦେଶ ଦିଅନ୍ତି ।

 

ଏହି ପର୍ଯ୍ୟନ୍ତ ପଞ୍ଜିକା ଲିଖିତ ହୋଇ କିଛି କାଳ ସ୍ଥଗିତ ରହିଲା । ସେଥିର କାରଣ ଅନ୍ୟ କିଛି ନୁହେଁ,–ଜୀବନର ଅନିତ୍ୟତା ମୁଁ ଭୁଲିଯାଇଥିଲି । ହାୟ ମନୁଷ୍ୟମତି, ତୁହି ଏକା ମନୁଷ୍ୟର ପରମଶତ୍ରୁ । ମନୁଷ୍ୟ ଜୀବନଟାକୁ କ୍ରୀଡ଼ା ପଦାର୍ଥ ପରି ତୁ ଯଥେଚ୍ଛା ବ୍ୟବହାର କରୁ । ଯାହା ଶ୍ରେୟ, ସେଥିରେ ତୋର ଅନୁରାଗ ନାହିଁ, ବରଂ ତାକୁ ଭୁଲିଯିବା ବିଷୟରେ ତୁ ଅସାଧାରଣ ପଟୁ । ଯାଉ ସେ କଥା, ପରନିନ୍ଦାରେ କି ପୌରୁଷ । ତଦ୍ଦ୍ୱାରା ନିନ୍ଦିତର କିଛି କ୍ଷତି ହୁଏ ନାହିଁ, ମାତ୍ର ନିନ୍ଦୁକର ଆତ୍ମା କଳୁଷିତ ହୁଏ । ଗତ ଶିବରାତ୍ରିଦିନ ମୋର ପୁତ୍ରବଧୂ ୰ରତ୍ନପ୍ରଭା ମର୍ତ୍ତ୍ୟରୁ ଚିର ବିଦାୟଘେନି ସାଧନୋଚିତ ସତୀସ୍ୱର୍ଗକୁ ଚାଲିଗଲା । ସେହିଦିନୁ ମୋର ମନର ଭୀଷଣ ପରିବର୍ତ୍ତନ ଘଟିଲା । ହୃଦୟରେ କି ଅଗ୍ନି କ୍ରୀଡ଼ା ଲାଗିଲା ତାହା କିଏ ବୁଝିବ ? ସେହି ଆଘାତରେ ମନ ଚୂର୍ଣ୍ଣ ହୋଇଗଲା । ପଞ୍ଜିକାଲେଖା ବିସ୍ମୃତ ହେବା ଅବା କି କଥା, ମାତ୍ର ମୁଁ ଆତ୍ମବିସ୍ମୃତ ହୋଇରହିଲି । ଦଗ୍‌ଧ ମାୟା ସଂସାରରେ ଶୋକ, ଦୁଃଖ ପ୍ରଭୃତି ପାର୍ଥିବ ବିକାର କିଛିହିଁ ସ୍ଥାୟୀ ନୁହେଁ, ପ୍ରକୃତିର ଏ ମହାଧାରା ସ୍ୱାଭାବିକ । ନିୟତିର ସୁବର୍ଣ୍ଣ ଚକ୍ର ଘୁରିଆସିଲା, ନିୟତି ଯାହା ଭାଙ୍ଗିଥିଲା ପୁଣି ତାହା ଗଢ଼ିଦେଲା । ମଙ୍ଗଳମୟଙ୍କ କୃପାରୁ ଗୋଟିଏ ନବବଧୂ ଆସି ମୋର ଶୂନ୍ୟଗୃହ ଅଳଙ୍କୃତ ଏବଂ ଆଲୋକିତ କଲା । ଶୋକ ପରେ ଯେଉଁ ଆନନ୍ଦ ଆସେ ତାହା ବଡ଼ ଅବସାଦପ୍ରଦ । ଘା ଶୁଖିଯାଏ ମାତ୍ର ଚିହ୍ନ ରଖିଯାଏ । ସେହି ଚିହ୍ନ ଉପରେ ଦୃଷ୍ଟି ପଡ଼ିଲେ ପୂର୍ବ ଘା’ର ଯନ୍ତ୍ରଣା ମନେ ପଡ଼େ ଏବଂ ଆତ୍ମା ଶୀତେଇ ଉଠେ । ଏ କଥା ଏତିକି । ମୁଁ ଆଜି ପଞ୍ଜିକା ଲେଖିବାକୁ ବସିଅଛି, ମାତ୍ର ଲେଖିବି କଣ ? ଗୋଟାଏ କଥା ମୁଁ ବହୁଦିନରୁ ସଙ୍କଳ୍ପ କରିଅଛି, ଜୀବନ ଅଚିର, ଏହି ଅଛି ତ ଏହି ନାହିଁ, କାଳେ ମୋର ସଙ୍କଳ୍ପ ପ୍ରକାଶ କରିବାକୁ ମୁଁ ଅବସର ନ ପାଏଁ, ଏହି ଆଶଙ୍କାରେ ଆଜି ସେହି କଥାଟି ଲେଖିବାକୁ ଇଚ୍ଛା କରିଅଛି । ଏହି କଥାଟି ଲେଖି ପଞ୍ଜିକା ଶେଷ କରିଥାଆନ୍ତି ମାତ୍ର ହୃଦୟର ଅଦ୍ୟମ ଆବେଗ, କାଳର ଭ୍ରୂକୁଟୀ, ସଂସାରର ଅନିତ୍ୟତା ଏବଂ ବିବେକର ପ୍ରେରଣା ମୋତେ ସେ ପର୍ଯ୍ୟନ୍ତ ଅବସର ଦେବାକୁ ଏକାନ୍ତ ନାରାଜ । ଅତଏବ ଆଗେ ସେହି କଥାଟି ଲେଖିଲି ।

Unknown

 

ବର୍ତ୍ତମାନ ମୋର ୫୮ବର୍ଷ ଚାଲିଅଛି । ‘‘କଳିଷଠା’’ ସନ୍ନିକଟବର୍ତ୍ତୀ । ଜୀବନର ସନ୍ଧ୍ୟା ଉପସ୍ଥିତ, ଅନ୍ଧକାର ଘୋଟି ଆସିଲାଣି । ଆଜି କିମ୍ବା କାଲି ମୋର ସତ୍ତା ସେହି ମହାଅନ୍ଧକାରରେ ମିଳାଇ ଯିବ । ମୃତ୍ୟୁର ଲକ୍ଷଣ ମଧ୍ୟ ପ୍ରକାଶ ପାଇଲାଣି । ସମୟ ସମୟରେ ମୁଁ ପିଲାପରି କଅଣ କେତେ କରି ପକାଏ–ଯାହା ମୋର ପ୍ରକୃତି-ବିରୁଦ୍ଧ, ତାହା ବି କରି ବସେଁ, ଅଧିକନ୍ତୁ ପ୍ରାୟ ପ୍ରତ୍ୟହ ଦୁଃସ୍ୱପ୍ନ ଦେଖେଁ, ସକାଳୁ ମୋର ଗୋଡ଼ହାତ ଥରେ, ଏହା ମୃତ୍ୟୁର ପୂର୍ବ ସୂଚନା ଛଡ଼ା ଆଉ କିଛି ନୁହେଁ । କିନ୍ତୁ ଅବଧି ମୁଁ ସୋମନାଥର କୌଣସି କିନାରା କରିନାହିଁ । ଅଥଚ ତାହା କରି ନଗଲେ ଘୋର ନରକରେ ମୋତେ ପଡ଼ିବାକୁ ହେବ । ସୋମନାଥ ମୋର କି ମହୋପକାର କରିଅଛି ତାହା ସମଗ୍ର ଉତ୍କଳ ସୁବିଦିତ । ସେ ନିଜ ଜୀବନକୁ ବିପନ୍ନ କରି ମୋର ବ୍ୟାଧିଜର୍ଜର ଜୀର୍ଣ୍ଣ ଜୀବନକୁ ବଞ୍ଚାଇ ରଖିଅଛି । ତାହାର ପ୍ରାଣ-ପଣୀକୃତ ନିର୍ବିକାର ସେବା ମୋର ଦୀର୍ଘଜୀବୀ ହେବାର ଏକମାତ୍ର କାରଣ । ସେ ନିଜର ଉନ୍ନତିରେ ଜଳାଞ୍ଜଳି ଦେଇ ମୋର ଉନ୍ନତିରେ ଆତ୍ମ ନିୟୋଗ କରିଅଛି । ସ୍ଥୂଳତଃ ମୋ ପ୍ରତି ବିଧାତାଙ୍କର ଅତିରିକ୍ତ କୃପାର ମହାଦାନ । ତାହାରି ସହାୟତାରେ ମୁଁ ମୋର ଏକମାତ୍ର ପୁତ୍ର ଶ୍ରୀମାନ୍‌ ଉପେନ୍ଦ୍ରକୁ ଉଚ୍ଚଶିକ୍ଷା ଦାନରେ ସକ୍ଷମ ହୋଇଅଛି । ଏହିପରି ନାନା କାରଣରୁ ତାହାପାଇଁ ଧର୍ମତଃ ଗୁରୁତର କର୍ତ୍ତବ୍ୟରେ ମୁଁ ଆବଦ୍ଧ । ଅତଏବ ତାହା ସମ୍ବନ୍ଧରେ ମୋର ବ୍ୟବସ୍ଥା ଏହି ଯେ–ମୋର ଲୋକାନ୍ତର ପରେ ସେ ଏବଂ ଉପେନ୍ଦ୍ର ଉଭୟେ ମୋର ସମ୍ପତ୍ତି ଭୋଗ କରିବେ । ମୋର ନିୟମ–ସେମାନେ ପୃଥକ୍‌ ହେବେ ନାହିଁ । ମୋର ଏ ବ୍ୟବସ୍ଥା ନିଶ୍ଚୟ ଉପେନ୍ଦ୍ର ଗ୍ରହଣ କରିବ, ଏହା ମୋର ବଜ୍ର ବିଶ୍ୱାସ । ଯେହେତୁ ସେ ମୋର ପୁଅ । ସୁପୁତ୍ରର ପିତା ବୋଲି ଗର୍ବକରିବାର କାରଣ ମୋର ସମ୍ପୂର୍ଣ୍ଣ ଅଛି । ସେ ବିଷୟରେ ମୁଁ ଭାଗ୍ୟବାନ୍‌ । ସେମାନେ ଯଦି ପୃଥକ୍ ହୁଅନ୍ତି, ତେବେ ସ୍ୱର୍ଗରେ ଥିଲେ ସୁଦ୍ଧା ମୁଁ ସୁଖୀ ହେବି ନାହିଁ । ସେମାନେ ମୋ ପ୍ରତି ସ୍ନେହପରାୟଣ ହେଲେ ମୋର ଶେଷ ଆଦେଶ ଅବଶ୍ୟ ପାଳିବେ । ଉଭୟଙ୍କ ମସ୍ତକରେ ସଫଳ ଦେବ ଆଶୀର୍ବାଦ ବର୍ଷିତ ହେଉ, ମୋର ଏହି ଆଶୀର୍ବାଦ । ମୋର ଆଉ ଅଧିକ କିଛି କହିବାକୁ ନାହିଁ ।

 

ମୋର ଆଶଙ୍କା ବିଫଳ ହୋଇ ନାହିଁ । ସମୟ ବିଶେଷରେ ମନୁଷ୍ୟ ତାହାର ଭବିଷ୍ୟତ୍‌ ଜାଣିପାରେ, ଯେମନ୍ତ କି କିଏ ତାହାରପ୍ରାଣ ଭିତରେ ପଶି ଭବିଷ୍ୟତ ଭଲମନ୍ଦ କହିଦେଇ ଯାଏ । ୧୯୨୫ ମସିହା ଅଗଷ୍ଟମାସ ଗଣେଶ ପୂଜା ସମୟରେ ମୋତେ ସାମାନ୍ୟ ଜ୍ୱର ହେଲା । ପ୍ରଥମତଃ ସେଥିପ୍ରତି ମୋର ଦୃଷ୍ଟି ରହିଲା ନାହିଁ । ଏହିପରି ଲଘୁଜ୍ୱର ଅନେକ ଥର ହୁଏ, ସେଥିପାଇଁ ଔଷଧ ଆବଶ୍ୟକ ହୁଏ ନାହିଁ–ଉପବାସ ରହିଲେ ଦିନେ ଦୁଇଦିନରେ ଛାଡ଼ିଯାଏ । ସ୍ୱଭାବତଃ ମୋ ଦେହରେ ସର୍ବଦା ଗୋଟାଏ ପ୍ରଖର ଉତ୍ତାପ ଥାଏ, ତାହା ସାଧାରଣ ଜ୍ୱରର ଉତ୍ତାପ ପରି । ମୋର ବିଶ୍ୱାସ–ସେହି ଅଧିକା ଉତ୍ତାପଟିକ ମୋତେ ବଞ୍ଚାଇ ରଖିଅଛି । ଅବହେଳାର ଫଳ ଯାହା ହୁଏ, ତାହାହିଁ ହେଲା । ଦେଖୁଁ ଦେଖୁଁ ଜ୍ୱର ବଢ଼ିଉଠିଲା, ମୁଁ ପାଞ୍ଚଦିନ କାଳ ହତଚେତନ ହୋଇ ରହିଲି । ସୋମନାଥ ଏବଂ ଉପେନ୍ଦ୍ର ଅଧୀର ହୋଇପଡ଼ିଲେ, ସେ ସମୟରେ ଦିବାରାତ୍ର ମୂଷଳ ଧାରାରେ ଅନର୍ଗଳ ବର୍ଷା ଢାଳୁଥାଏ । ବାଟଘାଟ, ଖାଲଢିପ ସବୁ ଜଳମୟ, ଦାଣ୍ଡପିଣ୍ଡାକୁ ଲାଗିରହିଥାଏ । ଘରୁ ବାହାରିଲେ ପାଣି ତଳେ ପାଣି, ଉପରେ ପାଣି, ଲୋକେ ଜ୍ୱରରେ ପଟାପରି ଶୋଇ ଯାଉ ଥାଆନ୍ତି । ମୃତ୍ୟୁ ମଧ୍ୟ ଊଣା ହେଉ ନଥାଏ । ଚାରିଆଡ଼େ ଗୋଟାଏ ବିଭୀଷିକା ଘୁରି ବୁଲୁଥାଏ । ମୁଁ ମୂର୍ଚ୍ଛିତ ହୋଇ ପଡ଼ିଥିଲି, କିଛି ଜାଣେ ନାହିଁ । ପରେ ଯାହା ଶୁଣିଥିଲି, ତାହାହିଁ ଲେଖୁଅଛି । ଜଣେ ଡାକ୍ତର ଦୁଇଥର ଆସିଲେ, ମାତ୍ର ଔଷଧର ବ୍ୟବସ୍ଥା ନକରି ଫେରିଗଲେ ଏବଂ କହିଗଲେ–‘‘ଏ ସମୟରେ କେବଳ ଭଗବାନ ଔଷଧ, ଅନ୍ୟ ଔଷଧରେ କିଛି ଫଳ ହେବ ନାହିଁ ।’’ ଏକଥା ଶୁଣି ସୋମନାଥ ଏବଂ ଉପେନ୍ଦ୍ର ଆଉ ଧୈର୍ଯ୍ୟସମ୍ଭାଳି ପାରିଲେ ନାହିଁ–ଚକ୍ଷୁରୁ ଶ୍ରାବଣର ଧାରା ବହାଇ ଦେଲେ । ସାନଠାରୁ ବଡ଼ ପର୍ଯ୍ୟନ୍ତ ଘରର ସମସ୍ତେ ଛାନିଆ ହୋଇ ଜ୍ୱରରେ ପଡ଼ିଗଲେ । ସୋମନାଥ ସାନ ଝିଅଟିର ନାମ ଉମା, ସେଉଟି ବର୍ଷକର ଶିଶୁ କଥା କହିପାରି ନାହିଁ, କି ଚାଲି ଜାଣି ନାହିଁ । ମୁଁ ତାକୁ ଟିକିଏ ଅତିରିକ୍ତ ସ୍ନେହ କରେଁ । ମୋର ମୂର୍ଚ୍ଛିତ ସମୟରେ ତାକୁ ମୋ ପାଖକୁ ଆଣନ୍ତି, ମୁଁ ତାକୁ କଥାକହେ ନାହିଁ କି ଆଦର କରେ ନାହିଁ । ଶିଶୁଟି ଏକଧ୍ୟାନରେ ମୋତେ ଅନାଇ ରହି କଅଣ ମନରେ କରି ଚିହିଡ଼ା ଛାଡ଼ି କାନ୍ଦିଉଠେ, ଆଉ ସମ୍ଭାଳି ହୁଏ ନାହିଁ । ତାକୁ ସୁଦ୍ଧା ଭୟାନକ ଜ୍ୱର ହୋଇଗଲା । ସ୍ଥାନୀୟ ଅନେକ ଭଦ୍ରବ୍ୟକ୍ତି ମୋତେ ଦେଖିବାକୁ ଆସିଲେ । ମହାଦେବଙ୍କ ପାଖରେ ସହସ୍ରକୁମ୍ଭ ଅଭିଷେକ ଲାଗିଲା, ଆହୁରି କେତେ ଅନୁଷ୍ଠାନ ହେଲା । ପରିବାରର ପ୍ରତ୍ୟେକ ଲୋକ ନାନା ଦେବ ଦେବୀଙ୍କ ନିକଟରେ ଭୋଗ, ପୂଜାଦି ମାନସିକ କଲେ । ଖୁବ୍‌ ଗାଢ଼ଭିଡ଼ ଭାବରେ ଚିକିତ୍ସା ଲାଗିରହିଲା । କେତେ ଜଣ ସ୍କୁଲଛାତ୍ର ସାଇକେଲ ଘେନି ଉପସ୍ଥିତ ଥାଆନ୍ତି, ଯେତେବେଳେ ଯେଉଁ ଔଷଧ ଲୋଡ଼ା, ସେମାନେ ଯାଇ ଯଥାସ୍ଥାନରୁ ଘେନି ଆସୁଥାନ୍ତି । ମୋର କେହି କେହି ଆତ୍ମୀୟ ରେଲରେ ଯାଇ ଏଠାରେ ନ ମିଳିବା ପଦାର୍ଥ ବାଲେଶ୍ୱରରୁ କିଣି ଆଣୁଥାନ୍ତି । ସୋମନାଥ ଏବଂ ଉପେନ୍ଦ୍ର ଆଠଦିନ କାଳ ରାତିରେ ଶୋଇ ନାହାନ୍ତି । ସେମାନେ ସର୍ବଦା ମୋ ସେବାରେ ଲାଗିଥାଆନ୍ତି । ମୋର ବିଶ୍ୱାସ, ଔଷଧଠାରୁ ତାଙ୍କ ପ୍ରାଣପଣ ସେବାରେ ଅଧିକ ଫଳ ହୋଇଅଛି । ତାଙ୍କରି ସେବା, ଯତ୍ନ ଏବଂ ପରିଶ୍ରମ ମୋତେ ଯମ ମୁହଁ ଭିତରୁ ଛଡ଼ାଇ ଆଣି ଅଛି, ପାଞ୍ଚଦିନ ପରେ ସ୍ଥାନୀୟ ହସପିଟାଲର ସୁଦକ୍ଷ ଏସିଷ୍ଟାଣ୍ଟ ସର୍ଜନ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ଦାସ ଗୁପ୍ତ ମହାଶୟ ଆସି ମୋର ମୂର୍ଚ୍ଛାଭଙ୍ଗ କଲେ l ଯନ୍ତ୍ର ସାହାଯ୍ୟରେ ନିରୂପଣ କଲେ ଅତିରିକ୍ତ ମାନସିକ ଦୁର୍ବଳତା ଏହି ସଙ୍କଟ ପୀଡ଼ାର କାରଣ । ମୋର ପାଞ୍ଚଦିନ କାଳ ମୂର୍ଚ୍ଛିତ ଥିବା କଥା ମୋତେ ଆଦୌ ନକହିବା ପାଇଁ ଡାକ୍ତର ବାବୁ ସମସ୍ତଙ୍କୁ ବାରମ୍ବାର ନିଷେଧ କରିଦେଲେ ଏବଂ ଛମାସ ପର୍ଯ୍ୟନ୍ତ ଲେଖାପଢ଼ା ଛାଡ଼ିବାକୁ ମୋତେ କହିଲେ । ମୂର୍ଚ୍ଛା ଭଙ୍ଗ ପରେ ମୁଁ ନିଦ୍ରାରୁ ଉଠିଲା ପରି ମଣିଲି, ମାତ୍ର ବଡ଼ଦୁର୍ବଳ ଲାଗୁଥାଏ । ମୁଁ କିଛି ଜାଣିପାରି ନାହିଁ, ଖାଲି ଏତିକି ମନେ ଅଛି ଯେ, ସମୟ ସମୟରେ ମୂର୍ଚ୍ଛା ତୁଟିଯାଏ, ମାତ୍ର ଆଖି ବା ତୁଣ୍ଡ ଫିଟେ ନାହିଁ । ସମ୍ପୂର୍ଣ୍ଣ ଚେତନା ନ ଆସୁଣୁ ପୁଣି ନିଦ ଲାଗିଯାଏ । ମୁଁ ସ୍ୱପ୍ନ ଦେଖେଁ, ସେ ସ୍ୱପ୍ନର ପ୍ରକାର ଭେଦ ନାହିଁ, ଏକ ସ୍ୱପ୍ନ ବାରମ୍ବାର ଦେଖେଁ । ସ୍ୱପ୍ନଟି ଏହି–ରାଜୋଚିତ ଭାବରେ ସୁସଜ୍ଜିତ ଗୋଟାଏ ପ୍ରଶସ୍ତ କକ୍ଷରେ କବି ମହୁଡ଼ମଣି ଉପେନ୍ଦ୍ର ଭଞ୍ଜ ବସିଅଛନ୍ତି, ତାଙ୍କର ବର୍ଣ୍ଣ ଶ୍ୟାମଳ, ଶରୀର ସ୍ଥୂଳ ଏବଂ ଆକୃତି ବାଙ୍ଗର । ତାଙ୍କ ଚାରିପାଖରେ ଅନେକ ଲୋକ ବସିଅଛନ୍ତି । ସମ୍ମୁଖରେ ତାଳମାନ ସହ ସଙ୍ଗୀତ ଚର୍ଚ୍ଚା ହେଉଅଛି । ଅନ୍ୟ କିଛି ସଙ୍ଗୀତ ନୁହେଁ–କେବଳ ଭଞ୍ଜ ଏବଂ କବି ସୂର୍ଯ୍ୟଙ୍କର ଦୁଇପଦ ଗୀତ ଗାୟକମାନେ ଆବୃତ କରୁଅଛନ୍ତି । ସେଥିରେ ଗୋଟିଏ ପଦ ଏହି–‘‘ଜଣା ତ ନଥିଲା ବଣା ମୃଗାକ୍ଷି ତୁ ଖଣାରେ ଦେବୁ ପକାଇ ରେ ।’’ ଅନ୍ୟ ପଦଟି ସ୍ମରଣ ରହିଲା ନାହିଁ । ମଧ୍ୟରେ ମଧ୍ୟରେ ଜଣେ ବିଦୁଷକ ଉଠି ଦୁଇବାହୁ ଟେକି ନୃତ୍ୟ କରୁଁ କରୁଁ ବିଚିତ୍ର ଭଙ୍ଗୀରେ କହେ–‘‘ଉପଇନ୍ଦ୍ର ଭଞ୍ଜ ବୋଲେ ଟେକି ବେନି ବାହାକୁ, କବିପଣେ ରବିତଳେ ନ ମାନଇଁ କାହାକୁ ।’’ ଏହି ସମୟରେ ଭଞ୍ଜେ ତାକୁ କୋପଦୃଷ୍ଟିରେ ଚାହିଁଦେଲେ ସେ ଜିଭ କାମୁଡ଼ି ପକାଇ ବସିଯାଏ । ଏହି ଏକ ସ୍ୱପ୍ନ ମୁଁ ବାରମ୍ବାର ଦେଖେଁ ।

 

ନାରଣ ବାବୁଙ୍କ ଚିକିତ୍ସାରେ ଜ୍ୱର ଛାଡ଼ିଗଲା ମାତ୍ର ନୁଆର (ଉପସର୍ଗ) ଗଲା ନାହିଁ । ଭୟଙ୍କର ଅରୁଚି ହେତୁ କିଛି ଖାଇ ହେଲା ନାହିଁ । କିଛି ଦିନ ନାମମାତ୍ର ଫଳାହାରରେ କଟିଲା । କଟକରୁ ରେଳରେ ଗୋଟିଏ ଗୋଟିଏ ପାର୍ଶଲ ଆସେ, ସେଥିରେ ସାନ ସାନ ଆମ୍ବ, କମଳା, ଅଙ୍ଗୁର, ବେଦାନା, ନାସପାତି ପ୍ରଭୃତି ଫଳ ଥାଏ । ହାଟ ବଜାରରେ କଦଳୀ, ପିଜୁଳି, ଲେମ୍ବୁ ପ୍ରଭୃତି ଯାହା ମିଳେ ତାହା ଆସେ । ପିଲାମାନଙ୍କର ଭାରି ଆନନ୍ଦ, ସେମାନେ ଆଉ ପାଖ ଛାଡ଼ନ୍ତି ନାହିଁ, ମୋ ସେବା ଏବଂ ଫଳ ସେବାରେ ମାତିଥାଆନ୍ତି । ପନ୍ଦର ଦିନ ପରେ ଅରୁଚି ଛାଡ଼ିଆସିଲା, ତେଣିକି ଭାତର ବ୍ୟବସ୍ଥା ହେଲା । ଅନେକେ ଦେଖା କରିବାକୁ ଆସନ୍ତି, ମୁଁ କଥାକହି ପାରେ ନାହିଁ, ଦୁଇଚାରିପଦ କଥା କହିଲେ ଧଇଁ ସଇଁ ହୋଇପଡ଼େ । ଘଣ୍ଟାକ ପରେ କିଏ ଆସିଥିଲେ ବା କି କଥା ହେଲା, ସବୁ ଭୁଲିଯାଏଁ କିଛି ମନରେ ରହେ ନାହିଁ । ମୁଁ ମନେ ମନେ ଭାବିଲି–ଏ କାଳ ରୋଗ ମୋର ମସ୍ତିଷ୍କକୁ ଚୂର୍ଣ୍ଣୀଭୂତ କରିଦେଇ ସ୍ମୃତି ଶକ୍ତିକୁ ବାହାର କରିନେଇ ଯାଇଅଛି । ଗୋଟାଏ ଚକ୍ଷୁର ଜ୍ୟୋତି ଖୁବ୍‌ ଊଣା ହୋଇଗଲା । ଏହିସବୁ ଦୁର୍ଲକ୍ଷଣ ଦେଖି ମୁଁ ବାଧ୍ୟ ହତାଶ ହୋଇ ପଡ଼ିଲି-। କିନ୍ତୁ ଭଗବାନଙ୍କର କୃପା ଅନନ୍ତ, ସେହି ମହାକୃପା ଦୁଇମାସ ପରେ ମୋର ହୃତଶକ୍ତି ଆଣିଦେଲା-। ମଙ୍ଗଳମୟଙ୍କ ସଦୟ ହସ୍ତ ଅନେକ ଥର ମୋତେ ଏହିପରି ଆସନ୍ନ ମୃତ୍ୟୁ ମୁଖରୁ ଫେରାଇ ଆଣିଅଛି । ମୋର ହୃତଶକ୍ତି ଫେରିଆସିଲା ମାତ୍ର ସମ୍ପୂର୍ଣ୍ଣ ଫେରି ଆସିଲା ନାହିଁ । ଯାହା ନ ଆସିଲା ତାହା ଆଉ ଆସିବ ନାହିଁ–ସେ ଚିରକାଳ ସକାଶ ଗଲା ।

 

ସେହି ସମୟରେ ଅନେକେ ମୋପ୍ରତି ଯେଉଁ ସହାନୁଭୂତି ଦେଖାଇଅଛନ୍ତି ତାହା ମୁଁ ଆଜୀବନ ବିସ୍ମୃତ ହେବି ନାହିଁ । ଶ୍ରୀଯୁକ୍ତ ଭାଗବତ ବାବୁଙ୍କ ସହଧର୍ମିଣୀ ସେହି ସମୟରେ ନିଜେ ପୀଡ଼ିତ ଥାଇ ସୁଦ୍ଧା ଦୁଇ ଓଳି ଚାକର ଚାକରାଣୀମାନଙ୍କୁ ପଠାଇ ସୋର ତତ୍ତ୍ୱ ନେଉଥିଲେ । ସମୟ ସମୟରେ ଔଷଧ ମଧ୍ୟ ପଠାଇ ଦେଉଥିଲେ । ତାଙ୍କର ସୁପୁତ୍ର ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମହାପାତ୍ର ମୋହରି ପରି ଦୁର୍ବଳ, ତଥାଚ ଆଣ୍ଠୁଏ ଜଙ୍ଘେ ପାଣିରେ ପଶି ପ୍ରତ୍ୟହ ମୋତେ ଦେଖିବାକୁ ଆସୁଥିଲେ । ବିପଦବେଳେ ଯେ ପଦେ ମଧୁର କଥା କହେ, ତାହାଠାରୁ ବଳି ସୁବନ୍ଧୁ ଆଉ କିଏ ? ଧନ୍ୟ ମାତା ପୁତ୍ର ଦୁହିଁଙ୍କର ହୃଦୟ । ବିଧାତା କି ସେ ହୃଦୟକୁ ଖାଲି ଅମୃତରେ ଗଢ଼ିଅଛି । ସେହି ହୃଦୟବତ୍ତା ହେତୁ ମଙ୍ଗଳମୟ ସେମାନଙ୍କ ଜୀବନ ପଥ ମଙ୍ଗଳାସ୍ତୃତ କରିବେ । ଲକ୍ଷ୍ମୀକାନ୍ତ ବାବୁଙ୍କ ବ୍ୟବସ୍ଥା ଗ୍ରହଣ କରି ମୁଁ ନିଦାରୁଣ ଅରୁଚି ହସ୍ତରୁ ମୁକ୍ତିଲାଭ କରିଥିଲି । ଆଉ ଜଣେ ହୃଦୟବାନ୍‌–ସ୍ଥାନୀୟ ମୁନସଫ୍‌କୋଟର ଓକୀଲ ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉତ । ତାଙ୍କ ସଙ୍ଗରେ ମୋର ଜୀବନରେ ଥରେ ମାତ୍ର ସାକ୍ଷାତ । ଏତିକିରେ କାହିଁକି କେଜାଣି ସେ ମୋ ପ୍ରତି ଅସାଧାରଣ ଆକୃଷ୍ଟ । ସେ ବର୍ଷାରେ ତିନ୍ତି ବୁଡ଼ି ପାଣିରେ ପଶି ଦିନରେ ଏକାଧିକଥର ଆସି ମୋର ଅବସ୍ଥା ବୁଝିଯାଉଥିଲେ । ଖାଲି ଏତିକି ନୁହେଁ, ତେଣେ ଡାକ୍ତରଙ୍କ ପାଖକୁ ଯାଇ ମୋର ସୁଚିକିତ୍ସା ସକାଶ ତାଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । ଏହାହିଁ ସିନା ମାନବପ୍ରାଣରେ ଦେବତ୍ୱ । ପର ପାଇଁ ଯାହାର ହୃଦୟ ବ୍ୟାକୁଳ ହୁଏ, ସେହି ଏକା ନରଦେବତା ।

 

ଅନେକ ଔଷଧ ଗିଳି ୩।୪ ମାସ ପରେ ରୋଗମୁକ୍ତ ହେଲି, କିନ୍ତୁ ସମ୍ପ୍ରତି ଭାରି ଅବସନ୍ନ । ଇଚ୍ଛାସତ୍ତ୍ୱେ କାର୍ଯ୍ୟ କରିବାକୁ ଶକ୍ତି ପାଉନାହିଁ । ଦୁରନ୍ତ ରୋଗ ମୋର ଅନ୍ତଃସାର ଶୋଷିନେଇ କେବଳ ସିଠା ରଖିଗଲା । ଦେହ ଥରୁଛି, ବସିବା ଜାଗାରୁ ଉଠିବାକୁ କଷ୍ଟ ହେଉଅଛି, ମନ କାହିଁରେ ଲାଗୁନାହିଁ, କି କିଛି ଭଲ ଲାଗୁନାହିଁ । ବେଳେ ବେଳେ ନାନା ବ୍ୟର୍ଥ ଦୁଶ୍ଚିନ୍ତା ଆସି ମାଡ଼ି ବସୁଛି–ପରକ୍ଷଣରେ ତାହାର ସ୍ମୃତି ଆସି ଉପହାସ କରୁଛି, ଏହି ପରି ଲୀଳା ମନ ମଧ୍ୟରେ ଲାଗିଛି, ସୁତରାଂ ମନ ଭଲ ନାହିଁ । ସୋମନାଥର ଦୁଇଟି କନ୍ୟା ମୋତେ ବଞ୍ଚାଇ ରଖିଛନ୍ତି । ସେ ଦୁହିଁଙ୍କ ନାମ–ରମା ଏବଂ ଉମା । ରମାର ବୟସ ଛ ବର୍ଷ, ଉମା ଦେଢ଼ବର୍ଷର ଶିଶୁ । ଉମା ଖଣ୍ଡିଏ ଏକାକ୍ଷରୀ ଶବ୍ଦକୋଷ । ଫୁଲକୁ–ଫୁ, ଦୁଧକୁ–ଦୁ, ମିଠାଇ ଏବଂ ଫଳମାତ୍ରାକୁ–କୁ ଅର୍ଥାତ୍‌ କୋଳି ବୋଲି କହେ । ଯାହା ଦେଖୁଛି, ତାହା ଅନୁକରଣ କରୁଛି । କେବେ ନୃତ୍ୟ, କେବେ ଅସ୍ପଷ୍ଟ ଗୀତ, କେବେ ବହିପଢ଼ା, କେବେ ଏହା ଟାଣ ତାହା ଫିଙ୍ଗିଦେ, ସବୁବେଳେ ତାହାର ଏହିପରି ଦୁଷ୍ଟାମି ଲାଗିଛି । କିନ୍ତୁ ସେ ଦୁଷ୍ଟାମି ବଡ଼ ସୁନ୍ଦର–ବଡ଼ ମଧୁର । ଲେଖିବାବେଳେ ଆସି ଲେଖିବା ଚଉକି ଖଣ୍ଡି ଅଧିକାର କରି ତାହାରି ଉପରେ ବସିଯାଏ, ହାତରୁ କଲମ ଛଡ଼ାଇନେଇ ତାହା ଭୋଜନ କରିବାକୁ ଉଦ୍ୟତ ହୁଏ, ନଚେତ୍‌ କଲମଟିର ପରମାୟୁ ବଳ ଥିଲେ ସେ ବରତିଯାଏ, ଉମା ସେଥିରେ ନିଜେ ଲେଖିବାକୁ ଆରମ୍ଭ କରେ । ରମା ବଡ଼ ଗଳ୍ପ ପ୍ରିୟ, ନୂଆଗଳ୍ପ ଶୁଣିବାକୁ ତାହାର ଭାରି ଆଗ୍ରହ । ସେ ଗପ ଶୁଣିବା ପାଇଁ ଜଞ୍ଜାଳ କରେ । ତାକୁ ତୁଷ୍ଟ କରିବା ସକାଶେ ମୋତେ ପ୍ରତ୍ୟହ ନୂଆ ଗପ ସୃଷ୍ଟି କରିବାକୁ ହୁଏ । ଏହି ଦୁହିଁଙ୍କ ଲୀଳା ଖେଳାରେ ମୁଁ ବୁଡ଼ି ରହିଥାଏ । ସେତେବେଳେ ମୁଁ ସେମାନଙ୍କ ସମବୟସ୍କ ହୋଇଯାଏଁ । ସେମାନେ ମୋ ପାଖରୁ ଚାଲିଗଲେ ମୋର ବୃଦ୍ଧତ୍ୱ ଫେରିଆସି ମୋତେ ବ୍ୟଙ୍ଗ ପରିହାସ କରେ, ମୁଁ ଲଜ୍ଜାରେ ଅଧୋବଦନ ହୁଏଁ । ସେମାନେ ମୋ ପାଖରେ ଥିବା ପର୍ଯ୍ୟନ୍ତ ମୋର ମନ ଆନନ୍ଦରେ ନୃତ୍ୟ କରୁଥାଏ–ସେମାନେ ଅନ୍ତର ହେଲେ ସେ ଆନନ୍ଦରେ ଭଟା ପଡ଼ିଯାଏ । ସମୟ ସମୟରେ ମୁଁ ମସ୍ତିଷ୍କ ପୀଡ଼ାରେ ଆକ୍ରାନ୍ତ ହେଉଥିଲି, ମାତ୍ର ଏଣିକି ସେ ପୀଡ଼ା ମୋତେ ପ୍ରାୟଶଃ ସର୍ବଦା ବ୍ୟତିବ୍ୟସ୍ତ କରୁଅଛି । ନାନାପ୍ରକାର ଶୀତଳ ଉପଚାରରେ ସୁଦ୍ଧା ଉପଶାନ୍ତ ହେଉ ନାହିଁ । ଲେଖାପଢ଼ାର ମାତ୍ରା ଟିକିଏ ବଳି ପଡ଼ିଲେ ଆଉ ନିସ୍ତାର ନାହିଁ । ମୁଣ୍ଡ ଭିତରେ ଛୁଞ୍ଚିଗୁଛାରେ ଚିତା କୁଟାଇଲା ପରି କଷ୍ଟ ହୁଏ । ଜରା ଏବଂ ରୋଗର ଆକ୍ରମଣରେ ମୁଁ ସମ୍ପ୍ରତି ଜୀବନ୍ମୃତ ପ୍ରାୟ ହୋଇ ରହିଅଛି । ପିଲାମାନଙ୍କ ଆନନ୍ଦ ଛଡ଼ା ଆହୁରି ଗୋଟାଏ ଆନନ୍ଦ ମୋର କଷ୍ଟ ଭୁଲାଇ ଦେଇଅଛି । ତାହା ଏହି,–ମୁଁ କେବେ ଘରର କୌଣସି କାର୍ଯ୍ୟ କରେ ନାହିଁ, ପିଲାଙ୍କ ଉପରେ ସବୁ ଭାର ଦେଇ ନିଶ୍ଚିନ୍ତ ଅଛି । ପଇସା, କଉଡ଼ିର କାରବାର ମୁଁ ନିଜହାତରେ କରେ ନାହିଁ, ସେହିମାନେ ସବୁ ବୁଝନ୍ତି । ଘରେ କଣ ହୁଏ, ମୁଁ କିଛି ଜାଣେ ନାହିଁ । ନୂଆ ଶିଖାଣି ହାତରେ ଡଙ୍ଗା ଛାଡ଼ିଦେଇ ପୁରୁଣା ମାଝି ତାହାର କାର୍ଯ୍ୟ ଦେଖୁଥାଏ । ଯେତେବେଳେ ମଙ୍ଗ ବଙ୍କେଇ ଯାଏ ତେତେବେଳେ ସେ କାତେ ମାରିଦେଇ ମଙ୍ଗ ସଳଖାଇ ଦିଏ । ବର୍ତ୍ତମାନ ମୋର କାର୍ଯ୍ୟ ତେତିକି ମାତ୍ର । କେବେ କେବେ ଘରର କାହାରି କାହାରି ପ୍ରତି ମୁଁ ବିରକ୍ତ ହୁଏଁ, ସେଥିରେ କାରଣ ଏହି ଯେ, ମୁଁ ଯାହାକୁ ଯେତେ ଭଲ ପାଏ ତାହାର ତ୍ରୁଟି ବିଚ୍ୟୁତି ସହି ନପାରି ତାହାକୁ ତେତିକି ବିରକ୍ତ ହୁଏ । କିନ୍ତୁ ମୋର ଏ ଭାବକୁ ସମସ୍ତେ କିପରି ଗ୍ରହଣ କରନ୍ତି କେଜାଣି–ତାହା ଜାଣିବାକୁ ଚେଷ୍ଟା କରେ ନାହିଁ । ଘରର ମୁରବି ହେବାକୁ ହେଲେ ନଳରୂପ ଧରିବାକୁ ପଡ଼ିବ । କେବେ ଗରମ, କେବେ ନରମ, କେବେ ବା ଦୁହିଙ୍କର ମିଶାମିଶି ନ ହେଲେ ଚଳିବ କିପରି ? ଗୋଟାଏ ଆଦର୍ଶ ଦେଖାଇବା ମୋର ଅଭିପ୍ରାୟ । ଆପଣାର କରି ଜାଣିଲେ ପର ଆପଣାର ହୁଏ କି ନାହିଁ, ଏହା ମୁଁ ପରୀକ୍ଷା କରୁଥିଲି । ପରୀକ୍ଷାରେ ଆଶାତୀତ ଫଳ ପାଇଅଛି । ଭାଇ ଭାଇ ପୃଥକ୍‌ ହେବା କଥା ଶୁଣିଲେ କାହିଁକି କେଜାଣି ମୋତେ ହସ ମାଡ଼େ । ସୋମନାଥ ଏବଂ ଉପେନ୍ଦ୍ରର ସଦ୍‌ଭାବ ଦେଖି ମୋର ଛାତି ଫୁଲି ଉଠେ । ସେହି ଆନନ୍ଦରେ ମୁଁ ରୋଗ ଯନ୍ତ୍ରଣା ଭୁଲି ରହିଅଛି । ସେମାନଙ୍କର କାର୍ଯ୍ୟ ମୋର ଅମନୋନୀତ ହୁଏ ନାହିଁ । ଭଗବାନ ସେ ଦୁହିଙ୍କର ଏହି ବାଞ୍ଛନୀୟ ସଦ୍‌ଭାବ ଅକ୍ଷୁଣ୍ଣ ରଖନ୍ତୁ, ତାଙ୍କ ଶ୍ରୀଚରଣରେ ମୋର ଏତିକି ଭିକ୍ଷା । ଏହିପରି ସଦ୍‌ଭାବ ଦେଖିଲେ ମୋର ମୃତ-ଆତ୍ମା ସୁଦ୍ଧା ଅପାର ଆନନ୍ଦ ଲାଭ କରିବ । ଜୀବନରେ ମୋର କୌଣସି ସଦିଚ୍ଛା ବିଫଳ ହୋଇ ନାହିଁ, ଈଶ୍ୱର ମୋର ମନ ଜାଣି ସବୁ ଦେଇଅଛନ୍ତି–ମୋର ଏ ଭିକ୍ଷା କଦାଚ ବିଫଳ ହେବ ନାହିଁ । ଯେ ମୋ ମନ ଜାଣି ସୁଭ୍ରାତା ଦେଇ ଅଛନ୍ତି, ସୁପୁତ୍ର ରତ୍ନ ଦେଇଅଛନ୍ତି, ସେ ମୋର ସଦିଚ୍ଛା ପୂର୍ଣ୍ଣ କରିବେ, ଏଥିରେ ମୋର ସନ୍ଦେହ ନାହିଁ । ସୋମନାଥ, ଉପେନ୍ଦ୍ର ମୋର ଆଦେଶ ଲଙ୍ଘନ କରି ମୋର ପ୍ରେତାତ୍ମାକୁ କନ୍ଦାଇବେ ନାହିଁ, ମୋର ଏ ବିଶ୍ୱାସ ପାଷାଣ ରେଖା ପରି ଦୃଢ଼ ଏବଂ ସତ୍ୟ । ଓଷା, ବାର, ପୁନେଇ, ପର୍ବ, ଦାନ, ଖଇରାତ ବର୍ତ୍ତମାନ ପରି ସେ ଦୁହେଁ ଚଳାଇବେ । ପୁସ୍ତକରୁ ଯାହା ମିଳିବ, ସେଥିରେ ଝିଅମାନଙ୍କ ଘରକୁ ସାମୟିକ ଭାର ଥୁର ପଠାଯିବ–ବହୁ ଦୁହିଁଙ୍କୁ ଅଳଙ୍କାର କିଣି ଦିଆଯିବ । ଏଥିରେ ଅଧେ ଖର୍ଚ୍ଚ ହେବ ଏବଂ ଅପରାର୍ଦ୍ଧ ଘରଖର୍ଚ୍ଚରେ ଲାଗିବ । ମୋର ଗୋଟିଏ ଝିଅ, ମାତ୍ର ମୁଁ ଚାରୋଟି ଝିଅର ବାପ । ସୋମନାଥଙ୍କର ତିନୋଟି କନ୍ୟାଯାକ ମୋତେ ଏବଂ ମୋର ସ୍ତ୍ରୀକୁ ବାବା ବଉ ବୋଲି ଡାକନ୍ତି । ସେମାନେ ବାପ ମାଙ୍କୁ ତେତେ ଖୋଜନ୍ତି ନାହିଁ, ସବୁ ଅଳି–ଅଜଟ ଆମରି ପାଖରେ କରନ୍ତି । ଚାରି ଭଉଣୀଯାକକୁ ମୁଁ ସମାନ ଦୃଷ୍ଟିରେ ଦେଖେଁ । ସେମାନଙ୍କ ଘରକୁ ଯାହା ଦିଆଯିବ, ସମାନ ଭାବରେ ଦିଆଯିବ । ମୋ ଘରେ ଯେଉଁ ପିଲାମାନେ ହେବେ, ସେମାନେ ଚାକିରୀ ପ୍ରତ୍ୟାଶୀ ନ ହେବା ପକ୍ଷେ ଦୃଷ୍ଟି ରଖିବାକୁ ହେବ । ସେମାନଙ୍କୁ ଉଚ୍ଚ କଳା ବିଦ୍ୟା କୃଷି ଏବଂ ବାଣିଜ୍ୟାଦି ସ୍ୱାଧୀନ ବ୍ୟବସାୟ ଶିକ୍ଷା ଦେବା ମୋର ଅଭିପ୍ରେତ । କଥା ନଅସରେ ମୂଳ ଛାଡ଼ି ଅନେକ ଦୂରକୁ ଚାଲି ଆସିଲିଣି । ଏବେ ନେଉଟି ଯାଇ ମୂଳ ଧରିବି ।

 

ପରୀକ୍ଷା ପରେ ମୁଁ ପୁରୀ ଗଲି । ତେତେବେଳେ କେନାଲ ବା ରେଲପଥ ହୋଇ ନଥିଲା । ସମସ୍ତେ ଜଗନ୍ନାଥ ସଡ଼କରେ ଚାଲିଯାଉଥିଲେ । କେହି କେହି ସଙ୍ଗତିବାନ ଲୋକେ ଶଗଡ଼ରେ ଯାଉଥିଲେ । ସାଧାରଣ ଲୋକେ ଗୋ-ଶକଟରେ ତୀର୍ଥଯାତ୍ରା କରିବାକୁ ପାପ ମଣୁଥିଲେ । ତେତେବେଳେ ପଥ ନିରାପଦ ଥିଲା ନାହିଁ; ସ୍ଥାନେ ସ୍ଥାନେ ଡକାଏତମାନେ ଉପଦ୍ରବ କରୁଥିଲେ । ତେଣୁ ଲୋକେ ଦଳବଦ୍ଧ ହୋଇ ପୁରୀ ଯାଉଥିଲେ । ଆମ୍ଭ ଗ୍ରାମରୁ ଅନେକଲୋକ ଚନ୍ଦନଯାତ୍ରା ଉପଲକ୍ଷେ ପୁରୀ ଗଲେ, ମୁଁ ଏବଂ ମୋର ମାତୃଦେବୀ ସେମାନଙ୍କ ସଙ୍ଗରେ ଗଲୁଁ । ଜଗନ୍ନାଥ ସଡ଼କର ଦୁଇପାଖରେ ସ୍ଥାନ ବିଶେଷରେ ଖୁବ୍‌ ଜଙ୍ଗଲ ଥିଲା । ରାତିରେ ଯାତ୍ରିମାନଙ୍କର ଯାତାୟାତ ହୁଏ ନାହିଁ । ଆମ୍ଭେମାନେ ଦିନ ଆଠଟାଠାରୁ ଚାରିଟା ପର୍ଯ୍ୟନ୍ତ ଚାଲୁଁ, ତହିଁପରେ ରାତ୍ରିଯାପନ ପୂର୍ବକ ସକାଳୁ ରାନ୍ଧି ଖାଇ ଆଠଟା ବେଳେ ବାହାରୁଁ । ସୁନ୍ଦରୀ ଅରଣ୍ୟ ପ୍ରକୃତିର ଚାରୁ ଶୋଭା ଉପଭୋଗ କରି ଅଗ୍ରସର ହେଉଁ, ସୁତରାଂ ବାଟଚଲା ବାଧେ ନାହିଁ । ଅରଣ୍ୟ ବା ପର୍ବତ ମୁଁ କେବେ ଦେଖି ନ ଥିଲି, ଏହାହିଁ ମୋର ପ୍ରଥମ ଦର୍ଶନ । ମୁଁ ଯୁଗପତ୍‌ ଭୀତ, ବିସ୍ମିତ ଏବଂ ଆନନ୍ଦିତ ହେଉଥାଏଁ । ନାନାପ୍ରକାର କୋଳି ତୋଳିବା, ଟେକାମାରି ଗଛରୁ ବେଲଫଳ ଝଡ଼ାଇବା ବାଟ ଚାଲୁଁ ଚାଲୁଁ ଏହାହିଁ ମୋର ଉଲ୍ଲାସକର ବ୍ୟବସାୟ ହୋଇଥାଏ । ଏହିଠାରୁ ମୋ ପ୍ରକୃତି ଦର୍ଶନର ‘‘ସିଦ୍ଧିରସ୍ତୁ’’ ଆରମ୍ଭ ହେଲା । ଅରଣ୍ୟ କେଡ଼େ ଭୀଷଣ, ପର୍ବତ କେଡ଼େ ବିରାଟ, ତାହା ପ୍ରତ୍ୟକ୍ଷରେ ଅନୁଭବ କଲି । ଆମ୍ଭେମାନେ ପ୍ରତ୍ୟହ ଚାଲି ସାତଦିନରେ ଯାଇ ପୁରୀରେ ପହଞ୍ଚିଲୁଁ । ସେଠାରେ ସାତଦିନ ରହି ତୀର୍ଥ ସ୍ନାନ, ଦେବଦର୍ଶନ କରି ବୁଲିଲୁଁ । ସମୁଦ୍ରସଙ୍ଗରେ ମୋର ପ୍ରଥମ ପରିଚୟ ହେଲା ! ସେହି ପରିଚୟର ସ୍ମୃତିଚିହ୍ନ ସ୍ୱରୂପ ବେଳା ବାଲୁକାରୁ ମୁଁ କେତେ ଗୁଡ଼ିଏ ଚିତ୍ରଶମ୍ବୁକ ସଂଗ୍ରହ କରି ଆଣିଲି । ପ୍ରତିଦାନରେ ସମୁଦ୍ରକୁ ଗୋଟିଏ ନଡ଼ିଆ ଦେଇଥିଲି କିନ୍ତୁ ସେ ତାହା ଗ୍ରହଣ ନ କରି ଫେରାଇଦେଲା । ମହାଜନମାନେ ଅପରକୁ ଦାନ କରନ୍ତିସିନା, ମାତ୍ର କାହାରି ଦାନ ଗ୍ରହଣ କରନ୍ତି ନାହିଁ, ଏହା ସେମାନଙ୍କର ସ୍ୱଭାବର ମହତ୍ୱ । ବିଶେଷତଃ ରତ୍ନାକରର କଅଣ ନାହିଁ ଯେ, ଗୋଟାଏ ନଡ଼ିଆ ପାଇଁ ସେ ରଙ୍କ ହେବ । ପ୍ରଥମ ଥର ପୁରୀ ଗଲେ କିଛି ଗୋଟାଏ ଖାଦ୍ୟ ଛାଡ଼ିଆସିବାକୁ ହୁଏ, ଜୀବନରେ ତାହା ଆଉ ଖାଇବାକୁ ହୁଏ ନାହିଁ । କେହି କେହି କହନ୍ତି–ଦ୍ୱିତୀୟ ଥର ପୁରୀ ଯିବା ଯାଏଁ ଛାଡ଼ିବାର ବିଧି, ତେଣିକି କୌଣସି ଦୋଷ ହୁଏ ନାହିଁ । ଯାହାହେଉ ମୁଁ କଅଣ ଛାଡ଼ିବି ବୋଲି ଭାବିଲି । ଶେଷରେ ସ୍ଥିର କଲି ଗ୍ରୀଷ୍ମକାଳରେ ସପୁରିଆତକୁ ମୁଁ ଭଲପାଏ ନାହିଁ, ସୁତରାଂ ତାହାକୁହିଁ ଛାଡ଼ିବି । ତହୁଁ ସପୁରିଆତକୁ ଛାଡ଼ିବି ବୋଲି କୋଇଲି ବୈକୁଣ୍ଠରେ ଲେଖିଦେଇ ଆସିଲି ।

 

ପୁରୀରୁ ଫେରି ଆସିବାବେଳେ ଦିନେ ବାଟରେ ଗୋଟାଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା । ସନ୍ଧ୍ୟା ପୂର୍ବରୁ ଖୁବ୍‌ ଅସ୍ରାଏ ବର୍ଷା ହୋଇଗଲା । ଆମ୍ଭେମାନେ ଆସି ଗୋଟାଏ ଚଟିରେ ପହୁଞ୍ଚିଲୁଁ । ଜଣେ ଦୋକାନୀ ଭଲ ଘର ଦେବ ବୋଲି କହି ବାଟରୁ ଆମ୍ଭ ଦଳକୁ ଡାକି ନେଇଗଲା । ସେ ଭଲ ଘର ବୋଲି ଯାହାକୁ ଦେଖାଇଲା, ତାହାର ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧରେ ଏତିକି କହିଲେ ଯଥେଷ୍ଟ ହେବ ଯେ–ସେ ଘରେ କୁକୁର ସୁଦ୍ଧା ରହିବାକୁ ମଙ୍ଗିବ ନାହିଁ । ସେଥିରେ ଦିନରେ ଖରା ପଡ଼େ ଓ ରାତିରେ ତରା ଦିଶେ । ଆମ୍ଭେମାନେ ସେଠାରୁ ଫେରିଆସି ଅନ୍ୟ ଜଣକ ଘରେ ରହିଲୁଁ । ସେ ଦୁଇଜଣ ଦୋକାନୀଙ୍କର ଘୋଡ଼ା ମଇଁଷିର ସମ୍ବନ୍ଧ । ପ୍ରଥମର ଶିକାର ଦ୍ୱିତୀୟ ଛଡ଼ାଇ ନେବାରୁ ଦୁହିଙ୍କ ମଧ୍ୟରେ ଖୁବ୍‌ ଖଣ୍ଡେ ଜିହ୍ୱାଯୁଦ୍ଧ ହୋଇଗଲା । ଉଭୟେ ପରସ୍ପରର ସପ୍ତ ପୁରୁଷଙ୍କୁ ପିଣ୍ଡ ବାଢ଼ିଲେ ଏବଂ ମା ଭଉଣୀ ପ୍ରତି ସମ୍ମାନସୂଚକ ଭାଷା ପ୍ରୟୋଗ କଲେ । ମାତ୍ର ପୃଷ୍ଠ ପରୀକ୍ଷା ପୂର୍ବରୁ କେତେ ଜଣ ଭଦ୍ରଲୋକ ଆସି ଦୁହିଙ୍କୁ ରଙ୍ଗଭୂମିରୁ ଅନ୍ତର କରିଦେଲେ । ଆମ୍ଭେମାନେ ରୋଷାଇର ଉଦ୍‌ଯୋଗ କଲୁଁ, ମାତ୍ର ଦୁଇଅଣାର କାଠ ଜଳିଗଲା, ତଥାପି ଭାତୁଆଣି ତାତିଲା ନାହିଁ-। ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହେଲେ, ଦୋକାନୀ କହିଲା–‘‘ସେହି ଶଶୁରର ପାଠ, ଶଳା କିମିଆ ଜାଣେ, ଆଚ୍ଛା ହେଉ, ମୁଁ ଯାଉଛି, ମୋ ଭାଇକୁ ଡାକି ଆଣିବି, ସେ କିମିଆର ଉତାର ସେ ଜାଣେ । ସେ ଖଣ୍ଡେ ମଞ୍ଜ କଦଳୀପତ୍ର ମନ୍ତ୍ରାଇଦେବ, ତାକୁ ନେଇ ହାଣ୍ଡି ମୁହଁରେ ବାନ୍ଧି ଦେଲାକ୍ଷଣି ଭାତ ଫୁଟିବ, ତେଣେ ସେ ଶଳା କିମିଆବାଜର ପେଟ ଫାମ୍ପିବ, ସେ ଆସି ଗୋଡ଼ ନଧରିବା ଯାଏଁ ତାକୁ ବାଟ ଦିଶିବ ନାହିଁ ।’’ ଏହା କହି ଖଣ୍ଡେ ଠେଙ୍ଗାଧରି ମେଘୁଆ ରାତିର ଘନାନ୍ଧକାର–ସମୁଦ୍ର ସନ୍ତରଣ ପୂର୍ବକ ଅର୍ଦ୍ଧକ୍ରୋଶ ଦୂରବର୍ତ୍ତୀ ସ୍ୱୀୟ ଗ୍ରାମାଭିମୁଖରେ ଧାବିତ ହେଲା । ଘଣ୍ଟାକ ପରେ ଭାଇକୁ ସଙ୍ଗରେ ଘେନି ଫେରି ଆସିବାବେଳକୁ ଆମ୍ଭର ରୋଷାଇ ଶେଷ ହୋଇଥିଲା, ତାହା ଦେଖି ଦୁଇଭାଇ ଖୁବ୍‌ ଦମେ ହସିଲେ । ଗୁଣିଆ କହିଲା–‘‘ଯାଉ, ଯାଉ, ଶଳା, ତା’ମା ଦୁତୀୟା ପୂଜିଥିଲା । ମୋ ଡରେ ଆଗରୁ ମନ୍ତ୍ର ଫିଟାଇ ଦେଇଛି ।’’ ଦୁଇ ଭାଇ ମିଶି ପୂର୍ବୋକ୍ତ କିମିଆବାଜ ପ୍ରତି ଆହୁରି ଅନେକ ମୂଲ୍ୟବାନ୍ ବିଶେଷଣ ପ୍ରୟୋଗ କଲେ–ତାହା ସହିତ ଅନେକ ମଧୁର ସମ୍ପର୍କ ସ୍ଥାପନ କଲେ । ତାହା ସବୁ ଲେଖି ଲେଖନୀ ମୁଖ ଏବଂ ଶ୍ରୋତାକର୍ଣ୍ଣ କଳୁଷିତ କରିବା ଉଚିତ ନୁହେଁ–ସୁତରାଂ ପରିତ୍ୟକ୍ତ ହେଲା ।

 

ଯିବାବେଳେ ଦୁଇପାଖରେ ବଣ, ପର୍ବତ ଦେଖି ଯାଇଥିଲି, ମାତ୍ର ଦୀଦ୍ମକ୍ଷା ତୁଟି ନଥିଲା-। ପର୍ବତ ଉପରକୁ ଖଣ୍ଡେ ଉଠିବା ଲାଗି ମୋର ଭାରି ଆଗ୍ରହ, କିନ୍ତୁ ସୁଯୋଗ ଅଭାବରୁ ମନର ଆକାଙ୍‌କ୍ଷା ମନରେ ମାରିବାକୁ ହୋଇଥିଲା । ଆସିବାବେଳେ ନେଉଳପୁର ବଜାରରେ ଦିନେ ରହିଲୁଁ । ବଜାର ପଛପଟକୁ ଗୋଟିଏ ପୁଷ୍କରିଣୀ ଅଛି, ପୋଖରୀଟି ଗୋଟାଏ ପର୍ବତର ପାଦ ମୂଳର ଅବସ୍ଥିତ । ସମସ୍ତେ ସେହି ପୋଖରୀକୁ ଗାଧୋଇବାକୁ ଗଲୁଁ । ସମସ୍ତେ ପାଣିରେ ସ୍ନାନ କଲେ, ମୁଁ ପର୍ବତକୁ ଉଠିଲି । ବନ୍ୟ ନାରୀମାନେ କାଠଗୋଛା, କୋଳିବୋଝ ମୁଣ୍ଡାଇ ଯେଉଁ ବାଟରେ ତଳକୁ ଆସୁଥିଲେ, ମୁଁ ସେହି ବାଟ ଧରି ଉଠିଲି । ଖଣ୍ଡେ ଦୂରରେ ଗୋଟିଏ ପିଲା ଗୋରୁ ଚରାଉଥିଲା । ମୁଁ ତା ସଙ୍ଗରେ ପରିଚୟ କରିନେଲି । ତାଠାରୁ ଶୁଣିଲି–ପର୍ବତ ଆର ପାଖରେ ଗୋଟିଏ ମଠ ଅଛି । ସେ ମୋତେ ସେହି ମଠ ଦେଖାଇ ଆଣିବାକୁ ସ୍ୱୀକୃତ ହେଲା, ତହୁଁ ଦୁହେଁ ଉପରକୁ ଉଠିଲୁଁ । ଏଣେ ସମସ୍ତେ ସ୍ନାନ କରିସାରି ଦେଖିଲେ–ମୁଁ ନାହିଁ । ଗୋଟାଏ ଚାଞ୍ଚଲ୍ୟ ପଡ଼ିଗଲା, ମାତୃଦେବୀ ଅଧୀର ହୋଇ ଉଠିଲେ । ସ୍ନେହର ସ୍ୱଭାବ–ସେ ପ୍ରତିମୁହୂର୍ତ୍ତ ବିପଦର ଆଶଙ୍କା ଆଣିଦିଏ । ସମସ୍ତେ ଉଚ୍ଚ କଣ୍ଠରେ ମୋର ନାମଧରି ଚିତ୍କାର କରିବାକୁ ଲାଗିଲେ । ସେ ଡାକ ଶୁଣି ମୁଁ ଆଉ ଅଗ୍ରସର ନ ହୋଇ ଫେରି ଆସିଲି । ସମସ୍ତେ ମୋର ଦୁଃସାହସ (?) ଦେଖି ତାଟଙ୍କା ହୋଇଗଲେ–ଭବିଷ୍ୟତ୍‌ରେ ଏଭଳି ଅକର୍ମ ନକରିବା ସକାଶ କେହି କେହି ଉପଦେଶ ଦେଲେ–କେହି ବା ବାଘ, ଭାଲୁ ଏବଂ ଆହୁରି କେତେ ପ୍ରକାର ଅଦ୍ଭୁତ, ଅଶ୍ରୁତ ହିଂସ୍ରଜନ୍ତୁର ଭୟ ଦେଖାଇଲେ । ଆଉ ଜଣେ ମୋର ଅଜା ସମ୍ପର୍କୀୟ ବୃଦ୍ଧ କୁଜ ସଳଖାଇ ଅପୂର୍ବ ଭଙ୍ଗିରେ ଠିଆହୋଇ ମୃଦୁହାସ୍ୟ ପୂର୍ବକ ମୋତେ ଏକ ଦୃଷ୍ଟିରେ ଚାହିଁ ରହିଲେ । ବୁଢ଼ାଟି ବଡ଼ ରସିକ, ମୋ ସାଙ୍ଗରେ ଗୋଟାଏ ଅଶୋଭନୀୟ ଅସମ୍ଭବ ସମ୍ପର୍କ ସ୍ଥାପନ କରି ଟିକିଏ ତିକ୍ତ ମଧୁର ବାଣୀରସ ପ୍ରୟୋଗ କଲେ । ସୁଖର ବିଷୟ ମୋର ମାତୃଦେବୀ ମୂର୍ଚ୍ଛିତ ହୋଇ ନାହାଁନ୍ତି, ତତ୍‌ ପୂର୍ବରୁ ମୁଁ ଫେରି ଆସିଥିଲି । ନେଉଳପୁର ବଜାରରେ ବଡ଼ବଡ଼ ‘‘ଟୁଙ୍ଗାଆଳୁ’’ ଯଥେଷ୍ଟ ମିଳେ । ହାତେ ଲମ୍ବ, ତଦୁପଯୋଗୀ ମୋଟ, ଆଠଖଣ୍ଡ ଆଳୁ ଆମ୍ଭେମାନେ ତିନି ପଇସାକୁ କିଣିଥିଲୁଁ । ପୁରୀରୁ ଫେରିଲା ବେଳେ ବାଟରେ ଆମିଷ ଭକ୍ଷଣର ପାରମ୍ପରିକ ରୀତି ଅଛି । ନେଉଳପୁରରେ ଆମ୍ଭମାନଙ୍କୁ ସେ ବିଧି ପାଳନ କରିବାକୁ ହେଲା । ଚାରିପଇସା ମାତ୍ର ଦେଇ ଦୁଇଟି ଭାକୁଡ଼ମାଛ କିଣି ଆଣିଲୁଁ । ଭାତ ସଙ୍ଗରେ ସମସ୍ତେ ତାର ସଦ୍‌ବ୍ୟବହାର କଲୁଁ । ତୀର୍ଥସେବଙ୍କ ପବିତ୍ର ପେଟରେ ପଡ଼ି ମାଛ ଦୁଇଟି ମାଛ ଜନ୍ମରୁ ମୁକ୍ତ ହୋଇଯାଇଥିବେ ଏଥିରେ କୌଣସି ସନ୍ଦେହ ନାହିଁ । ଧନ୍ୟ ଆମ୍ଭମାନଙ୍କର ପତିତପାବନ ବାନା, ପାପୀକୁ ଉଦ୍ଧାର କରିବା ପାଇଁ ବିଧାତା ଆମ୍ଭମାନଙ୍କୁ ଦୟାର ଅବତାର କରି ପଠାଇ ଅଛନ୍ତି । ମନୁଷ୍ୟ ବଡ଼ ବୁଦ୍ଧିମାନ ଜୀବ; ସେ ନିଜେ ହତ୍ୟା କରେ ନାହିଁ, ମାତ୍ର ଅର୍ଥ ଦେଇ ଅପରର ହତ୍ୟାପାପ କିଣିନିଏ । ଧର୍ମକୁ ଆଖି ଠାରିବା ସାମାନ୍ୟ ବାହାଦୂରି ନୁହେଁ । ଏଭଳି ଚାଲାଖ ଚତୁର ଜୀବକୁ ବିଧାତା ଚତୁର୍ଭୁଜ କରିନାହିଁ; ଏହା ତାହାର ମସ୍ତ ଭୁଲ ।

 

ଫେରିବାବେଳେ ଦିନେ ଭୁବନେଶ୍ୱରରେ ଏବଂ ଦିନେ କଟକରେ ରହିଥିଲୁଁ । ତେତେବେଳେ ଭୁବନେଶ୍ୱର ଖୁବ୍‌ ଜଙ୍ଗଲମୟ ଥିଲା । ପଥରେ ଦ୍ୱିଶାଖ ଖର୍ଜ୍ଜୁର ଗଛ ଦେଖିଥିଲି । ପଣ୍ଡାମାନଙ୍କର ଦୌରାତ୍ମ୍ୟ ସର୍ବତ୍ର ସମାନ । ପ୍ରାୟ ପନ୍ଦର କୋଡ଼ିଏ ଜଣ ଲୋକ ଆମ୍ଭମାନଙ୍କୁ ଘେରି ଚାଲିଲେ । ଯାହା ଦେଲେ ସେମାନେ ଅତୃପ୍ତ । ଶେଷରେ ଚାନ୍ଦା କରି ଟଙ୍କାଟିଏ ଦେଇ ସେମାନଙ୍କ କବଳରୁ ରକ୍ଷା ପାଇଲୁଁ । ମୁଁ ଦେଉଳ ଚାରି ପାଖରେ ଛବି ଦେଖି ବୁଲିଲି । କେଉଁ ଚିତ୍ର ସେଥିରେ ନାହିଁ ! ଦେଉଳଟି ଗୋଟିଏ ବ୍ରହ୍ମାଣ୍ଡ । କଟକରେ କୋଠାବଣ ଦେଖି ଚମକି ପଡ଼ିଲି । ଏତେ କୋଠା ଯେ କେଉଁଠାରେ ଥାଇପାରେ, ଏ ଧାରଣା ମୋର ଥିଲା ନାହିଁ । କହିବାକୁ ଭୁଲି ଯାଇଅଛି–ଫେରିବା ପଥରେ ସାକ୍ଷୀଗୋପିନାଥ ଦର୍ଶନ କରି ଆସିଥିଲୁଁ । ପଥ ଚାଲି ଆଠଦିନରେ ଆସି ଘରେ ପହୁଞ୍ଚିଲୁଁ ।

 

ପୁରୀ ଯିବା ପୂର୍ବରୁ ମୋର ବାମ ପାଦର ତଳିପାରେ ଦୁଇ ଆଙ୍ଗୁଳି ଗଭୀରରେ ଖଣ୍ଡେ କାଚ ପଶି ଯାଇଥିଲା । ବେଦନାରେ ଗୋଡ଼ ଉଠାଇ ହେଉ ନ ଥିଲା । ତାହା ମୋର ଉଗୁରିର ଫଳ-। ପହଁରିବା ଉଦ୍ଦେଶ୍ୟରେ ତଡ଼ା ଉପରୁ ନଈ ଭିତରକୁ ଡେଇଁ ମୁଁ ସେହି କୀର୍ତ୍ତି ଅର୍ଜିଥିଲି । କିପରି ଏତେ ବାଟ ଚାଲିବି, ଏହାହିଁ ଭୟ-ଭାବନାର ବିଷୟ ହେଲା । ମନେ ମନେ ଜଗନ୍ନାଥଙ୍କୁ ଡାକିଲି, ପ୍ରଭୁ ବାଳକ ପ୍ରାଣର ଆତୁର ଡାକ ଶୁଣିଲେ । ଦୁଇଦିନ ବାଟଚଲା ପରେ ତେଡ଼େ ବଡ଼ କ୍ଷତ ଶୁଖିଗଲା । ସେଥିର ଚିହ୍ନ ଅବଧି ଅଛି । ଜଗନ୍ନାଥ ଭଲ କରି ଦେବେ, ଏହା ହିଁ ମୋର ବିଶ୍ୱାସ ଥିଲା । ହାୟ, ମୋର ସେହି ବାଲ୍ୟ ବିଶ୍ୱାସର ଦୃଢ଼ତା ଏବେ କାହିଁ ? ଏବେ ମୁଁ ପାଠ ପଣ୍ଡିତ, ସୁତରାଂ ସବୁ କଥାରେ ସନ୍ଦେହର ଛାୟାପାତ ଦେଖେଁ । ମନ ଯୁକ୍ତିତର୍କ ଛଡ଼ା କାହିଁରେ ବୋଧ ହେବାକୁ ରାଜି ହୁଏ ନାହିଁ । ପ୍ରବୀଣ ହୋଇ ଆସିଲେ ବୋଧ ଏହିପରି ଅଧୋଗତି ଘଟେ । ତେବେ ପ୍ରବୀଣତାରେ କି ଫଳ ? ସର୍ବଦା ବାଳକ ଥିବା ଉଚିତ । କିନ୍ତୁ ଦୁର୍ମଦା ନିୟତ କଅଣ ତାହା କରାଇଦେବ ? ତାହାର ନିକ୍ତିକଣ୍ଟା ଏଣିକି ତେଣିକି ଟିକିଏ ଢଳିବ ନାହିଁ–ତୁମ୍ଭର ଭଲ ହେଉ ବା ମନ୍ଦ ହେଉ, ସେଥିପ୍ରତି ତାହାର ଭ୍ରୂକ୍ଷେପ ନାହିଁ ।

 

ପିଲା କାଳରେ ମୋର ଦୁଇଟି ଅପସାଧନା ଥିଲା, ସାଧନାରେ ସିଦ୍ଧି ମଧ୍ୟ ମୁଁ ଲାଭ କରିଥିଲି । ସେ ସାଧନା ଦୁଇଟି ମଧ୍ୟରୁ ଗୋଟିଏ ନଈ ପହଁରା, ଅପରଟି ଟେକାମରା । ପହଁରୁ ପହଁରୁ କେତେ ଥର ପ୍ରାଣ ସଙ୍କଟାପନ୍ନ ହୋଇଥିଲା । ଟେକା ମାରିବାରେ ଏପରି ଧୁରନ୍ଧର ଥିଲି ଯେ, ମୋର ଲକ୍ଷ୍ୟ କଦାଚ ବିଫଳ ହେଉ ନ ଥିଲା । ବନ୍ଧୁମାନେ ଗଛକୁ ଚଢ଼ୁଁ ଚଢ଼ୁଁ ମୁଁ ଟେକାମାରି ଆମ୍ବ ଖସାଇ ଦିଏଁ । ମାଙ୍କଡ଼ ପଲକୁ ତ ଅର୍ଦ୍ଧ ପ୍ରାଣ କରି ରଖିଥିଲି, ମୋର ପାଟି ଶୁଣିଲାକ୍ଷଣି ସେମାନେ ଭୟରେ ଛତ୍ରଭଙ୍ଗ ଦେଇ ପଳାଉଥିଲେ । ଦିନେ ଗୋଟାଏ ଅନନ୍ତା ପ୍ରତିଶୋଧ ନେବାକୁ ଯଥେଷ୍ଟ ଚେଷ୍ଟା କରିଥିଲା, ମାତ୍ର ପାରିଲା ନାହିଁ । ମୋତେ ଶୂନ୍ୟହସ୍ତ ଦେଖି ସେ ଗୋଡ଼ାଇଲା, ମାତ୍ର ଧରି ପାରିଲା ନାହିଁ । ମୁଁ ବିଜୟ ବାନା ଉଡ଼ାଇ ଗର୍ବରେ ଛାତିଫୁଲାଇ ଚାଲି ଆସିଲି । ଟେକାମାରି ମୁଁ ତିନୋଟି ଜୀବହତ୍ୟା କରିଅଛି । ଗୋଟିଏ ଫୁତ୍‌କି ଚଢ଼େଇ, ଗୋଟିଏ ବଗ, ଆଉ ଗୋଟିଏ ଗୁଣ୍ଡୁଚି ମୂଷା ମୋ ହାତରେ ପ୍ରାଣ ହରାଇ ଅଛନ୍ତି । ବକ ବଧ କରି ବକଜୟୀ ଭୀମ ଉପାଧି ଧାରଣ କରିଥିଲି–ନିଜକୁ ମହାବୀର ମଣିଥିଲି, ମାତ୍ର ଗୁଣ୍ଡୁଚି ମୂଷା ମାରି ଅନୁଶୋଚନାରେ ଦଗ୍‌ଧ ହେଲି । ସେହିଦିନଠାରୁ ଟେକାମରା ଛାଡ଼ି ବାଟୁଳି ଧରିଲି । ଦିନେ ଗୋଟାଏ ବାଟୁଳି ମୋର ବାମହସ୍ତରେ ବୁଢ଼ାଆଙ୍ଗୁଳି ଗଣ୍ଠିଉପରେ ବସିଗଲା–ଗଣ୍ଠି ଭାଙ୍ଗିଗଲା, ତହୁଁ ବିରକ୍ତ ହୋଇ ବାଟୁଳିମରା ଛାଡ଼ିଲି ।

 

ଯଥା ସମୟରେ ପରୀକ୍ଷାର ଫଳ ବାହାରିଲା । ମୁଁ ଅପର ପ୍ରାଇମେରୀ ପାସ କଲି । ଛାତି କୁଣ୍ଢେ ମୋଟରେ ଫୁଲି ଉଠିଲା । ସେକାଳରେ କେହି ନି: ପ୍ରା: ପାସ ଖଣ୍ଡେ କଲେ ଗ୍ରାମରେ ଗୋଟାଏ ଚହଳ ପଡ଼ିଯାଉଥିଲା । ଲୋକେ କହୁଥିଲେ–‘‘ସେ ଟୋକା ଖୁବ୍‌ ବୁଦ୍ଧିମାନ୍ । ନିମ୍ନବୃତ୍ତି ପାସ୍‌ କଲାଣି, ଆରବର୍ଷକୁ ସରକାରରୁ ଜଳପାନୀ ପାଇବ । ସେ ନିଶ୍ଚେ ଗାରେ ବୁଲେଇବ ।’’ ତେତେବେଳେ ନି: ପ୍ରା:କୁ ନିମ୍ନବୃତ୍ତି ଏବଂ ଅ: ପ୍ରା:କୁ ମଧ୍ୟବୃତ୍ତି ବୋଲି କହୁଥିଲେ । ଭର୍ଣ୍ଣାକ୍ୟୁଲାର ଛାତ୍ରବୃତ୍ତି ନାମରେ ଅଭିହିତ ହେଉଥିଲା । ଆମ ଘର ଭଦ୍ରଖ ଟାଉନ ମଧ୍ୟରେ । ଟାଉନର ପ୍ରାୟ ଦେଢ଼ମାଇଲ ଦୂରବର୍ତ୍ତୀ ବାଗୁରଇ ଗ୍ରାମରେ ଗଭର୍ଣ୍ଣମେଣ୍ଟ ଭର୍ଣ୍ଣାକ୍ୟୁଲାର ସ୍କୁଲ ଅବସ୍ଥିତ । ମୋର ସହପାଠୀମାନେ ସେହି ସ୍କୁଲରେ ଯାଇ ପଢ଼ିଲେ, ମାତ୍ର ଦୁର୍ଭାଗ୍ୟବଶତଃ ମୁଁ ପ୍ରବଳ ଚକ୍ଷୁ-ରୋଗରେ ପୀଡ଼ିତ ହୋଇ ବର୍ଷେକାଳ ପଢ଼ା ଛାଡ଼ିଦେଲି । ଆଖିର ଦୁଇପତା ଅସ୍ୱାଭାବିକ ରୂପେ ଫୁଲିଉଠି ପକ୍ଷ୍ମଲୋମସବୁ ଉପୁଡ଼ିଗଲା । ଆଖିରୁ ସର୍ବଦା ପାଣି ବହିଲା । ଖରାକୁ ଚାହିଁ ହେଲା ନାହିଁ, ବିନ୍ଧାଛିଟିକାରେ ଅସ୍ଥିର ହେଲି । ରାତିରେ ଦୁଇପତା ଯୋଡ଼ିଯାଏ, ରାତିରେ ଶୋଇବାବେଳେ ଚକ୍ଷୁଷ୍ମାନ୍, ମାତ୍ର ସକାଳୁ ଉଠିଲେ ଅନ୍ଧ । ପାଣି ଛାପି ବହୁକଷ୍ଟରେ ଆଖି ଫିଟାଇବାକୁ ହୁଏ । ଅନେକ ଔଷଧ ବ୍ୟବହାର କଲି, ମାତ୍ର ଫଳ ହେଲା ନାହିଁ–ବରଂ ରୋଗ ବଢ଼ିବାକୁ ଲାଗିଲା । ଶେଷରେ ‘‘ରାଧିଅପା’’ ସୋରିଷେ ଅଫିମ ଆଉ ପଇସାକର ଖପର ନେଇ ସେଥିରେ ଆଉ କେତେ କଅଣ ମିଶାଇ ଶାମୁକେ ଅଞ୍ଜନ ଘୋରି ଦେଲା । ସେହି ଅଞ୍ଜନ ବ୍ୟବହାର କରି ଅଶାତୀତ ଫଳ ପାଇଲି-। ଆଠଦିନ ମଧ୍ୟରେ ଆଖି ଭଲ ହୋଇଗଲା । ଯେ ମୋର ଏଡ଼େ ବଡ଼ ଉପକାର କଲା, ତାହା ସମ୍ବନ୍ଧରେ କିଛି ନକହିଲେ ଘୋର କୃତଘ୍ନତା ଦୋଷରେ ଦୋଷୀ ହେବାକୁ ପଡ଼ିବ । ରାଧିଅପା ଉଚ୍ଚକୁଳସମ୍ଭୂତା, କରଣ ବୈଷ୍ଣବ କୁଳରେ ତାହାର ଜନ୍ମ । ସେ ଆବାଳବୃଦ୍ଧ ସମସ୍ତଙ୍କର ‘‘ରାଧିଅପା’’ । ସେ ବାଳବିଧବା, କପାଳ ଫାଟିଲାପରେ ଭ୍ରାତୃଗୃହରେ ଆସି ଆଶ୍ରୟ ନେଇଥିଲା । ରାଧିଅପା ସଙ୍ଗରେ କାହାର କେବେ ଅପଡ଼ ହୁଏ ନାହିଁ । ସେ ଖୁବ୍‌ ଶିଳ୍ପ–ନିପୁଣା, ଚଉଁରୀ ବଳିବା, ରୁଞ୍ଜମାଳ ଗୁନ୍ଥିବା ଆଉ ଦଶୀଗଭା କାଟିବାରେ ତାହାର ସମକକ୍ଷ କେହି ନଥିଲେ । ତାହାର ଦଶୀଗଭା ବଡ଼ ସୁନ୍ଦର ଦିଶେ, ସତେ ଯେପରି ଇନ୍ଦ୍ରଧନୁକୁ ଭାଙ୍ଗି ମାଳ ଗୁନ୍ଥା ହୋଇଅଛି । ରାଧିଅପା କାଇଁଶରେ ସୂକ୍ଷ୍ମ କାରୁକଳାମଣ୍ଡିତ ଡାଲା, ପେଡ଼ି, ପଙ୍ଖା ପ୍ରଭୃତି ବୁଣିପାରେ । ଗାଁର ଅବିବାହିତା ବାଳିକା ମାନଙ୍କର ସେ ଶିକ୍ଷୟିତ୍ରୀ । ସେମାନଙ୍କୁ ଝୁଟିଦିଆ, ଲୁଗାକୁଞ୍ଚା, ଠାଭଙ୍ଗା ଇତ୍ୟାଦି ଯୋଗ୍ୟତା ଶିଖାଏ । ଶାଶୁଘରକୁ ଯିବାବେଳେ କାହାକୁ ଧରି କିପରି ବାହୁନି କାନ୍ଦିବାକୁ ହୁଏ, ତାହା ମଧ୍ୟ ଶିଖାଏ । ଝିଅ ବୋହୁଙ୍କର ମୁଣ୍ଡ ବାନ୍ଧିଦିଏ । ଝିଅମାନେ ଜଟ ଏବଂ ବୋହୁମାନେ ଜୁଡ଼ା ବାନ୍ଧୁଥିଲେ । ପାଟ ଝୁମ୍ପା, ଚଉଁରୀ, ରୁଞ୍ଜମାଳ ପ୍ରଭୃତି ଜଟ ଏବଂ ଜୁଡ଼ାର ପ୍ରଧାନ ଉପାଦାନ ଥିଲା । ଏବେ ସେ ଜଟ ନାହିଁ, କି ଜୁଡ଼ା ନାହିଁ, ବଙ୍ଗଦେଶୀୟ ଖୋଷା ତାହା ସ୍ଥାନ ଅଧିକାର କରିଅଛି । ଫିତା, ପାନିଆଁ, କଣ୍ଟା, ଖୁଞ୍ଚ ତାହାର ଉପାଦାନ ହୋଇଅଛି । ଏଣିକି ସ୍ତ୍ରୀ ଲୋକମାନେ ଜାତୀୟ ଅଳଙ୍କାର ଅପେକ୍ଷା ବଙ୍ଗୀୟ ଅଳଙ୍କାରକୁ ଖୁବ୍ ପସନ୍ଦ କରୁଅଛନ୍ତି । ବାଙ୍କିଆର ନାମ ‘‘ମଲ’’ ଏବଂ ବାଜୁବନ୍ଧର ନାମ ‘‘ତାଇତ’’ ହୋଇଗଲାଣି । ସମାଜ ଏହିପରି ଜାତୀୟ ଭାବ ହରାଇ କ୍ରମଶଃ ପଙ୍ଗୁ ହୋଇଯାଉଅଛି । ହାୟ, ଏହା କେଉଁ ରୁଷ୍ଟ ଅପଦେବତାର ଅଭିଶାପ କେଜାଣି । ଏହି ଅନ୍ଧ ଅନୁକରଣ ଆମ୍ଭମାନଙ୍କର ନିଜସ୍ୱ ଦିନେ ଛଡ଼ାଇନେବ, ଏଥିରେ ସଂଶୟ କଅଣ ? ପୁରୁଷ ତ ପୁରା ବଙ୍ଗାଳି ହୋଇ ଯାଉଅଛନ୍ତି, ଏ ଦୁର୍ଯୋଗରେ ସ୍ତ୍ରୀମାନେ ଯାହା ଟିକିଏ ମହତ୍ତ୍ୱ ସମ୍ଭାଳି ରଖିଥିଲେ, ମାତ୍ର ଅଦୃଷ୍ଟଦୋଷରୁ ସେ ଗୁଡ଼ିରେ ବି ବାଲି ମିଶିଲାଣି । ହାୟ ! ଜାତୀୟତା, କି ପାପରୁ ତୋର ସମାଧି ଘଟିଲା ? ଆଉ ସେ ଅନୁଶୋଚନାରେ କି ଫଳ ? ରାଧିଅପା ଅନେକ ତୁଟୁକା ଜାଣେ । ବିଶେଷତଃ ବାଳରୋଗର ମୁଷ୍ଟିଯୋଗରେ ସେ ସିଦ୍ଧହସ୍ତା । ବିନା ଖର୍ଚ୍ଚରେ ଏବଂ କ୍ୱଚିତ୍‌ ନାମମାତ୍ର ଖର୍ଚ୍ଚରେ ପିଲାପିଲିଙ୍କ ରୋଗ ଭଲ କରିଦିଏ । ସେଥିଲାଗି ମୂଲ୍ୟ ବା ପାରିଶ୍ରମିକ କିଛି ନିଏ ନାହିଁ । ରାଧିଅପା ଏହିପରି ପରୋପକାର ବ୍ରତ ଧରିଥାଏ । ଶିଳ୍ପଜାତ ପଦାର୍ଥରୁ ଯାହା ଆୟ ହୁଏ, ତାହା ସଞ୍ଚୟ କରି ରଖେ । ସେହି ଅର୍ଥରେ ପ୍ରତିବର୍ଷ କାର୍ତ୍ତିକ ଦ୍ୱାଦଶୀଦିନ ଠାକୁରବାଡ଼ିରେ ବୈଷ୍ଣବ ପଙ୍ଗତ ହୁଏ, ସାଧାରଣ ଲୋକେ ସୁଦ୍ଧା ମୁଠାଏ ହବିଷାନ୍ନ ପାଆନ୍ତି । ନିଜର ଭବିଷ୍ୟତ ପାଇଁ ସେ ସଞ୍ଚୟ କରେ ନାହିଁ–ପରମାର୍ଥରେ ବ୍ୟୟ କରିବା ତାହାର ସଞ୍ଚୟର ଲକ୍ଷ୍ୟ । ରାଧିଅପା ଧାର୍ମିକ, ଚରିତ୍ରରେ ସେ ଦେବୀତୁଲ୍ୟା । ସମାଜରେ ଆଜି କାଲି ଜଣେ ରାଧିଅପା ଦୁଷ୍ପ୍ରାପ୍ୟ, କିନ୍ତୁ ସେ କାଳରେ ଅନେକ ଥିଲେ । ଭଦ୍ରବଂଶୀୟ । ବିଧବାମାନେ ଲୋକସେବାକୁ ସୌଭାଗ୍ୟ ମଣୁଥିଲେ । ତ୍ୟାଗ ଏବଂ ଅସାଧାରଣ ସଂଯମ ସେମାନଙ୍କ ପୁଣ୍ୟ ଚରିତ୍ରର ଅଳଙ୍କାର ଥିଲା । ସେ କାଳରେ କଥା କଥାକେ ଡାକ୍ତର ଡାକି ଯନ୍ତ୍ର-କାଠିରେ ରୋଗ ମପା ହେଉ ନଥିଲା । ପ୍ରାଚୀନ ପ୍ରାଚୀନା ଗୃହସ୍ଥ ଗୃହିଣୀମାନେ ଅନାୟାସଲବ୍‌ଧ ଚେର ମୂଳଦ୍ୱାରା ସବୁରୋଗର ଚିକିତ୍ସା କରୁଥିଲେ । ଅସାଧ୍ୟ ସ୍ଥଳରେ ବୈଦ୍ୟ ଡାକିବାକୁ ହୁଏ । ବାଟ, ଘାଟ, ବାଡ଼ି, ବଗିଚା ଯେଉଁଠାରେ ଦେଖ, ନାନାପ୍ରକାର ଔଷଧ-ଉଦ୍ଭିଦ ପୁରି ରହିଅଛି । ବର୍ତ୍ତମାନ ତାହା ଦୁଷ୍ପ୍ରାପ୍ୟ ନୁହେଁ–ପ୍ରାୟ ଅପ୍ରାପ୍ୟ । ଡାକ୍ତରମାନଙ୍କର ଆଞ୍ଜୁଳାପୁରା ଦର୍ଶନୀ ପରି ବୈଦ୍ୟମାନଙ୍କର ଦର୍ଶନୀ ଥିଲା ନାହିଁ-। ସ୍ଥଳ ବିଶେଷରେ ତାହା ଦୁଇଅଣାରୁ ଅଧିକ ହେଉ ନଥିଲା । ବିଶେଷତଃ ରୋଗ ବି ଅଧିକ ଥିଲା ନାହିଁ । ଖାଣ୍ଟି ପଦାର୍ଥ ମିଳୁଥିଲା, ଆଜି କାଲି ସବୁମିଶା–ସବୁବିକୃତ । ସେହି କୁପଥ୍ୟ ହେତୁ ନାନାପ୍ରକାର ନୂତନ ଅସାଧ୍ୟରୋଗ ଘଟୁଅଛି । ସେ କାଳରେ ଏ ସବୁ ରୋଗର ନାମ ସୁଦ୍ଧା ଥିଲା ନାହିଁ ।

 

ବର୍ଷକ ପରେ ମୁଁ ବାଗୁରାଇ ସ୍କୁଲରେ ନାମ ଲେଖାଇଲି । ତେତେବେଳକୁ ମୋର ପୂର୍ବ ସତୀର୍ଥମାନେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ । ବର୍ଷେକାଳ ଘରେ ବସି ମୁଁ ପଠିତ ବିଦ୍ୟାରୁ ଅନେକାଂଶ ଜଳଖିଆ କରି ଦେଇଥିଲି । ଅବଶିଷ୍ଟ ଯାହା ଥିଲା, ତାହା ଦ୍ୱିତୀୟ ଶ୍ରେଣୀକୁ ଅକୁଳାଣ ହେବାରୁ ମୋତେ ତଳପାଆଛରେ ରହିବାକୁ ହେଲା । ଉକ୍ତ ସ୍କୁଲର ହେଡ଼ପଣ୍ଡିତ ୰ଗଣେଶ୍ୱର ବାଚସ୍ପତି ଜଣେ ଅଗାଧ ସଂସ୍କୃତଜ୍ଞ ବ୍ୟକ୍ତି । ଭାଷାରେ ମଧ୍ୟ ଧୁରନ୍ଧର । ବ୍ରାହ୍ମଣୋଚିତ ଶାନ୍ତ ଏବଂ ଧୀର ପ୍ରକୃତି, ଯେପରି ଠିକ୍‌ ଗୋଟିଏ ଋଷି । ସେହି ଋଷିତ୍ୱ ମଧ୍ୟରେ ପଣ୍ଡିତ୍ୟ ସୁଲଭ ରସିକତା ମଧ୍ୟ ଥିଲା । ସେ ଏପରି ଭଙ୍ଗୀରେ କଥା କହନ୍ତି ଯେ, କାନ୍ଦିବା ଲୋକ ନ ହସି ରହିପାରେ ନାହିଁ । ପଣ୍ଡିତ ମହାଶୟ ମିତବ୍ୟୟିତାର ଅବତାର । ତାଙ୍କପରି ବିଚକ୍ଷଣ ପଣ୍ଡିତ ସେ ସମୟରେ ଉତ୍କଳରେ ଖୁବ୍‌ ଅଳ୍ପ ଥିଲେ । ଭଦ୍ରଖର ଖ୍ୟାତନାମା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କର ଛାତ୍ର । ସେ ଯେତେବେଳେ ସାହିତ୍ୟ ବୁଝାନ୍ତି, ତେତେବେଳେ ଛାତ୍ର ପ୍ରାଣରେ ଅମୃତ ବୃଷ୍ଟି ହୋଇଯାଏ । ଦିନରେ ୬।୭ ଧାଡ଼ିରୁ ଅଧିକ ବୁଝାନ୍ତି ନାହିଁ, ମାତ୍ର ତେତିକିରେ ୨।୩ ଘଣ୍ଟା ଅତିବାହିତ ହୁଏ । ଭୂରି ଭୂରି ଉଦାହରଣ, ଉପମା, ଉତ୍‌ପ୍ରେକ୍ଷାଦି ପ୍ରୟୋଗ ଦ୍ୱାରା ଏରୂପ ସରଳ ସୁନ୍ଦର ଭାବରେ ବୁଝାଇ ଦିଅନ୍ତି ଯେ, କଥା ଗୁଡ଼ିକ ଛାତ୍ରପ୍ରାଣରେ ଦୃଢ଼ଭାବରେ ମୁଦ୍ରିତ ହୋଇଯାଏ । ସ୍କୁଲରେ କହିଲେ–ସେ ଛାତ୍ର ମସ୍ତିସ୍କରେ ଗୋଟାଏ ଅଦ୍ଭୁତ ଶକ୍ତି ଆଣି ପ୍ରବେଶ କରାଇ ଦିଅନ୍ତି । ସ୍କୁଲ ଶେଷ ଘଣ୍ଟାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଛାତ୍ରମାନଙ୍କୁ ଏକତ୍ର ବସାଇ ନାନାପ୍ରକାର ଗଳ୍ପ କରନ୍ତି । ଗଳ୍ପଗୁଡ଼ିକ ଶିକ୍ଷା, ନୀତି ଏବଂ ଉପଦେଶ ପୂର୍ଣ୍ଣ । ଗଳ୍ପ ଶୁଣି ଛାତ୍ରମାନଙ୍କ ହୃଦୟ ପୁଲକରେ ପୂରି ଉଠେ ।

 

ସ୍ୱର୍ଗୀୟ ପଣ୍ଡିତ ଗଣେଶ୍ୱର ବାଚସ୍ପତି ସାଧାରଣ ସଂସ୍କୃତିଆ ପଣ୍ଡିତଙ୍କ ପରି ମାତୃଭାଷାରେ ଦୁର୍ବଳ ନ ଥିଲେ–ବରଂ ଭାଷାକୁ ଅଳଙ୍କୃତ କରି ପାରୁଥିଲେ । ସେ କଥାକୁ ନଚାଇ, ଖେଳାଇ, ଫୁଲାଇ, ଫେଣାଇ, ରଙ୍ଗଦେଇ ଅତି ସୁନ୍ଦର କରି କହି ପାରୁଥିଲେ । କବିବର ରାଧାନାଥରାୟ ତାଙ୍କୁ ଯଥେଷ୍ଟ ଶ୍ରଦ୍ଧା ଭକ୍ତି କରୁଥିଲେ । ତେତେବେଳେ ଓଡ଼ିଶା ପାଇଁ ଶିକ୍ଷା ବିଭାଗରେ ସ୍ୱତନ୍ତ୍ର ଇନ୍‌ସପେକ୍‌ଟର ପଦ ସୃଷ୍ଟ ହୋଇ ନଥିଲା । ବଙ୍ଗ, ବିହାର, ଓଡ଼ିଶା ତିନି ପ୍ରଦେଶରେ ଜଣେ ଇନ୍‌ସପେକ୍‌ଟର ଥିଲେ । ଖାଣ୍ଟି ବିଲାତୀ ସାହେବମାନେ ଇନ୍‌ସ୍‌ପେକ୍‌ଟର ହୋଇ ଆସୁଥିଲେ । ପଛକୁ ବଙ୍ଗାଳିଙ୍କ ମଧ୍ୟରେ ଭୂଦେବବାବୁ ଇନ୍‌ସପେକ୍‌ଟର ହୋଇଥିଲେ, ତାଙ୍କ ପରେ ବ୍ରହ୍ମମୋହନ ମଲ୍ଲିକ ସେ ପଦରେ ନିଯୁକ୍ତ ହୋଇଥିଲେ । ରାଧାନାଥ ବାବୁ ଓଡ଼ିଶାର ଜଏଣ୍ଟ ଇନ୍‌ସପେକ୍‌ଟର ଥିଲେ । କେତେ କାଳ ପରେ ସର୍କାର ସେ ପଦ ଉଠାଇଦେଇ ଓଡ଼ିଶା ସକାଶ ସ୍ୱତନ୍ତ୍ର ଇନ୍‌ସପେକ୍‌ଟର ପଦର ସୃଷ୍ଟି କଲେ । ତହୁଁ ରାଧାନାଥ ଇନ୍‌ସପେକ୍‌ଟର ହେଲେ । ପରିଦର୍ଶନ ଉଦ୍ଦେଶ୍ୟରେ ସେ ବାଗୁରାଇ ସ୍କୁଲକୁ ଆସିଲେ ପରୀକ୍ଷା ଶେଷରେ ପଣ୍ଡିତଙ୍କ ସଙ୍ଗରେ ଘଣ୍ଟାଏ ଦୁଇଘଣ୍ଟା ଯାଏଁ ସଂସ୍କୃତରେ କଥାବାର୍ତ୍ତା କରନ୍ତି । ଗୁଣଗ୍ରାହୀ ରାଧାନାଥ ପଣ୍ଡିତଙ୍କୁ ଖାଲି ଶୁଖିଲା ଭକ୍ତି କରନ୍ତି ନାହିଁ–ଅର୍ଥ ସାହାଯ୍ୟ ମଧ୍ୟ ଅନେକ ସମୟରେ କରନ୍ତି । ପଣ୍ଡିତଙ୍କ ସଂସ୍କୃତଜ୍ଞାନ, ବିଶେଷତଃ ସଂସ୍କୃତଉଚ୍ଚାରଣକୁ ସେ ବିଶେଷ ପ୍ରଶଂସା କରନ୍ତି । ପଣ୍ଡିତେ ଅନେକ ପୁରୁଣା କଥା କହନ୍ତି । ସେଥିରୁ ସେ କାଳର ଶିକ୍ଷାର ବିଧିପଦ୍ଧତିର ଗୋଟାଏ ସ୍ୱରୂପ ମିଳେ । ତେତେବେଳେ ଯେଉଁ ବିଲାତୀ ଗୋରାମାନେ ଇନ୍‌ସପେକ୍‌ଟର ହୋଇ ଆସୁଥିଲେ, ସେମାନଙ୍କର ପରୀକ୍ଷା ପ୍ରଣାଳୀ ବଡ଼ କୌତୁକପ୍ରଦ ଏବଂ ଅଭୁତ । ଜଣେ ସାହେବ ଇତିହାସ ପରୀକ୍ଷା କଲାବେଳେ ଛାତ୍ରମାନଙ୍କୁ ପଚାରିଲେ–‘‘ତେରପୃଷ୍ଠାର ଦଶଧାଡ଼ିରେ କଅଣ ଲେଖାଅଛି, କହିଯାଅ-।’’ ତହିଁ ପରେ ଆଉ ଜଣେ ସାହେବ ଆସି ପଚାରିଲେ–‘‘ଇତିହାସର ଏଗାର ପୃଷ୍ଠାରେ ଲେଖାଅଛି–ସେ ମଲା, କିଏ ମଲା–କୁହ ।’’ ଆଉ ଜଣେ ସାହେବ ପଚାରିଥିଲେ–‘‘ମୀନ୍‌ ମାନେ କଅଣ ?’’ ପିଲାଏ ସାହେବଙ୍କ କଥା କିଛି ବୁଝି ନ ପାରି ପଣ୍ଡିତଙ୍କ ମୁହଁଙ୍କୁ ଅନାଇ ରହିଲେ । ପଣ୍ଡିତେ ସେମାନଙ୍କୁ କହିଲେ–ସାହେବ ପଚାରୁଛନ୍ତି–‘‘ମୀନ ମାନେ କଅଣ ?’’ ତହୁଁ ଗୋଟିଏ ପିଲା କହିଲା–ମାଛ । ଆଉ ସାହେବଙ୍କର ଆନନ୍ଦ ଦେଖେ କିଏ ! ସେ ସନ୍ତୁଷ୍ଟ ହୋଇ ପିଲାଟି ପାଇଁ ମାସିକ ପାଞ୍ଚଟଙ୍କା ବୃତ୍ତିର ବ୍ୟବସ୍ଥା କରିଗଲେ ଏବଂ ପଣ୍ଡିତଙ୍କ ପ୍ରଶଂସାରେ ଦର୍ଶକାଭିପ୍ରାୟ ପୁସ୍ତକର ୨।୩ ପୃଷ୍ଠା ପୂର୍ଣ୍ଣ କରିଦେଲେ । ପିଲାଟିକୁ ବୃତ୍ତି ପାଇବାର ଦେଖି ସ୍ଥାନୀୟ ଲୋକଙ୍କର ସ୍କୁଲଶିକ୍ଷା ପ୍ରତି ଲୋଭ ଜାତ ହେଲା । ତହିଁ ପୂର୍ବରୁ ସ୍କୁଲଶିକ୍ଷାକୁ ସେମାନେ ଅତ୍ୟନ୍ତ ଘୃଣା କରୁଥିଲେ । ଭଦ୍ରଖର ଶିକ୍ଷିତମାତ୍ରେ ପଣ୍ଡିତଙ୍କଠାରେ ଋଣୀ । ସେ ଉନ୍ନତିର ପ୍ରଥମ ପାଉଛ ନିର୍ମାଣ କରି ଯାଇଅଛନ୍ତି । ଭଦ୍ରଖର ବର୍ତ୍ତମାନ ଶିକ୍ଷୋନ୍ନତି ସେହି ପାଉଛ ଉପରେ ପ୍ରତିଷ୍ଠିତ ଏବଂ ପ୍ରସାରିତ । ଛାତ୍ରମାନଙ୍କର ନୈତିକ ଉନ୍ନତି ପ୍ରତି ପଣ୍ଡିତ ମହାଶୟ ଶତଚକ୍ଷୁ ଥିଲେ ।

 

ରାଧାନାଥଙ୍କର ପରୀକ୍ଷା କୌଶଳ ଅତି ଉଚ୍ଚଧରଣର । ସେ ପ୍ରଶ୍ନ ପଚାରି ଉତ୍ତରଟି ଏପରି କୌଶଳରେ କହିଦିଅନ୍ତି ଯେ, ଛାତ୍ର ତାହା ନିଜେ କହିଲାପରି ମଣି ଆତ୍ମଗୌରବ ଅନୁଭବ କରେ । ପରୀକ୍ଷା ଦ୍ୱାରା ସେ ଛାତ୍ରର ସାଧାରଣ ଜ୍ଞାନର ସାର ବାଛି ନିଅନ୍ତି । ସାହିତ୍ୟ, ମାନସାଙ୍କ ଏବଂ ଓଡ଼ିଶା ଭୂଗୋଳ ଏହି ତିନୋଟି ସେ ବିଶେଷ ଭାବରେ ପରୀକ୍ଷା କରନ୍ତି । ପିଲାଙ୍କର ସ୍ଥାନୀୟ ଭୌଗୋଳିକ ଜ୍ଞାନ ଅଛି କି ନାହିଁ, ତାହାହିଁ ସେ ଦେଖନ୍ତି । ସେ ଯେଉଁ ବିଷୟର ଅଭାବ ଦେଖନ୍ତି, ତାହା ସେ ନିଜେ ପୂରଣ କରନ୍ତି । ରାଧାନାଥବାବୁ ‘‘ଭଦ୍ରଖଭୂଗୋଳ’’ ଲେଖି ବାଗୁରାଇ ସ୍କୁଲକୁ ଦେଇଥିଲେ । ଅନ୍ୟ ସମଶ୍ରେଣୀୟ ସ୍କୁଲର ଶିକ୍ଷକମାନେ ତାହା ଉତାରିନେଇ ପିଲାମାନଙ୍କୁ ପଢ଼ାଉଥିଲେ । କବିତାବଳୀର ‘‘ଜୀବନଚିନ୍ତା’’ ବଡ଼ ଭାବକଠିନ କବିତା, ତାକୁ ପଢ଼ାଇବା ଶିକ୍ଷକମାନଙ୍କ ପକ୍ଷରେ କଠିନ ହେଉଥିବାର ଜାଣି ସେ ଉକ୍ତ କବିତାର ପ୍ରତ୍ୟେକ ଶ୍ଳୋକର ବାକ୍ୟାନ୍ୱୟ, ଅର୍ଥ ଏବଂ ଭାବାର୍ଥ ପ୍ରଭୃତି ଲେଖି ପ୍ରତ୍ୟେକ ସ୍କୁଲକୁ ଦେଇଥିଲେ । ସ୍ଥୂଳତଃ ସେ ପରିଦର୍ଶକ ଏବଂ ଶିକ୍ଷକ ଉଭୟ ଥିଲେ ।

 

ତେତେବେଳେ ଦୁଇଜଣ ମାତ୍ର ଶିକ୍ଷକଦ୍ୱାରା ଭର୍ଣ୍ଣାକ୍ୟୁଲାର ସ୍କୁଲ ପରିଚାଳିତ ହେଉଥିଲା-। ହେଡ଼ପଣ୍ଡିତଙ୍କ ତଳେ ଜଣେ ଅବଧାନ ଥିଲେ । ସେ ଜାତିରେ କରଣ, କିନ୍ତୁ ଦକ୍ଷିଣୀ ମାଟିବଂଶ ଓଝାଙ୍କ ବଡ଼ଚାଟ । ପଣ୍ଡିତ ମହାଶୟ ତାଙ୍କ ସହକାରୀଙ୍କ ଗୁଣକୀର୍ତ୍ତି ଅନେକ ବର୍ଣ୍ଣନା କରନ୍ତି । ଥରେ ଜଣେ ସାହେବ ପରିଦର୍ଶକ ଆସି ପିଲାମାନଙ୍କୁ ଅଙ୍କ କଷିବାକୁ ଦେଲେ । ଅଙ୍କ କଷାରେ କାହାରି କାହାରି ଟିକିଏ ବିଳମ୍ୱ ହେବାର ଦେଖି ଅବଧାନେ କହିଲେ–‘‘ଗେବଳା (ଗେହିପଶଳାର ଅପଭ୍ରଂଶ) ଗୁଡ଼ାକ, କଣ କରୁଛ ବେ ? ତାକୁ ତ ହରିଦବ–ଆକୁତ ମାଗିଦେବ, ଆଉ କରୁଛ କଅଣ-? ଗୋଇଠାଏ ଲେଖେଁ ଚଢ଼ାଇ ଦେବି ଯେ ଢୋଲ ପରି ଗଡ଼ିଯିବ ।’’ ଦୁର୍ଭାଷାରେ ଗାଳିଦେବା, ନିର୍ଦ୍ଧୁମ ପ୍ରହାର କରିବା ସେକାଳର ଅବଧାନମାନଙ୍କର ଶିକ୍ଷାଦାନର ବିଶେଷତ୍ୱ ଥିଲା । ଅବଧାନେ ଛାତ୍ରମାନଙ୍କୁ ଏହିପରି ସାଧୁ ସମ୍ଭାଷଣ କରି ଭାବିଲେ–ସାହେବ ତାଙ୍କ ପ୍ରତି ଖୁବ୍‌ ଖୁସି ହୋଇଥିବେ, ହୁଏତ ଦରମା ବଢ଼ାଇ ଦେଇପାରନ୍ତି । ମାତ୍ର ଫଳରେ ବିପରୀତ ହେଲା । ମନୁଷ୍ୟର ଆଶା ତ ଅଳ୍ପ ପ୍ରତାରଣା ଜାଣେ ନାହିଁ, ପ୍ରତାରଣାରେ ସେ ମୃଗତୃଷ୍ଣାଠାରୁ ବଳେ । ସାହେବ ମୁହଁରେ କିଛି କହିଲେ ନାହିଁ, ମାତ୍ର ଅବଧାନଙ୍କର ଯୋଗ୍ୟତାର ପୁରସ୍କାର ସ୍ୱରୂପ ତାଙ୍କୁ ସେହିଦିନୁ କାର୍ଯ୍ୟରୁ ଅନ୍ତର କରି ଅନ୍ୟ ଲୋକ ନିଯୁକ୍ତ କରିବା ସକାଶ ମନ୍ତବ୍ୟ ପୁସ୍ତକରେ ଲେଖିଗଲେ । ଯେତେବେଳେ ଅବଧାନେ ଜାଣିପାରିଲେ ଯେ, ସାହେବ ତାଙ୍କର ମୁଣ୍ଡଟି ଚର୍ବଣ କରି ଯାଇଅଛନ୍ତି, ତେତେବେଳେ ଭାଳୁଣିର ସୀମା ରହିଲା ନାହିଁ, ସେ କାନ୍ଦି ଗଡ଼ି ଅସ୍ଥିର ହେଲେ । ଜଣେ ଲୋକର ଦାନା ଯିବାର ଦେଖି ପଣ୍ଡିତଙ୍କର ମଧ୍ୟ ଦୟା ହେଲା । ସେ ଉପରିସ୍ଥ କର୍ମଚାରୀଙ୍କୁ କୁହାବୋଲା କରି ଅବଧାନଙ୍କର ପୁଅକୁ ସେ କାର୍ଯ୍ୟରେ ରଖାଇଦେଲେ । ସେ ପ୍ରଥମତଃ ଦସ୍ତଖତ କଲାବେଳେ ‘‘କରୁଣା ସିଧୁଂ ମାହାତୀଂ’’ ବୋଲି ଲେଖିଲେ । ପଣ୍ଡିତେ ତାଙ୍କୁ ଶିଖାଇ ପଢ଼ାଇ ପଛକୁ ତିଆରି କରିନେଲେ । କରୁଣାସିନ୍ଧୁଙ୍କ ଯୋଗ୍ୟତାର ଅଧିକ ପରିଚୟ ଦେବା ଆବଶ୍ୟକ ନାହିଁ । ବିଶେଷତଃ ସ୍ଥାନ ମଧ୍ୟ ନାହିଁ । ମୋର ପଢ଼ିବା ସମୟରେ ତାଙ୍କର ପିତୃ ଆଧିପତ୍ୟ ଶେଷ ହୋଇ ତାଙ୍କରି ଆଧିପତ୍ୟ ଚଳୁଥାଏ । ସାହିତ୍ୟ ବ୍ୟାକରଣ ଛଡ଼ା ଆଉ ସବୁ ବିଷୟ ପଢ଼ା ସେ ନିଜେ ନେଲେ । ସେ ପୁସ୍ତକ ଧରନ୍ତି, ପିଲାମାନେ ଅଭ୍ୟାସ କରିଥିବା ପାଠ ଗଳଗଳ କହିଯାଆନ୍ତି । ନକହି ପାରିଲେ ଗୋରୁଗାଈ ପରି ପାଞ୍ଚଣ ଦେବତାର ପ୍ରସାଦ ଲାଭ କରନ୍ତି । ଅବଧାନେ ସ୍କୁଲରୁ ଫେରିଲା ବେଳେ ଖାଲି ହାତରେ କେବେ ଫେରନ୍ତି ନାହିଁ । ବୋଇତାଳୁ, ପୋଇଶାଗ, କଳମଶାଗ, ମାଛ, କରାଣ୍ଡି ଶୁଖୁଆ ପ୍ରଭୃତି କିଛି ହେଲେ ହାତରେ ଥାଏ-। ସେଗୁଡ଼ିକ ଗୁରୁଭକ୍ତିର ନିଦର୍ଶନରୂପେ ହେଉ, ବା ପାଞ୍ଚଣଭୀତିର ନିଦର୍ଶନ ରୂପେ ହେଉ, ଶିଷ୍ୟବର୍ଗ ତାଙ୍କୁ ଗୁରୁଦକ୍ଷିଣା ଦେଉଥିଲେ । ହେଡ଼୍‌ପଣ୍ଡିତ ମହାଶୟ ଏଡ଼େ ବଡ଼ ପଣ୍ଡିତ ହୋଇ କାଗଜ କଲମରେ ଲେଖିବାକୁ ବଡ଼ କୁଣ୍ଠିତ ହେଉଥିଲେ–ଏହା ତାଙ୍କର ଗୋଟାଏ ଦୁର୍ବଳତା । ସ୍କୁଲ ସିରସ୍ତାର ସମସ୍ତ ଲେଖାଲେଖି କାର୍ଯ୍ୟ କରୁଣାସିନ୍ଧୁଙ୍କ ଉପରେ ଥାଏ । ସେଥିର ଫଳ ଯାହା ହେବାର, ତାହା ମଧ୍ୟ ହେଉଥାଏ । ସର୍କାରୀ ଚିଠିପତ୍ର ଲେଖିବାବେଳେ ପଣ୍ଡିତ ମହାଶୟ ମୁହଁରେ ବତାନ୍ତି, କରୁଣି ଚିଠା କରିନେଇ ପରେ ସାଫି କରନ୍ତି । ଖଣ୍ଡିଏ ଚିଠିରେ ତାଙ୍କର ଦିନଟିଏ ଯାଏ । ସେ ଯେତେ ସାବଧାନ ହୋଇ ଲେଖିଲେ ବି ପଣ୍ଡିତଙ୍କ ମନକୁ ଆସେ ନାହିଁ । କାହିଁରେ ବନାନ ଭୁଲ ଥାଏ, କାହିଁରେ କରଣୀ ଅକ୍ଷର ଥାଏ, କେଉଁ ଖଣ୍ଡର ଧାଡ଼ି ବଙ୍କା ହୋଇଥାଏ–ଏହିପରି ଗୋଟାଏ କିଛି ନା କିଛି ଖୁଣ ବାହାରେ । ଲେଖାଟି ନିର୍ଦ୍ଦୋଷ ହେବାଯାଏଁ ଦିନେ ଦିନେ ୨୦।୨୫ ଖଣ୍ଡ କାଗଜ ନଷ୍ଟ କରିବାକୁ ହୁଏ । ପଣ୍ଡିତ ମହାଶୟ ଜଣେ ଅତିରିକ୍ତ ସାବଧାନୀ । ତାଙ୍କ ପୁଅ ବି ତାଙ୍କଠାରୁ ବଳନ୍ତି । ସେ ଗୋଟାଏ ଛୁଞ୍ଚିରେ ଏଗାରବର୍ଷ କାର୍ଯ୍ୟଚଳାଇ ପେନ୍‌ସନ୍‌ ନେଇ ଆସିବାବେଳେ ସେହି ଛୁଞ୍ଚିଟିକୁ ଚାର୍ଯରେ ଦେଇ ଆସିଥିଲେ । ଯଥାସ୍ଥାନରେ ତାଙ୍କ ବିଷୟ କଥିତ ହେବ । ସେ ପିତାପୁତ୍ର ଉଭୟେ ମୋର ଗୁରୁ । ଦୁଃଖର ବିଷୟ, ଦୁହେଁ ଯାକ ଏବେ ସ୍ୱର୍ଗରେ ।

 

ପଣ୍ଡିତ ଗଣେଶ୍ୱର ବାଚସ୍ପତିଙ୍କର ଗାର୍ହସ୍ଥ୍ୟ ଉପଦେଶଗୁଡ଼ିକ ଅତି ଅମୂଲ୍ୟ । ପ୍ରତି ଉପଦେଶରେ ଧର୍ମଭାବ ପୂରି ରହିଥାଏ । ବାସ୍ତବରେ ସେ ସମୟରେ ପ୍ରତି ଗ୍ରାମରେ ଏବଂ ପ୍ରତି ପ୍ରାଣରେ ଗୋଟାଏ ଜୀବନ୍ତ ଧର୍ମଭାବ ଖେଳି ବୁଲୁଥିଲା । ସେହି ଅତୀତଚିତ୍ରକୁ ଏକାଳରେ ଚାହିଁଲେ ସହସା ସ୍ୱପ୍ନରାଜ୍ୟ ଆସି ସମ୍ମୁଖରେ ବିସ୍ତୃତ ହୋଇଗଲା ପରି ବୋଧହୁଏ । ଆମଗାଁରେ ଗୋଟିଏ ମଠ ଅଛି । ତାହା ‘‘କ୍ଷେମ ସାଗର ମଠ’’ ନାମରେ ଅଭିହିତ, ମାତ୍ର ଡାକ ନାମ ଅସ୍ତଳମଠ । ମଠର ପୂର୍ବ ବିଭୂତି ନାହିଁ, କର୍ପୂର ଉଡ଼ିଯାଇ କନାଖଣ୍ଡକ ଏବେ ମଠର ଅସ୍ତିତ୍ୱ ଚିହ୍ନାଉଅଛି । ମଠଟି ସାଳନ୍ଦୀ କୂଳରେ ଅବସ୍ଥିତ, ସେଠାରେ ସାଳନ୍ଦୀ ଉତ୍ତରବାହିନୀ । କଥିତ ହୁଏ–‘‘କ୍ଷେମଜି’’ ନାମରେ ଜଣେ ପଶ୍ଚିମା ଯୋଗୀପୁରୁଷ ଏହି ମଠ ସ୍ଥାପନ କରିଥିଲେ । ତାଙ୍କ ସମ୍ୱନ୍ଧରେ ଯେଉଁ ଅସାଧାରଣ କିମ୍ୱଦନ୍ତୀ ଅଛି, ତାହା ଶୁଣିଲେ ମନେହୁଏ–ମନୁଷ୍ୟ ନିଜକୁ ଯେଡ଼େ ଦୁର୍ବଳ ମଣୁ ପଛେ, ମାତ୍ର ତାହା ଦେହରେ ବିରାଟ ଶକ୍ତି ବିଦ୍ୟମାନ । ମନୁଷ୍ୟ ପଞ୍ଚମହାଶକ୍ତିର ସନ୍ତାନ, ସେ କି କେବେ ଦୁର୍ବଳ ହୋଇପାରେ ? ମହାଶକ୍ତି ମଧ୍ୟରେ ସେ ପୋତି ହୋଇ ରହିଥିବାରୁ ନିଜର ଶକ୍ତି ପାଶୋରି ଅଛି । ତାହା ମୁଣ୍ଡ ଉପରେ ଅନନ୍ତ ଶକ୍ତିଧର ମହାକାଶ, ଗୋଡ଼ତଳେ ବିପୁଳ ଶକ୍ତିଶାଳିନୀ ଧରଣୀ ଏବଂ ଚାରିପାଖରେ ଅତୁଳଶକ୍ତିମାନ ବାୟୁଚକ୍ର ତାକୁ ସ୍ପର୍ଶ କରି ରହିଅଛି। ମହାଶକ୍ତିନିଚୟ ଯାହାର ହାତ ପାଖରେ ଅଛି, ସେ ଶକ୍ତିହୀନ ହେବ କାହିଁକି ? ସୁତରାଂ ମନୁଷ୍ୟର ଶକ୍ତି କ୍ଷୁଦ୍ର ନୁହେଁ–ତାହାର ଧୈର୍ଯ୍ୟ କ୍ଷୁଦ୍ର, ସାହସ କ୍ଷୁଦ୍ର । ଧୈର୍ଯ୍ୟ ସହିତ ଲାଗିଲେ ମନୁଷ୍ୟ ବି ମହାକାର୍ଯ୍ୟ ସାଧନ କରିପାରେ-। ସାହସ ଅଭାବରେ ଶକ୍ତି କ୍ଳୀବ ହୋଇଯାଏ । ସାହସ ଯେ ଶକ୍ତିର ଶକ୍ତି-ଶକ୍ତିର ଜୀବନ, ଏହା ବୋଲିବା ବାହୁଲ୍ୟମାତ୍ର ।

 

ମହନ୍ତ କ୍ଷେମଜି ଜଣେ ଯୋଗସିଦ୍ଧ ପୁରୁଷ । ସେ ଭୂମି ଛାଡ଼ି ଶୂନ୍ୟରେ ବସି ଯୋଗସାଧନ କରୁଥିଲେ । ସେ ଅସ୍ତଳମଠ ସ୍ଥାପନ କରି ଅଧିଷ୍ଠିତ ଦେବତା ଜଗନ୍ନାଥଙ୍କ ନାମରେ ଯଥେଷ୍ଟ ଭୂସମ୍ପତ୍ତି ଖଞ୍ଜି ଦେଇଥିଲେ । ସେଥିରେ ବାର ପୁନେଇ ତେର ଯାତ୍ରା ଚଳୁଥିଲା । ଦେବସେବା, ଅତିଥି ନାରାୟଣ-ସେବା ଏବଂ ଦରିଦ୍ର ନାରାୟଣ ସେବା ସୁଚାରୁରୂପେ ନିର୍ବାହିତ ହେଉଥିଲା । ଅନେକ ଧନୀ ଜମିଦାର ମହନ୍ତ ବାବାଜିଙ୍କର ଶିଷ୍ୟ ଥିଲେ । ସେମାନଙ୍କ ପ୍ରଦତ୍ତ ବାର୍ଷିକ ଯାହା ଆଦାୟ ହୁଏ, ତାହା ସବୁ ମଠର ସମ୍ପତ୍ତି ମଧ୍ୟରେ ପରିଗଣିତ ହେଉଥିଲା । ସେ ସମୟରେ ଅନେକ ଜମାଓତ୍‌ ବାବାଜି ଆସୁଥିଲେ । ଗୋଟାଏ ଗୋଟାଏ ଦଳରେ ଶତାଧିକ ବାବାଜି ଥାଆନ୍ତି । ସଙ୍ଗରେ ହାତୀ, ଘୋଡ଼ା, ଓଟ, ଗଧ, ଗୋରୁ, ଛତା, ତରାସ, ଆଢ଼େଣୀ, ଆଲଟ ପ୍ରଭୃତି ରାଜଉପଚାରର ଅଭାବ ଥାଏ ନାହିଁ । ସେମାନେ ମଠମାନଙ୍କରେ ଭାରି ଜୁଲମ୍‌ କରନ୍ତି । ଉପଯୁକ୍ତ ସତ୍କାର ଏବଂ ଦକ୍ଷିଣା ନ ପାଇଲେ ମଠର ମହନ୍ତକୁ ବାନ୍ଧି ଖରାରେ ଗଡ଼ାଇଦେଇ ଯାଆନ୍ତି-। ମହାପୁରୁଷ କ୍ଷେମଜି (ଡାକ ନାମ କ୍ଷମାସାଗର ଗୋସାଇଁ) ଅତି ବୃଦ୍ଧାବସ୍ଥାରେ ତାଙ୍କର ଚେଲା ପ୍ରେମଜିଙ୍କୁ ଗାଦିରେ ବସାଇ ଜୀବନ୍ତ ସମାଧି ଗ୍ରହଣ କରିଥିଲେ । ସେ ଯେଉଁ ଦିନ ସମାଧି ଗ୍ରହଣ କଲେ, ତହିଁ ଆରଦିନ ତାଙ୍କୁ ଲୋକେ ଜଗନ୍ନାଥ ସଡ଼କରେ ଯାଉଥିବାର ଦେଖିଲେ । ତାଙ୍କର ଅନେକ ପ୍ରଜା ବଳଦରେ ଧାନ ଚାଉଳ ନେଇ ବାଲେଶ୍ୱର ଯାଇଥିଲେ । ବିକ୍ରୟ ଶେଷରେ ସେମାନେ ଫେରି ଆସିବାବେଳେ ବାବାଜିଙ୍କୁ ବାଟରେ ଦେଖି ଏକାକୀ ଗମନର କାରଣ ପଚାରନ୍ତେ, ସେ କହିଲେ–‘‘ମୁଁ ବୃନ୍ଦାବନ ଯାଉଅଛି ।’’ ବାବାଜି ହାତରେ ଗୋଟିଏ ପାକଲା ଆମ୍ୱ ଧରିଥିଲେ । ବଳଦିଆମାନଙ୍କୁ ସେ ଆମ୍ୱଟି ଦେଇ କହିଲେ–‘‘ଏ ଆମ୍ୱଟି ମଠରେ ଦେଇ କହିବ–ଏହାକୁ ଜଗନ୍ନାଥଙ୍କ ନିକଟରେ ଭୋଗ ଲଗାଇ ଟାକୁଆଟି ମନ୍ଦିର ପଛରେ ପୋତିଦେବେ ।’’ ବଳଦିଆମାନେ ଆସି ଏକଥା ମଠରେ କହିବାରୁ ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହେଲେ ଏବଂ ତାଙ୍କର ଭକ୍ତ-ଶିଷ୍ୟମାନେ ବୃନ୍ଦାବନ ପର୍ଯ୍ୟନ୍ତ ଧାଇଁଲେ, ମାତ୍ର ମହାପୁରୁଷଙ୍କର ସାକ୍ଷାତ ନ ପାଇ ବହୁ ଅନୁସନ୍ଧାନ ପରେ ନିରାଶମନରେ ଫେରି ଆସିଲେ । ସେହି ଆମ୍ୱ ଟାକୁଆରୁ ମନ୍ଦିର ପଛରେ ଗୋଟାଏ ବୃହତ୍‌ ଆମ୍ୱଗଛ ହୋଇଥିଲା । ତାହାର ଦୀର୍ଘ ଶାଖା କେତୋଟି ଦେଉଳ ଉପରେ ଲଦି ପଡ଼ିଥିଲା । ଆଉ କେତେ ଡାଳ ମନ୍ଦିରର ଚୂଡ଼ାକୁ ଚୁମ୍ୱନ କରୁଥିଲା । ସେ ଗଛରେ ପ୍ରତିବର୍ଷ ପ୍ରଚୁର ଆମ୍ୱ ଫଳେ । ସେ ଗଛକୁ ମୁଁ ଦେଖିଅଛି, ଗଛର ଆମ୍ୱ ମଧ୍ୟ ଖାଇଅଛି । ମଠର ଅଧୋଗତି ସଙ୍ଗେ ସଙ୍ଗେ ଗଛଟି ଶୁଖି ମରିଗଲା । ଗଛଟି ମରିଯିବାର ପ୍ରାୟ ତିରିଷ ବର୍ଷ ହେବ । ମଠ ପ୍ରତି ଲୋକଙ୍କର ପ୍ରଗାଢ଼ ଭକ୍ତି ଥିଲା । କାହାରି ବାଡ଼ିରେ ଶାଗ କେରାଏ ହେଲେ ସେ ତାହା ନେଇ ମଠରେ ଦେଉଥିଲା । ବୋଇତାଳୁ କଖାରୁ ଗଛର ପ୍ରଥମ ଫଳ କ୍ଷମାସାଗରଙ୍କ ନାମରେ ଲୋକେ ପାଣି ଛଡ଼ାଇ କୁଟା ବାନ୍ଧି ଚିହ୍ନିତ କରି ରଖୁଥିଲେ । ପାକଳ ହେଲେ ତାହା ମଠରେ ଦେଇ ଆସୁଥିଲେ । ଲୋକେ ବିପଦ ଏବଂ ପୀଡ଼ାରୁ ମୁକ୍ତ ହେବା ପାଇଁ କ୍ଷମାସାଗରଙ୍କୁ ଦୋଳ, ମୁକୁଟ ଏବଂ କଠାଉ ମାନସିକ କରୁଥିଲେ । ଲୋକଙ୍କର ଧର୍ମଭାବ ଏବଂ ବିଶ୍ୱାସ ଅତି ପ୍ରବଳ ଥିଲା । ପ୍ରତି ଗ୍ରାମର ଗଗନ-ପବନରେ ଧର୍ମଭାବ ଖେଳି ବୁଲୁଥିଲା । ବିଶ୍ୱାସ ଅନୁସାରେ ଲୋକେ ଫଳ ମଧ୍ୟ ପାଉଥିଲେ । ସେ ସମୟରେ ଯେଉଁ ଗୋରା-ବିଲାତୀ ହାକିମମାନେ ଆସୁଥିଲେ ସେମାନେ ଧର୍ମଭୀରୁ, ମହାଶୟ ଏବଂ ନିରପେକ୍ଷ ବିଚାରକ ଥିଲେ । ଗୋଟିଏ ଘଟଣାରୁ ସେମାନଙ୍କ ନିରପେକ୍ଷତା ଏବଂ ସୁବିଚାରର ପରିଚୟ ଯଥେଷ୍ଟ ମିଳିବ । ସବ୍‌ଡ଼ିଭିଜନ ଅଫିସରଙ୍କ କୋଠି ହତା ମଧ୍ୟରେ ଗୋଟିଏ ଆମ୍ୱ ବଗିଚା ଥିଲା । ବଗିଚାଟି ଆମଗାଁ ପୂଝାରୀ-ସାହିଆଙ୍କର । ଆମ୍ୱ ହେଲେ ସେମାନେ ଜଗାରଖା କରି ଆଣନ୍ତି । ଦିନେ ରାତିରେ ସବ୍‌ଡ଼ିଭିଜନ ଅଫିସରଙ୍କ ମାଳୀ ଏବଂ ଘୋଡ଼ା-ସଇସ ଦୁହେଁ ଗଛରେ ଚଢ଼ି ଆମ୍ୱ ତୋଳୁଥିବା ସମୟରେ ପୂଝାରୀମାନେ ତାଙ୍କୁ ଧରି ସାହେବଙ୍କ ପାଖକୁ ନେଇଗଲେ । ତେତେବେଳେ ଜଣେ ଜଏଣ୍ଟ ମାଜିଷ୍ଟ୍ରେଟ ଭଦ୍ରଖରେ ଥିଲେ । ଚୋର ଦୁହିଙ୍କୁ ପୋଲିସରେ ସେ ଦେବାପାଇଁ ଆଦେଶ ଦେଲେ । ଯଥାରୀତି ମୋକଦ୍ଦମା ବିଚାର ହେଲା । ନିଜର ଚାକର ବୋଲି ସାହେବ ଟିକିଏ ହେଲେ ଦୟା କଲେ ନାହିଁ । ଅଧିକନ୍ତୁ ପ୍ରତ୍ୟେକକୁ ୨୫ ବେତ ଲେଖାଏଁ ଦଣ୍ଡ ଦେଲେ ଏବଂ ଚାକିରୀରୁ ବରଖାସ୍ତ କରି ଦେଲେ । ସେ କାଳର ସାହେବମାନଙ୍କର ବଡ଼ ବଡ଼ ଘୋଡ଼ା ଏବଂ କୁକୁର ପ୍ରଧାନ ସମ୍ୱଳ ଥିଲା । ସେମାନେ ଖୁବ୍‌ କମ୍‌ ଗସ୍ତ କରୁଥିଲେ । ଶୀତକାଳ ଛଡ଼ା ଅନ୍ୟ ସମୟରେ ଗସ୍ତ ହୁଏ ନାହିଁ । ସେମାନେ ମାଳୀ ରଖି ବଗିଚାରେ ବିଲାତୀ ଶାକସବଜିର ଫସଲ କରୁଥିଲେ । ତାହା ସବୁ ଅମଲାମାନଙ୍କ ମଧ୍ୟରେ ବଣ୍ଟିତ ହେଉଥିଲା । ସେ କାଳରେ ବିଲାତୀ ବାଇଗଣ ଏ ଦେଶରେ କେହି ଖାଉ ନ ଥିଲେ–ତାକୁ ଅପବିତ୍ର ବୋଲି ଘୃଣା କରୁଥିଲେ ।

 

ସେ କାଳରେ ଲୋକେ କଷ୍ଟ-ସହିଷ୍ଣୁ ଥିଲେ । ଆଜି କାଲି ପରି ସାମାନ୍ୟ ଦୁଃଖରେ ଅଧୀର ହୋଇ ପଡ଼ୁ ନ ଥିଲେ । ସେମାନେ ଦୁଃଖକୁ ଐଶ୍ୱର୍ଯ୍ୟ ରୂପେ ପ୍ରାଣ ମଧ୍ୟରେ ବରଣ କରି ନେଇ ଭୋଗ କରୁଥିଲେ । ସେହି ଦୁଃଖ ମଧ୍ୟରେ ସେମାନେ ସୁଖର ଆସ୍ୱାଦନ ପାଉଥିଲେ । ବାସ୍ତବରେ ଦୁଃଖ ହେୟ ନୁହେଁ । ଦୁଃଖ ହିଁ ମନୁଷ୍ୟର ଚରିତ୍ର ଗଠନ କରେ ଏବଂ ସେହି ଚରିତ୍ରକୁ ନିର୍ମଳ ରଖେ । ସେ କାଳର ଲୋକେ ସ୍ୱାବଲମ୍ୱୀ ଏବଂ ଅଧ୍ୟବସାୟ ଶୀଳ ଥିଲେ । ଦୁର୍ବଳଚିତ୍ତ ପରି କଥା କଥାକେ ଆଶାକୁ ଜୀବନ୍ତ ସମାଧି ଦେଇ ବସୁ ନ ଥିଲେ । ଧୈର୍ଯ୍ୟ, ସାହସ ସେମାନଙ୍କର ପ୍ରଧାନ ସମ୍ୱଳ ଥିଲା । ତେତେବେଳେ ଦେଶରେ ଗୁଣୀଜନର ଅଭାବ ନ ଥିଲା । କଳାବିଦ୍ୟାର ଯଥେଷ୍ଟ ଆଦର ଥିଲା । ବଢ଼େଇମାନେ କାଠରେ ସୂକ୍ଷ୍ମ କାରୁକାର୍ଯ୍ୟ ସୁନ୍ଦରରୂପେ ଫୁଟାଇ ପାରୁଥିଲେ । ତତ୍‌ପୂର୍ବରୁ ଭଦ୍ରଖରେ ଶିଳା-ଶିଳ୍ପୀ ମଧ୍ୟ ଥିବାର ପ୍ରମାଣ ମିଳେ । ପାଳିଆ ଗ୍ରାମସ୍ଥ ବିରଞ୍ଚିନାରାୟଣଙ୍କର ମନ୍ଦିର ଦ୍ୱାରରେ ଯେଉଁ ଅତି ସୂକ୍ଷ୍ମ ଶିଳ୍ପ-ଚାତୁରୀପୂର୍ଣ୍ଣ ପ୍ରସ୍ତର-ଦ୍ୱାରବନ୍ଧ ଅଛି, ସେଥିର ସୂଚୀସୂକ୍ଷ୍ମ କାରିଗରୀ ଦେଖିଲେ କି ଗୋଟାଏ ଚଞ୍ଚଳ ପୁଲକରେ ହୃଦୟ ନାଚି ଉଠେ । ମୋର ପିଲା କାଳରେ ଭଦ୍ରଖରେ ସାହିତ୍ୟ, ସଙ୍ଗୀତର ଆଦର ଖୁବ୍‌ ଅଧିକ ଥିଲା । ସାହିତ୍ୟଦର୍ପଣରେ ଜାତିର ପ୍ରାଣ ଏବଂ ଆତ୍ମା ପ୍ରତିଫଳିତ ହୁଏ । ସେ କାଳର ସାହିତ୍ୟ ସଙ୍ଗୀତ ଆଲୋଚନା କଲେ ସେ କାଳରେ ଭଦ୍ରଖ କିପରି ଥିଲା ତାହା ସହଜରେ ଜାଣି ହେବ । ଭଞ୍ଜ, କବିସୂର୍ଯ୍ୟ, ଦୀନକୃଷ୍ଣ ଓ ସାମନ୍ତ ସିଂହାରଙ୍କ କାବ୍ୟମାନ ଘରେ ଘରେ ପଠିତ ହେଉଥିଲା । ଅନେକ ସଙ୍ଗୀତଜ୍ଞ ବ୍ୟକ୍ତି ଭଦ୍ରଖରେ ଥିଲେ । ବଡ଼ଲୋକମାନେ ‘‘ଓସ୍ତାତ୍‌’’ ରଖି ବାଦ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ମୋଗଲ ରାଜତ୍ୱ ସମୟରେ ଭଦ୍ରଖରେ ବଂଶୀବଲ୍ଲଭ ନାମରେ ଜଣେ କବି ପ୍ରଭାବ ବିସ୍ତାର କରିଥିଲେ । ସେ ହିନ୍ଦି ଓ ପାରସୀ ଭାଷାରେ ଯୋଗୀ ତାମସା, ଫକୀର ତାମସା, ମୋଗଲ ତାମସା ପ୍ରଭୃତି କେତେକ ତାମସା ଏବଂ ଅନେକ ଦୁହା ରଚନା କରି ଯାଇଅଛନ୍ତି । ଚୈତ୍ର ମାସ ଶେଷରେ ଉକ୍ତ ତାମସାମାନ ଭଦ୍ରଖର ଅନେକ ସ୍ଥାନରେ ଅଭିନୀତ ହୁଏ । ସାଧାରଣରେ ତାହା ଚୈତ୍ର ତାମସା ନାମରେ ଅଭିହିତ । ଚୈତ୍ର ସଙ୍ଗୀତର ତାଳ, ମାନ, ରାଗ, ରାଗିଣୀ, ବାଦ୍ୟ, ସ୍ୱର ସବୁ ସ୍ୱତନ୍ତ୍ର ଧରଣର । ନୂତନତ୍ୱ ତାହାର ପ୍ରାଣ ଏବଂ ମାଧୁର୍ଯ୍ୟ ତାହାର ଆତ୍ମା । ଆଜିପର୍ଯ୍ୟନ୍ତ ଭଦ୍ରଖରେ ସେହି ସଙ୍ଗୀତ ଚର୍ଚ୍ଚା ଜୀବିତ ରହିଅଛି । କିନ୍ତୁ ପୂର୍ବପରି ସଙ୍ଗୀତଚର୍ଚ୍ଚା ଏବେ ଦେଖା ଯାଉନାହିଁ । ବର୍ତ୍ତମାନ ଯାହା ଅଛି, ତାହା ଦିବସର ବିଦ୍ୟୁରେଖା ପରି କ୍ଷୀଣପ୍ରଭ । ତଥାପି ଅଛି, ଏତିକି ମାତ୍ର ଭରସା । ନାହିଁ ମାମୁ ଠାରୁ କଣା ମାମୁ ଭଲ ।

 

ମୋର ପିଲାକାଳର କଥା ମୁଁ ଲେଖୁଅଛି । ସେ ସମୟରେ ଯେ, ସବୁ ଭଲଥିଲା–ମନ୍ଦ ଆଦୌ ନ ଥିଲା, ଏପରି ନୁହେଁ । ଜାଲ୍‌ ଜୁଆଚୋରି ପ୍ରଚୁର ହେଉଥିଲା । ଦୁଷ୍ଟ ପରସ୍ୱାପହାରିମାନେ କାଗଜ ଏବଂ ତାଳ ପତ୍ରକୁ ଧାନ କଇଡ଼ିରେ କିଛିଦିନ ପୋତିରଖି ସେଥିରେ ଜାଲ୍‌ ଦଲିଲ ଲେଖୁଥିଲେ । କେହି କେହି କାଗଜ ବା ତାଳପତ୍ରକୁ ପଲମରେ ଅଳ୍ପ ଭାଜି ନେଇ ବ୍ୟବହାର କରୁଥିଲେ । ସେପରି କଲେ ଦଲିଲ ଦସ୍ତାବିଜ ଅତି ପୁରୁଣାପରି ଜଣାଯାଏ । ଯେ ଯେତେ ଭଙ୍ଗୀରେ–ଯେତେ ପ୍ରକାରରେ ଅକ୍ଷରଲେଖି ପାରୁଥିଲା, ସେ ନିଜକୁ ତେତେ ବାହାଦୂର ମନେ କରୁଥିଲା । ଶିବ ମିସ୍ତ୍ରୀ ନାମରେ ଜଣେ ଲୋକ କୌଣସି ଆର୍ଟସ୍କୁଲ ବା ଚିତ୍ରଶାଳା ନ ମାଡ଼ି ଲୋକଙ୍କର ଅବିକଳ ରୂପ ଗଢ଼ି ଏବଂ ଆଙ୍କି ପାରୁଥିଲେ । ସେପରି ଅଦ୍ଭୁତ ଶିକ୍ଷାହୀନ ପଟୁତା ଏବେ ଦେଖାଯାଏ ନାହିଁ । ଥରେ ସେ ଜାଲ୍‌ ଦସ୍ତଖତ କରି ଧରା ପଡ଼ିଲେ । ତେତେବେଳେ ଜଏଣ୍ଟମାଜିଷ୍ଟ୍ରେଟ ପଦଧାରୀ ଜଣେ ଗୋରା ସବ୍‌ଡ଼ିଭିଜନ ଅଫିସର ଥିଲେ । ଶିବଙ୍କୁ ସେ ଜାଲ୍‌ କରିବା କଥା ପଚାରିବାରୁ ଶିବ ଆନନ୍ଦରେ ଛାତିଫୁଲାଇ ‘‘ହଁ–ମୁଁ କରିଛି’’ ବୋଲି ଉତ୍ତର ଦେଲେ । ତହୁଁ ସାହେବ ପଚାରିଲେ–‘‘ତୁ କାହିଁକି କଲୁ ?’’ ମିସ୍ତ୍ରୀ–କହିଲେ–‘‘ମୋର ବ୍ୟବସାୟ, ମୁଁ ଏହିପରି କରେଁ ।’’ ସାହେବ କହିଲେ–‘‘ମୋର ଦସ୍ତଖତ ଜାଲ୍‌ କରି ପାରିବୁ ?’’ ମିସ୍ତ୍ରୀ ପୂର୍ବ ପରି ସଦର୍ପରେ ‘‘ହଁ–କରିଦେବି’’ ବୋଲି କହିଲେ । ସାହେବ କାଗଜ ପେନ୍‌ସିଲ ଦେଇ ନିଜର ଦସ୍ତଖତ ଦେଖାଇ ଦେଲେ । ମିସ୍ତ୍ରୀ ହସି ହସି ସାହେବଙ୍କୁ ପଚାରିଲେ–‘‘କିମିତି ଲେଖିବି ହଜୁର ? ଆଙ୍ଗୁଳି ସନ୍ଧିରେ କଲମ ଧରି ଲେଖିବି କି ବାହୁ ସନ୍ଧିରେ ଧରି ଲେଖିବି କିମ୍ୱା ଦାନ୍ତରେ କାମୁଡ଼ି ଲେଖିବି, ଅଥବା ଗୋଡ଼ରେ ଲେଖିବି, ଯେପରି ହୁକୁମ-ହେବ ଏ ବନ୍ଦୀ ସେହିପରି କରିବ ।’’ ସାହେବ ଟିକିଏ ହସି ଦେଇ ହାତର କହୁଣି ସନ୍ଧି ଦେଖାଇ ଦେଲେ । ଶିବ ମିସ୍ତ୍ରୀ କଲମକୁ କହୁଣି ସନ୍ଧିରେ ଯାକି ଦେଇ ଅବିକଳ ସାହେବଙ୍କର ଦସ୍ତଖତ କରିଦେଲେ । ସାହେବ ଦେଖି ଆଶ୍ଚର୍ଯ୍ୟ ହେଲେ, ତାଙ୍କର ଭାଷା ମୂକ ହୋଇଗଲା । ମିସ୍ତ୍ରୀ ମନେ ମନେ ଭାବିଲେ–ସାହେବ ଖୁସି ହୋଇ କିଛି ଗୋଟାଏ ଉଚ୍ଚ ପୁରସ୍କାର ଦେବେ । ଆଶା ଆସି ତାଙ୍କ କାନରେ କେତେ କଥା କହିଥିବ–କେତେ ପ୍ରଲୋଭନ ଦେଖାଇଥିବ, ମାତ୍ର ସାହେବ କଲେ କଅଣ ? ଆଶାୟୀର ଆଗରେ ଗୋଟାଏ ପ୍ରକାଣ୍ଡ ପଥର ପାଚେରୀ ତୋଳି ଦେଲେ । ସେହି ଦିନଠାରୁ ଶିବ ମିସ୍ତ୍ରୀଙ୍କୁ କଚେରୀ ମନା ହେଲା । ଆଶା କାହିଁ ନେଇ ତାଳଗଛରେ ଚଢ଼ାଇ ଦେଇଥିଲା, ପୁଣି ମୁହୂର୍ତ୍ତକେ ଆଣି ପାତାଳରେ ଓହ୍ଲାଇ ଦେଇଗଲା ।

 

ସେ କାଳରେ କେତେ ପ୍ରକାର ଠାର ଚଳୁଥିଲା । ପାଠୁଆମାନେ ଶଶିଠାରରେ କଥା କହୁଥିଲେ ଏବଂ ଅଣପାଠୁଆ ବର୍ଗ ଫୁଲଠାର ପ୍ରଭୃତି ବ୍ୟବହାର କରୁଥିଲେ । ଶଶିଠାରର ଗୋଟାଏ ବର୍ଣ୍ଣମାଳା ଥିଲା–ଯଥା, ଅ-କ, ଖ-ଗ, ଘ-ଙ, ଚ-ଟ ଇତ୍ୟାଦି । ଅର୍ଥାତ୍‌ ଅ ସ୍ଥାନରେ କ, ଖ ସ୍ଥାନରେ ଗ, ଘ ସ୍ଥାନରେ ଙ ଏବଂ ଚ ସ୍ଥାନରେ ଟ ହୁଏ । ଯେ ଶଶିଠାର ନ ଜାଣେ ସେ ପାଠୁଆ ମଧ୍ୟରେ ଗଣ୍ୟ ନୁହେଁ । ‘‘ଖାଇବ ଆସ’’ ଏହାକୁ ଶଶିଠାରରେ କହିଲେ ହେବ–‘‘ଖାକିଦକାର !’’ ଶଶିଠାର ଏହିପରି ଗୋଟାଏ କିମ୍ଭୁତ କିମାକାର କର୍ଣ୍ଣ-କିଳକ ଭାଷା ସୃଷ୍ଟି କରେ । ସେହି କଥାକୁ ଫୁଲଠାରରେ କହିଲେ ହେବ–‘‘ଫୁଲ ଖା ଫୁଲ ଇ ଫୁଲ ବ ଫୁଲ ଆ ଫୁଲ ସ ।’’ ପ୍ରତି ଅକ୍ଷର ପୂର୍ବରେ ଫୁଲ ଶବ୍ଦ ଯୋଡ଼ି କହିବାକୁ ହେବ । ଆଉ ଗୋଟାଏ ଠାର ଥିଲା କିନ୍ତୁ ତାହାର ନାମ ନାହିଁ-। ‘‘ଖାଇବ ଆସ’’ ଏହି କଥାଟି ସେହି ଅନାମିକାଠାରରେ ଏହି ଆକାର ଧାରଣ କରିବ–ଖାପ୍ନାଇବ ଆପ୍‌ନାସ । ଏହି ଅଦ୍ଭୁତ-ଠାର ଗୁଡ଼ାକ ସେ କାଳରେ ଚାତୁରୀ ବୋଲାଉ ଥିଲା । କାପୁଡ଼ିଆମାନେ ପରସ୍ପର ମଧ୍ୟରେ ଲୁଗାର ମୂଲ୍ୟକୁ ଠାରରେ କହନ୍ତି ।

 

ଥରେ ରାଧାନାଥବାବୁ ଭଦ୍ରଖ ରାସ୍ତାରେ ଆସି ବାଗୁରାଇସ୍କୁଲ ପରିଦର୍ଶନ କଲେ । ସେ ସ୍କୁଲରେ ପହୁଞ୍ଚି ଓଡ଼ିଶା ଭୂଗୋଳ ପରୀକ୍ଷା କଲେ । ପ୍ରଶ୍ନ ହେଲା–‘‘ପାଲଲହଡ଼ା’’ କଅଣ ? କିଏ କହିଲା–‘ନଦୀ’, କିଏ କହିଲା ‘‘ଦ୍ୱୀପ’’ ମାତ୍ର ମୁଁ କହିଲି–‘‘ଦେଶ’’ । ତହୁଁ ରାଧାନାଥବାବୁ ମୋର ଭ୍ରମ ବୁଝାଇ କହିଲେ–‘‘ତୁମ କଥା ଠିକ୍‌ । କିନ୍ତୁ ଦେଶ ନୁହେଁ–ପାଲଲହଡ଼ା ଗଡ଼ଜାତର ଗୋଟାଏ ରାଜ୍ୟ ।’’ ଓଡ଼ିଶା ମଧ୍ୟରେ ଓଡ଼ିଶା ଭୂଗୋଳର ଏ ଦୁର୍ଦ୍ଦଶା ଦେଖି ବାବୁ ବଡ଼ ଦୁଃଖ ପ୍ରକାଶ କଲେ । ସେହି ଦିନୁ ଓଡ଼ିଶା ଭୂଗୋଳ ରୀତିମତ ପଢ଼ା ହେଲା । ତହିଁ ପରେ ସାହିତ୍ୟ ପରୀକ୍ଷା ହେଲା । ପ୍ରଥମ ପ୍ରଶ୍ନ–‘‘ସକଳ କେଉଁ ସମାସ ?’’ ଆମ୍ଭେମାନେ କେହି କିଛି କହି ପାରିଲୁଁ ନାହିଁ । ରାଧାନାଥବାବୁଙ୍କର ପରୀକ୍ଷାର ପ୍ରଶଂସନୀୟ ଧାରା ଏହି ଯେ, ପ୍ରଶ୍ନର ଉତ୍ତର କହି ନ ଦେଇ କୌଶଳରେ ସେ ପିଲାଙ୍କଠାରୁ ବାହାର କରନ୍ତି । ଆମ୍ଭମାନଙ୍କୁ ନୀରବ ଦେଖି ସେ କହିଲେ–‘‘କଳା ଅର୍ଥ କଅଣ ? ଯେପରି ଚନ୍ଦ୍ର ଷୋଳକଳା ।’’ ଏବେ ତ ଅନ୍ଧକୁ ସିଧା ଗୋହିରୀ ବାଟ ଜଣାପଡ଼ିଗଲା-। ତହୁଁ ମୁଁ କହିଲି–‘‘କଳାର ଅର୍ଥ ଅଂଶ, ଆଉ କଳା ସହିତ ସକଳ ବହୁବ୍ରୀହି ସମାସ-।’’ ଉତ୍ତର ଶୁଣି ବାବୁ ବଡ଼ ଖୁସି ହେଲେ । ପରେ ମୋ ବିଷୟ ଘେନି ପଣ୍ଡିତଙ୍କ ସଙ୍ଗରେ ତାଙ୍କର ସଂସ୍କୃତରେ କଥାବାର୍ତ୍ତା ହେଲା । ପଣ୍ଡିତେ ମୋର ପରିଚୟ ଦେଲେ, ମାତ୍ର ଆମେ କେହି ତାହା ବୁଝି ପାରିଲୁଁ ନାହିଁ । ତହିଁ ଆରଦିନ ପଣ୍ଡିତ ମହାଶୟ କହିଲେ–‘‘ଜଏଣ୍ଟ ଇନ୍‌ସପେକ୍‌ଟର ତୋର ସାହିତ୍ୟ ଜ୍ଞାନର ପ୍ରଶଂସା କରୁଥିଲେ ।’’ ରାଧାନାଥ ବାବୁଙ୍କ ପରୀକ୍ଷା କୌଶଳ ଦେଖାଇବାପାଇଁ ପ୍ରସଙ୍ଗ କ୍ରମେ ଏକଥା ଲେଖିଲି । ଏହାକୁ ମୋର ଆତ୍ମ ପ୍ରୌଢ଼ୀ ବୋଲି କେହି ମନେ କରିବେ ନାହିଁ-। ଏହା କିଛି ତେଡ଼େ ଗୁରୁତର କଥା ନୁହେଁ, କି ସେଥିପାଇଁ ମୋତେ କେହି ‘‘ନୋବେଲ’’ ପ୍ରାଇଜ୍‌ ଦେବ ନାହିଁ, ତେବେ ତୁଚ୍ଛା ପ୍ରୌଢ଼ୀ ବାଢ଼ିବାରେ ଫଳ କଅଣ ?

 

ସେ ସମୟରେ କବିତାବଳୀ, ପ୍ରବନ୍ଧମାଳା, ସର୍ବସାର ବ୍ୟାକରଣ, ଭୂଗୋଳ, ଭାରତ ଇତିହାସ, ବିଜ୍ଞାନ, ସ୍ୱାସ୍ଥ୍ୟରକ୍ଷା, ପ୍ରାକୃତିକ ଭୂଗୋଳ, କ୍ଷେତ୍ରତତ୍ତ୍ୱ, ଉତ୍କଳରଚନା, ପାଟିଗଣିତ, କ୍ଷେତ୍ରପରିମାଣ ଏହି ପୁସ୍ତକମାନ ଭର୍ଣ୍ଣାକ୍ୟୁଲାର ପାଠ୍ୟଥିଲା । ମୂଳ କବିତାବଳୀ ପୁସ୍ତକକୁ କିଞ୍ଚିତ୍‌ ବଢ଼ାଇ ଦେଇ ଦୁଇଭାଗ କରି ଦିଆଯାଇଥିଲା । ମୁଁ ଦ୍ୱିତୀୟ ଭାଗ ପଢ଼ି ପରୀକ୍ଷା ଦେଇଅଛି । ଓଡ଼ିଆରେ ଅଙ୍କ ପୁସ୍ତକ ଥିଲା ନାହିଁ, ବଙ୍ଗଳା ଗଣିତ ବିଜ୍ଞାନରୁ ଅଙ୍କକଷା ହେଉଥିଲା । କଟକ ସର୍ଭେସ୍କୁଲ ହେଡ଼ମାଷ୍ଟର ଉମେଶଚନ୍ଦ୍ର ବସୁ ଓଡ଼ିଆରେ ‘‘ପାଟିଗଣିତ’’ ପ୍ରକାଶ କରିବାରୁ ସେ ଅଭାବ ଦୂର ହେଲା । କବିତାବଳୀ ଏବଂ ପ୍ରବନ୍ଧମାଳା ବହୁବର୍ଷ ବ୍ୟାପୀ ଭର୍ଣ୍ଣାକ୍ୟୁଲାର ପାଠ୍ୟ ହୋଇ ରହିଥିଲା । ଅନେକ ସ୍ଥଳରେ ବାପ, ପୁଅ, ନାତି ତିନିପୁରୁଷ ସେହି ପୁସ୍ତକ ପଢ଼ିଥିବାର ଦେଖାଯାଏ ।

 

ପଣ୍ଡିତ ଗଣେଶ୍ୱର ବାଚସ୍ପତି ବାଗୁରାଇ ସ୍କୁଲରେ ଏକାଦିକ୍ରମେ ତିରିଶ ବର୍ଷ କାର୍ଯ୍ୟକରି ପୁଣି ତିରିଶ ବର୍ଷ କାଳ ପେନ୍‌ସନ୍‌ ଭୋଗ କରିଥିଲେ । ଏତେ ଦୀର୍ଘ କାଳ ପେନ୍‌ସନ୍‌ ଭୋଗ କରିବା ସାଧାରଣରେ ଦେଖାଯାଏ ନାହିଁ । ତାଙ୍କର ଜ୍ୟେଷ୍ଠପୁତ୍ର ୰ମହେଶ୍ୱର ପାଣିଗ୍ରାହୀ କଟକ ନର୍ମାଲ ସ୍କୁଲରୁ ପାସ କରି ଆସିଲା ପରେ ସେ ତାଙ୍କୁ ସ୍କୁଲରେ ରଖାଇ ଅବସର ଗ୍ରହଣ କରି ଥିଲେ-। ମହେଶ୍ୱର ପାଣିଗ୍ରାହୀ ପିତାଙ୍କର ଉପଯୁକ୍ତ ପୁତ୍ର । ପିତାଙ୍କର ଭୀରୁତା ଏବଂ ଅତିରିକ୍ତ ସାବଧାନତା ସୁଦ୍ଧା ତାଙ୍କ ଜୀବନରେ ଅବିକଳ ପ୍ରତିଫଳିତ ହୋଇଥିଲା । ମହେଶ୍ୱର ବାବୁ ନୂଆ ତଟକା ପାସ କରି ଆସି ଥାଆନ୍ତି, ତାଙ୍କ ମୁଖ ମଣ୍ଡଳରେ ପ୍ରତିଭା ଢଳ ଢଳ ହେଉଥାଏ । ସେ ପିତାଙ୍କ ସଙ୍ଗରେ ସ୍କୁଲକୁ ଆସି ପଢ଼ାନ୍ତି । ସେ ଅଭ୍ୟାସର ବଡ଼ ବିରୋଧୀ, ସୁତରାଂ ପୁରୁଣା କାଳିଆ ଅଭ୍ୟାସ ପ୍ରଥା ଉଠାଇ ଦେଲେ । କାର୍ଯ୍ୟ ତ୍ୟାଗର ଛମାସ ପୂର୍ବରୁ ଗଣେଶ୍ୱର ବାଚସ୍ପତି ପ୍ରତ୍ୟହ ପୁତ୍ରଙ୍କୁ ସଙ୍ଗରେ ଘେନି ଆସନ୍ତି । ପୁତ୍ରଙ୍କୁ ପଢ଼ାଇବାର ଧାରା ଏବଂ ସ୍କୁଲ ସମ୍ୱନ୍ଧୀୟ କାଗଜ ପତ୍ରର ଧାରା ଶିଖାଇବା ଉଦ୍ଦେଶ୍ୟରେ ସେ ଏହିପରି କରୁଥିଲେ । କର୍ମତ୍ୟାଗ ପରେ ବି ସେ ଛମାସ ଯାଏଁ ପୁତ୍ରଙ୍କ ସଙ୍ଗରେ ସ୍କୁଲକୁ ଆସୁଥିଲେ । ମହେଶ୍ୱର ପାଣିଗ୍ରାହୀ ପିତାଙ୍କ ପରି ଅସାଧାରଣ ପଣ୍ଡିତ । ସାହିତ୍ୟ ପଢ଼ାଇବା ବେଳେ ରଘୁ, କୁମାର, ଶକୁନ୍ତଳା, ବୈଦେହୀଶ ବିଳାସ, ରସକଲ୍ଲୋଳ, ଲାବଣ୍ୟବତୀ, ବିଦଗ୍‌ଧଚିନ୍ତାମଣି ପ୍ରଭୃତି ବିବିଧ ଗ୍ରନ୍ଥରୁ ଉଦାହରଣ ଦେଇ ବଡ଼ ସରଳ ଭାବରେ ସେ ବୁଝାଇ ପାରନ୍ତି । ପଢ଼ାଇବା ସମୟରେ ସେ ଖୁବ୍‌ ହସାଇ ଖେଳାଇ ମଧ୍ୟ ପାରନ୍ତି । ପିତା ପୁତ୍ର ଉଭୟେ ମୋ ପ୍ରତି ଚିର ସନ୍ତୁଷ୍ଟ । ବିଶେଷତଃ ମହେଶ୍ୱର ପଣ୍ଡିତେ ମୋତେ ପୁତ୍ରାଧିକ ସ୍ନେହ କରୁଥିଲେ । କି ମାହେନ୍ଦ୍ର ସୁକ୍ଷଣରେ ମୋତେ ସେ ଦେଖିଥିଲେ କେଜାଣି ! ଅଥବା ମୋର ପ୍ରସନ୍ନ ଭାଗ୍ୟଦେବତା ଗୁରୁ ରୂପରେ ଅବତୀର୍ଣ୍ଣ ହୋଇଥିଲେ । ସମସ୍ତଙ୍କ ପାଖରେ ସେ ମୋର ପ୍ରଶଂସା ଗାନ କରନ୍ତି ଏବଂ କହନ୍ତି–‘‘ଚିନ୍ତାମଣି ପରି ଗୁରୁସେବାବତ୍ସଳ ଛାତ୍ର ମୁଁ ଦେଖିନାହିଁ ।’’ କାହିଁକି ସେ ଏହା କହନ୍ତି, ମୁଁ ସେଥିର କାରଣ ନ ପାଇ ଲଜ୍ଜିତ ହୁଏ । ଗୁରୁସେବା ମଧ୍ୟରେ ମୋର କାର୍ଯ୍ୟ ଏତିକି ଯେ–ପଣ୍ଡିତେ ସ୍କୁଲରେ ପହୁଞ୍ଚିଲା କ୍ଷଣି ମୁଁ ତାଙ୍କ ଠାରୁ ଲାଇବ୍ରେରୀ ଘରର ଚାବିକାଠି ନେଇ ଘର ଖୋଲିଦିଏଁ ଏବଂ ସର୍କାରୀ ଲୋଟାଟି ନେଇ ଲୋଟାଏ ପାଣି ଆଣି ଦିଏଁ, ପଣ୍ଡିତ ମହାଶୟ ଗୋଡ଼ହାତ ଧୁଅନ୍ତି । ତହିଁ ପରେ ଆଲମାରୀରୁ ଦୈନିକ ବ୍ୟବହାର୍ଯ୍ୟ ଖାତାପତ୍ର ଆଣି ତାଙ୍କ ଆଗରେ ଟେବୁଲ ଉପରେ ରଖିଦିଏଁ । କେବେ କେବେ ଅବରେ ସବରେ ବରାତ ଅନୁସାରେ ବଜାରରୁ ସଉଦା କିଣି ନେଇ ଦିଏଁ । ଏହି କାମଟିକୁ ସେ ଖୁବ୍‌ ବଡ଼ ଆଖିରେ ଦେଖନ୍ତି । ଯାହାର ହୃଦୟ ବଡ଼, ତାକୁ ସାନ ବି ବଡ଼ପରି ଦେଖାଯାଏ । ପୁଣି ସ୍ନେହ ବା କଅଣ କରି ନ ପାରେ ? ସେ ଅଳ୍ପକୁ ବହୁଗୁଣିତ କରିଦିଏ । ସର୍କାରୀ ପୁସ୍ତକମାନ କାହାରିକୁ ଦିଆଯାଏ ନାହିଁ, କିନ୍ତୁ ପଣ୍ଡିତ ମହାଶୟ ମୋତେ ପୁସ୍ତକ କିଣିବାକୁ ଅକ୍ଷମ ଜାଣି କେତେ ଖଣ୍ଡ ସର୍କାରୀ ବହି ଦେଇଥିଲେ । ଅନ୍ୟାନ୍ୟ ସହପାଠୀଙ୍କ ଅପେକ୍ଷା ମୋର ଟିକିଏ ସାହିତ୍ୟରେ ଅଧିକ ପ୍ରବେଶ ଦେଖି ମୋ ପ୍ରତି ସେ ବିଶେଷ ଅନୁକୂଳ ଥିଲେ । ଦିନେ ପିତା ପୁତ୍ର ଦୁହେଁ ପରାମର୍ଶ କରି ମୋତେ ପ୍ରଥମ ଶ୍ରେଣୀରେ ପଢ଼ିବା ସକାଶ ଆଦେଶ ଦେଲେ । କିନ୍ତୁ ନାମ ତୃତୀୟ ଶ୍ରେଣୀରେ ରହିଲା । ପ୍ରଥମ ଶ୍ରେଣୀରେ ନାମ ରହିଲେ ମାସକୁ ତିନିଅଣା ଦରମା ଦେବାକୁ ପଡ଼ିବ, କିନ୍ତୁ ମୁଁ ତହିଁକି ଅକ୍ଷମ । ଏହା ଜାଣି ମୋ ପ୍ରତି ଉପରୋକ୍ତ ଅନୁଗ୍ରହ ପ୍ରଦର୍ଶିତ ହେଲା । ପଢ଼ିବା ସମୟରେ ମୋର ପିତୃ ବିୟୋଗ ଘଟିବାରୁ ଅବସ୍ଥା ବଡ଼ ଶୋଚନୀୟ ହୋଇଥିଲା । ତୃତୀୟ ଶ୍ରେଣୀର ଦରମା ଛପଇସା ଦେବା ମୋ ପକ୍ଷରେ ଦୁରୂହ ହୋଇଥିଲା । ପୂର୍ବୋକ୍ତ ଆର୍ତ୍ତବାବୁ ମାସିକ ଛଅଟି ପଇସା ସାହାଯ୍ୟ କରୁଥିଲେ, ମାତ୍ର ମୋର ଦୁର୍ଭାଗ୍ୟକୁ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଲା । ତହୁଁ ମୁଁ ହତାଶ ହୋଇପଡ଼ିଲି । ପଣ୍ଡିତ ମହାଶୟ ଏହି ସଙ୍କଟ ସମୟରେ ମୋତେ ଉପରୋକ୍ତ ସୁବିଧା ଦେଇ ନ ଥିଲେ ମୋର ପାଠ ସେହିଠାରୁ ଇତିଶ୍ରୀ ଭଜିଥାଆନ୍ତା । ସେ କାଳରେ ଧନୀ ଲୋକେ ସୁଦ୍ଧା ନିଜ ପୁଅକୁ ପଢ଼ାଇବାକୁ ରାଜି ହେଉ ନ ଥିଲେ । ଆଉ ପର ପୁଅ ପାଇଁ କିଏ କାହିଁକି ପଇସା ଖର୍ଚ୍ଚ କରିବାକୁ ଯିବ । ଶିକ୍ଷାର ଆଦର ଏଥିରୁ ଅନୁମେୟ । ଏହି ତୃତୀୟ ଶ୍ରେଣୀରୁ ଏକାବେଳକେ ପ୍ରଥମ ଶ୍ରେଣୀକୁ ଉଠିଯିବାଟା ସ୍କୁଲର ନିମ୍ନ ଶିକ୍ଷକ ସେହି କରୁଣାସିନ୍ଧୁଙ୍କୁ ବିଷବତ୍‌ ବୋଧ ହେଲା । ମୋର ଅପରାଧ–ମୁଁ ଗରିବ । ଗୋଟାଏ ଛାର ଗରିବ ପିଲା, ଚିରକାଳ ମୂର୍ଖ ହୋଇ ରହିବା ତାହାର ଲଲାଟ ଲିଖନ, ସେ ପୁଣି ମାହାଳିଆରେ ଏଡ଼େ ଗୋଟାଏ ସୁବିଧା ପାଇବ–ଏହା କଅଣ ପ୍ରାଣରେ ସହି ହେବାର କଥା ? ସବୁ ଶ୍ରେଣୀର ଦରମା ଆଦାୟ ଭାର କରୁଣାସିନ୍ଧୁଙ୍କ ଉପରେ ଥାଏ । ଦିନେ ସେ ତାଙ୍କର ସେହି ଅଧିକାର ବା କ୍ଷମତାର ସଦ୍‌ବ୍ୟବହାର କରିବସିଲେ । ମୋ ପ୍ରତି ହୁକୁମ ହେଲା–‘‘ତୁ ଫାଷ୍ଟକ୍ଳାସରେ ପଢ଼ି ଥାର୍ଡ଼ କ୍ଳାସର ଦରମା କାହିଁକି ଦେବୁ ? ଏହି ମାସ ଠାରୁ ତୋତେ ଛପଇସା ପରିବର୍ତ୍ତରେ ତିନିଅଣା ଦେବାକୁ ହେବ–ନଚେତ୍‌ ସ୍କୁଲରୁ ବାହାର କରିଦେବି ।’’ କ୍ଳାସରେ ସତୀର୍ଥମାନଙ୍କ ମଧ୍ୟରେ ବସି ଏ ଅପମାନଟିକ କାହିଁକି କେଜାଣି ମୁଁ ନୀରବରେ ହଜମ କରି ପାରିଲି ନାହିଁ । ମୁଁ ମଧ୍ୟ ତଦୁପଯୋଗୀ ଭାଷାରେ କହିଲି–‘‘ସ୍କୁଲରୁ ବାହାର କରି ଦେବାର କ୍ଷମତା ତୁମ୍ଭର ଆଦୌ ନାହିଁ-।’’ ଆଉ ଯାଏଁ କୁଆଡ଼େ ! କିରାସିନ ତେଲରେ ନିଆଁ ଝୁଲ ପଡ଼ିଲା ପରି କର୍ତ୍ତା ଧଡ଼୍‌ କରି ଜଳି ଉଠି ବେତ ଧରି ମୋତେ ମାରିବାକୁ ଆସିଲେ । ତାଙ୍କର ଉଗ୍ରମୂର୍ତ୍ତି ଏବଂ ବ୍ୟଗ୍ରଗତି ଦେଖି କ୍ଳାସରେ ଥିବା ସହାଧ୍ୟାୟୀମାନେ ସମସ୍ତେ ଠିଆ ହୋଇ ପଡ଼ିଲେ । ଯଦୁନାମରେ ଗୋଟିଏ ପିଲା ଟିକିଏ ଅଗ୍ରସର ହୋଇ କହିଲା–‘‘ସାବଧାନ, କ୍ଳାସଉପରକୁ ଆସି ଅତ୍ୟାଚାର କଲେ ଉଚିତ ପ୍ରତିଫଳ ମିଳିବ ।’’ ଏହି ସମୟରେ ପଣ୍ଡିତ ମହାଶୟ ଆସି ପହୁଞ୍ଚି ଗଲେ । ସେ ସବୁ କଥା ଶୁଣି କରୁଣାସିନ୍ଧୁଙ୍କୁ ଡାକି ପଚାରିଲେ–‘‘ଚିନ୍ତାମଣି ଦରମା ବିଷୟ ତୁମ୍ଭକୁ କିଏ କହିଥିଲା ? ଥାର୍ଡ଼କ୍ଳାସର ଦରମା ଛପଇସା ସର୍କାରରେ ଦାଖଲ ହେବ, ବାକୀ ଛପଇସା ତୁମ୍ଭର ହାଟ ଖର୍ଚ୍ଚ ନା କଅଣ ? ଏହା ଶୁଣି କରୁଣା ସିନ୍ଧୁଙ୍କ ମୁହଁ ଶୁଖିଯାଇ ବିନ୍ଦୁପରି ହୋଇଗଲା, ସେ ମୁହଁ ତଳକୁ ପୋତି ନୀରବରେ ‘‘ଯଃ ପଳାୟତି ସ ତିଷ୍ଠତି’’ ନୀତି ଅବଲମ୍ୱନ କଲେ । ସ୍କୁଲ ଛୁଟି ପରେ ବାଟରେ ଆସିବା ବେଳେ କରୁଣାସିନ୍ଧୁଙ୍କର କରୁଣା କାହିଁକି କେଜାଣି ଉଛୁଳିଉଠିଲା । ସେ ମୋ ପିଠିରେ ହାତ ବୁଲାଇ ଲଜ୍ଜିତ ସ୍ୱରରେ କହିଲେ–‘‘ମୋର ଗୋଟାଏ ଗ୍ରହଦୋଷ ଆଜି ଥିଲା, ମିଛୁଟାରେ କେଡ଼େ କଥାଟେ ହୋଇଗଲା, ଭାଇଟା ପରା ମନ ଊଣା କରିବୁ ନାହିଁ । ତୋ ଦିହ ଛୁଉଁଛି, ସାନଭାଇ ବୋଲି ମୁଁ ତୋ ସାଙ୍ଗରେ ଟିକିଏ ଗେଲ ହେଉଥିଲି ସିନା ।’’ ବାସ୍ତବରେ ସେ ମୋର ଜ୍ଞାତି ସମ୍ପର୍କୀୟ ଭାଇ, ମାତ୍ର ତାଙ୍କର ଏଭଳି ଗେଲ ହେବାଟା ପାଠକମାନଙ୍କୁ କେଭେ ରୁଚିବ ନାହିଁ–ଏହା ନିଶ୍ଚିତ । ମୁଁ ମଧ୍ୟ ସମୟୋପଯୋଗୀ ରାସ୍ତାରେ ଚାଲି କହିଲି–‘‘ମୁଁ କଅଣ ତାହା ଜାଣେ ନାହିଁ କି, ମୁଁ ବି ସେହିପରି ତୁମ ସାଙ୍ଗରେ ଗେଲ ହେଉଥିଲି ପରା ।’’ ଏହା ଶୁଣି ସିନ୍ଧୁ ସମୁଦ୍ରେ ହେବ ହସି ପକାଇଲେ ।

 

ପ୍ରଥମ ଶ୍ରେଣୀର ପାଠ୍ୟପୁସ୍ତକ ଦ୍ୱିରାବୃତ୍ତି ହେବା ସମୟରେ ମୁଁ ଉକ୍ତ ଶ୍ରେଣୀରେ ଯୋଗଦେଲି । ତେତେବେଳକୁ ପରୀକ୍ଷା ଚାରିମାସ ଥାଏ । ପରୀକ୍ଷାର୍ଥୀମାନେ ସବୁ ବହି ଥରେ ଶେଷକରି ଦ୍ୱିତୀୟ ଥର ଘୋଡ଼ା ପରି ଛୁଟି ଥାଆନ୍ତି ଆଉ ମୁଁ ସେମାନଙ୍କ ପଛରେ ଗୋଡ଼ାଉଥାଏଁ । ପୂର୍ଣ୍ଣ ଏକ ବର୍ଷ ପ୍ରଥମ ଶ୍ରେଣୀରେ ନାମ ନ ଥିଲେ ପରୀକ୍ଷା ଦେଇ ହେବ ନାହିଁ, ସୁତରାଂ ସେ ବର୍ଷକର ଦରମା କିପରି ଦେବି ଦିନରାତି ଏହି ଭାଳୁଣି ଧରିଲା । ଏକା ବେଳକେ ତିନିଅଣା ପଇସା ଦାନ କରି ପାରିବା ଭଳି ମୁକ୍ତ ହସ୍ତବ୍ୟକ୍ତିର ଅନୁସନ୍ଧାନ ଲାଗିଲା । ସ୍କୁଲ ସବ୍‌ଇନ୍‌ସପେକ୍‌ଟର ୰ଦ୍ୱାରକାନାଥ ଘୋଷ ଜଣେ ଉଦାରଚେତା ବ୍ୟକ୍ତି । ସେ ମୋତେ ଖୁବ୍‌ ଭଲ ପାଉଥିଲେ । ରାତିରେ ତାଙ୍କ ବସାରେ ମୋର ପଢ଼ିବାର ବ୍ୟବସ୍ଥା କରି ଦେଇଥିଲେ । ତାଙ୍କର ସେଥିରେ ଟିକିଏ ସ୍ୱାର୍ଥ ବି ଥିଲା । ତାଙ୍କର ଗୋଟିଏ ଭଣଜା ମୋ ସାଙ୍ଗରେ ପଢ଼ୁଥିଲା । ଦୁହେଁ ଏକ ସଙ୍ଗରେ ପଢ଼ିଲେ ମୋଠାରୁ ସେ କିଛି ସାହାଯ୍ୟ ପାଇ ପାରିବ ଏହାହିଁ ଲକ୍ଷ୍ୟ ଥିଲା । ଦ୍ୱାରି ବାବୁ ଏବଂ ମହେଶ୍ୱର ପଣ୍ଡିତ ଦୁହେଁ ପରାମର୍ଶ କରି ମୋ ପାଇଁ ଫ୍ରି ମଞ୍ଜୁର ସକାଶ ସର୍କାରଙ୍କୁ ଲେଖିଲେ । ମୋ ହାତରୁ ଖଣ୍ଡେ ଦରଖାସ୍ତ ଲେଖାଇ ନେଇ ସେଥିରେ ପଣ୍ଡିତେ ବୋଝେ ପ୍ରଶଂସା ଲେଖିଲେ, ସବ୍‌ଇନ୍‌ସପେକ୍‌ଟର ମଧ୍ୟ ମଧୁ ଢାଳିଲେ, ମାତ୍ର ‘‘ହୀନ କପାଳିଆ କରମ ଫଳେ–ଲାଉ ଲଗାଇଲେ ଚଲଣା ଫଳେ’’ ଏହି ଫଳ ହେଲା । ସର୍କାରରୁ ଉତ୍ତର ଆସିଲା–ସ୍କୁଲ ସୃଷ୍ଟି ଦିନରୁ କେବେ ଫ୍ରି ପାଇଁ ଦାବୀ କରିନାହିଁ, ସୁତରାଂ ବହୁ କାଳରୁ ଫ୍ରି ବନ୍ଦ ହୋଇ ଯାଇଅଛି । ବର୍ତ୍ତମାନ ସେ ବିଷୟ ବିଚାର କରାଯାଇ ପାରିବ ନାହିଁ ।’’ ସବ୍‌ଇନ୍‌ସପେକ୍‌ଟର ଏହି ନିରାଶ ବାଣୀ ଶୁଣି ବ୍ୟଥିତ ନହୋଇ ଅନ୍ୟ ବାଟ ଧରିଲେ । କୋଠାର ଇଷ୍ଟେଟ ଜମିଦାର ରାୟ ନିମାଇ ବଲ୍ଲଭ ବୋଷ ବାହାଦୂର ବାଗୁରାଇ ଗଭର୍ଣ୍ଣମେଣ୍ଟ ସ୍କୁଲର ସେକ୍ରେଟରୀ ଥିଲେ । ସ୍କୁଲ ସୁଦ୍ଧା ତାଙ୍କ ଜମିଦାରୀ ମଧ୍ୟରେ ଥିଲା-। ସବ୍‌ଇନ୍‌ସପେକ୍‌ଟର ତାଙ୍କୁ ଲେଖିବାରୁ ସେ କୁଆଁସ କଚେରୀରୁ ଦିଆଯିବାର ବ୍ୟବସ୍ଥା କରିଦେଲେ-

 

ମୁଁ ଏବଂ ଯଦୁ ସବ୍‌ଇନ୍‌ସପେକ୍‌ଟରଙ୍କ ବସାରେ ଏକ ସଙ୍ଗରେ ପଢ଼ୁ । ଯଦୁଠାରୁ ମୁଁ ପୁସ୍ତକ ସାହାଯ୍ୟ ପାଏ । ଅନ୍ୟାନ୍ୟ ସହପାଠି ମାନଙ୍କଠାରୁ ସୁଦ୍ଧା ପୁସ୍ତକ ମାଗିଆଣି ପଢ଼େ । ଯଦୁ ବଡ଼ ଚଗଲା, ଇଂରାଜୀ ପାଠ ସଙ୍ଗରେ ତାହାର ବନିଲା ନାହିଁ । ତହୁଁ ସେ ତାକୁ ଛାଡ଼ପତ୍ର ଦେଇ ଓଡ଼ିଆ ଧରିଥିଲା । ବୁଲିବା ଆଉ ଶୋଇବା ଏହି ଦୁଇଟି କାର୍ଯ୍ୟ ତାହାର ସଙ୍ଗାତ-ମୈତ୍ର ପରି ପ୍ରିୟ ଥିଲା । ସେ ରାତିରେ ପଢ଼େ ନାହିଁ, ନିଶ୍ଚିନ୍ତ ହୋଇ ଶୁଏ । ମୁଁ ତାକୁ ପଢ଼ିବାକୁ କହିଲେ ସେ ଆଖି ଆଗରେ ହାତ ହଲାଇ ଅପୂର୍ବ ଭଙ୍ଗିରେ କହେ–‘‘ତୁ ପଢ଼, ବୁଜୁଳେ ପାଇବୁ, ଲକ୍ଷେ ଟଙ୍କାର ନିଦ ଛାଡ଼ି, ଯେ ପାଠ ପଢ଼େ ସେ ନିଦା ମୂର୍ଖ ।’’ ଏହା କହି ମୋ ଆଡ଼କୁ ପିଠି କରି ସେ ଶୋଇପଡ଼େ । ମୁଁ ଖାତାରେ ଅନୁଶୀଳନୀ ପ୍ରମାଣ କରି ଲେଖିସାରିଲେ କିମ୍ୱା ରଚନା ଲେଖିସାରିଲେ ସେ ହନୁମନ୍ତ ପରି ଉଠି ପଡ଼ି ତାହା ସବୁ ନିଜ ଖାତାରେ ନକଲ କରେ । ଜଳ ସ୍ଥାନରେ ପାଣି, ହସ୍ତ ସ୍ଥାନରେ ହାତ ଏହିପରି ଶବ୍ଦ ପରିବର୍ତ୍ତନ କରି ଏପରି ନକଲ କରି ପାରେ ଯେ, ତାହା ସହଜ ଦୃଷ୍ଟିରେ ବାରିହୁଏ ନାହିଁ । ଏକାଳର ସହାଧ୍ୟାୟୀମାନଙ୍କ ପରି ସେ କାଳର ସହପାଠୀମାନେ ଜିହ୍ୱାରେ ମଧୁ ଏବଂ ହୃଦୟରେ ଜହର ପୋଷୁ ନ ଥିଲେ । ମୋର ବାଲ୍ୟବନ୍ଧୁମାନେ ମୋତେ ଯଥେଷ୍ଟ ଭଲ ପାଉଥିଲେ, ମୁଁ ମଧ୍ୟ ସେମାନଙ୍କୁ ଆନ୍ତରିକ ଅଧିକ ଭଲ ପାଉଥିଲି । ଯଦୁ ସମସ୍ତଙ୍କଠାରୁ ବୟସରେ ବଡ଼, ସୁତରାଂ ସେ ସମସ୍ତଙ୍କର ଯଦୁ ଦାଦା ହୋଇଥିଲା । ତାହାର ନିଶ ଦାଢ଼ୀ ଉଠିଥିବାରୁ ପଣ୍ଡିତେ ତାକୁ ଥଟା କରନ୍ତି । ସେହି ଲଜ୍ଜାରେ ବିଚାରା ପ୍ରତିଦିନ କ୍ଷୌର ହୁଏ ।

 

ଆଜି କେତେ କଥା ମନରେ ପଡ଼ୁଛି–କେତେ ବାଲ୍ୟସ୍ମୃତି ମନ ମଧ୍ୟରେ ଠେସା ଠେସି ହୋଇ ପରସ୍ପରକୁ ବାଟ ଖୋଜୁ ଅଛନ୍ତି–କେତେ ଚିତ୍ର ହୃଦୟରେ ଭାସି ଉଠୁଅଛି, ତାହା ସଂଖ୍ୟାର ଅତୀତ । ସବୁଯୁଗରେ ତ ପିଲାଗୁଡ଼ାଙ୍କର ନାଁ–କଢ଼ା ପ୍ରକୃତି, ସାମାନ୍ୟ କଥାରେ ମହାଭାରତ ସୃଷ୍ଟି କରିବସନ୍ତି । ଶାମ୍ୱ ପ୍ରଭୃତିଙ୍କର ଖେଳ କୌତୁକରୁ ଯଦୁବଂଶ ନଷ୍ଟ ହେଲା । ଏକାଳରେ ବା କୀର୍ତ୍ତିପ୍ରକାଶ ନପାଇବ କାହିଁକି ? ସ୍କୁଲ ଛୁଟି ପରେ କେତେଜଣ ପିଲା ଗୋଟିଏ ତନ୍ତୀ ପିଣ୍ଡାରେ ବସି ଗୁଡ଼ାଖୁ ଖାଆନ୍ତି । ମୁଁ ମଧ୍ୟ ସେ ଦଳରୁ ବହିର୍ଭୂତ ନୁହେଁ । ତନ୍ତୀବୁଢ଼ାଟି ଲୁଗାବୁଣା ଛାଡ଼ି ଚିଲମ ଏବଂ ନିଆଁ ଆଣିଦିଏ । ଆମ କାହାରି ପାଖରେ ଗୁଡ଼ାଖୁ ନ ଥିଲେ ଗୁଡ଼ାଖୁ ଟିକିଏ ବି ଦିନେ ଦିନେ ଦିଏ । ଆମର ଗୁଡ଼ାଖୁ ବଳିଲେ ଆମେ ସୁଦ୍ଧା ତାକୁ ଦେଇଆସୁଁ । ତାହା ଦ୍ୱାର ଆଗରେ ଗୋଟାଏ ବରକୋଳି ଗଛ ଥିଲା । ଦିନେ କେତେ ଜଣ ପିଲା ତାକୁ କୋଳି ମାଗିବାରୁ ସେ ସାମାନ୍ୟ କେତେଟା ମାତ୍ର ଦେଲା । ଏହାହିଁ ହେଲା ତାର ଅପରାଧ । ଏତିକିରେ ମାଙ୍କଡ଼ ମେଳି ଆରମ୍ଭ ହେଲା । ତାହା ପରଦିନ କେତେ ଗୁଡ଼ାଏ ପିଲା ସ୍କୁଲଫେରନ୍ତା ବାଟରୁ ଟେକାସାଉଣ୍ଟି ବସ୍ତାନି ଭିତରେ ରଖି ଭଦ୍ରଲୋକ ପରି ଆସିଲେ । ଉଦ୍ଦେଶ୍ୟ ଏହି ଯେ ଦୂରରୁ ଟେକାଫୋପାଡ଼ି କୋଳିତକ ଝାଡ଼ିଦେବେ । ମୁଁ, ଯଦୁ, ଆଉ କେତେଜଣ ପିଲା ପଛକୁ ରହି ଯାଇଥିଲୁଁ । ଦୈବାତ୍‌ କଳିଯୁଗ ସଙ୍ଗରେ ଦେଖା ହେବାରୁ ଟିକିଏ ଅଟକି ଯାଇଥିଲୁଁ । କଳିର କାରଣ ଏହିଯେ–ସେ ଦିନ ମେଘୁଆ ପାଗ ହୋଇ ଟିକିଏ ଟିକିଏ ବିନ୍ଦୁପାତ ହେଉଥିଲା । ବଙ୍ଗାଳୀ ତନ୍ତୀଙ୍କର ବଙ୍ଗଳା ଓଡ଼ିଆ ମିଶାମିଶି ଭାଷା । ଦୁଇ ଜଣ ତନ୍ତିଆଣୀ ବାଟରେ କଥାବାର୍ତ୍ତା ହେଉଥିଲେ । ଜଣେ କହିଲା–‘‘ତୋର ବଳଦୁଟା ଯତଗୁଡ଼ାକ ଧାନ ଖାଇଗଲ, ଆଉ କହିନେ କଣ ହବ ।’’ ଏହି ସମୟରେ ଜଣେ ଡାକିଲା–‘‘ରେ ହରିଆ, ମେଘ ବର୍ଷିଲଣି ଚାଣ୍ଡେ ଥାଏ ।’’ ଆଉ ଚଗଲା ଯଦୁକୁ ସମ୍ଭାଳେ କିଏ, ସେ ଗୋଟାଏ ହାଣ୍ଡିଆ ପାଟିମେଲାଇ କହିଲା, ‘‘ରେ ଚିନ୍ତାମନି, ମେଘ୍ ବର୍ଷିଲଣି ଚାଣ୍ଡେ ଚାଲ୍‌ ।’’ ଆଉ ଯାଏ କୁଆଡ଼େ, ତନ୍ତିଆଣୀ ସାତପୁରୁଷର ଶ୍ରାଦ୍ଧ ବାଢ଼ିବସିଲା । କେତେ ଅଖାଦ୍ୟ ଅପେୟର ନାମ ଉଚ୍ଚାରଣ କଲା । ଏହି ସୂତ୍ରରେ କଳହ ଆରମ୍ଭ ହେଲା । ଆମେ କେତେ ଜଣ ମଧ୍ୟସ୍ଥ ହୋଇ ତନ୍ତିଆଣୀକୁ ବୁଝାଇ ଶୁଝାଇ ଘରକୁ ବିଦା କରିଦେଇ ଯଦୁକୁ ଟାଣି ଘେନି ଆସିଲୁଁ । ଏଣେ ଦେଖାଗଲା କୋଳିଗଛର କୋଳି ପ୍ରାୟ ବାରପଣ ତଳେ ପଡ଼ିଅଛି । ଏକୀର୍ତ୍ତି କରିସାରି କୀର୍ତ୍ତିଚନ୍ଦ୍ରମାନେ ତନ୍ତୀ ସଙ୍ଗରେ ରୀତିମତ ବାଗ୍‌ଯୁଦ୍ଧ ଲଗାଇ ଅଛନ୍ତି । କୌଣସି ମତେ କଳି ମେଣ୍ଟାଇ ଦେବାକୁ ହେଲା । କିନ୍ତୁ ଏତିକିରେ ଶେଷ ହେଲା ନାହିଁ । ସେ ସମୟରେ ଦୀନବନ୍ଧୁ ବାବୁ ନାମରେ ଜଣେ ପୂର୍ବବଙ୍ଗବାସୀ ଭଦ୍ରଖରେ ସବ୍‌ଓଭରସିଅର ଥିଲେ । ତାଙ୍କ ପୁଅ ଆମ ସ୍କୁଲରେ ପଢ଼େ । କେତେକ କୁଚକ୍ରୀ ତାକୁ ଶିଖାଇ ତାଲିମ କରିଦେଲେ । ସେ ଯାଇ ତା ବାପ ପାଖରେ କହିଲା–‘‘ସଡ଼କ ଧାରରେ ଗୋଟାଏ ସର୍କାରୀ କୋଳିଗଛରୁ ମୁଁ କୋଳି ଖାଇଲି, ଜଣେ ତନ୍ତୀ ମୋତେ ଗାଳିଦେଇ ମାରିବାକୁ ଆସିଲା ।’’ ତହିଁଆର ଦିନ ଦେଖାଗଲା, ଦୀନବନ୍ଧୁ ବାବୁ ସର୍କାରୀ ଗଛବୋଲି କୋଳିଗଛଟି କଟାଇ ଦେଇଅଛନ୍ତି । ଗରିବ ତନ୍ତୀ ବିଚାରା କଅଣ କରିବ–କାନମୁଣ୍ଡ ଆଉଁସି ରହିଲା । ଦୁରନ୍ତ ପିଲାଙ୍କର ଏହି ଦୁଷ୍ଟାମି ପଣ୍ଡିତଙ୍କର କର୍ଣ୍ଣଗୋଚର ହେଲା । ପ୍ରସଙ୍ଗକ୍ରମେ ଗୁଡ଼ାଖୁ ଖିଆ କଥା ବାହାରି ପଡ଼ିଲା । ତହୁଁ ବୈଜ୍ଞାନିକ ପରୀକ୍ଷା ଲାଗିଲା । ଯାହାଙ୍କ ହାତଚକିରେ ଗୁଡ଼ାଖୁ ଚଟର ପିତ୍ତଳିଆ ଚିହ୍ନ ଥିଲା, ସେମାନେ ଆସାମୀ ସାବ୍ୟସ୍ତ ହେଲେ । ସେମାନଙ୍କ ହାତରେ ପାଞ୍ଚପାହାର ବେତ୍ର ଦଣ୍ଡର ବ୍ୟବସ୍ଥା ହେଲା । ଭାଗ୍ୟବଶତଃ ମୋ ହାତରେ ଚିହ୍ନ ଥିଲା ନାହିଁ, ତହୁଁ, ମୁଁ ନିରପରାଧରେ ଖଲାସ ପାଇଲି । ପଣ୍ଡିତେ ମୋତେ ମାରନ୍ତି ନାହିଁ, କିନ୍ତୁ ଦିନେ ଗୋଟାଏ ପାହାରରେ ମୋର ବାମ ହସ୍ତର ବୁଢ଼ା ଆଙ୍ଗୁଳିଟି ଭାଙ୍ଗି ଦେଇଥିଲେ । ପୁସ୍ତକ ଛଡ଼ା ପଣ୍ଡିତେ ଯେଉଁ ଶିଖିବାପାଠ କହିଦିଅନ୍ତି, ଆମେ ତାହା ନୋଟ ଖାତାରେ ଟିପିରଖି ପରେ ଶିଖୁଁ । ଦିନେ ସେ କହିଦେଇଥିଲେ–ଯଶସ୍‌, ମନସ୍‌, ବଚସ୍ ଏହି ତିନିଶବ୍ଦ ଉଭୟ ଲିଙ୍ଗ । ଅବସର ଅଭାବରୁ ତେତେବେଳେ ଆମ୍ଭେମାନେ କେହି ତାହା କରିନଥିଲୁଁ । ଦିନେ ପୁଣି ସେହି ପ୍ରଶ୍ନ କରିବସିଲେ । ଉତ୍ତର ଅଭାବରେ ଉପରୋକ୍ତ ଦଣ୍ଡ ବିଧାନ ହୋଇଥିଲା ।

 

ପ୍ରତ୍ୟହ ସକାଳଓଳି ପଣ୍ଡିତଙ୍କଘର ପାଖକୁ ଯାଇ ସାହିତ୍ୟ, ଅଙ୍କ ବୁଝିବା ସକାଶ ପ୍ରଥମ ଶ୍ରେଣୀ ଛାତ୍ରମାନଙ୍କୁ ଆଦେଶ ଥାଏ । ତଦନୁସାରେ କେହି ଯାଏ–କେହିବା ନ ଯାଇ ନାନାପ୍ରକାର ବାହାନା କରେ । ମୁଁ ଏବଂ ଆଉ କେତେଜଣ ଛାତ୍ର ରୀତିମତ ଯାଉଁ । ଆମ ଘରଠାରୁ ପଣ୍ଡିତଙ୍କ ଘର ଦୁଇମାଇଲ ଅନ୍ତର । ସକାଳୁ ଉଠି ସେଠାକୁ ଯାଇ ନଅଟାବେଳେ ଫେରିଆସୁଁ । ସ୍ନାନାହାର ଶେଷରେ ପୁଣି ଦୁଇମାଇଲ ବାଟ ସ୍କୁଲକୁ ଧାଇଁବାକୁ ହୁଏ । ପଣ୍ଡିତେ ଘର ପାଖରେ ସାହିତ୍ୟ ଏବଂ କଠିନ କଠିନ ଅଙ୍କ ବୁଝାଇ ଦିଅନ୍ତି । ଦିନେ ଦିନେ ଅବସରପ୍ରାପ୍ତ ବୁଢ଼ା ପଣ୍ଡିତ ପାଠ କହି ଦିଅନ୍ତି । ଆମ୍ଭମାନଙ୍କ ଦ୍ୱାରା କିଛି କାର୍ଯ୍ୟ ମଧ୍ୟ କରାଇ ନିଅନ୍ତି । ଆମ୍ଭେମାନେ ତାଙ୍କବାଡ଼ିରେ ଶାଗ କିଆରୀ ହାଣିଦେଇ ମନ୍ଦା କରିଦେଉଁ–ଶାଗରେ ପାଣି ଦେଉଁ-କଦଳୀ ଗଛମୂଳ କୋଡ଼ି ଦେଉଁ-ମହାଦେବ ପୋଖରୀରୁ ପଙ୍କ ନେଇ କଦଳୀମୂଳରେ ଦେଉଁ ଏବଂ ତଡ଼ା ହୋଇଥିବା ଘସି ମଝିରେ କଣାକରି ଦଉଡ଼ି ଗଳାଇ ନେନ୍ତି ନେନ୍ତି କରି ଘର ଓଳିରେ ଟାଙ୍ଗିରଖୁ । ଶାରୀରିକ ପରିଶ୍ରମ ସଙ୍ଗେ ସଙ୍ଗେ ମାନସିକ ପରିଶ୍ରମ ଶିକ୍ଷା ବି ଚାଲିଥାଏ । ବୁଢ଼ା ବସି ସାହିତ୍ୟ, ବ୍ୟାକରଣ ମୌଖିକ ଶିକ୍ଷାଦିଅନ୍ତି । ଆମ୍ଭେମାନେ କାମ କରୁଁ କରୁଁ ତାହା ଶିକ୍ଷାକରୁ । ଆଜି କାଲିକାର ସାଇକଲ ଚଢ଼ା ପିଲାଏ ଏହା ଶୁଣିଲେ ଲଜ୍ଜାରେ ଜିଭ କାମୁଡ଼ି ପକାଇବେ । କିନ୍ତୁ ଆମ୍ଭେମାନେ ଗୁରୁଙ୍କର କାର୍ଯ୍ୟକରି ଗୌରବ ଅନୁଭବ କରୁଥିଲୁଁ । ବାସ୍ତବରେ ତାହା ଯେ କି ଅମୂଲ୍ୟ ଆନନ୍ଦ, ତାହା ଭୁକ୍ତଭୋଗୀ ବିନା ଆଉ କେହି ବୁଝି ପାରିବ ନାହିଁ । ଗୁରୁସେବାରେ ମନ ପ୍ରସନ୍ନ ହୁଏ ଏବଂ ଗୁରୁ ତୃଷ୍ଟିରେ ଶିଷ୍ୟର ବହୁ କଲ୍ୟାଣ ସାଧିତ ହୁଏ ।

 

ମହେଶ୍ୱର ପାଣିଗ୍ରାହୀଙ୍କର ଶିକ୍ଷାଦାନ ପ୍ରଣାଳୀ ଅତି ଉତ୍କୃଷ୍ଟ । ଯୋଗ୍ୟ ସହକାରୀ ମଧ୍ୟ ସେ ପାଇଥିଲେ । ଏଥି ମଧ୍ୟରେ ନରିପୁର ଅ: ପ୍ରା: ସ୍କୁଲ ବାଗୁରାଇ ସ୍କୁଲରେ ମିଶି ଯାଇଥିଲା । ନରିପୁର ସ୍କୁଲର ଶିକ୍ଷକ ଜାନକୀରାମ ଦାସ ବାଗୁରାଇ ସ୍କୁଲରେ ଦ୍ୱିତୀୟ ଶିକ୍ଷକ ହେଲେ ଏବଂ କରୁଣାସିନ୍ଧୁ ତୃତୀୟ ଶିକ୍ଷକ ହୋଇ ରହିଲେ । ଅଳ୍ପ ଦିନ ପରେ ଜାନକୀରାମ ଦାସ ଇନ୍‌ସପେକଟିଂ ପଣ୍ଡିତ ହୋଇ ଯିବାରୁ ତାଙ୍କ ସ୍ଥାନରେ ବାଉଦପୁର ନିବାସୀ ଶ୍ରୀ ସର୍ବାନନ୍ଦ ଦାସ ନିଯୁକ୍ତ ହେଲେ । ସେ ଅତି ସରଳ, ଶାନ୍ତ ଧୀର ଏବଂ ବିଚକ୍ଷଣ ଶିକ୍ଷକ । ବାସ୍ତବରେ ଶିକ୍ଷକର ଯେଉଁ ଗୁଣ ଥିବା ଉଚିତ, ତାଙ୍କର ସେ ସବୁ ପୂର୍ଣ୍ଣମାତ୍ରାରେ ଥିଲା । ଛାତ୍ରମାନେ ତାଙ୍କୁ ଆନ୍ତରିକ ଶ୍ରଦ୍ଧା ଭକ୍ତି କରନ୍ତି । ସେ ସୁଦ୍ଧା ଛାତ୍ରମାନଙ୍କୁ ଠିକ୍‌ ପୁତ୍ର ପରି ଜ୍ଞାନ କରନ୍ତି । ତାଙ୍କର ନାମ ସର୍ବାନନ୍ଦ, ବାସ୍ତବରେ ସେ ସଦାନନ୍ଦମୟ । ସେ ହସି ହସାଇ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି । ସେହି ୠଷିପ୍ରାଣ ଶିକ୍ଷକ ଅବଧି ଜୀବିତ ଅଛନ୍ତି । ସ୍ୱନାମଧନ୍ୟ ଗଣପତି ବାବୁଙ୍କର ସେ ଜ୍ୟେଷ୍ଠ ସହୋଦର, ମାତ୍ର ଅନ୍ୟର ପୋଷ୍ୟପୁତ୍ର ହୋଇଥିଲେ । ପିଲାମାନଙ୍କ ପାଖରୁ କିଛି ନେବା ଦୂରେ ଥାଉ ସେ ନିଜ ବାଡ଼ିର ପାକଲା କମଳା ଏବଂ କଇଥ ପିଲାମାନଙ୍କୁ ଡାକି ନେଇ ଦିଅନ୍ତି ।

 

ଯଥା ସମୟରେ ମୁଁ ଭର୍ଣ୍ଣାକ୍ୟୁଲାର ପରୀକ୍ଷା ଦେଲି । ଚାରିଜଣ ପରୀକ୍ଷା ଦେଇଥିଲୁଁ ସମସ୍ତେ ପାସ କଲୁଁ । ଥରେ ପ୍ରଶ୍ନ ଚୋରି ହେବାରୁ ପରୀକ୍ଷା ବନ୍ଦ ରହିଲା । ନୂଆ ପ୍ରଶ୍ନ ତିଆରି ହୋଇ ମାସକ ପରେ ପରୀକ୍ଷା ହେଲା । ଏହି ଘଟଣାରେ ବାହିକା ଓ ନବସମ୍ୱାଦ ଘୋର ଆନ୍ଦୋଳନ କଲେ । ଦୁହେଁଯାକ ଜଏଣ୍ଟ ଇନ୍‌ସପେକ୍‌ଟର ରାଧାନାଥ ବାବୁଙ୍କ ଉପରେ ଦୋଷ ଢାଳିଲେ । ସେ ସମୟରେ କଟକରୁ ନବସମ୍ୱାଦ ବାହାରୁଥିଲା । ବାଲେଶ୍ୱରରୁ ସମ୍ୱାଦ ବାହିକା ଏବଂ ଉତ୍କଳଦର୍ପଣ ବାହାରୁଥିଲା । ଶେଷୋକ୍ତ ପତ୍ର ଖଣ୍ଡି ତାତ୍କାଳିକ ଛୋଟଲାଟଙ୍କ ବିରୁଦ୍ଧରେ କଅଣ ଲେଖିବାରୁ ତାହାର ପ୍ରଚାର ବନ୍ଦ ହୋଇଗଲା ଏବଂ ତାହା ପରିବର୍ତ୍ତରେ ‘‘ଓଡ଼ିଆ’’ ନାମରେ ଖଣ୍ଡିଏ ସାପ୍ତାହିକ ପତ୍ରିକା ବାହାରିଲା । କିଛି ଦିନ ପରେ କଟକର ନବ ସମ୍ୱାଦ ତାହା ସଙ୍ଗରେ ମିଶିଯାଇ ଓଡ଼ିଆ ଓ ନବସମ୍ୱାଦ ନାମ ଧାରଣ କଲା । ମହାରାଜା ବୈକୁଣ୍ଠନାଥଦେଙ୍କ ମୃତ୍ୟୁ ପରେ ଓଡ଼ିଆ ଓ ନବସମ୍ୱାଦ ବନ୍ଦ ହୋଇଗଲା । ସ୍ୱର୍ଗୀୟ ପ୍ରବୀଣ ରାମତାରକ ସେନ ଉକ୍ତ ପତ୍ରିକାର ସମ୍ପାଦକ ଥିଲେ । ବାଲେଶ୍ୱର ନର୍ମାଲ ସ୍କୁଲର ହେଡ଼ମାଷ୍ଟର ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ସମ୍ୱାଦବାହିକାର ଶକ୍ତିଶାଳୀ ସମ୍ପାଦକ ଥିଲେ । ତାଙ୍କ ପରେ ସାମନ୍ତ ବଂଶଙ୍କ ଆନୁକୂଲ୍ୟରେ ସମ୍ୱାଦବାହିକା କିଛି କାଳ ଚଳି ବନ୍ଦ ହୋଇଗଲା । ବାଲେଶ୍ୱରର ଉକ୍ତ ଦୁଇଖଣ୍ଡି ପତ୍ରିକା ମଧ୍ୟରେ ସର୍ବଦା ଘୋଡ଼ା ମଇଁଷିର ବିବାଦ ଲାଗିଥାଏ । ପରସ୍ପରର ଛିଦ୍ରାନ୍ୱେଷଣରେ ଦୁହେଁ ଖୁବ୍‌ ନିପୁଣ ।

 

ମୁଁ ପାସ କଲି, ବିଦ୍ୟାର୍ଜନ ଏହିଠାରୁ ମୁଣ୍ତିମଲା । ଏବେ ଅର୍ଥାର୍ଜନର ଚେଷ୍ଟା କରିବାକୁ ହେବ ! ଉଦର ନାମକ ଦେବତାଟିର ଦୁର୍ଜୟ କ୍ଷମତା ଆଗରେ ଛାର ମନୁଷ୍ୟର ଚାରା ଅବା କଅଣ ଅଛି । ଖାଲି ପାଠ ଗିଳିଲେ କଅଣ ହେବ, ଯାହା ପାଇଁ ଆହା ବୋଲିବାକୁ କେହି ନାହିଁ, ତାହାର ଚାକିରୀ ପାଇବା ତ ସହଜ ନୁହେଁ । ପୁଣି ମୋର ଆକୃତି ମୋର ଇଚ୍ଛା ପଥର ଦୁର୍ଲଙ୍ଘ୍ୟ ପରିଖା ସ୍ୱରୂପ ହେଲା, ମୋର ବୟସ ଷୋଳ ସତର ହେଲେ ହେଁ, କେହି ୧୩।୧୪ ବର୍ଷରୁ ଅଧିକ ଅନୁମାନ କରୁ ନ ଥିଲେ । ଯାହାହେଉ ପୂର୍ବୋକ୍ତ ସ୍କୁଲ ସବ୍‌ଇନ୍‌ସପେକ୍‌ଟରଙ୍କର ଆଶ୍ରୟ ନେଲି । ସେ ଦୟାକରି ଫ୍ରେଜର ବାଳିକା ସ୍କୁଲର ଶିକ୍ଷକ ପଦରେ ମୋତେ ଚାରିମାସ ଏକଟିଂ ନିଯୁକ୍ତ କଲେ-। ନିଯୁକ୍ତି ରିପୋର୍ଟ ଦସ୍ତଖତ୍‌ କରାଇ ଆଣିବା ପାଇଁ ମୋତେ ସବ୍‌ଡ଼ିଭିଜନାଲ ଅଫିସରଙ୍କ ନିକଟକୁ ପଠାଇଲେ । ସ୍କୁଲରେ ସେ ପ୍ରେସିଡ଼େଣ୍ଟ । ସବ୍‌ଡ଼ିଭିଜନାଲ ଅଫିସର ଜଣେ ସାହେବ । ସେ ରିପୋର୍ଟ ପଢ଼ି ମୋତେ ବଙ୍ଗଳାରେ ପଚାରି ଲେ–‘‘ବାଲକ୍, ତୁମାର ନାମ କି ? କେବେ ପାସ କରେଛ, ତୁମାର ବୟସ କେତେ ?’’ ମୁଁ ଯଥାଯଥ ଉତ୍ତର ଦେଲି । ତହୁଁ ସେ ରିପୋର୍ଟ ପିଠିରେ ଲେଖିଲେ–‘‘ ଯାହାକୁ ନିଯୁକ୍ତ କରା ଯାଇଅଛି ସେ ନିଜେ ଶାସନର ଅଧୀନ, ପିଲାଙ୍କୁ ଶାସନ କରିବା ଭଳି ବୟସ ତାହାର ହୋଇ ନାହିଁ ।’’ ହରିବୋଲ, ମୁଁ ନିଜେ ମୋର ଶତ୍ରୁ ହେଲି । ପ୍ରଥମ ଉଦ୍ୟମରେ ତ ବିରାଡ଼ି ଛିଙ୍କିଲା, ଭବିଷ୍ୟତ ଗର୍ଭରେ ଆଉ କଅଣ ଅଛି ତାକୁ ଅପେକ୍ଷା କରିବାକୁ ପଡ଼ିଲା । କିଛି ଦିନ ପରେ ଭୂୟାଁମହଲା ଅ: ପ୍ରା: ସ୍କୁଲରେ ଚାରିମାସ ସକାଶ ଏକଟିଂ ହେଡ଼ପଣ୍ତିତ ନିଯୁକ୍ତ ହେଲି । ସବ୍ଇନ୍‌ସପେକ୍‌ଟର ସ୍କୁଲ ପରୀକ୍ଷା କରି ମୋର କାର୍ଯ୍ୟରେ ସନ୍ତୁଷ୍ଟ ହେଲେ । ସେଥିର ପୁରସ୍କାର ସ୍ୱରୂପ ମୋତେ ପନ୍ଦର ଦିନ ସକାଶ ‘‘ଶାଆଁଳପୁର’’ ଅ: ପ୍ରା: ସ୍କୁଲକୁ ଏକଟିଂ ପଠାଇଲେ । ଶାଆଁଳପୁର ପ୍ରଧାନ କରଣ ବସ୍ତି । ଗ୍ରାମଟି ବୈତରଣୀ କୂଳରେ ଅବସ୍ଥିତ । ପଥ ଦୁଇପାର୍ଶ୍ୱର କିଆ କୁଞ୍ଜଗୁଡ଼ିକ ବଡ଼ ମନୋହର । ଅଧିବାସୀ କରଣମାନେ ଅବସ୍ଥାପନ୍ନ । ସେ ଅଞ୍ଚଳରେ ବିରି ଚାଷ ଅଧିକ ହୁଏ । ସମସ୍ତଙ୍କ ଘରେ ରୋଜ ବିରିଡ଼ାଲି ହୁଏ । ପ୍ରଥମ ଦିନ ଭାତ ଖାଇବାବେଳେ ମୋ ପାଇଁ ବେଲାଏ ବିରିଡ଼ାଲି ଆସିଲା । ସେଥିରେ ପହଁରିବି କି ତାକୁ ଖାଇବି–ଦେଖି ଆଶ୍ଚର୍ଯ୍ୟ ହେଲି । ତେଣିକି ଅନୁରୋଧ କ୍ରମେ ମାତ୍ରା କମିଲା । ଶାନ୍ତ ଶିଷ୍ଟ ଅଧିବାସୀଙ୍କର ବ୍ୟବହାର ଅତି ଭଦ୍ର । ଏତିକିରେ ଏକଟିଂ ଶେଷ ହେଲା ନାହିଁ । କେତେ ମାସ ପରେ ସପ୍ତାହକ ସକାଶ ରମ୍ଭିଳା ସ୍କୁଲକୁ ଯିବାକୁ ହେଲା । ସେ ଗ୍ରାମରେ ଦୁଇଦଳ, ଦଳେ ସ୍କୁଲର ସପକ୍ଷ ଏବଂ ଅପର ଦଳ ଜଣେ ଅବଧାନ ରଖାଇ ସ୍କୁଲଟିକୁ ଭାଙ୍ଗିବା ଚେଷ୍ଟାରେ ଥାଆନ୍ତି । ସ୍କୁଲ ମାଷ୍ଟର ଏବଂ ଅବଧାନଙ୍କର ଅହି ନକୁଳ ସମ୍ପର୍କ । କିନ୍ତୁ ମୁଁ ଯାଇ ପହୁଞ୍ଚିଲା ମାତ୍ରେ ଅବଧାନଟି ମୋର ଯଥେଷ୍ଟ ସୁବିଧା କରାଇ ଦେଲେ । ସବ୍‌ଇନ୍‌ସପେକ୍‌ଟର ତାହାର ବିପକ୍ଷ, ସେହି ହେତୁ ମୋର ଏ ପୂଜା । ଅବଧାନେ ଅନେକ ଦୁଃଖ କାହାଣୀ କହିଲେ, ମୁଁ ମଧ୍ୟ ସହାନୁଭୂତି ଦେଖାଇଲି । ଚାହୁଁ ଚାହୁଁ ସାତଦିନ କଟିଗଲା–ମୋର ଏକଟିଂ ଶେଷ ହେଲା ।

 

ଆମ ଗାଁରେ ଗୋଟାଏ ଲୀଳା ଯାତ୍ରା ଦଳ ଥିଲା । ପୂର୍ବୋକ୍ତ ଆର୍ତ୍ତବାବୁ ଏବଂ ହରମୋହନବାବୁଙ୍କ ପିଲାମାନେ ଦିନେ ସେହି ଯାତ୍ରା ଦେଖିବାକୁ ଅଳିକଲେ । ତହୁଁ ଯାତ୍ରା ଦଳକୁ ଡାକରା ହେଲା । ତାଙ୍କର ପିଲା ପରିବାରମାନେ ଏବଂ ଆମଗାଁ ଲୋକେ ଯାତ୍ରା ଦେଖିଲେ । ପିଲାମାନଙ୍କ ଅନୁରୋଧରେ ରାତି ପାହାନ୍ତାବେଳେ ଦୁଇ ବାବୁ ଆସି ଯାତ୍ରା ସ୍ଥାନରେ ବସି ଗୋଟାଏ ସାମୟିକ ଗୀତ ଗାଇବା ପାଇଁ ଫରମାସ କଲେ । ଯାତ୍ରାବାଲାମାନେ ଭାରି ଉତ୍ସାହରେ ମାତି ଉଠି ପଖାଉଜ ଶବ୍ଦରେ କର୍ଣ୍ଣ ବଧିର କରି ଦେଲେ । ତହିଁ ପରେ ଅଧୀର ପ୍ରାଣରେ ସାମୟିକ ଗୀତ ଗାଇ ବସିଲେ । ଗୀତଟାର ମୂଳ ପାଦ ଏହି–‘‘କିଏ ଚୋରି କରି ନେଇଗଲା ରେ ନବ ଯଉବନୀକୁ ମୋର-।’’ ଏହି ସାମୟୀକ ଗୀତ ଚରଣକ: ଶୁଣି ବାବୁ ଦୁହେଁ ମନେ ମନେ ବିରକ୍ତ ହୋଇ ଉଠିଗଲେ । ଲୀଳାବାଲାଙ୍କୁ କେହି କେହି ଥଟ୍ଟା ବିଦ୍ରୂପ କଲେ । ଉପସ୍ଥିତ ଓଡ଼ିଶାବାସୀ ବଙ୍ଗାଳିମାନେ ଓଡ଼ିଆଗୀତ ଏବଂ ଓଡ଼ିଆଯାତ୍ରାର ଭାରି ନିନ୍ଦା କଲେ । କାହିଁକି କେଜାଣି କବିତାରେ ମୁଁ ବେଶି ମୁଗ୍‌ଧ ହୁଏ, ଗଦ୍ୟ ମୋତେ ତେତେ ଆନନ୍ଦ ଦାନ କରି ପାରେ ନାହିଁ । ଓଡ଼ିଆ ଗୀତର ନିନ୍ଦା ଶୁଣି ମନରେ ଦୁଃଖ ଜାତ ହେଲା । ଯାତ୍ରାର ଦଳପତି ମୋର ଜଣେ ପ୍ରିୟତମ ବନ୍ଧୁ, ମୁଁ ତାଙ୍କୁ ଯାତ୍ରାର ସଂସ୍କାର ସକାଶ ପରାମର୍ଶ ଦେଲି । ସେ ମୋର ପରାମର୍ଶ ଗ୍ରହଣ କଲେ । ମୁଁ କେତେଗୁଡ଼ିଏ ଦେବ ଦେବୀଙ୍କ ବନ୍ଦନା ଲେଖିଦେଲି । ନାଟୁଆ ପିଲାଏ ତାହା ଶିଖି ଗାଇଲେ । ସେହି ଦିନଠାରୁ ଇତର ଅଭିନୟ ବନ୍ଦ ହୋଇ କବି ଜଗନ୍ନାଥ ପାଣିଙ୍କ ଯାତ୍ରା ଅଭିନୀତ ହେଲା । ଜଗନ୍ନାଥ ପାଣିଙ୍କ ଭକ୍ତି ରସର ଯାତ୍ରାକୁ ସେ କାଳର ଶିକ୍ଷିତ ଏବଂ ପରମାର୍ଥିମାନେ ଖୁବ୍‌ ପସନ୍ଦ କରୁଥିଲେ । ଅନ୍ୟାନ୍ୟ ଯାତ୍ରାଦଳ ରାତିକେ ଦୁଇ ତିନିଟଙ୍କା ନେଇ ଯାତ୍ରା କରନ୍ତି, ମାତ୍ର ଜଗନ୍ନାଥ ପାଣିଙ୍କ ଯାତ୍ରା ଅତି କମରେ ତିରିଶ ଟଙ୍କା ଊଣାରେ ହୁଏ ନାହିଁ ।

 

ଜଗନ୍ନାଥ ପାଣିଙ୍କ ଘର ନଳାଙ୍ଗ ଗ୍ରାମରେ । ସେ ବାଲ୍ୟକାଳରେ ତାତ୍କାଳିକ, ଚାଟଶାଳୀ ଶିକ୍ଷା ପାଇଥିଲେ । ଅମରକୋଷ ଅଭିଧାନ ତାଙ୍କର କଣ୍ଠସ୍ଥ ଥିଲା । କବି ସଂସ୍କୃତ ନଜାଣି ସରଳ ସଂସ୍କୃତରେ ଶ୍ଳୋକ ରଚନା କରି ପାରୁଥିଲେ । ତାଙ୍କ ଧ୍ରୁବଚରିତ ଏବଂ ପ୍ରହ୍ଲାଦଚରିତରେ ଶ୍ଳୋକ ଏବଂ ପୟାର ବହୁତ ଦେଖାଯାଏ । ଶ୍ଳୋକଗୁଡ଼ିକ ଯେଉଁ ପରି ସହଜ, ସେହିପରି ବିଶୁଦ୍ଧ । ଗୀତଗୁଡ଼ିକ ଯମକ ଅନୁପ୍ରାସ ବହୁଳ ହେତୁ ଅତ୍ୟନ୍ତ ଶ୍ରୁତିମଧୁର । ଭାବ ମଧ୍ୟ ବଡ଼ ଉପାଦେୟ । ତାଙ୍କର କୌଣସି କୌଣସି ଲେଖା ଠିକ୍‌ ଆଧୁନିକ ଲେଖାପରି ବୋଧହୁଏ । ପ୍ରଭାତ ବନ୍ଦନା ଏବଂ ସନ୍ଧ୍ୟାବର୍ଣ୍ଣନା ପ୍ରଭୃତି ସରସ ସ୍ୱଭାବୋକ୍ତିରେ ଅଳଙ୍କୃତ । ନଳାଙ୍ଗ ଗ୍ରାମରେ ‘‘ନଳେଶ୍ୱର’’ ’ମହାଦେବ ଅଧିଷ୍ଠିତ । କବି ସେହି ନିର୍ଜନ ଶିବମନ୍ଦିରରେ ବସି କବିତା ଲେଖୁଥିଲେ । ମହାଦେବଙ୍କ ବରରେ ସେ କବି ହୋଇଥିବାର କିମ୍ୱଦନ୍ତୀ ଅଛି । କବିଙ୍କୁ ପିଲାଦିନେ ମୁଁ ଦେଖିଅଛି । ମୂର୍ତ୍ତି ଶାନ୍ତି, ଶୀତଳ ଏବଂ କବିଜନୋଚିତ ଗଭୀର ଚିନ୍ତାଶୀଳ । ଗିରିଧାରୀ ଲାଲା ନାମରେ ଭଦ୍ରଖରେ ଆଉ ଜଣେ କବି ଥିଲେ । ତାଙ୍କର ମଧ୍ୟ ଉତ୍କୃଷ୍ଟ ଯାତ୍ରାଦଳ ଥିଲା । ଓଡ଼ିଆ, ବଙ୍ଗଳା, ହିନ୍ଦୀ, ପାରଶୀ, ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେ ସେ କବିତା ଲେଖି ପାରୁଥିଲେ । ତାଙ୍କର ହିନ୍ଦୀ ଦୁହାଗୁଡ଼ିକ ଅବଧି ଯାତ୍ରାମାନଙ୍କରେ ଚଳୁଅଛି । ସେ କାଳର ଯାତ୍ରା ଏବଂ ପାଲାବାଲାଙ୍କ ପ୍ରାଣରେ କିଛି କିଛି କବିତ୍ୱ ଥିଲା । ପୁଣି ଅନ୍ୟର ରଚନାକୁ ନିଜ ନାମରେ ଭଣତି କରିବା ଭଳି କବି ମଧ୍ୟ ଥିଲେ । ଅନେକ ଯାତ୍ରାଦଳର ଅଧ୍ୟକ୍ଷ ଏହିପରି ମାହାଳିଆ କବି ତିୟାର ହେଉଥିଲେ । କେହି କେହି ପୁଣି ନିଜର କବିତାକୁ ପ୍ରସିଦ୍ଧ କବିମାନଙ୍କ ନାମରେ ଚଳାଇ ଦେଉଥିଲେ । ମହାକବି ଉପେଦ୍ରଭଞ୍ଜଙ୍କ ନାମରେ ମଧ୍ୟ ଏହିପରି ଜାଲ୍‌ କବିତା ଅନେକ ଅଛି । ବଡ଼ ବଡ଼ କବିଙ୍କ ନାମରେ ଭଣତି କଲେ କବିତାର ଆଦର ବଢ଼ିବ ବୋଲି ଏକଶ୍ରେଣୀୟ ଲୋକର ବିଶ୍ୱାସ ଥିଲା । ସେମାନେ ବାସ୍ତବ କବିର ବାସ୍ତବ ପ୍ରତିଭାକୁ କଳଙ୍କିତ କରନ୍ତି । କବିତାର ଗୁଣ ଥିଲେ ଆପେ ଆପେ ସମାଦୃତ ହେବ, ମାତ୍ର ଅଲଣା କବିତାରେ ହଜାରେ ମହାକବିଙ୍କର ନାମ ଗୁଞ୍ଜିଲେ ସୁଦ୍ଧା ତାହା ଯେଉଁ ଅଲଣାକୁ ସେହି ଅଲଣା ହିଁ ରହିବ–ଅନେକ ହିମାଦ୍ରିସ୍ଥୂଳଜ୍ଞାନୀ ଏହା ବୁଝନ୍ତି ନାହିଁ । ସୁତରାଂ ଏଣୁ ତେଣୁ ଚାରିଧାଡ଼ି ଲେଖି ସେଥିରେ ବିଖ୍ୟାତ କବିଙ୍କ ନାମ ତାଳ ପକାଇ ସିଇଁ ଦିଅନ୍ତି । ଆଉ କେହି ଚିହ୍ନୁ ବା ନ ଚିହ୍ନୁ ମାତ୍ର ଯେ ଦରଜି ତାହା ଆଖିରେ ତାଳି ଛପି ରହିପାରେ ନାହିଁ । ପୂର୍ବେ କଥା କଥାକେ ସ୍ତ୍ରୀମାନେ ଛଟା ଢଗର ଆଶ୍ରୟ ନେଉଥିଲେ । ଅନେକ ମାଳିକା ଅଛି, ତାହା ବେଦବାକ୍ୟ ପରି ଅକ୍ଷରେ ଅକ୍ଷରେ ସତ୍ୟ । ତାହା ସବୁ ସଂଗ୍ରହ କରି ରଖିବା ଉଚିତ ।

 

(ପଣ୍ଡିତ ଗୋବିନ୍ଦରଥଙ୍କ ‘‘କବିତା କଳାପ’’ ବହୁ ବର୍ଷ ଯାଏଁ ଅପର ପ୍ରାଇମେରୀ ପାଠ୍ୟ ଥିଲା । ସେ ବର୍ଷ ତାହା ପରିବର୍ତ୍ତରେ ଭୂପତିନାଥ ବସୁ ଏବଂ ଚକ୍ରଧର ଆଚାର୍ଯ୍ୟଙ୍କ ‘‘କବିତାକୁସୁମ’’ ପାଠ୍ୟ ନିରୂପିତ ହେଲା । ତାହା ଅପେକ୍ଷାକୃତ କଠିନ । ଶିକ୍ଷକମାନେ ତାହା ବୁଝାଇ ପାରୁ ନ ଥିଲେ-।) ମୁଁ ସେହି ପୁସ୍ତକର ଖଣ୍ଡିଏ ବ୍ୟାଖ୍ୟା ଲେଖିଲି । କବିତାର ବାକ୍ୟାନ୍ୱୟ, ସରଳ ଅର୍ଥ, ଭାବାର୍ଥ, ଶବ୍ଦର ବ୍ୟୁତ୍ପତ୍ତି, ସମାସ ପ୍ରଭୃତି ଲିଖିତ ହେଲା । ସେ ସମୟରେ ଗୋବିନ୍ଦ ପ୍ରସାଦ ଦତ୍ତ ନାମରେ ଜଣେ ଇନ୍‌ସପେକ୍‌ଟିଂ ପଣ୍ଡିତ ସବ୍‌ଇନ୍‌ସପେକ୍‌ଟରଙ୍କ କିରାଣୀ ସ୍ୱରୂପ କାର୍ଯ୍ୟ କରୁଥିଲେ-। ସେ ମୋର ବ୍ୟାଖ୍ୟା ଦେଖି ବଡ଼ ସନ୍ତୁଷ୍ଟ ହେଲେ ଏବଂ ତାହା ନେଇ ସବ୍‌ଇନ୍‌ସପେକ୍‌ଟରଙ୍କୁ ଦେଖାଇଲେ । ଇ: ପଣ୍ଡିତମଣ୍ଡଳୀ ସହ ସ: ଇ: ତାହା ପାଠକରି ଖୁବ୍‌ ଉଚ୍ଚ ମନ୍ତବ୍ୟ ପ୍ରକାଶ କଲେ ଏବଂ ସେହି ବ୍ୟାଖ୍ୟା ଉତ୍ତାରି ନେଇ ପିଲାମାନଙ୍କୁ ପଢ଼ାଇବା ସକାଶ ସମସ୍ତ ଅ: ପ୍ରା: ସ୍କୁଲର ଶିକ୍ଷକମାନଙ୍କୁ ଆଦେଶ ଦେଲେ । ତଦନୁସାରେ କାର୍ଯ୍ୟ ମଧ୍ୟ ହେଲା । ପ୍ରତିବେଶୀ ଗ୍ରାମ ସାହାପୁରରେ ଗୋଟିଏ ଅ: ପ୍ରା: ସ୍କୁଲ ଥିଲା, ଉକ୍ତ ସ୍କୁଲର ଶିକ୍ଷକ ମୋର ପ୍ରତିବେଶୀ । ସାହିତ୍ୟ ଏବଂ ଜ୍ୟାମିତିରେ ସେ ବଡ଼ ଦୁର୍ବଳ । ସମୟ ସମୟରେ ସେ ମୋତେ ଡାକିନେଇ ପ୍ରଥମ ଶ୍ରେଣୀର ପିଲାମାନଙ୍କୁ ପଢ଼ାଇବା ପାଇଁ ଅନୁରୋଧ କରନ୍ତି । ମୁଁ ସାହିତ୍ୟ, ଇତିହାସ, ଭୂଗୋଳ, ଜ୍ୟାମିତି ଏବଂ କ୍ଷେତ୍ର ପରିମାଣ ପିଲାମାନଙ୍କୁ ପଢ଼ାଏଁ । ସେ ବର୍ଷ ଉକ୍ତ ସ୍କୁଲର ଫଳ ଖୁବ୍‌ ଭଲ ହେଲା । ଅଧିକନ୍ତୁ ଗୋଟିଏ ପିଲା ବୃତ୍ତି ପାଇଲା । ସେଥିରେ ମୋର ସୁଖ୍ୟାତି ଟିକିଏ ବଢ଼ିଗଲା । ନିକଟବର୍ତ୍ତୀ ସ୍କୁଲର ଶିକ୍ଷକମାନେ ସମୟ ସମୟରେ ଆସି ମୋଠାରୁ ସାହିତ୍ୟ ବୁଝିଯାଇ ଛାତ୍ରମାନଙ୍କୁ ଶିକ୍ଷା ଦେଉଥିଲେ । ସେହି ସମୟରେ ମୁଁ କେତେଗୁଡ଼ିଏ ଭକ୍ତିରସର ଚୌପଦୀ ଲେଖିଥିଲି । ଯାତ୍ରାବାଲାମାନେ ତାହା ପିଲାଙ୍କୁ ଶିଖାଇ ଆଦର ପୂର୍ବକ ବ୍ୟବହାର କଲେ । ବର୍ତ୍ତମାନ ସେ ଚୌପଦୀଗୁଡ଼ିକ ବହୁ ଚେଷ୍ଟାରେ ମିଳି ପାରିଲା ନାହିଁ । ସେ ଗୁଡ଼ିକ ମୁଁ ଯାତ୍ରାଦଳର ଅଧିକାରୀଙ୍କ ନାମରେ ଭଣତି କରିଥିଲି । ଏହିପରି ଆତ୍ମଗୋପନ ଭାବରେ ସାହିତ୍ୟଚର୍ଚ୍ଚା ଚାଲିଥାଏ, ତାହା ମୋର ଅନ୍ତରଙ୍ଗ ବନ୍ଧୁମାନେ ସୁଦ୍ଧା ଜାଣନ୍ତି ନାହିଁ ।

 

ଦୁଇ ବର୍ଷ କାଳ ଏକଟିଂରେ କଟିଲା ପରେ ହରିଶଙ୍କରପୁର ଖାସମାହାଲ ଅପର ପ୍ରାଇମେରୀ ସ୍କୁଲରେ ମୁଁ ସ୍ଥାୟୀ ଭାବରେ ନିଯୁକ୍ତ ହେଲି । ସ୍କୁଲ ବସିଲା ଦିନରୁ ସେଠାରୁ ପରୀକ୍ଷାକୁ ଛାତ୍ର ପ୍ରେରିତ ହୋଇ ନ ଥିଲେ । ମୁଁ ଚାର୍ଜ ନେବା ବେଳକୁ ପରୀକ୍ଷା ଆଉ ଚାରିମାସ ଥିଲା । ପ୍ରଥମ ଶ୍ରେଣୀରେ ଦୁଇଟି ଛାତ୍ର ଥିଲେ । ପାଠ୍ୟପୁସ୍ତକ ମଧ୍ୟରୁ କେତେ ଖଣ୍ଡ ଆରମ୍ଭ ସୁଦ୍ଧା ହୋଇ ନ ଥିଲା-। ଯାହା ହେଉ ଦିନ ରାତି ଲାଗି ଉକ୍ତ ଦୁଇଜଣ ଛାତ୍ରଙ୍କୁ ପରୀକ୍ଷାକୁ ପଠାଇଲି, ସୁଖର ବିଷୟ ଦୁହେଁଯାକ ପାସ କଲେ । ପରବର୍ତ୍ତୀ ବର୍ଷ ଚାରିଜଣ ପରୀକ୍ଷା ଦେଇ ସମସ୍ତେ ପାସ କଲେ । ଅଧିକନ୍ତୁ ଜଣେ ଛାତ୍ର ଜିଲାର ପ୍ରଥମସ୍ଥାନ ଅଧିକାର କରି ବୃତ୍ତି ପାଇଲା । ହରିଶଙ୍କରପୁର ଗୋଟିଏ ରମଣୀୟ ସ୍ଥାନ । ଗ୍ରାମ ବାହାରେ ରାମେଶ୍ୱର ମହାଦେବଙ୍କ ମନ୍ଦିର ଏବଂ ଗୋଟିଏ ପୁଷ୍କରିଣୀ ଅଛି-। କଥିତ ହୁଏ, ରାମଚନ୍ଦ୍ର ବନବାସ କାଳରେ ଏହି ଶିବ ଲିଙ୍ଗ ସ୍ଥାପନ କରି ପୂଜା କରିଥିଲେ । ରାମେଶ୍ୱରଙ୍କର ଖୁବ୍‌ ନାମ ଡାକ, ଲୋକେ ତାଙ୍କୁ ନଡ଼ିଆ ମାନସିକ କରନ୍ତି । ହରିଶଙ୍କରପୁର ବଡ଼ ଗ୍ରାମ ନୁହେଁ, ତଥାପି ଗ୍ରାମବାସୀ ଦୁଇଦଳ । ଗ୍ରାମର ଦୁଇ ସରବରାକାର ଦଳପତି, ସେମାନେ ପୁଣି ଦୁଇଭାଇ । ଏକ ଅନ୍ନରେ ଥାଆନ୍ତି ତଥାପି ବିରୋଧ ଚାଲିଥାଏ । କଥା କଥାକେ ଏକଦଳ ଅନ୍ୟଦଳକୁ ଆକ୍ରମଣ କରେ । ପିଟାପିଟି ଲାଗେ, ମାଲିମୋକଦ୍ଦମା ହୁଏ, ଜମିଦାରକୁ ତଣ୍ଡ ଦେବାକୁ ହୁଏ–ଏହିପରି ଲାଗିଥାଏ । ପିଲାଠାରୁ ବୁଢ଼ାଯାଏ ହେମନ୍ତିଆ ପଣରେ ଅଦ୍ୱିତୀୟ । ଏହି ଗ୍ରାମର ଲୋକେ ଜମିଦାର ସଙ୍ଗରେ ଯୁଦ୍ଧ କରିଥିଲେ ବୋଲି ସେମାନଙ୍କ ବଂଶଧରମାନେ ଅବଧି ବଡ଼େଇ କରନ୍ତି । ଏ ଗ୍ରାମର କାଶୀନାଥ ସେନାପତି ମୋର ପ୍ରଥମ ଛାତ୍ର । ତାହା ପରି ଗୁରୁଭକ୍ତିପରାୟଣ ଛାତ୍ର କୋଟିକେ ଗୋଟିଏ ମିଳିବା ଦୁର୍ଲଭ । ପିତାଙ୍କର ଅନିଚ୍ଛାସତ୍ତ୍ୱେ ସେ ନିଜ ଶିଙ୍ଗରେ ମାଟିଖୋଳି ସର୍ଭେ ପାସ କରିଥିଲା । ବାଲେଶ୍ୱରରେ କାନୁନଗୋ କାର୍ଯ୍ୟରେ ଥିବା ସମୟରେ ତାହାର ଅକସ୍ମାତ୍‌ ମୃତ୍ୟୁ ଘଟିଲା । ସଜ୍ଜନ ସ୍ୱଳ୍ପାୟୁ, ଏହା ବିଧିଲିପି । କାଶୀନାଥ ଚରିତ୍ରରେ ଦେବତା, ବଡ଼ ଘରର ପୁଅ ବୋଲି ତାହାର ତିଳେ ମାତ୍ର ଅଭିମାନ ଥିଲା ନାହିଁ, ବରଂ ସବୁବେଳେ ଗରିବ ବୋଲି ପରିଚୟ ଦିଏ ଏବଂ ଗରିବଙ୍କ ସଙ୍ଗରେ ମିଶିବାକୁ ଭଲ ପାଏ ।

 

ହରିଶଙ୍କରପୁରର ତିନି ପାଖରେ ସାଳନ୍ଦୀ ନଦୀର ଗୋଟିଏ ଶାଖା ଘେରି ରହିଅଛି । କେବଳ ଦକ୍ଷିଣ ପାଖଟା ମୁକୁଳା, ମାତ୍ର ସେ ପାଖରେ ଗାଁ ଗଣ୍ଡା ନାହିଁ । ଯେଉଁ ତିନି ପାଖ ନଦୀରେ ଆବଦ୍ଧ ସେହି ପାଖମାନଙ୍କରେ ଅନେକ ଗ୍ରାମ ଅଛି । ଚତୁର୍ମାସ୍ୟା ସମୟରେ ନଈ ପାରି ହୋଇ ସେ ପାଖର ଲୋକମାନଙ୍କ ପକ୍ଷରେ ହରିଶଙ୍କରପୁର ଆସିବା ବଡ଼ ଅସୁବିଧାଜନକ । ନୂଆ ଶାସନ ଗ୍ରାମ ପାଖରେ ନଦୀ ଉପରେ ତାଳ ବା ଖଜୁରୀ ଗଛ ଶୋଇଦେଇ ସେହି ଗଛ ଉପରେ ଲୋକେ ଯିବା ଆସିବା, ମାତ୍ର ପିଲାମାନଙ୍କ ପକ୍ଷରେ ସେପରି ବାଉଁଶ ବା ତାଳଗଛ ଶଙ୍ଖ ନିରାପଦ ନୁହେଁ । ସେହି ଅସୁବିଧା ହେତୁ ସ୍କୁଲରେ ଅଧିକ ପିଲା ହୁଅନ୍ତି ନାହିଁ । ଛାତ୍ରାଭାବରୁ ଦୁଇ ବର୍ଷ ପରେ ହରିଶଙ୍କରପୁର ସ୍କୁଲ କୁମାରପୁରକୁ ଉଠିଗଲା । ପ୍ରଥମ ବର୍ଷ ସେଠାରୁ ଦୁଇଟି ପିଲା ପାସ କଲେ । ଗୋଟିକର ବୟସ ଷୋଳବର୍ଷ ହେତୁ ସେ ଦାବୀ ସତ୍ତ୍ୱେ ବୃତ୍ତି ପାଇ ପାରିଲା ନାହିଁ । ପରବର୍ତ୍ତୀ ବର୍ଷ ଠାରୁ ପ୍ରତିବର୍ଷ ବୃତ୍ତି ଲାଗି ରହିଲା । ସ୍କୁଲର ସୁଖ୍ୟାତି କ୍ରମେ ବଢ଼ିଲା, ସେହି ସୁଖ୍ୟାତି ରକ୍ଷା କରିବା ସକାଶ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଲା । ଏ ସ୍କୁଲଟି ମୋର ଉନ୍ନତିର ଦ୍ୱାର ସ୍ୱରୂପ, ସଙ୍ଗ ସୁବିଧା ମଧ୍ୟ ମିଳିଲା । ଏହିଠାରୁ ମୋର କବିତା ଲେଖା ଆରମ୍ଭ ହେଲା । ଗୋଟିଏ ଖାତାରେ କେତୋଟି ଖଣ୍ଡ କବିତା ଲେଖିଲି । ଖାତା ଖଣ୍ଡି ଖୁବ୍‌ ଗୋପନରେ ରଖିଥାଏଁ । ତେତେବେଳେ ବାଲେଶ୍ୱରବାସୀ ରମାନାଥ ବାବୁ ସ୍କୁଲ ସବ୍‌ଇନ୍‌ସପେକ୍‌ଟର ଥିଲେ । ଦିନେ ସେ ପରୀକ୍ଷା କରି ସାରି ସ୍କୁଲରେ ଖାତାପତ୍ର ଦେଖୁଁ ଦେଖୁଁ ତାହାରି ଭିତରେ ମୋର କବିତା ଖାତା ଖଣ୍ଡି ଦେଖିଲେ । ନିବିଷ୍ଟ ଚିତ୍ତରେ କବିତାଗୁଡ଼ିକ ପଢ଼ି ସାରି ମୋତେ କହିଲେ–ତୁମ୍ଭେ କବିତା ଲେଖ ବୋଲି ମୁଁ ଜାଣି ନ ଥିଲି କିମ୍ବା ଶୁଣି ବି ନ ଥିଲି । ବୋଧହୁଏ ଏହା ତୁମ୍ଭର ଆତ୍ମଗୋପନ ଭାବ । ତହୁଁ କବିତା ରଚନା ସମ୍ୱନ୍ଧରେ ଅନେକ କଥା ପଡ଼ିଲା । କବିତା ଲେଖିବା ସକାଶ ମୋତେ ଆଶାତୀତ ଉତ୍ସାହ ଦେଲେ । ଖାଲି ଉତ୍ସାହ ଦେଇ କ୍ଷାନ୍ତ ହେଲେ ନାହିଁ,–ଯଥେଷ୍ଟ ଉତ୍ତେଜିତ ମଧ୍ୟ କଲେ । ସେହି ଜୀବନ୍ତ ଉତ୍ତେଜନା ମୋ ପ୍ରାଣ ମଧ୍ୟରେ ଗୋଟିଏ ଶକ୍ତି ପୂରାଇ ଦେଲା । ରମାନାଥ ବାବୁ ଯିବାବେଳେ କହିଗଲେ–ତୁମ୍ଭେ ଯେବେ ଘରକୁ ଯାଉଥିବ, ମୋ ସଙ୍ଗରେ ନିଶ୍ଚୟ ଦେଖାକରୁଥିବ । ଏହି ଉତ୍ସାହ-ସହାନୁଭୂତିକୁ ସମ୍ୱଳ କରି ମୁଁ ନିୟମିତରୂପେ ଲେଖିବାକୁ ଆରମ୍ଭ କଲି । ଘରକୁ ଆସିଲେ ରମାନାଥ ବାବୁଙ୍କ ସଙ୍ଗେ ସାହିତ୍ୟ ଆଲୋଚନାରେ ସମୟ ଯାଏ । ଆମ ଘରଠାରୁ ତାଙ୍କ ବସା ପ୍ରାୟ ଦୁଇଶ ହାତ ଅନ୍ତର ହେବ । ସେହି ବସାରେ ତାଙ୍କର ଅଫିସ ହୁଏ । ଜହ୍ନ ରାତିରେ ସାଳନ୍ଦୀ ନନ୍ଦୀର କୋମଳ ବାଲୁକା-ଗଦିରେ ବସି ଲେଖିବାକୁ ମୋତେ ବଡ଼ ସୁଖ ଲାଗେ । ନଈ ବାଲିରେ ନିର୍ଜନ ଚନ୍ଦ୍ରାଲୋକରେ ବସି ପୁସ୍ତକ ପାଠର ଅଭ୍ୟାସ ମୋର ବାଲ୍ୟକାଳରୁ ଥିଲା । ସେ ଯେ କି ସୁଖ–କି ଆନନ୍ଦ, ତାହା ଭୁକ୍ତଭୋଗୀ ଛଡ଼ା ଅନ୍ୟ କେହି ବୁଝି ପାରିବ ନାହିଁ, କିମ୍ବା କଥାରେ ବୁଝାଇ କହି ହେବ ନାହିଁ । ସେ ସୁଖର ମୂଲ୍ୟ–ଅମୂଲ୍ୟ ।

 

ରମାନାଥ ବାବୁ ବ୍ରାହ୍ମ ଧର୍ମାବଲମ୍ୱୀ ୠଷି ପ୍ରକୃତିକ ସଜ୍ଜନ ବ୍ୟକ୍ତି, କର୍ତ୍ତବ୍ୟ ନିଷ୍ଠାରେ ତାଙ୍କୁ କେହି ବଳିଯିବ ନାହିଁ । ଦୋଷ ଦେଖିଲେ ସେ ଛାଡ଼ିବାର ପାତ୍ର ନୁହନ୍ତି । ସେ କହନ୍ତି–ଦୋଷ ଦେଖି ଛାଡ଼ି ଦେଲେ ଈଶ୍ୱର ମୋତେ ଦଣ୍ଡଦେବେ । ତାଙ୍କ ଅମଳରେ ଶିକ୍ଷକମାନେ ଖୁବ୍‌ ସାବଧାନ ଥିଲେ । ସେ ଯାହାକୁ ସତ୍ୟବାଦୀ ବୋଲି ଜାଣନ୍ତି, ତାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି । ସେ କାଳର ଶିକ୍ଷାବିଭାଗ ବଡ଼ ପବିତ୍ର–ବଡ଼ ନିର୍ମଳ ଥିଲା । ରମାନାଥ ବାବୁ ଜଣେ ସାହିତ୍ୟିକ ଏବଂ ଗ୍ରନ୍ଥକାର । ତାଙ୍କର କେତେ ଖଣ୍ଡ ପୁସ୍ତକ ଶିକ୍ଷାବିଭାଗରେ ଚଳୁଥାଏ । ସେ ତତ୍ତ୍ୱଗୀତା ନାମରେ ବ୍ରାହ୍ମ-ଧର୍ମ ପୁସ୍ତକ ଲେଖୁଥାଆନ୍ତି, ତାହା ସାତ ଖଣ୍ଡରେ ବିଭକ୍ତ । ସୃଷ୍ଟିତତ୍ତ୍ୱ, ଧର୍ମତତ୍ତ୍ୱ ଲେଖା ପରେ ସେ ବ୍ରହ୍ମତତ୍ତ୍ୱ ଖଣ୍ଡ ଲେଖୁଥାଆନ୍ତି । ଦିନେ ମୋତେ ପାଣ୍ଡୁଲିପିଗୁଡ଼ିକ ପଢ଼ିବାକୁ ଦେଇ ନିର୍ଭୟରେ ଭ୍ରମପ୍ରସାଦ ବ୍ୟକ୍ତ କରିବାକୁ ଆଦେଶ ଦେଲେ । ମୁଁ ଦୁଇ ଚାରିଟି ଦୋଷ ଦେଖାଇ ଦେଲି, ତାଙ୍କଠାରୁ ଆଦେଶ ପାଇ ତାହା ସଂଶୋଧନ ମଧ୍ୟ କରିଦେଲି । ସେ ଏତିକିରେ କୃତଜ୍ଞତାରେ ମୋତେ କିଣି ନେଲେ । ସେହି ଦିନଠାରୁ ବନ୍ଧୁତା କ୍ରମେ କ୍ରମେ ବଢ଼ି ପ୍ରଗାଢ଼ ହୋଇ ଉଠିଲା । ତାଙ୍କର ‘‘ଗୀତିମାଳା’’ ନିମ୍ନ ପ୍ରାଇମେରୀର ପାଠ୍ୟ ଥିଲା । ବର୍ଷେ ତାହା ଉଠିଯାଇ ମଧୁରାଓଙ୍କ ‘‘ଛାନ୍ଦମାଳା’’ ପାଠ୍ୟ ହେଲା । କିନ୍ତୁ ରମାନାଥବାବୁ ଛାଡ଼ିବାର ପାତ୍ର ନୁହନ୍ତି । ସେ ‘‘ଗୀତିମାଳା’’ ସଂଶୋଧନ କରି ପାଣ୍ଡୁଲିପି ଦେଖିବା ପାଇଁ ରାଧାନାଥବାବୁଙ୍କ ପାଖକୁ ପଠାଇଲେ । ସେଥିରେ ବସନ୍ତ ବର୍ଣ୍ଣନାରେ ଗୋଟାଏ ଧାଡ଼ି ଥିଲା–‘‘ନବ ପତ୍ର କିଶଳୟେ ଶୋଭିଲା ଦିଶେ ଅତି ଶୋଭନ ।’’ ରାଧାନାଥବାବୁ ସେହି ଧାଡ଼ି ତଳେ ଗାର ଦେଇ ଲେଖିଲେ–‘‘ଅତି ଦୁର୍ବଳ ପଙ୍‌କ୍ତି, ପରିବର୍ତ୍ତନ ଆବଶ୍ୟକ ।’’ ରମାନାଥବାବୁ ମୋତେ ତାହା ଦେଖାଇ ସଂଶୋଧନ କରିଦେବାକୁ କହିଲେ । ମୁଁ ସାମାନ୍ୟ ପରିବର୍ତ୍ତନ କରି ଏହି ପରି କରିଦେଲି–‘‘ ସୁଚାରୁ ନବୀନ ମୁକୁଳେ ଦିଶେ ଅତି ଶୋଭନ-।’’ ବାବୁଙ୍କ ମନକୁ ତାହା ବେଶ୍‌ ଘେନିଲା । ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ପୁଣି ପାଣ୍ଡୁଲିପି ପ୍ରସ୍ତୁତ ହୋଇ ରାଧାନାଥବାବୁଙ୍କ ନିକଟକୁ ଗଲା । ଏଥର ସେ ପୂର୍ବପରି ଧାଡ଼ିଟିକୁ ରେଖାରୂଢ଼ କରି ଲେଖିଲେ– ‘‘ଅତି ସୁନ୍ଦର ହୋଇଅଛି ।’’ ସାଧୁ ସତ୍ୟବାଦୀ ରମାନାଥବାବୁ ସେ ପ୍ରଶଂସା ନିଜ ଦେହକୁ ନ ନେଇ ପରିଚୟ ସହ ମୋ ଦ୍ୱାରା ସଂଶୋଧିତ ହୋଇଅଛି ବୋଲି ରାଧାନାଥବାବୁଙ୍କୁ ପତ୍ର ଦ୍ୱାରା ଜଣାଇ ଦେଲେ । କର୍ତ୍ତବ୍ୟନିଷ୍ଠା ଏବଂ ସତ୍ୟବାଦିତା ହେତୁ ରାଧାନାଥବାବୁ ତାଙ୍କୁ ଖୁବ୍‌ ଆଦର କରୁଥିଲେ । ସଂଶୋଧିତ ଗୀତମାଳା ପରବର୍ତ୍ତୀ ବର୍ଷ ପୁଣି ବାଲେଶ୍ୱର ଜିଲ୍ଲାରେ ପୂର୍ବପରି ପାଠ୍ୟ ହେଲା ।) ତତ୍ତ୍ୱଗୀତାର ଭୂମିକାରେ ସେ ମୋର ନାମ ଉଲ୍ଲେଖ କରିଥିଲେ । ତାଙ୍କ କୃତ ‘‘ସରଳକ୍ଷେତ୍ର ପରିମାଣ’’ରେ ମୁଁ କେତେଗୁଡ଼ିଏ ନୂତନ ଅଙ୍କ ଅଧିକା ଯୋଗ କରିଥିଲି । ଏହି ସମୟରେ ମୋର ଶିକ୍ଷା ବହୁମୁଖୀ ଆକାର ଧାରଣ କଲା । ପାଠ୍ୟପୁସ୍ତକର ବହୁ ବିଷୟ ଶିକ୍ଷାଦାନ ଛଳରେ ଅନୁଶୀଳନ କରିବାକୁ ହେଲ। । ପୁଣି ଉପଯୁକ୍ତ ସଙ୍ଗୀ ପାଇ ସାହିତ୍ୟାଲୋଚନାରେ ସୁବିଧା ମିଳିଲା । ତେତେବେଳେ ‘‘ସମ୍ବଲପୁର ହିତୈଷିଣୀ’’ ବିଶେଷ ପ୍ରଭାବ ବିସ୍ତାର କରିଥିଲା । ଦେଶୋନ୍ନତିର ସକଳବିଭାଗରେ ଆଲୋଚନା ସେଥିରେ ହେଉଥିଲା । ବିଶେଷତଃ ସାହିତ୍ୟରେ ନବଜାଗରଣ ଆଣିବା ତାହାର ଲକ୍ଷ୍ୟ ଥିଲା । କବିବର ରାଧାନାଥ, ମଧୁସୂଦନ, ବିଶ୍ୱନାଥ କର, ଲାଲାରାମନାରାୟଣ ରାୟ, ଗଙ୍ଗାଧର ମେହେର, ବାମଣ୍ତାର ରାଜା ସୁଢ଼ଳଦେବ ପ୍ରମୁଖ ସାହିତ୍ୟରଥୀମାନଙ୍କର ଲେଖାବଳୀ ସେଥିରେ ବାହାରୁଥିଲା-। ସ୍ଥୂଳତଃ ସାରସ୍ୱତ ଜ୍ୟୋତିରେ ସାପ୍ତାହିକ ହିତୈଷିଣୀର କଳେବର ଆଲୋକିତ ହେଲା । ରମାନାଥ ବାବୁଙ୍କ ନାମରେ ହିତୈଷିଣୀ ଆସୁଥିଲା । ରମାନାଥ ବାବୁଙ୍କ ପ୍ରେରଣାରେ ମୁଁ ହିତୈଷିଣୀର ଗ୍ରାହକ ହେଲି । ପୁସ୍ତକ ପତ୍ରିକା ସକାଶ ମୋତେ ଅନେକ ଥର ପରର ଦ୍ୱାରସ୍ଥ ହେବାକୁ ପଡ଼ୁଥିଲା । ତେତେବେଳେ ଏତେ ପୁସ୍ତକ ବା ପତ୍ରିକା ଥିଲା ନାହିଁ । କେହି କେହି ବଙ୍ଗଳା ପତ୍ରିକା ‘‘ବଙ୍ଗବାସୀ’’ ଅଣାଉଥିଲେ । ତେତେବେଳେ ପଣ୍ଡିତ କୃଷ୍ଣଚନ୍ଦ୍ର ବନ୍ଦୋପାଧ୍ୟାୟ ବଙ୍ଗବାସୀର ସମ୍ପାଦକ । ଲେଖକ ହିସାବରେ ସେ ସରସ୍ୱତୀଙ୍କର ବରପୁତ୍ର । ଓଡ଼ିଆ ପତ୍ରିକା ମଧ୍ୟରେ ‘‘ଉତ୍କଳଦୀପିକା’’ର ପ୍ରଚାର ବଢ଼ୁଥାଏ । ଦୀପିକାର ଲେଖାଗୁଡ଼ିକ କଚେରିଆ ଧରଣର ଥିଲା । ଏହି ସମୟରେ ମୋ ଭାଗ୍ୟରେ ଦୁଇଜଣ ସୁବନ୍ଧୁ ବିଧାତା ଘଟାଇଦେଲେ । ଜଣେ ଜଗବନ୍ଧୁ ମହାପାତ୍ର ଏବଂ ଆଉ ଜଣେ ପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ । ଜଗବନ୍ଧୁ ବାବୁ ସ୍ୱନାମଧନ୍ୟ ମଧୁସୂଦନ ମହାପାତ୍ରଙ୍କର କନିଷ୍ଠପୁତ୍ର । ମଧୁସୂଦନ ମହାପାତ୍ର ଗୁଆମାଳ ଅଞ୍ଚଳକୁ ପ୍ରଥମେ ଶିକ୍ଷାଲୋକ ଆନୟନ କରିଥିଲେ । ବର୍ତ୍ତମାନ ଗୁଆମାଳ ସେହି ଆଲୋକରେ ଆଲୋକିତ । ମଧୁସୂଦନଙ୍କ ସଂକ୍ଷିପ୍ତ ଜୀବନୀ ମୋର ‘‘ବିବିଧଚିନ୍ତା’’ ପୁସ୍ତକରେ ସନ୍ନିବେଶିତ ହୋଇଅଛି । ଜଗବନ୍ଧୁ ବାବୁ ଆଇ, ଏ, ପରୀକ୍ଷା ଦେଇ ଫେଲ୍‌ ହୋଇଥିଲେ ମାତ୍ର ପଛକୁ ନିଜ ଅଧ୍ୟବସାୟବଳରେ ଜ୍ଞାନ ଗରିମାରେ ଗ୍ରାଜୁଏଟଙ୍କୁ ବଳିଯାଇଥିଲେ । ଇଂରାଜୀ ସାହିତ୍ୟ ଏବଂ ମାତୃସାହିତ୍ୟରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ସେ କିଛିକାଳ ଦୋଳସାହି ମାଇନର ସ୍କୁଲର ହେଡ଼ମାଷ୍ଟର ଥିଲେ । ପ୍ରତିଦିନ ସେ କୁମାରପୁର ସ୍କୁଲକୁ ଆସନ୍ତି । ସେକ୍‌ସପିଅର, ମିଲଟନ୍‌ ପ୍ରଭୃତିଙ୍କର ଲେଖା ସେ ମୋତେ ବୁଝାଇ ଦିଅନ୍ତି । ଦୁହେଁ ଏକାସନରେ ବସି କବିତା ଲେଖୁଁ । ପରସ୍ପରର ଲେଖା ପରସ୍ପର ସଂଶୋଧନ କରୁଁ-। ତାଙ୍କଠାରୁ ମୁଁ ସାମାନ୍ୟ ଇଂରାଜୀଶିକ୍ଷା ମଧ୍ୟ କରିଥିଲି । ମାତ୍ର ବୃଦ୍ଧାବସ୍ଥାରେ ତାହା ମୁଢ଼ୀ କିଣାରେ ଖର୍ଚ୍ଚ ହୋଇ ସାରିଲାଣି । ରମାନାଥ ବାବୁଙ୍କ ପ୍ରବର୍ତ୍ତନାରେ ମୁଁ ହିତୈଷିଣୀରେ ଲେଖିବାକୁ ଆରମ୍ଭ କଲି । ଜଗବନ୍ଧୁ ବାବୁ ମଧ୍ୟ ମୋହରି ପନ୍ଥା ଧରିଲେ । ଦୁହେଁ ନିୟମିତ ଭାବରେ ଗଦ୍ୟ ପଦ୍ୟ ଲେଖିବାକୁ ଲାଗିଲୁଁ । ଏହି ସୂତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସହିତ ପରିଚୟ ହେଲା-। ଦୁହିଙ୍କ ଲେଖା ସେ ପତ୍ରିକାସ୍ଥ କରି ଉତ୍ସାହିତ କଲେ । ଅଧିକନ୍ତୁ ପତ୍ର ଲେଖି ପ୍ରାଣରେ ଉତ୍ତେଜନାର ଅମୃତଧାରା ଢାଳିଦେଲେ । ନୀଳମଣି ବାବୁ ତେତେବେଳେ ହିତୈଷିଣୀର ପ୍ରତିଷ୍ଠାଶାଳୀ ସମ୍ପାଦକ ଥିଲେ । ସେକାଳର ଉତ୍ସାହଦାତା ଏକାଳରେ ଏକାବେଳକେ ଦୁଲର୍ଭ । ଏକଥା ଭାବିଲେ ମନରେ ଦାରୁଣ ବେଦନା ଜାତ ହୁଏ । ସେକାଳର ଲୋକଙ୍କର କି ଦେବହୃଦୟ ଥିଲା । ଜଗବନ୍ଧୁ ବାବୁ ଏବଂ ମୁଁ ଅଧେ ଅଧେ ଭାଗଦେଇ ନାନାପ୍ରକାର ପୁସ୍ତକ ଏବଂ ପତ୍ରିକା ଅଣାଇ ପଢ଼ିବାକୁ ଲାଗିଲୁଁ ।

 

କୁମାରପୁରର ନିକଟବର୍ତ୍ତୀ ଗଣେଶ୍ୱରପୁର ଶାସନରେ ଗୋଟିଏ ସଂସ୍କୃତ ଟୋଲ ଥିଲା । ପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ ସେହି ଟୋଲର ଅଧ୍ୟାପକ ନିଯୁକ୍ତ ହୋଇ ଆସିଲେ । ତାଙ୍କ ସଙ୍ଗରେ ପରିଚୟ ହେଲା । ସେ ସଂସ୍କୃତରେ ଅଗାଧ ପଣ୍ଡିତ । ଭାଷା ଜ୍ଞାନ ମଧ୍ୟ ତଦନୁରୂପ । ପ୍ରାଚୀନ ଛାନ୍ଦକାବ୍ୟମାନେ ତାଙ୍କର କଣ୍ଠସ୍ଥ । ବୈଦେହୀଶବିଳାସ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରଭୃତି କାବ୍ୟର ସେ ଖୁବ୍‌ ପ୍ରାଞ୍ଜଳ ଅର୍ଥ କରିପାରନ୍ତି । ଖୁବ୍‌ ମଧୁର ମନୋହର ସ୍ୱରରେ ଛନ୍ଦଗୀତ ମଧ୍ୟ ଗାଇ ପାରନ୍ତି । ସେ ପ୍ରତ୍ୟହ ସନ୍ଧ୍ୟାବେଳେ କୁମାରପୁର ସ୍କୁଲକୁ ଆସନ୍ତି । ଭାଙ୍ଗପିଆ ପରେ ଭଞ୍ଜସାହିତ୍ୟ, କବିସୂର୍ଯ୍ୟ ଚମ୍ପୂ, ଅଭିମନ୍ୟୁ, ଦୀନକୃଷ୍ଣ ପ୍ରଭୃତିଙ୍କର କାବ୍ୟାବଳୀ ଆଲୋଚିତ ହୁଏ । ସେ ଧାରାବାହିକରୂପେ ମୋତେ ତାହା ଅର୍ଥକରି ବୁଝାଇ ଦିଅନ୍ତି । ପ୍ରତ୍ୟୁପକାର ସ୍ୱରୂପ ମୋଠାରୁ ଇଂରାଜୀ ବର୍ଣ୍ଣମାଳା ଶିକ୍ଷା କରନ୍ତି । ଇଂରାଜୀ ବିଦ୍ୟାରେ ମୁଁ ଯେପରି ଧୂରନ୍ଧର ପଣ୍ଡିତ, ତାହା ପୂର୍ବରୁ କହିଅଛି । ସେ ମୋ ପରି ଭଟାଚାର୍ଯ୍ୟ ଗୁରୁ ପାଇ ଇଂରାଜୀବର୍ଣ୍ଣମାଳାତକ ଶିଖିପାରିଲେ ନାହିଁ । ସେଥିରେ ତାଙ୍କର ତୁଣ୍ଡ ଲେଉଟିଲା ନାହିଁ, ସୁତରାଂ ଅଧା ଅଧିରୁ ପାଠ ଛାଡ଼ିଦେଲେ । ଚୁଡ଼ାଖିଆ ତୁଣ୍ଡରେ ହେଡ଼ାଖିଆ ପାଠ ଆସିଲା ନାହିଁ ।

 

ପ୍ରତ୍ୟହ ପଣ୍ଡିତେ, ଜଗବନ୍ଧୁବାବୁ ଏବଂ ମୁଁ ବସି ହିତୈଷିଣୀ ପ୍ରଭୃତି ପତ୍ରିକାପାଠ ଏବଂ ସାହିତ୍ୟଚର୍ଚ୍ଚାରେ ଲାଗୁଁ । ତେତେବେଳେ ‘‘ଇନ୍ଦ୍ରଧନୁ’’ ଏବଂ ‘‘ବିଜୁଳି’’ ଦୁହେଁ ପ୍ରଭା ବିସ୍ତାରକରି ଉଠିଲେ ।

 

କାଲି ଏହି ପର୍ଯ୍ୟନ୍ତ ଲେଖା ହୋଇଥିଲା, କିନ୍ତୁ ଆଜି ଲେଖା ବନ୍ଦ । ଅଭିସମ୍ପାତ ଭଳି ଗୋଟାଏ ଦାରୁଣ ଦୁଃସମ୍ୱାଦ ଆଜି ଶୁଣାଗଲା । ଜଗତର ସର୍ବଶ୍ରେଷ୍ଠ ମାନବ ମହାତ୍ମାଗାନ୍ଧି ରାଜବନ୍ଦୀରୂପେ ଧୃତ ହୋଇଅଛନ୍ତି । ଗାନ୍ଧି ଅତିମାନବ ହେଉନ୍ତୁ ବା ନ ହେଉନ୍ତୁ–ମାହାତ୍ମା ହେଉନ୍ତୁ ବା ନ ହେଉନ୍ତୁ ମାତ୍ର ତେତିଶକୋଟି ଭାରତବାସୀଙ୍କର ଶ୍ରଦ୍ଧାଭକ୍ତିର ପାତ୍ର ହୋଇଅଛନ୍ତି । ଏତେ ଲୋକଙ୍କର ଶ୍ରଦ୍ଧାଭକ୍ତିରେ ଯଦି କିଛି ମାହାତ୍ମ୍ୟ ଥାଏ, ତେବେ ସେହି ମାହାତ୍ମ୍ୟହିଁ ଗାନ୍ଧିଙ୍କୁ ମହାମାନବ ବା ମହାତ୍ମା କରିଦେଇ ସାରିଅଛି । ଏ ରୂପ ଜଗତ୍‌ପୂଜ୍ୟ ବ୍ୟକ୍ତିଙ୍କ ବିପଦରେ କିଏ ବା ଦୁଃଖିତ ନ ହେବ ? ସେହି ଦୁଃଖରେ ଆଜି ପଞ୍ଜିକାଲେଖା ବନ୍ଦ ରହିଲା । ଦୁର୍ବଳ ଉପରେ ବଳପ୍ରୟୋଗ ପୌରୁଷ ନୁହେଁ–ଦୁର୍ବଳର ବଳପୁଷ୍ଟ କରିବା ହିଁ ପୌରୁଷ । ଦୁଃଖ କ୍ଷୋଭର ବିଷୟ ଶାସକବୃନ୍ଦ ତାହା ଭୁଲି ଯାଉଅଛନ୍ତି । କେବଳ ଏତିକି ଅଭିମାନ ପ୍ରକାଶ ଛଡ଼ା ଅଧୀନ ଜାତିର ଆଉ କିଛି ଅଧିକାର ନାହିଁ । ଯେ ପରାଧୀନ, ତାହାର ପୁଣି ମାନ ଗୋଟାଏ କଅଣ–ଅପମାନ ତାହାର ଲଲାଟ ଲିଖନ ।

 

ଆଜି ମହାତ୍ମାଗାନ୍ଧି କାରାମୁକ୍ତ ହେଲେ । ଏହି ଶୁଭସମ୍ୱାଦ ଶୁଣି ଆନନ୍ଦରେ ଅଧୀର ହୋଇ ପ୍ରଥମେ ଗୋଟିଏ ସଙ୍ଗୀତ ଲେଖି ପୁଣି ପଞ୍ଜିକା ଲେଖାରେ ଅଗ୍ରସର ହେଲି । ଅହିଂସାପ୍ରାଣ, ଜଗତ୍‌ପୂଜ୍ୟ ମହାତ୍ମାଗାନ୍ଧିଙ୍କୁ ବନ୍ଦୀକରି ରାଜପୁରୁଷଙ୍କର ପ୍ରଥମରେ ଭୁଲ ହୋଇଥିଲେ ସୁଦ୍ଧା ଶେଷ ବିଚାର ପ୍ରଶଂସନୀୟ । ମହାପୁରୁଷଙ୍କ ପୁଣ୍ୟସ୍ପର୍ଶରେ କାରଗାରର ଭାଗ୍ୟ ପବିତ୍ର ହେଲା । ସେ ପ୍ରସଙ୍ଗ ଯଥାସ୍ଥାନରେ ଲିଖିତ ହେବ । ସେ ସ୍ଥାନ ବହୁ ଦୂରରେ ଅଛି ।

କାରାମୁକ୍ତି

ହେ ମହାତ୍ମାଗାନ୍ଧି ମହାଯୋଗୀ ସନ୍ନ୍ୟାସୀ,

ତୁମ୍ଭ ଦରଶନେ ପୂତ ପୃଥିବୀବାସୀ । ଘୋଷା ।

କି ମହାକଠୋର ଯୋଗ

ସାଧୁଛି ହେ ତେଜି ଭୋଗ,

ମାତୃମହୀ ସମୁଦ୍ଧାର ମନେ ମନାସି ।୧।

ଧନ୍ୟ କଲ ଏ ଭାରତେ,

ପବିତ୍ର ଅହିଂସା ବ୍ରତେ,

ଧନ୍ୟ କଲ କାରା ପୁଣ୍ୟପାଦ ବିନ୍ୟାସି ।୨।

କାରା-ଗିରି ଗର୍ଭଭେଦି,

Unknown

ବାହାରିଲ ହେ ନିର୍ବେଦି

ପ୍ରଚଣ୍ଡ ମାର୍ତ୍ତଣ୍ଡ ପ୍ରାୟ ତେଜ ପ୍ରକାଶି ।୩।

ତୁମ୍ଭଙ୍କୁ ଦେଖି ହେ ଯତି,

ଜାଗ୍ରତ ଭାରତ ଶକ୍ତି,

କୋଟିଧାରେ ବହିଯାଏ ପୁଲକରାଶି ।୪।

ଜୟ ହେ ମହାତ୍ମାବର,

ବରପୁତ୍ର ଭାରତର,

ଜୟ ମା ଭାରତଭୂମି ଭାରତବାସୀ ।୫।

 

ନବ୍ୟସାହିତ୍ୟ ଭକ୍ତ ଲାଲା ରାମନାରାୟଣ ରାୟ ‘‘ଉତ୍କଳପ୍ରଭା’’ ମାସିକ ପତ୍ରିକାରେ ‘‘ବୈଦେହୀଶ ବିଳାସ’’ର ସମାଲୋଚନା ଆରମ୍ଭ କଲେ । ଉତ୍କଳପ୍ରଭା ମୟୂରଭଞ୍ଜର ରାଜଧାନୀ ବାରିପଦାରୁ ବାହାରୁଥିଲା । ସେଥିରୁ ସ୍ୱର୍ଗୀୟ କବିବର ରାଧାନାଥରାୟ, ଲାଲାରାମନାରାୟଣ, ଚନ୍ଦ୍ରମୋହନ ମହାରଣା ପ୍ରଭୃତି ସେକାଳର ପ୍ରସିଦ୍ଧ ଲେଖକମାନେ ଲେଖୁଥିଲେ, ଏବଂ ଗୁଣାନୁସାରେ ପୁରସ୍କାର ମଧ୍ୟ ପାଉଥିଲେ । ରାମନାରାୟଣ ବାବୁ ସମାଲୋଚନା ପ୍ରସଙ୍ଗରେ ଭଞ୍ଜକବିଙ୍କୁ ବିଦ୍ରୂପକରି କହିଲେ–‘‘ମାଙ୍କଡ଼ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେଲା ପ୍ରାଣ ।’’ ଅର୍ଥାତ୍‌ ପବିତ୍ର ରାମାୟଣ ଚିତ୍ରକୁ କବି ବିଭତ୍ସ ଭାବରେ ଆଙ୍କି ଅଛନ୍ତି । ଉତ୍କଳର ପ୍ରାତଃ ସ୍ମରଣୀୟ ମହାକବିଙ୍କର ଏ ଅବମାନନାରେ ସାହିତ୍ୟ ଜଗତ୍‌ ତାତି ଉଠିଲା । ସାହିତ୍ୟ ରାଜ୍ୟରେ ଶତମୁଖୀ ବିଜୁଳି ଖେଳିଗଲା । ଆକାଶ କଡ଼ କଡ଼ ଡାକିଲା–ଉତ୍କଳ ସାହିତ୍ୟରେ ଗୋଟାଏ ନବଜୀବନର ଜ୍ୟୋତିର୍ମୟ ସ୍ରୋତ ବହିଗଲା । ଭଞ୍ଜକବିଙ୍କ ଭକ୍ତମାନେ ପ୍ରଚଣ୍ଡ ବୀରବେଶରେ ବଜ୍ରନାଦରେ ପ୍ରତିବାଦ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ସେମାନେ ‘‘ଇନ୍ଦ୍ରଧନୁ’’ ନାମରେ ଖଣ୍ଡିଏ ପତ୍ରିକା ବାହାର କଲେ । ତେଣେ ବିପକ୍ଷଦଳ ‘‘ବିଜୁଳି’’ ନାମରେ ଖଣ୍ଡେ ପତ୍ରିକା ବାହାରକରି ମହାଲେଖନୀ ସମରର ପ୍ରବୃତ୍ତ ହେଲେ । ଇନ୍ଦ୍ରଧନୁ ସାତରଙ୍ଗର କାଗଜରେ ପ୍ରକାଶିତ ହେଲା । କିନ୍ତୁ ବିଜୁଳି ଏକରଙ୍ଗୀ । ଇନ୍ଦ୍ରଧନୁ କଟକରୁ ଏବଂ ବିଜୁଳି ବାମଣ୍ଡାରୁ ବାହାରିଲା । ଇନ୍ଦ୍ରଧନୁର ମୂଲ୍ୟ ଦୁଇପଇସା ମାତ୍ର ବିଜୁଳି ଅ–ମୂଲ୍ୟ । ଉତ୍କଳଦୀପିକାର ସମ୍ପାଦକ ଗୌରୀଶଙ୍କର ରାୟ, ସୁଦାମଚରଣ ନାୟକ, ଗୋପାଳପ୍ରସାଦ ଦାସ, ବାଲେଶ୍ୱର ଦୈତ୍ୟାରି ଶଙ୍ଖୁଆ (ପରେ ଦାସ) ପ୍ରଭୃତି ଅନେକ ବିଶିଷ୍ଟବ୍ୟକ୍ତି ଇନ୍ଦ୍ରଧନୁର ଚାଳକ, ଲେଖକ ଏବଂ ପୃଷ୍ଠପୋଷକ ଥିଲେ । ବିଜୁଳିର ପୃଷ୍ଠପୋଷକ ସାହିତ୍ୟବନ୍ଧୁ ବାମଣ୍ଡାରାଜା ସୁଢ଼ଳଦେବ ଏବଂ ହିତୈଷିଣୀ ପତ୍ରିକା । ଆହୁରି ଅନେକ ବିଶିଷ୍ଟ ଏବଂ ଉଚ୍ଚ ଶିକ୍ଷିତ ଲେଖକ ଗୋପନରେ ବିଜୁଳିରେ ପ୍ରବନ୍ଧ ଲେଖୁଥିଲେ । ନବସାହିତ୍ୟମୋଦୀ ସମ୍ପ୍ରଦାୟର ଅଧିକାଂଶ ଲେଖକ ଏବଂ ପାଠକ ବିଜୁଳିର ସପକ୍ଷରେ ଥିଲେ । ଗଞ୍ଜାମର ଉଜ୍ଜ୍ୱଳରତ୍ନ ପାରଳାଖେମଣ୍ତୀର ରାଜଭ୍ରାତା ପଦ୍ମନାଭ ଗଜପତି ନାରାୟଣ ଦେବ ଇଦ୍ରଧନୁକୁ ମୁକ୍ତହସ୍ତରେ ଅର୍ଥସାହାଯ୍ୟ କରି ଏବଂ ବଡ଼ ବଡ଼ ପଣ୍ତିତଙ୍କ ଦ୍ୱାରା ନାନାକାବ୍ୟ ନାଟକ ଅଳଙ୍କାର ଶାସ୍ତ୍ର ପ୍ରଭୃତିରୁ ଭଞ୍ଜ କବିଙ୍କ ସପକ୍ଷରେ ଯୁକ୍ତି ତର୍କ ଲେଖାଇ ଇନ୍ଦ୍ରଧନୁକୁ ଶକ୍ତି ପ୍ରଦାନ କଲେ । ରାଜକୁମାର ନିଜେ ମଧ୍ୟ ଜଣେ ଅସାଧାରଣ ପଣ୍ତିତ ଥିଲେ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସୁଦ୍ଧା ଅତି ଧୂରନ୍ଧର ଥିଲେ । ଇନ୍ଦ୍ରଧନୁ ସକାଶ ସେ ସ୍ୱତନ୍ତ୍ର ଅଫିସ ରଖି ଉଚ୍ଚ ବେତନରେ ପ୍ରତିଭାଶାଳୀ ପଣ୍ତିତମାନଙ୍କୁ ନିଯୁକ୍ତ କରି ରଖିଲେ । କେତେ ଅପ୍ରକାଶିତ, ଅପରିଚିତ ପ୍ରାଚୀନଗ୍ରନ୍ଥର ଆଲୋଚନା ଉଭୟ ପକ୍ଷରୁ ଲାଗିଲା । କେତେ ଅଦେଖା, ଅଶୁଣା, ଅଜଣା ଅମୂଲ୍ୟ ମହାରତ୍ନର ଜ୍ୟୋତି ଝଟ୍ ଝଟ୍ ହେବାକୁ ଲାଗିଲା । ବ୍ୟଙ୍ଗ, ବିଦ୍ରୂପ, କୁଟ, ଶ୍ଳେଷ, ଛଳ, ଛଟା, ଢଗ, ଚଟଣୀ, ଚଟକଣୀ, ମୁଥ ପ୍ରଭୃତି ଅନର୍ଗଳ ବର୍ଷିଲା । ବକକାବ୍ୟ, ଶାର୍ଗୁଣା କାବ୍ୟ ପ୍ରଭୃତି ମର୍ମକୁଟା ନୂତନ କାବ୍ୟ ନାଟକର ସୃଷ୍ଟି ହୋଇଗଲା । ସାହିତ୍ୟର ଅନୁଶୀଳନ, ସାହିତ୍ୟର ସମାଲୋଚନା ନିବିଡ଼ ଭାବରେ ଲାଗିଗଲା । ବହୁକାଳର ଡୋରବନ୍ଧା କୀଟକଟା ଅଭିଧାନ ଫିଟିଲା । ଉତ୍କଳସାହିତ୍ୟରେ ପ୍ରଚ୍ଛନ୍ନରେ କେତେ ମହାମୂଲ୍ୟ ମଣିରତ୍ନ ଅଛି, ତାହା ଓଡ଼ିଆ ଜାତି ଜାଣିପାରିଲା । ଖାଲି ଉତ୍କଳସାହିତ୍ୟ ନୁହେଁ–ସଂସ୍କୃତ, ବଙ୍ଗଳା, ହିନ୍ଦି, ତୈଲଙ୍ଗ, ଇଂରାଜୀ, ଲାଟିନ୍‌ ପ୍ରଭୃତି ବିବିଧ ସାହିତ୍ୟର ଆଲୋଚନା ଲାଗିଲା । ପ୍ରସଙ୍ଗ କ୍ରମେ ବିଜ୍ଞାନ, ଇତିହାସ, ପୁରାଣ, ଦର୍ଶନ, ଭାଷାତତ୍ତ୍ୱ, ମନସ୍ତତ୍ତ୍ୱ ଲୋକଚିତ୍ର ପ୍ରଭୃତି ବହୁ ବିଷୟର ଅବତାରଣ ହେଲା । ବ୍ୟାଖ୍ୟା, ବିଶ୍ଳେଷଣ, ଟିପା ଟିପ୍‌ପଣୀର ସ୍ରୋତ ଉତ୍କୂଳାନଦୀ ପ୍ରାୟ ବହିଗଲା । ଏହି ଆନ୍ଦୋଳନ କେବଳ ଉତ୍କଳସୀମାରେ ଆବଦ୍ଧ ଥିଲା ନାହିଁ । ବଙ୍ଗଦେଶରୁ ବଙ୍ଗାଳୀମାନେ ଇନ୍ଦ୍ରଧନୁରେ ଲେଖିଲେ । ସେମାନେ ଭଞ୍ଜକବି ସପକ୍ଷରେ ଲେଖିଥିଲେ । ଭଞ୍ଜକବିଙ୍କୁ ସେମାନେ ଭଲରୂପେ ଚିହ୍ନନ୍ତି । ଭଞ୍ଜଙ୍କ କାବ୍ୟ ହେତୁ ଓଡ଼ିଆଭାଷା ବଙ୍ଗକବଳରୁ ରକ୍ଷା ପାଇଥିଲା । ନଚେତ୍‌ ଓଡ଼ିଶାରେ ବଙ୍ଗଭାଷା ଚଳୁଥାନ୍ତା । ଓଡ଼ିଆ ପ୍ରବଳ ଭାଷା ନୁହେଁ–ଓଡ଼ିଆଭାଷାରେ ଉଚ୍ଚସାହିତ୍ୟ ନାହିଁ, ଏହିପରି ଛଳନା ଦେଖାଇ ବଙ୍ଗାଳୀମାନେ ଓଡ଼ିଶାରେ ବଙ୍ଗଳାଭାଷା ଚଳାଇବାକୁ ରାଜଦ୍ୱାରରେ ନିବେଦନ କରିଥିଲେ । ସେତେବେଳେ ଦେଶଭକ୍ତ ଗୌରୀଶଙ୍କର ରାୟ, ଉତ୍କଳପ୍ରାଣ ନନ୍ଦକିଶୋର ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସୁଦାମଚନ୍ଦ୍ର ନାୟକ ପ୍ରଭୃତି ମହାତ୍ମାମାନେ ଭଞ୍ଜଙ୍କ କାବ୍ୟ କବିତା ଦେଖାଇ ବଙ୍ଗାଳୀଙ୍କ କୂଟଯୁକ୍ତି ଖଣ୍ଡନ କରି ସ୍ୱୀୟ ମାତୃଭାଷାର ଜୀବନ ରକ୍ଷା କରିଥିଲେ । ସେହି ପ୍ରାତଃନମସ୍ୟ ଉତ୍କଳ ସନ୍ତାନଙ୍କ ନିକଟରେ ଓଡ଼ିଆଭାଷା ଚିରଋଣୀ, ପୁଣି ଓଡ଼ିଆ ଜାତି ଚିରକୃତଜ୍ଞ । ଯେତେ କାଳଯାଏଁ ଓଡ଼ିଆଭାଷା ଥିବ ତେତେ କାଳଯାଏଁ ଭଞ୍ଜକବିଙ୍କ ସଙ୍ଗେ ସେମାନଙ୍କ ପବିତ୍ର ନାମ ଜାତୀୟ ଇତିହାସ ବକ୍ଷରେ ସ୍ୱର୍ଣ୍ଣଦୀପ୍ତିରେ ବିରାଜୁଥିବ । ସେମାନେ ସ୍ୱଗୁଣରେ ଅମର ହୋଇଅଛନ୍ତି ।

 

ଇନ୍ଦ୍ରଧନୁର ଚଟଣୀଗୁଡ଼ିକ ବଡ଼ ଉପାଦେୟ–ବଡ଼ ମଜାଦାର ହେଉଥିଲା । ସେଥିରେ ଗୁଡ଼, ତେନ୍ତୁଳୀ, ଲଙ୍କାମରିଚ ସମାନ ଭାବରେ ଥାଏ । ପୁଣି ପ୍ରଚ୍ଛନ୍ନ ଗଭୀର ହାସ୍ୟରସରେ ପୁଟ ଦିଆହୋଇଥାଏ । ହାସ୍ୟ-କୌତୁକ, ରଙ୍ଗ-ରହସ୍ୟରେ ପତ୍ରିକା ଦୁଇଖଣ୍ଡି ଅପୂର୍ବ ଅଭିନୟର କ୍ଷେତ୍ର ହୋଇଉଠିଲା । ଗାଳି, ଖୁଣ୍ଟା ଦିଆରେ କୈବର୍ତ୍ତ-କାମିନୀକୁ ବଳି ପଡ଼ିଲା । ବିଜୁଳି ଇନ୍ଦ୍ରଧନୁର ନାମ ‘‘ଆଦିରସିଆ’’ ଦେଲା । ଇନ୍ଦ୍ରଧନୁ ବି ଛାଡ଼ିବାର ପାତ୍ର ନୁହେଁ–ସେ ବିଜୁଳି ଦଳକୁ ‘‘ଅନାଦିରସିଆ’’ ଉପାଧି ପ୍ରଦାନ କଲା । ପତ୍ରିକା ଦୁଇଖଣ୍ଡି ସବୁ ରସରେ ଏପରି ଉପାଦେୟ ହେଲା ଯେ, ଶିକ୍ଷିତଠାରୁ ନିରକ୍ଷର ପର୍ଯ୍ୟନ୍ତ ସମସ୍ତଙ୍କ ଚିତ୍ତ ହରଣ କରିବାକୁ ସମର୍ଥ ହେଲା । କିନ୍ତୁ ବିଜୁଳିଦଳ ରାଧାନାଥଙ୍କୁ ଭଞ୍ଜଭକ୍ତ ଜାଣି ସୁଦ୍ଧା ଭଞ୍ଜଙ୍କ ସଙ୍ଗେ ପ୍ରତିଯୋଗିତା କ୍ଷେତ୍ରରେ ତାଙ୍କୁ ଠିଆ କରାଇ ବଡ଼ ଭୁଲ କଲେ । ଫଳରେ ରାଧାନାଥଙ୍କ ଉପରେ ଗାଳି ବୃଷ୍ଟି ହେଲା । ତାଙ୍କର ବିଦ୍ରୂପ ଛବି ବାହାରିଲା । ବିଜୁଳି କହିଲା–ଭଞ୍ଜକାବ୍ୟ ଅଶ୍ଳୀଳ, ରାଧାନାଥଙ୍କ କାବ୍ୟରେ ଅଶ୍ଳୀଳତା ନାହିଁ । ସେଥିରେ ବିପକ୍ଷ ଦଳ ରାଧାନାଥଙ୍କ କାବ୍ୟରୁ ଉଦ୍ଧାର କରି କେତେ ସ୍ଥାନ ଦେଖାଇ ଦେଇ ବିଜୁଳିର ମତ ଖଣ୍ଡନ କରିବାକୁ ପ୍ରୟାସ କଲେ । ଏହି ଯୁକ୍ତି ପ୍ରତିଯୁକ୍ତିରେ ହାସ୍ୟଜନକ ଖିଆଲିଆ କଥାର ମଧ୍ୟ ଅବତାରଣା ହେଲା । ରାଧାନାଥଙ୍କ କାବ୍ୟରୁ ‘‘ଗାଣ୍ଡିବ’’ ଶବ୍ଦ ଉଦ୍ଧାର କରି କୁହାଗଲା–ଏହାର ମୂଳ ଦୁଇ ଅକ୍ଷର ଅଶ୍ଳୀଳ । ଏହିପରି ଭଣ୍ଡ ଯୁକ୍ତି–ପଣ୍ଡଯୁକ୍ତିର ସୀମା ରହିଲା ନାହିଁ । ଅସଂଯମର ମାତ୍ରା ମଧ୍ୟ ବଳି ଉଠିଲା ।

 

ଏହି ଆନ୍ଦୋଳନ ଉତ୍କଳ-ସାହିତ୍ୟ ପ୍ରାଣରେ ଗୋଟାଏ ମହା ଅଦ୍ଭୁତ ସ୍ପନ୍ଦନ ଆନୟନ କଲା । ସେରୂପ ସ୍ପନ୍ଦନ ଭାଗ୍ୟରେ ଥିଲେ ଆସେ । ସବୁଦେଶରେ ସବୁକାଳରେ ରୁଚି ଅନୁସାରେ ସାହିତ୍ୟ ଗଠିତ ହୁଏ । ସବୁ କାଳର ରୁଚିକୁ ପାଇବ, ଏଭଳି ସାହିତ୍ୟ ହୋଇପାରେ ନାହିଁ । ସମାଲୋଚନା ବେଳେ ଯେଉଁ କାଳର ସାହିତ୍ୟ, ସେହି କାଳର ରୁଚି ପ୍ରତି ସର୍ବାଦୌ ଲକ୍ଷ୍ୟ ରଖିବାକୁ ହେବ–ଏହା କହିବା ବାହୁଲ୍ୟମାତ୍ର । ପ୍ରାଚୀନ ସାହିତ୍ୟରେ ମହାକବି ଭଞ୍ଜ ଯେପରି ଅଦ୍ୱିତୀୟ ମହାରଥୀ, ନବୀନ ସାହିତ୍ୟରେ କବିବର ରାଧାନାଥ ସେହିପରି ଧୁରନ୍ଧର । ସେ ଯାହାହେଉ ଏହି ସାହିତ୍ୟ-ସାଗର ମନ୍ଥନଦ୍ୱାରା ଯେଉଁ ମହାମୃତ ବାହାରିଛି, ତାହା ଚିରକାଳ ତୃଷିତ ସାହିତ୍ୟସେବିମାନଙ୍କୁ ପରିତୃପ୍ତ କରିବ ଏବଂ ସେହି ଅମୃତ ଏ ମହା ଆନ୍ଦୋଳନକୁ ଅମର କରି ରଖିବ । ଏହି ଆନ୍ଦୋଳନ ଉତ୍କଳ ସାହିତ୍ୟକୁ ଉଚ୍ଚଲକ୍ଷ୍ୟ ଏବଂ ଉଚ୍ଚଆଦର୍ଶର ସୁବର୍ଣ୍ଣ ପଥ ଦେଖାଉଥିବ । ସ୍ଥୂଳରେ କହିବାକୁ ଗଲେ ଏହି ଆନ୍ଦୋଳନ ଉତ୍କଳ ସାହିତ୍ୟର ଭାଗ୍ୟ ପରିବର୍ତ୍ତନ ଘଟାଇଅଛି ।

 

ରାଧାନାଥ ବିଜୁଳିଦଳର ପ୍ରବର୍ତ୍ତକ ବୋଲି ଇନ୍ଦ୍ରଧନୁ ଦଳର କାହାରି କାହାରି ଧାରଣା ଥିଲା, କିନ୍ତୁ ତାହା ତୁଛା ମିଛ । ସାଧୁ ସତ୍‌ପୁରୁଷଙ୍କୁ ଏ ଭଳି ଅପବାଦ ଦେଇ କଳଙ୍କିତ କରିବା ମହାପାପ । ରାଧାନାଥ ଭଞ୍ଜକବିଙ୍କୁ ଏତେ ଦୂର ଭଲପାଉଥିଲେ ଯେ, ତାଙ୍କର କବିତାମାନ କଣ୍ଠସ୍ଥ କରି ରଖିଥିଲେ । ଛାନ୍ଦଗୀତକୁ ସ୍ୱର ଧରି ସେ ଅତିସୁନ୍ଦର ଭାବରେ ଗାଇପାରୁଥିଲେ । ଭଞ୍ଜଭକ୍ତ ରାଧାନାଥ ଭଞ୍ଜଙ୍କ ବୈଦେହୀଶବିଳାସ ଆବୃତ୍ତି କରି ଏବଂ ସରଳ ଅର୍ଥ ଶୁଣାଇ ତାତ୍କାଳିକ ବଙ୍ଗ-ବିହାର-ଓଡ଼ିଶାର ଶିକ୍ଷାଧିକାରୀ ମହାମନା ମହାପ୍ରାଜ୍ଞ ଭୂଦେବଚନ୍ଦ୍ର ମୁଖୋପାଧ୍ୟାୟଙ୍କୁ ସ୍ତବ୍‌ଧ, ମୁଗ୍‌ଧ କରିଦେଇଥିଲେ । କବିତାର ସ୍ୱର, ଚାତୁରୀ, ଭାବ ଏବଂ ଅର୍ଥରେ ଭୂଦେବବାବୁ ଅତ୍ୟନ୍ତ ତୃପ୍ତିଲାଭ କରି ଭଞ୍ଜ କବିଙ୍କୁ ବିସ୍ତାର ପ୍ରଶଂସା କରିଥିଲେ । ଏ ଅପବାଦରେ ରାଧାନାଥ ବଡ଼ ବ୍ୟଥା ଅନୁଭବ କରି ନିଜର କଥା ‘‘ଓଡ଼ିଆ ଓ ନବସମ୍ୱାଦ’’ ରେ ସାଧାରଣଙ୍କୁ ଜଣାଇ ଦେଇଥିଲେ । ତାହାର ଅଳ୍ପଦିନ ପରେ ‘‘ବିଜୁଳି’’ ମେଘରେ ମିଳେଇ ଯାଇ ଅଦୃଶ୍ୟ ହୋଇଗଲା । ମାତ୍ର ‘‘ଇନ୍ଦ୍ରଧନୁ’’ ଅନେକଦିନ ଯାଏଁ ବାହାରିଲା । ପୁଣି ଉଚ୍ଚ ସନ୍ଦର୍ଭ ଉନ୍ନତ ପ୍ରବନ୍ଧ ବକ୍ଷରେ ଧରି କିଛିକାଳ ପୁସ୍ତକାକାରରେ ପ୍ରକାଶିତ ହେଲା । ପରିଶେଷରେ ଜାତୀୟ ମହାକବିଙ୍କର ଟେକ ଅକ୍ଷତ ରଖି ‘‘ଇନ୍ଦ୍ରଧନୁ’’ ଆକାଶରେ ମିଶିଗଲା । ପ୍ରୌଢ଼ର ପକ୍ୱବୁଦ୍ଧୀରେ ଯୁବକର ଉଷ୍ଣଶକ୍ତି ମିଶିଲେ କାର୍ଯ୍ୟ ସର୍ବାଙ୍ଗ-ସୁନ୍ଦର ହୁଏ, ‘‘ଇନ୍ଦ୍ରଧନୁ’’ ସେଥିର ଜୀବନ୍ତ ପ୍ରମାଣ ଉତ୍କଳକୁ ଦେଖାଇଗଲା ।

 

ପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ, ଜଗବନ୍ଧୁ ମହାପାତ୍ର ଏବଂ ମୁଁ ବିଜୁଳି ଇନ୍ଦ୍ରଧନୁର ଗ୍ରାହକ ହୋଇ ପତ୍ରିକା ଅଣାଇଲୁଁ । ପ୍ରତ୍ୟହ ସନ୍ଧ୍ୟାଠାରୁ ଦୁଇଘଣ୍ଟାଯାଏଁ କୁମାରପୁର ସ୍କୁଲରେ ବସି ତାହା ପାଠ କରୁଁ । ଗ୍ରାମର ଅନେକ ଲୋକ ଆସି ବସନ୍ତି ଏବଂ କୌତୁକିଆ କଥାଶୁଣି ଅପାର ଆମୋଦ ଉପଭୋଗ କରନ୍ତି । ପଢ଼ୁ ପଢ଼ୁ ମାତୃ-ଗୌରବରେ ହୃଦୟ ଗର୍ବରେ ଫୁଲି ଉଠୁଥାଏ । ଉତ୍କଳସାହିତ୍ୟର ଗୌରବିତ ପ୍ରତିଭାର ଜ୍ୟୋତି ଚାରିଆଡ଼େ ଝରିପଡ଼ିଲା ପ୍ରାୟ ବୋଧ ହେଉଥାଏ । ଗର୍ବରେ, ଆନନ୍ଦରେ ମନ ସେହି ଆକର୍ଷଣ ପଛରେ ଗୋଡ଼ାଇଥାଏ । ଆମ୍ଭେମାନେ କେଉଁ ପକ୍ଷରେ ଥିଲୁଁ ନାହିଁ । କେବଳ ଶିଷ୍ଟାଚାରର ସୀମାଲଙ୍ଘନ ଦେଖି ଉଭୟ ପକ୍ଷକୁ ଶାନ୍ତ, ସଂଯତ ଭାବରେ ବାଦ ପ୍ରତିବାଦ କରିବା ସକାଶ ସବିନୟ ଅନୁରୋଧ କରି ପତ୍ର ଲେଖୁଥିଲୁଁ । ଜଣେ ଅନ୍ଧ ଏପରି ଆକୃଷ୍ଟ ହୋଇଥିଲା ଯେ, ବିଜୁଳି ଇନ୍ଦ୍ରଧନୁର ଲେଖା ଶୁଣିବା ପାଇଁ ସେ ଦିନରୁ ଆସି କୁମାରପୁର ସ୍କୁଲରେ ଅପେକ୍ଷା କରି ବସିଥାଏ । ପାଠଶେଷରେ ଆନନ୍ଦରେ ବିଭୋର ହୋଇ ଦୁଇ ମାଇଲ ଦୂରବର୍ତ୍ତୀ ସ୍ୱଗୃହକୁ ଫେରିଯାଏ । ତାହା ପକ୍ଷରେ ଦିନରାତି ସମାନ ।

 

ଅନ୍ଧର ନାମ ବିଷ୍ଣୁଚରଣ ଦୀକ୍ଷିତ, ଘର ନୂଆଶାସନ ଗ୍ରାମରେ । ନୂଆଶାସନରେ କୁମାରେଶ୍ୱର ମହାଦେବଙ୍କର ଦେଉଳ ଅଛି । କଥିତ ଅଛି–ରାମଚନ୍ଦ୍ରଙ୍କ ବନବାସ କାଳରେ ଲକ୍ଷ୍ମଣ ଏହି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । କୁମାରେଶ୍ୱର ବଡ଼ ପ୍ରତାପୀ ଦେବତା । ରାମେଶ୍ୱରଙ୍କ ପରି ତାଙ୍କୁ ସୁଦ୍ଧା ଲୋକେ ନଡ଼ିଆ ମାନସିକ କରନ୍ତି । ଦୀକ୍ଷିତ ବଂଶ ମହାଦେବଙ୍କର ପୁଝାରୀ, ବିଷ୍ଣୁ ଚରଣ ସେହି ବଂଶୀୟ । ସେ ମହାଦେବଙ୍କର ପାଦୋଦକ ଘେନି ପ୍ରାୟ ପ୍ରତିଦିନ କୁମାରପୁରକୁ ଆସେ । ମୋ ପାଖରୁ ମଧ୍ୟ ସାମାନ୍ୟ କିଛି ପାଏ । ସେ ସମ୍ପୂର୍ଣ୍ଣ ଅନ୍ଧ କିନ୍ତୁ ତାହାର ସ୍ମରଣଶକ୍ତି ଅସାଧାରଣ । ସେ ଯାହା ଥରେ ଶୁଣେ, ଆଉ ତାହା ଭୁଲିଯାଏ ନାହିଁ । ଅମରକୋଷ ଅଭିଧାନ, ଚଣ୍ଡୀ, ମହିମ୍ନସ୍ତୋତ୍ର, ବିଷ୍ଣୁ-ସହସ୍ର-ନାମ ଏଗୁଡ଼ିକ ତାହାର କଣ୍ଠସ୍ଥ । ତାହାର ଆଉ ଗୋଟିଏ ଅଦ୍ଭୁତଶକ୍ତି ଏହି ଯେ, ପିଲାମାନଙ୍କ ଲେଖିବା ଖଡ଼ିକୁ ଖୋଳି ସେ ଗଣେଶ, ସରସ୍ୱତୀ, ଦୁର୍ଗା ପ୍ରଭୃତି ଦେବଦେବୀଙ୍କର ସୁନ୍ଦର ଅଳଙ୍କୃତ ମୂର୍ତ୍ତି ତିଆରି କରିପାରେ । ସେରୂପ ଶିକ୍ଷାହୀନ ପଟୁତା କୌଣସି ଚକ୍ଷୁଷ୍ମାନ୍‌ ନିପୁଣଶିଳ୍ପୀ ପକ୍ଷରେ ସୁଦ୍ଧା ସମ୍ଭବ ନୁହେଁ । ବିଧାତା ତାକୁ ଅନ୍ଧ କରି ତାର ଯେଉଁ କ୍ଷତି କରିଥିଲେ ପ୍ରତିଭାଦାନଦ୍ୱାରା ସେହି କ୍ଷତି ପୂର୍ଣ୍ଣ ମଧ୍ୟ କରିଥିଲେ । ଦୃଷ୍ଟିହୀନର ସୂକ୍ଷ୍ମ କାରୁକଳାରେ ଦକ୍ଷତା ସାମାନ୍ୟ ପ୍ରତିଭାର ପରିଚାୟକ ନୁହେଁ । ଦୁଃଖର ବିଷୟ, ବିଷ୍ଣୁଚରଣ ଜୀବିତ ନାହିଁ । ୨୨।୨୩ ବର୍ଷ ବୟସରେ ସେ ପରଲୋକ ପ୍ରାପ୍ତ ହୋଇଅଛି ।

 

ଏହି ସମୟରେ ମୋର ପ୍ରଥମ ପୁସ୍ତକ ‘‘ମୋହିନୀ’’ ପ୍ରକାଶିତ ହେଲା । ଦେବହୃଦୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସହାୟତାରେ ଏବଂ ଗୁଣଗ୍ରାହୀ ବାମଣ୍ଡାରାଜା ସଚ୍ଚିଦାନନ୍ଦ ଦେବଙ୍କ ଅର୍ଥାନୁକୂଲ୍ୟରେ ହିତୈଷିଣୀ ପ୍ରେସରେ ‘‘ମୋହିନୀ’’ ଛାପା ହୋଇ ଆସିଲା । ସଚ୍ଚିଦାନନ୍ଦ ଦେବ ସେତେବେଳେ ଯୁବରାଜ ଥିଲେ । ବିଦ୍ୟାରତ୍ନ ମୋତେ ଖାଲି ଉତ୍ସାହ ଦେଇ କ୍ଷାନ୍ତ ହୋଇ ନଥିଲେ– ନାନାଭାବରେ ମୋର ଉନ୍ନତି ଏବଂ ଉପକାର କରି ମୋତେ ଚିରଋଣୀ କରିଯାଇଅଛନ୍ତି । ଘଟଣାକ୍ରମେ ମୋର ଏ ଜୀବନ ପଞ୍ଜିକାର ଅନେକ ସ୍ଥାନରେ ତାଙ୍କ ପବିତ୍ର ନାମ ଲିଖିତ ରହିବ । କାହାରିଠାରୁ ମୋର ଟିକିଏ ପ୍ରଶଂସା ଶୁଣିଲେ ସେ କୁଣ୍ଢେ ମୋଟ ହୋଇ ମୋତେ ତାହା ପତ୍ରଦ୍ୱାରା ଜଣାଇ ଦେଉଥିଲେ । ସମ୍ୱଲପୁର ହିତୈଷିଣୀରେ ମୋର ରଚନା ପଢ଼ି ବାମଣ୍ଡାର ପ୍ରାତଃସ୍ମରଣୀୟ ମହାରାଜା ସୁଢ଼ଳଦେବ ଅନେକ ଥର ଉଚ୍ଚ ମନ୍ତବ୍ୟ ପ୍ରକାଶ କରିଥିଲେ । ବିଦ୍ୟାରତ୍ନ ମୋତେ ଉତ୍ସାହିତ କରିବାପାଇଁ ତାହା ସବୁ ଯଥା ସମୟରେ ମୋତେ ପତ୍ରଦ୍ୱାରା ଜଣାଇ ଦେଉଥିଲେ । ସେ ମୋତେ ଠିକ୍‌ ଭାଇ ପରି ସ୍ନେହାଦର କରୁଥିଲେ । ବର୍ତ୍ତମାନ ସେ ସ୍ୱର୍ଗରେ, ତାଙ୍କ ଗୁଣ ଭାବିଲେ ଅସହ୍ୟ ଦୁଃଖରେ ନେତ୍ର ଲୋତକପୂର୍ଣ୍ଣ ହୋଇଉଠେ ।

 

ଏଥିପୂର୍ବରୁ ରାଧାନାଥ ବାବୁଙ୍କ ସହ ମୋର ପରିଚୟ ହୋଇସାରିଥିଲା । ତାଙ୍କ ‘‘ଯଯାତି କେଶରୀ’’ ସମ୍ୱଲପୁର ହିତୈଷିଣୀରେ କ୍ରମଶଃ ଭାବରେ ବାହାରୁଥିଲା । ଠିକ୍‌ ତାହାରି ତଳେ ମୋର ‘‘ସୁଲକ୍ଷଣା’’ ସେହିପରି କ୍ରମଶଃ ବାହାରୁଥିଲା । ରାଧାନାଥ ହିତୈଷିଣୀକୁ ଖୁବ୍‌ ସମ୍ମାନ କରୁଥିଲେ । ସେ ଉତ୍ତର ଗସ୍ତରେ ଆସି କେତେ ସପ୍ତାହର ହିତୈଷିଣୀ ପଢ଼ିବାର ସୁବିଧା ପାଇନଥିଲେ । ତେଣୁ ଫେରି ଭଦ୍ରଖରେ ପହୁଞ୍ଚି ହିତୈଷିଣୀ ଖୋଜିଲେ । ତେତେବେଳେ ଭଦ୍ରଖର ସ୍କୁଲ ସବ୍‌ଇନସ୍‌ପେକଟ୍‍ର–ରମାନାଥ ବାବୁ । ତାଙ୍କର ହିତୈଷିଣୀ ଆସୁ ନଥାଏ । ରାଧାନାଥ ବାବୁ ତାଙ୍କୁ ପଚାରି ବୁଝିଲେ ଯେ ମୋ ଛଡ଼ା ଭଦ୍ରଖରେ ଆଉ କେହି ହିତୈଷିଣୀ ଆଣନ୍ତି ନାହିଁ । ତାଙ୍କ ଆଦେଶାନୁସାରେ ରମାନାଥ ବାବୁ କୁମାରପୁରକୁ ଜଣେ ଇନସ୍‌ପେକଟିଂ ପଣ୍ଡିତ ପଠାଇ ମୋଠାରୁ ହିତୈଷିଣୀ ସାତଖଣ୍ଡ ନେଇ ଗଲେ । ସାତଖଣ୍ଡ ଯାକରେ ଯଯାତିକେଶରୀ ଏବଂ ମୋର ସୁଲକ୍ଷଣା ଥାଏ । ସୁଲକ୍ଷଣା ଭିନ୍ନ ନାମଧରି ପୁସ୍ତକାକାରରେ ପ୍ରକାଶିତ ହୋଇଅଛି । ମୋର କବିତା ତଳେ ମୋର ନାମ ଥାଏ ଏବଂ କୁମାରପୁର ବୋଲି ଠିକଣା ମଧ୍ୟ ଥାଏ । ରାଧାନାଥ ବାବୁ ତାହା ପଢ଼ି ରମାନାଥବାବୁଙ୍କୁ ମୋର ପରିଚୟ ପଚାରିଲେ । ସେ ପରିଚୟ ଦେବାରୁ ତାଙ୍କୁ ଆଦେଶଦେଲେ, ‘‘ମୋର ଆଗାମୀ ଭଦ୍ରଖ ଗସ୍ତବେଳେ ତାଙ୍କୁ ସମ୍ୱାଦ ଦେଇ ଆଣି ମୋତେ ଦେଖାଇବେ ।’’ ତେତେବେଳକୁ ରେଲ ହୋଇ ନଥାଏ–କେନାଲ ପଥରେ କଟକରୁ ଭଦ୍ରଖ୍‌ ଯାଏଁ ବୋଟ ଯିବାଆସିବା କରୁଥାଏ । ରାଧାନାଥ ବାବୁ ବୋଟରେ କଟକ ଯାଉଁ ଯାଉଁ ଜେନାପୁରଠାରୁ ମୋତେ ଖଣ୍ଡିଏ ଚିଠି ଲେଖି ଦେଇଗଲେ ।ପତ୍ରରେ ମୋର ଲେଖାର ବିସ୍ତର ପ୍ରଶଂସା ସହ ଆଗାମୀ ଗସ୍ତ ସମୟରେ ତାଙ୍କୁ ଭଦ୍ରଖରେ ସାକ୍ଷାତ୍‌ କରିବାର ଆଦେଶ ମଧ୍ୟ ଥାଏ । ଅଳ୍ପ ଦିନ ପରେ ଭଦ୍ରଖ ଗସ୍ତରେ ଆସି ଡାକବଙ୍ଗଳାରେ ରହିଲେ । ଜଣେ ଇନସ୍‌ପେକ୍‌ଟିଂ ପଣ୍ଡିତ ଧାଉଁଡ଼ିଆ ଯାଇ ମୋତେ ଡାକିଆଣିଲା । ମୁଁ ଆସି ସାକ୍ଷାତ୍‌ କଲି । ପରିଚୟ ପରେ ସାହିତ୍ୟ ସମ୍ୱନ୍ଧରେ ଅନେକ କଥାହେଲା-। ସେହି କଥା ମଧ୍ୟରେ ପ୍ରଚ୍ଛନ୍ନରେ ପରୀକ୍ଷା ଚାଲିଥାଏ । ଶେଷରେ କହିଲେ–‘‘ମୋର କାବ୍ୟ ତ ଆପଣ ସବୁ ପଢ଼ିଛନ୍ତି ? କେଉଁ ଖଣ୍ଡ ଆପଣଙ୍କୁ ଭଲଲାଗେ ?’’ ଏ ପ୍ରଶ୍ନ ଶୁଣି ମୁଁ ହସି ହସି ଉତ୍ତର ଦେଲି–‘‘ରତ୍ନର ଭଲମନ୍ଦ ସିନା ଜହୁରି ବାଛିପାରେ, ମାତ୍ର ସାଧାରଣ ଚକ୍ଷୁରେ ସବୁରତ୍ନ ସମାନ ଆଉ ମୂଲ୍ୟବାନ୍ । ମୁଁ ଜଣେ ସାଧାରଣ ଲୋକ, ଆପଣଙ୍କ ସବୁକାବ୍ୟ ମୋତେ ଜ୍ୟୋତିଷ୍ମାନ୍ ଦିଶେ-।’’ ମୋର ଏ ଉତ୍ତରରେ ସେ ଖୁବ୍‌ ଖୁସି ହେଲେ । ମୋର ସମସ୍ତ ଲେଖାର ପାଣ୍ଡୁଲିପି ଦେଖିବାକୁ କହିଲେ । ମୁଁ ଯାହା ଯାହା ଲେଖିଥିଲି, ସେ ସମସ୍ତର ପାଣ୍ଡୁଲେଖା ଘରୁ ନେଇ ତାଙ୍କୁ ଦେଲି । ସେଗୁଡ଼ିକ ନିଜ ହାତ ବାକ୍‌ସରେ ରଖି ମୋତେ କହିଲେ–‘‘ମୁଁ ଆଜି କଟକ ଯାଉଛି, ସେହିଠାରୁ ଆପଣଙ୍କ ପାଣ୍ଡୁଲିପି ସଂଶୋଧନ କରି ମୋର ମନ୍ତବ୍ୟ ସହ ପଠାଇଦେବି । ମୁଁ ଯେବେ ଭଦ୍ରଖ ଆସୁଥିବି, ଆପଣ ମୋତେ ଦେଖାକରୁଥିବେ । ଆପଣ ବରପାଲିର ଗଙ୍ଗାଧର ମେହେରଙ୍କୁ ଜାଣିଥିବେ, ସେ ବି ହିତୈଷିଣୀରେ ଲେଖନ୍ତି । ସେ ଠିକ୍‌ ଆପଣଙ୍କ ଶ୍ରେଣୀୟ, ବୋଧହୁଏ ଆପଣଙ୍କଠାରୁ ବୟସରେ କିଛି ବଡ଼ ହେବେ । ଦୁହିଙ୍କ ଲେଖା ପଢ଼ି ମୁଁ ଖୁବ୍‌ ତୃପ୍ତିଲାଭ କରେଁ । ଆପଣ ଖୁବ୍‌ ଅଳ୍ପ ବୟସରେ ଲେଖା ଆରମ୍ଭ କଲେ । ସାବଧାନ ଥିବେ, ସେ ବଡ଼ ଉଗ୍ର ନିଶା, କୌଣସି କଠିନ ରୋଗରେ ଯେପରି ନ ପଡ଼ନ୍ତି । ମୋର ତ ସେହି ଦଶା ।’’ ଏହାପରେ ମୁଁ ବିଦାୟ ହୋଇ ଆସିଲି । କବିଙ୍କର ଭବିଷ୍ୟତ୍‌ବାଣୀ ମୋ ଜୀବନରେ ଘଟିଲା । ସେହି ଦିନଠାରୁ ପତ୍ର ଲେଖାଲେଖି ଚାଲିଲା । ତାଙ୍କର ଯେତେବେଳେ ଯେଉଁ ପୁସ୍ତକ ପ୍ରକାଶିତ ହୁଏ, ମୋତେ ତାହା ଉପହାର ପଠାନ୍ତି । ସଂସ୍କୃତ କାବ୍ୟ ନାଟକର ଉପାଦେୟତା ଅନୁଭବ କରି କିଛି ସଂସ୍କୃତ ପଢ଼ିବାକୁ ମୋର ଇଚ୍ଛା ହେଲା । ରାଧାନାଥବାବୁଙ୍କ ଉପଦେଶମତେ ପ୍ରଥମେ ‘‘ଶିକ୍ଷା’’ ଏବଂ ‘‘ଉପକ୍ରମଣିକା’’ ଆରମ୍ଭ କଲି । ‘‘ଶିକ୍ଷା’’ ନୂଆ ବାହାରିଥାଏ । ପ୍ରାପ୍ତିସ୍ଥାନର ଠିକଣା ରାଧାନାଥବାବୁ ଲେଖି ପଠାଇଥିଲେ । ସେ ଭଦ୍ରଖ ଆସିଲେ ମୁଁ ତାଙ୍କୁ ସାକ୍ଷାତ୍‌ କରେଁ । କେବେ କେବେ ତାଙ୍କ ଚପରାସି ପଦନକୁ ଆମ ଘରକୁ ପଠାଇ ମୋତେ ଡକାଇ ନିଅନ୍ତି । ଏହିପରି ଭାବରେ ପରିଚୟ କ୍ରମେ ଦୃଢ଼ୀଭୂତ ହେଲା । ଅଳ୍ପଦିନ ପରେ ମୋର ପାଣ୍ଡୁଲିପିମାନ ସ୍ଥାନ ବିଶେଷରେ ସଂଶୋଧନ କରି ନିଜର ମନ୍ତବ୍ୟ ଲେଖି ଡାକରେ ପଠାଇଦେଲେ । ସେହି ମନ୍ତବ୍ୟଟି ମୋର ‘‘ମୋହିନୀ’’ ପୁସ୍ତକର ମୂଳରେ ଅଛି ।

 

ବଙ୍ଗଳା ରାମାୟଣ ଓ ମହାଭାରତ ମୁଁ ଅନେକ ଥର ପଢ଼ିଅଛି । ଓଡ଼ିଆ ପୁରାଣମାନ ପଢ଼ିବା ସକାଶ ମୋର ଭାରି ଆଗ୍ରହ ଜାତ ହେଲା । ତେତେବେଳକୁ ଓଡ଼ିଆରେ ରାମାୟଣ, ମହାଭାରତ ପ୍ରଭୃତି ଛାପା ହୋଇ ନଥାଏ । ତାଳପତ୍ର ପୋଥି ସଂଗ୍ରହ କରି ପଢ଼ିବାକୁ ସମୟାଭାବ, ଅନ୍ୟ ଦ୍ୱାରା ପଢ଼ାଇ ଶୁଣିବା ମଧ୍ୟ ସୁବିଧାଜନକ ନୁହେଁ, ତହିଁକି ବା ସମ୍ୱଳ କାହିଁ ? ଅନେକ ଭାବିଚିନ୍ତି କୁମାରପୁର ସ୍କୁଲରେ ଗୋଟିଏ ପୁରାଣ ସଭା ସ୍ଥାପନ କଲି । ହରି ଅଗସ୍ତି ନାମରେ ଜଣେ ସୁବ୍ରାହ୍ମଣ ପାଠକ ନିଯୁକ୍ତ ହେଲେ । ପିଲାମାନେ ରାତି ପଢ଼ା ଶେଷକରି ଗଲା ପରେ ପ୍ରାୟ ଆଠଟା ସମୟରେ ପୁରାଣ ଆରମ୍ଭ ହୁଏ, ପ୍ରାୟ ବାରଟାରେ ଶେଷ ହୁଏ । ଗ୍ରାମର ଅନେକ ଲୋକ ଆସି ଶୁଣନ୍ତି । ଯେଉଁଦିନ ଯେଉଁ ପୁରାଣ ପଢ଼େ, ସେଦିନ ଶ୍ରୋତାମାନେ କିଛି କିଛି ଦକ୍ଷିଣା ଦିଅନ୍ତି, ମୁଁ ବି କିଛି ଦିଏଁ । ଏହି ସୂତ୍ରରେ ପୁରାଣପାଠକ ସାତ ଆଠ ଟଙ୍କା ପାଇଯାଆନ୍ତି । ଏହିପରି ରାମାୟଣ, ମହାଭାରତ, ହରିବଂଶ ପ୍ରଭୃତି ଅନେକ ପୁରାଣ ପାଠ ହେଲା । ଗଣେଶ୍ୱରପୁର ଶାସନ ନିବାସୀ ଦୀନବନ୍ଧୁ ପଣ୍ଡାଙ୍କର ସେ ସମୟରେ ପୁରାଣ ପଢ଼ାରେ ଭାରି ନାମ ଡାକ ଥିଲା । ଦିନେ ତାଙ୍କୁ ଡାକରା ହେଲା, ସେ ରାମାୟଣ ପଢ଼ିଲେ । ହନୁମାନର ଯୁଦ୍ଧ ପଢ଼ିଲାବେଳେ ପଣ୍ଡେ ଠିକ୍‌ ହନୁମାନ ହୋଇଯାନ୍ତି । ଆଖି ତରାଟି ଦାନ୍ତ କଡ଼ମଡ଼ ରଗଡ଼ି ଗଭୀର ଗର୍ଜନରେ ଲମ୍ପଝମ୍ପ ମାରି ଠିକ୍‌ ବୀରମୂର୍ତ୍ତି ଧାରଣ କରନ୍ତି । ତେତେବେଳେ ତାଙ୍କର ଅଭିନୟ ଦେଖି ଡରମାଡ଼େ, ପୁଣି ହସ ବି ମାଡ଼େ । ଓଡ଼ିଆ ପୁରାଣ ଶେଷରେ ସଂସ୍କୃତ ଭାଗବତ ଆରମ୍ଭ ହେଲା । ଟୋଲପଣ୍ଡିତ ଅନିରୁଦ୍ଧ ଷଡ଼ଙ୍ଗୀ ଶ୍ଳୋକ ପାଠକରି ଖୁବ୍‌ ସରଳଭାଷାରେ ଅର୍ଥ ବୁଝାଇ ଦିଅନ୍ତି । ମୋର ବାଲ୍ୟଗୁରୁ ଦାଶରଥି ପାଣିଗ୍ରାହୀ ତେତେବେଳେ ଦୋଳସାହି ସର୍କଲର ଇନ୍‌ସପେକ୍‌ଟିଙ୍ଗ ପଣ୍ଡିତ ଥାଆନ୍ତି । ସେ ଜଣେ ପରମାର୍ଥ ପରାୟଣ ବ୍ୟକ୍ତି । ଦୁଇ ମାଇଲ ଦୂରବର୍ତ୍ତୀ ସ୍ଥାନରୁ ଆସି ସେ ପ୍ରତ୍ୟହ ସଭାରେ ଯୋଗ ଦିଅନ୍ତି । କୁମାରପୁରର ଏବଂ ନିକଟବର୍ତ୍ତୀ ଗ୍ରାମମାନଙ୍କର ବୃଦ୍ଧ, ଶିକ୍ଷିତ ଏବଂ ଧର୍ମପ୍ରାଣ ପ୍ରବୀଣ ବ୍ୟକ୍ତିମାନେ ଆସି ମଧ୍ୟ ଯୋଗ ଦିଅନ୍ତି । ଧର୍ମ ବିଷୟରେ ନାନା ଆଲୋଚନା ହୁଏ । ପ୍ରତିବର୍ଷ ମୁଁ ସ୍କୁଲରେ ସରସ୍ୱତୀ ପୂଜା କରେଁ । ପ୍ରତିମା ମାଟିରେ ପ୍ରସ୍ତୁତ ହୁଏ, ବସନ ଭୂଷଣ ସବୁ ସେହି ମାଟିରେ ହୁଏ । ବୈଦିକମତରେ ପୂଜା ହୁଏ, ଜଣେ ସଂସ୍କୃତଜ୍ଞ ପ୍ରବୀଣ ପୂଜକ ଠିକ୍‌ ବିଧି ଅନୁସାରେ ପୂଜା କରନ୍ତି । ଅନେକ ବର୍ଷଯାଏଁ ମୁଁ ସରସ୍ୱତୀ ପୂଜା କରୁଥିଲି, ଶେଷରେ ଉପଯୁକ୍ତ ପୂଜକ ଅଭାବରୁ ଛାଡ଼ିଦେଲି । ଗୁଆମାଳରେ ପୁରୁଷୋତ୍ତମ ହୋତା ମୋର ସରସ୍ୱତୀ ପୂଜା କରୁଥିଲେ । ସେ ଜଣେ ନିଷ୍ଠାପର ବ୍ରାହ୍ମଣ ଏବଂ ସୁପୂଜକ । ତାଙ୍କପୂଜାରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ-। ତାନ୍ତ୍ରିକ ପୂଜାରେ ତାଙ୍କର ଅସାଧାରଣ କ୍ଷମତା ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଅଛି । ମୋର ଗୋଟିଏ ଗରିବ ଛାତ୍ର ଦିନରେ ୧୦।୧୨ ଥର ମୂର୍ଚ୍ଛାଯାଏ । ରୋଗ ନିରୂପଣ ସକାଶ ମୁଁ ଅନେକ କବିରାଜଙ୍କୁ ପଚାରିଲି, ମାତ୍ର ପତ୍ୟେକ ବିଭିନ୍ନ ମତ ପ୍ରକାଶ କଲେ । ଶେଷରେ ପୁରୁଷୋତ୍ତମ ହୋତାଙ୍କର ଆଶ୍ରୟ ନେଲି, ଦିନେ ଅକସ୍ମାତ୍‌ ତାଙ୍କୁ ଏକଥା ପଚାରିଲି । ସେ ମୋତେ ଗୋଟାଏ ନିର୍ଜନ ଘରେ ବସାଇ ରୋଗୀ ଛାତ୍ରଟିକୁ ଡାକିବାକୁ କହିଲେ, ଛାତ୍ରଟି ଆସିଲା । ହୋତା ତାକୁ ଏକ ନିଃଶ୍ୱାସରେ ଲୋଟାଏ ପାଣି ଆଣିବାକୁ କହିଲେ । ପିଲାଟି ପାଣି ଆଣିଲା । ଗୋଟାଏ ଘିଅ ଦୀପ ଜଳାଗଲା; ଲେଖନ, ତାଳପତ୍ର ଏବଂ ଟିକିଏ ସିନ୍ଦୂର ଅଣାହେଲା । ହୋତା ପୂଜାରେ ବସି ମନ୍ତ୍ର ଜପକଲେ । ଜପ ଶେଷରେ ପିଲାଟି ହାତରେ ଲେଖନ ତାଳପତ୍ରରେ କି ଗୋଟାଏ ଦୁର୍ବୋଧ୍ୟ ମନ୍ତ୍ର ଲେଖାଇ ସେଥିରେ ସିନ୍ଦୂର ବୋଳି ତାକୁ ଦୀପରେ ପୋଡ଼ି ପକାଇଲେ । ପାଉଁଶଗୁଡ଼ିକ ନିଜ ହାତ ଚକିରେ ବୋଳି ହାତ ଦେଖାଇ ଉପରୋକ୍ତ ଲୋଟାରୁ ପାଣି ଢାଳିବାକୁ କହିଲେ । ପିଲାଟି ପାଣି ଢାଳିଲା ପରେ ଦେଖାଗଲା–ହାତରେ ଗୋଲ ଅକ୍ଷରରେ ସ୍ପଷ୍ଟରୂପେ ଲେଖା ହୋଇଅଛି–‘‘ଏ ଦେବ ଉନ୍ମାଦ ବାତ’’ । ମୁଁ ଦେଖି ତାଟଙ୍କା ହୋଇଗଲି । ଛଗଳାଦିଘୃତ ଉନ୍ମାଦରୋଗର ଔଷଧ । ସ୍ୱର୍ଗୀୟ ବ୍ୟାସକବି ଫକୀରମୋହନ ସେନାପତିଙ୍କଠାରୁ ସେହି ଔଷଧ ଆଣି ପିଲାଟିକୁ ଖୁଆଇଲି । ଦୁଇଅଣା ଓଜନର ଔଷଧ ଖାଇ ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ହେଲା । ଫକୀରମୋହନବାବୁଙ୍କର ଜାମାତା ରଘୁନାଥ ଚୌଧୁରୀ ଭଦ୍ରଖରେ ନାଜର ଥିଲେ । ସେ ଆମ ଘରେ ବସା କରିଥିଲେ । ଫକୀରମୋହନବାବୁ ତେତେବେଳେ କେନ୍ଦୁଝରର ଦେଓ୍ୱାନ । ଭଦ୍ରଖ ଆସିଲେ ସେ ଝିଅକୁ ଦେଖା କରିବାକୁ ଆସନ୍ତି । ଏହି ସୂତ୍ରରେ ତାଙ୍କ ସଙ୍ଗରେ ମୋର ଆଗରୁ ପରିଚୟ ହୋଇଥିଲା । ସେ ମୋତେ ନାତି ଲେଖାକରି ବଡ଼ ସ୍ନେହ କରନ୍ତି । ମୋତେ ସେ କେନ୍ଦୁଝର ନେଇଯିବାକୁ ଇଚ୍ଛା କରିଥିଲେ । ସେହି ସମୟରେ କେନ୍ଦୁଝରରେ ଭୟଙ୍କର ପ୍ରଜାବିଦ୍ରୋହ ଘଟିବାରୁ ଏବଂ ଫକୀରମୋହନବାବୁ ସେଠାରୁ ଚାଲି ଆସିବାରୁ ତାଙ୍କର ସେ ସଙ୍କଳ୍ପ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।

 

ସେହି ସମୟରେ ‘‘ସମ୍ୱଲପୁର ହିତୈଷିଣୀ’’ରେ ଫକୀରମୋହନ ବାବୁଙ୍କର ଖଣ୍ଡିଏ ଚିଠି ପ୍ରକାଶିତ ହୋଇଥିଲା । ତାହା କବିଙ୍କର ଅସାଧାରଣ ପ୍ରତ୍ୟୁତ୍ପନ୍ନମତି, ଅପୂର୍ବ ପ୍ରତିଭା, ଅଦ୍ଭୁତକୌଶଳ ଏବଂ ବାକ୍‌ଚାତୁରୀର ପରିଚାୟକ । ସେହି ପ୍ରବଳ ମେଳି ସମୟରେ ରାଜା ଧନୁର୍ଜୟ ଭଞ୍ଜ ଏବଂ ଫକୀରମୋହନ ବାବୁ ବଅନ୍ତ ବାହାରି ଆସିଲେ । ସଙ୍ଗରେ କେତେଟା ହାତୀ ଏବଂ ଅଳ୍ପ ସଂଖ୍ୟକ ପାଇକ ଆଣିଥିଲେ । ବଅନ୍ତରେ ଆସି ଶୁଣିଲେ–ମେଳିଆମାନେ ଖଜଣାଖାନା ଲୁଟ୍‍କରି ଗଡ଼ ଆକ୍ରମଣ କରିବାକୁ ବାହାରିଛନ୍ତି । ଫକୀରମୋହନବାବୁ ଏ ବିପଦବାର୍ତ୍ତା ଶୁଣି ଅଧୀର ହୋଇ ପଡ଼ିଲେ । ରାଜାଙ୍କୁ କହିଲେ–‘‘ମୋର ପ୍ରାଣପଛେ ଯାଉ, ମୁଁ ଯାଉଛି, ରାଣୀଙ୍କୁ ଉଦ୍ଧାର କରିବାର ଚେଷ୍ଟା କରିବି ।’’ ଏହା କହି ହାତୀରେ ଚଢ଼ି କେତେ ଜଣ ପାଇକ ନେଇ ବାହାରିଲେ । ଯାଉଁ ଯାଉଁ ବାଟରେ ମେଳିଆମାନଙ୍କଦ୍ୱାରା ବନ୍ଦୀ ହେଲେ । ମେଳିଆ ସର୍ଦ୍ଦାର ଧରଣୀଧର ଭୂୟାଁ ତାଙ୍କୁ ନେଇ ଗୋଟାଏ ନିର୍ଜନ ପର୍ବତ ଉପରେ ଲୁଚାଇ ରଖିଲା । ଏକଥା ଗଡ଼ରେ କେହି ଜାଣିପାରିଲେ ନାହିଁ, ରାଜା ବି ଜାଣିପାରିଲେ ନାହିଁ । ଫକୀରମୋହନବାବୁ ଉଦ୍ଧାର ଉପାୟ ଚିନ୍ତା କରିବାକୁ ଲାଗିଲେ । ସେ ଧରଣୀର ଦେବାନ ପଦ ଗ୍ରହଣ କଲେ । ତାଙ୍କ ସଙ୍ଗରେ ତାଙ୍କର ଜଣେ ବିଶ୍ୱାସୀ ଚାକର ବନ୍ଦୀ ହୋଇ ଆସିଥିଲା । ସେ ତାକୁ କହିଲେ–ମୁଁ ଧରଣୀପାଖରେ ବସିଥିବାବେଳେ ତୁ ଯାଇ ତଳେ ଗଡ଼ି ଛାଟିପିଟି ହୋଇ ଖୁବ୍‌ କାନ୍ଦିବୁ, ମାତ୍ର କିଛି କହିବୁ ନାହିଁ, ଯାହା କହିବାର ମୁଁ ସବୁ କହିବି । ଚାକରଟି ଠିକ୍‌ ସେହିପରି କଲା । ଧରଣୀ କାରଣ ପଚାରିବାରୁ ଫକୀରମୋହନ କହିଲେ–ଆଜ୍ଞା, ଏ ମୋର ଚାକର, ଲୋକଟା ଭାରି ହୁଣ୍ଡା ପୁଣି ହାଉଡ଼ା । ତାହାର ପେଟ ବିନ୍ଧାରୋଗ, ତାହାର ଔଷଧ ମୋ ବସାରେ ଅଛି । ତାକୁ ଛାଡ଼ି ନଦେଲେ ସେ ଏହିକ୍ଷଣି ମରିଯିବ । ସେ ଯାଉ ଔଷଧ ନେଇଆସିବ । ସେଟା ହାଉଡ଼ା, କଥା କହିପାରେ ନାହିଁ, ସୁତରାଂ ଭୟର କିଛି କାରଣ ନାହିଁ । ରଜା ତ କୁଆଡ଼େ ପଳେଇଲାଣି, ଛାମୁ ବର୍ତ୍ତମାନ ରାଜା । ରାଜ୍ୟ ତ ଛାମୁଙ୍କର, ଗନ୍ତାଘର ଗନ୍ତାଘରିଆ ତ ଛାମୁଙ୍କର । ଛାମୁ ତ ଢେର ପାନ ଖାଆନ୍ତି, ପାନ ଆସି ସରିଲାଣି । ମୁଁ ଗନ୍ତାଘରିଆକୁ ଛାମୁଙ୍କର ହୁକୁମନାମା ଲେଖିଦେଉଛି, ଦୁଇଜଣ ପାଇକ ତାହା ଧରି ଯାଆନ୍ତୁ । ସେମାନେ ଗନ୍ତାଘରିଆଠାରୁ ପାନ ଆଣିବେ, ଆଉ ଏ ରୋଗୀଟା ବି ସଙ୍ଗରେ ଯାଉ, ତାହାର ଔଷଧ ଘେନି ଆସିବ । ଧରଣୀ ଏଥିରେ ସମ୍ମତି ହେବାରୁ ଦୁଇଜଣ ପାଇକ ହୁକୁମ୍‌ନାମା ଧରିଗଲେ । ବାବୁଙ୍କ ଚାକରଟି ବି ସଙ୍ଗରେ ଗଲା । ଫକୀରମୋହନବାବୁଙ୍କ ବସାରେ ଭୋଳାନାଥ ବୋଲି ତାଙ୍କର ଜଣେ ଆତ୍ମୀୟ ଥିଲା । ଚାକର ହାତରେ ତାହା ପାଖକୁ ବାବୁ ଖଣ୍ଡେ ଚିଠିଦେଲେ । ସେଥିରେ ଲେଖାଥିଲା,–

 

‘‘ପ୍ରିୟ ଭୋଳାନାଥ,

 

ମୋର ଆଖୁକ୍ଷେତ ଶୁଖିଯାଇଥିବ, ତେଣ୍ଡାମାରି ପାଣି ବୁହାଇବ । ଦକ୍ଷିଣରୁ ତେଣ୍ଡା ମାରିଲେ ପାଣି ଉଠିବା ବିଳମ୍ବ ହେବ, ତୁମ୍ଭେ ଉତ୍ତରରୁ ତେଣ୍ଡା ମାରିବ । ଗୁଡ଼ିଏ ସିତାର ତାର ପଠାଇଲି, ମୋର ସିତାରରେ ଚଢ଼ାଇବ । ଖୁବ୍‌ କସିକରି ତାର ଚଢ଼ାଇବ । ମୋ ପାଇଁ କିଛି ବାଲେଶ୍ୱରୀ ପାନ ଆଉ କଟକୀ ଗୁଆ ପଠାଇବ ।’’

 

ଏହାର ଅର୍ଥ–‘‘କଟକ କମିସନର ଏବଂ ବାଲେଶ୍ୱର କଲେକ୍‌ଟରଙ୍କୁ ଟେଲିଗ୍ରାମ୍‌ କରି ଘଟଣା ଜଣାଇବ । ଦକ୍ଷିଣ ମାନ୍ଦ୍ରାଜ ଅଞ୍ଚଳରୁ ସୈନ୍ୟ ଆସିବାକୁ ବିଳମ୍ବ ହେବ, ସୁତରାଂ ଉତ୍ତର ଅଞ୍ଚଳ କଲିକତାକୁ ଛୋଟଲାଟଙ୍କ ପାଖକୁ ତାର କରି ଶୀଘ୍ର ସୈନ୍ୟ ଆଣିବାକୁ ଚେଷ୍ଟା କରିବ ।’’ ଏହା କବିକଳ୍ପନାର ଚୂଡ଼ାନ୍ତ ଏବଂ ସାମାନ୍ୟ ବୁଦ୍ଧିମତ୍ତାର କଥା ନୁହେଁ । ଭୋଳାନାଥ ଏ ପତ୍ର ପାଇ ଏବଂ ଚାକରଠାରୁ ସବୁ ଅବଗତ ହୋଇ ଅତିଶୀଘ୍ର ଭଦ୍ରଖ ଆସି ସବୁ ସ୍ଥାନକୁ ଟେଲିଗ୍ରାମ୍‌ କରିଦେଲେ । ଫଳରେ କମିଶନର, କଲେକ୍‌ଟର ଏବଂ ପୋଲିସ ସାହେବ ବ୍ରିଟୀଶ ଫୌଜ ଘେନି କେନ୍ଦୁଝରରେ ପହୁଞ୍ଚିଲେ ଏବଂ ଧରଣୀକୁ ଧରି ଭଦ୍ରଖ ଘେନି ଆସିଲେ । ବିଚାରରେ ଧରଣୀକୁ କୋଡ଼ିଏ ବର୍ଷ ନିର୍ବାସନ ଦଣ୍ଡ ହେଲା । ଏହି ଅଦ୍ଭୁତ କୌଶଳରେ ଫକୀରମୋହନ ବାବୁ ବନ୍ଦୀରୁ ମୁକ୍ତ ହେଲେ ଏବଂ ମେଳି ମଧ୍ୟ ଭାଙ୍ଗିଗଲା । କଥା ଲହସରେ ଅନେକଦୂର ଚାଲିଆସିଲି, ଏବେ ପୂର୍ବସ୍ଥାନକୁ ଫେରିଯିବି ।

 

କୁମାରପୁର ସ୍କୁଲର ସମ୍ପାଦକ ପରଶୁରାମ ପାଣିଗ୍ରାହୀ ସେ ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟକ୍ତି । ତାଙ୍କୁ ସମସ୍ତେ ମହାଜନ ବୋଲି କହନ୍ତି । ଗୁଆମାଳ ଆଠ ଶାସନ ମଧ୍ୟରେ ତାଙ୍କର ଧାନ ଟଙ୍କା ମହାଜନୀ ଚଳୁଥାଏ । ସେଥିପାଇଁ ସେ ଦଶଟଙ୍କା ଇନକମ୍‌ଟାକ୍‌ସ ଦେଉଥିଲେ । ତେତେବେଳେ ଯାହାର ହଜାରେ ଟଙ୍କା ବାର୍ଷିକ ଆୟ, ସେ ଦଶଟଙ୍କା ଉକ୍ତ ଟାକ୍‌ସ ଦେଉଥିଲା । ଆଠଶାସନ ମିଶି ଗୁଆମାଳ ଏହାପୂର୍ବରୁ କହିଅଛି । ଉତ୍କଳର ଶେଷ ସ୍ୱାଧୀନ ସମ୍ରାଟ୍‌ ମୁକୁନ୍ଦଦେବ ତୀର୍ଥଯାତ୍ରା ସମୟରେ ଏହି ଆଠଟି ଶାସନ ବସାଇଥିବାର କିମ୍ବଦନ୍ତୀ ଅଦ୍ୟାପୀ ପ୍ରଚଳିତ ଅଛି । ପରଶୁରାମ ପାଣିଗ୍ରାହୀ ସେହି ଆଠଶାସନରେ ବଡ଼ ମହାଜନ ଥିଲେ । ସେ ଜଣେ ହୁରହୁଲୁରିଆ ଥିଲେ । ଅନେକ ଶିଳ୍ପରେ ତାଙ୍କର ଶିକ୍ଷା ବିହୀନ ପଟୁତା ଯଥେଷ୍ଟ ଥିଲା । କୁମାରପୁର ସ୍କୁଲ ଘରଟିକୁ ସେ ଚିତ୍ର ପ୍ରଦର୍ଶନୀ ପରି ସଜାଇ ଥିଲେ । ପରିଶ୍ରମ ତାଙ୍କ ଜୀବନର ସହଚର, ତାଙ୍କୁ ନିଷ୍କର୍ମା ହୋଇ ବସି ରହିବାର କେବେ କେହି ଦେଖିନାହିଁ । କୃଷିବିଦ୍ୟାରେ ତାଙ୍କର ଦକ୍ଷତା ଅନୁକରଣୀୟ । ଗୋଟାଏ ଗୋଟାଏ ମାରିସ ଗଛକୁ ଖତ ମାଟି ଦେଇ ଏପରି ବଢ଼ାଇଥାଆନ୍ତି ଯେ, ସେଥିରେ ବଳଦ ବାନ୍ଧିଲେ ଉପୁଡ଼େ ନାହିଁ । ସେହିପରି ଗୋଟାଏ ଗଛ ବର୍ତ୍ତମାନ ଚାରିଅଣାରୁ ଅଧିକ ହେବ । ତାଙ୍କ ସ୍ତ୍ରୀଙ୍କ ପରି ଦୟାବତୀ ନାରୀ ଖୁବ୍‌ ଅଳ୍ପ ଦେଖାଯାନ୍ତି । ଦୁଃଖିର କଷ୍ଟ ଦେଖିଲେ ବା ଶୁଣିଲେ ତାଙ୍କର ଚକ୍ଷୁ ଶୁଷ୍କ ରହେନାହିଁ । ବୋଧହୁଏ ବିଧାତା ତାଙ୍କୁ କେବଳ ଅଶ୍ରୁ ଉପାଦାନରେ ତିଆରି କରିଥିଲେ । ଗୁପ୍ତଦାନ ତାଙ୍କର ଖୁବ୍‌ ପ୍ରିୟକାର୍ଯ୍ୟ ଥିଲା । ସେଥିପାଇଁ ସମୟ ସମୟରେ ପରିବାରଙ୍କଠାରୁ ଗଞ୍ଜଣା ମଧ୍ୟ ଭୋଗ କରୁଥିଲେ । ସେ ଯାହା ନକରନ୍ତି, ଏପରି ଉଷାବ୍ରତ ନାହିଁ । ସ୍ୱାମୀ ସ୍ତ୍ରୀ ଦୁହେଁ ମୋତେ ପୁତ୍ରାଧିକ ସ୍ନେହ କରନ୍ତି । ତାଙ୍କର ଜ୍ୟେଷ୍ଠପୁତ୍ର ଜଗବନ୍ଧୁ ମୋର ଅକୃତ୍ରିମ ବନ୍ଧୁ । ତାଙ୍କର ସାଧୁ ସରଳ ସଦୟ ବ୍ୟବହାର ମୁଁ ଜୀବନରେ ଭୁଲି ପାରିବି ନାହିଁ ।

 

ବର୍ଷକ ପରେ ରାଧାନାଥ ବାବୁ ପୁଣି ଭଦ୍ରଖ ଗସ୍ତରେ ଆସିଲେ । ତାଙ୍କ ଆସିବା କେହି ଜାଣନ୍ତି ନାହିଁ । ରବିବାର ଛୁଟିରେ ମୁଁ ଘରକୁ ଆସିଥିଲି । ତାଙ୍କ ଚପରାସି ପଦନ ଆସି ମୋତେ ଡାକି ନେଇଗଲା । ମୁଁ ଯାଇ ଡାକବଙ୍ଗଳାରେ ତାଙ୍କୁ ସାକ୍ଷାତ୍‌ କଲି । ସେ ବାରନ୍ଦାରେ ଖଣ୍ଡିଏ ଶପ ଉପରେ ବସି କଅଣ ଲେଖୁଥିଲେ । ମୋତେ ସେହି ଶପରେ ବସିବାକୁ କହିଲେ । ସାହିତ୍ୟ ଏବଂ ଅନ୍ୟାନ୍ୟ ବିଷୟରେ ଅନେକ କଥାହେଲା । ମୋତେ ପଚାରିଲେ–ଆପଣ କେବେ ଅରଣ୍ୟ ବା ପର୍ବତ ଦେଖିଛନ୍ତି କି ? ମୁଁ କହିଲି–ଦେଖିବାକୁ ଇଚ୍ଛାହୁଏ କିନ୍ତୁ ଦେଖିବାର ସୁବିଧା ନାହିଁ । ତହୁଁ ସେ କହିଲେ–ଆପଣଙ୍କର ତାହା ଦେଖିବା ଉଚିତ । ସେ ସବୁ ସ୍ଥାନରେ ମୁକ୍ତ ପ୍ରକୃତିର ଉଲଗ୍ନ ଶୋଭା ଖେଳି ବୁଲୁଥାଏ । ଥରେ ଆପଣ ଯାଇ ଆଗରପଡ଼ା ଅଞ୍ଚଳ ବୁଲି ଦେଖିଆସନ୍ତୁ । ସେ ଅଞ୍ଚଳରେ ପ୍ରାକୃତିକ ଓ ଐତିହାସିକ ଦୃଶ୍ୟ ଅନେକ ଅଛି । ଏହି ସମୟରେ ଜଣେ ବ୍ରାହ୍ମଣକୁ ସେହି ଆଡ଼କୁ ଆସୁଥିବାର ଦେଖି ମୋତେ କହିଲେ ଏହି ବ୍ରାହ୍ମଣଟି ଜଣେ ପଣ୍ଡିତ, ଘର ଯାଜପୁର । ସେ ଜଣେ ଅଗ୍ନିହୋତ୍ରୀ, ତାଙ୍କର ସଂସ୍କୃତ ଶୁଣିବେ ରହନ୍ତୁ, ସେ ସଂସ୍କୃତ ଜାଳାରେ ଆପଣ ରହିପାରିବେ ନାହିଁ । ଏହି କଥା କହୁଁ କହୁଁ ବ୍ରାହ୍ମଣ ଆସି ପହଞ୍ଚିଗଲେ । ଯଥାବିଧି ପ୍ରଣାମ, ଆଶୀର୍ବାଦର ଅଦଳ ବଦଳ ପରେ ବ୍ରାହ୍ମଣ ଆସି ସ୍ୱତନ୍ତ୍ର ଆସନରେ ବସିଲେ । ତହୁଁ ରାଧାନାଥବାବୁ ତାଙ୍କୁ କହିଲେ–ଆପଣ ଗଙ୍ଗାରେ ସ୍ନାନ କରୁଥିବାବେଳେ କାଶୀରାଜା ଆପଣଙ୍କ ବାସସ୍ଥାନ କେଉଁଠି ବୋଲି ସଂସ୍କୃତରେ ପଚାରିବାରୁ ଆପଣ କଅଣ କହିଲେ ? ତହୁଁ ବ୍ରାହ୍ମଣ ପାଟି ବିସ୍ତାର କରି ସଂସ୍କୃତ ବାକ୍ୟ ଉଚ୍ଚାରଣ କରିବାକୁ ଲାଗିଲେ । ବାସ୍ତବରେ ତାଙ୍କର ଉଚ୍ଚସ୍ୱରରେ କାନ୍ଥ ବାଡ଼ ଥରି ଉଠିଲା ପରି ବୋଧ ହେଲା । ତାଙ୍କ କଥା ମଧ୍ୟରେ ‘‘ନାଭିଗୟା’’ ଶବ୍ଦ ଥିଲା । ସେ ତାକୁ ‘‘ଲାଭିଗୟା’’ ବୋଲି ଉଚ୍ଚାରଣ କଲେ । ରାଧାନାଥବାବୁ ତାହା ଶୁଣି ‘‘ବାସ୍ତବିକ ଲାଭିଗୟା, ବାସ୍ତବିକ ଲାଭିଗୟା–ଯାଜପୁର ବାସ୍ତବିକ ଲାଭିଗୟା’’ ବୋଲି କହି ମୃଦୁ ମୃଦୁ ହସିବାକୁ ଲାଗିଲେ ଏବଂ ମୋ ଆଡ଼କୁ କଣେଇଁ କଣେଇଁ ଚାହିଁବାକୁ ଲାଗିଲେ । କିନ୍ତୁ ଅଗ୍ନିହୋତ୍ରୀ ନିଜର ଭୁଲ ବୁଝିପାରିଲେ ନାହିଁ । ଏହି ବିଦ୍ରୂପକୁ ନିଜର ପ୍ରୌଢ଼ୀ ମଣି ଆନନ୍ଦରେ ସ୍ଫୀତ ହେଲା ପ୍ରାୟ ବୋଧ ହେଲେ । କିଛିକ୍ଷଣ ପରେ ବ୍ରାହ୍ମଣ ଆଠ ଅଣିଟିଏ ଦକ୍ଷିଣା ପାଇ ବିଦାୟ ହୋଇଗଲେ । ମୁଁ ମଧ୍ୟ ବିଦାୟ ହୋଇ ଆସିଲି । ଆସିବାବେଳେ ରାଧାନାଥବାବୁ ମୋତେ କହିଲେ–ଏହି ଗସ୍ତରେ ମୁଁ ଦୋଳସାହି ସ୍କୁଲ ଦେଖି ଗଣେଶ୍ୱରପୁର ଟୋଲ ଦେଖିବାକୁ ଯିବି–ଆପଣଙ୍କ କୁମାରପୁର ସ୍କୁଲ ମଧ୍ୟ ଦେଖିବି । ତାଙ୍କଠାରୁ ବିଦାୟ ହୋଇଆସି ମୁଁ ସେହି ଦିନ କୁମାରପୁର ଗଲି ।

 

କହିବାକୁ ଭୁଲିଯାଇଅଛି–ଏଥିମଧ୍ୟରେ ମୋ ଭାଗ୍ୟାକାଶରେ କେତେ ଜଣ ଗୁପ୍ତ ଶତ୍ରୁ ଧୂମକେତୁ ପରି ଆବିର୍ଭୂତ ହୋଇ ଖୁବ୍‌ ଆସ୍ଫାଳନରେ ପୁଚ୍ଛ ସଞ୍ଚାଳନ କରିବାକୁ ଲାଗିଲେ । ସେମାନେ ଶିକ୍ଷିତ ଶତ୍ରୁ । ତେତେବେଳେ ଭର୍ଣ୍ଣାକ୍ୟୁଲାର ସ୍କୁଲର ହେଡ଼ପଣ୍ଡିତ ଏବଂ ଇନ୍‌ପେକ୍‌ଟିଂ ପଣ୍ଡିତମାନେ ବଡ଼ପାଠୁଆ ବୋଲାଉ ଥିଲେ । ସେହି ଶ୍ରେଣୀୟ ଦୁଇ ତିନି ଜଣ ମୋର ଶତ୍ରୁ ହୋଇଥିଲେ । ସେମାନଙ୍କ ନାମ ପ୍ରକାଶ କରି ତାଙ୍କର ସ୍ୱର୍ଗୀୟ ଆତ୍ମାକୁ ଅସମ୍ମାନ କରିବା ମୋର ସ୍ୱଭାବ ବିରୁଦ୍ଧ । ବୈରତାର କାରଣ ଏହି ଯେ, ମୋଠାରୁ ସେମାନେ କିଛି ଅତିରିକ୍ତ ସମ୍ମାନ ଆଦାୟ କରିବାକୁ ଆଶା କରନ୍ତି, ମାତ୍ର ଶିଷ୍ଟାଚାର ହିସାବରେ ଯେତିକି ତାଙ୍କର ପ୍ରାପ୍ୟ ମୁଁ ତାହାଠାରୁ ରେଣୁଏ ଅଧିକ ଦେବାକୁ ଅସ୍ୱୀକୃତ । ମୋର ପ୍ରତିଷ୍ଠା ବୃଦ୍ଧି ଏବଂ ଉପରିସ୍ଥ କର୍ମଚାରୀମାନଙ୍କର ଆନୁକୂଲ୍ୟ ସେମାନଙ୍କ ଶତ୍ରୁତା ବ୍ୟାଧିର ଉପସର୍ଗ ହୋଇ ଉଠିଲା । ମୋ ନାମରେ ଅନେକ ବେନାମି ଦରଖାସ୍ତ ପଡ଼ିଲା । ସେ ସବୁ ତଦାରଖ ପାଇଁ ଇନ୍‌ସପେକ୍‌ଟର ରମାନାଥ ବାବୁଙ୍କ ପାଖକୁ ଆସେ । ସେ ତଦାରଖ ନ କରି ଦରଖାସ୍ତ ଉପରେ ‘‘ମିଥ୍ୟା’’ ବୋଲି ମନ୍ତବ୍ୟ ଲେଖି ଫେରାଇ ଦିଅନ୍ତି । ମୁଁ ମାସରେ ପନ୍ଦର ଦିନ ଘରେ ଥାଏଁ, ପିଲାଙ୍କୁ ନ ପଢ଼ାଇ ସବୁବେଳେ ବସି କବିତା ଲେଖେଁ । ଏହିପରି ମିଥ୍ୟା ଅପବାଦରେ ଦରଖାସ୍ତ ପୂର୍ଣ୍ଣ ହୋଇଥାଏ । ଏଣେ ପ୍ରତିବର୍ଷ ସ୍କୁଲ ବୃତ୍ତି ପାଉଥାଏ । ଏହି ଅସଙ୍ଗତ କଥାରେ ହାକିମମାନେ କର୍ଣ୍ଣପାତ କରନ୍ତି ନାହିଁ । ମୂଷାର ଗୋଟାଏ ଗାତ ବୁଜି ଦେଲେ ସେ ଆଉ ଗୋଟାଏ ଫୁଟାଏ । ଶତ୍ରୁମାନଙ୍କର ସେ ପଥ ରୁଦ୍ଧ ହେବାରୁ ସେମାନେ ଅନ୍ୟପଥ ଧରିଲେ । ମୋ ନାମରେ ଅନେକ ବେରିଂ ଚିଠି ଆସିଲା-। ତେତେବେଳେ ଜଗବନ୍ଧୁବାବୁ ଦୋଳସାହି ସ୍କୁଲର ହେଡ଼ମାଷ୍ଟର ଏବଂ ପୋଷ୍ଟମାଷ୍ଟର । ସେ ଚିଠି ଗୁଡ଼ାକ ଆଣି ମୋତେ ଦେଖାନ୍ତି । ଖୋଲି ଦେଖିଲା ବେଳକୁ ତାହା ଭିତରେ ଖାଲି ରେଖା ଗୁଡ଼ାଏ ଛଡ଼ା ଆଉ କିଛି ଲେଖାଥାଏ ନାହିଁ । ଜଗବନ୍ଧୁବାବୁ ତାକୁ ସବୁ ଫେରାଇ ଦିଅନ୍ତି । ଶୁଭକ୍ଷଣରେ ଶତ୍ରୁମାନଙ୍କ ସହିତ ମୋର ଶତ୍ରୁତା ହୋଇଥିଲା । ସେହି ଶତ୍ରୁତା ଫଳରେ ମୋର ଟଙ୍କାଟିଏ ଦରମା ବଢ଼ିଥିଲା । ସେ ପ୍ରସଙ୍ଗ ଯଥା ସ୍ଥାନରେ ଲିଖିତ ହେବ । କିନ୍ତୁ ଶତ୍ରୁମାନେ ମୋର ପରମ ବନ୍ଧୁ ହୋଇଥିଲେ । ନିଜର ଭ୍ରମ ବୁଝିପାରି ଅନୁତାପ ମଧ୍ୟ କରିଥିଲେ ।

 

ଦୁଇ ତିନି ଦିନ ପରେ ରାଧାନାଥବାବୁ ଦୋଳସାହି ସ୍କୁଲ ଏବଂ ଗଣେଶ୍ୱରପୁର ଟୋଲ ଦେଖିସାରି କୁମାରପୁର ଆସିଲେ । ସଙ୍ଗରେ ଡେପୁଟୀ ଇନ୍‌ସପେକ୍‌ଟର, ସବ୍‌ଇନ୍‌ସପେକ୍‌ଟର, ସ୍କୁଲପଣ୍ଡିତ, ଇନ୍‌ସପେକ୍‌ଟିଂ ପଣ୍ଡିତ ପ୍ରଭୃତି ଦଳେ ଶିକ୍ଷାବିଭାଗୀୟ କର୍ମଚାରୀ ଥିଲେ । ଓଡ଼ିଶାର ପ୍ରଧାନ କବିଙ୍କୁ ଦେଖିବା ପାଇଁ ଗ୍ରାମର ସମସ୍ତ ଲୋକ ଆସି ରୁଣ୍ଡ ହେଲେ । ଏମନ୍ତ କି ଭୁଆସୁଣୀମାନେ ସୁଦ୍ଧା କାନ୍ଥ ବାଡ଼ ଉହାଡ଼ରେ ଠିଆ ହୋଇଥିଲେ । ପରୀକ୍ଷା ଆରମ୍ଭ ହେଲା । ସାହିତ୍ୟ ଓ ମାନସାଙ୍କ ପ୍ରଶ୍ନମାନ କୌଶଳପୂର୍ଣ୍ଣ ଥିଲେ ସୁଦ୍ଧା ପିଲାମାନେ ଗୋଟିଏ ପ୍ରଶ୍ନରେ ସୁଦ୍ଧା ଫେଲ ହେଲେ ନାହିଁ । ରାଧାନାଥବାବୁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ମୋର ଯଥେଷ୍ଟ ପ୍ରଶଂସା କରିବାକୁ ଲାଗିଲେ । ଏହି ସମୟରେ ଡେପୁଟୀ ଇନ୍‌ସପେକ୍‌ଟର ରଘୁନାଥ ଘୋଷ କହିଲେ–ବଡ଼ ଦୁଃଖର ବିଷୟ ଏଭଳି ସୁଶିକ୍ଷକ ନାମରେ ସୁଦ୍ଧା ବେନାମି ଦରଖାସ୍ତ ପଡ଼େ । ମୁଁ ଆଜି ଖଣ୍ଡେ ଦରଖାସ୍ତ ତଦାରଖ କରିବାକୁ ଆସିଛି । ଏହା କହି ପକେଟରୁ ଦରଖାସ୍ତ ବାହାର କରି ରାଧାନାଥବାବୁଙ୍କ ହାତକୁ ବଢ଼ାଇଦେଲେ । ରାଧାନାଥବାବୁ ପଢ଼ିସାରି ତାଚ୍ଛଲ୍ୟ ପ୍ରକାଶ ପୂର୍ବକ ଦରଖାସ୍ତଟା ଫିଙ୍ଗି ଦେଇ ହସି ହସି କହିଲେ–‘‘କବିତା ଲେଖିବାଟା କି ଗୋଟାଏ ଏଡ଼େ ମହତ୍‌ପାପ, ନିଜର ଉନ୍ନତି ଚେଷ୍ଟା ବି ଦୋଷାବହ । ପୂର୍ବେ କାଗଜ କଲମ ଅଭାବ ଥିଲା, ପୋଷ୍ଟାଫିସ ବି ଅଭାବ ଥିଲା । ବର୍ତ୍ତମାନ ଗାଁ ଗାଁ କେ ପୋଷ୍ଟାଫିସ, ଆଉ ଘରେ ଘରେ କାଗଜ କଲମ । ଯେ ଇଚ୍ଛା କଲା ଖଣ୍ଡେ ଲେଖି ଡାକଘରେ ପକାଇଦେଲା । ମୋ ନାଁରେ ବି ଏହିପରି ପ୍ରତିଦିନ ଦଶ ଖଣ୍ଡ ଦରଖାସ୍ତ ପଡ଼ିପାରେ । ଅଳ୍ପବିଦ୍ୟା ଭୟଙ୍କରୀ ପରା । ରଘୁବାବୁ, ତୁମେ ପୁଣି ସେ ଦରଖାସ୍ତ ତଦାରଖ କରିବାକୁ ଆସ କାହିଁକି ? ସାକ୍ଷାତରେ ତ ସ୍କୁଲର ପିଲା ଦେଖିଲ । ମୁଁ ଠିକ୍‌ ଏହି ପ୍ରଶ୍ନ ଦୋଳସାହି ସ୍କୁଲରେ ପଚାରିଥିଲି, ଭର୍ଣ୍ଣାକ୍ୟୁଲାର ଉଚ୍ଚଶ୍ରେଣୀର ଛାତ୍ରମାନେ ବି ଉତ୍ତର ଦେଇ ପାରିଲେ ନାହିଁ । କୁମାରପୁର ସ୍କୁଲ ପ୍ରତିବର୍ଷ ବୃତ୍ତି ନିଏ, ଏପରି ଅବସ୍ଥାରେ ବେନାମୀ ଦରଖାସ୍ତ କଥା ଶୁଣିବା ଉଚିତ ନୁହେଁ ।’’ ତହୁଁ ରଘୁବାବୁ ଇତସ୍ତତଃ ହୋଇ କହିଲେ–‘‘ମୁଁ କଅଣ କରିବି, ଏ ଖାସମାହାଲ ସ୍କୁଲ, ଏଥିରେ ବୋର୍ଡ଼ର ଅଧିକାର ନାହିଁ । ଦରଖାସ୍ତ ସବୁ କଲେକ୍‌ଟରଙ୍କ ପାଖରେ ହୁଏ, ମୁଁ ସାହେବଙ୍କ ହୁକୁମ ଅନୁସାରେ ତଦାରଖ କରିବାକୁ ଆସିଛି । ମୋ ପାଖକୁ ଯେଉଁ ଦରଖାସ୍ତ ଯାଏ, ମୁଁ ତାକୁ ଫାଇଲ ସୁଦ୍ଧା କରେନାହିଁ–ଚିରିଦିଏଁ । ଯେଉଁମାନେ ଏହି ନୀଚ କାର୍ଯ୍ୟ କରନ୍ତି, ସେମାନେ ବର୍ତ୍ତମାନ ବି ଏହିଠାରେ ଉପସ୍ଥିତ ଅଛନ୍ତି–ସେମାନଙ୍କ ମୁହଁ ଚାହିଁବା ପାପ ।’’ ଏହା ଶୁଣି ରାଧାନାଥବାବୁ କହିଲେ–‘‘ଏହିଥର ଏ ଦରଖାସ୍ତ ସଙ୍ଗରେ ସାହେବଙ୍କୁ ଲେଖିଦିଅ ଯେ, ଏ ଅଞ୍ଚଳରେ ଅନେକ ପରଶ୍ରୀକାତର ଲୋକ ଅଛନ୍ତି, ବେନାମୀ ଦରଖାସ୍ତ ଲେଖିବା ସେମାନଙ୍କର ଗୋଟାଏ ଖିଆଲ, ସେ ମିଥ୍ୟାବାଦୀଙ୍କ କଥା ଶୁଣିବା ଉଚିତ ନୁହେଁ ।’’ ପୁଣି କହିଲେ ଏ ଭଳି ଜଣେ ଯୋଗ୍ୟ ବ୍ୟକ୍ତିର ଉନ୍ନତି ନ ହେବା ବି ବଡ଼ ଆଶ୍ଚର୍ଯ୍ୟର ବିଷୟ । ମୁଁ ଦେଖୁଛି–ଭର୍ଣ୍ଣାକ୍ୟୁଲାର ସ୍କୁଲର ହେଡ଼ପଣ୍ଡିତ କାର୍ଯ୍ୟ ଏ ସୁନ୍ଦର ରୂପେ ଚଳାଇ ପାରିବେ ।’’ ତହୁଁ ରଘୁବାବୁ କହିଲେ–‘‘ସେ କାର୍ଯ୍ୟ ତାଙ୍କୁ ଅନେକ ଥର ଯଚା ହୋଇଛି, କିନ୍ତୁ ସେ ଯିବାକୁ ନାରାଜ ।’’ ରାଧାନାଥବାବୁ କହିଲେ–‘‘ବୋଧହୁଏ ଉପଯୁକ୍ତ ସ୍ଥାନ ପାଇଲେ ସେ ଅସ୍ୱୀକୃତ ହେବେ ନାହିଁ ।’’ ଏହାପରେ ଆହୁରି ଅନେକ କଥା ହେଲା । ଜନତା ମଧ୍ୟରୁ ଅନେକେ ମୋର ବିପୁଳ ପ୍ରଶଂସା ଗାଇବାକୁ ଲାଗିଲେ । ଉପସ୍ଥିତ ଶତ୍ରୁମାନେ ସୁଦ୍ଧା ସେ ସ୍ୱରରେ ସ୍ୱର ମିଳାଇଲେ । ତାହା ଶୁଣି ରଘୁବାବୁ କହିଲେ–ଏହି ଯେଉଁମାନେ ପ୍ରଶଂସା କରୁଅଛନ୍ତି, ତାଙ୍କରି ମଧ୍ୟରେ ଏହି ଦରଖାସ୍ତ କରିବା ଲୋକ ଅଛନ୍ତି । ରାଧାନାଥବାବୁ ଶୁଣି ହସିଲେ, ମାତ୍ର କିଛି କହିଲେ ନାହିଁ । ସେ ଦର୍ଶକାଭିପ୍ରାୟରେ ମନ୍ତବ୍ୟ ଲେଖି ବସିଲେ । ତାଙ୍କର ମନ୍ତବ୍ୟ ନିମ୍ନରେ ଦିଆଗଲା ।

 

‘‘ଅଦ୍ୟ କୁମାରପୁର ଉଚ୍ଚ ପ୍ରାଇମେରୀ ସ୍କୁଲ ଦେଖିଲି, ପରୀକ୍ଷାର ଫଳ ଆଶାତୀତ ସନ୍ତୋଷଜନକ । ଏଭଳି ଆଦର୍ଶ ଉଚ୍ଚ ପ୍ରାଇମେରୀ ସ୍କୁଲ ମୁଁ ସମଗ୍ର ଉତ୍କଳରେ ଦେଖିନାହିଁ । ବାଲେଶ୍ୱର ଜିଲ୍ଲାର ଅନେକ ଭର୍ଣ୍ଣାକ୍ୟୁଲାର ସ୍କୁଲ ସୁଦ୍ଧା ଏହାର ସମକକ୍ଷ ନୁହେଁ । ଶିକ୍ଷକ ଜଣେ ବିଦ୍ୱାନ, ସଚ୍ଚରିତ୍ର ଏବଂ ବହୁଦର୍ଶୀବ୍ୟକ୍ତି । ଏ ଭଳି ଶ୍ରମପ୍ରାଣ ସୁଶିକ୍ଷକ ସର୍ବାଦୌ ଉତ୍ସାହର ଯୋଗ୍ୟ-।’’

 

ରଘୁବାବୁ ଏହି ମନ୍ତବ୍ୟ ସହିତ ନିଜର ମନ୍ତବ୍ୟ ଖୁବ୍‌ ବନେଇ ଚୂନେଇ ଲେଖି ବେନାମୀ ଦରଖାସ୍ତ ସଙ୍ଗରେ ସାହେବଙ୍କ ପାଖକୁ ପଠାଇଦେଲେ । ଏହା ମୁଁ ବିଶ୍ୱାସ ସୂତ୍ରରେ ପରେ ଜାଣିପାରିଥିଲି । ତେତେବେଳେ ମହାମତି, ଗୁଣଗ୍ରାହୀ, ଇଜାରଟନ୍‌ ସାହେବ ବାଲେଶ୍ୱର ଜିଲାର କଲେକ୍‌ଟର ଥିଲେ । ସେ ରଘୁବାବୁଙ୍କ ରିପୋଟ ପଢ଼ି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ମୋର ବେତନ ଟଙ୍କାଟିଏ ବଢ଼ାଇଦେଲେ । ବେନାମୀ ଦରଖାସ୍ତ ଫଳରେ ମୋର ଏହି ଉନ୍ନତି ହେଲା । ସେଥିପାଇଁ ପୂର୍ବରୁ କହିଥିଲି–‘‘ଶୁଭକ୍ଷଣରେ ଶତ୍ରୁମାନଙ୍କ ସହିତ ମୋର ଶତ୍ରୁତା ଘଟିଥିଲା ।’’ ବାସ୍ତବରେ ଏହି ଶତ୍ରୁ ଗୁଡ଼ିକ ମୋର ଛଦ୍ମରୂପୀ ସୁବନ୍ଧୁ ।

 

ରାଧାନାଥବାବୁଙ୍କୁ ବାଟେଇ ଦେବାପାଇଁ ମୁଁ ଦୋଳସାହି ପର୍ଯ୍ୟନ୍ତ ଗଲି । ଡେପୁଟୀ ଇନ୍‌ସପେକ୍‌ଟର ଓ ସବ୍‌ଇନ୍‌ସପେକ୍‌ଟରଙ୍କ ସହ ରାଧାନାଥବାବୁଙ୍କର ବାଟଯାକ ମୋହରି କଥା ଲାଗିଥାଏ । କଥାବାର୍ତ୍ତା ଅବଶ୍ୟ ଇଂରାଜୀରେ, କିନ୍ତୁ ଆଭାସ ଇଙ୍ଗିତରୁ ମୁଁ ବୁଝିପାରୁଥାଏଁ । ମୁଁ ଦୋଳସାହିରୁ ବିଦାୟ ନେଇ ଆସିଲି । ସେଥର ଗସ୍ତରେ ରାଧାନାଥବାବୁ ଭଦ୍ରଖର ଯେଉଁ ସ୍କୁଲକୁ ଗଲେ ସେଠାରେ ମୋର ପ୍ରଶଂସା ଏବଂ ସ୍କୁଲର ପ୍ରଶଂସା ବଖାଣି ବୁଲିଲେ । ଭଦ୍ରକରେ ମୋର ପରିଚୟ ସେ ବିଞ୍ଛୁଡ଼ି ଦେଇଗଲେ । ସେହିଠାରୁ ସେ ତାଙ୍କର ନୂତନ ପୁସ୍ତକ ପ୍ରକାଶ ହେଲାମାତ୍ରେ ମୋତେ ଖଣ୍ଡିଏ ଲେଖାଏଁ ସ୍ନେହୋପହାର ଦେବାକୁ ଲାଗିଲେ । ପରିଚୟ ଏବଂ ସମ୍ୱନ୍ଧ ଘନିଷ୍ଠରୁ ଘନିଷ୍ଠତର ହେବାକୁ ଲାଗିଲା । ହାୟ, ସେ ପ୍ରାତଃସ୍ମରଣୀୟ ମହାତ୍ମା ବର୍ତ୍ତମାନ ସ୍ୱର୍ଗର ଦେବତା । କାହିଁକି ଏ ଅକିଞ୍ଚନ ପ୍ରତି ତାଙ୍କର ଏତେ ସ୍ନେହ–ଏତେ ଆତ୍ମୀୟତା, ସେହି ଏକା ଜାଣନ୍ତି । ମନେ ମନେ ମୁଁ ତାଙ୍କୁ ଗୁରୁପଦରେ ବରଣ କରିନେଇଥିଲି, ପରେ ମୁଁ ତାଙ୍କଠାରୁ ଶିକ୍ଷା ଏବଂ ଉପଦେଶ ଯଥେଷ୍ଟ ପାଇଲି । ଏହି ହେତୁ ମୁଁ ତାଙ୍କୁ ‘‘ଗୁରୁଦେବ’’ ବୋଲି ସମ୍ୱୋଧନ କରେଁ । ଏବେ ସେ କାଳ ନାହିଁ–ସେ ଉତ୍ସାହଦାତା ନାହାନ୍ତି । କାହାରି ଲେଖାରେ ଟିକିଏ ବିଶେଷତ୍ୱ ଦେଖିଲେ ରାଧାନାଥବାବୁ ତାଙ୍କୁ ପୁତ୍ର ଲେଖି ଉତ୍ସାହିତ କରୁଥିଲେ । ଆଜିକାଲି କେତେ ଜଣ ସେପରି କରନ୍ତି-? କର୍ତ୍ତବ୍ୟରେ ତାଙ୍କର ମୁଖଲଜ୍ଜା ଥିଲା ନାହିଁ । ଥରେ ଭଦ୍ରଖ ଫ୍ରେଜର ବାଳିକା ସ୍କୁଲରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ, ପରିଦର୍ଶକ କର୍ମଚାରୀମାନଙ୍କର ସମାବେଶ ହୋଇଥିଲା । ରାଧାନାଥବାବୁ ମାନସାଙ୍କ ପଚାରିଲେ । ଦୀର୍ଘ ଦେଢ଼ କାହାଣ ପ୍ରତି ଦେଢ଼ କାହାଣରେ ଜମି କେତେ ହେବ ପ୍ରଶ୍ନ ହେଲା, ମାତ୍ର କୌଣସି ପିଲା ତାହା କହି ପାରିଲେ ନାହିଁ । ତହୁଁ ରାଧାନାଥବାବୁ ପିଲାମାନଙ୍କୁ ବୁଝାଇଦେବା ସକାଶ ଜଣେ ଇନ୍‌ସପେକ୍‌ଟିଂ ପଣ୍ଡିତଙ୍କୁ ଆଦେଶ ଦେଲେ । ସେ ବୁଝାଇଦେଲେ–‘‘ଦେଢ଼ରେ ଦେଢ଼ ଗୁଣିଦିଅ, ଜମି ହେଲା ତିନି ଗୁଣ୍ଠ ।’’ ରାଧାନାଥବାବୁ ଏ ବିଚିତ୍ର ନଳଭଙ୍ଗା ଶୁଣି ଘୃଣାରେ–ବିସ୍ମୟରେ ଅଭିଭୂତ ହୋଇ କହିଲେ–‘‘ତୁମ୍ଭର ତ କାଣ୍ଡଜ୍ଞାନ ନାହିଁ, ତୁମ୍ଭଙ୍କୁ ଇନ୍‌ସପେକ୍‌‌ଟିଂ ପଣ୍ଡିତ ପଦ କିଏ ଦେଲା ?’’

 

ଦିନେ ମୁଁ ଏବଂ ମୋର କେତେ ଜଣ ଛାତ୍ର ମିଶି ପାଳିଆ ଗ୍ରାମର ବିରଞ୍ଚିନାରାୟଣଙ୍କ ମନ୍ଦିର ଦେଖିବାକୁ ଯାଇଥିଲୁଁ । ଦେଉଳଟି ଗ୍ରାମର ବାହାରେ ପ୍ରଶସ୍ତ ସ୍ଥାନରେ ଅବସ୍ଥିତ । ଚାରି ପାଖରେ ଉଚ୍ଚ ପ୍ରସ୍ତର ପ୍ରାଚୀର । ବେଢ଼ା ଭିତରେ ଥିବା ରୋଷାଇଘର ଏବଂ ପାନ୍ଥନିବାସ ପ୍ରଭୃତି ସମସ୍ତ ଗୃହ ପ୍ରସ୍ତର ନିର୍ମିତ । ବର୍ତ୍ତମାନ ସେ ସବୁର ଭଗ୍ନାବଶେଷ ମାତ୍ର ଅଛି । ବେଢ଼ା ମଧ୍ୟରେ କେତେଗୁଡ଼ିଏ ବଡ଼ ବଡ଼ ଆମ୍ୱଗଛ ଏବଂ ନାନାପ୍ରକାର ଫୁଲଗଛ ଅଛି । ସ୍ଥାନଟି ତପୋବନ ତୁଲ୍ୟ ପବିତ୍ର, ମନୋହର ଏବଂ ନିକାଞ୍ଚନ । ଦେଖିଲେ କି ଗୋଟାଏ ଅଜ୍ଞାତ ଉଲ୍ଲାସରେ ମନ ପୂରିଉଠେ–ପ୍ରାଣ ଉଶ୍ୱାସ ବୋଧହୁଏ । ଦେଉଳଟି ରଥ ଆକୃତିରେ ପ୍ରସ୍ତୁତ । ପ୍ରାକୃତିକ ଉପଦ୍ରବରୁ ବହୁଦିନରୁ ତାହାର ଚୂଡ଼ା ଖସି ପଡ଼ିଅଛି । ଦେଉଳ ଦେହରେ କୌଣସି ଶିଳ୍ପ–ଚାତୁରୀ ନାହିଁ, ତାହା ଆଡ଼ମ୍ୱରଶୂନ୍ୟ, ସରଳ, ସୁନ୍ଦର ଭାବରେ ପ୍ରସ୍ତୁତ । କିନ୍ତୁ ଚୌକାଠ ବନ୍ଧର ଛୁଞ୍ଚିଖୋଳା ଚାରୁ ସୂକ୍ଷ୍ମ ଶିଳ୍ପକଳା ଦେଖିଲେ ବାସ୍ତବରେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ଦେଉଳର ଚାରିଆଡ଼କୁ ଚାରିଗୋଟି ଦ୍ୱାର । ପ୍ରତି ଦ୍ୱାରରେ ମୁଗୁନି ପଥର ନିର୍ମିତ ଦ୍ୱାରବନ୍ଧ ବସିଅଛି–ତାହା ଖଣ୍ଡିଏ ଖଣ୍ଡିଏ ପଥରରେ ତିଆରି । ଶିଳ୍ପୀ ସେହି କଠିନ ପାଷାଣକୁ ନିଜର ଅସାଧାରଣ ପ୍ରତିଭା ଏବଂ କଳ୍ପନା ବଳରେ ଜୀବନଦାନ କରିଅଛି । ଅଙ୍କିତ ଲତା, ପୁଷ୍ପ, ପଶୁ ପକ୍ଷୀଗୁଡ଼ିକ ସତେ ଯେପରି କୃତ୍ରିମ ନୁହେଁ–ନୈସର୍ଗିକ । ତାହା ଲେଖିବାର କଥା ନୁହେଁ–ଦେଖିବାର କଥା । ତାହା ପାଷାଣର ସ୍ୱପ୍ନ ବା ସଙ୍ଗୀତ-। ଦେଉଳ ଭିତରେ ଖଣ୍ଡିଏ ସ୍ଥୂଳ ଚତୁଷ୍କୋଣ ପ୍ରସ୍ତରର ଚାରିପାଖକୁ ଲାଗି ଚାରିଗୋଟି ସ୍ୱତନ୍ତ୍ର ମୂର୍ତ୍ତି-। ତାହା ବ୍ରହ୍ମାଙ୍କର ମୂର୍ତ୍ତିବୋଲି ପରିଚିତ । କିନ୍ତୁ ପ୍ରକୃତରେ ତାହା ବ୍ରହ୍ମାଙ୍କର ମୂର୍ତ୍ତି ନୁହେଁ–ସୂର୍ଯ୍ୟଙ୍କର ମୂର୍ତ୍ତି । ବିରଞ୍ଚି ନାରାୟଣ ଏକା ବ୍ରହ୍ମାଙ୍କର ନାମ ନୁହେଁ–ସୂର୍ଯ୍ୟଙ୍କର ନାମ ବି ବିରଞ୍ଚିନାରାୟଣ । ବ୍ରହ୍ମାଙ୍କର ଏକ ଶରୀରରେ ଚାରି ମୁହଁ, କିନ୍ତୁ ଏଠାରେ ଚାରିଆଡ଼କୁ ଚାରିଗୋଟି ସ୍ୱତନ୍ତ୍ର ଶରୀର । ସୂର୍ଯ୍ୟଙ୍କର ଜ୍ୟୋତି ଚାରିଦିଗରେ ପଡ଼େ ବୋଲି ବୋଧହୁଏ ଶିଳ୍ପୀ ଚାରିଦିଗକୁ ଚାରିମୂର୍ତ୍ତି କଳ୍ପନା କରିଅଛନ୍ତି । ବ୍ରହ୍ମାଙ୍କର ମୂର୍ତ୍ତି କଦାପି ପୂଜିତ ହେବାର ପ୍ରାୟ ଦେଖାଯାଏ ନାହିଁ । ସୁତରାଂ ମୂର୍ତ୍ତିଟି ସୂର୍ଯ୍ୟଙ୍କର ଏବଂ ମନ୍ଦିରଟି ସୂର୍ଯ୍ୟମନ୍ଦିର । ‘‘ପାଳିଆକୁ ସମୁଦ୍ର କେତେ ଘୁଞ୍ଚିଗଲାଣି’’ ବୋଲି ଗୋଟାଏ କିମ୍ବଦନ୍ତୀ ଅଛି । ସେଥିରୁ ଅନୁମତି ହୁଏ, ପୂର୍ବେ ସମୁଦ୍ରର ବିସ୍ତୃତି ପାଳିଆ ପର୍ଯ୍ୟନ୍ତ ଥିଲା-। ସେଠାରେ କୂପ, ପୁଷ୍କରିଣୀ ଖୋଳିବା ସମୟରେ ଜାହାଜର ଭଗ୍ନନଙ୍ଗର, ଭଗ୍ନମାସ୍ତୁଲ ମଧ୍ୟ ମିଳିଥିବାର ଶୁଣାଯାଏ । ଅଦ୍ୟାପି ସ୍ଥାନେ ସ୍ଥାନେ ଖୋଳିବାବେଳେ ଜାହାଜର ଭଙ୍ଗାତକ୍ତା ଏବଂ ପଥରକୋଇଲା ବାହାରିବାର ଦେଖାଯାଏ । କାଳକ୍ରମେ ପ୍ରକୃତିର ଅଦ୍ଭୁତ ନିୟମରେ ପାଳିଆ ପାଖରୁ ସମୁଦ୍ର ଘୁଞ୍ଚିଯିବା ଅସମ୍ଭବ କଥା ନୁହେଁ । ବୋଧହୁଏ ଯେଉଁ ସମୟରେ ସମୁଦ୍ର କୂଳବର୍ତ୍ତୀ କୋଣାର୍କ ଏବଂ ରାଜମହେନ୍ଦ୍ରୀ ପ୍ରଭୃତି ସ୍ଥାନରେ ସୂର୍ଯ୍ୟମନ୍ଦିର ପ୍ରସ୍ତୁତ ହୋଇଥିଲା, ଏ ମନ୍ଦିରଟି ସୁଦ୍ଧା ସେହି ସମୟରେ ତିଆରି ହୋଇଥିଲା । ପରେ ଅନେକ ଥର ସଂସ୍କୃତ ଏବଂ ପୁନର୍ନିର୍ମିତ ହୋଇଥିବ, ଏହା ବୋଲିବା ବାହୁଲ୍ୟମାତ୍ର । ଏଭଳି ଗୋଟିଏ ପ୍ରାଚୀନ ପ୍ରସିଦ୍ଧ କୀର୍ତ୍ତି ଉପଯୁକ୍ତ ସଂସ୍କାର ଅଭାବରେ ଏବେ ଧ୍ୱଂସ ହେବାକୁ ବସିଅଛି, ସେ ଆଡ଼କୁ କାହାରି ଦୃଷ୍ଟିଥିବାପରି ବୋଧହେଉ ନାହିଁ–ଏହା ଅତି ପରିତାପର ବିଷୟ । ଗବର୍ଣ୍ଣମେଣ୍ଟଙ୍କ ‘‘ପ୍ରାଚୀନ କୀର୍ତ୍ତିରକ୍ଷା ବିଭାଗ’’ର କଣ ଏ ସମ୍ୱନ୍ଧରେ କିଛି କର୍ତ୍ତବ୍ୟ ନାହିଁ ? ଦେଶର ପ୍ରତିନିଧି ସାଜି କାଉନ୍‌ସିଲ ସଭାକୁ ଯେଉଁମାନେ ଯାଆନ୍ତି, ସେମାନେ ବୋଧହୁଏ ବଡ଼ ବଡ଼ କଥା ଭାବନ୍ତି–ଏ ଆଡ଼କୁ ନଜର ଦେବାକୁ ସେମାନେ କର୍ତ୍ତବ୍ୟ ବୋଲି ମଣନ୍ତି ନାହିଁ । ଏ ଭଳି ମହାକୀର୍ତ୍ତି କେଉଁ ମହାପୁରୁଷ କେଉଁ ସମୟରେ କରିଥିଲେ ସେ ତଥ୍ୟ ନିରୂପଣ କରିବା ଅତିଦୁରୂହ ବ୍ୟାପାର । ସେ ବିଷୟରେ ସ୍ଥାନୀୟ କିମ୍ୱଦନ୍ତୀ ସୁଦ୍ଧା ନାହିଁ-। ଏତେ ଅଧିକ କାଳର ଘଟଣା ଯେ, ସେଥିର ସ୍ମୃତି ମିଳାଇଯାଇ ଦୀର୍ଘଜୀବୀ କିମ୍ୱଦନ୍ତୀ ବି ମରିଗଲାଣି ।

 

ଆନନ୍ଦର ବିଷୟ. ଭଦ୍ରଖ ଗଗନ ଭାସ୍କର ଏଡ଼ତାଳର ପ୍ରସିଦ୍ଧ ଜମିଦାର ସ୍ୱନାମଧନ୍ୟ ଭୂୟାଁ ଭାସ୍କରଚନ୍ଦ୍ର ମହାପାତ୍ର ସେହି ଜୀର୍ଣ୍ଣଦେଉଳକୁ ଭାଙ୍ଗି ବହୁ ବ୍ୟୟରେ ଗୋଟିଏ ସୁନ୍ଦର ଦେଉଳ ପ୍ରସ୍ତୁତ କରାଇ ଦେଇଅଛନ୍ତି । ଭଦ୍ରଖର, ବିଶେଷତଃ ଉତ୍କଳର ପ୍ରତ୍ୟେକ ଶୁଭାନୁଷ୍ଠାନରେ ତାଙ୍କର ଦାନ ବାସ୍ତବରେ ଆଦର୍ଶସ୍ଥାନୀୟ । ସେ ଜଣେ ମନସ୍ୱୀ, ଧର୍ମପ୍ରାଣ ଏବଂ ଉଚ୍ଚ ହୃଦୟୀ ବ୍ୟକ୍ତି । ଗବର୍ଣ୍ଣମେଣ୍ଟ ତାଙ୍କ ଗୁଣରେ ମୁଗ୍‌ଧ ହୋଇ ତାଙ୍କୁ ସମ୍ମାନିତ ‘‘ରାୟବାହାଦୁର’’ ଉପାଧିରେ ଅଳଙ୍କୃତ କରିଅଛନ୍ତି । ତାଙ୍କର ନିତ୍ୟପ୍ରବର୍ଦ୍ଧନଶୀଳ କୃତିତ୍ୱ ଦେଖି ବୋଧହୁଏ, ସେ ଅଦୂର ଭବିଷ୍ୟତରେ ଆହୁରି ଉଚ୍ଚ ଉପାଧିରେ ଉତ୍ସାହିତ ହେବେ । ଭାସ୍କରବାବୁ ଖାଲି ଅର୍ଥ ସଞ୍ଚୟରେ ପ୍ରବୀଣ ନୁହନ୍ତି, ଅର୍ଥର ସଦ୍‌ବ୍ୟବହାରରେ ମଧ୍ୟ ପ୍ରବୀଣ । ଅର୍ଥ ଏବଂ ଉପାଧି ତାଙ୍କୁ ଆଲିଙ୍ଗନ କରି ଧନ୍ୟ ହୋଇଅଛନ୍ତି ।

 

ପାଳିଆ ଗ୍ରାମଠାରୁ ଏକ କ୍ରୋଣ ଦୂରରେ ‘‘ଗୁପ୍ତଗଙ୍ଗାତୀର୍ଥ’’ । ବାରୁଣୀ ଯୋଗ ବେଳେ ସେଠାରେ ମଝିବିଲରୁ ଅକସ୍ମାତ୍‌ ପାଣି ବାହାରେ ବୋଲି ଶୁଣିଥିଲି । ଥରେ ବାରୁଣୀଦିନ ଦେଖିବାକୁ ଗଲି । କେହି କହେ–କଅଁଳା ବାଛୁରୀ ଧାଇଁଲା ପରି ପାଣି ମାଡ଼ି ଆସେ । କେହି କହେ–ବିଲ ମଝିରୁ ଭୁଷୁଳ ଫିଟି ଲହମାକେ ବିଲବାଡ଼ି ବୁଡ଼ାଇଦିଏ । ଏହିପରି ଆଶ୍ଚର୍ଯ୍ୟ କଥା ଶୁଣି କାହାରି ବା ଦେଖିବାକୁ ଇଚ୍ଛା ନ ବଳିବ ? ଯାଇ ଦେଖିଲି–ବୃକ୍ଷତୃଣ ଶୂନ୍ୟ ନିଛାଟିଆ ବିଲ ମଧ୍ୟରେ ଖଣ୍ଡିଏ ନାଳ । ତାହା ସାଳନ୍ଦୀନଦୀର ଗୋଟିଏ ଉପଶାଖା । ନାଳରେ ସ୍ଥାନେ ସ୍ଥାନେ ଅଳ୍ପ ପାଣି ଥାଏ । ନାଳଗର୍ଭର ଅବଶିଷ୍ଟ ସ୍ଥାନ ଶୁଖିଲା । ସେହି ନାଳଖଣ୍ଡି ଗୁପ୍ତଗଙ୍ଗା ନାମରେ ଆଖ୍ୟାତ । ଦୁଇ ତୀରରେ କିଣାବିକା ଲାଗିଥାଏ । ଅନେକ ଯାତ୍ରାକାଳୀ ବା ଯାତ୍ରା କାଙ୍ଗାଳୀଙ୍କର ସମାଗମରେ ଘୋ ଘୋ ଶବ୍ଦ ଉଠୁଥାଏ । ଏଣେ ଖରାରେ ମୁଣ୍ଡ ଫାଟି ଯାଉଥାଏ । ହରିବୋଲ, ହୁଳା ହୁଳି ଏବଂ ଶଙ୍ଖ ଶବ୍ଦରେ ଦିଗ କମ୍ପି ଉଠୁଥାଏ । ‘‘ଗଙ୍ଗାମାତାଙ୍କର ଆବିର୍ଭାବ ହେଲା, ଗଙ୍ଗାମାତାଙ୍କର ଆବିର୍ଭାବ ହେଲା’’ କହି ଜନତା ଇତସ୍ତତଃ ଧାଇଁ ବୁଲୁଥାଏ । ସମସ୍ତେ ନାଳ ଆଡ଼କୁ ଚାତକ ଦୃଷ୍ଟିରେ ଚାହିଁ ଥାଆନ୍ତି । ସମସ୍ତଙ୍କ ମନରେ ଅସମ୍ଭାଳ ଉତ୍କଣ୍ଠା ଏବଂ ନେତ୍ରରେ ବ୍ୟାକୁଳ ଚଞ୍ଚଳତା ପୂରି ରହିଥାଏ-। କିନ୍ତୁ କାହିଁ, ଚାହିଁ ଚାହିଁ ଆଖିରୁ ପାଣିମଲା, ତେବେ ବି ଗଙ୍ଗାଦେବୀଙ୍କର ଶୁଭାଗମନର ସୂଚନା ଦେଖାଗଲା ନାହିଁ । କାହିଁକି କେଜାଣି ଭାଗୀରଥୀ ମୋର ପାପଚକ୍ଷୁର ଅନ୍ତରାଳରେ ଲୁଚି ରହିଲେ । ଆଶାହତର ଯନ୍ତ୍ରଣାଠାରୁ ଆଉ ଯନ୍ତ୍ରଣା ନାହିଁ । ସେହି ହତାଶ ଯନ୍ତ୍ରଣାର ବିଫଳ ଭାର ବହି ଶୁଷ୍କମୁଖରେ ଫେରି ଆସିବାକୁ ବାଧ୍ୟ ହେଲି । ଅନେକ ବୃଦ୍ଧ ଲୋକଙ୍କୁ ଗଙ୍ଗାଙ୍କ ଅଦର୍ଶନର କାରଣ ପଚାରିବାରୁ ସେମାନେ କହିଲେ–‘‘ତାହା ସେ କାଳରେ ହେଉଥିଲା ନା ଏ କଳିଯୁଗରେ ହେବ ।’’ ଏହି ସହଜ ସରଳ ଉତ୍ତର ଶୁଣି ଭାବିଲି–ବୋଧହୁଏ ଏ ପ୍ରବାଦଟା ତେବେ ସତ୍ୟ ଯୁଗର, ମାତ୍ର ଏ ଯୁଗର ନୁହେଁ । ଏହିପରି ଅନେକ ପ୍ରବାଦ ମୂଳରେ ଗୋଲଆଳୁ ଫଳେ । ତହୁଁ ଖରାରେ ଶିଝି କାନମୁଣ୍ଡ ଆଉଁସି ଅଗତ୍ୟା ଫେରି ଆସିଲି । ତୀର୍ଥ ଦର୍ଶନର ପୁଣ୍ୟ ବି ହାତେ ହାତେ ମିଳିଗଲା-

 

ବଣ ପର୍ବତ ଦେଖିବାର ଆଗ୍ରହ ମୋର ସ୍ୱାଭାବିକ । ରାଧାନାଥବାବୁ ସେହି ଆଗ୍ରହକୁ ବହୁଗୁଣିତ କରି ଦେଇଗଲେ । ସେ ସମୟରେ ମୋର ଜଣେ ଛାତ୍ର ବନ୍ତ ଅ: ପ୍ରା: ସ୍କୁଲର ହେଡ଼ପଣ୍ଡିତ ଥିଲା । ତାହାଠାରୁ ଶୁଣିଲି–ବନ୍ତଠାରୁ ୪।୫ କ୍ରୋଶ ଦୂରରେ ‘‘ସୁନାଘାଇ’’ ନାମରେ ଗୋଟିଏ ପର୍ବତ ଅଛି । ତାହାକୁ ‘‘ଚକ୍ରତୀର୍ଥ ପାହାଡ଼’’ ବୋଲି ମଧ୍ୟ କହନ୍ତି । ସେହି ପାହାଡ଼ରେ ‘‘ସୀତାକୁଣ୍ଡ’’ ନାମରେ ଗୋଟିଏ ଜଳପ୍ରପାତ ଅଛି । ସେହି ପ୍ରପାତ କୁଣ୍ଡକୁ ସ୍ଥାନୀୟ ଲୋକେ ‘‘ଚକ୍ରତୀର୍ଥ’’ ବୋଲି କହନ୍ତି । ରଜସଂକ୍ରାନ୍ତି ଦିନ ସେଠାରେ ମେଳା ହୁଏ । ବହୁ ଯାତ୍ରୀଙ୍କର ସମାଗମ ହୁଏ । ସମସ୍ତେ ପ୍ରପାତ କୁଣ୍ଡରେ ସ୍ନାନ କରି ତୀର୍ଥସ୍ନାନର ଆନନ୍ଦ ଉପଭୋଗ କରନ୍ତି । ଛାତ୍ରଟି ଏହିପରି କେତେ ବର୍ଣ୍ଣନା କରି ମୋତେ ନିମନ୍ତ୍ରଣ କରିଗଲା । ତଦନୁସାରେ ମୁଁ ଦୁଇଟି ଛାତ୍ର ସଙ୍ଗରେ ଘେନି ରଜସଂକ୍ରାନ୍ତି ଦିନ ଯାଇ ବନ୍ତରେ ପହୁଞ୍ଚିଲି । ମୋର ପୂର୍ବୋକ୍ତ ବାଲ୍ୟଗୁରୁ ଶ୍ରୀ ଦାଶରଥି ପାଣିଗ୍ରାହୀ ବନ୍ତ ସର୍କଲର ଇନ୍‌ପେକ୍‌ଟିଂ ପଣ୍ଡିତ ଥିଲେ । ତାଙ୍କୁ କହିବାରୁ ସେ ସୁନାଘାଇ ଯିବାକୁ ମହା ଆଗ୍ରହରେ ସମ୍ମତ ହେଲେ । ବନ୍ତରେ ଦୁଇଟି ବୃହତ୍‌ ପୁଷ୍କରିଣୀ ଅଛି । ଗୋଟିଏ ଶ୍ୱେତ ଶତଦଳରେ ପୂର୍ଣ୍ଣ, ଅପରଟି ରକ୍ତ ପଦ୍ମରେ ପୂର୍ଣ୍ଣ । ପ୍ରଥମୋକ୍ତ ପୁଷ୍କରିଣୀଟି ଗ୍ରାମଠାରୁ ଟିକିଏ ଦୂରରେ ପ୍ରଶସ୍ତ ବିଲ ମଧ୍ୟରେ ଅବସ୍ଥିତ । ତାହାର ଦକ୍ଷିଣ ଆଡ଼ିରେ ପ୍ରସ୍ତର ନିର୍ମିତ ଚଣ୍ଡୀମନ୍ଦିର ଏବଂ ଶିବମନ୍ଦିର ବିଦ୍ୟମାନ । ମନ୍ଦିର ଚାରିପାଖରେ ପ୍ରସ୍ତର ବେଢ଼ା ଏବଂ ବେଢ଼ା ଭିତରେ ଭୋଗ ପ୍ରସ୍ତୁତ କରିବାର ଏବଂ ବିଶ୍ରାମ କରିବାର ପଥର ଘର ଅଛି । ସ୍ଥାନଟି ମହାଯୋଗୀ ମହାଯୋଗିନୀ ଶିବ ଦୁର୍ଗାଙ୍କର ଯୋଗ ସାଧନର ଉପଯୁକ୍ତ ନିକାଞ୍ଚନ ସ୍ଥଳ । ସେଠାରେ ବସିଲେ ମନ ଦେହରୁ ବାହାରିଯାଇ କେଉଁ ଅଜଣା ଆନନ୍ଦ ସ୍ୱର୍ଗରେ ବିଚରଣ କରେ । ପଦ୍ମବନର ସ୍ନିଗ୍‌ଧ, ମଧୁର ଆମୋଦରେ ଅନ୍ତରାତ୍ମା ପୁଲକିତ ହୋଇ ଉଠେ । ସେହି ସାରସ୍ୱତ ରାଜ୍ୟର ମୋହନ ମାଧୁରୀ ଚିତ୍ତକୁ ଏପରି ଆକର୍ଷଣ କରି ରଖେ ଯେ, ଦର୍ଶକର ମନ ଏବଂ ନେତ୍ରକୁ ଫେରାଇ ଦିଏ ନାହିଁ । ମୃଦୁ ପବନରେ ଫୁଲଗୁଡ଼ିକ ଛନ୍ଦାଛନ୍ଦି ହୋଇ ଅସଂଖ୍ୟ ପୁଷ୍ପକୁଞ୍ଜ ସୃଷ୍ଟିକରେ-। ଦୂରରୁ ଦେଖିଲେ ପୁଷ୍କରିଣୀଟି କ୍ରୀଡ଼ାଚପଳ ହଂସ ଯୂଥରେ ପୂର୍ଣ୍ଣହେଲା ପ୍ରାୟ ଦିଶେ । ସେଠାରେ ଘଡ଼ିଏ ବସି ମୁଁ ଯେଉଁ ସ୍ୱର୍ଗୀୟ ସୁଖଶାନ୍ତି ଉପଭୋଗ କରିଥିଲି, ତାହା ଆଉ ଜୀବନରେ ପାଇବି ନାହିଁ । ସେ ସ୍ମୃତି ହୃଦୟରେ ଗଭୀର ରେଖା ଟାଣି ଦେଇଅଛି ।

 

ରାତି ଦୁଇଘଡ଼ି ଥାଏ, ଆମ୍ଭେମାନେ ସୁନାଘାଇ ଅଭିମୁଖରେ ଯାତ୍ରା କଲୁଁ । ମୁଁ, ମୋର ଦୁଇଜଣ ଛାତ୍ର, ବନ୍ତ ସ୍କୁଲମାଷ୍ଟର, ଦାଶରଥି ପାଣିଗ୍ରାହୀ, ଜଣେ ଅକସ୍ମାତ୍‌ ସଙ୍ଗୀ ଏବଂ ଜଣେ ଭାରିଆ ଏହି ସାତ ଜଣରେ ଆମ ଦଳଟି ଗଠିତ ହୋଇଥିଲା । ଭାରର ଗୋଟାଏ ପାଖରେ ଗରାଏ ପାଣି ଏବଂ ଆରପାଖରେ ପଣ୍ଡିତଙ୍କର କୋଥଳି ଲଦା ହୋଇଥିଲା । ପଣ୍ଡିତଙ୍କ କୋଥଳି ସରଞ୍ଜାମଗୁଡ଼ିକ ଭାରକରୁ ବେଶି ହେବ । କିନ୍ତୁ ସେଦିନ ଯଥାସମ୍ଭବ ସଂକ୍ଷେପ କରି ନେଇଥିଲେ । ବାଟରେ ‘‘ଗୁଡ଼ା, ଗମ୍ଭୀରା’’ ପ୍ରଭୃତି ଅନେକ ଗ୍ରାମ ପଡ଼ିଲା । ପ୍ରତ୍ୟେକ ଗ୍ରାମରେ ଏକାଧିକ ପୁଷ୍କରିଣୀ ଏବଂ ପ୍ରତି ପୁଷ୍କରିଣୀ ପଦ୍ମରେ ପରିପୂର୍ଣ୍ଣ । ଏତେ ପୁଷ୍କରିଣୀ ଅନ୍ୟତ୍ର ଦେଖାଯାଏ ନାହିଁ । ଅକସ୍ମାତ୍‌–ସଙ୍ଗୀଟି ବଡ଼ ଖିଆଲିଆ । ହାସ୍ୟ କୌତୁକରେ ସେ ସମସ୍ତଙ୍କର ପଥକ୍ଳେଶ ହରି ନେଉଥାଏ । ବାଟ ଚାଲିବାବେଳେ ଏହିପରି ଜଣେ ଲୋକ ଥିବା ଦରକାର । ଗମ୍ଭୀରାଠାରୁ ଜଙ୍ଗଲ ଆରମ୍ଭ ହେଲା । ଆମ୍ୱ, ଶାଳ, ତେନ୍ତୁଳି, ପଳାଶ, ବଣଅଉ, ଲେମ୍ୱୁ, ପିଦୁଡ଼ି ପ୍ରଭୃତି ବିବିଧ ତରୁ ଗୁଳ୍ମରେ ଅରଣ୍ୟ ପୂରିରହିଅଛି । ଯାଉଁ ଯାଉଁ ଦୁଇଟି ବନ୍ୟବାଳିକା ଦୋଳି ଖେଳୁଥିବାର ଦେଖିଲୁଁ । ସେମାନେ ଗୀତ ଗାଇ ଗାଇ ଝୁଲୁଥାଆନ୍ତି । ସେ ଗୀତ ମଧ୍ୟରୁ ଦୁଇପାଦ ମୋ ମନରେ ଅଛି, ତାହା ଏହି,–‘‘କାଲିଆ କୁକୁର ପାରିଥିଲି ହାଇ ମୋ ଦୂରି ଲୋ, ଭାଇଙ୍କ କାନ୍ଧରେ ନାରି ଗାମୁଛା ହାଇ ମୋ ଦୂରି ଲୋ ।’’ ଜଙ୍ଗଲ ଭିତରେ କୋଶେ ବାଟ ଯାଇ ପର୍ବତ ମୂଳରେ ପହୁଞ୍ଚିଲୁଁ । ତେତେବେଳେ ସମୟ ଠିକ୍‌ ଆଠଟା । ପର୍ବତ ଦୂରାରୋହ, ପଥ ନାହିଁ, ଯେଉଁ ଅସ୍ପଷ୍ଟ ସଂକୀର୍ଣ୍ଣ ପଥରେ ଗଲୁଁ, ତାହା କର୍କରା ପିଛିଳ । ଦଳ ଦଳ ହୋଇ ଯାତ୍ରୀମାନେ ଢୋଲ, ମହୁରୀ, ଝାଞ୍ଜ, କରତାଳ, ମୃଦଙ୍ଗ ବଜାଇ ଗୀତଗାଇ ଚାଲିଥାଆନ୍ତି । ଶୁଣିଲୁଁ–ହିଂସ୍ରଜନ୍ତୁଙ୍କ ମନରେ ଭୟଜାତ କରିବାପାଇଁ ଏହିପରି ବାଦ୍ୟ ବଜାଇ ଯାଆନ୍ତି । ସ୍ଥାନ ଯେପରି ନିବିଡ଼ ଜନାକୀର୍ଣ୍ଣ, ସେଥିରେ ହିଂସ୍ରଜନ୍ତୁ ଥିବା ବିଚିତ୍ର ନୁହେଁ-। ସ୍ଥାନେ ସ୍ଥାନେ ହାତୀ ବନ ମନ୍ଥିଥିବାର ଚିହ୍ନ ମଧ୍ୟ ଦେଖାଗଲା । ଉଠାଣିଆ ବାଟରେ ଭାର ଚାଲିଲା ନାହିଁ । ସମସ୍ତେ ଅଳ୍ପ ଅଳ୍ପ ବାଣ୍ଟି ନେଇ ଚାଲିଲୁଁ । ପ୍ରଚଣ୍ଡ ଖରା, ବାଟରେ ପାଣିସବୁ ଶେଷ ହୋଇଗଲା । ଯାହାହେଉ ତୃଷାରେ ଆତୁର ନ ହେଉଣୁ ଗତିପଥରେ ଗୋଟାଏ ଝରଣା ମିଳିଗଲା-। ଏକ ସ୍ଥାନରେ ଗୋଟିଏ ସୁନ୍ଦର ପ୍ରସ୍ତର ପ୍ରତିମା ପର୍ବତ ଦେହକୁ ଡେରା ହୋଇଅଛି, ଉପରୁ ପାଣି ବହି ଆସି ପ୍ରତିମା ଶିରରେ ପଡ଼ି ତଳକୁ ବହି ଯାଉଅଛି । ପ୍ରତିମା ଦେହର ଛୁଞ୍ଚିକାମ କାରିଗରି ବାସ୍ତବରେ ଲୋଭନୀୟ । ଝରଣାର ଜଳ କାଚଧାର ପରି ସ୍ୱଚ୍ଛ ଏବଂ କରକାତୁଲ୍ୟ ଶୀତଳ । ସେଠାରୁ କିଛି ଦୂର ଯାଇ ଗୋଟାଏ ପ୍ରଶସ୍ତ ପୟଃପ୍ରଣାଳୀ ଭେଟିଲୁଁ । ପ୍ରାୟ ପଚାଶ ହାତ ଓସାରରେ ଜଳସ୍ରୋତ ଚାଲିଅଛି । ପର୍ବତଚୂଡ଼ା ଉପରେ ନଈ ବହିଯାଇ ସୃଷ୍ଟିକର୍ତ୍ତାଙ୍କର ଅନନ୍ତ ଅସମ୍ଭବ ମହିମାର ପରିଚୟ ଦେଉଅଛି । ନଈ ଭିତରେ କମ୍ୱଳ ବିଛାଇଲା ପରି ବଡ଼ ବଡ଼ ପ୍ରସ୍ତର ଖଣ୍ଡ ବିସ୍ତୃତ ରହିଅଛି । ସମସ୍ତେ ସେଥିରୁ ଖଣ୍ଡିଏ ଖଣ୍ଡିଏ ଅଧିକାର କରି ବସିଲୁଁ । ପଣ୍ଡିତେ ନଈରେ ଗାଧୋଇ ପଥର ଆସନ ଉପରେ କୋଥଳି ମେଲାଇ ପୂଜା କରିବାକୁ ବସିଲେ । ଆମ୍ଭେମାନେ ଗାଧୋଇ ସାରି ଉଦର ସେବାରେ ଲାଗିଗଲୁଁ । ସଙ୍ଗରେ ଜଳଖିଆ ଥିଲା, ସେଗୁଡ଼ିକର ସଦ୍‌ବ୍ୟବହାର ହେଲା । ପୂର୍ଣ୍ଣ ଘଣ୍ଟାକ ପରେ ପଣ୍ଡିତଙ୍କର ସଂକ୍ଷିପ୍ତ ପୂଜା ଶେଷ ହେଲା-। ସେ କୃଷ୍ଣସେବା (ଅଫିମ ସେବା) ପରେ ଉଦର ସେବାରେ ଲାଗିଲେ । ତେତେବେଳକୁ ବେଳ ଦୁଇ ପ୍ରହର ।

 

ସେଠାରୁ ଖଣ୍ଡେ ଦୂର ଗଲୁଁ । ଅନ୍ୟ ପଥ ନାହିଁ, ନଈ ଭିତରେ ପାଣିରେ ପଶି ଚାଲିବାକୁ ହେଲା । ସେହିଠାରୁ ପର୍ବତଚୂଡ଼ା କାଟି ଦେଲାପରି ତଳକୁ ଖସି ଯାଇଅଛି । ପାଣିଗୁଡ଼ାକ କୁଣ୍ଢେମୋଟରେ ପ୍ରାୟ ୩୦।୪୦ ହାତ ତଳକୁ ଡେଇଁ ପଡ଼ୁଅଛି ଏବଂ ଗୋଟାଏ କ୍ଷୁଦ୍ର କୁଣ୍ଡରେ ପଡ଼ି ନଦୀଆକାରରେ ତଳକୁ ବହିଯାଉଅଛି । ସେହି କୁଣ୍ଡର ନାମ–‘‘ସୀତାକୁଣ୍ଡ’’ । ଜଳପ୍ରପାତର ପ୍ରଚଣ୍ଡ ଶକ୍ତି କୁଣ୍ଡ ଚାରିପାଖରେ ବିଞ୍ଛୁଡ଼ି ପଡ଼ୁଅଛି । କିନ୍ତୁ ସେ ଶକ୍ତି ସେଠାରେ ବ୍ୟର୍ଥ ହେଉଅଛି । କୌଣସି ଉନ୍ନତ ଦେଶରେ ଏପରି ଗୋଟାଏ ଶକ୍ତି ଜାତ ହେଉଥିଲେ ତାହାରି ସାହାଯ୍ୟରେ କେତେ କଳ କାରଖାନା ଚାଳିତ ହୋଇ ଦେଶର ଯଥେଷ୍ଟ ମଙ୍ଗଳ ସାଧିତ ହେଉଥାଆନ୍ତା । କିନ୍ତୁ ଏଠାରେ ଶ୍ମଶାନ ତୁଳସୀ ପରି କେହି ପଚାରିବାକୁ ନାହିଁ । କି ଭୀଷଣ ଗର୍ଜନ, ଜଳସ୍ତମ୍ଭର ପତନ ବେଗରେ ଚିର ଭୂମିକମ୍ପ ପ୍ରାୟ ଅରଣ୍ୟ ପ୍ରକୃତି ସର୍ବଦା ଦୁଲୁକୁ ଥାଏ । କୁଣ୍ଡର ଗଭୀରତା ଅଶିହାତରୁ ଅଧିକ। ଶଙ୍ଖ, ହୁଳାହୁଳି, ହରିବୋଲ, ଝାଞ୍ଜ, କର୍ତ୍ତାଳ, ମୃଦଙ୍ଗ, ଢୋଲ, ମହୁରୀର ପୃଥୁଳଶବ୍ଦରେ ପ୍ରପାତର ଗର୍ଜନ ମିଶି ସେଠାରେ ଗୋଟାଏ ଉତ୍କଟ ଶବ୍ଦ-ତାଣ୍ଡବ ସୃଷ୍ଟି କରୁଅଛି । ଚୂଡ଼ାର ଦକ୍ଷିଣ ପାଖ ନହୁରୁଣୀ ମୁହଁ ପରି ତୀର୍ଯ୍ୟକ୍‌ ଭାବରେ ପ୍ରାୟ ପଚାଶ ହାତ ପର୍ଯ୍ୟନ୍ତ ତଳକୁ ଓହ୍ଲାଇଯାଇଅଛି । ସେହି ତୀର୍ଯ୍ୟକ୍‌ ଭୂମିରେ ଛୋଟ ବଡ଼ ଅନେକ ଗଛ ଅଛି । ଶୁଣିଲୁଁ–ହାତୀମାନେ ସେହି ଗଛ ଧରି ଧରି ତଳକୁ ଓହ୍ଲାଇ ଆସି କୁଣ୍ଡରୁ ପାଣି ପିଇସାରି ପୁଣି ସେହିପରି ଗଛ ସାହାଯ୍ୟରେ ଉପରକୁ ଉଠିଯାଆନ୍ତି । ଆମ୍ଭେମାନେ ବି ସେହି ଧାରା ଧରି ତଳକୁ ଓହ୍ଲାଇଲୁଁ । ତଳେ ଖଣ୍ଡିଏ ବିଶାଳ ସମତଳ ପ୍ରସ୍ତର ବହୁ ଦୂର ଯାଏଁ ବିସ୍ତୃତ ରହିଅଛି । ତାହାରି ଉପରେ ଦୋକାନ ବସି ମେଳା ଲାଗିଅଛି । ସେହି ପଥରର ଖଣ୍ଡେ ଦୂର ତଳେ ସୀତାକୁଣ୍ଡ । ଉପରୋକ୍ତ ତୀର୍ଯ୍ୟକ୍‌ ଭୂମିତଳେ ଗୋଟାଏ ଗୁମ୍ଫା ଅଛି । ଆକାର ଗୋଟିଏ ସାନ କୋଠରୀ ପରି । ସେଠାରେ ଦିବାଲୋକ ପଶିପାରେ ନାହିଁ, ସର୍ବଦା ଅନ୍ଧକାରମୟ । ତାହାକୁ ସୀତାଙ୍କ ଅନ୍ତୁଡ଼ିଶାଳ ବୋଲି କହନ୍ତି । ଅଗର୍ଭସମ୍ଭବା ସୀତାଙ୍କର ଅନ୍ତୁଡ଼ିଶାଳ କଥା ଆଗେ ଅସିଦ୍ଧ । ପରବର୍ତ୍ତୀକାଳରେ ଏହିପରି ସୀତାଙ୍କ ଅନ୍ତୁଡ଼ିଶାଳ ମୁଁ ଅନେକ ସ୍ଥାନରେ ଦେଖିଅଛି । ଯାହାହେଉ ଯେବେ ତାହା ଅନ୍ତୁଡ଼ିଶାଳ ହୋଇଥାଏ, ତେବେ ସେ ପ୍ରକୃତରେ ଅନ୍ଧାରର ଅନ୍ତୁଡ଼ିଶାଳ । ନୋଚେତ୍‌ ଭଲ୍ଲୁକ ସୁନ୍ଦରୀର ଅନ୍ତୁଡ଼ିଶାଳ । ଗୁମ୍ଫାରେ ଭଲ୍ଲୁକ ପରିବାର ବାସ କରୁଥିବାର ପ୍ରମାଣ ମଧ୍ୟ ଦେଖାଗଲା । ଗୁମ୍ଫା ଦେହରେ ଭାଲୁର ବଡ଼ ବଡ଼ ଲୋମ ଲାଗି ରହିଥାଏ । ସେଠାରୁ ଏପରି ଉତ୍କଟ ଦୁର୍ଗନ୍ଧ ବାହାରେ ଯେ ସେଥିରେ ଅନ୍ନପ୍ରାଶନର ଅନ୍ନ ସୁଦ୍ଧା ଉଦ୍‌ଗୀରିତ ହୋଇପଡ଼ିବ । ପର୍ବତର ଶୋଭା ଅତୁଳନୀୟ । ସ୍ଥୂଳରେ ତାହା ଶୋଭାଲକ୍ଷ୍ମୀଙ୍କର ରତ୍ନଗନ୍ତାଘର । ବାସ୍ତବରେ ଗିରିକାନନ ପ୍ରକୃତିର ଦୃଶ୍ୟ ଅତି ମହୀୟାନ୍‌–ଅତି ଲୋଭନୀୟ । ଭୀଷଣ ହେଉପଛେ, ଦେଖିଲେ ଆଉ ଛାଡ଼ି ଆସିବାକୁ ଇଚ୍ଛା ହୁଏ ନାହିଁ । ସେ ମହାଶୋଭା ନିକଟରେ ମୃତ୍ୟୁଭୟ ସର୍ବଥା ପରାଜୟ ସ୍ୱୀକାର କରେ ।

 

ପ୍ରାୟ ଦୁଇଟାବେଳେ ଆମ୍ଭେମାନେ ଫେରିଆସିଲୁଁ । ପର୍ବତର ସ୍ଥାନେ ସ୍ଥାନେ ବିଶ୍ରାମ କରିବାକୁ ହେଲା । ଗୋଟାଏ ଜାଗାରେ ଖଣ୍ଡେ ବହଳ ଅରଣ୍ୟ ପଡ଼ିଲା । ସେଠାରେ ନିସ୍ତବ୍‌ଧତାର ସାଇଁ ସାଇଁ ଶବ୍ଦ ଛଡ଼ା ଅନ୍ୟ ଶବ୍ଦ ନାହିଁ । ତାହା ମୌନବାନ୍‌ ଯୋଗ୍ନୀର ଯୋଗବେଦୀ ପରି ନୀରବ, ନିସ୍ତବ୍‌ଧ । ମହାଯୋଗିବର ପର୍ବତ ମଧ୍ୟାହ୍ନ ଉପାସନାର ମହାଯୋଗରେ ନିମଗ୍ନ । ଆମ୍ଭେମାନେ ତାହାର ଗଭୀର ଯୋଗ ଭଗ୍ନ କରିବାକୁ ସାହସୀ ହେଲୁ ନାହିଁ । ଭୟରେ ନୀରବରେ ସେ ସ୍ଥାନରୁ ଚାଲିଆସିଲୁଁ । ଖଣ୍ଡେ ବିରଳ ବନର ଉପତ୍ୟକା ବାଟରେ ପଡ଼ିଲା । ସେଠାରେ ସମସ୍ତେ ଟିକିଏ ଗିରି ବିହାର କଲୁଁ । ବାଡ଼ି କଟାର ଧୁମ୍‌ ଲାଗିଗଲା । କେହି ବାଉଁଶ ବାଡ଼ି କାଟିଲା–କେହି ଅନ୍ୟ ଗଛର ଡାଳ କାଟିଲା, ମନ ଆଖୁବାଡ଼ିରେ ପଶିଲା ପରି ହେଲା । କାହାକୁ ଛାଡ଼ି କାହାକୁ ନେବାକୁ ହେବ, ଯାହାକୁ ଦେଖିଲେ ସେ ସୁନ୍ଦର, ସେ ଲୋଭନୀୟ । ପର୍ବତଟାଯାକ ନେଇଯିବାକୁ ଇଚ୍ଛା ହେଲା, କିନ୍ତୁ ଦେହରେ ତ ସେ ହନୁମାନୀଶକ୍ତି ନାହିଁ, ସୁତରାଂ କଷ୍ଟରେ ସେ ବିଫଳ ଦୁରାଶା ତ୍ୟାଗ କରିବାକୁ ହେଲା । ଜଣେ ବନ୍ୟ ଯୁବକକୁ ସେହି ବାଟେ ଯିବାର ଦେଖିଲୁଁ । ଲୋକଟି ହୃଷ୍ଟପୁଷ୍ଟ ଏବଂ କଜ୍ଜ୍ୱଳକୃଷ୍ଣ । ଚାରି ଆଙ୍ଗୁଳି ଓସାରର ଖଣ୍ଡିଏ ଲେଙ୍ଗୁଟି ଛଡ଼ା ଦେହରେ ଅନ୍ୟ ଆବରଣ ନାହିଁ-। ହାତରେ ଖଣ୍ଡିଏ ଟାଙ୍ଗିଆ ଏବଂ କାନ୍ଧରେ ଖଣ୍ଡେ ସଦ୍ୟକର୍ତ୍ତିତ ଶାଳଗଜା, ସେଥିରେ ପତ୍ରବନ୍ଧା ମାଉଁସ ପୋଟଳାଏ ଝୁଲୁଅଛି । ତାକୁ ଆମ୍ଭେମାନେ ଟାଙ୍ଗିଆ ମାଗିଲୁଁ, ମାତ୍ର ସେ ଆମ କଥା ବୁଝି ପାରିଲା ନାହିଁ, ନୀରବରେ ଚାଲିଗଲା । ପଛରେ ଆଉ ଜଣେ ଆସିଲା । କେଉଁ ଗଛ ବାଡ଼ି ହୁଏ ବୋଲି ପଚାରିବାରୁ ସେ ଗୋଟାଏ ଗଛର ଡାଳ କାଟି ଆଣି ସେଥିରେ ଗୋଟାଏ ପତ୍ର ରଖି ଆଣିଦେଲା ଏବଂ କହିଲା–‘‘ଏହିପରି ପତ୍ର ଯେଉଁ ଗଛରେ ଦେଖିବ, ତାକୁ କାଟିନେବ । ଏହାର ନାମ ‘‘ଟାଙ୍ଗିଣୀଚମ୍ପା’’, ଏ ଖୁବ୍‌ ଭଲ ବାଡ଼ି ହୁଏ ।’’ ଯାହାହେଉ ଲୋକଟି ଅନ୍ଧକୁ ଗୋହିରୀ ବାଟ ଦେଖାଇଦେଲା । ଆମ୍ଭେମାନେ ଆସୁଁ ଆସୁଁ ସେହିପରି ଗଛ ଏବଂ ଆଉ କେତେକ ଗଛ କାଟିଲୁଁ । ବାଡ଼ିଗୁଡ଼ିକ ଏତେ ହେଲା ଯେ, ବହି ଆଣିବା ଦୁଷ୍କର । ତହୁଁ ବାଛି ବାଛି କେତେ ଖଣ୍ଡ ଆଣିଲୁଁ ଅବଶିଷ୍ଟ ପର୍ବତର ମାଲ ପର୍ବତରେ ପଡ଼ିରହିଲା । ଜଙ୍ଘମୋଟର ଗୋଟାଏ ଟୁଙ୍ଗାଆଳୁ ଉପରକୁ ହାତେ ବାହାରିଥିବାର ଦେଖି ତାକୁ ଖୋଳି ଆଣିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ବିଫଳକାମ ହେଲୁଁ-। ପଥରରେ ଖୋଳି ହେଲା ନାହିଁ । ନିରୂପାୟ ହୋଇ ଶେଷରେ ତାହାକୁ ମୁଣ୍ଡକାଟ ଶାସ୍ତିଦେଇ ଯେତକ ଉପରକୁ ଥିଲା, ତେତେକ କାଟି ଆଣିଲୁଁ । ଟୁଙ୍ଗାଆଳୁର ସେହି କଟା ମୁଣ୍ଡ ଧରି ବିଜୟୀବୀର ପରି ଅଗ୍ରସର ହେଲୁଁ । ପଣ୍ଡିତ ମହାଶୟ କେନ୍ଦୁଗଛ ଲଗ୍ନ ଲତା–ଦୋଳିରେ ବସି ଝୁଲିବାବେଳେ ପାକଲା କେନ୍ଦୁ ଝର ଝର ହୋଇ ଝଡ଼ି ପଡ଼ିଲା । ମାନବ ବଂଶର ଆଦି ପୁରୁଷ ପରି ସେ ଗୁଡ଼ିକ ଉଦରସାତ୍‌ କରାଗଲା । କେତେ ଅପରିଚିତ ପାକଲା କୋଳି ତୋଳି ମଧ୍ୟ ସଦ୍‌ବ୍ୟବହାର କରାଗଲା । ପଥର ଫିଙ୍ଗି ଗଛରୁ ବଣଅଉ ଝଡ଼ାଇ ଖାଇଲୁଁ । ଅଉଗୁଡ଼ିକ ଠିକ୍‌ ଅୟଁଳା କୋଳି ପରି । ତାହା ଅଉ ପରି ପାଞ୍ଚଫଡ଼ା, ସ୍ୱାଦୁ ଅମ୍ଳମଧୁର ମିଶାମିଶି । ସନ୍ଧ୍ୟାପୂର୍ବରୁ ପର୍ବତର ତଳେ ଆସି ପହୁଞ୍ଚିଲୁଁ । ସେଠାରେ ଗୋଟାଏ କ୍ଷୁଦ୍ରନଦୀ ବହିଯାଉ ଅଛି । ନଈ ଭିତରେ ଅସଂଖ୍ୟ ଗେରୁମୁଣ୍ଡା ଗଡ଼ୁଥିବାର ଦେଖି ସେଥିରୁ କିଛି ସଂଗ୍ରହକଲୁଁ । ଏହି ସମୟରେ ହଠାତ୍‌ ମେଘ ଉଠାଇ ମୂଷଳ ଧାରାରେ ବୃଷ୍ଟିହେଲା । ଏତେ ବର୍ଷା ହେଲା ଯେ, ଆମ୍ଭେମାନେ ଯେଉଁ ଶୁଖିଲା ବାଟରେ ଯାଇଥିଲୁଁ, ସେହି ବାଟରେ ଜଙ୍ଘେ ପାଣି ହେଲା । ଯାହାହେଉ ତିନ୍ତିବୁଡ଼ି ଅଧିକ ଅନ୍ଧାର ନ ହେଉଣୁ ଆସି ଜମ୍ଭୀରାଚଣ୍ଡୀମଣ୍ଡପରେ ପହୁଞ୍ଚିଲୁଁ । ସେଠାରେ ଜଣେ ସାଧୁ ଥାଆନ୍ତି । ସେ ଆମ୍ଭମାନଙ୍କର ଯଥେଷ୍ଟ ସୁବିଧା କରିଦେଲେ । ଶିଷ୍ୟମାନଙ୍କ ଦ୍ୱାରା ଦୂରରୁ ପିଇବା ପାଣି ଏବଂ ଦୁଇ ବାହାଣୀ ଗୁଡ଼ ଅଣାଇ ଦେଲେ । ଗ୍ରାମରେ କାହାରି ଅଧିକା ଘର ନାହିଁ, ଜଣକର ଗୋଟାଏ ବାହାର ବଙ୍ଗଳା ଥିଲା । ସେଥିରେ ଖୁବ୍‌ ମୋଟ ବେଢ଼ିଆ ଖୁଣ୍ଟ ପଡ଼ିଅଛି । ବଣ ଭିତରେ ବା କାଠର ଅଭାବ କଅଣ । କିନ୍ତୁ ବଙ୍ଗଳା ଭିତରେ ଗୋଟାଏ ପ୍ରକାଣ୍ଡ ଗୋବର ଖାତ, ଦୁର୍ଗନ୍ଧରେ ନାକ ଫାଟି ଯାଉଥାଏ । କଅଣ କରିବୁଁ, ଗୃହସ୍ଥର ରୁଚିକୁ ଧନ୍ୟବାଦ କି ଅଭିସମ୍ପାତ କଅଣ ଗୋଟାଏ ଦେଇ ଲୁଗାରେ ଘେରି ଗୋଟାଏ ପାଖରେ ରହିଲୁଁ । ଗ୍ରାମଟି କେନ୍ଦୁଝରର ଅନ୍ତର୍ଗତ । ଆମ୍ଭମାନଙ୍କୁ ଦେଖିବା ପାଇଁ ଅନେକ ଲୋକ ଆସିଲେ–ମୋଗଲବନ୍ଦିର ହାଲ ଚାଲ ପଚାରିଲେ । ଆମ୍ଭ ବାଡ଼ିଗୁଡ଼ିକ ଦେଖି ସେଥିରୁ ଖଣ୍ଡିଏ ଫୋପାଡ଼ିଦେଇ କହିଲେ–ଏ ଖଣ୍ଡ ‘‘ଧ’’ କାଠ । ପ୍ରବାଦ ଅଛି–‘‘ଧ, ଧମଣା, ଭୁରୁକୁଣ୍ଡୀ, ଘରେ ନରଖେ ଖୁଦଗୁଣ୍ଡୀ ।’’ ଏ କାଠ ବଡ଼ ଅମଙ୍ଗଳ, ଏହାକୁ ଛୁଇଁବା ଉଚିତ ନୁହେଁ । ଆଉ ଖଣ୍ଡିଏ ବାଡ଼ି ଚିହ୍ନି କହିଲେ–‘‘ଏ ଖଣ୍ଡ ଯଷ୍ଟିମଧୁ, କିନ୍ତୁ ମିଠାକାଠ ହେତୁ ଅଳ୍ପଦିନରେ ଘୁଣ ଖାଇ ଝାଡ଼ି ଦେବେ ।’’ ଆମ୍ଭେ ତ ତାକୁ ଚିହ୍ନିକରି ଆଣି ନଥିଲୁଁ–ପୋକ କାଟୁ କାଟୁ ଅକ୍ଷର ହୋଇଯାଇ ଥିବାରୁ ମନ ବଡ଼ ଖୁସିହେଲା । କିନ୍ତୁ ବାସ୍ତବରେ ଦୁଇ ମାସ ପରେ ଦେଖିଲା ବେଳକୁ ବାଡ଼ିଟିଯାକ ଘୁଣ ଖାଇ ନଷ୍ଟ କରିଦେଇ ଅଛନ୍ତି ।

 

ରାତିରେ ସେହି ବଙ୍ଗଳାରେ ରୋଷେଇ ହେଲା । ଡାଲି ଛଡ଼ା କିଛି ପରିବା ଆମ ପାଖରେ ଥିଲା ନାହିଁ । ପଣ୍ଡିତଙ୍କ କୋଥଳିପେଡ଼ିରେ ମାନଧାତାଙ୍କ ଅମଳରୁ କେତେଟା ଶୁକୁଟା ପଣସ ମଞ୍ଜି ପଡ଼ିଥିଲା । ତାକୁ ଭାତରେ ଦେଇ ଚଟଣି କରାଗଲା । ତେଲ ଅଭାବରୁ ପାଣି ଆଉ ଲଙ୍କାମରିଚରେ ଡାଲି ବଘରା ହେଲା । ଏହି ଅଦ୍ଭୁତ ବ୍ୟଞ୍ଜନ ପାଇ ସୁଦ୍ଧା କାହାରିଗୁଣ୍ଡା ଅଟକିଲା ନାହିଁ । ସେଦିନ ଆମ୍ଭେମାନେ କିଛି ଖାଇନାହୁଁ–ଆମ୍ଭମାନଙ୍କର ପରିଶ୍ରମ ତୃପ୍ତିପୂର୍ବକ ସବୁ ଖାଇଦେଲା । ପରିଶ୍ରମ କଞ୍ଚା ଦରସିଝା ଅଲଣା ତୁଣକୁ ବି ଅମୃତପରି ସ୍ୱାଦୁ କରିଦିଏ–ତାହାର ପ୍ରଭାବ ଊଣା ନୁହେଁ । ସକାଳୁ ଉଠି ବନ୍ତ ଅଭିମୁଖରେ ଅଗ୍ରସର ହେଲୁଁ, କିନ୍ତୁ ପୂର୍ବ ରାତିରେ ବର୍ଷା ହୋଇ ବାଟ ଖସରା ହୋଇଥିବାରୁ ଭାରିଆଟି ଭାର ନେବାକୁ ଅମଙ୍ଗ ହେଲା । ମାତ୍ର ପଣ୍ଡିତଙ୍କୁ ସେ ରୋଗର ଔଷଧ ଜଣା । ଦୁଷ୍ଟଘୋଡ଼ା ଅଡ଼ିଲେ, ଚାବୁକ ତାକୁ ସିଧା କରିଦିଏ, ପଣ୍ଡିତଙ୍କ ଚବିଶପଳିଆ ଚାପୁଡ଼ା ଦୁଇଟା ଦକ୍ଷିଣାପାଇଲା ମାତ୍ରେ ଭାରିଆପୁଅଟି ବିନା ଆପତ୍ତିରେ ଗାଲ ଆଉଁସି ଆଉଁସି ସୁନାପୁଅ ପରି ଭାର କାନ୍ଧେଇ ଆଗରେ ଚାଲିଲା । ‘‘ସନ୍ଥକୁ ସନ୍ଥ ବୁଝାଏ, ମୂର୍ଖେ ବୁଝାଏ ଠେଙ୍ଗା ।’’ ଏ ପ୍ରବଚନ ଯଥାର୍ଥ । ପ୍ରାୟ ଦୁଇଟାବେଳେ ବନ୍ତରେ ପହୁଞ୍ଚି ସେଦିନ ରହିଲୁଁ । ମୁଁ ଲୋକ ପଠାଇ ଚଣ୍ଡୀ ଦିଘୀରୁ କିଛି ଶତଦଳ ସଂଗ୍ରହ କଲି । କେତୋଟି ଫୁଲର ପାଖୁଡ଼ା ଗଣି ଦେଖିଲି ଶହେ ତିନିଠାରୁ ଶହେ ପନ୍ଦର ପର୍ଯ୍ୟନ୍ତ ଥିଲା । ସକାଳୁ ଆସିବାବେଳେ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ସେ ଦିନକ ରହିବା ସକାଶେ ମୋତେ ଅନୁରୋଧ କଲେ । ମାତ୍ର ସମୟାଭାବରୁ ମୁଁ ବିନୟର ସହିତ ସେ ଅନୁରୋଧ ପ୍ରତ୍ୟାଖାନ କରିବାକୁ ବାଧ୍ୟ ହେଲି । ସେହିଦିନ ସନ୍ଧ୍ୟାସମୟରେ ମୁଁ ଏବଂ ମୋର ସହଯାତ୍ରୀ ଦୁଇଜଣ ଛାତ୍ର କୁମାରପୁରରେ ଆସି ପହୁଞ୍ଚିଲୁଁ ।

 

ପିଲାମାନଙ୍କ ହସ୍ତାକ୍ଷର ଲେଖାସମ୍ୱନ୍ଧରେ ମୋର ଧାରା ଭିନ୍ନ ପ୍ରକାର ଥିଲା । ଖାଲି ବହିରୁ ନ ଉତ୍ତାରି ନିତ୍ୟଦର୍ଶନୀୟ ଘଟଣା ଲେଖିବା ସକାଶ ସେମାନଙ୍କ ପ୍ରତି ଆଦେଶ ଥିଲା । ସେଥିରେ ରଚନାଶକ୍ତିର ବିକାଶ ସଙ୍ଗେ ସଙ୍ଗେ ସ୍ୱାଧୀନ–ଚିନ୍ତା ଶକ୍ତିର ବିକାଶ ଘଟେ ବୋଲି ମୋର ବିଶ୍ୱାସ । ଏହି ବିଶ୍ୱାସର ଆଶାତୀତ ଫଳ ମଧ୍ୟ ଦେଖିଅଛି । ସେହି ରଚନାଗୁଡ଼ିକ ଗୋଟାଏ ନିର୍ଦ୍ଦିଷ୍ଟ ସମୟରେ ଦେଖି ସଂଶୋଧନ କରିଦିଏ ।

 

ମୋର ଟିକିଏ ଇଂରାଜୀ ପଢ଼ିବାକୁ ଇଚ୍ଛା ହେଲା । ସେ ଇଚ୍ଛାକୁ ସାର୍ଥକ କରିବା ସକାଶ ଗୋଟାଏ ପନ୍ଥା ଖୋଜିଲି । ନିକଟବର୍ତ୍ତୀ ଅ: ପ୍ରା: ସ୍କୁଲର ଶିକ୍ଷକମାନଙ୍କୁ ମତାଇ ଗୋଟାଏ ଶିକ୍ଷକ ସମିତି ସ୍ଥାପନ କଲି । ପ୍ରତିଦିନ ରାତ୍ରିରେ ସେମାନେ ମୋ ସ୍କୁଲକୁ ଆସନ୍ତି । ଶିକ୍ଷା ସମ୍ୱନ୍ଧରେ ଆଲୋଚନା ହୁଏ । ଏହି କାର୍ଯ୍ୟଦ୍ୱାରା ମୁଁ ଉପରିସ୍ଥ କର୍ମଚାରୀମାନଙ୍କର ଅନୁରାଗ ଭାଜନ ହୋଇଥିଲି । ଯଥେଷ୍ଟ ସହାନୁଭୂତି ମଧ୍ୟ ପାଇଥିଲି । ଦିନେ ସେହି ସମିତିରେ ସମସ୍ତଙ୍କୁ, ଇଂରାଜୀ ପଢ଼ିବା ସକାଶ ପ୍ରସ୍ତାବ କଲି, ସମସ୍ତେ ମଙ୍ଗିଗଲେ । ଇଂରାଜୀଶିକ୍ଷକର ସୁବିଧା ମଧ୍ୟ ଘଟିଗଲା । ମୋର ଜଣେ ବନ୍ଧୁ ପ୍ରାଣବନ୍ଧୁ ତ୍ରିପାଠୀ ଏଣ୍ଟ୍ରେନ୍‌ସ ସେକେଣ୍ଡକ୍ଳାସ ଯାଏଁ ପଢ଼ି ନିଷ୍କର୍ମା ହୋଇ ଘରେ ବସିଥାଆନ୍ତି । ସମସ୍ତେ ମାସିକ ଟଙ୍କାଏ ଲେଖାଏଁ ଦେଇ ତାଙ୍କରି ପାଖରେ ପଢ଼ିଲୁଁ । ମାତ୍ର ସମୟାଭାବରୁ ମୋର ବଡ଼ ଅସୁବିଧା ହେଲା । ମୁଁ ଫାଷ୍ଟବୁକ୍‌ ଖଣ୍ଡି ପଢ଼ିସାରି ପଢ଼ା ଛାଡ଼ିଦେଲି । ଏକଆଡ଼େ ସ୍କୁଲର ପ୍ରତିଷ୍ଠାରକ୍ଷା ଏବଂ ଅନ୍ୟଆଡ଼େ ଆତ୍ମୋନ୍ନତି ପିପାସା ଏ ଉଭୟ ମଧ୍ୟରେ ଅବକାଶର ସ୍ଥାନ ରହିଲା ନାହିଁ । ନାନାସ୍ଥାନରୁ ପୁସ୍ତକ, ପତ୍ରିକା ଏବଂ ତାଳପତ୍ର ପୋଥି ମାଗିଆଣି ପଢ଼େ । ଏଣେ ରାତ୍ରିର ଅଧିକାଂଶ ସମୟ ପାଠ ପଢ଼ାଇବାରେ ଯାଏ । ଆତ୍ମୋନ୍ନତିର ଅଦମ୍ୟ ପିପାସା ତ୍ୟାଗ କରି ନ ପାରି ରାତ୍ରି ଉପବାସବ୍ରତ ଧାରଣ କଲି । ପ୍ରାୟ ତିନିବର୍ଷକାଳ ରାତ୍ରିରେ ଖାଇବା ଏବଂ ଶୋଇବା ପ୍ରାୟ ଛାଡ଼ିଦେଲି । ଶରୀର ପ୍ରତି ଏହି ଅତିରିକ୍ତ ଅତ୍ୟାଚାର ଉତ୍ତର କାଳରେ ବାତରକ୍ତ ରୋଗରୂପରେ ଉପସ୍ଥିତ ହେଲା । କବିଗୁରୁ ରାଧାନାଥଙ୍କର ଭବିଷ୍ୟତ୍‌ବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ହେଲା । ସେ ପ୍ରସଙ୍ଗ ପୂର୍ବରୁ ଲିଖିତ ହୋଇଅଛି । ମୁଁ ଜାଣିଶୁଣି ଜଞ୍ଜାଳକୁ ଡାକିଆଣି ବେକରେ ବାନ୍ଧିଥିଲି, ତାହା ମୋର ସମୟାଭାବର ଅନ୍ୟତମ କାରଣ । ସ୍କୁଲରୁ ପାସକରି ଯାଇଥିବା ଛାତ୍ରମାନେ ମୋ ପାଖରୁ ଭର୍ଣ୍ଣାକ୍ୟୁଲାର ପାଠ୍ୟ ଅଧ୍ୟୟନ କରନ୍ତି । ପୂର୍ବୋକ୍ତ ବନ୍ତ ସ୍କୁଲର ମାଷ୍ଟର ନାରାୟଣ ସାହୁ ମୋହରି ପାଖରୁ ବର୍ଣ୍ଣଶିକ୍ଷା ଆରମ୍ଭକରି ଭର୍ଣ୍ଣାକ୍ୟୁଲାର ଯାଏଁ ପଢ଼ି ପାସ କରିଥିଲା । ପ୍ରାୟ କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ, ସେ କିଛି ପଢ଼ି ନ ଥିଲା । ନଡ଼ିଆସଢ଼େଇ ବଜାଇ ସଂକୀର୍ତ୍ତନ ଶିଖୁଥିଲା । ସେ ପ୍ରତ୍ୟହ ଆସି ସ୍କୁଲରେ ବସେ, ପିଲାମାନଙ୍କ ପଢ଼ାପଢ଼ି ଶୁଣେ । ଦିନେ ମୋତେ ପଢ଼ିବାସକାଶ କହିବାରୁ ମୁଁ ବିନାପାରିଶ୍ରମିକରେ ତାକୁ ପଢ଼ାଇବାକୁ ସ୍ୱୀକୃତ ହେଲି । ସେହିଦିନଠାରୁ ସେ ଏପରି ପରିଶ୍ରମ କରି ପଢ଼ିଲା ଯେ ତିନିବର୍ଷ ମଧ୍ୟରେ ଅପରପ୍ରାଇମେରୀ ପାସକରି ଭର୍ଣ୍ଣାକ୍ୟୁଲାର ପାସକଲା । ନିଷ୍ଠା ଏବଂ ଅଧ୍ୟବସାୟର ଅସାଧ୍ୟ କିଛି ନାହିଁ । ତାହାର ମା ବିଧବା ବ୍ରାହ୍ମଣୀ ମୋତେ ଅଭିଶାପ ଦେଇ ପାଣି ଟେକୁଥାଏ । ତାହା ପୁଅକୁ ମୁଁ କୁଶିକ୍ଷାଦେଇ ପାଠ ପଢ଼ାଇଲି, ସେ ବିଲ ବାଡ଼ିକୁ ଯାଇ କାମଦାମ କଲାନାହିଁ–ଏହା ହିଁ ମୋର ଗୁରୁତର ଅପରାଧ । ସେକାଳରେ ମୋଫସଲରେ ବିଦ୍ୟାପ୍ରତି କିପରି ହତାଗ୍ରହ ଥିଲା, ଏହି ଘଟଣା ସେଥିର ଜୀବନ୍ତ ପ୍ରମାଣ । ପରେ ସବ୍‌ଇନ୍‌ସ୍‌ପେକ୍‌ଟରଙ୍କୁ କହି ନାରଣକୁ ବନ୍ତ ସ୍କୁଲରେ ଚାକିରୀ କରାଇଦେଲି । ତେତେବେଳେ ତାହାର ମାଆର ଆନନ୍ଦ କହିଲେ ନ ସରେ । ଯେଉଁ ମୁହଁରୁ ଅଭିସମ୍ପାତ ବାହାରୁଥିଲା, ସେହି ମୁହଁରୁ କେତେ ଆଶୀର୍ବାଦ ବାହାରିଲା । ପ୍ରଥମରେ ମୁଁ ବିଷ ଭକ୍ଷଣ କରି ଶେଷରେ ଅମୃତ ଭକ୍ଷଣ କଲି । ବ୍ରତାଚାରିଣୀ, ନିଷ୍ଠାବତୀ ବିଧବା ବ୍ରାହ୍ମଣୀର ସେହି ପ୍ରାଣର ଆଶୀର୍ବାଦ ଫଳରେ ସେହିବର୍ଷ ମୋର ପୁତ୍ର ଶ୍ରୀମାନ୍‌ ଉପେନ୍ଦ୍ର ଜନ୍ମଗ୍ରହଣ କଲା । ମୋର ପୌଢ଼ି ପ୍ରକାଶ ଉଦ୍ଦେଶ୍ୟରେ ଏହା ମୁଁ ଲେଖୁନାହିଁ । ପ୍ରସଙ୍ଗକ୍ରମେ ଲେଖିବାକୁ ହେଲା । ଈଶ୍ୱର ସବୁ କରନ୍ତି ମନୁଷ୍ୟ ନିମିତ୍ତ ମାତ୍ର–ଏ ବିଶ୍ୱାସ ମୋର ଅଛି । କେହି ଯେବେ ଭିନ୍ନପ୍ରକାର ବୁଝେ, ତେବେ ସେଥିକି ମୁଁ ନାଚାର । ପରେ ଗୋଟିଏ ବାଳିକା କୁମାରପୁର ସ୍କୁଲରୁ ଅପର ପ୍ରାଇମେରୀ ବୃତ୍ତି ପାଇ ସେହି ସ୍କୁଲରେ ଭର୍ଣ୍ଣାକ୍ୟୁଲାର ପଢ଼ିବାକୁ ଇଚ୍ଛାକଲା । ମୁଁ ଶିକ୍ଷାବିଭାଗରୁ ମଞ୍ଜୁରି ଅଣାଇ ତାକୁ ପଢ଼ାଇଥିଲି ।

 

ରମାନାଥବାବୁ ବାଲେଶ୍ୱରକୁ ବଦଳି ହେଲେ, ତାଙ୍କ ସ୍ଥାନରେ ମଥୁରାନାଥ ସେନ ସବ୍‌ଇନ୍‌ସପେକ୍‌ଟର ହୋଇ ଆସିଲେ । ମଥୁରି ବାବୁ ଜଣେ ବିଦ୍ୱାନ ବ୍ୟକ୍ତି, ମାତ୍ର ପଛବୁଦ୍ଧିଆ । ସେ ହଠାତ୍‌ କିଛି ବୁଝିପାରନ୍ତି ନାହିଁ, ମାତ୍ର ପଛକୁ ନିଜର ଭ୍ରମ ବା ତ୍ରୁଟି ବୁଝିପାରି ଅନୁତପ୍ତ ହୁଅନ୍ତି । ନିଜର ଦୋଷ ବୋଲି ଢାଙ୍କିବାକୁ ଚେଷ୍ଟା କରନ୍ତି ନାହିଁ । ଏହା ତାଙ୍କର ଗୋଟାଏ ଭଲଗୁଣ । ମଥୁରି ବାବୁଙ୍କର ଖାଦ୍ୟଲାଳସା ଟିକିଏ ଅଧିକ ଥିଲା । ପଛକୁ ଅର୍ଥଲାଳସା ମଧ୍ୟ ଚେଇଁ ଉଠିଲା । ପ୍ରଥମେ ଏ ଦୁର୍ଗୁଣ ତାଙ୍କର ଥିଲାନାହିଁ, ତାଙ୍କ ଅଧୀନସ୍ଥ କେତେ ଜଣ ଇନ୍‌ସପେକ୍‌ଟିଂ ପଣ୍ଡିତଙ୍କଠାରୁ ଦୀକ୍ଷାପାଇ ସେ ଗୁରୁବ୍ରତ ଧାରଣ କରିଥିଲେ । ରୂପ ଚକି ଟଙ୍କା ନାନୀର ସୁନ୍ଦର ମୁହଁ କାହାର ବା ଲୋଭନୀୟ ନୁହେଁ ? ଯେ ଯେତେ ନିର୍ଲୋଭ ହେଉପଛେ, ନାନୀକି ଦେଖିଲେ ତାହାର ଜ୍ଞାନ ହଜିଯାଏ । ଅନେକ ଧର୍ମ–ଧ୍ୱଜାଧାରୀ ଯେଉଁ ହାତରେ ତୁଳସୀମାଳ ଜପନ୍ତି, ସେହି ହାତରେ ନାନୀକି ବି ସୁଆଗ କରନ୍ତି–ମହାପ୍ରସାଦ ପାତ୍ରରେ ଆମିଷ ରାନ୍ଧନ୍ତି । ଦିନେ ଜଣେ ଇନ୍‌ସପେକ୍‌ଟିଂ ପଣ୍ଡିତ ନିଜର ବାହାଦୁରି ଦେଖାଇ କହିଥିଲେ–ମୁଁ ଏକାଦିନକେ ଶହେପଚିଶ ଟଙ୍କା ଉପାର୍ଜନ କରିଛି-। ତେତେବେଳେ ଉତ୍ତୀର୍ଣ୍ଣ ଛାତ୍ରର ସଂଖ୍ୟା ଅନୁସାରେ ଅବଧାନମାନେ ପୁରସ୍କାର ପାଉଥିଲେ । ଇନ୍‌ସପେକ୍‌ଟିଂ ପଣ୍ଡିତମାନଙ୍କର କମିଶନି ସେଥିରୁ ଚାରିପଣ । ସାଧାରଣତଃ ଇ:ପଣ୍ଡିତମାନେ ଲାଞ୍ଚୁଆ, ମିଛୁଆ ବୋଲି ପରିଚିତ ଥିଲେ । ବାଲେଶ୍ୱରର ଜଣେ ଇ:ପଣ୍ଡିତ ବରଖାସ୍ତ ହେବା ପରେ ଜଗନ୍ନାଥ ସଡ଼କରେ ଠିଆ ହୋଇ ନିୟମ କରି କହିଥିଲେ–‘‘ମୁଁ ଯେତେ ଡାଇରୀ ଲେଖିଛି, ସେଥିରୁ ପନ୍ଦର ପଣ ଊଣେଇସଗଣ୍ଡା ତିନିକଡ଼ା ତୁଛା ମିଛ ।’’ ଏତେଦିନଯାଏଁ ଭଦ୍ରକର ଶିକ୍ଷାବିଭାଗ ପବିତ୍ର, ନିର୍ମଳ ଥିଲା, ଏହିଠାରୁ ତାକୁ ପାପ ସ୍ପର୍ଶ କଲା । ପରେ କ୍ରମେ କଳଙ୍କିତ ହେବାକୁ ଲାଗିଲା । ପୂର୍ଣ୍ଣଚନ୍ଦ୍ରକୁ ଗ୍ରହଣ କଳା ପରି ପକାଇଲା ।

 

ବାବୁଙ୍କର ପୂଝାରୀ, ଚାକର, ଘୋଡ଼ାସଇସ, ଗାଡ଼ିଆଳ ଏମାନଙ୍କୁ ପୂଜା ନ କଲେ ରକ୍ଷା ନାହିଁ । ତାଙ୍କ ପ୍ରତାପ ଅଧିକ । ‘‘ଅଟନ୍ତି ସେ ଯେଣୁ ଶିବଙ୍କର ସାପ, ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ’’ । ବାବୁ ମଧ୍ୟ ଅନେକ ଜାଗାରେ କହିଲେ–‘‘ଆମେ ଦୁଇମାସେ ଚାରିମାସେ ଥରେ ଆସିବୁଁ, କାହିଁକି ତୁମ୍ଭେ ଆମ୍ଭ ଚାକରମାନଙ୍କୁ ଦୁଇଅଣା ଚାରିଅଣା ଲେଖାଏଁ ନ ଦେବ ?’’ ଥରେ ଗୁଜି ଦଉଡ଼ା ଗଭର୍ଣ୍ଣମେଣ୍ଟ ଭର୍ଣ୍ଣାକ୍ୟୁଲାର ସ୍କୁଲରେ ମାଛର ଅଭାବ ଦେଖି ହେଡ଼ପଣ୍ଡିତଙ୍କୁ କାରଣ ପଚାରିବାରୁ ସେ କୈଫିୟତ ଦେଲେ–‘‘ଆଜି ହାଟ ନୁହେଁ, ହାଟ ବାରି ଛଡ଼ା ଏଠାରେ ମାଛ ମିଳେ ନାହିଁ ।’’ ବାବୁ ରାଗିଯାଇ କହିଲେ–‘‘କାଲି ତ ହାଟ ଥିଲା, କିଣିଆଣି ଭାଜି ରଖିଦେଲ ନାହିଁ ।’’ ଏହିପରି ରୁଷିଆର ଜାରପ୍ରତାପରେ ଶିକ୍ଷକମାନେ ଜଳି ଜଳି ଥାଆନ୍ତି, ମାତ୍ର କଅଣ କରିବେ, ଚାକିରୀଖଣ୍ଡି ସମ୍ୱଳ । ତେତେବେଳେ ଆଜିକାଲି ପରି ନାନା ବିଭାଗ ଥିଲା ନାହିଁ । ସୁତରାଂ ଚାକିରୀ ଖଣ୍ଡି ଗଲେ ଭେକାଳ ବୁଡ଼ିଯିବ । ଏହିପରି ଗୋଟାଏ ତୁଚ୍ଛ କାରଣରେ କଥାବାର୍ତ୍ତା ହେଉଁ ହେଉଁ ତାଙ୍କ ସଙ୍ଗରେ ମୋର କଳହ ହେଲା । ମୋର ଶତ୍ରୁମାନେ ଛିଦ୍ରପାଇ ତାଙ୍କୁ ଉସ୍କାଇଲେ । ମୋତେ ଭଦ୍ରକ ସବ୍‌ଡ଼ିଭିଜନରେ ନରଖି ବାଲେଶ୍ୱର ବଦଳି କରିବାପାଇଁ ମଥୁରି ବାବୁ ରିପୋର୍ଟ କଲେ । ମାତ୍ର ସେ ପାଣିଫାଟି ଗଲା । ଏସବୁ ବିଷୟ ମୁଁ ଘରୋଇ ପତ୍ରରେ ରାଧାନାଥ ବାବୁଙ୍କୁ ଲେଖିଲି । ସେ ଭଦ୍ରକ ଗସ୍ତରେ ଆସି ମଥୁରି ବାବୁଙ୍କର ଏ କୁ ପ୍ରବୃତ୍ତିକୁ ତୀବ୍ର ଭାବରେ ଘୃଣା ପ୍ରଦର୍ଶନ କଲେ । ମୌଖିକ କହିଲେ–‘‘ଅତି ସାମାନ୍ୟ ବେତନଭୋଗୀ ଗରିବ ଶିକ୍ଷକଙ୍କଠାରୁ ଖାଇବା ଖାଲି ଅନ୍ୟାୟ ନୁହେଁ–ଘୋର ନିର୍ଲଜ୍ଜତାର କଥା । ସେପରି ଯେଉଁମାନେ କରନ୍ତି ସେମାନଙ୍କର ମନୁଷ୍ୟ ହୃଦୟ ନାହିଁ ।’’ ଏହି ରସଗୋଲା ଖାଇ ବାବୁଙ୍କର ମୁହଁ ଶୁଖିଗଲା । ତାଙ୍କର ଅମ୍ଳରୋଗ, ସେଥିରେ ପୁଣି ଖାଦ୍ୟଲାଳସା । ‘‘ରୋଗେ ଅତ୍ୟାହାରୀ, ପୁଣି ଅତ୍ୟାହାରେ ରୋଗୀ’’ । ମଥୁରିବାବୁ ତାଙ୍କର ଏହି ଭ୍ରମ ପରେ ବୁଝିପାରି ଥିଲେ । ଯେଉଁମାନେ ମୋ ନାମରେ ଖୁଞ୍ଚା ପେଲି ତାଙ୍କର ପରମବନ୍ଧୁ ହୋଇଥିଲେ, ସେମାନଙ୍କ ସଙ୍ଗରେ କୌଣସି ସ୍ୱାର୍ଥନେଇ ତାଙ୍କର ମନୋମାଳିନ୍ୟ ଘଟିଲା । ସେହି ସୁବନ୍ଧୁଗୁଡ଼ିକ ବାବୁଙ୍କର ଗୁଣ ଗରିମା ବର୍ଣ୍ଣନା କରି ଡିଷ୍ଟ୍ରିକ୍‌ଟ ବୋର୍ଡ଼ର ଭାଇସ୍‌ଚେୟାରମେନଙ୍କଠାକୁ ବେନମୀ ଦରଖାସ୍ତ ପଠାଇଲେ । ଦରଖାସ୍ତ ଉପରେ ଦରଖାସ୍ତ ପଡ଼ିଲା । ମଥୁରିବାବୁ ବିବ୍ରତ ହୋଇପଡ଼ିଲେ । ରାଜା ବୈକୁଣ୍ଠନାଥ ଦେ ତେତେବେଳେ ଭାଇସଚେୟାରମେନ । ଦିନେ ମଥୁରିବାବୁ ଆସି ମୋର ହାତ ଧରି ପକାଇ କହିଲେ–‘‘ଭାଇ, ମୁଁ ତୁମ୍ଭଙ୍କୁ ଭୁଲ ବୁଝିଥିଲି, ମୋତେ କ୍ଷମାକର । ତୁମ୍ଭରି ଶତ୍ରୁମାନେ ମୋର ଏଭୁଲ ଧାରଣା ଜନ୍ମାଇଥିଲେ, ମୁଁ ତାଙ୍କୁ ଏବେ ଭଲରୂପେ ଚିହ୍ନି ସାରିଲିଣି । ସେ ଦୁଷ୍ଟଙ୍କ ଦାଉରୁ ଉଦ୍ଧାର ପାଇବାର ଉପାୟ ତୁମ୍ଭେ ଏକା କରିପାରିବ । ସେଥିପାଇଁ ମୁଁ ଅସମୟରେ ଆସିଅଛି । ତୁମ୍ଭେ ‘‘ଓଡ଼ିଆ ନବସମ୍ୱାଦ’’ରେ ମୋ ବିଷୟରେ କିଛି ଲେଖ, ସେ ରାଜାଙ୍କ କାଗଜ, ସେ ନିଶ୍ଚୟ ତାହା ପଢ଼ିବେ, ଆଉ ଦୁଷ୍ଟଙ୍କ ଚକ୍ରାନ୍ତ ବୁଝିପାରିବେ ।’’ ତେତେବେଳେ ମୁଁ ଲେଖକ ଭାବରେ ଓଡ଼ିଆ ନବସମ୍ୱାଦ ପାଉଥାଏଁ । ବାବୁଙ୍କର ବ୍ୟସ୍ତତା ଦେଖି ମୁଁ ନାହିଁ କରି ପାରିଲି ନାହିଁ, ଲେଖିବାକୁ ସମ୍ମତ ହେଲି । ସେହିଦିନ ତାଙ୍କ ବିଷୟରେ ଲେଖି ଉକ୍ତ ପତ୍ରିକାକୁ ପଠାଇଦେଲି ଏବଂ ପ୍ରବନ୍ଧ ଯେଉଁ ସଂଖ୍ୟାରେ ବାହାରିବ, ସେହି କାଗଜ ରାଜାଙ୍କୁ ଦେଖାଇବା ସକାଶ ସମ୍ପାଦକଙ୍କୁ ଅନୁରୋଧ କରି ପତ୍ର ଲେଖିଲି-। ସମ୍ପାଦକ ଶ୍ରୀ ରାମତାରକସେନଙ୍କ ସଙ୍ଗରେ ମୋର ଭଲ ସୁହୃଦତା ଥିଲା । ସେ ମୋର ଅନୁରୋଧ ରକ୍ଷାକଲେ । ରାଜା ପ୍ରବନ୍ଧ ପଢ଼ି ମଥୁରିବାବୁଙ୍କ ନାମର ବେନାମୀ ଦରଖାସ୍ତମାନ ତଦାରଖ କରିବାକୁ ଆଦେଶ ଦେଲେ ନାହିଁ । ଅଧିକନ୍ତୁ ଦରଖାସ୍ତ ଉପରେ ‘‘ମିଥ୍ୟା’’ ବୋଲି ଲେଖି ଫାଇଲ କରିବାକୁ ଆଦେଶ ଦେଲେ । ଶତ୍ରୁମାନଙ୍କ ଚକ୍ରାନ୍ତ କ୍ଳୀବତ୍ୱ ଲାଭ କଲା । ସେହିଦିନଠାରୁ ମଥୁରିବାବୁ ମୋତେ ଅତ୍ୟନ୍ତ ଆଦର ସ୍ନେହ କରିବାକୁ ଲାଗିଲେ । ମୋର ଉନ୍ନତି ବିଷୟରେ ସର୍ବଦା ସଚେଷ୍ଟ ରହିଲେ । ଏଥିପୂର୍ବେ ମୁଁ ଥରେ ଇନ୍‌ସପେକ୍‌ଟିଂ କାର୍ଯ୍ୟ ଏକଟିଂରେ କରିଥିଲି । ମଥୁରିବାବୁ ଉଚ୍ଚ ଗ୍ରେଡ଼ର ଇ:ପଣ୍ଡିତ କାର୍ଯ୍ୟ ମୋତେ ଯାଚିଲେ, ମାତ୍ର ମୁଁ ବିନୟର ସହିତ ତାହା ପ୍ରତ୍ୟାଖ୍ୟାନ କଲି । ପରେ ଭର୍ଣ୍ଣାକ୍ୟୁଲାର ସ୍କୁଲର ହେଡ଼ପଣ୍ଡିତ କାର୍ଯ୍ୟ ବାରମ୍ୱାର ଯାଚିଲେ ମାତ୍ର ମନୋମତ ସ୍ଥାନ ନ ହେବାରୁ ତାହା ବି ପ୍ରତ୍ୟାଖ୍ୟାନ କରିବାକୁ ଲାଗିଲି । ମଥୁରିବାବୁଙ୍କ ସଙ୍ଗେ ମିଳନ ହେବାର ଦେଖି ଶତ୍ରୁମାନେ ବଡ଼ ବ୍ୟଥିତ ହୋଇଥିଲେ । ତାଙ୍କର ସବୁ ଚକ୍ରାନ୍ତ ଫସରଫାଟିଗଲା । ମୋ ସଙ୍ଗରେ ମଥୁରିବାବୁଙ୍କ ମିଳାମିଶାରେ ଶତ୍ରୁମାନଙ୍କର ଗାତ୍ରଜ୍ୱାଳା ଉପସ୍ଥିତ ହେଲା । ସେମାନେ ଯାଇ ଡେପୁଟିଇନ୍‌ସପେକ୍‌ଟରଙ୍କ କାନରେ ମନ୍ତ୍ର ଦେଲେ । ସେ ଏକପେଟୁ, ଗୋଟିଏ ଖାସି ତାଙ୍କ ଭୋଗକୁ ନିଅଣ୍ଟ । କେହି କେହି ଶିକ୍ଷାପଣ୍ଡିତ ତାଙ୍କ ନାମରେ ବୁଦା ମାନସିକ କରି ପୋଷି ଥାଆନ୍ତି । ସେ ଦୁଇମାସ ଛୁଟି ନେବାରୁ ରମାନାଥବାବୁ ତାଙ୍କ ସ୍ଥାନରେ ଏକ୍‌ଟିଂ କରିଥିଲେ । ତାଙ୍କ ଉନ୍ନତିରେ ଆନନ୍ଦ ପ୍ରକାଶ କରି ‘‘ହିତୈଷିଣୀ’’ରେ ମୁଁ ଲେଖିଥିଲି । ଶତ୍ରୁମାନେ ସେହି ସୂତ୍ରଧର ଡେପୁଟି ଇନ୍‌ସପେକ୍‌ଟର ରଘୁବାବୁଙ୍କୁ କହିଲେ–‘‘ଆପଣ କଅଣ ଭଲ କାମ କରନ୍ତି ନାହିଁ, ରମାନାଥ ବାବୁ ଦୁଇମାସ ରହିଲେ ତାଙ୍କର ଏତେ ପ୍ରଶଂସା ବାହାରିଲା, କାହିଁ ଆପଣଙ୍କ ବେଳକୁ ତ ହୁଏ ନାହିଁ ।’’ ପରମାୟୁ, ପ୍ରାଧାନ୍ୟ, ପ୍ରଶଂସା କାହାକୁ ବା ମିଠା ନଲାଗେ । ରଘୁବାବୁ ଶୁଣି ମୁହଁଟା ହାଣ୍ଡିପରି କରି ରହିଲେ । ଅଳ୍ପଦିନ ପରେ ସ୍କୁଲ ପରିଦର୍ଶନ କରିବାକୁ ଆସିଲେ, ସଙ୍ଗରେ ସେହି ମନ୍ତ୍ରଗୁରୁମାନେ ଥିଲେ । ବାବୁ ମୋତେ ଦୂରରୁ ଦେଖି କହିଲେ–‘‘କି ଚିନ୍ତାମଣିବାବୁ, ଭଲ ତ ? ଆଚ୍ଛା, ମୁଁ କଅଣ କାମ କରେ ନାହିଁ ? ରମାନାଥ ବାବୁଙ୍କୁ ତ ଭାରି ପ୍ରଶଂସା ।’’ ମୁଁ କହିଲି–‘‘ମୁଁ ରମାନାଥବାବୁଙ୍କର କାର୍ଯ୍ୟର ପ୍ରଶଂସା କରିନାହିଁ, ସେ ଅଧିକାର ମୋର ନାହିଁ–ତାଙ୍କ ଉପରକର୍ମଚାରୀମାନେ ତାହା କରିପାରନ୍ତି । ମୁଁ ତାଙ୍କ ଉନ୍ନତିରେ ଆନନ୍ଦ ପ୍ରକାଶ କରିଛି ମାତ୍ର । ସେଥିରେ ଆପଣଙ୍କ କଥା ତ କିଛି ନାହିଁ, ତେବେ କଅଣ ଆପଣଙ୍କ ପ୍ରଶଂସା ଲେଖିବି ?’’ ରଘୁବାବୁ ମୋ କଥା ଶୁଣି ହସିଲେ । ମୁଁ ତାଙ୍କୁ ନମସ୍କାର କଲି, ସେ ପ୍ରତି ନମସ୍କାର କଲେ । ଶତ୍ରୁମାନେ ଆଉ ସହି ପାରିଲେ ନାହିଁ, ଜଣେ କହିଲେ–‘‘ଚିନ୍ତାମଣିବାବୁ, ଆମେ ଗୋଟାଏ ଦଣ୍ଡବତରୁ ବିବର୍ଜିତ ହେଲୁ ।’’ ମୁଁ କହିଲି–‘‘ବ୍ରାହ୍ମଣମାତ୍ରେ ମୋର ନମସ୍କରଣୀୟ, କିନ୍ତୁ ଶତ୍ରୁକୁ ଦଣ୍ଡବତ କଲେ ସେ ଅକଲ୍ୟାଣ କରିବ ନା କଲ୍ୟାଣ କରିବ ।’’ ରଘୁବାବୁ ଶୁଣି ଠୋ ଠୋ ହୋଇ ହସିଉଠିଲେ, ଆଉ କେହି କିଛି କହିଲେ ନାହିଁ । ରଘୁବାବୁ ସ୍କୁଲ ପରିଦର୍ଶନ କରି ଖୁବ୍‌ ଉଚ୍ଚ ମନ୍ତବ୍ୟ ଲେଖିଲେ, ତାଙ୍କ ସହଚରମାନେ ବି ତାଙ୍କ ତଳେ ଦସ୍ତଖତ କଲେ । ବାଟରେ ଯାଉଁ ଯାଉଁ ରଘୁବାବୁ ହସି ହସି କହିଲେ–‘‘ରମାନାଥବାବୁ ଆପଣଙ୍କର ବନ୍ଧୁ, ତାଙ୍କ ଉନ୍ନତିରେ ଆନନ୍ଦ ପ୍ରକାଶ କରିବା ଉଚିତ, କିନ୍ତୁ ମୁଁ କଅଣ ଆପଣଙ୍କର ବନ୍ଧୁ ନୁହେଁ ?’’ ମୁଁ ଉତ୍ତର ଦେଲି–‘‘ବ୍ୟକ୍ତିଗତ ଭାବରେ ଆପଣ ମୋର ପରମବନ୍ଧୁ, କିନ୍ତୁ ହାକିମ ହିସାବରେ ଆପଣଙ୍କୁ ବନ୍ଧୁ ସମ୍ୱୋଧନ କରିବାର ଦୁଃସାହସ ମୋର ନାହିଁ । ରଘୁବାବୁ ଶୁଣି ବଡ଼ ସନ୍ତୁଷ୍ଟ ହେଲେ ।

 

ହିତୈଷିଣୀରେ ଲେଖୁଁ ଲେଖୁଁ ଥରେ ବିପଦରେ ପଡ଼ିଥିଲି । ଜଣେ ବାଲେଶ୍ୱରବାସୀ ଓଡ଼ିଆ ଭଦ୍ରଖରେ ଡାକ୍ତର ଥିଲେ । ସେ ସମୟରେ ଓଡ଼ିଆ ଡାକ୍ତର ଅଧିକ ବାହାରି ନଥିଲେ । ଯେ କେତେ ଜଣ ଥିଲେ, ସେଥିମଧ୍ୟରୁ ଅଧିକାଂଶ ନିଜକୁ ଧନ୍ୱନ୍ତରୀଙ୍କର ବଂଶଧର ଜ୍ଞାନ କରୁଥିଲେ । ରୋଗୀ ଆତୁର ସେ ଟିକିଏ ଆଶ୍ୱାସନା ଖୋଜେ । ମାତ୍ର ଭଦ୍ରଖ ଡାକ୍ତରଟି ଦୁର୍ବାସାଙ୍କ ଅବତାର । ଏ ବିଷୟରେ ମୁଁ ହିତୈଷିଣୀରେ ଲେଖିଥିଲି । ଡାକ୍ତରବାବୁ ପଢ଼ି ଅଗ୍ନିଶର୍ମା ହୋଇଉଠିଲେ । ସମ୍ପାଦକଙ୍କୁ ସେ ଲେଖିଲେ–‘‘ଆପଣଙ୍କ ପତ୍ରିକାରେ ମୋର ମାନହାନିକର ପ୍ରବନ୍ଧ ବାହାରିଛି, ଆପଣ ଲେଖକଙ୍କର ନାମ ଲେଖି ପଠାନ୍ତୁ, ନଚେତ୍‌ ମୁଁ ନାଲିସି କରିବି ।’’ ନୀଳମଣିବାବୁ ମୋତେ ପତ୍ରରେ ପଚାରିଲେ–‘‘ତୁମ୍ଭେ ଯାହା ଲେଖିଛ, ତାହା ଅଦାଲତରେ ପ୍ରମାଣ କରି ପାରିବ କି ? ଡାକ୍ତର ତୁମ୍ଭର ନାମ ମାଗିଛନ୍ତି, ତାଙ୍କୁ କଅଣ ଉତ୍ତର ଦିଆଯିବ ?’’ ଆଚ୍ଛା କଥା ହେଲା, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ–ତାହା ତ ଦେଶ ହିତର ପୁରସ୍କାର । ମୁଁ ଲେଖିଲି–‘‘ଆପଣ ଏହିପରି ଉତ୍ତର ଦେବେ–କେଉଁ ସଂଖ୍ୟା କାଗଜର କେଉଁ ପୃଷ୍ଠା, କେଉଁ ସ୍ତମ୍ଭ, କେଉଁ ପାରା, କେଉଁ ଧାଡ଼ି ବା କେଉଁ ଶବ୍ଦରେ ଆପଣଙ୍କର ମାନହାନି ହୋଇଅଛି, ଉତ୍ତର ଦାନର ସୁବିଧା ସକାଶ ଲେଖି ପଠାଇଲେ ଉତ୍ତର ଦେବା ବିଷୟରେ ବିଚାର କରାଯିବ । ଆପଣଙ୍କ ବିରୁଦ୍ଧରେ ଆହୁରି କେତେଖଣ୍ଡ ପତ୍ର ଆମ୍ଭମାନଙ୍କର ହସ୍ତଗତ ହୋଇଅଛି, ଆବଶ୍ୟକ ହେଲେ ତାହା ପ୍ରକାଶ କରାଯିବ-।’’ ନୀଳମଣିବାବୁ ଠିକ୍‌ ଏହିପରି ଉତ୍ତର ଦେଲେ, ମାତ୍ର ଡାକ୍ତରବାବୁ ଉତ୍ତର ପାଇ ନିରୁତ୍ତର । ଏହିପରି ଔଦ୍ଧତ୍ୟ ହେତୁ କିଛିଦିନ ପରେ ଡାକ୍ତରବାବୁ ଜେଲଖାନାର ଓ୍ୱାଡ଼ରମାନଙ୍କ ଠାରୁ ଖୁବ୍‌ ତାନେ ଛେଚା ଖାଇ ଭଦ୍ରଖର ସୀମା ପାର ହୋଇ ଅନ୍ୟତ୍ର ବଦଳି ହେଲେ ।

 

ଆଉ ଥରେ ମଧ୍ୟ ଏହିପରି ଆସନ୍ନ ବିପଦରେ ପଡ଼ିଥିଲି । ଜଣେ ଇନ୍‍ସପେକ୍‍ଟିଂ ପଣ୍ଡିତ ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ପରିଦର୍ଶନ କଲାବେଳେ ପିଲାମାନଙ୍କୁ ଖଣ୍ଡେ ପଦ୍ୟ ଦେଇ ଗଦ୍ୟକରି ଆଣିବାକୁ କହିଲେ । ପିଲାଏ କରି ଆଣିଲେ । ତହୁଁ ଖଣ୍ଡେ ଗଦ୍ୟ ଦେଇ ତାକୁ ପଦ୍ୟ କରି ଆଣିବାକୁ କହିଲେ । ଏ ଗୋଟାଏ ଖିଆଲ, ପଦ୍ୟ ରଚନା ଏତେ ସହଜ ଯେ ତାହା ପୁଣି ଅ: ପ୍ରା: ପିଲାଏ କରିବେ ! କେହି କରି ପାରିଲେ ନାହିଁ । ପୁଣି ପ୍ରଶ୍ନହେଲା ଶ୍ରୀକୃଷ୍ଣଙ୍କ ନାତି କିଏ ? ପିଲାଏ କହିଲେ–‘‘ଅନୁରୁଦ୍ଧ’’ । ସେହିଠୁଁ ପଣ୍ଡିତଙ୍କ ଜ୍ଞାନଗରିମା ବାହାରି ପଡ଼ିଲା । ସେ କହିଲେ–ନା, ନା, ଅନୁଉର୍ଦ୍ଧ, ‘‘ଅନୁର୍ଦ୍ଧ’’ତ ସନ୍ଧି ହୋଇଯାଉଛି, ଆଉ ଅନୁରୁଦ୍ଧ କଅଣ ? ଶିକ୍ଷକଟି ପଣ୍ଡିତଙ୍କ ଭୁଲ ଦେଖାଇବାକୁ ସାହସୀ ହେଲା ନାହିଁ । କଥାଟା ମୋର କର୍ଣ୍ଣଗୋଚର ହେଲା । ପଣ୍ଡିତଙ୍କର ଏହି ଅଜ୍ଞତାଟିକ ମୁଁ ହଜମ କରି ପାରିଲି ନାହିଁ । ଯୌବନ ସମୟ, ତତଲାରକ୍ତ, ମନ କୌତୁକ ଖୋଜି ବୁଲିବାର ବେଳ, ତେତେବେଳେ କି ସମ୍ଭାଳି ହୁଏ । ଯାହାଙ୍କର ଶିକ୍ଷା ଦୀକ୍ଷା ଏଭଳି, ସେ ପୁଣି ଶିକ୍ଷାର ପରିଦର୍ଶକ । ମୁଁ ଏକଥା ହିତୈଷିଣୀରେ ଲେଖିଲି । ଟିକିଏ ବ୍ୟଙ୍ଗ ବିଦ୍ରୂପ କରି ଲେଖିଥିଲି । ପଣ୍ଡିତେ ପଢ଼ି ପାଞ୍ଚ ହାତ ହୁମ୍ପା ମାଇଲେ । କିଏ ଲେଖିଲା, କିଏ ଲେଖିଲା, ଗୋଟାଏ ଆନ୍ଦୋଳନର ଢେଉ ଖେଳିଗଲା । କେତେ ନିର୍ଦ୍ଦୋଷୀ ଦୋଷୀ ସ୍ଥିର ହେଲେ । କିନ୍ତୁ ପ୍ରକୃତ ଦୋଷୀ ମୁଁ ଉହାଡ଼ରେ ଥାଇ ହସୁଥାଏଁ । ଗୋଟାଏ ପଣ୍ଡିତ ସଭା ବସିଲା । ସମ୍ପାଦକଙ୍କୁ ପତ୍ର ଲେଖି ଲେଖକଙ୍କର ନାମ ମାଗିବା ପ୍ରସ୍ତାବ ଧାର୍ଯ୍ୟ ହୋଇଗଲା । ସଭାରେ ପ୍ରକୃତ ପଣ୍ଡିତ ଜଣେ ଦୁଇଜଣ ବି ଥିଲେ । ଜଣେ କହିଲେ–ସେ ଲେଖାରେ ତ କାହାରି ନାମ ନାହିଁ । ଯେ ବାହାରିବ ସେ ନିଜକୁ ଅଜ୍ଞ ବୋଲି ଚିହ୍ନାଇବ, ପୁଣି ଏହାର ଫଳ ବିଷମ ହେବ । ଯାହା ଦେଖାଇ ଦିଆଯାଇଛି ସେ ସବୁ ତ ପ୍ରକୃତରେ ଭୁଲ, ପ୍ରତିବାଦ କରିବାର ବି ବାଟ ନାହିଁ । କଲେ ନିଜର ବିଦ୍ୟା ପଦାକୁ ବାହାରି ପଡ଼ିବ-। ଏଥିରେ ନ ବାହାରି ତୁନି ରହିବା ଭଲ । ନହେଲେ–‘‘ଆ, ବଳଦ ମୋତେ ବିନ୍ଧ୍’’ ପରି କଥାହେବ । ସାଙ୍ଗଭାଇଙ୍କର ଏକଥା ଶୁଣି ପଣ୍ଡିତଙ୍କ ପିଳେହି ପାଣି ହୋଇଗଲା । ତାଙ୍କର ସବୁ ଆସ୍ଫାଳନସବୁ ଲମ୍ପଝମ୍ପ ଫସର ଫାଟିଗଲା ।

 

ଦୋଳସାହି ସ୍କୁଲ ମାଇନର ସ୍କୁଲରେ ପରିଣତ ହେଲା । ଜଗବନ୍ଧୁ ମହାପାତ୍ର ହେଡ଼ମାଷ୍ଟର ହେଲେ । ‘‘ମତ୍ତମତଙ୍ଗଜ ଯଥା ନଳବନେ ଖେଳେ’’ କବିତାବଳୀର ଏହି ଧାଡ଼ି ମଧ୍ୟରେ ଥିବା ମତଙ୍ଗଜର ଅର୍ଥ ହାତୀଛୁଆ ବୋଲି ହେଡ଼ପଣ୍ଡିତ ପିଲାଙ୍କୁ ବୁଝାଇ ଦେଲେ । ଜଗବନ୍ଧୁବାବୁ ଆପତ୍ତି କରି କହିଲେ ହାତୀଛୁଆ ନୁହେଁ–ହାତୀ । ମାତ୍ର ପଣ୍ଡିତେ ଠୁଳେ ମାନିଲେ ନାହିଁ । ଜଗବନ୍ଧୁବାବୁ ବି ଛାଡ଼ିବାର ପାତ୍ର ନୁହନ୍ତି । ସେ ଆସି ମୋତେ ପଚାରିଲେ, ମୁଁ ବି ହାତୀ ବୋଲି କହିଲି । ମାନିଗଲେ ପଣ୍ଡିତଙ୍କ ଇଜତ୍‌ ଯିବ, ସୁତରାଂ ସେ ନାଛୋଡ଼ବନ୍ଧା । ଜଗବନ୍ଧୁବାବୁ ଏ ବିଷୟ ମଧୁସୂଦନ ରାଓଙ୍କୁ ଲେଖିଲେ । ମଧୁବାବୁ ଲେଖିଲେ–‘‘ମତଙ୍ଗଜର ଅର୍ଥ କରିକରଭ କାହିଁକି ହେବ ମୁଁ ବୁଝିପାରୁ ନାହିଁ ।’’ ପଣ୍ଡିତଙ୍କ ମହତ୍ୱ ପଦାରେ ପଡ଼ିଲା ବୋଲି ସେ ମୋ ଉପରେ ରାଗି ଉଠିଲେ । ତାଙ୍କର ଧାରଣା ଯେ–ମୁଁ ଜଗବନ୍ଧୁ ବାବୁଙ୍କୁ ମତାଇ ମଧୁବାବୁଙ୍କ ନିକଟକୁ ପତ୍ର ଲେଖାଇଅଛି । ସେ ମୋର ଶିକ୍ଷକଙ୍କର ସମବୟସୀ ଏବଂ ସମ୍ଭବତଃ ସହପାଠୀ, ମୁଁ ତାଙ୍କୁ ଗୁରୁ ପରି ଭକ୍ତି କରେଁ–ଅଥଚ ମୋ ପ୍ରତି ତାଙ୍କର ଏ ସନ୍ଦେହ । ସେ ସମୟଟା ମୋ ଜୀବନର ଶତ୍ରୁଯୁଗ ଥିଲା । ଏହିପରି ଅକାରଣ ଶତ୍ରୁ ମୋର ଊଣା ଥିଲେ ନାହିଁ । ସୁଖର ବିଷୟ ପଣ୍ଡିତ ଶତ୍ରୁ ଭିନ୍ନ ମୂର୍ଖ ଶତ୍ରୁ ମୋ ଭାଗ୍ୟରେ ବିଧାତା ଘଟାଇ ନ ଥିଲେ । ପଣ୍ଡିତ ଶତ୍ରୁତା ବଡ଼ ମଧୁର, ମାତ୍ର ମୂର୍ଖ ଶତ୍ରୁତା କୋଚିଲାଠାରୁ ପିତା । ଏଭଳି ପଣ୍ଡିତ ଶତ୍ରୁତା ଅବନତିର ଲକ୍ଷଣ ନୁହେଁ–ଉନ୍ନତିର ଲକ୍ଷଣ । ପୋଷ୍ଟମାଷ୍ଟର କାର୍ଯ୍ୟ ଏହି ପଣ୍ଡିତଙ୍କ ହାତରେ ଥିଲା, ତାଙ୍କ ଅଧୀନସ୍ଥ ଜଣେ ପିଅନଙ୍କ ସଙ୍ଗରେ ଲାଗି ସେ ତାହା ହରାଇଥିଲେ । ତାଙ୍କ ଅଧୀନସ୍ଥ ଜଣେ ପିଅନଙ୍କ ସଙ୍ଗରେ ତାଙ୍କର ପଡ଼େ ନାହିଁ । ପଣ୍ଡିତେ ପୋଷ୍ଟଅଫିସରୁ ଟଙ୍କା କରଜ ଦିଅନ୍ତି । ଦିନେ ସେହି ପିଅନକୁ କରଜା ଟଙ୍କା ଆଦାୟ କରି ଆଣିବାକୁ ପଠାଇ ଥିଲେ । ପିଅନ ଟଙ୍କା ଥଳି ଧରି ଆସୁଥିବା ବେଳେ ଦୈବାତ୍ ବାଟରେ ଭଦ୍ରଖର ସବ୍ଡ଼ିଭିଜନ ଅଫିସର ଶ୍ରୀ ନରେନ୍ଦ୍ରନାଥ ସେନ ତାକୁ ଦେଖି ଟଙ୍କା କଥା ପଚାରିଲେ । ପିଅନ ସବୁ ପ୍ରକାଶ କରିଦେଲା । ଡେପୁଟିବାବୁ ଏ ବିଷୟ ପୋଷ୍ଟ ବିଭାଗକୁ ଜଣାଇଦେଲେ । ଫଳରେ ପଣ୍ଡିତଙ୍କର ଚାକିରୀ ଖଣ୍ଡି ଗଲା ।
 

ଜଗବନ୍ଧୁବାବୁଙ୍କ ପରେ ଭାବଗ୍ରାହୀ ନାୟକ ଦୋଳସାହି ସ୍କୁଲର ହେଡ଼ମାଷ୍ଟର ହେଲେ । ତାଙ୍କ ସଙ୍ଗରେ ପୂର୍ବରୁ ମୋର ପରିଚୟ ଥିଲା । ସାଧୁ, ସରଳ, ଅକପଟ ବନ୍ଧୁ ବ୍ୟବହାରରେ ମୋତେ ସେ ସ୍ତବ୍‍ଧ ମୁଗ୍‍ଧ କରି ଦେଲେ । ବନ୍ଧୁତା ଏତେଦୂର ପ୍ରଗାଢ଼ ହେଲା ଯେ, ଦିନ ମଧ୍ୟରେ ଥରେ କେହି କାହାକୁ ନ ଦେଖିଲେ କ୍ଳେଶ ବୋଧ ହେଉଥିଲା । ମୁଁ ପ୍ରତ୍ୟହ ଦୋଳସାହି ଯାଏଁ, ଯେଉଁଦିନ ଯାଇ ନ ପାରେ ସେଦିନ ସେ କୁମାରପୁର ଆସନ୍ତି । ତାଙ୍କ ପରି ସୁବନ୍ଧୁ ପ୍ରାୟ ମିଳନ୍ତି ନାହିଁ । ତାଙ୍କ ସଙ୍ଗରେ ପଣ୍ଡିତଙ୍କର ପଡ଼ିଲା ନାହିଁ । ପଣ୍ଡିତେ ବାରଟା ଗୋଟାକରେ ସ୍କୁଲକୁ ଆସନ୍ତି-। ଭାବଗ୍ରାହୀବାବୁ ତାଙ୍କର ଛାତ୍ର ଥିଲେ ବୋଲି ସେ କୌଣସି ଆଶଙ୍କା କରୁ ନ ଥିଲେ । କିନ୍ତୁ ଭାବଗ୍ରାହୀବାବୁ ସତ୍ୟପରାୟଣ, କର୍ତ୍ତବ୍ୟନିଷ୍ଠ । ସେ ଶିକ୍ଷକ ଉପସ୍ଥାନ ବହିରେ ପଣ୍ଡିତଙ୍କ ଉପସ୍ଥିତ ସମୟ ଠିକ୍‌ ବାରଟା ବା ଗୋଟାଏ ବୋଲି ଲେଖି ଦିଅନ୍ତି । ପଣ୍ଡିତେ ଦସ୍ତଖତ କଲାବେଳେ ତାକୁ କାଟି ଦଶଟା କରି ଦିଅନ୍ତି । ଏକଥା ସେକ୍ରେଟରୀଙ୍କ କାନକୁ ଗଲା । ପଣ୍ଡିତଙ୍କ ଦୋଷ ତ୍ରୁଟି ଲିଖିତ ଭାବରେ ଦର୍ଶାଇବା ସକାଶ ସେକ୍ରେଟରୀ ଆଦେଶ କଲେ । ସେଥିରେ ଭାବଗ୍ରାହୀବାବୁ ମୋର ସହାୟତା ଲୋଡ଼ିଲେ । ସେ ଏବଂ ମୁଁ ଦୁହେଁ ବସି କେତେଗୁଡ଼ିଏ ଦଫା ଦେଇ ରିପୋର୍ଟ ଲେଖିଲୁଁ । ତାହା ବାଲିକାଗଜରେ ବାରପୃଷ୍ଠା ହେଲା । ସେକ୍ରେଟରୀ ତାହା ପାଇ ପଣ୍ଡିତଙ୍କୁ ଭବିଷ୍ୟତକୁ ସାବଧାନ କରାଇ ଦେଲେ । ଭାବଗ୍ରାହୀବାବୁ ନିଜ ଦକ୍ଷତାରେ ସବ୍ଇନ୍‍ସପେକ୍‍ଟର ହୋଇଥିଲେ । ସେ ମୋର ଅନେକ ଉପକାର କରିଅଛନ୍ତି ।

 

ଗୁଆମାଳର ଜମି ଅତ୍ୟନ୍ତ ଉର୍ବର । ସାଳନ୍ଦୀ ନଦୀର ଉପଶାଖା, ଅନୁଶାଖା ସେ ଅଞ୍ଚଳକୁ ଛନ୍ଦି ରଖିଅଛି ଏବଂ ବର୍ଷାକାଳରେ ବିବିଧ ସାର ନେଇ ଭୂମିରେ ଢାଳି ଦେଉଅଛି । ବିଲରେ ଏକାଧିକ ଫସଲ ହୁଏ । ଧୋଇ ମରୁଡ଼ି ବାଧେ ନାହିଁ । ‘‘ସେନାଓତରେ ସୁନା ଫଳେ’’ ବୋଲି ପ୍ରବାଦ ଅଛି । ସେନାଓତ ପ୍ରଗନାକୁ ଗଭର୍ଣ୍ଣମେଣ୍ଟ ଏକ ଟଙ୍କାକୁ ନିଲାମ ଧରିଥିଲେ, ତାହା ଖାସମାହାଲ ଇଲାକା । ସେଥିରେ ଆୟ ପ୍ରାୟ ଲକ୍ଷାଧିକ ଟଙ୍କା । ସେନାଓତ ମଧ୍ୟରେ ଗୁଆମାଳ । ଗୁଆମାଳ ମଧ୍ୟରେ କୁମାରପୁର । କୁମାରପୁରର ରାମଚନ୍ଦ୍ର ପାଣିଗ୍ରାହୀ ଜଣେ ଆଦର୍ଶ ଗୃହସ୍ଥ । ତାଙ୍କ ଘରେ ପ୍ରତିଦିନ ପ୍ରାୟ ଦଶ ବାରଜଣ ଅତିଥି ଅଭ୍ୟାଗତଙ୍କର ପତ୍ର ପଡ଼େ । ଭାଟ ଭିକାରିମାନେ ଭିକ ମାଗି ସାରି ରାତିରେ ଆସି ତାଙ୍କ ବଙ୍ଗଳାରେ ଆଶ୍ରୟ ନିଅନ୍ତି । ପାଣିଗ୍ରାହୀ ସେମାନଙ୍କୁ ଉଠାଇ ଭାତ ଖୁଆଇ ସାରି ନିଜେ ଖାଇବାକୁ ଯାଆନ୍ତି । ବାଟରୁ ଅତିଥିକୁ ଡାକି ନେଇ ସତ୍କାର ମଧ୍ୟ କରନ୍ତି । ଏହା ହିଁ ହିନ୍ଦୁଧର୍ମର ମହତ୍ୱ । ଧର୍ମର ମାହାତ୍ମ୍ୟ ମୋଫସଲରେ ଅଧିକ, ସହରରେ ବିରଳ । ସହର କେବଳ ଅର୍ଥନୀତି ଶିଷ୍ୟମାନଙ୍କର ଆଡ଼୍‍ଡ଼ା । ଘରେ ପ୍ରତ୍ୟୟ ଯାହା ରନ୍ଧାରନ୍ଧି ହେବ ଗୃହର ବଡ଼ ସାନ ସମସ୍ତ ପରିବାର ଅତିଥି ଅଭ୍ୟାଗତ ତାହା ସମାନ ଭାବରେ ପାଇବେ–ଏ ବ୍ୟବସ୍ଥା ପାଣିଗ୍ରାହୀଙ୍କ ଘରେ ଥିଲା । ଏପରି ସାମ୍ୟଭାବ ଯାହାର ଥାଏ, ସେହି ସିନା ଗୃହସ୍ଥର ଉପଯୁକ୍ତ । ଭେଦ ନୀତିରେ ଘରେ ଘୂଣ ଲାଗିଯାଏ । ଗୃହକର୍ତ୍ତାର ଉଦାରତା ସହିଷ୍ଣୁତା ଦରକାର । ଯେ ନିଜେ କଷ୍ଟ ସହି–ଲାଞ୍ଛନା ଅପମାନ ସହି ପରିବାରକୁ ସୁଖ ଦିଏ ସେହି ଏକା କର୍ତ୍ତାପଦବାଚ୍ୟ । ଦୁଃଖର ବିଷୟ, ଏ ଭଳି ଘର ମୁରବି ଏ କାଳରେ କୋଟିକେ ଗୋଟିଏ ଦୁର୍ଲଭ ।

 

କୁମାରପୁରରେ ଥିବାବେଳେ ମୁଁ ଥରେ ସେନ୍‌ସସ୍‌ ସୁପରଭାଇଜର ହୋଇଥିଲି । ମୋ ଅଧୀନରେ ଛ ଜଣ ଗଣନାକାରୀ ଥିଲେ । ସେ ସମୟରେ କେତେ ରହସ୍ୟ ଘଟିଥିଲା । ଜଣକୁ ତାର ସ୍ତ୍ରୀ ନାମ ପଚାରିବାରୁ ସେ କହିଲା–‘‘ଯେଉଁଥିରେ ଲେଖୁଛ, ସେଇଆ ।’’ ଅର୍ଥାତ୍ କାଳୀ । ସେହିପରି ଆଉ ଜଣେ ଭାର୍ଯ୍ୟାର ନାମ ନ କହି କହିଲା–‘‘ଯାହା ଦେହରେ ଚାଖଣ୍ଡେ ଲେଖାଏଁ ବାଳ, ଖୁବ୍ ବଡ଼ ବଡ଼ ନଖ, ଯେ ଉଇହୁଙ୍କା ତାଡ଼ି ଉଇ ଖାଏ, ସେହି ।’’ ଅର୍ଥାତ୍‌ ସ୍ତ୍ରୀର ନାମ ଭାଲୁ । ଦୁଇମାସ କାଳ ଏହି କାମରେ ମୁଁ ଖୁବ୍ ଘାଣ୍ଟି ହୋଇଥିଲି । ପୂର୍ବ ଭଦ୍ରଖ ସର୍କଲରେ ମୋର କାର୍ଯ୍ୟ ସବୁଠାରୁ ଭଲ ହୋଇଥିଲା । ଉପରିସ୍ଥ କର୍ମଚାରିମାନେ ମୋର ଖୁବ୍‌ ପ୍ରଶଂସା ଲେଖିଥିଲେ, ମୁଁ ଗୋଟାଏ ପୁରସ୍କାର ପାଇବି ବୋଲି ଅନେକେ ଆଶା କରିଥିଲେ, କିନ୍ତୁ ହିମାଳୟ ମୂଷିକ ପ୍ରସବ କଲା । ଶେଷରେ କଲେକ୍‍ର ଅଫିସରୁ ଖଣ୍ଡେ ଚିଠି ଆସିଲା–‘‘ତୁମେ ସେନ୍‌ସସ୍‌ କାର୍ଯ୍ୟ ଖୁବ୍‌ ପରିଶ୍ରମ ସହିତ ଦକ୍ଷତା ସହକାରେ ସମ୍ପାଦନ କରିଅଛ ।’’ ଏହି ଅମୂଲ୍ୟ ସମ୍ପତ୍ତି ଭାଗ୍ୟରେ ଘଟିଲା-। କଥାରେ ଅଛି–‘‘କପାଳ ଊଣାକୁ ନାଗରା କଣା ।’’ ବଡ଼ ବଡ଼ଙ୍କ କପାଳରେ ବାଳିଆ ଶେଉଳ, ଆଉ ଅଗଣା ଅପୁଛାଙ୍କ ବେଳକୁ ଗୋଲଆଳୁ । ‘‘ଭାଗ୍ୟଂ ଫଳତି ସର୍ବତ୍ର ନ ବିଦ୍ୟା ନଚପୌରୁଷଂ ।’’ ଏତେ ଲୋକଙ୍କର ସୁପାରିସ୍ କୁଆଡ଼େ ଉଡ଼ିଗଲା, ଶେଷରେ ମିଳିଲା ଅକ୍ଷର ପୁଞ୍ଜାଏ । ଆଶାୟି, ସେଥିରେ ଗୁଡ଼ ଲଗାଇ ଚାଟିଖା, ସେନ୍‌ସସ୍‌ ଯାଏଁ ବଞ୍ଚିଥା । ଆଉରି କୌତୁକର କଥା ଏହି ଯେ, ମୁଁ ପୁରସ୍କାର ପାଇଥିଲେ କେହି କେହି ପାଇବା ସକାଶ ଦାବି କରିବାକୁ ସ୍ଥିର କରିଥିଲେ, ତାଙ୍କ ଅଦୃଷ୍ଟ ବି ମୋହରି ଅଦୃଷ୍ଟଠାରୁ ଫଟା ।

 

ଇତି ମଧ୍ୟରେ ମଧୁସୂଦନ ରାଓ ଡେପୁଟୀ ଇନ୍‍ସପେକ୍‍ଟର ହୋଇ ଆସିଥିଲେ । ରାଧାନାଥବାବୁଙ୍କଠାରୁ ସେ ମୋ କଥା ଶୁଣିଥିଲେ । ପୁଣି ରମାନାଥବାବୁ ତାଙ୍କୁ ‘‘ତତ୍ତ୍ୱଗୀତା’’ ର ସଂଶୋଧକରୂପେ ମୋତେ ଚିହ୍ନାଇ ଦେଲେ । ମୋତେ ଟିକିଏ ପରୀକ୍ଷା କରିବାକୁ ମଧୁବାବୁଙ୍କର ଇଚ୍ଛା ହେଲାପରି ଜଣାଗଲା । ସୁଚତୁର ବିଦ୍ୱାନ ବ୍ୟକ୍ତିମାନେ କେବେ ପଦାରେ ପଡ଼ିଯାଆନ୍ତି ନାହିଁ । କୌଶଳରେ କାର୍ଯ୍ୟ ସାଧନ କରନ୍ତି । ସେ ମୋତେ ସଙ୍ଗରେ କୁବେରା ଅ: ପ୍ରା: ସ୍କୁଲକୁ ଡାକି ନେଇ ପ୍ରଥମ ଶ୍ରେଣୀ ପିଲାଙ୍କର ପରୀକ୍ଷା ନେବାକୁ କହିଲେ । ସାହିତ୍ୟ, ମାନସାଙ୍କରେ ମୁଁ ପରୀକ୍ଷା କଲି, ସୁଖର ବିଷୟ ବାବୁ ସନ୍ତୁଷ୍ଟ ହେଲେ । ଦର୍ଶକ ପୁସ୍ତକରେ ମୋ ସମ୍ୱନ୍ଧରେ ଉଚ୍ଚ ମନ୍ତବ୍ୟ ପ୍ରକାଶ ମଧ୍ୟ କରିଥିଲେ । ବୋଧହୁଏ ତାଙ୍କ ପରେ ଚନ୍ଦ୍ରମୋହନ ମହାରଣା ଡେପୁଟୀ ଇନ୍‍ସପେକ୍‍ଟର ହୋଇ ଆସିଥିଲେ । ସେ ବଡ଼ କଡ଼ା ହାକିମ ବୋଲି ଶୁଣି ଶିକ୍ଷାବିଭାଗ ଥରି ଉଠିଲା । କିନ୍ତୁ ଫଳରେ ବିପରୀତ ଦେଖାଗଲା । କି ଗାମ୍ଭୀର୍ଯ୍ୟ, କି ଔଦାର୍ଯ୍ୟ, କି ଭାବପ୍ରାଣ ଭାଷା । ମୁଖମଣ୍ଡଳରୁ ପ୍ରତିଭା ନିଗିଡ଼ି ପଡ଼ୁଥାଏ । ତାଙ୍କୁ ଦେଖିଲେ ଜଣେ ଅଗାଧ ବିଦ୍ୱାନ ବୋଲି ଜାଣି ହୁଏ, ମାତ୍ର ଟିକିଏ ବ୍ୟଙ୍ଗ ରହସ୍ୟପ୍ରିୟ । ବ୍ୟାକରଣ ପ୍ରଶ୍ନର ଉତ୍ତର ଦେଇ ନ ପାରିଲେ ପିଲାଙ୍କୁ କହନ୍ତି–‘‘ତୁମ୍ଭେ ପାଣିନୀଙ୍କ ବଂଶଧର ପରା ।’’ ଅଙ୍କ କହି ନ ପାରିଲେ ସେହିପରି ‘‘ଶୁଭଙ୍କରଙ୍କର କେହି ହୁଅ କି ?’’ ବୋଲି କହନ୍ତି । ସେ ସ୍ପଷ୍ଟବାଦିତା ଏବଂ ନିର୍ଭିକତାରେ ଅଦ୍ୱିତୀୟ । ମୋ ସଙ୍ଗରେ ଠିକ୍‌ ପୁରୁଣା ବନ୍ଧୁ ପରି ବ୍ୟବହାର କଲେ । ପୁସ୍ତକ ଛାପାକଥା, ଲେଖାଲେଖି କଥା ଏହିପରି ଅନେକ କଥାବାର୍ତ୍ତା ହେଲା । ସେ ପିଲାଙ୍କୁ ଖୁବ୍ ସୂକ୍ଷ୍ମ ଭାବରେ ପରୀକ୍ଷା କରନ୍ତି, କହି ନ ପାରିଲେ ବୁଝାଇ ଦିଅନ୍ତି । ପିଲାଟି ସମ୍ପୂର୍ଣ୍ଣ ବୁଝିଲା ପର୍ଯ୍ୟନ୍ତ ନାନା ଉଦାହରଣ ଦେଇ ବୁଝାଇଥାନ୍ତି । ମୋର ଗୋଟିଏ ଛାତ୍ର ନିଷ୍କର୍ମା ହୋଇ ବସିଥିବାରୁ ମୁଁ ଚେଷ୍ଟାକରି କୁମାରପୁରରେ ଗୋଟାଏ ନିମ୍ନଜାତିର ପାଠଶାଳା ସ୍ଥାପନ କରି ଛାତ୍ରଟିକୁ ଶିକ୍ଷକପଦରେ ରଖାଇ ଦେଇଥିଲି । ପାଠଶାଳାରେ ପାଣପିଲା ଅଧିକ ପଢ଼ୁଥିଲେ । ଚନ୍ଦ୍ରମୋହନବାବୁଙ୍କୁ ନେଇ ସେହି ପାଠଶାଳା ଦେଖାଇଲି । ସେ ଖୁସି ହୋଇ କହିଲେ–‘‘ଏହିପରି ନିମ୍ନଜାତିର ପାଠଶାଳା ଏ ଜିଲାରେ ମୁଁ ଅଧିକ ବସାଇବାକୁ ଇଚ୍ଛା କରିଅଛି ।’’ ସେହି ଦିନଠାରୁ ପାଠଶାଳାର ଗ୍ରାଣ୍ଟ ପାଞ୍ଚ ଟଙ୍କା ମଞ୍ଜୁର କରିଗଲେ । ସେହି ସମୟରେ ମୋର ‘‘ଶତଦଳ’’ ବାହାରିଥାଏ । ପୂର୍ବରୁ ତାହା ସେ ଉପହାର ପାଇଥିଲେ । ପୁସ୍ତକ ଖଣ୍ଡି ପ୍ରାଇଜ୍ ଲାଇବ୍ରେରୀ ପାଇଁ ମଞ୍ଜୁର ହୋଇଛି ବୋଲି କହିଗଲେ । କାଉପୁରର ସ୍ୱନାମଧନ୍ୟ ସ୍ୱର୍ଗୀୟ ଜମିଦାର ମହାଶୟ ଲକ୍ଷ୍ମୀକାନ୍ତ ରାୟଙ୍କ ଦ୍ୱିତୀୟ ପୁତ୍ର ଶ୍ରୀ ଯଦୁନାଥ ରାୟ ଶତଦଳର ଛାପାଖର୍ଚ୍ଚ ବହନ କରିଥିଲେ । ମୁଁ ଯଦୁବାବୁଙ୍କର ବାଲ୍ୟସଙ୍ଗୀ । ସେ ମୋତେ ଆନ୍ତରିକ ଭଲ ପାଆନ୍ତି । ଯଦୁବାବୁଙ୍କ ବଂଶ ସତ୍କାର୍ଯ୍ୟ ସକାଶ ବିଖ୍ୟାତ, ସେହି ବଂଶର ସେ ଯୋଗ୍ୟ ବଂଶଧର । ବଡ଼ଲୋକ ବୋଲି ଅଭିମାନ ନାହିଁ କି ଆଡ଼ମ୍ବର ନାହିଁ । ଭଦ୍ରଖରେ ସେ ମୋର ସାହିତ୍ୟ ସେବାର ପ୍ରଧାନ ଉତ୍ସାହଦାତା । ଶତଦଳ ତାଙ୍କ ନାମରେ ଉତ୍ସର୍ଗ କରି ପଠାଇଲି । ସେ ଆନନ୍ଦରେ ଛାପାବ୍ୟୟ ବହନ କରିବାକୁ ସ୍ୱୀକୃତ ହେଲେ । ପୁସ୍ତକ କଟକ ରାୟ ପ୍ରେସରେ ଛାପାହେଲା । ସଂଶୋଧନର ଭାର ଶ୍ରୀ ଶଶିଭୂଷଣ ରାୟ ଗ୍ରହଣ କଲେ । ସେତେବେଳେ ଗଦ୍ୟ କବି ଶଶିବାବୁ ରାୟ ପ୍ରେସର ପ୍ରୋପ୍ରାଇଟର ଥିଲେ । ଉକ୍ତ ପ୍ରେସରେ ଅନେକ ଭଲ ଭଲ ପୁସ୍ତକ ଛାପା ହୋଇଥିଲା । ପ୍ରାତଃନମସ୍ୟ ବିହାରୀଲାଲ ପଣ୍ଡିତଙ୍କର ବୃହତ୍ ଭଗବଦ୍‍ଗୀତା ସେହି ରାୟ ପ୍ରେସରେ ମୁଦ୍ରିତ ହୋଇ ବିତରିତ ହୋଇଥିଲା । ସେପରି ଗୀତା ଉତ୍କଳରେ ଅଦ୍ୱିତୀୟ । ପଣ୍ଡିତଜିଙ୍କର ଏହି ଅମର କୀର୍ତ୍ତି ତାଙ୍କୁ ଅମର କରି ରଖିଅଛି । ଭାଗବତ, ମନୁ, ପରାଶର, ପଣ୍ଡିତସର୍ବସ୍ୱ ବିତରଣକାରୀ ରାଜନ୍ୟବୃନ୍ଦଙ୍କ ସଙ୍ଗେ ପଣ୍ଡିତଜି ନିଶ୍ଚୟ ଏକାସନରେ ବସିଥିବେ । ଏହିପରି ମହାଦାନ ଯେ କରିଯାଆନ୍ତି, ତାଙ୍କର ଅର୍ଥ ସାର୍ଥକ–ଜୀବନ ଧନ୍ୟ ହୁଏ ।

 

କୁମାରପୁର ସ୍କୁଲର ଉଚ୍ଚଶ୍ରେଣୀର ଛାତ୍ରମାନେ ସନ୍ଧ୍ୟା ସମୟରେ ଅମୋଦ ପ୍ରମୋଦ ସକାଶ ପୌରାଣିକ ନାଟକ ଅଭିନୟ କରୁଥିଲେ । ରଚନା ମୁଁ ଲେଖିଦିଏଁ, ବିନା ବେଶରେ ଅଭିନୟ ହୁଏ । ଗ୍ରାମବାସୀମାନେ ଦେଖି ଆନନ୍ଦ ଉପଭୋଗ କରନ୍ତି । ପିଲାମାନଙ୍କର ବି ଚିତ୍ତ ପୁଲକିତ ହୁଏ-। କେତେ ପିଲା କସରତ୍ ଅଭ୍ୟାସ କରୁଥିଲେ । ସେଥିରେ ପିଲାମାନଙ୍କର ମନ ଖୁବ୍ ଲାଗେ । ମୁଁ ପ୍ରଥମେ କଠିନ ଶାସନବ୍ରତ ଧରିଥିଲି ମାତ୍ର ନିଜର ଭ୍ରମ ବୁଝିପାରି ଶାସନନୀତି ବଦଳାଇଥିଲି । ଗାଳି ମାଡ଼ରେ ପିଲାଙ୍କୁ ଯେଉଁ ଶିକ୍ଷା ଦିଆଯାଏ ତାହା ବହୁଦିନ ସ୍ଥାୟୀ ହୁଏ ନାହିଁ । ହସାଇ ଖେଳାଇ ଶିକ୍ଷା ଦେଲେ ତାହା ପିଲାଙ୍କ କୋମଳ ହୃଦୟରେ ମୁଦ୍ରିତ ହୋଇ ରହେ ।

 

କାହିଁକି କେଜାଣି ଟିକିଏ କବିରାଜୀ ପଢ଼ିବାକୁ ଇଚ୍ଛା ହେଲା । ରୀତିମତ ପଢ଼ିବା ନୁହେଁ–ଟିକିଏ ସ୍ଥୂଳଜ୍ଞାନ ଉପାର୍ଜ୍ଜନ ମୋର ଲକ୍ଷ୍ୟ । ଓଡ଼ିଆରେ ‘‘ଠୁଣୁଠୁଣିକିଆ’’ ଛଡ଼ା ଆଉ କିଛି କବିରାଜୀ ବହି ପ୍ରାୟ ଛାପା ହୋଇ ନ ଥିଲା । ବଙ୍ଗଳା ଚକ୍ରଦତ୍ତ, ମାଧବକର ଅଣାଇ ଅବସରମତେ ପଢ଼ିଲି । କେତେଟା ମୂଳମୂଳିକାପୂର୍ଣ୍ଣ ଆଳିମାଳିକା ହାଣ୍ଡି ଚାଳରେ ଟଙ୍ଗାହେଲା । ଛାତ୍ରମାନଙ୍କର କାହାର କିଛି ହେଲେ ଔଷଧ ଦିଏଁ । ଏହି ସୂତ୍ରରେ କେତେ ଛାତ୍ରର ପେଖନା ରୋଗ ମଧ୍ୟ ଭଲ ହେଲା । ପେଟଟଣା, ମୁଣ୍ଡବ୍ୟଥା ପ୍ରଭୃତି ପ୍ରକୃତ ରୋଗ ମଧ୍ୟ ଭଲ ହେଲା । ଭଦ୍ରଖ ଫ୍ରେଜର ବାଳିକା ସ୍କୁଲର ଶିକ୍ଷକ ଶ୍ରୀ କ୍ଷେତ୍ରମୋହନ ବାନୁର୍ଯ୍ୟା ଜଣେ ଅମୃତହସ୍ତା ଚିକିତ୍ସକ ଥିଲେ । ସେ ମୋର ପରମବନ୍ଧୁ । ଯେଉଁ ରୋଗକୁ ବଡ଼ ବଡ଼ ଔଷଧ ଭଲ କରିପାରେ ନାହିଁ, ସେ ରୋଗକୁ ସେ ସାମାନ୍ୟ ତୁଟୁକାରେ ଆରୋଗ୍ୟ କରି ଦିଅନ୍ତି । ମୁଁ ତାଙ୍କଠାରୁ ଅନେକ ତୁଟୁକା ଲେଖିନେଇ ଶିଖିଲି । ରବିବାର କିମ୍ବା ଛୁଟି ଦିନରେ ଘରକୁ ଆସିବାବେଳେ ତାଙ୍କରି ଔଷଧାଳୟରେ ମୁଁ ବିଶ୍ରାମ କରେ । ତୈଳ, ମୋଦକ ପ୍ରଭୃତି ପ୍ରସ୍ତୁତ କରିବା ପ୍ରକ୍ରିୟା ଦେଖେଁ । ରାତି ପାହିବାବେଳକୁ କେତେ ବାହାରର ରୋଗୀ ଆସି କୁମାରପୁର ସ୍କୁଲରେ ପହୁଞ୍ଚିଲେ । ରୋଗୀ ସଂଖ୍ୟା କ୍ରମେ ବଢ଼ିଲା, ସେଥିରେ ମୋର ଘୋର ଅସୁବିଧା ହେଲା । ସମୟର ଅଭାବ ଏପରି ଘଟିଲା ଯେ, ବାଧ୍ୟହୋଇ ସେଥିରୁ ବିରତ ହେଲି । ନାମ ଟିକିଏ ଡାକି ଆସୁଥିଲା, ତାହା ବନ୍ଦ ହୋଇଗଲା । ଶତାବରୀ, ଗୁଳଞ୍ଚ, ଅନନ୍ତମୂଳ, ବଣପିପ୍‍ଳୀ, ଶଙ୍ଖପୁଷ୍ପୀ, ନବାକୁଡ଼ି ପ୍ରଭୃତି ସେ ଅଞ୍ଚଳରୁ ସଂଗ୍ରହ କରି ମୁଁ କ୍ଷେତ୍ରମୋହନ ବାବୁଙ୍କଠାକୁ ପଠାଏଁ । ‘‘ଶକ୍ତି’’ ନାମ ଦେଇ ସେ ଗୋଟାଏ ରସାୟନ ଔଷଧ ବାହାର କଲେ । ସ୍ମରଣଶକ୍ତି ବୃଦ୍ଧି କରିବା ବିଷୟରେ ତାହା ଅଦ୍ୱିତୀୟ । ସେ ଔଷଧ ଅନେକ ବିକ୍ରୀ ହେଲା । ପରବର୍ତ୍ତୀ କାଳରେ ମେଦିନୀପୁର, ଗଞ୍ଜାମ ପ୍ରଭୃତି ଦୂରବର୍ତ୍ତୀ ଅଞ୍ଚଳରେ ତାହାର ଖ୍ୟାତି ବିଶେଷ ବ୍ୟାପିଥିଲା । ଔଷଧଟି ଏହି–

 

ଗୁଳଞ୍ଚାପାମାର୍ଗ ବିଡ଼ଙ୍ଗ ଶଙ୍ଖିନୀ,

ବଚାଭୟାକୁଢ଼ ଶତାବରୀ ସମା,

ଘୃତେନଲୀଢ଼ା ପ୍ରକରୋତି ମାନବଂ,

Unknown

ତ୍ରିଭିର୍ଦ୍ଦିନୈଃ ଶ୍ଳୋକ ସହସ୍ର ଧାରିଣମ୍ ।

 

କ୍ଷେତ୍ରମୋହନବାବୁ ଜଣେ ଯୋଗୀ । ପୂଜା ପ୍ରାଣାୟାମରେ ତାଙ୍କର ବହୁତ ସମୟ ଅତୀତ ହୁଏ । ସେ ଶ୍ରୀମତ୍‌ କେଶବାନନ୍ଦ ସ୍ୱାମୀଙ୍କର ଜଣେ ପ୍ରିୟ ଶିଷ୍ୟ । ଦୟା, ଧର୍ମ, ସତ୍ୟ, ଚରିତ୍ରନିଷ୍ଠାରେ ସେ ଗୋଟିଏ ଦେବତା, ଧର୍ମ ବିଷୟ ଛଡ଼ା ମୁହଁରେ ଅନ୍ୟ କଥା ନାହିଁ । ସେ ଗଳ୍ପ ଛଳରେ ସୁନ୍ଦର ରୂପେ ଧର୍ମୋପଦେଶ ପ୍ରଦାନ କରନ୍ତି । ସେ ମୋତେ ଅତ୍ୟନ୍ତ ସ୍ନେହ କରନ୍ତି । ମୁଁ ଘରକୁ ଆସିଲେ ଘରେ ମୋର ମନ ଲାଗେ ନାହିଁ । ତାଙ୍କରି ପାଖକୁ ଯାଇ ମୁଁ ଧର୍ମୋପଦେଶ ଶୁଣେଁ । ଥରେ ଶୂନ୍ୟ ହସ୍ତରେ ସେ ଗୋଟିଏ ଯଜ୍ଞ ଆରମ୍ଭ କଲେ । ଏହା ଦୁଇମାସ ପର୍ଯ୍ୟନ୍ତ ହେଲା, ମାତ୍ର ଉପାଦାନର ଅଭାବ ହେଲା ନାହିଁ । ସମସ୍ତେ ସ୍ୱତଃପ୍ରବୃତ୍ତ ହୋଇ ଘିଅ, ଚାଉଳ, ସମିଧ ପ୍ରଭୃତି ଆଣି ଯୋଗାଇଲେ । ବାଛୁରୀ ହମ୍ବାଳିଲେ ସେ ଯାଇ ଫିଟାଇ ଦିଅନ୍ତି–ବାଛୁରୀ ଗାଈଠାରୁ ଦୁଧ ପିଇଯାଏ । ଏଥିରେ ପରିବାର ମଧ୍ୟରେ କେହି କ୍ଷୁବ୍‍ଧ ହେଲେ କହନ୍ତି–ତାର ମାର ଦୁଧ ସେ ପିଇଲା, ସେଥିରେ ତୁମ୍ଭର କଅଣ ଗଲା ? ସେ ନିଜେ ଉପବାସ ରହି ଏବଂ ଅଭାବ ସମୟରେ ଜିନିଷ ବନ୍ଧାପକାଇ ଅତିଥିସତ୍କାର କରନ୍ତି । ଭଦ୍ରକର ବିଶିଷ୍ଟ ଲୋକଙ୍କଠାରୁ ସାଧାରଣ ପର୍ଯ୍ୟନ୍ତ ସମସ୍ତଙ୍କର ତାଙ୍କ ଔଷଧ ପ୍ରତି ବିଶ୍ୱାସ । ରୋଗୀକୁ ଔଷଧ ଦେଲେ ସେ ଖର୍ଚ୍ଚ ମାଗନ୍ତି ନାହିଁ-। କେହି ଦେଲେ ଦେଲା, ନ ଦେଲେ ନାହିଁ । ସେଥିପ୍ରତି ଭ୍ରୂକ୍ଷେପ ଥାଏ ନାହିଁ । ରୋଗୀକୁ ଭଲ ହେବାର ଦେଖିଲେ କହନ୍ତି–ମୋର ଔଷଧର ବହୁପଣ ମୂଲ୍ୟ ଆଦାୟ ହୋଇଗଲା । କି ନିର୍ମାୟ-ନିର୍ବିକାର ପୁରୁଷ, ଘୃଣା ତାଙ୍କୁ ଛୁଇଁ ନଥିଲା । ଶିବଙ୍କ ପରି ଭୋଳା ମହେଶ୍ୱର, ମରି ମଧ୍ୟ ଶିବତ୍ୱପ୍ରାପ୍ତ ହୋଇ ଅଛନ୍ତି । ତାଙ୍କ ସମାଧି ମନ୍ଦିର ନିର୍ମାଣ ସକାଶ ଖୋଳିବା ବେଳେ ମୃତ୍ତିକା ଗର୍ଭରୁ ଗୋଟିଏ ଶିବଲିଙ୍ଗ ବାହାରିଲା । ଜାଗର ଦିନ ସେଠାରେ ମେଳା ହୁଏ । ତାଙ୍କର ମୃତ୍ୟୁ ମଧ୍ୟ ଅଦ୍ଭୁତ । ଗାଧୋଇବାକୁ ବସି ଲୋଟାଏ ପାଣି ମୁଣ୍ଡରେ ଢାଳିଦେଇ ‘‘ନାରାୟଣ ହରି’’ ଉଚ୍ଚାରଣପୂର୍ବକ ପାଣିରେ ପୁଣି ଲୋଟା ବୁଡ଼ାଉଁ ବୁଡ଼ାଉଁ ମହାପୁରୁଷ ମହାପ୍ରସ୍ଥାନ କଲେ । ସାମାନ୍ୟ ଭାବରେ ମୋତେ ବାତ ରକ୍ତ ପୀଡ଼ା ଆକ୍ରମଣ କଲା, ତାହା ପ୍ରତି ମୋର ଦୃଷ୍ଟି ରହିଲା ନାହିଁ–ମୁଁ ତାକୁ ହେୟଜ୍ଞାନରେ ଉପେକ୍ଷା କଲି । ମାତ୍ର କ୍ଷେତ୍ରମୋହନବାବୁ ମୋତେ ବାଧ୍ୟ କରି ଚିକିତ୍ସା କଲେ-। ବୃହତ୍‌ ଗୁଳଞ୍ଚାଦି ତୈଳ ବସିଲା–ଶତାଧିକ ମୂର୍ଚ୍ଛନା ଦିଆଗଲା । ସେଥିରେ ଆଶାତୀତ ଫଳ ମଧ୍ୟ ଫଳିଲା । ପରେ ଗଞ୍ଜାମରେ ଥିବା ସମୟରେ ମୋର ପରମାତ୍ମୀୟ ବନ୍ଧୁ କବିପୁତ୍ର ଗଦ୍ୟ କବି ସ୍ୱନାମଧନ୍ୟ ଶଶିଭୂଷଣ ରାୟ ମୋତେ ପ୍ରାୟ ଏକସେର ‘‘ଅମୃତ ଭଲ୍ଲାତକ’’ ଦେଇଥିଲେ । ତାହା ଠିକ୍ ଅମୃତତୁଲ୍ୟ କାର୍ଯ୍ୟ କରିଅଛି । ପିତା ପୁତ୍ର ଉଭୟେ ମୋର ରୋଗ ଦମନ ସକାଶ ଅନେକ ଚେଷ୍ଟା କରିଅଛନ୍ତି । କୌଣସି ପୁସ୍ତକ ପତ୍ରିକାରେ ବାତରକ୍ତ ରୋଗ ସମ୍ବନ୍ଧରେ କିଛି ଲେଖାଥିବାର ଦେଖିଲେ ହୃଦୟୀ ରାଧାନାଥବାବୁ ତାହା ଲେଖି ପଠାନ୍ତି, ନଚେତ୍ ଉକ୍ତ ପୁସ୍ତକ ପତ୍ରିକା ମୋ ପାଖକୁ ପଠାଇ ଦିଅନ୍ତି । ପିତା ପୁତ୍ର ଉଭୟଙ୍କ ନିକଟରେ ମୁଁ ନାନାଭାବରେ କୃତଜ୍ଞ ଏବଂ ଋଣୀ । ହୃଦୟର ବ୍ୟଥା ହୃଦୟୀ ଛଡ଼ା ଆଉ କିଏ ବୁଝିବ ? ଏହି ସବୁ କାରଣରୁ ରାଧାନାଥଙ୍କ ପ୍ରତି ମୋର ଭକ୍ତି ଅଚଳା ହୋଇ ରହିଅଛି ଏବଂ ଆଜୀବନ ରହିଥିବ । ତାଙ୍କ ମୃତ୍ୟୁ ପରେ ସରସ୍ୱତୀ ପୂଜାଦିନ ମୁଁ ତାଙ୍କ ନାମରେ ଦଶଟି ଆହୂତି ଦେଉଥିଲି । ଆଉ ସେ ସମୟ ନାହିଁ, ସେ ହିତୈଷୀ ଉତ୍ସାହ ଦାତା ନାହାନ୍ତି, କି ସେ ଉତ୍ସାହ ବି ନାହିଁ–ରାମ ସଙ୍ଗେ ସଙ୍ଗେ ଅଯୋଧ୍ୟାର ଶିରୀ ବି ତୁଟିଯାଇଛି । ହାୟ, ରାଧାନାଥ, ତୁମ୍ଭେ ସ୍ୱର୍ଗର ଦେବତା, ସ୍ୱର୍ଗରେ ଅଛ, ମୁଁ ଏ ପାପ ଭୂମିରେ ଦୁର୍ଗନ୍ଧ କାଦୁଅରେ ଘାଣ୍ଟି ହେଉଛି–ତୁମ୍ଭର ଅସୀମ ପୁଣ୍ୟମୟ ଗୁଣ ପାପତୁଣ୍ଡରେ କଅଣ ଗାଇବି । ସେ ପ୍ରତିଭା, ସେ ସହୃଦୟତା, ସେ କବିତ୍ୱଗରିମା ଉତ୍କଳକୁ ଆଉ ଫେରି ଆସିବ କି ଦେବ ! ସେ ସ୍ୱପ୍ନ ପରି ଲାଗୁଛି ।

 

ସାଳନ୍ଦୀ ନଦୀର ଶାଖା ପ୍ରଶାଖା କୁମାରପୁରକୁ ଚାରିପାଖରୁ ଘେରି ରଖିଅଛି । ବର୍ଷାଦିନେ ସେହି ସବୁ ନାଳରେ ଆଣ୍ଠୁଏଠାରୁ ବେକେ ପର୍ଯ୍ୟନ୍ତ ପାଣି ହୁଏ । ସେହି ପ୍ରତିବନ୍ଧକ ହେତୁ ଗଣେଶ୍ୱରପୁର, ଦୋଳସାହି, ବିଶ୍ୱନାଥପୁର, ଝାଡ଼ପଟା ପ୍ରଭୃତି କେତେ ଖଣ୍ଡ ଗ୍ରାମର ପିଲାମାନେ ସ୍କୁଲକୁ ଆସିପାରନ୍ତି ନାହିଁ । ବିଶେଷତଃ ସାନ ସାନ ପିଲାମାନଙ୍କର ଆସିବା ନିରାପଦ ନୁହେଁ । ମୁଁ ଏ ବିଷୟ ଉଲ୍ଲେଖ କରି କୌଣସି ସୁବିଧାଜନକ ସ୍ଥାନରେ ନାଳ ଉପରେ ପୋଲ ବାନ୍ଧିଦେବା ସକାଶ ଭଦ୍ରକ ସବ୍‍ଡ଼ିଭିଜନାଲ ଅଫିସରଙ୍କ ନିକଟକୁ ରିପୋର୍ଟ କଲି । ଶ୍ରୀ ନୟନାଞ୍ଜନ ଭଟ୍ଟାଚାର୍ଯ୍ୟ ସେତେବେଳେ ସବ୍‍ଡ଼ିଭିଜନାଲ ଅଫିସର । ସେ ଜଣେ ଡବଲ ଏମ୍. ଏ. । କିଛିଦିନ ପରେ ଦିନେ ଅକସ୍ମାତ୍‌ ପୋଲର ସ୍ଥାନ ନିର୍ଣ୍ଣୟ କରିବାକୁ ଆସି ପହୁଞ୍ଚିଲେ । ସ୍ଥାନ ନିର୍ଣ୍ଣୟ ହୋଇଗଲା । ଯାହାଙ୍କ ଜମିରେ ବାଟ ପଡ଼ିବ ସେ ଆପତ୍ତି କଲେ । ମାତ୍ର ନୟନାଞ୍ଜନବାବୁ ମାନିଲେ ନାହିଁ । ସାଧାରଣ ସୁବିଧା ଦୃଷ୍ଟିରେ ଜଣକର ଆପତ୍ତିର କିଛି ମୂଲ୍ୟ ନାହିଁ । ଯେତିକି ଜମିରେ ବାଟ ହେବ, ତାହାର ଖଜଣା କାଟି ଦିଆଯିବ । ପୋଲ ହେବାର ସବୁ ଠିକ୍ ହୋଇଗଲା । କିନ୍ତୁ ସେହି ବର୍ଷ ମୁଁ କାଉପୁର ଭର୍ଣ୍ଣାକ୍ୟୁଲାର ସ୍କୁଲର ହେଡ଼ପଣ୍ଡିତ କାର୍ଯ୍ୟରେ ଚାଲିଯିବାରୁ ଆଉ ତାହା ହୋଇ ପାରିଲା ନାହିଁ । ପରେ ମଧ୍ୟ କେହି ଚେଷ୍ଟା କରି ନାହାନ୍ତି ।

 

ସବ୍‌ଡ଼ିଭିଜନ ଅଫିସର ସ୍କୁଲ ପରୀକ୍ଷା କଲେ । ତେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା-। ଗୋଟିଏ ଉଚ୍ଚ ଶ୍ରେଣୀର ପିଲାକୁ ପଚାରିଲେ–‘‘ଅନ୍ଧାର ରାତିରେ କିପରି ଦିଗ ନିରୂପଣ କରିବ ?’’ ପିଲାଟି କହିଲା–ତାରା ଚିହ୍ନି ଦିଗ ବାରିହେବ, ଉତ୍ତର ଦିଗରୁ ସପ୍ତର୍ଷି ଉଦୟ ହୁଅନ୍ତି, ସେହି ଦିଗକୁ ମୁହଁକରି ଠିଆହେଲେ ଡାହାଣ ପାଖ ପୂର୍ବ, ବାମପାଖ ପଶ୍ଚିମ ଏବଂ ପିଠିପାଖ ଦକ୍ଷିଣକୁ ରହିବ ।’’ ବାବୁ ସପ୍ତର୍ଷି ଦେଖାଇ ଦେବାକୁ କହିବାରୁ ପିଲାଟି ଅଙ୍ଗୁଳି ନିର୍ଦ୍ଦେଶରେ ଚିହ୍ନାଇଦେଇ ସପ୍ତର୍ଷିଙ୍କର ନାମ କହିଗଲା । ବାବୁ ଶୁଣି ଭାରି ଖୁସି ହେଲେ । ଦର୍ଶକ ବହିରେ ଉଚ୍ଚ ମନ୍ତବ୍ୟ ପ୍ରକାଶ କରିଗଲେ-। ସେ ବର୍ଷ ସାଲତମାମୀ ରିପୋର୍ଟରେ ମୋ ସମ୍ବନ୍ଧରେ ଖୁବ୍ ଉଚ୍ଚ ପ୍ରଶଂସା କରି ଲେଖିଥିଲେ ।

 

ହିତୈଷିଣୀରେ ଆମିଷଭକ୍ଷଣ ସମ୍ବନ୍ଧରେ ତୁମୁଳ ଆନ୍ଦୋଳନର ସୃଷ୍ଟି ହେଲା । ଆନ୍ଦୋଳନର ପ୍ରଧାନ ପଣ୍ଡା ହେଲେ–ନୀଳମଣି ବିଦ୍ୟାରତ୍ନ । ଆମିଷର ଅପକାରିତା ସମ୍ବନ୍ଧରେ ଅନେକ ଗଦ୍ୟ ପଦ୍ୟ ପ୍ରବନ୍ଧ ବାହାରିଲା । ଯୁକ୍ତି, ତର୍କ, ଶାସ୍ତ୍ରୀୟପ୍ରମାଣ, ବୈଜ୍ଞାନିକପ୍ରମାଣ ପ୍ରଦର୍ଶିତ ହେଲା । କେତେଖଣ୍ଡ ସାନ ସାନ ପୁସ୍ତକ ବାହାରିପଡ଼ିଲା । ସ୍ଥାନେ ସ୍ଥାନେ ଆମିଷ ନିବାରିଣୀ ସଭା ସମିତି ସ୍ଥାପିତ ହେଲା । ଆମିଷତ୍ୟାଗୀ ମେମ୍ବରମାନଙ୍କର ନାମ ହିତୈଷିଣୀରେ ନିୟମିତରୂପେ ପ୍ରକାଶିତ ହେଲା । ବିଦ୍ୟାରତ୍ନଙ୍କ ବରାତ ଅନୁସାରେ ମୁଁ ଏବଂ ଜଗବନ୍ଧୁବାବୁ ଗଦ୍ୟ ପଦ୍ୟରେ ଆମିଷ ବିରୁଦ୍ଧରେ ପ୍ରବନ୍ଧ ଲେଖି ପଠାଇଲୁଁ । କୁମାରପୁରରେ ଆମିଷ ନିବାରିଣୀ ସଭା ସ୍ଥାପିତ ହେଲା । କେତେଜଣ ବିରାଡ଼ିବୈଷ୍ଣବ ସଭାର ମେମ୍ବର ହେଲେ । ସେଥିମଧ୍ୟରେ ମୁଁ ସୁଦ୍ଧା ଜଣେ । ଜଗବନ୍ଧୁବାବୁ ଆମିଷ ଛାଡ଼ିଲେ ନାହିଁ, କହିଲେ–‘‘ତାଟରାମାଛର ଝୋଳ ଦେଖିଲେ ମୁଁ ସମ୍ଭାଳି ପାରିବି ନାହିଁ, ପାଟିରୁ ଲାଳ ପଡ଼ିବ । ସେହି ଲାଳର ସୁଖରେ ମୋର ପ୍ରତିଜ୍ଞା କୁଆଡ଼େ ଉଭେଇଯିବ ।’’ କ୍ରମେ ଆମିଷତ୍ୟାଗୀର ସଂଖ୍ୟା ବଢ଼ିଲା । ମୋର ଅଧିକାଂଶ ଛାତ୍ର ସେଥିରେ ମିଶିଲେ, କିନ୍ତୁ ହିତରେ ବିପରୀତ ହେଲା । ପିଲାଙ୍କର ଏହି ଅକରଣୀସକାଶ ସେମାନଙ୍କ ଅଭିଭାବକମାନେ ଆସି ଫେରାଦ କଲେ । କେହି କହିଲା–‘‘ମୋ ଛୁଆଟିର ତ ଆଧାର ସେତିକି, ଦୁଇଟା ମାଛ ହେଲେ ଗୁଣ୍ଡାଏ ଖାଏ । ମାଛ ଛାଡ଼ି ସେ ବଞ୍ଚିବ କିମିତି ?’’ କିଏ କହିଲା–‘‘ଛୁଆଖଣ୍ଡକ ମାଛଶୁଖୁଆ ଖାଇବନାହିଁ, ବାପ ମାଆଙ୍କ ପେଟକୁ ଭଲା କିମିତି ଯିବ ?’’ ରକ୍ଷଣଶୀଳ ଦଳ ମାତି ଉଠିଲେ । କହିଲେ–ଆଇଁଷ ଖାଇଲେ ଦୋଷ କଅଣ ହୋ । ‘ଉତ୍କଳେ ମତ୍ସ୍ୟଭୋଜନ’’ ବୋଲି ନିଜେ ମନୁ ବ୍ୟବସ୍ଥା ଦେଇଛନ୍ତି । ଏ ମାଷ୍ଟରଟା ଜାଣେ କଅଣ, ଏ ତ ଆଉ ସ୍କୁଲ ପାଠ ନୁହେଁ, ତୁଚ୍ଛାରେ ପିଲାଗୁଡ଼ାକୁ ବାବାଜି କରିଦେବ ନା କଅଣ ! ପିଲାଏ ଏହିକାଳରୁ ଏହିପରି ନଷ୍ଟବୁଦ୍ଧି ଶିଖିଲେ ବଡ଼ହୋଇ ସେ ଘରକରଣା କରିବେ, ନା ସନ୍ନ୍ୟାସୀ ହୋଇ କଉପୁନିମାରି ବଣକୁ ଯିବେ !’’ ମୋତେ କେହି ପଚାରିଲେ ମୁଁ କହେ–‘‘ମାଛ ଖାଇବାକୁ ମୁଁ କାହାକୁ ମନା କରିନାହିଁ, ପିଲାଏ ମାଛ ଖାଇଲେ ମୋର କିଛିମାତ୍ର ଆପତ୍ତି ନାହିଁ ।’’ ଏହି ଶ୍ରେଣୀୟ ପୁଚ୍ଛଶୂନ୍ୟ କିସ୍କିନ୍ଧ୍ୟା ବଂଶଧରଙ୍କ ସଙ୍ଗେ ଯୁକ୍ତିତର୍କ କରିବା ବିଫଳ ଜାଣି ମୁଁ ପିଲାମାନଙ୍କୁ କହିଲି–‘‘ତୁମ୍ଭମାନଙ୍କ ମଙ୍ଗଳ କରିବାକୁ ଯାଇ ମୁଁ ବୃଥା ଦୁର୍ନାମ ଅର୍ଜ୍ଜୁଛି । ତୁମ୍ଭେମାନେ ବଡ଼ ହୋଇ ସ୍ୱାଧୀନ ହେଲେ ସମାଜର ଅନେକ ସଂସ୍କାର କରିପାରିବ । ମୁରବିଙ୍କର ଅବାଧ୍ୟ ନହୋଇ ମୋତେ ଏ କଳଙ୍କରୁ ଉଦ୍ଧାର କର ।’’ ଛାତ୍ରମାନେହିଁ ମୋ କଥା ବୁଝିଲେ, ଆମିଷ ଭୋଗ ଲଗାଇବାକୁ ଆଉ ଅସମ୍ମତ ହେଲେ ନାହିଁ । ମୋର ମଧ୍ୟ ଉପଯୁକ୍ତ ଶିକ୍ଷାହେଲା । ଅପାତ୍ରରେ ଉପଦେଶ ଦେଲେ ଉପଦେଶର ଖାଲି ଅପବ୍ୟବହାର ହୁଏ ନାହିଁ–ଅସମ୍ମାନ ମଧ୍ୟ ହୁଏ, ଏହା ମୁଁ ବୁଝିପାରିଲି ।

 

ମୋର ଛାତ୍ରମାନଙ୍କ ମଧ୍ୟରେ ଅନେକ ସୁଛାତ୍ର ଥିଲେ । ସେମାନଙ୍କ ପରି ଗୁରୁଭକ୍ତ ଛାତ୍ର ସାଧାରଣତଃ ବିରଳ । ଗୁରୁତର ପରିଶ୍ରମ ପରେ ସେମାନଙ୍କ ସେବା ଶୁଶ୍ରୂଷା ମୋତେ ଅମୃତ ପରି ଲାଗୁଥିଲା । ସେମାନେ ଖାଲି ଛାତ୍ର ନୁହନ୍ତି–ପରମବନ୍ଧୁ । ଛାୟାପରି ମୋ ସାଙ୍ଗେ ଥାଆନ୍ତି, ମୁଁ ଘରକୁ ଆସିଲେ ମୋ ସଙ୍ଗରେ ଆସନ୍ତି ପୁଣି ସଙ୍ଗରେ ଯାଆନ୍ତି । ସ୍ଥୂଳରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ମୋ ପ୍ରାଣରେ ସେମାନେ ନିଜ ପ୍ରାଣକୁ ମିଶାଇ ଦେଇଥିଲେ । ମୋର ଶରୀର ଟିକିଏ ଅସୁସ୍ଥ ହେଲେ ସେମାନଙ୍କର ଭାଳେଣିର ସୀମା ରହେନାହିଁ, ରାତି ଉଜାଗର ରହି ମୋତେ ଜଗି ବସି ଥାଆନ୍ତି । ସେହି ସେବା ପରାୟଣ ସରଳ ସୁନ୍ଦର ଛାତ୍ରଗୁଡ଼ିକୁ ଦେଖିଲେ ମୋର ଅଧେ ରୋଗ ଯନ୍ତ୍ରଣା ହରିଯାଏ । ଦୁଃଖର ବିଷୟ, ସେହି ସୁଛାତ୍ରମାନଙ୍କ ମଧ୍ୟରୁ କେତେ ଜଣ ଆଉ ଇହ ଲୋକରେ ନାହାନ୍ତି । ନାଗାର୍ଜ୍ଜୁନ ସାହୁ ଏବଂ ଉମାକାନ୍ତ ମହାନ୍ତି ନାମକ ଦୁଇଜଣ ଛାତ୍ର ମୋ ମନରେ ଘୋର ଦୁଃଖ ଦେଇ ଯାଇଅଛନ୍ତି । ସେ ଦୁହିଁଙ୍କ ବିଶୁଦ୍ଧ ଚରିତ୍ର, ଅଦ୍ଭୁତ ପ୍ରତିଭା ଦେଖି ମୁଁ ଏକାନ୍ତ ମୁଗ୍‍ଧ ହୋଇଥିଲି । ସେମାନେ ଠିକ୍‌ ଦୁଇଟି ଦେବ ଶିଶୁପରି ଥିଲେ । ବଞ୍ଚିଥିଲେ ସେ ଦୁହେଁ ବହୁତ ଉନ୍ନତି କରିଥାଆନ୍ତେ । କୁମାରପୁର ସ୍କୁଲରୁ ଅନେକ ଛାତ୍ର ବୃତ୍ତି ପାଇଅଛନ୍ତି, ମାତ୍ର ସମ୍ପାଦକଙ୍କ ଘରର ପିଲାଙ୍କ ଭାଗ୍ୟରେ ତାହା ଘଟିନାହିଁ । ଏଥିଲାଗି ସମ୍ପାଦକଙ୍କ ବଡ଼ପୁଅଙ୍କର ମନଊଣାର ସୀମା ଥାଏ ନାହିଁ । ସେ ପୋଖରୀ ଖୋଳିଲେ, ଅନ୍ୟ ଲୋକେ ମାଛଖାଇଲେ–ଏହା କେତେକେ ସହ୍ୟ ହୁଏ ! ମନୁଷ୍ୟର ତ ପୁଣି ରକ୍ତମାଂସର ଶରୀର । ବଡ଼ ଘରର ପିଲାମାନେ ଯେଉଁପରି ହୁଅନ୍ତି, ତାଙ୍କର ପିଲାମାନେ ଠିକ୍ ସେହିପରି, ବରଂ ପଣେ ଦୁଇପଣ ସରସ ।

 

ରାଧାନାଥଙ୍କ ‘‘ମହାଯାତ୍ରା’’ କାବ୍ୟ ପ୍ରକାଶିତ ହେଲା । ଉତ୍କଳ ସାହିତ୍ୟ କ୍ଷେତ୍ରରେ ଗୋଟାଏ ସୌରବର ଉଲ୍ଲାସ ଖେଳିଗଲା । ଓଡ଼ିଆଭାଷା ଅମିତ୍ରାକ୍ଷର ଛନ୍ଦର ଉପଯୋଗୀ ନୁହେଁ ବୋଲି ଯେଉଁମାନେ କହୁଥିଲେ ସେମାନଙ୍କର ଭ୍ରମ ଭାଙ୍ଗିଗଲା । ଏହିପରି ଓଡ଼ିଆ ଭାଷାରେ ନାଟକ ଲେଖି ହେବ ନାହିଁ ବୋଲି ମଧ୍ୟ କେହି କେହି କହୁଥିଲେ । ସେମାନେ ଭାଷାର ପ୍ରକୃତି କଅଣ ମୁଣ୍ଡ ଗଣ୍ଡି ବୁଝନ୍ତି କେଜାଣି, ମାତ୍ର ଅଖାଡ଼ୁଆ ଭାବରେ ଗୋଟାଏ କିଛି କହିଦେଲେ ନିଜକୁ ପଣ୍ଡିତ ମନେକରନ୍ତି । ସେମାନଙ୍କର ବିଚାର ବୁଦ୍ଧିକୁ ଆଶୀର୍ବାଦ କରିବାକୁ ଇଚ୍ଛା ହୁଏ । ମହାଯାତ୍ରା ପରି ମହାକାବ୍ୟ ଲେଖି କବିଙ୍କୁ ରାଜଦ୍ରୋହରେ ପଡ଼ିବାକୁ ହୋଇଥିଲା । ଏଥିରେ କେତେ ଜଣ କୁଚକ୍ରୀଙ୍କ ଷଡ଼ଯନ୍ତ୍ର ଥିଲା । ‘‘ମହାରାଣୀ ଭିକ୍‌ଟୋରିଆ’’ କବିତା ଲେଖି ତାକୁ ପାଠ୍ୟପୁସ୍ତକରେ ଯୋଗକରି ଯେ ସହସ୍ର ସହସ୍ର ଛାତ୍ରଙ୍କ ହୃଦୟରେ ରାଜଭକ୍ତିର ବୀଜବୁଣି ଦେଇଥିଲେ, ତାଙ୍କ ଲେଖନୀରୁ ପୁଣି ରାଜଦ୍ରୋହ ବାହାରେ, ଏହା ହସିବାର କଥା ନୁହେଁ କି ? କବିଙ୍କର ଧର୍ମ କବିଙ୍କୁ ରକ୍ଷା କଲା, ସେ ସସମ୍ମାନରେ କଳଙ୍କମୁକ୍ତ ହେଲେ । ଅଧିକନ୍ତୁ ତାଙ୍କର ଉନ୍ନତି ହେଲା । ଷଡ଼ଯନ୍ତ୍ରକାରୀମାନେ ଆଉ ଯାହା ହେଉନ୍ତୁ, ମାତ୍ର ଦେଶଦ୍ରୋହୀ । ସେମାନେ ଦେଶର ଉନ୍ନତିକୁ ପଛକୁ ଟାଣି ଘୁଞ୍ଚାଇଦେଲେ । ସେମାନେ କବିଙ୍କୁ ଏହି ଆଘାତ ନ ଦେଇଥିଲେ ସେ ଆହୁରି କେତେ ଅମୂଲ୍ୟରତ୍ନ ଉତ୍କଳ ସାହିତ୍ୟ ଭଣ୍ଡାରକୁ ଦାନ କରିଯାଇଥାଆନ୍ତେ । ଏହି ଦେଶ ଦ୍ରୋହୀଙ୍କ ପାପ ନାମ ସାହିତ୍ୟ ଇତିହାସରେ ଶ୍ମଶାନ ଅଙ୍ଗାରରେ ଲିଖିତ ହେବା ଉଚିତ । ନିଜର ପରବର୍ତ୍ତୀ ବଂଶଧରଙ୍କଠାରୁ ଅଭିଶାପ ଛଡ଼ା ସେମାନଙ୍କର ପ୍ରାପ୍ୟ ଆଉ କିଛି ନାହିଁ । ଅଭିଶାପରେ ସେମାନଙ୍କର ଶ୍ରାଦ୍ଧର ପିଣ୍ଡ ବଢ଼ା ହେବ । ସେମାନଙ୍କର ପାପର ଯେ ପ୍ରାୟଶ୍ଚିତ୍ତ ନାହିଁ, ପରଲୋକରେ ସେମାନେ ତାହା ବୁଝିପାରିବେ । ଶଶିବାବୁଙ୍କ ଦାକ୍ଷିଣାତ୍ୟ ଭ୍ରମଣ ମଧ୍ୟ କମ୍ ପ୍ରତିଷ୍ଠା ଲାଭ କରି ନାହିଁ । ତତ୍‍ପୂର୍ବରୁ ଓଡ଼ିଆରେ ଭ୍ରମଣପୁସ୍ତକ ବାହାରି ନ ଥିଲା । ଶଶିବାବୁ ସେ ଆଦର୍ଶ ଦେଖାଇଲେ । ଅନେକ ଦିନରୁ ଫକୀରମୋହନଙ୍କର ‘‘ଉତ୍କଳ ଭ୍ରମଣ’’ ପଦ୍ୟରେ ବାହାରିଥିଲା । ତେତେବେଳେ ଦେଶରେ ଗୋଟାଏ ଉତ୍ତେଜନା ଢେଉ ଚହଟି ଗଲା । କବି ଯୋଗ୍ୟମସ୍ତକରେ ରାଜମୁକୁଟ ଏବଂ ଅଯୋଗ୍ୟ ମଥାରେ ଗଧଟୋପି ପିନ୍ଧାଇ ଦେଇଥିଲେ । ତାଙ୍କର ପ୍ରଚ୍ଛନ୍ନ ମଧୁର ବ୍ୟଙ୍ଗବିଦ୍ରୂପରେ ବହୁତ ଉପକାର ହୋଇଥିଲା । ତାଙ୍କର ‘‘ପୁଷ୍ପମାଳା’’ ଖଣ୍ଡିଏ ବିୟୋଗାନ୍ତକ କାବ୍ୟ-। ସେ ଖଣ୍ଡି ଖୁବ୍ ଆଦର ସହିତ ଘରେ ଘରେ ପଠିତ ହେଉଥାଏ । ଫକୀରମୋହନ ପ୍ରକୃତରେ ଓଡ଼ିଆ ଭାଷାର ଜୀବନଦାତା । ଓଡ଼ିଆଭାଷାର ପ୍ରକୃତି ଅନୁସାରେ ଅତି ସରଳ ଭାଷାରେ ଲେଖିବାର ଅଦ୍ଭୁତ ଶକ୍ତି ତାଙ୍କଠାରେ ଥିଲା । ସେ ଲେଖାରୁ ଆନନ୍ଦ ଏବଂ ଅମୃତଝରି ପଡ଼େ । ତାଙ୍କ କାର୍ଯ୍ୟର ପୂର୍ଣ୍ଣ ପୁରସ୍କାର ଦେଶ ତାଙ୍କୁ ଦେଇପାରି ନାହିଁ । ସେ ପୁରସ୍କାର ସେପାଖରେ ସେ ନିଶ୍ଚୟ ପାଇଥିବେ । ତାଙ୍କ ପରି ସାହିତ୍ୟପ୍ରାଣ ଆଜୀବନ କର୍ମୀପୁରୁଷ କୋଟିକେ ଗୋଟିଏ ଦୁର୍ଲ୍ଲଭ-। ଅକ୍ଳାନ୍ତ ସାଧନା ବଳରେ ସେ ଶତାଧିକ ସାହିତ୍ୟପୁସ୍ତକ ଲେଖିଯାଇଅଛନ୍ତି । ଏହି କାର୍ଯ୍ୟ ଦ୍ୱାରା ସେ ମରି ଅମର ହୋଇଅଛନ୍ତି । ଆକୃତି ପ୍ରକୃତିରେ ଫକୀରମୋହନ ବାବୁ ଠିକ୍ ଋଷିପରି । ତାଙ୍କୁ ଦେଖିଲେ ଭକ୍ତିରେ ତାଙ୍କର ଚରଣ ତଳେ ଲୁଣ୍ଠିତ ହେବାକୁ ଇଚ୍ଛା ହୁଏ ।

 

ଦେଶରେ ସୁଲେଖକ ଗଢ଼ିବା ବିଷୟରେ ବାମଣ୍ଡାର ଆଦର୍ଶ ରାଜା ବାସୁଦେବ ସୁଢ଼ଳ ଦେବଙ୍କ ପବିତ୍ର ନାମ ପ୍ରଥମେ ଲିଖିତ ହେବା ଉଚିତ । ‘‘ହିତୈଷିଣୀ’’ ପତ୍ରିକା ଦ୍ୱାରା ସେ ନାନା ଭାବରେ ଲେଖକମାନଙ୍କୁ ଉତ୍ସାହିତ କରୁଥିଲେ । ମାତୃସାହିତ୍ୟର ସକଳ ବିଭାଗ ପ୍ରତି ତାଙ୍କର ସମାନ ଦୃଷ୍ଟି ଥିଲା । ଥରେ ହିତୈଷିଣୀରେ କବିତାର ପାଦ ପୁରଣର ଧୂମ୍ ଲାଗିଲା । ସେଥିପାଇଁ ପୁରସ୍କାର ମଧ୍ୟ ଘୋଷିତ ହେଲା । ଅନ୍ୟ ପୁରସ୍କାର ନୁହେଁ,–ପୁସ୍ତକ ପୁରସ୍କାର । ‘‘ଚନ୍ଦ୍ରର ଶରୀରେ ଏହା ନୁହେଁ କଳଙ୍କ’’–ଚୋଖିରାଗରେ ଏହାର ପାଦ ପୂରଣ କରିବାକୁ ଥରେ ଘୋଷଣା କରାଗଲା । ଅନେକେ ପାଦ ପୂରଣ କରି ପଠାଇଲେ । ତାହାସବୁ ହିତୈଷିଣୀରେ ପ୍ରକାଶିତ ହେଲା । ମୁଁ ଏବଂ ଜଗବନ୍ଧୁବାବୁ ପାଦ ପୂରଣ କରି ପଠାଇଲୁଁ । ଆମ ଦୁହିଁଙ୍କୁ ରାଧାନାଥଙ୍କ ପାର୍ବତୀ କାବ୍ୟ ପ୍ରଭୃତି କେତେ ଖଣ୍ଡି ପୁସ୍ତକ ପୁରସ୍କାର ମିଳିଥିଲା । ଏକାଳରେ ସେରୂପ ଉତ୍ସାହ ଏକାନ୍ତ ବିରଳ ।

 

କୁମାରପୁରରେ ଥିବା ସମୟରେ କେତେ ବିପଦ ଆପଦ ଘଟିଯାଇଅଛି । ଦ୍ୱିତୀୟ ଶିକ୍ଷକ ଗୋଟିଏ ପିଲାକୁ ଦିନେ ଦୁଇ ପାହାର ପିଟିଥିଲେ । ପିଲାଟିର ଅଭିମାନୀ ପିତା ସେଥିରେ ଅଗ୍ନି ଶର୍ମା ହୋଇ ଉଠିଲା । ଦୁଇଟା ମିଠା କଥା କହି ମୁଁ ତାହା ମୀମାଂସା କରିଦେବାକୁ କହିଲି । ମୋଠାରୁ କଅଁଳ କଥା ଶୁଣି ସେ ଆହୁରି ଉତ୍ତେଜିତ ହୋଇ ଉଠିଲା ଏବଂ ନାଲିସ କରିବାର ଭୟ ଦେଖାଇଲା । ଟାଣ ଲୁହାକୁ ଟାଣ ପାଣି ନ ହେଲେ ସେ କରେ ନାହିଁ, ଏହା ଭାବି ମୁଁ ମଧ୍ୟ କୋମଳତା ଛାଡ଼ି କଠୋରତା ଧରି କହିଲି–‘‘କଚେରୀରେ ଦରଖାସ୍ତ ଲେଖାଇଲେ ଦୁଇଅଣା ଲେଖାର ଖର୍ଚ୍ଚ ଲାଗିବ, ମୁଁ ବିନା ପଇସାରେ ଲେଖିଦେଉଛି, ତୁମେ ଯାଇ ମକଦ୍ଦମା କର । ଏ କଥାପଦକ ଅଗ୍ନିରେ ଆହୂତି ପରି ହେଲା । ତହୁଁ ସେ ଦ୍ୱିତୀୟ ଶିକ୍ଷକକୁ ଛାଡ଼ି ମୋ ନାମରେ ମକଦ୍ଦମା କରିବାକୁ ଗଲା । ଷଣ୍ଢ ଧାନ ଖାଇଲା, କିନ୍ତୁ ତନ୍ତୀ ବନ୍ଧାରେ ପଡ଼ିଲା । ଲୋକଟି ଭଦ୍ରଖ ଯାଇ ମୁକ୍ତାରମାନଙ୍କ ସଙ୍ଗେ ପରାମର୍ଶ କଲା । ତେତେବେଳେ ଭଦ୍ରଖରେ ଓକିଲ ନ ଥିଲେ । ମୁକ୍ତାରମାନେ କହିଲେ–‘‘ପାଠ ନ ଆସିଲା ବୋଲି ଅବଧାନ ପାହାରେ ପିଟିଦେଲା, ତାହା ତ ତୁମ ଭଲ ସକାଶେ । ପିଲାଟା ତ ଖୁଣ୍ ହୋଇ ନାହିଁ, କିମ୍ବା ଛୋଟା କଣା ହୋଇଯାଇ ନାହିଁ–ଏଥିରେ ମକଦ୍ଦମା କରିବ କଣ ? ଏପରି ମକଦ୍ଦମା ହୁଏ ନାହିଁ ।’’ ବିଚରା କଣ କରିବ, କାନମୁଣ୍ଡ ଆଉଁସି ଘରକୁ ଫେରି ଆସିଲା । ପିଲାଟାର ନାମ ଅନୁପସ୍ଥିତ ହେତୁ କଟିଗଲା । ଦୁଇମାସ ପରେ ପିଛିଲା ଦରମା ଓ ଜୋରିମାନା ଦେଇ ନାମ ଲେଖାଇଲା ।

 

ଆଉ ଗୋଟାଏ ଘଟଣା ଏହି ଯେ–ଜଗନ୍ନାଥ, ଶ୍ରୀକାନ୍ତ ବୋଲି ଦୁଇଜଣ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ ଅଙ୍କ କଷି ଆଣିବାକୁ ଦିଆଯାଇଥିଲା । ସେମାନେ ତହିଁ ପରଦିନ ସ୍କୁଲକୁ ନ ଆସି ଲୁଚିଲେ-। ଜଗନ୍ନାଥ ଶ୍ରୀକାନ୍ତକୁ ଶିଖାଇ ଏବଂ ଚାକିରିର ଲୋଭ ଦେଖାଇ ବାଲେଶ୍ୱର ନେଇଗଲା-। ଶ୍ରୀକାନ୍ତ ଦେହରେ ପ୍ରାୟ କୋଡ଼ିଏ ଟଙ୍କାର ଅଳଙ୍କାର ଥିଲା । ସେତକ ପାଞ୍ଚଟଙ୍କାକୁ ବିକି ଦୁଇତିନି ଦିନ ମଧ୍ୟରେ ଶେଷ କରିଦେଲେ । ଅର୍ଥାଭାବ ହେତୁ ଦୁହିଙ୍କ ମଧ୍ୟରେ କଳି ହେଲା । ତେତେବେଳେ ରାୟବାହାଦୂର ସୁଦାମ ଚରଣ ନାୟକଙ୍କ ଭାଇ ଦାମବାବୁ ବାଲେଶ୍ୱରର ପୋଲିସ ଇନ୍‍ସପେକ୍‍ଟର । ସେ ବଜାରରେ ପିଲା ଦୁଇଜଣଙ୍କର କଳି ଶୁଣି ସେମାନଙ୍କୁ କାରଣ ପଚାରିଲେ-। ଶ୍ରୀକାନ୍ତ କାନ୍ଦି ପକାଇ ସବୁ ଘଟଣା କହିଲା । ଦୈବାତ୍ ଦାମବାବୁଙ୍କର ସେଦିନ ଘରକୁ ଆସିବାର ଥିଲା । ଜଣେ ବଣିଆ ଶ୍ରୀକାନ୍ତର ଅଳଙ୍କାର କିଣିଥିଲା । ଦାମବାବୁ ପୋଲିସସୁଲଭ ଭୟ ଦେଖାଇ ତାହାଠାରୁ ଅଳଙ୍କାର ଆଦାୟ କଲେ ଏବଂ ପିଲାଦୁହିଙ୍କୁ ସଙ୍ଗରେ ଭଦ୍ରଖ ଘେନି ଆସିଲେ । ମୋର ସୌଭାଗ୍ୟ ଯେ କୀର୍ତ୍ତିଚନ୍ଦ୍ର ଦୁହେଁ ସ୍କୁଲରୁ ନ ପଳାଇ ଘରୁ ପଳାଇଥିଲେ । ନଚେତ୍ ଏ କଳଙ୍କ ମୋହରି ଦେହରେ ଲାଗିଥାନ୍ତା । ତାହା ମୁଁ ଗୁରୁଦକ୍ଷିଣାରୂପେ ପାଇଥାନ୍ତି । ପରମୁହଁରେ ପ୍ରଶଂସା, ପୁଣି ପଚିଶ ପ୍ରକୃତିର ଲୋକଙ୍କ ମନରକ୍ଷା, ତହିଁପରେ ହାକିମଙ୍କ ପୂଜା, ଏହି ସବୁ କାରଣରୁ ଶିକ୍ଷାବିଭାଗରୁ ମୋର ମନ ଛାଡ଼ିଯାଇଥିଲା । କିନ୍ତୁ କଣ କରିବି, ନାଚାର । ହାକିମ ଦେବତାଙ୍କଠାରୁ ବଳି ଉଦର ନାମକ ଯେଉଁ ପ୍ରବଳ ପ୍ରତାପୀ ଦେବତା ମୂର୍ତ୍ତିଟି ଅଛନ୍ତି, ତାଙ୍କୁ ତ ସମ୍ଭାଳିବା ଦରକାର-। ଶିକ୍ଷାଦାନ କାର୍ଯ୍ୟ ବଡ଼ ଗୁରୁତର କାର୍ଯ୍ୟ । ସେଥିର ଦାୟିତ୍ୱ ମଧ୍ୟ ଅସୀମ । ଖାଲି ପୁସ୍ତକ କେତେ ଖଣ୍ଡ ଘୋଷାଇ ଛାତ୍ରକୁ ଗିଳାଇବା ଶିକ୍ଷକର କର୍ତ୍ତବ୍ୟ ନୁହେଁ,–ଛାତ୍ରର ସର୍ବାଙ୍ଗୀନ ଜୀବନଗଠନର ଦୁର୍ବହ ଗୁରୁଭାର ଶିକ୍ଷକ ସ୍କନ୍ଧରେ ନ୍ୟସ୍ତ । ତାକୁ ମାଟି ପେଣ୍ଡୁଳାରେ ମନୁଷ୍ୟ ଗଢ଼ିବାକୁ ହୁଏ । ପିତୁଳାର ଅଙ୍ଗହାନି ହେଲେ ସେ ଦୋଷ–ସେ ପାପ ଶିକ୍ଷକର । ଖାଲି ସାହିତ୍ୟ, ଅଙ୍କ, ଇତିହାସ, ଭୂଗୋଳ ପ୍ରଭୃତି ନିର୍ଦ୍ଦିଷ୍ଟ ସ୍କୁଲ ପାଠ୍ୟରେ ଶିକ୍ଷା ପର୍ଯ୍ୟବସିତ ନୁହେଁ । ଆଦର୍ଶ ଜୀବନଗଠନ ବିଷୟରେ ଛାତ୍ରର ଯେଉଁ ସମସ୍ତ ଶିକ୍ଷା ଦରକାର ଶିକ୍ଷକ ସେ ସବୁ ଶିକ୍ଷା ଦେବାକୁ ଧର୍ମତଃ ବାଧ୍ୟ–ଏହା ସ୍ୱତଃସିଦ୍ଧ ସତ୍ୟ । କାରିଗର କଞ୍ଚା ହେଲେ ସର୍ବାଙ୍ଗସୁନ୍ଦର କଣ୍ଢେଇ ତୟାର କରିବ କିପରି ? କଣ୍ଢେଇର ଯେବେ ଦୋଷ ରହିଯିବ, ତେବେ ସେ ଦୋଷ କାରିଗରର । ଶିକ୍ଷକ ନିଜେ ଅଧିକ ପଢ଼ିବ ଏବଂ ଅଳ୍ପ ପଢ଼ାଇବ । ଶିକ୍ଷକକୁ ଚିରକାଳ ଛାତ୍ର ହେବାକୁ ହେବ ।

 

‘‘କ୍ଷେତ୍ରପରିମାଣ’’ ଖଣ୍ଡିଏ କଠିନ ଅଙ୍କପୁସ୍ତକ । ପୁଣି ଦେଶୀୟ ଧାରାରେ ନଳ ଭାଙ୍ଗିବା ଆହୁରି କଠିନ । ପିଲାଏ ତାହା ସହଜରେ ବୁଝିପାରନ୍ତି ନାହିଁ । ମୁଁ ପିଲାମାନଙ୍କୁ ବିଲକୁ ନେଇଯାଇ ପଦିକାରେ ମାପି ବୁଝାଇ ଦିଏଁ । ବିଲରେ ପଦିକା ଚାଲିବାରୁ ଲୋକେ ଗୋଟାଏ ବ୍ୟର୍ଥ ଆଶଂକା କଲେ । ଆଗରେ କିଛି କହିଲେ ନାହିଁ, କିନ୍ତୁ ପଛରେ ଭୁଟ୍‍ଭାଟ ହେଲେ । ଅନେକ କହିଲେ, ବିଲରେ ପଦିକା ଚାଲିଲେ ସେବର୍ଷ ଧାନ ହୁଏ ନାହିଁ । ସେଟା ଅମଙ୍ଗଳ କଥା । ଅତିରକ୍ଷଣଶୀଳ ବୁଢ଼ା ଓଲୁମାନେ କହି ବୁଲିଲେ, ‘‘ଆମେ କଣ ପାଠ ପଢ଼ି ନଥିଲୁଁ, ଇମିତି ବିଲରେ ବୁଲି ନଳ ଭାଙ୍ଗୁଥିଲୁ ନା ? ମାଷ୍ଟରଟା ପିଲାଗୁଡ଼ାକୁ ନେଇ ବିଲରେ ବୁଲାଇ ବୁଲାଇ ମାରୁଛି, କଣ ନା, ନଳ ଶିଖାଉଛି । ଆମ ସାତପୁରୁଷରେ କେହି ଇମିତି ପାଠ ପଢ଼ି ନଥିଲେ ।’’ ଏହିପରି ନିଜର ସପ୍ତପୁରୁଷର ଶ୍ରାଦ୍ଧ ବାଢ଼ିଲେ । ସେ କଥା ମୋ କାନରେ ପଡ଼ିଲା । ମୁଁ ସେ କାର୍ଯ୍ୟ ବନ୍ଦ କରିଦେଲି-। ଏହିପରି ନାନା କୁସଂସ୍କାର ଉତ୍କଳ କୋଷ୍ଠୀରେ ଦୁଷ୍ଟଗ୍ରହ ପରି ହୋଇ ରହିଛି । ସବୁ ଦେଶରେ କୁସଂସ୍କାର ଅଛି, ବୈଜ୍ଞାନିକ ସଭ୍ୟଦେଶରେ ବି ଅଛି । ମାତ୍ର ଆମ ଦେଶପରି କେଉଁ ଦେଶରେ ଏତେ କୁସଂସ୍କାର ନାହିଁ । ମାତ୍ର ତାର ପରମାୟୁ ଅଧିକ ଦିନ ନୁହେଁ । ଶିକ୍ଷିତ ଅଶିକ୍ଷିତ ସମସ୍ତଙ୍କର ଆଖି ଫିଟିଲାଣି । ଏଣିକି କୁସଂସ୍କାରକୁ ଆଉ ମାରିବାକୁ ହେବ ନାହିଁ, ସେ ନିଜେ ଆତ୍ମହତ୍ୟା କରି ମରିବ । ବର୍ତ୍ତମାନ ବିଧବାବିବାହ ଅବାଧରେ ଚଳିଗଲାଣି, ସେକାଳରେ କେହି ଏପରି ସତ୍‍ସାହସ ଦେଖାଇଥିଲେ, ସେ ସମାଜର କଠୋର ଦଣ୍ଡସହିବାକୁ ବାଧ୍ୟ ହୋଇଥାନ୍ତା । ତା’ର ମାଂସ ପୋଡ଼ାବଳି ହୋଇଥାନ୍ତା, ନଚେତ୍ ସେ ତପ୍ତତୈଳରେ ଭଜା ହୋଇଥାନ୍ତା । ଗୋଟାଏ ବାଛୁରୀକୁ କୁମ୍ଭୀର ନେଇଗଲା, ଏହା ଜଣେ ସ୍ୱପ୍ନରେ ଦେଖିଥିଲା । ସକାଳୁ ଉଠି ସେ ଅସମ୍ଭାଳ ହୋଇପଡ଼ିଲା-। କହିଲା–‘‘ସ୍ୱପ୍ନରେ ହେଉ ପଛେ, ମୁଁ ସ୍ୱଚକ୍ଷୁରେ ଗୋ-ହତ୍ୟା ଦେଖିଲି, ମୋତେ ମହାପାପ ଆସି ସ୍ପର୍ଶ କଲା, ମୁଁ ଏବେ କଅଣ କରିବି ?’’ ଏହିପରି ବ୍ୟାକୁଳ ହୋଇ ତଥାକଥିତ ବ୍ରାହ୍ମଣ ପଣ୍ଡିତଙ୍କୁ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ପଚାରିଲା । ସେମାନଙ୍କ ପରାମର୍ଶରେ ମସ୍ତକମୁଣ୍ଡନ କରି, ପଞ୍ଚଗବ୍ୟ ପିଇ, ତିଳସୁବର୍ଣ୍ଣ ପ୍ରାୟଶ୍ଚିତ୍ତ କରି ସ୍ୱପ୍ନରେ ଗୋ-ହତ୍ୟା ପାପରୁ ମୁକ୍ତିଲାଭ କଲା । ଏ କାଳର ଲୋକେ ଏହା ଶୁଣିଲେ ହସିବେ, ନିଜର ପୂର୍ବପୁରୁଷଙ୍କର ଏ ଅପୂର୍ବ ଧର୍ମଭୟ କଥା ଶୁଣି ତାଙ୍କୁ ନିରାଟ ଗଜମୂର୍ଖ ବୋଲି ଘୃଣା କରିବେ । ଯେଉଁ ସମାଜନେତା ମହାପଣ୍ଡିତମାନେ ଏ ଭଳି ଅମୂଳକ କଳ୍ପିତ ପାପର ବ୍ୟବସ୍ଥା ଦିଅନ୍ତି, ବାସ୍ତବରେ ସେହିମାନେ ହିଁ ପ୍ରକୃତ ମହାପାପୀ । ପୁଣି ଯେଉଁ ବ୍ୟବସ୍ଥା ଶାସ୍ତ୍ରରେ ଏ ରୂପ ହାସ୍ୟକର ବ୍ୟବସ୍ଥା ଅଛି, ସେ ମହାଶାସ୍ତ୍ରର ଶୀଘ୍ର ଅଗ୍ନିରେ ଝାସଦେବା ଉଚିତ । ଏ ତ ଗଲା ପାପ ଓ ପାପର ପ୍ରାୟଶ୍ଚିତ୍ତର କଥା, ଜାତିର କଥା ଆହୁରି ଆଶ୍ଚର୍ଯ୍ୟ । ସେ କାଳରେ କଥା କଥାକେ ଜାତି ଯାଉଥିଲା । ଜାତିଟା ଥିଲା ଭାତରେ । ଜାତି ଗଲା ପରେ ଜ୍ଞାତି, ବିରାଦର, ଭାଇ, ବନ୍ଧୁ, ସାହି, ପଡ଼ିଶା ସମସ୍ତଙ୍କୁ ବେଳେ ଭାତ ଦେଲେ ଜାତିଟା ପୁଣି ହାତୀପରି ଫେରିଆସେ-। ଜାତିର ଯିବା ଆସିବାଟା ଦେଖାଯାଏ ନାହିଁ । ତାହା ଅଦୃଶ୍ୟରେ ହୁଏ । ଜଣେ ପାଗଳ ବ୍ରାହ୍ମଣ ପଠାଣ ହାତରୁ ଖଣ୍ଡେ ରୋଟି ଛଡ଼ାଇ ନେଇଥିଲା, ମାତ୍ର ଖାଇନାହିଁ । ଏତିକିରେ ତା’ର ବ୍ରହ୍ମତ୍ୱ ଓ ଜାତି ଦୁହେଁ ମିଶି ବାହାରି ଚାଲିଗଲା । ପାଗଳାମି ଭଲ ହୋଇଗଲା ପରେ ଲୋକଟି ତିନିଦିନକାଳ ନିର୍ଜଳ ଉପବାସ କରି ଗୋବରପାଣି ପିଇଲା–ପ୍ରାୟଶ୍ଚିତ୍ତ କଲା–ବ୍ରାହ୍ମଣ ଭୋଜନ କରାଇଲା–ଜାତି, ଭାଇ, ପଡ଼ିଶାମାନଙ୍କୁ ବେଳେ ମାଛଭାତ ଦେଲା, ତେବେ ଯାଇ ଜାତିମହାପ୍ରଭୁ ସନ୍ତୁଷ୍ଟ ହୋଇ ଫେରି ଆସିଲେ । ଷାଠିଏ ମହଣ ଘିଅ ହେଲା, ତେବେ ଯାଇ ରାଧାସୁନ୍ଦରୀ ନାଚିଲେ । ଜାତିର ବ୍ୟବହାର ଠିକ୍ ପିଲା ରୁଷିବା ପରି । ପିଲା ରୁଷି ଯାଇଥିଲେ, ତାକୁ ଖାଇବା ପଦାର୍ଥ ଯାଚିଲେ ସେ ଖୁସି ହୋଇ ଧାଇଁଆସେ । ସେହିପରି ଭାତମୁଠେ ପାଇଲେ, ଯେଉଁଠି ଯାଇ ଜାତି ଲୁଚିଥାଉ ପଛେ, ତୁରନ୍ତ ବାହାରି ଆସେ । ବର୍ତ୍ତମାନ ଏ କୁସଂସ୍କାର ତେତେ ନ ଥିଲେ ମଧ୍ୟ, ଏକାବେଳକେ ପ୍ରାଣରେ ମରିଯାଇନାହିଁ, ଧୁକୁ ଧୁକୁ ହୋଇ ବଞ୍ଚିରହିଛି । କିନ୍ତୁ ତାହାର ଆଶୁ ମୃତ୍ୟୁ ବାଞ୍ଛନୀୟ ।

 

କାଉପୁର ଭର୍ଣ୍ଣାକ୍ୟୁଲାର ସ୍କୁଲର ହେଡ଼ ପଣ୍ଡିତ ବର୍ଷେ ଛୁଟି ନେଇ ସ୍ଥାନୀୟ ଜମିଦାର ସ୍ୱର୍ଗୀୟ ଗୋବିନ୍ଦବଲ୍ଲଭ ରାୟଙ୍କ ଇଷ୍ଟେଟର ମେନେଜର କାର୍ଯ୍ୟରେ ଯିବାରୁ ଏବଂ ଆଉ ଫେରିବାର ସମ୍ଭାବନା ନ ଥିବାରୁ କର୍ତ୍ତୃପକ୍ଷ ମୋତେ ସେହି କାର୍ଯ୍ୟରେ ଏକ୍‍ଟିଂ ନିଯୁକ୍ତ କଲେ । ମୁଁ ଅସ୍ୱୀକୃତ ହେବାରୁ ଉତ୍ତର ମିଳିଲା ଯେ ତୁମ୍ଭଙ୍କୁ ଅନେକଥର ଉନ୍ନତି ଯଚାଗଲା, କିନ୍ତୁ ତୁମେ ଗ୍ରହଣ କଲ ନାହିଁ-। ଏଥର ଅସ୍ୱୀକୃତ ହେଲେ ଉନ୍ନତି ବନ୍ଦ କରାଯିବ । ଏହି ଉତ୍ତରରେ ଆଉ ଅପିଲ କଣ ଅଛି-? ପୁଣି ‘‘ବୃତ୍ତି ଏ ମୋ ପୋଷେ କୁଟୁମ୍ବ ।’’ ଅଧିକ ଦିନ ଗୋଟାଏ ସ୍ଥାନରେ ରହିଲେ, ସେ ସ୍ଥାନ ପ୍ରତି ଗୋଟାଏ ମମତା ଜନ୍ମିଯାଏ । ପୁରୁଣା ବନ୍ଧୁଙ୍କୁ ସହଜରେ ଛାଡ଼ି ହୁଏ ନାହିଁ । ଯାହାହେଉ, କାଉପୁର ଯିବାକୁ ପଡ଼ିଲା । ସ୍କୁଲର ସେକ୍ରେଟରୀ ଯଦୁବାବୁ ମୋର ଜଣେ ପୁରୁଣା ବନ୍ଧୁ । ସେ ମୋର ନିଯୁକ୍ତିରେ ଆହ୍ଲାଦ ପ୍ରକାଶ କରି ଶୀଘ୍ର ଆସିବାକୁ ଲେଖିଲେ । କେଉଁଦିନ କେତେବେଳେ କାଉପୁରରେ ପହଞ୍ଚିବି ଏ ବିଷୟ ବାରମ୍ବାର ପଚାରି ପତ୍ର ଲେଖିଲେ । ଏଣେ କୁମାରପୁର ଆସିବାକୁ କେହି ଶିକ୍ଷକ ରାଜି ହେଲେ ନାହିଁ । ସ୍କୁଲର ପ୍ରତିଷ୍ଠା ହାନି ହେଲେ ଯେଉଁ ଶିକ୍ଷକ ରହିବେ ତାଙ୍କୁ ହିଁ ଦାୟୀ ହେବାକୁ ପଡ଼ିବ । ଶେଷରେ ଜଣେ ଅଳ୍ପବୟସ୍କ ଶିକ୍ଷକ ନିଯୁକ୍ତ ହୋଇ ଆସିଲେ । ସେ ମଥୁରିବାବୁଙ୍କ ଧର୍ମପୁଅ । ମୁଁ ତାଙ୍କୁ ଚାର୍ଯ ଦେଇ କାଉପୁର ବାହାରିଲି । ଆସିବା ଦିନର କରୁଣ ଦୃଶ୍ୟ ଲେଖିଲା ବେଳକୁ ଚକ୍ଷୁ ଲୋତକସିକ୍ତ ହୋଇ ଆସୁଅଛି । ସ୍କୁଲର ସମସ୍ତ ଛାତ୍ର ଏବଂ ଗ୍ରାମବାସୀ ବାଟେଇ ଦେବାକୁ ଆସିଲେ । ଦୋଳସାହୀଠାରୁ ଗ୍ରାମବାସୀମାନଙ୍କୁ ବିଦାୟ ମାଗିଲି । ବର୍ଷକ ପରେ ସେମାନେ ମୋତେ ସେହିଠାରୁ ଯେପରି ପାଛୋଟି ନେବେ ସେ ବିଷୟରେ ଅନୁରୋଧ କରି ଫେରିଲେ । ତାହା ଅନୁରୋଧ ନୁହେଁ–ସ୍ନେହବୋଳା ତାକିଦ୍ । ଛାତ୍ରମାନେ ଫେରିଲେ ନାହିଁ । ବର୍ଷକ ପରେ ନିଶ୍ଚୟ ଫେରିବି କି ନା ବୋଲି ବାରମ୍ବାର ପଚାରିଲେ । କେତେ ଜଣ ସେହିଠାରୁ କାନ୍ଦଣା ଆରମ୍ଭ କଲେ । ଯେତେ ପ୍ରବୋଧ ଦେଲେ ସୁଦ୍ଧା କ୍ରନ୍ଦନର ବେଗ କ୍ରମଶଃ ବଢ଼ିଲା । ମୁଁ ଆଉ ଧୈର୍ଯ୍ୟ ସମ୍ଭାଳି ପାରିଲି ନାହିଁ । ବନ୍ୟା ସ୍ରୋତକୁ ଯେତେ ରୋଧିଲେ କି ରୁଦ୍ଧ ହୁଏ ? କ୍ରନ୍ଦନରେ କ୍ରନ୍ଦନ ମିଶିଲା,–ଦୁଃଖାଶ୍ରୁରେ ଦୁଃଖାଶ୍ରୁ ମିଶିଲା, ତେବେ ଯାଇ ଧୈର୍ଯ୍ୟ ଫେରିଲା-। ଅଶ୍ରୁର ଅଭିଷେକ ଘଟିଗଲା । ଦେବଶିଶୁ ପରି ସରଳ କୋମଳ ହୃଦୟ ପିଲାଗୁଡ଼ିକର ସେହି ଅଶ୍ରୁ ଅତି ପବିତ୍ର ଏବଂ ଅମୂଲ୍ୟ । ହୃଦୟର ଶ୍ରଦ୍ଧା ଏବଂ ଆତ୍ମୀୟତା ଅଦମ୍ୟ ଶୋକ ତାପରେ ତରଳି ଯାଇ ଅଶ୍ରୁ ହୋଇ ବାହାରି ପଡ଼ୁଥିଲା । ଏ ବୃଦ୍ଧ ବୟସରେ ସୁଦ୍ଧା ସେମାନଙ୍କର ସେବା, ଯତ୍ନ ସ୍ମରଣ କଲେ ତପ୍ତ ହୃଦୟ ଶୀତଳ ହୁଏ । ସୁଦୂର ଅତୀତର ସେହି ଆକର୍ଷଣ ଅବଧି ଲାଗି ରହିଥିଲା ପରି ବୋଧହୁଏ । ଶିଶୁଗୁଡ଼ିକର ମଧୁର ଭାବ ଚିତ୍ତକୁ ମଧୁର କରିଦିଏ । ସଙ୍ଗେ ସଙ୍ଗେ ସେମାନେ ତିନି ମାଇଲ ଯାଏଁ ଆସିଲେ, ସେହିଠାରୁ ସେମାନଙ୍କୁ ଆଶୀର୍ବାଦ କରି ବିଦାୟ ଦେଲି । ଦୁଇ ତିନିଜଣ ସଙ୍ଗରେ ଆମ ଘର ପର୍ଯ୍ୟନ୍ତ ଆସିଲେ । କୁମାରପୁରରୁ ମୋର କେତେ ଜଣ ପୁରୁଣା ଛାତ୍ର ଭର୍ଣ୍ଣାକ୍ୟୁଲାର ପଢ଼ିବା ସକାଶ ସଙ୍ଗରେ କାଉପୁର ଯାଇଥିଲେ ।

 

କାଉପୁର ଗୋଟିଏ ରମଣୀୟ ସ୍ଥାନ । ସାଳନ୍ଦୀ ନଦୀ ତା କଣ୍ଠରେ ହୀରାହାର ପିନ୍ଧାଇ ଦେଇ ତାକୁ ଅଧିକ ମନୋରମ କରିଅଛି । ସେଠାରେ ସାଳନ୍ଦୀ ଗର୍ଭ ପ୍ରସ୍ତରମୟ, କିନ୍ତୁ ପଠା ବାଲୁକାମୟ । ନଦୀ ଗର୍ଭରେ ସୀତାକୁଣ୍ଡ ନାମକ ପ୍ରସ୍ତରକୁଣ୍ଡ ଅଛି । ଉପରୁ ସ୍ରୋତ ଆସି କୁଣ୍ଡରେ ପଡ଼ିବାର ଦୃଶ୍ୟ ଅତି ଲୋଭନୀୟ । ଜଳ ସେଠାରେ କ୍ଷୁଦ୍ର ପ୍ରପାତ ସୃଷ୍ଟି କରେ । ଝରଣାର ଝର୍ଝର ଶବ୍ଦ ଐକତାଳିକ ବାଦିତ୍ର ଶବ୍ଦ ପରି ମଧୁର ବୋଧ ହୁଏ । କୁଣ୍ଡ ମଧ୍ୟରେ ସୀତାଙ୍କର ମୂର୍ତ୍ତି ଅଛି । ଅତି ଗ୍ରୀଷ୍ମରେ କୁଣ୍ଡର ଜଳ ଶୁଖିଗଲେ ସୀତାଙ୍କର ମୁକୁଟ ଦେଖାଯାଏ । ମକର ଶୁକ୍ଳ ଏକାଦଶୀ ଦିନ ସେଠାରେ ତୀର୍ଥଯୋଗ ପଡ଼େ । ଯାତ୍ରୀମାନେ ଅନେକ ଦୂରରୁ ଆସି କୁଣ୍ଡରେ ସ୍ନାନ କରନ୍ତି । ସେହି ଉପଲକ୍ଷରେ ମେଳା ବସେ । ଅନେକ ବନଜାତ ପଦାର୍ଥ ବିକ୍ରୟ ହୁଏ । ଲୋକେ ତାହାକୁ ‘‘ଦିଅର କୁଣ୍ଡ ଯାତ୍ରା’’ କହନ୍ତି । ତାହାର ଅଳ୍ପ ଦୂରରେ ନଦୀଗର୍ଭରେ ତିନିଖଣ୍ଡ ପ୍ରକାଣ୍ଡ ପ୍ରସ୍ତର ତ୍ରିଭୁଜାକାରରେ ରହିଅଛି । କିମ୍ବଦନ୍ତୀ ତାକୁ ‘‘ଭୀମଚୁଲି’’ ଆଖ୍ୟାରେ ଅଭିହିତ କରେ । ଖୁଡ଼ିପଦା ନାମକ ସ୍ଥାନରେ କାଣ୍ଡ ଆକାରରେ ଖଣ୍ଡେ ମୋଟ ଲମ୍ବା ପଥର ପଡ଼ିଅଛି । ସ୍ଥାନୀୟ ଲୋକେ ତାକୁ ‘‘ଭୀମକାଣ୍ଡ’’ ବୋଲି କହନ୍ତି । ନଦୀକୂଳରେ କୁମାରେଶ୍ୱର ମହାଦେବ, ବ୍ରହ୍ମା ଏବଂ ନାରାୟଣ ଏକ ମନ୍ଦିରରେ ଅଛନ୍ତି । ତାହା ଉପରକୁ କିଛି ଦୂରରେ ‘‘ବାଙ୍କେଶ୍ୱର’’ ଶିବ ଅଛନ୍ତି । ମୂର୍ତ୍ତିଟି ବକ୍ର ଭାବରେ ଥିବାରୁ ଏ ରୂପ ନାମପ୍ରାପ୍ତ ହୋଇଥିବା ସମ୍ଭବ । ସ୍ଥାନୀୟ ଲୋକେ କହନ୍ତି–ମେଘର ଆଗମ ହେଲେ, ଶିବଙ୍କର ଶକ୍ତି ଜଳରେ ପୂର୍ଣ୍ଣ ହୋଇଯାଏ । ନଦୀର ଦୁଇ ତୀର ଖୁବ୍ ଖୋଲାସା ଜାଗା-। ଆତଗଛ ବହୁଳ ପରିମାଣରେ ଦେଖାଯାଏ । ସାଳନ୍ଦୀ ନଦୀ ମହାଶୟଙ୍କ ଉଆସର ତିନି ପାଖକୁ ଘେରିଅଛି । ଯଦୁବାବୁଙ୍କ ବଗିଚାଟି ବଡ଼ ସୁନ୍ଦର । ସେଥିରେ ଲତାଆମ୍ବ, ଲତାଓଉ ଗଛଗୁଡ଼ିକ ଦର୍ଶନୀୟ । ପୂର୍ବ ତୀରରେ ବିସ୍ତୃତ ବିଲ । ପ୍ରାୟ ପ୍ରତି ହିଡ଼ରେ ଧାଡ଼ି ଧାଡ଼ି ହୋଇ ପଳାଶ ଗଛ ଅଛି-। ବସନ୍ତ କାଳରେ ସେଗୁଡ଼ିକ ଆପାଦମସ୍ତକ ରକ୍ତବର୍ଣ୍ଣ ପୁଷ୍ପରେ ମଣ୍ଡିତ ହୋଇ ସାଳନ୍ଦୀସୁନ୍ଦରୀ ପାଟଶାଢ଼ୀ ଟଙ୍ଗାହେଲା ପରିସୁନ୍ଦର ଦିଶେ । ଯଦୁବାବୁ ଜଣେ ଆଦର୍ଶ କୃଷକ । ଅଦା, ହଳଦୀ, କୋବି ପ୍ରଭୃତି ନାନା ପ୍ରକାର କୃଷି ସେ କରନ୍ତି । ତାଙ୍କ ବଗିଚାରେ ନାନା ପ୍ରକାର ବିଦେଶୀୟ ଫଳବୃକ୍ଷ ଅଛି । ସାଳନ୍ଦୀ କୂଳରେ ମୂଳା ପ୍ରଚୁର ହୁଏ । ଗୋଟାଏ ଗୋଟାଏ ବୋଇତାଳୁ (ବୋଇତକଖାରୁ) ଅଧମହଣ ପର୍ଯ୍ୟନ୍ତ ହୁଏ ।

 

କାଉପୁର ସ୍କୁଲ ରାୟବାହାଦୂର ଗୋବିନ୍ଦବଲ୍ଲଭ ରାୟଙ୍କଦ୍ୱାରା ସ୍ଥାପିତ । ସେତେବେଳେ ସ୍କୁଲଟି ମାଇନର ଥିଲା । ଅନୁନ୍ନତ ସ୍ଥାନ । ଶିକ୍ଷାପ୍ରତି କାହାରି ଆଗ୍ରହ ଥିଲା ନାହିଁ । ଗୋବିନ୍ଦବାବୁ ବିଦେଶୀ ପିଲା ଆଣି, କାହାକୁ ମାସିକ ବୃତ୍ତି, କାହାକୁ ଖୋରାକ ପୋଷାକ ଓ ପୁସ୍ତକ ଖର୍ଚ୍ଚ ଦେଇ ସ୍କୁଲରେ ପଢ଼ାଇଲେ । ଏହିପରି ଶିକ୍ଷାର ଆଦର୍ଶ ପ୍ରଜାମାନଙ୍କ ଆଗରେ ଦେଖାଇଲେ । କିନ୍ତୁ ସେ କାଳର କାଉପୁର ସେ ଆଦର୍ଶ ଧରିଲା ନାହିଁ । ଦୟା ଧର୍ମରେ ଗୋବିନ୍ଦବାବୁଙ୍କର ଖ୍ୟାତି ବିସ୍ତୃତ ହୋଇ ପଡ଼ିଥିଲା । ପ୍ରଜାପାଳନରେ ସେ ଆଦର୍ଶ ହୋଇ ଉଠିଥିଲେ । ଚାନ୍ଦବାଲି ଡାକ୍ତରଖାନା ତାଙ୍କର ପ୍ରଧାନ କୀର୍ତ୍ତି । ସେଥିପାଇଁ ସେ କେତେ ସହସ୍ର ଟଙ୍କାର ଭୂସମ୍ପତ୍ତି ଦାନ କରିଥିଲେ । ସରକାର ତାଙ୍କ ଗୁଣରେ ମୁଗ୍‍ଧ ହୋଇ ତାଙ୍କୁ ରାୟବାହାଦୂର ଉପାଧିରେ ଅଳଂକୃତ କରିଥିଲେ । ତାଙ୍କ ପରେ ସ୍କୁଲଟି ଭର୍ଣ୍ଣାକ୍ୟୁଲାର ହୋଇଗଲା । ସ୍କୁଲର ଭାର ମହାଶୟ ରାଧାକାନ୍ତ ରାୟ ଗ୍ରହଣ କଲେ । ସେ ସ୍କୁଲର ପ୍ରେସିଡ଼େଣ୍ଟ ଏବଂ ତାଙ୍କ ଭାଇ ଯଦୁବାବୁ ସେକ୍ରେଟରୀ ହେଲେ । ମୁଁ ଯାଇ ଚାର୍ଯ ନେଲି । ହାତୀଶାଳ ପରି ପ୍ରକାଣ୍ଡ ସ୍କୁଲଘର, ବିସ୍ତୃତ ଘେରାବନ୍ଦ ହତା । ବେଞ୍ଚ ଚୌକି ପ୍ରଭୃତି ଉପକରଣର ଅଭାବ ନାହିଁ । ଅଭାବ କେବଳ ଛାତ୍ରର । ହାଜିରା ବହିରେ ମାଳେ ଛାତ୍ରଙ୍କର ନାମ ଲେଖା ହୋଇଥାଏ, କିନ୍ତୁ ଦୈନିକ ଉପସ୍ଥାନ ପାଞ୍ଚ ସାତରୁ ଅଧିକ ନୁହେଁ । ଦ୍ୱିତୀୟ ଶିକ୍ଷକ ଜଣେ ଥାଆନ୍ତି, ତାଙ୍କର ନଳଭିଆଣ ଶିକ୍ଷା, ଅର୍ଥାତ ମଦତ୍ ଅମଳ । ବାଟ ଚାଲୁଁ ଚାଲୁଁ ଢୁଳାଇ ପଡ଼ନ୍ତି । ପଢ଼ାଉଁ ପଢ଼ାଉଁ ଚୌକିରୁ ଗଡ଼ିପଡ଼ନ୍ତି, ଚୌକିଟା ତାଙ୍କ ଉପରେ ବସି ଶିକ୍ଷକ ହୁଏ । ଶ୍ରୀକୃଷ୍ଣଙ୍କ ଅଧରରେ ବଂଶୀପରି ପଣ୍ଡିତଙ୍କ ଅଧରରେ ପିଙ୍କା ଲାଗି ରହିଥାଏ । ଏପରି ଗତି ଦେଖି ମୋର ଅକଲ ଗୁଡ଼ୁମ୍ । ଗୋଟାଏ ଭର୍ଣ୍ଣାକ୍ୟୁଲାର ସ୍କୁଲର ଅବସ୍ଥା ଗୋଟିଏ ନିମ୍ନ ପ୍ରାଇମେରୀ ପାଠଶାଳାଠାରୁ ହୀନ । ପ୍ରଥମତଃ ମୋତେ ଛାତ୍ର ସଂଗ୍ରହର ଚେଷ୍ଟା କରିବାକୁ ହେଲା । ନିକଟରେ ଗୋଟାଏ ପାଠଶାଳା ଥିଲା । ତାକୁ ଆଣି ସ୍କୁଲ ସଙ୍ଗରେ ଯୋଗକଲି । ସେ ପାଠଶାଳାର ଅବଧାନଟି ସ୍କୁଲର ତୃତୀୟ ଶିକ୍ଷକ ହୋଇ ରହିଲେ । ମହାଶୟ ପୂର୍ବରୁ ସମସ୍ତ ଛାତ୍ରଙ୍କର ବିନା ବେତନରେ ପଢ଼ିବାରେ ସୁବିଧା କରି ଦେଇଥିଲେ । ତଥାପି ସେ ମାଟିରେ ପାଠ ଗଜା ହେଲା ନାହିଁ-। ଶେଷରେ ବାଧ୍ୟତାମୂଳକ ଧାରା ଧରିବାକୁ ହେଲା । ଜମିଦାର ପିଆଦା ଯାଇ ଗାଁ ଗାଁ ବୁଲି, ଗୋରୁ ଛେଳିପରି ଦଳେ ପିଲା ଗୋଡ଼ାଇ ଆଣି ସ୍କୁଲରେ ଛାଡ଼ି ଦିଏ । ଯେଉଁ ଦିନ ପିଆଦା ନ ଯାଏ ସେଦିନ କେହି ଆସନ୍ତି ନାହିଁ । କେହି ବା ପିଆଦାକୁ ପଇସା ଦେଇ ବିଦାକରିଦିଏ । ଏହିପରି ‘‘ମାଗି ଦଣ୍ଡବତ୍, ଯାଚି କଲ୍ୟାଣ’’ର ଫଳ ସବୁ ପଣ୍ଡ ହୁଏ । ଉଚ୍ଚ ଶ୍ରେଣୀରେ କେତେ ଜଣ ଛାତ୍ରଙ୍କର ନାମ ଥାଏ । ସେମାନେ ଦୟା କରି ମାସକୁ, ପନ୍ଦର ଦିନକୁ ଥରେ ଆସି ପରିଦର୍ଶକ କର୍ମଚାରୀଙ୍କ ପରି ସ୍କୁଲରେ ପାଦଧୂଳି ଦିଅନ୍ତି । ଉଚ୍ଚ ଶ୍ରେଣୀର ଛାତ୍ର, କିନ୍ତୁ ସହଜ, – ଅତି ସହଜ ଶବ୍ଦ ସୁଦ୍ଧା ଶୁଦ୍ଧ କରି ଲେଖିପାରନ୍ତି ନାହିଁ । ଏହି ସବୁ ଦେଖି ମୁଁ ଅନେକ ସମୟରେ ମନେ କରେଁ–ବିଧାତା ମୋ ଜୀବନ ଇତିହାସରେ ଗୋଟାଏ ସଂକଟ-ଅଧ୍ୟାୟ ଆଣି ଯୋଗକଲେ ।

 

ସାଳନ୍ଦୀର ପଥରଝରା ପାଣିରେ ଗାଧୋଇ ମୋତେ ଥରେ କାଛୁ ହେଲା । ଡାକ୍ତର ନାରାୟଣ ପ୍ରସାଦ ଦେ କାଉପୁର ମହାଶୟଙ୍କର ଗୃହଚିକିତ୍ସକ ଥିଲେ । ସେ ଦଶଟଙ୍କା ନେଇ ଗୋଟିଏ ସାଲସା ତିଆରି କରିଦେଲେ । ତାକୁ ବ୍ୟବହାର କରି ମୁଁ ଦୁଇଟି ଦିନରେ ଦାରୁଣ କାଛୁ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତିଲାଭ କଲି । ନାରଣ ବାବୁ ମୋର ପ୍ରତିବେଶୀ । ତାଙ୍କ ଘର ବାଉଦପୁରରେ । ଅମୃତହସ୍ତା ଡାକ୍ତର ବୋଲି ଭଦ୍ରଖରେ ଅବଧି ତାଙ୍କର ଖ୍ୟାତି ଅକ୍ଷୁଣ୍ଣ ଅଛି । ବାସ୍ତବରେ ଚିକିତ୍ସା ଶାସ୍ତ୍ରରେ ତାଙ୍କର ଅସାଧାରଣ ପଟୁତା ଥିଲା ।

 

କାଉପୁରରେ ଯଦୁବାବୁ ମୋର ଅନେକ ସୁବିଧା କରିଦେଇଥିଲେ । କେବଳ ତାଙ୍କଠାରୁ ଟଙ୍କା ପାଇବାକୁ ଟିକିଏ ଅସୁବିଧା ହୁଏ । ସମୟ ସମୟରେ ବଗିଚାର ଫଳମୂଳ ଶାକସବଜି ମୋ ଘରକୁ ପଠାଇ ଦିଅନ୍ତି । ପର୍ବପର୍ବାଣିରେ ପିଠା, ମିଷ୍ଟାନ୍ନ ପ୍ରଭୃତି ମଧ୍ୟ ପଠାନ୍ତି । ଅନେକ ସମୟରେ ମହାଶୟ ଘର ନିମନ୍ତ୍ରଣ ହୁଏ । ଆଠ ଘଣ୍ଟାକୁ ନିମନ୍ତ୍ରଣ ଥିଲେ ଖାଇବା ବେଳକୁ ଦୁଇଟା ତିନିଟା ହୋଇଯାଏ । ମହାଶୟଘର ନିମନ୍ତ୍ରଣ ଥରେ ଖାଇଲେ ଭୁଲିବାର ନୁହେଁ । ଆଚାର ପ୍ରାୟ କୋଡ଼ିଏ ପ୍ରକାର ଦିଆଯାଏ । ଅତିଥି ସତ୍କାରରେ ମହାଶୟଘର ନାମ ଡାକ୍ । ମହାଶୟ ରାଧାକାନ୍ତ ରାୟ ଅତିବ୍ୟୟରେ ଋଣଗ୍ରସ୍ତ ହୋଇଥିଲେ । ସେ ଜଣେ ଉଚ୍ଚମନା ଉଦାର ପ୍ରକୃତିର ଜମିଦାର । ବୁଦ୍ଧିରେ ବାରିଷ୍ଟରଙ୍କୁ ବଳନ୍ତି । ଦାନରେ ତାଙ୍କର ମହତ୍ତ୍ୱ । ଯୌବନସୁଲଭ ପାନଦୋଷ ଥିଲା, ମାତ୍ର ପଛକୁ ତାହା ଛାଡ଼ିଗଲା ।

 

ମହାଶୟ ରାଧାକାନ୍ତ ରାୟଙ୍କର ବିଳାସପ୍ରିୟତା ଊଣା ନ ଥିଲା । ସେ ଯେଉଁ ବର୍ଷ ଗାଦିରେ ବସିଲେ ସେହିଠାରୁ କେତେ ବର୍ଷ ଯାଏଁ ଭଦ୍ରଖଟାଉନ ତାଙ୍କ ପ୍ରଭାବରେ କମ୍ପିତ ହେବାକୁ ଲାଗିଲା । ଭଦ୍ରକରେ ଗୋଟିଏ ବଙ୍ଗଳା ପ୍ରସ୍ତୁତ ହେଲା । ତାହା ରାଜୋଚିତ ଭାବେ ସଜ୍ଜିତ ହେଲା । ସେଥିରେ ଯେଉଁ ବୈଠକ୍‌ଖାନା ଥିଲା, ତାହାର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ । ଗୋଟାଏ ବଡ଼ ଅସ୍ତାବଳ ତିଆରି ହେଲା । ଅଠରଟି ଘୋଡ଼ା ଓ ବିଭିନ୍ନ ପ୍ରକାରର ଗାଡ଼ି କିଣା ହୋଇ ଆସିଲା-। ସାନବଡ଼ କୁକୁର ପ୍ରାୟ ଦଶଗଣ୍ଡା ଯାଏଁ ପୋଷା ହେଲେ । କୋଚ୍‌ମେନ୍, ଘୋଡ଼ାସଇସ, କୁକୁରିଆ ପ୍ରଭୃତି କଟକରୁ ଅଣାଇ ରଖାଗଲା । ଗୋଟାଏ ଡାକ୍ତରଖାନା ହେଲା । ନାରଣ ବାବୁ ଡାକ୍ତର ନିଯୁକ୍ତ ହେଲେ । ବିନାମୂଲ୍ୟରେ ଔଷଧ ବିତରଣ କରାଗଲା । ରୋଗୀମାନେ ସରକାରୀ ଡାକ୍ତରଖାନାକୁ ନ ଯାଇ ପ୍ରତ୍ୟହ ଆସି ରୁଣ୍ଡ ହେଲେ । ମୋ–ସାହେବ ଅନେକ ଜୁଟିଲେ । ଯୌବନ ସୁଲଭ ଉଚ୍ଛୃଙ୍ଖଳତା ବି ଆରମ୍ଭ ହେଲା । ଦିନରାତି ଅପ୍‍ସରା ନୃତ୍ୟ ଲାଗି ରହିଲା । ମହାଶୟଙ୍କର ଗାଡ଼ି ଘୋଡ଼ାର ଘର୍ଘର ଟପାଟପ ନିନାଦରେ ଟାଉନ୍ ସର୍ବଦା କମ୍ପିବାକୁ ଲାଗିଲା । ‘‘ବାଇନାଚ, ବାୟାନାଚ’’ ଶୀର୍ଷକ ବିଦ୍ରୂପ ପ୍ରବନ୍ଧ ତାଙ୍କ ବିରୁଦ୍ଧରେ ବାଲେଶ୍ୱରର ସମ୍ବାଦ ବାହିକାରେ ପ୍ରକାଶିତ ହେଲା । ସେଥିପାଇଁ ଭାରି ଆନ୍ଦୋଳନ ଲାଗିଲା । ପ୍ରବନ୍ଧରେ ଆହୁରି ଅନେକ ଲୋକଙ୍କୁ ଆକ୍ରମଣ କରାଯାଇ ଥିଲା । ମାତ୍ର କାହାରି ନାମ ନ ଥିଲା । କାହାକୁ ‘‘ଭୈରବ କୁଳଚନ୍ଦ୍ର’’–କାହାକୁ ‘‘ପାତି ମୁକ୍ତିଆର’’–କାହାକୁ ‘‘ଚଟ୍‌ପଟି ଖାଁ’’–କାହାକୁ ‘‘ମାତାଲ ଠାକୁର’’ ଏହିପରି ବ୍ୟଙ୍ଗ ନାମ ଦିଆଯାଇଥିଲା । ମହାଶୟଙ୍କର ନାମ ହୋଇଥିଲା ‘‘ବାୟସାଧୀଶ୍ୱର ରାଜା ଦଣ୍ଡାମାର’’ । ଲେଖକର ନାମ ଖୋଜା ପଡ଼ିଲା, ମାତ୍ର ବଡ଼ ବଡ଼ ଲୋକଙ୍କର ଯୋଗ ଥିବାରୁ ସେମାନଙ୍କ କୌଶଳରେ ଲେଖକର ପତ୍ତା ବି ମିଳିଲା ନାହିଁ । ସ୍କୁଲ ସବ୍ଇନସ୍ପେକ୍‍ଟର ବାବୁ, ସବ୍‌ଡ଼େପୁଟୀ କାର୍ତ୍ତିକ ବାବୁ, ପୋଷ୍ଟ ମାଷ୍ଟର ଏବଂ ସ୍ଥାନୀୟ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶରେ ପ୍ରବନ୍ଧ ଲେଖାଯାଇ ଥିଲା । ହିନ୍ଦୁଧର୍ମ ପ୍ରତି ଅବମାନନା ଦେଖି ସେମାନେ ସହି ନ ପାରି ଅତି ଗୋପନରେ ପ୍ରବନ୍ଧ ଲେଖାଇ ଥିଲେ । ଲେଖକର ନାମ ‘‘ବୁଲା ଫକୀର’’ ବୋଲି ଥିଲା । ସେହି ପ୍ରବନ୍ଧ ବାହାରିବା ପରେ ଅନେକ ଉଦ୍ଦଣ୍ଡ ପ୍ରତାପ କମିଯାଇଥିଲା । ବ୍ୟଭିଚାର ବି ମଳିନ ପଡ଼ିଗଲା । ଯେଉଁ ସ୍ୱାର୍ଥପ୍ରିୟ ଚରିତ୍ରଭ୍ରଷ୍ଟ କୁସଙ୍ଗୀମାନେ ଜଣେ ଏତେବଡ଼ ଲୋକଙ୍କୁ କୁପଥକୁ ଟାଣି ଆଣିଥିଲେ, ସେମାନଙ୍କର ମଧ୍ୟ ଉପଯୁକ୍ତ ଶିକ୍ଷା ଲାଭ ହେଲା । ଗୋଟାଏ କୁତ୍ସିତ ଘଟଣାରେ ସେ ଦଳଟା ଛତ୍ରଭଙ୍ଗ ହୋଇଗଲା । ଘଟଣାଟା ସମାଜ ପକ୍ଷରେ କଳଙ୍କର ନିଦର୍ଶନ, ସୁତରାଂ ତାହା ଘୃଣାର ସହିତ ଉପେକ୍ଷିତ ହେଲା ।

 

ତହିଁପରେ କାଉପୁରରେ ଗୋଟାଏ ପଶୁପକ୍ଷୀଶାଳା ସ୍ଥାପନ କରାଗଲା । ସେଥିରେ ବାଘ, ଭାଲୁ ଏବଂ ବିଭିନ୍ନ ଜାତିର ଶତାଧିକ ପକ୍ଷୀ ପୋଷା ହେଲେ । ଲୋକେ ବାରୁଣୀ ଯାତ୍ରୀପରି ଚୂଡ଼ା ଚାଉଳ ବାନ୍ଧି ଦେଖିବାକୁ ଧାଇଁଲେ । ଏହିପରି ନାନା ପ୍ରକାର ଅପବ୍ୟୟ ହେତୁ ଜମିଦାରୀ ଋଣଗ୍ରସ୍ତ ହୋଇ ପଡ଼ିଲା । ପ୍ରଜାମାନେ ଚାନ୍ଦାକରି ସେ ଋଣ ପରିଶୋଧ କରିବାକୁ କହିଲେ, ମାତ୍ର ମହାଶୟ ମଙ୍ଗିଲେ ନାହିଁ । ଅଧିକନ୍ତୁ କହିଲେ ‘‘ମୁଁ ମୋର ପ୍ରଜାଙ୍କୁ ପୀଡ଼ା ଦେଇ ଋଣମୁକ୍ତ ହେବାକୁ ଚାହେଁ ନାହିଁ ।’’ ଏଥିରୁ ତାଙ୍କର ଆତ୍ମସମ୍ମାନ ଜ୍ଞାନ, ପ୍ରଜାପ୍ରୀତି ଏବଂ ନୈତିକ ଉନ୍ନତ ହୃଦୟ ସହଜରେ ଅନୁମେୟ । ତାଙ୍କ ଇଲାକାରେ ଆମ୍ବ ପଣସ ବଗିଚା ଅନେକ ଅଛି । ସେଥିର ଫଳସବୁ ବିତରିତ ହୁଏ । ଥରେ ଜଣେ କର୍ମଚାରୀ କହିଲା–‘‘ହଜୁରଙ୍କ ଇଲାକାରେ ଏବର୍ଷ ଯେତେ ଆମ୍ବ ଅଛି ଗୋଟାଏ ବଗିଚା ଗୁତା ଦେଲେ ହଜାରେ ଟଙ୍କାରୁ ଊଣା ହେବ ନାହିଁ ।’’ ତହୁଁ ମହାଶୟ କହିଲେ–‘‘ମହାଶୟ ଘର ଏପରି ଗରିବ ନୁହେଁ ଯେ, ଆମ୍ବ ପଣସ ବିକି ଖାଇବେ । ଗରିବଙ୍କ ଦାନାରେ ଧୂଳି ଦେବା ମୋତେ ସୁଖ ଲାଗେ ନାହିଁ । ଯେଉଁ ବର୍ଷ ଆମ୍ବ ନ ଥାଏ ସେ ବର୍ଷ ତ ସେମାନଙ୍କୁ କିଣିକରି ଦିଆଯାଏ ନାହିଁ; ଏବର୍ଷ ହୋଇଛି, ଦୁଃଖୀରଙ୍କି ଖାଇ ବଞ୍ଚନ୍ତୁ ।’’ ଏହାଠାରୁ ବଳି ହୃଦୟର ଉଚ୍ଚ ଆଦର୍ଶ ଆଉ କଣ ହୋଇପାରେ ? ତାଙ୍କ ଅମଳରେ ପ୍ରଜାମାନେ ମାଗଣ ବା ବେଠିର ନାମ ଶୁଣି ନାହାନ୍ତି । ଅନେକ ବଡ଼ ବଡ଼ ଜମିଦାର ସୁଦ୍ଧା ମାଗଣ ନିଅନ୍ତି ।

 

ମହାଶୟ ବଂଶ ଭଦ୍ରକର ପୁରୁଣା ଜମିଦାର । ରାଜଦରବାରରେ ଏମାନଙ୍କ ପାଇଁ ବିଶିଷ୍ଟ ସ୍ଥାନ ନିରୂପିତ ଅଛି । ସମ୍ରାଟ ବାବରଙ୍କର ଏମାନେ ସଦର କାନୁନ୍‌ ଗୋ ଥିଲେ । ସଦର କାନୁନ୍‌ ଗୋ ଗୋଟିଏ ସମ୍ମାନଜନକ ଉଚ୍ଚପଦ–ବର୍ତ୍ତମାନ କାଳର ଜିଲା କଲେକ୍‍ଟର ପରି । ବେତନ ବଦଳରେ ସେମାନେ ରାଜସରକାରରୁ ବିସ୍ତୀର୍ଣ୍ଣ ଜମିଦାରୀ ପାଇଥିଲେ । ସମୁଦାୟ ସେନାଓତ ପ୍ରଗଣା ମହାଶୟଙ୍କର ଜମିଦାରୀଭୁକ୍ତ ଥିଲା । ମେଳିଆ ପ୍ରଜା ଖଜଣା ଦେଲେ ନାହିଁ । ସେ ସମୟର ମହାଶୟ ବିରକ୍ତ ହୋଇ ସେନାଓତ୍ ପ୍ରଗଣା ଛାଡ଼ି ଦେଲେ । ପେସ୍‍କସ ଆଦାୟ ନ କରିବାରୁ ଜମିଦାରୀ ନିଲାମରେ ଉଠିଲା । ମେଳିଆ ପ୍ରଜାଙ୍କ ଭୟରେ କେହି ନିଲାମ ଧରିଲେ ନାହିଁ-। ତହୁଁ ସର୍କାର ଗୋଟିଏ ଟଙ୍କାକୁ ନିଲାମ ଧରିଲେ । ଏହା ପୂର୍ବରୁ ଲେଖାଯାଇଅଛି ।

 

ସମୟ ପାଣିପରି ବୋହିଯାଏ, ତାକୁ କେହି ବନ୍ଧ ବାନ୍ଧି ରଖିପାରେ ନାହିଁ । କାଉପୁରରେ ବର୍ଷେ କାଳ କଟିଗଲା । ପୂର୍ବ ପଣ୍ଡିତେ ମେନେଜର ହୋଇ ସୁଦ୍ଧା ସ୍କୁଲକାର୍ଯ୍ୟ ଛାଡ଼ିବାକୁ ଇଚ୍ଛା କଲେ ନାହିଁ । ପାଣି ପିଇଲେ ନାହିଁ କି, ଘାଟ ଛାଡ଼ିଲେ ନାହିଁ–ଆଉ ବର୍ଷେ ଛୁଟି ପ୍ରାର୍ଥନା କଲେ । ଆଉ ଏକ୍‌ଟିଂ ଚାକିରି କରିବାକୁ ମୋର ଇଚ୍ଛା ହେଲା ନାହିଁ । ମହାଶୟ ଗୋଟିଏ ସଭା ଡାକି ମେନେଜର ପଣ୍ଡିତଙ୍କୁ ସ୍କୁଲ କାର୍ଯ୍ୟକୁ ଫେରି ଯିବାକୁ ନଚେତ୍ ଇସ୍ତଫା ଦେବାକୁ କହିଲେ । ସେଥିରେ ସେ ଘୋର ଆପତ୍ତି କରି ଆଉ ବର୍ଷେ ଦୟା ଭିକ୍ଷା କଲେ । ତେତେବେଳକୁ ଶିକ୍ଷାବିଭାଗରୁ ମୋର ମନ ଫାଟି ଗଲାଣି । ଏହା ମୁଁ ପୂର୍ବରୁ ମଧ୍ୟ ଉଲ୍ଲେଖ କରିଅଛି । ମୁଁ କହିଲି–ସେ ଇସ୍ତଫା ଦେଲେ ସୁଦ୍ଧା ମୁଁ ରହିବି ନାହିଁ । ଏଥି ମଧ୍ୟରେ ନୀଳମଣି ବିଦ୍ୟାରତ୍ନ ବାମଣ୍ଡାରୁ ଆସି ଖଲ୍ଲିକୋଟ ରାଜାଙ୍କ ଆନୁକୁଲ୍ୟରେ ରମ୍ଭାରୁ ‘ପ୍ରଜାବନ୍ଧୁ’ ନାମକ ସାପ୍ତାହିକ ପତ୍ର ବାହାର କରୁଥିଲେ-। ମୁଁ ପ୍ରଜାବନ୍ଧୁରେ ଲେଖୁଥିଲି । ଗଞ୍ଜାମ ଅଞ୍ଚଳରେ ଉପଯୁକ୍ତ କାର୍ଯ୍ୟ ପାଇଲେ ମୁଁ ଯିବି କି ନାହିଁ ବୋଲି ସେ ମୋତେ ଅନେକ ଥର ପଚାରିଥିଲେ । ମୁଁ ମଧ୍ୟ ସ୍ୱୀକୃତ ହୋଇଥିଲି । ଏହି ସମୟରେ ତାଙ୍କର ଖଣ୍ଡେ ପତ୍ର ପାଇଲି । ମାସକ ମଧ୍ୟରେ ଯିବାପାଇଁ ପ୍ରସ୍ତୁତ ହୋଇ ରହିବାକୁ ସେ ମୋତେ ଲେଖିଥିଲେ । ମୁଁ ସେ ପତ୍ର ପାଇ କାଉପୁର ସ୍କୁଲରେ ଆଉ ରହିବାକୁ ରାଜି ହେଲି ନାହିଁ । ଅନ୍ୟ ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରି ପାରିଲି ନାହିଁ । ମେନେଜର–ପଣ୍ଡିତଙ୍କୁ ସ୍କୁଲର ଚାର୍ଯ ବୁଝାଇ ଦେଇ କୁମାରପୁର ଫେରି ଆସି ଛ ମାସର ଛୁଟି ପାଇଁ ଦରଖାସ୍ତ କରି ଦେଲି । ସେହିପରି କରିବାକୁ ବିଦ୍ୟାରତ୍ନ ମୋତେ ପତ୍ରରେ ଲେଖିଥିଲେ ।

 

ଗଞ୍ଜାମ ଜିଲ୍ଲାର ପ୍ରଧାନ ସହର ବ୍ରହ୍ମପୁରରୁ ‘‘ଗଞ୍ଜାମ ଓଡ଼ିଆ ହିତବାଦିନୀ’’ ନାମରେ ଖଣ୍ଡେ ପାକ୍ଷିକ ଓଡ଼ିଆ ପତ୍ରିକା ବାହାରୁ ଥିଲା । ତାହାର ସ୍ୱତ୍ୱାଧିକାରୀ–ରଙ୍ଗାଭଟ୍‌ଲ ଗୁନ୍ନୟା ଶାସ୍ତ୍ରୀ-। ସେ ତୈଲଙ୍ଗୀୟ କମା ବ୍ରାହ୍ମଣ । ପତ୍ରିକାର ଭାଷା ଭଲ ନୁହେଁ, ସେ ସମୟରେ ଅର୍ଦ୍ଧ ଓଡ଼ିଆ ଅର୍ଦ୍ଧ ତେଲୁଗୁ ମିଶ୍ରିତ ଗଞ୍ଜାମ ଭାଷାରେ ପତ୍ରିକା ଚଳୁଥିଲା । ବିଦ୍ୟାରତ୍ନ ସେହି ପତ୍ରିକାରୁ ଖଣ୍ଡେ ଖଣ୍ଡେ ଉତ୍ତାରି ପ୍ରଜାବନ୍ଧୁରେ ଅନେକ ଥର ଥଟ୍ଟା ବିଦ୍ରୂପ କଲେ । ସେଥିରେ ଅନେକ ବାଦାନୁବାଦ ଲାଗିଲା-। ଶେଷରେ ଗୁନ୍ନୟା ଶାସ୍ତ୍ରୀ ରମ୍ଭା ଯାଇ ଓଡ଼ିଶାରୁ ଜଣେ ସମ୍ପାଦକ ଅଣେଇ ଦେବାପାଇଁ ବିଦ୍ୟାରତ୍ନଙ୍କୁ ଅନୁରୋଧ କଲେ । ନୀଳମଣି ବାବୁ ସେ ବିଷୟ ମୋତେ ଲେଖି ମୋର ମତ ପଚାରିଲେ, ମୁଁ ସ୍ୱୀକୃତ ହେଲି । ଗୁନ୍ନୟା ଶାସ୍ତ୍ରୀଙ୍କ ସଙ୍ଗରେ ବି ମୋର ପତ୍ର ଆଦାନ ପ୍ରଦାନ ଚଳିଲା-। ସେ ମୋତେ ପଚିଶ ଟଙ୍କା ବେତନରେ ତାଙ୍କ ‘ସରସ୍ୱତୀ ପ୍ରେସ’ର ମେନେଜର ଏବଂ ଗଞ୍ଜାମ ‘‘ଓଡ଼ିଆ ହିତବାଦିନୀ’’ ପତ୍ରିକାର ସମ୍ପାଦକ ନିଯୁକ୍ତ କରି ନିଯୁକ୍ତି ପତ୍ର ପଠାଇଲେ । ମୋର ନିଯୁକ୍ତି ବିଷୟ ପ୍ରଜାବନ୍ଧୁରେ ବାହାରିଲା । ସେ ସମୟର ଅନ୍ୟାନ୍ୟ ସମ୍ବାଦ ପତ୍ରରେ ବି ବାହାରିଲା-। ବାଲେଶ୍ୱରର ‘‘ଓଡ଼ିଆ ନବ ସମ୍ବାଦ’’ ଖୁବ୍ ଆନନ୍ଦ ଏବଂ ଗର୍ବ ପ୍ରକାଶ କରି ଲେଖିଲେ-। ତାଙ୍କର ଗର୍ବର କାରଣ ଏହି ଯେ ମୁଁ ବାଲେଶ୍ୱର ଜିଲ୍ଲାବାସୀ । ଗୁନ୍ନୟା ଶାସ୍ତ୍ରୀଙ୍କର ଓଡ଼ିଆ ଅଭିମାନ ଖୁବ୍ ଥିଲା । ସେଥିରେ ତାଙ୍କର ଯଥେଷ୍ଟ ଆୟ ହେଉଥିଲା । ପ୍ରଥମ ‘‘ଗଞ୍ଜାମ ଓଡ଼ିଆ’’ ସମ୍ମିଳନୀରେ ସେ ‘ଉତ୍କଳ ବିନୋଦ’ ଉପାଧି ପାଇଥିଲେ । ପରେ ସେହି ସମ୍ମିଳନୀ ଉତ୍କଳ ସମ୍ମିଳନୀରେ ପରିଣତ ହୋଇଥିଲା । ସେହିଠାରୁ ଉତ୍କଳର ଜାଗରଣ ଆରମ୍ଭ ହେଲା ।

 

ମୋର ଛୁଟି ଦରଖାସ୍ତ ଡେପୁଟି ଇନ୍‍ସପେକ୍‍ଟରଙ୍କ ଅଫିସରେ ପହୁଞ୍ଚିଲା । ରମାନାଥ ବାବୁ ସେହି ସମୟରେ ଭଦ୍ରକ ଗସ୍ତରେ ଆସିଲେ । ସେ ଦୋଳାସାହୀରେ ରହି ମୋତେ ଡକାଇ ପଠାଇଲେ । ମୁଁ ଯାଇ ସାକ୍ଷାତ୍ କଲି । ରମାନାଥ ବାବୁ କହିଲେ–‘‘ବର୍ତ୍ତମାନ ମୋର ଭଦ୍ରକ ଆସିବାର ନଥିଲା, ତୁମ୍ଭର ଛୁଟି ଦରଖାସ୍ତ ପାଇ ଚାଲି ଆସିଲି । ଯେତେବେଳେ ଆସିଛି ଏ ଅଞ୍ଚଳରେ କେତୋଟି ସ୍କୁଲ ଦେଖିଯାଏଁ । ତୁମ୍ଭେ ମୋ ସାଙ୍ଗରେ ନନ୍ଦପୁର ଅ: ପ୍ରା: ସ୍କୁଲକୁ ଚାଲ, ଆଜି ସେଠାରେ ରହିବ, ରାତିରେ କଥାବାର୍ତ୍ତା ହେବା ।’’ ମୁଁ ତଥାସ୍ତୁ କହି ସଙ୍ଗରେ ବାହାରିଲି । ସେ ଗାଡ଼ିରେ ଆସିଥିଲେ । ଉଭୟେ ସେହି ବଳଦ ଗାଡ଼ିରେ ଯାଇ ସନ୍ଧ୍ୟା ସମୟରେ ନନ୍ଦପୁର ସ୍କୁଲରେ ପହଞ୍ଚିଲୁ ।

 

ରାତିରେ ଅନେକ କଥାବର୍ତ୍ତା ହେଲା । ମୋର ଗଞ୍ଜାମ ଯିବା କଥା ପଡ଼ିଲା । ରମାନାଥ ବାବୁ ଶୁଣି ଖୁସି ହେଲେ, ଦୁଃଖିତ ମଧ୍ୟ ହେଲେ । କହିଲେ–‘‘ତୁମ୍ଭେ ଗୋଟାଏ ଦେଶକାର୍ଯ୍ୟରେ ଯାଉଛ, ସେଥିରେ ବାଧା ଜନ୍ମାଇବା ଉଚିତ ନୁହେଁ । ତେବେ ଏଠାରେ ବି ତୁମ୍ଭର ଉନ୍ନତି ହୋଇ ପାରନ୍ତା । ଜିଲ୍ଲାରେ କେତେକ ଏସିଷ୍ଟେଣ୍ଟ ସବ୍ଇନ୍‍ସପେକ୍‍ଟର ରହିବେ । ବେତନ ତିରିଶ ଟଙ୍କା ହେବ-। ମୁଁ ସେହି କାମ ତୁମ୍ଭଙ୍କୁ ଦେବି ।’’ ମୁଁ କହିଲି–ମୁଁ ନିଯୁକ୍ତି ପତ୍ର ପାଇ ସାରିଛି, ନ ଯିବାର ଉପାୟ ନାହିଁ । ମୁଁ ଛ ମାସ ଛୁଟିରେ ଯାଉଛି, ଅସୁବିଧା ହେଲେ ଫେରି ଆସି ପାରେଁ । ଆପଣଙ୍କର ଅନୁଗ୍ରହ ଥିଲେ କେତେବେଳେ ବା ମୋର ଉନ୍ନତି କରି ନ ପାରିବେ ? ଏହିପରି ଦି ପଦ ମିଠାକଥା କହି ମୁଁ ସକାଳୁ ବିଦା ହୋଇ ଆସିଲି । କୁମାର ପୁରର କେତେ ଜଣ ବିଶିଷ୍ଟ ଲୋକ ବି ସେହିପରି କହିଲେ–‘‘ଆମ୍ଭେମାନେ ଚାନ୍ଦାକରି ତୁମ୍ଭଙ୍କୁ ମାସରେ ତିରିଶ ଟଙ୍କା ଦେବୁଁ, ତୁମ୍ଭେ ଆଉ ଯାଅ ନାହିଁ-।’’ ମୁଁ ତାଙ୍କୁ ଛଅମାସ ପରେ ଫେରି ଆସିବାକୁ ଆଶାଦେଇ ଆସିଲି । ମୋର ଗଞ୍ଜାମ ଯିବା ଚାରିଆଡ଼େ ରାଷ୍ଟ୍ର ହୋଇଗଲା । କେତେ ଲୋକ ଭୟ ଦେଖାଇ କହିଲେ–‘‘ଗଞ୍ଜାମ ବରହମ୍‍ ପୁର ତେଲେଙ୍ଗା ମୁଲୁକ, ତାହା ସମୁଦ୍ର ଦାଢ଼ରେ । ପ୍ରତିବର୍ଷ ସମୁଦ୍ର ମାଡ଼ି ଆସି ଗାଁ-ଗଣ୍ଡା ବାଲି ଧଅଁ ସାରେ ପୋତି ପକାଏ । ଲୋକେ ଏ ଅଞ୍ଚଳକୁ ପଳାଇ ଆସନ୍ତି । ସେ ସ୍ଥାନ ନିରାପଦ ନୁହେଁ ।’’ କେତେ କହିଲେ–‘‘ବ୍ରହ୍ମପୁର ଯାଇ ଗୋଦାବରୀ ଆଡ଼େ; ସେହିଠାରେ ଦଣ୍ଡକାରଣ୍ୟ, ଭାରୀ ଜଙ୍ଗଲ, ବାଘ, ଭାଲୁ ବିସ୍ତର ସେଟା ବଡ଼ ଭୟର ଜାଗା ।’’ ଏହାଶୁଣି ମୁଁ ସେମାନଙ୍କର ଭୌଗୋଳିକ ଜ୍ଞାନକୁ ପ୍ରଶଂସା ନକରି ରହି ପାରିଲି ନାହିଁ । ମାତ୍ର ସେମାନଙ୍କ କଥାରେ ମୋର ସଂକଳ୍ପର ପରିବର୍ତ୍ତନ ହୋଇ ପାରିଲା ନାହିଁ । ମୋର ଛୁଟି ମଞ୍ଜୁର ହୋଇ ଆସିଲା । ଏଣେ ବିଦ୍ୟାରତ୍ନ ଓ ଶାସ୍ତ୍ରୀ ଯିବାପାଇଁ ଘନଘନ ଚିଠି ଲେଖିଲେ । ମୁଁ ଅନ୍ୟ ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ଅପେକ୍ଷା ନ କରି ଦ୍ୱିତୀୟ ଶିକ୍ଷକ ଜିମାରେ ଚାର୍ଯ ଦେଇ ବାହାରି ଆସିଲି । ହରେକୃଷ୍ଣ ପାଣିଗ୍ରାହୀ ନାମରେ ଜଣେ ପୁରୁଣା ଛାତ୍ର ଚାକିରୀ ଆଶାରେ ମୋ ସଙ୍ଗରେ ଯିବାକୁ ବାହାରିଲା । ସେ ଓ ମୁଁ ଦୁହେଁ କୁମାର ପୁରରୁ ଆସିଲୁ । ମୁଁ ତିନିଚାରି ଦିନ ଘର ପାଖରେ ରହି ମୋର ଅନୁଜ (ପତ୍ନୀ ସହୋଦର) ସୋମନାଥକୁ ଗେଲପୁର ଅ: ପ୍ରା: ସ୍କୁଲରେ ଛାଡ଼ି ଗଞ୍ଜାମ ବାହାରିଲି । ସୋମନାଥ କୁମାରପୁର ସ୍କୁଲର ଉଚ୍ଚ ଶ୍ରେଣୀରେ ପଢ଼ୁଥିଲା । ସେ ବର୍ଷ ସେ ପରୀକ୍ଷା ଦେବ, ପରୀକ୍ଷା ଆଉ ଛ ମାସ ଥାଏ । ପରୀକ୍ଷାର୍ଥୀର ସ୍କୁଲ ପରିବର୍ତ୍ତନ କରିବାର ଆବଶ୍ୟକ ହେଲେ ଛ ମାସ ପୂର୍ବରୁ ଡେ: ଇ: ଙ୍କର ମଞ୍ଜୁର ନେବାକୁ ହେବ, ନଚେତ୍‌ ବୃତ୍ତି ପାଇ ପାରିବ ନାହିଁ । ଶିକ୍ଷାବିଭାଗର ଏହିପରି ନିୟମ ଥିଲା-। ତଦନୁଯାୟୀ ମୁଁ ଆଗରୁ ବ୍ୟବସ୍ଥା କରିରଖିଥିଲି । କାରଣ, ସୋମନାଥର ବୃତ୍ତିପାଇବାର ସମ୍ପୂର୍ଣ୍ଣ ସମ୍ଭାବନା ଥିଲା ।

 

ରମ୍ଭା ଷ୍ଟେସନରେ ଓହ୍ଲାଇ ବିଦ୍ୟାରତ୍ନଙ୍କୁ ସାକ୍ଷାତ କରି ବ୍ରହ୍ମପୁର ଯିବା ସକାଶେ ସେ ମୋତେ ପତ୍ର ଲେଖିଥିଲେ । ମୁଁ ତଦନୁସାରେ ରମ୍ଭାକୁ ଟିକଟ କାଟି ପୁରୀ ପାସେଞ୍ଜର ଟ୍ରେନ୍‍ରେ ବାହାରିଲି । ଠିକ୍ ତାରିଖ ମନେ ନାହିଁ । ମାତ୍ର ତେତେବେଳେ ବୈଶାଖମାସ । ହରେକୃଷ୍ଣ ମୋ ସଙ୍ଗରେ ଥାଏ । ଜଟଣି ଷ୍ଟେସନରେ ଓହ୍ଲାଇ ମାଡ଼୍ରାସ ମେଲରେ ଯିବାକୁ ହେବ । ତେତେବେଳେ ଖୋର୍ଦ୍ଧାରୋଡ଼ ନାମ ହୋଇ ନ ଥିଲା । ରାତି ପାହାନ୍ତା ବେଳକୁ ଜଟଣିରେ ଓହ୍ଲାଇବାକୁ ହେଲା । ମାନ୍ଦ୍ରାଜ ମେଲ କଲିକତା ଆଡ଼ୁ ଦିନ ଦଶଟା ବେଳେ ଆସି ଜଟଣି ଷ୍ଟେସନରେ ପହଞ୍ଚୁଥାଏ । ନିତ୍ୟକ୍ରିୟା ଶେଷକରି ଜଳଖିଆ କରିସାରି ମେଲ ପ୍ରତୀକ୍ଷାରେ ବସିରହିବାକୁ ହେଲା । ସେ ସମୟର ଜଟଣି ଷ୍ଟେସନ ବର୍ତ୍ତମାନ ପରି ନ ଥିଲା । ଗୋଟାଏ କ୍ଷୁଦ୍ର ଷ୍ଟେସନ ପରି ଥିଲା । ଜଣେ ଜ୍ୟୋତିଷ ଆସି ଯାତ୍ରୀମାନଙ୍କ ହାତ ଦେଖି ପଇସା ମାଗିବାକୁ ଲାଗିଲା । ଲୋକଟିର ପରିଧାନ ଖଣ୍ଡେ ସାତସିଆଁ ଚିରାପାଞ୍ଜି, ଦେହଯାକ ଜାମୁକୋଳିଆ କାଛୁରେ ଅଳଂକୃତ । ଏକ ବସ୍ତ୍ର ଛଡ଼ା ଦ୍ୱିତୀୟ ନାହିଁ । ଦେହଟି ପାଣ୍ଡୁର, ମୁଖର ଦନ୍ତଗୁଡ଼ିକ ଅସଂଲଗ୍ନ । ଲୋକଟି ଦେଖିବାକୁ ଠିକ୍ ବରାହର ଗୋଟିଏ ସଂସ୍କରଣ ପରି । ଦେହର ମଳିସବୁ ଜାଦୁ ମାଡ଼ିଲା ପରି ଦେଖାଯାଉଥାଏ । ବୋଧହୁଏ, ଗତ ଦଶବର୍ଷ ମଧ୍ୟରେ ସେ ସ୍ନାନ କରିନାହିଁ । ହାତ ଦେଖି ଖୁବ୍ ଆଡ଼ମ୍ବରରେ ଫଳ କହି ଯାଉଥାଏ । ମଧ୍ୟରେ ମଧ୍ୟରେ ନିଜର ଜ୍ଞାନ ଗାରିମାର ପ୍ରୌଢି ବାଢ଼ୁଥାଏ । ବିଧାତା ପୁରୁଷ ପରି କାହାକୁ ଭବିଷ୍ୟତ ରାଜା, କାହାକୁ ବାଦସା ହେବାର ଦୃଢ଼ ସଂକେତ ଦେଇଯାଉ ଥାଏ । କଥା କହିଲା ବେଳେ ଜିଭରେ ବାଟୁଳି ବାଜେ ନାହିଁ । ଏତେ ରାଜା ବାଦସା କରିଦେଇ ସୁଦ୍ଧା ଉଚ୍ଚ ପୁରସ୍କାର ନାହିଁ । ଭବିଷ୍ୟତ ରାଜା ରାଜୋଡ଼ାମାନେ କେହି ପଇସେ ଅଧଲେ ଦକ୍ଷିଣା ଦେଉଥାନ୍ତି । ଜ୍ୟୋତିଷରତ୍ନ ଆସି ମୋତେ ଶିକାର ଧରିବାକୁ ବସିଲେ । ମୁଁ କହିଲି–ତୁମ୍ଭେ ତ ପ୍ରତ୍ୟକ୍ଷରେ ବରାହମିହିର ଋଷିପରି ଦିଶୁଛ, ତୁମ୍ଭର ରୂପ ଭେକ ବି ତୁମ୍ଭର ଅଗାଧ ବିଦ୍ୟାର ପରିଚୟ ଦେଉଛି । ମୋର ରଜା ମହାରାଜା ହେବାର ଇଚ୍ଛା ନାହିଁ । ଚିରକାଳ ଗରିବ ରହିବାକୁ ମୁଁ ସୁଖ ମଣେ । ଆଉ ମୋ ହାତ ଝିଙ୍କା ଝିଙ୍କି କର ନାହିଁ–ପଇସାଟିଏ ତଣ୍ଡ ନେଇ ମୋତେ ଦୟାକରି ଛାଡ଼ି ଦେଇ ଅନ୍ୟ ଶିକାର ଦେଖ । ମୋ କଥା ଶୁଣିଉପସ୍ଥିତ ଯାତ୍ରୀମାନେ ଠୋ ଠୋ ହୋଇ ହସିଉଠିଲେ । ମୁଁ ପଇସାଟିଏ ଦେଇ ଦୁଷ୍ଟଗ୍ରହ କବଳରୁ ରକ୍ଷାପାଇଲି । ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିଲି, ଲୋକଟି ବିଦ୍ୟାଶୂନ୍ୟ ଭଟ୍ଟାଚାର୍ଯ୍ୟ, କିନ୍ତୁ ଜିଭଟି ଶାଣଦିଆ । ହାତ ଦେଖି ଶହେ ପଚାଶ କଥା କହିଦିଏ, ଦୈବାତ ଗୋଟିଏ ଦୁଇଟା କଥା ମିଳିଗଲେ ଯାତ୍ରୀମାନେ ତେତିକିରେ କୃତାର୍ଥ ହୋଇ ପଇସେ ଅଧଲେ ଦେଇପକାନ୍ତି, ପ୍ରତ୍ୟହ ତାର ଏହି ବେଉସା ।

 

ରମ୍ଭା ଷ୍ଟେସନରେ ମେଲ ରହେ କି ନାହିଁ, କେହି ଠିକ୍‍ରୂପେ କହିପାରିଲେ ନାହିଁ । ମୁଁ ଯାଇ ଷ୍ଟେସନ ମାଷ୍ଟରଙ୍କୁ ପଚାରି ବୁଝି ଆସିଲି । ଯଥା ସମୟରେ ରେଳ ଆସି ପହୁଞ୍ଚିଲା । ମୁଁ ଯାଇ ରେଳରେ ବସିଲି । ହରେକୃଷ୍ଣ ମୋ ପାଖରେ ବସିଲା । ତେଲେଙ୍ଗା ଯାତ୍ରୀ ଆସି ଭରତି ହୋଇଗଲେ । ସେମାନଙ୍କ କଥା ଆମ କାନକୁ ଗୁଡ଼ି ଚୋବାଇଲାପରି ଶୁଭୁଥାଏ । ତାଙ୍କ ହରରଙ୍ଗା ବେଶଭୂଷା କିମ୍ଭୁତ କିମାକାର ଲାଗୁଥାଏ । ଗୋଟାଏ ନୂତନ ସଂସାରରେ ପ୍ରବେଶ କଲାପରି ଜଣାଯାଉ ଥାଏ । ମୁଁ ନୀରବରେ ବସି ଦୁଇପାଖରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖୁଥାଏ । ଦୂର ପର୍ବତଗୁଡ଼ିକ ବଡ଼ ସୁନ୍ଦର ଦେଖାଯାଉଥାଏ । କିଛି ସମୟ ପରେ ଦୂରରେ ଚିଲିକା ହ୍ରଦ ଦେଖାଗଲା-। ତେଲେଙ୍ଗା ଯାତ୍ରୀମାନେ ‘‘ସିଲକା ସମୁଦ୍ରମ୍–ସିଲ୍‍କା ସମୁଦ୍ରମ୍’’ ବୋଲି କୋଳାହଳ କରି ଉଠିଲେ । ଚିଲିକା ବାଜିକର ପରି କେତେବେଳେ ଲୁଚି ଯାଉଥାଏ, ପୁଣି ଦୂରରେ ଦେଖାଯାଉ ଥାଏ । କେତେବେଳେ ବା ପାଖକୁ ଘୁଞ୍ଚି ଆସୁଥାଏ । ଫେନ ହାସ୍ୟମୟୀ ତରଙ୍ଗ ଚଞ୍ଚଳା ଚିଲିକା ସୁନ୍ଦରୀ ରେଲ ସଙ୍ଗେ ସଙ୍ଗେ ଲୁଚକାଳି ଖେଳି ଖେଳି ଚାଲିଥାଏ । ହ୍ରଦ ମଧ୍ୟସ୍ଥ ପର୍ବତଗୁଡ଼ିକ ମୁନିଋଷି ପରି ଜଳରେ ଠିଆହୋଇ ଧ୍ୟାନମଗ୍ନ ଥିଲାପରି ଦିଶୁଥାନ୍ତି । ଅଂସଖ୍ୟ ପକ୍ଷୀର କଳରବ ଠିକ୍ ତେଲଙ୍ଗା ଯାତ୍ରୀଙ୍କ କଥାବର୍ତ୍ତାର ପ୍ରତିଧ୍ୱନି ପରି ବୋଧହେଉ ଥାଏ ।

 

ପ୍ରାୟ ବାରଟା ସମୟରେ ମେଲ ରମ୍ଭା ଷ୍ଟେସନରେ ପହଞ୍ଚିଲା । ପାଲୁ (ଦୁଧ), ପେରୁଗୁ (ଦହି) ଶବ୍ଦରେ କାନ ଫାଟିପଡ଼ିଲା । ରମ୍ଭାରେ ଦୁଧ, ଦହି, ଛେନା ଭଲ ମିଳେ । ଭଣ୍ଡାରିମାନେ ଆସି ବାଡ଼ି ବିକିବାକୁ ଲାଗିଲେ । ସେଠାରେ କ୍ଷିରିକୋଳି କାଠର ଅତି ସୁନ୍ଦର ବାଡ଼ି ମିଳେ । ମୂଲ୍ୟ ମଧ୍ୟ ସୁଲଭ, ପ୍ରତିଖଣ୍ଡ ଦୁଇଅଣାରୁ ବେଶୀ ନୁହେଁ । ଦେଖି ମୋର ଲୋଭ ହେଲା, ଖଣ୍ଡେ କିଣିଲି । ଏଣିକି ଆଉ ବାବୁ ସଂଜ୍ଞା ନାହିଁ, କେବଳ ଆୟା । ପ୍ରତି ଷ୍ଟେସନରେ ଝଟକାବାଲା ମାନଙ୍କର ଆୟା ଶବ୍ଦରେ ବାୟା ହୋଇ ଯିବାକୁ ହୁଏ । ମୁଁ ଏବଂ ହରେକୃଷ୍ଣ ପ୍ଳାଟଫର୍ମରେ ଠିଆହୋଇ ଅଛୁଁ । ଏହି ସମୟରେ ଜୟକୃଷ୍ଣ ବାବୁ ଆସି ପଚାରିଲେ–ଆପଣମାନେ କେଉଁଠାରୁ ଆସିଲେ ? ହରେକୃଷ୍ଣ ‘‘ଭଦ୍ରକରୁ’’ ବୋଲି କହିବାରୁ ଜୟକୃଷ୍ଣ ବାବୁ ଆଉ କିଛି କହିବାକୁ ଅବସର ନ ଦେଇ ମୋତେ ନମସ୍କାର କରି କହିଲେ–ମୋର ନାମ ଜୟକୃଷ୍ଣ ପଟ୍ଟନାୟକ, ଆପଣଙ୍କୁ ନେବାପାଇଁ ମୁଁ ତିନିଦିନ ହେଲା ଷ୍ଟେସନକୁ ଆସୁଛି । ଗୁନେୟା ଶାସ୍ତ୍ରୀ ଦୁଇ ଦିନ ହେଲା ଆସି ରମ୍ଭାରେ ଥିଲେ । ସେ ଆପଣଙ୍କୁ ସଙ୍ଗରେ ବ୍ରହ୍ମପୁର ନେଇ ଯାଇ ଥାଆନ୍ତେ । ଆପଣ ଏ ଅଞ୍ଚଳକୁ କେବେ ଆସି ନାହାନ୍ତି । କାଳେ କୌଣସି ଅସୁବିଧା ଘଟିବ, ସେଥିପାଇଁ ସେ ସଙ୍ଗରେ ନେଇ ଯିବାକୁ ଆସିଥିଲେ । ଦୁଇଦିନ ଅପେକ୍ଷା କରି ସେ ଆଜି ସକାଳେ ଫେରିଗଲେ । ଆପଣ ପହଞ୍ଚିଲା କ୍ଷଣି ତାଙ୍କୁ ଟେଲିଗ୍ରାମ କରିବାପାଇଁ ନୀଳମଣି ବାବୁଙ୍କୁ ଅନୁରୋଧ କରି ଯାଇଛନ୍ତି ।’’ ମୁଁ ତାଙ୍କୁ ପ୍ରତି ନମସ୍କାର କରି ଧନ୍ୟବାଦ ଦେଲି ଏବଂ ଶିଷ୍ଟାଚାର–ଭାଷାରେ କହିଲି ମୋପାଇଁ ଆପଣ କେତେ କଷ୍ଟ ପାଇଛନ୍ତି; ଏହି ଉପକାର ପାଇଁ ମୁଁ କୃତଜ୍ଞ । ସେ ଆମ୍ଭମାନଙ୍କୁ ଖଲିକୋଟ ରାଜାଙ୍କ ବଙ୍ଗଳାକୁ ନେଇଗଲେ । ବଙ୍ଗଳାଟି ଷ୍ଟେସନର ଅତି ନିକଟରେ । ରାଜାଙ୍କ ଅତିଥିମାନେ ରେଳରୁ ଓହ୍ଲାଇ ସେଠାରେ ବିଶ୍ରାମ କରନ୍ତି । ବଙ୍ଗଳାଟି ଦେଖିବାକୁ ଅତିସୁନ୍ଦର । ପୁଣି ରାଜୋଚିତ ଭାବରେ ସୁସଜ୍ଜିତ । ଜୟକୃଷ୍ଣ ବାବୁ ପୂର୍ବରୁ ସେଠାରେ ଖାଦ୍ୟର ବ୍ୟବସ୍ଥା କରି ରଖିଥିଲେ । ସମସ୍ତେ ଆହାର କରି ଟିକିଏ ବିଶ୍ରାମ କଲୁଁ-। ଜୟକୃଷ୍ଣ ବାବୁ ସୁପ୍ରସିଦ୍ଧ ‘ପ୍ରଜାବନ୍ଧୁ’ ପତ୍ରର ମେନେଜର ଏବଂ ରାଜାଙ୍କର ଜଣେ ସମ୍ମାନିତ କର୍ମଚାରୀ । ପ୍ରସଙ୍ଗ କ୍ରମେ ତାଙ୍କ ନାମ ଅନେକ ଥର ପଡ଼ିବ, ସେଥିପାଇଁ ଏଠାରେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଦିଆଗଲା ନାହିଁ । କେବଳ ଏତିକି କହୁଛି ଯେ ଅତି ଶୁଭକ୍ଷଣରେ ତାଙ୍କ ସହିତ ମୋର ସାକ୍ଷାତ୍ ହୋଇଥିଲା । ସୋଦରୋପମ ଶ୍ରଦ୍ଧା, ପ୍ରୀତି ଏବଂ ସହାନୁଭୂତିରେ ସେ ମୋତେ କିଣି ନେଇଥିଲେ । ଜୟକୃଷ୍ଣ ବାବୁ ଖଣ୍ଡେ ଟାଙ୍ଗାଗାଡ଼ି ଆଣିଥିଲେ । ସମସ୍ତେ ସେଥିରେ ବସି ରମ୍ଭା ଅଭିମୁଖରୁ ଯାତ୍ରାକଲୁଁ । ରମ୍ଭା ନଗରୀର ପ୍ରାକୃତିକ ଶୋଭା ମନୋମୁଗ୍‍ଧକର । ସତେ ଯେପରି ସ୍ୱର୍ଗର ରମ୍ଭା ଅପ୍‍ସରୀ ପରି ଗନ୍ଧର୍ବ ଉପରେ ପୃଷ୍ଠଭାର ରଖି ଚିଲିକା–ରୂପ ବିଶାଳ ହୀରକ ଦର୍ପଣରେ ନିଜର ଶୋଭା ଦେଖି ନିଜେ ମୁଗ୍‍ଧ ହେଉଅଛି । ପଥ, ଘାଟ ନିର୍ମଳ; ବିପ୍‍ପଣୀ ସୁସଜ୍ଜିତ ଏବଂ ସୁନ୍ଦର ।

 

ପଥର ବାମ ପାଖରେ ଚିଲିକାର ବିରାଟ ବିସ୍ତୃତି ସୁଦୂର ଚକ୍ରବାଳରେ ମିଶି ଯାଇଅଛି । ମାନବର ଦୃଷ୍ଟିରେଖା ସେ ପର୍ଯ୍ୟନ୍ତ ପାଏନାହିଁ । ଅସଂଖ୍ୟ ରାଜହଂସପନ୍ତି ସଚଳ ତରଙ୍ଗ ଦୋଳିରେ କ୍ରୀଡ଼ାମଗ୍ନ । ମହା ଯୋଗିନୀ ମଧୁର ଭୈରବ ସ୍ୱରରେ ଓଁ କାର ଶବ୍ଦ ଆବୃତ୍ତି କରୁଅଛି । ହଂସଗୁଡ଼ିକ ତାଳେ ତାଳେ ନାଚି ଉଠୁଛନ୍ତି । ଦୂରାଗତ ନୌକାମାନ ପାଲ-ପକ୍ଷ ବିସ୍ତାର କରି ହ୍ରଦଜଳକୁ ଲାଗି ଚିଲଗୁଡ଼ିକ ଉଡ଼ି ଆସିଲା ପରି ଦେଖାଯାଉଥାନ୍ତି । ସ୍ଥାନେ ସ୍ଥାନେ କ୍ଷୁଦ୍ର ବୃହତ୍ ମତ୍ସ୍ୟ ସମୂହ ଭୟରେ ଡେଇଁ ଉଠୁଛନ୍ତି । ସେ ଦୃଶ୍ୟ, ଚିଲିକା ସୁନ୍ଦରୀ ରୌପ୍ୟ ରସନା ବିସ୍ତାରକରି ସୂର୍ଯ୍ୟକିରଣ ପାନ କଲାପରି ଦିଶୁଅଛି । ଆକାଶରେ ବିବିଧ ବର୍ଣ୍ଣର ପକ୍ଷୀ ଉଡ଼ି ଉଡ଼ି କୋଳାହଳ ସର୍ଜନା କରୁଛନ୍ତି । ସ୍ୱଭାବ ମୁଖରା ଚିଲିକା ସେହି ଶବ୍ଦରେ ଅଧିକ ମୁଖରା ହୋଇଉଠୁଛି । ଚକୁଆ ଚକୋଇ ଚକିମାରି ଉଡ଼ି ବୁଲୁଛନ୍ତି । ମତ୍ସ୍ୟାଶୀ ପକ୍ଷୀକୁଳ କାଳପରି ଝାମ୍ପ ମାରି ମତ୍ସ୍ୟ ସମୂହର କାଳ ଶେଷ କରି ଦେଉଅଛନ୍ତି । ଏତେଦିନ ଯାଏ ମହୋଦଧୀ ରାଜଜେମା ଚିଲିକାର କାଳ୍ପନିକ ଛବି ମାନଚିତ୍ରରେ ଦେଖି ଆସୁଥିଲି । ଆଜି ପ୍ରକୃତ ମୂର୍ତ୍ତି ଦେଖିଲି, ନେତ୍ର ସାର୍ଥକ ହେଲା–ଆକାଙ୍‍କ୍ଷା ସଫଳ ହେଲା–ଭାଗ୍ୟଦେବତାଙ୍କୁ ଧନ୍ୟବାଦ ଦେଲି । ଚିଲିକା ଦେହରେ ନେତ୍ର ଲାଖିରହିଲା, ଆଉ ଫେରି ଆସିଲା ନାହିଁ । ଗାଡ଼ିରେ ବସି ବସି କେତେ କଥା ଭାବିଲି । ହୃଦୟରେ କେତେ ଭାବ ଜାତ ହେଲା । ଅହୋ, କି ଅଦ୍ଭୁତ ମହାଦୃଶ୍ୟ ! ଚାରିଆଡ଼େ ପର୍ବତ, ପର୍ବତ ପଛରେ ପର୍ବତ, ମଝିରେ ଚିଲିକା, ସତେ ଯେପରି ଚିଲିକାର ସ୍ୱୟମ୍ବର ଲାଗିଛି । ଗିରିସଭା ମଧ୍ୟରେ ଚିଲିକା ଚାରିଦିଗକୁ ଚାହିଁ ନିଜର ମନୋମତ ବର ଖୋଜି ଦେଖୁଛି । ଭାବିଲି–ବରୁଣ ରାଜା ଏଡ଼େବଡ଼ କନ୍ୟା ବଢ଼ାଇ ଘରେ ରଖିଛି, ଏହା କଣ ତାର ମନେ ନଥିଲା ! ଆଶ୍ଚର୍ଯ୍ୟ କଥା ବା କଅଣ ? ବିଳାସ ବିଭୋର ରାଜା ତ, ସ୍ୱଭାବରେ ଭୋଳା ମହେଶ୍ୱର । ପୁଣି ବଡ଼ଘରର କଥା ବଡ଼ଘରକୁ ଏକା ସୁନ୍ଦର । କଥାରେ କହନ୍ତି ‘‘ବଡ଼ କଥା ବଡ଼କୁ ସାଜେ, ସାନ ନା ରେ ବାଇଦ ବାଜେ’’ । ଯାହାହେଉ ଜଳରାଜାର ଏ ସୁବୁଦ୍ଧି କେବେ ଆସିଲା–କେଉଁ କାଳରୁ ଏ ସ୍ୱୟମ୍ବର ସଭା ବସିଲାଣି-ପୁଣି ଏ ସ୍ୱୟମ୍ବରର ଶେଷ ବା କେବେ ହେବ–ଏହାଭାବି ଚିତ୍ତ ସ୍ତବ୍‍ଧ ହୋଇଗଲା । ଏ ମହା ସ୍ୱୟମ୍ବର ସଭା ମଉଳିବାକୁ ଆହୁରି କେତେ ଯୁଗ ମହାଯୁଗ ବହିଯିବ ତାହା କିଏ ଗଣି କହିପାରିବ ନାହିଁ । ବର ବିରାଟ, କନ୍ୟା ବିରାଟ, ଏହି ବିଧିନିର୍ବନ୍ଧ ରାଜଯୋଟକ ପାଇଁ ବିରାଟ ସମୟର ଆବଶ୍ୟକତା ବିଚିତ୍ର କଅଣ । ବିରାଟକୁ ଅବିରାଟ ସୁନ୍ଦର ଦିଶେ ନାହିଁ । ସେଥିପାଇଁ ସିନା ଧରଣୀ ସୁନ୍ଦରୀ ମହାକାଶକୁ ପତି ରୂପରେ ବରଣ କରିଅଛି । ଏତେ ଶୈଳରାଜ ବର ତ ଘେରି ବସିଛନ୍ତି, ମାତ୍ର ଯେ ରାଜନନ୍ଦିନୀର ମନୋନୀତ ହେବ, ସେହି ଏକା ଭାଗ୍ୟଧର । ଜେମାମଣି ଚିଲିକା ତାହାରି ଗଳାରେ ଲହରୀ-ବରଣମାଳା ଲମ୍ବାଇ ଦେବ । ସେଦିନ ଆକାଶ ପାତାଳ ହସିଉଠିବ–ଗ୍ରହନକ୍ଷତ୍ର ହସି ଉଠିବେ–ପୃଥିବୀ ହସି ହସି ମଙ୍ଗଳ ଶଙ୍ଖ ବଜାଇବ–ଚିର ସଧବା ଦିଗ୍‍ବଧୂ କୁଳ ହୁଳହୁଳୀ ଦେଇ ଚନ୍ଦ୍ର ସୂର୍ଯ୍ୟ ରୂପ ଅର୍ଘ୍ୟ ଥାଳିରେ ବରକନ୍ୟାଙ୍କୁ ବନ୍ଦାପନା କରିବେ ।

 

ବିଦ୍ୟାରତ୍ନଙ୍କ ବସାରେ ପହଞ୍ଚିଲା ବେଳକୁ ସେ ଖାଇସାରି ବିଶ୍ରାମ କରୁଥିଲେ । ତାଙ୍କ ଲେଖା ଲେଖିର ଭାବଭଙ୍ଗୀରୁ ମୁଁ ମନେକରିଥିଲି ବିଦ୍ୟାରତ୍ନ ହାତୀପରି ଗୋଟାଏ ପ୍ରକାଣ୍ଡ ଲୋକ ହୋଇଥିବେ । କିନ୍ତୁ ମୋର ସେ କଳ୍ପନା ଏକାବେଳକେ ବିପରୀତ । ଦେଖିଲି ଦେହର ହାଡ଼ କେତେ ଖଣ୍ଡ ଗଣି ହେଉଛି, ଦେହର ଉଚ୍ଚତା ପ୍ରାୟ ତିନିହାତ ହେବ । ମନେମନେ କହିଲି, ଏ ଖର୍ବ ଦେହ ଖଣ୍ଡକରେ ଏତେ ବିଦ୍ୟା ରହିଛି କିପରି । ପୁଣି ଭାବିଲି–ଅସମ୍ଭବ ବା କଅଣ ? କ୍ଷୁଦ୍ର ବୁଢ଼ିଆଣୀ ପେଟରେ କେତେ ସୂତା ଥାଏ କିଏ କଳିପାରିବ । ଆକୃତି ତ ଗୁଣର ପରିମାପକ ନୁହେଁ । ଶିଷ୍ଟାଚାରର ଆଦାନ ପ୍ରଦାନ ହୋଇଗଲା । କି ସୁନ୍ଦର ମନଖୋଲା ସରଳ ବ୍ୟବହାର । ଯେପରି ଏଥିପୂର୍ବରୁ ବହୁବାର ଦେଖାସାକ୍ଷାତ୍, କଥାବାର୍ତ୍ତା, ମିଳାମିଶା ହୋଇଯାଇଛି । ଖାଦ୍ୟପ୍ରସ୍ତୁତ ହୋଇ ଖାଦକର ପ୍ରତୀକ୍ଷାରେ ଥିଲା । ସାମାନ୍ୟ କଥାବାର୍ତ୍ତା ପରେ ବିଦ୍ୟାରତ୍ନ ମୋତେ ଅନ୍ୟ ଗୋଟିଏ ଘରକୁ ନେଇଗଲେ । ଦେଖିଲି–ସରୁଚାଉଳ ଭାତ, ଗୋଟା ଦଶଭଜା, ତରକାରି ଦୁଇଜଣଙ୍କ ପାଇଁ ବଢ଼ା ହୋଇ ରହିଅଛି । ଆଗରୁ ତ ବିଦ୍ୟାରତ୍ନଙ୍କ ଅମାୟିକ ଅମୂଲ୍ୟ ବ୍ୟବହାରରେ ପେଟ ପୂରିଯାଇଥିଲା । ତଥାପି ସେ ଖାଦ୍ୟଗୁଡ଼ିକର ଉପଯୁକ୍ତ ସଦ୍‍ବ୍ୟବହାର କରିବାକୁ ମୁଁ କୁଣ୍ଠିତ ହେଲି ନାହିଁ । ଗୋଟାଏ ରାତି ଓ ଗୋଟାଏ ଦିନର ଉପବାସରେ ଉଦର ଦେବତା ହତାଶ ହୋଇ ପଡ଼ିଥିଲେ, ତାଙ୍କୁ ସନ୍ତୁଷ୍ଟ କରିସାରି ମୁଁ ଆଶ୍ୱସ୍ତ ହେଲି । ବିଦ୍ୟାରତ୍ନ ମୋତେ ପ୍ରଜାବନ୍ଧୁ କାର୍ଯ୍ୟାଳୟକୁ ନେଇଯାଇ ପ୍ରିଣ୍ଟିଂପ୍ରେସ, ଅକ୍ଷର ରହିବାର କେସ୍ ଏବଂ ଆଉ କେତେ ଯନ୍ତ୍ରପାତି ଦେଖାଇ ଅଫିସକୁ ଘେନିଗଲେ । ସେଠାରେ ପ୍ରୁଫ୍‌ କାଟିବାର ଧାରା ଓ ଯେଉଁ ସଙ୍କେତ ବ୍ୟବହୃତ ହୁଏ, ତାହା ସବୁ ବୁଝାଇ ଦେଲେ । ଏଥିପୂର୍ବରୁ ମୁଁ ପ୍ରେସ ଦେଖି ନ ଥିଲି, ଏହିଠାରେ ମୋର ପ୍ରେସ ସାଙ୍ଗରେ ଚାକ୍ଷୁଷ ପରିଚୟ ହେଲା । ଅଫିସ କାର୍ଯ୍ୟ ଶେଷ ହେଲା ପରେ କର୍ମଚାରୀମାନଙ୍କ ସଙ୍ଗେ ବସାକୁ ଫେରି ଆସିଲୁଁ । ଅଧିକାଂଶ କର୍ମଚାରୀ ବିଦ୍ୟାରତ୍ନଙ୍କ ବସାରେ ଥାଆନ୍ତି । କଟକ ଏବଂ ଭୁବନେଶ୍ୱରବାସୀ କେତେ ଜଣ କମ୍ପୋଜିଟର ପ୍ରଜାବନ୍ଧୁ ପ୍ରେସରେ କାର୍ଯ୍ୟ କରୁଥିଲେ । ବିଦ୍ୟାରତ୍ନ କହିଲେ–‘‘ତୁମ୍ଭଙ୍କୁ ଏହି ରାତ୍ରିରେ ବ୍ରହ୍ମପୁର ଯିବାକୁ ହେବ । ଶାସ୍ତ୍ରୀଙ୍କ ପତ୍ରିକା ନ ବାହାରିବାରୁ ସେ ଅଧୈର୍ଯ୍ୟ ହୋଇ ପଡ଼ିଲେଣି । ଶୀଘ୍ର ପତ୍ରିକା ବାହାରିବା ଦରକାର । ତାହା ନିୟମିତରୂପେ ବାହାରେ ନାହିଁ ବୋଲି ଗ୍ରାହକମାନେ ଅନେକ ଥର ପ୍ରଜାବନ୍ଧୁରେ ଅଭିଯୋଗ ପ୍ରକାଶ କରିଥିଲେ, ତାହା ତୁମ୍ଭେ ଜାଣିଥିବ । ପତ୍ରିକା ଖଣ୍ଡ ଯେମିତି ଏଣିକି ନିୟମିତ ସମୟରେ ବାହାରେ, ସେଥିରେ ଚେଷ୍ଟା କରିବ । ଗୁନେୟା ଶାସ୍ତ୍ରୀ ଭାରୀ ଚଞ୍ଚଳମତି, ତୁମ୍ଭେ ବୁଝି ଶୁଝି କାର୍ଯ୍ୟ କରିବ । ଖାଇ ସାରିଲା ପରେ ଜୟକୃଷ୍ଣ ବାବୁ ତୁମ୍ଭଙ୍କୁ ନେଇ ରେଳରେ ବସାଇ ଦେଇ ଆସିବେ । ବ୍ରହ୍ମପୁର ଷ୍ଟେସନରେ ଅନେକ ଝଟକା ଗାଡ଼ି ମିଳେ । ଭଡ଼ା ଖୁବ୍ ଊଣା, ଛ ପଇସା ଦେଇ ଝଟକାବାଲାକୁ କହିଲେ ସେ ତୁମ୍ଭଙ୍କୁ ନେଇ ଖଲିକୋଟ ରାଜାଙ୍କ ବଙ୍ଗଳାରେ ପହଞ୍ଚାଇ ଦେବ । ସେଠାରେ ଫକୀରମୋହନ ସେନାପତି ଅଛନ୍ତି । ତୁମ୍ଭେ ଯାଇ ପ୍ରଥମେ ତାଙ୍କ ବସାରେ ଓହ୍ଲାଇବ ବୋଲି ସେ କହିଛନ୍ତି । ସେଠାରେ ରାତି କଟାଇ ସକାଳେ ଗୁନେୟା ପ୍ରେସକୁ ଯିବ । ଫକୀରମୋହନ ବାବୁ ସ୍ୱାସ୍ଥ୍ୟ ପରିବର୍ତ୍ତନ ଉଦ୍ଦେଶ୍ୟରେ ରମ୍ଭା ଆସିଥିଲେ । କେତେ ଦିନ ହେଲା ଯାଇ ବ୍ରହ୍ମପୁରରେ ଅଛନ୍ତି-। ସେଠାରେ ଆହୁରି ଆଠ ଦଶ ଦିନ ଯାଏ ରହିବେ ।’’ ବିଦ୍ୟାରତ୍ନଙ୍କ କଥାମୁତାବକ କାର୍ଯ୍ୟ ହେଲା-। ଜୟକୃଷ୍ଣ ବାବୁ ଟିକଟ କାଟି ଆଣି ଆମ୍ଭ ଦୁହିଁଙ୍କୁ ରେଳରେ ବସାଇ ଦେଇ ଗଲେ । ତେତେବେଳେ ଭଦ୍ରକରୁ ବ୍ରହ୍ମପୁର ଯାଏଁ ତୃତୀୟ ଶ୍ରେଣୀର ଟିକଟଭଡ଼ା ଦୁଇଟଙ୍କା ଆଠଅଣା ଥିଲା-। ମେଲ ପାସେଞ୍ଜର ଭଡ଼ା ସମାନ ଥିଲା-। ବର୍ତ୍ତମାନ ବଢ଼ି ବଢ଼ି ଦୁଇଗୁଣର ପାଖକୁ ଆସିଲାଣି । ସେ ସମୟ ଅପେକ୍ଷା ରେଳ ଷ୍ଟେସନର ସଂଖ୍ୟା ମଧ୍ୟ ଅଧିକ ହେଲାଣି । ସବୁ ଷ୍ଟେସନରେ ଅନ୍ୟାନ୍ୟ ଭାଷା ସଙ୍ଗେ ଓଡ଼ିଆରେ ଷ୍ଟେସନର ନାମ ଲେଖା ଯାଇଥାଏ । ମାତ୍ର ଓଡ଼ିଆ ଅକ୍ଷରର ବିଚିତ୍ର ଭଙ୍ଗୀ ଦେଖି ତାହା ଅକ୍ଷର କି ମେଲେରିଆ ରୋଗୀ, ଚିହ୍ନିବା କଠିନ । ହୁମା ଷ୍ଟେସନର ନାମ ବହୁ କଷ୍ଟରେ ‘ଦୂଣା’ ବୋଲି ପଢ଼ିଲି-। ସମ୍ପାଦିକ ହୋଇ ଏ ବିଷୟ ମୁଁ ‘ହିତବାଦିନୀ’ରେ ଲେଖି ପ୍ରତିକାର ପ୍ରାର୍ଥନା କରିଥିଲି । ରମ୍ଭା ନାମରେ ଦୁର୍ଦ୍ଦଶା ଦେଖି ହସ ମାଡ଼ିଲା, ଓଡ଼ିଆ ଅକ୍ଷରର ବିକୃତିରେ ଦୁଃଖ ବି ହେଲା । ‘ମ୍ଭ’ ଅକ୍ଷରଟିକୁ କେହି ଯେପରି ଶୂଳରେ ଭୁଷି ଚିତ୍‍ପଟାଙ୍ଗ କରି ପକାଇ ଦେଇଛି ।

 

ଯଥା ସମୟରେ ବ୍ରହ୍ମପୁର ଷ୍ଟେସନରେ ରେଳଗାଡ଼ି ରହିଲା । ମୁଁ ଏବଂ ହରେକୃଷ୍ଣ ଓହ୍ଲାଇ ପ୍ଳାଟଫର୍ମ ପାରି ନହେଉଣୁ ଜଣେ ଡାକ୍ତର ଆସି ପ୍ଳେଗ୍‌ ପରୀକ୍ଷା କଲେ । ତେତେବେଳେ ପ୍ରଧାନ ପ୍ରଧାନ ଷ୍ଟେସନରେ ପ୍ଳେଗ୍ ପରୀକ୍ଷା ଲାଗିଥାଏ । କଲିକତାରେ ପ୍ଳେଗ୍‍ରୋଗ ପ୍ରବଳଭାବରେ ଲାଗିଥାଏ । ତେଣୁ ଯେଉଁ ଯାତ୍ରୀମାନେ ଆସନ୍ତି ତାଙ୍କର ପରୀକ୍ଷା ନ ଦେଇ ନିସ୍ତାର ନାହିଁ । ଡାକ୍ତରଟି ଯାହାକୁ ମଳିମୁଣ୍ଡିଆ ଦେଖେ ତାକୁ ଦଶଦିନ ପର୍ଯ୍ୟନ୍ତ ବ୍ରହ୍ମପୁରରେ ରହି ଡାକ୍ତରଖାନା ଯିବାପାଇଁ କହେ । ସେମାନେ ନାଲିଛାଲି ହୋଇ ଦୁଇ ପଇସା ବା ଅଣାଏ ଦେଲେ ଛାଡ଼ିଦିଏ । ଆମେ ଦୁହେଁ ପଇସା ଦେଲୁନାହିଁ, ଡାକ୍ତର ଦୁଇଖଣ୍ଡି ଫାରମ କାଟି ଆମ ଦୁହିଁଙ୍କ ହାତରେ ଦେଇ କହିଲା–‘‘ପ୍ରତି ରୋଜକି ତରେ ଆସ ପତ୍ରିକି ଯିବି ହେ ।’’ ଏ ବିଚିତ୍ର ଓଡ଼ିଆ ଭାଷାର ମୁଣ୍ଡଗଣ୍ଡି ଆମେ କିଛି ବୁଝି ପାରିଲୁଁ ନାହିଁ । ଫାରମ ଦୁଇଖଣ୍ଡ ପକେଟରେ ପକାଇ ଚାଲି ଆସିଲୁ । ବାହାରେ ଝଟକାବାଲାମାନେ ଆସି ତୀର୍ଥପଣ୍ଡାମାନଙ୍କ ପରି ଘେରି ଗଲେ । ‘‘ଆୟା ବାଣ୍ଡି ଆକା-ଆୟା ବାଣ୍ଡି ଆକା’’ (ବାବୁ, ଗାଡ଼ି ଲୋଡ଼ା) କହି ପଛରେ ଗୋଡ଼ାଇଲେ । ରେଳଗାଡ଼ି ପହଞ୍ଚିବା ପୂର୍ବରୁ ଦୁଇଟା ଝଟକା ଆସି ଷ୍ଟେସନ ପଛ ପାଖରେ ଭିଡ଼ାଭିଡ଼ି ହୋଇ ରହିଥାଏ । ଝଟକା ଏକ ପ୍ରକାର ଏକବାହନଯୁକ୍ତ ହାଲୁକା ଶଗଡ଼ । କାହିଁରେ ଗୋଟାଏ ଘୋଡ଼ା, କାହିଁରେ ବା ଗୋଟାଏ ବଳଦ ଯୋଚା ହୋଇଥାଏ । ତାହା କଳି ଯୁଗର ପୁଷ୍ପକ ରଥ । ପକ୍ଷୀରାଜ ଘୋଡ଼ା ଏକାଳରେ ନାହାନ୍ତି । ଝଟକା ରଥରେ ଯେଉଁ ଅଶ୍ୱିନୀ କୁମାରଟି ଯୋଟା ହୋଇଥାଏ ତାହା ଏକ ଦର୍ଶନୀୟ ପଦାର୍ଥ । ସେଗୁଡ଼ିକ ବରଡ଼ା ପତ୍ର ପରି ଥରି ଥରି ସ୍ପନ୍ଦିତ ପାଦରେ ଚାଲନ୍ତି । ଝଟକାରେ ବସିବା ଆଉ ମୁଦ୍‍ଗରରେ ଛେଚା ଖାଇବା ଏକା କଥା । ଶରୀରର ଅବସ୍ଥା କୁଟାଠାରୁ ଟିକିଏ ମୋଟ, ତହିଁ ଉପରେ ସାରଥିର କଷାଘାତ, ଘୋଡ଼ାଗୁଡ଼ିକ ଯମଦେବତାକୁ ନାକ ଫରୁଡ଼ି ଛଳରେ କଠୋର ଅଭିଶାପ ଦେଇ ଅଗ୍ରସର ହୁଅନ୍ତି । ସୁରଭିନନ୍ଦନଯୁକ୍ତ ରଥଗୁଡ଼ିକ ଆହୁରି ଚମତ୍କାର । ସେ ବାଟଯାକ କରୁଣ ସ୍ୱରରେ ସଂଗୀତ ଆଳାପ କରି କରି ଚାଲେ । ସେହି ଅପୂର୍ବ ରାଗିଣୀ ଶୁଣି ଆରୋହୀର ବ୍ୟଥା, ବେଦନା ସବୁ ହରିଯାଏ । ପୃଥୁଳ ପରିଧିବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରେ ଝଟକା ଆରୋହଣ ଅଭିସମ୍ପାତ ତୁଲ୍ୟ ।

 

ଖଣ୍ଡେ ଝଟକାରେ ଯାଇ ଖଲ୍ଲିକୋଟ ବଙ୍ଗଳାରେ ପହୁଞ୍ଚିଲି । ତେତେବେଳକୁ ପ୍ରାୟ ରାତି ଦୁଇଟା । ଫକୀରମୋହନ ବାବୁ ଶୋଇଥିଲେ । ତାଙ୍କୁ ଉଠାଇବା ଉଚିତ ମନେ କଲି ନାହିଁ । ଝଟକାବାଲାକୁ ବିଦାକରି ଦେଇ ସାମାନପତ୍ର ବାରଣ୍ଡାରେ ରଖି ଟିକିଏ ବିଶ୍ରାମ କଲି । ବସୁଁ ବସୁଁ ତିନିଟା ବାଜିଗଲା । ହରେକୃଷ୍ଣକୁ ସେଠାରେ ଜଗାଇ ବଙ୍ଗଳା ଜଗିବା ଲୋକଟିକୁ ସଙ୍ଗରେ ଘେନି ମୁଁ ନିତ୍ୟକର୍ମ କରିବାକୁ ବାହାରିଲି । ପ୍ରତ୍ୟହ ଚାରିଟା ବେଳେ ସ୍ନାନ କରିବାର ଅଭ୍ୟାସ ମୋର ବହୁଦିନରୁ ଥିଲା । ଖଲିକୋଟ ବଙ୍ଗଳା ଯେଉଁଠି ସେ ସ୍ଥାନର ନାମ ବିଜିପୁର । ନିକଟରେ ସୁପ୍ରଶସ୍ତ ‘‘ବିଜିପୁର ବନ୍ଧ’’, ଜଳ କାଚଧାର ପରି ସ୍ୱଚ୍ଛ । ପାହାନ୍ତିଆ ପବନ ପୁଷ୍କରିଣୀରେ ଜଳବେଣୀ ସୃଷ୍ଟି କରୁଛି । ଦାନ୍ତ ଘଷିସାରି ଗାଧୋଇଲି । ବଙ୍ଗଳା ନାଇକ ଦୂରରୁ ଭାପୁର ସହର ଦେଖାଇ ଦେଲା । ମାଛି ଅନ୍ଧାର ବେଳ । ସହରଟି ଗୋଟାଏ ମାନଚିତ୍ର ପରି ଦେଖାଯାଉଥାଏ । ଗାଧୋଇ ସାରି ଆସି ବାରଣ୍ଡାରେ ବସି ଠାକୁର ନାମ ନେଲି, ହରେକୃଷ୍ଣ ନିତ୍ୟକର୍ମ କରିବାକୁ ଗଲା । ମୋର ପୂଜା ସରିଲା, କିଛିକ୍ଷଣ ପରେ ଫକୀରମୋହନ ବାବୁ ଉଠି ବାହାରକୁ ଆସି ମୋତେ ଦେଖିଲେ । ତାଙ୍କର ବ୍ୟସ୍ତତାର ସୀମା ରହିଲା ନାହିଁ । କହିଲେ–‘‘ତୁମ୍ଭେ କେତେବେଳକୁ ଆସି କାକରରେ ବସି କଷ୍ଟ ସହିଲ, ମୋତେ ଉଠାଇଲ ନାହିଁ । କେହି ଆସିଲେ ମୋତେ ଉଠାଇ ଦେବାପାଇଁ ବଙ୍ଗଳା ଜଗାଳି ନାଇକକୁ କହିଥିଲି । ସେବି ଉଠାଇଲା ନାହିଁ ।’’ ତାଙ୍କୁ ଏପରି ସନ୍ତାପି ହେବାର ଦେଖି ମୁଁ କହିଲି–ନାଇକ ମୋତେ କହିଥିଲା, କିନ୍ତୁ ମୁଁ ଆପଣଙ୍କୁ ଡାକିବାକୁ ମନାକଲି । ଏହା କହି ମୁଁ ଯାଇ ତାଙ୍କୁ ପ୍ରଣାମ କଲି । ସେ ମୋ ମୁଣ୍ଡରେ ସ୍ନେହ ଶୀତଳହାତ ବୁଲାଇ କଲ୍ୟାଣ କଲେ । ଚଞ୍ଚଳ କଫି କରିଦେଇ ରୋଷାଇ କରି ଦେବାକୁ ସେ ପାଚକକୁ ଆଦେଶ ଦେଲେ । ଦୁହେଁ ବସି କଥାବାର୍ତ୍ତା ହେଉଛୁଁ, ଫକୀରମୋହନ ବାବୁ ଦୂରକୁ ଚାହିଁ ଦେଇ କହିଲେ–ଏହି ଶାସ୍ତ୍ରୀ ଆସୁଛନ୍ତି । ତୁମ୍ଭେ ନ ଆସିବାରୁ କାଲି କେତେ ଭାବନା କରୁଥିଲେ । ମୁଁ ଦେଖିଲି ବନ୍ଧହୁଡ଼ା ବାଟେ ଆମରି ଆଡ଼କୁ ଜଣେ ଭଦ୍ରଲୋକ ଆସୁଛନ୍ତି । ମୁଣ୍ଡରେ ବାବୁରି ବାଳ, ହାତରେ ସୁନା ବଳା ଏବଂ କାନରେ ପଥରବସା ସୁନାଫୁଲ । ଚାହୁଁ ଚାହୁଁ ଆସି ସେ ପହୁଞ୍ଚି ଗଲେ । ଫକୀରମୋହନ ବାବୁ କହିଲେ–ଶାସ୍ତ୍ରୀ ଗାରୁ, ଏହି ଆପଣଙ୍କ ଚିନ୍ତାମଣି ବାବୁଙ୍କୁ ନେଉନ୍ତୁ; କାଲି ଆପଣଙ୍କ ପାଇଁ କେତେ ଭାଳେଣୀ କରୁଥିଲେ । ଶାସ୍ତ୍ରୀ ଆସି ମୋତେ କୁଣ୍ଢେଇ ପକେଇଲେ । ଶିଷ୍ଟ ସମ୍ଭାଷଣ, ମିଷ୍ଟାଳାପ ପ୍ରଭୃତି ହୋଇଗଲା । ଶାସ୍ତ୍ରୀ ମୋତେ ତାଙ୍କ ଘରକୁ ନେଇଯିବା ପାଇଁ ଝଟକା ଡାକିବାକୁ ଉଦ୍ୟତ ହେଲେ । ଫକୀରମୋହନ ବାବୁ କହିଲେ–ଶାସ୍ତ୍ରୀ ଗାରୁ, ସେ ଖଞ୍ଜ ପଟିବ ନାହିଁ, ବହୁଦିନ ପରେ ଅଜା ନାତିର ସାକ୍ଷାତ, ମୁଁ ତାଙ୍କୁ ନଖୁଆଇ ଛାଡ଼ିଦେବି ନାହିଁ । ଆପଣ ମୋର ପ୍ରିୟ ଅତିଥିଙ୍କୁ ବଳାତ୍କାରରେ ଛଡ଼ାଇ ନେଲେ ମୁଁ ପୁଲିସ ଡାକିବି । ଶାସ୍ତ୍ରୀ ହସି ହସି କହିଲେ–ହେଉ, ସେ ଏଠାରେ ପଛରେ ଖାଇବେ, ମୁଁ ନେଇଯାଉଛି ମୋର ଘର ଆଉ ପ୍ରେସ ଦେଖାଇ ଆଣି ଛାଡ଼ି ଦେଇଯିବି । ପୁଲିସକୁ ବି ସଙ୍ଗରେ ଡାକି ଆଣିଥିବି । ମୋତେ ଧରାଇ ଦେବାକୁ ହେଲେ ଏହିଠାରେ ଧରାଇ ଦେବେ । ଉଭୟଙ୍କର ଏହି ମଧୁର ପରିହାସ ପରେ ଶାସ୍ତ୍ରୀ ଝଟକା ଡାକିଆଣି ମୋତେ ନେଇଗଲେ । ହରେକୃଷ୍ଣ ବି ସଙ୍ଗରେ ଗଲା । ବାଟରେ ଯାଉଁ ଯାଉଁ ଶାସ୍ତ୍ରୀ ତାଙ୍କର ପତ୍ରିକାର ଅବସ୍ଥା, ପ୍ରେସର ଅବସ୍ଥା ନିଜର ହାଲ ଏବଂ ଆପଣା ଶିଙ୍ଗରେ ମାଟିଖୋଳି ନିଜ ଗୋଡ଼ରେ ଠିଆ ହେବାର ବହୁ ପୁରୁଣା କାଳର କଥା, ଏହିପରି କେତେ କଥା କହିଗଲେ । ସେ ପୁରୋହିତ ବଂଶ, ତାଙ୍କର ଜଣେ ଓକିଲ ଯଜମାନ ନିଜ ଆୟରୁ ଫି’ଟଙ୍କାରେ ପାହୁଲେ ଲେଖାଏଁ ରଖି ସେହି ଟଙ୍କାରେ ତାଙ୍କୁ ପାଠ ପଢ଼ାଇଥିବା କଥା ମଧ୍ୟ କହିଲେ । ମୁଁ ଶୁଣି ଶୁଣି ମନେ ମନେ ଭାବୁଥାଏ, ବିଦ୍ୟାରତ୍ନ ଯାହା କହିଥିଲେ ଚଞ୍ଚଳମତି ବୋଲି ତାହା ଠିକ୍ । କିନ୍ତୁ ତାଙ୍କର ସ୍ୱଚ୍ଛ, ସରଳ ହୃଦୟକୁ ମନେ ମନେ ପ୍ରଶଂସା କରୁଥାଏଁ । ବାଟରେ ସେ ମୋତେ ଖଲିକୋଟ କଲେଜ ଦେଖାଇ ଦେଲେ । କଲେଜଟି ଖଲିକୋଟର ସ୍ୱନାମଧନ୍ୟ ସ୍ୱର୍ଗୀୟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ଲକ୍ଷାଧିକ ଟଙ୍କା ଦାନରେ ପ୍ରତିଷ୍ଠିତ । କଲେଜରେ ଓଡ଼ିଆ ଓ ତେଲେଙ୍ଗା ଉଭୟ ଜାତି ପଢ଼ନ୍ତି । ଓଡ଼ିଆ ଛାତ୍ରଙ୍କ ପାଇଁ ବିଶେଷ ସୁବିଧା ଅଛି, ସେମାନେ ଅର୍ଦ୍ଧ ବେତନରେ ପଢ଼ନ୍ତି । କଲେଜ ପରେ କ୍ଳବ୍ ପଡ଼ିଲା । ସେଠାରେ ନାନା ଭାଷାର ନାନାପ୍ରକାର ପୁସ୍ତକ ପଢ଼ିବାର ଏବଂ ନାନା ପ୍ରକାର ଖେଳ ଖେଳିବାର ସୁବିଧା ଅଛି-। ସହରର ଶିକ୍ଷିତ, ସମ୍ଭ୍ରାନ୍ତ ବ୍ୟକ୍ତିମାନେ ପ୍ରତ୍ୟହ କ୍ଳବକୁ ଆସନ୍ତି । ବଡ଼ ବଡ଼ ଓକିଲମାନଙ୍କର କୋଠା, ପୋଷ୍ଟ ଅଫିସ ଏବଂ ପ୍ରଧାନ ପ୍ରଧାନ ଦୃଶ୍ୟ ଦେଖାଇ ଦେଖାଇ ଶାସ୍ତ୍ରୀ ଚାଲିଥାଆନ୍ତି । ଏ ଅଞ୍ଚଳରେ କୋଠାଘରକୁ ମେଢ଼ା ବୋଲି କହନ୍ତି । ସଡ଼କ ଦୁଇ ପାଖରେ ପାନ ଦୋକାନ, ଦହି ଦୋକାନ, କଫି ଦୋକାନ, ଜଳଖିଆ ଦୋକାନ ପ୍ରଭୃତି ବସିଥାଏ । ଜଳଖିଆ ମଧ୍ୟରେ ପକୋଡ଼ି ଅର୍ଥାତ୍ ପିଆଜ ଲଙ୍କା ମରିଚ ବହୁଳ ବିରି ବା ଚଣାବଡ଼ା ପ୍ରଧାନ । ଶାସ୍ତ୍ରୀଙ୍କ ‘‘ମେଢ଼ା’’ ଭାପୁର ସହର ମଧ୍ୟରେ, ଘର ପାଖରେ ପ୍ରେସ ଅଫିସ । ପ୍ରେସର ନାମ–‘‘ଶ୍ରୀ ସରସ୍ୱତୀ ପ୍ରେସ ।’’

 

ଝଟକା ଯାଇ ଶାସ୍ତ୍ରୀଙ୍କ ଦ୍ୱାରରେ ପହୁଞ୍ଚିଲା । ଶାସ୍ତ୍ରୀ ମୋତେ ନେଇ ସିଧେସିଧେ ତାଙ୍କ ‘‘ମେଢ଼ା’’ ଉପରକୁ ବାହାରିଲେ । କୋଠାଟି ଦୁଇ ମହଲା, ତଳ ମହଲାରେ ଛାପାଖାନା, ଉପର ମହଲାରେ ଶାସ୍ତ୍ରୀଙ୍କର ଅଫିସ । ଅଫିସ କକ୍ଷ ସୁସଜ୍ଜିତ, ଭାରତର ପ୍ରଧାନ ପ୍ରଧାନ ନେତା, ଖ୍ୟାତନାମା ବ୍ୟକ୍ତି ଏବଂ ଦେବଦେବୀଙ୍କ ଚିତ୍ରମୂର୍ତ୍ତି ଟଙ୍ଗା ହୋଇଅଛି । ଆଉ ଯାହା ଅଛି ତାହା ସୌଖିନ ସାମଗ୍ରୀ ନୁହେଁ ଦରକାରୀ । ଶାସ୍ତ୍ରୀ କହିଲେ–ଏ ମେଢ଼ାର ଉତ୍ପତ୍ତି ଇତିହାସ ଶୁଣନ୍ତୁ । ଏହା କହି ବିସ୍ତୃତ ଭାବରେ ସାଳଙ୍କୃତ ଇତିହାସ ଶୁଣାଇଲେ । ଭାବାର୍ଥ ଏହି ଯେ ‘‘ପୋଲିସ ମେନୁଏଲ’’ ନାମରେ ଖଣ୍ଡେ ପୁସ୍ତକ ସେ ଓଡ଼ିଆ ଓ ତେଲୁଗୁ ଭାଷାରେ ତର୍ଜମା କଲେ । ସେହି ପୁସ୍ତକ ବିକ୍ରୟରୁ ୫ହଜାର ଟଙ୍କା ଲାଭ ମିଳିଥିଲା । ସେହି ଟଙ୍କାରେ ମେଢ଼ା ପ୍ରସ୍ତୁତ ହେଲା । ଶାସ୍ତ୍ରୀ ମୋ ପାଇଁ କାଫି ବରାଦ କଲେ । ଓଡ଼ିଆ ବା ବଙ୍ଗାଳିଙ୍କ ପରି ତେଲୁଗୁଜାତି ଚା ଖୋର ନୁହେଁ–କାଫି ଖୋର । ମୁଁ ମନା କରି କହିଲି–ମୋର ସେ ଅଭ୍ୟାସ ନାହିଁ । ସକାଳଟାରେ ଗରମ ପାଣି ଗୁଡ଼ାଏ ଗିଳି ଲାଭ ବା କଅଣ ? ବରଂ ଥଣ୍ଡା ପାଣି ଗିଲାସେ ପିଇବା ଭଲ । ଶାସ୍ତ୍ରୀ ହସି ହସି କହିଲେ ବାସ୍ତବରେ ଏହା ଆମ୍ଭମାନଙ୍କର ଏକ ବଦ୍ ଅଭ୍ୟାସ । ପୁଣି ଦୁର୍ଭାଗ୍ୟକୁ ତାହା ସମାଜର ଶିଷ୍ଟାଚାର ହୋଇ ପଡ଼ିଛି । ସେହି ମେଢ଼ା ଉପରେ ବସି ତାଙ୍କର କେଉଁ କର୍ମଚାରୀ ଶାନ୍ତ, କିଏ ଦୁର୍ଦ୍ଦାନ୍ତ, କିଏ କାମିକା, କିଏ ଅଳସୁଆ ଠକ, ତାହା ସବୁ ମୋତେ ବୁଝାଇ କହିଲେ । ପତ୍ରିକାର ଆୟ ବ୍ୟୟ କଥା କହିଲେ । ତାଙ୍କ ପତ୍ରିକାକୁ ଅନେକ ରାଜା, ଜମିଦାର ସାହାଯ୍ୟ କରୁଥିଲେ । ସବୁଠାରୁ ବେଶୀ ସାହାଯ୍ୟ କରୁଥିଲେ ବଡ଼ଖେମଣ୍ଡିର ରାଜା କୃପାମୟଦେବ । ସେ ବର୍ଷକୁ ଛଅ ଶଗଡ଼ ଧାନ ଏବଂ ତିନିଶ ଟଙ୍କା ଦେଉଥିଲେ । ଆହୁରି କେତେକ ସ୍ଥାନରୁ ମଧ୍ୟ ବାର୍ଷିକ ସାହାଯ୍ୟ ମିଳୁଥିଲା । ପ୍ରାଇମେରୀ ଶିକ୍ଷାର ପ୍ରାୟ ଯାବତୀୟ ଓଡ଼ିଆ ପୁସ୍ତକ ଶାସ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ହୋଇ ସ୍କୁଲମାନଙ୍କରେ ଚଳୁଥିଲା । ସେଥିରେ ତାଙ୍କର ଆୟ ମଧ୍ୟ ଯଥେଷ୍ଟ ହେଉଥିଲା । ସେ ଓଡ଼ିଆ କହି ପାରନ୍ତି, ମାତ୍ର ଲେଖି ପାରନ୍ତି ନାହିଁ । ସାମାନ୍ୟ ନାମ–ମାତ୍ର ପାରିଶ୍ରମିକ ଦେଇ ଅନ୍ୟଠାରୁ ପୁସ୍ତକ ଲେଖାଇ ନେଇ ନିଜ ଛାପାଖାନାରେ ଛପାଇ ନିଜ ନାମରେ ପ୍ରକାଶ କରୁଥିଲେ । ଜଣେ ଖ୍ରୀଷ୍ଟିଆନ ତାଙ୍କର ପ୍ରଧାନ ଲେଖକ ଥିଲେ । ତାଙ୍କୁ ଟଙ୍କାକର ମଦ ପିଆଇଲେ ସେ ଖଣ୍ଡିଏ ପୁସ୍ତକ ଲେଖିଦିଅନ୍ତି । ଏଣୁତେଣୁ କଥାବାର୍ତ୍ତା ପରେ ଛାପାଖାନା ଦେଖିବାକୁ ତଳକୁ ଓହ୍ଲାଇ ଆସିଲୁଁ । ଛାପାଖାନାର କର୍ମଚାରୀମାନେ ଯେ ଯାହା କାମରେ ଲାଗିଛନ୍ତି । କର୍ମଚାରୀ ଅପେକ୍ଷା ଉମେଦ୍‍ଦାର ଅଧିକ । କିଏ କମ୍ପୋଜ ଶିଖୁଛି, କିଏ ଡିଷ୍ଟ୍ରିବିଉଟ୍ କରୁଛି–କିଏ ଛପା କାର୍ଯ୍ୟରେ ସାହାଯ୍ୟ କରୁଛି । କେତେକ ପିଲା ଅକ୍ଷର ଖୁଣ୍ଟା, ଘର ଖରକା, ପୁସ୍ତକସିଆଁ ଓ କାଗଜ ଭଙ୍ଗା ପ୍ରଭୃତିରେ ଲାଗିଛନ୍ତି । ଅନାହାରୀ ହାକିମଙ୍କ କପାଳଠାରୁ ସେମାନଙ୍କ କପାଳ ଆହୁରି ଊଣା । ଅନାହାରୀ ହାକିମଙ୍କ ଭାତ, ବର୍ତ୍ତନ ନ ଥିଲେ ସୁଦ୍ଧା ଗୋଟିଏ ଫମ୍ଫା ଉପାଧି ଅଛି । ମାତ୍ର ଏ ବିଚାରା ଗୁଡ଼ିକଙ୍କର ସେତକ ବି ନାହିଁ । କିଏ ତିନି ମାସ, କିଏ ଚାରି ମାସ ହେଲା ଘରୁ ଖାଇ ଘୋଡ଼ା ଆଗରେ ଦଉଡ଼ୁଛନ୍ତି । ଆଉ କେତେ ଦିନେକେ ସେମାନେ ଅକ୍ଷରଖୁଣ୍ଟା, ଘର ଖରକା ଇତ୍ୟାଦି କାର୍ଯ୍ୟରେ ପଣ୍ଡିତ ହେବେ କେଜାଣି ! ଶିକ୍ଷା ପାକଳ ହେବାର ସାର୍ଟିଫିକେଟ୍ ମିଳିଲେ ତାଙ୍କର ପୋଡ଼ା କପାଳ ଖୋଲିବ । ତେବେ ଯାଇଁ କିଏ ଛ ସୁଉକା, କିଏ ଦୁଇ ଟଙ୍କା, କିଏ ବା ଅଢ଼େଇ ଟଙ୍କା ଦରମା ପାଇବେ । ଉମେଦ୍‍ଦାର ପାଇଁ କିଛି ଫିସ୍ ଲାଗେ ନାହିଁ–ଏତିକି କର୍ତ୍ତାଙ୍କର ଦୟା । ଆଉ ଗୋଟାଏ ପୁରସ୍କାର ବି ଅଛି–ତାହା ବେଠିରେ ବୋଲଣା । କେବେ ଆସିବାକୁ ଟିକିଏ ଡ଼େରି ହୋଇଗଲେ ବକାବକି ଶୁଣିବାକୁ ହୁଏ । ଛାପାଖାନା ଦେଖିସାରି ମୋ ଲାଗି ଯେଉଁ ବସାଘର ଅପେକ୍ଷା କରି ବସିଛି, ତାକୁ ଦେଖିବାକୁ ଗଲି । ବସାଟି ନିର୍ଜନ ସ୍ଥାନରେ ଅବସ୍ଥିତ, ପରିଷ୍କାର, ପରିଚ୍ଛନ୍ନ । କୂଅ ଏବଂ ପାଇଖାନାର ସୁବିଧା ଅଛି । ସ୍ଥାନମଧ୍ୟ ପ୍ରଶସ୍ତ, ସୁତରାଂ ମୋର ଖୁବ୍ ମନୋନୀତ ହେଲା । ଯେ ଆସିଲେ ତାହା ସଙ୍ଗରେ ଶାସ୍ତ୍ରୀ ମୋତେ ପରିଚୟ କରାଇ ଦେଉଥାନ୍ତି । ଓଡ଼ିଶାରୁ ମୁଁ ଆସିଛି ବୋଲି ଅନେକ ଆଶ୍ଚର୍ଯ୍ୟ ହେଉଥାନ୍ତି, ସମ୍ମାନ ମଧ୍ୟ କରୁଥାନ୍ତି । ଜଣେ ଅତି ମାନ୍ୟକରି ସାଧୁଭାଷାରେ ମୋତେ ପଚାରିଲା–‘‘ତତେ ଇଂଲିଶ ଫାଟ ଆସୁଛନ୍ତିନା’’ । ମୁଁ କହିଲି–କୁଞ୍ଜୁମ କୁଞ୍ଜୁମ । ସୌଭାଗ୍ୟର ବିଷୟ ଏ ମଧ୍ୟରେ ମୁଁ ‘‘କୁଞ୍ଜୁମ’’ ଶବ୍ଦଟି ଶିଖି ନେଇଥିଲି । ସେ ଦିନ ଦୁଇଜଣ ଓଡ଼ିଶାବାସୀଙ୍କୁ ଦେଖିଥିଲି । ଜଣେ ବାରିଷ୍ଟର ବିଶ୍ୱନାଥ ମିଶ୍ର, ତେତେବେଳେ ସେ ରସଲକୋଣ୍ଡା ଟ୍ରେନିଂସ୍କୁଲର ସହକାରୀ ଶିକ୍ଷକ ଥିଲେ । ଆଉ ଜଣେ ସତ୍ୟନାରାୟଣ ପଟ୍ଟନାୟକ-। ସେ ଶିକ୍ଷା ବିଭାଗର ସୁପରଭାଇଜର ଥିଲେ । ସେ ଓଡ଼ିଶାରୁ ନିର୍ବାସିତ ହୋଇ ଗଞ୍ଜାମରେ ଯାଇ ବାସ କରୁଥିଲେ । ତାଙ୍କ ଘର ଗଡ଼ଜାତରେ । ସେ ଏଣ୍ଟ୍ରେନ୍‍ସ ପାସ କରିବାରୁ ରାଜା ତାଙ୍କୁ ସବଂଶରେ ରାଜ୍ୟରୁ ତଡ଼ି ଦେଇଥିଲେ । ସେ ଇଂରାଜୀ ପଢ଼ିଲେଣି, କାଳେ ରାଜାଙ୍କ ନାମରେ ସରକାରଙ୍କୁ କିଛି ଲେଖିଦେବେ, ଏହି ଆଶଙ୍କାରେ ବୁଦ୍ଧିମାନ ରାଜା ଏପରି ବ୍ୟବସ୍ଥା କରିଥିଲେ ।

 

ପ୍ରାୟ ଦଶଟା ବେଳେ ଶାସ୍ତ୍ରୀ ମୋତେ ଆଣି ଫକୀରମୋହନ ବାବୁଙ୍କ ବସା ପାଖରେ ଛାଡ଼ି ଦେଇଗଲେ । ପୂର୍ବରୁ ଖାଦ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ବାବୁ ମୋତେ ଅପେକ୍ଷାକରି ବସିଥିଲେ । ନିପୁଣ ପାଚକ ଲିଙ୍ଗରାଜ ଅଳ୍ପ ସମୟ ମଧ୍ୟରେ ଅନେକ ଉପାଦେୟ ତରକାରୀ ରାନ୍ଧିଥିଲା । ଦୁଇଦିନର ଉପବାସୀ ଉଦର ଦେବତା ବହୁ ଉପଚାରରେ ପୂଜାପାଇ ସନ୍ତୁଷ୍ଟ ହେଲେ । ଭୋଜନ ଶେଷରେ ବିଶ୍ରାମ ଓ ବିଶ୍ରାମ ଭିତରେ ଗଳ୍ପାମୋଦ ଚାଲିଥାଏ । ଫକୀରମୋହନ ବାବୁ କେତେଗୁଡ଼ାଏ ଲେଖା କାଗଜ ଦେଇ କହିଲେ–‘‘ତୁମ୍ଭ ଶାସ୍ତ୍ରୀ ମୋତେ ଏହି ଜଞ୍ଜାଳରେ ପକାଇଛନ୍ତି-। ମୋତେ ତିରିଶଟି ଟଙ୍କା ଦେଇ ଅପରପ୍ରାଇମେରୀ ସାହିତ୍ୟ ଲେଖି ଦେବାକୁ ବରାଦ କରିଛନ୍ତି । ମୁଁ କେତେଗୁଡ଼ିଏ ଗଦ୍ୟ ପଦ୍ୟ ଲେଖିଛି, ଏହି ଲେଖାଗୁଡ଼ିକୁ ନିଅ, ଅବଶିଷ୍ଟ ତୁମେ ପୂର୍ଣ୍ଣ କରିବ ।’’ କାଗଜଗୁଡ଼ିକୁ ମୁଁ ରଖିଲି, ପରେ ସେଥିରେ କେତେଗୁଡ଼ିଏ ଗଦ୍ୟ ପଦ୍ୟ ଯୋଗକରି ଦେଇଥିଲି, ପୁଷ୍ପମାଳା ନାମ ଦେଇ ଶାସ୍ତ୍ରୀ ତାକୁ ଛପାଇଥିଲେ । ଠିକ୍‌ ଦୁଇଟା ବେଳେ ଖଣ୍ଡେ ଝଟକା ନେଇ ଶାସ୍ତ୍ରୀ ଆସି ଉପସ୍ଥିତ । ମୁଁ ଏବଂ ମୋର ଛାତ୍ର ହରେକୃଷ୍ଣ ଫକୀରମୋହନ ବାବୁଙ୍କ ଠାରୁ ବିଦାୟ ନେଇ ଶାସ୍ତ୍ରୀଙ୍କ ସଙ୍ଗରେ ଝଟକାରେ ବସି ଭାପୁର ଆସିଲୁଁ । ନିର୍ଦ୍ଦିଷ୍ଟ ବସାରେ ଓହ୍ଲାଇବା କ୍ଷଣି ପ୍ରେସ କର୍ମଚାରୀମାନେ ଆସି ପହୁଞ୍ଚିଲେ । ଆଳାପ ପରିଚୟ ପରେ ସମସ୍ତେ କାମରେ ଲାଗିଗଲେ-। ନୂତନ ବସାରେ ଯାହା ଯାହା ସବୁ ଅଭାବ ଥିଲା ତାହା ସବୁ ଆଣି ପୂର୍ଣ୍ଣ କରିଦେଲେ । ଯିବା ବେଳେ ମୋଠାରୁ ‘‘ଶିଲ୍’’ ନେଇଗଲେ । ଶିଲ୍ ଶବ୍ଦ ସଙ୍ଗରେ ମୋର ପରିଚୟ ଥିଲା ନାହିଁ । ଶାସ୍ତ୍ରୀ ବୁଝାଇ ଦେଇ କହିଲେ ଏ ଅଞ୍ଚଳରେ ବିଦାୟକୁ ‘‘ଶିଲ୍’’ କହନ୍ତି । ସେହି ଦିନରୁ ଶିଲ୍ ସଙ୍ଗରେ ବନ୍ଧୁତା ହେଲା । ମୁଁ ନୂଆ ବନ୍ଧୁଟିଏ ପାଇ ଖୁସି ହେଲି । ତେଣିକି ରାନ୍ଧିବା, ଖାଇବା, ଶୋଇବା ପ୍ରଭୃତି ମାମୁଲିକଥା ସେ ଗୁଡ଼ାକ ବଖାଣି ପୋଥି ମୋଟା କରିବା ଉଚିତ ନୁହେଁ ।

 

ଗୁନେୟା ଶାସ୍ତ୍ରୀ ଜଣେ ନିତ୍ୟୋଦ୍‌ଯୋଗୀ ପୁରୁଷ । କେତେବେଳେ ସେ ତୁଚ୍ଛା ବସି ରହନ୍ତି ନାହିଁ । ‘‘ଉଦ୍‌ଯୋଗୀନଂ ପୁରୁଷସିଂହ ମୁପୈତି ଲକ୍ଷ୍ମୀଃ’’ ଉପଦେଶଟି ତାଙ୍କରିଠାରେ ସାର୍ଥକ-। କଥା କହିବା ବେଳେ ଏକସ୍ଥାନରେ ବସି ବା ଠିଆ ହୋଇ କଥା କହନ୍ତି ନାହିଁ । ପିଣ୍ଡାର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଟହଲି କଥାବାର୍ତ୍ତା କରୁଥାନ୍ତି; କାରଣ ପଚାରିଲେ କହନ୍ତି ଚାଲିବା ଅଭ୍ୟାସଟାକୁ ବଞ୍ଚାଇରଖିବା ଭଲ । ବନ୍ଧୁବାନ୍ଧବ ବା ପରିଚିତ ଲୋକଙ୍କୁ ଦେଖିଲେ ସେ ଗୋଟାଏ କାମ କରାଇ ନ ନେଇ ଛାଡ଼ନ୍ତି ନାହିଁ । ରାତିରେ ଦେଖାହୋଇଥାଏ, ସକାଳୁ ଉଠିଲା ବେଳକୁ ସେ ପଳାସା, ନୌପଡ଼ା ପ୍ରଭୃତି କେତେସ୍ଥାନ ବୁଲିଆସି ଥାଆନ୍ତି । କେତେଟା କୋମ୍ପାନୀର ସେ ଏଜେଣ୍ଟ ଥିଲେ । ପୁସ୍ତକ ପତ୍ରିକା ଓ କୋମ୍ପାନୀର ଗ୍ରାହକ ସଂଗ୍ରହ ତାଙ୍କ ଭ୍ରମଣର ପ୍ରଧାନ ଉଦ୍ଦେଶ୍ୟ । ସେ ଏକ ସ୍ଥାନରେ ଥୟ ହୋଇ ରହି ପାରନ୍ତି ନାହିଁ । ଏଥିପାଇଁ ମୁଁ ତାଙ୍କର ନାମ ‘‘ବିଜୁଳି’’ ଦେଇଥିଲି । ତାଙ୍କର କର୍ମଶକ୍ତି ଏବଂ ଅଦମ୍ୟ ଅଧ୍ୟବସାୟ ତାଙ୍କୁ ସାମାନ୍ୟ ଅବସ୍ଥାରୁ ଉଚ୍ଚ ଅବସ୍ଥାକୁ ଘେନି ଯାଇଥିଲା । ତାଙ୍କର ପିତା ପୁରୋହିତ କରନ୍ତି, ଠିକ୍ ଓଡ଼ିଆ ପରି ଓଡ଼ିଆ କଥା କହନ୍ତି । ତେତେବେଳେ ତାଙ୍କୁ ତେଲେଙ୍ଗା ବୋଲି ବାରି ହୁଏ ନାହିଁ । ତାଙ୍କର ବେଦ ଉଚ୍ଚାରଣ ସୁସ୍ପଷ୍ଟ ଏବଂ ବିଶୁଦ୍ଧ ।

 

ମୁଁ ଚାର୍ଯ ନେଇ କାମ କରିବାକୁ ଲାଗିଲି । ପତ୍ରିକାର ‘‘ଗଞ୍ଜାମ ଓଡ଼ିଆ ହିତବାଦିନୀ’’ ନାମ ମୋତେ ଭଲ ଲାଗିଲା ନାହିଁ । ଦେଶବନ୍ଧୁ ସମ୍ୱାଦପତ୍ରକୁ ଏରୂପ ସଂକୀର୍ଣ୍ଣ ଗଣ୍ଡିମଧ୍ୟରେ ଆବଦ୍ଧରଖିବା ମୋ ବିବେଚନାରେ ଉଚିତ ନୁହେଁ । ପତ୍ରିକା ସମସ୍ତଙ୍କର ହିତସାଧନ କରେ, ଏକା ଗଞ୍ଜାମ ଓଡ଼ିଆଙ୍କର ନୁହେଁ । ମୁଁ କେବଳ ‘‘ହିତବାଦିନୀ’’ ନାମ ରଖିଲି । ଛାପାକାର୍ଡ଼ ପଠାଇ ନାନାସ୍ଥାନରୁ ଲେଖକ ଓ ସମ୍ୱାଦଦାତା ସଂଗ୍ରହର ବ୍ୟବସ୍ଥା କଲି । ପତ୍ରିକା ଦେଢ଼ଶ ଖଣ୍ଡ ଛପା ହେଉଥିଲା; ମୁଁ ପାଞ୍ଚଶ ଖଣ୍ଡ ଛପାଇଲି । ପ୍ରାକୃତିକ ଉତ୍କଳର ସମସ୍ତ ପରିଚିତ ବିଶିଷ୍ଟ ବ୍ୟକ୍ତିଙ୍କ ପାଖକୁ ହିତବାଦିନୀ ପ୍ରେରିତ ହେଲା । ବିନିମୟ ସୂତ୍ରରେ ସମସ୍ତ ଓଡ଼ିଆ ପତ୍ରିକା ଅଣାଇଲି । ପ୍ରସିଦ୍ଧ ବଙ୍ଗଳା ପତ୍ରିକା କେତେଖଣ୍ଡ ମୂଲ୍ୟଦେଇ ଅଣାଇଲି । ଶାସ୍ତ୍ରୀ ରୋଜ କ୍ଳବକୁ ଯାଇ ତେଲୁଗୁ ଏବଂ ଇଂରାଜୀ ପତ୍ରିକାମାନଙ୍କରୁ ଆବଶ୍ୟକୀୟ ସମ୍ୱାଦ ଟିପି ଆଣିଦେଲେ । ସମ୍ୱାଦସଂଗ୍ରହ ସମ୍ୱନ୍ଧରେ ଶାସ୍ତ୍ରୀ ଖୁବ୍ ଧୂରନ୍ଧର । କଚେରି ପ୍ରଭୃତିରେ ବୁଲିଆସି ଅନେକ ସମ୍ୱାଦ ସଂଗ୍ରହ କରି ଆଣି ଦିଅନ୍ତି । ଏତେ ସମ୍ୱାଦ ଆଣି ଦିଅନ୍ତି ଯେ ସେ ସବୁକୁ ପତ୍ରିକାରେ ସ୍ଥାନ ଅଣ୍ଟେ ନାହିଁ, ଅନେକ ସମ୍ୱାଦ ବାସି ହୋଇ ପଡ଼ିଥାଏ । ହିତବାଦିନୀ ପାଇ ଉତ୍କଳର ସମସ୍ତ ପତ୍ରିକା ଉଚ୍ଚ ମନ୍ତବ୍ୟ ପ୍ରକାଶ କଲେ । ରାଧାନାଥ ରାୟ, ଫକୀରମୋହନ ସେନାପତି, ଚନ୍ଦ୍ରମୋହନ ମହାରଣା, ପୁରୀର ଦିବ୍ୟସିଂହ ମିଶ୍ର ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଉତ୍ସାହଦେଇ ପତ୍ର ଲେଖିଲେ । ସମ୍ୱାଦ, ପ୍ରବନ୍ଧ ଅନେକ ଆସିଲା । ଗ୍ରାହକସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇଲା । ମଥୁରି ବାବୁ ଭଦ୍ରକରୁ ଅନେକ ଗ୍ରାହକ କରାଇ ଦେଲେ । ପ୍ରତ୍ୟେକ ସ୍କୁଲ ଶିକ୍ଷକଙ୍କୁ ହିତବାଦିନୀର ଗ୍ରାହକ ହେବାପାଇଁ ସେ ଅନୁରୋଧ କଲେ । ତାଙ୍କରି ଚେଷ୍ଟାରେ ଅନେକ ଶିକ୍ଷକ ଗ୍ରାହକ ହେଲେ । ଛାତ୍ରମାନଙ୍କ ପାଇଁ ମୂଲ୍ୟ ଊଣା କରି ଦେବାରୁ ଅନେକ ଛାତ୍ର ଗ୍ରାହକମିଳିଲେ । ହିତବାଦିନୀ ନିୟମିତ ରୂପେ ପ୍ରକାଶିତ ହେଲା । ଗଞ୍ଜାମରୁ ଅନେକ ଲେଖିଲେ । ବିଖ୍ୟାତ ପଣ୍ଡିତ ସଦାଶିବ ବିଦ୍ୟାଭୂଷଣ ମଧ୍ୟ ପ୍ରବନ୍ଧ ଲେଖି ପଠାଇଲେ । ତାଙ୍କ ପ୍ରବନ୍ଧ ମଧ୍ୟରୁ ଅନେକ ଉପହାର ପ୍ରାପ୍ତ ପୁସ୍ତକର ସମାଲୋଚନା । ବିଦ୍ୟାଭୂଷଣ ଖୁବ୍‌ ମେଳିଆ ଓ ନବରସରେ ରସିକ । ତାଙ୍କର ପ୍ରତ୍ୟୁତ୍ପନ୍ନ ମତି ଖୁବ୍ ଅସାଧାରଣ । ଖୁବ୍ ଖିଆଲିଆ କଥା କହନ୍ତି । କାନ୍ଦିବା ଲୋକକୁ ହସାଇ ପାରନ୍ତି । ତାଙ୍କପରି ବହୁ ଭାଷାଜ୍ଞ ପଣ୍ଡିତ ବିରଳ । ସରଳ ଅମାୟିକ ବ୍ୟବହାରରେ ସେ ମୋତେ ଏକାବେଳେକେ କିଣିନେଲେ । ପ୍ରତ୍ୟହ ସେ ଆସି ଦେଖା ଦିଅନ୍ତି । ତାଙ୍କୁ ସୁବନ୍ଧୁରୂପେ ପାଇ ମୁଁ କୃତାର୍ଥ ହେଲି । ଦୁଃଖର ବିଷୟ ବର୍ତ୍ତମାନ ସେ ଇହଜଗତରେ ନାହାନ୍ତି । ପାରଳାରୁ ଶଶିଭୂଷଣ ରଥ, ପ୍ୟାରିମୋହନ ପାଣିଗ୍ରାହୀ, ରାମକୃଷ୍ଣ ମିଶ୍ର ନିୟମିତ ଭାବରେ ସମ୍ୱାଦ ଓ ପ୍ରବନ୍ଧ ପଠାଇଲେ । ତେତେବେଳେ ଏ ତିନିହେଁ ପାରଳା ଖେମଣ୍ଡି କଲେଜରେ ପଢ଼ୁଥିଲେ । ସେହି ଛାତ୍ରାବସ୍ଥାରୁ ଶଶିବାବୁଙ୍କ ହୃଦୟରେ ସ୍ୱଦେଶଭିମାନ ଗଠିତ ହୋଇ ଆସୁଥିଲା । ସେ ଥରେ କଲେଜର ଜଣେ ତେଲେଙ୍ଗା ମାଷ୍ଟରଙ୍କର ଅଦ୍ଭୁତ ଓଡ଼ିଆ ଜ୍ଞାନର ନମୂନା ପ୍ରକାଶ କରିଥିଲେ । ମାଷ୍ଟରଟି ଜଣେ ଓଡ଼ିଆ ଛାତ୍ରକୁ କହିଥିଲେ–‘‘କାଲି ସାଇଁତ୍ରୀକି ତୁ ବନ୍ଧ ଖାଟୁ ଉପରେ ଥିଲି ନାହିଁକି ହେ ।’’ ଏତକ ଶଶିବାବୁ ନୀରବରେ ଜୀର୍ଣ୍ଣ କରି ପାରିଲେ ନାହିଁ-। ହିତବାଦିନୀରେ ତାହା ବାହାରିବାରୁ ତେଲୁଗୁ ଶିକ୍ଷକ ସମାଜରେ ଗୋଟାଏ ଆନ୍ଦୋଳନ ଖେଳିଗଲା । ଲେଖକ ନାମରେ ମାନହାନି ମକଦ୍ଦମା କରିବାର ପରାମର୍ଶ ମଧ୍ୟ ହୋଇଥିଲା । ମାତ୍ର ସେକେଣ୍ଡ ପ୍ରିନ୍‍ସ ସ୍ୱନାମ ଧନ୍ୟ ପଦ୍ମନାଭ ଗଜପତି ନାରାୟଣ ଦେବଙ୍କ ଯୋଗୁଁ ତାହା ହୋଇ ପାରିଲା ନାହିଁ । ସେ କହିଲେ–‘‘ ଏଥିରେ ଯେ ବାହାରିବ ସେ ନିଜକୁନିଜେ ଅଯୋଗ୍ୟ ବୋଲି ଚିହ୍ନାଇବ ଓ ଏହାର ଶେଷଫଳ ବଡ଼ ବିଷମ ହେବ । ଏତିକି ଶୁଣି ଆନ୍ଦୋଳନ ଥଣ୍ଡା ହୋଇଗଲା । ବାସ୍ତବରେ ଯେଉଁମାନେ ଓଡ଼ିଆରେ ଏହିପରି କାଣ୍ଡଜ୍ଞାନଶୂନ୍ୟ, ସେ ଓଡ଼ିଆ ପିଲାଙ୍କୁ କଅଣ ପଢ଼ାଇବେ । ଏହିପରି ବିକୃତ ଓଡ଼ିଆ ଭାଷାରେ କଥା କହିଲେ ଓଡ଼ିଆ ପିଲେ ଶୁଣି କଅଣ ଛେନା ଗୁଡ଼ ବୁଝି ଭଟ୍ଟାଚାର୍ଯ୍ୟ ପଣ୍ଡିତ ପାଲଟି ଯିବେ । ଏହା କହିଲେ ପୁଣି କୋପ, ଅଭିମାନ-! ଆଉ ଥରେ ପ୍ୟାରିମୋହନ ପାଣିଗ୍ରାହୀ ଏହିପରି ବିପଦରେ ପଡ଼ିଥିଲେ । କିନ୍ତୁ ଦୁଃଖର ବିଷୟ ଏ ବିବାଦ ଓଡ଼ିଆ ତେଲେଙ୍ଗା ମଧ୍ୟରେ ନୁହେଁ–ଓଡ଼ିଆ ଓଡ଼ିଆ ମଧ୍ୟରେ, ପୁଣି ଗୁରୁଶିଷ୍ୟ ମଧ୍ୟରେ । ତେତେବେଳେ ଗୋପୀନାଥ ନନ୍ଦ କଲେଜର ଦ୍ୱିତୀୟ ପଣ୍ଡିତ ଥିଲେ । ନାମ ଆଦ୍ୟରେ ପ୍ୟାରୀମୋହନ ଶ୍ରୀ ଲେଖିଥିବାରୁ ପଣ୍ଡିତେ ତାଙ୍କର ନମ୍ୱର କାଟିଦେଲେ । ତାଙ୍କ ବିଚାରରେ ଶ୍ରୀଟା ବଡ଼ ବିଶ୍ରୀ । ହିତବାଦିନୀରେ ‘ଶ୍ରୀ ବିଦ୍ୱେଷୀ ପଣ୍ଡିତ’ ଶୀର୍ଷକ ପ୍ରବନ୍ଧ ବାହାରିଲା । ପଣ୍ଡିତେ ଅଗ୍ନି ଶର୍ମା ହୋଇଉଠି ପ୍ରତିବାଦ ଅନ୍ୟଦ୍ୱାରା ଲେଖାଇଲେ । ପ୍ରତିବାଦର ବହୁ ପ୍ରତିବାଦ ହେଲା । ଲେଖକଙ୍କୁ କଲେଜରୁ ବାହାର କରିଦେବାଯାଏଁ କଥାଉଠିଲା । ପଛକୁ ନନ୍ଦେ ନିଜର ଭ୍ରମ ବୁଝିପାରି ଲଜ୍ଜା ଢାଙ୍କିବା ପାଇଁ ଶ୍ରୀ ବିଦ୍ୱେଷ କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଲେ । ପ୍ୟାରୀମୋହନ ବାବୁଙ୍କର ଯେଉଁ ଖାତାରେ ଶ୍ରୀ କଟା ଯାଇଥିଲା ସେ ଉକ୍ତ ଖାତା ଖଣ୍ଡକ ମୋ ପାଖକୁ ପଠାଇ ଦେଲେ । ହିତବାଦିନୀରେ ସେହି ପ୍ରମାଣ ଦେଖାଇ ଦିଆଗଲା । ସେହିଠାରୁ ପଣ୍ଡିତେ ନୀରବ ରହିଲେ । ମଣିଷ ଜୀବନରେ ଏହିପରି ଘଟନା କେତେ ଘଟେ, ସେଥିପାଇଁ କ୍ରୋଧ ପୋଷିବା ନିତାନ୍ତ ଅବିବେଚନାର କାର୍ଯ୍ୟ । ନନ୍ଦପଣ୍ଡିତେ ଏହି ସାମାନ୍ୟ ଘଟନାଲାଗି ମୋ ପ୍ରତି ଗୋଟାଏ ବିଫଳ ବିଦ୍ୱେଷ ଆଜୀବନ ପୋଷଣ କରିଥିଲେ । ସେ ଜଣେ ପ୍ରତିଭାଶାଳୀ ପଣ୍ଡିତ, ଏହା କାହାରି ଅସ୍ୱୀକାର୍ଯ୍ୟ ନୁହେଁ । ତାଙ୍କର ଗଭୀର ଗବେଷଣାଶକ୍ତି ଦୃଷ୍ଟିରେ ତାଙ୍କ ପ୍ରେତାତ୍ମାକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଉଚିତ, କିନ୍ତୁ ସତ୍ୟର ଅନୁରୋଧରେ କହିଲେ ସେ ଟିକିଏ ଆତ୍ମଗର୍ବୀ ଥିଲେ । ଅନ୍ୟର ଅଭ୍ରାନ୍ତ ମତକୁ ସୁଦ୍ଧା ସେ ଗ୍ରାହ୍ୟ କରୁ ନ ଥିଲେ ।

 

ଆଉ ଗୋଟିଏ କଥା ଭୁଲିଯାଇଛି । ବ୍ରହ୍ମପୁରରେ ରହିବାର କିଛିଦିନ ପରେ ଜଣେ ହେଡ଼ କନେଷ୍ଟବଳ ଦୁଇଖଣ୍ଡ ପରଓ୍ୱାନା ଧରି ଆସିଲା–ଖଣ୍ଡିଏ ମୋ ନାମରେ ଓ ଅନ୍ୟ ଖଣ୍ଡିଏ ହରେକୃଷ୍ଣ ନାମରେ । ଆମ୍ଭେ ଦୁହେଁ ଡାକ୍ତରଖାନାକୁ ନ ଯାଇ ପ୍ଳେଗ ନିୟମ ଲଙ୍ଘନ କରିଥିବାରୁ ଆମ୍ଭ ନାମରେ ମକଦ୍ଦମା ହୋଇଛି । ସେଥିରେ ଗୋଟାଏ ତାରିଖ ଧାର୍ଯ୍ୟ ହୋଇଛି । ସେହିଦିନ କୋର୍ଟରେ ହାଜର ହେବାକୁ ହେବ । ହେଡ଼ କନେଷ୍ଟବଳଟି ପାରଳାବାସୀ ଓଡ଼ିଆ, ଅତି ଭଦ୍ର ଲୋକ-। ମକଦ୍ଦମାର ଫଳ କଅଣ ହେବ ବୋଲି ପଚାରିବାରୁ ସେ କହିଲା–ଏହିପରି ମୋକଦ୍ଦମାରେ ପଚାଶ ଟଙ୍କା ଜୋରିମାନା ହେବ ବୋଲି ଆଇନରେ ଅଛି । ଏହା ଶୁଣି ଭାବିଲି ବିପଦଟା ମନ୍ଦ ନୁହେଁ । ଆସିବା ଦିନ ଡାକ୍ତର ଯେଉଁ କାଗଜ ଦୁଇଖଣ୍ଡ ଦେଇଥିଲେ ତାହା ପକେଟ୍‍ରେ ପଡ଼ିଥାଏ; ସେ କଥା ଆଉ ମନରେ ଥିଲା ନାହିଁ । ଶାସ୍ତ୍ରୀ ଆସି ପହୁଁଞ୍ଚିଲେ, ତାଙ୍କୁ ଘଟନା କହିଲି । ଫାରମ ଦୁଇଖଣ୍ଡ ଦେଖି ସେ କହିଲେ–ଚାରିଟା ବେଳେ ବଡ଼ଡାକ୍ତର ଏହି ବାଟେ ଡାକ୍ତରଖାନାକୁ ଯିବେ, ମୁଁ ତାଙ୍କୁ କହିବି । ତେତେବେଳେ ପାଉଲ ସାହେବ ସିଭିଲସର୍ଜନ । ତାଙ୍କ ଗାଡ଼ି ଆସିବାବେଳେ ଶାସ୍ତ୍ରୀ ମୋତେ ସଙ୍ଗରେ ନେଇ ଗାଡ଼ି ଅଟକାଇ ସବୁକଥା କହିଲେ । ହାସପିଟାଲକୁ ନଯିବା କାରଣ ମୋତେ ଡାକ୍ତର ପଚାରିଲେ । ମୁଁ କହିଲି ତେଲୁଗୁ ଫାରମରେ କଅଣ ଲେଖା ଅଛି, ମୁଁ ତାହା କିପରି ଜାଣିବି ? ମୁଁ ଗଞ୍ଜାମକୁ ନୂଆ ଆସିଛି, ତେଲୁଗୁ ଜାଣେ ନାହିଁ-। ଓଡ଼ିଆ ଫାରମ ହୋଇଥିଲେ ମୁଁ ପଢ଼ି ଜାଣି ଥାଆନ୍ତି । ଡାକ୍ତର ହସିହସି କହିଲେ, ମୁଁ ଆଗେ ଯାଉଛି, ତୁମ୍ଭେ ଦୁହେଁ ଫାରମ ଘେନି ଡାକ୍ତରଖାନାକୁ ଆସ । ତଦନୁସାରେ ଶାସ୍ତ୍ରୀଙ୍କୁ ଘେନି ଆମ୍ଭେମାନେ ଡାକ୍ତରଖାନାକୁ ଗଲୁଁ । ପାଉଲ ସାହେବ ଫାରମରେ ଦଶଦିନର ଦସ୍ତଖତ କରି ଦେଇ ରଖିଲେ । ତାଙ୍କରି ମନ୍ତବ୍ୟରେ ଆମ୍ଭେମାନେ ରକ୍ଷା ପାଇଲୁଁ । ମକଦ୍ଦମା ଉଠାଇ ନିଆଗଲା ।

 

ଦିନେ ଶାସ୍ତ୍ରୀ ମୋତେ କହିଲେ–‘‘ମୁଁ ଏଠୁସେଠୁ ପୁସ୍ତକ ଲେଖାଇ ଆଣୁଛି । ଏଣିକି ତୁମ୍ଭେ ଲେଖ, ଲାଭର ଚାରିପଣ ଅଂଶ ତୁମର ରହିବ । ମୁଁ ମଧ୍ୟ ତେଲେଙ୍ଗା ପୁସ୍ତକରୁ କେତେ ସାହାଯ୍ୟ କରିବି ।’’ ମୁଁ ସ୍ୱୀକୃତ ହେଲି । ସାହିତ୍ୟ, ଇତିହାସ, ଭୂଗୋଳ, ବର୍ଣ୍ଣବୋଧ, ସ୍ୱାସ୍ଥ୍ୟରକ୍ଷା, କେତେ ପ୍ରଶ୍ନୋତ୍ତର ଏହିପରି କେତେ ପୁସ୍ତକ ଲେଖିଲି । କାହିଁରେ ଉଭୟଙ୍କର ନାମ ରହିଲା, କାହିଁରେ ବା ଏକା ତାଙ୍କରି ନାମ ରହିଲା । ମୂଲ୍ୟ ପୁସ୍ତକରେ ଗୋଟିଏ ନିର୍ଦ୍ଦିଷ୍ଟ ଥାଏ । ମାତ୍ର ବିକ୍ରୟରେ ଭିନ୍ନ ନୀତି । ଚାରିଅଣା ମୂଲ୍ୟ ଲେଖାଯାଇଥିବା ପୁସ୍ତକ ତିନିଅଣା, ଦଶ ପଇସା, ସ୍ଥାନ ବିଶେଷରେ ଦୁଇଅଣାରେ ବିକ୍ରୟ ହୁଏ । ପ୍ରେସ୍‍ରେ ସୁଦ୍ଧା ନିର୍ଦ୍ଧାରିତ ରେଟ୍‌ ନାହିଁ । ଶହେ ଖଣ୍ଡ ପୋଷ୍ଟ କାର୍ଡ଼ର ଛାପାଖର୍ଚ୍ଚ ଟଙ୍କାକ ଠାରୁ ଚାରିଅଣା ପର୍ଯ୍ୟନ୍ତ ହୁଏ । ସବୁ କାର୍ଯ୍ୟ ଅବ୍ୟବସ୍ଥିତ । ତାଙ୍କପରି ଅର୍ଥପିପାସୁ ଜଗତରେ ଅଳ୍ପ ଥିବେ । ସେ ନିଜେ କହନ୍ତି–ଯେଉଁ ଦିନ ମୋ ପେଡ଼ିରେ ଅତି ଊଣାରେ ପାଞ୍ଚଟା ଟଙ୍କା ନ ପଡ଼ିବ ସେ ଦିନ ମୁଁ ପାଗଳ ହୋଇଯିବି । ପୁସ୍ତକର ଭୁଲ କଟାଯାଏ ନାହିଁ । କହନ୍ତି, ବହିରେ କଣ ଭୁଲ ଥାଏ ନାହିଁ, ଗୋଟାଏ ଗୋଟାଏ କାଟିଦିଅ । ଚଞ୍ଚଳ ପାଇଟି ହୋଇଯାଉ । ତାଲୁକା ବୋର୍ଡ଼ରେ ମେମ୍ବର ଥିବାରୁ ତାଙ୍କ ପୁସ୍ତକ ବିକ୍ରୀରେ ସୁବିଧା ଥିଲା । କର୍ମଚାରୀମାନଙ୍କୁ ଦରମା ଅଳ୍ପ ଦିଅନ୍ତି, ମାତ୍ର ଦୁଇଗୁଣ ଖଟାଇ ନିଅନ୍ତି । ଏହି ହେତୁରୁ କର୍ମଚାରୀ ବଦଳ ବରାବର ଲାଗିଥାଏ । ପ୍ରେସ୍‍କାର୍ଯ୍ୟ, ପୁସ୍ତକ ଲେଖା, ପତ୍ରିକା ପାଠ ଏବଂ ଲେଖା ଏହି ସବୁ ପ୍ରେସ କାର୍ଯ୍ୟରେ ମୋର ଅବକାଶ ରହିଲା ନାହିଁ । ରାତି ବାରଟାଯାଏଁ କାମ କରିବାକୁ ହୁଏ, ଅତିରିକ୍ତ ପରିଶ୍ରମରେ ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ମୋତେ ଜ୍ୱର ହେଲା । ଆଉ ଶାସ୍ତ୍ରୀଙ୍କର ବିକଳ ଦେଖେ କିଏ ! ଏ ବିକଳ ମୋ ପାଇଁ ନୁହେଁ । ତାଙ୍କ ପୁସ୍ତକ ଲେଖା ବନ୍ଦ ହୋଇଗଲା ସେଥିପାଇଁ । ସେ ଯାଇ ପାଉଲ ସାହେବଙ୍କୁ ଡାକିଆଣିଲେ । ଗୋରା ସାହେବ ନୁହେଁ–କଳାସାହେବ । ସେ ଆସି ଜିଭ, ଆଖି, କାନ ନାକ କେତେ ପରୀକ୍ଷା କଲେ । ପୂର୍ବକାଳର ବୈଦ୍ୟମାନେ ନାଡ଼ି ପରୀକ୍ଷା, ମୂତ୍ର ପରୀକ୍ଷା କରୁଥିଲେ । ଏଣିକି ଜିଭ, ନାକ ଚିପି ରୋଗର ପରୀକ୍ଷା କରାଯାଏ । ଡାକ୍ତର ପରୀକ୍ଷା କରିସାରି ଔଷଧ ଲେଖିଦେଇ ଗଲେ । ପ୍ରେସ୍ ପାଖରେ ଔଷଧ ଦୋକାନ । ଶାସ୍ତ୍ରୀ ଯାଇ ଔଷଧ କିଣି ଆଣିଲେ । ଔଷଧ ଖାଇ ଦୁଇଦିନ ପରେ ଟିକିଏ ଉପଶମ ଜଣାଗଲା । ସେ ଦିନ ସନ୍ଧ୍ୟାବେଳକୁ ଶାସ୍ତ୍ରୀ ଗୁଡ଼ାଏ ଲୁଣ–ଲଙ୍କାମରିଚ–ପିଆଜ–ହିଙ୍ଗୁବହୁଳ ବିରିସିଝା ଆଣି ଦେଲେ । ଆଉ ଚାରୁ ମଧ୍ୟ ଗିଲାସେ ଆଣିଥିଲେ । ଉଭୟ ପଦାର୍ଥରୁ ବାମ୍ଫ ଉଠୁଥାଏ । କହିଲେ,–ପଣ୍ଡିତେ, ଏହାକୁ ଖାଇ ଚାରୁ ପିଅନ୍ତୁ । ଚାରୁ ସର୍ବରୋଗହର । କଅଣ କରିବି, ସେହି ଘୋଡ଼ାଦାନାରୁ ମୁଠାଏ ପାଟିରେ ପକାଇ ଆଉ ଯାଏ କୁଆଡ଼େ । ଜିଭ, ତଣ୍ଟି, ଓଠ ସବୁ ହୁତାଶନ ପରି ଜଳିଲା । ପୋଡ଼ା ଛାଡ଼ିଯିବ ବୋଲି ଟିକିଏ ଚାରୁ ପିଇଲି, ମାତ୍ର ସେ ପ୍ରଥମର ବଡ଼ଭାଇ କିମ୍ବା ଗୁରୁଗୋସାଇଁ । ଜଳା ପୋଡ଼ା ଛାଡ଼ିବ କଅଣ, ଦ୍ୱିଗୁଣ ହେଲା । ଶାସ୍ତୀ ଆହୁରି ଦାନା ପାଣି ଗର୍ଭସ୍ଥ କରିବାକୁ ବାରମ୍ବାର ଅନୁରୋଧ କରିଥାନ୍ତି । ମାଡ଼ ଭୟରେ ଚାଟ ପିଲା ପାଠ ନ ଆସୁ ଥିଲେ ସୁଦ୍ଧା ‘‘ହଁ ଅବଧାନେ ଆସିଲାଣି’’ ବୋଲି କହି ପକାଇଲା ପରି ମୁଁ ଛାନିଆଁ ହୋଇ କହିଲି–‘‘ମୋର ଜ୍ୱର ଛାଡ଼ିଗଲାଣି ଶାସ୍ତ୍ରୀ, ଆଉ ଦରକାର ନାହିଁ । ଛାର ଜ୍ୱରକଥା କିଏ ପଚାରେ, ଜ୍ୱରର ବାପକୁ ଜ୍ୱର ହୋଇଥିଲେ ବି ଛାଡ଼ି ପଳାଇବ । ଶାସ୍ତ୍ରୀ ହସି ହସି କହିଲେ–‘‘ତୁମ୍ଭ ପାଇଁ ଅଳ୍ପ ରାଗ ଦିଆ ଯାଇଛି ।’’ ଭାବିଲି ମୋ ପାଇଁ ନ ହୋଇଥିଲେ ବୋଧହୁଏ ଆହୁରି ଅଧମହଣେ ଲଙ୍କାମରିଚ ପୁଟ ଦିଆ ହୋଇଥାନ୍ତା ପରା । ଜ୍ୱର ଛାଡ଼ି ଗଲା, ଶାସ୍ତ୍ରୀ ଗାରୁ ନିଶ୍ୱାସ ଛାଡ଼ି ଆଶ୍ୱାସ ପାଇଲେ । ଏବେ ତାଙ୍କର ପୁସ୍ତକ ଲେଖା ଚାଲିବ । ମୋର ଜ୍ୱର ଛାଡ଼ିଗଲା–ତାଙ୍କର ଗ୍ରହରିଷ୍ଟ ତୁଟିଲା । ଶାସ୍ତ୍ରୀଙ୍କ ଘରୁ ଚଟଣି ଖାଇ ମୁଁ ବୁଝିଛି ସେ ଚଟଣି ଖିଆ ନୁହେଁ, ଚଟକଣିଖିଆ ତେଲଙ୍ଗାମାନେ ଖୁବ୍ ରାଗ ଖାଇ ପାରନ୍ତି । ସେମାନେ ଖଟାଖୋର୍, ମିଠାର ଶତ୍ରୁ । ବଡ଼ଖେମଣ୍ଡିରେ ବିଦ୍ୟାରତ୍ନଙ୍କ ବସାରେ ଦେଖିଥିଲି ତାଙ୍କର ଜଣେ ଚାକରାଣୀକୁ ପଇସାଟିଏ ଦକ୍ଷିଣା ଦେଲେ ସେ ପଣେ କଞ୍ଚା ଲଙ୍କାମରିଚ ଚୋବାଇ ଖାଇଦିଏ । ଲୋକଟି ଦେଖିବାକୁ ସୁର୍ପଣଖାର ମାଉସୀ ପରି ଦିଶେ । ଏତେ ଲଙ୍କାମରିଚ ଖାଇ ତାର ପେଟ ଟିକିଏ ସୁଦ୍ଧା ଖରାପ ହୁଏ ନାହିଁ । ଖାଇଲା ବେଳେ ଟିକିଏ ‘‘ସୁ–ସା’’ ଶବ୍ଦ କରେ ନାହିଁ । ମୁଁ ସ୍ୱଚକ୍ଷୁରେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛି ।

 

ରଙ୍ଗେୟା ନାମକ ଜଣେ ତେଲେଙ୍ଗା ପ୍ରେସ୍‍ମ୍ୟାନ ଥିଲା । ଲୋକଟି ଅତି ନିରୀହ । ସେ ଓଡ଼ିଆ, ତେଲୁଗୁ ଉଭୟ ଭାଷା ଲେଖିପଢ଼ି ଜାଣେ । ଓଡ଼ିଆ ଉଚ୍ଚାରଣ ତାହା ତୁଣ୍ଡରେ ବିକୃତ ହୁଏ ନାହିଁ । ସାଧାରଣ ତେଲେଙ୍ଗାମାନେ ଗୁରୁପ୍ରାଣ ସ୍ଥାନରେ ଲଘୁପ୍ରାଣ ଓ ଲଘୁପ୍ରାଣ ସ୍ଥାନରେ ଗୁରୁପ୍ରାଣ ବର୍ଣ୍ଣ ବ୍ୟବହାର କରନ୍ତି । କାନ୍ଧକୁ ‘‘ଖାନ୍ଦ’’ ସ ବାଘକୁ ‘‘ଭାଗ’’ ବୋଲି କହନ୍ତି । ରଙ୍ଗେୟା ଓକିଲ ମୋହରିର ଥିଲା । ଦୁର୍ଭାଗ୍ୟ ବଶତଃ କାଲ ହୋଇଗଲା । ଏପରି କାଲ ଯେ କାନ ପାଖରେ ଢୋଲ ବଜାଇଲେ ଜାଣି ପାରିବ ନାହିଁ । ଠାର ଚଞ୍ଚଳ ବୁଝିପାରେ । ତାହା ହାତରେ ଲେଖି ଦେଲେ ବି ବୁଝେ । ଦୁର୍ଭାଗ୍ୟ ଯାହାଠାରୁ ଦାଉ ସାଧିବାକୁ ବସେ ତାକୁ ଚୂଡ଼ାନ୍ତ ନ କରି ଛାଡ଼େ ନାହିଁ । ଭାଗ୍ୟ ବିପର୍ଯ୍ୟୟରେ ପଡ଼ି ରଙ୍ଗେୟା ପ୍ରେସମେନ୍ ହେଲା–ତାହାର ମୂଲ୍ୟ ହେଲା ସପ୍ତମୁଦ୍ରା । ସେ ସକାଳୁ ଆସି ଦିନେ ଦିନେ ଦୁଇଟା ପର୍ଯ୍ୟନ୍ତ କାର୍ଯ୍ୟ କରେ । ଅନେକ ସମୟରେ ଉପରଓଳିର କାର୍ଯ୍ୟ ରାତି ଦଶଟା ପର୍ଯ୍ୟନ୍ତ କରେ । ଦିନେ ଦିନେ ମୋତେ ଆସି କହେ–ପଣ୍ଡିତେ, ଆଜି ଦୁଇହଜାର କାଗଜ ଛାପିସାରି ଘରକୁ ଯିବାକୁ ହେବ ବୋଲି ବରାଦ ହୋଇଛି । ଉଃ, ଢେର ରାତି ହୋଇଯିବ । ତେତେବେଳକୁ ବଜାର ପଡ଼ିଯାଇଥିବ ପରା । ଆଜି ଆଉ କପାଳରେ ଭାତ ନାହିଁ । ଏଣୁ ଯାଇ ବଜାରରୁ କିଣିନେଲେ ସିନା ରନ୍ଧା ହେବ । ବଜାର ପଡ଼ିଗଲେ ଆଉ କଣ କରିବି । ଏହା କହି କପାଳରେ ହାତ ପକାଇ କାନ୍ଦି ପକାଏ । କେବେ କେବେ ମୋ ପାଖରୁପଇସା ଧାରନେଇ ଚାଉଳ, ପରିବା କିଣି ଘରେ ଦେଇ ଆସେ । ଏତେ କାମ କରି ସୁଦ୍ଧା ଦିନେ ଟିକିଏ ଉଛୁର ହୋଇଗଲେ ଗାଳି ଖାଏ । ପୁଣି ଜର ବାଧକରେ ଦିନେ ନ ଆସିଲେ ଦରମା କଟିଯାଏ । ବେଙ୍ଗଉପରେ ସବୁ ପରୀକ୍ଷା ଗଲାପରି ତାହାଉପରେ ସମସ୍ତେ ପ୍ରତାପ ଦେଖାନ୍ତି । ତାକୁ ଆଉ ଗୋଟିଏ ଟଙ୍କା ଦେବାକୁ ମୁଁ ବାରମ୍ବାର ଅନୁରୋଧ କରି ସୁଦ୍ଧା କିଛି ଲାଭ ହେଲା ନାହିଁ । ସେ ଆଉ ପ୍ରେସକୁ ଆସିଲା ନାହିଁ । ଏଣେ ପ୍ରେସରେ କାମ ବନ୍ଦ ରହିଲା । ତେତେବେଳେ ଯାଇ କର୍ତ୍ତାଙ୍କର ଚେତନା ଆସିଲା । ତାହା ଘର ପାଖକୁ ଯାଇ ତାର ଦରମା ବଢାଇ ତାକୁ ଆଣିବାକୁ ହେଲା । ସିଧା ଆଙ୍ଗୁଳିରେ ଘିଅ ଉଠେ ନାହିଁ । ଯାହା ସଙ୍ଗରେ ଶାସ୍ତ୍ରୀଙ୍କର ଅପଡ଼ ହୁଏ, ମୋ ପାଖରେ ତାର ଦୁର୍ଗୁଣ ଗାଇ କହନ୍ତି–‘‘ଏଥର ପତ୍ରିକାରେ ତାକୁ ଆଣ୍ଟ କରି ମାରିବାର ଅଛି ।’’ କିନ୍ତୁ ମୁଁ ତାହା ଶୁଣେ ନାହିଁ । ମୁଁ ଥରେ କହିଲି–ବିଦ୍ୱେଷ କଲେ ସମ୍ପାଦକୀୟ ଉଦାରତା ବଦଳରେ ହୀନତା ପ୍ରକାଶ ପାଏ-। ଶାସ୍ତ୍ରୀ ଆଉ କିଛି କହିଲେ ନାହିଁ, ମୁହଁ ଭାରି କରି ରହିଲେ । ମନଭାଙ୍ଗି ଗଲେ ସେ ମୁହଁଟା ପେଡ଼ି ପରି କରନ୍ତି, କିନ୍ତୁ ପରେ ନିଜର ଭୁଲ ବୁଝି ପାରନ୍ତି–ଏହା ତାଙ୍କର ଗୋଟାଏ ଭଲଗୁଣ । ତାଙ୍କର କ୍ରୋଧ ଠିକ୍ ଝୋଟ ନିଆଁ ପରି, ଯେତେ ଶୀଘ୍ର ଲାଗେ, ତେତେ ଶୀଘ୍ର ଲିଭିଯାଏ । କଲେଜର ପରୀକ୍ଷା ପ୍ରଶ୍ନ ତାଙ୍କରି ପ୍ରେସ୍‍ରେ ଛପାହୁଏ । ପିଲାମାନଙ୍କୁ ପ୍ରଶ୍ନ କହିଦେଇ କିଛି ଲାଭ ହୁଏ, ଏହା ମୁଁ ଜାଣେ ନାହିଁ । ଥରେ ମୋ ସମୟରେ ପ୍ରଶ୍ନ ଛପା ହେଲା । ମୁଁ କବାଟ କିଳିଦେଇ ଛପାଇବାର ବ୍ୟବସ୍ଥା କଲି । ପିଲାମାନେ ଝରକା ପାଖରେ ଲୁଙ୍ଗୁପୁଙ୍ଗୁ ହେଲେ । ଶାସ୍ତ୍ରୀ ଆସି ମୋ କାନରେ କହିଲେ ‘‘ପଣ୍ଡିତେ, ଏତେ କଡ଼ା କଲେ ଚଳିବ ନା ? କେତେଟା ପିଲା ମିଶି ଅଶୀ ଟଙ୍କା ଧରି ଆସିଛନ୍ତି । ଗୋଟାଏ ପ୍ରଶ୍ନ କହିଦେଲେ ହେଲା । ମୁଁ କହିଲି–ଏ ଅନେକଙ୍କର ଭାଗ୍ୟ ପରୀକ୍ଷା, ଜାଣୁ ଜାଣୁ ଏ ପାପ କିଏ ମୁଣ୍ଡାଇବ–ଅନ୍ୟାୟ କଲେ ଧର୍ମ ସହିବ ନାହିଁ । ସେ ମୋତେ ଅନେକ ଟଗରା ଟଗରୀ କଲେ, ମୁଁ ବିରକ୍ତ ହୋଇ କାମ ଛାଡ଼ି ବସାକୁ ବାହାରିଲି ଏବଂ କହିଲି–ଆପଣ ପଛେ କରନ୍ତୁ, ମୁଁ ପାରିବି ନାହିଁ-। ଏ କଥା ପ୍ରକାଶ ହେଲେ ଫଳ ବଡ଼ ଭୟଙ୍କର ହେବ । ବହୁ କଷ୍ଟରେ ଶାସ୍ତ୍ରୀ ନିରସ୍ତ ହେଲେ କିନ୍ତୁ ତିନିଦିନ ଯାଏଁ ମୋତେ କଥା କହିଲେ ନାହିଁ । ତାଙ୍କ ପରିବାରମାନେ ଶୁଣି ମୋ ଉପରେ ଭାରି ଖପା ହୋଇଗଲେ । ଶାସ୍ତ୍ରୀଙ୍କର ବ୍ୟବସାୟ ବୁଦ୍ଧି ପ୍ରଖର, ମାତ୍ର ପାରିଉଠନ୍ତି ନାହିଁ । କଟକରୁ ସାନ ସାନ ପୁସ୍ତକ କିଣିନେଇ ଗୋଟାଏ ଦୋକାନ ଖୋଲାହେଲା । ବିକ୍ରୟର ଭାର ତାଙ୍କ ପିତାଙ୍କ ହାତରେ ରହିଲା । ବୁଢ଼ା ଯାହା ବିକ୍ରୟ କରନ୍ତି, ସେଥିରେ ପରିବା କିଣି ପକାନ୍ତି, ଲାଭ ଦୂରେ ଥାଉ ମୂଳ ବୁଡ଼ିବାକୁ ବସିଲା । ତହୁଁ ନିଜେ ଚାବିରଖି କର୍ମଚାରୀମାନଙ୍କ ଦ୍ୱାରା ବିକ୍ରୟର ବ୍ୟବସ୍ଥା କଲେ । କର୍ମଚାରୀ ମଧ୍ୟରୁ କେତୋଟି ‘ଗୁଳାଖିଆ’ ଥାଆନ୍ତି । ‘‘ଗୁଳା’’ ଗଞ୍ଜେଇରେ ତୟାର ହୋଇ ନବାତ ପାଗ ଦିଆଯାଏ । ସେଥିରେ ଭାରି ନିଶା ହୁଏ । ଗୁଳାଖୋର କର୍ମଚାରୀମାନେ ପୁସ୍ତକ ବିକି ଗୁଳାପାଇଁ ଅଧେ ରଖି ଶାସ୍ତ୍ରୀଙ୍କୁ ଅଧେ ଦିଅନ୍ତି । ସେଥିରେ ଲେଖାଲେଖି କିଛି ରହେ ନାହିଁ । କର୍ମଚାରୀମାନଙ୍କ ପକ୍ଷରେ ତାହା ଆହୁରି ସୁବିଧା । ଖଇକୁଲାରେ ବା’ ପଶିଲାପରି ଲାଭ, ମୂଳ ସବୁ ଉଡ଼ିଗଲା–ପୁସ୍ତକ ଦୋକାନ ଶେଷ ହେଲା ।

 

ବ୍ରହ୍ମପୁର ସହରକୁ ଅନେକ ଯାତ୍ରା, ଥିଏଟର, ସର୍କସ ଦଳ ଆସନ୍ତି । ସେଥିରେ ନୋଟିସ ବିଜ୍ଞାପନ ପ୍ରଭୃତି ଶାସ୍ତ୍ରୀଙ୍କ ପ୍ରେସରେ ଛପା ହୁଏ । ପ୍ରେସ କର୍ମଚାରୀମାନେ ବିନାଟିକଟରେ ଯାଇ ଦେଖନ୍ତି । ଏହି ସୁବିଧାରେ ମୁଁ ଅନେକ ଥର ଦେଖିବାକୁ ଯାଇଛି । ଥରେ ତୁନି ରାଜାଙ୍କର ସର୍କସ ଦଳ ହାତୀ, ଘୋଡ଼ା, ବାଘ, ଭାଲୁ ନେଇ ଆସିଲେ । ସେହି ସମୟରେ ପ୍ରବଳ ବର୍ଷା ତୋଫାନ ହେଲା । ସର୍କସର ସୁବୃହତ୍‌ ତମ୍ବୁ ଛିନ୍ନ ଭିନ୍ନ ଅକର୍ମଣ୍ୟ ହୋଇଗଲା ଏବଂ ଛଅଟା ସର୍କସ ଘୋଡ଼ା ମରିଗଲେ । ତୁନି ରାଜା ସମ୍ବାଦ ପାଇ ଦୁଇ ହଜାର ଟଙ୍କା ପଠାଇ ଦେଲେ । ମେନେଜର କୋଡ଼ି ରାମମୂର୍ତ୍ତି ନାଇଡୁ ନୂତନ ତମ୍ବୁ ପ୍ରସ୍ତୁତ କରି ସର୍କସ ଦେଖାଇଲେ । ତାଙ୍କର ଅଦ୍ଭୁତ କୌଶଳ ଦେଖି ଲୋକେ ମୁଗ୍‍ଧ ହୋଇଗଲେ । ସେହି ରାମମୂର୍ତ୍ତି ବର୍ତ୍ତମାନ ପୃଥିବୀ ବିଖ୍ୟାତ ପ୍ରୋଫେସର ରାମମୂର୍ତ୍ତି-। ଦିନେ ତାଙ୍କ ବାଘଟା ଫିଟିଗଲା । ଗୋଟାଏ ହୁଲସ୍ଥୂଲ ପଡ଼ିଗଲା । ସମସ୍ତେ କବାଟ କିଳି ଲୁଚିଲେ-। ରାମମୂର୍ତ୍ତି ଯାଇ ବିରାଡ଼ି ପରି ବାଘଟାକୁ ଧରି ଘେନି ଆସିଲେ । ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଗୋଟିଏ ଦର୍ଶନୀୟ ପର୍ବ । ଅନେକ ସୁମଣ୍ଡିତ ବଡ଼ ବଡ଼ ରଥ ବାହାରେ । ରଥରେ ପ୍ରକାଣ୍ଡ ପୌରାଣିକ ମୂର୍ତ୍ତି ଥାଏ । ମୂର୍ତ୍ତିଗୁଡ଼ିକ ଅନିନ୍ଦ୍ୟସୁନ୍ଦର । ଅଶ୍ଳୀଳଚିତ୍ର ଏବଂ ବେଶ ମଧ୍ୟ ସୁରୁଚିର ବାହାରେ, ସେହି ଶ୍ରେଣୀୟ ଲୋକଙ୍କର ସେଥିରେ ମନୋରଞ୍ଜନ ହୁଏ । ଗଞ୍ଜାମର ବେଶ ଖୁବ୍‌ ସୁନ୍ଦର ଓ ସଙ୍ଗୀତକଳାର ସ୍ୱର ମଧ୍ୟ ଖୁବ୍ ମଧୁର । ଶୀତଳ ଷଷ୍ଠୀରେ ଜଗନ୍ନାଥଙ୍କର ଫୁଲବେଶ ହୁଏ । ଜଗନ୍ନାଥଙ୍କୁ ଧନୁର୍ଦ୍ଧାରୀ ରାମଚନ୍ଦ୍ରଙ୍କ ବେଶରେ ସଜ୍ଜିତ କରାଯାଏ । ଫୁଲ ଏବଂ ତୁଳାରେ ହନୁମାନ, ଅଙ୍ଗଦ ପ୍ରଭୃତିଙ୍କର ମୂର୍ତ୍ତି ପ୍ରସ୍ତୁତ ହୁଏ । ମୂର୍ତ୍ତିଗୁଡ଼ିକ ବଡ଼ ବାହାର । ସେ ଚମତ୍କାର ଦୃଶ୍ୟ ଦର୍ଶକର ହୃଦୟରେ ଅଙ୍କିତ ହୋଇଯାଏ, ଜୀବନରେ ଭୁଲି ହୁଏ ନାହିଁ । ଦେବାଳୟଗୁଡ଼ିକ ସୂକ୍ଷ୍ମ କାରୁକଳାମଣ୍ଡିତ । ଗଞ୍ଜାମର ବାଦ୍ୟ ମଧୁର । ତେଲଙ୍ଗା ବାରିକମାନେ ଢୋଲ ମହୁରୀ ପ୍ରଭୃତି ବଜାନ୍ତି । ଉତ୍ସବରେ ବାଦ୍ୟ ବାଜେ, କେହି ଜନ୍ମ ହେଲେ ବାଦ୍ୟ ବାଜେ, ମଲେ ବି ବାଦ୍ୟ ବାଜେ । ଶବକୁ ଚୋର ଖଣ୍ଟ ପରି କୁକେଇରେ ବାନ୍ଧି ନିଅନ୍ତି ନାହିଁ । ମଣ୍ଡିତ ଚୌଦୋଳରେ ବସାଇ ଫୁଲହାର ପିନ୍ଧାଇ ବିଜୟୀ ବୀରପରି ଆଡ଼ମ୍ବରରେ ଶ୍ମଶାନକୁ ନିଅନ୍ତି । ଏ ରୀତି ଅତି ଉତ୍କୃଷ୍ଟ । ଭଣ୍ଡାରୀକୁ ତେଲଙ୍ଗାମାନେ ‘ମଙ୍ଗ୍‍ଲି’ କହନ୍ତି । ‘ମନ୍ତ୍ରୀ’ ବୋଲି ବି କହନ୍ତି । ଧୋବାକୁ ‘ଚାକ୍‍ଲି’ କହନ୍ତି-। ଓଡ଼ିଆମାନେ ମଢ଼ିଆଳି–କହନ୍ତି । ମଢିଆଳି ଶବ୍ଦ ପୁରାଣମାନଙ୍କରେ ବି ଦେଖାଯାଏ–ତାହା ଖାଣ୍ଟି ଓଡ଼ିଆ ଶବ୍ଦ । କମା ବ୍ରାହ୍ମଣମାନେ ଧୋବାକୁ ପବିତ୍ର ଜ୍ଞାନ କରନ୍ତି । ଧୋବା ପାଣିରେ ଗାଧୁଅନ୍ତି । ପୁଣି ଧୋବାହାତରୁ ଚଲ୍‍ହା (ଘୋଳ ଦହି) ଖାଆନ୍ତି । ବାସ୍ତବରେ ଧୋବାଜାତି ପବିତ୍ର-। ଲୋକେ ତାଙ୍କର କଚାଲୁଗା ପିନ୍ଧି ପବିତ୍ର ହୁଅନ୍ତି । ଅଥଚ ତାଙ୍କ ଅସ୍ପୃଶ୍ୟ ମଣନ୍ତି–ଏହା ବିଚିତ୍ର କଥା ।

 

ରାଧାନାଥ ବାବୁ କାହାକୁ କିଛି ନ ଲେଖି ମହେନ୍ଦ୍ରଗିରି ଦେଖିବା ଉଦ୍ଦେଶ୍ୟରେ ହଠାତ୍ ଆସି ବ୍ରହ୍ମପୁରରେ ପହଞ୍ଚିଲେ । ତେତେବେଳେ ଭଗବତୀ ଚରଣ ଚାଟୁର୍ଯ୍ୟା ଗଞ୍ଜାମର ସ୍କୁଲ ଡେପୁଟି ଇନ୍‍ସପେକ୍‍ଟର । ଗଞ୍ଜାମରେ ସେ ବଙ୍ଗାଳି ବାବୁ ନାମରେ ପରିଚିତ । ତାଙ୍କ ଭାଇ ବିପ୍ରଚରଣ ଚାଟୁର୍ଯ୍ୟା ବ୍ରହ୍ମପୁରର ପ୍ରସିଦ୍ଧ ଓକିଲ ଥିଲେ । ରାଧାନାଥ ବାବୁ ତାଙ୍କରି ଘରେ ଆସି କୁଣିଆ ହେଲେ । ଠିକ୍ ଚାରିଟାବେଳେ ସରସ୍ୱତୀ ପ୍ରେସରେ ପହୁଞ୍ଚି ମୋତେ ଖୋଜିଲେ । ମୁଁ ତାଙ୍କୁ ହଠାତ୍ ଦେଖି ଆାଶ୍ଚର୍ଯ୍ୟାନ୍ୱିତ ହୋଇଗଲି । ରାଧାନାଥ ବାବୁ କହିଲେ–‘‘ମହେନ୍ଦ୍ରଗିରି’’ ଦେଖିବା ଉଦ୍ଦେଶ୍ୟରେ ମୁଁ ହଠାତ୍ ବାହାରି ଆସିଲି, ଆପଣଙ୍କୁ ପତ୍ର ଲେଖିବାକୁ ଅବସର ହେଲା ନାହିଁ । ଆପଣ ମହେନ୍ଦ୍ରଗିରି ଦେଖିଛନ୍ତି କି ? ମୁଁ କହିଲି–‘‘ଅଳ୍ପଦିନ ହେଲା ଆସିଛି, ସବୁବେଳେ କାର୍ଯ୍ୟରେ ଲିପ୍ତ ରହିବାକୁ ହୁଏ । ଏଥିମଧ୍ୟରେ ମୁଁ କୁଆଡ଼େ ଯାଇପାରି ନାହିଁ ।’’ ତାପରେ ସେ କହିଲେ–‘‘ଯାହାହେଉ ଆପଣଙ୍କର ଥରେ ମହେନ୍ଦ୍ରଗିରି ଦେଖିବା ଉଚିତ ।’’ ମୁଁ କହିଲି–‘‘ଆପଣ ଦେଖି ଆସିଲା ପରେ ମୁଁ ଆପଣଙ୍କଠାରୁ ଶୁଣି ଦେଖିବାକୁ ଯିବି ।’’ ରାଧାନାଥ ବାବୁ କହିଲେ–ନିଶ୍ଚୟ ଯିବାକୁ ଚେଷ୍ଟା କରିବେ । ତେବେ ଆସନ୍ତୁ, ଖଣ୍ଡେ ବୁଲିଆସିବା । ସହର ଭିତରକୁ ଯିବା ନାହିଁ । ବାରାକସ୍ ପଡ଼ିଆରେ ବୁଲିବା । ସେହିଠାରୁ ମହେନ୍ଦ୍ରକୁ ଦୂରରୁ ଚିହ୍ନିବାକୁ ଚେଷ୍ଟା କରିବା । ବାରାକସ୍ ପଡ଼ିଆ ଖୁବ୍ ବିସ୍ତୃତ ପଡ଼ିଆ । ତୃଣ ଗହଳରେ କମ୍ବଳବିଛା ହେଲାପରି ଦିଶେ । ଶେଷ ସୀମାରେ ଗୋଟାଏ ଶାଖା କେନାଲ । ମୁନି ଆଶ୍ରମ ପରି ଖଣ୍ଡେ ସାନ ବଗିଚା ଦୂରରେ ଅଛି । ସେଠାକୁ ମହେନ୍ଦ୍ର-ମାଳ ଦୂର ଆକାଶର ନୀଳରେଖା ପ୍ରାୟ ଦିଶେ । ରାଧାନାଥ ବାବୁ ଦେଖି କହିଲେ–‘‘ଏହି ଯେ ଅନେକ ପର୍ବତ-ସ୍ତର ଭେଦି ଉଚ୍ଚ ଚୂଡ଼ା ଦିଶୁଛି, ବୋଧହୁଏ ସେହି ମହେନ୍ଦ୍ର । ଆମ ଅନୁମାନ ଠିକ୍‌ କି ନା ମୁଁ ଦେଖି ଆସିଲେ କହିବି । ବୁଲିସାରି ଫେରିବା ବେଳେ ହଠାତ୍ ଠିଆହୋଇ ଯାଇ କହିଲେ–‘‘ଏହି ଗୋଟିଏ ପକ୍ଷୀର ସ୍ୱର ଶୁଣନ୍ତୁ, ପକ୍ଷୀଟିର ନାମ ଫୁଲଚୁରୀ ।’’ କହୁଁ କହୁଁ ପକ୍ଷୀଟି ଉଡ଼ିଗଲା । ବାବୁ ଅଙ୍ଗୁଳି ସଂକେତରେ ମତେ ଦେଖାଇ ଦେଲେ । ମୁଁ ଚିହ୍ନି ପାରିଲି, ପକ୍ଷୀଟି ଅତି କ୍ଷୁଦ୍ର; ସେହିପରି ପକ୍ଷୀକୁ କନିଅର ଫୁଲଭିତରେ ପଶି ମହୁ ଶୋଷିବାର ମୁଁ ଅନେକ ଥର ଦେଖିଛି । ମାତ୍ର ନାମ ଜାଣି ନଥିଲି । ରାଧାନାଥ ବାବୁ କହିଲେ–ବସନ୍ତ ଆରମ୍ଭରେ ଏହାର ଶବ୍ଦ ହୁଏ । ଫୁଲଚୁରୀର ସ୍ୱର ଠିକ୍ ବୀଣା ଶବ୍ଦ ପରି ମଧୁର । ଏହିପରି କଥାବାର୍ତ୍ତା ହୋଇ ତାଙ୍କ ବସାରେ ଆସି ପହଞ୍ଚିଲୁଁ । ସେ ଦିନ ରାତିରେ ସେ ମଞ୍ଜୁଷା ଗଲେ । ଫେରିବାବେଳେ ବ୍ରହ୍ମପୁରରେ ଓହ୍ଲାଇବା ପାଇଁ ଏବଂ ମଞ୍ଜୁଷାରୁ ମୋତେ ପତ୍ର ଲେଖିବାପାଇଁ କହିଗଲେ ।

 

ରାଧାନାଥ ବାବୁ ମଞ୍ଜୁଷାରେ ପହୁଞ୍ଚିଲେ । ତେତେବେଳେ ଜଣେ ତେଲଙ୍ଗା ମଞ୍ଜୁଷାର ଦେୱାନ ଥିଲେ । ସେ ଶୁଣିଲେ ଯେ ବାବୁ ଶିକ୍ଷା ବିଭାଗର ଇନିସ୍‍ପେକ୍‍ଟର ଥିଲେ । ବର୍ତ୍ତମାନ ପେନ୍‍ସନ୍ ପାଉଅଛନ୍ତି । ମଞ୍ଜୁଷା ରାଜା ଜଣେ ଓଡ଼ିଆ ରାଜା, ପୁଣି ବାବୁ ଓଡ଼ିଶାବାସୀ, ଏତିକିରେ ସେ ଅଦ୍ଭୁତ ଉର୍ବର ପରିକଳ୍ପନା ବଳରେ ସିଦ୍ଧାନ୍ତ କରିନେଲେ ଯେ, ରାଧାନାଥ ବାବୁ ତାଙ୍କ ଦାନାରେ ଧୂଳି ପକାଇ ଦେୱାନ ହେବାପାଇଁ ଆସିଛନ୍ତି । ରାଜା ଜଣେ ଜାତ୍ୟଭିମାନୀ ବ୍ୟକ୍ତି, ଏଡ଼େ ବଡ଼ ଯୋଗ୍ୟ ଲୋକ ପାଇଲେ ସେ ନିଶ୍ଚୟ ଆଗ୍ରହରେ ଦେୱାନ କରିନେବେ, ତାହା ହେଲେ ତ ମୋର କପାଳ ଫାଟିବ । ଏହା ଭାବି ସେ ରାଧାନାଥ ବାବୁଙ୍କ ମହେନ୍ଦ୍ର ଯିବାର କିଛି ବ୍ୟବସ୍ଥା କଲେ ନାହିଁ । ଏ କଥା କବିବର ଜାଣିପାରି କହିଲେ–ମୋ ଲାଗି ଲୋକ ଏତେ ଭୟ କରୁଛି ଆଉ ଚାକିରୀ ଯିବାର ସ୍ୱପ୍ନ ମଧ୍ୟ ଦେଖୁଛି । ମହେନ୍ଦ୍ର ଦେଖା ପଛେ ନ ହେଉ, ମୁଁ ଏହିକ୍ଷଣି ଫେରିଯାଉଛି, ତାହାହେଲେ ଲୋକଟିର ଆଶଙ୍କା ଦୂର ହେବ, ସେ ନିଶ୍ଚିନ୍ତ ହେବେ । ଏହା କହି ମଞ୍ଜୁଷାରୁ ଫେରି ଆସିଲେ । ରାଧାନାଥଙ୍କର ମହତ୍ତ୍ୱ ଏଥିରୁ ଅନୁମେୟ । ତାଙ୍କର ମନ କେଡ଼େ ପବିତ୍ର, ଉଦାର ଏବଂ କୋମଳ ଥିଲା ତାହା କଳନା କରିହେବ ନାହିଁ । ଜଣେ ଲୋକକୁ ରେଳରେ ରମ୍ଭା ପଠାଇ ବାବୁଙ୍କ ଆସିବା ଖବର ମୁଁ ବିଦ୍ୟାରତ୍ନଙ୍କୁ ଜଣାଇଥିଲି । ସେ ଶୁଣିବା ମାତ୍ରେ ଦଳବଳ ଘେନି ଆସି ବ୍ରହ୍ମପୁରରେ ପହଞ୍ଚିଲେ । ବିଦ୍ୟାରତ୍ନ ଏକୁଟିଆ ଯାଆନ୍ତି ନାହିଁ, ଯେଉଁଠିକି ଗଲେ ଅଧଡ଼ଜନ ବା ଡଜନେ ଲୋକ ସଙ୍ଗରେ ନେଇ ଯାଆନ୍ତି । ଦୁଇ ତିନିଟା ଚାକର, ପୁଞ୍ଜାଏ କି ପାଞ୍ଚଟା ପାଚକ ଏବଂ କେତେ ଜଣ ବନ୍ଧୁ ସାଙ୍ଗରେ ନେଇ ଯାଆନ୍ତି । ଉତ୍କଳର ସର୍ବ ପ୍ରଧାନ କବି ଗଞ୍ଜାମ ଆସିଛନ୍ତି, ତାଙ୍କୁ ଉପଯୁକ୍ତ ସମ୍ମାନ ନ କଲେ ନିନ୍ଦା ହେବ, ଏହି ବିଷୟରେ ଆଲୋଚନା ଲାଗିଲା । ମୁଁ ଏବଂ ବିଦ୍ୟାରତ୍ନ ଦୁହେଁ ବ୍ରହ୍ମପୁରର ପ୍ରଧାନ ମହାଜନ ମଥୁରି ସାହୁଙ୍କ ନିକଟକୁ ଗଲୁଁ । ସେ ଜଣେ ଖୁବ୍ ଜାତୀୟ ଅଭିମାନୀ ଲୋକ ଥିଲେ । ସେ କହିଲେ ମୋର କୋଠାରେ ସଭାକରି ଅଭିନନ୍ଦନ ଦେବା-। ତତ୍‍କ୍ଷଣାତ୍ ସବୁ ବ୍ୟବସ୍ଥା କରିବା ପାଇଁ ତାଙ୍କ ଗୁମାସ୍ତାମାନଙ୍କୁ ଆଦେଶ ଦେଲେ । ଅଶୀଟଙ୍କା ପଠାଇ ଦେଇ ଯୋଡ଼େ ବ୍ରହ୍ମପୁରୀ ପାଟ କବିଙ୍କୁ ଉପହାର ଦେବାପାଇଁ କିଣିଆଣିଲେ । ରାଧାନାଥ ବାବୁଙ୍କ ଆଗମନ ବାର୍ତ୍ତା ବିଜୁଳି ବେଗରେ ସହର ତମାମ ଖେଳିଗଲା । ମଥୁରି ସାହୁଙ୍କ ଗାଡ଼ିରେ ସଦାଶିବ ବିଦ୍ୟାଭୂଷଣ ଏବଂ ନୀଳମଣି ବିଦ୍ୟାରତ୍ନ ରାଧାନାଥ ବାବୁଙ୍କୁ ନେଇ ସରସ୍ୱତୀ ପ୍ରେସରେ ଆସି ପହୁଞ୍ଚିଲେ । ମୋତେ ଗାଡ଼ିରେ ବସିବାକୁ ଡାକିଲେ । ମୁଁ ସ୍ଥାନ ହେବନା ବୋଲି ପଚାରିବାରୁ ରାଧାନାଥ ବାବୁ କହିଲେ–ଆପଣଙ୍କ ପରି ପାଞ୍ଚଜଣ ସଜ୍ଜନ ଆସି ବସି ପାରନ୍ତି କିନ୍ତୁ ଜଣେ ଦୁର୍ଜ୍ଜନ ସକାଶ ସ୍ଥାନ ନାହିଁ । ଏହା ଶୁଣି ଭାରି ଗୋଟିଏ ହାସ୍ୟ କଲ୍ଲୋଳ ଉଠିଲା । ମୁଁ କହିଲି–କଥାରେ ବି କାବ୍ୟ ରଚନା, ବିଦ୍ୟାଭୂଷଣ ମୋ କଥା ସମର୍ଥନ କରି କହିଲେ–‘‘ଆପଣଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ ।’’ ଗାଡ଼ି ମଥୁରି ସାହୁଙ୍କ କୋଠା ପାଖରେ ପହଞ୍ଚିଲାବେଳକୁ ପ୍ରାୟ ପାଞ୍ଚ ହଜାର ଦର୍ଶକ ଉପସ୍ଥିତ । ଲୋକ ଗହଳରେ ଯିବାକୁ ବାଟ ନାହିଁ । ବହୁ କଷ୍ଟରେ ବାଟକରି ରାଧାନାଥ ବାବୁଙ୍କୁ ନେଇ ମଥୁରି ସାହୁଙ୍କ କୋଠାଉପରକୁ ଗଲୁଁ । ଶାସ୍ତ୍ରୀ, ପର୍ଶୁରାମ ପାତ୍ର ପ୍ରଭୃତି ବ୍ୟକ୍ତି ଆସି ପହୁଞ୍ଚିଲେ । ମଥୁରୀ ସାହୁ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିନେଲେ । ରାତି ସାତଟା ବେଳେ ସଭା ବସିଲା-। ବିଦ୍ୟାଭୂଷଣ, ପର୍ଶୁରାମ ପାତ୍ର କବିଙ୍କ ଶୁଭାଗମନରେ ଆନନ୍ଦ ପ୍ରକାଶ କରି ବତ୍କୃତା ଦେଲେ । ଗଞ୍ଜାମବାସୀଙ୍କ ପକ୍ଷରୁ ଅଭିନନ୍ଦନ ଦିଆଗଲା । ରାଧାନାଥ ବାବୁ ତାଙ୍କ ସ୍ୱଭାବ-ସୁଲଭ ସରଳ, ସୁନ୍ଦର, ନୀତିଗର୍ଭକ ଭାଷାରେ କେତେ ସାରକଥା କହିଲା ପରେ ତାଙ୍କ କଣ୍ଠରେ କର୍ପୂରମାଳା ଏବଂ ଫୁଲହାର ଲମ୍ବାଇ ଦିଆଗଲା । ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ବି ଅତର, କର୍ପୂରମାଳା ଦିଆଗଲା । ତହିଁପରେ ସଭାଭଙ୍ଗ ହେଲା । ତେତେବେଳେ ଯାଏଁ ଲୋକଗହଳି ଭାଙ୍ଗିନାହିଁ । କବିଙ୍କୁ ଦେଖିବା ପାଇଁ ସମସ୍ତଙ୍କର ପ୍ରବଳ ଆଗ୍ରହ । ଅନେକ ସ୍ଥାନ ନ ପାଇ ନିକଟସ୍ଥ କୋଠା ଉପରେ ଚଢ଼ି ଦେଖିଲେ । ଚାରିଆଡ଼ୁ ନମସ୍କାର ବୃଷ୍ଟି ହେଉଥାଏ । କବିଙ୍କ ଅଜ୍ଞାତରେ କେତେ ନମସ୍କାର ହୋଇ ଯାଉଥାଏ, ଜନତା ମଧ୍ୟରୁ କବିଙ୍କ ଉପରେ ପୁଷ୍ପବୃଷ୍ଟି ହେଉଥାଏ । ସେ କି ଆନନ୍ଦ, କି ଉତ୍ତେଜନା, ତାହା ବର୍ଣ୍ଣନା କରିହେବ ନାହିଁ । ରାଧାନାଥ ବାବୁଙ୍କୁ ନେଇଆସି ଆମ୍ଭେମାନେ ଗାଡ଼ିରେ ବସିଲୁ, ତେତେବେଳଯାଏଁ ଫୁଲଫିଙ୍ଗା ଲାଗିଥାଏ । ଫୁଲରେ ଗାଡ଼ି ଅଧେ ପୂର୍ଣ୍ଣ ହୋଇଗଲା । ଜାତୀୟ କବିଙ୍କ ପ୍ରତି ଲୋକଙ୍କର କି ଭକ୍ତି, କି ଆନ୍ତରିକ ଶ୍ରଦ୍ଧା, କି ହୃଦୟର ଗଭୀର ଆତ୍ମୀୟତା, ତାହା ଯେ ଦେଖିଛି ସେ ଜାଣେ । ଦିନେ ଦେଖା ସାକ୍ଷାତ ନାହିଁ, ପରିଚୟ ନାହିଁ, କେବଳ ନାମମାତ୍ର ଶୁଣି ଉଲ୍ଲାସରେ ଲୋକମାନେ ଅଧୀର ହୋଇ ଉଠୁଥାନ୍ତି । ଏରୂପ ଅଯାଚିତ ସମ୍ମାନ, ଆକସ୍ମିକ ପ୍ରୀତିପୂଜା ଯାହା ଭାଗ୍ୟରେ ଘଟେ, ସେ ନର ନୁହେଁ–ନରଦେବତା । ତାଙ୍କ ଜନ୍ମ ଧନ୍ୟ, ଜୀବନ ଧନ୍ୟ ଏବଂ ନାମ ଶତଧନ୍ୟ । ଗୁଣ ମଣିଷକୁ ଏପରି ଆଦର ବଳେ ବଳେ ଆଣି ଦିଏ ସିନା । ବାବୁଙ୍କୁ ବସାରେ ନେଇ ଛାଡ଼ି ଆମ୍ଭେମାନେ ଫେରି ଆସିଲୁଁ ।

 

ତାହା ପରଦିନ ସକାଳେ ଯାଇ ଦେଖିଲି ରାଧାନାଥ ବାବୁ ଗଞ୍ଜାମର ମାନଚିତ୍ର ଦେଖୁଅଛନ୍ତି । ନଦୀ ପର୍ବତମାନଙ୍କ ସମ୍ବନ୍ଧରେ; ଭଗବତୀ ବାବୁଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରୁଛନ୍ତି । ମୁଁ ଯାଇ ପହଞ୍ଚିଲି । ସେ ଭଗବତୀ ବାବୁଙ୍କ ନିକଟରେ ମୋର ପରିଚୟ ଦେଇ ଯଥେଷ୍ଟ ସୁଖ୍ୟାତି କଲେ । ଭଗବତୀ ବାବୁ କହିଲେ–ତାଙ୍କ ସଙ୍ଗରେ ମୋର ଘନିଷ୍ଠ ପରିଚୟ ନ ଥିଲେ ସୁଦ୍ଧା ତାଙ୍କ ଲେଖାରୁ ମୁଁ ପରିଚୟ ପାଇଛି । ରାଧାନାଥ ବାବୁ ପଚାରିଲେ–ତେଲେଙ୍ଗାମାନଙ୍କର ପ୍ରଧାନ ଖାଦ୍ୟ କଅଣ ? ମୁଁ କହିଲି–ତେନ୍ତୁଳି, ଲଙ୍କାମରିଚ । ଶୁଣି ସେ ଆଶ୍ଚର୍ଯ୍ୟ ହେଲେ । ତେଣୁ ମୁଁ କହିଲି ଦିନରେ ଯେ ଅଧମହଣ ତେନ୍ତୁଳି ଓ ଲଙ୍କାମରିଚ ହଜମ କରିପାରନ୍ତି ତାଙ୍କର ପ୍ରଧାନ ଖାଦ୍ୟ ସେହି ତେନ୍ତୁଳି, ଲଙ୍କାମରିଚ ନ କହି ଆଉ କଅଣ କହିବି ? ମୋ କଥା ଶୁଣି ଦୁହେଁଯାକ ହସିଲେ । ଭଗବତୀ ବାବୁ କହିଲେ ଚିନ୍ତାମଣି ବାବୁ ଠିକ୍ କଥା କହିଛନ୍ତି । ରାଧାନାଥ ବାବୁ କହିଲେ–ପୂର୍ବ ବଙ୍ଗରେ ବି ସେହି ଧାରା । ସେମାନେ ଲଙ୍କାମରିଚକୁ ଗୋଟିଏ ସ୍ୱତନ୍ତ୍ର ତରକାରୀ ରୂପେ ବ୍ୟବହାର କରନ୍ତି । ଭାତ ସଙ୍ଗରେ ଜଣେ ଜଣେ ଲୋକ ଆଠଦଶଟା ବଡ଼ ବଡ଼ ଭଜା ଲଙ୍କାମରିଚ ଖାଆନ୍ତି । ସେହି ଲଙ୍କାମରିଚ ଖାଇବାରୁ ତେଲଙ୍ଗାମାନେ ଏତେ ଟାଣ । ଲଙ୍କାମରିଚ ତାଙ୍କୁ ଗୋଟିଏ ଶକ୍ତି ଦିଏ । ଭଗବତୀ ବାବୁ କି ସକାଶ ଘରକୁ ଉଠିଗଲେ । ଆମ୍ଭେ ଦୁହେଁ ବସି ଏଣୁତେଣୁ କଥାବାର୍ତ୍ତା ହେଲୁଁ । ମୁଁ କେତେଗୁଡ଼ିଏ ବରକୋଳି ନେଇଥିଲି, ଦେଲି । ରାଧାନାଥ ବାବୁ ଭାରି ଖୁସି ହୋଇ ପଚାରିଲେ–ବରକୋଳି ମୋର ପ୍ରିୟ ବୋଲି କିପରି ଜାଣିଲେ, ଆଉ ଅସମୟରେ ଏ ଗୁଡ଼ିକ ବା କେଉଁଠୁ ପାଇଲେ ? କହିଲି–ବରକୋଳିକୁ ଆପଣ ଖୁବ୍ ଭଲ ପାଆନ୍ତି ବୋଲି ଶୁଣିଥିଲି । ଜଣେ କମ୍ପୋଜିଟର ବାଡ଼ିରେ ଗୋଟାଏ ବାରମାସି ବରକୋଳି ଗଛ ଅଛି । ସେଥିରେ ପ୍ରାୟ ସବୁଦିନେ କୋଳି ଥାଏ । ମୁଁ ସେହିଠାରୁ ଅଣାଇଥିଲି । ବାବୁ ମୋତେ ସବୁବେଳେ ଆପଣ ସମ୍ବୋଧନ କରନ୍ତି, ସେଥିରେ ମୁଁ ଲଜ୍ଜିତ ହୁଏଁ । ସେଦିନ ସାହସ ଧରି କହିଲି–ମୁଁ ଆପଣଙ୍କୁ ଗୁରୁପରି ଜ୍ଞାନ କରେ, ଆପଣ ମୋତେ ଆପଣ ବୋଲି ସମ୍ବୋଧନ କରନ୍ତି । ସେଥିରେ ମୁଁ ବଡ଼ ଲଜ୍ଜିତ ଓ ସଂକୁଚିତ ହୁଏ-। ରାଧାନାଥ ବାବୁ ହସିହସି କହିଲେ–ମୁଁ ଅପାତ୍ରରେ ସମ୍ମାନ ଦାନ କରେ ନାହିଁ; ଆପଣ ସେଥିପାଇଁ ବିଚଳିତ ହେବେ ନାହିଁ ।

 

ଅପରାହ୍ଣରେ ରାଧାନାଥ ବାବୁ କହିଲେ–‘‘ଚାଲ, ବୁଲିବାକୁ ଯିବା । ସହରରେ ବୁଲି କୋଠାବାଡ଼ି ଦେଖିଲେ କିଛି ଫଳ ନାହିଁ । ଯଦି ସହର ବାହାରେ ନଦୀ, ପର୍ବତ ବା ବଣ ଥାଏ ତେବେ ସେଠାକୁ ଯିବା । ସହରର ଉପକଣ୍ଠରେ ସୀତାଫଳ ପାହାଡ଼ ନାମରେ ଗୋଟାଏ ସାନ ଡିମିରା ଅଛି, ତାହାର ଆପାଦମସ୍ତକ ଆତ ଗଛରେ ପୂର୍ଣ୍ଣ । ଆତକୁ ଗଞ୍ଜାମରେ ସୀତାଫଳ କହନ୍ତି-। ପାହାଡ଼ଟିରେ ଆତଗଛର ଆଧିକ୍ୟ ହେତୁ ତାହାର ଉପରୋକ୍ତ ନାମ ହୋଇଅଛି । ଚାରିଟା ବେଳେ ସେହି ପାହାଡ଼ ଦେଖିବାକୁ ଗଲୁଁ । ପ୍ରେସର କେତେ ଜଣ କର୍ମଚାରୀ ପଥପ୍ରଦର୍ଶକ ହେଲେ-। ବାଟରେ ଯାଉଁ ଯାଉଁ ଗୋଟାଏ ଆଚ୍ଛା କୌତୁକ ହେଲା । ଦୁଇଜଣ ସ୍ତ୍ରୀ ପାଣି ଆଣିବାକୁ ଯାଉଥିଲେ । ପ୍ରଥମା କହିଲା, ‘‘ମୋ ଯା’ର ଗୁଣ ଶୁଣିବୁ, ଦୁଧ ଆଉଟା ସରିଲେ ତାକୁ ନେଇ ଦହି ବସାଇ ଦେଉଛି । ମୋ ପଲାଟି ଟିକିଏ ଦୁଧ ପାଉନାହିଁ ।’’ ଦ୍ୱିତୀୟା କହିଲା, ‘‘ତୁ କଳି କରୁନାହୁଁ ।’’ ତହୁଁ ପ୍ରଥମା କହିଲା, ମୋତେ କଳି କରି ଆସେ ନାହିଁ ଲୋ ଭଉଣୀ ।’’ ଦ୍ୱିତୀୟା ତାହା କଥା ଶୁଣି ହସରେ ଉଡ଼ାଇ ଦେଇ କହିଲା–‘‘ତିରୀ ଜନ୍ମ ପାଇ କଳି ନ କଲେ ତରିବୁ କେମିତି ଲୋ ହୁଣ୍ଡି ? କଳି ନ କଲେ ପୁଣି ମନ ଆରିମାନ ମେଣ୍ଟିବ କେମିତି ? ସାତଥର କଳି କରିବା ପୁଣି ସାତଥର ମିଶିଯିବା, ନ ହେଲେ ମାଇକିନା ଝିଅ ହୋଇ ଘର କରିବା କିମିତି ? କଳିକରିବା ଏକା ମାଇପି ଜାତିଙ୍କୁ ସୁନ୍ଦର । ତୁ ଆଜି ଏ ପାଣି ମାଠିଆଟା ନେଇ ରଖିବା ବାହାନାରେ କଚାଡ଼ି ଦେବୁ, ମାଠିଆଟା ଫାଟିଯିବ । ତାହାଦେଖି ତୋର ଯା’ଟା ତ ମୁକର କଟର ମଟର ହେବ । ତେତେବେଳେ ତୁ କହିବୁ–ମୁଁ ମାଠିଆଟା ଭାଙ୍ଗିଦେଲି ବୋଲି ତୁ କାନ୍ଦୁଛୁ, ତୁ ଯେ ଦୁଧ, ଦହି ସବୁ ବସାଇ ଦେଉଛୁ, ମୋ ପିଲାଟା ଦୁଧ ନ ପାଇ କାନ୍ଦୁଛି । ମୋତେ କଣ କଳି କରି ଆସେ ନାହିଁ ? ଇମିତି କହିଲେ ସିନା ସମସ୍ତେ ଜାଣିବେ, ସାହି ପଡ଼ିଶା ସମସ୍ତେ ତାକୁ ଛି ଛାକର କରିବେ । ଆଉ ନ ଜାଣିଲେ କିଏ କହିବ । ରାଧାନାଥ ବାବୁ ଶୁଣି ହସି କହିଲେ–‘‘ଉପଯୁକ୍ତ ଶିକ୍ଷୟିତ୍ରୀ । ବୋଧହୁଏ ନିମ୍ନ ଶ୍ରେଣୀର ସ୍ତ୍ରୀଲୋକମାନଙ୍କର ଧାରଣା ଯେ କଳି କରିବା ସ୍ତ୍ରୀଜାତିର ଧର୍ମ । କଳି ନକଲେ ସେମାନେ ସଂସାରରୁ ତରିବେ ନାହିଁ । କଳି ସେମାନଙ୍କର ତାରକମନ୍ତ୍ର ସ୍ୱରୂପ । ପୁଣି କଳି ନକଲେ ଘରକରଣା ବି କରିହେବ ନାହିଁ । କଳି ବିଦ୍ୟାରେ ସ୍ତ୍ରୀ ଲୋକଟି ଟ୍ରେନିଂ ପାସ କରିଥିବ ।’’ କବିଙ୍କର ପରିହାସ ଶୁଣି ସମସ୍ତେ ହସିଲେ । ଖୁବ୍‌ ଗୋଟାଏ ନିର୍ଦ୍ଦୋଷ ଆନନ୍ଦ ମିଳିଲା–ବାଟ-ଚଲା ବାଧିଲା ନାହିଁ ।

 

ସମସ୍ତେ ପର୍ବତ ଉପରକୁ ଉଠିଲୁଁ । ପ୍ରାୟ ପର୍ବତର କଟିଦେଶରେ ଖଣ୍ଡେ ପ୍ରସ୍ତର ଚଟାଣ ଅଛି । ବାବୁ ଏବଂ ମୁଁ ଦୁହେଁ ସେଠାରେ ବସିଲୁଁ । ଆଉ ସମସ୍ତେ ପର୍ବତ ଉପରେ ଉଠିଲେ । ବ୍ରହ୍ମପୁର ସହରର କେତେକ ଅଂଶ ଖଣ୍ଡିଏ ଅସମ୍ପୂର୍ଣ୍ଣ ମାନଚିତ୍ର ପରି ଦେଖାଯାଉଥାଏ । ଝିଙ୍କର ଘରଗୁଡ଼ିକ ଦୂରରୁ ବଡ଼ ସୁନ୍ଦର ଦିଶେ । ଧାଡ଼ି ଧାଡ଼ି ଖପରାଗୁଡ଼ିକ ଗୃହର ବେଣୀ ବିନ୍ୟାସ ତୁଲ୍ୟ ବୋଧହୁଏ । ସେଠାରେ ବସି ଅନେକ କଥାବାର୍ତ୍ତା ହେଲା । ଅମିତ୍ରାକ୍ଷରୀ କବିତା ସମ୍ବନ୍ଧରେ ମୋତେ କେତେକ ଉପଦେଶ ଦେଲେ । ପର୍ବତ ଉପରକୁ ଯାଉଥିବା ଲୋକେ ଫେରି ଆସିଲେ । ସମସ୍ତେ ମିଶି ତଳକୁ ଓହ୍ଲାଇ ଆସିଲୁଁ । ବାବୁ କହିଲେ–ବ୍ରହ୍ମପୁରରେ ଏତେ ବଡ଼ଲୋକ–ଏତେ ବଡ଼ ବଡ଼ ମହାଜନ ଅଛନ୍ତି, ଏ ସୁନ୍ଦର ପର୍ବତଟି ଉପରେ କେହି ଗୋଟିଏ ଘର ବା ବଙ୍ଗଳା କରି ନାହାନ୍ତି କାହିଁକି ? ସ୍ଥାନଟି ଯେପରି ମନୋହର, ଅଥଚ ନିକାଞ୍ଚନ, ଏଠାରେ ସେପରି ହେବା ଦରକାର । ମୁଁ କହିଲି–ଧନୀ ବ୍ୟକ୍ତି ଅନେକ ଅଛନ୍ତି ସତ୍ୟ, କିନ୍ତୁ ସେପରି ରୁଚି ବୋଧହୁଏ କାହାର ନାହିଁ । ଆସିବା ବାଟରେ ବ୍ରହ୍ମପୁରର ଡେରାସାହୀ ପଡ଼ିଲା । ସେମାନେ ପାଟ ବୁଣନ୍ତି । ଦାଣ୍ଡରେ କିଏ ଲୁଣ୍ଡି କାଢୁଛି, କିଏ ତାସଣ କରୁଛି, କିଏ ପିଣ୍ଡାରେ ବସି କଣ୍ଡା ବଳୁଛି । ବିବିଧରଙ୍ଗର ପାଟସୂତା ବିସ୍ତୃତ ହୋଇ ସଡ଼କର ଦୁଇପାଖ ବଡ଼ ବାହାରିଆ ଦିଶୁଛି । ତାହାଉପରେ ଅସ୍ତୋନ୍ମୁଖ ସୂର୍ଯ୍ୟର ସ୍ୱର୍ଣ୍ଣ କିରଣ ପଡ଼ି ଚକଚକ ଦିଶୁଥାଏ । ମୁହଁ ଅନ୍ଧାର ବେଳକୁ ଆସି ଭାପୁରରେ ପହଞ୍ଚିଲୁଁ । ବାବୁଙ୍କୁ ବଙ୍ଗାଳି ବାବୁଙ୍କ ବସାରେ ଛାଡ଼ି ଆମ୍ଭେମାନେ ବିଦାୟ ନେଇ ଆସିଲୁଁ ।

 

ତାହା ପରଦିନ ମୁଁ ତାଙ୍କ ପାଖକୁ ନ ଯାଉଣୁ ସେ ଆସି ପ୍ରେସରେ ଉପସ୍ଥିତ । କହିଲେ–‘‘ଚାଲ, ବିଦ୍ୟାଭୂଷଣଙ୍କ ଘରକୁ ଯିବା । ଖଣ୍ଡେ ଅପ୍ରକାଶିତ ସଂସ୍କୃତ କାବ୍ୟର ଗୋଟାଏ ସ୍ଥାନ ମୋର ଦେଖିବା ଦାରକାର, ସେ କାବ୍ୟ ବିଦ୍ୟାଭୂଷଣଙ୍କ ଘରେ ଅଛି ବୋଲି ସେ ମୋତେ କହିଥିଲେ । ମୁଁ ତାଙ୍କ ସଙ୍ଗରେ ବାହାରିଲି, ମୋ ପଛେ ପଛେ କର୍ମଚାରୀମାନେ ବାହାରିଲେ । ସମସ୍ତେ ଯାଇ ବିଦ୍ୟାଭୂଷଣଙ୍କ ଘରଠାରେ ପହଞ୍ଚିଲୁଁ । ସଦାଶିବ ବିଦ୍ୟାଭୂଷଣ କେତେଖଣ୍ଡ ତାଳପତ୍ର ଲେଖା କାବ୍ୟ ଆଣିଲେ । ବହୁଦିନ ପରେ ପୋଥି ଗୁଡ଼ିକର ଡୋର ଫିଟିଲା । ବିଦ୍ୟାଭୂଷଣ ପଢ଼ିଲେ । ରାଧାନାଥ ବାବୁ ଶୁଣୁଥାନ୍ତି । ସେ ଯାହା ଖୋଜୁଥିଲେ ସେ ଅଂଶ ମିଳିଲା । ବାବୁ ନିଜେ ତାକୁ ଥରେ ପଢ଼ିଲେ ସେଠାରୁ ଫେରିଆସି ଏଣେତେଣେ ଟିକିଏ ବୁଲି ସେ ଦିନର ଭ୍ରମଣ ଶେଷକରାଗଲା ତହିଁ ପରଦିନ ତାଙ୍କର କଟକ ଫେରିଯିବାର ସ୍ଥିର ହେଲା ।

 

ଷ୍ଟେସନକୁ ଯିବା ସକାଶେ ମଥୁରି ସାହୁଙ୍କ ଗାଡ଼ି ଆସିଲା । ପର୍ଶୁରାମ ବାବୁ ସେ ଦିନ କୋର୍ଟକୁ ନ ଯାଇ ତାଙ୍କ ଗାଡ଼ି ଘେନି ଆସିଲେ । ଏଣେ ବିପ୍ରବାବୁଙ୍କ ଗାଡ଼ି ପ୍ରସ୍ତୁତ ହୋଇଥାଏ । ବାବୁ କାହା ଗାଡ଼ିରେ ଯିବେ ? ଯାହାଗାଡ଼ି ଫେରିଯିବ ସେ ମନ ଊଣା କରିବ । ରାଧାନାଥ ବାବୁ ସାପ ନ ମରିବା–ବାଡ଼ି ନ ଭାଙ୍ଗିବା ନ୍ୟାୟ ଧରି କହିଲେ–ଏତେ ବଡ଼ ଘୋଡ଼ାଗାଡ଼ିରେ ମୁଁ ବସିପାରେ ନାହିଁ–ମୋର ଭୟ ହୁଏ । ମୋ ପାଇଁ ଖଣ୍ଡେ ଝଟକା ହେଲେ ଭଲ ହେବ । ତାହା ଧୀରେ ଧୀରେ ଚାଲିବ, ମୋର ବେଶ୍ ସୁବିଧା ହେବ । ତହୁଁ ଖଣ୍ଡେ ଝଟକା ଆସିଲା । ରାଧାନାଥ ବାବୁ ଏବଂ ପର୍ଶୁରାମ ପାତ୍ର ସେଥିରେ ବସିଲେ । ଆଉଖଣ୍ଡେ ଝଟକାରେ ମୁଁ, ବିଦ୍ୟାଭୂଷଣ ଏବଂ ଶାସ୍ତ୍ରୀ ତିନିଜଣ ବସିଲୁଁ । ପ୍ରେସର କର୍ମଚାରୀ କେତେ ଜଣ ଚାଲିକରି ଗଲେ । ରେଳ ଆସି ପହୁଞ୍ଚି ନ ଥାଏ-। ବାବୁ ୱେଟିଂ ରୁମ ବାରଣ୍ଡାରେ ଯାଇ ବସିଲେ । ଦୂରରେ ଥାଇ ଜଣେ ଭିକାରୀ କିଛି ମାଗିଲା, ରାଧାନାଥ ବାବୁ ତାହା ପାଖକୁ ଯାଇ ଗୋପନରେ ତାକୁ କଅଣ ଦେଇ ଚାଲିଆସିଲେ । ରେଳ ଆସିଲା, ଆମ୍ଭେମାନେ ତାଙ୍କୁ ରେଳରେ ବସାଇ ଦେଇ ବିଦାୟ ନେଇ ଆସିଲୁଁ । ଷ୍ଟେସନ ଏପାଖରେ ଆସି ଭିକାରୀକୁ ପଚାରି ବୁଝିଲୁଁ–ବାବୁ ତାକୁ ଟଙ୍କାଟିଏ ଦେଇଥିଲେ । ତାହାର ଆନନ୍ଦର ସୀମା ନାହିଁ । କେହି ତାକୁ ପାହୁଲାଏ ବା ପଇସାଟିରୁ ଅଧିକ ଦିଏ ନାହିଁ । ଟଙ୍କା ପାଇ ସେ ଆନନ୍ଦ ନ ହେବ କାହିଁକି ? ଶୁଣିଥିଲି–ରାଧାନାଥ ବାବୁ କ୍ଷୁଦ୍ରଦାନ କରନ୍ତି ନାହିଁ । ପୁଣି ଗୋପନରେ ଦାନ କରନ୍ତି । ତାଙ୍କ ଡାହାଣ ହାତର ଦାନ ବାମ ହାତ ଜାଣିପାରେ ନାହିଁ । ସେ ଦିନ ଏ କଥାରେ ପ୍ରତ୍ୟକ୍ଷ ପ୍ରମାଣ ପାଇଲି । ଏହିପରି ଦାନ ଯେ କରନ୍ତି, ସେ ଦାନର ମହତ୍ତ୍ୱ ଜାଣନ୍ତି, ଆଉ ଏହିଭଳି ଦାନହିଁ ପ୍ରକୃତ ସାତ୍ତ୍ୱିକ ଦାନ । ସେ ଦାନରେ ଦାତା ଧନ୍ୟ ହୁଏ ଦାନ ବି ଧନ୍ୟ ହୁଏ-। ଲୋକ ଦେଖା ଦାନର ମୂଲ୍ୟ ନାହିଁ, ପୁଣ୍ୟ ନାହିଁ କି ପୁରୁଷାର୍ଥ ନାହିଁ । ସେହି ଦିନ ଠାରୁ ମୋର ତାଙ୍କ ସଙ୍ଗରେ ଦେଖା ହୋଇନାହିଁ–ସେହି ଶେଷ ଦେଖା, କିନ୍ତୁ ଦିନେ ପୁଣି ଦେଖା ହେବ–ଏ ବିଶ୍ୱାସ ମୋର ଅଛି । ସେ ଦିନ ଦେଖାର ଆଉ ବିଚ୍ଛେଦ ଘଟିବ ନାହିଁ । ଭଗବାନ ସେ ଶୁଭଦିନ କେବେ ଆଣିବେ, ତାହା ସେହି ଏକା ଜାଣନ୍ତି; କିନ୍ତୁ ନିଶ୍ଚୟ ଦିନେ ଆଣିବେ–ଏହା ଧ୍ରୁବ ସତ୍ୟ ।

 

ରାଜନ୍ୟ ବର୍ଗଙ୍କ ମଧ୍ୟରେ ସର୍ବପ୍ରଥମେ ମୁଁ ଧରାକୋଟ ରାଜାଙ୍କ ସହିତ ପରିଚିତ ହୋଇଥିଲି । ସେ ଅନେକ ଥର ବ୍ରହ୍ମପୁର ଆସନ୍ତି । ବ୍ରହ୍ମପୁରରେ ତାଙ୍କର ସ୍ୱତନ୍ତ୍ର ବଙ୍ଗଳା ଅଛି । ଥରେ ଗୁନେୟା ଶାସ୍ତ୍ରୀ ମୋତେ ନେଇ ତାଙ୍କ ସହିତ ପରିଚୟ କରାଇ ଦେଲେ । ସେ ମୋତେ ଓଡ଼ିଶା ସମ୍ବନ୍ଧରେ ବହୁକଥା ପଚାରିଲେ । ହିତବାଦିନୀ ଏଣିକି ଭଲ ହେଉଛି ବୋଲି କହିଲେ । ରାଜା ମହୋଦୟ ହିତବାଦିନୀର ଗ୍ରାହକ ଏବଂ ଅନ୍ୟତମ ପୃଷ୍ଠପୋଷକ ଥିଲେ । ଥରେ ବଡ଼ଖେମଣ୍ଡିର ରାଜା କୃପାମୟ ଦେବ ଶାସ୍ତ୍ରୀଙ୍କ ଦ୍ୱାରା ମୋତେ ଡାକି ପଠାଇଥିଲେ । ହିତବାଦିନୀର ସେ ପ୍ରଧାନ ପୃଷ୍ଠପୋଷକ, ଏହା ପୂର୍ବରୁ କହିଅଛି । ମୁଁ ଏବଂ ଗୁନେୟା ଶାସ୍ତ୍ରୀଙ୍କ ଭାଇ ଖଣ୍ଡେ ଶଗଡ଼ କରି ବଡ଼ ଖେମଣ୍ଡି ଗଲୁଁ । ଆମ୍ଭେମାନେ ରାତିରୁ ବାହାରିଥିଲୁଁ । ସକାଳେ ଦିଗପହଣ୍ଡି ଗଡ଼ରେ ପହଞ୍ଚିଲୁଁ । ଦିଗପହଣ୍ଡି ବଡ଼ଖେମଣ୍ଡିର ରାଜଧାନୀ । ତେଲଙ୍ଗାମାନେ ଦିଗପହଣ୍ଡି ‘‘ଦିଗୁ ପୁଡ଼ି’’ କହନ୍ତି । ଗଞ୍ଜାମର ଅନେକ ସ୍ଥାନର ନାମ ଏହିପରି ତେଲେଙ୍ଗାମାନଙ୍କ ଦ୍ୱାରା ବିକୃତ ହୋଇଛି । ବ୍ରହ୍ମପୁର ସୁଦ୍ଧା ‘‘ବେରହମପୁର ’’ ହୋଇଅଛି । ପ୍ରଧାନ ସଭା ପଣ୍ଡିତ ମୋତେ ନେଇ ରାଜାଙ୍କ ପାଖରେ ସାକ୍ଷାତ କରାଇ ଦେଲେ । ତେତେବେଳେ ମାର୍କଣ୍ଡେୟ ତର୍କ ପଞ୍ଚାନନ ବଡ଼ ଖେମଣ୍ଡି ରାଜସଭାର ପ୍ରଧାନ ପଣ୍ଡିତ ଥିଲେ । ସେ ଜଣେ ଯୋଗ୍ୟ ବ୍ୟକ୍ତି । କେତେ ବର୍ଷ ସେ ‘‘ଗଞ୍ଜାମ ଗୁଣଦର୍ପଣ’’ ନାମକ ସପ୍ତାହକ ପତ୍ରର ସମ୍ପାଦକ ଥିଲେ । ରାଜାଙ୍କ ସହିତ ସାହିତ୍ୟ ସମ୍ପର୍କରେ କଥାବାର୍ତ୍ତା ହେଲା । ହିତବାଦିନୀର ସେ ଖୁବ୍‌ ପ୍ରଶଂସା କଲେ । ସେଦିନ ହୁମାର ଯୁବରାଜ ସେଠାରେ ଥିଲେ । ତାଙ୍କ ସଭାପଣ୍ଡିତ ପାଦଶ୍ଳୋକ ନେଇ ଯାଇଥିଲେ । ବଡ଼ ଖେମଣ୍ଡିର ପଣ୍ଡିତମାନେ ସେଥିରେ ଆର ପାଦ ପୂରଣ କରିବେ । ସେମାନେ ମୂଳ ଶ୍ଳୋକ ପାଦକୁ ଅଶୁଦ୍ଧ ବୋଲି କହିଲେ । ହୁମା ତରଫରୁ ପ୍ରତିବାଦ ହେଲା । ବାଦାନୁବାଦ ବଢ଼ି ଭଦ୍ର କଳିରେ ପରିଣତ ହେଲା । ବାଦୀ ପାଲାପରି ପଣ୍ଡିତ କଳି ଖୁବ୍ ଉପଭୋଗ୍ୟ । ଅତି ସାମାନ୍ୟ କଥା ନେଇ ସୃଷ୍ଟି, ସ୍ଥିତି, ପ୍ରଳୟ ପର୍ଯ୍ୟନ୍ତ କଥାଉଠେ । ବର୍ଣ୍ଣାଶୁଦ୍ଧିରୁ ସୃଷ୍ଟିତତ୍ତ୍ୱ ବାହାରିପଡ଼େ । ଆଳୁ ଖୋଳୁଁ ଖୋଳୁଁ ଆଳୁ ଗାତରୁ ମହାଦେବ ବାହାରି ପଡ଼ନ୍ତି । ସେହିଠାରୁ ମହାଦେବଙ୍କ ବିଷୟରେ ତକ ବିତର୍କ ଚାଲେ । ମୂଳ ଆଳୁକଥା ଆଉ କାହାରି ମୁହଁରେ ନ ଥାଏ । ତାହା କୁଆଡ଼େ ମିଳାଇ ଯାଇ ଅଦୃଶ୍ୟ ହୋଇଥାଏ । ଏ ପଣ୍ଡିତ ଯୁଦ୍ଧରେ ହୁମା ପଣ୍ଡିତଙ୍କର ପରାଜୟ ହେଲା, ହେବାର ମଧ୍ୟ କଥା । ହୁମା ପଣ୍ଡିତ ଜଣେ ମାତ୍ର, ତାଙ୍କୁ ଚାରିଜଣ ପଣ୍ଡିତଙ୍କ ସଙ୍ଗେ ଯୁକ୍ତି କରିବାକୁ ହେଲା, ଠିକ୍ ଚକ୍ରବ୍ୟୁହ ଭିତରେ ଅଭିମନ୍ୟୁ ପରି ସେ ରହିଲେ । ସପ୍ତରଥୀ ବଦଳରେ ଚାରିଜଣ ରଥୀ ତାଙ୍କୁ ବାକ୍ୟ ବାଣ ବିନ୍ଧିଲେ । ସେ ପରାସ୍ତ ନ ହୋଇ ବା କୁଆଡ଼େ ଯାଆନ୍ତେ । ବୋଧହୁଏ ପଣ୍ଡିତେ ବଦ୍ ଅନୁକୂଳରେ ଘରୁ ବାହାରି ଥିଲେ ।

 

Unknown

ଦୁଇ ଚାରିଦିନ ରହିବା ସକାଶେ ରାଜା କହିଲେ । କିନ୍ତୁ ମୋର ସମୟାଭାବ, ସେହିଦିନ ଫେରି ଆସିଲେ ହିତବାଦିନୀର ପ୍ରୁଫ୍ ଦେଖିବି, ପରଦିନ ପତ୍ରିକା ଡାକରେ ପଠାଯିବ । ଏହି ଅସୁବିଧା ଦେଖାଇ ମୁଁ କହିଲି, ଅବସର ସମୟରେ ଆସି ଦୁଇ ଚାରିଦିନ ରହି ଏ ଅଞ୍ଚଳ ବୁଲି ଦେଖିବି । ଅରଣ୍ୟ ପ୍ରକୃତି ସହ ପାର୍ବତ୍ୟ ପ୍ରକୃତିର ମିଳନ ଦୃଶ୍ୟ ବଡ଼ ମଧୁର–ବଡ଼ ଲୋଭନୀୟ, କିନ୍ତୁ ଭାଗ୍ୟବାନର ଉପଭୋଗ୍ୟ । ରାଜା ହସିଲେ, କହିଲେ–ହିତବାଦିନୀକୁ ମୁଁ ଯେଉଁ ସାହାଯ୍ୟ ଦିଏ ତାହା ବନ୍ଦ କରିଦେଇ ଥାନ୍ତି, ମାତ୍ର ତୁମ୍ଭର ଲେଖା ପଢ଼ି ବନ୍ଦ କରିବାକୁ ଇଚ୍ଛା ହେଲା ନାହିଁ । ରାଜା ଜଣେ ପାଚକ ପଠାଇ ଖାଦ୍ୟ ପ୍ରସ୍ତୁତିର ସୁବିଧା କରି ଦେଇଥିଲେ । ରାଜ ଘର କୁଣିଆ ଅଧିକ କଣ କହିବି । ଅତିଥି ସତ୍କାରରେ ଗଜପତି ବଂଶ ଚିରପ୍ରସିଦ୍ଧ । ରାଜ କୃପାମୟ ଦେବ ମିଷ୍ଟଭାଷୀ, ଗୁଣଗ୍ରାହୀ, ଦାତା ଏବଂ ସାହିତ୍ୟ–ସହାୟ, କିନ୍ତୁ ଭାରି ଅଭିମାନୀ । ତାହା ବା ନାହିଁ କେଉଁଠାରେ ? ସମ୍ପଦ, ପ୍ରଧାନ୍ୟ, ଆଧିପତ୍ୟ ଯେଉଁଠି ଅଭିମାନ ସେହିଠି । ଉପଯୁକ୍ତ ସମ୍ମାନ ପାଇ ରାଜାଙ୍କଠାରୁ ବିଦାୟ ନେଇ ଆସିଲି ।

 

ପ୍ରାୟ ଦୁଇବର୍ଷ ପୂର୍ବରୁ ‘‘ଗଞ୍ଜାମ ଓଡ଼ିଆ ସମାଜ’’ ସ୍ଥାପିତ ହୋଇଥିଲା । ସମ୍ପାଦକ ଥିଲେ ପର୍ଶୁରାମ ପାତ୍ର । ତାଙ୍କ ସଙ୍ଗରେ ଶାସ୍ତ୍ରୀଙ୍କର ପଡ଼େ ନାହିଁ, ଯାହା ସଙ୍ଗରେ ନ ପଡ଼େ ‘‘ପତ୍ରିକାରେ ତାକୁ ଆଣ୍ଟ କରି ମାଡ଼ ମାରିବା’’ ଇଚ୍ଛା ତ ସବୁବେଳେ ଥାଏ । ପର୍ଶୁରାମ ବାବୁଙ୍କ ବିରୁଦ୍ଧରେ ହିତବାଦିନୀରେ ଲେଖିବା ପାଇଁ ମୋତେ ପ୍ରବର୍ତ୍ତାଇଲେ । ମୁଁ କହିଲ–‘‘ମୋ ଦାୟିତ୍ୱରେ ମୁଁ ତାହା କରି ପାରିବି ନାହିଁ । ପତ୍ରିକା ଖଣ୍ଡେ ହାତରେ ଅଛି ବୋଲି ଯାହାକୁ ଇଚ୍ଛା ତାକୁ ଆକ୍ରମଣ କରିବା ଧର୍ମ ନୁହେଁ–ସେଥିରେ ପତ୍ରିକାର ଗୌରବଟିକକ ନଷ୍ଟ ହୁଏ ।’’ କିନ୍ତୁ ଶାସ୍ତ୍ରୀ ଦୃଢ଼ପ୍ରତିଜ୍ଞ; ସେ କାହାଠାରୁ ଗୋଟାଏ ପ୍ରବନ୍ଧ ଲେଖାଇ ଆଣି କହିଲେ–ତୁମ୍ଭେ ସିନା ଲେଖିବ ନାହିଁ, ପାତ୍ର ତୁମ ଓଡ଼ିଆ ଭାଇ ପରା, ମୁଁ ଅନ୍ୟ ଜଣଙ୍କଠାରୁ ଲେଖାଇ ଆଣିଛି–ପତ୍ରିକାର ଏହି ସଂଖ୍ୟାରେ ଦିଅ । ସେଥିରେ ବି ମୁଁ ରାଜି ହେଲି ନାହିଁ । ମୋତେ ସାକୁଲା ସାକୁଲି କରି କହିଲେ–‘‘ଗଞ୍ଜାମର ବଡ଼ ପ୍ଳିଡ଼ର ରାଘବରାଓଙ୍କୁ ମୁଁ ଏହି ଲେଖା ଦେଖାଇଥିଲି, ସେ କହିଲେ ଏଥିରେ କିଛି ଦୋଷ ନାହିଁ । ଯଦି କିଛି ହୁଏ ତେବେ ମୁଁ ଅଛି ।’’ ଏତେ ଅଭୟ ଦାନରେ ସୁଦ୍ଧା ମୁଁ ମୋର ସେହି ‘ନ’ରେ ବାଡ଼ି ସଂକଳ୍ପରୁ ତିଳେ ଟଳିଲି ନାହିଁ । ତହୁଁ ଶାସ୍ତ୍ରୀ ବିରକ୍ତ ହୋଇ କହିଲେ ‘‘ମୁଁ ପ୍ରବନ୍ଧ ତଳେ ମୋର ନାମ ଦେବି, ଏବେ ପ୍ରକାଶ କର ।’’ ତାଙ୍କର ଏ ଜିଦି ଦେଖି ମୋତେ ଭାରି ବିରକ୍ତ ବୋଧ ହେଲା, କିନ୍ତୁ ଏଥର ଆଉ ମନା ନ କରି କହିଲି–‘‘ହେଉ, ପତ୍ରିକାରେ ଦେଉଛି । କିନ୍ତୁ ଆଜିଠାରୁ ମୁଁ ସମ୍ପାଦକ କାର୍ଯ୍ୟ ଛାଡ଼ିଲି, ଏଣିକି, ତୁମ୍ଭେ ଯାହା କହିବ, ମୁଁ ତାହା ଲେଖିବି–ଏକଥା ମୁଁ ପତ୍ରିକାରେ ସାଧାରଣଙ୍କୁ ଜଣାଇ ଦେଉଛି ।’’ ପ୍ରବନ୍ଧ ଛାପା ହେଲା, ତାହା ଖାଲି କୁତ୍ସାରେ କଳୁଷିତ । ସେହି ସଂଖ୍ୟାର ସମ୍ପାଦକୀୟ ସ୍ତରରେ ମୁଁ ଲେଖିଲି–‘‘ନାନା କାରଣରୁ ମୋର ଆଉ ସମ୍ପାଦକ କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ । ଏଣିକି ପତ୍ରିକାର ସ୍ୱତ୍ତ୍ୱାଧିକାରୀ ଯାହା କହିବେ ମୁଁ ଲେଖିବି । ପତ୍ରିକା ସବୁ ଛାପା ହୋଇ ଡାକରେ ବାହାରି ଗଲା । ଶାସ୍ତ୍ରୀ ଏହି ନିଆଁ ଜାଳିଦେଇ ପାରଳା ଚାଲିଗଲେ । ହିତବାଦିନୀର ସାହାଯ୍ୟ ସେଠାରୁ କିଛି ମିଳେ । ରାଜଭ୍ରାତା ପଦ୍ମନାଭ ଗଜପତି ନାରାୟଣ ଦେବ ବାର୍ଷିକ କୋଡ଼ିଏ ଟଙ୍କା ଦିଅନ୍ତି ବୋଲି ଶୁଣିଥିଲି । ପର୍ଶୁରାମ ବାବୁଙ୍କ ନିନ୍ଦା ଏବଂ ମୋର ଆତ୍ମନିବେଦନ ପଢ଼ି ଶାସ୍ତ୍ରୀଙ୍କ ପ୍ରତି କେହି କେହି ବିରକ୍ତ ହେଲେ । ଯେଉଁମାନେ ତାଙ୍କର ସ୍ୱଭାବ ଜାଣନ୍ତି ସେମାନେ ଘଟଣାର କାରଣ ଠଉରି ନେଲେ । ସେକେଣ୍ଡ ପ୍ରିନ୍‍ସ କାରଣ ପଚାରିଲେ, ଶାସ୍ତ୍ରୀ କହିଲେ–ମୁଁ ଏଣେ ଚାଲି ଆସିଛି, କିଛି ଜାଣେ ନାହିଁ ।’’ ଏହି ଉତ୍ତରରେ ଖୁବ୍ ଗୋଟାଏ ଶୋଧନ ପାଇଲେ, ବାର୍ଷିକ ସାହାଯ୍ୟ କିଛି ପାଇଲେ ନାହିଁ । ରାଜଭ୍ରାତାଙ୍କ ସହ ମୋର ଚାକ୍ଷୁଷ ପରିଚୟ ଥିଲା ନାହିଁ, କିନ୍ତୁ ସେ ମୋତେ ଖୁବ୍ ଭଲ ପାଉଥିଲେ ବୋଲି ଶୁଣୁଛି । ଶାସ୍ତ୍ରୀ ଫେରିଆସି ମୋତେ କହିଲେ ରାଗ କରି ପରା ପତ୍ରିକାରେ ଆତ୍ମ ନିବେଦନ ଲେଖିଦେଲେ । ଉଃ, ତୁମ ଲାଗି ସେକେଣ୍ଡ ପ୍ରିନ୍‌ସ ମୋତେ ଗାଳି କଲେ, ମୁଁ ବଡ଼ ଅପମାନ ପାଇଲି । କହିଲେ ତୁମେ ଯେବେ ପତ୍ରିକା ପରିଚାଳନର ଭାର ନେବ, ତେବେ ସେ ସାହାଯ୍ୟ ଦେବେ, ନ ହେଲେ ଦେବେ ନାହିଁ । ପାତ୍ର ପ୍ରବନ୍ଧ ନିମନ୍ତେ ତୁମେ ପରା ଡରୁଥିଲ, କାହିଁ କଅଣ ହେଲା ? ମୁଁ କେତେ ବଡ଼ ବଡ଼ ପ୍ଳିଡ଼ରଙ୍କୁ ପଚାରିଛି । ସମସ୍ତେ ହସି ଉଡ଼ାଇ ଦେଲେ । କହିଲେ, ଏଥିରେ କିଛି ଦୋଷର କଥା ନାହିଁ-। ଦରକାର ହେଲେ ବିନା ଫିସରେ ଆମେ ଓକିଲାତି କରିବୁ ।’’ ଏ କଥା ଶୁଣି ମୋତେ ହସ ମାଡ଼ିଲା ମୁଁ କିଛି କହିଲି ନାହିଁ । ସେ ବାହାରେ ଫଉରବି ଦେଖାଉ ଥାଆନ୍ତି । କିନ୍ତୁ ଭିତରେ ଅନ୍ତ ଧୁକୁ ଧୁକୁ ହେଉଥାଏ । ଓକିଲମାନଙ୍କ ଘରକୁ ବାରମ୍ବାର ଦଉଡ଼ୁ ଥାନ୍ତି–(ବାର୍)ର ଖବର ବୁଝୁଥାନ୍ତି-। ଲୋକେ ଅନ୍ୟାୟ କଲାବେଳେ ଈଶ୍ୱରଭୟ ଏକାବେଳେକେ ଭୁଲି ଯାଆନ୍ତି ନାହିଁ । ତିନି ଚାରିଦିନ ପରେ ପର୍ଶୁରାମବାବୁ ଶାସ୍ତ୍ରୀଙ୍କ ନାମରେ ରେଜିଷ୍ଟରୀ ନୋଟିସ ଦେଲେ । ଶାସ୍ତ୍ରୀ କ୍ଷମା ପ୍ରାର୍ଥନା ନ କଲେ ସେ ମାନହାନିରେ ନାଲିସ କରିବେ । ଶାସ୍ତ୍ରୀ ନୋଟିସ ଧରି ରାଘବରାଓଙ୍କ ପାଖକୁ ଧାଇଁଲେ-। ରାଘବ ରାଓ କହିଲେ–‘‘ମୁଁ ତରତରିଆ ଭାବରେ ଥରେ ମାତ୍ର ପ୍ରବନ୍ଧ ପଢ଼ିଯାଇଥିଲି, ଭଲରୂପେ ବିଚାର ନକରି କହିଥିଲି; କିନ୍ତୁ ଏବେ ଦେଖୁଛି ଦୋଷର କଥା ଅଛି । ତୁମେ ଭଲରୂପେ ବିଚାର ନକରି ଏପରି କାମ କାହିଁକି କଲ ? ଯାହା ହେଉ ଏବେ ଭାଙ୍ଗିଭୁଙ୍ଗି ଦିଅ-। ଏକଥା ଶୁଣି ଶାସ୍ତ୍ରୀଙ୍କ ତାଳୁରେ ତେନ୍ତୁଳିଆ ବିଛା ହୂଳ ମାରିଲା । ଭାବିଥିଲେ ତାଙ୍କର ଅକ୍ଷୟ ତୁଣୀର ଅଛି, ମାତ୍ର ଦେଖିଲା ବେଳକୁ ଶୂନ୍ୟ ତୁଣୀର । ମୋତେ ଆସି ସବୁ କଥା କହିଲେ ଏବଂ ଓକିଲ ସ୍ୱଭାବର ବହୁତ ନିନ୍ଦା ବାଢ଼ି ବସିଲେ । ପୁଣି କହିଲେ–ତୁମ କଥା ନ ମାନି ମୁଁ ଏହି ବିପଦ କିଣିଲି । କହିବାକୁ ମୋତେ ଲଜ୍ଜା ଲାଗୁଛି–ତୁମେ ଯାଇ ପାତ୍ରଙ୍କ ସଙ୍ଗରେ ମୀମାଂସା କର ।’’ ତେତେବେଳକୁ ପାତ୍ରଙ୍କ ସଙ୍ଗରେ ମୋର ସାମାନ୍ୟ ଭାବରେ ପରିଚୟ ହୋଇଥିଲା, ମାତ୍ର ଘନିଷ୍ଠତା ଜମି ନ ଥିଲା । ମଥୁରୀ ସାହୁଙ୍କ ଗୁମାସ୍ତା କୃଷ୍ଣଚନ୍ଦ୍ର ସାହାଣୀ ମୋର ଜଣେ ପ୍ରିୟ ବନ୍ଧୁ । ସେ ଜଣେ ଓଡ଼ିଆ ଅଭିମାନୀ, ମୋ ବସାକୁ ପ୍ରତିଦିନ ଆସନ୍ତି ତାଙ୍କୁ ସଙ୍ଗରେ ନେଇ ମୁଁ ପର୍ଶୁରାମ ପାତ୍ରଙ୍କ ପାଖକୁ ଗଲି । ସାହାଣୀ ମୋର ପରିଚୟ ଦେବାକୁ ବସିଲେ । ପାତ୍ର କହିଲେ–‘‘ମୁଁ ତାଙ୍କୁ ଭଲରୂପେ ଚିହ୍ନେ, ତାଙ୍କର ଲେଖା ମୋତେ ତାଙ୍କୁ ଚିହ୍ନେଇ ଦେଇଛି । ବିଶେଷତଃ ମୋ ପାଇଁ ସେ ସମ୍ପାଦକ ପଦ ଛାଡ଼ି ଦେଇଛନ୍ତି ।’’ ଶାସ୍ତ୍ରୀଙ୍କ କଥା ପଡ଼ିଲା ପର୍ଶୁରାମ ବାବୁଙ୍କୁ ଆମ୍ଭେ ବହୁତ କହିଲୁଁ, ଯୁକ୍ତିତର୍କ ବି ହେଲା । ଶେଷରେ ସେ କହିଲେ–ଗୁନେୟା ଶାସ୍ତ୍ରୀ ଅର୍ଦ୍ଧପାଗଳ, ତାହା ମୁଁ ଜାଣେ, ତଥାଚ ଶିକ୍ଷା ଦରକାର । ଆପଣମାନଙ୍କ କଥା ମୁଁ ଭାଙ୍ଗି ପାରୁ ନାହିଁ, ତେବେ ଗୋଟାଏ ଦିନ ଧାର୍ଯ୍ୟ ହେବ, ସେ ଦିନ ମୋର କେତେ ଜଣ ବନ୍ଧୁଙ୍କୁ ମୁଁ ଡାକିବି । ଆପଣ ଦୁହେଁ ଶାସ୍ତ୍ରୀଙ୍କୁ ସଙ୍ଗରେ ଆଣିବେ । ସମସ୍ତଙ୍କ ଆଗରେ ସେ କ୍ଷମା ମାଗିବେ, ପୁଣି ସେହି କ୍ଷମା ପାର୍ଥନା କଥା ଏହି ସଂଖ୍ୟାର ପତ୍ରିକାରେ ପ୍ରକାଶ ପାଇବ ।’’ ତାଙ୍କ କହିଲା ପରି କାର୍ଯ୍ୟ ମଧ୍ୟ ହେଲା । ତହିଁ ଆରଦିନ ଶାସ୍ତ୍ରୀଙ୍କୁ ନେଇ ଆମ୍ଭେ ଦୁହେଁ ଗଲୁଁ । ପର୍ଶୁରାମ ବାବୁ କେତେ ଜଣ ବନ୍ଧୁଙ୍କ ସଙ୍ଗରେ ବସିଥିଲେ । ଆମ୍ଭମାନଙ୍କ ବସିବାକୁ କହିଲେ, ସମସ୍ତେ ବସିଲୁଁ, କୁଶଳ ପ୍ରଶ୍ନୋତ୍ତର ପରେ–ଶାସ୍ତ୍ରୀ ଠିଆ ହୋଇ କ୍ଷମାପ୍ରାର୍ଥନା କଲେ । ପର୍ଶୁରାମ ବାବୁଙ୍କ ହୃଦୟ ବଡ଼ ଉଦାର । ସେ ଆଉ ଗତ କଥା ନ ପକାଇ ହସିହସି କହିଲେ–‘‘ଆଗରୁ ତ ମୁଁ ଚିନ୍ତାମଣି ବାବୁଙ୍କ କଥାରେ କ୍ଷମା କରି ସାରିଛି, ତେବେ ଆଗାମୀ ସଂଖ୍ୟାର ହିତବାଦିନୀର ଏହି କ୍ଷମାପ୍ରାର୍ଥନା ପ୍ରକାଶ କରିବାକୁ ହେବ ।’’ ଶାସ୍ତ୍ରୀ ସ୍ୱୀକୃତ ହେଲେ, ପରବର୍ତ୍ତୀ ସଂଖ୍ୟାର କ୍ଷମାପ୍ରାର୍ଥନା ପ୍ରବନ୍ଧ ବାହାରିଲା । ଶାସ୍ତ୍ରୀଙ୍କର ଉଚିତ ଶିକ୍ଷା ହେଲା । ସେହିଦିନଠାରୁ ସେ କାହାକୁ ‘‘ପତ୍ରିକାରେ ଆଣ୍ଟ କରି ମାଡ଼ ମାରିବାକୁ’’ କହିନାହାନ୍ତି । ସେ ଅନେକ ପ୍ରଭିଡ଼େଣ୍ଟ କମ୍ପାନୀର ଏଜେଣ୍ଟ ଥିଲେ । ଜଣେ ଦୁଇଜଣଙ୍କୁ ମୁଠାଏ ମୁଠାଏ ଲାଭ ଦେଇ ମାୟାଜାଲ ବିସ୍ତାର କରିଦେଲେ । ସେଥିରେ ଅଶିକ୍ଷିତ ଇତର ଲୋକେ ମାତି ଉଠିଲେ । କିଏ ଗୋରୁ ବିକି, କିଏ ବାସନ ବନ୍ଧା ଦେଇ ଟଙ୍କା ଆଣି କମ୍ପାନୀରେ ଜମା ଦେଲେ । ରୋଜ୍ ଏତେ ଲୋକ ଆସି ଜମା ହେଲେ ଯେ ତାଙ୍କ ଦ୍ୱାରରେ ବାଟ ମିଳିଲା ନାହିଁ-। ରସିଦ୍ ଦେଖିବା ପାଇଁ ତିନିଟା କିରାନୀ ରହିଲେ । କିଛିଦିନ ଗଲା ପରେ ଲୋକେ ଲାଭ ନେବାକୁ ଆସି ଶୁଣିଲେ କୋମ୍ପାନୀ ଫେଲ୍‌ ହୋଇଗଲା । ଯେଉଁ ଗରିବଗୁଡ଼ାକ ଏକାରାତିକେ କୁବେର ପାଲଟି ଯିବାର ଭରସା ବାନ୍ଧିଥିଲେ ସେମାନେ ମୁଣ୍ଡରେ ହାତ ଦେଇ କାନ୍ଦିଲେ । ଶାସ୍ତ୍ରୀ ଛୁତିଛଡ଼ା ହୋଇ କହିଲେ–‘‘ମୁଁ କଅଣ କରିବି, କୋମ୍ପାନୀତ ଆଉ ଦିଶୁନାହିଁ, ମୋର ବି କେତେ ହଜାର ଟଙ୍କା ବୁଡ଼ିଲା ।’’ ନିର୍ବୋଧ ମୂର୍ଖ ଲୋକେ ଆଗରୁ ତ ବାଡ଼ି ହଜାଇଛନ୍ତି, କଅଣ କରିବେ ? ନାକ କାନ ଆଉଁସି ଏଜେଣ୍ଟକୁ ଆଶୀର୍ବାଦ କରି କରି ଫେରିଗଲେ । କୋମ୍ପାନୀରେ ଟଙ୍କା ଜମା ଦେବାକୁ ମୋତେ ମଧ୍ୟ ଅନେକ ପ୍ରବର୍ତ୍ତାଇ ଥିଲେ–ହାତୀଘୋଡ଼ାର ପ୍ରଲୋଭନ । କୋମ୍ପାନୀର ଅସମ୍ଭବ ଲାଭ ସମ୍ବନ୍ଧରେ ମୋତେ ଅନେକ ବୁଝାନ୍ତି–ଗଣ୍ଡା ଗଣ୍ଡା ଦୃଷ୍ଟାନ୍ତ ଦେଖାନ୍ତି, ମାତ୍ର ମୋର ତାହା ଏ କାନ ବାଟେ ପଶି ଆର କାନ ବାଟେ ବାହାରିଯାଏ । ମୋଠାରୁ ଅନେକ ପୁସ୍ତକ ଲେଖାଇ ନେଇ ମୋତେ କିଛି ଦେଲେ ନାହିଁ, ତହୁଁ ମୁଁ ଆଉ ପୁସ୍ତକ ଲେଖିଲି ନାହିଁ । ସୁତରାଂ ମୋର ଯଖ ପାଲଟିବା ହେଲା ନାହିଁ-

 

କିଛିଦିନ ପରେ ଦେଶମିଶ୍ରଣ ଆନ୍ଦୋଳନ ଆରମ୍ଭ ହେଲା । ସମଗ୍ର ଗଞ୍ଜାମ ଜିଲା କମ୍ପିଉଠିଲା । ଉତ୍ସାହ, ଉତ୍ତେଜନାର ବହୁମୂଖୀ ଧାରା ପ୍ରବାହିତ ହେଲା । ଓଡ଼ିଆ, ତେଲଙ୍ଗା ଉଭୟ ପକ୍ଷରୁ ସ୍ୱାକ୍ଷର ସଂଗ୍ରହ ଚାଲିଲା । କୁଟ, କପଟ, ଛଳନା, ଚାତୁରୀର ଆଶ୍ରୟ ନିଆଗଲା । ତେଲଙ୍ଗାମାନେ ଦେଶମିଶ୍ରଣ ବିପକ୍ଷରେ ଲାଗିଲେ । ନାନା ଅସଦୁପାୟରେ ସ୍ୱାକ୍ଷର ସଂଗ୍ରହ କରିବାକୁ ସେମାନେ ଦ୍ୱିଧାବୋଧ କରିନଥିଲେ । ସେଥିରେ ପ୍ରମାଣ ମୁଁ ପ୍ରତ୍ୟକ୍ଷରେ ଦେଖିଅଛି । ହାଡ଼ିଆଣୀ ରାସ୍ତା ସଫା କରୁଥାଏ, ଜଣେ କର୍ମଚାରୀ ଆସି ପଚାରିଲେ–‘‘ଏ ଓଡ଼୍ୟାଣି ମାଇକିଣା, ତୁ ବରଂପୁରରେ ରହିବେ, ନା କାଟାକାମ୍ ଯିବେ ।’’ ସେ କହିଲା, ‘‘କି ଆୟା, ମୁଁ ଘର ଛାଡ଼ି କଟକ କାହିଁକି ଯିବି ?’’ ଏତିକିରେ ହାଡ଼ିଆଣୀର ଦେଶମିଶ୍ରଣର ଇଚ୍ଛା ନାହିଁ ବୋଲି ସାବ୍ୟସ୍ତ କରି ତାର ନାମଧାମ ଲେଖିନେଲେ । ଏହିପରି ମଫସଲରୁ ଆସିଥିବା ଶଗଡ଼ିଆ, ବେପାରୀ ପ୍ରଭୃତି ନିରକ୍ଷର, ନିର୍ବୋଧ ଲୋକମାନଙ୍କର ଅସ୍ୱୀକୃତି ନିଆଗଲା । ‘‘ଓଡ଼ିଶାର ପୋଲିସ ବଡ଼ ଗରମ, ହାକିମମାନେ ପ୍ରମାଣ ନ ନେଇ ମନକୁ ମକଦ୍ଦମା ଡିଗ୍ରୀ, ଡିସ୍‌ମିସ୍‌ କରି ଦିଅନ୍ତି, ଓଡ଼ିଶାର ଭୂମିକର ଅଧିକ’’ ଏହିପରି ମିଥ୍ୟା କଥା କହି ନିରୀହ ଓଡ଼ିଆମାନଙ୍କୁ ଭୟ ଦେଖାଇବାକୁ ହେଲା । ଏସବୁ କଥା ପ୍ରଜାବନ୍ଧୁରେ ବାହାରିଲା ଏବଂ ତୀବ୍ର ପ୍ରତିବାଦ କରାଗଲା । କେବଳ ଦେଶମିଶ୍ରଣ ସମସ୍ୟାରେ ପତ୍ରିକାରେ କଳେବର ପୂର୍ଣ୍ଣ ହେଲା । ନୀଳମଣି ବିଦ୍ୟାରତ୍ନ ଶତହସ୍ତ ହୋଇ ଆନ୍ଦୋଳନରେ ଲାଗିପଡ଼ିଲେ । ତେଲଙ୍ଗାମାନଙ୍କର ପ୍ରତାରଣା ପ୍ରତିସଂଖ୍ୟାର ପତ୍ରିକାରେ ଦେଖାଇ ଦିଆଗଲା । ସେମାନେ ପ୍ରଜାବନ୍ଧୁ ଉପରେ ଅଗ୍ନି ଶର୍ମା ହୋଇ ଉଠିଲେ ଏବଂ ମକଦ୍ଦମା କରିବାକୁ ବାହାରିଲେ । ମାତ୍ର ପ୍ରଜାବନ୍ଧୁର ପୀଢ଼ ବଡ଼ ଟାଣ । ତାହା ସଙ୍ଗରେ ପ୍ରବଳ ଖଲିକୋଟ ରାଜାଙ୍କର ସମ୍ପର୍କ ଥିବାରୁ କିଛି କରି ନ ପାରି ରାଗରେ ରକ୍ତ ଚାଉଳ ଚୋବାଇ ହେଲେ । କିଏ କହିଲା–ଗଞ୍ଜାମକୁ ଲେଉଟାଇ ପକାଇବା । କିଏ କହିଲା–ସମୁଦ୍ରରେ ଭସାଇ ଦେବ, ଏହିପରି କେତେ ଆସ୍ଫାଳନ ଦେଖାଇଲେ । ଘନ ଘନ ସଭାସମିତି ବସିଲା–ଗରମ ଗରମ ବକ୍ତୃତା ଝଡ଼ା ହେଲା । ଚାନ୍ଦା ସଂଗୃହୀତ ହୋଇ ବିପୁଳ ପାଣ୍ଠି ସ୍ଥାପିତ ହେଲା । ତେଲେଙ୍ଗା ଓଡ଼ିଆ ମଧ୍ୟରେ ବିଦ୍ୱେଷ ଭାବ ବର୍ଦ୍ଧିତ ହେଲା । ଅନ୍ୟାୟ, ଅତ୍ୟାଚାର, ଉପଦ୍ରବ ମଧ୍ୟ ବଢ଼ିଉଠିଲା । ଅର୍ଥ, ପ୍ରାଧାନ୍ୟ, ଆଧିପତ୍ୟ କେହି ଛାଡ଼ିବାକୁ ଇଚ୍ଛାକଲେ ନାହିଁ । ସ୍ୱାର୍ଥ ଯେଉଁଠାରେ ଅନର୍ଥ ମଧ୍ୟ ସେହିଠାରେ । ଆନ୍ଦୋଳନ କ୍ରମେ ପୃଥୁଳ ହୋଇ ଉଠିଲା । ତେତେବେଳେ ବଡ଼ଲାଟ ସ୍ୱନାମପ୍ରସିଦ୍ଧ ଲର୍ଡ଼ କର୍ଜନ । ଓଡ଼ିଆମାନଙ୍କର ଦାବୀପ୍ରତି ତାଙ୍କର ପୂର୍ଣ୍ଣ ସହାନୁଭୂତି ଥିଲା । ତାହା ଜାଣି କେତେ ତେଲେଙ୍ଗା ଗଞ୍ଜାମ ଛାଡ଼ି ମାନ୍ଦ୍ରାଜ ଅଞ୍ଚଳକୁ ଚାଲିଗଲେ । ଭାତହାଣ୍ଡି ଶୂନ୍ୟ ହେବାର ଆଶଙ୍କା ଜନ୍ମିଲେ କିଏ ବା ଧୈର୍ଯ୍ୟଧରି ରହିପାରେ ? କେତେ ନିର୍ବୋଧ ଓଡ଼ିଆ ମାୟାଜାଲରେ ପଡ଼ି ତେଲଙ୍ଗା ପଟ ଧରିଥିଲେ, ପୁଣି କେତେକ ହୃଦୟବାନ୍ ତେଲଙ୍ଗା ଓଡ଼ିଆମାନଙ୍କ ନ୍ୟାଯ୍ୟ ଦାବୀ ସମ୍ମାନ କରୁଥିଲେ l ତେଲଙ୍ଗା ପତ୍ରିକାମାନ ଏକସ୍ୱର ଧରି ଗର୍ଜି ଉଠିଲେ । ଓଡ଼ିଆ ପତ୍ରିକାମାନେ ବି ସମସ୍ତେ ଏକସ୍ୱର ଧରିଲେ, କିନ୍ତୁ ହିତବାଦିନୀ କାହିଁରେ ସ୍ୱର ନ ମିଶାଇ ନୀରବ ରହିଲା । ଗୁନେୟା ଶାସ୍ତ୍ରୀଙ୍କୁ ତେଲଙ୍ଗାମାନେ ଭୟ ଦେଖାଇ କହିଲେ–‘‘ତୁ ତେଲଙ୍ଗା ହୋଇ ଖଣ୍ଡେ ଓଡ଼ିଆ ପତ୍ରିକା କାହିଁକି ବାହାର କରୁଛୁ । ସେଥିରେ ଓଡ଼ିଆମାନଙ୍କ ସପକ୍ଷରେ କିଛି ଲେଖିଲେ ତୋତେ ଜାତିବାଛନ୍ଦ କରିବୁଁ–ତୁ ଏକଘରକିଆ ହୋଇ ରହିବୁ ।’’ ଏଣେ ଓଡ଼ିଆମାନେ କହିଲେ ଆମ ସପକ୍ଷରେ ନ ଲେଖିଲେ କେହି ପତ୍ରିକା ନେବୁ ନାହିଁ, ପୁଣି ରାଜାମାନଙ୍କୁ କହି ପତ୍ରିକାର ସାହାଯ୍ୟ ବନ୍ଦ କରିଦେବୁଁ । ସ୍ଥଳରେ ବ୍ୟାଘ୍ର ଭୟ, ଜଳରେ କୁମ୍ଭୀର ଭୟ । ଶାସ୍ତ୍ରୀ ବିଚରା କଣ କରିବେ–ଉଭୟ ସଙ୍କଟରେ ପଡ଼ି ‘‘ତ୍ରାହି ମଧୁସୂଦନ’’ ଜପ କଲେ । ପତ୍ରିକା ଖଣ୍ଡି ଗଲେ ତାଙ୍କ ଭେକାଳ ବୁଡ଼ିବ । ରାଜାମାନେ ସମସ୍ତେ ଓଡ଼ିଆ, ସେହିମାନଙ୍କ ପ୍ରଦତ୍ତ ଅର୍ଥରେ ପତ୍ରିକା ଚଳେ । ତେତକ ବନ୍ଦ ହେଲେ ସବୁ ସରିଲା । ଏହି ଚିନ୍ତାରେ ତାଙ୍କୁ ଚୌଦିଗ ଅନ୍ଧାର ଦିଶିଲା ଏବଂ ଅନ୍ନଜଳ ବିଷ ହେଲା । ସେ କିଛି ଉପାୟ ଖୋଜି ପାଇଲେ ନାହିଁ । ଏଣେ ହିତବାଦିନୀରେ ଦେଶମିଶ୍ରଣ ସମ୍ବନ୍ଧରେ କିଛି ଲେଖା ନ ହେବାରୁ ଖଣ୍ଡିଏ ଖଣ୍ଡିଏ ପତ୍ରିକା ଫେରିଆସି ତାଙ୍କ ଆଶଙ୍କାକୁ ବହୁଗୁଣିତ କଲା ।

 

ଧ୍ୟାନ ମଗ୍ନ ଯୋଗୀପରି ଶାସ୍ତ୍ରୀ ନିର୍ବାକ ହୋଇ ବସି ରହିଲେ । ତାଙ୍କର ସ୍ୱଭାବ–ଚଞ୍ଚଳ–ମତି ବିଦ୍ରୋହୀ ହୋଇ ଉଠିଲା । କୌଣସି କାର୍ଯ୍ୟରେ ମନ ଦେଲେ ନାହିଁ । ତାଙ୍କର ଏ ଭାବାନ୍ତର ଦେଖି ମୁଁ କହିଲି–ଆପଣ ଧୈର୍ଯ୍ୟ ଧରନ୍ତୁ, ଦେଶମିଶ୍ରଣ ସମ୍ବନ୍ଧରେ ମୁଁ ପତ୍ରିକାରେ ଲେଖେ । ଅନେକ ପ୍ରାପ୍ତ ପ୍ରବନ୍ଧ ଅଛି, ତାହା ବି ପ୍ରକାଶ କରିବି । କେହି ପଚାରିଲେ–ଆପଣ କହିବେ–‘‘ଜଣେ ଓଡ଼ିଆ ମୋର ପତ୍ରିକା ଚଳାନ୍ତି, ସେ କଅଣ ଲେଖନ୍ତି ମୁଁ ଜାଣେ ନାହିଁ ।’’ ଶାସ୍ତ୍ରୀ କହିଲେ–‘‘ପଣ୍ଡିତେ, ଜାତି ଆଗରେ ହାତୀ ଯାଇପାରେ ନାହିଁ । ଆପଣ ଆମ ଜାତି କଥା ଜାଣନ୍ତି ନାହିଁ, ସେମାନେ ନାନାଭାବରେ ମୋର ଅନିଷ୍ଟ ଘଟାଇବେ । ମୁଁ କହିଲି–ତାହା ଠିକ୍, କିନ୍ତୁ ନଈବଢ଼ିକୁ ରାଜାଙ୍କ ଦୋହି ନାହିଁ । ଦେଶ ଯେତେବେଳେ ଉଛୁଳି ଉଠୁଛି, ତେତେବେଳେ ଦେଶମିଶ୍ରଣ ବିଷୟରେ ନଲେଖିଲେ ତ୍ରାହି ନାହିଁ । ଏହିପରି କେତେଦିନ ଗଲା । ଓଡ଼ିଆ ରାଜାଙ୍କ ପୋଷିତ ଓଡ଼ିଆ ପତ୍ରିକା ହିତବାଦିନୀରେ ଓଡ଼ିଆ ଦେଶମିଶ୍ରଣ ବିଷୟ କାହିଁକି ବାହାରୁ ନାହିଁ ବୋଲି ପ୍ରଜାବନ୍ଧୁ ବାରମ୍ବାର ଅଭିଯୋଗ କଲା । ଫଳରେ ଅନେକ ଓଡ଼ିଆ ଗ୍ରାହକ ପତ୍ରିକା ଫେରାଇ ଦେଲେ । ରାଜମାନଙ୍କ ମଧ୍ୟରୁ କେହି କେହି ସାହାଯ୍ୟ ବନ୍ଦ କରିଦେଲେ । ଏଣେ ଶାସ୍ତ୍ରୀଙ୍କ ନାମରେ ବେନାମୀ ଚିଠି ଆସିଲା । କାହିଁରେ ଗାଳି, କାହିଁରେ ମାଡ଼, କାହିଁରେ ବା ଘର ପୋଡ଼ି ଦେବାର ଧମକ୍ । ଏହିପରି କାଣ୍ଡ ଲାଗିଲା । ଶେଷରେ ତାଙ୍କୁ ବାଧ୍ୟ ହୋଇ ହତବାଦିନୀ ବନ୍ଦ କରିବାକୁ ପଡ଼ିଲା । ତାଙ୍କ ପରିବାରମାନେ କେତେଦିନ ଯାଏଁ ତାଙ୍କ ଜାତି ପୁଅଙ୍କର ଜୀବିତ ଶ୍ରାଦ୍ଧ ବାଢ଼ିଲେ । ଶାସ୍ତ୍ରୀ ମଧ୍ୟ-‘‘ଏଧବା-ଏଧବା’’ କହି ଜ୍ୱାଳାମୟ ଆଶୀର୍ବାଦ ବର୍ଷଣ କଲେ ତାଙ୍କର ଏକମାତ୍ର ଗାଳି–‘‘ଏଧବା-।’’ ତାହାର ଅର୍ଥ ବିଧବା ଅର୍ଥାତ୍‍ ତୋର ମାଇପ ମରୁ । ପୁରୁଷ ମଲେ ସ୍ତ୍ରୀ ବିଧବା, ସ୍ତ୍ରୀ ମଲେ ପୁରୁଷ ବିଧବା । ତେଲଙ୍ଗା ଜାତିର ସ୍ତ୍ରୀ ଲୋକମାନେ ବାସ୍ତବରେ ଗୃହଲକ୍ଷ୍ମୀ । ଉପାର୍ଜ୍ଜନ ଛଡ଼ା ପୁରୁଷର ଅନ୍ୟ ଦାୟିତ୍ୱ ନାହିଁ । ଘରକରଣାର ସବୁକାମ ସ୍ତ୍ରୀ ମାନେ କରନ୍ତି । ସ୍ତ୍ରୀ ମରିଗଲେ ପୁରୁଷ ଉପରେ ସବୁ ଭାର ପଡ଼େ ସୁତରାଂ ସ୍ତ୍ରୀ ମରିବା ଗାଳିଟା ତେଲଙ୍ଗାଙ୍କ ପକ୍ଷରେ ବଡ଼ କଠୋର ଅଭିଶାପ । ପ୍ରେସ୍‍ରେ ରହିବା ପାଇଁ ଶାସ୍ତ୍ରୀ ମୋତେ ବହୁତ ଅନୁରୋଧ କଲେ, କିନ୍ତୁ ମୋର ରହିବାକୁ ଇଚ୍ଛା ହେଲା ନାହିଁ । ମୁଁ ବିଦାୟ ନେଇ ଆସିଲି । ପର୍ଶୁରାମ ବାବୁ ଶୁଣି ଦୁଃଖିତ ହେଲେ । ସେ କହିଲେ, ‘‘ଆପଣ ମୋ ବସାରେ ରହନ୍ତୁ, ପନ୍ଦର ଦିନ ମଧ୍ୟରେ ମୁଁ ଯେଉଁଠାରୁ ହେଉ ଖଣ୍ଡେ ସାପ୍ତାହିକ ସମ୍ବାଦପତ୍ର ବାହାର କରିବାକୁ ଚେଷ୍ଟା କରିବି, ଆପଣ ସେହି ପତ୍ରିକାର ସମ୍ପାଦକ ହେବେ ।’’ ମୁଁ କହିଲି– ଅନେକ ଦିନରୁ ଘରକୁ ଯାଇନାହିଁ, ମୁଁ ବର୍ତ୍ତମାନ ଯାଉଛି, ଆପଣ ସଜିଲକରି ପତ୍ର ଦେଲେ ଆସିବି । ଏହା କହି ତାଙ୍କଠାରୁ ବିଦାୟ ନେଇ ଆସିଲି ।

 

ଘରକୁ ଯାଉଛି, ଏ ଅଞ୍ଚଳର ଅପୂର୍ବ ପଦାର୍ଥ କିଛି ନେବା ଉଚିତ । ବଜାରକୁ ଯାଇ କିଛି ସଉଦା କିଣିଲି ଏବଂ ଖଣ୍ଡେ ଜରୀ ଚାଦର ମଧ୍ୟ କିଣିଲି । ତାହାର ମୂଲ୍ୟ ଆଠଟଙ୍କା ଆଠଅଣା, ମୁଁ ଭୁଲରେ ଟଙ୍କା, ରେଜିକି ମିଶାଇ ନଅଟଙ୍କା ଦେଇ ଆସିଥିଲି । ବସାକୁ ଆସି ଦେଖିଲି ସେହି ଲୁଗା ଦୋକାନର ଗୁମାସ୍ତା ଆସି ମୋର ଅପେକ୍ଷାରେ ବସିଅଛନ୍ତି । ମୋତେ ଆଠଅଣା ଫରାଇ ଦେଇ କହିଲେ–‘‘ସାହୁକାର ଦେଇଛନ୍ତି–ଆପଣ ଭୁଲରେ ଆଠଅଣା ଅଧିକ ଦେଇ ଆସିଥିଲେ ।’’ ଅପରିଚିତ ବ୍ୟବସାୟୀର ଏ ସାଧୁତାରେ ହୃଦୟ କୃତଜ୍ଞତାରେ ପୁରି ଉଠିଲା, ମନରେ ଅପୂର୍ବ ଆନନ୍ଦ ଖେଳି ବୁଲିଲା, ସାହୁକାରକୁ ଧନ୍ୟବାଦ ଦେବାକୁ ଯେପରି ମନ ଭିତରୁ କିଏ କହିବାକୁ ଲାଗିଲା । ମୁଁ ଫେରିଯାଇ ଭଦ୍ରଲୋକଟିକୁ ଧନ୍ୟବାଦ ଜଣାଇଲି । ସେ ହସି ହସି ମୋତେ ନେଇ ତାଙ୍କର ସବୁ ଘର ଦେଖାଇଲେ । ସେଥିରେ ପ୍ରାୟ ଲକ୍ଷାଧିକ ଟଙ୍କାର ଲୁଗା ଅଛି । ସବୁ ସ୍ୱଦେଶୀ, ବିଦେଶୀର ନାମଗନ୍ଧ ନାହିଁ । ସାଉକାର କହିଲେ ‘‘ବାବୁ, ମୁଁ ଅନ୍ୟାୟ କଲେ ମୋର ଏ ଲକ୍ଷ୍ମୀଭଣ୍ଡାର ଉଡ଼ିଯିବ । ସତ୍ୟ, ଧର୍ମ, ନ୍ୟାୟ ସିନା ବ୍ୟବସାୟର ମୂଳ, ସେତକ ନଥିଲେ ବ୍ୟବସାୟ ଉଧାଏ ନାହିଁ । ବାସ୍ତବିକ କଥା, ବ୍ୟବସାୟୀ ସତ୍ୟପ୍ରିୟ, ସାଧୁ ଏବଂ ଚରିତ୍ରବାନ୍ ହେବା ଉଚିତ୍ । ଠକ ବ୍ୟବସାୟୀ ବି ବଡ଼ଲୋକ ହୁଅନ୍ତି, ମାତ୍ର ସେ ବଡ଼ଲୋକ ଅଢ଼େଇଦିନିଆ । କଥାରେ ଅଛି–‘‘ଅଧର୍ମ ବିତ୍ତ ବଢ଼େ ବହୁତ, ଯିବାବେଳେ ଯାଏ ମୂଳ ସହିତ ।’’ ଏହା ପ୍ରବାଦ ହେଲେ ସୁଦ୍ଧା ଦେବବାଣୀ ପରି ସତ୍ୟ ।

 

ଗଞ୍ଜାମବାସୀ ଖୁବ୍ ଅଳଙ୍କାର ପ୍ରିୟ, ପୁରୁଷମାନେ ଅଳଙ୍କାର ପିନ୍ଧନ୍ତି, ଶିକ୍ଷିତ ସମାଜରେ ଅବଶ୍ୟ ଏ ରୀତି ନାହିଁ । କୌଣସି କୌଣସି ରାଜାଙ୍କୁ ଅଳଙ୍କାରରେ ଭାରାକ୍ରାନ୍ତ ଦେଖିଅଛି । ଦକ୍ଷିଣର ସୁନା ବିଶୁଦ୍ଧ, ରତ୍ନଜଡ଼ିତ ସୂକ୍ଷ୍ମ କାରୁକଳା ଅତି ସୁନ୍ଦର । ସୁନାର ଅଳଙ୍କାର ସମସ୍ତେ ପିନ୍ଧନ୍ତି-। ଏମନ୍ତ କି ଭିକାରୀ ଦେହରେ କିଛି ସୁନା ଗହଣା ଥାଏ । ଜଣେ ଜଣେ କୁମୁଟିଙ୍କ ଦେହରେ ଯେତେ ସୁନା ଗହଣା ଥାଏ, କୌଣସି ବେଶ୍ୟା ଦେହରେ ତେତେ ଥିବ ନାହିଁ । କମା ଘରର ସ୍ତ୍ରୀମାନେ ଗୋଡ଼ ଛଡ଼ା ଅନ୍ୟତ୍ର ରୂପା ଗହଣା ପିନ୍ଧନ୍ତି ନାହିଁ । କମା ବ୍ରାହ୍ମଣ ବଡ଼ ନିଷ୍ଠାପର, ସ୍ୱଜାତି ଛଡ଼ା ଅନ୍ୟ ଜାତିର ଜଳ ସ୍ପର୍ଶ କରନ୍ତି ନାହିଁ । ବିଧବା ହେଲେ ସ୍ତ୍ରୀଲୋକମାନେ ଲାଣ୍ଡୀ ହୁଅନ୍ତି ଏବଂ ମୁଣ୍ଡରେ ଲୁଗା ଦିଅନ୍ତି । ବିଧବାମାନେ କୌଣସିପ୍ରକାର ରଙ୍ଗବସ୍ତ୍ର ବ୍ୟବହାର କରନ୍ତି ନାହିଁ, ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଭଳି ନିୟମ ଚିତ୍ତ ସଂଯମର ଅନୁକୂଳ । ଓଡ଼ିଶାରେ ଭଦ୍ର ବିଧବାମାନେ ‘‘ସାହାଲା’’ ବ୍ୟବହାର କରୁଥିଲେ । ସେଥିରେ ଧଡ଼ି ଥାଏ ନାହିଁ । କମା ଘରର ସ୍ତ୍ରୀମାନେ ଓଦାଲୁଗା ପିନ୍ଧି ପାଣି ଆଣନ୍ତି, ଲୁଗା ଶୁଖିଗଲେ ପାଣି ମାରୁ ହୋଇଯାଏ । ସେ ଜାତି ଆମୀଷ ବ୍ୟବହାର କରନ୍ତି ନାହିଁ, କିନ୍ତୁ ପିଆଜ ଖାଆନ୍ତି । ପ୍ରତ୍ୟହ ରାନ୍ଧିସାରି ଅଗ୍ନିକୁ ଆହୂତି ଦିଅନ୍ତି ।

 

ବ୍ରହ୍ମପୁରରୁ ଭଦ୍ରଖ ଆସି ଘରପାଖରେ କିଛି ଦିନ ରହିଲି । ସେହି ସମୟରେ ‘‘ସଂଯମଶିକ୍ଷା’’ ଲିଖିତ ହେଲା । ପ୍ରଥମେ ତାର ନାମ ‘‘ରିପୁ ଦମନ’’ ଥିଲା, କିନ୍ତୁ ବିଦ୍ୟାରତ୍ନଙ୍କ ଅନୁରୋଧରେ ‘‘ସଂଯମ ଶିକ୍ଷା’’ ରଖାଗଲା । ଧରାକୋଟ ରାଜାଙ୍କ ଅର୍ଥସାହାଯ୍ୟରେ ସେ ଖଣ୍ଡି ମୁଦ୍ରିତ ହୋଇଥିଲା । ତେତେବେଳେ ମୋର ପୁତ୍ର ଶ୍ରୀମାନ୍ ଉପେନ୍ଦ୍ରର ବୟସ ପାଞ୍ଚବର୍ଷ ହେବ । ପଢ଼ାଶୁଣାର ବିଶେଷ ବ୍ୟବସ୍ଥା ହୋଇ ନଥିଲା । କେବଳ ଖେଳାଇବା ପାଇଁ ଜଣେ ଅବଧାନ ରଖା ଯାଇଥିଲା । ସେ କଣ୍ଢେଇ ଖେଳା ଓ ପାଠପଢ଼ା ଉଭୟ କାର୍ଯ୍ୟ କରୁଥିଲେ । ତାଙ୍କର ଦୈନିକ ବେତନ ଥିଲା ସେରେ ଚାଉଳ ଏବଂ ଗୋଟିଏ ପଇସା । ସେ ଫଳାଗୁଡ଼ିକ ଶିଖାଇଥିଲେ ଏବଂ କେତେ ଗୀତ, ଶ୍ଳୋକ ମଧ୍ୟ କଣ୍ଠସ୍ଥ କରାଇଥିଲେ । ଗ୍ରାମରେ ପାଠଶାଳା ଥିଲା ନାହିଁ, ଉପେନ୍ଦ୍ର ପଢ଼ିବାପାଇଁ ମୁଁ ଗୋଟିଏ ପ୍ରାଇମେରୀ ସ୍କୁଲ ସ୍ଥାପନ କଲି । ମୋର ଛାତ୍ର ହରେକୃଷ୍ଣ ସେହି ସ୍କୁଲର ଶିକ୍ଷକ ରୂପେ ନିଯୁକ୍ତ ହେଲା, ମୁଁ ସମ୍ପାଦକ ହେଲି । ଶିକ୍ଷକଙ୍କୁ ଖୋରାକି ମୁଁ ଦିଏ ଅନ୍ୟାନ୍ୟ ପିଲାମାନେ ବେତନ ଦିଅନ୍ତି । ବୋର୍ଡ଼କୁ ଲେଖିବାରୁ ସ୍କୁଲକୁ ମାସିକ ତିନିଟଙ୍କା ଗ୍ରାଣ୍ଟ ମିଳିଲା । ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଅନେକ ପିଲା ଆସି ପଢ଼ିଲେ, ସ୍ଥାନୀୟ ସରକାରୀ ଅମଲାମାନଙ୍କର ପିଲାମାନେ ବି ପଢ଼ିଲେ, ପିଲା ଏତେ ଅଧିକ ହେଲେ ଯେ କେବଳ ଛାତ୍ରଦତ୍ତ ବେତନ ମାସିକ ପନ୍ଦର ଷୋଳ ଟଙ୍କା ଆଦାୟ ହେଲା । ଅଧିକ ଟଙ୍କା ପାଇ ହରେକୃଷ୍ଣ ଖୁବ୍ ମନଦେଇ ପଢ଼ାଇଲା । ସେହି ସ୍କୁଲର ଛାତ୍ରମାନେ ବର୍ତ୍ତମାନ ବଡ଼ ବଡ଼ ଚାକିରୀରେ ଅଛନ୍ତି । ମୟୂରଭଞ୍ଜର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ପରେ ଓଡ଼ିଶାର ଆଇ. ଜି.) ବୈଷ୍ଣବଚରଣ ଦାସ ସେହି ସ୍କୁଲରୁ ପ୍ରାଥମିକ ଶିକ୍ଷା ପାଇଥିଲେ । ସ୍କୁଲର ନାମ ଥିଲା ନରିପୁର ନିମ୍ନପ୍ରାଇମେରୀ ସ୍କୁଲ । ଉପେନ୍ଦ୍ର ପଢ଼ିସାରି ହାଇସ୍କୁଲକୁ ଗଲା ପରେ କେତେ ବର୍ଷ ଯାଏଁ ମୁଁ ସେହି ସ୍କୁଲ ଚଳାଇଥିଲି । ତହିଁପରେ ଉପଯୁକ୍ତ ଚାଳକ ଅଭାବରୁ ଏବଂ ଛାତ୍ରାଭାବରୁ ସ୍କୁଲଟି ଉଠିଗଲା । ଏଥି ପୂର୍ବରୁ ସୋମନାଥ ଗେଲପୁର ଅପର ପ୍ରାଇମେରୀ ସ୍କୁଲରୁ ଉର୍ତ୍ତୀର୍ଣ୍ଣ ହୋଇ ପାଇବାର ଅଧିକାରୀ ହୋଇଥିଲା, ମାତ୍ର ବୃତ୍ତି ତାଲିକାରେ ତାହାର ନାମ ବାହାରିଲା ନାହିଁ । ସେ ବିଷୟ ମୁଁ ଶିକ୍ଷା ବିଭାଗର ଇନ୍‍ସପେକ୍‍ଟର ମହୋଦୟଙ୍କୁ ଲେଖିଲି । ଭୁଲକ୍ରମେ ସେ ବୃତ୍ତି ଆଉ ଜଣେ ପାଇଥିଲା । ଇନ୍‍ସପେକ୍‍ଟର ଅଫିସରେ ଭୁଲ ସଂଶୋଧିତ ହୋଇ ସୋମନାଥର ବୃତ୍ତି ସାର୍ଟିଫିକେଟ ଆସିଲା । ଗୁଜି ଦରଡ଼ା ଗଭର୍ଣ୍ଣମେଣ୍ଟ ସ୍କୁଲରେ ତାହାର ଭର୍ଣ୍ଣାକ୍ୟୁଲାର ପଢ଼ିବାର ବ୍ୟବସ୍ଥା କରାଗଲା ।

 

ସେତେବେଳେ ବାଲେଶ୍ୱର ସାମନ୍ତ ପ୍ରେସରୁ ‘‘ସମ୍ବାଦ ବାହିକା ’’ ବାହାରୁଥାଏ । ପ୍ରଧାନ ଜମିଦାର ସାମନ୍ତ ରାଧାଚରଣ ଦାସ ସେ ପତ୍ରିକାର ଏକମାତ୍ର ପୃଷ୍ଠପୋଷକ ଥିଲେ । ସମ୍ବାଦ ବାହିକା ପରିଚାଳନ ସକାଶ ରାଧାଚରଣ ବାବୁ ପତ୍ର ଲେଖିଲେ । ମୁଁ ପର୍ଶୁରାମ ବାବୁଙ୍କୁ ଜବାବ ଦେଇଥିଲି । ଏଥିମଧ୍ୟରେ ତାଙ୍କର ପତ୍ର ମଧ୍ୟ ପାଇଥିଲି । ସେ ଲେଖିଥିଲେ, ‘‘ପ୍ରସ୍ତୁତ ହୋଇ ଥାଆନ୍ତୁ, ମୋର ପରବର୍ତ୍ତୀ ପତ୍ର ପାଇଲା କ୍ଷଣି ବାହାରି ଆସିବେ ।’’ ସେହି ହେତୁରୁ ମୁଁ ସମ୍ବାଦ ବାହିକାର ସମ୍ପାଦକ କାର୍ଯ୍ୟରେ ଗଲିନାହିଁ । ତେତେବେଳେ ଉତ୍କଳ ସମ୍ମିଳନୀର ଶାଖା ପ୍ରାୟ ପ୍ରତିଗ୍ରାମରେ ସ୍ଥାପିତ ହେବାର ଧୂମ୍ ଲାଗିଥାଏ, ସମ୍ବାଦପତ୍ରମାନଙ୍କରେ ମାଳମାଳ ନାମ ବାହାରୁଥାଏ । ଭଦ୍ରଖରେ ମୁଁ ଗୋଟାଏ ଶାଖା ସମ୍ମିଳନୀ ସ୍ଥାପନ କରିବାକୁ ଚେଷ୍ଟାକଲି । କେତେ ଜଣ ଦେଶଭକ୍ତ ବ୍ୟକ୍ତି ମୋତେ ସାହାଯ୍ୟ କଲେ । ବୃଦ୍ଧ ମୁକ୍ତିଆର ଘନଶ୍ୟାମ ପଟ୍ଟନାୟକଙ୍କ ଉଦ୍ୟମ ଯୁବକଙ୍କଠାରୁ ବଳିଗଲା । ସମ୍ମିଳନୀ ସ୍ଥାପିତ ହେଲା, ସୁଦାମ ବାବୁଙ୍କ ଭାଇ ପେନ୍‍ସନ୍ ପ୍ରାପ୍ତ ପୋଲିସ ଇନ୍‍ସପେକ୍‍ଟର ଦାମ ବାବୁ ସମ୍ପାଦକ ହେଲେ । ବଙ୍କ, ସନ୍ଥିଆ, ପୁରୁଣା ବଜାରରେ ତିନିଥର ଅଧିବେଶନ ହେଲା । ଅନେକ ଲୋକ ପରିହାସ କଲେ, ଅନେକେ ବି ସହାନୁଭୂତି ଦ୍ୱାରା ସମ୍ମିଳନୀର ଶକ୍ତି ପୁଷ୍ଟ କଲେ । ‘‘ବୀଣାପାଣି ପାଠାଗାର’’ ନାମରେ ଗୋଟିଏ ପାଠାଗାର ସ୍ଥାପିତ ହେଲା । ସେଥିରେ ସମ୍ପାଦକ ମଧ୍ୟ ଦାମବାବୁ ରହିଲେ । ଉପହାର ପ୍ରାପ୍ତ ପୁସ୍ତକଗୁଡ଼ିକ ମୁଁ ପାଠାଗାରକୁ ପ୍ରଦାନ କଲି । ଆଉ କେତେ ଜଣ ମଧ୍ୟ ପୁସ୍ତକ ସାହାଯ୍ୟ କଲେ । ପାଠାଗାର ସ୍ଥାପନ ଦିନ ସଭା ହେଲା–ଗଣପତି ବାବୁ ସଭାପତି ହେଲେ । ସେ ସଭାପତି ଅଭିଭାଷଣରେ କହିଲେ–‘‘ପାଠାଗାର ସ୍ଥାପନ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କର ଶିକ୍ଷାର ସୁବିଧା କରିବା ଉଚିତ । ଲୋକେ ଶିକ୍ଷିତ ନ ହେଲେ ପାଠାଗାରରେ ପଢ଼ିବ କିଏ ? ତହୁଁ ସୁଦାମ ବାବୁ ଉଠି କହିଲେ–‘‘ପୁରୁଣା ବଜାରରେ ଗୋଟିଏ ଭର୍ଣ୍ଣାକ୍ୟୁଲାର ସ୍କୁଲ ଆଜି ସ୍ଥାପିତ ହେଉ, ସବୁ ଖର୍ଚ୍ଚ ମୁଁ ଦେବି–ସ୍କୁଲଟି ଭାଇଙ୍କ ନାମରେ ହେବ । ସଭାର ସମସ୍ତେ ହାତ ତାଳି ଦେଇ ଆନନ୍ଦ ପ୍ରକାଶ କଲେ-। ସ୍କୁଲ ବସିଲା, ନାମ ହେଲା ‘ନାରାୟଣଚନ୍ଦ୍ର ଭର୍ଣ୍ଣାକ୍ୟୁଲାର ସ୍କୁଲ’, ପରେ ସ୍କୁଲଟି ମାଇନର ହେଲା-। ବର୍ତ୍ତମାନ ସେହି ସ୍କୁଲଟି ଆଦର୍ଶ ମାଇନର ସ୍କୁଲ । * ସୁଦାମ ବାବୁଙ୍କ ଦେଶପ୍ରୀତି ଏବଂ ଭ୍ରାତୃଭକ୍ତି ଭଦ୍ରଖରେ ଆଦର୍ଶ । ସ୍ଥାନୀୟ ପାଠାଗାର ସଭାରୁ ସ୍କୁଲର ଉତ୍ପତି–ଏହା ବି ଗୋଟାଏ ଉଚ୍ଚ ଆଦର୍ଶ ।

 

*

ଅଧୁନା ଉକ୍ତ ସ୍କୁଲଟି ହାଇସ୍କୁଲରେ ପରିଣତ । ଏହାର ନାମ ନାରାୟଣଚନ୍ଦ୍ର ହାଇସ୍କୁଲ ।

 

ଅନେକ ସମୟରେ ଦେଖାଯାଏ, ସାନ କଥାରୁ ବଡ଼ କାମଟିଏ ବାହାରି ପଡ଼େ । ପ୍ରକୃତି ରହସ୍ୟମୟୀ, ସାନମଞ୍ଜିଭିତରେ ମହାଦାରୁ ରଖିଲା ଭଳି ସେ ସାନ କଥା ଭିତରେ ବଡ଼ କାମ ଲୁଚାଇ ରଖିଥାଏ । ସୁଦାମ ବାବୁ ଏହି କାର୍ଯ୍ୟ ଦ୍ୱାରା ଚିର ସ୍ମରଣୀୟ ହୋଇଅଛନ୍ତି, ତାଙ୍କର ଭ୍ରାତୃଭକ୍ତି ଅମର ହୋଇଅଛି । ସୁଦାମ ବାବୁଙ୍କ ଠାରୁ ଏହିପରି କିଛି ପାଇବ ବୋଲି ଭଦ୍ରଖ ଆଶା କରିଥିଲା । ଶେଷ ଜୀବନରେ ତାଙ୍କର ମଧ୍ୟ ଜନ୍ମଭୂମି ପ୍ରତି ଗୋଟାଏ ସ୍ନେହମମତା ବଢ଼ିଆସୁଥିଲା, ଦୁରନ୍ତ କାଳ ତାହା ସହି ପାରିଲା ନାହିଁ–ସତ୍ୱର ତାଙ୍କୁ ଧରାଧାମରୁ ନେଇଗଲା । ଭଗବାନ ଦୁର୍ଜନର ପରମାୟୁ ସଜ୍ଜନକୁ ଦିଅନ୍ତି ନାହିଁ କାହିଁକି, ତାହା ସେହି ଏକା ଜାଣନ୍ତି । ସେହି ବିଧାତା ପୁଣି ଚମ୍ପା ଫୁଲକୁ ସ୍ୱଳ୍ପାୟୁ କରି ଗନ୍ଧହୀନ ଚୀନାଗୋଲାପକୁ ଦୀର୍ଘାୟୁ କରିଅଛନ୍ତି ।

 

ପର୍ଶୁରାମ ବାବୁଙ୍କ ପତ୍ର ପାଇଲି । ସେ ଲେଖିଥିଲେ–‘‘ସୁରଙ୍ଗୀ ରାଜାଙ୍କ ସାହାଯ୍ୟରେ ଇଚ୍ଛାପୁରସ୍ଥ ଚନ୍ଦ୍ରଚୂଡ଼ାମଣି ପ୍ରେସରୁ ଖଣ୍ଡେ ସାପ୍ତାହିକ ପତ୍ରିକା ବାହାରିବ । ପତ୍ରିକାର ନାମକରଣ ହୋଇଯାଇଅଛି । ସ୍ୱୟଂ ସୁରଙ୍ଗୀରାଜା ତାହାର ନାମ ‘‘ଉତ୍କଳବାସୀ’’ ଦେଇଅଛନ୍ତି । ଆପଣ ସେହି ପତ୍ରିକାର ସମ୍ପାଦକ ନିଯୁକ୍ତ ହୋଇଅଛନ୍ତି । ନିଯୁକ୍ତି ପତ୍ର ଏଥିସହ ପଠାଗଲା, ଆପଣ ଅତିଶୀଘ୍ର ଆସନ୍ତୁ । ଏଣେ ସବୁ ପ୍ରସ୍ତୁତ, ଆପଣ ଆସି ପ୍ରାଥମିକ ଅନୁଷ୍ଠାନ ଯାହା କରିବାର କରି ଶୀଘ୍ର ପତ୍ରିକା ବାହାର କରିବେ । ରାଜା ବର୍ତ୍ତମାନ ମାନ୍ଦ୍ରାଜରେ ଅଛନ୍ତି । ଆପଣ ବ୍ରହ୍ମପୁରରେ ଓହ୍ଲାଇ ମୋ ସାଙ୍ଗରେ ସାକ୍ଷାତ୍ କରି ସବୁ ବିଷୟ ବୁଝି ଇଚ୍ଛାପୁର ଯିବେ ।’’ ପତ୍ର ପାଇ ମୁଁ ଆଉ ବିଳମ୍ବ ନ କରି ତାହା ପରଦିନ ରେଲରେ ବ୍ରହ୍ମପୁର ଗଲି । ଆମ ଗ୍ରାମବାସୀ ପଦନ ମହାପାତ୍ର ପ୍ରେସ୍‍ରେ ଚାକିରୀ କରିବା ଉଦ୍ଦେଶ୍ୟରେ ମୋ ସଙ୍ଗରେ ଗଲା । ବ୍ରହ୍ମପୁରରେ ଓହ୍ଲାଇ ପର୍ଶୁରାମ ବାବୁଙ୍କ ଘରେ ପହୁଞ୍ଚିଲି । ସେ କହିଲେ, ‘‘ପତ୍ରିକା ପାଇଁ ଡିକ୍‍ଲେୟାରେଶନ କରିବାକୁ ହେବ । ଆପଣ ସ୍ନାନାହାର ଶେଷକରି କୋର୍ଟକୁ ଚାଲନ୍ତୁ, ମୁଁ ସବୁ ସଜିଲି କରିଦେବି ।’’ ତାଙ୍କରି ବସାରେ ସ୍ନାନାହାର ସାରି କୋର୍ଟକୁ ଗଲି । ପ୍ରଥମ ଶ୍ରେଣୀ ଡେପୁଟୀ ମାଜିଷ୍ଟ୍ରେଟ୍ କୋର୍ଟରେ ଡିକ୍‍ଲେୟାରେଶନ ହୋଇଗଲା । ସେଦିନ ପର୍ଶୁରାମ ବାବୁଙ୍କ ବସାରେ ରହି ପତ୍ରିକା ସମ୍ବନ୍ଧରେ ତାଙ୍କଠାରୁ ଉପଦେଶ ନେଇ ତହିଁଆର ଦିନ ଇଚ୍ଛାପୁର ଗଲି । ଷ୍ଟେସନରେ ଓହ୍ଲାଇ ଜଣେ ଶଗଡ଼ିଆକୁ ପଚାରିଲି–ସୁରଙ୍ଗୀ ବଙ୍ଗଳା କେତେ ବାଟ ହେବ ? ସେ କହିଲା–ବହୁତ ଦୂର । ଶଗଡ଼ ଭଡ଼ା ଚାରିଅଣା ଛିଡ଼ିଲା । ପ୍ରାୟ ଦଶମିନିଟ୍ ମଧ୍ୟରେ ଗାଡ଼ି ଯାଇ ସୁରଙ୍ଗୀ ବଙ୍ଗଳାରେ ପହୁଞ୍ଚିଲା । ଏତିକି ବାଟକୁ ଗାଡ଼ିଆଳ ‘‘ବହୁତ ଦୂର’’ କହିଥିଲା । ବଙ୍ଗଳାଟି ତିନି କୋଠରୀ, ଗୋଟିଏ କୋଠରୀରେ ରାଜା ଆସିଲେ ରହନ୍ତି, ଅପର ଦୁଇଟିରେ ପ୍ରେସ୍ ଏବଂ ପ୍ରେସ୍ ସରଞ୍ଜାମ ଥାଏ । ମଧୁ କ୍ରିଷ୍ଣାୟା ନାମରେ ଜଣେ ତେଲଙ୍ଗା ହେଡ଼୍ କମ୍ପୋଜିଟର ପ୍ରେସ୍‍ରେ ଥିଲା । ସେ ମୋର ପୂର୍ବ ପରିଚିତ । ଶାସ୍ତ୍ରୀଙ୍କ ପ୍ରେସ୍‍ରେ ମୋ ସମୟରେ ସେ କମ୍ପୋଜିଟର ଥିଲା । ଓଡ଼ିଆ, ଇଂରାଜୀ ଏବଂ ତେଲୁଗୁ ତିନିଭାଷାରେ ସେ କମ୍ପୋଜ କରିପାରେ । ଯୋଗ୍ୟତାନୁରୂପେ ବେତନ ନ ପାଇବାରୁ ଶାସ୍ତ୍ରୀଙ୍କ ପ୍ରେସ୍‍ରୁ ବାହାରି ଆସି ସେ ଇଚ୍ଛାପୁର ଚନ୍ଦ୍ରଚୂଡ଼ାମଣି ପ୍ରେସ୍‍ରେ ଥିଲା । ମଧୁ ମୋତେ ଦେଖି ଖୁବ୍ ଆନନ୍ଦ ପ୍ରକାଶ କଲା ଏବଂ ମୋତେ ନେଇ ମୋ ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ବସାରେ ଓହ୍ଲାଇଦେଲା । ଶଗଡ଼ିଆକୁ ଭଡ଼ା ଦେବାବେଳେ ମଧୁ ଘୋର ଆପତ୍ତି କଲା । ପ୍ରେସ୍‍ର କର୍ମଚାରୀମାନେ ଆସି ଶଗଡ଼ିଆ ସଙ୍ଗରେ ତୁମୁଳ କଳି ଲଗାଇ ଦେଲେ । ଷ୍ଟେସନରୁ ବଙ୍ଗଳା ପର୍ଯ୍ୟନ୍ତ ଭଡ଼ା ଦୁଇଅଣା, କିନ୍ତୁ ଗାଡ଼ିଆଳ ମୋତେ ନବାଗତ ବିଦେଶୀ ଜାଣି ଠକାଇବାକୁ ସୁବିଧା ପାଇଥିଲା । ରାଜାଙ୍କର ଛାମୁପାଇକ ସୂରିନାରାୟଣା ଆସି ପହୁଞ୍ଚିଗଲା । ଏହି ଅନ୍ୟାୟ ସକାଶେ ଗାଡ଼ିଆଳକୁ ସେ ମାରିବାକୁ ଉଦ୍ୟତ ହେଲା । ବିଚାରା ଠକ ଆଉ କଅଣ କରିବ, ଉପଯୁକ୍ତ ଅକଲସଲାମୀ ପାଇ ଦୁଇଅଣା ପଇସା ନେଇ କାନମୁଣ୍ଡ ଆଉଁସି ପୃଷ୍ଠଭଙ୍ଗ ଦେଇ ଚାଲିଗଲା–କଳିସମର ଶାନ୍ତି ଭଜିଲା ।

 

ଇଚ୍ଛାପୁର ଗଞ୍ଜାମ ଜିଲ୍ଲାର ବାଣିଜ୍ୟର ଗୋଟାଏ ଉପକେନ୍ଦ୍ର । ପ୍ରତି ଶନିବାର ଦିନ ସେଠାରେ ହାଟ ହୁଏ । ଉଦ୍ୟାନଖଣ୍ଡ ଜାତ ନଡ଼ିଆ, କଦଳୀ, ପଣସ, ପନିପରିବା ହାଟକୁ ବହୁଳ ପରିମାଣରେ ଆସେ । ମାଳରୁ ଆମ୍ବ, କମଳା ପ୍ରଭୃତି ଯଥେଷ୍ଟ ଆସେ । ଗ୍ରୀଷ୍ମକାଳରେ ଲଙ୍କାଆମ୍ବ ଇଚ୍ଛାପୁରକୁ ପ୍ରଚୁର ପରିମାଣରେ ଆସେ–ପଇସାରେ ପଣେ, ଦେଢ଼ପଣ ଲେଖାଏଁ ବିକ୍ରିହୁଏ । ସପୁରୀ ଆତ (ରାମଫଳ) ଗୋଟାଏ ଗୋଟାଏ ଢାଳପରି ବଡ଼ ହୁଏ । ଉଦ୍ୟାନର ଖଜୁରା ପଣସ ଗୋଟାଏ ଅତି ଉତ୍କୃଷ୍ଟ ଖାଦ୍ୟ । ସେ ସମୟରେ ଇଚ୍ଛାପୁରରେ କଦଳୀ ପଇସାକୁ ଛଅଟା ମିଳୁଥିଲା-। ଖୁବ୍ ବଡ଼ ନଡ଼ିଆର ଦାମ୍ ଚାରିପାହୁଲା । ବୋଇତାଳୁ ଗୋଟାକ ଚାରିପଇସାରୁ ଅଧିକ ନୁହେଁ । ମଞ୍ଜା ପଇସାକୁ ବୋଝେ ଏବଂ କଦଳୀଭଣ୍ଡା ଆଠଟା ମିଳୁଥିଲା । ପାନ ଶହ ପଇସାଏ, ମାଛ ସେର ପ୍ରାୟ ଦୁଇଅଣା, ମାତ୍ର ଛୋଟ ଚିଙ୍ଗୁଡ଼ି ସେର ଦୁଇ ପଇସା । ସମୁଦ୍ର ମାଛ ଅପର୍ଯ୍ୟାପ୍ତ ମିଳେ, ମିଠାମାଛ ସମୟ ସମୟରେ ଖୁବ୍ ଅଳ୍ପ ମିଳେ । ତେତେବେଳେ ପଣସ ମଞ୍ଜି ପଇସାକୁ ପ୍ରାୟ ଦୁଇପଣ ମିଳୁଥିଲା । ମୂଳା ପାହୁଲାକୁ ଦୁଇଗଣ୍ଡା । ବାଇଗଣ ବିଶା ଦେଢ଼ପଇସା ଥିଲା । ସଲରାର ବର୍ଣ୍ଣ ଶୁକ୍ଳ, ତାହା ପ୍ରାୟ ଏକଫୁଟ ଲମ୍ବ ଏବଂ ତଦୁପଯୋଗୀ ମୋଟ ହୁଏ । ସେକାଳରେ ପଇସାକୁ ନଅଟା ମିଳୁଥିଲା । କାଉଁରିଆ (ଖଟା ଭେଣ୍ଡୀ) ଶାଗର ପ୍ରଚଳନ ଅଧିକ, ତାହା ପାହୁଲାକୁ ପାଛିଏ । ସଜନା ଶାଗ କେହି ଖାଉ ନଥିଲେ । ମୁଗ ଏବଂ କାନ୍ଦୁଲ (ହରଡ଼) ଜାଇର ସେର ଛଅପଇସା । ମଶୁରର ବ୍ୟବହାର ଆଦୌ ନାହିଁ । ସେର, ଅଧସେର, ପାଆ ଯଥାକ୍ରମେ ଅଢ଼ା, ବୋଡ଼ା ଏବଂ ସୋଲା ନାମରେ ପରିଚିତ । ସୁଉକିକୁ ପାହୁଲା, ଦୁଇଅଣାକୁ ବେଏଡ଼ା ଏବଂ ଦୁଇପଇସାକୁ ପାର୍କା କହନ୍ତି । ପାହୁଲାର ନାମ ଦାମୁଡ଼ି । ଅଧଲାର ନାମ–ତିନିଟୋଲି ।

 

ଇଚ୍ଛାପୁର ଗୋଟିଏ ରମଣୀୟ ସ୍ଥାନ । ପୂର୍ବରେ ସମୁଦ୍ର, ଦକ୍ଷିଣରେ ଗେରୁଆ ପର୍ବତ, ପୂର୍ବରେ ପିର ପର୍ବତ ଏବଂ ଛୁଞ୍ଚି ପର୍ବତ । ପିର ପାହାଡ଼ ଉପରେ ଦୁଇଟି ମସଜିଦ୍ ଅଛି । ପ୍ରତି ଗୁରୁବାର ଦିନ ସେଠାରେ ବହୁ ଯାତ୍ରୀର ସମାଗମ ହୁଏ । ହିନ୍ଦୁ ମୁସଲମାନ ଉଭୟ ଜାତି ପିରଙ୍କୁ ପୂଜା କରନ୍ତି । ହିନ୍ଦୁ ମୁସଲମାନ ଏକତାର ଏହା ଏକ ମଙ୍ଗଳ ଦୃଷ୍ଟାନ୍ତ । ମସଜିଦ୍ ପାଖରେ ଗୋଟାଏ କୁଣ୍ଡ ଅଛି । ଦାରୁଣ ଗ୍ରୀଷ୍ମକାଳରେ ସୁଦ୍ଧା କୁଣ୍ଡର ଜଳ ଶୁଖେ ନାହିଁ–ଅତି ଊଣାରେ ଅଧ ଆଣ୍ଠୁଏ ପାଣି ଥାଏ । କଥିତ ଅଛି–ଆଖୁରସ ପରି ସେହି ଜଳରେ ନବାତ ପ୍ରସ୍ତୁତ ହେଉଥିଲା, କିନ୍ତୁ ଏବେ ଆଉ ହୁଏ ନାହିଁ । କୁଣ୍ଡରେ କେହି ଗୋଡ଼ ବୁଡ଼ାନ୍ତି ନାହିଁ । ବାହୁଦା ନଦୀ ଇଚ୍ଛାପୁରର ଦକ୍ଷିଣ ପଶ୍ଚିମ ଦୁଇଦିଗର ପରିଖା ତୁଲ୍ୟ ରହିଅଛି । ଇଚ୍ଛାପୁରର ଉଦ୍ୟାନଖଣ୍ଡର ଲଙ୍କା-ଆମ୍ର-ବନ-ଶ୍ୟାମଳ ଉଚ୍ଚ ବାଲି ସ୍ତୂପମାନ ଦେଖାଯାଏ । ସମୁଦ୍ରବେଳାରେ ୫୦।୬୦ କ୍ରୋଶ ପର୍ଯ୍ୟନ୍ତ ପ୍ରକାଣ୍ଡ ଉଦ୍ୟାନ ବ୍ୟାପି ରହିଅଛି । କଦଳୀ, ନଡ଼ିଆ, ଆମ୍ବ, ପଣସ, ବାଦାମ, କଇଥ, ତାଳ, ଆତ ପ୍ରଭୃତି ଫଳବୃକ୍ଷରେ ଉଦ୍ୟାନ ପୂର୍ଣ୍ଣ । ଉଦ୍ୟାନ ପ୍ରକୃତିରାଣୀଙ୍କର ଅସରନ୍ତି ରତ୍ନଭଣ୍ଡାର । ଅଧିକାଂଶ ଆମ୍ବ, ପଣସ ଏବଂ ତାଳଗଛ ବର୍ଷରେ ଦୁଇଥର ଫଳେ । କିଆ ଗଛ ଅପର୍ଯ୍ୟାପ୍ତ । ଉଚ୍ଚ କିଆବୁଦାମାନ ପ୍ରକାଣ୍ଡକାୟ ଦୈତ୍ୟ ପରି ବହୁ ହସ୍ତ ବିସ୍ତାର କରି ଠିଆ ହୋଇଅଛି । କିଆଫୁଲ ଖୁବ୍ ଶସ୍ତା, ପଇସାରେ ୭।୮ ଗୋଟା ମିଳେ । ଦିଲ୍ଲୀଆଡ଼ୁ ମୁସଲମାନ ମହାଜନମାନେ ଆସି ସେଠାରେ ରହି କିଆ ଅତର ପ୍ରସ୍ତୁତ କରି ନେଇ ଯାଆନ୍ତି । ସମୁଦ୍ର ବେଳାରେ ନାଗଫେଣୀ, ସପ୍ତଫେଣୀ ଅଧିକ ଦେଖାଯାଏ । ସପ୍ତଫେଣୀକୁ ସେ ଅଞ୍ଚଳରେ ‘‘ରାବଣହସ୍ତା’’ କହନ୍ତି–‘‘ରାମ ଗଦା’’ ବୋଲି ମଧ୍ୟ ତାହାର ଆଉ ଗୋଟାଏ ନାମ ଅଛି । ଉଭୟ ନାମ ସାର୍ଥକ । ଉଦ୍ୟାନ ଯୋଗୁଁ ଗଞ୍ଜାମର ବାଣିଜ୍ୟ ପ୍ରାୟ ଭାରତ ବ୍ୟାପୀ । ଉଦ୍ୟାନର ନଡ଼ିଆ କଦଳୀ କେଉଁ ସ୍ଥାନରେ ଅପରିଚିତ ନୁହେଁ । ଉଦ୍ୟାନଖଣ୍ଡ ଭ୍ରମଣ ଲେଖା ବେଳେ ସେ ସମ୍ବନ୍ଧରେ ବିସ୍ତୃତ ବିବରଣ ବର୍ଣ୍ଣିତ ହେବ l ଶୁଷ୍କ, ନୀରସ, ଉତ୍ତପ୍ତ ବାଲୁକାମୟ ବେଳାଭୂମିରେ ପ୍ରକୃତିର ମହାସମ୍ପଦ ନୀଳାୟମାନ ବିଚିତ୍ର ଉଦ୍ୟାନ ଈଶ୍ୱରଙ୍କର ଅତୁଳ, ଅଦ୍ଭୁତ ମହିମାର ନିଦର୍ଶନ । ଇଚ୍ଛାମୟଙ୍କ ଇଚ୍ଛାରେ ଅସମ୍ଭବ ସମ୍ଭବ ହୋଇପାରେ, ସେ ଅନନ୍ତ ମହାମଙ୍ଗଳ ଇଚ୍ଛାର ଅସାଧ୍ୟ କିଛି ନାହିଁ । ଯୋଜନ ଯୋଜନବ୍ୟାପି ବାଲୁକାପ୍ରାନ୍ତର, ଛଳନାମୟୀ ମରୀଚିକାର ବିରାଟ କ୍ରୀଡ଼ାକ୍ଷେତ୍ର ଯେ ଏଭଳି ଉଦ୍ଭିଦ ଲକ୍ଷ୍ମୀର ନୀଳୀୟମାନ ସୁଷମା ମାଧୁରୀରେ ମଣ୍ଡିତ ହୋଇପାରେ, ଏହା କଳ୍ପନାତୀତ । ସତେ ଯେପରି ସ୍ୱପ୍ନର କୁହୁକ–ଜାଲ ବିସ୍ତାର କରି ମରୁଭୂମିରେ ଇନ୍ଦ୍ରଭୁବନର ସୃଷ୍ଟି ହୋଇଅଛି । ମରୁଭୂମିରେ ଇନ୍ଦ୍ରଧନୁର ଶୋଭା କି ଅଦ୍ଭୁତ, କି ନେତ୍ରହର, ତାହା ଯେ ଦେଖିଛି ସେହି ଏକା ଜାଣେ । ଅନ୍ୟପକ୍ଷରେ ତାହା କପୋଳକଳ୍ପନା । ସ୍ୱପ୍ନ ସ୍ୱର୍ଗର ମୋହନମାଧୁରୀ ରୂପ ଧରି, ନାଚି, ଖେଳି, ହସି ହସି ବୁଲୁଅଛି । ଉଦ୍ୟାନର ସ୍ଥାନେ ସ୍ଥାନେ ବାଘ ଭାଲୁ ବି ଅଛନ୍ତି । ମଧୁରତା ଏବଂ ଭୀଷଣତାର ପ୍ରେମାଲିଙ୍ଗନ । ପୁଣି ସେହି ଭୀଷଣତା ମଧୁରତାକୁ ମଧୁରତର କରେ । ଅରଣ୍ୟ ଭୀଷଣ ହୋଇ ନ ଥିଲେ ଏଡ଼େ ସୁନ୍ଦର ହୋଇପାରି ନ ଥାନ୍ତା । ରୁଦ୍ରତାଣ୍ଡବ–ଲୀଳା–ରସିକ ମହାସାଗର ଦର୍ଶକର ନେତ୍ରରସାୟନ ହେବାର କାରଣ ତାହାରି ସେହି ଭୀଷଣତା ଭିନ୍ନ ଅନ୍ୟ କିଛି ନୁହେଁ । ଭୀଷଣତା ମଧୁରତାର ସମ୍ପଦ ଏବଂ ଅଳଙ୍କାର ।

 

ଇଚ୍ଛାପୁର ଗଭର୍ଣ୍ଣମେଣ୍ଟ ଖାସମାହାଲ । ସେଠାରେ ଡେପୁଟି ତହସିଲଦାର କଚେରୀ, ରେଳଷ୍ଟେସନ, ପୋଲିସ ଥାନା, ମୁଶାଫେରି ବଙ୍ଗଳା, ଇଉନିୟନ ଅଫିସ ଅଛି । ହାଇସ୍କୁଲର ଅଭାବ ଥିଲା, ସୁରଙ୍ଗୀର ନରପତି ଚନ୍ଦ୍ରଚୂଡ଼ାମଣି ଦେବ ସେ ଅଭାବ ପୂର୍ଣ୍ଣକରି ଯାଇଅଛନ୍ତି । ତାଙ୍କର ନବନିର୍ମିତ ରାଜହମ୍ୟ ଇଚ୍ଛାପୁରର ଅଳଙ୍କାର । ଇଚ୍ଛାପୁରରେ ଅନେକ କୁମୁଟି ମହାଜନ ଅଛନ୍ତି । ବ୍ୟବସାୟ କ୍ଷେତ୍ରରେ ତେଲଙ୍ଗାମାନେ ଅଗ୍ରଣୀ, ଓଡ଼ିଆମାନେ ବାଣିଜ୍ୟରେ ଦୁର୍ବଳ । ସୁମାଣ୍ଡୀରେ ଲୁଣ କାରଖାନା ଅଛି । ଜଳବାୟୁ ସ୍ୱାସ୍ଥ୍ୟକର, ମାତ୍ର ପାନୀୟ ଜଳର ବଡ଼ ଅଭାବ । ଅନେକ କୂପ, ପୁଷ୍କରିଣୀର ଜଳରେ ପରିବା ଶିଝେ ନାହିଁ । ସଇତି ଖାଁ ବନ୍ଧ ଏବଂ ସଇତି ଖାଁ କୂପ ପାନୀୟ ଜଳ ସକାଶେ ପ୍ରସିଦ୍ଧ । ମୁସଲମାନ ମହାପୁରୁଷ ସଇତି ଖାଁଙ୍କର ମନ ବଡ଼ ନିର୍ମଳ ଏବଂ ପବିତ୍ର ଥିଲା । ସେ ଯେଉଁ ଜଳକୀର୍ତ୍ତୀ କରିଯାଇ ଅଛନ୍ତି, ସେଥିରେ ଜଳ ତାଙ୍କରି ମନ ପରି ସ୍ୱଚ୍ଛ, ଶୀତଳ ଏବଂ ମଧୁର । ମୁସଲମାନ ରାଜତ୍ୱ ସମୟରେ ଇଚ୍ଛାପୁର ନବାବଙ୍କର ଅନ୍ୟତମ ରାଜଧାନୀ ଥିଲା । ଦୁର୍ଗର ଭଗ୍ନାବଶେଷ ଅଦ୍ୟାପି ଅଛି । କାହିଁକି କେଜାଣି ଏହି କ୍ଷୁଦ୍ର ସହରରେ ସମୟ ସମୟରେ ବସନ୍ତ ଏବଂ ମହାମାରୀର ମହା ପ୍ରଭାବ ଦେଖାଯାଏ । ଉପକଣ୍ଠରେ ‘‘ମଇଁଷି ଗୋଠ’’ ନାମରେ ଗୋଟାଏ ପ୍ରସ୍ତର କ୍ଷେତ୍ର ଅଛି । ଦୂରରୁ ପ୍ରସ୍ତର ଗୁଡ଼ିକ ମଇଁଷି ଗୋଠ ଶୋଇଲା ପରି ଦେଖାଯାଏ । ପ୍ରବାଦ ଅଛି–‘‘ଜଣେ ସାଧୁପୁରୁଷ ମହିଷାଳକୁ ଦୁଧ ମାଗିଲେ, ମାତ୍ର ସେ ନ ଦେବାରୁ ସାଧୁପୁରୁଷଙ୍କ ଅଭିଶାପରେ ମଇଁଷି ଗୋଠ ପଥର ପାଲଟି ଗଲା ।’’ ପ୍ରବାଦର ସତ୍ୟାସତ୍ୟ ଅନ୍ଧକାର ଗର୍ଭରେ, ମାତ୍ର ସାଧୁପୁରୁଷଟି ଦୁର୍ବାସା ଋଷି କିମ୍ବା ତାଙ୍କର କେହି ବଂଶଧର ହୋଇଥିବା ପରି ବୋଧହୁଏ । ଯାହାଙ୍କର କ୍ରୋଧ ଏଭଳି ଦୁର୍ବାର, ପୁଣି ଯେ ପରଦ୍ରବ୍ୟ ନ ପାଇଲେ ଅଭିଶାପ ଉଦ୍‌ଗାର କରନ୍ତି, ତାଙ୍କର ସନ୍ନ୍ୟାସର ମାପକାଠି କେତେ ଲମ୍ବ, ତାହା କଳିବା ମୋ ଭଳି ଅସାଧୁ ପକ୍ଷରେ ସାଧ୍ୟାତୀତ ।

 

ଇଚ୍ଛାପୁର ପହଞ୍ଚି ପ୍ରଥମେ ମାନ୍ଦ୍ରାଜ ଠିକଣାରେ ସୁରଙ୍ଗୀ ରାଜାଙ୍କୁ ପତ୍ର ଲେଖିଲି । ତାଙ୍କ ଭାଇ ଚକ୍ରପାଣି ସାମନ୍ତଙ୍କୁ ମଧ୍ୟ ପତ୍ର ଲେଖିଲି । ପୂର୍ବରୁ ବ୍ରହ୍ମପୁରରେ ମୁଁ ତାଙ୍କ ସଙ୍ଗରେ ପରିଚିତ ହୋଇଥିଲି । ରାଜାଙ୍କଠାରୁ ଆଦେଶ ପାଇ ‘‘ଉତ୍କଳବାସୀ’’ ବାହାର କରିବା ଚେଷ୍ଟାରେ ଲାଗିଲି । ପାଞ୍ଚଶ କାର୍ଡ଼ ଛପାଇ ପ୍ରାକୃତିକ ଉତ୍କଳର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିକଟକୁ ପଠାଇ ଗ୍ରାହକ ହେବାପାଇଁ ଅନୁରୋଧ କଲି । ପତ୍ର ଲେଖି ଲେଖକ ଏବଂ ସମ୍ବାଦଦାତା ସଂଗ୍ରହରେ ଲାଗିଲି । କେତେକ ଗ୍ରାହକଙ୍କର ସ୍ୱୀକୃତି ମଧ୍ୟ ପାଇଲି । ଅନେକ ସ୍ଥାନରୁ ସମ୍ବାଦ ଏବଂ ପ୍ରବନ୍ଧାଦି ଆସିଲା । ଗୋଟିଏ ମଙ୍ଗଳାଚରଣ ଶ୍ଳୋକ ଲେଖିଦେବା ପାଇଁ କବିବର ରାଧାନାଥ ବାବୁଙ୍କୁ ଅନୁରୋଧ କରି ପତ୍ର ଲେଖିଲି । ଠିକ୍ ତିନିଦିନ ପରେ ତାଙ୍କ ରଚିତ ଶ୍ଳୋକଟିଏ ପାଇଲି । ଉତ୍କଳବାସୀର ଶିରୋନାମା ତଳେ ତାହା ସ୍ଥାୟୀ ଭାବରେ ରହିଲା । ଶ୍ଳୋକଟି ଏହି–

 

‘‘ରାଜ୍ଞାଂ ସଚିବଃ ପ୍ରକୃତେର୍ତ୍ତ୍ରାତା,

ନବ ନବ ବାର୍ତ୍ତା ଶିକ୍ଷା ଦାତା,

ସଜ୍ଜନ ଶର୍ମବିଧାନବିଳାସୀ,

ଜୀବତୁ ସୁଚିରଂଚୋତ୍କଳବାସୀ ।’’

 

ଯଥା ସମୟରେ ପତ୍ରିକା ବାହାରିଲା । ପଦନକୁ ସାତଟଙ୍କା ବର୍ତ୍ତନରେ କମ୍ପୋଜିଟର ନିଯୁକ୍ତ କରାଗଲା । ଜୟକୃଷ୍ଣ ପାଢ଼ୀ ନାମରେ ମୋର ଜଣେ ଛାତ୍ର ଭର୍ଣ୍ଣାକ୍ୟୁଲାର ପାସ କରି ଘରେ ବସିଥିଲା, ସେ ଚାକିରୀ ପାଇଁ ଲେଖିବାରୁ ତାକୁ ଆଠଟଙ୍କା ଦରମାରେ କ୍ଳାର୍କ ରଖାଗଲା । ସେ କମ୍ପୋଜ ମଧ୍ୟ କରେ । ପ୍ରେସମେନ୍ ଏବଂ ବାଲର ଦୁଇଜଣ ତେଲଙ୍ଗା ପିଲା ରହିଲେ । ସେ ଦୁହିଙ୍କର ବେତନ ତିନିଟଙ୍କା ଏବଂ ଅଢ଼େଇ ଟଙ୍କା ଧାର୍ଯ୍ୟ ହେଲା । ଏହିପରି ପିଲାଗୁଡ଼ିକୁ ନେଇ ପିଲା ଖେଳରେ ମାତିଲି । ସମସ୍ତେ ନୂତନ, କମ୍ପୋଜରେ ଅନେକ ଭୁଲ ରହିଲା । ମୁଁ ନିଜେ ପିନଚର୍, ବଟ୍‍କିନ୍ ଧରି ଭୁଲ ସଂଶୋଧନ କଲି । ରାଜାଙ୍କର ଦୁଇଖଣ୍ଡି ପୁସ୍ତକ–ରାଧାକାନ୍ତ ଜଣାଣ ଏବଂ କ୍ରୁରାଶିନୀ ଜଣାଣର ଛାପା ଲାଗିଲା । ତାଙ୍କ ଷ୍ଟେଟର ପଟ୍ଟା, ମୁଚାଲିକା ପ୍ରଭୃତି ନାନା ପ୍ରକାର ଫାରମ ଛାପା ହେଲା । ସୋମପେଣ୍ଠ ହିନ୍ଦୀ ନାଟକ ଦଳର ନୋଟିସ୍ ବିଜ୍ଞାପନ ଛାପା ହେବାକୁ ଆସିଲା । କାର୍ଯ୍ୟ ଅଧିକ ପଡ଼ିଲା, ଅଳ୍ପ କର୍ମଚାରୀ ସବୁ ତୁଲାଇ ପାରିଲେ ନାହିଁ । ବ୍ରହ୍ମପୁରରୁ ଦୁଇଜଣ କମ୍ପୋଜିଟର ଅଣାଇବାକୁ ହେଲା । ସେଥିମଧ୍ୟରୁ କମ୍ପୋଜ ବିଦ୍ୟା ସଙ୍ଗରେ ଜଣଙ୍କର ସଉତୁଣୀ ସମ୍ପର୍କ, ସେ କେବଳ ଡିଷ୍ଟ୍ରିବିଉଟ୍ କାର୍ଯ୍ୟ ଚଳାଇଲା । ସମୟର ନିତାନ୍ତ ଅଭାବ ଘଟିଲା । ରାତି ଦୁଇଟା ପର୍ଯ୍ୟନ୍ତ ମୋତେ କାର୍ଯ୍ୟ କରିବାକୁ ପଡ଼ିଲା । ଯାହାହେଉ ନିୟମିତ ରୂପେ କାମ ଚାଲିଲା । ପ୍ରେସରେ ଓଡ଼ିଆ ଅକ୍ଷର ଅଧିକ ଥିଲା ନାହିଁ । ଉତ୍କଳବାସୀର ଦୁଇପୃଷ୍ଠା ଛାପା ହୋଇସାରି ଅକ୍ଷର ବାହାରିଲେ ଆଉ ଦୁଇପୃଷ୍ଠା କମ୍ପୋଜ ହୁଏ । ମୁଁ ନିଜେ କଟକ ଯାଇ ପ୍ରିଣ୍ଟିଂକୋମ୍ପାନୀ ଅଫିସରୁ ପାଉଣ୍ଡ ଆଠଅଣା ଦରରେ କୋଡ଼ିଏ ପାଉଣ୍ଡ ଅକ୍ଷର କିଣି ଆଣିଲି । ପ୍ରିଣ୍ଟିଂକୋମ୍ପାନୀର ଅକ୍ଷର ଢଳା ବିଭାଗ ଭାଗୀରଥୀ ସାଠିଆଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ସାଠିଆ ବାବୁ ମୋତେ ନେଇ ତାଙ୍କ ଘର ଦ୍ୱାର ଦେଖାଇଲେ । ସେ ଅନେକ ଶିଳ୍ପକଳା ଜାଣିଥିଲେ-। ପିତ୍ତଳ ଉପରେ ଅକ୍ଷର ଖୋଳିବା ଏବଂ ଛବି ଖୋଳିବା ତାଙ୍କ ପିଲାମାନଙ୍କୁ ଶିଖାଉଥିଲେ । ଆବଶ୍ୟକୀୟ ଯନ୍ତ୍ରପାତି ସେ ସ୍ୱହସ୍ତରେ ପ୍ରସ୍ତୁତ କରି ନେଉଥିଲେ । ସାଠିଆ ବାବୁ ତାଙ୍କ ଦ୍ୱାରା ତିଆରି ସୁନ୍ଦର ସୁନ୍ଦର ହାତବାଡ଼ି ଦେଖାଇଲେ । ବୁଢ଼ା କାଳରେ ସୁଦ୍ଧା ସେ ନିରଳସ ଏବଂ ହରହୁନ୍ଦରିଆ ଥିଲେ ।

 

ସୁରଙ୍ଗୀର ବିଦୂଷୀ ରାଣୀ ‘‘ସ୍ୱର ଷୋଡ଼ଶୀ’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଥିଲେ, ତାହା ରାଧାନାଥ ବାବୁଙ୍କ ନିକଟକୁ ପଠାଇ ତାଙ୍କଠାରୁ ମନ୍ତବ୍ୟ ଲେଖାଇ ଆଣିବାକୁ ରାଜା ମୋତେ କହିଲେ । ପାଣ୍ଡୁ ଲିପି ପ୍ରସ୍ତୁତ ହୋଇ କଟକ ପଠାଗଲା । ରାଧାନାଥ ବାବୁ ପୁସ୍ତକ ସମ୍ବନ୍ଧରେ ଭଲ ମନ୍ତବ୍ୟ ପ୍ରକାଶ କଲେ । ପୁସ୍ତକ ରାଜାଙ୍କ ନାମରେ ଛାପା ହେଲା । ରାଣୀଙ୍କର ଇଚ୍ଛାନୁସାରେ ସେପରି କରା ଯାଇଥିଲା । ରାଣୀ ହରପ୍ରିୟା ଦେବୀ ନିଜ ନାମରେ ପୁସ୍ତକ ପ୍ରକାଶ କରିବାକୁ ସଂକୁଚିତ ହେଲେ । ମାତୃ ସାହିତ୍ୟ ଚର୍ଚ୍ଚାରେ ସେ ଅଭ୍ୟସ୍ତା ଥିଲେ, ମାତ୍ର ନାମ–ପ୍ରୟାସିନୀ ନ ଥିଲେ । ସେ ଖଲ୍ଲିକୋଟର ରାଜର୍ଷି ନାରାୟଣ ମର୍ଦ୍ଦରାଜଙ୍କର କନ୍ୟା ଏବଂ ସ୍ୱନାମଧନ୍ୟ ନରପତି ହରିହର ମର୍ଦ୍ଦରାଜଙ୍କର ଭଗିନୀ ଥିଲେ । ସୁରଙ୍ଗୀର ରାଣୀ ମହୋଦୟା ପରମଧାର୍ମିକା । ଦୟାବତୀ ବୋଲି ତାଙ୍କର ବିପୁଳ ସୁଖ୍ୟାତି ଥିଲା । ଉଷା ବାରରେ ତାଙ୍କର ଅଧିକ ଦିନ ଉପବାସରେ କଟିଯାଉଥିଲା । ପବିତ୍ର କୈବଲ୍ୟ କ୍ଷେତ୍ର ପୁରୀ ଧାମରେ ସେ ଦେହତ୍ୟାଗ କରି ସଧବା ସ୍ୱର୍ଗକୁ ଚାଲିଯାଇଛନ୍ତି । ସେ ପ୍ରସଙ୍ଗ ଯଥାସ୍ଥାନରେ ଲିଖିତ ହେବ । ତାଙ୍କର ପବିତ୍ର ନାମ ସ୍ପର୍ଶରେ ଏ ଦୀନ ଲେଖନୀ ଧନ୍ୟ ହେଲା ।

 

ସୁରଙ୍ଗୀ ରାଜା ମାନ୍ଦ୍ରାଜରୁ ଆସି ଇଚ୍ଛାପୁର ବଙ୍ଗଳାରେ ରହିଲେ । ସେହି ସମୟରେ ଦେଶମିଶ୍ରଣ ଆନ୍ଦୋଳନ କ୍ଷିପ୍ର ଗତିରେ ଚାଲିଥାଏ, ଗ୍ରାମେ ଗ୍ରାମେ ଉତ୍କଳ ସମ୍ମିଳନୀର ଶାଖା ସମିତି ସ୍ଥାପିତ ହେଉଥାଏ । ଇଚ୍ଛାପୁରରେ ‘‘ଉତ୍କଳବାସୀ ସମାଜ’’ ସ୍ଥାପିତ ହେଲା । ରାଜା ସଭାପତି ହେଲେ । ସେହି ସଭାରେ ପର୍ଶୁରାମ ପାତ୍ର, ନୀଳମଣି ବିଦ୍ୟାରତ୍ନ, ଗଦାଧର ବିଦ୍ୟାଭୂଷଣ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ବକ୍ତୃତା କରିଥିଲେ । ଉତ୍କଳବାସୀ ଅଫିସରେ ସଭା ହୋଇଥିଲା । ମୁଁ ସେହି ସମାଜର ସମ୍ପାଦକ ହୋଇଥିଲି । ସମାଜ ସ୍ଥାପନ ପରେ ରାଜା ସୁରଙ୍ଗୀ ଗଡ଼କୁ ବିଜେ ହେଲେ । ମୁଁ ମଧ୍ୟ ସଙ୍ଗରେ ଗଲି l ସେଠାରେ ହିତୈଷିଣୀ ସମିତି ସ୍ଥାପିତ ହେଲା । ସେହିଦିନ ସୁରଙ୍ଗୀ ଦୁର୍ଗରେ ଗୋଟିଏ ବାଳିକା ସ୍କୁଲ ସ୍ଥାପିତ ହେଲା । ସେହି ସଭାରେ ଜଣେ ସୁରଙ୍ଗୀବାସୀ ମୋ ନାମରେ ରାଜାଙ୍କ ପାଖରେ ଫେରାଦ ହେଲେ । ସେ ଉତ୍କଳବାସୀର ଗ୍ରାହକ, ମାତ୍ର ତାଙ୍କ ନାମାଦ୍ୟରେ ବାବାଜୀ ବୋଲି ଲେଖାଯାଏ ନାହିଁ–ଏହାହିଁ ମୋର ଗୁରୁତର ଅପରାଧ । ବାବାଜୀ ବୋଲି ନ ଲେଖିଲେ ତାଙ୍କର ମାନହାନି ହୁଏ । ରାଜା ହସି ହସି କହିଲେ–‘‘ଏ ରାଜଦରବାରର ନୁହେଁ, ଏହିପରି ବିଷୟର ବିଚାର ପାଇଁ ଏ ସଭା ହୋଇ ନାହିଁ-। ସମ୍ପାଦକ ସର୍ବଜାଣ ନୁହନ୍ତି, କିମ୍ବା କାକଚରିତ ପଢ଼ିନାହାନ୍ତି ଯେ ତୁମ୍ଭ ମାନହାନି ପାଇଁ ସେ ଦାୟୀ ହେବେ । ତୁମ୍ଭ ନାମାଦ୍ୟରେ ବାବାଜୀ ବୋଲି ଲେଖିବା ସକାଶ ତୁମେ ତାଙ୍କୁ ଅନୁରୋଧ କରି ପତ୍ର ଲେଖିଥିଲେ ସେ ଅବଶ୍ୟ ତାହା କରିଥାନ୍ତେ । ନଚେତ୍ ତାଙ୍କୁ ମୌଖିକ କହିଥିଲେ ବି ହୋଇଥାଆନ୍ତା । ମୁଁ ପତ୍ରିକାର ସମ୍ପାଦକ ନୁହେଁ–ମୋ ପାଖରେ ଫେରାଦ କଲେ ମୁଁ କି ରାୟ ଦେବି-?’’ ରାଜାଙ୍କର ଏହି ମଧୁର ଭର୍ତ୍ସନାରେ ଲୋକଟି ଲଜ୍ଜାରେ ସଂକୁଚିତ ହୋଇପଡ଼ିଲା-। ମୁଁ କହିଲି–‘‘ବାବାଜୀ ମହାଶୟ ଧର୍ମଗୁରୁ ହୋଇ ସୁଦ୍ଧା ନିଜର ଅଭିମାନଟିକୁ ବଜାୟ ରଖିଛନ୍ତି, ଏହା ଅତି ଗୌରବର କଥା । ଯାହାହେଉ ଏଣିକି ତାଙ୍କ ନାମାଦ୍ୟରେ ଏବଂ ନାମ ଶେଷରେ ଦୁଇମାଳ ବାବାଜୀ ଯୋଗ କରାଯିବ–ସେ ଧୈର୍ଯ୍ୟ ଧରନ୍ତୁ ।’’ ଏହାଶୁଣି ସଭାରେ ଗୋଟାଏ ହାସ୍ୟ କୋଳାହଳ ବହିଗଲା, ବାବାଜୀ ମହାଶୟ ମୁହଁ ତଳକୁ ପୋତି ବସିଲେ । ଗୁରୁଦେବଙ୍କର ଏ ଅପମାନ ତାଙ୍କ ଚେଲାରତ୍ନ ସହି ପାରିଲା ନାହିଁ, ସେ ଧାଇଁଯାଇ କେତେ ଖଣ୍ଡ ଉତ୍କଳବାସୀ ଆଣି ରାଜାଙ୍କୁ ଦେଖାଇ କହିଲା–‘‘ଏହି ଦେଖି ଆଜ୍ଞା ହେଉନ୍ତୁ ମହାରାଜ, ସବୁଥର ଏକାକଥା ଲେଖା ହେଉଛି ଖଣ୍ଡେ ରଖିଲେ ତ ହେଲା, ବର୍ଷଯାକ ନେବାର ଦରକାର କଅଣ ?’’ ପତ୍ରିକାର ପ୍ରଥମ ପୃଷ୍ଠାରେ କବିରାଜ କ୍ଷେତ୍ରମୋହନ ବାବୁଙ୍କର ଔଷଧ ବିଜ୍ଞାପନ ଥାଏ । ମୁଁ ରାଜାଙ୍କୁ କହି କିଛିଦିନ ପାଇଁ ବିନାମୂଲ୍ୟରେ ଉକ୍ତ ବିଜ୍ଞାପନ ଦେବାର ବ୍ୟବସ୍ଥା କରିନେଇଥିଲି । କାମେଶ୍ୱର, ଭାସ୍କରଲବଣ, ଦନ୍ତମଞ୍ଜନ ଏହି ତିନୋଟି ଔଷଧର ବିଜ୍ଞାପନ ଥାଏ । ଗଞ୍ଜାମ ଜିଲ୍ଲାରେ ସେ ଔଷଧ ଯଥେଷ୍ଟ ବିକ୍ରୟ ହୋଇଥିଲା । ଚେଲାରତ୍ନଟି ସେହି ବିଜ୍ଞାପନ ଅଂଶ ରାଜାଙ୍କୁ ଦେଖାଇଲେ-। ସୁରଙ୍ଗୀ ରାଜା ଖୁବ୍ ସ୍ପଷ୍ଟବାଦୀ, ସେ ଚକ୍ଷୁଲଜ୍ଜା ମୁଖଲଜ୍ଜା ରଖି କଥା କହନ୍ତି ନାହିଁ । ରାଜା କହିଲେ–‘‘ନିଜର ମୂର୍ଖତା କି ଏହିପରି ଆଣି ପଦାରେ ପକାନ୍ତି ? ପତ୍ରିକାର କେଉଁଠୁ ପଢ଼ାଯାଏ, ତାହା ତୁମେ ଜାଣ ନାହିଁ–ଏକଥା ସମସ୍ତଙ୍କୁ ଜଣାଇଲେ । ଏଣିକି ଭିତର ପାଖ ଖୋଲି ପଢ଼ିବ ।’’ ରାଜାଙ୍କର ବଡ଼ ଭାଇ ଚନ୍ଦ୍ରଶେଖର ସିଂହ ସାମନ୍ତ ସଭାରେ ବସିଥିଲେ, ସେ ଜଣେ ଖୁବ୍ ବହୁଦର୍ଶୀ ବିଜ୍ଞ ବ୍ୟକ୍ତି । ଜ୍ଞାନୀ ମାତ୍ରେ ତ ପାଗଳ, ତାଙ୍କର ବି ଟିକିଏ ବାଚାଳତା ପାଗଳାମି ଥିଲା, ସେଥିପାଇଁ ସେ ସାଧାରଣରେ ବାୟାସାଆନ୍ତ ନାମରେ ପରିଚିତ । ସେ କହିଲେ–‘‘ସୁନା ବିକି ଗଲି କନ୍ଧ ସାହିକି, କନ୍ଧ ମୂଲେଇଲା ଦି’ପାହିକି ।’’ ବାୟାସାଆନ୍ତଙ୍କ ଢଗ ଶୁଣି ସମସ୍ତେ ହସି ଉଠିଲେ । ମୁଁ ବି ଗୋଟାଏ ଗଳ୍ପ କହିଲି । ଜଣେ ତାର ପୁଅକୁ କହିଲା–‘‘ଆଲମାରିର ଉପର ଥାକରେ ପୁରୁଣା ପାଞ୍ଜି ବିଡ଼ା–ବନ୍ଧା ହୋଇଅଛି, ସେଥିରୁ ଖଣ୍ଡେ ଆଣିବୁଟି ।’’ ପୁଅ ଯାଇ ବିଡ଼ା ଫିଟାଇ ଦେଖିଲା ଯେ–ଯେତେ ଖଣ୍ଡ ପାଞ୍ଜି ଅଛି, ସବୁଥିରେ ନୂତନ ପାଞ୍ଜି ଲେଖା ଅଛି, ପୁରୁଣା ବୋଲି କାହିଁରେ ଲେଖା ନାହିଁ ।’’ ତହୁଁ ସେ ଫେରିଆସି କହିଲା–‘‘ବାବା, ଯେତେ ପାଞ୍ଜି ଅଛି ସବୁ ନୂତନ–ପୁରୁଣା ଖଣ୍ଡେ ବି ନାହିଁ ।’’ ତାହା ଶୁଣି ବାପ କହିଲା–‘‘ଦୂର୍ ମୂର୍ଖ, ତୁ ନୂଆ ପୁରୁଣା ଚିହ୍ନି ଜାଣୁ ନାହିଁ ।’’ ଗଳ୍ପ ଶୁଣି ରାଜା ହସିଲେ । ମନେ ମନେ କହିଲି–ଉପଯୁକ୍ତ ଗୁରୁର ଉପଯୁକ୍ତ ଚେଲା । ସେ ସମୟରେ ମଫସଲବାସୀ ଖବର କାଗଜ ପଢ଼ି ଜାଣି ନଥିଲେ, ପୁଣି ଖବର କାଗଜର ଲେଖାସବୁ ମିଛଗାଲୁଆ କଥା ବୋଲି ଅଧିକାଂଶ ଲୋକଙ୍କର ଭ୍ରାନ୍ତ ଧରଣା ଥିଲା ।

 

ସୁରଙ୍ଗୀରେ ଜଣେ ସାଧୁପୁରୁଷ ଦେଖିଥିଲି । ଶୁଣିଲି–ପୂର୍ବ ରାଜା ତାଙ୍କୁ ପର୍ବତ ଗୁହାରୁ ଧରି ଆଣିଥିଲେ । ରାଜା ଶିକାରକୁ ଯାଇ ଏକାଧିକ ଥର ସେହି ସାଧୁଙ୍କୁ ଦେଖିଥିଲେ । ସେ ଯେଉଁ ଗୁମ୍ଫାରେ ଥାଆନ୍ତି, ସେ ଗୁମ୍ଫା ଆଗରେ ଗୋଟାଏ ପ୍ରଶସ୍ତ ଜଳକୁଣ୍ଡ ଅଛି । ସାଧୁ ଉଷାକାଳରେ ସେହି କୁଣ୍ଡରେ ସ୍ନାନ କରି ଭସ୍ମ ମାଖିହୁଅନ୍ତି । ଏହିପରି ଅବସ୍ଥାରେ ରାଜାଙ୍କୁ ଦେଖି ଅନେକ ଥର ପଳାଇଯାଇ ଗୁମ୍ଫାରେ ଲୁଚି ରହନ୍ତି, ମାତ୍ର କେଉଁଠାରେ ଲୁଚନ୍ତି କିଛି ସନ୍ଧାନ ମିଳେ ନାହିଁ । ରାଜାଙ୍କର ବିସ୍ମୟ କୌତୁହଳ କ୍ରମେ ବଢ଼ିବାକୁ ଲାଗିଲା । ସେ ଲୋକ ଜଗାଇ ଦିନେ ସାଧୁ ସ୍ନାନ କରୁଥିବା ବେଳେ ତାଙ୍କୁ ଧରିଆଣି ଖୁବ୍ ଆସ୍ଥାରେ ରଖାଇଲେ । ଭଜନ ସାଧନର ସୁବିଧା ସକାଶ ତାଙ୍କ ପାଇଁ ନିର୍ଜନ ସ୍ଥାନରେ ଘର ତୋଳାଇ ଦେଲେ । ସାଧୁ କଥା ନ କହି ମୌନ ହୋଇ ବସି ରହିଲେ । ପ୍ରଥମେ କିଛି ଖାଇଲେ ନାହିଁ, ପରେ ଫଳମୂଳ ସାମାନ୍ୟ ପରିମାଣରେ ଖାଇଲେ । ତାହା ପୁଣି ସବୁଦିନେ ନୁହେଁ–କ୍ୱଚିତ୍ । ସବୁବେଳେ ଚିନ୍ତାଶୀଳ, ସବୁବେଳେ ଧ୍ୟାନମଗ୍ନ । ଥରେ ଲୁଚିକରି ପଳାଇ ଯାଉଁ ଯାଉଁ ପୁଣି ଧରାହୋଇ ଆସିଲେ । ସେହିଦିନଠାରୁ ସେ ରହିଛନ୍ତି । ମୁଁ ଜିଗର କରି ତାଙ୍କୁ କେତେ କଥା ପଚାରିଲି, ମାତ୍ର ବହୁକଷ୍ଟରେ ସେ ଏତିକି କହିଲେ ଯେ–‘‘ବଣରେ ଭଲ ଥିଲି ବାବା, ଗାଁକୁ ଆସି ଖରାପ ହୋଇଗଲି । କିଛି ଖାଇଲେ ହଜମ ହେଉ ନାହିଁ, ଏହି ଦେଖ–ପେଟଟା ଓଳିଆପରି ଫୁଲି ରହିଛି ।’’ ମୁଁ ପଚାରିଲି–ଏବେ ବଣକୁ ଯିବାକୁ ଇଚ୍ଛା ହୁଏ କି ? ବାବାଜୀ ମୃଦୁ ହସି କହିଲେ–‘‘ସେ ଇଚ୍ଛା କାହିଁକି ବାବା, ଯେ ଯାଇଛି, ସେ ତ ଆଉ ଫେରିବ ନାହିଁ-। ଅଭ୍ୟାସ ସରିଗଲା, ଆଉ କଅଣ ହେବ ? ଏ ଜନ୍ମଟା କିମିତି କଟାଇ ଦେଲେ ଛୁଟି ।’’ ଆଉ କିଛି କହିଲେ ନାହିଁ । ତାଙ୍କ ମୌନିମା ଭାଙ୍ଗି ତାଙ୍କୁ ବିରକ୍ତ କରିବାକୁ ମୁଁ ମଧ୍ୟ ସାହସୀ ହେଲି ନାହିଁ । ଚେହେରାରୁ ବୋଧ ହେଉଥାଏ, ଯେପରି ତାଙ୍କ ପ୍ରାଣ ଭିତରେ କି ଗଭୀର ଗବେଷଣା ଲାଗି ରହିଅଛି । ରଜାଘରୁ ଠାକୁର ପ୍ରସାଦ, ଖଜା, ପିଠା ଖଞ୍ଜା ଅଛି । ବାବାଜୀ ସାମାନ୍ୟ ଆହାର କରି ଅବଶିଷ୍ଟ ବାଣ୍ଟି ଦିଅନ୍ତି । ତାଙ୍କ ପରିଚର୍ଯ୍ୟା ସକାଶ ରାଜାସରକାର ଜଣେ ଚାକର ନିଯୁକ୍ତ କରିଅଛନ୍ତି-। ମାତ୍ର ସେ ପରିଚର୍ଯ୍ୟା କ୍ୱଚିତ୍ ଗ୍ରହଣ କରନ୍ତି । ତାହା ପୁଣି ସାଧ୍ୟ ସାଧନାରେ । ଶୁଣିଲି ତାଙ୍କର ଭାବାନ୍ତର ନାହିଁ, ସେ ସବୁବେଳେ ଏକାଭଳି । ଦେଖିଲେ ଭକ୍ତି କରିବାକୁ ଇଚ୍ଛା ହୁଏ । ତାଙ୍କୁ ସାମାନ୍ୟ ଭାବରେ କ୍ରୁଦ୍ଧ ବା ବିରକ୍ତ ହେବାର କେହି କେବେ ଦେଖି ନାହାନ୍ତି । ଭାବଭଙ୍ଗୀରୁ ଜଣାଯାଏ–ସାଧନାଭଙ୍ଗ ହେତୁରୁ ସେ ହତାଶ ହୋଇ ନାହାନ୍ତି–ସାଧନା ତାଙ୍କ ଭିତରେ ଭିତରେ ଚାଲିଛି–ପ୍ରାଣରେ ବି ଗୁପ୍ତ ମହୋତ୍ସବ ଲାଗି ରହିଛି । ଯାହାର ସବୁଥିରେ ଆନନ୍ଦ, ବିଷାଦରେ ବି ଆନନ୍ଦ, ସେହି ଏକା ସାଧୁ ପଦବାଚ୍ୟ, ଧର୍ମର ତତ୍ତ୍ୱ ଏବଂ ମହତ୍ୱ ସେହିକେବଳ ଜାଣନ୍ତି । ନଚେତ୍–

 

‘‘ମାଲା ଯପେ ଘର ଘର ଟପେ କରେ ଠକାଇ କାମ୍,

ଏ ଲୋକ ସବ୍ ଯବ୍ ବୈକୁଣ୍ଠ ଯାଓ୍ୟେ ଭକୁଆ ହୋଇ ଭଗବାନ ।’’

 

ଏହି ଶ୍ରେଣୀର ଭେକଧାରୀ ସାଧୁ ସାଧୁ ନୁହନ୍ତି–ପବିତ୍ର ସାଧୁ ଶବ୍ଦର କଳଙ୍କ । ପ୍ରକୃତ ସାଧୁ ସଂସାରରେ ବିରଳ, ମାତ୍ର ଭଣ୍ଡ ବୈରାଗୀର ଅଭାବ ନାହିଁ । ସେଗୁଡ଼ିକ ଗଛର ମଲାଙ୍ଗ । ସମାଜର ଶୋଣିତ ଶୋଷଣ କରି ନିଜର ଗଣ୍ଡି ମୋଟ କରନ୍ତି ।

 

କଟକରେ ଉତ୍କଳ ସମ୍ମିଳନୀର ଦ୍ୱିତୀୟ ବାର୍ଷିକ ଅଧିବେଶନ ହେଲା, ସମ୍ପାଦକ ଭାବରେ ମୁଁ ନିମନ୍ତ୍ରଣ କାର୍ଡ଼ ଏବଂ ପ୍ରବେଶ ଟିକଟ ପାଇଲି । ଫକୀରମୋହନ ବାବୁଙ୍କ ବାଖରାବାଦ କୋଠାରେ ରହିବା ପାଇଁ ସେ ମୋତେ ଆଗରୁ ପତ୍ର ଲେଖିଥିଲେ । ମୁଁ ଯାଇ ସେହିଠାରେ ରହିଲି । ଫକୀରମୋହନ ବାବୁଙ୍କ ଆତିଥ୍ୟରେ ଆଡ଼ମ୍ବର ଥାଏ ନାହିଁ–ଆନ୍ତରିକତା ଥାଏ । ସେ ଆଗନ୍ତୁକକୁ ନିଜ ପରିବାରଭୁକ୍ତ କରିନିଅନ୍ତି । ମୁଁ ସେଠାରେ ନିଜ ଘର ପରି ରହିଲି । ସମ୍ମିଳନୀ ସଙ୍ଗରେ ପ୍ରଦର୍ଶନୀ ହୋଇଥିଲା । ସୁରଙ୍ଗୀ ରାଜା କେତେ ପ୍ରଦର୍ଶନୀ ଯୋଗ୍ୟ ପଦାର୍ଥ ପଠାଇଥିଲେ, ସେଥିମଧ୍ୟରୁ ହାତୀଦାନ୍ତ ନିର୍ମିତ ଖଟଖୁରା ଗୋଟିଏ ଥିଲା । ତାହାର ଶିଳ୍ପ ଚାତୁରୀ ଅକଥନୀୟ । ଶିଳ୍ପୀ ସରୁ ଛୁଞ୍ଛିମୁନରେ ଚିତ୍ର ଆଙ୍କିଲା ପରି ବୋଧହୁଏ । ପଦାର୍ଥଟି ବଡ଼ ଲୋଭନୀୟ, ସୁନ୍ଦରର ଲୋଭୀ ସମସ୍ତେ ହୁଅନ୍ତି । ଖୁରାଟିକୁ ସୁନ୍ଦର ଦେଖି କେଉଁ ଅଗସ୍ତି ତାକୁ ଚଳୁକଲେ । ବହୁ ଚେଷ୍ଟା ବହୁ ଲେଖାଲେଖିରେ ତାହାର କିଛି ପତ୍ତା ମିଳିଲା ନାହିଁ । ମୁଁ କଦଳୀ ମଇଦା ଏବଂ ଶିମିଳୀ ଆଳୁ ସୁଜି ତୟାର କରାଇ ନେଇଥିଲି, ତାହାସବୁ ପ୍ରଦର୍ଶିନୀ ଗୃହର ଛାଇ ମାଡ଼ିଲା ନାହିଁ–ଫକୀରମୋହନ ବାବୁଙ୍କ ଆଦେଶରେ ପାୟାସ୍ ପ୍ରସ୍ତୁତ ହୋଇ ଉଦର ଦେବତାଙ୍କ ଭୋଗରେ ଲାଗିଲା । ଏପରି ସ୍ୱାଦୁ ଲାଗିଲା ଯେ ପରୀକ୍ଷା କରୁ କରୁ ମାଲ ସରିଗଲା । ଅନେକ ଭଦ୍ରବ୍ୟକ୍ତି ଖାଇ ଖୁବ୍ ପ୍ରଶଂସା କଲେ-। ତେତିକି ମୋର ପରିଶ୍ରମ ଏବଂ ଉଦ୍ଭାବନର ମୂଲ । ଜଣେ ଗଞ୍ଜାମବାସୀ ଉତ୍କଳମାତାଙ୍କ ଶୋକମୂର୍ତ୍ତି ପ୍ରସ୍ତୁତ କରି ଆଣିଥିଲେ । ତାହା ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିଲା । ଶୋକମଳିନ ଲାବଣ୍ୟ ମୂର୍ତ୍ତିଟି ଭାବୋଦ୍ଦୀପକ ହୋଇଥିଲା । ମୁଣ୍ଡର ବାଳ ମୁକୁଳା ହୋଇ ଏଣେ ତେଣେ ପଡ଼ିଥାଏ, ଆଖିରୁ ଲୁହଧାର ପଡ଼ି ବକ୍ଷ ତିନ୍ତି ଯାଇଥାଏ । ଶିଳ୍ପୀର କଳ୍ପନା ଗଭୀର ଓ ମୂଲ୍ୟବାନ୍ । ଛବିଖଣ୍ଡି ଆସି ପ୍ରଥମେ ଫକୀର ମୋହନ ବାବୁଙ୍କ ଘରେ ଥାଏ । ବାବୁ ଘନ ଘନ ଉଠିଯାଇ କୁଞ୍ଚ କାନିରେ ମାତୃ ନେତ୍ରରୁ ଲୁହ ପୋଛିଦେଇ କହୁଥାଆନ୍ତି–‘‘କାନ୍ଦନା ମା, ତୁନି ହ, ତୋର ଯୁବକ ପୁତ୍ରମାନେ ଅଣ୍ଟା ଭିଡ଼ିଲେଣି–ଅଳ୍ପଦିନେ ତୋର ଦୁଃଖ ଦୂର କରିବେ ।’’ ସେ କି ଭାବାବେଶ, କହିବା ଭଙ୍ଗୀରୁ ଶୋକର ସମବେଦନା ଝରି ପଡ଼ୁଥାଏ । ଚିତ୍ରମାତାଙ୍କ ପ୍ରତି ତାଙ୍କର ସାନ୍ତ୍ୱନାବାଣୀ ଶୁଣି ଉପସ୍ଥିତ ଲୋକେ କାନ୍ଦି ପକାନ୍ତି । କବିଙ୍କ ହୃଦୟ ମାତୃଭକ୍ତିରେ ରସମୟ, ସେହି ହୃଦୟରୁ ଯେଉଁ କରୁଣା ଉଚ୍ଛ୍ୱାସ ଏବଂ ଦୀର୍ଘ ନିଃଶ୍ୱାସ ଉଠୁଥାଏ, ତାହା ଅତି ସହଜରେ ଅନ୍ୟର ହୃଦୟକୁ ସ୍ପର୍ଶ କରି ସ୍ପନ୍ଦନ ଉଠାଉଥାଏ । ସେ ଦୃଶ୍ୟ ଯେ ଦେଖିଛି, ତାହାର ନୟନ ସାର୍ଥକ ହୋଇଛି–ପବିତ୍ର ମଧ୍ୟ ହୋଇଅଛି । ତାଙ୍କର ସ୍ୱଭାବସୁଲଭ ସ୍ନେହଶୀତଳ ମଧୁର ସ୍ନେହ ମାତୃପ୍ରାର୍ଥନା ବେଳେ ଆହୁରି ମଧୁର ହୋଇଉଠେ ।

 

ପାରଳାର ଶ୍ୟାମସୁନ୍ଦର ରାଜଗୁରୁ ଫକୀରମୋହନ ବାବୁଙ୍କୁ ଦେଖା କରିବାକୁ ଆସିଲେ-। ମୋତେ ସେଠାରେ ଉପସ୍ଥିତ ଦେଖି ପୂର୍ବୋକ୍ତ ଶ୍ରୀ ବିଦ୍ୱେଷ କଥା ଉଠାଇ କହିଲେ–ନାମ ପୂର୍ବରୁ ଶ୍ରୀ ଦେଇ ନିଜେ ନିଜକୁ ଗୌରବ କରିବା ମୋର ମତ ନୁହେଁ । ମୁଁ କିଛି ନ କହୁଣୁ ଫକୀରମୋହନ ବାବୁ କହିଲେ–‘‘ନିଜକୁ ଗୌରବାନ୍ୱିତ କରିବାପାଇଁ ନାମାଦ୍ୟରେ ଶ୍ରୀ ଯୋଗ କରାଯାଏ ନାହିଁ । ଶ୍ରୀ ମଙ୍ଗଳସୂଚକ ଶବ୍ଦ, ଜୀବିତ ଲୋକର ନାମ ପୂର୍ବରେ ଶ୍ରୀ ପ୍ରୟୋଗ କେଉଁ କାଳରୁ ଚଳି ଆସୁଅଛି, ଆଜି ତାକୁ ଉଠାଇବ କିଏ, ପୁଣି ସେଥିରେ ଲାଭ ନ ଥିଲେ କ୍ଷତି ବା କଅଣ-?’’ ରାଜଗୁରୁ ଆଉ କିଛି କହିଲେ ନାହିଁ–ଅନ୍ୟ କଥା ପକାଇଲେ । ମୋର ଉତ୍ତର ତ ଫକୀରମୋହନ ବାବୁ ଦେଲେ, ସୁତରାଂ ମୁଁ ନୀରବ ରହିଲି ।

 

ଫକୀରମୋହନ ବାବୁଙ୍କ ସଙ୍ଗରେ ମୁଁ ସମ୍ମିଳନୀକୁ ଗଲି । ଧରାକୋଟ ରାଜା ସଭାପତି ହେଲେ । ପ୍ରଥମଦିନ ମଧୁବାବୁ ଗୋପବନ୍ଧୁ ଦାସଙ୍କୁ ସଭାରୁ ବାହାରି ଯିବାକୁ କହିଲେ । ତାଙ୍କର ଅପରାଧ ଏହି ଯେ, ଓଡ଼ିଶାକୁ ମଧ୍ୟପ୍ରଦେଶ ସଙ୍ଗେ ମିଶାଇବାକୁ ସେ ମତ ପ୍ରକାଶ କରିଥିଲେ । ଦଳକର ଇଚ୍ଛା–ବଙ୍ଗ ସଙ୍ଗରେ ଯେଉଁପରି ଅଛି, ସେହିପରି ଥାଉ । ଅପର ଦଳର ମତ, ମଧ୍ୟପ୍ରଦେଶରେ ମିଶୁ । ଏହିପରି ଦୁଇଟା ଦଳର ସୃଷ୍ଟି ହୋଇଥିଲା । ଦୁଇଖଣ୍ଡ ପ୍ରତିବାଦ ପୁସ୍ତକ ବାହାରିଥିଲା, ଖଣ୍ଡକର ନାମ ‘‘ଜ୍ଞାନାଞ୍ଜନ ଶଳାକା’’, ଅନ୍ୟ ଖଣ୍ଡର ନାମ ସ୍ମରଣ ହେଉ ନାହିଁ । ମଧୁବାବୁ ରାଗିଯାଇ କହିଲେ–‘‘ତୁମ୍ଭେ ବାହାରି ନ ଗଲେ ମୁଁ ଭଲଣ୍ଟିଅର ଦ୍ୱାରା ତୁମ୍ଭଙ୍କୁ ବାହାର କରିଦେବି ।’’ ତହୁଁ ମାତୃପ୍ରାଣ ଗୋପବନ୍ଧୁ ଦାସ କାନ୍ଦି କାନ୍ଦି ସଭାରୁ ଚାଲିଗଲେ । ତେତେବେଳେ ମଧୁବାବୁ ଓଡ଼ିଶା ରାଜନୀତି କ୍ଷେତ୍ରରେ ସର୍ବେସର୍ବା, ତାଙ୍କ ପଛକୁ ଗୋକୁଳାନନ୍ଦ ଚୌଧୁରୀ ହୋଇ ଆସୁଥିଲେ । ସଭାରେ ଏତେ ଲୋକ ଥାଉଁ ଥାଉଁ ଏ ଅନ୍ୟାୟ ଜରଦସ୍ତିରେ କେହି ପ୍ରତିବାଦ କଲେ ନାହିଁ । କେତେଜଣ ନୂଆ ଗ୍ରାଜୁଏଟ୍ ମନ ଊଣା କଲେ, ମାତ୍ର ମନର ଦୁଃଖ ମନରେ ମାରି ନୀରବରେ ରହିଲେ । କ୍ଷୀରୋଦଚନ୍ଦ୍ର ରାୟ ଚୌଧୁରୀ ଓଡ଼ିଆ ବଙ୍ଗାଳିବିଦ୍ୱେଷ ସମ୍ବନ୍ଧରେ ଓଡ଼ିଆମାନଙ୍କୁ ଟେକାଟେକି କରି ବକ୍ତୃତା କଲେ । ଓଡ଼ିଆବିଦ୍ୱେଷୀ ବଙ୍ଗାଳିମାନଙ୍କ ପ୍ରତି ଟିକିଏ କଟୁତିକ୍ତ ପ୍ରୟୋଗ କଲେ । କ୍ଷୀରୋଦ ବାବୁ ତେତେବେଳେ ଷ୍ଟାର ଅଫ୍ ଉତ୍କଳ ନାମକ ଇଂରାଜୀ ସମ୍ବାଦପତ୍ର କଟକରୁ ବାହାର କରୁଥିଲେ । ବିଶ୍ୱନାଥ କର କାହିଁକି କେଜାଣି ସଭାରେ ନ ବସି ବାହାରେ ବୁଲୁଥିଲେ । ମଧୁବାବୁ ବତ୍କୃତା କରୁଁ କରୁଁ କି କଥା ପ୍ରସଙ୍ଗରେ ‘‘ମୋର ଉତ୍କଳ’’ ବୋଲି କହି ପକାଇଲେ । ତହୁଁ ବିଶ୍ୱନାଥ ବାବୁ ସିଂହ ବିକ୍ରମରେ ଧାଇଁ ଯାଇ କହିଲେ–‘‘କଅଣ କହିଲେ, ମୋର ଉତ୍କଳ, ଆଉ ଥରେ କୁହନ୍ତୁ ନି । ଆପଣ କଅଣ ଉତ୍କଳ ଦେଶଟାକୁ କିଣି ନେଇଛନ୍ତି ? ଆଖିକୁ ଦିଶିଲା ଭଳି ଉତ୍କଳର କି କାର୍ଯ୍ୟ କରି ଆପଣ ମୋର ଉତ୍କଳ ବୋଲି ଦାବୀ କରୁଛନ୍ତି ? ମଧୁବାବୁ ଥମ୍ ଥମ୍ ହୋଇ କହିଲେ–‘‘ନା, ବିଶ୍ୱନାଥ ବାବୁ, ଆପଣ ଭୁଲ୍ ବୁଝୁଛନ୍ତି । ମୁଁ ଦାବୀ କରୁନାହିଁ, ମୋର ମାତୃଭୂମି ବୋଲି ମୁଁ ଅଭିମାନରେ କହିଲି–ଆପଣ କ୍ଷମା କରନ୍ତୁ ।’’ ଏହାପରେ ଫକୀରମୋହନ ବାବୁ ଏବଂ ଗୌରୀଶଙ୍କର ବାବୁ କଥାଟା ମିଳେଇ ମିଶେଇ ନେବାରୁ ଏ ବୁଲବୁଲ ଲଢ଼େଇ ଆଉ ଅଧିକ ଦୂର ଅଗ୍ରସର ହୋଇ ପାରିଲା ନାହିଁ ।

 

ତହୁଁ ପରଦିନ ମୁଁ, ଫକୀରମୋହନ ବାବୁ ଏବଂ ତାଙ୍କ ପୁଅ ମୋହିନୀ ବାବୁ ମିଶି ସଭାକୁ ଯାଉଁ ଯାଉଁ ମୋହିନୀ ବାବୁ ତାଙ୍କ ପିତାଙ୍କୁ କହିଲେ–‘‘ଆପଣମାନେ ଉପସ୍ଥିତ ଥାଉଁ ଥାଉଁ କାଲି ସଭାରେ ଗୋଟାଏ ଘଟଣା ଘଟିଗଲା, ଜଣେ ବିଶିଷ୍ଟ ବ୍ୟକ୍ତି ଅପମାନିତ ହେଲେ, ଅଥଚ କେହି କିଛି ନ କହି ନୀରବ ରହିଲେ । ଆମ୍ଭେମାନେ କେତେ ଜଣ ଆଜି ତାହାର ପ୍ରତିବାଦ କରିବୁଁ-।’’ ଫକୀରମୋହନ ବାବୁ ପୁଅକୁ ଅନେକ ବୁଝାଇ କହିଲେ–‘‘ମୁଁ ସଭାରେ ଥିବି, ତୁ ସେହି ସଭାରେ ପ୍ରତିବାଦ କରିବୁ, ତାହା ମୁଁ ସହି ପାରିବି ନାହିଁ । ମୋର ପ୍ରେରଣାରେ ପ୍ରତିବାଦ ହେଉଛି ବୋଲି ସମସ୍ତଙ୍କର ଧାରଣା ହେବ । ତୁ ସେଥିରୁ ନିବୃତ ହ । ଗଲାକଥା ଗଲାଣି, ତାକୁ ମାଜି ମୋଟ କରିବାରେ କିଛି ଫଳ ନାହିଁ । ତାହା ଗୋଟାଏ ଜାତୀୟ କଳଙ୍କକୁ ବଢ଼ାଇଲା ପରି ହେବ ।’’ ମୋହିନୀ ବାବୁ ପିତୃଦେବଙ୍କ ଆଦେଶ ମାନି ପ୍ରତିବାଦରେ ଅଗ୍ରସର ହେଲେ ନାହିଁ । ନହେଲେ ସେଦିନ ଗୋଟାଏ ଖଣ୍ଡଯୁଦ୍ଧ ଲାଗିଥାଆନ୍ତା । ପ୍ରତିବାଦ ନ କଲେ ସୁଦ୍ଧା ପ୍ରବୀଣ ମଧୁବାବୁଙ୍କର ଏ କାର୍ଯ୍ୟକୁ କେହି ପସନ୍ଦ କରି ନଥିଲେ ।

 

ବିଖ୍ୟାତ ମେଜର କୋମ୍ପାନୀର ପ୍ରୋପ୍ରାଇଟର ପଦ୍ମଲୋଚନ ମହାନ୍ତି ସମ୍ମିଳନୀରେ ଯୋଗଦେଇ ସଭାପତି ଧରାକୋଟ ରାଜାଙ୍କର ବ୍ଳକ ସମସ୍ତ ଓଡ଼ିଆ ସମ୍ବାଦପତ୍ରମାନଙ୍କୁ ଦେଇଥିଲେ । ରାଜାଙ୍କର ଉକ୍ତ ଚିତ୍ରମୂର୍ତ୍ତି ତାଙ୍କ ସଭାପତି ବକ୍ତୃତା ସହ ପ୍ରତି ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ପଦ୍ମଲୋଚନ ବାବୁ ପତ୍ରିକା ପରିଚାଳନରେ ମୋତେ ଯଥେଷ୍ଟ ସାହାଯ୍ୟ କରିଥିଲେ । ତାଙ୍କର ଔଷଧ ବିଜ୍ଞାପନ ଉତ୍କଳବାସୀରେ ବାହାରୁଥାଏ । ଅନେକ ମାସିକ, ପାକ୍ଷିକ, ସାପ୍ତାହିକ ଏବଂ ଦୈନିକ ସମ୍ବାଦପତ୍ରରେ ତାଙ୍କର ବିଜ୍ଞାପନ ବାହାରେ । ସେହି ସୂତ୍ରରେ ସେହି ସବୁ ପତ୍ରିକା ସେ ବିନାମୂଲ୍ୟରେ ପାଆନ୍ତି । ସେଗୁଡ଼ିକ ସେ ମୋ ପାଖକୁ ପଠାଇ ଦିଅନ୍ତି । ସେଥିରେ ମୋତେ ଅନେକ ସାହାଯ୍ୟ ମିଳେ । ପଦ୍ମଲୋଚନ ବାବୁ ଜଣେ ଅତି ଉଚ୍ଚମନା ବ୍ୟକ୍ତି, ଦେଶର ପ୍ରତ୍ୟେକ ମଙ୍ଗଳ ଅନୁଷ୍ଠାନରେ ତାଙ୍କର ସହାନୁଭୂତି ଥିଲା । କେବଳ ବ୍ୟବସାୟ କ୍ଷେତ୍ରରେ ନୁହେଁ–ଅନେକ ବିଷୟରେ ତାଙ୍କର ବୁଦ୍ଧି ବଡ଼ ବିଚକ୍ଷଣ ଥିଲା । ବ୍ୟବହାର ଅତି ସରଳ ଏବଂ ମଧୁର ।

 

ଧରାକୋଟ ରାଜାଙ୍କର ଫଟୋ ସବୁ କାଗଜରେ ବାହାରିଲା, ଉତ୍କଳବାସୀରେ ମଧ୍ୟ ବାହାରିଲା । ତେତେବେଳେ ସୁରଙ୍ଗୀରେ ଜଣେ ତେଲଙ୍ଗା ସିରସ୍ତାଦାର ଥିଲେ । ସିରସ୍ତାଦାର ଷ୍ଟେଟ୍‌ର ସର୍ବୋଚ୍ଚ ପଦ । ଉତ୍କଳବାସୀରେ ଧରାକୋଟ ରାଜାଙ୍କର ଛବି ବାହାରିବାର ଦେଖି ସିରସ୍ତାଦାର ପାନ୍ତୁଲୁ ସହ୍ୟ କରି ପାରିଲେ ନାହିଁ, କହିଲେ–‘‘ଏ ପୁଣି କ୍ୟାଣ ହେ, ଆମ ପେପରରେ ଆମ ରାଜାଙ୍କ ଛବି ନ ବାହାରି ଧରାକୋଟ୍‌ ରଜାଙ୍କର ଛବି ବାହାରିଲା କାଣେ–ଏତ ବଡ଼୍‌ଡ଼ ଗମାତୁ ହେ ।’’ ମନେ ମନେ ତାଙ୍କ ସିରସ୍ତାଦାରୀ ବୁଦ୍ଧିକୁ ମୁଁ ଧନ୍ୟବାଦ ଦେଲି । ସେ ପୁଣି ରାଜାଙ୍କୁ ଯାଇ ସେହିପରି କହିଲେ । ତାଙ୍କ ବ୍ୟସ୍ତତାରୁ ବୋଧ ହେଲା, ସତେ ଯେପରି ରାଜାଙ୍କୁ ଏ ସମ୍ବାଦ ଦେଇ ଗୋଟାଏ ଉଚ୍ଚ ପୁରସ୍କାର ପାଇଯିବେ । କିନ୍ତୁ ଫଳ ମିଳିଲା, ଗୋଲଆଳୁ । ରାଜା କହିଲେ–‘‘ଧରାକୋଟ ରାଜା ଉତ୍କଳସମ୍ମିଳନୀର ସଭାପତି ହୋଇଥିଲେ, ତାଙ୍କ ଫଟୋ ସବୁ ପତ୍ରିକାରେ ବାହାରୁଛି, ଆମ ପତ୍ରିକାରେ ବି ବାହାରିଲା–ସେଥିଲାଗି ଆମ ବଡ଼ପଣ ଊଣା ହୋଇଯିବ ନାହିଁ । ପ୍ରଜାବନ୍ଧୁ ତ ଖଲ୍ଲିକୋଟ ରାଜାଙ୍କ ପତ୍ରିକା, ସେଥିରେ କେମିତି ବାହାରିଲା । ସେଥିପାଇଁ କଅଣ ଖଲ୍ଲି କୋଟ ରାଜା ଅଭିମାନ କରିବେ ?’’ ରାଜାଙ୍କ କଥା ଶୁଣି ସିରସ୍ତାଦାର ଆୟା ମୁହଁଟାକୁ କୟାଁ ଖାଇଲା ପରି କଲେ । ପୁରସ୍କାର ତ ମିଳିଲା ନାହିଁ, ଅଧିକନ୍ତୁ ମଧୁର ତିରସ୍କାରରେ ପେଟ ପୂରିଲା । ଆଶାହତ ହେବାଠାରୁ ଯନ୍ତ୍ରଣା ଆଉ ନାହିଁ, ପୁଣି ଯାହାଲାଗି ଚୋରି କଲି ସେ କହିଲା ଚୋର–ଏତ ବଡ଼ ମଜାର କୌତୁକ । ଏହି କାନକୁହା ବୃତ୍ତି ଅନେକ ଶିକ୍ଷିତ ଲୋକଙ୍କର ଗୋଟାଏ ଭୟଙ୍କର ଯୋଗ୍ୟତା । ସେହି ଯୋଗ୍ୟତା ବଳରେ ସେମାନେ ମନୁଷ୍ୟତାର ମସ୍ତକ ଚର୍ବଣ କରି ବସନ୍ତି । କଳେ–କୌଶଳେ ପ୍ରଭୁମନ କିଣିବା ସେମାନଙ୍କର ନିର୍ଲଜ୍ଜ ବ୍ୟକ୍ତିତ୍ୱ । ଜଣେ ପ୍ରଧାନ କର୍ମଚାରୀର ତ ଏତେ ଈର୍ଷା, ଇତରର କଥା ବା କଅଣ ହୋଇ ନ ପାରେ । ପୋଡ଼ା ପେଟ ଚାଖଣ୍ଡକ ପାଇଁ ମନୁଷ୍ୟ କେଉଁ ବୃତ୍ତି କରି ନ ପାରେ ।

 

କିଛିଦିନ ପରେ ସୁରଙ୍ଗୀ ରାଜ୍ୟରେ ଶୋକର ଉତ୍କୁଳା ବନ୍ୟା ଭୀଷଣ ବେଗରେ ଧାବିତ ହେଲା । ପ୍ରଥମ ରାଜକୁମାର ଇହଧାମ ତ୍ୟାଗ କଲେ । ତାଙ୍କର ବୟସ ସାତବର୍ଷ ହୋଇଥିଲା । ସେ ତାଙ୍କ ମାମୁଁ ଖଲ୍ଲି କୋଟ ରାଜା ହରିହର ମର୍ଦ୍ଦରାଜଙ୍କ ପରି ଆକୃତି-ବିରାଟ ରାଜପୁରୁଷ ହୋଇ ଆସୁଥିଲେ । ଗୋଟାଏ ସାଧାରଣ ଚୌକିରେ ତାଙ୍କୁ ସ୍ଥାନ ଅଣ୍ଟୁ ନ ଥିଲା, ତାଙ୍କ ପାଇଁ ସ୍ୱତନ୍ତ୍ର ଚୌକି ପ୍ରସ୍ତୁତ ହୋଇଥିଲା । ସପ୍ତମ ବର୍ଷୀୟ ବାଳକ, କିନ୍ତୁ ପ୍ରାୟ ସାତଶ ଶ୍ଳୋକ, ଗୀତ ମୁଖସ୍ଥ କରିଥିଲେ-। ଏହି ଆକସ୍ମିକ ନିଦାରୁଣ ଶୋକରେ ରାଜାଙ୍କର ହୃଦୟ ଭାଙ୍ଗି ପଡ଼ିଲା । ସେ ତିନିଦିନ ଯାଏଁ କବାଟ କିଳି ରହିଲେ । କର୍ମଚାରୀମାନେ ତାଙ୍କ ପାଖକୁ ଯିବାକୁ ସାହସ କଲେ ନାହିଁ । ଇଚ୍ଛାପୁରରେ ଏ ଦୁଃଖସମ୍ବାଦ ପହଞ୍ଚିଲାକ୍ଷଣି ରାଜାଙ୍କୁ ମୁଁ ଖଣ୍ଡେ ପତ୍ର ଲେଖିଲି । ସଂସାରର ଭଙ୍ଗୁରତା ସମ୍ବନ୍ଧରେ ବହୁ ଉଦାହରଣ ଦେଖାଇ, ନାନାପ୍ରକାର ପ୍ରବୋଧ ଦେଇ ଖୁବ୍‌ ବନେଇ ଚୂନେଇ ଲେଖି ଜଣେ ପ୍ରେସ୍‌ କର୍ମଚାରୀ ହାତରେ ପଠାଇଲି । ସେ ନେଇ ରାଜା ଯେଉଁ ଘରେ ଥିଲେ ସେହି ଘର ଝରକା ବାଟେ ଚିଠିଖଣ୍ଡ ଘରକୁ ଗଳାଇ ପକାଇ ମୁଁ ଦେଇଛି ବୋଲି ରାଜାଙ୍କୁ ଶୁଣାଇ କହିଲା । ରାଜା ଚିଠି ପଢ଼ି କବାଟ ଫିଟାଇ ବାହାରକୁ ଆସିଲେ । ମୁଁ ଲେଖିଥିଲି, ଛାମୁ ଏପରି ଅଧୈର୍ଯ୍ୟ ହେଲେ ରାଣୀଙ୍କର ଅବସ୍ଥା କଅଣ ହେବ ? ସେ ଯେ ଗର୍ଭଧାରଣୀ ମା । ଏତିକି ପଢ଼ି ରାଜାଙ୍କର ହୋସ୍‌ ହେଲା । ତିନିଦିନ ପରେ ନିତ୍ୟକର୍ମ ବଢ଼ାଇ ନଅରର ସମ୍ବାଦ ନେଲେ । ରାଣୀ ମୂର୍ଚ୍ଛିତା, ଉପଚାର ଦ୍ୱାରା ମୂର୍ଚ୍ଛା ଭଙ୍ଗାଇ ରାଣୀକୁ ପ୍ରବୋଧ ଦେଲେ । ଦ୍ୱିତୀୟ ରାଜକୁମାର (ବର୍ତ୍ତମାନ ରାଜା) ତେତବେଳକୁ ଦେଢ଼ବର୍ଷର ଶିଶୁ । ସେ ପଟ୍ଟଦେବ ହେଲେ । ସୁରଙ୍ଗୀରୁ ରାଜା ଆସି ଇଚ୍ଛାପୁରରେ ରହିଲେ, ମାତ୍ର ମନ ଲାଗିଲା ନାହିଁ । ଅଳ୍ପଦିନ ପରେ ମାନ୍ଦ୍ରାଜ ବାହାରି ଗଲେ । ସେହି ସମୟରେ ସେ ଭାରତର କେତେକ ସ୍ଥାନ ଭ୍ରମଣ କରିଥିଲେ । ଏଣେ ଉତ୍କଳବାସୀ ରୀତିମତ ଚାଲିଥାଏ । ଟଙ୍କା ପଇସା ଯାହା ଦରକାର ହୁଏ, ରାଜାଙ୍କୁ ପତ୍ର ଲେଖି ଏବଂ ବିଲ୍‌ ପଠାଇ ଅଣାଇବାକୁ ହୁଏ । ରାଜାଙ୍କ ବିନାନୁମତିରେ ଷ୍ଟେଟ୍‌ରୁ ପଇସାଟିଏ ଖର୍ଚ୍ଚ କରିବାର ଅଧିକାର କର୍ମଚାରୀମାନଙ୍କର ନାହିଁ । ଉତ୍କଳବାସୀ ପରିଚାଳନ ସମୟରେ ଥରେ ମୋତେ ସିଡ଼ଶନ-ନାଗପାଶରେ ଆବଦ୍ଧ ହେବାକୁ ପଡ଼ିଥିଲା, ତାହା ତ ଦେଶ ସେବାର ସୁଲଭ ପୁରସ୍କାର । ମୟୂରଭଞ୍ଜର ସମ୍ବାଦଦାତା ଜଣେ ହାକିମଙ୍କ ବ୍ୟବହାର ସମ୍ବନ୍ଧରେ କେତେକ କଥା ଲେଖିଥିଲେ । ସାତଟଙ୍କା ବେତନର ଜଣେ ଚପରାସି କେତେ ମିନିଟ୍‌ ବିଳମ୍ବରେ ଆସିବାରୁ ହାକିମ ତାକୁ ପାଞ୍ଚ ଟଙ୍କା ଜୋରିମାନା କରିଥିଲେ । ଅନ୍ଧାରୀ ମୁଲୁକର ଏହି ବିଚାର ସମ୍ବନ୍ଧରେ ମୁଁ ସମ୍ପାଦକୀୟ ସ୍ତମ୍ଭରେ ତୀବ୍ର ଆଲୋଚନା କରିଥିଲି, ବ୍ୟଙ୍ଗ ବିଦ୍ରୂପ ବି ଟିକିଏ ଥିଲା । ସେଥିରେ ହାକିମଙ୍କ ମାନହାନି ହେଲା । ତାଙ୍କ ସିରସ୍ତାଦାର ଲେଖକଙ୍କର ନାମ ମାଗି ମୋତେ ପତ୍ର ଲେଖିଲେ । ନାମ ନ ହେଲେ ମକଦ୍ଦମା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏହିପରି ତ କେତେ ହୁଏ, ସୁତରାଂ ମୋ ଦେହରେ ତାହା ସହି ଯାଇଥିଲା । ମୁଁ କିଛି ଉତ୍ତର ଦେଲି ନାହିଁ । ସିରସ୍ତାଦାର ପୁଣି ପତ୍ର ଲେଖିଲେ-। ତହୁଁ ମୁଁ ଲେଖିଲି–‘‘ତୁମ୍ଭ ବିରୁଦ୍ଧରେ କିଛି ଲେଖା ହୋଇନାହିଁ, ଯାହାଙ୍କ ସମ୍ବନ୍ଧରେ ଲେଖାଯାଇଛି, ସେ ଲେଖିଲେ ଉତ୍ତର ଦିଆଯିବ ।’’ ହାକିମ ଆହୁରି ଖପା ହୋଇ ନିଜେ ପତ୍ର ଲେଖିଲେ । ମୁଁ ତାଙ୍କୁ ଲେଖିଲି–‘‘ଘଟନା ସତ କି ମିଛ ଆଗେ ଆପଣ ଲେଖନ୍ତୁ; ତାହାପରେ ଲେଖକର ନାମ ଦେବା ବିଷୟ ବିଚାର କରାଯିବ ।’’ ମୋ ପତ୍ର ପାଇ ହାକିମ କଅଣ ମନରେ ଭାବିଲେ କେଜାଣି, ଆଉ ଅଗ୍ରସର ନ ହୋଇ ନୀରବ ରହିଲେ, ମୁଁ ନାଗପାଶରୁ ମୁକ୍ତି ହେଲି । ପତ୍ରିକାର ସମ୍ପାଦକ ହୋଇ କଂସାରିଘର ବଳଦ ହୋଇ ଯାଇଥିଲି, ସୁତରାଂ କୁଲା ଢାଉଁ ଢାଉଁକୁ ମୋର ଭ୍ରୁକ୍ଷେପ ନଥିଲା । ମିଜାଜ୍‌ କଡ଼ା ହେଲେହେଁ ହାକିମ ଜଣେ ସହୃଦୟ ବ୍ୟକ୍ତି, ପରବର୍ତ୍ତୀ କାଳରେ ସେ ମୋର ଏକାଧିକ ବାର ଉପକାର କରିଥିଲେ । କାର୍ଯ୍ୟ ଗତିରେ, ଘଟଣାଚକ୍ରରେ କେତେ କଅଣ ହୋଇଥାଏ, ସେଥିପାଇଁ ପ୍ରତିହିଂସା ପୋଷଣ କରିବା ମହତ୍‌ ଲୋକର ସ୍ୱଭାବ ନୁହେଁ-। ଯେ ପ୍ରକୃତରେ ମହତ୍‌, ଉଦାରତା ହିଁ ତାହାର ସହଜାତ ଶୁଭଗୁଣ ଏବଂ ମହତ୍ୱ । ଆଉ କରାଣ୍ଡିମାଛ ପରି ଯେଉଁ ଅଳ୍ପ ଧୈର୍ଯ୍ୟାଳୁମାନେ ଫର ଫର ହୁଅନ୍ତି, କଥା କଥାକେ ତାଙ୍କର ମାନହାନି ହୁଏ, ପୁଣି ଆହୁରି କେତେ କଣ ହାନି ହୁଏ–ସେମାନେ ବଡ଼ ଉଶ୍ୱାସ ଜୀବ ।

 

ନୀଳମଣି ବିଦ୍ୟାରତ୍ନ ସମୟ ସମୟରେ ଦଳବଳ ଘେନି ଭ୍ରମଣ ଉଦ୍ଦେଶ୍ୟରେ ଇଚ୍ଛାପୁର ଆସନ୍ତି । ଉପାଧି ଦେବା ତାଙ୍କର ଗୋଟାଏ ପରମ କୌତୁକ । ଅନେକ ସ୍ଥଳରେ ପାତ୍ରାପାତ୍ର ବିବେଚନା ନ କରି ସେ ଉପାଧି ଦିଅନ୍ତି । ଥରେ ସେ ଆସିଲେ, ସଙ୍ଗରେ ମଞ୍ଜୁଷାର ରାଜଗୋପାଳଚାରୀ, ଗଦାଧର କବିରାଜ ବିଦ୍ୟାଭୂଷଣ ପ୍ରଭୃତି କେତେଜଣ ବିଶିଷ୍ଟ ପଣ୍ଡିତ ଥିଲେ । ବିଦ୍ୟାରତ୍ନ ସମସ୍ତଙ୍କୁ ମତାଇ ମୋର ଛାତ୍ର ଏବଂ ପତ୍ରିକାର କ୍ଳାର୍କ ଅଷ୍ଟାଦଶ ବର୍ଷୀୟ ଜୟକୃଷ୍ଣକୁ ‘‘ସଦସ୍ୟ’’ ଉପାଧି ଦେବାକୁ ଇଚ୍ଛା କଲେ । ସନନ୍ଦ ଛାପା ହେଲା, ସମସ୍ତେ ଦସ୍ତଖତ କଲେ, ମୁଁ ଦସ୍ତଖତ କଲି ନାହିଁ । ମୁଁ କହିଲି–‘‘ଯେ ଉପାଧିର ପ୍ରକୃତ ଯୋଗ୍ୟ ଏବଂ ଉପାଧୀର ଗୌରବ ଯେ ରକ୍ଷା କରି ପାରିବ, ତାକୁ ଉପାଧି ଦେବାରେ ମୋର ଆପତ୍ତି ନାହିଁ, ବରଂ ସନ୍ତୋଷ, ମାତ୍ର ଯେଉଁଠାରେ ଉପାଧି ବ୍ୟାଧି ହୋଇ ବସିବ, ସେଠାରେ ଉପାଧିର ମୂଲ୍ୟ କେତେ ? ଉପାଧି ଉତ୍ସାହ ବଢ଼ାଏ ଏବଂ ଅଧମ କ୍ଷେତ୍ରରେ ମଗଜ ବି ବଢ଼ାଏ । ଜୟକୃଷ୍ଣ ମୋର ପୁତ୍ରୋପମ ଛାତ୍ର, ତାହାର ଉନ୍ନତି ମୋର କାମନୀୟ, ମାତ୍ର ଦୁଧଦାନ୍ତ ନ ପଡ଼ୁଣୁ ତାକୁ ଉପାଧି ଦେଇ ମାଟି କରିବା ମୋର ଅଭିପ୍ରାୟ ନୁହେଁ । ବିଶେଷତଃ ସଦସ୍ୟର ଅର୍ଥ ସେ ଜାଣେ ନାହିଁ, ଏପରି ଅବସ୍ଥାରେ ତାକୁ ଟେକାଟେକି କରି ଫୁଲାଇ ଦେଲେ ଫଳ ବିପରୀତ ହୋଇପାରେ ।’’ ମୋର ମତ ଅନେକ ଅନୁମୋଦନ କଲେ, ମାତ୍ର ବିଦ୍ୟାରତ୍ନ ନାଛୋଡ଼ବନ୍ଦା–ଉପାଧି ସନନ୍ଦରେ ସ୍ୱାକ୍ଷର କରିବା ପାଇଁ ସେ ସୁରଙ୍ଗୀ ରାଜାଙ୍କ ନିକଟକୁ ଛାପା ସନନ୍ଦ ଖଣ୍ଡ ପଠାଇ ଦେଲେ, କିନ୍ତୁ ଅକୃତକାର୍ଯ୍ୟ ହେଲେ । ରାଜା କହିଲେ–ମୁଁ ପିଲା ନୁହେଁ ଯେ ପିଲାଖେଳ ପରି ପିଲାଟାକୁ ଉପାଧି ଦେଇ ଲୋକହସା ହେବି-। ଉପାଧି ଛେନାଗୁଡ଼ ନୁହେଁ–ତାହା ଯୋଗ୍ୟତାର ନିଦର୍ଶନ–ସେଥିର ଅପବ୍ୟବହାର ଦୋଷାବହ । ସେଥିରେ ଉପାଧିର ଗୌରବ ଖର୍ବ ହୁଏ । ଅସ୍ଥାନରେ ଉପାଧି ଦେଲେ ପବିତ୍ର ଉପାଧିକୁ ପରିହାସ କଲାପରି ହୁଏ । ‘‘ଇଞ୍ଚଡ଼ ପାଚିଗଲେ ତାହାର ସ୍ୱାଦୁ ସୁଗନ୍ଧ ଥାଏ ନାହିଁ ।’’ ରାଜାଙ୍କ କଥାରେ ବିଦ୍ୟାରତ୍ନ କ୍ଷୁନ୍ନ ହେଲେ, ମୋ ପ୍ରତି ବି ମନେ ମନେ ଅଭିମାନ ବହିଲେ । ମାତ୍ର ଉପାଧି ପାଇଲା ପରେ ଉପାଧିଧାରୀର ଗତିରୀତି ଦେଖି ସେ ନିଜର ଭୁଲ ବୁଝି ପାରିଥିଲେ ।

 

ଯେଉଁ କାଳ ଶୋକ ଆଣିଦିଏ, ସେହି କାଳ ପୁଣି ଶୋକର ସାନ୍ତ୍ୱନା ଆଣିଦିଏ । କାଳ ଆଘାତ ଦେଇ ଘା କରିଦିଏ, ପୁଣି ମଲମ ଲଗାଇଦେଇ ଘା ଶୁଖାଇ ଦିଏ । କାଳ ସବୁ କରେ, ତାହାର ଅସାଧ୍ୟ କିଛି ନାହିଁ–କାଳ ଜଗତର କର୍ତ୍ତା । ସେ ସାମାନ୍ୟ ଶକ୍ତିଧର ନୁହେଁ–ମହାକାଳ ରୂପୀ ବ୍ରହ୍ମ । ସେ ଦଣ୍ଡ ଦିଏ, ପୁଣି ପୁରସ୍କୃତ କରେ–କନ୍ଦାଏ, ପୁଣି ହସାଏ । ଯେତେବେଳେ ଯେଉଁ ଘଟନା ଘଟେ, ତାହା କାଳ କରେ । ସେ ପିଠିରେ ଚାବୁକାଘାତ କରେ ପୁଣି ସ୍ନେହଶୀତଳ ହାତରେ ପିଠି ଆଉଁସି ଦିଏ । ରାଜାଙ୍କର ପୁତ୍ରଶୋକ କ୍ରମେ ଊଣା ହୋଇ ଆସିଲା, ସେ ଭ୍ରମଣରୁ ଫେରି ଆସିଲେ-। ସେ ଯେଉଁ କୋଠରୀରେ ଥାଆନ୍ତି, ମୁଁ ତାହାର ପାଖ କୋଠରୀରେ ଥାଏଁ–କଥାବାର୍ତ୍ତାର ଖୁବ୍‌ ସୁବିଧା ହୁଏ । ପ୍ରେସ କାମ ଶେଷରେ ମୁଁ ତାଙ୍କ ପାଖକୁ ଯାଏଁ, ଆବଶ୍ୟକ ହେଲେ ଅନ୍ୟ ସମୟରେ ସେ ଡାକନ୍ତି । ଗଳ୍ପ ହୁଏ, ଗଳ୍ପ ଛଳରେ ନାନା ବିଷୟରେ ଆଲୋଚନା ହୁଏ । ଦିନେ ଦିନେ ସାହିତ୍ୟ ଚର୍ଚ୍ଚା ଲାଗେ । ତାଙ୍କ ମାମୁଁ ପଦ୍ମନାଭ ବିଦ୍ୟାଧର ସାମନ୍ତ ଜଣେ ସାହିତ୍ୟ ରସିକ, ପ୍ରାଚୀନ ସାହିତ୍ୟରେ ଖୁବ୍‌ ଦକ୍ଷ । ସ୍ୱରଧରି ଛାନ୍ଦଗୀତ ଆବୃତ୍ତି କରି ପାରନ୍ତି, ନିଜେ ମଧ୍ୟ ପ୍ରାଚୀନ ଧରଣରେ କିଛି କିଛି ଲେଖି ପାରନ୍ତି । ତାଙ୍କର ଅଧିକାଂଶ ରଚନା ଚୌତିଶା । କ୍ଷେତ୍ରମୋହନ ବାବୁଙ୍କ ବିଜ୍ଞାପନ ଉତ୍କଳବାସୀ ପଢ଼ି ରାଜା ମୋତେ ତାଙ୍କ କଥା ପଚାରନ୍ତି । ତାଙ୍କଠାରୁ କେତେଟା ଔଷଧ ଅଣାଗଲା, ବ୍ୟବହାରରେ ସଦ୍ୟଫଳ ମଧ୍ୟ ମିଳିଲା । ରାଜାଙ୍କର କଟିବାତ ପୀଡ଼ା ଥିଲା, ସେ ସଳଖ ହୋଇ ଚାଲି ପାରନ୍ତି ନାହିଁ । କ୍ଷେତ୍ରମୋହନ ବାବୁଙ୍କୁ ଅଣାଇ ତାଙ୍କଦ୍ୱାରା ଚିକିତ୍ସା କରାଇବାର କଥା ହେଲା । ମୁଁ ଭଦ୍ରଖ ଆସି କ୍ଷେତ୍ରମୋହନ ବାବୁଙ୍କୁ ଇଚ୍ଛାପୁର ନେଇଗଲି । ସେ ରାଜାଙ୍କର ଚିକିତ୍ସା କଲେ । ଔଷଧ ଖାଇବା, ବାହ୍ୟ ପ୍ରୟୋଗରେ ମାଲିସ୍‌ କରିବା ଏବଂ ଅଙ୍ଗଚାଳନାଦି ଚିକିତ୍ସା ହେଲା-। ଚିକିତ୍ସାରେ ସୁଫଳ ଫଳିବାର ଲକ୍ଷଣ ମଧ୍ୟ ଦେଖାଗଲା । କାର୍ଯ୍ୟବଶତଃ ରାଜା ସୁରଙ୍ଗୀ ଗଲେ, କ୍ଷେତ୍ରମୋହନ ବାବୁଙ୍କୁ ସଙ୍ଗରେ ନେଇଗଲେ । କ୍ଷେତ୍ରମୋହନ ବାବୁ ପାଣି ଦେଖିଲେ ତର୍ପଣର ଲୋଭ ସମ୍ଭାଳି ପାରନ୍ତି ନାହିଁ । ସୁରଙ୍ଗୀ ଯିବା ପୂର୍ବରୁ ମୁଁ ତାଙ୍କୁ ସାବଧାନ କରାଇଦେଇ କହିଲି–ଆପଣ ସ୍ନାନତର୍ପଣକୁ ଇଚ୍ଛାପୁରରେ ରଖିଯାଉନ୍ତୁ, ସୁରଙ୍ଗୀରେ ତାହା ଚଳିବ ନାହିଁ । ସେଠାରେ ଜଳବାୟୁ ଅତି ଅସ୍ୱାସ୍ଥ୍ୟକର । ନଅର ପାଖରେ ଗୋଟାଏ ବଡ଼ ପୋଖରୀ ଅଛି, ତାହାର ଜଳ କାଚଧାର ପରି ନିର୍ମଳ ଦେଖାଯାଏ, ମାତ୍ର ସେଥିରେ ସ୍ନାନ କଲେ କିମ୍ବା ଆଞ୍ଜୁଳେ ପାଣି ପୋଖରୀରୁ ପିଇଲେ ବାରଘଣ୍ଟା ମଧ୍ୟରେ ନିଶ୍ଚୟ ଜ୍ୱର ହେବ । ସେ ପାଣିରେ ମେଲେରିଆ ବିଷ ଗୋଳା ହୋଇଅଛି । ଆପଣ ଗରମ ପାଣିରେ ସ୍ନାନ କରିବେ ଏବଂ ଗରମ ପାଣି ଶୀତଳ କରି ପିଇବେ । କ୍ଷେତ୍ରମୋହନ ବାବୁ ସୁରଙ୍ଗୀରେ ସେହିପରି କଲେ, ମାତ୍ର ସେଠାରୁ ଆସିବା ଦିନ ଆଉ ଲୋଭ ସମ୍ଭାଳି ପାରିଲେ ନାହିଁ, ବେକେ ପାଣିରେ ପଶି ମନବୋଧ କରି ସ୍ନାନ ତର୍ପଣ କଲେ । ବସାରେ ଆସି ଓଦାଲୁଗା ପାଲଟୁଁ ପାଲଟୁଁ ଜ୍ୱର ଆସିଲା । ପ୍ରବଳ ଜ୍ୱର, ଚେତନା ରହିଲା ନାହିଁ । ରାଜା ଇଚ୍ଛାପୁର ଆସିଲେ । ତାଙ୍କୁ ମଧ୍ୟ ସଙ୍ଗରେ ଘେନି ଆସିଲେ । ଇଚ୍ଛାପୁରରେ ଜ୍ୱର ଆହୁରି ପ୍ରବଳ ହୋଇ ଉଠିଲା । ତାଙ୍କ ପାଖରେ କବିରାଜୀ ଏବଂ ହୋମିଓପାଥିକ ଔଷଧ ଅନେକ ଥିଲା । ତାହା ସବୁ ବ୍ୟବହାର କରି କିଛି ଫଳ ହେଲା ନାହିଁ । ଔଷଧ ପେଟରେ ଆଦୌ ରହିଲା ନାହିଁ, ଖାଇବା ମାତ୍ରେ ବାନ୍ତି ହୋଇପଡ଼ିଲା । ଦେଖୁଁ ଦେଖୁଁ ସେ ଅତି ଦୁର୍ବଳ ହୋଇପଡ଼ିଲେ । ତାଙ୍କର ଅବସ୍ଥା ଦେଖି ମୋ ମନରେ ବଡ଼ ଭୟ ଜାତ ହେଲା । ଚିକିତ୍ସା, ସେବାଶୁଶ୍ରୁଷା ଯଥେଷ୍ଟ ହେଲା, ମାତ୍ର ଫଳ ହେବା ଦୂରେ ଥାଉ, ରୋଗ କ୍ରମେ ବଢ଼ି ଉଠିଲା-। ତହୁଁ କ୍ଷେତ୍ରମୋହନ ବାବୁ କହିଲେ–ମୋତେ ଶୀଘ୍ର ଭଦ୍ରଖ ପଠାଇବାର ବ୍ୟବସ୍ଥା କର, ଏ ବିଷମ ଜ୍ୱର ଏଠାରେ ଭଲ ହେବ ନାହିଁ । ମୁଁ ରାଜାଙ୍କୁ କହି ତାଙ୍କୁ ପଠାଇ ଦେଲି । ସଙ୍ଗରେ ଜଣେ ପ୍ରେସ୍‌ କର୍ମଚାରୀ ଗଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଭଦ୍ରଖରେ ଦୁଇଦିନ ମଧ୍ୟରେ ଜ୍ୱର ସମ୍ପୂର୍ଣ୍ଣ ଛାଡ଼ିଗଲା । ପାଣି, ତୋରାଣୀ, ସରବତ ଏବଂ ବରଫରେ ଜ୍ୱର ଭଲ ହୋଇଗଲା । ସୁରଙ୍ଗୀର ଜଳବାୟୁ କିପରି ଅସ୍ୱାସ୍ଥ୍ୟକର ତାହା ଏହିଥିରୁ ଅନୁମେୟ । ସେଠାରେ ପୋଷେ ପାଣି ପିଇଲେ ଧନ୍ୱନ୍ତରିଙ୍କ ବାପ ବି ଜ୍ୱରରୁ ନିସ୍ତାର ପାଇବେ ନାହିଁ । ସେହି ଜ୍ୱର ରାଜ୍ୟରେ ଲୋକଙ୍କର ଦେହ ସହିଗଲାଣି, ତଥାପି ସମୟ ସମୟରେ ଜ୍ୱରରେ ଅନେକ ଲୋକ ମରନ୍ତି । ଯେ ବଞ୍ଚନ୍ତି, ସେ ଜୀବନ୍ମୃତ ହୋଇ ରହନ୍ତି । ବର୍ତ୍ତମାନ ସୁରଙ୍ଗୀର ସେ ବିଷପୋଖରୀ ସ୍ଥାନୀୟ ଅମୃତକୁଣ୍ଡ ହୋଇଅଛି-। ଏହି ପରିବର୍ତ୍ତନ ସ୍ୱର୍ଗୀୟ ରାଜା ଚନ୍ଦ୍ରଚୂଡ଼ାମଣି ଦେବଙ୍କ ବହୁ ଚେଷ୍ଟାର ଫଳ ।

 

ଜଣେ ନାଟକ ଅଭିନେତା ଆନ୍ଧ୍ର ବ୍ରାହ୍ମଣ-ଯୁବକ ନାଟକ ସମ୍ବନ୍ଧୀୟ କାଗଜପତ୍ର ଛପାଇ ନିଏ । ଦିନେ ଛାପା କାର୍ଯ୍ୟରେ ବିଳମ୍ବ ହେବାରୁ ସେ ରେଲରେ ଯାଇପାରିଲା ନାହିଁ । ରୋଷାଇ କରି ଖାଇବା ପାଇଁ ହାଣ୍ଡି ଚାଉଳ ପ୍ରଭୃତି ଅଣାଇ ଦିଆଗଲା । ରାନ୍ଧିବା ସକାଶ ସ୍ଥାନ ବି ନିର୍ଦ୍ଦେଶ କରିଦିଆଗଲା । ଏ ସବୁ ଆୟୋଜନ ଦେଖି ଯୁବକ ହସି ହସି କହିଲା–‘‘ଏ କଅଣ ପଣ୍ଡିତେ, ଆପଣଙ୍କର ତ ରନ୍ଧା ହେବ, ବ୍ରାହ୍ମଣ ରାନ୍ଧେ, ସେହିଥିରେ ମୋ ପାଇଁ ମୁଠେ ପକାଇ ଦେଲେ ହେବ-। ମାଛ ଆସିବତ, ମୁଁ ମାଛ ବି ଖାଏଁ ।’’ ମୁଁ କହିଲି–‘‘ତୁମ୍ଭେ କମା ବ୍ରାହ୍ମଣ, ତୁମ୍ଭର ନିଷ୍ଠା ଅଧିକ ମୁଁ ଜାଣେ, ଆମ ରୋଷାଇରେ ତୁମ୍ଭର କିପରି ଚଳିବ ?’’ ତହୁଁ ଯୁବକ ମୋତେ କଅଣ ଉତ୍ତର ଦେବ, ସମ୍ଭବତଃ ତାହା ହଠାତ୍‌ ଠିକ୍‌ କରି ପାରିଲା ନାହିଁ । କିଛିକ୍ଷଣ ନୀରବ ରହି କହିଲା–‘‘ଜାତିଟା କଅଣ ଖାଇବାରେ ଅଛି ଆପଣେ । ଯେ ତାହା ବୁଝେ, ସେ ଜାତିର ଧର୍ମ ଜାଣେ ନାହିଁ । ମୁଁ ଜଣେ ସଂସ୍କାରକ, ଆମର ଗୋଟାଏ ଦଳ ଅଛି– ସେ ଦଳର ସମସ୍ତେ ଯୁବକ । ଆମ ଜାତିର କୁସଂସ୍କାରକୁ ଆମେ ତିଳ ତିଳ କରି ଚୂନା କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଅଛୁଁ ।’’ ମୁଁ ଆଉ କିଛି କହିଲି ନାହିଁ, କିନ୍ତୁ ଯୁବକର ଏବଂ ତାଙ୍କ ଦଳର ସତ୍‌ସାହସକୁ ମନେ ମନେ ପ୍ରଶଂସା କଲି । ରନ୍ଧା ସରିଗଲା । ସମସ୍ତଙ୍କ ପାଇଁ ବଢ଼ାଗଲା, ଯୁବକ ପାଇଁ ମାଛଭାତ ବାଢ଼ି ଦିଆଗଲା, ସେ ପତ୍ର ପାଖରେ ବସି କହିଲା–ପଣ୍ଡିତେ, ଆଉ ଗୋଟାଏ କଥା କହିବାକୁ ସଂକୋଚ ଲାଗୁଛି । ବେଶୀ ନୁହେଁ–ଛଅଟି ପଇସା ଦେଲେ ମୁଁ ଯାଇ ଟିକିଏ ପିଇ ଆସିବି । ନହେଲେ ଭୋଜନରେ କିଛି ମଉଜ ହେବ ନାହିଁ । ମୋର ତାହା ଅଭ୍ୟାସ ଅଛି । ଆପଣମାନେ ଭୋଜନ କରନ୍ତୁ, ମୋ ପତ୍ର ଥାଉ–କିଛି ମନରେ କରିବେ ନାହିଁ, ମୁଁ ଏହିକ୍ଷଣି ଆସି ଖାଇବି ।’’ ଏହାଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ମୁହଁରୁ ଭାଷା ବାହାରିଲା ନାହିଁ । ମୋର ଅବସ୍ଥା ବୁଝିପାରି ଯୁବକ ମୃଦୁ ହସି କହିଲା–ମୁଁ ‘‘ଗମାତ୍‌’’ କରୁନାହିଁ ଆପଣେ–‘‘ନଷ୍ଟସ୍ୟ କାନ୍ୟାଗତି’’ ପରା । ଏତିକି ମାତ୍ର କହି ହସିବାକୁ ଲାଗିଲା । ସେ ହସର ଆଉ ବିରାମ ନାହିଁ । ସେ ହସ ଦେଖି ଭାବିଲି–ମଦ ନ ଖାଉଣୁ ତାକୁ ଆଗରୁ ନିଶାଧରି ଗଲାଣି । ଭକ୍ତର ଏ ଅଗାଧ ପ୍ରେମରେ ସୁରାଦେବୀ ନିଶ୍ଚୟ ସନ୍ତୁଷ୍ଟ ହେବେ । ଆହୁରି ମଜାର କଥା ଏହି ଯେ–ନଷ୍ଟସ୍ୟ କାନ୍ୟାଗତି ଏ ଜ୍ଞାନଟିକକ ବି ଅଛି । କଅଣ କରିବି–ନାଚାର, ଅତିଥିକୁ ଖାଇବାକୁ ଦେଇ ଅସନ୍ତୁଷ୍ଟ କଲେ ତ ଚଳିବ ନାହିଁ । ଛଅଟି ପଇସା ଦେଲି, ଲୋକଟି ଅତି ଆନନ୍ଦରେ ବିହ୍ୱଳ ହୋଇ ଉଠି ଚାଲିଗଲା । ଫେରିଆସିବା ବେଳକୁ ଆମର ଖାଇବା ସରି ଯାଇଥିଲା । ଯୁବକ ପତ୍ର ଆବରି ବସି ଖାଇବାକୁ ଲାଗିଲା । ଖାଉଁ ଖାଉଁ କହିଲା–‘‘ପଣ୍ଡିତେ, ମୋତେ ପାଗଳ ଜ୍ଞାନ କରୁଛନ୍ତି କି ? ହଁ, ତାହା କରିବାର କଥା, ମୋର ଆଚରଣ ଯେ ଦେଖିବ, ସେ ବି ପାଗଳ ବୋଲି କହିବ । ଆମେ କମାଜାତି ଅତି ଆଚାରରେ ଅତ୍ୟାଚାରୀ ହୋଇ ପଡ଼ିଅଛୁଁ । ଏଣିକି ଆମ ଜାତିରେ ସବୁ ଚଳିଲାଣି । ମୋର ପାନଦୋଷକୁ ଆପଣ ଲକ୍ଷ୍ୟ କରୁଥିବେ, ମାତ୍ର ଆମ ବଡ଼ ବଡ଼ଙ୍କ ଭିତରେ ବି ତାହା ଚାଲିଲାଣି । ବାହାରେ ଶୁଚିବାୟୁର ଗୋଟାଏ ପର୍ଦ୍ଦା ଟଣା ଥାଏ, ମାତ୍ର ଭିତରେ ଭିତରେ ଲୁଚାଇ ଖାଆନ୍ତି, ତେବେ କଅଣ ଦେଖାଇ ଖାଇବାଟା ଦୋଷ ? ସେ ଲୁଚାଇ ଖାଆନ୍ତି, ଆମେ ଦେଖାଇ ଖାଉଛୁ ବୋଲି ଆମର ଦୋଷ ହେବ କାହିଁକି ? ଆମେ ଭୀରୁ, କାପୁରୁଷ ନୋହୁଁ, ତାଙ୍କପରି ନୈତିକ ସାହସର ମୁଣ୍ଡଖାଇ ସତ୍ୟ ଗୋପନ କରିବୁଁ କାହିଁକି ? ଅସ୍ପୃଶ୍ୟ ପଦାର୍ଥ ସ୍ପର୍ଶ କରିବା ତ ପାପ, ପୁଣି ସେହି ପାପକୁ ଲୁଚାଇବା ଅକ୍ଷମଣୀୟ ମହାପାପ ନୁହେଁ କି ? କରୁ ଯେବେ ଡର କାହିଁକି, ଡରୁ ଯେବେ କରୁ କାହିଁକି ? ନିର୍ଜଳା ଏକାଦଶୀର ବାହାନା କରି ପାଣିରେ ବୁଡ଼ି ପାଣି ପିଇବାଟା କଅଣ ଧର୍ମର କଥା ? ପାପ ଗୋପନ କଲେ ଧର୍ମକୁ, ସମାଜକୁ ଠକାଇବାର ଦୁଃସାହସ ପ୍ରକାଶ ପାଏ । ସମାଜର ନିଷିଦ୍ଧ ଆହାର ଗୋପନରେ ଗର୍ଭସ୍ଥ କରି ସାମାଜିକ ବୋଲାଇବ ଦ୍ୱାରା ସମାଜ ଦୂଷିତ ଏବଂ ଆବର୍ଜନାମୟ ହୁଏ । ଯେଉଁମାନେ ଏରୂପ କରନ୍ତି ସେମାନେ ନିଜେ କାଳି ବୋଳି ହୋଇ ସେହି କାଳି ପୁଣି ଜାତି ଏବଂ ସମାଜ ମୁହଁରେ ବୋଳି ଦିଅନ୍ତି । ବାସ୍ତବରେ ସେହିମାନେ ହିଁ ଘୃଣାର ପାତ୍ର, ଆମ୍ଭେମାନେ ନୋହୁଁ । ଆମେ ସତ୍ୟବ୍ରତ, ନିଜର ଦୋଷକୁ ଆମେ ପଦାରେ ଦେଖାଇ ଦେଉଁ ।’’ ଏହିପରି ଅନର୍ଗଳ ବକ୍ତୃତା ଚାଲିଲା । ହାତ, ପାଟି, କଥା ତିନିହେଁ ଚାଲି ଥାଆନ୍ତି । ମୁଁ ଶୁଣିସାରି କହିଲି–ତୁମ୍ଭର ପାନ ଦୋଷ ଅବଶ୍ୟ ଘୃଣ୍ୟ, କିନ୍ତୁ ତୁମ୍ଭ କଥାର ମୂଲ୍ୟ ଅଛି । କୌଣସି ସତ୍‌ ବିଷୟରେ ଏହିପରି ସାହସ ଦେଖାଇଥିଲେ ତୁମ୍ଭେ ସ୍ମରଣୀୟ ହୋଇଥାଆନ୍ତ-

 

ଉତ୍କଳବାସୀରେ ସେ ସମୟର ବିଖ୍ୟାତ ଲେଖକମାନଙ୍କ ମଧ୍ୟରୁ ଅନେକେ ଲେଖୁଥିଲେ-। ବିଦ୍ୟାରତ୍ନଙ୍କର ଅନେକ ବେନାମୀ ଲେଖା ବାହାରେ । ମୁଖଲଜ୍ଜାରେ ସତ୍ୟ ଗୋପନ କରିବା ତାଙ୍କ କୋଷ୍ଠୀରେ ଥିଲା ନାହିଁ । ସେହିପରି ଲେଖାସବୁ ସେ ଉତ୍କଳବାସୀକୁ ପଠାଉଥିଲେ । ମୁଁ ମଧ୍ୟ ପ୍ରଜାବନ୍ଧୁରେ ସେହିପରି ଲେଖୁଥିଲି । ସୁରଙ୍ଗୀ ରାଜା ସେହି ସମୟରେ ଲେଖା ଆରମ୍ଭ କଲେ । ତାଙ୍କର ପ୍ରବନ୍ଧ ଉତ୍କଳବାସୀରେ ବାହାରିଲା । କବିତାର ଉପଧାମେଳ ସେ ଜାଣି ନ ଥିଲେ । ମୁଁ ତାଙ୍କୁ ଶିଖାଇ ଦେଲି । ସେ ସମୟରେ ଉପଧାର ଗୌରବ ଭାରୀ ଟେକି ଥିଲା-। ଯହିଁରେ ଉପାନ୍ତ୍ୟ ସ୍ୱରର ମେଳ ନ ଥାଏ, ତାହା କବିତା ବୋଲି ଗଣ୍ୟ ହେଉ ନ ଥିଲା । ଉପଧାର ଅମେଳକୁ କବିର ଦୁର୍ବଳତା ବୋଲି ଧରାଯାଉଥିଲା । ଇନ୍ଦ୍ରଧନୁ ବିଜୁଳି ପ୍ରକାଶ ବେଳେ ଉପଧା ସକାଶ ଆନ୍ଦୋଳନ ଲାଗିଥିଲା । ବିଜୁଳି ଦଳ କହିଲେ, ରାଧାନାଥଙ୍କ ପରି ଭଞ୍ଜ ଉପଧା ରଖି ପାରିନାହାନ୍ତି । ଇନ୍ଦ୍ରଧନୁ ପକ୍ଷରୁ ପ୍ରତିବାଦ ହେଲା । କେତେ କହିଲେ–ସାହିତ୍ୟରେ ଭଞ୍ଜ ଯେଉଁ ଅଦ୍ଭୁତ ଚାତୁରୀ ଦେଖାଇ ଅଛନ୍ତି, ତାହା ତୁଳନାରେ ଉପଧା କିଛି ନୁହେଁ, ଉପଧା ଆଧୁନିକ ରୁଚି, ସେ କାଳରେ ତାହା ନ ଥିଲା । ଯେଉଁ କବି ସର୍ବଯମକରେ ଉପର ଧାଡ଼ି ତଳ ଧାଡ଼ି ସମାନ କରି ଯାଇଅଛନ୍ତି, ଯମକ ରାଜ୍ୟରେ ଯେ ଚମକ ପକାଇ ଦେଇଅଛନ୍ତି, ଛାର ଉପଧାମେଳ ତାଙ୍କୁ କେତେ ମାତ୍ର । ଏହିପରି ଯୁକ୍ତି ଦେଖାଇ ରାଧାନାଥଙ୍କ ଚନ୍ଦ୍ରଭାଗାରୁ ଦୁଇଧାଡ଼ି ଉତାରି ଉପଧାର ଦୁର୍ବଳତା ଦେଖାଇଥିଲେ–

 

‘‘ରଖ ଏ ଜନକୁ ସେବକ ପଦେ ବରି ସୁନ୍ଦରି,

ତୋହୋଦୟା ବିନା ଗଲିଟି ନିଶ୍ଚେ ସରି ସୁନ୍ଦରି ।’’

 

ଏଠାରେ ଏକା ସୁନ୍ଦରୀ ପଦଦ୍ୱାରା ମିତ୍ରାକ୍ଷର ତଥା ଉପଧା ରକ୍ଷା କରାଯାଇଛି, ମାତ୍ର ଏଥିରେ ବିଶେଷତ୍ୱ କିଛି ନାହିଁ । ଏହା ଶୁଣି ବିପକ୍ଷବାଦୀମାନେ କହିଲେ–ଅତି ଆତୁର ଏବଂ ଅତି ଉତ୍କଣ୍ଠାରେ ସୁନ୍ଦରୀ ଶବ୍ଦ ଦୁଇଥର ବ୍ୟବହୃତ ହୋଇଅଛି, ତାହା ଦୋଷାବହ ନୁହେଁ । ଆତୁର ଉତ୍କଣ୍ଠାବେଳେ କେହି ବ୍ୟାକରଣ ଧରି କଥା କହେ ନାହିଁ । ପୁଣି ସୁନ୍ଦରୀ ପଛକୁ ବରି, ସରି ଦ୍ୱାରା ଉପଧା ମିତ୍ରାକ୍ଷର ଉଭୟ ରକ୍ଷା କରାଯାଇଅଛି, ଏହା କବିଙ୍କର ବାହାଦୂରୀ । ଏ କଥାରେ ଇନ୍ଦ୍ରଧନୁ ଦଳ କେତେ ଥଟ୍ଟା ବିଦ୍ରୂପ କଲେ ।

 

ସେମାନେ କହିଲେ–‘‘ତା’ ଧିନି ଧିନି ଧିନାରେ,

ନାରଦ ବଜାଏ ବୀଣାରେ ।’’

 

ଏଠାରେ ‘ରେ’ କାଟି ଦେଲେ ବି ତା ପଛକୁ ଧିନା ବୀଣାରେ ଉପଧା ପଡ଼ୁଛି । ଏହିପରି ଗୁଡ଼ାଏ ଅଲଣା ଯୁକ୍ତିତର୍କ ଲାଗିଲା, ତାହା ପୂର୍ବ କଥିତ ଗାଣ୍ଡିବ ଶବ୍ଦର ମୂଳ ଦୁଇ ଅକ୍ଷର ଅଶ୍ଳୀଳ ପରି ବ୍ୟର୍ଥ ଯୁକ୍ତି । ପ୍ରକୃତରେ କହିବାକୁ ଗଲେ ଅପୂର୍ଣ୍ଣ ମିତ୍ରାକ୍ଷରଠାରୁ ପୂର୍ଣ୍ଣମିତ୍ରାକ୍ଷର ଅଧିକ ସୁଶ୍ରାବ୍ୟ । କେହି କେହି କହନ୍ତି–ଉପାଧାଦ୍ୱାରା ଭାବ ଭାଙ୍ଗିଯାଏ, ମାତ୍ର ତାହା ଭୁଲ । ରାଧାନାଥ ତ ମିତ୍ରାକ୍ଷରରେ ବଡ଼ ବଡ଼ କାବ୍ୟ ଲେଖି ଯାଇ ଅଛନ୍ତି, କାହିଁ–କେଉଁଠାରେ ତ ଉପଧା ଦ୍ୱାରା ଭାବ ଭାଙ୍ଗିବାର ବା ଦୁର୍ବଳ ହୋଇଥିବାର ଦେଖାଯାଏ ନାହିଁ । ପକ୍ଷାନ୍ତରରେ ମହାକବି ଉପେନ୍ଦ୍ର ଭଞ୍ଜ ଯେ ସାମାନ୍ୟ ଉପଧା ରକ୍ଷାରେ ଦୁର୍ବଳ, ଏହା ମଧ୍ୟ ବାତୁଳର ଉକ୍ତି । ଯେ ତିନିଅକ୍ଷର ଚାରିଅକ୍ଷର ଏବଂ ସ୍ଥଳ ବିଶେଷରେ ଆହୁରି ଅଧିକ ଅକ୍ଷରରେ ମିତ୍ରାକ୍ଷର ମିଳାଇ ଯାଇଅଛନ୍ତି, ଉପାନ୍ତ୍ୟ ସ୍ୱରର ମେଳ ତାଙ୍କ ପକ୍ଷରେ ବିଚିତ୍ର ନୁହେଁ । ଉପଧା ଅସାଧାରଣ ପ୍ରତିଭାର ଅପେକ୍ଷା କରେ ନାହିଁ, ଅନେକ ଦୁର୍ବଳ ଲେଖକ ବି ଉପଧାମିଳାଇ ଲେଖିପାରନ୍ତି । ଭଞ୍ଜ ତ ମହାକବିଙ୍କର ଗୁରୁ, ଉପଧାମେଳ ତାଙ୍କ ପକ୍ଷରେ କଠିଣ ନୁହେଁ, ବରଂ ଅନାୟାସସାଧ୍ୟ, ଅକିଞ୍ଚିତ୍‌କର । ଉପଧାରକ୍ଷା କବିତାର ଗୋଟିଏ ମୂଲ୍ୟବାନ୍‌ ବିଶେଷତ୍ୱ ନୁହେଁ–ତଦ୍ଦ୍ୱାରା କବିତା ଶ୍ରୁତିମଧୁର ହୁଏ । ଯମକ, ଅନୁପ୍ରାସାଦି ଦ୍ୱାରା ଭଞ୍ଜ କବିତା ସ୍ୱଭାବଶ୍ରୁତିମଧୁର, ଆଉ ଉପାଧିଦ୍ୱାରା ଅଧିକ କଅଣ ହୁଅନ୍ତା ? ତାଙ୍କର କମନୀୟ ମଧୁର ପଦାବଳୀରେ ଉପଧା ନ ଥାଉ ପଛେ, ମାତ୍ର ଉପଧାର ପଣ ଗୋସାଇଁ ବାପା ପଣ ପଣ । ତାଙ୍କ କବିତାର ସୌନ୍ଦର୍ଯ୍ୟ ଏବଂ ଗୌରବ ଉପଧା ଅଭାବରେ ହାନି ହୋଇ ନାହିଁ । ସେ କାଳରେ ଉପଧା ଆଦର ଯେପରି ଥିଲା, ବର୍ତ୍ତମାନ ସେପରି ନାହିଁ । ଏବେ ଉପଧାକୁ କେହି ପାସଙ୍ଗରେ ପକାଉ ନାହାନ୍ତି । ଏକା ଉପଧା କାହିଁକି, ଉତ୍କଳ ସାହିତ୍ୟର ଅନେକ ଉପାଦାନ ଏମନ୍ତ କି ସ୍ୱାତନ୍ତ୍ର୍ୟ ମଧ୍ୟ ନିର୍ବାସିତ ହୋଇଅଛି । ବର୍ତ୍ତମାନ ନିଜସ୍ୱ ଛାଡ଼ି ପରସ୍ୱକୁ ନେଇ କାରବାର ଚଳୁଅଛି । ପରଠାରୁ ଆଣିବା ଅସ୍ୱାଭାବିକ ନୁହେଁ, ମାତ୍ର ନିଜର ଯାହାଥିଲା ତାକୁ ଫିଙ୍ଗିଦେଇ ପର ପଦାର୍ଥ ଆଣି ଘର କରିବା ସୁବୁଦ୍ଧିର କାର୍ଯ୍ୟ ନୁହେଁ । ସେଥିରେ ନିଜର ଚିରନ୍ତନ ରୁଚି ଏବଂ ପ୍ରକୃତି ବଦଳି ଯାଇ ବିକୃତ ହୋଇଯାଏ । ପରଲୁଗା ପିନ୍ଧି ଯାତ୍ରାକୁ ଗଲେ ତାହା ମାନେ ନାହିଁ । ଆମର ଲୁଗାପିନ୍ଧି ଖାଇବାର ଅଭ୍ୟାସ, କୋଟ ପେଣ୍ଟାଲୁନ ପିନ୍ଧି ଖାଇବସିଲେ ବସିବାରେ ଅସୁବିଧା, ଖାଇବାରେ ବି ଅସୁବିଧା । ଆଧୁନିକ ସାହିତ୍ୟର ଧାରା ଦେଖି ବୋଧହୁଏ, ଉତ୍କଳସାହିତ୍ୟ ଏଣିକି ଭିନ୍ନ ଛାଞ୍ଚରେ ଢଳା ହୋଇ ନିଜସ୍ୱ ମୌଳିକତା ହରାଇ ବସିବ । କାବ୍ୟ ଆମର ଜାତୀୟ ଆଦର୍ଶ, କିନ୍ତୁ କାବ୍ୟରଚନା କ୍ରମେ ଲୋପ ହୋଇ ଆସୁଅଛି । କିଛିଦିନ ପରେ ଉତ୍କଳ ବଂଶଧରମାନେ କାବ୍ୟର ଅର୍ଥ ଅଭିଧାନରେ ଖୋଜିବେ । ଖାଲି ଖଣ୍ଡ କବିତା, କ୍ଷୁଦ୍ର ଗଳ୍ପରେ ବର୍ତ୍ତମାନ ସାହିତ୍ୟ ବଜାର ଚଳୁଅଛି । କ୍ଷୁଦ୍ର ଗଳ୍ପ ରୂପେ ଯେଉଁ ବିଦେଶୀ ପ୍ରେମର ଆମଦାନୀ ହେଉଅଛି ଏବଂ ସେହି ସମାଜ ବିରୁଦ୍ଧ ପ୍ରେମ ମୋହରେ ପଡ଼ି ଉଦ୍ଧତ ଅଧୀର ଯୁବକମାନେ ଅସ୍ଥାନରେ–ଅକାଳରେ–ଅପାତ୍ରରେ କିପରି ଚୁମ୍ବନ ଖୋଜି ବୁଲୁଛନ୍ତି, ସେଥିରୁ ବୋଧହୁଏ, ଏ ଦେଶର ସାହିତ୍ୟ, ସମାଜ ତଥା ଜାତିର ସ୍ୱର୍ଗକୁ ଉଠିବାର ଆଉ ବିଳମ୍ବ ନାହିଁ । ଅନେକ ଯୁବକ ପ୍ରେମର ଅସମ୍ଭାଳ ହୋଇ ଉଲଗ୍ନ ହୋଇ ପଡ଼ୁଅଛନ୍ତି । କେହି କେହି ତ ଏକା ହୁମ୍ପାକେ ମହାକବି କାଳିଦାସ, ସେକ୍‌ସପିଅର ପ୍ରଭୃତିଙ୍କ ଆସନରେ ବସିଯିବାର ଆଶା ବାନ୍ଧିଅଛନ୍ତି । କାହାରି କଥା ସେ ପସନ୍ଦ କରନ୍ତି ନାହିଁ, ନିଜେ ଯାହା କରନ୍ତି ତାହା ହିଁ ବେଦ । କେତେଜଣ ତଥାକଥିତ ସ୍ଥବିର ସମାଲୋଚକ ଅଛନ୍ତି, ସେମାନେ ଖାଲି ଇକାର ଉକାର ଭୁଲ ବାଛନ୍ତି । ପ୍ରାଦେଶିକ ଶବ୍ଦକୁ ସେମାନେ ଭାଷା ଭିତରେ ପୂରାଇ ଦେଉଥିଲେ ନାହିଁ–ଠେଙ୍ଗାବାଡ଼ି ଘେନି ଘଉଡ଼ୁଥିଲେ, କିନ୍ତୁ ବର୍ତ୍ତମାନ ସେହି ପ୍ରାଦେଶିକ ଶବ୍ଦ ଭାଷାର ଗୌରବ ସମ୍ପଦ ବୋଲି ବିବେଚିତ ହେଉଅଛି । ସେମାନେ ଓଡ଼ିଆ ଭାଷାକୁ ସଂସ୍କୃତ ବ୍ୟାକରଣ ସଙ୍ଗେ ବିବାହ କରାଇଦେଇ ସେହି ଅଯୋଟକର ବିଷମୟ ଫଳ ଦେଖି କୌତୁକ ଉପଭୋଗ କରନ୍ତି । ମୋର ‘‘ଗୌରବିତ’’ ‘‘ମହିଁ ମିତ’’ ପଦକୁ ଏମାନେ କେତେ ଥଟ୍ଟା କରି ମହାକବି ପ୍ରୟୋଗ ବୋଲି କହି ମନର ଆରିମାନ ମେଣ୍ଟାଇ ନେଇଥିଲେ । ବର୍ତ୍ତମାନ ସେହି ପଦଦ୍ୱୟ ଅବାଧରେ ବହୁଳଭାବରେ ପ୍ରଚଳିତ ହେବାର ସେହିମାନେ ଦେଖୁଅଛନ୍ତି । କିନ୍ତୁ ଏକାଳରେ ଆଉ ପାଟି ଫିଟୁନାହିଁ । ଯେତେଦିନ ଯାଏଁ ମୁଁ ବଡ଼ ବୋଲି ମନ ମଧ୍ୟରେ ଗର୍ବ ବହିଥିବି, ତେତେଦିନ ଯାଏଁ ମୋ କଥାର କିଛି ମୂଲ୍ୟ ନାହିଁ–ଏହା ମୋର ବଜ୍ର ଦୃଢ଼ ବିଶ୍ୱାସ ।

 

ଇଚ୍ଛାପୁରରେ ମୋ ବସା ପଛରେ ଖଣ୍ଡେ ବଣ ଥିଲା । ସ୍ଥାନଟା ଅନ୍ଧାରିଆ । ସେଠାରେ ଅନେକ ବଡ଼ ବଡ଼ ମୂଷା ଥିଲେ । ଗୋଟା ଗୋଟାକାର ଆକୃତି ଅର୍ଦ୍ଧବିରାଡ଼ି ପରି । ରାତିରେ ଆଲୁଅ ଲିଭିଲେ ସେମାନେ ଆସି ଘରଭିତରେ ଉପଦ୍ରବ କରନ୍ତି । ଦିନେ ରାତିରେ ଶୋଇଥିବା ବେଳେ ଗୋଟାଏ ମୂଷା ମୋର ବାମ ଗୋଡ଼ର ଗଣ୍ଠି ଉପରେ କାମୁଡ଼ି ପୁଳାଏ ମାଂସ ଉଠାଇ ନେଇଗଲା । ମୁଁ ଅସ୍ତବ୍ୟସ୍ତ ହୋଇ ଉଠିପଡ଼ି ଆଲୁଅ ଜାଳି ଦେଖିଲି, କ୍ଷତ ସ୍ଥାନରୁ ରକ୍ତ ବହି ବିଛଣା ତିନ୍ତିଯାଇଅଛି । ସକାଳୁ ଗୋଡ଼ ଭାରୀ ବଥା କରିଗଲା, ତଳେ ପାହୁଲ ପକାଇ ହେଲା ନାହିଁ । ଏଣୁତେଣୁ କେତେ ଔଷଧ ଲଗାଇବାରୁ ଗୋଡ଼ର ଫୁଲା ଏବଂ ବଥା ଛାଡ଼ିଗଲା, ମାତ୍ର ଘା ଶୁଖିଲା ନାହିଁ । ରାତି ଦୁଇଟା ପର୍ଯ୍ୟନ୍ତ ଉଜାଗର ହୋଇ ଲେଖିବାକୁ ହୁଏ । ଅତିରିକ୍ତ ପରିଶ୍ରମରେ ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ଜଣେ ସହକାରୀ ଦେବା ସକାଶ ରାଜାଙ୍କୁ ଅନେକଥର କହିଲି, ସହକାରୀର ଆବଶ୍ୟକତା ସେ ମଧ୍ୟ ବୁଝି ପାରିଲେ, ମାତ୍ର କାର୍ଯ୍ୟରେ କିଛି ହେଲା ନାହିଁ । ଦିନେ ଦିନେ ରାତି ଗୋଟାଏ ଦୁଇଟା ବେଳେ ରାଜା ଏବଂ ଚକ୍ରପାଣି ସାମନ୍ତ ଆସି ଲୁଚିକରି ମୋତେ ଦେଖି ଯାଆନ୍ତି । ମୁଁ କାର୍ଯ୍ୟରେ ବ୍ୟସ୍ତ ଥାଏଁ, ତାହା ଜାଣିପାରେ ନାହିଁ । ଦିନେ ରାଜା କହିଲେ, ‘‘ଆପଣ ତ ରାତିରେ ଶୋଉ ନାହାନ୍ତି, ଆଉ ଏଠାରେ ଚୋର ପଶିବାର ଭୟ ନାହିଁ । କାଲି ରାତିରେ ଆମେ ଲୁଚିକରି ଦେଖିଛୁ–ଆପଣ ଦୁଇଟା ବେଳେ ଛାତିତଳେ ଗୋଟାଏ ତକିଆ ଦେଇ ଶୋଇକରି କଅଣ ଲେଖୁଥିଲେ । ଏତେ ଅଧିକ ପରିଶ୍ରମ କଲେ ଆପଣଙ୍କ ସ୍ୱାସ୍ଥ୍ୟଭଙ୍ଗ ହୋଇପଡ଼ିବ । ଜଣେ ସହକାରୀ ନ ହେଲେ ଚଳିବ ନାହିଁ ।’’ ଏକଥା ଶୁଣି ଆଶାର ଗୋଟାଏ ଆଲୋକ ରେଖା ମୁଁ ଦେଖି ପାରିଲି, ସବୁ ସହାନୁଭୂତି କଥାରେ, କିନ୍ତୁ କାର୍ଯ୍ୟରେ କିଛି ନାହିଁ । କିଛିଦିନ ପରେ ମୋତେ ଭୀଷଣ ଜ୍ୱର ହେଲା, ରକ୍ତଝାଡ଼ା ହେଲା, ସମୟ ସମୟରେ ରକ୍ତ ବାନ୍ତି ମଧ୍ୟ ହେଲା । ମୁଁ କ୍ରମେ ଦୁର୍ବଳ ହୋଇ ଅଚଳ ହୋଇ ପଡ଼ିଲି । ମନରେ ବଡ଼ ଭୟ ଜାତ ହେଲା । ଭାବିଲି–ଏଥର ଆଉ ରକ୍ଷା ନାହିଁ, ନିଶ୍ଚୟ ମୋତେ ମହାଯାତ୍ରା କରିବାକୁ ପଡ଼ିବ । ବିଦେଶ ଯାଗା, ନିଜର ଲୋକ କେହି ପାଖରେ ନାହିଁ, ଏ ଅବସ୍ଥାରେ ମନ ଯାହା ହୁଏ, ତାହା ଭୁକ୍ତଭୋଗୀ ବିନା ଆଉ କିଏ ଜାଣିବ ? ରାଜା ଅନେକ ଚେଷ୍ଟା କଲେ, କିନ୍ତୁ କିଛି ଫଳ ହେଲା ନାହିଁ । ଅବସ୍ଥା କ୍ରମେ ସଂକଟାପନ୍ନ ହୋଇ ଉଠିଲା । ଛୁଟି ନେଇ ଘରକୁ ଯିବା ପାଇଁ ରାଜା କହିଲେ, କିନ୍ତୁ ମୋ ମନରେ ତ ବଞ୍ଚିବାର ଆଶା ନ ଥିଲା–ମୁଁ ଛୁଟି ନ ନେଇ ଇସ୍ତଫା ଦେଲି l ରାଜା ଦୁଃଖିତ ହୋଇ ଇସ୍ତଫା ଫେରାଇ ନେବାକୁ କହିଲେ । ବଞ୍ଚିବି ନାହିଁ ବୋଲି ମୋର ଦୃଢ଼ଧାରଣା, ମୁଁ ଆଉ ଇସ୍ତଫା ଫେରାଇ ନେଲି ନାହିଁ । ଚକ୍ରପାଣି ସାମନ୍ତଙ୍କୁ ପ୍ରେସ୍ ଏବଂ ପତ୍ରିକାର ଚାର୍ଜ ଦେଇ ରେଲରେ ଘରକୁ ଚାଲିଆସିଲି । ପଦନ ଏବଂ ଜୟକୃଷ୍ଣ ଆସିବାକୁ ବାହାରିଲେ, ମାତ୍ର ମୁଁ ତାଙ୍କୁ ବୁଝାବୁଝି କରି ରଖାଇ ଆସିଲି ।

 

ଚରମ୍ପା ଷ୍ଟେସନରେ ଓହ୍ଲାଇ ଖଣ୍ଡେ ବଳଦ ଗାଡ଼ିରେ ଘରକୁ ଆସିଲି । ଘର ପାଖରୁ ଷ୍ଟେସନର ଦୂରତା ଦୁଇମାଇଲରୁ ଅଧିକ । ତେତେବେଳେ ଗାଡ଼ିଭଡ଼ା ଚାରିଅଣା ଲାଗୁଥିଲା । ବର୍ତ୍ତମାନ ବାରଅଣା ଲାଗୁଅଛି । ଗଣ୍ଡା ଗଣ୍ଡା ମଟର ଚାଲିସୁଦ୍ଧା ବଳଦଗାଡ଼ି ଭଡ଼ା ତିନିଗୁଣ ବଢ଼ି ଯାଇଅଛି । ଏହିଥିରୁ ସେ କାଳ ଏବଂ ଏ କାଳ ଦଶା ସହଜରେ ଅନୁମେୟ । ମୋର ଅବସ୍ଥା ଦେଖି ଘରର ପରିବାରମାନେ ଅଧୈର୍ଯ୍ୟ ହୋଇ ଉଠିଲେ । ମୁଁ ଆଉ ବଞ୍ଚିବି ନାହିଁ ବୋଲି ସମସ୍ତଙ୍କର ଗୋଟାଏ ଆଶଙ୍କା ହୋଇଗଲା । ବନ୍ଧୁବାନ୍ଧବ ସାହୀ ପଡ଼ିଶା ଶେଷ ଦେଖା କରିବାକୁ ଆସିଲେ । ଜନନୀ ଦେବୀଙ୍କର ଲୋତକ ଶୁଖିଲା ନାହିଁ, ମୁଁ ସୁଦ୍ଧା ମୋର ଅବସ୍ଥା ଦେଖି ନିରାଶ ହୋଇ ଉଠିଲି-। ଉପେନ୍ଦ୍ର ତେତେବେଳେ ଖୁବ୍‌ ପିଲା, ମୋ ଅଭାବରେ ତାହାର ଅବସ୍ଥା କଅଣ ହେବ ଭାବି ମୁଁ କାନ୍ଦି ପକାଏଁ । ବିଶେଷତଃ ବୃଦ୍ଧମାତାଙ୍କ ଅବସ୍ଥା ଭାବି ଆକୁଳ ହୋଇ ଉଠେଁ । ସେ ଅଧୀର ପ୍ରାଣରେ ଦେବଦେବୀଙ୍କୁ ମୁଣ୍ଡ ମାରିବାରେ ଲାଗିଥାଆନ୍ତି । ମୋର କାନ୍ଦିବା କେହି ଜାଣିବା ପୂର୍ବରୁ ମୁଁ ଆତ୍ମସମ୍ବରଣ କରିନିଏଁ । ଉପରେ ପ୍ରବୋଧ ଦେଉଥାଏଁ । ସକାଳୁ ଉଠି ଗାଁ ଗଣ୍ଡାର ଲୋକେ ମୋ କଥା ପଚରା ପଚରି ହୁଅନ୍ତି–ସ୍ଥୂଳରେ ଆଶଙ୍କା ଯେତେଦୂର ବଢ଼ିପାରେ ବଢ଼ିଥିଲା, ମାତ୍ର ଲୀଳାମୟଙ୍କର ଲୀଳା ବିଚିତ୍ର । ତାଙ୍କ ରାଜ୍ୟରେ ମାଣକ ନ ପୂରିବା ଯାଏଁ କେହି ନେଇ ପାରେ ନାହିଁ । କ୍ଷେତ୍ରମୋହନ ବାବୁଙ୍କ ଅଦମ୍ୟ ଚେଷ୍ଟାରେ ଜ୍ୱର, ରକ୍ତଝାଡ଼ାବାନ୍ତି କ୍ରମେ ହଟି ଆସିଲା । ସମ୍ପୂର୍ଣ୍ଣ ଆରୋଗ୍ୟ ହେବାକୁ ପ୍ରାୟ ଦୁଇମାସ ଲାଗିଲା କିନ୍ତୁ ଆଉ ଗୋଟାଏ ଉପସର୍ଗ ଆସି ଆକ୍ରମଣ କଲା । ଗୋଡ଼ର ସେହି ମୂଷା କାମୁଡ଼ା ଘାଟା ଅକସ୍ମାତ ବଢ଼ି ଉଠିଲା । ଦେଖୁଁ ଦେଖୁଁ ତଳିପାର ଅଧେ ଘୋଟିଗଲା । ଚଳତ୍‌ଶକ୍ତି ଏକାବେଳକେ ବନ୍ଦ ହୋଇଗଲା । ଆଶା ତ ଛଳନାମୟୀ, ଟିକିଏ ଆଲୁଅ ଦେଖାଇ ଦେଇ ପୁଣି ଅନ୍ଧାର କରି ଆଣିଲା । କ୍ଷେତ୍ରମୋହନ ବାବୁ ତାଙ୍କ ବନ୍ଧୁ ଡାକ୍ତର କବିରାଜମାନଙ୍କୁ ଆଣି ମୋତେ ଦେଖାଇଲେ । ସମସ୍ତଙ୍କ ପରାମର୍ଶରେ ଔଷଧ ସ୍ଥିର ହେଲା । କ୍ଷେତ୍ରମୋହନ ବାବୁ ଖାଇବା ସକାଶ ‘‘ସାରିବାଦି ଆସବ’’ ଏବଂ ଘା ପାଇଁ ମଲମ ତିଆରି କରିଦେଲେ । ତାହା ବ୍ୟବହାର କରିବା ଦ୍ୱାରା ଦୁର୍ବଳ ଶରୀରରେ କ୍ରମେ ବଳ ସଞ୍ଚାର ହେଲା । ଘା ମଧ୍ୟ ଶୁଖି ଆସିଲା । ମାସକ ପରେ ସମ୍ପୂର୍ଣ୍ଣ ଶୁଖିଗଲା । ବିଦ୍ୟାରତ୍ନେ ଆରୋଗ୍ୟ ସମ୍ବାଦ ପାଇ ପତ୍ର ଲେଖିଲେ–‘‘ବର୍ତ୍ତମାନ ବାୟୁ ପରିବର୍ତ୍ତନ ଦରକାର । ସିମିଳା ବା ଦାର୍ଜିଲିଂର ସ୍ୱପ୍ନ ସୁଖ ତ ଆମ୍ଭମାନଙ୍କ ଭାଗ୍ୟର ପ୍ରତିକୂଳ, ତଥାପି ଘର ପାଖରେ ଚିଲିକା, ମହେନ୍ଦ୍ର ପର୍ବତ ଅଛି–ସେହି ଆମ ଦେଶର ସ୍ୱାସ୍ଥ୍ୟନିବାସ । ଚିଲିକାରେ ବୁଲିଲେ ତୁମ୍ଭର ବିଶେଷ ଉପକାର ହେବ । ଯେବେ ଇଚ୍ଛା ଥାଏ, ତେବେ ସୁବିଧା କରାଇଦେବା ପାଇଁ ଖଲ୍ଲିକୋଟ ରାଜାଙ୍କୁ ପତ୍ର ଲେଖି ଅନୁରୋଧ କର । ରୋଗ ପରେ ସ୍ୱଭାବତଃ ଗୋଟାଏ ଖିଟିମିଟିଆ ଭାବ ମନରେ ଜାତ ହୁଏ । ତହିଁ ଉପରେ ଘରପାଖରେ ନିଷ୍କର୍ମା ହୋଇ ବସି ରହିବାରୁ ସେହି ଭାବ ବେଳେ ବେଳେ ବିସର୍ପିତ ହୋଇ ଉଠୁଥାଏ । ବିଦ୍ୟାରତ୍ନଙ୍କ ପତ୍ର ପାଇ ଖଲ୍ଲିକୋଟ ରାଜାଙ୍କୁ ପତ୍ର ଲେଖିଲି । ରାଜା ଉତ୍ତରରେ ଲେଖିଲେ–ଆପଣ ରମ୍ଭାରେ ରହି ଯେତେ ଦିନ ଇଚ୍ଛା ଚିଲିକାରେ ବୁଲି ପାରିବେ । ସମସ୍ତ ସୁବିଧା କରିଦେବା ପାଇଁ ରମ୍ଭା ବଙ୍ଗଳା କର୍ମଚାରୀ ଜୟକୃଷ୍ଣ ଚ୍ୟାଉ ପଟ୍ଟନାୟକଙ୍କୁ ଆଦେଶ ଦିଆଗଲା ।’’ ରାଜାଙ୍କ ପତ୍ର ପାଇ ରମ୍ଭା ଯିବାକୁ ପ୍ରସ୍ତୁତ ହେଲି । ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବ ଜଣେ ଦେବ ଚରିତ୍ର ହୃଦୟୀ ରାଜପୁରୁଷ ଥିଲେ । ନ୍ୟାଯ୍ୟ ଅନୁରୋଧ ତାଙ୍କ ପାଖରେ ବିଫଳ ହେଉ ନ ଥିଲା । ମୋ ପ୍ରତି ସେ ବିଶେଷ ଅନୁକୂଳ ଥିଲେ । ତାଙ୍କର ସହାନୁଭୂତି ଯଥା ସ୍ଥାନରେ ଲିଖିତ ହେବ ।

 

କ୍ଷେତ୍ରମୋହନ ବାବୁ ମୋତେ ମୃତ୍ୟୁ ମୁଖରୁ ଉଦ୍ଧାର କରି ଆଣିଲେ । ଏକା ଏହି ଥରକ ନୁହେଁ–ବାରମ୍ବାର ସେ ମୋତେ ସଂକଟ ପୀଡ଼ା କବଳରୁ ଛଡ଼ାଇ ଆଣିଅଛନ୍ତି । ତାଙ୍କ ଘର ଦୂରତା ଆମ ଘରଠାରୁ ଦୁଇମାଇଲ । ମୁଁ ପୀଡ଼ିତ ଥିବାବେଳେ ସେ ପ୍ରତ୍ୟହ ଦୁଇଓଳି ଆସି ମୋର ଅବସ୍ଥା ଦେଖି ଯାଆନ୍ତି । ତାଙ୍କୁ ଦେଖିଲେ ମୁଁ ଶୂନ୍ୟରୁ ବଳ ପାଏଁ ଏବଂ ତାଙ୍କ ସରଳ ମଧୁର ଧର୍ମଭାବ ବ୍ୟଞ୍ଜକ କଥା ଶୁଣି ମୋର ରୋଗ କୁଆଡ଼େ ଉଭେଇ ଯାଏ–ମୁଁ ରୋଗ ଯନ୍ତ୍ରଣା ପାଶୋରି ଯାଏଁ । ତାଙ୍କପରି ଋଷିବନ୍ଧୁ ମୁଁ ଜନ୍ମାନ୍ତରରେ ପାଇବି କି ନା ସନ୍ଦେହ । ତାଙ୍କ ସ୍ନେହ ସହାନୁଭୂତି ମନରେ କଲେ ହୃଦୟରୁ ଗୋଟାଏ ମୂର୍ତ୍ତି ହାହାକାର ଉଠିଆସେ । ପୁଣି ସେ କାଳର କଥା ଭାବିଲେ ମଧ୍ୟ ଦୀର୍ଘ ନିଃଶ୍ୱାସ ରୁଦ୍ଧ ହୁଏ ନାହିଁ । କାଳସ୍ରୋତ ସତତ ଅଧୀର, ସେଥିରେ ସବୁ କୁଆଡ଼େ ଭାସି ଚାଲିଯାଉଅଛି–ରହୁଛି କେବଳ ସ୍ମୃତି । ତାହା ବି ଅମର ନୁହେଁ ।

 

ଯିବା ଦିନ ସ୍ଥିର କରି ପୂର୍ବରୁ ଜୟକୃଷ୍ଣ ବାବୁଙ୍କୁ ପତ୍ର ଲେଖିଥିଲି । ତଦନୁସାରେ ସେ ରମ୍ଭାଷ୍ଟେସନକୁ ଗାଡ଼ି ପଠାଇଥିଲେ, ନିଜେ ମଧ୍ୟ ଆସିଥିଲେ । ମୁଁ ଯାଇ ବିଦ୍ୟାରତ୍ନଙ୍କ ବସାରେ ରହିଲି । ମୋ ପାଇଁ ରଜାଘର ସଞ୍ଚା ଆସିଲା । ମୁଁ ଜଣେ ମାତ୍ର ଅତିଥି, ମୋ ପାଇଁ ଯେଉଁ ଆୟୋଜନ ହୋଇଥିଲା, ତାହା ୪୮ଟା ହାଣ୍ଡିରେ ଆସିଥିଲା । ତାକୁ ଜଣେ ବସି ଖାଇଲେ ମାସେ ଖାଇବ । ଗଞ୍ଜାମରେ ରାଜବିଧି ଅଛି, ପ୍ରଥମଦିନ ସଞ୍ଚା ଦିଆଯାଏ, ତେଣିକି ପ୍ରତିଦିନ ଖର୍ଚ୍ଚ ଦିଆଯାଏ । ରାଜସତ୍କାର ପାଇ ରମ୍ଭାରେ ରହିଲି । ପ୍ରତିଦିନ ସକାଳୁ ଜଲି ବୋଟରେ ଚିଲିକା ଭିତରକୁ ବୁଲିବାକୁ ଯାଏଁ । କେବେ ଉପରଓଳି ଯାଏଁ । ଛଜଣ ମାଝି ନିଯୁକ୍ତି ଥାଆନ୍ତି । ଚିଲିକାର ଅମୃତ ବାୟୁ ଗୁଣରେ ଶରୀରରେ ନବରକ୍ତ କଣିକା ସଞ୍ଚାର ହେବାପରି ଲାଗିଲା । ଦେହ ଏବଂ ମନରେ ସ୍ଫୂର୍ତ୍ତି ଆସିଲା । ବିଦ୍ୟାରତ୍ନଙ୍କ ବସାରେ ଘରଠାରୁ ଅଧିକ ସୁଖରେ ରହିଲି । ସେ ପ୍ରଜାବନ୍ଧୁର ଭାର ଅନେକାଂଶରେ ମୋତେ ଦେଲେ । ପୁଣି ଗ୍ରାମ୍ୟ ସମିତି ନାମରେ ଖଣ୍ଡିଏ ପୁସ୍ତକ ଲେଖିବାକୁ କହିଲେ । ଦୁହିଙ୍କର ପରାମର୍ଶରେ ପୁସ୍ତକର ବିଷୟ ନିର୍ବାଚନ ହେଲା । ମୁଁ ସେହି କାର୍ଯ୍ୟରେ ଲାଗିଲି । କାର୍ଯ୍ୟବଶତଃ ନୀଳମଣି ବାବୁ ସ୍ଥାନାନ୍ତର ଗଲେ ପ୍ରଜାବନ୍ଧୁର ସମ୍ପାଦକୀୟ ସ୍ତମ୍ଭ ମୋତେ ଅଧିକାଂଶ ପୂର୍ଣ୍ଣ କରିବାକୁ ହୁଏ । ସେ ଯେଉଁଠି ଥାଆନ୍ତି, ସେଠାରୁ ଲେଖି ପଠାନ୍ତି । ରାଜା ସମୟ ସମୟରେ ଆସି ରମ୍ଭା ପ୍ରାସାଦରେ ବିଜେ ହୁଅନ୍ତି । ମୁଁ ଯାଇ ସାକ୍ଷାତ୍‌ କରେଁ । ଦିନେ କଥା ପ୍ରସଙ୍ଗରେ ଅତିରିକ୍ତ ରାଜ ସତ୍କାରର କଥା ପଡ଼ିଲା । ରାଜା କହିଲେ–‘‘ସେ ଦିନର ସଞ୍ଚାରୁ ଆପଣ ଏହା କହୁଛନ୍ତି ପରା । ତାହା ଅତିରିକ୍ତ ହୋଇପାରେ, ମାତ୍ର ଅପବ୍ୟୟ ନୁହେଁ । ସଞ୍ଚାରୁ ଯାହାସବୁ ବଳେ, ତାହା ପାଚକ, ଭୃତ୍ୟ, ପାଣିଦେବା ଲୋକ ନିଅନ୍ତି । ସେମାନେ ରାଜସରକାରରୁ ବର୍ତ୍ତନ ବା ବୃତ୍ତି ପାଆନ୍ତି ନାହିଁ । ଅତିଥିକୁ ସତ୍କାର କରନ୍ତି, ଆଗନ୍ତୁକ ବିଦାୟ ହୋଇଗଲା ପରେ ଯାହା ସାମଗ୍ରୀ ବଳିଥାଏ ତାହା ସେମାନେ ଭାଗ କରି ନିଅନ୍ତି । ତାହା ସେମାନଙ୍କର ଦରମା ।’’ ବାସ୍ତବରେ ଏହା ସତ୍ୟକଥା । ବାହାରକୁ ଅନେକ କାର୍ଯ୍ୟ ଅପବ୍ୟୟ ପରି ଜଣାଯାଏ, ମାତ୍ର ତାହାର ଭିତର ମର୍ମ ବୁଝିଲେ ଆଉ ତାକୁ ଅପବ୍ୟୟ କହିବାକୁ ଇଚ୍ଛା ହୁଏ ନାହିଁ । ନିଜର ଅଜ୍ଞତା ନିଜକୁ ଶିକ୍ଷା ଦିଏ ।

 

ସେହି ସମୟରେ ଖଲ୍ଲିକୋଟରେ ଗୋଟାଏ ନୂଆ ହାଟ ବସିଲା । ସ୍ଥାନର ନାମ ଠିକ୍‌ ସ୍ମରଣ ହେଉ ନାହିଁ–ଶୁକ୍ଳେଶ୍ୱର କି ଯୁଗଳେଶ୍ୱର ଏହିପରି କିଛି ହେବ । ସେଠାରେ ସେହି ନାମରେ ମହାଦେବ ଅଛନ୍ତି । ଚାରିପାଖରେ କ୍ଷୁଦ୍ର କ୍ଷୁଦ୍ର ବନ, ସ୍ଥାନଟି ବଡ଼ ରମଣୀୟ । ହାଟର ଉପକାରିତା ସମ୍ବନ୍ଧରେ ଗୋଟାଏ ପ୍ରବନ୍ଧ ଲେଖି ଛପାଇ ହାଟରେ ବାଣ୍ଟିବା ସକାଶ ରାଜାଙ୍କର ଆଦେଶ ହେଲା । ବିଦ୍ୟାରତ୍ନ ଲେଖାର ଭାର ମୋ ଉପରେ ଦେଲେ । ମୁଁ ପ୍ରବନ୍ଧ ଲେଖିଲି, ତାହା ଛାପା ହେଲା । ଅନେକ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହୋଇଥିଲେ । ସେମାନଙ୍କ ପାଇଁ ତମ୍ବୁ ପଡ଼ିଥିଲା । ଅନେକ ଝାଟିଘର, ତାଟିଘର ମଧ୍ୟ ତୟାର ହୋଇଥିଲା । ଖାଦ୍ୟପାନର ବିପୁଳ ବ୍ୟବସ୍ଥା ସମ୍ବନ୍ଧରେ ଅଧିକା ଲେଖିବା ନିଷ୍ପ୍ରୟୋଜନ । ରଜାଘର ଅତିଥି ଯେ ହୋଇଥିବ, ସେ ବୁଝିଥିବ । ବିଦ୍ୟାରତ୍ନ ଦଳବଳ ଘେନି ବାହାରିଲେ । ମୁଁ ନିମନ୍ତ୍ରଣପତ୍ର ପାଇଥିଲି । ସେମାନଙ୍କ ସଙ୍ଗରେ ଗଲି । ଦୁଇଟା ସମୟରେ ଯାଇ ହାଟରେ ପହଞ୍ଚିଲୁଁ । ହାଟ ଲାଗିଲା, ଛାପା କାଗଜ ବଣ୍ଟାଗଲା । ରାଜା ବିଜେ ହେଲେ । ସଭା ହେଲା, ବକ୍ତୃତା ହେଲା, ହାଟର ଆବଶ୍ୟକତା ସମ୍ବନ୍ଧରେ ବକ୍ତାମାନେ ଅନେକ କଥା କହିଲେ । ପ୍ରଥମ ପାଳିଦିନ ବିକାଳି, କିଣାଳି, ଦେଖଣାହାରୀ ପ୍ରାୟ ପଚାଶ ହଜାର ଲୋକ ଜମିଥିଲେ । କଂସାପିତ୍ତଳର ଶିଳ୍ପ ଅଧିକ ଆସିଥିଲା । ସେଦିନ ହାଟ ଶେଷରେ ଯାହା ବିକ୍ରି ହୋଇ ନଥିଲା ତାହା ରଜାଘର କିଣିନେଲେ । ହାଟ ଭାଙ୍ଗିଲା, ରାତିରେ ଆମ୍ଭେମାନେ ରମ୍ଭା ଫେରି ଆସିଲୁଁ । ବାଟରେ କିଏ ଗୋଟାଏ ଅଜଗର ସାପ ମାରି ଶୋଇଦେଇଥିଲା, କେତେ ଜଣ ତାକୁ ହାବୁଡ଼ି ଚିଙ୍ଗିଡ଼ନଚା ଦେଲେ । ସାପଟାର ଲମ୍ବ ପ୍ରାୟ ବାରହାତ ହେବ । ବିଦ୍ୟାରତ୍ନଙ୍କ ଆଦେଶରେ ମଲା ସାପଟା ଶଗଡ଼ ଅଖରେ ବନ୍ଧାଯାଇ ରମ୍ଭାକୁ ଅଣାହେଲା । ବସାରେ ପହୁଞ୍ଚିବା ବେଳକୁ ରାତି ପ୍ରାୟ ବାରଟା-। ପ୍ରେସ୍‌ରେ ଜଣେ ଖୋର୍ଦ୍ଧାବାସୀ ବ୍ରାହ୍ମଣ କାର୍ଯ୍ୟ କରୁଥିଲେ । ତାଙ୍କର ନାମ କଅଣ କେଜାଣି, ସମସ୍ତେ ତାଙ୍କୁ ବାୟାରାଜଗୁରୁ ବୋଲି କହନ୍ତି । ଲୋକଟି ଅତି ସରଳ । ରାତିରେ ସେ ବସାରେ ଶୋଇଥିବା ବେଳେ ଝରକା ବାଟେ ଉକ୍ତ ମଲା ସାପକୁ ଘରଭିତରକୁ ଗଳାଇ ଦିଆଗଲା । ଏଣେ ବାହାରେ ଲୋକେ ‘‘ରାଜଗୁରୁ ସାପଗଲା–ସାପଗଲା, ଉଠ ଉଠ’’ କହି ଡାକ ପକାଇଲେ । ବାୟାରାଜଗୁରୁ ବାୟାପରି ହୋଇ ଉଠି ଲଣ୍ଠନ ଆଲୁଅରେ ସାପକୁ ଦେଖି ହାଉଳି ଖାଇଯାଇ ମୂର୍ଚ୍ଛିତ ହୋଇ ପଡ଼ିଲେ । ମୁହଁରେ ପାଣି ଛିଞ୍ଚି ତାଙ୍କୁ ସଚେତ କରାଇବାକୁ ହେଲା । ବିଦ୍ୟାରତ୍ନ ତାଙ୍କ ସଙ୍ଗରେ ଏହିପରି କୌତୁକ କରନ୍ତି । ପ୍ରେସ୍‌ ଅଫିସ୍‌ରେ ସେ ଇଂରାଜୀ ଚିଠିପତ୍ର ଲେଖା ଏବଂ ଟାଇପ୍‌ କରନ୍ତି-। ଅନେକ ଦିନ ଯାଏଁ ହାଟଟି ଭଲ ଅବସ୍ଥାରେ ଚଳୁଥିଲା, କାହିଁକି କେଜାଣି ଭାଙ୍ଗିଗଲା । ତାହାଦ୍ୱାରା ଖଲ୍ଲି କୋଟ ଏବଂ ନିକଟବର୍ତ୍ତୀ ସ୍ଥାନ ମାନଙ୍କର ଅନ୍ତର୍ବାଣିଜ୍ୟର ଗୋଟାଏ ସୁବିଧା ହେଉଥିଲା ।

 

ବିଦ୍ୟାରତ୍ନଙ୍କ ବସାକୁ ଲାଗି ଏକପାଖରେ ଗଦାଧର ବିଦ୍ୟାଭୂଷଣଙ୍କ ବସା ଏବଂ ଅନ୍ୟ ପାଖରେ ମହାଦେବ ରାଜଗୁରୁଙ୍କର ବସା । ରାଜଗୁରୁ ପ୍ରଜାବନ୍ଧୁର କାର୍ଯ୍ୟାଧ୍ୟକ୍ଷ ଥିଲେ । ବାସ୍ତବରେ ସେ ଜଣେ ପଣ୍ଡିତ ଏବଂ ପ୍ରକୃତ ବ୍ରାହ୍ମଣୋଚିତ ଶାନ୍ତ ପ୍ରକୃତିକ । ସିଦ୍ଧାନ୍ତଦର୍ପଣର ଟୀକା କରିବା ସକାଶ ଗଦାଧର ବିଦ୍ୟାଭୂଷଣଙ୍କୁ ନେଇ ରାଜା ରମ୍ଭାରେ ରଖାଇଥିଲେ । ଉପଯୁକ୍ତ ବୃତ୍ତି ମଧ୍ୟ ଖଞ୍ଜି ଦେଇଥିଲେ । ମାତ୍ର କାହିଁକି କେଜାଣି ଛମାସ ପରେ ବିଦ୍ୟାଭୂଷଣ ରମ୍ଭାରୁ ଚାଲିଆସିଲେ, ସିଦ୍ଧାନ୍ତ ଦର୍ପଣର ଟୀକା ଆଉ ଲେଖା ହେଲା ନାହିଁ । ବିଦ୍ୟାଭୂଷଣେ ସ୍ୱର୍ଗୀୟ ପଠାଣିସାମନ୍ତଙ୍କ ପଟ୍ଟଶିଷ୍ୟ, ତାଙ୍କଦ୍ୱାରା ଟୀକା ହେବାର ଆଶା ଥିଲା । ତେତିକି କରିଥିଲେ ସେ ଗୁରୁଙ୍କ ପରି ଚିରସ୍ମରଣୀୟ ହୋଇଥାଆନ୍ତେ । ସେ ଜଣେ ଅସାଧାରଣ ପ୍ରତିଭାଶାଳୀ ପଣ୍ଡିତ, ମାତ୍ର ତାଙ୍କ ଯୋଗ୍ୟତାର ଅନୁରୂପ ଉପଯୁକ୍ତ କ୍ଷେତ୍ର ସେ ପାଇନାହାନ୍ତି । ଜ୍ୟୋତିଷ ଶାସ୍ତ୍ରରେ, ସାହିତ୍ୟରେ ଏବଂ ଆୟୁର୍ବେଦରେ ତାଙ୍କର ଅଗାଧ ଜ୍ଞାନର ପ୍ରମାଣ ଉପଲବ୍‌ଧି କରି ମୁଁ ଅନେକ ଥର ସ୍ତବ୍‌ଧ ମୁଗ୍‌ଧ ହୋଇଅଛି । ବିଦ୍ୟାରତ୍ନେ ବଡ଼ କାଞ୍ଜିପ୍ରିୟ, ଖାଇବା ବେଳେ ପ୍ରତ୍ୟହ ରାଜଗୁରୁଙ୍କ ଘରୁ ଏବଂ ବିଦ୍ୟାଭୂଷଣଙ୍କ ଘରୁ କାଞ୍ଜି ଆସେ । ତିନୋଟି ପଣ୍ଡିତ ଏକ ପରିବାର ପରି ଚଳୁଥିଲେ । ଶିକ୍ଷିତ ସହବାସ କି ଆନନ୍ଦପ୍ରଦ, ତାହା ଯେ କରିଅଛି, ସେହି ସେ ଆନନ୍ଦର ଆସ୍ୱାଦ ପାଇଅଛି । ଅନ୍ୟ ଲୋକ ସେ ମଧୁର ସୁଖରୁ ବଞ୍ଚିତ । ଶିକ୍ଷିତ ଶତ୍ରୁ ଭଲ, ମାତ୍ର ମୂର୍ଖ ମିତ୍ର ଭଲ ନୁହେଁ । ରାତିରେ ବିଦ୍ୟାରତ୍ନଙ୍କ ବସାରେ ଅନେକ ବିଷୟର ଆଲୋଚନା ହୁଏ, ବିଦ୍ୟାଭୂଷଣେ ଅନେକ ସୁନ୍ଦର ଗଳ୍ପ କହନ୍ତି । ଶିଷ୍ଟ ସଂସର୍ଗରେ ସୁଖରେ ଆନନ୍ଦରେ ଦିନ କଟିଯାଏ ।

 

Unknown

ଚିଲିକାରେ ଖୁବ୍‌ ବଡ଼ ବଡ଼ କଙ୍କଡ଼ା ଅଛନ୍ତି । ଅଶିଣ–କାର୍ତ୍ତିକରେ ତାଙ୍କ ଦେହର ମାଂସ ସବୁ ବସ ହୋଇଯାଏ–ତାହା ଦେଖିବାକୁ ଠିକ୍‌ ଚିଙ୍ଗୁଡ଼ୀମାଛର ବିହନ ପରି । ଦିନେ ବିଦ୍ୟାରତ୍ନଙ୍କ ବସାରେ ସେହି କଙ୍କଡ଼ା ଭଜା ହୋଇଥିଲା । ମସଲାର ପୁଟରେ ମୂଳପଦାର୍ଥର ଗନ୍ଧ ବାସ କିଛି ବାରି ହେଉ ନ ଥିଲା । ସ୍ୱାଦୁର କଥା ଆଉ କହିବାର ନୁହେଁ, ଲେଖୁଁ ଲେଖୁଁ ମନ ଚିଲିକା କୂଳକୁ ଛୁଟି ଯାଉଛି–ଏତିକିରୁ ଅନୁମେୟ । ବିସ୍ତର ଟୀକା ଟିପ୍‌ପଣୀର ଆବଶ୍ୟକତା ନାହିଁ । ଖାଉଁ ଖାଉଁ ବିଦ୍ୟାରତ୍ନେ ମୋତେ ପଚାରିଲେ–‘‘ସେ କଅଣ ଖାଉଛ ଜାଣନା ?’’ ମୁଁ କହିଲି–ମୋ ଘର ବଣ ମୁଲକରେ ନୁହେଁ ଯେ, ମୁଁ ଚିଙ୍ଗୁଡ଼ୀ ବିହନକୁ ଚିହ୍ନି ପାରିବି ନାହିଁ ।’’ ମୋ କଥା ଶୁଣି ସମସ୍ତେ ହସି ଉଠିଲେ । ବିଦ୍ୟାରତ୍ନେ କହିଲେ–‘‘ସେ କଙ୍କଡ଼ା ଭଜା, ତୁମର ଧର୍ମ ଗଲା ।’’ ମୁଁ କହିଲି–ଧର୍ମ ଯାଉ ପଛେ, ଆଉ ଯଦି ଥାଏ ଆଣିଦିଅ । ଏ ଭଜାଠାରୁ ଧର୍ମର ମଜା ଅଧିକ ନୁହେଁ । ଭଜା ଟିକିଏ ଖାଇଲେ ଯେବେ ଧର୍ମ ପଳାଇଯିବ, ତେବେ ଯାଉ ପଛେ ମୁଁ ତାକୁ ଡାକିବି ନାହିଁ ।’’ ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ । ଚିଲିକା–କଙ୍କଡ଼ା ବାସ୍ତବରେ ଗୋଟାଏ ଉପାଦେୟ ଖାଦ୍ୟ । ତାକୁ ଇତର ଭଦ୍ର ସବୁ ଜାତି ଖାଆନ୍ତି । ସମୁଦ୍ରରୁ ତ ଅମୃତ ବାହାରିଥିଲା, ସେଥିପାଇଁ ସମୁଦ୍ର ଜଳ ପବିତ୍ର-। ସେହି ପବିତ୍ର ଜଳରେ ଥାଇ କଙ୍କଡ଼ା ପବିତ୍ର ହୋଇ ଯାଇଅଛି । ଶ୍ୱାସ, କାସ, ଏପରିକି ଯକ୍ଷ୍ମା ରୋଗରେ ଏହି ଜାତୀୟ କଙ୍କଡ଼ା ଉପକାରୀ ବୋଲି ଅନେକ କହନ୍ତି । ବଙ୍ଗଦେଶରେ କଚିମ ଖାଆନ୍ତି । କଚିମ କଙ୍କଡ଼ାର ସଂସ୍କରଣ, କି କଙ୍କଡ଼ା କଚିମର ସଂସ୍କରଣ, ତାହା ଯେ ସୃଷ୍ଟି କରିଛନ୍ତି ସେହି ଜାଣନ୍ତି, ମାତ୍ର ଉଭୟ କକାରାଦ୍ୟ ଶବ୍ଦ । ଶରତ୍‌ କାଳରେ ଚିଲିକାର ବକ୍ଷ ଅସଂଖ୍ୟ ରାଜହଂସ ଦ୍ୱାରା ଆଚ୍ଛନ୍ନ ହୋଇ କୁମୁଦ ସମୁଦ୍ର ପ୍ରାୟ ଦେଖାଯାଏ, ଅଥବା କ୍ଷୀର ସାଗରର ଶୋଭା ଅନୁକରଣ କରେ । ଆକାଶର ଧର୍ମ କଅଣ ବୁଝିବା କଷ୍ଟ, ସେ କେତେବେଳେ ଶ୍ୱେତ ଚନ୍ଦନରେ ଚିତା କାଟେ, କେବେ ରକ୍ତ, ପୀତ, କୃଷ୍ଣ ଚନ୍ଦନରେ ବି ଚିତା କାଟେ । ସେହିପରି ଚିଲିକାର ଜାତି କଅଣ ନିର୍ଣ୍ଣୟ କରି ହୁଏ ନାହିଁ । ସେ ବ୍ରାହ୍ମଣ ପରି ତପସ୍ୟା କରେ, ଦେହରେ କ୍ଷତ୍ରିୟର ଶକ୍ତି ଧରେ-। ପୁଣି ସେ ରତ୍ନାକର ହେବାରୁ ଧନପତି ବୈଶ୍ୟ ଏବଂ ଜନସେବା କରିବାରୁ ଶୂଦ୍ର । ଚିଲିକାରେ ମୁଁ ଅନେକ ଥର ବୁଲିଅଛି । ମୋର ଚିଲିକା ଭ୍ରମଣ ବୃତ୍ତାନ୍ତ ସ୍ୱତନ୍ତ୍ର ପୁସ୍ତକରେ ପ୍ରକାଶିତ ହୋଇଥିବାରୁ ସେହି ସବୁ କଥାର ପୁନରାବୃତ୍ତିରୁ ବିରତ ହେଲି ।

 

ରମ୍ଭାରେ ଦୁଧ, ଦହି ଯଥେଷ୍ଟ ମିଳେ । ତେତେବେଳେ ଦାମ୍‌ ଖୁବ୍‌ ଶସ୍ତା ଥିଲା । ରମ୍ଭାର ଗୁଆ ବସାଦହି ଉତ୍କୃଷ୍ଟ । ମାଛ ସୁଲଭ ଥିଲା, ବିଦେଶୀ ବେପାରିମାନେ ଆସି ନେଇ ଯିବାରୁ ଏଣିକି ମହରଗ ହୋଇ ଆସୁଅଛି । ତେତେବେଳେ ମାଛମଞ୍ଜିର ବିଶା ଆଠଅଣା ଥିଲା । ରମ୍ଭାଗାଁର ଗୋଟାଏ ପୋଖରୀ ଅଛି । ତାହାର ଠିକ୍‌ ମଝିରେ ଗୋଟିଏ କ୍ଷୁଦ୍ର ମନ୍ଦିର । ଦିନେ ସେହି ପୋଖରୀରେ ସନ୍ତରଣର ପ୍ରତିଯୋଗିତା ହେଲା । ବିଦ୍ୟାରତ୍ନ, ମୁଁ ଏବଂ ଆଉ କେତେ ଜଣ ବନ୍ଧୁ ପହଁରି କରି ମନ୍ଦିର ଛୁଇଁବାକୁ ବାହାରିଲୁଁ । ବିଦ୍ୟାରତ୍ନେ ପ୍ରଥମ ହେଲେ, ମୁଁ ଦ୍ୱିତୀୟ ହେଲି–ତେଣିକି ଆଉ ସମସ୍ତେ । ସନ୍ତରଣ ପଟୁ ବୋଲି ମୋର ଯେ ଗୋଟାଏ ଗର୍ବ ଥିଲା, ବିଦ୍ୟାରତ୍ନ ପ୍ରଥମ ହେବାରୁ ତାହା ଭାଙ୍ଗିଗଲା । ରମ୍ଭାରେ ମାସାଧିକ କାଳ କଟିଗଲା । ଦିନେ ଗୁନ୍ନେୟୀ ଶାସ୍ତ୍ରୀ ଆସି ପହୁଞ୍ଚିଲେ । ମୋତେ କହିଲେ–‘‘ପଣ୍ଡିତେ, ଆପଣଙ୍କୁ ଆଣିବାପାଇଁ ମୁଁ ଭଦ୍ରଖ ଯାଇଥାନ୍ତି, ମାତ୍ର ଆପଣ ରମ୍ଭାରେ ଅଛନ୍ତି ଶୁଣି ଏଠାକୁ ଆସିଲି । ଚାଲନ୍ତୁ, ସଙ୍ଗରେ ବ୍ରହ୍ମପୁର ଯିବା । ଆପଣଙ୍କ ସମ୍ପାଦକତ୍ୱରେ ଖଣ୍ଡେ ମାସିକ ସ୍ୱଦେଶୀ ପତ୍ରିକା ବାହାର କରିବା । କୃଷି, ଶିଳ୍ପ, ବାଣିଜ୍ୟ, ଶିକ୍ଷା ଏବଂ ସମାଜସଂସ୍କାର ପ୍ରଧାନ ଆଲୋଚ୍ୟ ବିଷୟ ହେବ । ସବୁ ରାଜାମାନଙ୍କ ନିକଟକୁ ପତ୍ରିକା ପଠାଇବା, ନହେଲେ ସେହି ପତ୍ରିକାରେ ଆଣ୍ଟକରି ମାଡ଼୍‍ଡ଼ ମାରିବାକୁ ହେବ । ମନେ ମନେ ଭାବିଲି–ପାତ୍ରଙ୍କୁ କ୍ଷମା ପ୍ରାର୍ଥନା କଥା ବୋଧହୁଏ ଏଥିମଧ୍ୟରେ କର୍ତ୍ତା ଭୁଲିଗଲେଣି । ମୁଁ କହିଲି, ବର୍ତ୍ତମାନ ସ୍ୱଦେଶୀ ଯୁଗ, ସ୍ୱଦେଶୀ ପତ୍ରିକା ବାହାର କରନ୍ତୁ, ମାତ୍ର ଆଣ୍ଟ କରି ମାଡ଼୍‍ଡ଼ମାରିବା ଛାଡ଼ନ୍ତୁ । ଶାସ୍ତ୍ରୀ ଶୁଣି ହସିଲେ । ସେ ସମୟରେ ସ୍ୱଦେଶୀ ଆନ୍ଦୋଳନ ତୀବ୍ର ଭାବରେ ଚାଲିଥାଏ । ବଡ଼ଲାଟ ଲର୍ଡ଼ କର୍ଜନ ବଙ୍ଗଦେଶକୁ ଦୁଇଭାଗ କରିଦେଲେ । ପୂର୍ବବଙ୍ଗ ପଶ୍ଚିମବଙ୍ଗ ଅଲଗା ହୋଇ ଦୁଇଜଣ ଗଭର୍ଣ୍ଣରଙ୍କ ଦ୍ୱାରା ଶାସିତ ହେଲା । ନୂତନ ପ୍ରଦେଶରେ ରାଜଧାନୀ ଢାକାରେ ସ୍ଥାପିତ ହେଲା ।

 

ଲର୍ଡ଼ ଫୁଲାର ସେହି ପ୍ରଦେଶର ଗଭର୍ଣ୍ଣର ହେଲେ । ସେ ଖୁବ୍‌ କଠୋର ହସ୍ତରେ ଶାସନ କଲେ । ବଙ୍ଗାଳିମାନେ ପ୍ରଥମେ ପ୍ରତିବାଦ କରିଥିଲେ, କିନ୍ତୁ ସେଥିରେ କିଛି ଫଳ ହେଲା ନାହିଁ । ତହୁଁ ବଙ୍ଗାଳିମାନେ ମାତି ଉଠି ବିଦେଶୀ ପଦାର୍ଥ ବୟକଟର ଆନ୍ଦୋଳନ ଲଗାଇଦେଲେ । ଆନ୍ଦୋଳନ କ୍ରମଶଃ ପ୍ରଖର ହୋଇ ଉଠିଲା । ସମସ୍ତେ ବିଲାତି ଛାଡ଼ି ଦେଶୀ ବ୍ୟବହାର କଲେ । ରାଜପକ୍ଷରୁ କଠୋର ଆଇନ ଜାରି ହେଲା । କେତେ ଫାସି ପାଇଲେ, କେତେ ଦ୍ୱୀପାନ୍ତର ଗଲେ, କେତେ ଜେଲ ଖଟିଲେ, ମାତ୍ର ଆନ୍ଦୋଳନ ଦବିଲା ନାହିଁ, ବରଂ ପ୍ରଚଣ୍ଡ ଭାବ ଧାରଣ କଲା । ସେହି ଆନ୍ଦୋଳନ କେବଳ ବଙ୍ଗ ଦେଶରେ ଆବଦ୍ଧ ନ ଥିଲା, ତାହାର ଢେଉ କ୍ରମେ ଭାରତବ୍ୟାପୀ ହେଲା-। ସେହିବର୍ଷ କର୍ଜନ ସାହେବଙ୍କ ଆନୁକୂଲ୍ୟରେ ଗଞ୍ଜାମ ଓଡ଼ିଶା ସଙ୍ଗେ ମିଶିଥାନ୍ତା । ଶୁଭକାର୍ଯ୍ୟ ସଫଳତାର ସମ୍ମୁଖବର୍ତ୍ତୀ ହୋଇଥିଲା, ମାତ୍ର ମାନ୍ଦ୍ରାଜର ତାତ୍କାଳିକ ଲାଟ ଲର୍ଡ଼ ପେଣ୍ଟଲାଣ୍ଡ ସେ ପ୍ରସ୍ତାବ ଭାଙ୍ଗି ଦେଲେ । ଲର୍ଡ଼ କର୍ଜନ ଛୁଟି ନେଇ ବିଲାତ ଯିବାରୁ ପେଣ୍ଟଲାଣ୍ଡ ସାହେବ ବଡ଼ଲାଟ ଗାଦିରେ ବସିଲେ, ସୁତରାଂ ପ୍ରସ୍ତାବ ଭାଙ୍ଗିଦେବା ତାଙ୍କ ପକ୍ଷରେ ସହଜ ହେଲା-। ସେଥିରେ ଓଡ଼ିଆ ଜାତି ହୃଦୟରେ ଘୋର ଆଘାତ ଲାଗିଲା । ଲର୍ଡ଼ କର୍ଜନ ଦେଉଳ ତୋଳି ନାମ ରଖିବାକୁ ଯାଉଥିଲେ, ମାତ୍ର ପେଣ୍ଟଲାଣ୍ଡ ଅନ୍ୟପ୍ରକାରରେ ନାମ ରଖିଗଲେ । ତାଙ୍କର ଏ କୀର୍ତ୍ତି ଓଡ଼ିଆ ଜାତି ପାସୋରିବ ନାହିଁ–ତାହା ପାସୋରିବାର କଥା ନୁହେଁ । ଓଡ଼ିଆ ଜାତିର ଆଶା ଆକାଙ୍‌କ୍ଷାର ପୂର୍ଣ୍ଣତାରେ ସହାୟତା କରିଥିଲେ ଲକ୍ଷ ଲକ୍ଷ ଓଡ଼ିଆ ମୁକ୍ତ ପ୍ରାଣରେ ଲର୍ଡ଼ ପେଣ୍ଟଲାଣ୍ଡଙ୍କୁ ଆଶୀର୍ବାଦ କରୁଥାନ୍ତେ ଏବଂ ବାହୁ ଉତ୍ତୋଳନ କରି ତାଙ୍କର ଜୟଜୟକାର ଘୋଷଣା କରୁଥାଆନ୍ତେ, ମାତ୍ର ସେ ଯଶ ତାଙ୍କ ଭାଗ୍ୟରେ ନାହିଁ ।

 

ବଙ୍ଗଭଙ୍ଗ ସମୟରୁ ସ୍ୱଦେଶୀ ଆନ୍ଦୋଳନର ସୂତ୍ରପାତ ହେଲା । ସିଗାରେଟ ପରିବର୍ତ୍ତେ ସମସ୍ତେ ବିଡ଼ି ବ୍ୟବହାର କଲେ । ତାହା ପୂର୍ବରୁ ବିଡ଼ିର ପ୍ରଚଳନ ଥିଲା ନାହିଁ । ଯେଉଁଦିନ ସ୍ୱଦେଶୀ ବ୍ୟବହାର ଚାଲିଲା, ସେହି ଦିନଟି ବିଡ଼ିର ଜନ୍ମଦିନ । ଏହାଦ୍ୱାରା ସ୍ୱଦେଶୀ ପଦାର୍ଥର ଆଦର ହେଲା ସତ୍ୟ, ମାତ୍ର ସର୍ପ ବିଷ ପରିବର୍ତ୍ତରେ ଶଙ୍ଖୁଆ ଧରିଲା ପରି ହେଲା । ଅନେକେ ଚା’ ଛାଡ଼ି ବେଲପତ୍ର, ତୁଳସୀ ପତ୍ର ଶିଝାଇ ପିଇଲେ–ଏହାହିଁ ପ୍ରକୃତ ସ୍ୱଦେଶୀ ଆଦର ।

 

ନୀଳମଣି ବାବୁ ଶାସ୍ତ୍ରୀଙ୍କ ମାସିକ ପତ୍ରିକାର କଳ୍ପନା ଶୁଣି ଖୁସି ହେଲେ । ଶାସ୍ତ୍ରୀଙ୍କୁ ସେ ସମ୍ୱନ୍ଧରେ ଅନେକ ଉତ୍ସାହ ଉପଦେଶ ଦେଲେ । ମୋତେ କହିଲେ–‘‘ଆମର କୃଷି ପତ୍ରିକା ନାହିଁ, ଖଣ୍ଡେ ବାହାର କରିବାକୁ ମୋର ଇଚ୍ଛା ଥିଲା, ମାତ୍ର ‘‘ମଧୁପ’’ର ଭାର ସମ୍ଭାଳି ଆଉ ଖଣ୍ଡକର ଭାର ବହିବା ସହଜ ନୁହେଁ–ସୁତରାଂ ସେ ଆଡ଼କୁ ମନ ଦେଇ ପାରିଲି ନାହିଁ । ଯଦି ଗୋଟାଏ ସୁଯୋଗ ମିଳିଛି, ତେବେ ଛାଡ଼ିବା ଉଚିତ ନୁହେଁ । ତୁମ୍ଭେ ଯାଇ ପତ୍ରିକା ବାହାର କର । ପତ୍ରିକାର ସ୍ଥାୟିତ୍ୱ ବିଷୟ ଆଗରୁ ଭାବିଲେ କିଛି ହୋଇ ପାରିବ ନାହିଁ । ଯେତେଦିନ ଚଳି ପାରିବ ଚଳୁ, ଗୋଟାଏ ବାଟ ଆଗେ ପଡ଼ୁ–କେହି ହେଲେ ସେ ବାଟରେ ଚାଲିବେ ।’’ ଶାସ୍ତ୍ରୀଙ୍କ ସଙ୍ଗରେ ମୁଁ ବ୍ରହ୍ମପୁର ଗଲି । ଭାବୀ ପତ୍ରିକାର ନାମ ‘‘ସ୍ୱଦେଶ ଲକ୍ଷ୍ମୀ’’ ଦେବାର ସ୍ଥିର ହେଲା । ହିନ୍ଦି, ବଙ୍ଗଳା, ତେଲଗୁ ଭାଷାର କେତେ କୃଷି, ଶିଳ୍ପାଦି ସମ୍ୱନ୍ଧୀୟ ପୁସ୍ତକ ଏବଂ ପତ୍ରିକା ଅଣା ହେଲା । ପ୍ରାଥମିକ ଅନୁଷ୍ଠାନ କରିଦେଇ ମୁଁ ଘରକୁ ଆସିଲି । କେତେ କାମର ବନ୍ଦୋବସ୍ତ କରିଦେଇ ସପ୍ତାହକ ପରେ ଫେରିଗଲି-। ଗୁଆମାଳ ନିବାସୀ ହରମୋହନ ମିଶ୍ର ନାମରେ ମୋର ଜଣେ ଛାତ୍ର ଚାକିରି ଆଶାରେ ମୋ ସଙ୍ଗରେ ଗଲା । ଭାପୁର ବଜାରରେ ଶାସ୍ତ୍ରୀ ଗୋଟିଏ ଭଲ ବସା ଭଡ଼ା ନେଇଥିଲେ-। ବସାଟି ଖୁବ୍‌ ପ୍ରଶସ୍ତ, ବଜାର ମଧ୍ୟରେ ହେଲେ ସୁଦ୍ଧା ଜନଗହଳର ଉପଦ୍ରବ ନାହିଁ । ତଳେ ଉପରେ ଯଥେଷ୍ଟ ସ୍ଥାନ । ଉପରେ ମୁଁ ଥାଏଁ, ତଳେ ରୋଷାଇ ହୁଏ । ହରମୋହନ କମ୍ପୋଜ ଶିଖି ସାତଟଙ୍କା ବେତନରେ ନିଯୁକ୍ତ ହେଲା । ବ୍ରହ୍ମପୁରର ପୁରୁଣା ବନ୍ଧୁମାନଙ୍କ ସଙ୍ଗରେ ସ୍ୱଦେଶ ଲକ୍ଷ୍ମୀ ସମ୍ୱନ୍ଧରେ ପରାମର୍ଶ ହେଲା, ସମସ୍ତେ ସହାନୁଭୂତି ପ୍ରକାଶ କଲେ । ପର୍ଶୁରାମ ବାବୁ ଶୁଣି ଖୁବ୍‌ ଖୁସି ହେଲେ । କହିଲେ, ‘‘ଆପଣ ମାସିକ ପତ୍ର ବାହାର କରନ୍ତୁ, ଆପଣଙ୍କ ଆୟ ବୃଦ୍ଧିରେ ମୁଁ ସାହାଯ୍ୟ କରିବି ।’’ କାର୍ଯ୍ୟରେ ମଧ୍ୟ ତାହାହିଁ ହୋଇଥିଲା । ଓଡ଼ିଶା ଗଡ଼ଜାତର ଠିକାଦାରମାନଙ୍କର ଅନେକ ମକଦ୍ଦମା ଗଞ୍ଜାମରେ ହୁଏ । ତାହାର ନଥିପତ୍ର ସବୁ କରଣୀ ଛଟା ଅକ୍ଷରରେ ଲେଖା ହୋଇଥାଏ । ତାହା କେହି ପଢ଼ି ପାରନ୍ତି ନାହିଁ । ପର୍ଶୁରାମ ବାବୁ ସେସବୁ କାଗଜପତ୍ର ମୋତେ ଦିଅନ୍ତି । ମୁଁ ଭଲ ଅକ୍ଷରରେ ଉତାରି ଦିଏଁ । ଗୋଟାଏ ମକଦ୍ଦମାର କାଗଜପତ୍ର ଉତାରି ଦେଲେ ମୁଁ ଚାରି ପାଞ୍ଚଟଙ୍କା ପାଏଁ । ପର୍ଶୁରାମ ବାବୁଙ୍କ କୋଠାକୁ ମୁଁ ପ୍ରତିଦିନ ଯାଏଁ । ସେ ମଧ୍ୟ ମୋ ବସାରେ ହୋଇ ବୁଲିବାକୁ ଯାଆନ୍ତି । ସୌହାର୍ଦ୍ଦ୍ୟ କ୍ରମେ ବଢ଼ି ଉଠିଲା । ସେ ବର୍ତ୍ତମାନ ପୃଥିବୀ ବିଖ୍ୟାତ ବ୍ୟକ୍ତି–ସାର୍‌ ପରଶୁରାମ ପାତ୍ର, ମୁଁ ଯାହାକୁ ତାହା । ତାଙ୍କୁ ବନ୍ଧୁ ବୋଲି କହିବାକୁ ଏବେ ସଂକୋଚ ବୋଧ କରୁଛି, ମାତ୍ର ଏହା ନିର୍ମଳ ସତ୍ୟ ଯେ–ତାଙ୍କପରି ପ୍ରକୃତ ସୁବନ୍ଧୁ ବାସ୍ତବରେ ଦୁର୍ଲଭ । ତାଙ୍କର ଅସାଧାରଣ ପ୍ରତିଭା ଦେଖି, ଭବିଷ୍ୟତରେ ସେ ଜଣେ ଉଜ୍ଜ୍ୱଳ ନକ୍ଷତ୍ର ହେବେ ବୋଲି ମୁଁ ଯେଉଁ ଧାରଣା କରିଥିଲି, ତାହା ସତ୍ୟ ହୋଇଅଛି ।

 

ଯଥା ସମୟରେ ‘‘ସ୍ୱଦେଶ ଲକ୍ଷ୍ମୀ’’ ପ୍ରକାଶିତ ହେଲା । ଗଞ୍ଜାମର ରାଜା, ଜମିଦାର ଏବଂ ସାଧାରଣ ବ୍ୟକ୍ତି ତାହାପ୍ରତି ଆନୁକୂଲ୍ୟ ପ୍ରଦର୍ଶନ କଲେ । ବୋର୍ଡ଼ଙ୍କ ଆଦେଶରେ ପ୍ରତ୍ୟେକ ପ୍ରାଇମେରୀ ସ୍କୁଲକୁ ପତ୍ରିକା ପ୍ରେରିତ ହେଲା । ସେଥିର ମୂଲ୍ୟ ଶାସ୍ତ୍ରୀ ବିଲ ପଠାଇ ବୋର୍ଡ଼ରୁ ଆଣିବାର ବ୍ୟବସ୍ଥା କଲେ । ତେଲୁଗୁ ଭାଷାରେ ବୈଷୟିକ ପତ୍ରିକା ଅନେକ ଅଛି । ତାହା ସବୁ ପଢ଼ି ଶାସ୍ତ୍ରୀ ବ୍ୟାସଦେବ ହୁଅନ୍ତି, ମୁଁ ଗଣେଶ ହୁଏ, କିନ୍ତୁ ଗଣେଶଙ୍କ ମୂଷା ହେବାର ସୌଭାଗ୍ୟ ନାହିଁ । ସ୍ୱଦେଶଲକ୍ଷ୍ମୀ ମାସକରେ ପୁସ୍ତକାକାରରେ ବାହାରେ, ମୋତେ ଯଥେଷ୍ଟ ଅବସର ମିଳିଲା । ସେହି ସମୟରେ ମୁଁ ସାତ ଆଠଖଣ୍ଡ କୃଷି ପୁସ୍ତକ ଲେଖିଲି । ଲେଖିସାରି ଖଣ୍ଡକରେ ଖଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ନାମରେ ଉତ୍ସର୍ଗ ଲେଖି ତାଙ୍କ ନିକଟକୁ ପଠାଇଦେଲି । ଗୁଣଗ୍ରାହୀ ରାଜା ମହୋଦୟ ଲେଖିଲେ–‘‘ଯେତେ କୃଷି ପୁସ୍ତକ ଲେଖା ହୋଇଅଛି, ସବୁ ପଠାଇ ଦେଲେ ପ୍ରଜାବନ୍ଧୁ ପ୍ରେସରେ ଛପାଇ ଦିଆଯିବ ।’’ ଆଜି ସେ କଥା ସ୍ମରଣ କରିବା ବେଳକୁ ଦେହ ଫୁଲି ଉଠୁଛି । ଏ କାଳରେ ସେ ଭଳି ଉଦାରତା, ବଦାନ୍ୟତା ଦେଖିବାକୁ ମିଳୁନାହିଁ । ଖଣ୍ଡିଏ ଉତ୍ସର୍ଗ କଲି, ସାତ ଆଠଖଣ୍ଡ ଛପାଇ ଦେବାର ଆଦେଶ ହେଲା–ଏହାଠାରୁ ଅଧିକ ଆଉ କଅଣ ହୋଇପାରେ ? ପ୍ରତ୍ୟେକ ପୁସ୍ତକରୁ ହଜାରେ ଲେଖାଏଁ ଛାପା ହେଲା । ପର୍ଶୁରାମ ବାବୁଙ୍କ ଚେଷ୍ଟାରେ ଗଞ୍ଜାମ ଏସୋସିଏସନ ପାଞ୍ଚଶ ପୁସ୍ତକ କିଣି ବିତରଣ କଲେ । ପୁସ୍ତକଗୁଡ଼ିକ ଖୁବ୍‌ ବିକ୍ରୟ ହେଲା । ଓଡ଼ିଶା ଗଡ଼ଜାତର ଅନେକ ରାଜା ଅଧିକ ସଂଖ୍ୟାରେ ପୁସ୍ତକ କିଣି ରାଜ୍ୟରେ ବାଣ୍ଟିଲେ । ପ୍ରଥମ ସଂସ୍କରଣ ଶେଷ ହୋଇଗଲା । କଟକ ଉତ୍କଳ ସଭାର ସଭାପତି ସ୍ୱର୍ଗୀୟ କଳ୍ପତରୁ ଦାସ ପୁସ୍ତକରେ ଦ୍ୱିତୀୟ ସଂସ୍କରଣ ଛପାଇ ପ୍ରତ୍ୟେକରୁ ପାଞ୍ଚଖଣ୍ଡ ଲେଖାଏଁ କିଣିଥିଲେ । ସେ ମୋର ଜଣେ ପ୍ରଧାନ ଉତ୍ସାହଦାତା ଥିଲେ । ତାଙ୍କଠାରୁ ମୁଁ ଯଥେଷ୍ଟ ସହାୟତା ଲାଭ କରିଅଛି । ମୋର ‘‘ନୀତି କୁସୁମ’’ ଏହି ସମୟରେ ଛାପା ହୋଇଥିଲା । ଏହି ସମୟରେ ଧରାକୋଟ ରାଜାଙ୍କ ଆହ୍ୱାନମତେ ତାଙ୍କୁ ଯାଇ ଗଡ଼ରେ ସାକ୍ଷାତ୍‌ କଲି । ତାଙ୍କ ପ୍ରେସରେ ମେନେଜର ହୋଇ ରହିବା ସକାଶ ସେ ମୋତେ କହିଲେ । ମୁଁ ସ୍ୱୀକୃତ ହେଲି, ସବୁକଥା ଛିଡ଼ିଲା । ପ୍ରେସରୁ ବିତାଡ଼ିତ ମେନେଜର ଚିନ୍ତାମଣି ମିଶ୍ରଙ୍କର ବ୍ୟାକୁଳତାର ସୀମା ରହିଲା ନାହିଁ । ସେ ମୋତେ ଗୋପନରେ ସାକ୍ଷାତ୍‌ କରି ତାଙ୍କର ଅବସ୍ଥା ଜଣାଇଲେ ଏବଂ ଏହା ମଧ୍ୟ କହିଲେ ଯେ, ଆପଣ ଆସିଲେ ମୋର ଆଶା ଭରସା ଶେଷ ହୋଇଯିବ । ମୋର ଅନ୍ୟ ଅବଲମ୍ୱନ ନାହିଁ, ଚାକିରି ଖଣ୍ଡି ଗଲେ କୁଟୁମ୍ୱ ଉପବାସରେ ମରିବେ । ବ୍ରାହ୍ମଣର ବ୍ୟସ୍ତତା ଦେଖି ମନରେ ଦୁଃଖ ଜାତ ହେଲା । ସେହି ହେତୁରୁ ରଜା ମହୋଦୟଙ୍କୁ ସ୍ୱୀକୃତ ଦେଇ ସୁଦ୍ଧା ସେଠାରେ ରହିବାକୁ ଇଚ୍ଛା ହେଲା ନାହିଁ । ସ୍ୱଦେଶ ଲକ୍ଷ୍ମୀର ବ୍ୟବସ୍ଥା କରିସାରି ଆସିବି ବୋଲି କହି ବ୍ରହ୍ମପୁର ଆସିଲି ।

 

ବିଦ୍ୟାରତ୍ନ ଅନେକଥର ବ୍ରହ୍ମପୁର ଆସନ୍ତି । ସଙ୍ଗରେ ଅଧିକ ଲୋକ ଥିଲେ ସ୍ୱତନ୍ତ୍ର ବସା କରନ୍ତି, ଜଣେ ଦୁଇଜଣ ଥିଲେ ମୋ ବସାରେ ରହନ୍ତି । ଦିନେ ମୋତେ କହିଲେ–‘‘ଫକୀରମୋହନ ବାବୁଙ୍କ ‘‘ଉତ୍କଳ ଭ୍ରମଣ’’ ପରି ତୁମ୍ଭେ ଗଞ୍ଜାମ ଭ୍ରମଣ ଲେଖ । ପ୍ରଜାବନ୍ଧୁରେ ତାହା ପ୍ରକାଶ କରିବ-।’’ ମୁଁ କହିଲି–‘‘ଆପଣ ଉପକରଣ ଯୋଗାଇଲେ ମୁଁ ଲେଖିବି-।’’ ସେ ସ୍ୱୀକୃତ ହେଲେ, ସେହିଦିନ ବସି କେତେ ଟୀକା ଟିପ୍‌ପଣୀ ହୋଇଗଲା । ନାମ ଦେବାକୁ ମୁଁ ମନାକଲି, ନୀଳମଣି କହିଲେ–‘‘ମୋର ବି ମତ, ବର୍ତ୍ତମାନ ପ୍ରଜାବନ୍ଧୁରେ ବେନାମୀ ଭାବରେ ଗଞ୍ଜାମ ଭ୍ରମଣ ବାହାରିବା ଦରକାର । ଅନେକ ସେଥିରେ ଉତ୍ତେଜିତ ହୋଇ ଉଠିବେ–ଅକାରଣ ଶତ୍ରୁ ବୃଦ୍ଧି ହେବ, ସୁତରାଂ ବିପଦର ସମ୍ଭାବନା ।’’ ଏହାପରେ କଥା ହେଲା, ମୁଁ ପ୍ରତି ସପ୍ତାହରେ ପ୍ରଜାବନ୍ଧୁର ଦୁଇସ୍ତମ୍ଭ ପୂର୍ଣ୍ଣ ହେଲାଭଳି ଗଞ୍ଜାମ ଭ୍ରମଣ ଲେଖି ପଠାଇବି, ତାହା କ୍ରମଶଃ ଭାବରେ ପ୍ରକାଶିତ ହେବ । ତହିଁପରଦିନ ବିଦ୍ୟାରତ୍ନ ରମ୍ଭାକୁ ଫେରିଗଲେ ।

 

ପ୍ରଜାବନ୍ଧୁରେ ଗଞ୍ଜାମ ଭ୍ରମଣ ବାହାରିଲା । ଖଣ୍ଡେ ଖଣ୍ଡେ ଲେଖା ହେଉଥାଏ, ଏଣେ ପତ୍ରିକାରେ ବାହାରୁଥାଏ । ଗଞ୍ଜାମରେ ଗୋଟାଏ ହାଇସ୍କୁଲ ପଡ଼ିଗଲା । ଗଞ୍ଜାମ ଭ୍ରମଣ ପଢ଼ିବାକୁ ଲୋକଙ୍କର ଭାରି ଆଗ୍ରହ ଦେଖାଗଲା । ଏକଘରର ଦୁଇଭାଇ ପ୍ରଜାବନ୍ଧୁର ଗ୍ରାହକ ହେବାର ଦେଖାଯାଇଅଛି । ଅନେକେ ତାହା ଆମୂଳଚୂଳ ଘୋଷି କଣ୍ଠସ୍ଥ କରି ରଖିଲେ । ଖଲ୍ଲିକୋଟର କେତେ ଜଣ ଯୁବକ ଗଞ୍ଜାମ ଭ୍ରମଣ କଣ୍ଠସ୍ଥ କରିଥିବାର ପ୍ରତ୍ୟକ୍ଷ ପ୍ରମାଣ ମୁଁ ପାଇଅଛି । ଲେଖାର ପ୍ରଶଂସା କରି ଲେଖକର ନାମ ଜାଣିବା ସକାଶ ବିଦ୍ୟାରତ୍ନଙ୍କୁ ଅନେକେ ପତ୍ର ଲେଖିଲେ, କେହି କେହି ରମ୍ଭା ପର୍ଯ୍ୟନ୍ତ ଧାଇଁଲେ, ମାତ୍ର ନାମ କେହି ଜାଣି ପାରିଲେ ନାହିଁ । କମ୍ପୋଜକୁ ଯେଉଁ କାଗଜ ଯାଏ, ସେଥିରେ ନାମ ଥାଏ ନାହିଁ । ସୁତରାଂ ପ୍ରେସ୍‌ କର୍ମଚାରୀଙ୍କର ସୁଦ୍ଧା ଜାଣିବାର ଉପାୟ ଥିଲା ନାହିଁ । ବ୍ରହ୍ମପୁରରେ ପର୍ଶୁରାମ ବାବୁ ଏବଂ ଶାସ୍ତ୍ରୀ ମୋର ଲେଖା ବୋଲି ଜାଣିଥିଲେ-। ପର୍ଶୁରାମ ବାବୁ ପ୍ରତିଭାବାନ୍‌, ମୋର ଲେଖା ସେ ଅନେକ ପଢ଼ିଛନ୍ତି, ସୁତରାଂ ଲେଖାରୁ ଜାଣିପାରିଲେ । ଶାସ୍ତ୍ରୀ ଜାଣିବା ପାଇଁ ଅନେକ ଚେଷ୍ଟା କଲେ, ମାତ୍ର ମୁଁ ବହଲାଇ ଦେଲି-। ଶାସ୍ତ୍ରୀଙ୍କର ସେଥିରେ ବିଶ୍ୱାସ ହେଲା ନାହିଁ, ସେ କହିଲେ–ଯେତେ କୁହ ପଛେ ପଣ୍ଡିତେ, ତୁମଛଡ଼ା ଲେଖକ କେହି ନୁହେଁ । କଅଣ କରିବି ଅଗତ୍ୟା ତାହାଙ୍କଠାରେ ସ୍ୱୀକାର କରିବାକୁ ହେଲା-। କେତେ ଲୋକ ଆଶୀର୍ବାଦ କଲେ, କେତେ ଜଳି ଉଠିଲେ । ବାରୁଆ ଖାଡ଼ଙ୍ଗା ମାନହାନିରେ ମକଦ୍ଦମା କରିବା ପାଇଁ ପ୍ରଜାବନ୍ଧୁକୁ ରେଜିଷ୍ଟରୀ ନୋଟିସ୍‌ ଦେଲେ । ବିଦ୍ୟାରତ୍ନ ସେ ନୋଟିସ୍‌ ମୋ ପାଖକୁ ପଠାଇ ଦେଲେ । କିଛି ଉତ୍ତର ନ ଦେଇ କିଛିଦିନ ନୀରବ ରହିବା ସକାଶ ମୁଁ ତାଙ୍କୁ ଲେଖିଲି । ବାରୁଆ ମାଲିକଦାର ଜଣେ ରଜାପରି ସଙ୍ଗତିବାନ୍‌ । ସାଧାରଣ ଜାତୀୟ କାର୍ଯ୍ୟରେ ତାଙ୍କର ଉଦାସୀନତା ଦେଖି ଅଭିମାନ କରି ଅନ୍ୟାନ୍ୟ କଥା ମଧ୍ୟରେ ତାଙ୍କୁ ଲେଖା ଯାଇଥିଲା–‘‘ଦେଶଲାଗି ଖର୍ଚ୍ଚ କରି କି ହେବ ଖାଡ଼ଙ୍ଗା, କିଣିଆଣ ଚିତାପାଣ୍ଡୁ ହେବ ଚାରୁ ଆଡ଼ଙ୍ଗା-।’’ ଏତିକିରେ ତାଙ୍କର ମାନହାନି ହେଲା । ପର୍ଶୁରାମ ବାବୁଙ୍କୁ ଯାଇ ପଚାରିଲି, ସେ କହିଲେ–‘‘ଲେଖାରେ ଦୋଷର କଥା କିଛି ନାହିଁ, ଆପଣ ନିଶ୍ଚିନ୍ତ ଥାଉନ୍ତୁ, ମକଦ୍ଦମା ହେଲେ ମୁଁ ଜାଣେ ।’’ ଖାଡ଼ଙ୍ଗାଙ୍କ ନୋଟିସ୍‌ କଥା ଶାସ୍ତ୍ରୀ ଶୁଣି ମୋତେ ଆହୁରି ବଳ ଦେଲେ, ମୁଁ ଅଶ୍ୱସ୍ତ ହୋଇ ରହିଲି ।

 

ଶାସ୍ତ୍ରୀ ଯେଉଁଦିନ ଶୁଣିଲେ, ସେହିଦିନ ରେଲରେ ବାରୁଆ ଚାଲିଗଲେ । ଖାଡ଼ଙ୍ଗାଙ୍କୁ କହିଲେ–‘‘ତୁମ୍ଭେ ପ୍ରଜାବନ୍ଧୁକୁ ନୋଟିସ୍‌ ଦେଇଛ, ଏ ବୁଦ୍ଧି ତୁମକୁ କିଏ ଦେଲା ? ଗଞ୍ଜାମ ଭ୍ରମଣରେ ଯାହା ଲେଖା ଯାଇଛି, ସେଥିରେ ମାନହାନିର କଥା କିଛି ନାହିଁ । ମକଦ୍ଦମା କଲେ ତୁଚ୍ଛାଟାରେ ନିଜେ ନିଜେ ଅପମାନ ପାଇବ । ସେ ନୋଟିସ୍‌ ଫେରାଇ ଆଣ, ନଚେତ୍‌ ପ୍ରଜାବନ୍ଧୁରେ ବାହାରିଲେ ଲଜ୍ଜା ରଖିବାକୁ ସ୍ଥାନ ମିଳିବ ନାହିଁ । ଲେଖକ ଗଞ୍ଜାମବାସୀ ନୁହେଁ–ସେ ଜଣେ କଟକର ଟାଣୁଆ ଲୋକ, ସେ ଓଲଟି ତୁମକୁ ପକାଇପାରେ ।’’ ଖାଡ଼ଙ୍ଗା ଏହା ଶୁଣି ଶାସ୍ତ୍ରୀଙ୍କୁ ରମ୍ଭା ଯାଇ ନୋଟିସ୍‌ ଫେରାଇ ଆଣିବାକୁ ଅନୁରୋଧ କଲେ । ଶାସ୍ତ୍ରୀ କହିଲେ–‘‘ଆଉ ଫେରାଇ ଆଣିବ କଅଣ, ସେହିଠାରେ ଚିରି ପକାଇବି । ତୁମେ ଆଉ କିଛି ନ କରି ତୁନି ହୋଇ ରୁହ ।’’ ଖାଡ଼ଙ୍ଗା ସ୍ୱୀକୃତ ହେଲେ, ଗୁନ୍ନେୟାଶାସ୍ତ୍ରୀ ଆସି ମୋତେ ସବୁ କହିଲେ । ଦୈବାତ୍‌ ସେଦିନ ବିଦ୍ୟାରତ୍ନ ଆସି ସେଠାରେ ଉପସ୍ଥିତ ଥିଲେ । ଶାସ୍ତ୍ରୀଙ୍କ କଥା ଶୁଣି ଗୋଟାଏ ଆନନ୍ଦ–ହାସ୍ୟର ତରଙ୍ଗ ଖେଳିଗଲା । ଶାସ୍ତ୍ରୀଙ୍କ ପ୍ରତ୍ୟୁତ୍ପନ୍ନମତି ଏବଂ ବିଚିତ୍ର ଚାତୁରୀକୁ ଆମେ ଦୁହେଁ ପ୍ରଶଂସା ନ କରି ରହି ପାରିଲୁଁ ନାହିଁ-

 

ପାରଳାରେ କେତେ ଜଣଙ୍କ କଥା ଶେଷରେ ଲେଖା ଯାଇଥିଲା–‘‘ଆଉ କେତେ ଜଣ ଯାଇ କସି ବେଳୁ ପାଚି, ଦେଶ ଦେଶ ବୋଲି ହେଉଛନ୍ତି କୁଦିନାଚି ।’’ ‘‘ଆ–ରେ ବଳଦ ମୋତେ ବିନ୍ଧ୍‌’’ ନ୍ୟାୟରେ ରାମକୃଷ୍ଣ ମିଶ୍ର ଏ କଥାକୁ ନିଜ ଦେହକୁ ଟାଣି ମାତି ଉଠିଲେ । ରମ୍ଭା ଯାଇ ବିଦ୍ୟାରତ୍ନଙ୍କୁ ଲେଖକର ନାମ ପଚାରିଲେ, ପୁଣି ବ୍ରହ୍ମପୁର ଆସି ମୋତେ ପଚାରିଲେ । ତାଙ୍କ କଥାରୁ ବୋଧ ହେଲା–ମୋ ପ୍ରତି ତାଙ୍କର ପୂର୍ଣ୍ଣ ସନ୍ଦେହ । କିନ୍ତୁ ମୁଁ ଏଣୁତେଣୁ କହି ବହଲା ବହଲି କରିଦେଲି । ଗଞ୍ଜାମ ଭ୍ରମଣ ପାଇଁ ତାରିଣୀ ଚରଣ ରଥଙ୍କ ପରି ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ଆଜୀବନ ମୋ ପ୍ରତି ଗୋଟାଏ ବ୍ୟର୍ଥ ଆକ୍ରୋଶ ବହିଥିଲେ । ମୁଁ ସେମାନଙ୍କୁ ନିନ୍ଦା କରି ନାହିଁ, ଲେଖାର ଭାବ ନ ବୁଝି ସେମାନେ ବୃଥା ଭ୍ରମରେ ପଡ଼ିଥିଲେ । ସେଥିମଧ୍ୟରେ ଅଭିଧାନକାର ନନ୍ଦ ପଣ୍ଡିତେ ବି ଜଣେ । ଏତେ ଲୁଚା ଛପାରେ–ଏତେ କଟକଣାରେ ସୁଦ୍ଧା ମୋର ନାମ ବାହାରି ପଡ଼ିଲା । ଅନେକ ବିଶିଷ୍ଟ ବ୍ୟକ୍ତି ମୋତେ ଧନ୍ୟବାଦ୍‌ ଦେଇ ପତ୍ର ଲେଖିଲେ । ଗଞ୍ଜାମର ଆଦର୍ଶ ନେତା ସ୍ୱର୍ଗୀୟ ନରସିଂହ ଦାସ ତେତେବେଳେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟ କରୁଥିଲେ । ଗଞ୍ଜାମ ଭ୍ରମଣ ପଢ଼ି ସେ ମୋତେ ଦେଖିବାକୁ ଆସି କୁଣ୍ଢାଇ ପକାଇଲେ । ନରସିଂହ ବାବୁ ପ୍ରକୃତରେ ନରସିଂହ । ସେ ଯେପରି ନିର୍ଭୀକ, ସେହିପରି ସ୍ପଷ୍ଟବାଦୀ । ଇଂରାଜୀରେ ଅସାଧାରଣ ଦକ୍ଷତା ତାଙ୍କର ଥିଲା । ସେ ଠିକ୍‌ ସାହେବମାନଙ୍କ ପରି ଇଂରାଜୀ ଉଚ୍ଚାରଣ କରନ୍ତି । ତାଙ୍କୁ ତେଲଙ୍ଗାମାନେ ସୁଦ୍ଧା ଭୟ ଭକ୍ତି କରୁଥିଲେ । ଗଞ୍ଜାମକୁ ଓଡ଼ିଶାରେ ମିଶାଇବା ପାଇଁ ସେ ବ୍ୟାକୁଳ ହେଉଥିଲେ–ସେ ଦିଗରେ ସେ ଅନେକ କାର୍ଯ୍ୟ କରି ଅଛନ୍ତି । ନରସିଂହ ବାବୁ ମୋତେ ଠିକ୍‌ ସାନ ଭାଇ ପରି ସ୍ନେହ ଏବଂ ଗୁରୁ ପରି ଭକ୍ତି କରୁଥିଲେ । ଗଞ୍ଜାମ ଭ୍ରମଣର ଲେଖକ ବୋଲି ମୁଁ ଚିହ୍ନା ପଡ଼ିଗଲି । ସତ୍ୟକୁ ଗୋପନ କରି ହୁଏ ନାହିଁ । ତାଳେ ପାଣିରେ ସତ୍ୟକୁ ବୁଡ଼ାଇ ରଖିଲେ ସୁଦ୍ଧା ସମୟରେ ସେ ଆପେ ଆପେ ଉପରକୁ ଭାସି ଉଠେ । ଗଞ୍ଜାମ ଭ୍ରମଣ ଲେଖିଲା ପରେ ଗଞ୍ଜାମରେ ମୋର ପ୍ରତିଷ୍ଠା ବଢ଼ି ଉଠିଲା-

 

ବ୍ରହ୍ମପୁରର ରତ୍ନାକର ପଟ୍ଟନାୟକ ମୋର ଜଣେ ପ୍ରିୟତମ ବନ୍ଧୁ । ସେ ପି. ଡବ୍‌ଲଇଉ-ଡି ଅଫିସରେ କାର୍ଯ୍ୟ କରୁଥିଲେ । ରତ୍ନାକର ବାବୁ ଚୈତନ୍ୟ ଧର୍ମାବଲମ୍ବୀ, ବୈଷ୍ଣବ ଧର୍ମର ତତ୍ତ୍ୱଜ୍ଞ-। ଅଫିସରୁ ଫେରିବା ବେଳେ ମୋ ବସାରେ ଆସି ଦୁଇଘଣ୍ଟା ବସନ୍ତି । ଗୀତାର ଆଲୋଚନା ହୁଏ । ତାଙ୍କର ଦକ୍ଷତା ଦେଖି ଗୀତାର ସରଳ ଗଦ୍ୟାନୁବାଦ କରିବାକୁ ମୁଁ ତାଙ୍କୁ କହିଲି-। ତାହା ପରଦିନଠାରୁ ସେ କାର୍ଯ୍ୟରେ ଲାଗିଗଲେ । ବୋଧ ହେଲା–ଯେପରି ପୂର୍ବରୁ ତାଙ୍କର ସେହି ଇଚ୍ଛା ଥିଲା, ମାତ୍ର ସେଥିଲାଗି ସେ କାହାରିଠାରୁ ପ୍ରବର୍ତ୍ତନା ପାଇ ନ ଥିଲେ । ଯେଉଁଦିନ ଯେତିକି ଲେଖିଥାଆନ୍ତି, ସେଦିନ ସନ୍ଧ୍ୟାପରେ ତାହା ଆଲୋଚିତ ହୁଏ । ଅନୁବାଦ ଶେଷ ହେଲା, କେତେବର୍ଷ ପରେ ପୁସ୍ତକାକାରରେ ପ୍ରକାଶିତ ହୋଇଥିଲା । ସେ ଗୀତାଖଣ୍ଡି ଖୁବ୍‌ ସୁବୋଧ୍ୟ ହୋଇଥିଲା ।

 

ଜଣେ ତେଲଙ୍ଗା ଯୁବକ ଦିନେ ଆସି ‘‘ଦଣ୍ଡମ୍‌ ଆୟା’’ ଉଚ୍ଚାରଣ ପରେ କହିଲା–‘‘ମୁଁ କମ୍ପାଉଣ୍ଡରୀ ପାସ୍‌ କରି କାର୍ଯ୍ୟରେ ନିଯୁକ୍ତ ହୋଇଛି, ମାତ୍ର ଓଡ଼ିଆ ଜାଣି ନ ଥିବାରୁ କାର୍ଯ୍ୟରେ ଯୋଗ ଦେଇ ପାରୁ ନାହିଁ । ଦୟାକରି ଟିକିଏ ଓଡ଼ିଆ ପଢ଼ାଇ ଦେଲେ ପରୀକ୍ଷା ଦେଇ ନୂଆ ଚାକିରୀରେ ଯୋଗ ଦେବି । ଆପଣଙ୍କର ଧର୍ମ ହେବ, ମୁଁ ଗରିବ–ମୋର ପ୍ରାର୍ଥନା ଏତିକି ।’’ ଯୁବକ ଠିକ୍‌ ଏହିପରି କହି ନ ଥିଲା । ସେ ଯେଉଁ ବିଚିତ୍ର ଓଡ଼ିଆ ଭାଷାରେ କଥା କହିଥିଲା, ତାହାରି ଭାବ ଲିଖିତ ହେଲା । କହିବା ଭଙ୍ଗୀରୁ ବୋଧ ହେଲା, ଯୁବକ ବାସ୍ତବରେ ଅଭାବଗ୍ରସ୍ତ ଏବଂ ଆତୁର । ମନଟା ଆର୍ଦ୍ରହୋଇ ଆସିଲା, ତାକୁ ଓଡ଼ିଆ ଶିଖାଇ ଦେବାକୁ ସ୍ୱୀକୃତ ହେଲି । ଆଉ ତାହାର ଆନନ୍ଦ କହିଲେ ନ ସରେ । ବାରମ୍ୱାର ‘‘ଦଣ୍ଡମ୍‌ ଆୟା’’ କହି ଭକ୍ତିରେ ଭାଙ୍ଗି ପଡ଼ିଲା । ପ୍ରଥମ ଦିନ ଆସି ସ୍ୱର ବ୍ୟଞ୍ଜନବର୍ଣ୍ଣ ଶିଖିଗଲା । ବର୍ଣ୍ଣବୋଧର ଓଡ଼ିଆ ଅକ୍ଷର ତଳେ ତେଲୁଗୁ ଅକ୍ଷରରେ ଲେଖି ସହଜରେ ଚିହ୍ନିଗଲା । ଯୁବକ ଶିକ୍ଷିତ, କହିଦେଲାକ୍ଷଣି ଧରି ନେଲା । ଦ୍ୱିତୀୟ ଦିନ ଆସି ବନାନ ଶିଖିଲା, ତୃତୀୟ ଦିନ ସାନ ସାନ ଶବ୍ଦ ଦୁଇପୃଷ୍ଠା ପଢ଼ିଗଲା । ସେହିଦିନଠାରୁ ଆଉ ଦେଖା ଦର୍ଶନ ନାସ୍ତି । ପ୍ରାୟ ଛ, ସାତ ମାସ ପରେ ଦିନେ ଅକସ୍ମାତ୍‌ ବାଟରେ ଦେଖା ହୋଇଗଲା । କୃତଜ୍ଞତା ପ୍ରକାଶ କରି ଯୁବକ କହିଲା–‘‘ପଣ୍ଡିତ ଗାରୁ, ଆପଣଙ୍କ ଦୟାରୁ ଆମେ ଓଡ଼୍ୟାରେ ପାସ୍‌ ହୋଇଗଲା-।’’ ମନେ ମନେ କହିଲି–ତୋ ମୁଣ୍ଡଗଣ୍ଡି ହୋଇଗଲା–ଓଡ଼୍ୟା କଅଣରେ ମୂର୍ଖ ? ତିନିଟା ଦିନରେ ତୁ ଓଡ଼ିଆରେ ଭଟ୍ଟାଚାର୍ଯ୍ୟ ପଣ୍ଡିତ ହୋଇ ଉଠିଲୁ । ଏଣୁ ତେଣୁ କେତେକ କଥା କହି ସେ ବିଦାୟ ହୋଇଗଲା । ସେ କଥାର ଭାବାର୍ଥ ଏହି ଯେ, ଓଡ଼ିଆ ପରୀକ୍ଷାରେ ପ୍ରବୀଣ ବିବେଚିତ ହୋଇ ଅବାଧରେ କମ୍ପାଉଣ୍ଡର ଚାକିରୀ କରୁଅଛି । ତେଲଙ୍ଗାମାନେ ଏହିପରି ଓଡ଼ିଆରେ ପାସ୍‌ କରନ୍ତି । ଉପର ଅଧିକାରୀ ତ ସ୍ୱଜାତି, ସେ ଯେଉଁ ଅପୂର୍ବ ଓଡ଼ିଆ କହନ୍ତି, ତାଙ୍କ ପାଖରେ ଦୁଇଟା ଭଙ୍ଗା ଭଙ୍ଗା ଓଡ଼ିଆ ଶବ୍ଦ କହିଲେ ପାସ୍‌ ନ ହୋଇ ତାର ବାପର ଚାରାନାହିଁ, କୁଆଡ଼େ ଯିବ । ପରୀକ୍ଷକ ପରୀକ୍ଷାର୍ଥୀ ଦୁହେଁ ଧନ୍ୟ–ଦୁହେଁ କୃତାର୍ଥନ୍‌ମନ୍ୟ ।

 

ଶାସ୍ତ୍ରୀଙ୍କ ପ୍ରେସ୍‌ରେ ଜଣେ ସ୍ଥାନୀୟ ଦଳୁଆ ଯୁବକ କମ୍ପୋଜିଟର କାର୍ଯ୍ୟ କରୁଥିଲା । ବୟସ ପ୍ରାୟ ୨୦।୨୧ ବର୍ଷ ହେବ । ଚିତ୍ରକଳାରେ ତାହାର ପାରଦର୍ଶିତା ଅସାଧାରଣ । ଲୁହା ପ୍ରେସ୍‌କୁ ଦେଖି ସେ ଗୋଟାଏ କାଠ ପ୍ରେସ୍‌ ନିଜ ହାତରେ ତିଆରି କରିଥିଲା । ସେ ମୋତେ ଆପଣ ବୋଲି ସମ୍ୱୋଧନ କରେ । ଦିନେ ଖଣ୍ଡେ ଛବି ଆଣି ମୋତେ ଦେଖାଇ କହିଲା–‘‘ଭଲ ହୋଇଛି ନା ଦେଖନ୍ତୁ ଆପଣେ, ମୁଁ ଏହାକୁ କରିଛି ।’’ ଛବି ଖଣ୍ଡି ରବି ବର୍ମାଙ୍କ ମେନକା ବିଶ୍ୱାମିତ୍ରର ଅବିକଳ କ୍ଷୁଦ୍ର ସଂସ୍କରଣ । ଯେଉଁଠାରେ ଯେଉଁ ରଙ୍ଗ ଦେବାର ତାହା ଦିଆ ହୋଇଅଛି । ମୁଁ କହିଲି–ତୁମ୍ଭେ କଅଣ ଏହାକୁ ହାତରେ ଆଙ୍କିଛ ? ସେ କହିଲା–‘‘ବ୍ଳକ୍‌ ଖୋଳି ମୋ କାଠ ପ୍ରେସ୍‌ରେ ଛାପି ନେଇଛି-। ଆପଣ ଦୟାକରି ଥରେ ଗଲେ ମୋର ପ୍ରେସ୍‌ ଦେଖନ୍ତେ ।’’ କଥାଟା ଆଶ୍ଚର୍ଯ୍ୟ ବୋଧହେଲା । ଚାରିଟା ବେଳକୁ ଯାଇ ପ୍ରେସ୍‌ ଦେଖି ଆସିବି ବୋଲି ତାକୁ କହି ମୁଁ ପର୍ଶୁରାମ ବାବୁଙ୍କ ପାଖକୁ ଗଲି-। ଛବିଖଣ୍ଡି ଦେଖାଇ ତାହାର ଇତିହାସ କହିଲି । ସେ ସୁଦ୍ଧା ଆଶ୍ଚର୍ଯ୍ୟ ହେଲେ ଏବଂ ପ୍ରେସ୍‌ ଦେଖିବାକୁ ଆଗ୍ରହ ପ୍ରକାଶ କଲେ । ସେହିଦିନ ଚାରିଟାବେଳେ ଦୁହେଁ ମିଶି ପ୍ରେସ୍‌ ଦେଖିବାକୁ ଗଲୁଁ-। ଦେଖିଲୁ କାଠ ପ୍ରେସ୍‌ଟି ଅବିକଳ ଲୁହାପ୍ରେସ୍‌ ଅନୁକରଣରେ ପ୍ରସ୍ତୁତ । ଭଙ୍ଗା ଶ୍ଳେଟରେ ବ୍ଳକ ଖୋଳି ସେହି ପ୍ରେସରେ ଛାପା ହୁଏ । ରଙ୍ଗ ବିନ୍ୟାସ ପ୍ରଣାଳୀ ଏପରି ଚମତ୍କାର ଯେ, ଛାପିବା ବେଳେ ଯେଉଁ ରଙ୍ଗ ଯେଉଁଠି ଲାଗିବାର ଲାଗିଯାଏ । ଲୋକଟା ଶିଳ୍ପ ବିଦ୍ୟାରେ ଖଡ଼ି ଛୁଇଁ ନାହିଁ, ଆଧୁନିକ ଶିଳ୍ପଯନ୍ତ୍ର ସ୍ୱପ୍ନରେ ବି ଦେଖିନାହିଁ, ତାହାର ଏ ଶିକ୍ଷାହୀନ ପଟୁତାରେ ପର୍ଶୁରାମ ବାବୁ ମୁଗ୍‍ଧ ହୋଇଗଲେ । କହିଲେ–ଏ ଯେବେ କୌଣସି ଶିଳ୍ପଶାଳାରେ କିଛି ଦିନ ପଢ଼ି ଆସନ୍ତା, ତେବେ ଜଣେ ବିଖ୍ୟାତ ଶିଳ୍ପୀ ହୋଇ ପାରନ୍ତା । ଯିବାକୁ ଇଚ୍ଛାକଲେ ମୁଁ ନିଶ୍ଚୟ ସାହାଯ୍ୟ କରନ୍ତି । କିନ୍ତୁ ଲୋକଟି ଅସ୍ୱୀକୃତ ହେଲା । କହିଲା–ମୁଁ ଗଲେ ମୋର ପରିବାର କିପରି ବଞ୍ଚିବେ ? ମୋ ଛଡ଼ା ଉପାର୍ଜନ କରିବାକୁ ଆଉ କେହି ନାହିଁ । ବାସ୍ତବିକ୍‌ କଥା, ଯାହାର କାନ ଅଛି ତାହାର କୁଣ୍ଡଳ ନାହିଁ, ପୁଣି ଯାହାର କୁଣ୍ଡଳ ଅଛି, ତାହାର କାନ ନାହିଁ–ଏହି ତ ଦୁନିଆଁର ହାଲ । ତେବେ ବିଧାତା ଅସ୍ଥାନରେ ଉଚ୍ଚ ପ୍ରତିଭା ଦିଅନ୍ତି କାହିଁକି ? ବଣର ମାଳତୀ ପରି ତାହା ବଣରେ ମଉଳି ଯାଏ ।

 

ସେ ବର୍ଷ ଗଞ୍ଜାମରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନ ହେଲା । ବ୍ରହ୍ମପୁରର ବାରାକ୍‌ସ ପଡ଼ିଆରେ ମଣ୍ତପ ନିର୍ମିତ ହେଲା । ବାଦାମୀ ରଙ୍ଗର ଜାତୀୟ ‘‘ପାଗ’’ର ଆଦର ତେତେବେଳେ ବିଶେଷ ପରିମାଣରେ ଦେଖାଯାଉଥିଲା । କଟକର ଜଣେ ମୁସଲମାନ ସମ୍ମିଳନୀ ସ୍ଥାନରେ ଜାତୀୟ ପାଗ ବିକ୍ରିକରେ । ଯାହା ମୁଣ୍ତରେ ଜାତୀୟ ପାଗ ନ ଥାଏ, ଜାତୀୟତାରେ ସେ ଊଣା ବିବେଚିତ ହୁଏ । ଓଡ଼ିଆମାନଙ୍କର ଜାତୀୟ ଚିହ୍ନରୂପେ ତାହା ଧାର୍ଯ୍ୟ ହୋଇଥିଲା । ସମ୍ମିଳନୀ ସଭାରେ ଜାତୀୟ ପାଗର ଢେଉ ଖେଳୁଥିଲା, କିନ୍ତୁ କେତେ ବର୍ଷ ହେଲା ଆଉ ଜାତୀୟ ପାଗର ଆଦର ବା ବ୍ୟବହାର ଦେଖା ଯାଉନାହିଁ । ଏହିପରି ଆମର ଅନେକ କାମ ହୁଏ–ପ୍ରଥମେ ଆଡ଼ମ୍ୱର ଫାଟି ପଡ଼େ, ମାତ୍ର ବହ୍ୱାରମ୍ଭେ ଲଘୁକ୍ରିୟା । କାର୍ଯ୍ୟ ବିଶେଷରେ ଲଘୁକ୍ରିୟା ବି ହୁଏ ନାହିଁ–ଲୋକ ନିଷ୍କ୍ରିୟ ହୁଏ ।

 

ପ୍ରଥମ ଦିନ ସଭାରେ ଗୋଟାଏ ଅଭିନୟ ପରି ଅଭିନବ କାଣ୍ଡ ଘଟିଗଲା । ବିଦ୍ୟାରତ୍ନଙ୍କର ବହୁ ଗୁଣ ସତ୍ୱେ ପାନ ଦୋଷ ଥିଲା । ସଭା ମଧ୍ୟରେ କଥା କହୁଁ କହୁଁ ତାଙ୍କ ତୁଣ୍ଡରୁ ନିଷିଦ୍ଧ ପାନୀୟର ଆଘ୍ରାଣ ପାଇ ମଧୁବାବୁ ବିଚଳିତ ହୋଇ ଉଠିଲେ । କାନ୍ଦି ପକାଇ କହିଲେ–ମୋର ମାତୃପୂଜା ନଷ୍ଟ ହେଲା, ମୁଁ ଆଜି ଏହିଠାରେ ଏ ସମ୍ମିଳନୀକୁ ପୋଡ଼ି ପକାଇବି । ଏହିପରି ଅନେକ ଆକ୍ଷେପ କରି ନୀରବ ହୋଇ ବସି ରହିଲେ । ବଡ଼ ଖେମଣ୍ଡିର ରାଜା ଉଠି ସେ କଥାକୁ ସମର୍ଥନ କରି କହିଲେ–ଯେଉଁ ପାପିଷ୍ଠ ଅନାଚାର କରିଛି, ସମ୍ମିଳନୀ ସଭାରୁ ତାକୁ ବାହାର କରି ଦିଆଯାଉ । ପୁଣି ପ୍ରାୟଶ୍ଚିତ କରିବା ସକାଶ ବାଧ୍ୟ କରାଯାଉ । ଏହିପରି ତର୍ଜନ ଗର୍ଜନ ଲାଗିଥିବା ବେଳେ ବିଦ୍ୟାରତ୍ନ ସଭାରୁ ଚାଲିଗଲେ । ଶେଷରେ ସୁରଙ୍ଗୀ ରାଜା ଉଠି କହିଲେ–ଏ ଜାତିଆଣ ସଭା ନୁହେଁ, ଏଠାରେ ଦୋଷର ବିଚାର ହୁଏ ନାହିଁ । ଏଠାକୁ ନାନା ଶ୍ରେଣୀର–ନାନା ସମ୍ପ୍ରଦାୟର ଲୋକେ ଆସିବେ–ଓଡ଼ିଆ, ତେଲଙ୍ଗା, ମୁସଲମାନ, ଖ୍ରୀଷ୍ଟାନ ସମସ୍ତେ ଆସିବେ, ସମସ୍ତେ ଗଙ୍ଗାଜଳରେ ପେଟ ଧୋଇ ଆସିବା ପାଇଁ କିଛି ନୋଟିସ ଦିଆଯାଇ ନାହିଁ । କାହାର କି କୁ ଅଭ୍ୟାସ ଥାଇପାରେ, ତାହା ଆଲୋଚନା କରି ଜାତୀୟ କଳଙ୍କ ଘୋଷଣା କରିବା କି ଉଚିତ ? ବରଂ ସେହିପରି ହୀନ ଆଲୋଚନାରେ ମାତୃମଣ୍ତପ ଅପବିତ୍ର ହୋଇପାରେ ।’’ ଏହିପରି ଆହୁରି ଅନେକ କଥା ଲାଗିଲା । ବଡ଼ଖେମଣ୍ତିର ରାଜା ଥରକୁ ଥର ଉଠି ପ୍ରତିବାଦ କରୁଥାଆନ୍ତି । ସମ୍ମିଳନୀ ମଣ୍ତପରେ ଦୁଇରାଜାଙ୍କର ଏହିପରି ଖଣ୍ତେ ବାକ୍ୟଯୁଦ୍ଧ ଲାଗିଲା । ସମସ୍ତେ ନୀରବ ହୋଇ ଚିତ୍ର ପିତୁଳା ପରି ସଭାରେ ବସିଥାଆନ୍ତି । କେହି ସାହସ କରି କିଛି କହୁ ନଥାନ୍ତି । ମଧୁବାବୁ ମାନକରି ବସିଥାନ୍ତି । କେତେ କ୍ଷଣ ପରେ ଗୌରୀଶଙ୍କର ରାୟ ଉଠି କହିଲେ–‘‘ପୂଜା କେବେ ନଷ୍ଟ ହେଇଯାଏ ନାହିଁ । ତାହାର କୌଣସି ଅଙ୍ଗ ଅପବିତ୍ର ହେଲେ ତାକୁ ସଂସ୍କାର କରିନେବାକୁ ହୁଏ, ମାତ୍ର ପୂଜା ବନ୍ଦ ହୁଏ ନାହିଁ ।’’ ଏହା ଶୁଣି ସଭାରୁ ଘନ ଘନ କରତାଳି ଧ୍ୱନି ଉଠିଲା, ପରେ ଯଥାବିଧି ସମ୍ମିଳନୀ ଆରମ୍ଭ ହେଲା । ତେଲୁଗୁମାନଙ୍କ ମଧ୍ୟରୁ ଅନେକ ବିଶିଷ୍ଟ ବ୍ୟକ୍ତି ସଭାରେ ଯୋଗ ଦେଇଥିଲେ । ମଧୁବାବୁଙ୍କର ଏ ରୂପ ବ୍ୟବହାରକୁ ସେମାନେ ପସନ୍ଦ କରି ନ ଥିଲେ । ବାସ୍ତବରେ ଚିତଉଖିଆ ଛାଡ଼ି ବିନ୍ଦ ଗଣିବା ପରି ଏକଥା । ବ୍ୟକ୍ତିଗତ କଳଙ୍କ ପଦାରେ ପକାଇଲେ ସେ କଳଙ୍କ ଯେ ଜାତିକୁ ସ୍ପର୍ଶ କରିବ–ମଧୁବାବୁଙ୍କ ଭଳି ଚତୁର ବିଚକ୍ଷଣ ବ୍ୟକ୍ତି ଏହା କଅଣ ଜାଣି ନ ଥିଲେ ? ମାତ୍ର ‘‘ମୁନେରପି ମତିଭ୍ରମଃ’’ ବୋଲି ଯେଉଁ କଥା ଅଛି–ତାହା ମିଥ୍ୟା ନୁହେଁ ।

 

ସେହିଦିନ ରାତିରେ ବିଦ୍ୟାରତ୍ନଙ୍କ ବସାରେ ପରାମର୍ଶ ଲାଗିଲା । ଗୋକୁଳାନନ୍ଦ ଚୌଧୁରୀ, ଗଞ୍ଜାମର କେତେ ଜଣ ନେତା ସେ ପରାମର୍ଶରେ ଯୋଗ ଦେଇଥିଲେ । ବିଦ୍ୟାରତ୍ନଙ୍କ ଅପମାନର ପ୍ରତିକାର ସକାଶ ପରାମର୍ଶ ଲାଗିଲା । ମାତ୍ର ନରସିଂହ ଦାସ ସେଥିରେ ମତ ଦେଲେ ନାହିଁ । କହିଲେ–‘‘କଳଙ୍କକୁ ଘାଣ୍ଟିଲେ ଦୁର୍ଗନ୍ଧ ବାହାରିବ, ସୁତରାଂ ତାକୁ ନ ଘାଣ୍ଟିବା ଭଲ–ସେ ଭିତରେ ପଚି ମିଳାଇ ଯାଉ । ସୁରଙ୍ଗୀ ରାଜା ଯଥେଷ୍ଟ ପ୍ରତିବାଦ କରିଛନ୍ତି । ସେ ସମ୍ୱନ୍ଧରେ ଅଧିକ ଆଉ କିଛି କରିବା ମୋର ମତ ନୁହେଁ ।’’ ବାସ୍ତବରେ ମୁହଁରେ କେହି କହିବାକୁ ତ ସାହସୀ ହେଲେ ନାହିଁ, ପଛରେ ବିଚାର କରି ଫଳ କଅଣ ? ତାହା ଭୀରୁତାର ପ୍ରତିହିଂସା ସିନା ।

 

ସମ୍ମିଳନୀ ବାସି ଦିନ ସେହି ସମ୍ମିଳନୀ ମଣ୍ତପରେ ସଂସ୍କାର ସମ୍ମିଳନୀ ବସିଲା । ତେଣେ ଖଲିକୋଟ ବଙ୍ଗଳାରେ କରଣ ସମ୍ମିଳନୀ ହେଉଥାଏ । ମୁଁ ସେଠାକୁ ଯିବାରୁ ସଂସ୍କାର ସମ୍ମିଳନୀରେ ଯୋଗ ଦେଇ ପାରିଲି ନାହିଁ । କରଣ ସମ୍ମିଳନୀରେ ମୁଁ ଗୋଟିଏ ଦୀର୍ଘ ପ୍ରବନ୍ଧ ପାଠ କରିଥିଲି । ସେଥିରେ କରଣ ଜାତିର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ୍‌ ସମ୍ୱନ୍ଧରେ ଆଲୋଚନା ହୋଇଥିଲା-। ପ୍ରବନ୍ଧଟି ଗୋକୁଳାନନ୍ଦ ବାବୁ ନେଇଗଲେ । କେତେ ବର୍ଷ ଯାଏ ଉତ୍କଳ ସମ୍ମିଳନୀର ଅଧିବେଶନ ହେଲା–ଅନେକ ପ୍ରସ୍ତାବ ହେଲା–ବଡ଼ ବଡ଼ ବକ୍ତୃତା ହେଲା, ମାତ୍ର ତେତିକିରେ ଶେଷ-। ଏହିପରି ଅସ୍ଥାୟୀ ଅନୁଷ୍ଠାନ ଆମ ଜାତିର ଗୋଟାଏ ଦୁର୍ବଳତା । ଯତ୍ନ, ଚେଷ୍ଟା, ଅଧ୍ୟବସାୟ ବିନା କୌଣସି ଅନୁଷ୍ଠାନ ଟେକିପାରେ ନାହିଁ । ଆମେ ହୁଇପରି ଉଠିଯାଉଁ, ପୁଣି ଦପ୍ କରି ନିଭିଯାଉଁ, ଏ ଦୋଷ କଅଣ ସୁଧୁରିବ ନାହିଁ ?

 

ଅନେକ ବଡ଼ ବଡ଼ ବକ୍ତା ସମ୍ମିଳନୀରେ ବକ୍ତୃତା କରିଥିଲେ, ମାତ୍ର ଚଣାହଟା ରାମକୃଷ୍ଣ ପଟ୍ଟନାୟକଙ୍କ ବକ୍ତୃତା ସବୁଠାରୁ ଉତ୍କୃଷ୍ଟ ହୋଇଥିଲା । ସଭ୍ୟ ଏବଂ ଦର୍ଶକମାନେ ମନ୍ତ୍ରମୁଗ୍‌ଧ ପରି ନୀରବରେ ତାଙ୍କ ବକ୍ତୃତା ଶୁଣୁଥିଲେ । ସକଳ ଶ୍ରେଣୀର ଲୋକ ବୁଝିପାରିବା ଭଳି ସରଳଭାଷାରେ ସେ ଦୁଇଘଣ୍ଟା କାଳ ଅନର୍ଗଳ କହି ଚାଲିଯାଉଥିଲେ । କିଛି ଭାବିବା ପାଇଁ ସେ ମୁହୂର୍ତ୍ତେ ମାତ୍ର ଅବସର ନେଇ ନ ଥିଲେ । ଅଭ୍ୟାସ କଲାପରି ଧୀର ଭାବରେ କଥାଗୁଡ଼ିକୁ ସଜାଇ କହି ଯାଉଥିଲେ । ତାଙ୍କ ବକ୍ତୃତା ମଧ୍ୟରେ ଗୋଟିଏ ଶବ୍ଦ ବି ଅନର୍ଥକ ବା ଅଧିକ ନ ଥିଲା । କହିବାର ଭଙ୍ଗୀ ମଧ୍ୟ ଚମତ୍କାର । ତେଲଙ୍ଗାମାନେ ତାଙ୍କ ବକ୍ତୃତା ଶୁଣି ମୁଗ୍‌ଧ ହୋଇଯାଇ ଥିଲେ । କେତେଦିନ ଯାଏଁ ଗଞ୍ଜାମରେ ତାଙ୍କର ନାମ ଖେଳି ବୁଲିଲା । ସମସ୍ତଙ୍କ ମୁଖରେ ତାଙ୍କର ପ୍ରଶଂସା ଶୁଣାଗଲା । ଓଡ଼ିଶାରେ ଏହିପରି ବକ୍ତା ଆଉ କେତେ ଥିବେ ବୋଲି ମୋର ତେଲଙ୍ଗା ବନ୍ଧୁମାନେ ମୋତେ ପଚାରିଥିଲେ । ମୁଁ ସଂକ୍ଷେପରେ କହିଥିଲି ଅନେକ ଅଛନ୍ତି l ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ । କେହି କେହି ବକ୍ତୃତା ଦେବାବେଳେ ଘରପୋଡ଼ିଆ ହୁଡ଼ି ଛାଡ଼ନ୍ତି । ତାହା ମନ୍ଦ ନୁହେଁ–ସେଥିରେ ନିଜର ତେଜସ୍ୱିତା ପ୍ରକାଶ ପାଏ । ମାତ୍ର ରାମକୃଷ୍ଣ ବାବୁ ସେ ପ୍ରକୃତିର ବକ୍ତା ନୁହଁନ୍ତି । ତାଙ୍କ ବକ୍ତୃତାରେ ଗୋଟିପୁଅ ପିଲା ପରି ଅଙ୍ଗ ସଞ୍ଚାଳନ, ହାତଗୋଡ଼ ଛଟା ବା ବୀର ଗର୍ଜନ ଥିଲା ନାହିଁ । ଆଜିକାଲି ଚତୁର୍ମାସ୍ୟାରେ ଛତୁ ଫୁଟିଲା ପରି ଯେତେ ବକ୍ତା ବାହାରିଲେଣି, ସେ କାଳରେ ଏତେ ନ ଥିଲେ । ଏକାଳରେ ଖଟପିଲାଠାରୁ ପେଟପିଲାଯାଏଁ ସମସ୍ତେ ବକ୍ତା । ବୋଧହୁଏ, ପିଲାଏ ଖାଇବାକୁ ମାଗୁଁ ମାଗୁଁ ଏଣିକି ବକ୍ତୃତା ଝାଡ଼ି ବସିବେ । ବକ୍ତୃତା ଶିକ୍ଷା ଦେବା ପାଇଁ ଯେବେ ଖାସ୍‌ ଗୋଟାଏ ବିଶ୍ୱବିଦ୍ୟାଳୟ ହୁଅନ୍ତା, ତେବେ ଛାତ୍ରର ଅଭାବ ହୁଅନ୍ତା ନାହିଁ । ଢିଙ୍କିଶାଳର ବକ୍ତୃତା ତ ସମସ୍ତେ ଶୁଣିଥିବେ l ଆମ ଦେଶର ଗୋଟାଏ ଗୋଟାଏ ଢିଙ୍କିଶାଳ ଗୋଟିଏ ଗୋଟିଏ ବକ୍ତୃତାର ପ୍ରଥମଶ୍ରେଣୀ ବିଶ୍ୱବିଦ୍ୟାଳୟ । ଏତେ ବିଶ୍ୱବିଦ୍ୟାଳୟ ଥାଉଁ ଥାଉଁ ମୁଁ ପୁଣି ଆଉ ଗୋଟାକର ପ୍ରସ୍ତାବ କରୁଛି–ଏହା ମୋର ପ୍ରକାଣ୍ଡ ଭୁଲ ।

 

ସେ ବର୍ଷ ବ୍ରହ୍ମପୁରରେ କଲେରା, ବସନ୍ତ ଏକ ସମୟରେ ଆରମ୍ଭ ହେଲା । ବସନ୍ତରେ ଅଧିକ ଲୋକ ମରିବାର ଶୁଣାଗଲା । ମୋ ବସା ଆଗରେ ବସନ୍ତ, ବସା ପଛରେ କଲେରା ଲାଗିଲା । ସନ୍ଧ୍ୟା ପୂର୍ବରୁ ବଜାର ଏବଂ ବାଟଘାଟ ଜନଶୂନ୍ୟ ହୋଇଯାଏ । ଲୋକେ ଭୟରେ ବିହ୍ଵଳ ହୋଇପଡ଼ିଲେ । ମୋ ବସା ଆଗରେ ଜଣେ କୁମୁଟି ବସାକରି ରହିଥିଲା । ଲୋକଟି ଗରିବ, ଟିଣାକାମ କରି ଜୀବିକା ନିର୍ବାହ କରେ । ସାଉକାର ପିଲା ହୋଇ ଦୋକାନପାତି ନ କରି ଗୋଟାଏ ଇତର କାମ କରୁଛି ବୋଲି ତାହାର ବଡ଼ଲୋକ ଜାତିଭାଇମାନେ ତାକୁ ଟିକିଏ ହୀନ ଦୃଷ୍ଟିରେ ଦେଖନ୍ତି । କିନ୍ତୁ ତହିଁକି ତାହାର ଭ୍ରୁକ୍ଷେପ ନାହିଁ । ସେ କହେ–‘‘କେହି ତ ସୋଲେ, ବୋଡ଼େ ଦେବ ନାହିଁ–ଖାଲି କହିଲେ କଅଣ ପେଟ ପୂରିବ ?’’ ଯଥାର୍ଥ କଥା, ବାଛିବା ଲୋକ ସଂସାରରେ ଅନେକ ଅଛନ୍ତି–ଅଭାବ ଏକା କରିବା ଏବଂ କରାଇବା ଲୋକର । ଡାକ୍ତରଙ୍କର ସବୁ ପରୀକ୍ଷା ବେଙ୍ଗ ଉପରେ ଯାଏ, ସେହିପରି ବିଧାତାଙ୍କ ପରୀକ୍ଷା ସେହି ନିରୀହ ଗରିବ କୁମୁଟି ପୁଅ ଉପରେ ପଡ଼ିଲା-। ତାହାର ଗୋଟିଏ ବାର ବର୍ଷର ଝିଅ ଏବଂ ସାତ ବର୍ଷର ପୁଅ ବସନ୍ତରେ ଆକ୍ରାନ୍ତ ହେଲେ-। ରୋଗ କ୍ରମେ ପ୍ରବଳ ହୋଇ ଉଠିଲା, ରୋଗୀ ଦୁଇଟିର ଅବସ୍ଥା ସଂକଟାପନ୍ନ ହୋଇ ଆସିଲା । କେହି ସହାୟ ନାହିଁ–ପଦେ ସାନ୍ତ୍ୱନା ଦେବାକୁ ମଧ୍ୟ କେହି ନାହିଁ, ଏଥିରେ ପିତାମାତାଙ୍କ ଦଶା ଯାହା ହୁଏ, ତାହା ହିଁ ହେଲା । ଲୋକଟି କାତର ହୋଇ ତାହାର ପୀଡ଼ିତ ପିଲାଙ୍କୁ ଦେଖିବା ସକାଶ ମୋତେ ଆସି ଡାକିଲା । ତାହା ଘରକୁ ଯାଇ ଦେଖିଲି–ପିଲା ଦୁଇଟି ଶୋଇଛନ୍ତି, କିଏ ମୁଣ୍ଡ, କିଏ ଗୋଡ଼ ବାରି ହେଉ ନାହିଁ । ଲୋକଟି ଝିଅ ଉପରୁ ଲୁଗା ବାହାର କରିଦେଲା, ମୁଁ ଦେଖି ଚମକି ପଡ଼ିଲି । କି ଅସ୍ୱାଭାବିକ ଚେହେରା, ଦେହଯାକ ଜାମୁକୋଳିଆ କଳା ବସନ୍ତରେ ଆଚ୍ଛନ୍ନ–ଦେହରେ ଛୁଞ୍ଚି ବସାଇବାକୁ ଫାଙ୍କ ନାହିଁ, ଗୋଡ଼ ହାତ ଫୁଲ କଦଳୀ ଗଣ୍ଡିପରି, ମୁହଁ ଗୋଟାଏ ହାଣ୍ଡିପରି । ପ୍ରେତରାଜ୍ୟବାସୀ ପରି କି ଭୟଙ୍କର ମୂର୍ତ୍ତି ! ଚେତନା ନାହିଁ, ଅସାଢ଼ ହୋଇ ପଡ଼ି ରହିଛି–କ୍ଷୀଣ ଗତିରେ ନିଃଶ୍ୱାସ ପ୍ରଶ୍ୱାସ ମାତ୍ର ଚାଲିଥାଏ । ମୋତେ କିଛି ବୁଦ୍ଧି ଦିଶିଲା ନାହିଁ, ଆଉ କେତେବେଳେ ବା କିଏ କଅଣ କରିବ ? ମୁଁ ତାକୁ କବିରାଜ ରାଜଗୋପାଳଚାରୀଙ୍କ ପାଖକୁ ଯିବାପାଇଁ କହି ଚାଲି ଆସିଲି । ଆଚାରୀ ବଂଶର ବସନ୍ତ ଚିକିତ୍ସାରେ ଖ୍ୟାତ ଅଛି । ପାତ୍ର ଦୃଷ୍ଟିରେ ସେ ବିନା ମୂଲ୍ୟରେ ଔଷଧ ମଧ୍ୟ ବିତରଣ କରନ୍ତି । ବସାରେ ଯାଇ ଗୋଡ଼ ଦେଲାକ୍ଷଣି ଗୁନ୍ନେୟା ଶାସ୍ତ୍ରୀ ଆସିଲେ । ମୁଁ ବସନ୍ତରୋଗୀକୁ ଦେଖିବାକୁ ଯାଇଥିଲି ଶୁଣି, ଆଗରେ ସାପ ଦେଖିଲେ ଲୋକେ ଯେପରି ତରଛରେ ପଛକୁ ଡିଆଁ ମାରନ୍ତି, ଶାସ୍ତ୍ରୀ ସେହିପରି ଡିଆଁମାରି ଘରୁ ପଳାଇଲେ । ପ୍ରାୟ ପାଞ୍ଚମିନିଟ୍‌ ପରେ ଗୋଟାଏ ଧୋବା ଏବଂ ଗୁଡ଼ାଏ ଝୁଣା ଗନ୍ଧକ ଆଣି ଉପସ୍ଥିତ । ଝୁଣା ଗନ୍ଧକ ଧୂଆଁ ଦେଇ ମୋତେ ସେ ଧୂଆଁରେ ସ୍ନାନ କରିବାକୁ କହିଲେ । ତାଙ୍କର ବ୍ୟସ୍ତତା ଦେଖି ମୁଁ ସୁନାପୁଅ ପରି ଆଦେଶ ପାଳନ କଲି । ଲୁଗାଖଣ୍ଡ ପାଲଟି ପକାଇଲି, ଧୋବା ତାକୁ ଉକ୍ତ ଧୂଆଁରେ ଶୋଧନ କରି କାଚିବାକୁ ନେଇଗଲା । ସେହିକ୍ଷଣି ପୁଣି ମୋତେ ସ୍ନାନ କରିବାକୁ ହେଲା-। ଏତେ କଠୋର ପ୍ରାୟଶ୍ଚିତ୍ତରେ ମୋର ପାପ ଛାଡ଼ିଲା । ଆଉ ଏପରି ଦୁଃସାହସ ବା ଦୁଷ୍କାର୍ଯ୍ୟ କରିବା ସକାଶେ ଶାସ୍ତ୍ରୀଗାରୁ ବାରମ୍ବାର ମୋ ପ୍ରତି ନିଷେଧାଜ୍ଞା ଜାରି କଲେ । ଅନନ୍ତର ଶାସ୍ତ୍ରୀଙ୍କର ଶାସନ ଏବଂ ଉପଦେଶ ଅଧ୍ୟାୟ ବଢ଼ିଲା । ସେ ଘରକୁ ଗଲେ । ଏହିଠାରୁ ଏକଥା ଶେଷ ହେଲା ନାହିଁ; ଘରକୁ ଯାଇ ତାଙ୍କ ମାଙ୍କ ପାଖରେ କହିଲେ । ସେ ଆସି ତାନେ ବକିଲେ, କହିଲେ–‘‘କେଡ଼େ ପାଇଟି କଲା, ବାପ, ତୁମେ ସେ କୁମୁଟି ଘରକୁ ଗଲ । ଆଉ ସିମିନ୍ତିକା ପାଇଟି କରିବ ନାହିଁ ସେଠିକି କଅଣ ଭଲ ମଣିଷ ଯାଆନ୍ତି । ସେଠି ମାଆ ପରା ବିଜେ ହୋଇଛନ୍ତି । ସେଠିକି ଗଲେ ବଡ଼୍‍ଡ଼ ତାପୁ ।’’ ଏହିପରି କେତେ କଥା କହିଲେ । କଥାଗୁଡ଼ିକ ମାତୃବାକ୍ୟ ପରି ସ୍ନେହ ବୋଳା । ବୁଢୀ ମୋତେ ଠିକ୍‌ ପୁଅପରି ସ୍ନେହ କରୁଥିଲେ । ଦିନେ ଦିନେ ମୋ ଖାଇବାବେଳେ ଘରୁ ତରକାରୀ ନେଇ ଦିଅନ୍ତି । ପୁନେଇ ପର୍ବରେ ପିଠାପଣା ଯାହା ହୁଏ ମୋତେ ଡାକିନେଇ ଖୁଆନ୍ତି । ମାତୃ ଜାତିର ହୃଦୟ ଏହିପରି ।

 

ହରମୋହନ ନାମରେ ଯେଉଁ ଲୋକଟି ମୋ ସଙ୍ଗରେ ଯାଇଥିଲା, ସେ ମୋ ବସାରେ ଥାଏ । ସେ ରୋଷାଇ କରେ । ଖାଇବା ଖର୍ଚ୍ଚ ତାକୁ ଦେବାକୁ ପଡ଼େ ନାହିଁ–ଏ ସୁବିଧା ତାକୁ ଦିଆ ଯାଇଥିଲା । ବସନ୍ତ ଓ ଓଲାଉଠାର ପ୍ରାଦୁର୍ଭାବ ଦେଖି ତାହାର କଲିଜା ପାଣି ହୋଇଗଲା, କେତେବେଳେ ତାର ମନ ଭଲ ରହିଲା ନାହିଁ । ଏହା ତାହାର ଭୟ–ରୋଗର ଲକ୍ଷଣ ବୋଲି ମୁଁ ଜାଣି ପାରିଲି, ଦିନେ ସେ ମୋତେ ଦେହ ଦେଖାଇ କହିଲା–ମୋ ଦେହରେ ଏଗୁଡ଼ାକ କଅଣ ବାହାରିଛି ? ମୁଁ ଦେଖିଲି ପାଞ୍ଚ ଛ’ଟା ଖସ ( ଘିମିରି ) କିମ୍ବା କାଠବ୍ରଣ ପରି ତାହା ଦେଖା ଯାଉଛି, ସମସ୍ତଙ୍କ ଦେହରେ ସେହିପରି ଥାଏ, ସେ ତାକୁ ବସନ୍ତ ବୋଲି ଭୟ କରୁଥାଏ । ମୁଁ ଅନେକ ବୁଝାଇ ଶୁଝାଇ ସାହସ ଦେଇ କହିଲି, ମାତ୍ର ତାହାର ସନ୍ଦେହ ଦୂର ହେଲା ନାହିଁ । ମୁଁ ଉପର ତାଲାରେ ଥାଏଁ, ସେ ତଳେ ଥାଏ । ପ୍ରେସ୍‌କୁ ଯିବାବେଳ ହେଲେ ଯାଏ । ସେଦିନ ମୁଁ ଖାଇସାରି ଉପରତାଲାକୁ ଯାଇ ଲେଖାଲେଖିରେ ଲାଗିଲି । ଟଙ୍କା ପଇସା ସବୁ ତାହାରି ହାତରେ ଥାଏ । ସେଥିରୁ ସେ ତିନିଟଙ୍କା ଆଠଅଣା ନେଇ ଲୁଚିକରି ଷ୍ଟେସନକୁ ଚାଲିଗଲା । ମୁଁ ପାଞ୍ଚଟା ବେଳେ ତଳକୁ ଆସି ତାକୁ ନ ଦେଖି ପ୍ରେସ୍‌କୁ ଯାଇଥିବ ବୋଲି ଭାବି ଅପେକ୍ଷା କଲି । ସନ୍ଧ୍ୟା ହେଲା, ତେବେ ସୁଦ୍ଧା ଆସିଲା ନାହିଁ । ମୁଁ ଘରେ ଚାବି ପକାଇ ପ୍ରେସ୍‌କୁ ଗଲି । ଶୁଣିଲି–ସେଦିନ ସେ ପ୍ରେସକୁ ଆସି ନାହିଁ । ଗୁନ୍ନେୟା ଶାସ୍ତ୍ରୀ କହିଲେ ସେ ନିଶ୍ଚୟ ଭୟରେ ପଳାଇ ଯାଇଛି । ରେଲ ଆସିବା ବେଳ ହୋଇ ନାହିଁ, ଚାଲ ଷ୍ଟେସନକୁ ଯିବା । ପ୍ରେସ୍‌ ଚାକରକୁ ଗୋଟାଏ ଝଟକା ଡାକିବାକୁ କହିଲେ, ସେ ଯାଇ ଡାକି ଆଣିଲା । ଦୁହେଁ ଝଟକାରେ ବସି ଗଲୁଁ । ଦୁଇ ତିନିଜଣ ପ୍ରେସ୍‌ କର୍ମଚାରୀ ବି ସଙ୍ଗରେ ଗଲେ । ଝଟ୍‌ ଚାଲିବାରୁ ବୋଧହୁଏ ଝଟକା ନାମ ହୋଇଅଛି । ଝଟକା ଦଶମିନିଟ ମଧ୍ୟରେ ନେଇ ଷ୍ଟେସନରେ ପହୁଞ୍ଚାଇ ଦେଲା । ତେତେବେଳକୁ ରେଲ ଆସି ପହୁଞ୍ଚିଲାଣି । ହରମୋହନ ଟିକଟ କିଣି ରେଲରେ ଯାଇ ବସିଥିଲା । ପ୍ରେସକର୍ମଚାରୀମାନେ ତାକୁ ଧରି ଆଣିଲେ । ପଚାରିବାରୁ କହିଲା–ଅତିଶୟ ଭୟ ହେବାରୁ ମୁଁ ନ କହି ଚାଲିଆସିଲି । ଆପଣଙ୍କ ଟଙ୍କାରୁ ତିନିଟଙ୍କା ଆଠଅଣା ଆଣିଥିଲି, ସେହିଥିରେ ଟିକଟ କିଣି ଘରକୁ ଯାଉଛି । ଶାସ୍ତ୍ରୀ ଭାରୀ ବିରକ୍ତ ହେଲେ, ତହୁଁ ହରମୋହନ ଫେରିଆସିବାକୁ ବସିଲା, ମାତ୍ର ମୁଁ ମନାକରି କହିଲି–ଟିକଟଖଣ୍ଡ ନଷ୍ଟକରିବାର ଦରକାର ନାହିଁ, ତୁ ଘରକୁ ଯା, ବସନ୍ତ ଓଲାଉଠା ଛାଡ଼ିଗଲେ ମୁଁ ଚିଠି ଲେଖିବି, ରେଲ ଖର୍ଚ୍ଚ ମଧ୍ୟ ପଠାଇବି, ତେବେ ତୁ ଆସିବୁ । ଶାସ୍ତ୍ରୀଙ୍କୁ କହିଲି–ଯେ ଭୟରେ ଲୁଚିକରି ପଳାଇ ଯାଉଛି, ତାକୁ ବାଧ୍ୟକରି ରଖିବା ଭଲ ନୁହେଁ । ଶାସ୍ତ୍ରୀ ଆଉ କଛି କହିଲେ ନାହିଁ । ହରମୋହନ ରେଲରେ ଗଲା, ଆମ୍ଭେମାନେ ଫେରି ଆସିଲୁଁ ।

 

ହରମୋହନର ଭୟ କଥା ଶୁଣି ପର୍ଶୁରାମ ବାବୁ ହସିଲେ ଏବଂ କହିଲେ–ଆପଣ ତାକୁ ଫେରାଇ ନ ଆଣି ଅତି ଭଲ କରିଛନ୍ତି । ସେ ଭୟରେ ଆକଣ୍ଠମଗ୍ନ, ତାକୁ ଅଟକାଇବା ବିପଜ୍ଜନକ । ଏ ଦୁଇଟି ରୋଗ ବି ଅତି ଭୟରୁ ହୁଏ । ଯାହାହେଉ, ଆପଣଙ୍କର କିଛି ଅସୁବିଧା ହେବ ନାହିଁ । ପ୍ରେସ୍‌ କର୍ମଚାରୀମାନେ ଅନେକ ସାହାଯ୍ୟ କରିବେ । ଆପଣଙ୍କର ହୋଟେଲରେ ଖାଇବାର ବନ୍ଦୋବସ୍ତ କରିଦେବି । ଆପଣ ହୋଟେଲକୁ ଆସିବେ ନାହିଁ, ହୋଟେଲରେ ପାଚକ ବ୍ରାହ୍ମଣ ଖାଦ୍ୟପଦାର୍ଥ ନେଇ ଆପଣଙ୍କ ବସାରେ ଦେଇ ଆସିବ । ଫଳରେ ତାହାହିଁ ହେଲା । ଗୋସାଣି ନୂଆଗାଁର ସାଧବାଣୀ ନାନୀ ଭାପୁରରେ ହୋଟେଲ କରିଥିଲା । ପର୍ଶୁରାମ ବାବୁ ତାକୁ ଡାକି ମୋର ଆହାର ବ୍ୟବସ୍ଥା କରିଦେଲେ । ସାଧବାଣୀ ନାନୀ ସାମାନ୍ୟ ଲୋକ ନୁହେଁ, ବୁଦ୍ଧିରେ ଓକିଲ ବାରିଷ୍ଟରକୁ ହରାଇଦେଇ ପାରେ । ସେ ନିଃସନ୍ତାନା ବିଧବା, କିନ୍ତୁ ବହୁ ସମ୍ପତ୍ତିର ଅଧିକାରିଣୀ । ସମ୍ପତ୍ତି ନେବାପାଇଁ ତାହାର ପୁତୁରା ଅନେକ ମାଲିମକଦ୍ଦମା କଲା–ତାକୁ ନାନାପ୍ରକାର ବିପଦରେ ପକାଇବାକୁ ଚେଷ୍ଟା କଲା । ସେ ସମ୍ବନ୍ଧୀୟ ମକଦ୍ଦମା ମାନ୍ଦ୍ରାଜ ହାଇକୋର୍ଟଯାଏଁ ଗଲା । ସାଧବାଣୀ ନାନୀ କ୍ରମାନ୍ୱୟରେ ଏକତ୍ରିଶ ନମ୍ବର ମକଦ୍ଦମା ହାଇକୋର୍ଟରେ ଜିଣିଲା । ମୋ ବସାଘର ଖୁବ୍‌ ବଡ଼, ଏଡ଼େ ବସାରେ ମୁଁ ଏକୁଟିଆ । ଚାରିପାଖରେ ଗୋଳମାଳ, ମୁଁ ମଝିରେ ଥାଏଁ-। ଶାସ୍ତ୍ରୀ କହିଲେ–ଆପଣ ରାତିରେ ବସାରେ ଶୋଇବେ ନାହିଁ, ଖାଇସାରି ମୋ କୋଠା ଉପରେ ଯାଇ ଶୋଇବେ । ଉପାୟାନ୍ତର ନ ଦେଖି ମୋତେ ତାହାହିଁ କରିବାକୁ ହେଲା । ପ୍ରାୟ ଛ’ମାସ ପର୍ଯ୍ୟନ୍ତ ଏହିପରି ଏକୁଟିଆ କଟାଇଲି । ପ୍ରେସ୍‍କର୍ମଚାରୀଙ୍କ ହେତୁ ମୋର କୌଣସି ଅସୁବିଧା ହେଲା ନାହିଁ-। ଯେତେବେଳେ ଯାହା ଦରକାର ତାହା ସେମାନେ କିଣି ଆଣି ଦେଲେ । ପର୍ଶୁରାମ ବାବୁ ସମୟ ସମୟରେ ଆଚାର, କଲମି ଆମ୍ବ ପ୍ରଭୃତି ଦେଇ ପଠାନ୍ତି । କେବେ କେବେ ଜଳଖିଆ ମଧ୍ୟ ପଠାନ୍ତି-। କିଛିଦିନ ପରେ ମୋତେ ଜ୍ୱର ହେଲା । ପ୍ରଥମରେ ମୁଁ ହେଳା କଲି, ତହୁଁ ଜ୍ୱର ପ୍ରବଳ ହୋଇଉଠିଲା । ବିଦେଶ ଜାଗା, ତହିଁରେ ପୁଣି ଏକୁଟିଆ, ଏ ଅବସ୍ଥାରେ ମନ ଯାହା ହୁଏ, ତାହା କେବଳ ଭୁକ୍ତଭୋଗୀ ଜାଣିବେ । ମନରେ ବଡ଼ ଭୟ ହେଲା, ଜ୍ୱର କଥା ପର୍ଶୁରାମ ବାବୁଙ୍କୁ ଲେଖିପଠାଇଲି । ଘଣ୍ଟାକ ପରେ ସେ ଜଣେ ଡାକ୍ତର ସଙ୍ଗରେ ଘେନି ଆସିଲେ । ଡାକ୍ତରଙ୍କ ବ୍ୟବସ୍ଥାମତେ ଚାକର ଦ୍ୱାରା ଔଷଧ କିଣାଇ ଆଣିଲେ । ମୋତେ ନିର୍ଭୟ ହେବା ସକାଶ ନାନାପ୍ରକାର ସାନ୍ତ୍ୱନା ଦେଇ ସେ କୋର୍ଟକୁ ଗଲେ । ନିୟମିତ ଭାବରେ ମୋତେ ଔଷଧ ଦେବାପାଇଁ ଚାକରକୁ ମୋ ପାଖରେ ରଖିଗଲେ । ବାସ୍ତବରେ ମୁଁ ତାଙ୍କର ଉପକାର ଶୁଝି ପାରିବି ନାହିଁ । ମୁଁ ଡାକ୍ତର ସଙ୍ଗରେ କଥାବାର୍ତ୍ତା କରୁଥିବା ସମୟରେ ମୋର ଅଜ୍ଞାତରେ ମୋର ଲେଖା ଖାତା ଭିତରେ କୋଡ଼ିଏ ଟଙ୍କାର ଖଣ୍ଡେ ନୋଟ ରଖିଦେଇ ଲେଖି ଦେଇଗଲେ–‘‘ପ୍ରିୟ ଚିନ୍ତାମଣି ବାବୁ, କିଛି ମନରେ କରିବେ ନାହିଁ, କୋର୍ଟରୁ ଫେରିଲେ ମୁଁ ଆସିବି ।’’ ଚାରିଟା ପରେ ମୋତେ ଟିକିଏ ଭଲ ଜଣାଗଲା, ଲେଖିବା ପାଇଁ ଖାତା ଖୋଲି ନୋଟ ଏବଂ ଲେଖା ଦେଖି ଆଶ୍ଚର୍ଯ୍ୟ ହେଲି-। ତିନିଚାରିଦିନ ପରେ ସମ୍ପୂର୍ଣ୍ଣରୂପେ ଜ୍ୱର ଛାଡ଼ିଗଲା । ଦିନେ ଯାଇ କହିଲି–‘‘ମୋତେ ଜ୍ୱର ହୋଇଥିବା ସମୟରେ ଜଣେ ଅଦ୍ଭୁତ ଚୋର ମୋ ବସାରେ ପଶିଥିଲେ । କିଛି ନେଇନାହାନ୍ତି, ଅଧିକନ୍ତୁ କୋଡ଼ିଏ ଟଙ୍କା ରଖିଯାଇଥିଲେ । ପର୍ଶୁରାମ ବାବୁ ଶୁଣି ହସି ହସି କହିଲେ–‘‘ଚିନ୍ତାମଣି ବାବୁ, ସଂସାରରେ ଟଙ୍କାପଇସାର ମୂଲ୍ୟଠାରୁ ମନୁଷ୍ୟର ମୂଲ୍ୟ ଅଧିକ ।’’ ଜ୍ୱର ମୋତେ ଏପରି ଦୁର୍ବଳ କରି ପକାଇଥିଲା ଯେ ହୃତଶକ୍ତି ପାଇବାକୁ ପ୍ରାୟ ମାସାଧିକ କାଳ ଲାଗିଥିଲା । ଜଳବାୟୁ ପରିବର୍ତ୍ତନ ସକାଶ ଭଦ୍ରଖ ଆସିଲି । କ୍ଷେତ୍ରମୋହନ ବାବୁ ଗୋଟାଏ ବାଜିକରଣ ଔଷଧ ତୟାର କରିଦେଲେ, ତଦ୍ଦ୍ୱାରା ବିଶେଷ ଉପକାର ହେଲା ।

 

ପନ୍ଦରଦିନ ପରେ ଜଣେ ରୋଷାଇ କରିବା ଲୋକ ସଙ୍ଗରେ ନେଇ ବ୍ରହ୍ମପୁର ଗଲି । ଲୋକଟି ସ୍ୱଜାତି, ବୟସ ୧୭।୧୮ ହେବ, ମାତ୍ର ବିଦ୍ୟାଶୂନ୍ୟ ଭଟ୍ଟାଚାର୍ଯ୍ୟ । ବିଦ୍ୟାଦେବୀଙ୍କ ସଙ୍ଗରେ ଅପଡ଼ ହେବାରୁ ସେ ପାଠପଢ଼ା ରୂପ ଦୁଷ୍କାର୍ଯ୍ୟ ଛାଡ଼ିଦେଇଅଛି । ଲୋକଟା ଗୋଟାଏ ଅଦ୍ଭୁତ ଜୀବ, ଘରୁ ବାହାରିଲେ କଳି ଛଡ଼ା ଖାଲି ହାତରେ ଫେରେ ନାହିଁ । ଅକ୍ଷର କେତେଟା ଶିଖିଗଲେ ଡିଷ୍ଟ୍ରିବିଉଟ୍‌ କରି ତିନିଚାରି ଟଙ୍କା ଉପାର୍ଜନ କରିପାରିବ । ଏହି ଆଶାରେ ତାକୁ ଅକ୍ଷର ଶିଖାଇଲି । ଭୁବନେଶ୍ୱରର ବରୁଣ ଗଛପରି ତାହାର ପାଠୋନ୍ନତି ହେଲା । ଅଣଚାଶଟି ବର୍ଣ୍ଣ ଶିଖିବାକୁ ତାକୁ ପ୍ରାୟ ଦୁଇଅଣଚାଶ ଦିନ ଲାଗିଲା । କେଶ୍‌ ଶିଖାଇ ଦେବାକୁ ହେଡ଼କମ୍ପୋଜିଟରକୁ କହିଲି । କେଶ୍‌ର ଚିତ୍ର ଖଣ୍ଡେ କାଗଜରେ କାଟି ଦେଇ ଅତି ଆଗ୍ରହରେ ସେ ଶିଖାଇବାକୁ ଲାଗିଲା, ମାତ୍ର ପାଠ ତ କର୍ତ୍ତାଙ୍କର ଜାତକରେ ନାହିଁ, ସୁତରାଂ ପାଠ ଡରେ ତା ପାଖ ପଶିଲା ନାହିଁ । କେଶ୍‌ ପାଖରେ ଠିଆ କରାଇଦେଇ କ କେଉଁ ଘରେ ଅଛି ପଚାରିଲେ ମାଛ ଅଣ୍ଡାଳିଲା ପରି କେଶ୍‌ଯାକ ଅଣ୍ଡାଳି କହେ–‘‘ଏଇଠି ତ କେଉଁଠି କହିଦେଇଥିଲେ–ମୋର ହେତୁ ହେଉ ନାହିଁ ।’’ ତାହାପରି ପାକୁଡ଼ି–ଖୋର ଖୁବ୍‌ ଅଳ୍ପ ଥିବେ । ପାକୁଡ଼ି ପାଇଲେ ସେରେ ଖାଇଦେବ, ପୁଣି ସେତିକି ତାହାର ବାଳଭୋଗକୁ ନିଅଣ୍ଟ । କେବେ କେବେ ବଜାର ସଉଦାରୁ ଶ୍ରାଦ୍ଧ କରି ପାକୁଡ଼ି ଖାଏ । ଦିନେ ଗୋଟାଏ ମନୋହାରୀ ଦୋକାନ ଆଗରେ ଠିଆହୋଇ ବେଲୋରି ହାଣ୍ଡିର ଶୋଭା ଦେଖୁଥିଲା । ଦୂରକୁ କିପରି ସୁନ୍ଦର ଦିଶିବ ବୋଲି ପଛେଇ ପଛେଇ ଦୂରକୁ ଚାଲିଲା । ବାଟରେ ଗୋଟିଏ ପିଲା ତେଲ ଗିନା ଧରି ଯାଉଥିଲା, ଯାଉଁ ଯାଉଁ କୀର୍ତ୍ତିଚନ୍ଦ୍ର ତାକୁ ହାବୁଡ଼ିଲା । ନିଜେ ପଡ଼ିଲା, ପିଲାଟି ପଡ଼ିଲା, ତେଲ ବି ପଡ଼ିଗଲା । ପିଲାଟି କାନ୍ଦି କାନ୍ଦି ତାହା ପଛେ ପଛେ ଆସି ମୋ ବସାରେ ଉପସ୍ଥିତ । କହିଲା–‘‘ମୁଁ ଦାମୁଡ଼ିକର ତେଲ ଧରି ଯାଉଥିଲି, ଏ ପକାଇ ଦେଲା–ମୋ ବାପ ମାରିବ, ମୁଁ କଅଣ କରିବି ?’’ ମୁଁ ତାକୁ ପଇସାଟିଏ ଦେଇ କହିଲି–ଏହି ପଇସାରେ ତେଲ କିଣି ନେଇଯା । ସେ ଲୁହ ପୋଛି ଦେଇ ଖୁସି ହୋଇ ଚାଲିଗଲା । ବେଲୋରି ହାଣ୍ଡି ରସିକକୁ ପଚାରିବାରୁ କହିଲା–ମୁଁ କାହିଁକି ହାବୁଡ଼ିବି, ସେ ତାର ଆପେ ଆପେ ହାବୁଡ଼ି ପଡ଼ି ଯାଇଥିବ । ନିଜେ ନିଜ କାନ୍ଧରେ ବସିଲା ପରି ଏ ସୃଷ୍ଟିଛଡ଼ା କଥା ଶୁଣି ହସମାଡ଼ିଲା, ମନେ ମନେ ତାର ବୁଦ୍ଧିର ପ୍ରଶଂସା କଲି । ଦିନେ ଭାତ ଅଧଥାଳିଏ ବଳିଲା, ତାକୁ ଏବେ କେଉଁଠି ପକାଇବ, କୂଅ ମୂଳରେ ପକାଇଲେ ମୁଁ ବିରକ୍ତ ହେବି–ତହୁଁ ସୂକ୍ଷ୍ମ ବୁଦ୍ଧି ବାହାର କରି ପାଚିରୀ ଡେଇଁ ପଡ଼ିଶା ଘର ବାହାରକୁ ଫିଙ୍ଗି ଦେଲା । ସେତ ତେଲଙ୍ଗା, ଡାମରା କୁଆପରି ମେଳ ବାନ୍ଧି ରାଉ ରାଉ ବାହାରି ଆସିଲେ । ତାଙ୍କୁ ଆଇନ୍‌ ଦେଖାଇ ମକଦ୍ଦମା କରିବାକୁ ରାଏ ଦେଇବସିଲା । ମୁଁ ହାଡ଼ୀଆଣୀକୁ ଡାକି ଦୁଇପଇସା ଦେଇ ସଫା କରିଦେବାକୁ କହିଲି । ତହୁଁ ଉନ୍ମତ୍ତ ରଣଯାତ୍ରୀଦଳ ଫେରିଗଲେ । ଆମ ନବାବଙ୍କୁ ପଚାରିବାରୁ କହିଲେ–ମୁଁ କାହିଁକି ପକାଇବି କୁଆ ପକାଇଥିବ । କୁଆ ଅଧଥାଳିଏ ଭାତ ଥଣ୍ଟରେ ନେଇ ପକାଇବା ତାକୁ ସମ୍ଭବ ବୋଧ ହେଲା । ଲୋକଟି ଏହିପରି ବୁଦ୍ଧିମାନ୍‌ । ଆଉ ଦିନେ ଗୋଟାଏ ଦୁଇ ପଇସି ଦେଇ ଚିନି ଆଣିବାକୁ ପଠାଇଲି । ଫେରିଆସି ମୋତେ ଗୋଟାଏ ପଇସା ଦେଇ କହିଲା–‘‘ଦୋକାନ ଖୋଲି ନାହିଁ, ବାଟରେ ଗୋଟାଏ ପଇସା ହଜିଗଲା, ଏହି ଗୋଟାକ ନିଅ ।’’ ଏଥିରେ ମୁଁ ହସିବି କି ରାଗିବି କିଛି ସ୍ଥିର କରି ପାରିଲି ନାହିଁ । ପଚାରିଲି–‘‘ତୁ ତ ଦୁଇପଇସି ଗୋଟାଏ ନେଇଥିଲୁ, ଗୋଟା ପଇସା କାହୁଁ ଆସିଲା ଯେ ଗୋଟାଏ ହଜିଗଲା ?’’ ତହୁଁ ସେ କହିଲା–କେଜାଣି, ମୁଁ ତ ହାତରେ ମୁଠାଇ ନେଇ ଯାଇଥିଲି, ବାଟରେ ଆସୁଁ ଆସୁଁ ଦେଖିଲି ଯେ ଗୋଟେ ଅଛି ।’’ ଏହିପରି ତାହାର ଭାନୁମତୀ ଲୀଳା ଲେଖିଲେ ସରିବ ନାହିଁ । ଏହିପରି ଲୋକଟିକୁ ବା ପଶୁଟିକୁ ନେଇ ମୁଁ କଅଣ କରିବି ବୁଦ୍ଧି ଦିଶିଲା ନାହିଁ । ଶେଷରେ ତାହାଦ୍ୱାରା ଆଉ ବଜାର ସଉଦା ନ କରାଇ ପ୍ରେସ୍‌ କର୍ମଚାରୀଙ୍କ ଦ୍ୱାରା କରାଇବାକୁ ହେଲା । ତଥାପି ମୋର ନାମ ଧରି ଗୁଡ଼ିଆ ଦୋକାନରୁ ଦଶ ଅଣାର ପାକୁଡ଼ି ଖାଇ ଦେଇଥିଲା । ପରେ ଜାଣି ମୁଁ ତାହା ପରିଶୋଧ କରିଦେଲି ।

 

ମୟୂରଭଞ୍ଜର କେତେ ଜଣ ଓଡ଼ିଆ କର୍ମଚାରୀ ମିଶି ବାରିପଦାରୁ ଖଣ୍ଡେ ଓଡ଼ିଆ ସମ୍ବାଦପତ୍ର ପ୍ରକାଶର ଆୟୋଜନ କଲେ । ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଏହି ଅନୁଷ୍ଠାନ ପାଇଁ ଦୁଇଶମାଣ ଭୂମି ଦେଲେ । ତାହାରି ଆୟ ପତ୍ରିକାର ମୂଳଦୁଆ ହେଲା । ସ୍ୱୟଂ ମହାରାଜା ‘‘ମନୋରମା’’ ବୋଲି ପତ୍ରିକାର ନାମକରଣ କଲେ । ପତ୍ରିକା ବାହାରିଲା, ମୟୂରଭଞ୍ଜ ହାଇସ୍କୁଲର ସେକେଣ୍ଡ ପଣ୍ଡିତ ବୈଦ୍ୟନାଥ ଦାଶ ସମ୍ପାଦକ ନିଯୁକ୍ତ ହେଲେ । ବୈଦ୍ୟନାଥ ବାବୁ ଜଣେ ନିର୍ଭୀକ ଟାଣୁଆ ଲେଖକ । ମୟୂରଭଞ୍ଜରେ ବଙ୍ଗାଳିମାନଙ୍କ ପ୍ରଭାବ ବିଷୟରେ ଦୀର୍ଘ ଦୀର୍ଘ ପ୍ରବନ୍ଧ ବାହାରିଲା । କେତେ ରଙ୍ଗ ରହସ୍ୟ, ଲକ୍ଷ୍ୟ ଲକ୍ଷଣାଯୁକ୍ତ ପ୍ରବନ୍ଧ ମଧ୍ୟ ପ୍ରକାଶିତ ହେଲା । ‘‘ମାଧିଆ କାହାଣୀ, ସାଆନ୍ତଘର କଥା’’ ପ୍ରଭୃତି ପ୍ରବନ୍ଧରେ ବଙ୍ଗାଳିମାନଙ୍କର କାଣ୍ଟି ବାହାରିଲା । ବାରିପଦା କମ୍ପି ଉଠିଲା–ବଙ୍ଗାଳିମାନେ ଉତ୍ତେଜିତ ହୋଇ ଉଠିଲେ । ଓଡ଼ିଆ ବଙ୍ଗାଳୀ ମଧ୍ୟରେ ବିଦ୍ୱେଷାନଳ ଜଳି ଉଠିଲା । ମନୋରମା ଲେଖିଲା–ସିନ୍ଧବାଦ ବଣିକ କାନ୍ଧରେ ବସି ଦୈତ୍ୟ ଯେପରି ଗୋଡ଼ରେ ତାହାରି ତଣ୍ଟି ଚିପି ଧରିଲା, ଓଡ଼ିଆଙ୍କ ପ୍ରତି ବଙ୍ଗାଳୀଙ୍କ ବ୍ୟବହାର ଠିକ୍‌ ସେହିପରି । ଏଥିରେ ବଙ୍ଗାଳିମାନେ ମନୋରମା ନାମରେ ମାନହାନିରେ ମକଦ୍ଦମା କଲେ । ଏହା ମନୋରମାର ନିଜ ଲେଖା ନୁହେଁ–କଲିକତାର ଓ୍ୱାୟାର୍ଲେସ୍‌ ରେକଡ଼ ନାମକ ଇଂରାଜୀ ମାସିକ ପତ୍ରିକାକୁ ନ ଧରି ମନୋରମା ଉପରେ ବଜ୍ରପ୍ରହାର କରିବାକୁ ବସିଲେ । ଲେଖାର ଦୋଷାଦୋଷ ସମ୍ବନ୍ଧରେ ବୈଦ୍ୟନାଥ ବାବୁ ସମଗ୍ର ଉତ୍କଳର ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ ସଂଗ୍ରହ କରି ଧାରାବାହିକ ରୂପେ ପ୍ରକାଶ କଲେ । ଅଧିକାଶଂ ବ୍ୟକ୍ତି ମକଦ୍ଦମାକୁ ବିଦ୍ୱେଷମୂଳକ ବୋଲି ସ୍ପଷ୍ଟ ମତ ପ୍ରକାଶ କଲେ । ମୋର ମତ ମଧ୍ୟ ଲୋଡ଼ା ହୋଇଥିଲା । ମୁଁ ଲେଖିଥିଲି–‘‘ଏ ମକଦ୍ଦମା ମୟୂରଭଞ୍ଜର ବଙ୍ଗାଳୀ ପ୍ରାଧାନ୍ୟର ଗୋଟାଏ ବିଶେଷ ଦୃଷ୍ଟାନ୍ତ ।’’ ବାସ୍ତବରେ ଷେଣ୍ଢ ଧାନ ଖାଇବା ତନ୍ତୀ ବନ୍ଧା ହେବା କରି ଏ ନ୍ୟାୟ ।

 

ଇଚ୍ଛାପୁର ଯିବାପାଇଁ ସୁରଙ୍ଗୀ ରାଜା ଏକାଧିକ ଥର ପତ୍ର ଲେଖିଥିଲେ, ମୁଁ ‘‘ହଁ ଯିବି, ହଁ ଯିବି’’ କହି ଯାଇ ପାରି ନ ଥିଲି । ଗଞ୍ଜାମ ଭ୍ରମଣ ବାହାରି ସାରିଲା ପରେ ଦିନେ ସେ ଜୟକୃଷ୍ଣକୁ ବ୍ରହ୍ମପୁର ପଠାଇ ଦେଲେ, ସେ ମୋତେ ଇଚ୍ଛାପୁର ନେଇଗଲା, ତେତେବେଳେ ଇଚ୍ଛାପୁରରେ ସୂରଙ୍ଗୀ ରାଜାଙ୍କର ନୂଆ ନଅର ତିଆରି ଲାଗିଥାଏ । ମୁଁ ଯାଇ ରାଜାଙ୍କ ସଙ୍ଗରେ ଦେଖା କଲି । ପ୍ରଥମେ ଗଞ୍ଜାମ ଭ୍ରମଣ କଥା ପଡ଼ିଲା । ରାଜା କହିଲେ–‘‘ଆପଣ ବର୍ଷେ ହେଲା ବ୍ରହ୍ମପୁରରେ ଅଛନ୍ତି, ଥରେ ଇଚ୍ଛାପୁର ଭ୍ରମଣ କରିବାକୁ ଆସିଲେ ନାହିଁ । ଗଞ୍ଜାମ ଭ୍ରମଣ ତ ସରିଲା, ଏବେ ମାନ୍ଦ୍ରାଜ ଭ୍ରମଣ ଆରମ୍ଭ ହେଉ ।’’ ମୁଁ କହିଲି–‘‘ଗଞ୍ଜାମ ଭ୍ରମଣ ମୁଁ ଲେଖିଛି ବୋଲି କିଏ କହିଲା-?’’ ତହୁଁ ରାଜା ହସି ହସି କହିଲେ–‘‘ନା, ଆଉ କେହି କହି ନାହିଁ–ଆପଣଙ୍କ ଲେଖାମାନ ମହାପ୍ରସାଦ ଧରି ଶାଳଗ୍ରାମ ଛୁଇଁ ନିୟମ କରି କହିଛି ।’’ ସେଠାରେ ଚକ୍ରପାଣି ସାମନ୍ତ ଥିଲେ, ସେ ଗଞ୍ଜାମ ଭ୍ରମଣରୁ କେତେ ଧାଡ଼ି ଗାଇଗଲେ । ଖୁବ୍‌ ଗୋଟାଏ ହାସ୍ୟ କୌତୁକ ଲାଗିଲା । ପୂର୍ବରୁ ରାଜା ପ୍ରହ୍ଲାଦ ଚରିତ ଏବଂ ରୁକ୍ମଣୀ ପରିଣୟ ନାମରେ ଦୁଇଖଣ୍ଡି ନାଟକ ଲେଖିଥିଲେ । ସେଥିର ଗୀତଗୁଡ଼ିକରେ ଉପଧା ନ ଥିଲା । ରାଜା ସେଗୁଡ଼ିକ ଭାଙ୍ଗି ଉପଧା ପକାଇ ଆଉଥରେ ଲେଖୁଥିଲେ । ପାଣ୍ଡୁଲିପି ନିଜେ ପଢ଼ି ମୋତେ ଶୁଣାଇଲେ । କେତେ ସ୍ଥାନରେ ବର୍ଣ୍ଣନା ଅଧିକ ପଲ୍ଲବିତ ହୋଇ ଯାଇଥିଲା, ମୁଁ ତାକୁ ସଂକ୍ଷେପ କରି ଦେବାକୁ କହିଲି । ରାଜା କହିଲେ–ଲେଖା ଶେଷରେ ଆପଣ ଥରେ ଦେଖିଲେ ଭଲ ହୁଅନ୍ତା । ମୁଁ କହିଲି–ପାଣ୍ଡୁ ଲିପି ଡାକରେ ପଠାଇଦେଲେ ମୁଁ ଦେଖିସାରି ଫେରାଇ ଦେବି । ରାଜା କହିଲେ–‘‘ନା, ସେପରି ହେଲେ ଚଳିବ ନାହିଁ । ଆପଣ କେଉଁଠି କାହିଁକି କାଟିଲେ ମୁଁ ତାହା ଜାଣି ପାରିବି କିପରି ? ଆପଣ ଇଚ୍ଛାପୁରରେ କିଛିଦିନ ରହି ମୋ ଆଗରେ ସଂଶୋଧନ କରିବେ, ତା’ହେଲେ ମୁଁ ମୋର ଭ୍ରମ ବା ତ୍ରୁଟି ସହଜରେ ବୁଝି ପାରିବି-।’’ ରାଜାଙ୍କର ଶିଖିବାର ପିପାସା କିପରି ବଳବତୀ ଥିଲା, ତାହା ତାଙ୍କର ଉପରୋକ୍ତ ଉକ୍ତିରୁ ଅନୁମେୟ । ଜଣେ ମୁକୁଟଧାରୀ ରାଜାଙ୍କ ମୁଖରେ ଏରୂପ କଥା ପ୍ରାୟଶଃ ଦୁର୍ଲଭ । ମୁଁ କହିଲି–ଲେଖା ଶେଷରେ ମୋତେ ସମ୍ବାଦ ଦେଲେ ମୁଁ ଆସିବି । ରାଜା ସେଥିରେ ସମ୍ମତ ହେଲେ ।

 

ଜୟକୃଷ୍ଣ ମୋର ଛାତ୍ର, ତାହା ବସାରେ ରହିବା ପାଇଁ ମୋତେ ବାଧ୍ୟ କରିବାରୁ ମୁଁ ସେହିଠାରେ ରହିଲି । ତେତେବେଳକୁ ଉତ୍କଳବାସୀର ମୁମୂର୍ଷୁ ଅବସ୍ଥା ହୋଇ ଆସିଲାଣି । ମୋ ପରେ ଦାମୋଦର କବିରତ୍ନ ଉତ୍କଳବାସୀର ସମ୍ପାଦକ ହେଲେ । ସେ କର୍ମଚାରୀଙ୍କ ଉପରେ ଭାର ଦେଇ ନିଶ୍ଚିତ ରହିଲେ । କର୍ମଚାରୀମାନେ ତାଙ୍କଠାରୁ ସ୍ୱାଧୀନତା ପାଇ ଯଥେଚ୍ଛ ବ୍ୟବହାର କଲେ-। କେତେ ସପ୍ତାହର କାଗଜ ଡାକରେ ନ ଦେଇ ପୋଡ଼ି ପକାଇ ଟିକଟଯାକ ମାରିନେଲେ, ଦାମୋଦର ବାବୁ ତାହା ଜାଣି ପାରିଲେ ନାହିଁ । ପତ୍ରିକା ନିୟମିତ ରୂପେ ଗ୍ରାହକମାନେ ପାଇଲେ ନାହିଁ, ହିସାବ କିତାବରେ ମଧ୍ୟ ନାନା ଗୋଳମାଳ ହେଲା । ଏହିସବୁ କାରଣରୁ ପତ୍ରିକା ଉପରୁ ରାଜାଙ୍କର ମନ ଚଟିଯାଇଥିଲା, ମାତ୍ର ହଠାତ୍‌ ବନ୍ଦ କରିଦେଲେ ଗୋଟାଏ ଅଖ୍ୟାତି ହେବ ବୋଲି ତାହା କରି ନ ଥିଲେ । ମୋତେ ଇଚ୍ଛାପୁର ଆସିବାର ଦେଖି କବିରତ୍ନ ଗୋଟାଏ ଅମୂଳକ ଆଶଙ୍କା ପୋଷଣ କଲେ । ତାଙ୍କର ପ୍ରକୃତି ବଡ଼ ଉଶ୍ୱାସ, ସୂତରାଂ ସେ କଥା ପେଟରେ ରଖି ପାରନ୍ତି ନାହିଁ । ସେ ଚାରିଆଡ଼େ ଜୟକୃଷ୍ଣର କୁତ୍ସା ଗାଇ କହି ବୁଲିଲେ–‘‘ଜୟକୃଷ୍ଣ ସଙ୍ଗରେ ମୋର ବନେ ନାହିଁ ବୋଲି ସେ ରାଜାଙ୍କ ପାଖରେ ମୋ ନାମରେ ଖଚ କହି ମୋତେ ତଡ଼ିବାକୁ ଯତ୍ନ କରୁଛି । ସେହି ଏକା ଷଡ଼ଯନ୍ତ୍ର କରି ଚିନ୍ତାମଣି ମହାନ୍ତିଙ୍କୁ ବ୍ରହ୍ମପୁରରୁ ନେଇ ଆସିଛି । ସେ ଉତ୍କଳବାସୀର ସମ୍ପାଦକ ହେବେ, ଜୟା ମୋର ଦାନା ମାରିଲା ।’’ ମୁଁ ଏକଥା ଶୁଣି ଭାବିଲି–ମୁଁ ଇଚ୍ଛାପୁରରେ ଯେତେ ଦିନ ରହିବି କବିରତ୍ନଙ୍କ ଆଶଙ୍କା ତେତିକି ବଢ଼ିବ । ପୁଣି ନିର୍ଦ୍ଦୋଷ ଜୟକୃଷ୍ଣ ପ୍ରତି ମଧ୍ୟ ତାଙ୍କର ଆକ୍ରୋଶ ବଢ଼ିବ । ଅତଏବ ଏଠାରୁ ଶୀଘ୍ର ବାହାରିଗଲେ ମଙ୍ଗଳ, ନଚେତ୍‌ ବୃଥାରେ ଗୋଟାଏ କଳଙ୍କ ବହିବାକୁ ହେବ । ତେତେବେଳକୁ ମୋର ଇଚ୍ଛାପୁର ଆସିବା ଆଠ ଦଶଦିନ ହୋଇ ଗଲାଣି । କବିରତ୍ନଙ୍କ ବ୍ୟବହାର ଏବଂ ଦୁର୍ବଳ ମନ ବିଷୟରେ ଜୟକୃଷ୍ଣ ସଙ୍ଗରେ ଅନେକ କଥାବାର୍ତ୍ତା ହେଲା-। ମୁଁ ସେହିଦିନ ଯାଇ ରାଜାଙ୍କୁ ବିଦାୟ ମାଗିଲି । ରାଜା କହିଲେ–ଏତେ ତରତର କାହିଁକି, ସ୍ୱଦେଶଲକ୍ଷ୍ମୀ ତ ମାସକ ପରେ ବାହାରିବ, ଆଉ କିଛି ଦିନ ରହନ୍ତୁ । ତାଙ୍କର ଆଗ୍ରହ ଦେଖି ଆଉ କିଛି କହିବାକୁ ମୋର ମୁହଁ ଫିଟିଲା ନାହିଁ ।

 

ତାହା ପରଦିନ ଜୟକୃଷ୍ଣକୁ ଡକାଇ ନେଇ ପଚାରିଲେ–‘‘ମହାନ୍ତି ଯିବାପାଇଁ ଏତେ ଚଞ୍ଚଳ କାହିଁକି ହେଉଛନ୍ତି ? ଜୟକୃଷ୍ଣ କବିରତ୍ନଙ୍କ ଦୁର୍ଚ୍ଛନା ଦେବାକଥା କହି ସାରି କହିଲା ଆଉ ଦୁଇ ଚାରି ଦିନ ରହିବା ପାଇଁ ମୁଁ ତାଙ୍କୁ ଢେର କହିଲିଣି, ମାତ୍ର ସେ କହିଲେ ‘‘ଦାମୋଦର ବାବୁ ମୋର ଜଣେ ବନ୍ଧୁ ବୋଲି ମୁଁ ଜାଣେ, ମାତ୍ର ମୋ ପ୍ରତି ସେ ଏପରି ସନ୍ଦେହ କରିବେ ବୋଲି ମୁଁ କଳ୍ପନା ସୁଦ୍ଧା କରି ନ ଥିଲି । ମୁଁ ଏଠାରୁ ନ ଯିବା ଯାଏଁ ତାଙ୍କର ସନ୍ଦେହ ଯିବ ନାହିଁ । ସେ ତ ଦାନା ଯିବା ପର୍ଯ୍ୟନ୍ତ ସ୍ୱପ୍ନ ଦେଖି ସାରିଲେଣି, ଆଉ ଦିନେ ଦୁଇଦିନ ରହି ତାଙ୍କର ଆଶଙ୍କା ବଢ଼ାଇବି କାହିଁକି ? ଜଣେ ବ୍ରାହ୍ମଣ ମନରେ ଯଦି ମୋ ସକାଶ ଦୁଃଖ ହୁଏ, ତେବେ ସେ ଦୁଃଖଠାରୁ ମୋର ଦୁଃଖ ବଳି ପଡ଼ିବ ।’’ ରାଜା ଶୁଣି ଆଶ୍ଚର୍ଯ୍ୟ ହେଲେ ଏବଂ ସେହିକ୍ଷଣି କବିରତ୍ନଙ୍କୁ ଡକାଇ ନେଇ ଏହି ମିଥ୍ୟା ଅପବାଦ ରଟନା କରିବା ସକାଶ ବିରକ୍ତି ପ୍ରକାଶ କରି କହିଲେ–‘‘ଚିନ୍ତାମଣି ମହାନ୍ତି ତୁମ୍ଭ ଚାକିରି ଛଡ଼ାଇ ନେବାକୁ ଆସି ନାହାନ୍ତି–ମୁଁ ଡାକିବାରୁ ଆସିଛନ୍ତି । ସେ ଉତ୍କଳବାସୀର ଜନ୍ମଦାତା, ସେ ଇଚ୍ଛାକଲେ ମୁଁ ଏହିକ୍ଷଣି ତାଙ୍କ କାର୍ଯ୍ୟ ତାଙ୍କୁ ଦେବାକୁ ପ୍ରସ୍ତୁତ ଅଛି, ମାତ୍ର ସେ ତାହା କରିବେ ନାହିଁ । ଜଣେ ଭଦ୍ରଲୋକ ନାମରେ ଦୁର୍ନାମ ରଟନା କରିବା କୌଣସି ଭଦ୍ରଲୋକର କାର୍ଯ୍ୟ ନୁହେଁ ।’’ କବିରତ୍ନେ ସେହିକ୍ଷଣି ଲେଉଟି ପଡ଼ିଲେ ଏବଂ ବିସ୍ମୟ ପ୍ରକାଶ କରି କହିଲେ–‘‘ନା ମହାରାଜା, ମୁଁ କିଛି କହିନାହିଁ, ଏସବୁ ନାଟର ସର୍ଦ୍ଦାର ଏକା ଜୟକୃଷ୍ଣ । ଆମ ବନ୍ଧୁ ବନ୍ଧୁ ମଧ୍ୟରେ ମନାନ୍ତର ଜନ୍ମାଇବା ପାଇଁ ସେହି ଏତେ କୂଟ କରିଛି । ଚିନ୍ତାମଣି ବାବୁ ମୋର ଭାଇ ବିଦ୍ୟାରତ୍ନଙ୍କ ପରମ ବନ୍ଧୁ, ସେଥିପାଇଁ ମୁଁ ତାଙ୍କୁ ବଡ଼ ଭାଇ ପରି ଭକ୍ତି କରେଁ । ଜୟା ବଡ଼ ଖଚୁଆ, ସେ ମୋ ନାମରେ ବି ଶ୍ରୀଛାମୁରେ ଖଚ ଚୁଗୁଲି ଫୋଡ଼ୁଥିବ ।’’ ଗୋଟିଏ ନିର୍ଦ୍ଦୋଷ ଗରିବ ପିଲାର ଅପବାଦ ଶୁଣି ରାଜା ବଡ଼ ବିରକ୍ତ ହେଲେ, କବିରତ୍ନେ ଆଉ କିଛି ନ କହି ମୁହଁ ଶୁଖାଇ ଫେରି ଆସିଲେ । ପରେ ଜୟକୃଷ୍ଣଠାରୁ ମୁଁ ଏହା ଶୁଣିଥିଲି ।

 

ବର୍ଷକ ପରେ ଉତ୍କଳବାସୀର ହିସାବ ବୁଝାଗଲା । ଅନେକ ଦୋଷ ବାହାରିଲା । କେତେ ଗ୍ରାହକ ପତ୍ରିକାର ମୂଲ୍ୟ ପରିଶୋଧ କରିଅଛନ୍ତି, ଅଥଚ ଖାତା ପତ୍ରରେ ସେମାନଙ୍କ ନାମରେ ବାକୀ ଗଡ଼ୁଥିବାର ଦେଖାଗଲା । ସେହି ବାକୀ ଟଙ୍କା ସବୁ କବିରତ୍ନଙ୍କ ଉପରେ ଚଢ଼ିଲା । ପ୍ରତିମାସ ତାଙ୍କ ବେତନରୁ ଦଶଟଙ୍କା ଲେଖାଏଁ କଟା ହୋଇ ବାକୀ ଆଦାୟ କରାଗଲା । ରାଜା ବିରକ୍ତ ହୋଇ ସେହିଠାରୁ ପତ୍ରିକା ବନ୍ଦ କରିଦେଲେ । ପତ୍ରିକା ପାଇଁ ଯେଉଁ ବ୍ୟୟ ହେଉଥିଲା, ସେହି ବ୍ୟୟରେ ଇଚ୍ଛାପୁରରେ ଗୋଟିଏ ସେକେଣ୍ଡରେ (ମାଇନର) ସ୍କୁଲ ସ୍ଥାପନ କଲେ । କେତେ ବର୍ଷ ପରେ ସେହି ସେକେଣ୍ଡରେ ସ୍କୁଲ ମେଟ୍ରିକ୍ୟୁଲେସନ ସ୍କୁଲରେ ପରିଣତ ହେଲା । ଇଚ୍ଛାପୁରରେ ସୁରଙ୍ଗୀ ରାଜାଙ୍କର ତାହା ଗୋଟିଏ ବିମଳକୀର୍ତ୍ତି । ତାଙ୍କର କୃପାଦୃଷ୍ଟି ପଡ଼ି ନ ଥିଲେ ଇଚ୍ଛାପୁର ଅବଧି ଅନ୍ଧକାରରେ ଆଚ୍ଛନ୍ନ ହୋଇ ରହିଥାଆନ୍ତା । ଏହି ହାଇସ୍କୁଲଟି ତାଙ୍କର ନିଃସ୍ୱାର୍ଥ ପରାୟଣତାର ଶୁଭ ସ୍ୱର୍ଣ୍ଣ ସ୍ମୃତି ସ୍ତମ୍ଭ ।

 

ରାଜାଙ୍କଠାରୁ ବିଦାୟ ନେଇ ବ୍ରହ୍ମପୁର ଆସିଲି । ପୁଣି କିଛିଦିନ ପରେ ଇଚ୍ଛାପୁର ଯିବାକୁ ହେଲା । ସ୍ୱନାମ ଧନ୍ୟ ନରସିଂହ ଦାସ ଇଚ୍ଛାପୁରର ସବ୍‌ରେଜିଷ୍ଟ୍ରାର ହୋଇ ଆସିଲେ । ତାଙ୍କ ବସାକୁ ଯିବା ସକାଶ ସେ ଅନେକ ଥର ମୋତେ ଆମନ୍ତ୍ରଣ କଲେ । ମୁଁ ଯିବି ଯିବି ହୋଇ ସମୟାଭାବରୁ ଯାଇ ପାରେ ନାହିଁ । ଦିନେ ନରସିଂହ ବାବୁ ନିଜେ ଆସି ମୋତେ ଇଚ୍ଛାପୁର ନେଇଗଲେ । ମୁଁ ତାଙ୍କ ବସାରେ ଚାରିଦିନ ରହିଲି । ନରସିଂହ ବାବୁ ଆଦର ଗୌରବରେ ଭସାଇ ଦେଲେ । ମୁଁ ଜଣେ ମାତ୍ର କୁଣିଆ, ମୋ ପାଇଁ ପ୍ରତିଦିନ ଚାରିସେର ମାଛ ଏବଂ ତିନିସେର ଦୁଧର ବ୍ୟବସ୍ଥା ହେଲା । କିନ୍ତୁ ଖାଉଛି କିଏ, ସେଥିରୁ ଅଧିକାଂଶ ପୂଝାରୀ ଚାକରଙ୍କର ଭୋଗରେ ଲାଗେ-। ତାଙ୍କର ବିପୁଳ ଆୟୋଜନ ଦେଖି ମୁଁ ଭାବେଁ–ବିଧାତା ମୋତେ ଚାରିଟା ପେଟ ଦେଇଥିଲେ ସେ ଆୟୋଜନକୁ ସମାନ ହୋଇପାରନ୍ତା ।

 

ଦିନେ ସକାଳେ ନରସିଂହ ବାବୁଙ୍କ ବସାରୁ ମୁଁ ପ୍ରେସ୍‌ ଅଫିସ୍‌କୁ ଆସୁଥିଲି । ଖଣ୍ଡେ ଦୂର ପରେ ଜଣେ ତେଲଙ୍ଗା ଭଦ୍ରଲୋକ ମୋର ସାଙ୍ଗ ଧରିଲେ । ନୀରବରେ ଦୁହେଁ ଚାଲିଥାଉଁ । ଭଦ୍ରଲୋକଟି ଘନ ଘନ ମୋର ଆପାଦ ମସ୍ତକ ନିରୀକ୍ଷଣ କରୁଥାଆନ୍ତି । କେତେ ବାଟ ଆସିଲା ପରେ ମୋତେ ପଚାରିଲେ–‘‘ଆପଣ କେଉଁଠି ଆସିଲେ ?’’ ମୁଁ କହିଲି–‘‘ସବ୍‌ରେଜେଷ୍ଟ୍ରାରଙ୍କ ବସାରୁ ।’’ ତହୁଁ ସେ ମୋତେ କୁଣ୍ଢାଇ ପକାଇ କହିଲେ–‘‘ଆପଣ ନରସିଂହ ବାବୁଙ୍କ ବନ୍ଧୁ, ଆପଣଙ୍କ ଘର ବାଲେଶ୍ୱର ଜିଲ୍ଲାରେ, ଏହା ମୁଁ ଜାଣେ । କାଲି ନରସିଂହ ବାବୁ ଆପଣଙ୍କ କଥା ଅନେକ କହୁଥିଲେ । ସେ ମୋର ବନ୍ଧୁ, ଆପଣ ତାଙ୍କର ବନ୍ଧୁ, ଏହି ହିସାବରେ ମୋର ବି ବନ୍ଧୁ ।’’ ମନେ ମନେ କହିଲି–ସମ୍ପର୍କ ମନ୍ଦ ନୁହେଁ । ଜ୍ୟାମିତିର ତୃତୀୟ ସ୍ୱତଃସିଦ୍ଧ ଅନୁସାରେ ଏ ବନ୍ଧୁତ୍ୱ ପ୍ରମାଣିତ ହେଲା । ଏଡ଼େ ଶସ୍ତାରେ ବନ୍ଧୁ ମିଳିବା ତ ଭାଗ୍ୟର କଥା । ନୂତନ ବନ୍ଧୁ ଏଥର ନିଜର ପରିଚୟ ଦେଇ କହିଲେ–‘‘ମୁଁ ଏଠାକାର ଡାକ୍ତର, ଚାଲନ୍ତୁ ଡାକ୍ତରଖାନାକୁ ଯିବା, କଥାବାର୍ତ୍ତା ହେବା, ମୁଁ ଆଜି ଆପଣଙ୍କୁ ଦେଖା କରିବାକୁ ଯିବି ବୋଲି ନରସିଂହ ବାବୁଙ୍କୁ କହିଥିଲି, ଦୈବାତ୍‌ ବାଟରେ ଦେଖାହୋଇଗଲା । ଭାଇ ମୁଁ ବଡ଼ ବନ୍ଧୁରଙ୍କ ।’’ ମନେ ମନେ କହିଲି–ତା ନ ହେଲେ ଆପଣ ବାଟଘାଟରେ ବନ୍ଧୁ ରୁଣ୍ଡାନ୍ତେ କାହିଁକି ? ପ୍ରକାଶ୍ୟରେ କହିଲି–‘‘ମୋର ବି ଆଜି ସୁପ୍ରଭାତ, ବାହାରିବା ବେଳେ ଶଙ୍ଖଚିଲ ମୁହଁ ଚାହିଁ ଆସିଥିଲି, ଆପଣଙ୍କୁ ବନ୍ଧୁ ରୂପରେ ପାଇ ମୁଁ ନିଜକୁ କୃତାର୍ଥ ମଣୁଅଛି ।’’ ଡାକ୍ତର ଗାରୁ ଭାରୀ ଖୁସି ହୋଇ କେଉଁ କାଳର ପୁରୁଣା ବନ୍ଧୁ ପରି ରସାଳିଆ କଥାରେ ମୋତେ ମୁଗ୍‌ଧ କରିଦେଇ ହାତଧରି ମୋତେ ତାଙ୍କ ଅଫିସ ଗୃହକୁ ଘେନିଗଲେ । ମୁଁ ଯାଇ ଗୋଟାଏ ଚୌକିରେ ବସିଲି । ଡାକ୍ତର ଲୋକ ପଠାଇ ନାସ, ପିକା, ପାନ ଆଣି ମୋ ପାଖରେ ଗଦା କରିଦେଲେ । ନାସଶୁଙ୍ଗା, ପିକାଖିଆ ମୋ ଜାତକରେ ନାହିଁ, ପାନ ଖଣ୍ଡିଏ ନେଇ ଖାଇଲି । ଡାକ୍ତର ବାବୁଟି ଗଳ୍ପସାଗର, ଅନେକ ଗଳ୍ପ କଲେ । ଅନେକ ସ୍ଥାନର କଥା, ନିଜର ଅସାଧାରଣ ଦକ୍ଷତା, କେଉଁଠାରେ କେଉଁ କଠିନ ରୋଗକୁ ସେ କିପରି ଆଶ୍ଚର୍ଯ୍ୟ ଭାବରେ ଭଲ କରିଥିଲେ, ଏହିପରି ଢେର ଢେର କଥା କହିଲେ । ଶିଷ୍ଟ ଚାଟପିଲା ଅବଧାନଠାରୁ ଉପଦେଶ ଶୁଣିଲା ପରି ମୁଁ ସବୁ ଶୁଣିଯାଉଥାଏଁ । ଭାବିଲି–ବାବୁଟି ଡାକ୍ତର ନ ହୋଇ ଓକିଲ ହୋଇଥିଲେ ସୁନ୍ଦର ହୋଇଥାଆନ୍ତା । ବନେଇଁ ଚୂନେଇଁ କଥା କହିବାର ଶକ୍ତି ଡାକ୍ତର ବନ୍ଧୁଙ୍କର ଅସାଧାରଣ, ତଦ୍ଦ୍ୱାରା ସେ ପୀଡ଼ିତ ମନର ବି ଚିକିତ୍ସା କରିପାରନ୍ତି । ବାସ୍ତବରେ ତାଙ୍କର ବାକ୍ୟାଳାପ ଉପଭୋଗ୍ୟ । ଅନେକ ଅଦେଖା ସ୍ଥାନର କଥା ତାଙ୍କଠାରୁ ଶୁଣିଲି । ସେତକ ମୋର ଅଳ୍ପ ଲାଭ ନୁହେଁ । ତାଙ୍କର ହୃଦୟ ଏବଂ ବ୍ୟବହାର ବଡ଼ ସରଳ । ନିଜର ଘରର କଥା ଏବଂ ପରିବାରର କଥା ଅସଂକୋଚରେ ସେ ମୋ ଆଗରେ କହିଥିଲେ । ମୁଁ ଯେପରି ତାଙ୍କର କେତେକାଳର ସମହୃଦୟୀ ପୁରୁଣା ବନ୍ଧୁ । ପରିବାର ମଧ୍ୟରେ କାହାର କେଉଁ ଦୋଷ, ତ୍ରୁଟି ଅଛି, ତାହା ସେ ଲୁଚାଇ ନ ଥିଲେ । ତାଙ୍କପରି ସରଳପ୍ରାଣ ବ୍ୟକ୍ତି ମୁଁ ଖୁବ୍‌ ଅଳ୍ପ ଦେଖିଅଛି ।

 

ଗ୍ରୀଷ୍ମକାଳ, କଥାବାର୍ତ୍ତା ହେଉଁ ହେଉଁ ଖରା ଫୁଟି ଉଠିଲା । ମୁଁ ଆଉ ପ୍ରେସ୍‌କୁ ଗଲି ନାହିଁ-। ବନ୍ଧୁଙ୍କୁ ବିଦାୟ ମାଗିଲି, ମାତ୍ର ସେ ପଦାର୍ଥଟି ସେ ସହଜରେ ଦେଇ ପକାଇବାର ପାତ୍ର ନୁହନ୍ତି । କହିଲେ–‘‘ସଙ୍ଗରେ ମିଶି ଯିବା, ଖରା ଖୁବ୍‌ ଟାଣ ହୋଇଛି–ଗିଲାସେ ସରବତ୍‌ ତିଆରି କରି ଆଣେ-।’’ ଏତିକି ମାତ୍ର କହି ଉଠି ଚାଲିଗଲେ । ପ୍ରାୟ ପାଞ୍ଚମିନିଟ୍‌ ପରେ ଦୁଇ ହାତରେ ଦୁଇଟା କାଚ ଗ୍ଳାସ୍‌ ଧରି ଫେରି ଆସିଲେ । ଗୋଟାଏ ଗ୍ଳାସ୍‌ ମୋତେ ଦେଇ ନିଜେ ଅନ୍ୟଟିର ସଦ୍‌ବ୍ୟବହାର କଲେ । ପାନୀୟଟି ସ୍ୱାଦୁ–ସୁଗନ୍ଧରେ ବେଶ୍‌ ଉପାଦେୟ ବୋଧ ହେଲା । ଉଦର ଦେବତା ମଧ୍ୟ ତୃପ୍ତି ଅନୁଭବ କଲେ । କିନ୍ତୁ କି ଆଶ୍ଚର୍ଯ୍ୟର କଥା, ସେ ଅମୃତ ମଧ୍ୟରେ ଯେ ପ୍ରଚ୍ଛନ୍ନରେ ଗରଳ ଥିଲା, ତାହା ମୋର ଅଜ୍ଞାତ । କିଛିକ୍ଷଣ ମୁଣ୍ଡ ଝିମ୍‌ ଝିମ୍‌ ଆରମ୍ଭ ହେଲା । କିଏ ଅଲକ୍ଷରେ ମୁଣ୍ଡରେ ହିମାଳୟ ପର୍ବତ ଆଣି ଲଦିଦେଲା । ପେଟ ଘାଣ୍ଟିଚକଟି ହେଲା । ଆଖି ଆଗରେ ବିଜୁଳିପୋକ ଉଡ଼ି ବୁଲିଲା ପ୍ରାୟ ଜଣାଗଲା । ସଦ୍ୟଲବ୍‌ଧ ବନ୍ଧୁଙ୍କୁ ପଚାରିଲି–‘‘ଆପଣ ମୋତେ କଅଣ ଦେଲେ କି ?’’ ସେ ନିର୍ବିକାର ସ୍ୱରରେ କହିଲେ–‘‘ଆଉ କିଛି ନୁହେଁ–ସରବତ୍‌ । କାହିଁକି, ଆପଣଙ୍କ ଦେହ କିଛି ହେଉଛି କି ?’’ ଶୀଘ୍ର ଉଠିଆସି ମୋର ହାତର ନାଡ଼ ଦେଖି କହିଲେ–ଓ, ଆଚ୍ଛା ମୁଁ ଆଣି ଦେଉଛି । ଏହା କହି ଗୋଟାଏ ଆଲମାରୀ ଫିଟାଇ ଦୁଇ ତିନି ପ୍ରକାର ଔଷଧ ମିଶାଇ ମୋତେ ଆଣିଦେଲେ । ମୁଁ ତେତକ ବି ପୂର୍ବଦେବତାଙ୍କୁ ନିବେଦନ କଲି, କିଛି ଫଳ ଜଣାଗଲା ନାହିଁ । ମୁଁ ଜୟକୃଷ୍ଣକୁ ଡାକି ପଠାଇଲି, ସେ ଆସିଲା । ତହୁଁ ତାକୁ ସଙ୍ଗରେ ନେଇ ମୁଁ ନରସିଂହ ବାବୁଙ୍କ ବସାକୁ ଯିବାକୁ ବାହାରିଲି । ଡାକ୍ତର ବାବୁ ବି ସଙ୍ଗରେ ଗଲେ । ଖଣ୍ଡେ ଦୂର ଯାଇ ସେହିଠାରୁ ସେ ବାଟ ଭାଙ୍ଗିଲେ, ମୁଁ ଜୟକୃଷ୍ଣ ସଙ୍ଗରେ ଆସି ବସାରେ ପହୁଞ୍ଚିଲି । ପେଟରେ ବେଦନା ଅଧିକ ହେଲା, ସଙ୍ଗେ ସଙ୍ଗେ ପ୍ରବଳ ବାନ୍ତି ଆରମ୍ଭ ହେଲା । ମୁଣ୍ଡରେ ପାଣି ଦେବା, ପଙ୍ଖାରେ ବିଞ୍ଚିବା ପ୍ରଭୃତି ଉପଚାର ଲାଗିଲା । ପ୍ରାୟ ଦୁଇଘଣ୍ଟା ପରେ ଟିକିଏ ଉପଶମ ଜଣାଗଲା–ମୁଁ ଘୋର ନିଦ୍ରାରେ ଘାରି ହୋଇ ଶୋଇ ପଡ଼ିଲି । ନରସିଂହ ବାବୁ ମୋତେ ଅପେକ୍ଷା କରି ବସିଥିଲେ, ମୁଁ ଆସିଲେ ସେ ଖାଇକରି କଚେରୀକୁ ଯାଇଥାଆନ୍ତେ । ମୋର ଏ ଆକସ୍ମିକ ବିକାର ଦେଖି ସେ ନ ଖାଇ ଚାଲିଗଲେ । ତାଙ୍କର ଚାକର ପୂଝାରୀ ଏବଂ ଜୟକୃଷ୍ଣକୁ ଶୁଶ୍ରୁଷାର ଉପଦେଶ ଦେଇ ମୋର ନିଦ ଭାଙ୍ଗିବାକୁ ନିଷେଧ କରିଗଲେ । ଶୀଘ୍ର ସେଦିନର କଚେରୀ କାର୍ଯ୍ୟ ଶେଷ କରି ପ୍ରାୟ ଦୁଇଟା ସମୟରେ ଫେରି ଆସିଲେ । ପ୍ରାୟ ତିନିଟା ବେଳେ ମୋର ଯୋଗନିଦ୍ରା ଭଙ୍ଗ ହେଲା-। ତେତେବେଳେ ବୁଝିପାରିଲି ଯେ, ମୁଁ ସୋମରସପାୟୀ ମହାଯୋଗୀ ଶ୍ରେଣୀକୁ ଉନ୍ନୀତ ହୋଇଅଛି-। ସ୍ନାନ, ଭୋଜନ ଶେଷରେ ନରସିଂହ ବାବୁ କହିଲେ–ଡାକ୍ତରଙ୍କ କୀର୍ତ୍ତି କାହାଣୀ ମୁଁ ଜୟକୃଷ୍ଣ ଠାରୁ ଶୁଣିଛି । ସେ ଆପଣଙ୍କୁ ସରବତ୍‌ରେ ମଦ ମିଶାଇ ପିଇବାକୁ ଦେଇଥିଲା । ସେ ଅଦ୍ଭୁତ ଜୀବଟିର ବିଶ୍ୱାସ–କି ସ୍ଥାବର, କି ଜଙ୍ଗମ, ଜଗତରେ କେହି ମଦ ନ ଖାଇ ବଞ୍ଚିରହି ପାରେନାହିଁ । କେହି ଆକଣ୍ଠ ଗଙ୍ଗାଜଳରେ ପଶି ମଦ ଖାଏ ନାହିଁ ବୋଲି ଶପଥ କଲେ ବି ସେ ତାହା ବିଶ୍ୱାସ କରେ ନାହିଁ । ଆପଣଙ୍କ ଅବସ୍ଥା ମୋ ଠାରୁ ଶୁଣି ସେ ଆଜି କଚେରୀରେ ବଡ଼ ଲଜ୍ଜିତ ହୋଇଅଛି, ପୁଣି କହିଛି–‘‘ଏହି ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ ଆପଣଙ୍କ ଯିବା ଦିନ ସେ ରେଲରେ ଗୋଳନ୍ତର ଷ୍ଟେସନ ଯାଏଁ ଯାଇ ବାଟେଇ ଦେଇ ଆସିବ ।’’ ଭାବିଲି–କି ଜଞ୍ଜାଳ, ଆଉଥରେ ମୋତେ ପାଗଳ କରିବ ନା କଅଣ । ନରସିଂହ ବାବୁଙ୍କୁ କହିଲି–ଆପଣଙ୍କର ଧର୍ମ ହେବ, ମୁଁ କେଉଁଦିନ ଯିବି ତାହା ସେ ନ ଜାଣିଲା ପରି କଟକଣା କରିବେ । ବନ୍ଧୁତାର ଉପଯୁକ୍ତ ଉଚ୍ଚ ପୁରସ୍କାର ମୁଁ ପାଇସାରିଛି–ଆଉ ଅଧିକ ନୁହେଁ । ଏଭଳି ସୁବନ୍ଧୁ ମୋର ଶତ୍ରୁ-ଭାଗ୍ୟରେ ସୁଦ୍ଧା ନ ଘଟୁ–ବିଧାତାଙ୍କ ପାଖରେ ମୋର ଏହି ପ୍ରାର୍ଥନା ।’’ ନରସିଂହ ବାବୁ ନୀରବ ହାସ୍ୟରେ ସମ୍ମତି ପ୍ରକାଶ କଲେ । ମୁଁ ଇଚ୍ଛାପୁରରୁ ଆସିବାଦିନ ଡାକ୍ତର ବାବୁ ଜାଣିପାରିଲେ ନାହିଁ ।

 

ଇଚ୍ଛାପୁରରେ କେତେଗୁଡ଼ାଏ ସମୟ ବାଜେ ଖର୍ଚ୍ଚରେ ଉଡ଼ାଇ ଦେଇ ବ୍ରହ୍ମପୁର ଆସିଲି । ମନୁଷ୍ୟ ଜୀବନର ଅଧିକାଂଶ ସମୟ ବାଜେ ଖର୍ଚ୍ଚରେ ଯାଏ, ଅଳ୍ପମାତ୍ର କାର୍ଯ୍ୟରେ ଲାଗେ । ସଂସାର ଉତ୍ତାପରେ ଭାଜି ହୋଇ ଟିକିଏ ପାଚି ନ ଆସିବା ଯାଏଁ ମନୁଷ୍ୟ ସମୟର ମୂଲ୍ୟ ବୁଝେ ନାହିଁ । ବୁଝିପାରିଲେ ଅନୁତାପ କରେ, ମାତ୍ର ତାହା ବିଫଳ । ନାନା ଚିନ୍ତା ଭାବନାର ଉତ୍ତାଳ ତରଙ୍ଗ କାହୁଁ ଆସି ସେ ଅନୁତାପକୁ ପୋଛି ଭସାଇ ନେଇଯାଏ । ଜଣେ ନିଶାଖୋର ନିଶା ଛାଡ଼ିବାକୁ ପ୍ରତିଜ୍ଞା କରି ମନେ ମନେ କହିଲା–ଆଜି ଖୁବ୍‌ ମନବୋଧ କରି ଖାଏଁ, କାଲିଠାରୁ ଆଉ ଛୁଇଁବି ନାହିଁ-।’’ ଏହା କହି ଯଥେଷ୍ଟ ନିଶା ଖାଇଲା । ତହିଁ ପରଦିନ ମଧ୍ୟ ସେହି ପ୍ରତିଜ୍ଞା କରି ଖାଇଲା । ଫଳରେ ତାହାର ନିଶା ଅଭ୍ୟାସ କ୍ରମଶଃ ବଢ଼ି ଉଠିଲା । ମନୁଷ୍ୟ ସେହିପରି ପ୍ରତିଜ୍ଞା କରେ–ଆଜି ଟିକିଏ ମନ ପୂରାଇ ସମୟର ବାଜେ ଖର୍ଚ୍ଚ କରେଁ, କାଲିଠାରୁ ତାକୁ ନିଶ୍ଚୟ କର୍ମରେ ଖଟାଇ ରଖିବି-।’’ ଏହିପରି ପ୍ରତିଜ୍ଞା ଚାଲିଥାଏ, ସମୟ ବି ଚାଲିଥାଏ, ମାତ୍ର କାମ କିଛି ହୁଏ ନାହିଁ । ମୋର ଅନୁଭବ କଥା ମୁଁ କହୁଅଛି । ମୋର ପଢ଼ିବା ସମୟ ଅତି ଦୀନତାପୂର୍ଣ୍ଣ ଥିଲା । ଦିନେ ଦିନେ ଭାତ ଖାଏ ନାହିଁ, ମାତୃଦେବୀ ହାଣ୍ଡି ଅଜାଡ଼ି ଅଧବେଲେ ଭାତ ତୋରାଣୀ ଆଣି ମୋତେ ଖାଇବାକୁ ଦିଅନ୍ତି । ମୁଁ ତେତକ ଖାଇଲେ ତାଙ୍କର ସେଦିନ ଏକାଦଶୀ ହେବ, ଏହା ମୁଁ ଜାଣେ । ଦେହ ଅସୁସ୍ଥ ବୋଲି କହି ନାନା ଆପତ୍ତି ଦେଖାଇ ମୁଁ ଅଧେ ଖାଇ ଅଧେ ଛାଡ଼ିଯାଏଁ । କିନ୍ତୁ ସେ ତାହା ବୁଝି ପାରନ୍ତି । ସନ୍ତାନର ମନୋଭାବ ଜନନୀ ଅନାୟାସରେ ବୁଝି ପାରନ୍ତି । ମାତୃଦେବୀ ବୁଝିପାରି କିଛି କହନ୍ତି ନାହିଁ, ନୀରବରେ ଲୋତକ ଢାଳି ଦିଅନ୍ତି । ମୋର ବ୍ୟଥା ତାଙ୍କ ଚିତ୍ତ ଦର୍ପଣରେ ପ୍ରତିଫଳିତ ହୋଇ ଅଶ୍ରୁରୂପରେ ବାହାରି ପଡ଼େ । ଯାହାର ଅବସ୍ଥା ଏପରି ଶୋଚନୀୟ, ସେ ସମୟର ଅପବ୍ୟବହାର କଲେ ଚଳିବ କିପରି ? ତଥାପି ମୁଁ ସମୟର ଅପବ୍ୟବହାର କରିଅଛି । ସମୟର ମୂଲ୍ୟ ଅମୂଲ୍ୟ ଏବଂ ଶକ୍ତି ଅସୀମ । ସମୟ ପ୍ରଭାବରେ କଅଣ ହୋଇ ନ ପାରେ–ମନୁଷ୍ୟ ଏହି ମୁହୂର୍ତ୍ତରେ କଣ କରିବ ତାହା କିଏ କହିପାରିବ ? ମନୀଷୀ କର୍ମନିଷ୍ଠ ଲୋକେ ଏକ ମୁହୂର୍ତ୍ତରେ ଯାହା ଦାନ କରିଯାଇ ଅଛନ୍ତି, ତାହା ଭାବିଲେ ହୃଦୟ ବିସ୍ମୟରେ ଅଭିଭୂତ ହୋଇଯାଏ । ସମୟର ସଦ୍‌ବ୍ୟବହାର କରିଥିଲେ ମୁଁ ଅନେକ କାର୍ଯ୍ୟ କରି ପାରିଥାଆନ୍ତି, କିନ୍ତୁ କାହିଁ, ମୋର କାର୍ଯ୍ୟ ଦେଖି ମୁଁ ମଧ୍ୟ ଲଜ୍ଜିତ ହୁଏ । ଦୁଃଖି ସୁଖ ପାଇଲେ ସେ ପୂର୍ବ ଦୁଃଖ ଭୁଲିଯାଏ, ମାତ୍ର ସୁଖୀ ଦୁଃଖ ପାଇଲେ ଭୁକ୍ତ ସୁଖ ଭୁଲିପାରେ ନାହିଁ । ସେହି ଅତୀତ ସୁଖସ୍ମୃତି ତାହା ପ୍ରାଣକୁ ଅନବରତ ଦଗ୍‌ଧ କରୁଥାଏ । ମନୁଷ୍ୟର ଆୟୁ ସ୍ୱଳ୍ପ, ଏହା ସେ ପାସୋରି ପକାଏ । ତେଣୁ ଆଜିର କର୍ତ୍ତବ୍ୟ କାଲିକୁ ରଖିଦିଏ । ମନୁଷ୍ୟ ନିଜକୁ ଅମର ମଣେ । ଜଗତରେ ସମସ୍ତେ ମରୁଛନ୍ତି, କେହି ଅମର ନୁହେଁ–ଏହା ଜାଣିସୁଦ୍ଧା ସେ ନିଜ ଉପରେ ମୃତ୍ୟୁର ଅଧିକାର ସ୍ୱୀକାର କରେ ନାହିଁ, ଏହାଠାରୁ ଦୁର୍ଭାଗ୍ୟ ଆଉ କଅଣ ହୋଇପାରେ ? ଯାଉ, ସେ ଅନୁଶୋଚନାରୁ କଅଣ ମିଳିବ । ମନୁଷ୍ୟ କ୍ଷୁଦ୍ର, କିନ୍ତୁ ତାହାର ଶକ୍ତି କ୍ଷୁଦ୍ର ନୁହେଁ । ଯେ ଅନନ୍ତ ଶକ୍ତିଧରଙ୍କର ସନ୍ତାନ, ତାହାର ଶକ୍ତି ନଗଣ୍ୟ ନୁହେଁ । ଅନନ୍ତ ଶକ୍ତି ମଧ୍ୟରେ ଶୋଇଅଛି, ତାକୁ ଉଠାଇବା ଦରକାର । କୁମ୍ଭକର୍ଣ୍ଣ ଉଠିଲେ ତାହାର ଅସାଧ୍ୟ କିଛି ନାହିଁ । ଯେଉଁ ମନୁଷ୍ୟ ଜ୍ଞାନ ବିଜ୍ଞାନ ଶକ୍ତି ବଳରେ ପ୍ରାକୃତିକ ମହାଶକ୍ତି ନିଚୟକୁ ନିଜର ଅଧୀନ କରି ପାରୁଅଛି, ସେ ମନୁଷ୍ୟ କଦାପି କ୍ଷୀଣଶକ୍ତି ନୁହେଁ । ପକ୍ଷାନ୍ତରରେ ଏହା କଥାରେ କହିବା ଯେଡ଼େ ସହଜ ହେବ, ଏ ବିଶ୍ୱାସ ମନକୁ ଆଣିବା ତେଡ଼େ ସହଜ ନୁହେଁ–ଏହିଠାରେ ମନୁଷ୍ୟର ଦୁର୍ବଳତା ସ୍ପଷ୍ଟ ପରିଲକ୍ଷିତ ହୁଏ । ସେହି ଦୁର୍ବଳତାର ଦୁର୍ଲଙ୍ଘ୍ୟ ଲୌହ ପ୍ରାଚୀର ଯେ ଲଙ୍ଘନ କରିପାରେ, ସେହି ଏକା ପ୍ରକୃତ ମନୁଷ୍ୟପଦବାଚ୍ୟ, ଯେ ତାହା ନ ପାରେ ସେ ମନୁଷ୍ୟ ନୁହେଁ–ମଣଷ, ମଣ ହେଉଁ ହେଉଁ ତାହାର ଜୀବନ ସରିଯାଏ । ସେ ଖାଲି ମଣ ହେବା ପାଇଁ ବାରମ୍ବାର ସଂସାରକୁ ଆସେ । ତାହାର ଜନ୍ମ ଏବଂ ଜୀବନ ବିଫଳ–ମୁଁ ସେହି ଶ୍ରେଣୀୟ ଜନ୍ତୁ ବିଶେଷ ।

 

ଇଚ୍ଛାପୁରରୁ ଆସି ସେ ମାସର ସ୍ୱଦେଶଲକ୍ଷ୍ମୀ ବାହାର କରିବାକୁ ହେଲା । ଚାରିଆଡ଼ୁ କୃଷି ପୁସ୍ତକର ବରାତ ଆସୁଥାଏ । ଦିନେ ଦିନେ ଦଶପନ୍ଦରଟା ପର୍ଯ୍ୟନ୍ତ ଭି: ପି: ପାର୍ଶଲ କରିବାକୁ ହୁଏ । ନିଜେ ଯାଇ ଡାକଘରେ ପାର୍ଶଲ ଦେଇଆସେ । ପ୍ରତ୍ୟହ ଯେଉଁସବୁ ବରାତ୍‌ ଆସେ ସେଥିମଧ୍ୟରେ କିଏ ଆଠଅଣାର–କିଏ ଟଙ୍କାକର–କିଏ ବା କିଛି ଅଧିକ ପୁସ୍ତକ ମାଗିଥାନ୍ତି । କୌଣସି ପାର୍ଶଲର ମୂଲ୍ୟ ଆଠଅଣାରୁ ଊଣା ହୁଏ ନାହିଁ, କିମ୍ବା ତିନିଟଙ୍କାରୁ ଅଧିକ ହୁଏ ନାହିଁ । ଅର୍ଥାଭାବ ସମୟରେ କୃଷିପୁସ୍ତକ ଗୁଡ଼ିକ ମୋର ବଡ଼ ଉପକାର କରିଅଛି । ଦିନେ ଶାସ୍ତ୍ରୀ କହିଲେ–ବ୍ରହ୍ମପୁରରେ ଗୋଟାଏ ସ୍ୱଦେଶୀ ଔଷଧାଳୟ ସ୍ଥାପନ କଲେ ଖୁବ୍‌ ଚଳିବ, ଆପଣ ଜଣେ ଭଲ କବିରାଜ ଅଣାଇ ଦିଅନ୍ତୁ । ମୂଳମୂଳିକା ପ୍ରଭୃତି ମୁଁ ସୁଲଭରେ ସଂଗ୍ରହ କରିଦେବି । ଔଷଧ ପ୍ରଚାର ଏବଂ ବିକ୍ରୟର ଭାର ମଧ୍ୟ ବହନ କରିବି । ଅପାତତଃ କବିରାଜଙ୍କୁ ବେତନ ଦିଆଯିବ, ଔଷଧାଳୟର ଉନ୍ନତି ଦୃଷ୍ଟିରେ ପଛକୁ ସେ ଲାଭର ଅଂଶ ପାଇବେ ।’’ ଶାସ୍ତ୍ରୀଙ୍କର ଏ ପ୍ରସ୍ତାବରେ ମୁଁ ସ୍ୱୀକୃତ ହୋଇ ଭଦ୍ରଖ ସ୍କୁଲର ଡ୍ରଇଂ ପଣ୍ଡିତ ମହାଦେବ ମିଶ୍ରଙ୍କୁ ପତ୍ର ଲେଖିଲି । ତେତେବେଳେ ଡାକ୍ତର ଶ୍ରୀପତି ସାମନ୍ତରାଏ ଭଦ୍ରଖରେ ଗୋଟାଏ ଆୟୁର୍ବେଦୀୟ ଔଷଧାଳୟ ଖୋଲିଥିଲେ । ଶ୍ରୀପତି ବାବୁ ଜଣେ ଅମୃତହସ୍ତା କବିରାଜ । ମହାଦେବ ମିଶ୍ର ତାଙ୍କରିଠାରୁ ଶିକ୍ଷା କରି ଚିକିତ୍ସା କରୁଥିଲେ । ସେ ବ୍ରହ୍ମପୁର ଯିବାକୁ ସ୍ୱୀକୃତ ହେଲେ । ଏହି ସମୟରେ ମୁଁ ମନୋରମାର ସମ୍ପାଦକ କାର୍ଯ୍ୟରେ ଯିବାରୁ ଶାସ୍ତ୍ରୀଙ୍କର ମନ ଭାଙ୍ଗିଗଲା । ତାଙ୍କର ପ୍ରସ୍ତାବ ଆଉ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।

 

ମନୋରମାର ପରିଚାଳନା ସକାଶେ ମୟୂରଭଞ୍ଜର ସ୍ୱନାମଧନ୍ୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦୁଇଶହମାଣ ଭୂମି ଦେଇଥିଲେ । ଉକ୍ତ ଜମି ଷ୍ଟେଟ୍‌ ନିୟମାନୁସାରେ ରେଜେଷ୍ଟରୀ ହୋଇନଥିଲା । ଏଣେ ମନୋରମା ବଙ୍ଗାଳିମାନଙ୍କ ବିରୁଦ୍ଧରେ ଅଗ୍ନି ବୃଷ୍ଟି କରିଦେଲା-। ସେଥିରେ ବଙ୍ଗାଳୀ କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇଉଠିଲେ । ଫଳରେ ସେମାନଙ୍କ ଷଡ଼ଯନ୍ତ୍ରରେ ଉକ୍ତ ଭୂମିଗୁଡ଼ିକ ଷ୍ଟେଟ୍‌ସାମିଲ ହୋଇଗଲା । ମନୋରମା ପକ୍ଷରୁ ସେଥିପାଇଁ ଅପିଲ ଦାଏର ହେଲା, ମାତ୍ର ଷ୍ଟେଟ୍‌ ନିୟମାନୁସାରେ ଜମି ରେଜେଷ୍ଟରୀ ହୋଇ ନଥିବାରୁ ଅପିଲରେ କିଛି ଫଳ ହେଲା ନାହିଁ । ମନୋରମାର ସମ୍ପାଦକ ବୈଦ୍ୟନାଥ ଦାଶ ମୟୂରଭଞ୍ଜରୁ ଚାଲିଆସି ବାଲେଶ୍ୱର ସମ୍ବାଦବାହିକାର ସମ୍ପାଦକ ହେଲେ ।

 

ମନୋରମା କିଛିଦିନ ବନ୍ଦ ରହିଲା । ଗୋଟାଏ ପ୍ରବଳ ଓଡ଼ିଆ ପତ୍ରିକାର ଏ ଆକସ୍ମିକ ଦୁର୍ଗତି ଦେଖି ପତ୍ରିକାର ଅଂଶୀଦାରମାନେ ସଭା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉପରେ ପରିଚାଳନା ଭାର ନ୍ୟସ୍ତ କଲେ । ଫକୀରମୋହନ ବାବୁ ମୋତେ ସମ୍ପାଦକ ମନୋନୀତ କରି ପତ୍ର ଲେଖିଲେ । ପତ୍ରିକାର ଅବସ୍ଥା ଦୃଷ୍ଟିରେ ମୁଁ ପ୍ରଥମତଃ ଅସମ୍ମତ ପ୍ରକାଶ କଲି, ମାତ୍ର ଫକୀରମୋହନ ବାବୁ ମୋତେ ସାହସ ଦେଇ ଲେଖିଲେ–‘‘ମନୋରମାର ଜମି ଫେରାଇ ଦେବା ସକାଶ ମୁଁ ମୟୂରଭଞ୍ଜ ମହାରାଜାଙ୍କୁ ପତ୍ର ଲେଖି ଅନୁରୋଧ କରିଅଛି । ତୁମ୍ଭେ ଯାଇ ପତ୍ରିକା ଚଳାଅ, ଯଦି ଜମିତକ ନ ମିଳେ ତେବେ ଅନ୍ୟଚେଷ୍ଟା କରାଯିବ । ତୁମ୍ଭେ ଲାଲସାହେବ ହରିଶ୍ଚନ୍ଦ୍ର ଭଞ୍ଜଙ୍କଠାରୁ ଆବଶ୍ୟକୀୟ ଖର୍ଚ୍ଚ ନେଇ ମନୋରମା ବାହାର କର ।’’ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଏଭଳି ପତ୍ର ପାଇ ମୁଁ ଆଉ ମନାକରି ପାରିଲି ନାହିଁ, ଶୀଘ୍ର ବ୍ରହ୍ମପୁରରୁ ଭଦ୍ରଖ ଚାଲିଆସିଲି । ସୋମନାଥ ଗୁଜିଦରଡ଼ାର ଗଭର୍ଣ୍ଣମେଣ୍ଟ ଭର୍ଣ୍ଣାକ୍ୟୁଲାର ସ୍କୁଲରୁ ବୃତ୍ତି ନେଇ ମୟୂରଭଞ୍ଜ ହାଇସ୍କୁଲରେ ଯାଇ ପଢ଼ୁଥିଲା । ମୁଁ ତାକୁ ଭଦ୍ରଖରୁ ପତ୍ର ଲେଖିଲି, ସେ ଆସି ମୋତେ ବାରିପଦା ନେଇଗଲା । ମୁଁ ଯାଇ ମନୋରମା ଅଫିସ୍‌ରେ ବସା କରି ରହିଲି । ଲାଲସାହେବଙ୍କ ପରାମର୍ଶ ଅନୁସାରେ ଦିନେ ଯାଇ ମୟୂରଭଞ୍ଜ ମହାରାଜାଙ୍କ ସଙ୍ଗେ ସାକ୍ଷାତ୍‌ କରି କହିଲି–‘‘ଶ୍ରୀଛାମୁ ସ୍ୱୟଂ ମନୋରମାର ନାମକରଣ କରିଥିଲେ, ତାହାର ଏପରି ଭାବରେ ଅକାଳ ମରଣ ଘଟିବା ବାଞ୍ଛନୀୟ ନୁହେଁ । ଦୟାକରି ତାକୁ ଜୀବିତ ରଖିବା ହେଉନ୍ତୁ ।’’ ମହାରାଜା କହିଲେ–ଆପଣ ବୋଧହୁଏ ସମସ୍ତ ହାଲ ଜାଣନ୍ତି ନାହିଁ–ଜାଣିଥିଲେ ଏକାର୍ଯ୍ୟରେ ଅଗ୍ରସର ହୁଅନ୍ତେ ନାହିଁ । ମନୋରମା ଦଳ ନଈ ନ ଦେଖୁଣୁ ଲୁଗା ଟେକି ବସିଲେ ବିଶେଷତଃ ବୈଦ୍ୟନାଥ ଦାଶ ମୟୂରଞ୍ଜରେ ଯେଉଁ ଓଡ଼ିଆ ବଙ୍ଗାଳି ବିଦ୍ୱେଷ ବହ୍ମ ଜାଳିଦେଇ ଗଲେ, ସେ ନିଆଁ ଲିଭିବାକୁ ଅନେକଦିନ ଲାଗିବ, ପୁଣି ଲିଭିବ କି ନାହିଁ ତାହା ବି ସନ୍ଦେହ । ଜମି ସମ୍ବନ୍ଧରେ ଯାହା ହୋଇଯାଇଅଛି–ମୋର ଆଉ କିଛି କରିବାର ଉପାୟ ନାହିଁ । ଫକୀରମୋହନ ବାବୁଙ୍କର ପତ୍ର ପାଇଲି, ତାଙ୍କୁ ମୁଁ ଉତ୍ତର ଦେଇଅଛି ।’’ ମହାରାଜାଙ୍କଠାରୁ ଏ ନିରାଶବାଣୀ ଶୁଣି ମୁଁ ଫେରିଆସି ଲାଲସାହେବଙ୍କୁ ସବୁ ଜଣାଇଲି । ସେ କହିଲେ–ଆପଣ ପତ୍ରିକା ବାହାର କରନ୍ତୁ, ଯେପରି ଚଳିବ ତାହାର ଉପାୟ କରାଯିବ ।’’ ତାଙ୍କଠାରୁ ଏହିପରି ଆଶ୍ୱାସନା ପାଇ ମୁଁ ମନୋରମା ବାହାର କଲି । ଆବଶ୍ୟକୀୟ ଖର୍ଚ୍ଚ ସେ ଚଳାଇଲେ ।

 

ମନୋରମା ବାହାରିବା ପୂର୍ବରୁ ମୋତେ ଡିକ୍‌ଲେୟାରେସନ୍‌ କରିବାକୁ ହେଲା । ପ୍ରଥମଶ୍ରେଣୀର ଡେପୁଟୀ ମାଜିଷ୍ଟ୍ରେଟ୍‌ ଅନୁକୂଳ ଚନ୍ଦ୍ର ମୁଖୋପାଧ୍ୟାୟ ଏମ୍‌, ଏ, ବିଏଲଙ୍କ ଇଜଲାସରେ ଫାରମ ଦାଖଲ କଲି । ତାଙ୍କ ବଙ୍ଗାଳି ସିରସ୍ତାଦାର ଯଥେଷ୍ଟ ବାଧା ଦେଲେ । ସେ ହାକିମଙ୍କୁ କହିଲେ–‘‘ମହାରାଜାଙ୍କୁ ନ ଜଣାଇ ଡିକ୍‌ଲେୟାରେସନ୍‌ କରିଦେବା ଉଚିତ ନୁହେଁ ।’’ ଅନୁକୂଳ ବାବୁ ଜଣେ ସ୍ପଷ୍ଟବାଦୀ ନିର୍ଭୀକଚେତା ଜବରଦସ୍ତ ହାକିମ । ସିରସ୍ତାଦାରଙ୍କ କଥା ସେ ପତ୍ରରେ ପକାଇଲେ ନାହିଁ, କହିଲେ–ମୁଁ ଫାଷ୍ଟକ୍ଳାସ୍ ଡେପୁଟୀମାଜିଷ୍ଟ୍ରେଟ୍‌, ଡିକ୍‌ଲେୟାରେସନ୍‌ର କ୍ଷମତା ମୋର ଅଛି–ପ୍ରତ୍ୟେକ କଥା ମୁଁ ମହାରାଜାଙ୍କୁ ପଚାରିବାକୁ ଯିବି କାହିଁକି ? ଏହା କହି ଫାରମ୍‌ରେ ଦସ୍ତଖତ କରିଦେଲେ । ସିରସ୍ତାଦାରଙ୍କ ମୁହଁ କଳା ପଡ଼ିଗଲା । ବଙ୍ଗାଳିମାନଙ୍କ ମନରୁ ମନୋରମା ଭୀତି ସେ ପର୍ଯ୍ୟନ୍ତ ଛାଡ଼ି ନ ଥିଲା । ମନୋରମା ପୁଣି ବାହାରିଲେ କାଳେ ପୂର୍ବପରି ଗୋହିପୁରାଣ ଖୋଳାହେବ–ଏହି ଆଶଙ୍କା ଅନେକଙ୍କ ମନରେ ଜାଗ୍ରତ ହୋଇଉଠିଲା । ଅଙ୍ଗଦକୁ ଦେଖି ହନୁମାନ ଜ୍ଞାନରେ ଲଙ୍କାବାସୀମାନେ ଭୟରେ ଅସ୍ଥିର ହୋଇ ଉଠିଲେ । ତାହା ଦେଖି ଅଙ୍ଗଦ ମନେ ମନେ କହିଥିଲା–‘‘ଧନ୍ୟରେ ହନୁମାନ, ତୁ ଏଭଳି ଶିକ୍ଷା ଦେଇ ଯାଇଛୁ ଯେ ଏମାନେ ଆଜିଯାଏଁ ତାହା ଭୁଲିପାରି ନାହାନ୍ତି ।’’ ସେହିପରି ବଙ୍ଗାଳିଙ୍କ ବ୍ୟବହାର ଦେଖି ମୁଁ ମଧ୍ୟ ମନେ ମନେ କହିଲି–‘‘ଧନ୍ୟ ବୈଦ୍ୟନାଥ ନନା, ତୁ ଏପରି ପୁଟ ଦେଇଯାଇଛୁ ଯେ ସେ ରଙ୍ଗ ଅବଧି ଧୋଇ ଯାଇନାହିଁ ।’’ ବୈଦ୍ୟନାଥ ଦାଶ କେବଳ ତେଜସ୍ୱୀ ସମ୍ପାଦକ ଥିଲେ ନାହିଁ–ସେ ସେନାପତି ହେବାଭଳି ଜାତୀୟ ମହାରଥୀ ଥିଲେ । ଦୁଃଖର ବିଷୟ ବର୍ତ୍ତମାନ ସେ ସ୍ୱର୍ଗରେ । ତାଙ୍କପରି ନୈତିକ ସାହସୀ, ନିର୍ଭୀକଚେତା, ସ୍ପଷ୍ଟବାଦୀ ଯୁବକ ଏକାଳରେ ବିରଳ । କେହି କେହି ତାଙ୍କୁ ଉଗ୍ର ବୋଲି ଅଭିହିତ କରିବାର ଶୁଣିଅଛି । ମାତ୍ର ସେ ଉଗ୍ରତା ନୀତି ଏବଂ ମାନବ ଧର୍ମରେ ପୂର୍ଣ୍ଣ । ଅତି ମୃଦୁତା ଅପେକ୍ଷା ମଧୁର ଉଗ୍ରତା କି ଶ୍ରେୟସ୍କର ନୁହେଁ ? ଶାନ୍ତ ପ୍ରକୃତି ଅବଶ୍ୟ ଭଲ, ମାତ୍ର କୋଚିଆ ବା କେଞ୍ଚୁଆ ପରି ନିରୀହ ହେବା ବାଞ୍ଛନୀୟ ନୁହେଁ ।

 

ବାରିପଦା ଗୋଟିଏ ଦୃଶ୍ୟବହୁଳ ସ୍ଥାନ । ପ୍ରାକୃତିକ ଏବଂ କୃତ୍ରିମ ଦୃଶ୍ୟ ତାକୁ ମହାରାଣୀ ସାଜରେ ସଜ୍ଜିତ କରିଅଛି । ଉପକଣ୍ଠରେ ଧବଳାଙ୍ଗୀ ବଳାଙ୍ଗୀ ମଧୁର କୁଳୁକୁଳୁ ନାଦରେ ହୁଳାହୁଳୀ ଦେଇ ଚାଲିଅଛି । ତୀରସ୍ଥ କ୍ଷୁଦ୍ର କ୍ଷୁଦ୍ର ବନଗୁଡ଼ିକ ତପୋବନର ଶ୍ରୀ ଧାରଣ କରିଅଛି । ଋଷିପ୍ରକୃତି ତୁଲ୍ୟ ସରଳ, ବିଶାଳ ଶାଳତରୁ ଆକାଶଚୁମ୍ବୀ ଚୂଡ଼ା ହଲାଇ ଖେଳୁଅଛି । ବସନ୍ତ କାଳରେ ସେଗୁଡ଼ିକ ପ୍ରବାଳ ପାଟଳ ନବ ପଲ୍ଲବରେ ମଣ୍ତିତ ହୋଇ ଅପୂର୍ବ ଶୋଭାର ଉତ୍ସବ ସୃଷ୍ଟି କରେ । ଦୂରରେ ଶିଶୁହିମାଳୟ ମେଘାସନ ବିଚିତ୍ର ମେଘ ମୁକୁଟ ପରିଧାନ କରି ସଗର୍ବରେ ଦଣ୍ତାୟମାନ । ଯେମନ୍ତ କି ଦୃପ୍ତବୀର ନିଜର ସମକକ୍ଷ ପ୍ରତିଯୋଦ୍ଧା ଅନ୍ୱେଷଣ କରୁଅଛି । ମହାରାଜା ରାମଚନ୍ଦ୍ର ବାରିପଦାକୁ ତ୍ରିଦିବବିଭବ ଅମରାବତୀ ତୁଲ୍ୟ ମଣ୍ତିତ କରିଅଛନ୍ତି । ଉତ୍କଳର କୌଣସି ସହର ବାରିପଦାର ସମକକ୍ଷ ନୁହେଁ । କ୍ଷୁଦ୍ର ସହରଟି ଅଫିସ୍‌, ଅଦାଲତ୍‌ ପ୍ରଭୃତି ଯାବତୀୟ ନାଗରିକ ଉପାଦାନରେ ପରିପୂର୍ଣ୍ଣ । ମୟୂରଭଞ୍ଜର ଶାସନନୀତି ଆଦର୍ଶ । ତାହା ଠିକ୍‌ ମୋଗଲବନ୍ଦୀର ଶାସନ ପ୍ରଣାଳୀ-ଛାଞ୍ଚରେ ଢଳା । ସର୍ବୋଚ୍ଚ ବିଚାରାଳୟ ଜଜ୍‌କୋର୍ଟ । ତାହା ଉପରେ ମହାରାଜାଙ୍କ ସକାଉନ୍‌ଶିଲ୍‌ ବିଚାର ଚୂଡ଼ାନ୍ତ ବିଚାର । ଜେଲଖାନାର କଏଦିମାନେ ଠିକ୍‌ କୁଣିଆ ପରି ସୁଖ ଭୋଗ କରନ୍ତି । ଦୁଧ ଏବଂ ମାଂସ ପର୍ଯ୍ୟନ୍ତ ସେମାନଙ୍କୁ ଦିଆଯାଏ । ରାଣୀବାଗ୍‌ ନାମରେ ଗୋଟିଏ ଆଦର୍ଶ ଉଦ୍ୟାନ ଅଛି । କଏଦୀମାନେ ସେଠାରେ ଏବଂ ଛାପାଖାନାରେ କାମ କରନ୍ତି । କାହାରିକୁ କେବେ ପଳାଇଯିବାର ଦେଖାଯାଏ ନାହିଁ । ଏତେ ସୁଖରେ ଥାଇ କାହିଁକି ବା ପଳାଇବାକୁ ଇଚ୍ଛା କରିବେ ? ଜୁବୁଲି ଲାଇବ୍ରେରୀ ଗୋଟାଏ ପ୍ରକାଣ୍ତ ପ୍ରଦର୍ଶନୀ କ୍ଷେତ୍ର । ସେଥିରେ ରାଜ୍ୟର ନାନାପ୍ରକାର ଶସ୍ୟ, ଧାତୁ, ପଥର ପ୍ରଭୃତି ସୁରମ୍ୟ କାଚାଧାରରେ ସୁରକ୍ଷିତ ହୋଇଅଛି । ସ୍ଥୂଳରେ ଉକ୍ତ ଲାଇବ୍ରେରୀଟି ମୟୂରଭଞ୍ଜର ସଂକ୍ଷିପ୍ତ ସାର । ସମଗ୍ର ମୟୂରଭଞ୍ଜରେ ଯାହା ଅଛି, ଏକା ଜୁବୁଲି ଲାଇବ୍ରେରୀରେ ତାହା ଅଛି । ବାରିପଦାରେ କଣ୍ଟିଆଳୀ ବୋଲି ଖଣ୍ତେ କ୍ଷୁଦ୍ର ନାଳ ଅଛି, ସେଥିରେ ଅକସ୍ମାତ୍‌ ବନ୍ୟା ହୁଏ । ବନ୍ୟା ସ୍ରୋତ ମାଡ଼ି ଆସିବା ସଙ୍ଗେ ସଙ୍ଗେ ଛାଡ଼ିଯାଏ । ଟାଉନ ମଧ୍ୟସ୍ଥ ଖଣ୍ତିଏ କ୍ଷୁଦ୍ର ତିମିରାରେ ଜଳପ୍ରପାତ ଅଛି । ମୁଁ ଏକାଧିକ ଥର ସେହି ପ୍ରପାତରେ ସ୍ନାନ କରିଅଛି । ସ୍ନାନ ପରେ ଶରୀର ସ୍ନିଗ୍‌ଧ ଏବଂ ମନ ପ୍ରଫୁଲ୍ଲ ହୁଏ । ବାରିପଦାର ଚାଉଳ, ଚୂଡ଼ା, ମୁଢ଼ୀ ଅତି ଉତ୍ତମ । ବଜାରରେ କାଇଅଣ୍ତା ବିକ୍ରୟ ହୁଏ । ବନ୍ୟ ଜାତିର ଲୋକେ ତାକୁ ମୁଢ଼ୀ ସଙ୍ଗରେ ମିଶାଇ ଖାଆନ୍ତି । ତାହା ସେମାନଙ୍କର ଗୋଟାଏ ଉପାଦେୟ ଖାଦ୍ୟ । ବଜାରରେ ସବୁ ମିଳେ, କେବଳ ମାଛ ଦୁଷ୍ପ୍ରାପ୍ୟ ।

 

ରଥ ଏବଂ ଛଉ ନାଚ ବାରିପଦାର ପ୍ରଧାନ ପର୍ବ । ରଥ ସମୟରେ ପ୍ରାୟ ପଚାଶ ହଜାର ଦର୍ଶକର ସମାଗମ ହୁଏ । ବାରିପଦାର ରଥ ଖୁବ୍‌ ବଡ଼ ହୁଏ । ସାଜସଜ୍ଜା ଅମୂଲ୍ୟ, ତାହାର ପଟାନ୍ତର ନାହିଁ । ଛଉ ନାଚ ଗୋଟାଏ ଉତ୍କଟ ବୀର ନୃତ୍ୟ, ତାକୁ ବୀର ତାଣ୍ତବ କହିଲେ ଠିକ୍‌ ହେବ-। ନାଚର କୌଶଳ ଉଚ୍ଚକଳାର ନିଦର୍ଶନ, କିନ୍ତୁ ବଡ଼ କଷ୍ଟ । ଶୁଣିଥିଲି ଜୁଆଙ୍ଗ ସ୍ତ୍ରୀମାନେ ପୂର୍ବେ ଛଉନାଟ କରୁଥିଲେ । ସେ ଜାତିର ଲୋକେ ଲୁଗା ପିନ୍ଧନ୍ତି ନାହିଁ । କଟିରେ ପତ୍ରଗୁଚ୍ଛ ଓହଳାଇ ଲଜ୍ଜା ନିବାରଣ କରନ୍ତି । ମାଂସପେଶୀର ପୂର୍ଣ୍ଣ ଗଠନ ପକ୍ଷରେ ଛଉନାଚ ଖୁବ୍‌ ସହାୟତା କରେ । ତାହା ଗୋଟାଏ ଉଚ୍ଚ ଧରଣର ବ୍ୟାୟାମ ବା କସରତ୍‌।

 

ମୟୂରଭଞ୍ଜର ଜଙ୍ଗଲ ସମୁଦ୍ର ପରି ଅଥଳ, ଅକୂଳ । ହାତୀ, ବାଘ ପ୍ରଭୃତି ବଡ଼ ବଡ଼ ଜନ୍ତୁ ଅସଂଖ୍ୟ ଅଛନ୍ତି । ସ୍ୱର୍ଗୀୟ ରମାନାଥ ବାବୁଙ୍କର ‘‘ମୟୂରଭଞ୍ଜ ଭୂଗୋଳ’’ ନାମରେ ଖଣ୍ତିଏ ପୁସ୍ତକ ମୁଁ ପଢ଼ିଥିଲି । ସେଥିରେ ଲେଖାଅଛି–ବସନ୍ତ କାଳରେ ବ୍ୟାଘ୍ରର ଉପଦ୍ରବ ସର୍ବତ୍ର ଊଣା ହୁଏ । ସେ ସମୟରେ ପର୍ବତ ତଳେ ଧାତୁକୀ ଫୁଲ ଫୁଟେ । ସେହି ଫୁଲ ବାଘ ଦେହରେ ଲାଗିଲେ ଘା ହୋଇଯାଏ । ସେଥିପାଇଁ ବାଘ ପର୍ବତରୁ ଓହ୍ଲାଏ ନାହିଁ । ଧାତୁକୀ ପ୍ରକୃତରେ ବ୍ୟାଘ୍ରଘାତୁକୀ, କି ନୁହେଁ ତାହା ଜାଣେ ନାହିଁ । ଯାହା ଲେଖାଗଲା ତାହା ପୋଥିଗତ ବିଦ୍ୟା । ସମୟ ସମୟରେ ହାତୀପଲ ବାହାରି ଆସି ଚରିବୁଲି ରାତି ଥାଉଁ ଥାଉଁ ବଣକୁ ଚାଲିଯାଆନ୍ତି । ଶୁଣିଥିଲି–ଥରେ ଦଳେ ହାତୀ ବାରିପଦା ଆଡ଼କୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଗୋଟାଏ ପୂର୍ଣ୍ଣଗର୍ଭା ହାତୁଣୀ ଥିଲା । ବଳଙ୍ଗ କୂଳସ୍ଥ ଆମ୍ବ ବଗିଚାରେ ସେ ଦୈବାତ୍‌ ପ୍ରସବ କରି ପକାଇଲା । ଚାରିଟା ଦନ୍ତା ହାତୀକୁ ତାହାର ରକ୍ଷକ କରି ଯୂଥପତି ଯୂଥ ଘେନି ବଣକୁ ଚାଲିଗଲା । ଚାରିଟା ଦନ୍ତାହାତୀ ଦାନ୍ତ ସିସାରି ଚାରିପାଖରେ ଅନବରତ ଠିଆହୋଇ ରହିଲେ । ମନୁଷ୍ୟ ଦେଖିଲେ ଗର୍ଜନ ଛାଡ଼ି ଭୟ ଦେଖାଇଲେ । ହାତୀଗୁଡ଼ିକୁ ଧରିବା ପାଇଁ କେହି କେହି ମହାରାଜାଙ୍କୁ କହିଲେ, ମାତ୍ର ସେ ମନା କଲେ । କହିଲେ–ପିଲାଟା ଚାଲିପାରିଲାକ୍ଷଣି ସେ ବଳେ ବଳେ ବଣକୁ ବାହାରିଯିବେ, ବର୍ତ୍ତମାନ ସେମାନଙ୍କୁ କ୍ରୁଦ୍ଧ କରାଇବା ଭଲ ନୁହେଁ । ପାଞ୍ଚଦିନ କାଳ ଉପବାସରେ ରହି ଦନ୍ତାମାନେ ଜଗି ରହିଲେ । ସଦ୍ୟଜାତ କରଭଟିର ଚାଲିବାର ଶକ୍ତି ହେଲା, ତାକୁ ଏବଂ ପ୍ରସୂତିକୁ ମଝିରେ ଚଲାଇ ଚାରିଦନ୍ତା ଚାରିପାଖ ରକ୍ଷା କରି ଚାଲି ଚାଲି ବଣକୁ ବାହାରିଗଲେ । ବନ୍ୟ ପଶୁମାନଙ୍କର ଏଭଳି ଏକତା, ଆତ୍ମୀୟତା, ଜାତୀୟତା, ଦୟା, ମାୟା, ସହଜାତ, କିନ୍ତୁ ଅନେକ ମନୁଷ୍ୟ ପ୍ରାଣରେ ତାହା ଦୁର୍ଲଭ । ମୟୂରଭଞ୍ଜରେ ଗାଈ ହଳ କରନ୍ତି–ଏହା ଅତି ନିଷ୍ଠୁର ପ୍ରଥା । ସେହି ହେତୁରୁ ଗାଈ ଗୁଡ଼ିକ କ୍ଷୀଣକାୟ ଏବଂ ଦୁର୍ବଳ । ଦୁଧ ଖୁବ୍‌ ଅଳ୍ପ ଦିଅନ୍ତି । ଦୁଧବେପାରିମାନେ ଦୁଧରେ ଆରାରୋଟ୍‌ ଗୋଳି ବିକ୍ରୟ କରନ୍ତି ।

 

ମୟୂରଭଞ୍ଜରେ ଓଡ଼ିଆ ବଙ୍ଗୀଳୀ ବିରୋଧ ପୂର୍ବରୁ ପ୍ରଚ୍ଛନ୍ନରେ ଥିଲା, ମନୋରମା ସମୟରେ ସେ ବିରୋଧ ବହ୍ନି ଦାଉ ଦାଉ ହୋଇ ଜଳି ଉଠିଲା । ତେତେବେଳେ କଲିକତାରୁ ମେଜର କୋମ୍ପାନୀର ପ୍ରୋପ୍ରାଇଟର ପଦ୍ମଲୋଚନ ବାବୁ ‘‘ଓୟାରଲେସ୍ ରେକର୍ଡ଼’’ ନାମରେ ଖଣ୍ତେ ଇଂରାଜୀ ମାସିକ ପତ୍ରିକା ବାହାର କରୁଥିଲେ । ମୟୂରଭଞ୍ଜସ୍ଥ ବଙ୍ଗାଳୀମାନଙ୍କ ବିରୁଦ୍ଧରେ ସେଥିରେ ଗୋଟାଏ ପ୍ରବନ୍ଧ ବାହାରିଲା । ତାହାର ମର୍ମ ଏହି–‘‘ଆରବ୍ୟ ଉପନ୍ୟାସର ନିର୍ଜନ ଦ୍ୱୀପସ୍ଥ ବୃଦ୍ଧଦୈତ୍ୟ ଯେପରି ସିନ୍ଧବାଦ ବଣିକର କାନ୍ଧରେ ବସି ଦୁଇଗୋଡ଼ରେ ତାହାର ତଣ୍ଟି ଚିପି ଧରିଥିଲା, ଓଡ଼ିଆମାନଙ୍କ ପ୍ରତି ବଙ୍ଗାଳୀଙ୍କ ବ୍ୟବହାର ଠିକ୍‌ ସେହିପରି ।’’ ସେହି ପ୍ରବନ୍ଧର ଆଂଶିକ ଓଡ଼ିଆ ଅନୁବାଦ ମନୋରମାରେ ବାହାରିଲା । ସେଥିରେ ବଙ୍ଗାଳୀମାନେ ଉତ୍ତେଜିତ ହୋଇ ମନୋରମା ନାମରେ ମୋକଦ୍ଦମା କଲେ । ମନୋରମା ଦଳ ବି ପଶ୍ଚାତ୍‌ପଦ ହେଲେ ନାହିଁ । ସେମାନେ ଉତ୍କଳର ଅଧିକାଂଶ ବିଶିଷ୍ଟ ବ୍ୟକ୍ତିଙ୍କୁ ପତ୍ର ଲେଖି ସେମାନଙ୍କଠାରୁ ପ୍ରକାଶିତ ପ୍ରବନ୍ଧ ସମ୍ୱନ୍ଧରେ ମତ ଆଣି ମନୋରମାରେ ପ୍ରକାଶ କଲେ । ମୟୂରଭଞ୍ଜର ଓଡ଼ିଆମାନଙ୍କୁ ବିପନ୍ନ ଦେଖି ଉତ୍କଳର ଜାତୀୟ ଜୀବନ ଗର୍ଜ୍ଜି ଉଠିଲା । ପ୍ରାୟ ସମସ୍ତେ ମନୋରମା ସପକ୍ଷରେ ମତ ଦେଲେ । ତେତେବେଳେ କାମପାଳ ମିଶ୍ର କରଞ୍ଜିଆର ସବ୍‌ଡ଼ିଭିଜନ୍‌ ଅଫିସର ଥିଲେ । ସେ ମନୋରମାର ପ୍ରଧାନ ପୃଷ୍ଠପୋଷକ ହୋଇ ଠିଆହେଲେ । କାମପାଳ ବାବୁ ନିର୍ଭୀକଚେତା ତେଜସ୍ୱୀ ହାକିମ, ତାଙ୍କୁ ବଙ୍ଗାଳୀମାନେ ଭୟ କରନ୍ତି । ଅଭିଯୁକ୍ତ ପ୍ରବନ୍ଧ ସମ୍ବନ୍ଧରେ ମୋତେ ମଧ୍ୟ ସ୍ୱମତ ବ୍ୟକ୍ତ କରିବାକୁ ପଡ଼ିଥିଲା । ତାହା ପୂର୍ବରେ ଲିଖିତ ହୋଇଅଛି । ଘଟନା କ୍ରମେ ଜଟିଳ, ପୃଥୁଳ ହେବାର ଦେଖି ବଙ୍ଗାଳୀମାନେ ଆଉ ଅଧିକ ଅଗ୍ରସର ହେଲେ ନାହିଁ–ବଳେ ବଳେ ମକଦ୍ଦମା ଉଠାଇ ନେଲେ । କିନ୍ତୁ ବାଲ୍ୟପ୍ରାଣରେ ଆଘାତ ପାଇ ସେହିଦିନଠାରୁ ମନୋରମା ଦୁର୍ବଳ ହୋଇ ପଡ଼ିଲା । ବିପକ୍ଷଦଳର ଷଡ଼ଯନ୍ତ୍ରରେ ଗ୍ରାହକମାନେ ପତ୍ରିକା ଫେରାଇ ଦେବାକୁ ଲାଗିଲେ । ଯାହା ଉପରେ ଯାହା ପ୍ରାପ୍ୟ ଥିଲା, ତାହା ସେମାନେ ଦେଲେ ନାହିଁ । ତଥାଚ ଲାଲସାହେବ ସ୍ୱହସ୍ତରୁ ବ୍ୟୟ ନିର୍ବାହ କରି ମନୋରମାକୁ ବର୍ଷେଯାଏଁ ବଞ୍ଚାଇ ରଖିଲେ । ତହିଁପରେ ତାହାର ଜୀବନ ଦୀପ ମିଞ୍ଜିମିଞ୍ଜି ହୋଇ ଆସି ଲିଭିଗଲା ।

 

ମୟୂରଭଞ୍ଜରେ ସୁଖେ ଦୁଃଖେ ବର୍ଷେ କାଳ କଟିଗଲା । ସେଠାରେ ଆମ୍ଭ ଭଦ୍ରଖବାସୀ ଅନେକ ଥିଲେ । ସ୍ୱର୍ଗୀୟ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଷ୍ଟେଟ୍‌ କଲେକ୍‌ଟର ଥିଲେ । ସେ ଜଣେ ଆଦର୍ଶ ସମାଜ ସଂସ୍କାରକ । ତାଙ୍କର ସଧବା କନ୍ୟାକୁ ସେ ପୁନଶ୍ଚ ବିବାହ କରାଇ ଦେଇଥିଲେ । ତାଙ୍କପରି ନୈତିକ ସାହସୀ ସଂସ୍କାରକ ସମାଜରେ ବିରଳ । ଦେଶଭକ୍ତ ଭଗବାନ ପ୍ରସାଦ ଦାସ କରଞ୍ଜିଆରେ ଓଭରସିଅର ଥିଲେ । ଭଗବାନ ବାବୁ ଅନେକ ଲୋକଙ୍କୁ ଦାନା ଦେଇଅଛନ୍ତି । ଅନେକ ଦୀନ ଦରିଦ୍ର ତାଙ୍କ ପ୍ରସାଦରୁ ବିଭବଶାଳୀ ହୋଇଅଛନ୍ତି । ଚାକିରୀ ଉଦ୍ଦେଶ୍ୟରେ ତାଙ୍କ ପାଖକୁ କେହି ଗଲେ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟାକରି ଯେ କୌଣସି ବିଭାଗରେ ତାକୁ ରଖାଇଦିଅନ୍ତି-। ପର ପାଇଁ ସେ ହାକିମମାନଙ୍କ ଗୋଡ଼ ଧରିବାକୁ ସୁଦ୍ଧା ଅପମାନ ମଣନ୍ତି ନାହିଁ । ଦୁଃଖର ବିଷୟ, ସେ ପରୋପକାରୀ ପୁଣ୍ୟପ୍ରାଣ ବ୍ୟକ୍ତି ଆଉ ଇହଜଗତରେ ନାହାନ୍ତି । ସେହି ସମୟରେ ମହାଭାରତର ଗଦ୍ୟାନୁବାଦ ହେଉଥାଏ । ଅନୁବାଦକମାନେ ବଙ୍ଗବାସୀ ମହାଭାରତ, କାଳୀସିଂହ ମହାଭାରତ (ବର୍ଦ୍ଧମାନ ମହାଭାରତ) ପକାଇ ଅନୁବାଦ କରୁଥାଆନ୍ତି । ପଣ୍ତିତ କପିଳେଶ୍ୱର ବିଦ୍ୟାଭୂଷଣ ଅନୁବାଦ ସଂଶୋଧନ କରୁଥାଆନ୍ତି । ଶହେ ଶ୍ଳୋକର ଅନୁବାଦର ମଜୁରି ପାଞ୍ଚ ଟଙ୍କା-। ଏହି ଦରରେ ଅନୁବାଦ ଲାଗିଥାଏ । ବିଦ୍ୟାଭୂଷଣେ ଜଣେ ଖ୍ୟାତନାମା ପଣ୍ତିତ, ‘‘ନମ୍ରନ୍ତି ଫଳୀନୋବୃକ୍ଷାଃ’’–ଏହି ନୀତି ଶ୍ଳୋକର ଜୀବନ୍ତ ଆଦର୍ଶ । ସେ ମୋ ବସାକୁ ଅନେକ ସମୟରେ ଆସନ୍ତି । ସାହିତ୍ୟ ସମ୍ବନ୍ଧରେ ଅନେକ ଆଲୋଚନା ହୁଏ । ପୋଷ୍ଟମାଷ୍ଟର ବୈଷ୍ଣବଚରଣ ପଟ୍ଟନାୟକ, ବାରିପଦାର ଓ ଓଭରସିଅର ଛକଡ଼ି ମହାନ୍ତି, ଜଜ୍‌କୋର୍ଟର ପେଷ୍କାର (ବର୍ତ୍ତମାନ ସିରସ୍ତାଦାର) ରଘୁନାଥ ମହାପାତ୍ର–ଏମାନେ ମୋର ପୁରୁଣା ବନ୍ଧୁ, ପ୍ରାୟ ପ୍ରତ୍ୟହ ସନ୍ଧ୍ୟା ପରେ ମୋ ବସାକୁ ସମସ୍ତେ ଆସନ୍ତି । ବିବିଧ ବାକ୍ୟାଳାପରେ ସମୟ କଟିଯାଏ । ଯେଉଁଦିନ କେହି ନ ଆସନ୍ତି ସେଦିନ ମୁଁ ମନୋରମା ଅଫିସ ଛାତ ଉପରେ ବସି ମେଘାସନ ପର୍ବତର ଦାବାନଳ ଉତ୍ସବ ଦେଖେଁ । ସଚଳ ଆଲୋକରେଖା ବିଭାଘରର ମସାଲ ଶିଢ଼ୀ ଚାଲିଲା ପ୍ରାୟ ଦେଖାଯାଏ । କ୍ଷଣକ ମଧ୍ୟରେ ପର୍ବତର ଚୂଡ଼ାଗୁଡ଼ିକ ସୁବର୍ଣ୍ଣ ମୁକୁଟରେ ମଣ୍ତିତ ହୋଇଯାଏ । ପ୍ରକୃତି ଦେବୀ ପର୍ବତକୁ କେବେ ବରବେଶରେ, କେବେ ରାଜବେଶରେ ସଜାଇ ଦିଏ । ପର୍ବତର ସ୍ତରେ ସ୍ତରେ ଆଲୋକରେଖା ବଡ଼ ସୁନ୍ଦର ଦିଶେ । ସତେ ଯେପରି ବୃଦ୍ଧ ଯୋଗୀବର ମେଘାସନ ପୀତଚନ୍ଦନରେ କପାଳରେ ତ୍ରିବଳୀ ଚିତା କାଟିଅଛି । ଅଥବା କେଉଁ ସ୍ୱର୍ଣ୍ଣକାର କଷ୍ଟିପଥରରେ ସ୍ୱର୍ଣ୍ଣରେଖା ଟାଣି ପରୀକ୍ଷା କରୁଅଛି । ଅପୂର୍ଣ୍ଣବିଶ୍ୱାସୀ ହୃଦୟରେ ଧର୍ମଭାବର ପ୍ରତିବିମ୍ବ ବାରମ୍ବାର ଫୁଟି ଉଠି ମିଳାଇଗଲା ପରି କେତେବେଳେ ଦାବାନଳ ଜଳି ଉଠୁଥାଏ, କେତେବେଳେ ବା ଲିଭି ଯାଉଥାଏ । ସିଦ୍ଧସାଧକ ମେଘାସନ ଚକିତ ନେତ୍ରରେ ବିଶ୍ୱର ମହାବିରାଟ ରୂପ ଦେଖି ଘନ ଘନ ଆଖି ବୁଜି ପକାଉଥିଲା ପରି ମନରେ ଭାବ ଉଦୟ ହେଉଥାଏ । ନୈଶଗିରି–ପ୍ରକୃତିର ସେ ମହାଶୋଭାର ପଟାନ୍ତର ନାହିଁ । ତାହା ଶୋଭା ନୁହେଁ–ଶୋଭାର ଅନନ୍ତ ଉତ୍ସ ମହାମେଳା । ସ୍ୱୟଂ ଶୋଭାଦେବୀ ଶୋଭାର ଭାନୁମତୀ ଲୀଳା ସର୍ଜନା କରି ବସିଅଛନ୍ତି । ସେ ମହାଲୀଳା ଦେଖି ସ୍ଥାବର ଜଙ୍ଗମ ସ୍ତବ୍‌ଧ ଏବଂ ମୁଗ୍‌ଧ । ବାକ୍ୟରେ ସେ ଅତୁଳଶୋଭାର ସ୍ୱରୂପ ଗଢ଼ି ହେବ ନାହିଁ । ତାହା ବର୍ଣ୍ଣନୀୟ ନୁହେଁ–କେବଳ ଉପଭୋଗ୍ୟ ।

 

ମୟୂରଭଞ୍ଜରେ ମୋର ‘‘ମେଘାସନ’’ ପୁସ୍ତକ ଲିଖିତ ହୋଇଥିଲା । ଫକୀରମୋହନ ବାବୁଙ୍କ ଆଦେଶରେ ତାହା ମନୋରମା ପ୍ରେସରେ ମୁଦ୍ରିତ ହୋଇଥିଲା । ପୁସ୍ତକ ଖଣ୍ତି ବ୍ୟାସ କବିଙ୍କ ନାମରେ ଉତ୍‌ସୃଷ୍ଟ । ‘‘ଶିଶୁପାଳ ବଧ’’ ସେହି ମୟୂରଭଞ୍ଜରେ ଲେଖିଥିଲି । ରାଧାନାଥ ବାବୁ ମାଲ୍ୟଗିରି ଶିଖରରେ ମେଘାସନ ଉପହାର ପାଇ ପ୍ରାପ୍ତି ସମ୍ବାଦ ଲେଖିଥିଲେ । ସରସ୍ୱତୀଙ୍କର ବରପୁତ୍ର ମାଲ୍ୟଗିରିରୁ ଫେରି ଆସି କଟକରେ ପହଞ୍ଚି ଜ୍ୟୋତିର୍ମୟ ସାରସ୍ୱତ ସ୍ୱର୍ଗକୁ ମହାପ୍ରସ୍ଥାନ କଲେ । ତାଙ୍କର ବିୟୋଗ ଦିବସ ଉତ୍କଳ ପକ୍ଷରେ ଭୀଷଣ ଦୁର୍ଦ୍ଦିନ । ତାଙ୍କର କୁକ୍ଷଣରେ ମାଲ୍ୟଗିରି ଯାତ୍ରା ଉତ୍କଳ ସାହିତ୍ୟ ଭାଗ୍ୟରେ ଅଭିଶାପ ।

 

ମନୋରମା ପ୍ରେସ୍‌ରେ ଆଉ ଖଣ୍ତିଏ ଉଲ୍ଲେଖଯୋଗ୍ୟ ପୁସ୍ତକ ଛାପା ହୋଇଥିଲା । ତାହା କହ୍ନେୟାଲାଲ ପଣ୍ତିତଙ୍କ ଅନୁବାଦିତ ଭଗବଦ୍‌ଗୀତା । ଅନୁବାଦ ଖୁବ୍‌ ସରଳ, ପ୍ରାଞ୍ଜଳ ଏବଂ ପୂର୍ଣ୍ଣ । ଲେଖୁଁ ଲେଖୁଁ ଗୋଟାଏ ହାସ୍ୟକର କଥା ମନେପଡ଼ିଲା । ଜଣେ ବୟୋବୃଦ୍ଧ ବ୍ୟକ୍ତିଙ୍କୁ ମୁଁ ସେହି ଗୀତାରୁ ଖଣ୍ତିଏ ଉପହାର ଦେଇଥିଲି । ସେ ଗୀତାଖଣ୍ତି ନେଇଯାଇ ଘରେ ଫିଟାଇ ଦେଖିଲେ ଯେ–ପ୍ରଚ୍ଛଦପଟର ଆଦ୍ୟରେ ଓଁ ଲେଖା ହୋଇଅଛି । ପରପାରଯାତ୍ରୀ ବୃଦ୍ଧ, କଳାଛତା ଦେଖି ମଇଁଷି କ୍ଷିପ୍ତ ହେଲା ପରି, ପୁସ୍ତକଖଣ୍ତି ତଳେ ଥୋଇ ଦେଇ କହିଲେ–‘‘ଆରେ ରାମ, ରାମ, ଏଥିରେ ଓଁ ଲେଖା ହୋଇଅଛି–ଏ ଖଣ୍ତେ ବରହ୍ମୀ ବହି । ଏହା ଜାଣିଥିଲେ ମୁଁ ଛୁଇଁ ନ ଥାଆନ୍ତି ।’’ ମୁଁ ଏକଥା ଶୁଣି ଗୁଡ଼ାଏ ଅନୁତାପ କଲି, ଭାବିଲି–ପବିତ୍ର ଗୀତା ଶାସ୍ତ୍ରର ଏ ଅବମାନନା–ପାପର ମୂଳ ମୁଁ; ଯେହେତୁ ପବିତ୍ର କଦଳୀ ଫଳ ଘୁଷୁରୀକୁ ଦେଇଥିଲି । ମହତ୍‌ ପଦାର୍ଥ ଅପାତ୍ରରେ ଦେବା ପାପ, ଏହା ଭାବି ମୁଁ ଏପରି କୁକାର୍ଯ୍ୟ ଆଉ କରିବି ନାହିଁ ବୋଲି ପ୍ରତିଜ୍ଞା କରି କାନ ମୋଡ଼ି ହୋଇ ପ୍ରାୟଶ୍ଚିତ କଲି । ଓଁ କୁ ଯେ ବ୍ରାହ୍ମଧର୍ମର ଚିହ୍ନ ଏବଂ ବ୍ରାହ୍ମଧର୍ମ ଗନ୍ଧରେ ପୂର୍ଣ୍ଣ ବୋଲି ଜାଣନ୍ତି, ସେ ଧର୍ମର ଛେନାଗୁଡ଼ କଅଣ ବୁଝନ୍ତି, ତାହା ସେହି ଏକା ଜାଣନ୍ତି । ଏକାକ୍ଷରୀ ମହାମନ୍ତ୍ର ଓଁ ର ଅର୍ଥ ଏବଂ ମହତ୍ୱ ହୃଦୟଙ୍ଗମ କରିବା ତାଙ୍କ ଧର୍ମଜ୍ଞାନର ଅତୀତ । ପାତ୍ର ନ ବିଚାରି ଦାନ କଲେ ସେ ଦାନରେ ପୁଣ୍ୟ ହୁଏ ନାହିଁ–ପାପ ହିଁ ହୁଏ । ବୟସ ଅଧିକ ହେଲେ ଯେ ଧର୍ମଜ୍ଞାନ ଅଧିକ ହୁଏ–ଏ ଭ୍ରାନ୍ତଧାରଣା ସେହିଦିନଠାରୁ ମୋର ଛାଡ଼ିଗଲା ।

 

ମୟୂରଭଞ୍ଜରେ ଥିବା ସମୟରେ ଖଡ଼ିଆଳର ଯୋଗଜନ୍ମା ରାଜା ବୀର ବିକ୍ରମଦେବଙ୍କର ପୁସ୍ତକ ମୁଁ ସଂଶୋଧନ କରୁଥିଲି । ରାଜା ବୀର ବିକ୍ରମ ଜଣେ ନିଷ୍ଠାପର ସାହିତ୍ୟସେବୀ ଥିଲେ । ଅଳଙ୍କାର ଶାସ୍ତ୍ରରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ସେ ହିନ୍ଦି ଭାଷାର ଅନେକ ନାଟକ ଓଡ଼ିଆରେ ଅନୁବାଦ କରିଥିଲେ, ତାଙ୍କ ଅର୍ଥାନୁକୂଲ୍ୟରେ କେତେ ଖଣ୍ତ ସତ୍‌ ସାହିତ୍ୟ ଦେଶରେ ପ୍ରଚାରିତ ହୋଇଥିଲା । ସେ ‘‘ପଞ୍ଜାବ ପତନ’’ ନାଟକ ହିନ୍ଦିରୁ ଅନୁବାଦ କରି ସଂଶୋଧନ ପାଇଁ ପଠାଇଥିଲେ ଏବଂ ସଂଶୋଧନ ପରେ ମନୋରମା ପ୍ରେସ୍‌ରେ ହଜାରେ ଖଣ୍ତ ଛପାଇ ଦେବାପାଇଁ ଆଦେଶ ମଧ୍ୟ ଦେଇଥିଲେ । ତଦନୁଯାୟୀ ପାଣ୍ତୁଲେଖ୍ୟ ସଂଶୋଧିତ ହୋଇ ପୁସ୍ତକ ଛାପା ହୋଇଗଲା । ଛାପା ଖର୍ଚ୍ଚ ବିଲ୍‌ ସହ କେତେ ଖଣ୍ଡ ମୁଦ୍ରିତ ପୁସ୍ତକ ରାଜାଙ୍କ ନିକଟକୁ ପଠାଗଲା । ସେ ବିଲ୍‌ଟଙ୍କା ପଠାଇ ଦେଇ ପାଣ୍ତୁଲିପି ସହ ମୁଦ୍ରିତ ପୁସ୍ତକ ଗୁଡ଼ିକ ଅତି ଶୀଘ୍ର ପୋଡ଼ି ପକାଇବା ପାଇଁ ରେଜେଷ୍ଟରୀ ଡାକରେ ପତ୍ର ଲେଖିଲେ । ତେତେବେଳେ ରାଜଦ୍ରୋହ ଅପରାଧରେ ଅନେକ ପୁସ୍ତକ ଧରାହୋଇ ବାଜ୍ୟାପ୍ତ ହେଉଥାଏ । ରାଜା ଲେଖିଲେ–‘‘ମୁଁ ହିନ୍ଦିରୁ ଅବିକଳ ଅନୁବାଦ କରିଅଛି । ମୂଳ ପୁସ୍ତକରେ ଯେବେ ଦୋଷ ଥାଏ, ତେବେ ଅନୁବାଦରେ ତାହା ରହି ଯାଇଥିବ । ଗୋଟାଏ ଆଶଙ୍କା ପୋଷଣ କରିବା ଅପେକ୍ଷା ପୁସ୍ତକ ଗୁଡ଼ାକ ନଷ୍ଟ କରିଦେବା ହିଁ ଶ୍ରେୟସ୍କର । ଆପଣ ଏ ପତ୍ର ପାଇଲାମାତ୍ରେ ପୁସ୍ତକ ଏବଂ ପାଣ୍ତୁଲିପି ପୋଡ଼ିଦେଇ ଫେରନ୍ତା ଡାକରେ ମୋତେ ପତ୍ର ଲେଖିବେ ।’’ ରାଜାଙ୍କ ଆଦେଶାନୁସାରେ ମୁଁ ପୁସ୍ତକ ଏବଂ ତତ୍‌ସମ୍ୱନ୍ଧୀୟ ସମସ୍ତ କାଗଜପତ୍ର ଅଗ୍ନି ସାତ୍‌ କରିଦେଇ ପଞ୍ଜାବ ପତନର ଅଶୌଚ ସମ୍ବାଦ ରାଜାଙ୍କୁ ରେଜିଷ୍ଟରୀ ପତ୍ରଦ୍ୱାରା ଜଣାଇ ଦେଲି । କେଉଁ କାଳବେଳାରେ ବାଳରିଷ୍ଟ ଘେନି ପୁସ୍ତକ ଖଣ୍ତି ଜନ୍ମ ହୋଇଥିଲା କେଜାଣି, ଜନ୍ମ ହେଲା ପରେ ଅଗ୍ନି ତୁଣ୍ତରେ ଆହୂତି ହେଲା । ବାଳରିଷ୍ଟ, ଚନ୍ଦ୍ରପୀଡ଼ା କି ସ୍ଥାବର କି ଜଙ୍ଗମ ସମସ୍ତଙ୍କର ଅଛି ? ଅନ୍ତୁଡ଼ି ପିଲାକୁ ବାଘ ଖାଇଲା, ରାଜା ନିଶ୍ଚିନ୍ତ ହେଲେ–ମୁଁ ବି ନିଶ୍ଚିନ୍ତ ହେଲି ।

 

ରାଜା ବିକ୍ରମ ଜଣେ ଗୁଣଗ୍ରାହୀ, ହୃଦୟୀ ନରପାଳ ଥିଲେ । ମୋତେ ସେ ଅନେକ ଥର ଅର୍ଥ ସାହାଯ୍ୟ କରିଅଛନ୍ତି । ପ୍ରତିଥର ପଚିଶ ଟଙ୍କାରୁ ଊଣା ପଠାନ୍ତି ନାହିଁ । ଅଯାଚିତ ଭାବରେ ଏରୂପ ଅନୁଗ୍ରହ ବାସ୍ତବରେ ବିରଳ । ଟଙ୍କା ପଠାଇ ମନିଅର୍ଡ଼ର କୁପନରେ ଲେଖନ୍ତି–ଆପଣଙ୍କ ଖର୍ଚ୍ଚ ସକାଶ ପଠାଗଲା, ମନରେ କିଛି କରିବେ ନାହିଁ । ଦାରୁଣ ପରିତାପର ବିଷୟ, ସେହି ସାହିତ୍ୟ ବନ୍ଧୁ ଆଦର୍ଶ କ୍ଷଣଜନ୍ମା ରାଜା ଅକାଳରେ ସାଧନୋଚିତ ମହାଧାମକୁ ଯାତ୍ରା କରିଅଛନ୍ତି । ରାଜା ବୀର ବିକ୍ରମ କବିପୁତ୍ର କବି । ତାଙ୍କ ପିତୃଦେବଙ୍କର ଅଳଙ୍କାର ଗ୍ରନ୍ଥ ଉତ୍କଳ ସାହିତ୍ୟାକାଶରେ ଉଜ୍ୱଳ ଜ୍ୟୋତିଷ୍କ ରୂପେ ଆଲୋକ ଦାନ କରୁଅଛି । ଖଡ଼ିଆଳର ରାଜସିଂହାସନ ଉତ୍କଳର ଅନ୍ୟତମ ସାରସ୍ୱତ ଗାଦି । ରାଜା ବୀର ବିକ୍ରମ ଦେବ ମୋର ‘‘ଶିଶୁପାଳ ବଧ’’ କାବ୍ୟ ଛାପା ସକାଶ ବୌଦ ପ୍ରେସ୍‌କୁ ପଠାଇଥିଲେ । ମାତ୍ର ଛାପା ପୁସ୍ତକ ଦେଖି ପାରିନାହାନ୍ତି । ପୁସ୍ତକ ପ୍ରକାଶ ପୂର୍ବରୁ ତାଙ୍କର ମହାପ୍ରୟାଣ ଘଟିଥିଲା । ପରେ ବୌଦପ୍ରେସ୍‌ରୁ ମୁଁ ଛାପା ପୁସ୍ତକ ଗୁଡ଼ିକ ପାଇଥିଲି-। ତେତେବେଳେ ପ୍ରଥିତନାମା ରାଜକିଶୋର ତ୍ରିପାଠୀ ବୌଦର ଦେଓ୍ୱାନ୍‌ (ସୁପରିଣ୍ଟେଣ୍ତେଣ୍ଟ) ଥିଲେ । ତାଙ୍କର ଚେଷ୍ଟାରେ ମୁଁ ବହି ଗୁଡ଼ିକ ପାଇଥିଲି । ତ୍ରିପାଠୀ ମହୋଦୟ ମୋ ପ୍ରତି ଯଥେଷ୍ଟ ଅନୁଗ୍ରହ ପ୍ରକାଶ କରି ଅଛନ୍ତି । ଆଉଥରେ ମୋର ‘‘ଯୁଗଳ ମଠ’’ ଉପନ୍ୟାସ ବଲାଙ୍ଗିର ପ୍ରେସ୍‌ରୁ ପଠାଇ ଦେଇଥିଲେ । ସେ ସମୟରେ ସେ ପାଟନା ଷ୍ଟେଟ୍‌ର ସୁପରିଣ୍ଟେଣ୍ତେଣ୍ଟ ଥିଲେ । ପଣ୍ତିତ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ୱାରା ମୁଁ ଖଡ଼ିଆଳ ରାଜାଙ୍କ ସହ ପରିଚିତ ହୋଇଥିଲି । ପତ୍ରିକାର ସମ୍ପାଦକ ରୂପେ ପୂର୍ବରୁ ପରିଚୟ ଥିଲା, ମାତ୍ର ଘନିଷ୍ଠତା ଥିଲା ନାହିଁ । ନୀଳମଣି ବାବୁ ରାଜାଙ୍କର ଖଣ୍ତିଏ ନାଟକର ପାଣ୍ତୁଲିପି ସଂଶୋଧନ ସକାଶେ ପାଇ ତାଙ୍କର ସମୟାଭାବରୁ ମୋତେ ସଂଶୋଧନ କରିବାକୁ କହିଲେ। ମୁଁ ସଂଶୋଧନ କରିଦେଲି । ତାହା ରାଜାଙ୍କର ମନୋମତ ହେଲା । ସେହିଦିନୁ ସଂଶୋଧନର ଭାର ମୋ ଉପରେ ରହିଲା । ଏହି ସୂତ୍ରରେ ପରିଚୟ ଘନିଷ୍ଠତର ହେଲା । ତାଙ୍କର ଅକାଳ ବିୟୋଗ ଦୁଃଖ ମୋ ମନରୁ ଅବଧି ପାସୋର ଯାଇନାହିଁ । ଆଜି ସେହି ଧର୍ମପ୍ରାଣ ମହାତ୍ମାଙ୍କର ପବିତ୍ର ଆଖ୍ୟାନ ଯତ୍‌କିଞ୍ଚିତ୍‌ ଲେଖି ଅଶ୍ରୁତର୍ପଣ ଦ୍ୱାରା ନିଜ ମନକୁ ସାନ୍ତ୍ୱନା ଦେଉଅଛି-

 

ମେଜର କୋମ୍ପାନୀର ସ୍ୱତ୍ୱାଧିକାରୀ ପଦ୍ମଲୋଚନ ମହାନ୍ତି ଉତ୍କଳବାସୀ ପରିଚାଳନ ସମୟରେ ମୋତେ ଯଥେଷ୍ଟ ସାହାଯ୍ୟ କରୁଥିଲେ, ତାହା ଯଥାସ୍ଥାନରେ ଲିଖିତ ହୋଇଅଛି । ମନୋରମା ବେଳେ ସୁଦ୍ଧା ସେ ସେହିପରି ସାହାଯ୍ୟ କଲେ । ସେ ପ୍ରାୟ ପ୍ରତ୍ୟହ ଅନେକ ଦୈନିକ, ସାପ୍ତାହିକ, ପାକ୍ଷିକ, ମାସିକ ପତ୍ରିକା ପଠାନ୍ତି । ସେଥିରୁ ପତ୍ରିକାର ଅନେକ ଉପାଦାନ ମିଳେ । ତାଙ୍କର ଔଷଧ ବିଜ୍ଞାପନ ମନୋରମାର ପ୍ରଥମ ପୃଷ୍ଠାରେ ବାହାରୁଥାଏ । ଉତ୍କଳବାସୀ ସମୟରୁ ଭଦ୍ରଖ ସ୍କୁଲ ସମ୍ବନ୍ଧରେ ମୁଁ ଅନେକଥର ଲେଖିଅଛି । ମନୋରମାରେ ବି ଲେଖିଲି, ପୁଣି ଅନ୍ୟାନ୍ୟ ଓଡ଼ିଆ ପତ୍ରିକାରେ ମଧ୍ୟ ଲେଖିଲି । ତେତେବେଳେ ସ୍ୱନାମଧନ୍ୟ ଗଣପତି ବାବୁ ଭଦ୍ରଖ ସ୍କୁଲର ସଂସ୍କାରରେ ଲାଗିଥାଆନ୍ତି । ସେ ଏବଂ ଭଗବାନ ବାବୁ ମୋତେ ଉପକରଣ ଯୋଗାନ୍ତି । ମୁଁ ଭଦ୍ରଖ ଆସିଲେ ଗଣପତିବାବୁଙ୍କ ସଙ୍ଗରେ ଦେଖାହୁଏ । ସେ କଚେରୀ ଫେରନ୍ତା ଆସି ଆମ ଗାଁ ଠାକୁର ବଙ୍ଗଳାରେ ବସନ୍ତି । ବଙ୍ଗଳାଟି ସେ ନିଜେ ତୟାର କରାଇ ଦେଇଥିଲେ । ସେହିଠାରେ ଭଦ୍ରଖ ସ୍କୁଲ ସମ୍ବନ୍ଧରେ ଆଲୋଚନା ହୁଏ । ସେ ସମୟରେ ଭଦ୍ରଖ ସ୍କୁଲର ଅବସ୍ଥା ଅତି ଶୋଚନୀୟ ଥିଲା-। ଏମ୍. ଏ. ବି. ଏ. ଉପାଧିଧାରୀ ବିଦେଶୀ ହେଡ଼୍‌ମାଷ୍ଟରମାନେ ପକ୍ଷୀ ପରି ଉଡ଼ିଆସି ଉଡ଼ିଯାଉଥିଲେ । ବର୍ଷ ପୂର୍ଣ୍ଣ ହେବା କାହାରି ଭାଗ୍ୟର ଘଟୁ ନ ଥିଲା । କେହି ଦରମା ନପାଇ ପଳାଉଥିଲେ, କେହି ବା ଅନ୍ୟ ଚାକିରୀ ଯୋଗାଡ଼ କରି ଚାଲିଯାଉଥିଲେ । ସ୍କୁଲ କମିଟି ନିରୂପାୟ ହୋଇ ସେକେଣ୍ତ ମାଷ୍ଟର ଶରଚ୍ଚନ୍ଦ୍ର ବନ୍ଦୋପାଧ୍ୟାୟଙ୍କୁ ହେଡ଼୍‌ମାଷ୍ଟର ନିଯୁକ୍ତ କଲେ । ଶିକ୍ଷକମାନେ ରୀତିମତ ବେତନ ପାଆନ୍ତି ନାହିଁ । ଛାତ୍ରଦତ୍ତ ବେତନ ଯାହା ହାତରେ ଯାହା ପଡ଼େ ସେ ତାହା ମାରିନିଏ । ବେତନ ନ ପାଇବାରୁ ଶିକ୍ଷକମାନେ ବି ଯଥା ସମୟରେ ସ୍କୁଲକୁ ଆସନ୍ତି ନାହିଁ–ଆସିଲେ ଦି ଘଡ଼ି ବସି ଚାଲିଯାଆନ୍ତି । ସ୍କୁଲରେ ମୂଳ ବହି ପଢ଼ା ହୁଏ ନାହିଁ । ବ୍ୟାଖ୍ୟା, ଟୀକା, ପ୍ରଶ୍ନୋତ୍ତର ଘୋଷା ହୁଏ । ଶରତ୍‌ ବାବୁ ବିଦ୍ୱାନ୍‌ ସ୍ୱାଧୀନଚେତା, ପରିଶ୍ରମୀ; କିନ୍ତୁ ଉପର କ୍ଳାସ ପିଲାଙ୍କୁ ନେଇ ଅନ୍ତୁଡ଼ି ଜଗିଲା ପରି ତାଙ୍କରି ସଙ୍ଗରେ ଲାଗିଥାଆନ୍ତି–ତଳ ଶିକ୍ଷକମାନଙ୍କର କାର୍ଯ୍ୟ ଦେଖନ୍ତି ନାହିଁ । ଏହିସବୁ ବିଷୟ ପତ୍ରିକାରେ ଆଲୋଚନା କରାଗଲା । ତେତେବେଳେ ଇନ୍‌ସ୍ପେକ୍‍ଟର ମଧୁସୂଦନ ରାଓ । ସେ ଗସ୍ତରେ ବାରିପଦା ଯାଇଥିଲେ, ମୁଁ ତାଙ୍କୁ ଦେଖାକରି ଭଦ୍ରଖ ସ୍କୁଲର ଅଭାବ, ଅସୁବିଧା ସବୁ ବୁଝାଇ କହିଲି । ଏଥିପୂର୍ବରୁ ଡିରେକ୍‌ଟର ଏବଂ ଇନିସ୍‌ପେକ୍‌ଟରଙ୍କୁ ଏକାଧିକ ଥର ଭଦ୍ରଖ ସ୍କୁଲର ଅବସ୍ଥା ଜଣାଇ ପ୍ରତିକାର ପ୍ରାର୍ଥୀ ହୋଇଥିଲି । ମଧୁବାବୁ ମୋ ଠାରୁ ସବୁ ଶୁଣି କହିଲେ, ମୁଁ ଏ ଅଞ୍ଚଳରୁ ଫେରିଲେ ଭଦ୍ରଖ ଯିବି । ସ୍କୁଲ ଦେଖି ଉପଯୁକ୍ତ ବ୍ୟବସ୍ଥା କରିବି ।’’ ଦରମା ଲୋଭରେ ଅଯୋଗ୍ୟ ପିଲାଙ୍କୁ ଉପରକ୍ଳାସକୁ ଉଠାଇ ଦିଆଯାଏ–ମୂଳ ପୁସ୍ତକ ନ ପଢ଼ାଇ ତାହାର ବ୍ୟାଖ୍ୟା, ପ୍ରଶ୍ନୋତ୍ତର ଘୋଷା ହୁଏ, ଏହିପରି ଯାବତୀୟ ତ୍ରୁଟି ମୁଁ ତାଙ୍କ ଆଗରେ କହିଥିଲି । ସେ ତାହା ସବୁ ନୋଟ୍‌ କରି ନେଇଥିଲେ । ତେତେବେଳେ ସ୍କୁଲରେ ଜଣେ ସୁଦ୍ଧା ଗ୍ରାଜୁଏଟ୍‌ କିମ୍ବା ଆଇ, ଏ. ଶିକ୍ଷକ ନ ଥିଲେ । ତଳୁ ଉପରଯାଏଁ ସମସ୍ତେ ଏଣ୍ଟ୍ରେନ୍‍ସ ପାସ, କେହି ବା ଏଣ୍ଟ୍ରେନ୍‌ସ ଫେଲ । ମଧୁବାବୁ ସ୍କୁଲ ଦେଖି ମୋ କଥାର ପୂର୍ଣ୍ଣ ପ୍ରମାଣ ପାଇଲେ । ସେ ହେଡ଼୍‍ମାଷ୍ଟରଙ୍କର ଦରମା ପାଞ୍ଚ ଟଙ୍କା କାଟିଦେଇଗଲେ । ଏକଥା ମନୋରମାରେ ବାହାରିଲା । ଶରତ୍‌ ବାବୁ ମୋ ଉପରେ ଖପାହୋଇ ମୋ ନାମରେ ମକଦ୍ଦମା କରିବାକୁ ବାହାରିଲେ । ଦିନେ ଭଗବାନ ବାବୁ ତାଙ୍କୁ ଯାଇ କହିଲେ–‘‘କି ମାଷ୍ଟର ମହାଶୟ, ଆପଣ ପରା ଚିନ୍ତାମଣି ବାବୁଙ୍କ ନାମରେ ମକଦ୍ଦମା କରିବେ ? ଭାବିଥିବେ ତାଙ୍କର ପଇସା ନାହିଁ, ତାଙ୍କୁ ସହଜରେ ପରାସ୍ତ କରି ପ୍ରତିଶୋଧ ନେବେ, ମାତ୍ର ଜାଣିଥାଉନ୍ତୁ–ତାଙ୍କ ପଛରେ ଅନେକ ଟଙ୍କା ତୋଡ଼ା ଧରି ଠିଆ ହୋଇଛନ୍ତି । ଆପଣଙ୍କ ବ୍ୟବହାରରୁ ଭଲ ଶିକ୍ଷକ ସ୍କୁଲରେ ରହିପାରୁନାହାନ୍ତି, ଆପଣ ପୁଣି କହନ୍ତି–‘‘ଆମାର ସ୍କୁଲ, ଆମି ଯାଇଚ୍ଛା ତାଇ କରବ, କେ ଆମାର କି କର୍‌ତେ ପାରେ ?’’ ଏ ବିଷୟର ପ୍ରମାଣ ଆମ୍ଭେମାନେ ଦେବୁଁ । ଆପଣ ମାନହାନି ନାଲିସ୍‌ କରନ୍ତୁ । ସେଥିପାଇଁ କେହି ସୋରିଷ ଖୋଳି ପଶିବ ନାହିଁ ।’’ ଏହା ଶୁଣି ଶରତ୍‌ ବାବୁ ବୁଝିପାରିଲେ ଯେ ମୋ ପଛରେ ଗୋଟାଏ ପୃଷ୍ଠପୋଷକଦଳ ଅଛି । ସୁତରାଂ ଆଉ ମକଦ୍ଦମା କରିବାକୁ ସାହସ କଲେ ନାହିଁ । ମୁଁ ଶରତ୍‌ ବାବୁଙ୍କ ଉପରେ ଦୋଷ ଲଦି ଲେଖି ନ ଥିଲି, ବରଂ ତାଙ୍କୁ ପ୍ରଶଂସା କରିଥିଲି । ମୁଁ ଲେଖିଥିଲି–ଶରତ୍‌ ବାବୁ ନିଜେ ଯେପରି ଖଟନ୍ତି, ଅନ୍ୟ ଶିକ୍ଷକମାନଙ୍କୁ ସେପରି ଖଟାନ୍ତି ନାହିଁ । ସେମାନଙ୍କ କାର୍ଯ୍ୟ ସେ ଆଦୌ ଦେଖନ୍ତି ନାହିଁ । ଏକଥା ଶରତ୍‌ ବାବୁ ପଛରେ ବୁଝିପାରିଥିଲେ । ଶେଷ ଜୀବନରେ ସେ ମୋ ସହିତ ଅତି ଘନିଷ୍ଠତା କରିଥିଲେ । ଅଧିକାଂଶ ସମୟ ଆମ ଘର ପାଖକୁ ଆସନ୍ତି । ସାହିତ୍ୟର ଆଲୋଚନା ହୁଏ । ତାଙ୍କର ଶେଷ ପୁସ୍ତକ ‘‘ପ୍ରାର୍ଥନା ଶତକ’’ର ଓଡ଼ିଆ ପଦ୍ୟାନୁବାଦ ମୋଠାରୁ କରାଇ ନେଇଥିଲେ । ଇଂରାଜୀ ଏବଂ ସଂସ୍କୃତ ସାହିତ୍ୟରେ ସେ ଧୁରନ୍ଧର । ଅନେକ ପୁସ୍ତକ ମଧ୍ୟ ଲେଖିଅଛନ୍ତି । ବର୍ତ୍ତମାନ ସେ ପରଲୋକଗତ । ଶରତ୍‌ ବାବୁ ନୈସର୍ଗିକ କବି । ତାଙ୍କର ‘‘କୃଷ୍ଣପ୍ରେମ ତରଙ୍ଗିଣୀ’’, କୁମାର ସମ୍ଭବ, ମେଘଦୂତର ଅନୁବାଦ ପ୍ରାଜ୍ଞ ସମାଜରେ ଆଦୃତ ହୋଇଅଛି । ସେ ଏକାଦିକ୍ରମେ ତିରିଶ ବର୍ଷକାଳ ଭଦ୍ରଖ ସ୍କୁଲରେ କାର୍ଯ୍ୟ କରିଥିଲେ । ଦୁଃଖର ବିଷୟ ସ୍କୁଲ କମିଟି ତାଙ୍କୁ ଶୂନ୍ୟ ହସ୍ତରେ ବିଦାୟ ଦେଇଥିଲେ । ଭଦ୍ରଖର ଅଧିକାଂଶ ଓକିଲ, ହାକିମ, ଅମଲା ତାଙ୍କର ଛାତ୍ର । ଭଦ୍ରଖ ସ୍କୁଲରେ ଯେପରି ହେଡ଼୍‌ମାଷ୍ଟର ଦୁର୍ଭିକ୍ଷ ପଡ଼ିଥିଲା, ଶରତ୍‌ ବାବୁ ବହୁ ବର୍ଷ ବ୍ୟାପି କଷ୍ଟ ସହି ରହି ନ ଥିଲେ ସ୍କୁଲର ଅସ୍ତିତ୍ୱ ସନ୍ଦେହଜନକ ହୋଇଥାଆନ୍ତା । ସେହି ଭଦ୍ରଖ ସ୍କୁଲରୁ ବର୍ତ୍ତମାନ ଦଳ ଦଳ ହୋଇ ପାସ୍‌ କରୁଅଛନ୍ତି । ବୃତ୍ତି ପ୍ରାୟ ଲାଗି ରହିଅଛି । ବର୍ଷେ ବର୍ଷେ ଦୁଇଟା ଲେଖାଏଁ ବୃତ୍ତି ନେଉଅଛି । କାଳର ଗତି ଏହିପରି ପରିବର୍ତ୍ତନଶୀଳ । ସ୍କୁଲଟି ଯେପରି ଗତିରେ ଉନ୍ନତି ଆଡ଼କୁ ଅଗ୍ରସର ହେଉଅଛି, ସେଥିରୁ ବୋଧହୁଏ ଅଦୂର ଭବିଷ୍ୟତରେ ତାହା ଦ୍ୱିତୀୟଶ୍ରେଣୀ କଲେଜରେ ପରିଣତ ହେବ । କିନ୍ତୁ ମୁଁ ଜନ୍ମଭୂମିର ସେହି ଶୁଭ ସୌଭାଗ୍ୟ ଦେଖିପାରିବି ନାହିଁ । ବର୍ତ୍ତମାନ ସ୍କୁଲ ଗ୍ରାଜୁଏଟ୍‌ମୟ । ଏମ, ଏ, ବା ଟ୍ରେନିଂର ଅଭାବ ନାହିଁ । ଛାତ୍ର ଗହଳରେ ସ୍କୁଲଘର ଘୋ ଘୋ ଡାକୁଛି । ଏତିକି ଦେଖି ମୁଁ କୃତାର୍ଥ । ମଫସଲର ଲୋକେ ଶିକ୍ଷାର ମୂଲ୍ୟ, ମହତ୍ୱ ବୁଝିଲେଣି । ମଫସଲରୁ ଦଳ ଦଳ ହୋଇ ପିଲା ପଢ଼ିବାକୁ ଆସୁଛନ୍ତି । ଇତର ଜାତି ମହାମୂର୍ଖ ପାଣ, ମୋଚି ପ୍ରଭୃତି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କଲେଣି । ତେତେବେଳେ ଗାଁରେ ଜଣେ ଦୁଇଜଣ ପାଠୁଆ ନ ଥିଲେ, ବର୍ତ୍ତମାନ ଘରେ ଘରେ ପାଠୁଆ । ନିଜର ଦେଶକୁ–ନିଜର ଜାତିକୁ ଲୋକେ ଚିହ୍ନୁଅଛନ୍ତି । ପୂର୍ବ ଗୌରବ ଏବଂ ଆତ୍ମସମ୍ମାନ ହେଜି ପାରିଲେଣି । ବିଦେଶ ଯାଇ ଜ୍ଞାନାର୍ଜନ କରିବାକୁ ଆଉ ମନା ନାହିଁ । ସମାଜର ସେ ମୂଢ଼ତା କଟିଗଲାଣି । ମହାତ୍ମାଗାନ୍ଧୀଙ୍କ ଯୋଗୁଁ ସମସ୍ତଙ୍କ ପ୍ରାଣରେ ଦେଶ ପ୍ରତି ମାତୃମମତା ଜାତ ହେଲାଣି–ଏହା ଶୁଭସୂଚନା ନୁହେଁ କି ?

 

ସେ ସମୟରେ ମୟୂରଭଞ୍ଜ ହାଇସ୍କୁଲରେ ଶୈଳେନ୍ଦ୍ରନାଥ ସର୍କାର ହେଡ଼୍‌ମାଷ୍ଟର ଥିଲେ-। ସେ ସୁପ୍ରସିଦ୍ଧ ଇଂରାଜୀ ଫାଷ୍ଟବୁକ ପ୍ରଣେତା ପ୍ୟାରୀ ଚରଣ ସର୍କାରଙ୍କ ପୁତ୍ର । ଫାଷ୍ଟବୁକ୍‌ର ମାହାତ୍ମ୍ୟ ଆଜିଯାଏଁ ଅକ୍ଷୁଣ୍ଣ ଅଛି । ଆଉ କାହାରି କୌଣସି ପୁସ୍ତକ ଏତେ ଦୀର୍ଘକାଳ ବ୍ୟାପି ଚଳି ନ ଥିଲା । ନୂତନ ଧରଣର ସମଶ୍ରେଣୀୟ ଅନେକ ପୁସ୍ତକ ବାହାରିଲେ ସୁଦ୍ଧା ପ୍ରତିଯୋଗିତାରେ ଫାଷ୍ଟବୁକ୍‌ ସ୍ୱସ୍ଥାନରୁ ତିଳେ ମାତ୍ର ଖସିନାହିଁ । କେବେ ପୁରୁଣା ହୁଏ ନାହିଁ । ଶୈଳେନ୍ଦ୍ର ବାବୁ ଉପଯୁକ୍ତ ପୁତ୍ର, ସେ ଡବଲ ଏମ୍‌, ଏ । ଓଡ଼ିଆ ବଙ୍ଗାଳୀ ଭେଦାଭାବ ତାଙ୍କଠାରେ ନ ଥିଲା । ସମସ୍ତଙ୍କୁ ସେ ସମାନ ଚକ୍ଷୁରେ ଦେଖୁଥିଲେ । ହୋମିଓପ୍ୟାଥିକ ଚିକିତ୍ସାରେ ସେ ସିଦ୍ଧହସ୍ତ ଥିଲେ । ସ୍କୁଲ ଛାତ୍ର ବା ଅନ୍ୟ କେହି ପୀଡ଼ିତ ଥିବାର ଶୁଣିଲେ ସେ ତତ୍‌କ୍ଷଣାତ୍‌ ଔଷଧ ବାକ୍‌ସ ଘେନି ରୋଗୀ ପାଖରେ ଉପସ୍ଥିତ ହୋଇ ଚିକିତ୍ସା କରନ୍ତି । କାହାରି ଘର ପୋଡ଼ିଗଲେ ସେ ସ୍କାଉଟ୍‌ଦଳକୁ ଘେନି ଯାଇ ନିଆଁ ଲିଭାଇ ଦିଅନ୍ତି । ମୋତେ ଥରେ ଜ୍ୱର ହୋଇଥିଲା । ସେ ଚାରିଦିନ ଯାଏଁ ସକାଳ ସନ୍ଧ୍ୟାରେ ମୋ ବସାକୁ ଆସି ମୋତେ ଔଷଧ ଦେଇ ଭଲ କରିଥିଲେ । ସେ ନିଜ ଗୁଣରେ ମୟୂରଭଞ୍ଜବାସୀଙ୍କର ଭକ୍ତିଭାଜନ ହୋଇଥିଲେ । ତାଙ୍କ ପରି ଦେବହୃଦୟ ବ୍ୟକ୍ତିମାନେ ବଙ୍ଗଦେଶର ଗୋଟିଏ ଗୋଟିଏ ରତ୍ନ ସ୍ୱରୂପ । ବାରିପଦା ସ୍କୁଲ ଠିକ୍‌ ଗୋଟାଏ କଲେଜ ପରି । ଉପକରଣ ଏବଂ ଯନ୍ତ୍ରପାତିର ଅଭାବ ନାହିଁ । ସ୍କୁଲର ସେକେଣ୍ଡ ପଣ୍ଡିତ ମଧୁସୂଦନ ଦାଶ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ । ସେ ପ୍ରତ୍ୟହ ସନ୍ଧ୍ୟା ସମୟରେ ଆସି ମୋର ତତ୍ତ୍ୱ ନିଅନ୍ତି । ବୈଷ୍ଣବ ଚରଣ ବିଦ୍ୟାସାଗର ଟୋଲର ହେଡ଼୍‌ପଣ୍ଡିତ ଥିଲେ । ସେ ଜଣେ ଦେଶ ବିଖ୍ୟାତ ପଣ୍ଡିତ ଏବଂ ଅଗାଧ ବିଦ୍ୱାନ୍‌ । ଲାଲ ସାହେବ ହରିଶ୍ଚନ୍ଦ୍ର ଭଞ୍ଜ ପ୍ରତ୍ୟହ ମୋର ତତ୍ତ୍ୱ ନିଅନ୍ତି । ସେ ଜଣେ ବିଦ୍ୱାନ୍‌, ବିନୟୀ, ଶାନ୍ତ, ସଦାଳାପୀ ବ୍ୟକ୍ତି ଏବଂ ଗୁପ୍ତଦାତା । ରାଜପୁରୁଷ ସମାଜରେ ତାଙ୍କପରି ସରଳ, ନିରଭିମାନ ବିରଳ । ସେ ମୋର ଅନେକ ସୁବିଧା କରିଦେଇଥିଲେ । ଲାଲ ସାହେବ ମ୍ୟୁନିସିପାଲଟିର ଚେୟାରମେନ୍‌ ଥିଲେ । ସେ ବଡ଼ ଶିକାରପ୍ରିୟ । ଗୋଟାଏ ଦନ୍ତାହାତୀ ବେତନଟିଠାରେ ଭାରୀ ଉପଦ୍ରବ କଲା । ତାହା ଦୌରାତ୍ମ୍ୟରେ ଘରେ ଘରେ ତାଟି କବାଟ ପଡ଼ିଲା । ଲାଲ ସାହେବ ଯାଇ ଛଅଟା ଗୁଳିରେ ତାକୁ ମାରି ଭୂତଳଶାୟୀ କଲେ । ଏହା ମୋର ମୟୂରଭଞ୍ଜରେ ଥିବା ସମୟର ଘଟଣା ।

 

Unknown

ସ୍ୱର୍ଗୀୟ ନୀଳଗିରି ରାଜା ମୟୂରଭଞ୍ଜ ରାଜାଙ୍କ ଭାଇ । ସେ ଅଧିକାଂଶ ସମୟ ମୟୂରଭଞ୍ଜରେ ଆସି ରହନ୍ତି । ସେ ଜଣେ ତେଜସ୍ୱୀ କ୍ଷତ୍ରିୟ ବୀର । ମୁଖ ଏବଂ ଚକ୍ଷୁରେ କ୍ଷାତ୍ର ତେଜ ଆଭାସି ଉଠୁଥାଏ । ମୃଗୟା ତାଙ୍କର ଅତି ପ୍ରିୟ ବ୍ୟସନ, ସେ ପ୍ରାୟ ସତତ ଶିକାରରେ ବ୍ୟାପୁତ ଥାଆନ୍ତି । ମନୋରମା ଅଫିସ୍‌ ଆଗରେ ଗୋଟାଏ ପୁଷ୍କରିଣୀ ଅଛି, ସେଥିରେ ସମୟ ସମୟରେ ବନଶୀ ପକାଇ ଆମୋଦ ଉପଭୋଗ କରନ୍ତି । ଅଣ୍ଟାଏ ପାଣି ଭିତରେ ସେ ଭାଡ଼ି ଉପରେ ବସି ବନଶୀ ପକାନ୍ତି, ଜଣେ ଚାକର ପାଖରେ ଥାଇ ଥୋପ ଗୁନ୍ଥିଦିଏ । ରାଜା ଖୁବ୍‌ କଷ୍ଟସହିଷ୍ଣୁ, ଗ୍ରୀଷ୍ମକାଳର ପ୍ରଚଣ୍ଡ ଖରାରେ ତାଙ୍କୁ ଅନେକଥର ବନଶୀ ଖେଳାଉଥିବାର ମୁଁ ଦେଖିଅଛି । ଉକ୍ତ ପୋଖରୀର ଜଳ ପାଟଳବର୍ଣ୍ଣ । ପାଣି ପାଖରେ ଗୋଟାଏ ଗାତ ଖୋଳି ଗାମୁଛା ତିନ୍ତାଇ ରଖିଲେ ଗାମୁଛା ଚମ୍ପାଫୁଲିଆ ରଙ୍ଗ ଧରିଯାଏ । ବାରିପଦା ଖୁବ୍‌ ଉର୍ବରା ଭୂମି, ବଳଙ୍ଗ କୂଳରେ ଗୋଟାଏ ଗୋଟାଏ ବୋଇତାଳୁ ଅଧମହଣ ପର୍ଯ୍ୟନ୍ତ ବଡ଼ ହୁଏ । ମକା ସେହିପରି ଫୁଟକରୁ ଅଧିକ ଲମ୍ବ ଏବଂ ତଦୁପଯୋଗୀ ମୋଟା ହୁଏ । ମୟୂରଭଞ୍ଜ ରାଜବାଟୀ ବଳଙ୍ଗର ଦାଢ଼ରେ ଅବସ୍ଥିତ । ରାଜବାଟୀର ଦୈର୍ଘ୍ୟ ପ୍ରାୟ ଏକମାଇଲରୁ ଅଧିକ । ଏଭଳି ସୁବୃହତ୍‌ ରାଜନବର ଅନ୍ୟ ଗଡ଼ଜାତରେ ଦେଖାଯାଏ ନାହିଁ । ମୟୂରଭଞ୍ଜ ବଣରେ ଅତି ବୃହତ୍‌କାୟ ଭାଲୁ ଅଛନ୍ତି । ଦିନେ ରାଉତରା ସାହେବ ଗୋଟାଏ ଭାଲୁ ମାରି ଆଣିଥିଲେ । ଭାଲୁଟା ପ୍ରକାଣ୍ଡ, ଲମ୍ବରେ ଆଠ ହାତ । ତାହାର ଦାନ୍ତ, ନଖଗୁଡ଼ାକ ରେକେ ଲେଖାଏଁ ମୋଟ ଏବଂ ମୁଣ୍ଡଟା ଧାନଉଁଷା ହାଣ୍ଡି ପରି । ମଲା ଭାଲୁଟାକୁ ଦେଖି ସୁଦ୍ଧା ଭୟରେ ଅନ୍ତ ଥରି ଉଠୁଥାଏ ।

 

ବର୍ତ୍ତମାନ ମହାରାଜା ଶ୍ରୀ ପ୍ରତାପଚନ୍ଦ୍ର ଭଞ୍ଜ ଦେବ ସେତେବେଳେ ଖୁବ୍‌ ଅଳ୍ପବୟସ୍କ । ସେ ଦୁଇଭାଇଙ୍କୁ ଜଣେ ଗୃହଶିକ୍ଷକ ପଢ଼ାଉଥିଲେ । ଦିନେ ସେ ଶିକ୍ଷକ ମୋତେ ନେଇ ଯାଇ ରାଜକୁମାର ଦ୍ୱୟଙ୍କ ସହିତ ସାକ୍ଷାତ୍‌ ଏବଂ ପରିଚୟ କରାଇଦେଲେ । ବର୍ତ୍ତମାନ ମହାରାଜାଙ୍କର ବାଲ୍ୟକାଳରେ ପ୍ରବୀଣ-ସ୍ୱରୂପ ପ୍ରତିଭାର ପରିଚୟ ପାଇ ମୁଁ ଆଶ୍ଚର୍ଯ୍ୟ ଏବଂ ମୁଗ୍‌ଧ ହୋଇଥିଲି । ତାଙ୍କର ସୌଜନ୍ୟ, ଶିଷ୍ଟାଚାର ମୋତେ ବିଶେଷ ଆନନ୍ଦ ଦାନ କରିଥିଲା ।

 

ଯେଉଁ କୋଠାରେ ମନୋରମା ଅଫିସ୍‌ ହେଉଥିଲା, ତାହା ଉଆଁସ ଅନ୍ଧାରର ଅନ୍ତୁଡ଼ିଶାଳ । ଘରଗୁଡ଼ାକ ଏପରି ବେବାଗରେ ତିଆରି ଯେ, ବାୟୁ ଏବଂ ଆଲୋକ ପଶିବାର ଉପାୟ ନାହିଁ–ଦିନରେ ସୁଦ୍ଧା ନିର୍ଜନ କାରାଗାର ପରି ଅନ୍ଧକାରମୟ । ଘର, ପିଣ୍ଡା ସର୍ବତ୍ର ବାଉଚଢ଼ାଇମାନେ ନିର୍ଭୟରେ ବଂଶବୃଦ୍ଧିରେ ନିଯୁକ୍ତ ଥାଆନ୍ତି । ସଂଖ୍ୟାରେ ପ୍ରାୟ ହଜାରକରୁ ଊଣା ହେବେ ନାହିଁ । ସେମାନଙ୍କ କଳକୋଳାହଳରେ କାନ ବଧିର ହୋଇଯାଏ । ଅନ୍ୟଆଡ଼ୁ ଦଳେ ଦଳେ ଆସି ଯୁଦ୍ଧ ଲଗାନ୍ତି । ତେତେବେଳେ ସ୍ଥାନଟା ବାସ୍ତବରେ ଯୁଦ୍ଧକ୍ଷେତ୍ର ପରି ମହାମୁଖର ହୋଇଉଠେ । ସେମାନେ ଅକ୍ଷର କେଶ୍‌ରୁ ଅକ୍ଷର କାଢ଼ି ଇତସ୍ତତଃ କରିଦିଅନ୍ତି । ବୋଧହୁଏ କମ୍ପୋଜ ଦେଖି ଦେଖି ପକ୍ଷୀଗୁଡ଼ିକ କମ୍ପୋଜିଟରର ଅଭିନୟ କରି ଆନନ୍ଦ କୌତୁକ ଉପଭୋଗ କରନ୍ତି । ତାଙ୍କର ଦୌରାତ୍ମ୍ୟ ଅସହ୍ୟ ହେବାରୁ ପ୍ରେସ୍‌କର୍ମଚାରୀମାନେ ଦିନେ କୌଶଳରେ ଗୋଟାକୁ ଧରି ବାନ୍ଧିବାକୁ ଉପକ୍ରମ କଲେ । ତହୁଁ ସବୁ ବାଉଯାକ ଆସି ରୀତିମତ ଯୁଦ୍ଧ ଲଗାଇଦେଲେ । କିଏ ଆସି ଧରିଲା ଲୋକର ମୁଣ୍ଡ ଖୁମ୍ପିଲା–କିଏ ପିଠି ଖୁମ୍ପିଲା–କିଏ ହାତ ଖୁମ୍ପିଲା, ଏହିପରି ବ୍ୟତିବ୍ୟସ୍ତ କରି ତାଙ୍କ ଜାତି ପକ୍ଷୀଟିକୁ ଛଡ଼ାଇ ନେବାକୁ ଚେଷ୍ଟା କଲେ । ଦୁର୍ବଳ, ଅଜ୍ଞାନ ପକ୍ଷୀଗୁଡ଼ିକର ଏକତା ଦେଖି ପ୍ରବଳ, ଜ୍ଞାନଗର୍ବୀ ମନୁଷ୍ୟ ଲଜ୍ଜିତ ହେବ । ଗୋଟାକ ବିପଦରେ ସମସ୍ତେ ବିପନ୍ନ ହେବାକୁ ଉଦ୍ୟତ ହେଲେ । ଧୃତ ପକ୍ଷୀଟି ବନ୍ଧନରେ ପଡ଼ି ଧକେଇ ହେବାକୁ ଲାଗିଲା । କି କରୁଣ ଚିତ୍କାର, ବୋଧହୁଏ ମୁକ୍ତ ହେବା ପାଇଁ ମନୁଷ୍ୟର ଦୟା ଭିକ୍ଷା କରୁଅଛି, ଅଥବା ସ୍ୱାଧୀନତାହାରୀ ପ୍ରତି ଅଭିସମ୍ପାତ ଢାଳୁଛି ତାହା କିଏ ବୁଝିପାରିବ । ସ୍ୱାଧୀନତା ନଷ୍ଟ ହେଲେ ସମସ୍ତଙ୍କ ପ୍ରାଣ ଏହିପରି ଧକେଇ ହୁଏ । ପକ୍ଷୀଟି ଦେହରେ ପ୍ରେସ୍‌ କାଳି ବୋଳି ତାକୁ ଛାଡ଼ିଦିଆଗଲା । ଆଉ ତାହାର ଲାଞ୍ଛନା କହିଲେ ନ ସରେ । ତାକୁ ଉଦ୍ଧାର କରିବା ପାଇଁ ଯେଉଁମାନେ ପ୍ରାଣପଣ କରିଥିଲେ, ସେହିମାନେ ପୁଣି ବିଜାତୀୟ ଘୃଣା କଲେ । ଦୁର୍ବୋଧ୍ୟ ବାଉ ଭାଷାରେ ତିରସ୍କାର କରି ଚାରିଆଡ଼ୁ ତାକୁ ଖୁମ୍ପି ଅସ୍ଥିର କରି ପକାଇଲେ । ସମ୍ଭବତଃ ତାକୁ ଗଞ୍ଜଣା କରି କହୁଥାଆନ୍ତି–ଛି କୁଳାଙ୍ଗାର, ତୁ ବାଉ ମହାବଂଶରେ ଜନ୍ମ ହୋଇ ଛାର ମନୁଷ୍ୟଟା ହାତରେ ଧରାଦେଲୁ । ଏ କଳଙ୍କ ଯେ ଧୋଇଲେ ଛାଡ଼ିବ ନାହିଁ । ତୁ ମହାଶକ୍ତିଧର ବାଉ, କ୍ଷୀଣଶକ୍ତି ଚେଡ଼ଙ୍ଗା ମନୁଷ୍ୟ କି ତୋତେ ବଳିଗଲା । ଏହିପରି କହି ବିଚରାକୁ ଖୁମ୍ପି ଖୁମ୍ପି ଦଳରୁ କାଢ଼ିଦେଲେ–ସେ ପ୍ରାଣ ବିକଳରେ ଉଡ଼ି ପଳାଇଗଲା । କ୍ଷୁଦ୍ର ପକ୍ଷୀପ୍ରାଣରେ ବି ଆତ୍ମସମ୍ମାନ ଜାଗ୍ରତ ଥାଏ, ମାତ୍ର କ୍ଷୋଭର ବିଷୟ–ଅନେକ ମନୁଷ୍ୟ ଆଖ୍ୟାଧାରୀଙ୍କ ପ୍ରାଣରେ ତାହା ଦୁର୍ଲଭ । ଏ ତ ଗଲା ଘରର ଭିତର ଅବସ୍ଥା । ମାତ୍ର ବାହାର ଅବସ୍ଥା ଗାଆଣ ଗାଇଲେ ସରିବ ନାହିଁ । ଛାତ ଉପରେ ଫାଟି ଯାଇ ଫାଙ୍କ ହୋଇ ଥିବାରୁ ବର୍ଷାବେଳେ ବଡ଼ ହରବର ହେବାକୁ ହୁଏ । ଉପରକୁ ଯାଇ ଫାଟୁରେ ଚିକିଟା ମାଟି ନ ନେସିଲେ ନିସ୍ତାର ନାହିଁ । ତେତିକି ନ କଲେ ପ୍ରେସ୍‌, କେଶ୍‌, ଅକ୍ଷର, କାଗଜପତ୍ର ସମସ୍ତଙ୍କ ଭାଗ୍ୟରେ ମହାସ୍ନାନ ଯୋଗ ଘଟେ । ସେହି ଘରେ ମୋତେ ବର୍ଷେକାଳ କଟାଇବାକୁ ହୋଇଥିଲା ।

 

ବାରିପଦା ରେଳଷ୍ଟେସନର ଖଣ୍ଡେ ଦୂରରେ ଗୋଟାଏ ହାଟ ବସେ । ହାଟରେ କୁକୁଡ଼ା ଲଢ଼େଇ ଅଧିକ ହୁଏ । ବଣୁଆମାନେ ବହୁଦୂରରୁ କୁକୁଡ଼ା ଘେନି ଆସନ୍ତି । କୁକ୍‌କୁଟ ଯୁଦ୍ଧ ସେମାନଙ୍କର ଗୋଟାଏ ନିଷ୍ଠୁର କୌତୁକ । ଦୁଇଟା ଗଞ୍ଜା କୁକୁଡ଼ା ଗୋଡ଼ରେ ତୀକ୍ଷ୍‍ଣଧାର ଛୁରୀଫଳା ବାନ୍ଧିଦେଇ ଛାଡ଼ିଦିଅନ୍ତି । ସେମାନେ ଉଡ଼ି ଉଡ଼ି ଭୂଷାଭୂଷି ହୁଅନ୍ତି । ଯେଉଁଟା ଅଶକ୍ତ ହୋଇପଡ଼େ ସେହିଟା ହାରେ । ସେଟାକୁ ବିଜେତା କୁକୁଡ଼ାର ମାଲିକ ଗ୍ରହଣ କରେ । ଯାହାର କୁକୁଡ଼ା ଜିଣେ, ତାହାର ଆନନ୍ଦର ସୀମା ରହେ ନାହିଁ–ଯେପରି ସେ ଗୋଟାଏ ରାଜ୍ୟ ଜୟ କରିଅଛି-। ବିଜୟୀ କୁକ୍‌କୁଟ ବୀରର ଗୌରବ ବହୁଗୁଣିତ ହୋଇଉଠେ । ତାହାର ମାଲିକ ଆନନ୍ଦ ଚିତ୍କାର ଛାଡ଼ି ତାକୁ ଘନଘନ ଚୁମ୍ବନ କରେ । ବାଦ୍ୟ ବାଜେ, ବନ୍ୟ ଜାତିଏ ହାଣ୍ଡିଆ, ମଦ ପିଇ ନୃତ୍ୟ କରନ୍ତି, କେହି କେହି ବଜ୍ରଗମ୍ଭୀର ନାଦରେ ଆନନ୍ଦ କୁହାଟ ଛାଡ଼ନ୍ତି । ଏ ନିଷ୍ଠୁର ପ୍ରଥା ଏବେ ଅଛି କି ଉଠିଗଲାଣି ତାହା ମୋର ଅଜ୍ଞାତ । ନିରୀହ ଇତର ପ୍ରାଣୀର ପ୍ରାଣ ବିନାଶ କରି ଯେଉଁମାନେ କୌତୁକ ଉପଭୋଗ କରନ୍ତି, ସେମାନେ କେଉଁ ଶ୍ରେଣୀର ଜୀବ ? ସେମାନେ ନରକର କୀଟ ଠାରୁ ଇତର । ବଣୁଆମାନେ ଏକବୁଝା, ରାଢ଼ । ସେମାନଙ୍କ ବଦ୍ଧମୂଳ କୁସଂସ୍କାରକୁ ବଦଳାଇବାକୁ ଚେଷ୍ଟା କରିବା ବିପଜ୍ଜନକ । ସେଥିପାଇଁ ଅନେକ ସ୍ଥାନରେ ଏ ନିଷ୍ଠୁର କୁପ୍ରଥାର ପ୍ରତିକାର ହୋଇପାରି ନାହିଁ । ଏରୂପ ସ୍ଥଳରେ ‘‘ଶନୈଃ ପର୍ବତ ଲଙ୍ଘନମ୍‌’’ ନୀତି ଧରିବା ବାଞ୍ଛନୀୟ-

 

ଅର୍ଥାଭାବରୁ ମନୋରମା ଏକାବେଳକେ ବନ୍ଦ ହୋଇଗଲା । ସେହି ସମୟରେ ପଦ୍ମଲୋଚନ ବାବୁ କଲିକତାରୁ ‘‘ଓଡ଼ିଆ’’ ନାମରେ ଖଣ୍ଡେ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିବାର ଚେଷ୍ଟାରେ ଥିଲେ । ତାହା ବଙ୍ଗବାସୀ ଆକାରରେ କଲିକତାରୁ ବାହାରିବାର ସ୍ଥିର ହୋଇଥିଲା । ସେହି ପତ୍ରିକା ସକାଶ ପଦ୍ମଲୋଚନ ବାବୁ ଲାଲ ସାହେବଙ୍କୁ ମନୋରମା ପ୍ରେସ୍‌ ମାଗିଲେ । ତଦନୁସାରେ ପ୍ରେସ୍‌ ଏବଂ ଜାତୀୟ ଉପକରଣ କଲିକତା ପଠାଗଲା । ଓଡ଼ିଆ ପତ୍ରିକାର ଦୁଇପୃଷ୍ଠା ଛାପା ହୋଇଗଲା, ମାତ୍ର କାହିଁକି କେଜାଣି ପତ୍ରିକା ବାହାରିଲା ନାହିଁ । ସ୍ୱର୍ଗୀୟ ଗୋପବନ୍ଧୁ ବାବୁ ସତ୍ୟବାଦୀରୁ ‘‘ସମାଜ’’ ବାହାର କରିବା ବେଳେ ପଦ୍ମଲୋଚନ ବାବୁଙ୍କଠାରୁ ମନୋରମା ପ୍ରେସ୍‌ ଏବଂ ଉପକରଣମାନ ପାଇଥିଲେ । ମୁଁ ମୟୂରଭଞ୍ଜରୁ ଆସି ମାସେ ଯାଏ ଘରେ ରହିଲି । ଏଥିମଧ୍ୟରେ ଶଶୀବାବୁଙ୍କ ଆହ୍ୱାନମତେ କଟକ ଯାଇ ରାଧାନାଥ ବାବୁଙ୍କର ସମାଧି ମନ୍ଦିର ଦେଖି ଆସିଥିଲି । ଘରେ ବସି ସେହି ସମ୍ବନ୍ଧରେ ‘‘ସମାଧି-କ୍ଷେତ୍ର’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଲି । ‘‘ନାମ ମାହାତ୍ମ୍ୟ’’ ମଧ୍ୟ ସେହି ସମୟରେ ଲିଖିତ ହୋଇଥିଲା । ସୋମନାଥ ମୟୂରଭଞ୍ଜରୁ ମୋ ସଙ୍ଗରେ ଆସିଥିଲା । ସେ ଆଉ ମୟୂରଭଞ୍ଜ ଯାଇନାହିଁ–ସେହିଠାରୁ ପଢ଼ା ଛାଡ଼ି ଦେଇ ମୋର ଲେଖାଲେଖି କାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲା । ଉପଯୁକ୍ତ ସହକାରୀ ପାଇ ମୋର ଲିଖନ ସ୍ପୃହା ଆହୁରି ବଢ଼ିଉଠିଲା । ମୁଁ ଯାହା ଲେଖେଁ, ସେ ତାକୁ ସାଫିକରି ମାସିକ, ସାପ୍ତାହିକ ପତ୍ରିକାମାନଙ୍କୁ ପଠାଏ ଏବଂ ପୁସ୍ତକର ପାଣ୍ଡୁ ଲିପି ତିଆରି କରେ । ମୁଁ ତାକୁ ସହକାରୀ ରୂପେ ପାଇ ନ ଥିଲେ ସାହିତ୍ୟ ସେବାରେ ଅଧିକ ଅଗ୍ରସର ହୋଇପାରି ନଥାନ୍ତି । ସେ ମୋ ଭାଗ୍ୟରେ ବିଧାତା ପ୍ରଦତ୍ତ ଅତିରିକ୍ତ ଦୟାର ଦାନ । ସେ ଜଣେ ତ୍ୟାଗବୀର, ମୋ ସକାଶେ ସେ ଯେଉଁ ଅଦ୍ଭୁତ ତ୍ୟାଗର ଦୃଷ୍ଟାନ୍ତ ଦେଖାଇ ଅଛି, ତାହା ଅତୁଳନୀୟ । ମୋ ପାଇଁ ସେ ନିଜର ଉନ୍ନତି ସୁଦ୍ଧା ଅକାତରରେ ତ୍ୟାଗ କରିଅଛି । ମୋ ପାଇଁ ସେ ଯୌବନରେ ଯୋଗୀ ହୋଇ ମୋ ସଙ୍ଗରେ କେତେ ଦୁର୍ଗମ ବଣ ପର୍ବତରେ ବୁଲିଅଛି । ମୋର କେତେ ସେବା ଶୁଶ୍ରୂଷା କରିଅଛି–ନିଜକୁ ନ ଚାହିଁ ମୋର ସୁଖ ସୁବିଧା ପ୍ରତି ଯେତେ ଦୃଷ୍ଟି ଦେଇଅଛି, ତାହାର କଳନା ନାହିଁ । ତାହାର ଯତ୍ନ, ଆସ୍ଥା ମୋର ସବୁ ଦୁଃଖ କଷ୍ଟ ହରି ନିଏ ।

 

ଦିନେ ହଠାତ୍‌ ଧରାକୋଟ ରାଜା ମାନନୀୟ ମଦନମୋହନ ସିଂହଦେବଙ୍କର ଖଣ୍ଡିଏ ପତ୍ର ପାଇଲି । ଶୀଘ୍ର ଯାଇ ତାଙ୍କୁ ସାକ୍ଷାତ୍‌ କରିବା ପାଇଁ ସେ ଲେଖିଥିଲେ ଏବଂ ପାଥେୟ ମଧ୍ୟ ପଠାଇ ଥିଲେ । ମୁଁ ସୋମନାଥକୁ ସଙ୍ଗରେ ନେଇ ଧରାକୋଟ ଯାଇ ରାଜା ମହୋଦୟଙ୍କୁ ସାକ୍ଷାତ୍‌ କଲି । ସେ କହିଲେ–‘‘କୃଷ୍ଣସିଂହ ମହାଭାରତ ଛାପା ହେବ, ଆପଣ ଏହିଠାରେ ରହି ଗ୍ରନ୍ଥ ସଂଶୋଧନ କରି ପାଣ୍ଡୁ ଲିପି ପ୍ରସ୍ତୁତ କରି ପାରିବେ କି ? ପାଖରେ ରହିଲେ ସେ ସମ୍ବନ୍ଧରେ ମୋ ସଙ୍ଗରେ ପରାମର୍ଶ କରିବାର ସୁବିଧା ହେବ । ଆପଣଙ୍କର କିଛି ଅସୁବିଧା ହେବ ନାହିଁ–ମୁଁ ସବୁ ସୁବିଧା କରିଦେବି ।’’ ରାଜାଙ୍କ ପ୍ରସ୍ତାବରେ ମୁଁ ସ୍ୱୀକୃତ ହୋଇ ଧରାକୋଟରେ ରହିଲି । ମୋତେ ଉପଯୁକ୍ତ ବସା ଦିଆଗଲା । ପାଣି ଆଣିଦେବା ପାଇଁ ଗଉଡ଼ର ବନ୍ଦୋବସ୍ତ କରିଦିଆଗଲା, ମୋର ଅଭାବ ଅସୁବିଧା ବୁଝିବାର ଭାର ଜଣେ କର୍ମଚାରୀଙ୍କ ଉପରେ ରହିଲା । କୃଷ୍ଣସିଂହ ମହାଭାରତର ଛନ୍ଦ ତ୍ରୟୋଦଶାକ୍ଷରୀ, ମାତ୍ର ଅଧିକାଶଂ ସ୍ଥଳରେ ବ୍ୟତିକ୍ରମ ଘଟି ଅକ୍ଷର ସଂଖ୍ୟା ଊଣା ଅଧିକ ହୋଇଅଛି । ମହାଭାରତର କିଭଳି ସଂଶୋଧନ ହେବା ଆବଶ୍ୟକ ଏ ବିଷୟ ରାଜା ଏବଂ ପଣ୍ଡିତମାନେ ବସି ପରାମର୍ଶ କଲେ । କେହି କେହି କହିଲେ–ଅକ୍ଷର ସଂଖ୍ୟା ସମାନ କରିଦେବା ଉଚିତ । ମୁଁ ସେଥିରେ ଆପତ୍ତି କରି କହିଲି–‘‘ସେପରି କଲେ କବିଙ୍କର କାବ୍ୟର ମୌଳିକତା ବିକୃତ ହେବ, ପୁଣି କବିଙ୍କୁ କ୍ଷତବିକ୍ଷତ କଲାପରି ହେବ । ଅକ୍ଷର ସମାନ ନ ହେଉ, ସେଥିରେ କିଛି କ୍ଷତି ନାହିଁ–ତାହା ଓଡ଼ିଆ ଭାଷାରେ ମହାକବି ସୃଷ୍ଟ ଏକ ନୂତନ ଛନ୍ଦ ରୂପେ ଗଣ୍ୟ ହେବ । ସେଥିରେ ଆମର ଛନ୍ଦ ସଂଖ୍ୟା ବଢ଼ିବ–ତାହା ଆମ ଜାତିର ଗୋଟାଏ ଗୌରବର କାରଣ ।’’ ମୋର ଏ ପ୍ରସ୍ତାବ ରାଜା ଏବଂ ଅଧିକାଂଶ ପଣ୍ଡିତ ମଣ୍ଡଳୀର ମନୋନୀତ ହେଲା । ସଂସ୍କୃତ ମହାଭାରତ ସଙ୍ଗେ କେତେପ୍ରକାର ତାଳପତ୍ର ପୋଥି ମିଳାଇ ପାଣ୍ଡୁଲିପି ପ୍ରସ୍ତୁତ କରିବା ଧାର୍ଯ୍ୟ ହେଲା । ମୁଁ ସଂଶୋଧକ ନିଯୁକ୍ତ ହେଲି, ସୋମନାଥ ଲେଖକ ନିଯୁକ୍ତ ହେଲା । ଉଭୟେ ଧରାକୋଟରେ ବ୍ୟାସ ଗଣେଶଙ୍କ ସେବକ ସୌଭାଗ୍ୟ ଲାଭ କରି ରହିଲୁଁ । କୃଷ୍ଣସିଂହ ମହାଭାରତ ସଂସ୍କୃତ ମୂଳକ । ସ୍ଥାନେ ସ୍ଥାନେ କବିକଳ୍ପନା ସଂଯୁକ୍ତ ହୋଇଅଛି, ମାତ୍ର ସେଥିରେ ମୂଳ ଗ୍ରନ୍ଥ ବିକୃତ ନ ହୋଇ ସମୃଦ୍ଧ ହୋଇଅଛି । କବି କଳ୍ପନାରେ ଉତ୍କଳର ରାଜନୀତି, ଧର୍ମ ନୀତି, ବ୍ୟବହାର, ଲୋକଚିତ୍ର ଫୁଟି ଉଠିଅଛି । ଭାଷା ଗଙ୍ଗାଜଳ ପରି ସ୍ୱଚ୍ଛ, ନିର୍ମଳ । ଓଡ଼ିଆ ଭାଷାର ପ୍ରାଣ ଏବଂ ଆତ୍ମା ତାହାରି ଭିତରେ ଅଛି ।

 

ଧରାକୋଟ ଗୋଟିଏ ଦର୍ଶନୀୟ ସ୍ଥାନ । ତାହା ଶୋଭା ସୁନ୍ଦରୀଙ୍କର ବିଳାସ ବାଟିକା । ଧରାକୋଟ ଉତ୍କଳର ଅନ୍ୟତମ ସାରସ୍ୱତ ତୀର୍ଥ–ମହାକବି କୃଷ୍ଣସିଂହଙ୍କର ପବିତ୍ର ଲୀଳାସ୍ୱର୍ଗ । ତାହାର ଏକ ଦିଗରେ ସୁବଳୟା ପ୍ରଭୃତି ପର୍ବତଶ୍ରେଣୀ ଗଗନଚୁମ୍ବୀ ମର୍କତ ପ୍ରାଚୀର ପ୍ରାୟ ଦଣ୍ଡାୟମାନ, ଅନ୍ୟ ଦିଗରେ ପୌରାଣିକ ଋଷିକୂଲ୍ୟା ପ୍ରୌଢ଼ା ତପସ୍ୱିନୀ ପ୍ରାୟ ମଧୁର ଗଭୀର ସ୍ୱରରେ ପ୍ରଣବ ମନ୍ତ୍ର ଉଚ୍ଚାରଣ କରି ଚାଲିଅଛି । ଉତ୍କଳ ଜାହ୍ନବୀ ଋଷିତପସଂଭୂତା ଋଷିକୂଲ୍ୟା କୂଳରେ ଅଷ୍ଟଶମ୍ଭୂ ମନ୍ଦିର ସ୍ୱର୍ଣ୍ଣଦୀ ତୀରରେ କୈଳାସ ଭୁବନର ଶ୍ରୀ ଧାରଣ କରିଅଛି । ଗିରି ପ୍ରକୃତି ଏବଂ କାନନ ପ୍ରକୃତି ଧରାକୋଟ ଧରଣୀର ନୈସର୍ଗିକ ଚାରୁ ଅଳଙ୍କାର । ବୋଧହୁଏ କୃଷ୍ଣସିଂହଙ୍କୁ କବି କରିବା ଅଭିପ୍ରାୟରେ ତାଙ୍କ ଜନ୍ମ ପୂର୍ବରୁ ବିଧାତା ଧରାକୋଟକୁ କବିକେଳି କୁଞ୍ଜ ରୂପରେ ମଣ୍ଡିତ କରିଥିଲେ । ଋଷିକୂଲ୍ୟା କୂଳରେ ସତୀମଠ ନାମକ ସ୍ଥାନରେ କୃଷ୍ଣସିଂହଙ୍କର ପବିତ୍ର ଚିତା ସ୍ମୃତି ଅଦ୍ୟାପି ରକ୍ଷିତ ହୋଇଅଛି । ସ୍ଥାନଟି ବିବିଧ ତରୁଲତାରେ ଆବୃତ ହୋଇ ଋଷି ଆଶ୍ରମ ପରି ମନୋହର ଦିଶେ । ଋଷିକୂଲ୍ୟା କୁଳରେ ଅନେକ ବ୍ରାହ୍ମଣ ଶାସନ ଅଛି, ସେଗୁଡ଼ିକ ଧରାକୋଟର ଦାନଶୀଳ ରାଜାମାନଙ୍କର କୀର୍ତ୍ତି । ଶାସନରେ ଅନେକ ବୃତ୍ତିଧାରୀ ବ୍ରାହ୍ମଣ ପଣ୍ଡିତ ଅଛନ୍ତି । ଅନନ୍ତ ଦାଶ ନାମରେ ଜଣେ ପ୍ରତିଭାଶାଳୀ ପଣ୍ଡିତ ଥିଲେ । ସେ କେତେ ଖଣ୍ଡ ଗ୍ରନ୍ଥ ଲେଖିଯାଇଅଛନ୍ତି । ରାଜଦତ୍ତ ପଦବୀଧାରୀ ପଣ୍ଡିତମାନେ ବାସ୍ତବରେ ଜଣେ ଜଣେ ପ୍ରସିଦ୍ଧ ପଣ୍ଡିତ ।

 

ରାଜା ମଦନମୋହନ ସିଂହଦେବ ଜଣେ ରାଜନୀତିଜ୍ଞ, ଧର୍ମପ୍ରାଣ ରାଜା । ରାଜନ୍ୟ ବାଞ୍ଛିତ ଅନେକ ସଦ୍‌ଗୁଣରେ ସେ ବିଭୂଷିତ । ସାହିତ୍ୟରେ ସେ ଅନେକ କାର୍ଯ୍ୟ କରିଅଛନ୍ତି । ତାଙ୍କ ପ୍ରଦତ୍ତ ଅର୍ଥ ସାହାଯ୍ୟରେ ଅନେକ ସଦ୍‌ଗ୍ରନ୍ଥ ପ୍ରକାଶିତ ହୋଇଅଛି । ଏକା ସାହିତ୍ୟରେ ନୁହେଁ–ଦେଶ ଏବଂ ଜାତିର ପ୍ରତ୍ୟେକ ମଙ୍ଗଳ ଅନୁଷ୍ଠାନରେ ସେ ଯଥାଶକ୍ତି ମୁକ୍ତହସ୍ତ । ରାଜା ଜଣେ ପ୍ରବୀଣ ମୃଗୟୁ, ସେ ଶତାଧିକ ବ୍ୟାଘ୍ର ବଧ କରିଅଛନ୍ତି । ତାଙ୍କର ସାହିତ୍ୟସଭା ଅଛି । ପ୍ରତ୍ୟେହ ରାତ୍ରରେ ପୁରାଣ ପାଠ ପରେ ଉପସ୍ଥିତ ପଣ୍ଡିତମାନେ ସାହିତ୍ୟର ଆଲୋଚନା କରନ୍ତି । ରାଜାଙ୍କର ଶାସନ ପାଳନରେ ଗୋଟାଏ ଉଚ୍ଚ ଆଦର୍ଶ ଅଛି ।

 

ଧରାକୋଟ ରାଜା ଗୋଟିଏ ଅଦ୍ଭୁତ ମନୁଷ୍ୟ ପାଳିଥିଲେ । ଲୋକଟି ଦୈତ ପରି ପ୍ରକାଣ୍ଡକାୟ । ରଥଯାତ୍ରାଦିନ ହଜାର ମନୁଷ୍ୟ ମଧ୍ୟରୁ ସେ ଦେଖାଯାଏ । ଉଚ୍ଚରେ ପ୍ରାୟ ପାଞ୍ଚହାତ ହେବ । ମୋଟରେ ଗୋଟାଏ ଲଙ୍ଗଳ ଦଉଡ଼ି ଘେରିଲେ ବଳିବ ନାହିଁ । ତାକୁ ଭାଙ୍ଗି ସାଧାରଣ ମନୁଷ୍ୟ ତିଆରି କଲେ ପ୍ରାୟ ଚାରୋଟି ମନୁଷ୍ୟ ହେବେ । ସେ ଗୋଟାଏ ପ୍ରଦର୍ଶନୀରେ ରଖିବା ଭଳି ପଦାର୍ଥ । କଳିଯୁଗର ସେ ଲୋକଟିକୁ ଦେଖିଲେ ପୁରାଣ ବର୍ଣ୍ଣିତ ଦ୍ୱାପର ଯୁଗର ମହାମଲ୍ଲ ଭୀମର ମୂର୍ତ୍ତି ଅସ୍ୱାଭାବିକ ବୋଧ ହେବ ନାହିଁ । ବିଧାତା ପୁଞ୍ଜାକର ମାଲ ମସଲା ଖର୍ଚ୍ଚ କରି ଗୋଟାଏ ଗଢ଼ିଲେ କି ଖିଆଲରେ କେଜାଣି । ତେତେବେଳେ ତାଙ୍କ ପାଖରେ କେହି ଦେଶହିତୈଷୀ ଥିଲେ ସେ ବିଧାତାଙ୍କର ଏ କାର୍ଯ୍ୟକୁ ଅପବ୍ୟୟ ବୋଲି କହିଥାଆନ୍ତା । ତାହାପାଇଁ ଦେବାଳୟରୁ ଖଜା ପିଠା ବରାତ୍ ଅଛି । ଲୋକଟି ରାଜଭୋଗ ଖାଇ ଆହା ମଉଜରେ ଥାଏ । ଲୁଗାପଟା ବି ରାଜସରକାରରୁ ମିଳେ । ରାଜଅନୁଗ୍ରହରୁ ସେହି ମନୁଷ୍ୟ ହାତୀଟି ପୋଷା ହୋଇଥାଏ । ତାହାପାଇଁ ଉପଯୁକ୍ତ ହାତୀଶାଳ ମଧ୍ୟ ତିଆରି ହୋଇଥାଏ । ରାତିରେ ଚାଲିବାବେଳେ ଭୂତ ପରି ଦିଶେ । ଆକୃତି ଦେଖିଲେ ବୋଧହୁଏ ଲୋକଟା ଦୈତ୍ୟଦାନବ ପରି ଅସାଧାରଣ ବଳବାନ୍, କିନ୍ତୁ ଭିତରଟା ଉଇ ହୁଙ୍କା ପରି ଫମ୍ପା । ଏଡ଼େ ବଡ଼ ଅତିମନୁଷ୍ୟଟା ଦେହରେ କଡ଼ାକର ବଳ ନାହିଁ । ଲୋକଟା ଇତର ଜାତୀୟ, ଗୁଣରେ ଗଜମୂର୍ଖ । ଖତଗଦା ମାରିଷଖଡ଼ା ପରି ଆଡ଼ମ୍ବର ଭୀଷଣ, ଖଣ୍ଡେ ବାଡ଼ ଧରି ଠିଆ ହେଲେ ପଚାଶ ଜଣ ଲୋକ ତାହାର ପାଖ ପଶିବାକୁ ସାହସୀ ହେବେ ନାହିଁ ।

 

ଧରାକୋଟରେ ଗୋଟାଏ ବାଘ ପୋଷା ହୋଇଅଛି । ପଶୁବୀର ଆଚ୍ଛା ଆରାମରେ ଅଛି-। ଲୌହ ବାଡ଼ ଘେରା ପ୍ରସ୍ତର ଦୁର୍ଗରେ ବୀରମଣି କାରାରୁଦ୍ଧ ହୋଇଅଛନ୍ତି, ତଥାପି ସେବାଟେ ଲୋକ ଗଲାକ୍ଷଣି କ୍ଷତ୍ରିୟ ପ୍ରତାପ ଦେଖାଇ ହୁଅନ୍ତି । ସେ ବ୍ୟର୍ଥ ଆସ୍ଫାଳନ ଦେଖି ଲୋକେ ପରିହାସ କରନ୍ତି । ଅଗତ୍ୟା ତାହା ସହିବାକୁ ପଡ଼େ । ରୁଦ୍ଧ ରୋଷ–ରୁଦ୍ଧ ଅଭିମାନ ତାହା ପ୍ରାଣରେ ବଡ଼ ବ୍ୟଥା ଦେଉଥିବ । ସେ ମନେ ମନେ କହୁଥିବ–ହାୟରେ ଦିଗୁଡ଼ିଆ ମନୁଷ୍ୟ, ତୁମର କି ମହତ୍ୱ ମର୍ଯ୍ୟାଦା ଜ୍ଞାନ ନାହିଁ ? ତୁମେ ଖାଦ୍ୟ, ମୁଁ ଖାଦକ, ମୋତେ ପୁଣି ଟାପରା । ମୁଁ ପରା ତୁମଙ୍କୁ ସଂସାର ଜ୍ୱାଳାରୁ ମୁକ୍ତ କରିଦିଏଁ, ହା ଅକୃତଜ୍ଞ, ଏହି ପାପରୁ ତୁମେ ସାତ ଜନ୍ମ ମନୁଷ୍ୟ ହୁଏ ।

 

ଶାସନମାନଙ୍କରୁ କେତେ ଖଣ୍ଡ ତାଳପତ୍ର ମହାଭାରତ ପୋଥି ଆସିଲା, ଆହୁରି କେତେ ସ୍ଥାନରୁ ବି ଆସିଲା, ମାତ୍ର କାହାରି ସଙ୍ଗରେ କାହାରି ସମ୍ପୂର୍ଣ୍ଣ ମେଳ ନାହିଁ । ଉତୁରା ଉତୁରି ଦୋଷରେ ଅନେକ ଜାଗାରେ ବିକୃତ ହୋଇ ପଡ଼ିଅଛି । ପୁଣି କେତେକ ଲେଖକ ଉତାରୁଁ ଉତାରୁଁ ନିଜେ କବି ପାଲଟି ଯାଇ କେତେ ସ୍ଥାନରେ କେତେ ଧାଡ଼ି ଗୁଞ୍ଜି ଦେଇଅଛନ୍ତି । ମାତ୍ର ତାହା ସବୁ ଧଳା ଲୁଗାରେ କଳା ବିନ୍ଦୁପରି ଜଣା ପଡ଼ିଯାଉଅଛି । କବି କୃଷ୍ଣସିଂହଙ୍କ ଅତୁଲ୍ୟ ଭାଷା ସଙ୍ଗରେ ତାହା ଖାପ ଖାଉ ନାହିଁ । ପାଞ୍ଚ ଛ ଖଣ୍ଡ ତାଳପତ୍ର ପୋଥି, ସଂସ୍କୃତ ମହାଭାରତ, ତାହାର ଅନୁବାଦ ମିଳାଇ ପାଣ୍ଡୁଲିପି ଲେଖିବାକୁ ହେଲା । ଖଣ୍ଡକ ପରେ ଖଣ୍ଡେ ଅଗ୍ରସର ହେଲା । ଗୋଟାଏ ପର୍ବ ଶେଷ ହେଲେ ତାହାର ପାଣ୍ଡୁଲିପିଯାକ ରାଜାଙ୍କ ପାଖରେ ଦେଇଆସେଁ । ଯେଉଁ ସ୍ଥାନରେ ସନ୍ଦେହ ହୁଏ, ତାହା ରାଜାଙ୍କୁ ପଚାରି ବୁଝିବାକୁ ହୁଏ । ଏଭଳି କେତେଗୁଡ଼ାଏ ଶବ୍ଦ ଅଛି, ତାହା ରାଜାଘର ଛଡ଼ା ଅନ୍ୟତ୍ର ଅଜ୍ଞାତ । ସେହିପରି ଶବ୍ଦ କୃଷ୍ଣସିଂହ ମହାଭାରତରେ ଯଥେଷ୍ଟ ଅଛି । ପାଞ୍ଚପ୍ରକାର ମିଳାଇ ଲେଖିବା ସମୟ ସାପେକ୍ଷ, ରାତିରେ ବି ଦୁଇଘଣ୍ଟା ଲେଖିବାକୁ ପଡ଼େ । ସମୟାଭାବରୁ ମୋର ନିଜର କିଛି ଲେଖାଲେଖି ହୋଇପାରେ ନାହିଁ । କେବଳ ସାଳନ୍ଦୀର ଲେଖା ଖୁବ୍ ମନ୍ଥର ଗତିରେ ଅଗ୍ରସର ହେଉଥାଏ । ତାହା ବି ନିୟମିତ ନୁହେଁ–ଟିକିଏ ଅବସର ମିଳିଲେ କେତେ ଧାଡ଼ି ଲେଖିଦିଏଁ । ଦିନେ ଦିନେ ରାଜପ୍ରେରଣାରେ ତାଙ୍କ ପାଖ ପଣ୍ଡିତ ବାସୁଦେବ ତର୍କାଳଙ୍କାର, ପଣ୍ଡିତ ଅନନ୍ତ ଦାଶ ପ୍ରଭୃତି ମହାଭାରତର ଲେଖା କିପରି ଚାଲିଛି ଦେଖିବାକୁ ଆସନ୍ତି । ସେମାନଙ୍କର ଅନୁକୂଳ ମତ ଶୁଣି ରାଜା ବଡ଼ ପ୍ରୀତ ହୁଅନ୍ତି । ସେ ନିଜେ ମଧ୍ୟ ପାଣ୍ଡୁଲିପି ପଢ଼ନ୍ତି । କ୍ରମେ ମୋ ପ୍ରତି ତାଙ୍କର ଗୋଟାଏ ସ୍ନେହ ଜନ୍ମିଗଲା । ସମୟ ସମୟରେ ରଜାଘରୁ ଅନେକ ପଦାର୍ଥ ଆସେ । ବଡ଼ି, ଆଚାର, ଠାକୁର ପ୍ରସାଦ, ପୁନେଇ ପର୍ବରେ ଭଲ ଦିନ ଭଲ ବାରରେ ପିଠା, ପଣା, ଖଜା ପ୍ରଭୃତି ମୋ ବସାକୁ ପଠାଯାଏ ।

 

ଧରାକୋଟରେ ଅନେକ ବନ୍ଧୁ ମିଳିଲେ । ମୁଁ ଯେତେ ପୁରୁଣା ହେଉଥାଏ, ବନ୍ଧୁ ସଂଖ୍ୟା ତେତେ ବଢ଼ୁଥାଆନ୍ତି । ବିନାୟକ ପାଠାଗାରର ସମ୍ପାଦକ ଶ୍ୟାମସୁନ୍ଦର ଦାସ ଗୋସ୍ୱାମୀ (ବର୍ତ୍ତମାନ ପଦ୍ୟାଳଙ୍କାର) ମୋର ଜଣେ ଅକୃତ୍ରିମ ବନ୍ଧୁ, ତାଙ୍କ ଦ୍ୱାରା ମୁଁ ନାନା ଭାବରେ ଉପକୃତ ହୋଇଅଛି-। ଉପେନ୍ଦ୍ର ଭଞ୍ଜଙ୍କ ବଂଶୀୟ ଲକ୍ଷ୍ମୀଶରଣ ଭଞ୍ଜ ଧରାକୋଟର ତାଲୁକଦାର ଥିଲେ । ସେ ଜଣେ ସଂସ୍କୃତଜ୍ଞ, ପ୍ରବୀଣ, ବହୁଦର୍ଶୀ ଏବଂ ପ୍ରିୟଭାଷୀ ବ୍ୟକ୍ତି । ତାଙ୍କପରି ସୁବନ୍ଧୁ ମୋର ଅଳ୍ପ ଅଛନ୍ତି । ତେତେବେଳେ ଧରାକୋଟ ସେକେଣ୍ଡାରୀ ସ୍କୁଲର (ପ୍ରାୟ ମାଇନର) ହେଡ଼୍‌ମାଷ୍ଟର ଥିଲେ–କଟକ ନିବାସୀ ତାରକାନାଥ ବୋଷ । ସେ ସୁପ୍ରସିଦ୍ଧ ଓଡ଼ିଶା ଇତିହାସ ପ୍ରଣେତା ପ୍ୟାରିମୋହନ ସେନଙ୍କ ସହପାଠୀ । ତାରକାନାଥ ବାବୁ ବଡ଼ ନିରୀହ । ଶତ୍ରୁକୁ ବି ମର ବୋଲି କହନ୍ତି ନାହିଁ । ତାଙ୍କ ପ୍ରଥମ ସହକାରୀ ଦୟାନିଧି ଦାସ ସବୁବେଳେ ତାଙ୍କ ବିରୁଦ୍ଧରେ ଚାଲିଥାଆନ୍ତି-। ଦୟାନିଧି ବାବୁ ବିଦ୍ୱାନ, ବହୁଦର୍ଶୀ, ମାତ୍ର ବିନୟୀ ନୁହନ୍ତି । ସେ ଅତିରିକ୍ତ ସ୍ପଷ୍ଟବାଦୀ, ମାତ୍ର ସେ ସ୍ପଷ୍ଟବାଦ ବଡ଼ ତିକ୍ତ ଏବଂ ବିଷାକ୍ତ । ତାଙ୍କର ଭାଷା ବିଦ୍ରୂପ, ବକ୍ରୋକ୍ତି ପ୍ରଭୃତି ଦୁଷ୍ଟ ଅଳଙ୍କାରରେ ପୂର୍ଣ୍ଣ । ଏହି ହେତୁରୁ ସେ ପ୍ରାୟ ସମସ୍ତଙ୍କର ଅପ୍ରିୟପାତ୍ର ହୁଅନ୍ତି । ଏହିପରି ପ୍ରକୃତିରୁ ସେ ଯୁବରାଜଙ୍କ ଗୃହଶିକ୍ଷକ ପଦରୁ ବିତାଡ଼ିତ ହୋଇ ଥିଲେ । ତାଙ୍କର ହେତୁ ସ୍କୁଲର ଶିକ୍ଷକମାନଙ୍କ ମଧ୍ୟରେ ଦୁଇଟା ଦଳର ସୃଷ୍ଟି ହୋଇଥିଲା । ପରେ ନାନା କୌଶଳରେ ବୃଦ୍ଧ ହେଡ଼୍‌ମାଷ୍ଟରଙ୍କୁ ବାହାର କରି ନିଜେ ହେଡ଼୍‌ମାଷ୍ଟର ହୋଇଥିଲେ । କିନ୍ତୁ ସେହି ପାପର ଫଳ ସେ ଦେହକେ ଭୋଗ କରିଥିଲେ । ସ୍କୁଲରେ ଆଉ ଦୁଇଜଣ ଓଡ଼ିଶାବାସୀ ଶିକ୍ଷକ ଥିଲେ । ବନ୍ଧୁମାନଙ୍କ ଅନୁରୋଧରେ ମୁଁ ‘‘ଧରାକୋଟ ଦର୍ଶନ’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଥିଲି ।

 

ଧରାକୋଟରୁ ଖଣ୍ଡେ ମାସିକ ପତ୍ରିକା ବାହାର କରିବା ସକାଶ ରାଜାଙ୍କର ଇଚ୍ଛା ହେଲା-। ପତ୍ରିକାର ନାମ ‘‘ଜ୍ଞାନ ଦର୍ପଣ’’ ରଖିବାର ଧାର୍ଯ୍ୟ ହେଲା । ମୁଁ ସମ୍ପାଦକ ନିଯୁକ୍ତ ହୋଇ ଡିକ୍ଳେୟାରେସନ କରି ଆସିଲି । ଯଥା ସମୟରେ ରାଜାଙ୍କ ‘‘କେଶରୀ’’ ପ୍ରେସରୁ ଜ୍ଞାନଦର୍ପଣ ବାହାରିଲା । ସେଥିରେ କୃଷି, ଶିଳ୍ପ, ବାଣିଜ୍ୟ, ସାହିତ୍ୟ ଏବଂ ଦେଶାନୁରାଗ ସମ୍ବନ୍ଧରେ ପ୍ରବନ୍ଧମାନ ପ୍ରକାଶିତ ହେଲା । ପ୍ରାକୃତିକ ଉତ୍କଳର ଅନେକ ଭଲ ଭଲ ଲେଖକ ସେଥିରେ ପ୍ରବନ୍ଧ ଲେଖିଥିଲେ-। ପତ୍ରିକାର ପ୍ରସାର କ୍ରମଶଃ ବଢ଼ିବାକୁ ଲାଗିଲା । ମୋର ମହାଭାରତ କାର୍ଯ୍ୟ ଥିଲା, ପତ୍ରିକାର କାର୍ଯ୍ୟ ବୋଝ ଉପରେ ନଳିତାବିଡ଼ା ହେଲା । ଯାହା ଟିକିଏ ସମୟ ମିଳୁଥିଲା, ତାହା ଆଉ ମିଳିଲା ନାହିଁ । କଠିନ ପରିଶ୍ରମ କରିବାକୁ ପଡ଼ିଲା । ପତ୍ରିକା ସମ୍ବନ୍ଧରେ ଅନେକ ଖ୍ୟାତନାମା ବ୍ୟକ୍ତି ନିଜ ନିଜର ଅଭିମତ ଲେଖି ପଠାଇଲେ । ତାହା ସବୁ ଜ୍ଞାନ ଦର୍ପଣରେ ପ୍ରକାଶିତ ହେଲା । ସେଥିରେ ଗ୍ରାହକ ସଂଖ୍ୟା କ୍ରମେ ବଢ଼ିବାକୁ ଲାଗିଲା । ଏହିପରି ଭାବରେ କେତେ ସଂଖ୍ୟା ବାହାରିଲା ।

 

ଏହି ସମୟରେ ହେଲି ଧୂମକେତୁ ଆକାଶରେ ଆବିର୍ଭୂତ ହେଲା । ଆମେରିକାର ‘‘ହେଲି’’ ସାହେବ ଏହି ଧୂମକେତୁ ବିଷୟ ଗଣନା କରି କହିଥିଲେ । ତାଙ୍କର ଗଣନା ସତ୍ୟ ହେଲା-। ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରକାଣ୍ଡ ଧୂମକେତୁ ଦେଖାଗଲା । ରାତି ତିନିଟା ପରେ ପୂର୍ବ ଦିଗରେ ଧୂମକେତୁ ବାହାରି ସକାଳ ପର୍ଯ୍ୟନ୍ତ ରହେ । ପ୍ରାୟ ମାସକ ପରେ ଓଲଟି ଯାଇ ବିପରୀତ ଦିଗରେ ଦେଖା ଦେଲା । ଆକାର ଠିକ୍ ମୁଠାଏ କଞ୍ଚି ପହଁରା ପରି ମୂଳରୁ ଊର୍ଦ୍ଧ୍ୱକୁ କ୍ରମେ ପ୍ରସାରିତ । ମୂଳରେ ଗୋଟିଏ କ୍ଷୁଦ୍ର ତାରା ଥାଏ । ଧୂମକେତୁର ଜ୍ୟୋତିରେ ସୃଷ୍ଟି ଜହ୍ନରାତି ପରି ଉଜ୍ୱଳ ଦିଶେ-। ସେହି ବିରାଟ ଧୂମକେତୁ ଦେଖିଲେ ପ୍ରାଚୀତପସ୍ୱିନୀ ସୂର୍ଯ୍ୟ ଦେବତାଙ୍କ ଉଦୟ ପଥରେ ସୁବର୍ଣ୍ଣମାର୍ଜନୀରେ ଛେରା ପହଁରା କଲା ପ୍ରାୟ କଳ୍ପନା ଜାତ ହୁଏ କିମ୍ବା ମହାଯୋଗୀ ଗଗନ କପାଳରେ ଦାଣ୍ଡିତିଳକ କାଟି ସମାଧିରେ ନିମଗ୍ନ ଥିଲା ପ୍ରାୟ ବୋଧହୁଏ । ଅଥବା ବିଧାତା ଆକାଶକୁ ମାପିବା ପାଇଁ ମାନଦଣ୍ଡ ସୃଷ୍ଟି କରିଅଛି । ତାହାର ଭୀଷଣତା ଦେଖି ତାରାଗୁଡ଼ିକ ଭୟରେ ଆଖି ବୁଜି ପକାନ୍ତି । କେତେ ଦିନ ପରେ ଧୂମକେତୁଟି ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଗଲା । ବିଜ୍ଞାନର ଅସାଧ୍ୟ କିଛି ନାହିଁ, ସେ ଅନନ୍ତ ଆକାଶକୁ ବଶୀଭୂତ କରିବାକୁ ଉଦ୍ୟତ । ଆଉ ଥରେ ପୋର୍ଟା ସାହେବ ବୋଲି ଜଣେ ଗଣନା କରି ଅମୁକ ତାରିଖରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ଘୋଷଣା କରିଥିଲେ । ମାତ୍ର ପୃଥିବୀର ଗୋଟାଏ ଲୋମ ସୁଦ୍ଧା ଧ୍ୱଂସ ହେବାର ଦେଖାଗଲା ନାହିଁ । ହେଲି ସାହେବଙ୍କ ଗଣନା ମୂଳରେ ଥିଲା ବିଜ୍ଞାନ ବିଦ୍ୟା, ମାତ୍ର ପୋର୍ଟା ସାହେବ ଅଜ୍ଞାନ ବିଦ୍ୟା ବଳରେ ଗଣନା କରିଥିଲେ । ଅଥବା ତାହା ଅତିରିକ୍ତ ସୁରା ଦେବୀଙ୍କର ଅଦ୍ଭୁତ ପ୍ରଭାବ, ତାହା କିଏ କହିପାରିବ । ପୂର୍ବେ ଜଣେ ମଦତୀ ହୁକା ତଳେ ଠୁଙ୍କିବା ବେଳେ ‘‘ମେରୁ’’ ଉପରୁ ନିଆଁ ଛିଡ଼ିକି ଯାଇ ସମ୍ମୁଖସ୍ଥ ଜଳ ପାତ୍ରରେ ପଡ଼ିଲା । ତାହା ଦେଖି ଆଉ ଜଣେ ମଦତୀ କହିଲା–‘‘ଭାଇ, ଚାନ୍ଦବାଲି ଜାହାଜ ବୁଡ଼ିଗଲା ।’’ ପୋର୍ଟାଙ୍କ ଭବିଷ୍ୟତ ଗଣନା ସେହି ଧରଣର ହୋଇଥିବ । ଖବର କାଗଜବାଲାମାନେ ପୋର୍ଟା ସାହେବଙ୍କ ଉପରେ ଥଟ୍ଟା ବିଦ୍ରୂପ ଅଜାଡ଼ିଦେଲେ । କଲିକତା ନାୟକ ପତ୍ରିକାର ପ୍ରସିଦ୍ଧ ତେଜସ୍ୱୀ ସମ୍ପାଦକ ସ୍ୱର୍ଗୀୟ ପାଞ୍ଚକଡ଼ି ବନ୍ଦୋପାଧ୍ୟାୟ ଲେଖିଥିଲେ–‘‘ପୋର୍ଟା ସାହେବେର୍‌ କାନ୍‌ଟା ହାତେର କାଛେ ପେଲେ ଆଛାକରେ ମଲେ ଦିତାମ୍‌ ।’’ ସାହେବଙ୍କ ଘୋଷଣାରେ ବାସ୍ତବରେ ଅନେକ ଲୋକ ଭବିଷ୍ୟତ୍‌ ଆଶଙ୍କାରେ ଆକୁଳ ହୋଇଥିଲେ । ସେମାନଙ୍କ ପିଣ୍ଡରେ ପ୍ରାଣ ବସିଲା । ଜଣେ ବୃଦ୍ଧା ତାହାର ପୁଅମାନଙ୍କୁ କହିଥିଲା–ମଡ଼ାମରା ବିଲରେ ଆଉ ନିଆଁଲଗା ଧାନଚାଷ କାହିଁକି କରୁଛ ରେ-? ବସୁମାତା ତ ଧସିଯିବ, ସମସ୍ତେ ମରିବେ, ଆଉ ଧାନ କିଏ ଖାଇବ ?’’ ଯାହାହେଉ ପୋର୍ଟା ସାହେବ ଅନେକ ଆଶୀର୍ବାଦ ପାଇଥିଲେ । ଫଳରେ ପୃଥିବୀ ଧ୍ୱଂସ ହେଲା ନାହିଁ–ପୋର୍ଟା ସାହେବଙ୍କର ଗଣନା ଏବଂ ଘୋଷଣା ଧ୍ୱସଂ ହେଲା । କୃପଣ ଧନୀ ମନରେ ସବୁଠାରୁ ଅଧିକ ଆଶଙ୍କା ଜାତ ହୋଇଥିଲା । ହାୟ, ସେ କେତେ କଷ୍ଟ କରି–କେତେ ଲୋକଙ୍କ ତଣ୍ଟିଚିପି–ନିଜେ ପେଟରେ ଓଦାକନା ଢାଙ୍କି ଯେଉଁ ଧନ ସଞ୍ଚୟ କରିଛି, ତାହା ଧ୍ୱଂସ ହୋଇଯିବ–ଏହା କଅଣ ସହିବାର କଥା ! ଧନରତ୍ନଗୁଡ଼ାକ ଉପରକୁ ଅର୍ଥାତ୍‌ ପରଲୋକକୁ ବହି ନେବାର ଉପାୟ ଥିଲେ ସେ ପୂର୍ବରୁ ସେ ବ୍ୟବସ୍ଥା କରିଥାଆନ୍ତା । ମାତ୍ର ‘‘ଖଳ ବିଧାତା’’ ‘‘ମନ୍ଦ ବିହି’’ ତ ସେ ବାଟ ରଖିନାହିଁ ।

 

ଧରାକୋଟରେ ଥିବା ସମୟରେ ମୋର ମାତୃବିୟୋଗ ଘଟିଲା । ଟେଲିଗ୍ରାମ ପଢ଼ି ଚାରିଆଡ଼େ ଅନ୍ଧାର ଦିଶିଲା । ବିଧାତା ମୋ ଜୀବନରେ ଆଶ୍ରୟ କକ୍ଷଟି ଛଡ଼ାଇ ନେଲା । ଯେ ନିଜର ଆହାର ଦେଇ ମୋତେ ବଞ୍ଚାଇଥିଲା–ରୋଗବେଳେ ପାଖରେ ବସି ମୁଣ୍ଡରେ ହାତ ବୁଲାଇ ଦେଇ ନୀରବ ଅଶ୍ରୁରେ ଶଯ୍ୟା ତିନ୍ତାଇ ଦେଉଥିଲା, ଶେଷବେଳେ ସେବା କରିବା ଦୂରେ ଥାଉ, ତାକୁ ଦେଖି ସୁଦ୍ଧା ପାରିଲି ନାହିଁ–ଏହି ଅନୁତାପ ବେଳେ ବେଳେ ପ୍ରାଣକୁ ଦଗ୍‌ଧ କରେ । ଏ ଜୀବନରେ ଦେଖା ଶେଷ, ମନୁଷ୍ୟ ଜୀବନରେ ଥରେ ମାତ୍ର ଦେଖା ସାକ୍ଷାତ୍‌ । ତେଣିକି କିଏ କୁଆଡ଼େ ଯିବ–କେଉଁଠି ଯାଇ ଜନ୍ମ ହେବ, ଆଉ ପର୍ବତ କୟାଁ ସମୁଦ୍ର ମାଛର ଭେଟ କାହିଁ । ଭାବିଲି ଜନ୍ମ ମୃତ୍ୟୁ ନେଇ ସଂସାର, ଗୋଟିକରେ ପଥରୁଦ୍ଧ ହେଲେ ଅନ୍ୟଟିର ହେବ । ଯାହା ସମସ୍ତଙ୍କ ଭାଗ୍ୟରେ ଘଟେ, ସେଥିପାଇଁ ଦୁଃଖ କରିବା ବୃଥା । ମନେ ମନେ ଏହା ବୁଝିଲି, କିନ୍ତୁ ପ୍ରକୃତି ତ ବୁଝିବାର ପାତ୍ର ନୁହେଁ–ସେ ଅଜ୍ଞାତରେ ନେତ୍ରରୁ ଧାରା ଗଡ଼ାଇ ଦେଇଯାଏ । ଅବସ୍ଥା ସ୍ୱଚ୍ଛଳ ନୁହେଁ–ଏ ସଂକଟରୁ କିପରି ଉଦ୍ଧାର ପାଇବି–ଏହି ଚିନ୍ତା ଅବସନ୍ନ କରିପକାଇଲା । କିନ୍ତୁ ଅର୍ଥାଭାବରୁ କାମ ଅଟକେ ନାହିଁ–ସେଥିରେ ବାଟ ପ୍ରକୃତି ଦେବୀ ଆଗରୁ କରି ରଖିଥାଆନ୍ତି । ମନୁଷ୍ୟ ସହଜ ଦୃଷ୍ଟିରେ ତାହା ଦେଖିପାରେ ନାହିଁ ବୋଲି ଅଣ୍ଡାଳି ହୁଏ । ବେତନରୁ ପ୍ରତିମାସ ପାଞ୍ଚଟଙ୍କା ଲେଖାଏଁ କଟାଇ ଦେବାର ସର୍ତ୍ତ କରି ଧରାକୋଟ ରାଜାଙ୍କ ପାଖରୁ ଅଶୀଟଙ୍କା ଧାର ନେଇ ଘରକୁ ଆସିଲି । ହାତରେ କୋଡ଼ିଏ ଟଙ୍କା ଥିଲା–ଏହି ଶହେ ଟଙ୍କାରେ ଶୁଦ୍ଧି କ୍ରିୟା ହୋଇଗଲା । ତେତେବେଳେ ଶହେ ଟଙ୍କାରେ ଯାହା ହୋଇଥିଲା, ବର୍ତ୍ତମାନ ପାଞ୍ଚଶହରେ ତାହା ହୋଇ ପାରିବ ନାହିଁ । ତେତେବେଳେ ସୁସ୍ଥକାଳ ଥିଲା । ମାତୃଶୋକରେ ଘରପାଖରେ ‘‘ଜନନୀ’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଥିଲି । ଘରେ କେତେ ଦିନ ରହି ଧରାକୋଟ ଗଲି । ସୋମନାଥ ସଙ୍ଗରେ ଆସିଥିଲା, ସେ ବି ସଙ୍ଗରେ ଗଲା । ତେତେବେଳେ ଧରାକୋଟରେ ହୁଲସ୍ଥୁଲ କାଣ୍ଡ ଲାଗିଥାଏ । କେଜାଣି କିପରି ଗୋଟାଏ ଲୋକ ଆହତ ହେଲା । ତାହାର ଗୋଟାଏ ଜଙ୍ଘ ଫୁଟି ଯାଇଥାଏ । ସେ ବିଷୟ କିଏ ଉପରକୁ ଲେଖିଦେଲା–ରାଜା ଶିକାର କରୁଁ କରୁଁ ମୃଗ ଭ୍ରମରେ ଗୋଟାଏ ମନୁଷ୍ୟକୁ ଲାଛି ଦେଇଅଛନ୍ତି । ଆସିକା ଡେପୁଟୀ ଆସି ତଦାରଖ କରି କିଛି ପ୍ରମାଣ ପାଇଲେ ନାହିଁ । ଆହତ ବ୍ୟକ୍ତି କହିଲା–‘‘ମୁଁ ବାଉଁଶ ବୁଦାରେ ଚଢ଼ି ଶୁଖିଲା ବାଉଁଶ ହାଣୁଥିଲି । ଗୋଡ଼ ଖସି ଯିବାରୁ ଗୋଟାଏ ବାଉଁଶ ଖୁଞ୍ଚ ଉପରେ ପଡ଼ିଗଲି, ସେହି ଖୁଞ୍ଚ ଜଙ୍ଘରେ ଫୁଟିଗଲା ।’’ ତାହାପରେ ଘୁମୁଷର ତାଲୁକା ରସୁଲକୁଣ୍ଡାର ଡେପୁଟୀ ମାଜିଷ୍ଟ୍ରେଟ୍‌ ତଦନ୍ତ କରିବାକୁ ଆସି ଭୀଷଣ ଗର୍ଜନ କଲେ । ସେ ଜଣେ କମା, ଭାରୀ କଡ଼ା ହାକିମ । ସେ ଘରେ ଘରେ ପଶି ସମସ୍ତଙ୍କୁ ଭୟ ଦେଖାଇ ପଚାରିଲେ, ମାତ୍ର କିଛି ପ୍ରମାଣ ପାଇଲେ ନାହିଁ । ଆହତ ବ୍ୟକ୍ତି ପାଖକୁ ଯାଇ କହିଲେ–‘‘ଜାଣୁ, ମୁଁ ସର୍କାର ଚାକର–ମହାବଳ ବାଘ, ମିଛ କହିଲେ ଗିଳି ପକାଇବି ।’’ ଏହିପରି ଭୟ ଦେଖାଇଲେ ଏବଂ ସାକୁଲା ସାକୁଲି ମଧ୍ୟ କଲେ, ମାତ୍ର ସେ ପୂର୍ବରେ ଯାହା କହିଥିଲା, ଡେପୁଟୀ କଲେକ୍‌ଟରଙ୍କୁ ବି ତାହା କହିଲା । ତହୁଁ ପରୀକ୍ଷା ନିମନ୍ତେ ତାକୁ ଆସିକା ଡାକ୍ତରଖାନାକୁ ପଠାଗଲା । ଡାକ୍ତର ପରୀକ୍ଷା କରି ରିପୋର୍ଟ ଦେଲେ–ଏ କ୍ଷତ ଗୁଳି ଫୁଟା ବି ହୋଇପାରେ । ଆହତ କହିବା ଅନୁସାରେ ବାଉଁଶ ଖୁଞ୍ଚ ଫୁଟା ବି ହୋଇପାରେ ।’’ ଏଥିରେ ହାକିମଙ୍କର ଶସ୍ତ୍ର କୁନ୍ଥା ହେଲା, ତଥାପି ସେ ରାଜାଙ୍କର ଗୋଟାଏ ଦୋଷ ବାହାର କରିବାର ଚେଷ୍ଟାରେ ଲାଗିଲେ । ହଠାତ୍‌ ଯାଇ ପ୍ରେସ୍‌ ତଦାରଖ କଲେ । ଛାପା ଫାଇଲ୍‌ରୁ ‘‘ଉତ୍କଳ କୋଇଲି’’ ନାମରେ ଖଣ୍ଡେ କାଗଜ ପାଇଲେ । ସେଥିରେ ପ୍ରେସ୍‌ର ନାମ ଥିଲା ନାହିଁ । ହାକିମଙ୍କୁ ଆଉ ଖଣ୍ଡେ ଧାରିଆ ଅସ୍ତ୍ର ମିଳିଗଲା-। ତହୁଁ ପ୍ରେସ୍‌ ମେନେଜରଙ୍କୁ ଖୋଜା ପଡ଼ିଲା । ରାଜାଙ୍କର ପ୍ରାଇଭେଟ ସେକ୍ରେଟେରୀ ବାସୁଦେବ ପଟ୍ଟନାୟକ ପ୍ରେସ୍‌ର ମେନେଜର । ସେ ଆସିଲାରୁ ତାଙ୍କୁ ପ୍ରଶ୍ନ ହେଲା–‘‘ତୁମ୍ଭେ ଡିକ୍‌ଲେୟାରେସେନ୍‌ କରିଛ ?’’ ସେ କହିଲେ–‘‘ହଁ, ମୁଁ ଆପଣଙ୍କ ପାଖରେ କରିଛି ।’’ ତହୁଁ ତାଙ୍କୁ ଡିକ୍‌ଲେୟାରେସନ୍‌ ଫାରମ୍‌ ତଲପ ହେଲା । ସେ କହିଲେ–ଫାରମ୍‌ ଆପଣ ଦସ୍ତଖତ କରି ରଖିଲେ, ମୋତେ ଦେଇନାହାନ୍ତି । ଉତ୍ତର ଶୁଣି ହାକିମଙ୍କ ବୁଦ୍ଧି ବଣା ହେଲା । ସେ ପ୍ରସଙ୍ଗ ଛାଡ଼ି ସେ ଅନ୍ୟ ବାଟରେ ଚାଲିଲେ । କୋଇଲିରେ ପ୍ରେସ୍‌ ନାମ ଦିଆ ନ ଯିବାର କାରଣ ମେନେଜରଙ୍କୁ ପ୍ରଶ୍ନ ହେଲା । ସେ କହିଲେ–ଏ କାଗଜ ଆମ ପ୍ରେସ୍‌ରେ ଛାପା ହୋଇ ନାହିଁ, ଫାଇଲରେ କିଏ କେଉଁଠୁ ଆଣି ରଖିଛି ମୁଁ ଜାଣେ ନାହିଁ । ସମୟ ଅଭାବରୁ ମୁଁ ମେନେଜର ପଦରେ ଇସ୍ତଫା ଦେଇଅଛି, ଅନ୍ୟ ମେନେଜର ନିଯୁକ୍ତ ହୋଇନାହାନ୍ତି । ବର୍ତ୍ତମାନ ପ୍ରେସ୍‌ କାର୍ଯ୍ୟ ବନ୍ଦ ଅଛି ।’’ ହାକିମ ସେହି କୋଇଲି ଛାପା କାଗଜ ଖଣ୍ଡ ନେଇ ଚାଲିଗଲେ ।

 

ମୁଁ ଘରେ ଥିବା ସମୟରେ ଉକ୍ତ କୋଇଲି ସେଠାରେ ଛାପା ହୋଇଥିଲା । ଲେଖକ ସେହି ଦୟାନିଧି ଦାସ । ଲେଖାତଳେ ନିଜର ନାମ ନ ଦେଇ କ୍ଷେତ୍ରବାସୀ ପାଠୀଙ୍କ ନାମ ଲେଖି ଦେଇଥିଲେ । କ୍ଷେତ୍ରବାସୀ ପାଠୀ ଧରାକୋଟରେ ସର୍ଭେୟର ଥିଲେ । ସେ ବଡ଼ ଦେଶାଭିମାନୀ । ଦେଶମିଶ୍ରଣ ଆନ୍ଦୋଳନ ସମୟରେ ସେ ଅନେକ କାର୍ଯ୍ୟ କରିଥିଲେ । ସେଥିପାଇଁ ତେଲଙ୍ଗାମାନେ ତାଙ୍କ ବିପକ୍ଷ ହେବାରୁ ସେ ଗଭର୍ଣ୍ଣମେଣ୍ଟ ଚାକିରୀରୁ ଇସ୍ତଫା ଦେଇ ଧରାକୋଟରେ ଆସି ଚାକିରୀ କରିଥିଲେ । ସେ ଖୁବ୍‌ ସ୍ପଷ୍ଟବାଦୀ, ତେଲଙ୍ଗାମାନେ ତାଙ୍କୁ ଯୁକ୍ତିରେ ପରାସ୍ତ କରି ପାରନ୍ତି ନାହିଁ । କୋଇଲିର ଏକ ସ୍ଥାନରେ ଲେଖାଥିଲା–

 

‘‘ତେଲଙ୍ଗାଏ ପ୍ରଥମେ ଢଙ୍କଣ

ତେଲି ଦ୍ୱାରେ ଡେରୁଁ ଡେରୁଁ କଲେ ରାଜପଣ ଲୋ କୋଇଲି ।’’

 

ଏହି ପଦକରେ ତେଲଙ୍ଗା ଜାତିକୁ ଆକ୍ରମଣ କରାଯାଇଅଛି ବୋଲି ଡେପୁଟୀ କଲେକ୍‌ଟର ଧରିବସିଲେ ଏବଂ ଖୁବ୍‌ ଘଣ୍ଟାଚକଟା ଲଗାଇଲେ । ଢଙ୍କଣର ଅର୍ଥ ଖୋଜାଗଲା, ଓଡ଼ିଆ ଡିକ୍‌ସିନାରୀ ହନ୍ତଳାଗଲା, ମାତ୍ର ସେ ଶବ୍ଦ ସୁଦ୍ଧା ମିଳିଲା ନାହିଁ । ଯାହାକୁ ପଚରାଗଲା, ସେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇପାରିଲା ନାହିଁ ।

 

ଶେଷରେ ଡେପୁଟୀ କଲେକ୍‌ଟର ହେଡ଼୍‌କମ୍ପୋଜିଟରକୁ ଧମକାଇ ନାନା ପ୍ରକାର ଭୟ ଦେଖାଇଲେ । କହିଲେ ତୁ ସତକଥା ନ କହିଲେ ନିଶ୍ଚୟ ଦଣ୍ଡ ପାଇବୁ । ହେଡ଼୍‌କମ୍ପୋଜିଟର ଡରିଯାଇ କ୍ଷେତ୍ରବାସୀ ପାଠୀ ନାମ କହିଦେଲା । ଷଣ୍ଢ ଧାନ ଖାଇଲା, କିନ୍ତୁ ତନ୍ତୀ ବନ୍ଧାରେ ପଡ଼ିଲା–ଫଳରେ ପାଠୀଙ୍କର ଚାକିରୀ ଖଣ୍ଡି ଗଲା । ତାଙ୍କର ବି ଉଚିତ ଶିକ୍ଷା ହେଲା । ସେ ପରଲୁଗା ପିନ୍ଧି ଫୁଲାଇ ହେବାର ଭାବ ପାଇଲେ । ମାଇପେ ଛଟା ମେଲନ୍ତି–‘‘ହାତ ନ ଲାଗେ, ଗୋଡ଼ ନ ଲାଗେ, ଚଟୁପିଠା ଖଣ୍ଡ ସୁଆଦ ଲାଗେ ।’’ ସାତଫୁଲାରେ ଲେଖକ ଉପାଧି ମିଳିଯିବ, ପୁଣି ଦେଶହିତୈଷୀ ବୋଲି ପ୍ରଶଂସାଟାଏ ମଧ୍ୟ ମିଳିଯିବ, ଏହା କଅଣ ଅଳ୍ପ ଗୌରବ ଅଳ୍ପ ଲାଭର କଥା । ଦୁର୍ଭାଗ୍ୟ ବେଳେ ଲୋକେ ଏହିପରି ବିପଦର ଗୋଡ଼ହାତ ଧରି ଡାକି ଆଣନ୍ତି । ଏହା ଅତି ବୁଦ୍ଧିଆଙ୍କର କାର୍ଯ୍ୟ ।

 

ହାକିମଙ୍କର ଭୟରୁ ହେଉ ବା ଯେ କାରଣରୁ ହେଉ ବାସୁଦେବ ବାବୁ ପ୍ରେସ୍‌ ମେନେଜର କାର୍ଯ୍ୟରେ ଇସ୍ତଫା ଦେଇଥିଲେ । ଅନ୍ୟ ମେନେଜର ନିଯୁକ୍ତ ନ ହେବା ଯାଏଁ ପ୍ରେସ୍‌ରେ ଜ୍ଞାନଦର୍ପଣ ଛପା ହୋଇପାରିବ ନାହିଁ, ସେଥିପାଇଁ ରାଜା ମୋତେ ମେନେଜର ନିଯୁକ୍ତ କରି ଡିକ୍‌ଲେୟାରେସନ୍‌ କରିବାକୁ ପଠାଇଲେ । ମୁଁ ରସୁଲକୁଣ୍ଡା ଯାଇ ଉପରୋକ୍ତ ଶକ୍ତିଧର ହାକିମଙ୍କ ନିକଟରେ ଡିକ୍‌ଲେୟାରେସନ୍‌ ଫାରମ୍‌ ଦାଖଲ କଲି । ହାକିମ ମୋତେ ନାନା କଥା ପଚାରି ଲେଖିବାକୁ ଲାଗିଲେ । ଦୟାନିଧି ଦାସ କୋଇଲିର ଲେଖକ ବୋଲି ମୁଁ ଜାଣେ କି–ଢଙ୍କଣର ଅର୍ଥ କଅଣ, ଢାଙ୍କୁଣୀ ହୋଇପାରେ କି–ମୋ ଘର କେଉଁ ଜିଲାରେ–ମୋର ଆଉ କିଏ ଅଛି–ଭୂମି ବାଡ଼ି କେତେ ଅଛି, ଏହିପରି ଅପ୍ରାସଙ୍ଗିକ ପ୍ରଶ୍ନରେ ମୋତେ ପୋତି ପକାଇଲେ । ମୁଁ କେତେ ପ୍ରଶ୍ନର ଉତ୍ତର ଦେଇ ଶେଷକୁ କହିଲି–‘‘ମୁଁ ଯହିଁ ପାଇଁ ଆସିଛି, ସେହି ପ୍ରସଙ୍ଗରେ ପ୍ରଶ୍ନ କଲେ ଉତ୍ତର ଦେବି, ମାତ୍ର ଆପଣ ବାଜେ ପ୍ରଶ୍ନ ପଚାରୁଅଛନ୍ତି, ସେଥିରେ ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ ।’’ ବି, ଏନ୍‌ ମିଶ୍ର କି ମୋକଦ୍ଦମାରେ ସେଦିନ କୋର୍ଟକୁ ଯାଇଥିଲେ । ସେ ମୋତେ ଆଖି ଠାରି ଏରୂପ କଡ଼ା ଉତ୍ତର ଦେବାକୁ ମନାକଲେ, ମାତ୍ର ମୁଁ ସେଥିରେ ଭ୍ରୁକ୍ଷେପ କଲି ନାହିଁ । ଦୁଇ ତିନିଘଣ୍ଟାକାଳ ଠିଆ ହୋଇ ମୋତେ ବିରକ୍ତ ବୋଧ ହେଉଥାଏ । ହାକିମ ଏବଂ ମିଶ୍ରଙ୍କ ମଧ୍ୟରେ ଇଂରାଜୀରେ କି କଥାବାର୍ତ୍ତା ହେଲା, ହାକିମ ଦୟାକରି ମୋତେ ଖଣ୍ଡେ ବେଞ୍ଚ ଦେଖାଇ ଦେଇ ବସିବାକୁ କହିଲେ । ମୁଁ ବସିଲି, ସେ ମକଦ୍ଦମା ବୁଝିଲେ । ଘଣ୍ଟାକ ପରେ କହିଲେ–‘‘କାଲି ପହିଲା କଚେରୀରେ ଡିକ୍‌ଲେୟାରେସନ୍‌ ବିଚାର କରାଯିବ ।’’ ହୁକୁମ ଦିଆଯିବ ନାହିଁ, ପୁଣି ବିଚାର କରାଯିବ । ଧର୍ମାବତାରଙ୍କର ଆଦେଶ ଶୁଣି କୃତାର୍ଥ ହୋଇଗଲି । ନୀରବରେ ଗୋଟାଏ ଦଣ୍ଡବତ ପକାଇ କୋର୍ଟରୁ ବାହାରି ଆସିଲି । ମୋ ପଛେ ପଛେ ମିଶ୍ରେ ଆସି କୋର୍ଟ ବାରଣ୍ଡାରେ ମୋତେ ଝୁଣି ପକାଇଲେ । କହିଲେ–‘‘ହାକିମଙ୍କୁ ଏପରି କଥା କହନ୍ତି ନାହିଁ, ଆମ ଦେଶୀ ହାକିମ ବୋଲି ସିନା, ବିଲାତି ହୋଇଥିଲେ କଅଣ ହୁଅନ୍ତା ।’’ ମୁଁ ହସି ହସି କହିଲି–‘‘କିଛି ହୋଇଥିଲେ ଆପଣ ତ ପାଖରେ ଥିଲେ, ଆପଣଙ୍କୁ ଓକିଲାତି ଦେଇଥାଆନ୍ତି ।’’ ମିଶ୍ରେ ଆପଣେ କଅଣ ଭାବି ହସି ମୋତେ କୁଣ୍ଢାଇ ପକାଇଲେ । ବସାକୁ ଆସି ଦେଖିଲି ଯେଉଁ ବସା ଭଡ଼ା ନିଆଯାଇଛି, ତାହା ବସା ନୁହେଁ–ଅନ୍ଧକାରମୟ କାରାଗାର । ରସୁଲକୁଣ୍ଡା ଟ୍ରେନିଂ ସ୍କୁଲର ମାଷ୍ଟର ଗଙ୍ଗାଧର ସାହୁ ମୋର ଜଣେ ପୁରୁଣା ବନ୍ଧୁ, ଭଲ ବସା ସଜିଲ କରିବା ପାଇଁ ତାଙ୍କୁ ପୂର୍ବରୁ ପତ୍ର ଲେଖିଥିଲି । ସେ ବାଛି ବାଛି ଯେଉଁ ଭଲ ବସାଟି ସଜିଲ କରିଥିଲେ ସେଥିରେ କୁକୁର ବି ରହିବାକୁ ଇଚ୍ଛା କରିବ ନାହିଁ । ଶୁଣିଲି ରସୁଲକୁଣ୍ଡାରେ ତାହାଠାରୁ ଭଲ ବସା ନାହିଁ । ବସାପ୍ରତି ମୋର ଅରୁଚି ଦେଖି ଗଙ୍ଗାଧର ବାବୁ ତାଙ୍କ ବୋର୍ଡ଼ିଂକୁ ମୋତେ ନେଇଗଲେ । ସେ ରାତିକ ସେହିଠାରେ କଟାଇଲି । ପରଦିନ ସକାଳେ ରାଜାଙ୍କର ଟେଲିଗ୍ରାମ ପାଇଲି । ତେତେବେଳେ ନୂଆ ପ୍ରେସ୍‌ ଆଇନ୍‌ ଜାରି ହୋଇଥାଏ । ସେହି ନାଗପାଶରେ କେତେ ପ୍ରେସ୍‌ର ବନ୍ଧନ ଦଶା ଘଟୁଥାଏ । ଧରାକୋଟ ପ୍ରେସ୍‌ ସମ୍ୱନ୍ଧରେ ଏଥିମଧ୍ୟରେ କି ଗୁପ୍ତ ଷଡ଼ଯନ୍ତ୍ର ହେବାରୁ ରାଜା ମୋତେ ଡିକ୍‌ଲେୟାରେସନ୍‌ ନ କରି ଶୀଘ୍ର ଫେରି ଯିବାକୁ ଟେଲିଗ୍ରାମ୍‌ କରିଥିଲେ । ତଦନୁସାରେ ମୁଁ ଧରାକୋଟ ଫେରି ଆସିଲି । ରାଜା ବିରକ୍ତ ହୋଇ ପ୍ରେସ୍‌ ରଖିବା ନିରାପଦ ମନେ କଲେ ନାହିଁ, କିଛିଦିନ ପରେ ପ୍ରେସ୍‌ ବିକ୍ରୟ ହୋଇଗଲା ।

 

ଘୁମୁଷରର ଗୋଟାଏ ଅଂଶ ଦେଖି ଦେଖି ଆସିଲି । ଘୁମୁଷର ଉତ୍କଳର ସାରସ୍ୱତ ତୀର୍ଥ–ମହାକବି ଭଞ୍ଜଙ୍କର ପବିତ୍ର ଜନ୍ମଭୂମି । ଘୁମୁଷର ପ୍ରକୃତି ଖଣ୍ଡିଏ ଉପାଦେୟ ପ୍ରକାଣ୍ଡ କାବ୍ୟ । ଉପେନ୍ଦ୍ରଭଞ୍ଜଙ୍କୁ କବି କରିବାର ଇଚ୍ଛା ବିଧାତାଙ୍କର ପୂର୍ବରୁ ଥିଲା । ତେଣୁ ତାଙ୍କ ଜନ୍ମ ପୂର୍ବରୁ ତାଙ୍କ ଜନ୍ମଭୂମି ଘୁମୁଷରକୁ କବି ମୋହନ ବେଶରେ ସଜାଇ ରଖିଥିଲେ । କବିତାର ସରଳ ଭାବପରି ଶାଳତରୁରାଜି ଊର୍ଦ୍ଧ୍ୱକୁ ଉଠିଯାଇଅଛି । କେତେ ସ୍ଥାନରେ ହରିତକୀ ବିଭିତକୀ ବେନିସଖୀ ହାତ ଧରାଧରି ହୋଇ ଉଭା ହୋଇଅଛନ୍ତି । କେଉଁଠାରେ ଲଇବାହାଡ଼ା ଲତା କାନନ ଲକ୍ଷ୍ମୀଙ୍କର କପାଳରେ ଚନ୍ଦନପାଟି ଅଙ୍କିତ କରିଅଛି । ଅରଣ୍ୟ, ନଦୀ, ପର୍ବତସବୁ କବିତାମୟ । ବୋଧହୁଏ ସମସ୍ତେ ଭଞ୍ଜକବିତା ସ୍ୱରଧରି ଆବୃତ୍ତି କରୁଅଛନ୍ତି । ପକ୍ଷୀ କଣ୍ଠରୁ କବିତା ଝରିପଡ଼ୁଛି–ପୁଷ୍ପହାସରୁ କବିତା ଝରିପଡ଼ୁଛି–ପାର୍ବତୀୟ ବାୟୁରେ କବିତା ଉଡ଼ି ବୁଲୁଛି, ଯେଉଁ ଆଡ଼କୁ ଚାହିଁଲେ କବିତାର ମହାମେଳା ବସିଅଛି । କାନନ ପ୍ରକୃତିର ସ୍ଥାବର ଜଙ୍ଗମ ସମସ୍ତେ ଆଜି ପର୍ଯ୍ୟନ୍ତ ଭଞ୍ଜକବିଙ୍କୁ ଭୁଲିପାରି ନାହାନ୍ତି–ସବୁବେଳେ ତାଙ୍କର ରସମୟୀ କବିତା ନିଜ ଭାଷାରେ ଘୋଷି ହେଉଅଛନ୍ତି । ଶ୍ୟାମକାନ୍ତ ଦୂର ପର୍ବତମାଳା ମେଘନାଦ ପାଚେରୀ ପରି ନେତ୍ର ଆକର୍ଷଣ କରୁଅଛି । ସତେ ଯେପରି ପ୍ରକୃତିରାଣୀଙ୍କ ଗନ୍ତାଘରରେ ନୀଳକାନ୍ତମଣି ସ୍ତରେ ସ୍ତରେ ସଜ୍ଜିତ ହୋଇ ରହିଅଛି । ଭଞ୍ଜ ଜନ୍ମତୀର୍ଥ ସାରସ୍ୱତ ଧାମ ଘୁମୁଷରର ଚିତ୍ତହର ଶୋଭା ଲେଖୁଥିଲେ ସରିବ ନାହିଁ । ତାହା ଦେଖିବାର ଏବଂ ଉପଭୋଗ କରିବାର ସାମଗ୍ରୀ । ସେହି ମହାତୀର୍ଥର ପବିତ୍ରରେଣୁ ମସ୍ତକରେ ବୋଳି ହୋଇ ମହାକବିଙ୍କ ଉଦ୍ଦେଶ୍ୟରେ ମୁଁ ନମସ୍କାର କଲି । ସମ୍ପୂର୍ଣ୍ଣରୂପେ ଘୁମୁଷର ଦେଖି ପାରିଲି ନାହିଁ ବୋଲି ଆକାଙ୍‌କ୍ଷାର ଗୋଟାଏ ବିରାଟ ଅପୂର୍ଣ୍ଣତା ମନକୁ ଆଘାତ କଲା ।

 

ଧରାକୋଟ ଆସିଲି । ପ୍ରେସ୍‌ ଡିକ୍ଲେୟାରେସନ୍‌ ହେଲା ନାହିଁ, ବ୍ରହ୍ମପୁର ସରସ୍ୱତୀ ପ୍ରେସରୁ ଜ୍ଞାନଦର୍ପଣ ଛପାଇ ଆଣିବାର ବ୍ୟବସ୍ଥା ହେଲା । ଅନିବାର୍ଯ୍ୟ କାରଣରୁ ଅଗତ୍ୟା ଫେରି ଆସିବାକୁ ହେଲା ବୋଲି ରସୁଲକୁଣ୍ଡା ଡେପୁଟୀ ମାଜିଷ୍ଟ୍ରେଟଙ୍କୁ ତାର କରିଦେଲି । ପ୍ରେସ୍‌ ପରିବର୍ତ୍ତନ ହେଲେ ପୁଣି ଡିକ୍ଲେୟାରେସନ କରିବାକୁ ହେବ । ମୁଁ ଆସି ବ୍ରହ୍ମପୁରସ୍ଥ ଧରାକୋଟ ବଙ୍ଗଳାରେ ରହିଲି । ସାନକଲେକ୍‌ଟରଙ୍କ କୋର୍ଟରେ ଡିକ୍ଲେୟାରେସନ କରିବାକୁ ହେଲା । ବ୍ରହ୍ମପୁରରେ ପତ୍ରିକା ଏବଂ ମହାଭାରତ ଉଭୟ କାର୍ଯ୍ୟ ଚଳିଲା । ଭୁବନେଶ୍ୱର ମିଶ୍ର ଧରାକୋଟ ବଙ୍ଗଳାରେ ରହି କଲେଜରେ ପଢ଼ୁଥିଲେ । ମିଶ୍ରେ ଖୁବ୍‌ ପରିମିତବ୍ୟୟୀ, ଖଣ୍ଡେ କାଠ ଜାଳି ତାକୁ ଲେଉଟ ପାଉଟ କରି କରି ସେଥିରେ ରୋଷାଇ କରନ୍ତି । ସମୟର ବାଜେ ଖର୍ଚ୍ଚ ହୁଏ ନାହିଁ । ପାଠପଢ଼ା ଭାତରନ୍ଧା ଏକ ସମୟରେ ଲାଗିଥାଏ । କଲେଜର ସେ ଜଣେ ଭଲ ଛାତ୍ର ଥିଲେ । ସେହି ସମୟରୁ ମୁଁ ତାଙ୍କର ସାହିତ୍ୟ ପ୍ରୀତିର ପରିଚୟ ପାଇଥିଲି । ବର୍ତ୍ତମାନ ସେ କବି ବଲ୍ଲଭ ଉପାଧି ମଣ୍ଡିତ । ସେହି ନିର୍ଜନ ପୁରୀରେ ଭୁବନେଶ୍ୱର ବାବୁ ମୋର କଥା ବାର୍ତ୍ତାର ସଙ୍ଗୀ ଥିଲେ । ତାଙ୍କ ସାଧୁ ସରଳ ବ୍ୟବହାର ମୋତେ ଆପ୍ୟାୟିତ କରିଥିଲା । ଧରାକୋଟ ବଙ୍ଗଳାରେ ଗୋଟାଏ ଅଜଣା ଗଛ ଅଛି, ତାହା ପତ୍ରରେ ଭାତ ଖାଇଲେ ଘିଅର ସୁବାସ ବାହାରେ । ଶଗଡ଼ିଆମାନେ ସେହି ପତ୍ରରେ ଖଲି କରି ଭାତ ଖାଆନ୍ତି । ତରକାରୀର ଆବଶ୍ୟକ ହୁଏ ନାହିଁ । ଘିଅ ସୁବାସରେ ଗୁଣ୍ଡା ଚଳିଯାଏ । ବଙ୍ଗଳା ପାଖରେ ଖଣ୍ଡିଏ ଫଳମୂଳର ଛୋଟ ବଗିଚା ଅଛି । ସେଥିରେ ଦୁଇକିଆରି କଟା ପୋଇଶାଗ ହୋଇଥାଏ । ସାଧାରଣ ପୋଇ ପରି ସେ ମାଡ଼େ ନାହିଁ, ନେଉଟିଆଶାଗ ପରି ତାକୁ କାଟିବାକୁ ହୁଏ । ଶାଗ ଖୁବ୍‌ ନରମ ଏବଂ ସୁସ୍ୱାଦୁ । ବଗିଚାରେ ସ୍ୱଦେଶୀ, ବିଦେଶୀ ନାନା ପ୍ରକାର ଫୁଲଗଛ ଅଛି । ସ୍ଥାନଟି ପ୍ରଶସ୍ତ ଏବଂ ନିକାଞ୍ଚନ । ବଙ୍ଗଳାଟି ଋଷି ଆଶ୍ରମ ପରି ବୋଧହୁଏ । ସେଠାରେ ମୋର ଲେଖାଲେଖିର ଖୁବ୍‌ ସୁବିଧା ହେଲା । ବେଳେ ବେଳେ ଗୁନ୍ନେୟା ଶାସ୍ତ୍ରୀ ଆସନ୍ତି ଏବଂ ସ୍ଥାନୀୟ ଅନେକ ବନ୍ଧୁ ମଧ୍ୟ ଆସନ୍ତି । ବନ୍ଧୁମେଳରେ ସୁଖରେ ଦିନ କଟିଯାଏ । ସେଠାରେ ମୁଁ ପ୍ରାୟ ଦୁଇ ତିନି ମାସ ରହିଥିଲି ।

 

ଦିନେ ରାତିରେ ତୋଫାନ ହେଲା । ଅନ୍ଧାର ରାତି, ମୂଷଳଧାରାରେ ବୃଷ୍ଟି, ତାହା ଉପରେ ଭୀଷଣ ତୋଫାନ । ପ୍ରକୃତି ରୁଦ୍ରମୂର୍ତ୍ତି ଧାରଣ କରି ଉଠିଲା । ପ୍ରଥମେ ଗୋଟାଏ ସୁ-ସୁ ଶବ୍ଦ ହେଲା, ତାହା ପରେ ମଡ଼୍‌ମାଡ଼୍‌ କଡ଼୍‌କାଡ଼୍‌-ଧୂଷ୍‌ଧାସ୍‌-କେଁକାଁ-ଚେଁଚାଁ ପ୍ରଭୃତି ରୁଦ୍ର, କରୁଣସ୍ୱରରେ ସମୟ ଭୀତିପ୍ରଦ ହୋଇଉଠିଲା । ପ୍ରଭଞ୍ଜନର ପ୍ରଚଣ୍ଡ ବେଗରେ ବଡ଼ ବଡ଼ ଗଛ ଉପୁଡ଼ି ଆକାଶରେ ଉଡ଼ିବାକୁ ଲାଗିଲା । କେତେ ପଶୁପକ୍ଷୀର ମୃତ୍ୟୁକାଳୀନ ଆର୍ତ୍ତଚିତ୍କାର ପବନରେ ଭାସି ଆସିଲା । ରୁଦ୍ର କରୁଣ ରସର ଏ ମହା ତାଣ୍ଡବଲୀଳାରେ ଭୂମି କମ୍ପି ଉଠିଲା । ଭୁବନେଶ୍ୱର ବାବୁ କୌଣସିମତେ ଧରିଧାରି ହାବୁଡ଼ି ହୁବୁଡ଼ି ଆମ ବସାକୁ ଆସିଲେ । ଭଗ୍ନ ଶାଖା ପତ୍ରରେ ଦ୍ୱାର ରୁଦ୍ଧ ହୋଇଯାଇଥିଲା । କଷ୍ଟରେ ତାହା ଭିତରେ ଗଳିଗଳି ଭୁବନେଶ୍ୱର ବାବୁ ଆସିଲେ । ଘରେ କବାଟ କିଳି ଦେଇ ମୋତେ ମଝିରେ ବସାଇ ସୋମନାଥ ଏବଂ ଭୁବନେଶ୍ୱର ବାବୁ ମୋର ଦୁଇପାଖରେ ରକ୍ଷୀ ରୂପେ ଠିଆ ହୋଇ ରହିଲେ । କିନ୍ତୁ ଦୁଃଖର ବିଷୟ, ଉତ୍କଳମାତାଙ୍କର ଦୁଇଜଣ ଏଡ଼େ ବଡ଼ ବୀରଙ୍କୁ ରକ୍ଷୀରୂପେ ପାଇ ସୁଦ୍ଧା ମୁଁ ନିଶ୍ଚିନ୍ତ ହୋଇପାରିଲି ନାହିଁ । ଭାଗବତର ଦୁଇଧାଡ଼ି ମନରେ ପଡ଼ିଗଲା–‘‘ନିଜରକ୍ଷଣ ଅସମ୍ଭବ, ସେ ପୁଣି ପରକୁ ରଖିବ-।’’ ଯାହାହେଉ, ଦୁହିଙ୍କର ଭକ୍ତି, ମମତାରେ ପ୍ରାଣ ଟିକିଏ ଆଶ୍ୱସ୍ତ ହେଲା । ନିଜର ପ୍ରାଣଯାଉଥିବା ବେଳେ ଅନ୍ୟର ପ୍ରାଣରକ୍ଷା କରିବାକୁ ଯିବା ସାମାନ୍ୟ ବୀରତ୍ୱର କଥା ନୁହେଁ । ଯେଉଁ ଘରେ ଥିଲୁଁ, ସେ ଘର ଉପରେ ଗୋଟାଏ ବଡ଼ ତେନ୍ତୁଳିଗଛ ଉପୁଡ଼ି ପଡ଼ିଲା । ଘରର ଖପର ସବୁ ଚୂନା ହୋଇ ଝରଝର ହୋଇ ପଡ଼ିଲା । ଉପାୟ ନ ଦେଖି ତିନି ଜଣଯାକ ଧରାଧରି ହୋଇ ଘରୁ ବାହାରି ଆଉ ଗୋଟାଏ ଘରକୁ ଗଲୁଁ । ପବନ ଏଡ଼େ ଯୋରରେ ବହୁଥାଏ ଯେ ପ୍ରତି ମୁହୂର୍ତ୍ତରେ ଉଡ଼ାଇ ନେବାର ଭୟ ହେଉଥାଏ । ପରସ୍ପରକୁ ଯାକି ଯୁକି ଧରି ଆତ୍ମରକ୍ଷା କରିବାକୁ ପଡ଼ୁଥାଏ । ଅତି କଷ୍ଟରେ ଆସି ଘରେ ପଶିଲୁଁ, ପ୍ରାଣ ଆସି ଆମ ପିଣ୍ଡରେ ପଶିଲା । ପ୍ରକୃତି, ପବନର ଭୟଙ୍କର ଯୁଦ୍ଧ ପ୍ରାୟ ତିନିଚାରି ଘଣ୍ଟାଯାଏଁ ଲାଗିଲା । ରାତି କ୍ରମେ ପାହି ଆସିଲା–ପବନର ଗତି ଊଣା ହୋଇ ଆସିଲା । ସକାଳେ ଦେଖାଗଲା କୌଣସି ଘର ବା ଗଛ ଅକ୍ଷତ ନାହିଁ । ଖୁବ୍‌ ମୋଟ ମୋଟ ପୁରୁଣା ଗଛ ଉପୁଡ଼ି କିଏ କୋଡ଼ିଏ ହାତ ଦୂରରେ–କିଏ ପଚିଶ ହାତ ଦୂରରେ ଉଡ଼ିଯାଇ ପଡ଼ିଅଛି । ପଥ ଅପଥ ସବୁ ଏକାକାର, ହାଇରୋଡ଼୍‌ରେ ଗଛଛାଇ ଯାଇ ତାହାର ଚିହ୍ନ ଲୋପକରି ଦେଇଅଛି । ଯେଠାରେ ସେଠାରେ ମୃତ ପଶୁପକ୍ଷୀ ବହୁ ସଂଖ୍ୟାରେ ପଡ଼ି ରହିଅଛନ୍ତି । କେତେ ଯମପୁର ଯାତ୍ରା ପଥରେ ଶେଷ ନିଃଶ୍ୱାସ ଛାଡ଼ୁ ଅଛନ୍ତି । କେତେ ଆଘାତରେ ଶକ୍ତିହୀନ ହୋଇ ମିନତିବୋଳା କରୁଣ ଚାହାଁଣିରେ ସାହାଯ୍ୟ ଖୋଜୁ ଅଛନ୍ତି । ସୋମନାଥ, ଭୁବନେଶ୍ୱର ବାବୁ କେତେଗୁଡ଼ିଏ ମୁମୂର୍ଷୁ ଜୀବଜନ୍ତୁର ଶୁଶ୍ରୂଷାରେ ଲାଗିଗଲେ । କୁଟା ଜାଳି ସେକି କେତେଟା ବାଦୁଡ଼ି, ଗୁଣ୍ଡୁଚିମୂଷା, କୁଆ, ଚିଲ, ଛଞ୍ଚାଣ, ହଳଦୀବସନ୍ତ, ନେଉଳ ପ୍ରଭୃତିକୁ ବଞ୍ଚାଇଲେ । ସେମାନେ ଶକ୍ତି ପାଇଲାମାତ୍ରେ ଚାଲିଗଲେ । ଯିବାବେଳେ ସେମାନଙ୍କ ଚକ୍ଷୁରେ ଆନନ୍ଦର ଦୀପ୍ତି ଖେଳିଉଠିଲା, ତାହାହିଁ ସାଙ୍କେତିକ କୃତଜ୍ଞତା । ଅନେକ ଗୋରୁ, ମଇଁଷୀ, ଛେଳି, ମେଣ୍ଢା, ଗଧ, କୁକୁର, ଶିଆଳ ଏହି ତୋଫାନରେ ପ୍ରାଣ ହରାଇଥିଲେ । ଏଭଳି ଭୀଷଣ ତୋଫାନ ମୋ ଜୀବନରେ ମୁଁ ଥରେ ମାତ୍ର ଦେଖିଥିଲି, ତାହା ୧୮୮୫ ଖ୍ରୀଷ୍ଟାବ୍ଦର ସୁନିଆଁ ରାତିରେ ହୋଇଥିଲା । ଆମ୍ଭେମାନେ ପ୍ରଥମେ ଯେଉଁ ଘରେ ଥିଲୁଁ ସକାଳୁ ଦେଖାଗଲା ସେ ଘରେ ପାଞ୍ଚଶଗଡ଼ ହେବ ଭଙ୍ଗାଖପର ବିକ୍ଷିପ୍ତ ହୋଇ ପଡ଼ିଅଛି । ଖୁବ୍‌ ଗୋଟାଏ ମୋଟା ତେନ୍ତୁଳି ଗଛ ସେ ଘର ଉପରେ ପଡ଼ିଅଛି । ମୁଁ ଯେଉଁଠାରେ ଶୋଉଥିଲି ସେଠାରେ ଗୋଟାଏ ଖପର ସ୍ତୁପ ହୋଇଅଛି । ନିଦ୍ରିତାବସ୍ଥାରେ ଏ ଘଟନା ଘଟିଥିଲେ ମୁଁ ସେହି ଖପର ସମାଧିତଳେ ରହିଥାଆନ୍ତି । ଏକଥା ମନେକରି ବିସ୍ମିତ ହୋଇଗଲି–ଦେହ ଶୀତେଇ ଉଠିଲା–ମନରେ ଅସ୍ଥାୟୀ ବୈରାଗ୍ୟର କ୍ଷଣିକ ଛାୟାପାତ ହେଲା, ମନେମନେ ଈଶ୍ୱରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି କହିଲି–ହେ ଭଗବାନ, ଏ ଉପସ୍ଥିତ ସଂକଟରୁ ମୋତେ କିଏ ରକ୍ଷାକଲା–ଦୟାମୟ ? ଏହିପରି ପ୍ରତି ମୁହୂର୍ତ୍ତରେ ମୁଁ ତୁମ୍ଭର ଅସୀମ ଦୟା ଉପଭୋଗ କରୁଅଛି, ମାତ୍ର କାହିଁ–ଥରେ ତ ତାହା ସ୍ମରଣ କରୁନାହିଁ । ହରି ହେ, ‘‘ମତ୍ତୋଽପି ନାରକୀ ନାସ୍ତି–ନାସ୍ତିତ୍ୱତ୍ତୋଽପି ତାରକଃ ।’’ ମନୁଷ୍ୟ ପ୍ରାଣ ସଂକଟରେ ପଡ଼ିଲେ ତାହା ମନରେ ଈଶ୍ୱର ଭାବ ସ୍ୱତଃ ଜାତ ହୁଏ ।

 

କିଛିଦିନ ପରେ ରାଜା ବ୍ରହ୍ମପୁର ଆସିଲେ । ଫେରିବାବେଳେ ମୁଁ ତାଙ୍କ ସଙ୍ଗରେ ଧରାକୋଟ ଗଲି । ସେଠାରେ କଠିନ ଆମାଶୟ ରୋଗରେ ପୀଡ଼ିତ ହୋଇ ଅନେକ କଷ୍ଟ ଭୋଗକଲି । ରାଜ ବୈଦ୍ୟ ଔଷଧ ଦେଲେ । କଖାରୁ ଶାକର, କଦଳୀଭଣ୍ଡା, ଓଲ ଖାଇବାକୁ ବ୍ୟବସ୍ଥା ଦେଲେ । ରାଜ ଅନୁଗ୍ରହରୁ ତାହା ଅଭାବ ହେଲା ନାହିଁ । ଓଲ ମିଳିଲା ନାହିଁ, ବହୁଚେଷ୍ଟାରେ ଗୋଟାଏ ମିଳିଲା । ଓଲ ମୋର ଆବାଲ୍ୟପ୍ରିୟ । କଣ୍ଡୁନାଶକ ପଦାର୍ଥ ଦ୍ୱାରା ଓଲ ସିଝାହୋଇ ଗୁଆଘିଅରେ ଭଜା ହେଲା । ଖଣ୍ଡକରୁ ସୁଉକି ଆକାରରେ ଭାଙ୍ଗିନେଇ ପରୀକ୍ଷା କରିବାକୁ ଲାଗିଲି । ତଣ୍ଟି କୁଣ୍ଡାଇ ହେବାରୁ ଆଉ ଖାଇଲି ନାହିଁ, ମାତ୍ର ଯେଉଁ ଟିକ ଖାଇଥିଲି, ତାହାରି ଜାଳା ସହି ହେଲା ନାହିଁ । କଣ୍ଠନାଳୀ ଫୁଲିଯାଇ ବନ୍ଦହୋଇ ଯିବାର ଉପକ୍ରମ ହେଲା । ପ୍ରତିଷେଧକ ଔଷଧ ତଣ୍ଟିରେ ଗଳିଲା ନାହିଁ । ଯନ୍ତ୍ରଣା ଅସହ୍ୟ ହେଲା । ଗୋଟାଏ ଆପଦକୁ ଘଉଡ଼ିବାକୁ ଯାଇ ଆଉ ଏକ ବିଷମ ଆପଦ କବଳରେ ପଡ଼ିଲି । ସେହି ତଣ୍ଟିଫୁଲାରେ ଦୁଇଦିନ ଯାଏଁ କିଛି ଖାଇ ହେଲା ନାହିଁ–ଦୁଧ ପିଇ ରହିବାକୁ ହେଲା । ଅବଶିଷ୍ଟ ଓଲଭଜାକୁ ନମସ୍କାର କରି ଖତଗଦାକୁ ପଠାଇଦେଲି । ଆମାଶୟ ଅର୍ଶରେ ପରିଣତ ହୋଇ ଆସିଥିଲା, କଖାରୁ ଶାକରରେ ତାହା ଭଲ ହୋଇଗଲା ।

 

ପାର୍ବତ୍ୟ ପ୍ରଦେଶରେ ସବୁ ୠତୁ ପ୍ରବଳ ହୁଏ । ଧରାକୋଟରେ ଶୀତ ଯେପରି, ଖରା ସେହିପରି, ବର୍ଷା ବି ସେହିପରି ଅଧିକ ହୁଏ । ବିଶେଷତଃ ଖରା ଅତି ଅସହ୍ୟ ହୁଏ । ଯେଉଁ ଦିନ ପାର୍ଶ୍ୱସ୍ଥ ସୁବଳୟା ପର୍ବତରେ ନିଆଁ ଲାଗେ ସେଦିନ ଗଡ଼ରେ ରହି ହୁଏ ନାହିଁ । ଲୋକେ ଘର ଛାଡ଼ି ଅନ୍ୟ ଗ୍ରାମକୁ ପଳାଇ ଯାଆନ୍ତି । ରାଜା ଯାଇ ‘‘ଦାମୋଦର ପଲ୍ଲୀ’’ ବଙ୍ଗଳାରେ ରହନ୍ତି । ସେ ସ୍ଥାନ ଅପେକ୍ଷାକୃତ ଶୀତଳ । ସେଠାରେ ରାଜାଙ୍କର ଆଦର୍ଶ କୃଷିକ୍ଷେତ୍ର ଅଛି । ଧରାକୋଟର ଦୁଇମାଇଲ ପଶ୍ଚିମରେ ଋଷିକୁଲ୍ୟା ତୀରରେ ‘‘ମୁଣ୍ଡମରାଇ’’ ଗ୍ରାମ । ସେଠାରେ ରାଜାଙ୍କର ବଙ୍ଗଳା ଏବଂ ଉଦ୍ୟାନ ଅଛି । ଉଦ୍ୟାନରେ ଦେଶୀ ବିଦେଶୀ ଫସଲ ହୁଏ । ପ୍ରତ୍ୟହ ଏହି ଦୁଇ ଉଦ୍ୟାନରୁ ରାଜବାଟୀକୁ ପରିବା, ଫଳମୂଳ, ପାନ ପ୍ରଭୃତି ଆସେ ।

 

ଲେଖିବାକୁ ଭୁଲିଯାଇଅଛି–ଧରାକୋଟ ରାଜା ଜମିଦାରଙ୍କ ତରଫରୁ ମାନ୍ଦ୍ରାଜ କାଉନ୍‌ସିଲ ସଭାର ମେମ୍ୱର ହୋଇଥିଲେ । ସେ ଗଞ୍ଜାମର ପ୍ରଥମ ଓଡ଼ିଆ କାଉନ୍‌ସିଲ ମେମ୍ୱର । ସେ ସମୟରେ ଅନେକ ସ୍ଥାନରେ ତାଙ୍କ ପାଇଁ ଅଭ୍ୟର୍ଥନା ସଭା ହୋଇଥିଲା । ଶିକ୍ଷକ ଛାତ୍ରମାନେ ମିଶି ସ୍କୁଲରେ ସଭା କରି ଅଭିନନ୍ଦନ ଦେଇଥିଲେ । ଗଡ଼ବାସୀ ସ୍ୱତନ୍ତ୍ର ସଭା କରିଥିଲେ । ମୁଁ ଅଭ୍ୟର୍ଥନା ସଭାର ଚାଳକ ହୋଇଥିଲି । ଧରାକୋଟରେ ରଥଯାତ୍ରା ପ୍ରଧାନ ପର୍ବ । ଦର୍ଶକ ପ୍ରାୟ ଦଶ ପନ୍ଦର ହଜାରରୁ ଊଣା ହୁଅନ୍ତି ନାହିଁ । ଠିକ୍‌ ପୁରୀ ଧରଣରେ ଯାତ୍ରା ହୁଏ । କୃଷ୍ଣସିଂହ ଯେଉଁ ସ୍ଥାନରେ ବସି ମହାଭାରତ ରଚନା କରୁଥିଲେ, ସେହି ଉଦ୍ୟାନ–ସେହି ମଣ୍ଡପ ଅଦ୍ୟାପି ଅଛି । ନିକଟରେ କେତକୀ ବେଷ୍ଟିତ କ୍ଷୁଦ୍ର ଜଳାଧାରଟି ପୋତିହୋଇ ଯାଇଥିବାର ଦେଖିଥିଲି । ବୋଧହୁଏ ତାହାର ସଂସ୍କାର ହୋଇଥିବ । ପର୍ବତରେ ନିଆଁ ଲାଗିଲେ ବଡ଼ ବଡ଼ ସାପ ଓହ୍ଲାଇ ଆସି ଗ୍ରାମର ନିଭୃତ ସ୍ଥାନରେ ବା ପୋଖରୀ ଘାଟରେ ଆଶ୍ରୟ ନିଅନ୍ତି । ସେମାନେ ବନ୍ଧୁକରେ ମରା ହୁଅନ୍ତି । ଧରାକୋଟ ବଣରେ ଭାଲୁ ଅଧିକ, ସମୟ ସମୟରେ ଭାଲୁ ଉପଦ୍ରବ ଶୁଣାଯାଏ । ଥରେ ରାତିରେ ମୁଣ୍ଡମରାଇ ସଡ଼କ ପାଖରେ ଭାଲୁ ଉଇହୁଙ୍କା ଖୋଳୁଥିବାର ମୁଁ ଦେଖିଅଛି, ସୌଭାଗ୍ୟ ଯେ–ତାହାଠାରୁ କୌଣସି ଅଭ୍ୟର୍ଥନା ପାଇ ନାହିଁ । ଶୁଣିଛି–ମନୁଷ୍ୟ ଦେଖିଲେ ଅନେକ ଭୀରୁ ଭାଲୁ ପଳାଇ ଯାଆନ୍ତି, ମାତ୍ର ଯେଉଁମାନେ ଅତି ସାହସୀ, ସେମାନେ ଆସି ମନୁଷ୍ୟକୁ ଟିକିଏ ପ୍ରେମାଲିଙ୍ଗନ କରନ୍ତି । ଭାଲୁ ଉଚ୍ଚନାଦରେ ଭଲ ହୁଳାହୁଳି ଦେଇପାରେ । ରାଜା ‘‘ରୁକ୍ଷସୁନ୍ଦରୀଙ୍କୁ ବୈଧବ୍ୟ ଦୀକ୍ଷା’’ ଦେବାକୁ ଇଚ୍ଛା କରନ୍ତି ନାହିଁ । ମାତ୍ର ବାଘ ମାରିବାକୁ ଆଗ । ଅନେକ ରାଜକୀୟ ଉତ୍ସବ ମୁଁ ଦେଖିଅଛି । ଉତ୍ସବ ସମୟରେ ବଡ଼ ଜନଗହଳି ହୁଏ । ଧରାକୋଟ କବିପ୍ରସୂତି, ସେଠାରେ କ୍ଷତ୍ରିୟ କବି–ବ୍ରାହ୍ମଣ କବି–କରଣ କବି ଏବଂ ଅନ୍ୟ ଜାତିର କବି ଥିଲେ–ଏବେ ମଧ୍ୟ ଅଛନ୍ତି । ସୁବଳୟା ଉପରେ ବର୍ଷରେ ଥରେ ଭୋଜି ହୁଏ । ରାଜା ବିଜେ ହୁଅନ୍ତି । ରାଜା ପର୍ବତରେ ଅବ୍ୟାହତ ଗତି କରିବା ବିଷୟରେ ଧୁରନ୍ଧର ମହାରଥି, ତାଙ୍କ ସାଙ୍ଗରେ କେହି ପର୍ବତକୁ ଉଠି ପାରନ୍ତି ନାହିଁ ।

 

ଧରାକୋଟକୁ ସାହିତ୍ୟିକ, କବି, ପଣ୍ଡିତ ବା କୌଣସି ଗୁଣବାନ୍‌ ବ୍ୟକ୍ତି ଆସିଲେ ତାଙ୍କର ଉପଯୁକ୍ତ ଆଦର ହୁଏ । ଯୋଗ୍ୟତାନୁରୂପ ପୁରସ୍କାର ମଧ୍ୟ ଦିଆଯାଏ । ଦଶହରା ସମୟରେ ଖୁବ୍‌ ଆଡ଼ମ୍ବରରେ ଦେବୀପୂଜା ହୁଏ । ରାଜା ଧର୍ମପରାୟଣ । ସବୁ କାର୍ଯ୍ୟ ସେ ନିଜେ ଉପସ୍ଥିତ ରହି କରନ୍ତି । ହାଣ୍ଡିରଜାର ଆବଶ୍ୟକ ହୁଏ ନାହିଁ । କେତେ ସ୍ଥାନରେ ରାଜାଙ୍କ ପ୍ରତିନିଧି ରୂପେ ଗୋଟାଏ ହାଣ୍ଡି ବସାଇ ପୂଜାପର୍ବାଦି କର୍ମ କରାଯାଏ । ପିତୃଶ୍ରାଦ୍ଧାଦି ହାଣ୍ଡିରଜା କରେ । ପୁରୋହିତ ହାଣ୍ଡିରଜା ଉପରକୁ ଅକ୍ଷତ ଫିଙ୍ଗି କର୍ମ କରି ଯାଆନ୍ତି । ଲକ୍ଷେ ବର୍ଷ ପରମାୟୁର ଆଶୀର୍ବାଦ ବି ସେହି ହାଣ୍ଡିରଜା ପାଏ । ହାଣ୍ଡିରଜା ଖିଆପିଆ କରି ପାରୁଥିଲେ ପ୍ରତିନିଧି ରୂପେ ତାହା ବି କରନ୍ତା । ଧର୍ମକାର୍ଯ୍ୟରେ ପ୍ରତିନିଧି ନିଯୁକ୍ତି ପ୍ରଥା କାହାର ସୃଷ୍ଟି କେଜାଣି । ହାୟ, ଧର୍ମ ଦେବତା, ତୁମ୍ଭ ପୂଜାପାଇଁ ବି ପ୍ରତିନିଧି ଦରକାର । ଏହା ତୁମ୍ଭର ଦୁର୍ଭାଗ୍ୟ କି ଦେଶର ଦୁର୍ଭାଗ୍ୟ ତାହା ତୁମ୍ଭେ ଏକା ଜାଣ । ଏଥିରେ ତୁମ୍ଭର ସମ୍ମାନ ହୁଏ କି ଅବମାନନା ହୁଏ, ତାହା ବି ତୁମ୍ଭେ ଜାଣ । ଗୋଟାଏ ରାଜ୍ୟରେ ବାଧ୍ୟତାମୂଳକ ଶିକ୍ଷା ପ୍ରଚଳିତ । ଜଣକର ପୁଅ ହଳ କରିବାକୁ ଯାଇଥିଲା, ରଜାଘର ପିଆଦା ଆସି ତାକୁ ପାଠଶାଳାକୁ ନେବାପାଇଁ ଖୋଜିବାରୁ ବାପ କହିଲା–ମୁଁ ତ ବୁଢ଼ା ହେଲିଣି, ଆଉ କାମ ଦାମ କରିପାରୁ ନାହିଁ, ସେଥିପାଇଁ ପୁଅକୁ ହଳ କରିବାକୁ ପଠାଇଅଛି । ପାଠ ପଢ଼ିବାକୁ ନ ଗଲେ ଯେବେ ନ ଚଳିବ, ତେବେ ପୁଅ ବଦଳରେ ମୁଁ ଯାଉଛି, ଦିଘଡ଼ି ତା ପାଇଁ ପଢ଼ି ଆସିବି ।’’ ଧର୍ମ ଉପାର୍ଜନରେ ପ୍ରତିନିଧି ନିଯୁକ୍ତି ଠିକ୍‌ ସେହିଭଳି କଥା । ଏକାଳରେ ଧର୍ମବିଶ୍ୱାସ କିପରି ଶିଥିଳ ହୋଇ ଆସୁଅଛି ଉପରୋକ୍ତ ହାଣ୍ଡିରଜା ପ୍ରଥା ସେଥିର ଜ୍ୱଳନ୍ତ ଦୃଷ୍ଟାନ୍ତ । ରାଜାନୁଗତ ଧର୍ମ, ଅର୍ଥାତ୍ ରାଜା ଯେଉଁପରି ଧର୍ମାଚରଣ କରିବେ, ପ୍ରଜା ତାହା ଅନୁକରଣ କରିବ । ଏଣିକି ବୋଧହୁଏ ସାଧାରଣ ଲୋକ ବି ହାଣ୍ଡି ପ୍ରତିନିଧି ଦ୍ୱାରା ଶ୍ରାଦ୍ଧପୂଜାଦି ନିର୍ବାହ କରିବେ । ସେ ଶୁଭଦିନ ଆସିବାକୁ ଆଉ କେତେ ବିଳମ୍ୱ ଅଛି କେଜାଣି । ଲେଖକ ବୋଧହୁଏ ଦେଖି ପାରିବ ନାହିଁ, କିନ୍ତୁ ଯେଉଁମାନେ ଦେଖିବେ, ସେମାନେ ମହାଭାଗ୍ୟଧର ।

 

ଦେଶପୂଜ୍ୟ ନରସିଂହ ଦାସ ପେନ୍‌ସନ୍‌ ନେବା ପୂର୍ବରୁ ଛୁଟି ନେଇ ଧରାକୋଟରେ ଥିଲେ । ସେଠାରେ ତାଙ୍କର ଦେବାନ୍‌ ହେବାର ଜନରବ ଉଠିଲା । ନରସିଂହ ବାବୁ ରାଜକାର୍ଯ୍ୟରେ କେତେକ ସହାୟତା କରୁଥିଲେ, କାହିଁକି କେଜାଣି ଜନରବ ସଫଳ ହେଲା ନାହିଁ । ସେହି ସମୟରେ ବାସୁଦେବ ପଟ୍ଟନାୟକ ଇସ୍ତଫା ଦେଲେ । ଅଳ୍ପଦିନ ପୂର୍ବରୁ ତାଙ୍କୁ ଗୋଟାଏ ଭଲ ଘୋଡ଼ା ପୁରସ୍କାର ଦିଆଯାଇଥିଲା । ହଠାତ୍‌ ତାଙ୍କର କର୍ମତ୍ୟାଗ ଶୁଣି ଅନେକେ ଆଶ୍ଚର୍ଯ୍ୟ ବୋଧକଲେ । ପରେ ଜଣାଗଲା କୌଣସି ରାଜନୈତିକ କାରଣରୁ ତାହା ଘଟିଲା । ତାଙ୍କ ପରେ ତେଲଙ୍ଗା ଆନାଜି ରାଓ ହୁଜୁର କ୍ଳାର୍କ କାର୍ଯ୍ୟରେ ନିଯୁକ୍ତ ହେଲେ । ସେ ଜଣେ ସୁନାରୀ ବଣିଆ । ଉଚ୍ଚ ପଦ ପାଇ ସେ ଖୁବ୍‌ ଭାରୀ ହୋଇ ଉଠିଲେ । ଏତେ ଭାରୀ ହେଲେ ଯେ, ଅଳ୍ପ କାଳରେ ପତନ ଘଟିଲା । ସିରସ୍ତାଦାର ଉପାଧିକ ସର୍ବପ୍ରଧାନ କର୍ମଚାରୀ କୁଟୁମ୍ୱ ରାଓ ପଣ୍ଡିତ ଜଣେ କମା ବ୍ରାହ୍ମଣ । ସେ ଗଭର୍ଣ୍ଣମେଣ୍ଟ ପେନ୍‌ସନ୍‌ ଭୋଗୀ ଏବଂ ଜଣେ ନ୍ୟାୟପରାୟଣ ବ୍ୟକ୍ତି । ହରିହର ପଣ୍ଡା ରାଜାଙ୍କର ଓକିଲ, ସେ ଅଧିକାଂଶ ସମୟ ଧରାକୋଟ ଆସନ୍ତି । ହରିହର ବାବୁ ଗଞ୍ଜାମ ଓଡ଼ିଆ ସମାଜର ସମ୍ପାଦକ ରୂପେ ଦେଶର ଅନେକ କାର୍ଯ୍ୟ କରି ଅଛନ୍ତି । ସେ ସମୟରେ ଗଞ୍ଜାମର ସେ ଜଣେ ପ୍ରଧାନ ନେତା ଥିଲେ । ତାଙ୍କର ଜାତୀୟ ଅଭିମାନ ଅନୁକରଣୀୟ ।

 

ଧରାକୋଟର ଏକକ୍ରୋଶ ଦକ୍ଷିଣରେ ‘‘ପୁଟୁ’’ ଗ୍ରାମ । ପ୍ରସିଦ୍ଧ ବିନାୟକ ପାଠାଗାର ସେହି ଗ୍ରାମରେ ଅବସ୍ଥିତ । ସମ୍ପାଦକ ଶ୍ୟାମସୁନ୍ଦର ଦାସ ଗୋସ୍ୱାମୀ ତାଙ୍କ ପିତାମହଙ୍କ ନାମରେ ଉକ୍ତ ପାଠାଗାର ସ୍ଥାପନ କରିଅଛନ୍ତି । ପରିଚାଳନର ବ୍ୟବସ୍ଥା ଖୁବ୍‌ ଭଲ । ଥରେ ପାଠାଗାର ସଭାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ବାଟରେ ଗୋଟାଏ କେନାଲ ପଡ଼େ । ନରବାହନରେ କେନାଲ ପାର ହୋଇ ସଭାରେ ଯାଇ ଯୋଗଦେଲି । ମୋତେ ସଭାପତି କରାଗଲା । ସଭାପତି ରୂପେ କଣ ଦୁଇପଦ କହିଥିଲି ଠିକ୍‌ ସ୍ମରଣ ନାହିଁ । ସେ ଅମୂଲ୍ୟ ଆଭାଷଣ ନ ଶୁଣିଲେ ସୁଦ୍ଧା କାହାରି କିଛି କ୍ଷତି ନାହିଁ । ଜଳଯୋଗର ବ୍ୟବସ୍ଥା ବି ହୋଇଥିଲା । ଏ କାଳର ସଭାସମିତିର ତାହାହିଁ ବିଶେଷତ୍ୱ ଏବଂ ପରିଶ୍ରମର ମଜୁରି ।

 

ଧରାକୋଟର ପୂର୍ବରେ ଖଣ୍ଡେ ଡିମିରା ଅଛି । ସେହି ଡିମିରାରେ ଦିନେ ରାତିରେ ଷଣ୍ଢ ଶାର୍ଦ୍ଦୁଳର ଯୁଦ୍ଧ ହୋଇଥିଲା । ବାଘ ଷଣ୍ଢକୁ ପରାସ୍ତ କରି ନ ପାରି ତାହା ପିଠିରେ ଥିବା ହୁଙ୍କୁଡ଼କୁ ଭୀଷଣ ଭାବରେ କ୍ଷତବିକ୍ଷତ କରି ପକାଇଥିଲା । ଷଣ୍ଢର ଶିଙ୍ଘ ଲହୁଲୁହାଣ ହୋଇଥିଲା, ବୋଧହୁଏ ସେ ଶିଙ୍ଘରେ ବାଘକୁ ବିନ୍ଧିଥିଲା । ସକାଳୁ ଲୋକେ ଷଣ୍ଢର ଅବସ୍ଥା ଦେଖି ରକ୍ତଧାରା ଅନୁସରଣ କରି ଯାଇ ଦେଖିଲେ ଯେଉଁଠାରେ ଯୁଦ୍ଧ ହୋଇଥିଲା, ସେଠାରେ ଗଛପତ୍ର ସବୁ ରକ୍ତରଞ୍ଜିତ ହୋଇଅଛି । ଖୋଜି ଖୋଜି ଏକ ସ୍ଥାନରେ ଦେଖିଲେ–ବାଘଟା ମରି ପଡ଼ିଅଛି । ତାହାର ଦେହଯାକ କ୍ଷତବିକ୍ଷତ । ଶିବଙ୍କ ବାହନ ଦୁର୍ଗାଙ୍କ ବାହନର ସାନଭାଇକୁ ପରାସ୍ତ କରି ସଂହାର କଲା–କଳିଯୁଗର ଏ ଅଘଟଣ ବି ସମ୍ଭବ ହେଲା । ଖାଦ୍ୟ ହାତରେ ଖାଦକ ମଲା । ଥରେ ଗୋଟାଏ ବ୍ରାହ୍ମଣିଆ ବେଙ୍ଗ ଗୋଟାଏ କାଣ୍ଡନାଳ (ମାଟିବିରାଡ଼ିଆ) ସାପକୁ ଗିଳିଦେବାର ଦେଖିଥିଲି । ଆଉଥରେ ବି ଏହିପରି ଗୋଟାଏ ଅସ୍ୱାଭାବିକ ଘଟନା ଦେଖିଥିଲି । ଗୋଟାଏ ଧମଣାସାପ ରୋଜ ଘରେ ପଶି ଚାଳରୁ ମୂଷା ଛୁଆ ଖାଏ । ଦିନେ ଦୁଇଟା ବଡ଼ ମୂଷା ତାକୁ ଛକି ଛକି ଖୁମ୍ପି ବ୍ୟତିବ୍ୟସ୍ତ କରି ପକାଇଲେ । ଶେଷରେ ସାପଟା ଯନ୍ତ୍ରଣାରେ ଅସ୍ଥିର ହୋଇ ଚାଳରୁ ଖସିପଡ଼ିଲା । ଘଣ୍ଟାଏ ଯାଏଁ ଉଠି ପାରିଲା ନାହିଁ । ପବନ ଖାଇ ଟିକିଏ ସାଷ୍ଟମ ହେଲା ପରେ ଅତି କଷ୍ଟରେ ଧୀରେ ଧୀରେ ବାହାରିଗଲା । ସେହିଦିନଠାରୁ ସାପଟାକୁ ଆଉ ଘରେ ପଶିବାର ଦେଖାଗଲା ନାହିଁ–ବୋଧହୁଏ ମରିଯାଇଥିବ । ମୋ ଜୀବନରେ ମୁଁ ଏ ତିନୋଟି ଅସ୍ୱାଭାବିକ ଘଟନା ଦେଖିଅଛି । ବାଘ ଏବଂ ସାପର କଅଣ ପୌରୁଷ ଥିଲା ନାହିଁ ଯେ, ସେମାନେ ଖାଦ୍ୟଠାରୁ ପରାସ୍ତ ହେଲେ ? ‘‘ଭାଗ୍ୟଂ ଫଳତି ସର୍ବତ୍ର ।’’ ସଂସାରରେ କିଛି ଅସମ୍ଭବ ନୁହେଁ, ଅସମ୍ଭବ ବି ସମୟରେ ସମ୍ଭବ ହୁଏ–କପାଳଦୋଷରୁ ସବୁ ଘଟେ । କଥାରେ କହନ୍ତି–‘‘କପାଳ ଦୋଷେ କର୍ମଙ୍ଗା ଫଳେ, ଲାଉ ଲଗାଇଲେ ଚଲଣା ଫଳେ ।’’

 

ଧରାକୋଟରେ ମୋର ସ୍ୱାସ୍ଥ୍ୟ ଭଲ ରହିଲା ନାହିଁ । ‘‘ନୀଳିଆ ବନ୍ଧ’’ର ପାଣି ଛ ଦିନକୁ ନ ରୋଗ ଆଣିଦେଲା । ପାଣି ଛାଙ୍କିକରି ଆଣି ରଖିଦେଲେ ଘଣ୍ଟାକ ପରେ ପାତ୍ର ତଳେ ଆଙ୍ଗୁଳିଏ ବହଳରେ ନୀଳପଙ୍କ ବସିଯାଏ । ଧୋବଲୁଗା ଧୋଇଲେ ନୀଳରଙ୍ଗ ଧରିଯାଏ । ଅନେକ ଚେଷ୍ଟାରେ ସୁଦ୍ଧା ବନ୍ଧର ପାଣି ଭଲ ହେଲା ନାହିଁ । ସେହି ବନ୍ଧଟି ଧରାକୋଟର ରୋଗର ଖଣି । ରାଜା କହିଲେ–ଆପଣ ମୁଣ୍ଡମରାଇ ବଙ୍ଗଳାରେ ଯାଇ ରହନ୍ତୁ । ଋଷିକୁଲ୍ୟା କୂଳରେ ରହିଲେ ସ୍ୱାସ୍ଥ୍ୟ ଭଲ ରହିବ । ତଦନୁସାରେ ଯାଇ ମୁଣ୍ଡମରାଇରେ ରହିବାକୁ ହେଲା । ହେଡ଼୍‌ମାଷ୍ଟର ତାରକାନାଥ ବାବୁଙ୍କ ବସା ମୁଣ୍ଡମରାଇରେ ଥିଲା । ରାଜାଙ୍କର ଜଣେ ମୁସଲମାନ ଫରେଷ୍ଟ କର୍ମଚାରୀ ବି ସେଠାରେ ବସା କରିଥିଲେ । ଦୁଇଜଣ ଶିକ୍ଷିତ ଭଦ୍ରଲୋକଙ୍କ ସହବାସରେ ରହିବାର ସୁବିଧା ହେଲା । ଋଷିକୁଲ୍ୟାର ଜଳବାୟୁରେ ଶରୀର ଟିକିଏ ସୁସ୍ଥ ବୋଧ ହେଲା । ମୁଣ୍ଡମରାଇ ଗୋଟାଏ ଜନାକୀର୍ଣ୍ଣ ଗ୍ରାମ, ତାହା ଧରାକୋଟର ଗୋଟାଏ ବାଣିଜ୍ୟ କେନ୍ଦ୍ର । କେତେ ଜଣ ବଡ଼ ମହାଜନ ଅଛନ୍ତି । ତମାଖୁ ଏବଂ ଲଙ୍କାମରିଚ ଫସଲ ସେଠାରେ ଅଧିକ ହୁଏ । ଋଷିକୁଲ୍ୟା ତୀର ଖୁବ୍‌ ଉର୍ବର । ଗୃହସ୍ଥମାନେ ତେନ୍ତୁଳୀ ଗଛରେ ଏବଂ ବବୁରି ଗଛରେ ବୋଇତାଳୁ, କଖାରୁ ଗଛ ମଡ଼ାଇଥାଆନ୍ତି । ବଡ଼ ବଡ଼ ବୋଇତାଳୁ କଖାରୁ ଫଳି ଓହଳି ଥାଏ । ସେ ଅନାସ୍ଥାଜାତ ଫଳଗୁଡ଼ିକ ବାୟୁରେ ଦୋଳି ଖେଳି ବଡ଼ ସୁନ୍ଦର ଦିଶେ । ଦିନେ ଦିନେ ଶାସନକୁ ବୁଲିବାକୁ ଯାଏଁ । ସମୟ ସମୟରେ ସତୀମଠରେ ଯାଇ ବୁଲି ଦେଖେଁ । ଭୁବନେଶ୍ୱର ମିଶ୍ର ମୋତେ ଅନେକ ଥର ନେଇ ବିଭିନ୍ନ ଶାସନରେ ବୁଲାଇ ଆଣନ୍ତି । ‘‘ସତୀମଠ’’ ନାମରେ ଖଣ୍ଡିଏ ପୁସ୍ତକ ମୁଣ୍ଡମରାଇ ବଙ୍ଗଳାରେ ଲେଖିଥିଲି, ତାହା ଜ୍ଞାନଦର୍ପଣରେ ପ୍ରକାଶିତ ହୋଇଥିଲା । ମୁଣ୍ଡମରାଇରେ ପାତିମାଙ୍କଡ଼ର ଉପଦ୍ରବ ଅଧିକ । ସବୁବେଳେ ପିମ୍ପୁଡ଼ିମାଳପରି ପିଢ଼ାରେ ଚାଲିଥାଆନ୍ତି । ରାତିରେ ପିଢ଼ାର ଛଣ ଟେକି ଦେଇ ତାହା ତଳେ ଶୁଅନ୍ତି । ସେମାନଙ୍କ ଦୌରାତ୍ମ୍ୟରେ ଗୃହସ୍ଥମାନେ ଖୁବ୍‌ ସାବଧାନରେ ଚଳନ୍ତି ।

 

ଜଣ ଜଣଙ୍କର ବ୍ୟବହାରରେ ଏପରି ମଧୁ ଥାଏ ଯେ, ପ୍ରଥମ ସାକ୍ଷାତ୍‌ରେ ସୁଦ୍ଧା ଗୋଟାଏ ଆତ୍ମୀୟତା ଜନ୍ମିଥାଏ । ଉପରୋକ୍ତ ଫରେଷ୍ଟରଙ୍କର ପନ୍ଦର-ଷୋଳବର୍ଷର ଗୋଟିଏ ପୁଅ କାହିଁକି କେଜାଣି ମୋତେ ବଡ଼ ଭକ୍ତି କରେ । ଦିନେ ବନ୍ଧୁକରେ ଗୋଟାଏ ଗେଣ୍ଡାଳିଆ ଜାତୀୟ ପକ୍ଷୀ ମାରିଆଣି ଭକ୍ତ୍ୟୁପହାର ଦେଲା । ମୁଁ ଖୁବ୍ ଖୁସି ହେବି ବୋଲି ସେ ଗୋଟାଏ ପ୍ରକାଣ୍ଡ ଆଶା ଧରି ଆସିଥିଲା । ଗେଣ୍ଡାଳିଆ ମାଂସର ଗୁଣ ଏବଂ ସ୍ୱାଦୁ ଅଧ୍ୟାଏ ବର୍ଣ୍ଣନା କରିଗଲା, ନିଜେ କେଳେଇ କୁଟେଇ ଦେବ ବୋଲି ଭାରୀ ଆଗ୍ରହ ପ୍ରକାଶ କଲା । ମୁଁ କହିଲି–‘‘ଆମର ସେ ଚଳେ ନାହିଁ ।’’ ପିଲାଟି ଶୁଣି ତାଟକା ହୋଇଗଲା । କିଛିକ୍ଷଣ ନିର୍ବାକ ଦୃଷ୍ଟିରେ ମୋତେ ଚାହିଁ ରହି କହିଲା–‘‘ଆପଣ ଚିଲିକା ହଂସ ଖାଆନ୍ତି ନାହିଁ ?’’ ତାହାର ଶୁଷ୍କମୁଖରୁ ବୋଧ ହେଲା, ଆଶାହତର ବେଦନା ତାହାର ଶିରାରେ ଶିରାରେ ଘାରିଗଲାଣି । ମୁଁ ହସି ହସି ଉତ୍ତର ଦେଲି–କୌଣସି ହଂସ ଚଳେ ନାହିଁ । ପିଲାଟି ଛାଡ଼ିବାର ପାତ୍ର ନୁହେଁ, ପୁନଶ୍ଚ କହିଲା–ପାରା ଖାଇବେ ତ କହନ୍ତୁ, ମୁଁ ରୋଜ୍‌ ମାରି ଆଣି ଦେବି । ତାହାର ପ୍ରବଳ ଆଗ୍ରହ ଦେଖି ମୁଁ କଅଣ କିଛି ସ୍ଥିର କରିପାରିଲି ନାହିଁ । ପିଲାଟି ଜିଜ୍ଞାସୁଦୃଷ୍ଟିରେ ମୋ ମୁହଁକୁ ଚାହିଁ ରହିଥାଏ । ଆଉ ଅଧିକ କ୍ଷଣ ନୀରବ ନ ରହି କହିଲି–‘‘ମୁଁ ମାଂସ ଖାଏ ନାହିଁ ।’’ ଏହାଶୁଣି ସେ ଭୂତ ଦେଖିଲା ପରି ଚମକି ଉଠିଲା–ମୋର ଏ ଦୁର୍ଭାଗ୍ୟ ପାଇଁ ଅନେକ ହାଇପିସାଇପି ହେଲା । ବୋଧହୁଏ ତାହାର ବିଶ୍ୱାସ–ଯେଉଁମାନେ ମାଂସ ନ ଖାଆନ୍ତି ସେହିମାନେ ଏକା ସଂସାରରେ ଦୁର୍ଭାଗ୍ୟ ଜୀବ ।

 

ଋଷିକୁଲ୍ୟା ନଦୀର ଜଳ କାଚଧାରପରି ସ୍ୱଚ୍ଛ । ମୁଁ ଅନେକ ଥର ସେହି ପବିତ୍ର ଜଳରେ ସ୍ନାନକରି ପ୍ରାଣ, ମନ, ଶରୀର ସ୍ନିଗ୍‌ଧ ଶୀତଳ କରିଅଛି । ତେତେବେଳେ ମୁଁ ସାଳନ୍ଦୀକୁ ସ୍ମରଣ କରି ଚିର ଅଭ୍ୟସ୍ତ ସାଳନ୍ଦୀର ସ୍ନାନ ସୁଖ ଉପଭୋଗ କରେଁ । ସାଳନ୍ଦୀ ପରି ଋଷିକୁଲ୍ୟା ଅନ୍ତଃସ୍ରୋତା, ତାହାର ଉପରସ୍ରୋତ ମରିଗଲେ ଭିତରେ ଭିତରେ ସ୍ରୋତ ଚାଲିଥାଏ । ବାଲି ଖୋଳିଦେଲେ ନିର୍ମଳ ବିଶୁଦ୍ଧ ଜଳ ବାହାରି ପଡ଼େ । ଋଷିକୁଲ୍ୟାରେ ବାଲିକିରା ମାଛର ପହଣା ପରି କ୍ଷୁଦ୍ର କ୍ଷୁଦ୍ର ମାଛ ଢେର ଦେଖାଯାଆନ୍ତି । ସେଥିରେ ଉପାଦେୟ ମହୁର ପ୍ରସ୍ତୁତ ହୁଏ । ତାହାକୁ ହୁଳି ମାଛ ବୋଲି କହନ୍ତି । ହୁଳି ସେ ଅଞ୍ଚଳର ଲୋକଙ୍କର ଭାରୀ ପ୍ରିୟ ଖାଦ୍ୟ, ଧରାକୋଟ ବଜାରକୁ ଯେଉଁଦିନ ହୁଳିଆ ଆସେ, ସେଦିନ ଗୋଟାଏ ହୁରି ପଡ଼ିଯାଏ । କ୍ରେତା ଗହଳରେ ବିକ୍ରେତା ଦେଖାଯାଏ ନାହିଁ । ଦଣ୍ଡକ ମଧ୍ୟରେ ମାଛ ଭାର ଖାଲି ହୋଇଯାଏ ।

 

ମହାଭାରତ କାର୍ଯ୍ୟ ଶେଷ ହୋଇଗଲା । ଛାପାଖର୍ଚ୍ଚ ବୁଝିବା ସକାଶ କଟକଠାରୁ କଲିକତା ଯାଏଁ ସବୁ ଓଡ଼ିଆ ପ୍ରେସ୍‌କୁ ଚିଠି ଲେଖାଗଲା । ଆଠହଜାର ଟଙ୍କାରୁ ଊଣା କେହି କହିଲେ ନାହିଁ । ସେହି ସମୟରେ ପଦ୍ମଲୋଚନ ବାବୁଙ୍କ ‘‘ଓଡ଼ିଆ’’ ପତ୍ରିକା କଲିକତାରୁ ଶୀଘ୍ର ପ୍ରକାଶିତ ହେବାର ବିଜ୍ଞାପନ ବାହାରୁଥାଏ । ମହାଭାରତ ସଚିତ୍ର ହେବାର କଥା ଥିଲା । ତାଙ୍କରି ଓଡ଼ିଆ ପ୍ରେସ୍‌ରେ ଛପାଇଲେ ଅଳ୍ପ ମୂଲ୍ୟରେ ଛବି ଦେଇ ହେବ, ଛବିଗୁଡ଼ିକ ମଧ୍ୟ ଉତ୍କୃଷ୍ଟ ହେବ । ସୁତରାଂ ସେହିଠାରେ ଛପାଇବାର ସାର ହେଲା, ଏବଂ ଆଠ ହଜାର ଟଙ୍କାରେ ଛାପାଖର୍ଚ୍ଚ ଚୁକ୍ତି ହେଲା । ଓଡ଼ିଆ ପତ୍ରିକା ସମ୍ୱନ୍ଧରେ ପରାମର୍ଶ କରିବା ସକାଶ ପଦ୍ମଲୋଚନ ବାବୁ ମୋତେ ଆହ୍ୱାନ କଲେ । ମୁଁ ସୋମନାଥକୁ ସଙ୍ଗରେ ନେଇ କଲିକତା ଗଲି । ବହୁବଜାରସ୍ଥ ଗୋଟାଏ ତେତାଲା କୋଠାରେ ମେଜର କୋମ୍ପାନୀର ଅଫିସ୍‌ ହେଉଥାଏ । ମୁଁ ଯାଇ ସେହିଠାରେ ରହିଲି । ମେଜର କୋମ୍ପାନୀର ସାଲସା ଏବଂ ହେୟାର୍‌ଲାଇନ୍‌ ନାମକ କେଶ ତୈଳର ଆଦର ଖୁବ୍‌ ଥାଏ । ପ୍ରତ୍ୟହ ଆମେରିକା, ଆଫ୍ରିକା, ଇଉରୋପ ପ୍ରଭୃତିକୁ ଅନେକ ପାର୍ଶଲ ଯାଉଥାଏ । ପଦ୍ମଲୋଚନ ବାବୁଙ୍କର ଅତିଥିସତ୍କାର ଖୁବ୍‌ ବଡ଼ଲୋକି ଧରଣର । ମୋର ସୁଖସୁବିଧା ସକାଶ ସେ ଖୁବ୍‌ ଭଲ ବନ୍ଦୋବସ୍ତ କରିଥିଲେ । ମୋତେ ସଙ୍ଗରେ ନେଇ କଲିକତାର ଅନେକ ଦ୍ରଷ୍ଟବ୍ୟସ୍ଥାନ ସେ ଦେଖାଇଥିଲେ । ଥିଏଟର, ବାଏସ୍‌କୋପ୍‌ ବି ବାଦ୍‌ଯାଇ ନ ଥିଲା । ତାଙ୍କର ଖିଆଲିଆ ଭାବ କି ଊଣା ନ ଥିଲା । କପ୍ତିପଦାର ମେନେଜର ତାଙ୍କ ବସାରେ ଥିଲେ । ସେ ଗୋଟାଏ ବୃହତ୍‌ ହାତୀଦାନ୍ତ ବିକ୍ରୟ କରିବାକୁ ନେଇଥିଲେ । ଲୋକଟି ଖୁବ୍‌ ସରଳ ଅମାୟିକ । ମୁଣ୍ଡରେ ବାଳ ପାଚି ଯାଇଥାଏ । ଦିନେ ପଦ୍ମଲୋଚନ ବାବୁ ତାଙ୍କୁ କଳପ ଲଗାଇବା ସକାଶ ଉସ୍କେଇ ନେଇଗଲେ । ବାଳଗୁଡ଼ିକ କଳା କଟକଟ ଦେଖାଗଲା । ସକାଳୁ ଉଠିବା ବେଳକୁ ମୁହଁଯାକ କଳା, ଠିକ୍‌ ହନୁମାଙ୍କଡ଼ ମୁହଁପରି ଦିଶୁଥାଏ । ଯେ ଦେଖିଲା ସେ ନ ହସି ରହିପାରିଲା ନାହିଁ । ମେନେଜର ବାବୁ ବୁଢ଼ାକାଳରେ ଭେଣ୍ଡିଆ ହେବାକୁ ଯାଇ ବାଳି ସୁଗ୍ରୀବଙ୍କ ବଂଶଧର ହୋଇପଡ଼ିଲେ । ଦର୍ପଣରେ ନିଜର ଅପୂର୍ବ ସୁନ୍ଦର ମୁହଁ ଦେଖି ବଡ଼ ଅପ୍ରସ୍ତୁତ ହୋଇ କଳକୁ ମୁଣ୍ଡ ଦେଖାଇ ଧୋଇଧାଇ ହେଲେ । କଳପ ଧୋଇଗଲା, ବାଳଗୁଡ଼ାକ ଯେଉଁ ଝୋଟକୁ ସେହି ଝୋଟ ।

 

ଭଦ୍ରଖବାସୀ କଲିକତାରେ ଅନେକ ଅଛନ୍ତି । ସେମାନେ ମୋତେ ସାକ୍ଷାତ୍‌ କରିବାକୁ ଆସନ୍ତି, ମୋତେ ନେଇ ବହୁ ଦର୍ଶନୀୟ ସ୍ଥାନ ଦେଖାଇ ଆଣନ୍ତି । ଖ୍ୟାତନାମା ଦାଶରଥି ଦାସ ପ୍ରତ୍ୟହ ମେଜର କୋଠାକୁ ଆସନ୍ତି । ପଦ୍ମଲୋଚନ ବାବୁ ମୋତେ କୁଣ୍ଢାଇ ପକାଇ ସେହିକ୍ଷଣି ଖଣ୍ଡେ ଗାଡ଼ି ଡାକି ଆଣି ତାଙ୍କ ଘରକୁ ନେଇଗଲେ । ଠାକୁର ବାଡ଼ି, ଘର, ବଗିଚା, ପୋଖରୀ ଦେଖାଇ ଆଣି ଜଳଖିଆ ଖାଇବାକୁ ଅନୁରୋଧ କଲେ । ମୁଁ ଖାଇ ସାରି ବସିଅଛି, ତାଙ୍କ ପୁଅ ରତ୍ନାକର ବାବୁ ଆସି ପହଞ୍ଚିଲେ । ତାଙ୍କ ସଙ୍ଗରେ କେତେଜଣ ଭଦ୍ରଲୋକ ଆସିଥିଲେ । ରତ୍ନାକର ବାବୁ ମୁହଁ ଶୁଖାଇ କହିଲେ–ମୁଁ ଶୁଣି ଆସିଲି ମିଷ୍ଟର ଦାସଙ୍କର କାଳ ହୋଇଗଲା । ସତ କି ମିଛ କେଜାଣି, ଏହିପରି ଗୋଟାଏ ରଟନା ହୋଇଅଛି । ତାଙ୍କ ସଙ୍ଗୀ ବଙ୍ଗାଳୀ ଭଦ୍ରଲୋକ ମଧ୍ୟରୁ ଜଣେ କହିଲେ–‘‘ଯା ରଟେ, ତା କିଛୁ କିଛୁ ବଟେ ।’’ ଆଉ ଜଣେ କହିଲେ–‘‘ବୟସ ବି ହଏଛିଲ ।’’ ଆଉ ଜଣେ ଓଡ଼ିଆ କହିଲେ–‘‘ମଲା ଖବର ମିଛ ହୁଏ ନାହିଁ ।’’ ଏହିପରି ସମର୍ଥନ ଅନୁମୋଦନ ଦ୍ୱାରା କଥାଟା ସାବ୍ୟସ୍ତ ହୋଇଗଲା । ଦାଶରଥି ବାବୁ ବ୍ୟସ୍ତ ହୋଇ ବୁଝିବାକୁ ଧାଇଁଲେ । ଅଳ୍ପକ୍ଷଣ ପରେ ଫେରିଆସି କହିଲେ–କଥାଟା ମିଛ । ତହୁଁ ସମସ୍ତେ ଆନନ୍ଦ ପ୍ରକାଶ କରି କହିଲେ–ତେବେ ତାଙ୍କର ଆୟୁଷ ବଢ଼ିବ । ମୃତ୍ୟୁ ପ୍ରସ୍ତାବ ପରେ ଆୟୁଷ ବୃଦ୍ଧିର ସିଦ୍ଧାନ୍ତ ଏକ ବିଷମ ରହସ୍ୟ । କଲିକତା ଅଜବ ସହର, ସେଠାରେ ଏହିପରି ଅମୂଳକ ଆଚମ୍ୱିତ ରଟନା ନିତ୍ୟ ବ୍ୟାପାର । କଲିକତାରେ ଦାଶରଥି ବାବୁଙ୍କର ‘‘ଫାଲ୍‍ଗୁନ ଦାସ ଲେନ’’ ନାମରେ ଗୋଟାଏ ପଡ଼ା ଅଛି । ସେଠାରେ ଓଡ଼ିଆ କୁଲିମାନେ ରହନ୍ତି । ଦାଶରଥି ବାବୁଙ୍କ ପିତାଙ୍କ ନାମାନୁସାରେ ଏହି ପଡ଼ାର ନାମକରଣ ହୋଇଅଛି । ଓଡ଼ିଆମାନଙ୍କ ବସାଘର ଦେଖି ମନରେ ଦୁଃଖ ଜାତ ହେଲା । ସବୁ ଘର ସନ୍ତସନ୍ତିଆ । କୁଲିମାନେ କୁଟା ବିଛାଇ କେହି ବା ଛିଣ୍ଡା ଅଖା ପକାଇ ଶୁଆବସା କରନ୍ତି । ଭାବିଲି–ଏଥିରେ ସ୍ୱାସ୍ଥ୍ୟହାନି ନ ଘଟିବ କାହିଁକି ? ଘରୁ ଆସିଲାବେଳେ ହୃଷ୍ଟପୁଷ୍ଟ, ଥାକୁଲ ଥାକୁଲ ହୋଇଥାନ୍ତି, ଫେରିବା ବେଳେ ଦୁର୍ଭିକ୍ଷ ପୀଡ଼ିତ ପରି ଅସ୍ଥି କଙ୍କାଳ ଘେନି ଘରକୁ ଆସନ୍ତି । ଓଡ଼ିଆଙ୍କ ପରିଶ୍ରମ ଦେଖିଲେ ସ୍ତମ୍ଭୀଭୂତ ହେବାକୁ ହୁଏ । ସ୍ୱଦେଶରେ ସେହିପରି ହାଡ଼ଭଙ୍ଗା ପରିଶ୍ରମ କରୁଥିଲେ ଆଉ ସେମାନଙ୍କୁ କଲିକତା ଯିବାକୁ ହୁଅନ୍ତା ନାହିଁ । ଯଥେଷ୍ଟ ଆଦର ଆପ୍ୟାୟନ ପରେ ଦାଶରଥି ବାବୁ ମୋତେ ଆଣି ମେଜର କୋମ୍ପାନୀ କୋଠାରେ ଛାଡ଼ିଗଲେ । ସେ ଜଣେ ଜାତି ବତ୍ସଳ ହୃଦୟବାନ୍‌ ବ୍ୟକ୍ତି ।

 

ମାର୍କଣ୍ଡ ମହାନ୍ତି ପ୍ରେସିଡ଼େନ୍‌ସି କଲେଜରେ ବି. ଏ. ପଢ଼ୁଥିଲେ । ସେ ଦିନେ ଆସି ମୋତେ ନେଇଯାଇ କଲେଜ, ବୋର୍ଡ଼ିଂ, ବିଜ୍ଞାନ ମନ୍ଦିର ଦେଖାଇ ଆଣିଲେ । ଆଲମାରୀରେ ନାନାବିଧ ବିଜ୍ଞାନ ଯନ୍ତ୍ର ସଜ୍ଜିତ ହୋଇ ରହିଅଛି । କେଉଁ ଯନ୍ତ୍ରର ଶକ୍ତି କେତେ, ତାହା ଜାଣିବା ମୋ ପରି ଅବୈଜ୍ଞାନିକ ପକ୍ଷରେ ଧାନ କୁଟୁଣୀର ଭାଗବତ ଶୁଣିଲା ପରି । ମୁଁ ଖାଲି ଦର୍ଶନୀୟ ପଦାର୍ଥ ରୂପେ ଯନ୍ତ୍ରସ୍ତୂପ ଗୁଡ଼ିକ ଦେଖି ଆସିଲି । ଜାଦୁ ଘରେ ଓଡ଼ିଆର ମୂର୍ତ୍ତି ଦେଖି ବିସ୍ମିତ ହୋଇଥିଲି । ବିଦେଶୀଙ୍କ ନେତ୍ରରେ ସବୁ ବିଷୟରେ ଓଡ଼ିଆ ହେୟ । ସେଠାରେ ବା ନ ହେବ କାହିଁକି ? ତାହା ମୂର୍ତ୍ତି, କି ବିଦ୍ରୁପ ବୁଝିବା କଠିନ । ମୂର୍ତ୍ତି ଗଠନକାରୀ ଉତ୍କଳର କେଉଁ ଅଞ୍ଚଳରେ ସେଭଳି ବିଚିତ୍ର ଓଡ଼ିଆ ଲୋକ ଦେଖିଥିଲେ ତାହା ସେହି ମହାପୁରୁଷ ଜାଣନ୍ତି ।

 

ଦିନେ କେତେ ଜଣ ବନ୍ଧୁ ବୁଲିବାକୁ ବାହାରିଲୁଁ । ଧର୍ମଶାଳା ଷ୍ଟ୍ରିଟ୍ ପାଖରେ ତିନି ଜଣ ଯୁବକ ଆସି ଆମ୍ଭମାନଙ୍କୁ ଶିକାର ଧରିଲେ । ଫଟୋ ତୋଳାଇବା ପାଇଁ ନିକଟବର୍ତ୍ତୀ ଘରକୁ ଯିବାକୁ ଅନୁରୋଧ କଲେ । ସଙ୍ଗୀମାନେ କହିଲେ–ସେଗୁଡ଼ାକ ଠକ, ତାଙ୍କ କଥାରେ ଭୁଲିବା ବିପଜ୍ଜନକ । ମୁଁ କହିଲି–ଆମେ ତ ପଞ୍ଝାଏ ଅଛନ୍ତି, ଭୟ କଅଣ ? ଠକ ବିଦ୍ୟାରେ ଏମାନେ କେତେଦୂର ଉନ୍ନତି କରିଛନ୍ତି, ତାହା ଦେଖିଲେ କ୍ଷତି ନାହିଁ । ସମସ୍ତେ ତାଙ୍କ ସଙ୍ଗରେ ଗଲୁଁ । ଗୋଟାଏ କେଉଁ ମାନଧାତା ଅମଳର ଦଦରା କୋଠାରେ ଯାଇ ବସିଲୁ । ଦରଦାମ ହେଲା ଫଟୋ ଖଣ୍ଡକୁ ଟଙ୍କାଏ । ମୁଁ କହିଲି ଚାରି ଅଣା, କିନ୍ତୁ ସଙ୍ଗେ ସଙ୍ଗେ ଫଟୋ ଦେବାକୁ ହେବ । ଅନେକ ରଦ୍‌ ଖଦ୍‌–ରୁଷା ରୁଷି ପରେ ତାହାହିଁ ସ୍ଥିର ହେଲା । ଗୋଟାଏ ଖଞ୍ଜ ଚୌକିରେ ଗୋଟାଏ ଗୋଡ଼ ଯୋଡ଼ି ଦିଆଗଲା । ମୁଁ ସେଥିରେ ବିସିଲି । ଫଟୋଗ୍ରାଫର ଯନ୍ତ୍ର ଆଣି ଫଟୋ ଉଠାଇ ନେଲା । ଘଣ୍ଟାକ ପରେ ଫଟୋ ଆଣି ଦେଲା । ଫର୍ମା ମାଗିବାରୁ ଦୁଇଅଣା ଅଧିକ ଦେଲେ ମିଳିବ ବୋଲି ଉତ୍ତର ମିଳିଲା । ମୁଁ ଫଟୋ ନେବାକୁ ଅସ୍ୱୀକୃତ ହେଲି । ସମସ୍ତେ ଉଠି ବାହାରିଲୁଁ । ଶେଷରେ ସେହି ଚାରି ଅଣାରେ ଫର୍ମା ସହ ଫଟୋ ମିଳିଲା । ଫଟୋଟି ଖୁବ୍‌ ଭଲ ରୂପେ ଉଠିଥିଲା, ରଙ୍ଗ ମଧ୍ୟ ଚମତ୍କାର-। କିନ୍ତୁ ଆଠ ଦିନ ପରେ ଦେଖାଗଲା–ଅଧେ ରଙ୍ଗ ଉଡ଼ି ଯାଇ ସାରିଛି । ମାସକ ପରେ ସାଦା ଦେଖାଗଲା । ‘‘ଶସ୍ତାରେ ଅବସ୍ଥା’’ ଏକଥା ଭୁଲ ନୁହେଁ । ଜନ୍ତୁଗୁଡ଼ିକ ଠକ ନୁହନ୍ତି–ଠକଙ୍କର ପଣ ଗୋସାଇଁ ବାପ । ବିଦ୍ୟାର ଯଥେଷ୍ଟ ଉନ୍ନତି କରିଅଛନ୍ତି ।

 

ପଦ୍ମଲୋଚନ ବାବୁଙ୍କ ବସାକୁ ଅନେକ ବିଶିଷ୍ଟ ଭଦ୍ରଲୋକ ଆସନ୍ତି । ପଦ୍ମଲୋଚନ ବାବୁ ମୋତେ ସେମାନଙ୍କ ସହିତ ପରିଚିତ କରାଇ ଦିଅନ୍ତି । ଏହି ସୂତ୍ରରେ ବସୁମତୀ ଏବଂ ନାୟକ ପତ୍ରିକାର ସମ୍ପାଦକଙ୍କ ସହ ମୁଁ ପରିଚିତ ହୋଇଥିଲି । ନାୟକ ସାପ୍ତାହିକ ହୋଇ ନଥିଲା ପାକ୍ଷିକ ଥିଲା । ସମ୍ପାଦକ ପାଞ୍ଚକଡ଼ି ବନ୍ଦୋପାଧ୍ୟାୟ ଗଭୀର ରହସ୍ୟପ୍ରିୟ, ଖୁବ୍‌ ଖିଆଲିଆ କଥା କହନ୍ତି । ତାଙ୍କର ଲେଖା ଯେପରି ତେଜସ୍ୱୀ, ମୂର୍ତ୍ତି ସେହିପରି ନୁହେଁ । ମୂର୍ତ୍ତିଟି ଆଡ଼ମ୍ୱର ଶୂନ୍ୟ ସରଳ ଗଭୀର ଋଷି ମୂର୍ତ୍ତି ପରି । ଦେଖିଲେ ମନରେ ଭକ୍ତି ଜାତ ହୁଏ ।

 

ପନ୍ଦର ଦିନ କାଳ ବୁଲି ବୁଲି କଲିକତାର କୃତ୍ରିମ ଦୃଶ୍ୟ ଦେଖିଲି, କିନ୍ତୁ ମନ ତୃପ୍ତ ହେଲା ନାହିଁ । ଯହିଁରେ ନୈସର୍ଗିକତା ନାହିଁ–ସେ ଏକ-ବାରିଆ ଦୃଶ୍ୟ ଚିତ୍ତରେ ଦିଦୃକ୍ଷା ବଢ଼ାଏ ନାହିଁ, ବରଂ ଅବସାଦ ଆଣେ । ମନୁଷ୍ୟର ଶିଳ୍ପ ଆଉ ପ୍ରକୃତିର ଶିଳ୍ପ ଏକ ନୁହେଁ । ପ୍ରାକୃତିକ ଦୃଶ୍ୟର କ୍ଷଣ ପରିବର୍ତ୍ତନ ଅଛି, ମାତ୍ର କୃତ୍ରିମରେ ତାହା ନାହିଁ । ସେ ସଜୀବ ଦୃଶ୍ୟ ନୁହେଁ–ନିର୍ଜୀବ । ଅନେକ ବଡ଼ଲୋକ ସଉକ କରି ଚିଡ଼ିଆଖାନା ରଖି ଅଛନ୍ତି । ସକାଳେ କେଉଁଠାରୁ କୋକିଳର ସ୍ୱର ଭାସିଆସେ–କେଉଁଠାରୁ ହଳଦୀ ବସନ୍ତର ସଂଗୀତ ତାନ ଉଠେ–ମୟୂରର ରୁଦ୍ର କେକାରବ ସେ ଲଳିତ ସ୍ୱରକୁ ବୁଡ଼ାଇ ପକାଉ ଥାଏ, ସେହି ସ୍ୱରରେ ଟିକିଏ ପ୍ରାକୃତିକତା ଅନୁଭୂତ ହୁଏ, ନଚେତ୍‌ କୃତ୍ରିମ କଳକାରଖାନାର ଖଡ଼୍ ଖଡ଼୍, ଧଡ଼୍ ଧଡ଼୍ ଶବ୍ଦ ଦ୍ୱାରା କର୍ଣ୍ଣରେ କିଳକ ବିଦ୍ଧ ହେଲା ପ୍ରାୟ ବୋଧ ହୁଏ । ପ୍ରାକୃତିକ ଶିଳ୍ପ ଅସଲ ଏବଂ କୃତ୍ରିମ ତାହାର ନକଲ । ଗୋଟାଏ ପର୍ବତରେ ବା ଅରଣ୍ୟରେ ଯେଉଁ ମନୋମୁଗ୍‌ଧକର ଦୃଶ୍ୟ ଅଛି, ଗୋଟାଏ ବଡ଼ ସହରରେ ତାହା ନାହିଁ । ନାଗରିକ ଶୋଭା, ଶୋଭା ନୁହେଁ–ଶୋଭାର ସ୍ୱପ୍ନ । ସ୍ୱପ୍ନ ଆଉ ସତ୍ୟ ମଧ୍ୟରେ ଯେଉଁ ପ୍ରଭେଦ, ପ୍ରାକୃତିକ ଏବଂ କୃତ୍ରିମର ସେହି ପ୍ରଭେଦ । କୃତ୍ରିମତା କେବଳ ସ୍ୱପ୍ନ ନୁହେଁ–ରଙ୍ଗଦିଆ ସ୍ୱପ୍ନ । ଅନେକ ସହରପ୍ରିୟ ଏ କଥାରେ ମନଊଣା କରିପାରନ୍ତି, ମାତ୍ର ସୂକ୍ଷ୍ମ ଭାବରେ ଚିନ୍ତାକଲେ ବୁଝି ପାରିବେ ।

 

ମର୍ତ୍ତ୍ୟର ଅମରାବତୀ କଲିକତା ନଗରୀ ସ୍ୱର୍ଗନରକର ସଂଗମ ଭୂମି । ମନୁଷ୍ୟର ସେହିପରି ଉପରଟା ଧଅକ ଚିକ୍‌କଣ, କିନ୍ତୁ ସବୁ ଆବର୍ଜନା ଭିତରେ ଠୁଳ । ବିଦ୍ୟାବୁଦ୍ଧି, ପ୍ରତିଭା, ଶିକ୍ଷା, ସଭ୍ୟତାରେ କଲିକତା ଭାରତର ଆଦର୍ଶ । ସେହିପରି ଜାଲ, ଜୁଆଚୁରୀ, ଫନ୍ଦ, ଫିସାଦ, ଠକାମି, ପ୍ରତାରଣା ପ୍ରଭୃତି ଦୁଷ୍ଟ ବିଦ୍ୟାରେ ବି ଆଦର୍ଶ । ପୃଥିବୀର ସବୁ ସ୍ଥାନର ଲୋକେ ସେହିଠାରେ ରୁଣ୍ଡ । ବ୍ୟବସାୟ କ୍ଷେତ୍ରରେ ଲକ୍ଷ୍ମୀଙ୍କର ଗନ୍ତାଘର । କଲିକତା ସମଗ୍ର ଭାରତର ରାଜଧାନୀ ହେବାରୁ ବଙ୍ଗାଳୀମାନେ ଭାଗ୍ୟବାନ୍‌ ହୋଇଅଛନ୍ତି । ସେଠାରେ ତାଙ୍କର ସବୁ ସୁବିଧା ଅଛି । କଲିକତାର ହାଉଡ଼ା ପୋଲ, ଗଡ଼ମାଠର ଭୂତଳମାର୍ଗ ପ୍ରଭୃତି ଦେଖିଲେ ମନୁଷ୍ୟର ଶକ୍ତି କେତେ ହୋଇପାରେ, ତାହା କଳି ହୁଏ ନାହିଁ । ଏହିସବୁ ଅଦ୍ଭୁତ କାର୍ଯ୍ୟ ମାନବଶକ୍ତିର ଉଦ୍ଭାବିତ । ମନୁଷ୍ୟ ଶକ୍ତି କ୍ଷୁଦ୍ର ନୁହେଁ, ତାହା ଅସୀମ ନ ହେଲେହେଁ ବିରାଟ । ମନୁଷ୍ୟ ନିଜ ଶକ୍ତି ବଳରେ ପ୍ରାକୃତିକ ଶକ୍ତିକୁ ଧରି ତାହାଦ୍ୱାରା କେତେ ଅଦ୍ଭୁତ କାର୍ଯ୍ୟ କରି ନେଉଅଛି । ମନୁଷ୍ୟର ଚିନ୍ତା, ଗବେଷଣା ଶକ୍ତି ଏହିସବୁ ଅଦ୍ଭୁତ କାର୍ଯ୍ୟର ମୂଳ । ଏହି ଉଭୟ ଶକ୍ତି ପ୍ରକୃତିର ତତ୍ତ୍ୱ ନିରୂପଣ କରୁଅଛି । ନିଜକୁ ହୀନଶକ୍ତି ମଣିବା ନିଜର କ୍ଳୀବତାର ଦୋଷ । ଯେଉଁ ଯନ୍ତ୍ର ବା କଳ ସାହାଯ୍ୟରେ ଦୁରୂହ କାର୍ଯ୍ୟ ସାଧିତ ହେଉଅଛି, ତାହା ମନୁଷ୍ୟର କଳ୍ପନା ଶକ୍ତିରୁ ଜାତ । ମନୁଷ୍ୟ ଦେହ ଭିତରେ ବିରାଟ ଶକ୍ତି ଶୋଇଅଛି, ସେହି ସୁପ୍ତ ସିଂହକୁ ଉଠାଇବା ଦରକାର । ମନୁଷ୍ୟ ବୁଦ୍ଧିଶକ୍ତି ଏବଂ ଜ୍ଞାନଶକ୍ତିରେ ମାନବ ବିଶ୍ୱକୁ ନିୟନ୍ତ୍ରିତ କରି ରଖିଅଛି–ମାନବଶକ୍ତିର ଦୃଷ୍ଟାନ୍ତ ଏହିଥିରୁ ଅନୁମେୟ । ମାନବ ଏଡ଼େ ଶକ୍ତିଧର ହେତୁ ‘‘ମାନବ ଜନ୍ମ ଦୁର୍ଲଭ’’ ବୋଲି ଶାସ୍ତ୍ର ପୁରାଣରେ ଉକ୍ତ ହୋଇଅଛି । ସାଧନା ଶକ୍ତିକୁ ଉଠାଏ, ସେହି ସାଧନା ମନୁଷ୍ୟକୁ ପରିଶ୍ରମ କରି କରିବାକୁ ହୁଏ । ‘‘ପରିଶ୍ରମର ଅସାଧ୍ୟ ନାହିଁ’’ ବୋଲି ପ୍ରବଚନ ପ୍ରଚଳିତ ଅଛି । ପରିଶ୍ରମ ମାନବର ଜୀବନ ଏବଂ ଜୀବନର ସୁଖ ।

 

ଦିନେ ଗଙ୍ଗାରେ ଅସ୍ଥି ପକାଇବାକୁ ଯାଇଥିଲି । ମୁଁ ସଦେହରେ ନିଜର ଗଙ୍ଗାସ୍ଥି କରିଅଛି-। କଲିକତା ଅବସ୍ଥାନ ସମୟରେ ମୋର ଗୋଟାଏ ଦାନ୍ତ ପଡ଼ିଗଲା । ସେହି ଦାନ୍ତଟି ନେଇ ଗଙ୍ଗାରେ ଉଝାଇ ଦେଇ ଆସିଲି । ଏହାହିଁ ମୋର ଆତ୍ମକୃତ ଗଙ୍ଗାସ୍ଥି । ଏଭଳି ଗଙ୍ଗାସ୍ଥି ବିଧାନ ଶାସ୍ତ୍ରରେ ଅଛି କି ନାହିଁ ତାହା ମୋର ଅଜ୍ଞାତ । ବିବେକ–ଶାସ୍ତ୍ରର ଆଦେଶରେ ମୁଁ ଏହା କରିଥିଲି ।

 

ବୁଲି ବୁଲି ସମୟ କଟିଲା, ମାତ୍ର ଯେଉଁ କାର୍ଯ୍ୟ ପାଇଁ ଆସିଥିଲି ତାହା କିଛି ହୋଇ ନାହିଁ-। ଦିନେ ପଦ୍ମଲୋଚନ ବାବୁଙ୍କୁ କହିଲି, ସେ କହିଲେ ଲକ୍ଷେ ଗ୍ରାହକ ମିଳିଲେ ପତ୍ରିକା ବାହାର କରିବି, ଏଥିରେ ଆପଣଙ୍କର ମତ କଅଣ ? ମୁଁ କହିଲି–ଭାରତୀୟ କୌଣସି ପତ୍ରିକାର ଲକ୍ଷେ ଗ୍ରାହକ ଅଛନ୍ତି କି ନା ମୁଁ ଜାଣେ ନାହିଁ । ଉନ୍ନତ ବଙ୍ଗଦେଶରେ କୌଣସି ସମ୍ୱାଦପତ୍ରର ଗ୍ରାହକ ସଂଖ୍ୟା ଅର୍ଦ୍ଧଲକ୍ଷ ସୁଦ୍ଧା ନୁହେଁ–ଏହା ମୁଁ ଆପଣଙ୍କଠାରୁ ଶୁଣିଛି । ଓଡ଼ିଆ ପତ୍ରିକାରେ ଲକ୍ଷେ ଗ୍ରାହକ ହେବା ବର୍ତ୍ତମାନ ଦୁରାଶା ପରି ବୋଧ ହେଉଛି । ପଦ୍ମଲୋଚନ ବାବୁ ମୋ କଥା ଅନୁମୋଦନ କଲେ । ସେ ଦିନ ଏତିକି କଥା ହେଲା । ଦୁଇ ତିନି ଦିନରେ ପୁନଶ୍ଚ ପଚାରିବାରୁ କହିଲେ–‘‘ଆମି ଆର କି କରବ, ଈଶ୍ୱର ଯା କରବେନ୍‌ ।’’ ଏହି ଖାପଛଡ଼ା ବଙ୍ଗଳା କଥା ଶୁଣି ମୁଁ ତାଙ୍କର ଉଦ୍ଦେଶ୍ୟ ବୁଝି ପାରିଲି । ପତ୍ରିକା ପ୍ରକାଶର ଇଚ୍ଛା ଷୋଳପଣ କିନ୍ତୁ ତାହା ବ୍ୟବସାୟ ନୀତିରେ ହେବ । ଅର୍ଥାତ୍‌ ପତ୍ରିକା ଦ୍ୱାରା ମୋଟା ପଇସା ଆସିବା ଦରକାର । ତେତେବେଳକୁ ତାଙ୍କର ବ୍ୟବସାୟ ଶିଥିଳ ହୋଇ ଆସିଲାଣି । ବସୁମତୀ ପତ୍ରିକା ସଙ୍ଗରେ ମକଦ୍ଦମା କରି ବହୁତ ଖର୍ଚ୍ଚ ହୋଇଯାଇଥିଲା । କେତେ ଋଣ ମଧ୍ୟ ହୋଇଥିଲା । ମୋତେ କଲିକତା ଡାକିଆଣି ଏତିକିମାତ୍ର ପରାମର୍ଶ ଦେଲା । ଶେଷରେ ଦିନେ କହିଲେ–‘‘ମୁଁ ଯଥାସାଧ୍ୟ ଚେଷ୍ଟା କରିବି, ଯଦି କୃତକାର୍ଯ୍ୟ ହୁଏ, ତେବେ ଆପଣ ଯୋଗ ଦେବେ କି ? ଆପଣ ଆସିଲେ ସମ୍ପାଦକୀୟ ବିଭାଗରେ କାର୍ଯ୍ୟ କରିବେ । ସମ୍ପାଦକୀୟ ଲେଖା ଏବଂ ସମାଲୋଚନାର ଭାର ଆପଣଙ୍କ ହାତରେ ରହିବ ।’’ ମୁଁ ମନେ ମନେ କହିଲି–ଗଛରେ ଭଣ୍ଡା ନ ବାହାରୁଣୁ ବଡ଼ କଦଳୀ ଫେଣାଟା ମୋର । ଉର୍ଦ୍ଦୁରେ ଗୋଟିଏ କଥା ଅଛି–‘‘ବାପ୍‌ ମରେଗା, ବୟେଲ ବାଣ୍ଟେଗା; ବଡ଼ା ବୟେଲଠୋ ମେରା ହେ ।’’ ପଦ୍ମଲୋଚନ ବାବୁଙ୍କ ଭବିଷ୍ୟତ୍‌ ପ୍ରସ୍ତାବରେ ମୁଁ ସମ୍ମତି ଜଣାଇ କହଲି ‘‘ଈଶ୍ୱରଙ୍କ କୃପାରୁ ଆପଣ କୃତକାର୍ଯ୍ୟ ହୁଅନ୍ତୁ, ମୋତେ ଯେତେବେଳେ କହିବେ, ମୁଁ ସେତେବେଳେ ଆସି ଯୋଗଦେବି ।’’ ଏଥିଭିତରେ ତାଙ୍କ ସଙ୍ଗରେ ସାହିତ୍ୟ ବିଷୟ ଏବଂ ଦେଶର ବିଷୟ ନେଇ ଏକାଧିକ ଥର ଆଲୋଚନା ହୋଇଥିଲା । ସେ ଜଣେ ଖୁବ୍‌ ଉଚ୍ଚମନା ବ୍ୟକ୍ତି । ତାଙ୍କର ଅନେକ ଗୁଣ ଅନୁକରଣର ଯୋଗ୍ୟ ।

 

ତାଙ୍କଠାରୁ ବିଦାୟ ନେଇ ଆସିଲି । ରେଳଷ୍ଟେସନରେ ଭାରୀ ଭିଡ଼ । ଆସିବାବେଳେ ବାଟରେ ଗୋଟାଏ ଶାଖା ଟିକଟ ବିକ୍ରୟ ଅଫିସରୁ ଟିକଟ କିଣି ଆଣିବାକୁ ହୋଇଥିଲା । କଲିକତାରେ ସ୍ଥାନେ ସ୍ଥାନେ ଏହିପରି ଶାଖା ଅଫିସ ଅଛି, ତାହା ଗୋଟାଏ ଖୁବ୍‌ ସୁବିଧା । ଗୋଟାଏ କୁଲି ମୁଣ୍ଡରେ ଟ୍ରଙ୍କ୍‍ଟି ଲଦି ଦେଇ ରେଳ ପାଖକୁ ଆସିବାକୁ ବାହାରିଲୁ । ଜଣେ ଦେଶୀ ସାହେବ ଟିକଟ ଦେଖି ଭିତରକୁ ଛାଡ଼ୁଥାଏ । କୁଲିଟା ପିଠିରେ ସେ ହାତ ମାରି ଦେଲା, ସେଠାରୁ କୁଲି ଅଚଳ । ପଚାରିବାରୁ କହିଲା–ସାହେବ ମାଲ ଓଜନ କରିବ । ଆମ ଟ୍ରଙ୍କଟି ଓଜନ କଲେ ଦଶ ସେରରୁ ଅଧିକ ହେବ ନାହିଁ, ସାହେବ କିଛି ଆଦାୟ କରିବ–ଏହା ଅଭିପ୍ରାୟ । ସୋମନାଥ କୁଲି ମୁଣ୍ଡରୁ ଟ୍ରଙ୍କ ଛଡ଼ାଇ ଆଣି କହିଲା–ସାହେବ ଠାରୁ ତୋର ମଜୁରୀ ନେବୁ । ସାହେବ ଗୋଟାଏ କଟମଟିଆ ଦୃଷ୍ଟିରେ ଚାହିଁ ରହିଲା, କିଛି କହିଲା ନାହିଁ । କୁଲିଟା ଆମ ପଛେ ପଛେ ଆସି ନାଲିଛାଲି ହୋଇ ଟ୍ରଙ୍କ ନେଇ ରେଲରେ ରଖିଲା । ତାକୁ ତାର ପ୍ରାପ୍ୟ ଦେଇ ପଚାରିବାରୁ କହିଲା–ସାହେବଟା ଏହିପରି କରି କିଛି କିଛି ପାଏ । ତୋତେ କିଛି ଦିଏନା ବୋଲି ପଚାରିବାରୁ କୁଲିଟା ସାହେବର ଛପନ ପୁରୁଷ ଉଦ୍ଦେଶ୍ୟରେ ଗୁଡ଼ାଏ ଅଦେୟ ଶ୍ରାଦ୍ଧ ବାଢ଼ି ଏବଂ ସାହେବକୁ ଘରଆଡ଼ ଲୋକର ଭାଇ ଲେଖା ଧରି ହସି ହସି ଚାଲିଗଲା । ଏହିପରି ଅତ୍ୟାଚାର ଏକା କଲିକତାରେ ନୁହେଁ–ପ୍ରାୟ ସବୁ ଷ୍ଟେସନରେ ହୁଏ, କିନ୍ତୁ ପାତ୍ର ବିଶେଷରେ ହୁଏ । ଯାତ୍ରୀ ତ ବାଟଗଲା ଲୋକ, ସେ କେଉଁଠି କାହା ପାଖରେ ଯାଇ ଫେରାଦ କରିବ । ସେହି ହେତୁରୁ କେହି ପ୍ରତିକାର କରିବାକୁ ଅଗ୍ରସର ହୁଅନ୍ତି ନାହିଁ । ପୁଣି ପ୍ରତିକାର କରିବାକୁ ସମୟ ବା କାହିଁ ? ବାଟରେ ଅନେକ ସ୍ଥାନ ଦେଖିଲି, କିନ୍ତୁ ସୋରୋ ଅଞ୍ଚଳ ପରି ଦୂର ସୁନ୍ଦର ମୂର୍ତ୍ତି କାହାରି ନୁହେଁ । ବିସ୍ତୀର୍ଣ୍ଣ ତାଳବନ ଏବଂ ପ୍ରାଚୀନ ପୁଷ୍କରିଣୀଗୁଡ଼ିକ ରେଳ ସଙ୍ଗେ ସଙ୍ଗେ ପଛକୁ ଧାଇଁଥାଆନ୍ତି । ପୌରାଣିକ ସୁବର୍ଣ୍ଣରେଖା ପାର ହେବା ବେଳେ ଖଣ୍ଡେ ବାଲ୍ୟସ୍ମୃତି ଆସି ଦେଖାଦେଇ ଚାଲିଗଲା । ଭିଲ୍‌ ବଧୂମାନେ ସୁବର୍ଣ୍ଣରେଖା ବାଲିରୁ ସ୍ୱର୍ଣ୍ଣରେଣୁ ସଂଗ୍ରହ କରନ୍ତି ବୋଲି ପିଲାଦିନେ ପୁସ୍ତକରେ ପଢ଼ିଥିଲି । ସୁବର୍ଣ୍ଣ ମିଳେ ବୋଲି ନାମ ସୁବର୍ଣ୍ଣରେଖା ହୋଇଥିବ, ମାତ୍ର ପ୍ରକୃତରେ ନଦୀଟି ହୀରକରେଖା । ସୁବର୍ଣ୍ଣରେଖା ତୀରରେ ସୁବର୍ଣ୍ଣ ଫଳେ । ତଟ ଭୂମି ଅତି ଉର୍ବର ।

 

ଭଦ୍ରଖରେ ତିନି ଚାରି ଦିନ ରହି ଧରାକୋଟ ଗଲି । ଏଥି ମଧ୍ୟରେ ବୌଦ ପ୍ରେସରୁ କୃଷ୍ଣସିଂହ ମହାଭାରତ ଛାପା ହୋଇ ବାହାରି ପଡ଼ିଲା । ତହୁଁ ଧରାକୋଟ ରାଜାଙ୍କର ମହାଭାରତ ପ୍ରକାଶର ଆଗ୍ରହ ଫିକା ପଡ଼ିଗଲା । କେହି କେହି କହିଲେ–ଯେଉଁ ଆଠ ହଜାର ଖର୍ଚ୍ଚ ହେବ, ତାହା ବି ପୁସ୍ତକ ବିକ୍ରିରୁ ମିଳିବ ନାହିଁ । ଯାଚି ଗୁଞ୍ଜି ଦେଲେ କେହି ଖଣ୍ଡେ ବହି ପଢ଼ୁ ନାହିଁ; ଅଧିକ ମୂଲ୍ୟ ଦେଇ କିଣିବ ବା କିଏ ? ବୃଥାରେ ଏତେ ଗୁଡ଼ାଏ ଟଙ୍କା ପାଣିରେ ପଡ଼ିବ ସିନା । ନିଜ ପ୍ରେସରେ ଛାପା କରିବାର ଇଚ୍ଛା ରାଜାଙ୍କର ଥିଲା । ପ୍ରେସର ଗୋଳମାଳ ଘଟିଲା, ପୁଣି ବୌଦରୁ ଛାପା ପୁସ୍ତକ ବାହାରିଲା, ଏହି ହେତୁରୁ ମହାଭାରତ ଛାପା ପ୍ରସ୍ତାବ ବନ୍ଦ ହୋଇଗଲା । ରାଜା ମୋତେ କହିଲେ–ଆପଣ ପ୍ରେସ୍‌ ଚଳାନ୍ତୁ, କର୍ମଚାରୀଙ୍କ ବେତନ ପ୍ରଭୃତି ଦେଇ ଯାହା ଲାଭ ହେବ ନେବେ । ପ୍ରେସ୍‌ ସଙ୍ଗରେ ଷ୍ଟେଟ୍‌ର କୌଣସି ସଂପର୍କ ରହିବ ନାହିଁ । ମୁଁ କହିଲି–ଧରାକୋଟ ପରି ସ୍ଥାନରେ ପ୍ରେସରୁ କେତେ ଆୟ ହେବ ଯେ, କର୍ମଚାରୀଙ୍କୁ ଦରମା ଦେଇ ଲାଭ କରି ହେବ । ପୁଣି ଚଳାଇବାକୁ ସଦ୍ୟ ମୂଳଧନ ଦରକାର, ତାହା ବା କାହୁଁ ଆଣିବି ? ଶୂନ୍ୟ ହସ୍ତରେ ଗୋଟାଏ ଗୁରୁତର ଦାୟିତ୍ୱ ଗ୍ରହଣ କରିବାକୁ ମୋର ସାହସ ପାଉନାହିଁ । ଏହିପରି ଆପତ୍ତି ଦେଖାଇ ମୁଁ ଅସ୍ୱୀକୃତ ହେଲି । ଫଳରେ ଧରାକୋଟରୁ ବିଦାୟ ଘେନି ଆସିବାକୁ ହେଲା ।

 

ଆସିବା ଦିନ ବାଟରେ ଡକାୟତ୍‌ ଆକ୍ରମଣରେ ପଡ଼ିବାକୁ ହେଲା । ଧରାକୋଟରୁ ଗୋଟାଏ ଶଗଡ଼ରେ ଆସିକା ପର୍ଯ୍ୟନ୍ତ ଆସି କାଳୁଷଣ୍ଢପୁର ବଜାରରେ ଓହ୍ଲାଇଲୁ । ସେଠାରୁ ଶଗଡ଼ କରି ବଡ଼ ଖେମଣ୍ଡି ଆସିବାକୁ ହେବ । ସେ ବାଟେ ଯିବାପାଇଁ ବିଦ୍ୟାରତ୍ନେ ଲେଖିଥିଲେ । ସଙ୍ଗରେ ଗୋଟାଏ ବଡ଼ ଟ୍ରଙ୍କ ଥାଏ । ତେତେବେଳକୁ ରାତି ଘଡ଼ିଏ ହେବ । ଅନ୍ଧାର ରାତି, ଝିପି ଝିପି ହୋଇ ବର୍ଷା ହେଉଥାଏ । ମୁଁ ବସାରେ ରହିଲି, ସୋମନାଥ ଗାଡ଼ି ଆଣିବାକୁ ଗଲା । ଘଣ୍ଟାକ ପରେ ସେ ଗାଡ଼ି ଘେନି ଆସିଲା । ଆମେ ଦୁହେଁ ଜଳଖିଆ କରିସାରି ଗାଡ଼ିରେ ଚଢ଼ିଲୁ । ଶଗଡ଼ିଆ ଆଗରେ ବସିଲା, ଆମେ ଦୁହେଁ ଶୋଇଲୁ । ପ୍ରାୟ କୋଶେ ବାଟ ଗଲା ପରେ ଜଣେ ଲୋକ ମୋର ଦୁଇ ଗୋଡ଼ ଧରି ଟାଣିଦେଲା । ମୁଁ ଉଠିପଡ଼ି ସୋମନାଥକୁ ଡାକିଲି । ଶଗଡ଼ିଆ ଆମକୁ କୁଣ୍ଢାଇ ଧରି ହାଉଳି ଖାଇ ହେଉଥାଏ । ଖଣ୍ଡେ ଛଡ଼ାରେ ଦୁଇଟା ଲୋକ ଛିଡ଼ା ହୋଇ ଥାଆନ୍ତି । ମୁଁ ସୋମନାଥକୁ କହିଲି–କାତି କାହିଁ ଆଣ । ପ୍ରକୃତରେ କାତି ଥିଲା ନାହିଁ, ସୌଭାଗ୍ୟକୁ ସେ ମୋ ଛଳନା ବୁଝିପାରି କହିଲା–ଏହି ଧରନ୍ତୁ । ତେତେବେଳଯାଏଁ ଶଗଡ଼ିଆ ପ୍ରକୃତିସ୍ଥ ହୋଇନାହିଁ–ଭୟ ବିହ୍ୱଳରେ ଅସ୍ପଷ୍ଟ ଶବ୍ଦ କରୁଥାଏ । ସୋମନାଥ ବଡ଼ ପାଟିରେ ହୁରି ଛାଡ଼ିଲା । ପଛରେ ଦଳେ ଲୋକ ଆସୁଥିଲେ, ସେମାନେ ଶୁଣି କୁହାଟ ଛାଡ଼ି ଧାଇଁ ଆସିଲେ । ପ୍ରାୟ ଅଧ ମାଇଲ ଦୂରରେ ଆଲୁଅ ଦେଖାଗଲା । ଡାକ ଶୁଣି ବିଟ୍‌ କନେଷ୍ଟବଳ ଲଣ୍ଠନ ଧରି ଧାଇଁଥାଏ । ଏହି ସମୟରେ ଡକାୟତ୍‌ ଦୁଇଜଣ ବିଲକୁ ଖସିପଡ଼ି ଅଦୃଶ୍ୟ ହୋଇଗଲେ । ବିଟ୍‌ କନେଷ୍ଟବଳ ଆସି ପହୁଞ୍ଚିଗଲା । ଘଟଣା ଶୁଣି କହିଲା–ଡାକ ଶୁଣି ମୁଁ ଧାଇଁ ଧାଇଁ ଆସିଛି । ଏହିଠାରେ ଖଣ୍ଡେପଥ ବିପଦସଂକୁଳ । ଅନେକ ସମୟରେ ଏଠାରେ ଗୋଳମାଳ ଘଟେ । ଏହା କହି ଏକୁଟିଆ ଶଗଡ଼ ଆଣିଥିବାରୁ ଶଗଡ଼ିଆକୁ ଗାଳିଦେଇ ମାରିବାକୁ ଉଦ୍ୟତ ହେଲା । ଆମ୍ଭେମାନେ ତାକୁ ଧରାଧରି କରି ଥଣ୍ଡା କଲୁ-। ସେ ଆମ ଗାଡ଼ି ସଙ୍ଗେ ସଙ୍ଗେ ଚାଲିଲା । ପ୍ରାୟ ଅଧ ଘଣ୍ଟାକ ପରେ ବିଟ୍‌ ଘର ପାଖରେ ଆସି ପହଞ୍ଚିଲୁଁ । ତେତେବେଳଯାଏ ମୋର ଦେହ ଥରୁଥାଏ–ଏପରି ବୀର ପୁରୁଷ ମୁଁ । ରାତିରେ ଶଗଡ଼ ଚଳାଇବାକୁ ମନା କଲି । ସକାଳ ପର୍ଯ୍ୟନ୍ତ ବିଟ୍‌ ଘରେ ବସି ରହିଲୁଁ । ଶଗଡ଼ିଆ କହିଲା–ମୁଁ ଦେଖିଛି ଦୁଇଜଣ ଲୋକ ଗାଡ଼ି ଦୁଇ ପାଖରେ ଚାଲିଥିଲେ । ବାଟୋଇ ଜ୍ଞାନରେ ମୋର ସେମାନଙ୍କ ପ୍ରତି ଲକ୍ଷ୍ୟ ରହିଲା ନାହିଁ । ମୁଁ ସିନା ନିଦ ବାଉଳିରେ ହାଉଳି ଖାଇଗଲି, ନ ହେଲେ ଶଳାକୁ ହାଣି ଦିଗଡ଼ କରି ଦେଇଥାଆନ୍ତି । ଏହିପରି ବ୍ୟର୍ଥ ଆସ୍ଫାଳନ ଦେଖାଇ ନିଜର ଦୁର୍ବଳତା ଏବଂ ଭୀରୁତା ଘୋଡ଼ାଇବାକୁ ଚେଷ୍ଟାକଲା । ବିଳିବିଳେଇ ହେବାଠାରୁ ତାହାର କ୍ଳୀବ ବୀରତ୍ୱ ଜଣା ଯାଇଥିଲା, ସୁତରାଂ ତାହା କଥାରେ ହସିବାକୁ ହେଲା । ଯଥା ସମୟରେ ଯାଇ ବଡ଼ ଖେମଣ୍ଡି ଗଡ଼ରେ ବିଦ୍ୟାରତ୍ନଙ୍କ ବସାରେ ପହୁଞ୍ଚିଲୁଁ ।

 

ଖେମୁଣ୍ଡି ରାଜ୍ୟରେ କେତେକ ସ୍ଥାନ ବୁଲି ଦେଖିଲି । ଦିନେ କୁଞ୍ଜରେଖା ଗିରି ଦେଖିବାକୁ ଗଲି । ବିଦ୍ୟାରତ୍ନ ଦଳବଳ ଘେନି ସଙ୍ଗରେ ବାହାରିଲେ । ପର୍ବତ କଟିରେ ଗୋଟାଏ ପ୍ରଶସ୍ତ ଗୁମ୍ଫା ଅଛି । ରାଜା ଆଦେଶରେ ସେ ପର୍ଯ୍ୟନ୍ତ ପାଉଛ ବନ୍ଧା ହୋଇଅଛି । ଗୋଟାଏ ଗୁମ୍ଫା ଭିତରେ ଆଉ ଗୋଟାଏ ଅନ୍ଧକାର ଗୁମ୍ଫା । ସେ ଗୁମ୍ଫା ଭିତରେ ବସି କରି ପ୍ରବେଶ କରିବାକୁ ହୁଏ । ସେହି ଅନ୍ଧାରିଆ ଗୁମ୍ଫାରେ ହନୁମାନଙ୍କର ମୂର୍ତ୍ତି ଅଛି । ତ୍ରେତାଯୁଗର ମହାମଲ୍ଲ ଯୋଗୀବର ହନୁମାନ ନିର୍ଜନ ପର୍ବତ ଗୁମ୍ଫାରେ ବୋଧହୁଏ ମହାଯୋଗ ଧ୍ୟାନରେ ଆତ୍ମନିୟୋଗ କରିଅଛନ୍ତି । ଗୁମ୍ଫାରେ ଜଣେ ବାବାଜୀ ଥାଆନ୍ତି । ସେ ଆଉ ଗୋଟାଏ ଅଗମ୍ୟ ଗୁମ୍ଫାରେ ଯୋଗସାଧନ କରନ୍ତି-। ସେ ଗୁମ୍ଫାର ପଥ ଏତେ ଅପ୍ରଶସ୍ତ ଯେ, ଗୋଟାଏ ବିରାଡ଼ି କଷ୍ଟରେ ଯାଇପାରିବ । ସାଧୁ ପୁରୁଷ ସେହି ବାଟରେ ଅକ୍ଳେଶରେ ଯାତାୟାତ କରିପାରନ୍ତି । ବାବାଜି ଘାସ ଚାଉଳର ଭାତ ଖାଆନ୍ତି । କେବେ ସିଝା ଜହ୍ନୀ, ଭେଣ୍ଡୀ, ପୋଡ଼ା ମକା ଖାଇ ରହନ୍ତି । ଯେଉଁଦିନ ଯାହା ମିଳେ ତାହା ଖାଆନ୍ତି, ଦିନରେ ଥରେମାତ୍ର ଆହାର କରନ୍ତି । ନିକଟବର୍ତ୍ତୀ ଗ୍ରାମର ଲୋକେ ପ୍ରତ୍ୟହ ଫଳମୂଳ ଆଣିଦିଅନ୍ତି-। ରାନ୍ଧିଦେବା ପାଇଁ ରାଜା ଜଣେ ପାଚକ ନିଯୁକ୍ତ କରି ଦେଇଅଛନ୍ତି । ବାବାଜି ଅଧିକ କଥା କହନ୍ତି ନାହିଁ, କିଛି ପଚାରିଲେ ଉତ୍ତର ନାହିଁ–କେବଳ ସ୍ମିତହାସ୍ୟ । ସେହି ହାସ୍ୟ ହିଁ ନୀରବ ଉତ୍ତର । ହାତରେ ସବୁବେଳେ ଗୋଟାଏ ବଡ଼ ଚିଲମ, ସେଥିରେ କଟା ଦୁକୁତା ପକାଇ ଧୂଆଁ ଟାଣନ୍ତି । ମୁଁ ଯାଇ ଦଣ୍ଡବତ କରି ଆଗରେ ବସିଲି । ଯାହା ପଚାରିଲି, ଅତି ସଂକ୍ଷେପରେ ତାହାର ଉତ୍ତର ପାଇଲି । ଧୂଆଁଟଣାର ବିରାମ ନାହିଁ । ଧୂଆଁ ଗୁଡ଼ାକ ପେଟ ଭିତରକୁ ଯାଉଛି, କି ପାଟି, ନାକ ବାଟେ ବାହାରି ଯାଉଛି ସେ ଆଡ଼କୁ ଲକ୍ଷ୍ୟ ନାହିଁ, ଯେପରିକି ଗୂଢ଼ ଚିନ୍ତାରେ ନିମଗ୍ନ ଅଛନ୍ତି । ବେଳେ ବେଳେ ମୁଖମଣ୍ଡଳରେ ଆନନ୍ଦର ପ୍ରଫୁଲ୍ଲତା ଫୁଟି ଉଠୁଥାଏ, କେବେ ବା ଟିକିଏ ବିଷଣ୍ଣତାର ଛାୟା ପଡ଼ି ମୁହୂର୍ତ୍ତକେ ମିଳାଇ ଯାଉଥାଏ । ସାଧୁଟି ଭାବୁକ ସାଧକ, ଏହା ତାଙ୍କ ମୁଖ ଦେଖିଲେ ବେଶ୍‌ ଜଣାଯାଏ । ଉତ୍ସବ ପ୍ରଭୃତିରେ ରାଜାଙ୍କ ଆହ୍ୱାନରେ ଗଡ଼କୁ ଆସନ୍ତି । ତାଙ୍କ ଖର୍ଚ୍ଚ ସକାଶ ରାଜା କିଛି ଟଙ୍କା ଦେଲେ ସେ ଫେରିବା ବେଳେ ସିଂହଦ୍ୱାରରେ ଯାହାକୁ ଦେଖନ୍ତି ତାକୁ ଦେଇ ଚାଲିଯାଆନ୍ତି । ଦାନରେ ପାତ୍ରା ପାତ୍ର ଭେଦ ନାହିଁ, ଯାହାକୁ ଆଗରେ ଦେଖନ୍ତି, ତା ହାତରେ ବଳେ ବଳେ ଗୁଞ୍ଜିଦେଇ ଶୀଘ୍ର ପଳାଇ ଯାଆନ୍ତି । ବାବାଜୀ ମୋର ହାତ ଧରି କେତେ ଦୁରାରୋହ ସ୍ଥାନକୁ ନେଇଗଲେ । ନୈସର୍ଗିକ ଗୁମ୍ଫା ଉପରେ ସେ ଗୋଟାଏ କୃତ୍ରିମ ପ୍ରଶସ୍ତ ଗୁମ୍ଫା ପ୍ରସ୍ତୁତ କରୁଥିଲେ, ତାହା ମଧ୍ୟ ଦେଖିଲି । ପଚାରି ବୁଝିଲି, ତାହା ଅଭ୍ୟାଗତମାନଙ୍କ ସକାଶେ ହେଉଅଛି । ସେଠାକୁ ରାତିରେ ବାଘ ଆସେ କି ନାହିଁ ପଚାରିଲି, ବାବାଜୀ ଗୋଟାଏ କୌତୁକବୋଳା ହସ ହସି କହିଲେ–ଆସେ ବାବା, ବସି ବସି ଚାଲିଯାଏ । ବାବାଜୀ ମୋତେ ମକାପୋଡ଼ା ଗୁଡ଼ାଏ ଆଣିଦେଲେ, ମୁଁ ତାହା ଦେବ ପ୍ରସାଦ ତୁଲ୍ୟ ଗ୍ରହଣ କଲି । ସେଦିନ ବାବାଜୀଙ୍କ ପାଖରେ ରହି ନିରୋଳାରେ କିଛି ପଚାରିବି ବୋଲି ଭାରୀ ଇଚ୍ଛା ଥିଲା, କିନ୍ତୁ ତୁରୁତୁରିଆ ବିଦ୍ୟାରତ୍ନ ତାହା କରାଇ ଦେଲେ ନାହିଁ । କୌଣସି ସ୍ଥାନରେ ଘଣ୍ଟାଏ ଦୁଇ ଘଣ୍ଟା ବସି ରହିଲେ ବୋଧହୁଏ ସେଠାରେ ବାୟୁମଣ୍ଡଳ ଦୂଷିତ ହୋଇଗଲା ପରି ସେ ଭାବନ୍ତି । ସେଦିନର ଖରା ଖୁବ୍‌ ପ୍ରଚଣ୍ଡ, ଅନ୍ତତଃ ଖରାବେଳଟା ସେଠାରେ କଟାଇବାର ସୁଯୋଗ ବି ମୋତେ ଦେଲେ ନାହିଁ । ଆଗରୁ ଗୋଟାଏ ଲୋକକୁ ପଠାଇ ଗଡ଼ରୁ ଝଟକା ଗାଡ଼ି ଅଣାଇଥିଲେ । ମୋତେ ଟାଣିଆଣି ବସାଇ ବସାକୁ ଘେନିଆସିଲେ । ବାବାଜୀଙ୍କଠାରୁ ଧର୍ମ ବିଷୟରେ ଦୁଇକଥା ଶୁଣିବାକୁ ମୋର ବଡ଼ ଆଗ୍ରହ ଥିଲା, ତାହା ହୋଇ ପାରିଲା ନାହିଁ । ମାତ୍ର ଉଚ୍ଛ୍ୱସିତ ଆଗ୍ରହ ବାଧାବିଘ୍ନ ମାନେନାହିଁ, ତହିଁ ପରଦିନ ମୁଁ କାହାକୁ ନ କହି ଏକୁଟିଆ ଚାଲିଗଲି । ତେତେବେଳେ ସାଧୁପୁରୁଷ ଗୁମ୍ଫା ଭିତରେ ଯୋଗ ସାଧନରେ ନିଯୁକ୍ତ ଥିଲେ । ମୁଁ ସେଠାରେ ଅପେକ୍ଷା କରି ବସି ରହିଲି । ଏଣେ ମୋତେ ଖୋଜା ଲାଗିଥାଏ । ଗୋଟାଏ ଝଟକାରେ ବିଦ୍ୟାରତ୍ନ ଏବଂ ସୋମନାଥ ଯାଇ ଗଡ଼ଯାକ ଖୋଜିସାରି ଶେଷରେ ଯାଇ ଗୁମ୍ଫାରେ ପହୁଞ୍ଚିଲେ । ଭାବିଲି–ଏ ଦୁଇଟା ଗ୍ରହ ମୋତେ କିଛି କରାଇ ଦେବେ ନାହିଁ । ବିଦ୍ୟାରତ୍ନ କହିଲେ–ତୁମ୍ଭେ ନ ଗଲେ ମୁଁ ଯିବି ନାହିଁ, କ୍ଷୁଧାରେ ଉଦର ଦେବତା ଭାରୀ ରୁଷ୍ଟ, ତୁମ୍ଭେ ଶୀଘ୍ର ଉଠିଆସ । କଅଣ କରିବି, ବିଫଳ ଆଶାର ବେଦନା ଘେନି ଫେରି ଆସିବାକୁ ବାଧ୍ୟ ହେଲି ।

 

Unknown

ବିଦ୍ୟାରତ୍ନ ରାଜାଙ୍କୁ କହି ଦର୍ଶନୀୟ ସ୍ଥାନ ଦେଖିବାର ସୁବିଧା କରିଦେଇଥିଲେ । ମୁଁ ଦୂରକୁ ଯାଇ ନାହିଁ, ନିକଟବର୍ତ୍ତୀ କେତେକ ସ୍ଥାନ ବୁଲି ଦେଖିଛି । ଖେମଣ୍ଡିର ବିଶେଷ ବିଶେଷ ସ୍ଥାନ ଦେଖି ସେ ସମ୍ବନ୍ଧରେ ଖଣ୍ଡେ ପୁସ୍ତକ ଲେଖିବାପାଇଁ ରାଜା ମହୋଦୟ କହିବାରୁ ମୁଁ ସେହିଠାରେ ଥାଇ ‘‘ପ୍ରକୃତି ପେଟିକା’’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଲି । ଉକ୍ତ ପୁସ୍ତକ ରାଜାଙ୍କ ପ୍ରେସ୍‌ରେ ଛାପା ହେଲା । ଉକ୍ତ ପୁସ୍ତକରେ ଖେମଣ୍ଡିର ଅନେକ ବିଷୟ ଚିତ୍ରିତ ହୋଇଅଛି । ସେହିସବୁ କଥାର ପୁନରାବୃତ୍ତି ଏଠାରେ ଅନାବଶ୍ୟକ । ସେହି ସମୟରେ ପାରଳାଖେମଣ୍ଡିର ଅପର୍ଣ୍ଣା ପଣ୍ଡା ଆସି ନୀଳମଣି ବାବୁଙ୍କ ବସାରେ ଥିଲେ । ଦୁହେଁ ଗୋଟାଏ ସଭା କରାଇ ମୋତେ ଗୋଟାଏ ରୌପ୍ୟ ପଦକ ଉପହାର ଦେଇଥିଲେ । ଅପର୍ଣ୍ଣା ବାବୁ ଜଣେ ସାହିତ୍ୟିକ, କବି ଏବଂ ଗ୍ରନ୍ଥକାର । ତାଙ୍କର କେତେ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଅଛି । ସଂସ୍କାର ବିନୋଦ ଶ୍ରୀବତ୍ସପଣ୍ଡା ବଡ଼ ଖେମଣ୍ଡିର ସବ୍‌ ରେଜିଷ୍ଟ୍ରାର ଥିଲେ । ସେଠାରେ ସେ କେତେକ ଦେଶହିତକର ଅନୁଷ୍ଠାନର ମୂଳପତ୍ତନ କରିଥିଲେ । ମୋର ପଦକ ପ୍ରାପ୍ତି ଦିନ ଗୋଟାଏ ଭୋଜି ହୋଇଥିଲା । ଜଣେ କାଶ୍ମୀରବାସୀ ପାଚକ ଖାଦ୍ୟ ପ୍ରସ୍ତୁତ କରିଥିଲା । ସେ ଅନେକ ସାର୍ଟିଫିକେଟ ଘେନି ଚାକିରୀ କରିବା ପାଇଁ ବଡ଼ ଖେମଣ୍ଡି ଆସିଥିଲା । ତାକୁ ଦୈନିକ ଆଠଅଣା ଖର୍ଚ୍ଚ ଦିଆଯାଇ ରଖାଯାଇଥାଏ । ତାହାର ଗୁଣର ପରୀକ୍ଷା ହେଲାପରେ ତାକୁ ଚାକିରୀ ଦିଆଯିବାର ଆଶା ଦିଆଯାଇଥାଏ । ଦୁଇମାସ ଯାଏଁ ପରୀକ୍ଷାର ସୁଯୋଗ ଘଟିନଥିଲା–ସେହିଦିନ ଘଟିଲା । ଲୋକଟି ପାକ ବିଦ୍ୟାରେ ଧୁରନ୍ଧର । ସାରୁ, ଭେଣ୍ଡୀ, ଜହ୍ନୀ ପ୍ରଭୃତି ସାମାନ୍ୟ ପରିବାରେ ଖୁବ୍‌ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରିଥିଲା । ବିଶେଷତଃ ସାରୁବର୍‌ଫିର ସ୍ୱାଦୁ ସ୍ମୃତିପଟ୍ଟରେ ଗୋଟାଏ ଦାଗ ରଖିଯାଇଅଛି । ପାଚକର ଗୁଣର ପରୀକ୍ଷା ହେଲା, ସେ ଶତକଡ଼ା ଶହେ ନମ୍ବର ରଖିବା ଭଳି ସୁଖ୍ୟାତି ଲାଭ କଲା । ସେ ମାସିକ ପନ୍ଦର ଟଙ୍କା ବେତନରେ ରାଜାଙ୍କର ପ୍ରବାସ ପାଚକ ନିଯୁକ୍ତ ହେଲା । କାଶ୍ମୀର ପାଚକର ରାନ୍ଧଣା ଖୁବ୍‌ ସରସ, ମାତ୍ର ଘିଅ ଅଧିକ ଖର୍ଚ୍ଚ ହୁଏ । ବାଇଗଣର ଚୋପା ଛଡ଼ାଏ, ସେଥିରେ ସ୍ୱାଦୁ ବୃଦ୍ଧି ହୁଏ ନାହିଁ–ତାହା ଗୋଟାଏ ପରିପାଟୀ । ଆଡ଼ମ୍ବର ଦ୍ୱାରା କାର୍ଯ୍ୟର ମାନ ବଢ଼େ । ଖାଲି ନିରୋଳ ପାଠ ବିକାଏ ନାହିଁ, ସେଥି ସଙ୍ଗରେ କିଛି ଶାଠର ବି ଦରକାର ହୁଏ ।

 

ବିଦ୍ୟାରତ୍ନଙ୍କ ବସାରେ ‘‘ନେତ୍ରାଳୁ’’ ନାମରେ ଗୋଟାଏ ତେଲଙ୍ଗାଣୀ ବୁଢ଼ୀ ବାସିପାଇଟି କରେ । ତାହାର ରାଗ ଖାଇବାର ଶକ୍ତି ଅସାଧାରଣ । ତାକୁ ପଇସାଟାଏ ପୁରସ୍କାର ଦେଲେ ସେ ପଣେ ଲଙ୍କାମରିଚ ମୁଢ଼ିପରି ଚୋବାଇ ଖାଇଯାଏ । ତା’ର ପାକସ୍ଥଳୀକୁ ବୋଧହୁଏ ବିଧାତା ବରଫରେ ନିର୍ମାଣ କରିଅଛି । ଏତେ ରାଗ ଖାଇ ସୁଦ୍ଧା କୌଣସି ଅସୁସ୍ଥତା ବୋଧକରେ ନାହିଁ । ମୁଁ ଥରେ ସ୍ୱଚକ୍ଷୁରେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଅଛି । ବିଦ୍ୟାରତ୍ନଙ୍କ ବସାରେ ଜଣେ ବନ୍ଧୁ ପହୁଞ୍ଚିଲେ ସେ କୋଟିନିଧି ପାଇଲା ପରି ମଣନ୍ତି । କିପରି ଅଣଞ୍ଚାଶ ବ୍ୟଞ୍ଜନରେ ତାକୁ ଖୁଆଇବେ, ଏହି ଚେଷ୍ଟାରେ ଲାଗନ୍ତି । ବ୍ରଜ ବୋଲି ଜଣେ ପୂଝାରୀ ଥାଏ । ଘଣ୍ଟାକ ମଧ୍ୟରେ ବାରଭଜା ତେର ପରଜା କରିଦେବା ପାଇଁ ତାକୁ ବରାତ୍‌ ହୁଏ । ସେ ବି ତହିଁକି ନାରାଜ ନୁହେଁ । ସବୁ ପରିବା ଗୋଟାଏ ହାଣ୍ଡିରେ ସିଝାଇ ଛାଙ୍କି ପକାଏ । ତାକୁ ମିଶାମିଶି କରି ପାଞ୍ଚସାତ ପ୍ରକାରରେ ବିଭକ୍ତ କରେ ଏବଂ ପୃଥକ୍‌ ପୃଥକ୍‌ ବଘାରି ନିଏ । ଗୁଣଦର୍ପଣର ଲେଖା ଏବଂ ପ୍ରୁଫ୍‌ ସଂଶୋଧନର ଭାର ମୋତେ ଦେଇ ବିଦ୍ୟାରତ୍ନେ ଖାଦ୍ୟ ବ୍ୟବସ୍ଥାରେ ଲାଗନ୍ତି । ପ୍ରଜାବନ୍ଧୁ ବନ୍ଦ ହେଲା ପରେ ସେ ବଡ଼ ଖେମଣ୍ଡିରୁ ପ୍ରକାଶିତ ‘‘ଗଞ୍ଜାମ ଗୁଣଦର୍ପଣ’’ର ସମ୍ପାଦକ ହୋଇଥିଲେ । ସକାଳୁ ଉଠିଲା ବେଳକୁ ଠାକୁର ଭୋଗ ଆସି ଉପସ୍ଥିତ । ଦେବାଳୟମାନଙ୍କରେ ଉତ୍କୃଷ୍ଟ ଭୋଗର ବ୍ୟବସ୍ଥା ଅଛି । ଦୁଧସର, ସଜ ଲହୁଣୀ କେତେ ସରା ଭୋଗ ହୁଏ, ସେଥିରେ ନବାତ ବି ଥାଏ । ନାନା ପ୍ରକାର ପିଠା, ପଣା, ଉପାଦେୟ ମିଷ୍ଠାନ୍ନ ଭୋଗ ହୁଏ । ଭୋଗ ଶେଷରେ ତାହା ବିକ୍ରୟ ହୁଏ, ମାତ୍ର ସାଧାରଣ ଲୋକେ ପାଆନ୍ତି ନାହିଁ । ରାଜାଙ୍କର ଯାହାକୁ ବରାତ୍‌ ହୋଇଥାଏ ତାକୁ ଦିଆଯାଏ ଏବଂ କ୍ଷମତାପନ୍ନ କର୍ମଚାରୀମାନେ ଆଗରୁ ବରାତ୍‌ କରିଥାଆନ୍ତି–ସେମାନେ କିଣି ନିଅନ୍ତି । ସାଧାରଣ ଲୋକେ ସାଧାରଣ ପ୍ରସାଦ କିଣିବାକୁ ପାଆନ୍ତି । ରାଜା କୃପାମୟ ଗଜପତି ଦେବ ଧର୍ମପରାୟଣ, ଧର୍ମକାର୍ଯ୍ୟରେ ତାଙ୍କର ଅଧିକ ବ୍ୟୟ ହୁଏ । ରାଜା ଅତ୍ୟନ୍ତ ବଂଶାଭିମାନୀ ଏବଂ ଅଳଙ୍କାରପ୍ରିୟ । ପ୍ରାଚୀନ ରାଜନୀତିର ଆଦର୍ଶ ତାଙ୍କଠାରେ ଥିଲା । ଜାତୀୟ ସାହିତ୍ୟର ଅଭିବୃଦ୍ଧି ସାଧନାରେ ସେ ଯଥେଷ୍ଟ ମୁକ୍ତହସ୍ତ ଥିଲେ ।

 

ବଡ଼ଖେମଣ୍ଡିକୁ ତେଲଙ୍ଗାମାନେ ପାଦା ଖେମଣ୍ଡି କହନ୍ତି । ପାଦା ଅର୍ଥାତ୍‌ ବଡ଼, ତାହା ତେଲଗୁ ଶବ୍ଦ । ଓଡ଼ିଆ ତେଲଗୁ ମିଶି ଅଦ୍ଭୁତ ଖେଚଡ଼ି ପ୍ରସ୍ତୁତ ହୋଇଅଛି । ରାଜଧାନୀ ଦିଗପହଣ୍ଡିକୁ ସେମାନେ ଦିଗପୁଡ଼ି କହନ୍ତି । ଅନେକ ଓଡ଼ିଆ ଶବ୍ଦ ଏହିପରି ବିକୃତ ହୋଇଅଛି । ଗଡ଼ବାସୀମାନେ ବିଦେଶୀଙ୍କୁ ଭଲ ପାଆନ୍ତି ନାହିଁ, ପ୍ରତ୍ୟେକ ଗଡ଼ରେ ଏହା ମୁଁ ଊଣାଅଧିକରେ ଦେଖିଅଛି । ଯୋଗ୍ୟତାହୀନ ଉଚ୍ଚ ଆକାଙ୍‌କ୍ଷା ପ୍ରାୟ କାହାରିକୁ ଛାଡ଼ିନାହିଁ । ବଡ଼ଖେମୁଣ୍ଡିରେ ନୀଳମଣି ବାବୁଙ୍କର ଗୁପ୍ତ ଏବଂ ପ୍ରକାଶ୍ୟ ଦ୍ରୋହୀ କେତେ ଜଣ ଥିଲେ । ସେମାନେ ତାଙ୍କର ପାନ ଦୋଷକଥା ରାଜାଙ୍କର କର୍ଣ୍ଣଗୋଚର କରି ଗୋଟାଏ ଅଭିଯୋଗ ଉପସ୍ଥିତ କଲେ, କିନ୍ତୁ ରାଜା ତାହା ଗ୍ରହଣ କଲେ ନାହିଁ । ଅଧିକନ୍ତୁ କହିଲେ–‘‘ସେ ଜଣେ ଖ୍ୟାତନାମା ବିଶିଷ୍ଟ ଲୋକ, ତାଙ୍କର ଗୁଣ ଗ୍ରହଣ କରିବା ଉଚିତ, ମାତ୍ର ତାଙ୍କର ଗୁପ୍ତ ଦୋଷ ବା ଛିଦ୍ର ଖୋଜିବା ବଡ଼ ଲଘୁତାର କଥା ।’’ ବାସ୍ତବରେ ସଂସାରରେ ଟିଙ୍କଧର୍ମୀ ମନୁଷ୍ୟ ଅନେକ ଅଛନ୍ତି । ଟିଙ୍କ ଗାଈଚିରରେ ଲାଗିରହି ରକ୍ତ ଶୋଷଣ କରେ–ଦୁଗ୍‌ଧ ଶୋଷଣ କରେ ନାହିଁ । ମନୁଷ୍ୟ ମାତ୍ରର ଦୋଷ, ଗୁଣ ଉଭୟ ଅଛି । ଗୁଣଗ୍ରହଣ କରିବା ମନୁଷ୍ୟର କର୍ତ୍ତବ୍ୟ, ମାତ୍ର ମାଛିପରି ଘା’ ଖୋଜି ଖାଇବା ବଡ଼ ଇତର ସ୍ୱଭାବ । ରାଜାଙ୍କର ବିଚାର ଠିକ୍‌ ହୋଇଅଛି, ନ ହେଲେ ବିଧାତା ତାଙ୍କୁ ରାଜା କରନ୍ତେ କାହିଁକି ? ପୃଥିବୀ ବୋଲି ଯେଉଁ ବଜାର ଖଣ୍ଡକ, ସେଥିରେ ଅପ୍ରାପ୍ତ କିଛି ନାହିଁ । ସେଠାରେ ସମଧର୍ମୀ ବି ସମଧର୍ମୀକୁ ନିନ୍ଦା କରେ–ଚୋର ବି ଚୋରକୁ ନିନ୍ଦା କରେ । ନିଜକୁ ଜନନେତ୍ରରେ ସାଧୁ ପ୍ରମାଣ କରିବା ସେମାନଙ୍କର ଅଭିସନ୍ଧି ହୋଇପାରେ, ମାତ୍ର ସାଧୁ ଅସାଧୁ ବଛା ହେବାର ସ୍ଥାନ ପୃଥିବୀ ନୁହେଁ–ସେ ସ୍ଥାନ ସ୍ୱତନ୍ତ୍ର । ସେହି ମୀମାଂସା ଚୂଡ଼ାନ୍ତ ମୀମାଂସା । କିଏ ସାଧୁ, କିଏ ଭେକଧାରୀ ତାହା ଜାଣିବା କଠିନ ନୁହେଁ । ଭେକଧାରୀକୁ ଯେ ନିନ୍ଦା ବା ଘୃଣା କରେ, ସେହି ଏକା ଭେକଧାରୀ । ସାଧୁ ଛିଦ୍ରାନ୍ୱେଷୀ ହୋଇ ପାରେ ନାହିଁ ।

 

ଦିଗପହଣ୍ଡି ଗଡ଼ର ପ୍ରାକୃତିକ ଦୃଶ୍ୟ ଚିତ୍ତହର । ତିନିପାଖରେ ପର୍ବତମାଳା ନିସର୍ଗ ପ୍ରାଚୀର ପ୍ରାୟ ଦଣ୍ଡାୟମାନ । ପୂର୍ବ କାଳରେ ବହିଃଶତ୍ରୁର ଆକ୍ରମଣ ବ୍ୟର୍ଥ କରିବା ଉଦ୍ଦେଶ୍ୟରେ ରାଜାମାନେ କିପରି ନିରାପଦ ସ୍ଥାନ ବାଛି ଦୁର୍ଗ ନିର୍ମାଣ କରୁଥିଲେ, ଗଞ୍ଜାମର ପ୍ରତ୍ୟେକ ରାଜଧାନୀ ସେଥିର ମୂକ ସାକ୍ଷୀ । ବାସ୍ତବରେ ସେମାନଙ୍କର ସୂକ୍ଷ୍ମ ବୃଦ୍ଧି ଏବଂ ଦୂରଦର୍ଶିତା ଅସାଧାରଣ କହିଲେ ରଙ୍ଗଦିଆ କଥା ହେବ ନାହିଁ । ପ୍ରତିଦିନ ଚାରିଟା ବେଳେ ମୁଁ ଏବଂ ବିଦ୍ୟାରତ୍ନ ସବ୍‌ରେଜିଷ୍ଟ୍ରାର ଅଫିସ୍‌ ଆଡ଼କୁ ବୁଲିବାକୁ ଯାଉଁ । ସେଠାରେ ଶ୍ରୀବତ୍ସ ବାବୁଙ୍କ ସଙ୍ଗରେ ଗପସପ ହୁଏ । କେବେ କେବେ ଆମ ଯିବା ପୂର୍ବରୁ ସେ ଆସି ପହୁଞ୍ଚନ୍ତି । ପ୍ରତ୍ୟହ ନୀଳମଣି ବାବୁ ଏବଂ ଶ୍ରୀବତ୍ସ ବାବୁ ସଂସ୍କାର ବିଷୟ ନେଇ କଳି ଲାଗନ୍ତି । ନୀଳମଣି ବାବୁ ସଂସ୍କାର ସପକ୍ଷ, ମାତ୍ର ଉତ୍କଟ ସଂସ୍କାରକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ବାସ୍ତବରେ ଦେଶକାଳପାତ୍ରକୁ ଚାହିଁ ସଂସ୍କାର କରିବା ଉଚିତ । ଯହିଁରେ ବହୁଲୋକର ଆପତ୍ତି ସେ ରୂପ ସଂସ୍କାର ଧୈର୍ଯ୍ୟ ସାପେକ୍ଷ । ବହୁକାଳର ପ୍ରଚଳିତ ଧାରାକୁ ହଠାତ୍‌ ପରିବର୍ତ୍ତନ କଲେ ସେଠାରେ ସଂସ୍କାର ସଫଳ ହୁଏ ନାହିଁ । କୌଣସି ସଂସ୍କାର କରିବା ପୂର୍ବରୁ ସେ ସଂସ୍କାର ଦେଶରେ ଉଧେଇବ କି ନାହିଁ–ଏହା ଭଲରୂପେ ଚିନ୍ତାକରିବା ଆବଶ୍ୟକ । ଦେବତାଗୁଡ଼ିକ କାଠ ପଥର, ସେଗୁଡ଼ାକୁ ଫୋପାଡ଼ି ଦିଅ, ଏହା କହିଲେ କେହି ମାନିବେ କି ? ଯାହା ବହୁକାଳର ବଦ୍ଧମୂଳ ପ୍ରଥା, ତାକୁ ଉଠାଇବ କିଏ ? ତାହା ସୁଦ୍ଧା ଉଠାଇ ହେବ କି ? ପୁଣି କାଠ ପଥର ଗୁଡ଼ାକୁ ଫୋପାଡ଼ି ଦେଲେ ଧର୍ମର ଚିହ୍ନ ଆଉ କଅଣ ରହିବ ? ମନୁଷ୍ୟ କାହାକୁ ଧର୍ମ ବୋଲି ଆଶ୍ରୟ କରିବ ? ସମସ୍ତେ ତ ଉଚ୍ଚଶ୍ରେଣୀର ଧର୍ମତତ୍ତ୍ୱଜ୍ଞ ନୁହଁନ୍ତି, ସେମାନେ କଅଣ କରିବେ-? ଆଉ କାହାକୁ ଦେଖି ଧର୍ମ ଜୀବନ ଗଠିତ ହୋଇ ଆସିବ । ନିଜକୁ ଏହି ପ୍ରଶ୍ନ କଲେ କିଛି ଉତ୍ତର ମିଳିବ କି ? କାଠ ପଥରରେ ଦେବତ୍ୱ ନାହିଁ, ଏ ଜ୍ଞାନ ହେଲା ବେଳକୁ କାଠ, ପଥର, ମାଟି ସବୁ ଦେବତ୍ୱମୟ ହୋଇଯାଇଥିବେ । ଆଶୁ ଦୃଷ୍ଟିରେ ଯାହା ଅସାର, ପକ୍ୱ ଦୃଷ୍ଟିରେ ତାହା ସାର । ଯାଉ ସେ କଥା, ଦୁଇ ଜଣଙ୍କର କଳି ବେଶ୍‌ କୌତୁକାବହ ହୁଏ–ତାହା ଉପଭୋଗ୍ୟ । ପଣ୍ଡିତ ପଣ୍ଡିତ ମଧ୍ୟରେ ଯେଉଁ କଳି ହୁଏ, ତାହାର ରସ ବଡ଼ ମଧୁର । ମୂର୍ଖ କଳି ସିନା ବିଷାକ୍ତ । ପଣ୍ଡିତ କଳିରେ ଶାସ୍ତ୍ର–ପୁରାଣ–କାବ୍ୟ–ନାଟକ–ଯୁକ୍ତି-ତର୍କ ପ୍ରଭୃତିର ଶ୍ରାଦ୍ଧ ହୁଏ–ମୂର୍ଖ କଳି ପରି ଝିଅ, ମା, ଭଉଣୀ ପ୍ରଭୃତିଙ୍କର ଶ୍ରାଦ୍ଧ ବଢ଼ା ହୁଏ ନାହିଁ ।

 

ଦିନେ ଦିନେ ବଗିଚା ଆଡ଼କୁ ବୁଲିବାକୁ ଯାଉ । ଗଡ଼ର ଅଳ୍ପ ଦୂରରେ ସ୍ଥାନେ ସ୍ଥାନେ ଆମ୍ବ, ତେନ୍ତୁଳୀ ପ୍ରଭୃତି ଫଳବୃକ୍ଷର ବିସ୍ତୃତ ବଗିଚା ଅଛି । ସେଗୁଡ଼ିକ ଶୀତଳ ଛାୟାପ୍ରଦ, ଶାନ୍ତିପ୍ରଦ ଏବଂ ଶ୍ରାନ୍ତିହର । ଗଛଗୁଡ଼ିକ ନୀରବ ଯୋଗୀ ପରି ଭଗବାନଙ୍କ ମହାପୂଜାରେ ନିଯୁକ୍ତ । ବେଳେ ବେଳେ ନାକକାନ ଛୁଇଁ ମୁଦ୍ରା ଭାଙ୍ଗି ଅଙ୍ଗନ୍ୟାସ କଲାପରି ପବନରେ ସଞ୍ଚାଳିତ ହେଉଅଛନ୍ତି । କେହି ପୁଷ୍ପାଞ୍ଜଳି ଦେଉଅଛି–କେହି ଝର୍ଝର ଶବ୍ଦରେ ସ୍ତବପାଠ କରୁଅଛି–କେହି କରଯୋଡ଼ି ଦଣ୍ଡବତ କରୁଅଛି । ସମସ୍ତେ ପୂଜାରେ ନିଗମ୍ନ–ଭାବରେ ଭୋଳ–ଭକ୍ତିରେ ଜର୍ଜର । ସେ ମହାପୂଜାର ବିରାମ ନାହିଁ–ହରଘଡ଼ି ଲାଗିଅଛି । ପୁଣ୍ୟପ୍ରାଣ ପାଦପ ମହୀରେ ଧନ୍ୟ । ସେ ଭଗବାନଙ୍କର ପୂଜା କରେ ଏବଂ ଜଗତର ସେବା କରେ । ଏହି ପୂଜା, ସେବା ପାଇଁ ତାହାର ଜନ୍ମ । ମନୁଷ୍ୟକୁ ଧର୍ମର ସଂକେତ–ସତ୍‌ପଥର ସଂକେତ ଉଦ୍ଭିଦ ଜଗତ୍‌ ଦେଖାଉଅଛି । ସେ ଶୁଭସଂକେତ ଯେ ବୁଝେ ସେ ଭାଗ୍ୟଧର । ବୃକ୍ଷମାନେ ପ୍ରାଣର ବାଣୀରେ ଈଶ୍ୱରଙ୍କୁ ପୂଜା କରନ୍ତି । ପରବାଣୀ ନ ଧରି ନିଜର ପ୍ରାଣର ବାଣୀରେ ପୂଜା କଲେ ଚିତ୍ତ ପ୍ରସନ୍ନ ଏବଂ ପରିତୃପ୍ତ ହୁଏ । ଜଣେ ସ୍ତ୍ରୀ ଲୋକକୁ ସମସ୍ତେ ବାୟାଣୀ ବୋଲି କହନ୍ତି । ସେ ତୁଳସୀ ମୂଳରେ ପାଣି ଦେଇ ମନ୍ତ୍ର ପଢ଼େ–‘‘ହଗୁରୀ ମୁତୁରୀ ଦେଉଛି ପାଣି, ଦୋଷ କ୍ଷମାକର ନୁଳୁସାରାଣୀ ।’’ ତାହାର ଶାଶୁ କି ଗୋସାଇଁ ଶାଶୁ କାହାରି ନାମ ତୁଳସା ଥିଲା, ସେଥିପାଇଁ ସେ ବାଁରେଇ ନୁଳୁସା ବୋଲି କହେ । ତୁଳସୀ ଗଛକୁ ସେ ଇଷ୍ଟଦେବତା ଜ୍ଞାନରେ ପୂଜା କରେ । ଅଜ୍ଞାନା ଅଶିକ୍ଷିତା, ମନ୍ତ୍ର ଜାଣେ ନାହିଁ, କିନ୍ତୁ ପ୍ରାଣର ବାଣୀରେ ଯେଉଁ ସରଳ, ବିଶ୍ୱାସପୂର୍ଣ୍ଣ ଆବେଦନ କରେ, ତାହା କଅଣ ଈଶ୍ୱର ଗ୍ରହଣ କରିବେ ନାହିଁ ? ପ୍ରାଣର ଭାଷା ଈଶ୍ୱର ଶୁଣନ୍ତି, ବୃକ୍ଷମାନେ ସେହି ପ୍ରାଣର ନୀରବ ଭାଷାରେ ଭଗବାନଙ୍କୁ ଉପାସନା କରନ୍ତି ।

 

ବଡ଼ଖେମଣ୍ଡିରେ ମାସେକାଳ କଟିଗଲା । ମୁଁ ଅନେକ ଥର ବାହାରିଲି, ମାତ୍ର ବିଦ୍ୟାରତ୍ନ କାଲିଯିବ ବୋଲି କହି ଅଟକାଇ ରଖନ୍ତି । ଏହିପରି କେତେଟା କାଲି ଫେଲ ହେଲା ପରେ ଶେଷରେ ଯେଉଁ କାଲିଟା ଆସିଲା, ସେ ଶଙ୍ଖଚିଲ ମୁହଁ ଚାହିଁ ଆସିଥିଲା, ତାହାରି କପାଳରେ ରାଜଟୀକା ଲେଖାଥିଲା । ତାହାର ଏକାଦଶ ବୃହସ୍ପତି ହୋଇଥିଲା, କି ସେ କି କଠିନ ତପସ୍ୟା କରିଥିଲା କେଜାଣି ସେହି କାଲିଟା ବିଦ୍ୟାରତ୍ନଙ୍କ ଅନୁଗ୍ରହରୁ ବଞ୍ଚିତ ହେଲା ନାହିଁ । ମୁଁ ଖଣ୍ଡେ ଗାଡ଼ିରେ ବସିଲି, ବିଦ୍ୟାରତ୍ନ ଖଣ୍ଡିକରେ ବସି ମୋତେ ବାଟେଇ ଦେବାକୁ ବାହାରିଲେ । ବାଟେଇ ଦେବାଟା ଗଛମୂଳ, ନଈକୂଳ ବା ଗ୍ରାମ ସୀମାଯାଏଁ ନୁହେଁ–ସୁଦୀର୍ଘ ଷୋଳ ମାଇଲ ପଥ ବ୍ରହ୍ମପୁର ପର୍ଯ୍ୟନ୍ତ । ପାଚକ ବ୍ରଜର ସାନ ଭାଇ ରାନ୍ଧିଦେବା ପାଇଁ ସଙ୍ଗରେ ଆସିଥିଲା । ମୁଁ ତାକୁ ଡାକି ଶଗଡ଼ରେ ବସାଇଲି, ସେହିଠାରୁ ସେ ଜ୍ୟାମିତିର ଚତୁର୍ଭୁଜ ପାଲଟି ଗଲା । ମୋ ଗାଡ଼ିଖଣ୍ଡ ସ୍ଥବିର ଏବଂ ଖଞ୍ଜ । ତାହାର ଗୋଟାଏ ଗୋଡ଼ରେ ବାଉଁଶ ଫାଳିଆରେ ବେଣ୍ଡେଜ ବନ୍ଧା ହୋଇଥାଏ । ସେ ଧୈବତ ରାଗିଣୀ ଛାଡ଼ି ଝୁଲିଝୁଲି ନିଶାଖୋର ପରି ଚାଲିଥାଏ । ଗୀତ ଗାଉଥାଏ କି ବାହୁନି କାନ୍ଦୁଥାଏ, ତାହା ଯେ ଦିନରାତି କରୁଛନ୍ତି ସେହି ଅନ୍ତର୍ଯ୍ୟାମୀ ଜାଣନ୍ତି । ଅଳସୁଆ ଚାଟର ପାଠ ପରି ସେ କର୍ମଠ ଗତିରେ ଢିପେଇ ଢିପେଇ ଚାଲୁଥାଏ ବୋଲି ବିଦ୍ୟାରତ୍ନ ତାହାର ନାମ ଦେଇଥାନ୍ତି ଗୁଡ଼ସ୍‌ ଟ୍ରେନ୍‌ । ତାଙ୍କ ଶଗଡ଼ଖଣ୍ଡ ଅପେକ୍ଷାକୃତ ଚଞ୍ଚଳ, ସେ ପାସେଞ୍ଜର, ମୋ ରଥ ଖଣ୍ଡିକର ବୃଷଭନନ୍ଦନହଳକ ଦୁର୍ଭିକ୍ଷ ପୀଡ଼ିତ ନୁହନ୍ତି, ତେବେ ବଳିଷ୍ଠ ବୋଲି କହିଲେ ସେମାନେ ଅଭିଶାପ ଦେଇପାରନ୍ତି କିମ୍ବା ପିଙ୍ଗଳ କୋଡ଼୍‌ରେ ମାନହାନୀର ଖେସାରତ ଦାବି କରିପାରନ୍ତି । ମୋ ରଥ ଖଣ୍ଡି ଦଦରା, ପୂର୍ବରୁ ସେଥିର ଆଭାସ ଦେଇଅଛି । ତାହାର ଅବସ୍ଥା ଦେଖି ବ୍ରଜର ସେହି ଭାଇଟିର କୌତୁକ ଏବଂ ପରିହାସର ସୀମା ରହିଲା ନାହିଁ, ତାଳିମାରି ହସିବାକୁ ଲାଗିଲା । ଶଗଡ଼ିଆ କିଛି କହୁ ନ ଥାଏ । ଶଗଡ଼ିଆଟିର ନାମ ଅଗାଧୁଆ । ଏପରି ସୁତୁରା ନାମ ଯେ ବାଛି ବାଛି ଦେଇଥିଲା, ସେ ଖୁବ୍‌ ଭବିଷ୍ୟତଦର୍ଶୀ–ବୋଧହୁଏ ଯୋଗୀ ଋଷି ହୋଇଥିବ । ଅଗାଧୁଆର ଦେହଯାକ ହାତିଆ ଯାଦୁରେ ଅଳଙ୍କୃତ, ସୁତରାଂ ପାଣ୍ଡୁର । ସେହି ହେତୁରୁ ସେ ଗାଧେଇଲେ ବି ଅଗାଧୁଆ ପରି ଦିଶେ–ନାମକୁ ତାହାର ରୂପ ଖାପ ଖାଇଯାଏ ।

 

ବ୍ରଜ ଭାଇ କହିଲା–‘‘ହଇରେ ଅଗାଧୁଆ, ଏ ଶଗଡ଼ ଖଣ୍ଡ ଦାନରେ ଦେଇପକା ।’’ ଥରେ ଅଧେ ନୁହେଁ–ଏକାଧିକ ଥର ଏହିପରି କହିଲା । ଶଗଡ଼ିଆ ଆଉ ସହି ପାରିଲା ନାହିଁ, କ୍ରୋଧରେ ଦୁର୍ବାସାଙ୍କ ଠାରୁ ବଳିପଡ଼ି କହିଲା–‘‘ତୋର କେଉଁ ପୁରୁଷରେ କିଏ ଶଗଡ଼ ଚଢ଼ିଥିଲା ରେ ମାଗିଖିଆ ବ୍ରାହ୍ମଣ ଟୋକା । ତୁ ଏଡ଼େ ଅଶୁଭ କଥା କହିଲୁ, ବାବୁ ଡାକି ଶଗଡ଼ରେ ବସାଇବାରୁ ତୋର ମଗଜଟା ବଢ଼ିଗଲା ପରା ।’’ ବ୍ରାହ୍ମଣ ଅପ୍ରତିଭ ହୋଇ ସେ ଭାବ ଢାଙ୍କିବା ପାଇଁ ମୁହଁଟାଣ ଦେଖାଇ କହିଲା–‘‘ହଇକି ରେ ନିରଂଶିଆ, ଭସ୍ମା, ଅଳ୍ପାଇଷିଆ ତେଲ ଚିକିଟା, ତୋର ଆଖି ଉପରକୁ ଉଠିଗଲା କି ?’’ ଶଗଡ଼ିଆ ସେହିଠୁ ଦ୍ୱି-ଅକ୍ଷରୀ ଭାଷା ଧରିଲା । ବ୍ରାହ୍ମଣ ପ୍ରତିଅସ୍ତ୍ର କଲା, ମାତ୍ର କଳହରଥୀ ଶଗଡ଼ିଆର ଅସ୍ତ୍ର ତୁଳନାରେ ତାହା କିଛି ନୁହେଁ । ଶେଷକୁ ମଲ୍ଲଯୁଦ୍ଧର ଉପକ୍ରମ ହେଲା-। ସେ ଯୁଦ୍ଧ ଦେଖିବାକୁ ମୋର ସାହସ କୁଳାଇଲା ନାହିଁ । ମୁଁ ଶଗଡ଼ିଆକୁ ବୁଝାଇ କହି ଥଣ୍ଡା କଲି । ସେ କହିଲା, ରାନ୍ଧୁଣିଆ ଟୋକା ଶଗଡ଼ରୁ ଓହ୍ଲାଇଗଲେ ମୁଁ ଶଗଡ଼ ବାହିବି । ଏହା ଶୁଣି ମୁଁ କିଛି ନକହୁଣୁ ବ୍ରାହ୍ମଣ ଶଗଡ଼ରୁ ଓହ୍ଲାଇ ଗଲା । ପରିହାସର ଉପଯୁକ୍ତ ପୁରସ୍କାର ହାତେ ହାତେ ପାଇଲା । ସେହିଠାରୁ ବ୍ରହ୍ମପୁର ଯାଏ ସେ ଚାଲିକରି ଗଲା । ମାଇପେ ଛଟା ମେଲନ୍ତି–‘‘ଯେସାକୁ ତେସା, ଅଖାଡ଼ୁଆକୁ କହୁଣୀ ପସା ।’’

 

ବିଦ୍ୟାରତ୍ନ ଆଗ ଗାଡ଼ିରେ ଥାଇ କଳହ ପୁରାଣ ଶୁଣୁଥିଲେ । ତାହା ହଠାତ୍‌ ବନ୍ଦ ହୋଇଯିବାର ଦେଖି କହିଲେ–ରସଭଙ୍ଗ ହୋଇଗଲା । ମୁଁ କହିଲି–ରସ ଭାଙ୍ଗିଯାଏ ନାହିଁ, ଶୁଖିଯାଏ, କେଉଁଠି ବା ନିଗିଡ଼ିଯାଏ । ପଣ୍ଡିତମାନେ ରସର ସ୍ରଷ୍ଟା, ଇଚ୍ଛାକଲେ ନବରସ ସୃଷ୍ଟି କରିପାରନ୍ତି । ଏହିପରି ହାସ୍ୟ କୌତୁକରେ ବାଟ ସରି ଆସିଲା । ଠିକ୍‌ ସନ୍ଧ୍ୟାବେଳେ ବ୍ରହ୍ମପୁରରେ ପହଞ୍ଚିଲୁଁ । ବଡ଼ଖେମଣ୍ଡି ବଙ୍ଗଳାକୁ ଯାଉ ଯାଉ ବାଟରେ ବିଦ୍ୟାରତ୍ନଙ୍କର ଶଗଡ଼ ଲେଉଟି ପଡ଼ିଲା, ସେ ତଳେ ପଡ଼ିଗଲେ, କିନ୍ତୁ ସୌଭାଗ୍ୟବଶତଃ କିଛି ଆଘାତ ଲାଗି ନଥିଲା । ବଙ୍ଗଳାରେ ରନ୍ଧାବଢ଼ା ହେଲା । ଖିଆପିଆ ଶେଷ ହେଲା । ଗୋଟାଏ ଝଟକାରେ ବସି ବିଦ୍ୟାରତ୍ନ, ମୁଁ ଏବଂ ସୋମନାଥ ରେଳ ଷ୍ଟେସନକୁ ଆସିଲୁ । ସୋମନାଥ ଭଦ୍ରକକୁ ଟିକଟ କାଟି ଆଣିଲା । ସମସ୍ତେ ଯାଇ ରେଳରେ ବସିଲୁ । ରେଳ ଛାଡ଼ିବା ପର୍ଯ୍ୟନ୍ତ ବିଦ୍ୟାରତ୍ନେ ବସି କଥାବାର୍ତ୍ତା କହୁଥିଲେ । ଶେଷ ଘଣ୍ଟା ବାଜିଲା, ସେ ବିଦାୟ ନେଇ ଓହ୍ଲାଇ ଗଲେ । ମୁଁ ଏବଂ ସୋମନାଥ ଭଦ୍ରକ ଆସିଲୁ ।

 

ଯଥାସ୍ଥାନରେ ଲେଖିବାକୁ ଭୁଲିଯାଇଛି–ମୟୂରଭଞ୍ଜରୁ ଆସିବାବେଳେ ଘୋର ଦୁର୍ଭିକ୍ଷ । କେତେଦିନ ଟଙ୍କାରେ ଚାରିସେର ଚାଉଳ ହୋଇଗଲା । ରେଙ୍ଗୁନ୍‌ରୁ ଚାଉଳ, ଖୁଦ ଆସିବାରୁ ଟଙ୍କାରେ ଚାଉଳ ଛଅ ସେର ଏବଂ ଖୁଦ ସାତ ସେର ଦରରେ ବିକ୍ରି ହେଲା । ଚାଉଳ ଖୁବ୍‌ ଧୋବ ଫରଫର କିନ୍ତୁ ମୋଟା । କଳରେ ଛଟା ହୋଇଥିବାରୁ ଧୋବଲା ଦିଶୁଥାଏ । କୀଟ ନିବାରଣ ପାଇଁ ଚାଉଳରେ ଚୂନ ବୋଳା ହୋଇଥାଏ । ତାହା ଖାଇ ଲୋକେ ଉଦର ରୋଗରେ ଆକ୍ରାନ୍ତ ହେଲେ । ଅରୁଆ ଚାଉଳ ରାନ୍ଧି ହୁଏ ନାହିଁ–ଯାଉ ହୋଇଯାଏ । କେତେ ସାହେବ ରାନ୍ଧିବାର କେତେ କୌଶଳ ବାହାର କଲେ, ତାହାସବୁ ଖବର କାଗଜରେ ବାହାରିଲା । କିଏ କହିଲା–ପାଣି ଟକ୍‌ ଟକ୍‌ ହୋଇ ଫୁଟିଲେ ଚାଉଳ ପକାଇ ଦେଇ ହାଣ୍ଡି ଓହ୍ଲାଇ ଆଣିବ, କିଛିକ୍ଷଣ ପରେ ପେଜ ଗାଳି ପକାଇଲେ ଭାତ ମୁଦା ନ ଧରି ଗୋଟି ଗୋଟି ହେବ । କିଏ କହିଲା–ଭାତ ଫୁଟିଲା କ୍ଷଣି ଗାଳି ପକାଇ କିଛିକ୍ଷଣ ଅଢ଼ଙ୍କା ରଖିଲେ ଚିଟ ମରିଯାଇ ଭାତ ଗୋଟି ଗୋଟି ହେବ । ଏହିପରି କେତେ ଲୋକ କେତେ ବାଗ ବତାଇଲେ । ପାଣ, ହାଡ଼ି ପ୍ରଭୃତି ଇତର ଲୋକେ ଚାଉଳ ପରିବର୍ତ୍ତରେ ଖୁଦ କିଣି ଜାଉ କରି ଖାଇଲେ । ଭାତ ପଖାଳିଲା ପରି ଯାଉରେ ପାଣି ମିଶାଇ ଦିଅନ୍ତି । ତାହା ବହଳ ତୋରାଣି ପରି ହୋଇଯାଏ । ତାହାକୁ ପିଇ କ୍ଷୁଧା ନିବାରଣ କରନ୍ତି । ବଣସାରୁ, ବଣଓଲ ଦେଖିବାକୁ ମିଳିଲା ନାହିଁ । ସାରୁପତ୍ର ସିଝାଇ ଖାଇ ଲୋକେ ରୋଗଗ୍ରସ୍ତ ହେଲେ । ଭିକାରୀମାନେ ପେଜ ମାଗି ବୁଲିଲେ । ଯାହା ଦ୍ୱାରେ ଦେଖିଲେ ପଞ୍ଝା ପଞ୍ଝା ହୋଇ ବସି ପେଜ ମନ୍ଦାକ ପାଇଁ ଚିତ୍କାର ଛାଡ଼ୁ ଥାଆନ୍ତି । ଭିକାରୀ ଚହଳରେ ଦାଣ୍ଡ ଫାଟିଯାଉଥାଏ । ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ହାଣ୍ଡି । ସେମାନେ ଭାତ ମାଗିବାକୁ ଦୁଃସାହସ କରନ୍ତି ନାହିଁ, କିଏ ବା ଭାତ ଦେବ ଯେ ମାଗିବେ, ଖାଲି ପେଜ ମନ୍ଦାକ ପାଇଁ ବାଇ ବାତୁଳ ପରି ବୁଲୁ ଥାଆନ୍ତି । ପ୍ରେତୁଣୀ ଯୋଗିନୀଙ୍କ ବଂଶଧର ପରି ସମସ୍ତେ ଅସ୍ଥିକଙ୍କାଳସାର । ଚାଲିବାକୁ ବଳ ନାହିଁ–ଖଣ୍ଡେ ବାଟଯାଇ ବସି ପଡ଼ନ୍ତି, କେହି ବା ଶୋଇପଡ଼େ । ଛୋଟ ଛୋଟ ପିଲାଙ୍କର ଆକାର ପ୍ରକାର ଏବଂ ରକ୍ତହୀନ ଶୁଷ୍କ ମୁଖ ଦେଖିଲେ ହୃଦୟ ଫାଟିଯାଏ । ଯାଚଜ୍ଞା ବୋଳା ଦୀନ ଦୃଷ୍ଟି ଦର୍ଶକର ନେତ୍ର ଅଶ୍ରୁ ସିକ୍ତ କରିଦିଏ । ଗଭର୍ଣ୍ଣମେଣ୍ଟ ପ୍ରଥମରେ ଦୁର୍ଭିକ୍ଷ ସ୍ୱୀକାର କଲେ ନାହିଁ । ପତ୍ରିକାମାନ ଏକସ୍ୱରରେ କରୁଣ ଚିତ୍କାର କରି କମ୍ପାଇ ଦେଲେ । କିଏ କେଉଁଠି କଞ୍ଚାସାରୁ ପତ୍ର ଖାଇ ମଲା–କିଏ ଅଖାଦ୍ୟ ଫଳମୂଳ ଖାଇ ମଲା, ତାହାସବୁ ପ୍ରକାଶ କଲେ । ଦୁର୍ଭିକ୍ଷ ପୀଡ଼ିତ ନରନାରୀ ବାଳକ ବାଳିକାମାନଙ୍କର ମୂମୂର୍ଷୁ ଛବି ପତ୍ରିକାରେ ଉଠାଇ ଦେଖାଇଲେ । ସଭାସମିତି ଦ୍ୱାରା ନାନାସ୍ଥାନରୁ ଗଭର୍ଣ୍ଣମେଣ୍ଟଙ୍କୁ ଆବେଦନ ପଠାଗଲା । କାଉନ୍‌ସିଲରେ ମଧ୍ୟ ଆନ୍ଦୋଳନ ଲାଗିଲା । ଦେଶ ବିଦେଶରୁ ସହାନୁଭୂତିର କରୁଣ ହାହାକାର ଉଠିଲା ! ତେତେବେଳେ ଯାଇ ସର୍କାର ଦୁର୍ଭିକ୍ଷ ଘୋଷଣା କଲେ । ସ୍ଥାନେ ସ୍ଥାନେ ଚାଉଳ ବଣ୍ଟା ହେଲା–ଦୁଃଖୀ କାଙ୍ଗାଳୀଙ୍କ ପାଇଁ ଅନ୍ନଛତ୍ର ଦିଆଗଲା–କୃଷକମାନଙ୍କୁ ତଗାବି ଦିଆଗଲା । ଯେଉଁମାନଙ୍କର ଧାନ ଅମାର ଥିଲା, ସେମାନେ ମହଙ୍ଗା ଦରରେ ବିକି ଯକ୍ଷ ପାଲଟି ଗଲେ । ପଛକୁ ସର୍କାର ବ୍ୟବସ୍ଥା କଲେ–ଯାହାଙ୍କର ଅଧିକ ଧାନ ଅଛି, ସେମାନେ ନିଜର ଆବଶ୍ୟକ ମୁତାବକ ରଖି ଅବଶିଷ୍ଟ ପ୍ରଚଳିତ ଭାଉରେ ବିକ୍ରୟ କରିଦେବେ । ସର୍କାରୀ କର୍ମଚାରୀମାନେ ଘର ଘର ବୁଲି ସେହିପରି ବ୍ୟବସ୍ଥା କଲେ । ବିଦେଶରୁ ଧନୀଧାର୍ମିକମାନେ ସାହାଯ୍ୟ ପଠାଇଲେ । କେତେ ମାସ ପରେ ଦୁର୍ଭିକ୍ଷ ଟିକିଏ ଶାନ୍ତ ହୋଇ ଆସିଲା । ୧୮୬୬ ଖ୍ରୀଷ୍ଟାବ୍ଦର ପ୍ରସିଦ୍ଧ ନଅଙ୍କ ଦୁର୍ଭିକ୍ଷ ପରେ ମୋର ଜନ୍ମ । ସୁତରାଂ ସେ ସମୟର ବିକୃତ ଦୃଶ୍ୟ ମୁଁ ଦେଖି ନାହିଁ । କିନ୍ତୁ ଇତିହାସରେ ସେହି ଲୋମହର୍ଷଣ ଘଟଣାର ବିବରଣ ପାଠ କରି ଅତି ଆଶ୍ଚର୍ଯ୍ୟ ମଣୁଥିଲି । ଏବେ ଦେହକେ ସେହିପରି ଭୀଷଣ ଦୁର୍ଘଟଣା ଭୋଗ କରି ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟାଇଲି । ଚାରିଆଡ଼େ ଗୋଟାଏ ହୃତ୍‍କମ୍ପୀ କରୁଣ ହାହାକାର ଉଡ଼ି ବୁଲୁଥାଏ । ପୃଥିବୀରୁ ଶ୍ରୀ ତୁଟିଗଲା ପ୍ରାୟ ବୋଧ ହେଉଥାଏ । ଗ୍ରାମ ଗୁଡ଼ାକ ମହାଶ୍ମଶାନ ପରି ଖାଁ ଖାଁ ଡାକୁଥାଏ । କି ଗୋଟାଏ ଉଗ୍ର ବିଭୀଷିକା ପଛେ ପଛେ ଧାଇଁଲା ପରି ଜଣାଯାଉଥାଏ । ସତେ ଯେପରି ଭୀଷଣ ଅଗ୍ନିକୁଣ୍ଡ ଜଳିଉଠି ମାଡ଼ି ଆସୁଅଛି–ଆକାଶରୁ ଅଗ୍ନି ବୃଷ୍ଟି ହେଉଅଛି । ଏହିପରି ଗୋଟାଏ ଆଶଙ୍କା ହୃଦୟରେ ତାଣ୍ଡବ ନୃତ୍ୟ ଲଗାଇ ଦେଇଥାଏ ।

 

ଧରାକୋଟରୁ ଆସି ଘରେ ରହିଲି । ଘରପାଖରେ ଟିକିଏ ଲେଖା ଲେଖିର ସୁବିଧା ହେଲା । ମାର୍କଣ୍ଡ ଭଣ୍ଡାରୀ ପରି କାହିଁରୁ ପୃଷ୍ଠେ କାହିଁରୁ ଦୁଇପୃଷ୍ଠା ଏହିପରି କେତେଖଣ୍ଡ ପୁସ୍ତକ ଲେଖା ଚାଲିଲା, ମାତ୍ର ଉପାର୍ଜନ ଶୂନ୍ୟ ହୋଇ ବସି ରହିବାରୁ ଚଳିବା ପକ୍ଷରେ ବଡ଼ କଷ୍ଟ ହେଲା । ଉପେନ୍ଦ୍ରର ବେତନ କିପରି ନିର୍ବାହ କରିବି ଏହି ଚିନ୍ତା ମୋତେ ବିବ୍ରତ କରି ପକାଇଲା । ଅଭାବ ଶେଷ ସୀମାକୁ ଉଠିଲା, ମାତ୍ର ଭଗବାନଙ୍କ କୃପାରୁ କେବେ ଉପବାସ କ୍ଳେଶ ସହିବାକୁ ପଡ଼ିନାହିଁ–ଶାଗଭାତରେ ଦିନ କଟି ଯାଇଅଛି । ମୋ ଜୀବନରେ ଧାର ଉଧାର ପାଇଁ ମୁଁ କେବେ କାହାରି ଦ୍ୱାରସ୍ଥ ହୋଇନାହିଁ, ଯେତିକି ଅଟା ତେତିକି ପିଠାର ବ୍ୟବସ୍ଥା କରି ସଂସାର ଚଳାଇ ନେଇଅଛି । ସ୍ୱର୍ଗୀୟ ଗୌରୀଶଙ୍କର ବାବୁ ମୋର ଉପସ୍ଥିତ ଅବସ୍ଥା କିପରି କାହାଠାରୁ ଶୁଣି ଶୀଘ୍ର କଟକ ଯାଇ ତାଙ୍କୁ ଦେଖା କରିବା ପାଇଁ ମୋତେ ପତ୍ର ଲେଖିଲେ । ମୁଁ ସୋମନାଥକୁ ନେଇ କଟକ ଗଲି । ଗୌରୀଶଙ୍କର ବାବୁ କହିଲେ–‘‘ଉତ୍କଳ ଦୀପିକା ପାଇଁ ଜଣେ ଅଧିକା ସଂପାଦକ ଦରକାର । ତାଙ୍କୁ ଅଧିକାଂଶ ସମୟରେ ମୋଫସଲ ଯିବାକୁ ହେବ, ସେଥିପାଇଁ ସେ ଗସ୍ତଖର୍ଚ୍ଚ ପାଇବେ । କୌଣସି ଠାରେ କିଛି ବିଶେଷ ଘଟଣା ଘଟିଲେ ସେଠାକୁ ଯାଇ ସଠିକ୍‌ ବୃତ୍ତାନ୍ତ ବୁଝି ପତ୍ରିକାରେ ଲେଖିବେ । ଆପଣ ତାହା କରି ପାରିବେ କି ?’’ ମୁଁ କହିଲି–‘‘ମୋର ଶରୀରର ଅବସ୍ଥା ଯେପରି ସେଥିରେ ମୁଁ ଅଧିକ ବୁଲାବୁଲି କରି ପାରିବି ନାହିଁ ।’’ ତହୁଁ ସେ କିଛିକ୍ଷଣ ଭାବି କହିଲେ–‘‘ତେବେ ଆପଣ ପ୍ରାଚୀନ କାବ୍ୟର ଟୀକା କରନ୍ତୁ । ପ୍ରଥମେ ‘‘ସୁଭଦ୍ରା ପରିଣୟ’’ର ଟୀକା ଲେଖନ୍ତୁ, ପରେ ଅନ୍ୟାନ୍ୟ ପୁସ୍ତକ ଦିଆଯିବ । ସେଥିପାଇଁ ଆପଣ ଉଚିତ ପାରିଶ୍ରମିକ ପାଇବେ ।’’ ମୂଳ ଛାନ୍ଦଟା ଟୀକା କରିବାକୁ କହିଲେ, ମୁଁ ସେହିଠାରେ ଟୀକା ଲେଖି ତାଙ୍କୁ ଦେଖାଇଲି । ସେ ଦେଖି ଖୁବ୍‌ ସନ୍ତୁଷ୍ଟ ହେଲେ ଏବଂ କହିଲେ–ଆପଣ ପୁସ୍ତକ ନେଇଯାଇ ଘର ପାଖରେ ରହି ଲେଖନ୍ତୁ, ସେଠାରେ ସୁବିଧା ହେବ । ଟୀକା କରିବା ସକାଶ ଆଉ ଯେଉଁ ପୁସ୍ତକର ସାହାଯ୍ୟ ଦରକାର, ତାହା ବି ନେଇ ଯାଆନ୍ତୁ । ଟୀକା ଲେଖିସାରି ପଠାଇଦେଲେ ପାରିଶ୍ରମିକ ପଠାଇ ଦିଆଯିବ ଏବଂ ଅନ୍ୟପୁସ୍ତକ ଟୀକା କରିବାକୁ ଦିଆଯିବ । ଏହା କହି ମୋର ଯାତାୟାତ ଖର୍ଚ୍ଚ ଦଶ ଟଙ୍କା, ଟୀକାପାଇଁ ଅଗ୍ରୀମ ଦଶ ଟଙ୍କା ଦେଲେ । ମୋର ଶତଦଳ ବିକ୍ରି ବାବଦ ତେର ଟଙ୍କା ଜମା ଥିଲା, ତାହା ମଧ୍ୟ ଦେଲେ । ମୁଁ ସୁଭଦ୍ରା ପରିଣୟ ଏବଂ ଭଞ୍ଜଙ୍କର ଗୀତାଭିଧାନ ଘେନି ତାଙ୍କଠାରୁ ବିଦାୟ ନେଇ ଆସିଲି । ଆସିବାବେଳେ ଉତ୍ସାହ ଦେଇ କହିଲେ–ଆପଣଙ୍କ ରଚିତ ପୁସ୍ତକମାନ ଏହିଠାରେ ଛପାଇଲେ ମୁଁ ଅଳ୍ପ ଖର୍ଚ୍ଚରେ ଛପାଇ ଦେବି ଏବଂ ବିକ୍ରୟର ବ୍ୟବସ୍ଥା ମଧ୍ୟ କରାଯିବ । ଆସୁଁ ଆସୁଁ ବାଟରେ ବିଶ୍ୱନାଥ ବାବୁଙ୍କ ସଙ୍ଗରେ ଦେଖାହେଲା । ସେ କହିଲେ ମୁଁ ଆଜି ଆପଣଙ୍କୁ ଚିଠି ଲେଖିଥାଆନ୍ତି । କାଲି ରମ୍ଭା ଜୟକୃଷ୍ଣ ଚ୍ୟାଉ ପଟ୍ଟନାୟକ ମୋତେ ଲେଖିଥିଲେ, ଆପଣ କେଉଁଠାରେ ଅଛନ୍ତି ସେ ଜାଣିପାରୁ ନାହାନ୍ତି । ଶୀଘ୍ର ଆପଣଙ୍କୁ ରମ୍ଭା ପଠାଇଦେବା ସକାଶ ସେ ମୋତେ ବିଶେଷ ଅନୁରୋଧ କରିଅଛନ୍ତି, ମାତ୍ର କାହିଁକି ଡାକିଛନ୍ତି, କିଛି ଲେଖି ନାହାନ୍ତି । ଆପଣ ଏହିଠାରୁ ଆଜି ରେଳରେ ରମ୍ଭା ଯାଆନ୍ତୁ । ମୁଁ ତାଙ୍କ ପ୍ରସ୍ତାବରେ ସ୍ୱୀକୃତି ଜଣାଇ ତାଙ୍କଠାରୁ ବିଦାୟ ନେଇ ଆସିଲି-। ଆଉ ଭଦ୍ରକ ନ ଆସି କଟକରୁ ପଚିଶ ଟଙ୍କା ଘରକୁ ମଣିଅର୍ଡ଼ର କରିଦେଲି ଏବଂ ସେହିଦିନ ରାତି ମେଲ୍‌ରେ ରମ୍ଭା ବାହାରି ଗଲି । ସୋମନାଥ ନଗଲେ ମୁଁ ଅଚଳ, ସୁତରାଂ ସେ ସୁଦ୍ଧା ସଙ୍ଗରେ ଗଲା । ତହିଁ ପରଦିନ ଦଶଟା ବେଳେ ରମ୍ଭା ଷ୍ଟେସନରେ ଓହ୍ଲାଇ ନିକଟସ୍ଥ ଖଲିକୋଟ ବଙ୍ଗଳାକୁ ଗଲି ।

 

ବଙ୍ଗଳା ପାଇକ ଗଦା ଠିକ୍‌ ପଛେ ପଛେ ଆସି ପହୁଞ୍ଚିଗଲା । ଗଦା ଜାତିରେ ବାରିକ, ସୁତରାଂ ଧୂର୍ତ୍ତ–ମାତ୍ର ଶଠ ନୁହେଁ । ଭଣ୍ଡାରି ଜାତି ସ୍ୱଭାବତଃ ଚତୁର, ଶ୍ରୀମାନ୍‌ ଗଦା ସେହି ଜାତୀୟ ଗୁଣର ଉପଯୁକ୍ତ ଦାୟାଦ । ଗଦା ମୋର ଅନେକ ଦିନର ପରିଚିତ । କାହିଁକି ତାହା ସେହି ଜାଣେ–ସେ ମୋ ପାଖରେ ବଡ଼ କୃତଜ୍ଞ । କେତେଥର ମୋ ପାଖରୁ ସେ କିଛି କିଛି ପୁରସ୍କାର ପାଇଅଛି । ମାତ୍ର ତାହାର କୃତଜ୍ଞତା ତୁଳନାରେ ମୋର ଦାନ କିଛି ନୁହେଁ । ମୋର ଯେପରି କୁବେର ଅବସ୍ଥା, ମୁଁ ସେହିପରି ଦାତାଷଣ୍ଢ । ଗଦା ମୋଠାରୁ ଦୁଇଅଣାରୁ ଅଧିକ କେଉଁଥର ପାଇନାହିଁ–ଏହା ମୋର ଖୁବ୍‌ ସ୍ମରଣ ଅଛି । ତେତିକିରେ ସନ୍ତୁଷ୍ଟ ଏବଂ କୃତଜ୍ଞ । ସେହି ଶ୍ରେଣୀୟ ଲୋକେ ପଇସାଠାରୁ ସ୍ନେହର ମୂଲ୍ୟ ଅଧିକ ଜ୍ଞାନ କରନ୍ତି ଏବଂ ବିନ୍ଦୁଏ ସହାନୁଭୂତିକୁ ସିନ୍ଧୁଏ ମଣନ୍ତି । ତାଙ୍କ ହୃଦୟ ଅତି ସରଳ ଏବଂ ମଧୁର । କାହାରି ସାମାନ୍ୟ ଉପକାର ସୁଦ୍ଧା ସେ ଭୁଲି ଯାଆନ୍ତି ନାହିଁ । ସେହି ଶ୍ରେଣୀୟ ଲୋକଙ୍କର ହୃଦୟ ଥାଏ–ସେ ହୃଦୟ ମଧ୍ୟରେ ମଧୁ ଥାଏ । ଗଦା ଗୋଟାଏ ଦିହାତିଆ ଦଣ୍ଡବତ ପକାଇ କହିଲା–‘‘ବାବୁ, ମୁଁ ତିନିଦିନ ହେଲା ପ୍ରତି ଗାଡ଼ିରେ ଆପଣଙ୍କୁ ତଲାସ କରୁଛି । ଚ୍ୟାଉ ପଟ୍ଟନାୟକେ କହିଛନ୍ତି–ତୁ ଦୁଇଆଡ଼ର ଗାଡ଼ି ଦେଖୁଥିବୁ, ଦେଖିଲେ ତାଙ୍କୁ ରମ୍ଭା ବଙ୍ଗଳାକୁ ଘେନି ଆସିବୁ । ଜଳଖିଆ ଖୁଆଇ ଶଗଡ଼ କରି ନେଇଯିବାକୁ ଖର୍ଚ୍ଚ ମଧ୍ୟ ଦେଇଅଛନ୍ତି ।’’ କାହିଁକି ଏ ଜରୁରୀ ତଲପ୍‌ ବୁଝି ପାରିଲି ନାହିଁ, ଗଦା ମଧ୍ୟ କିଛି କହି ପାରିଲା ନାହିଁ । ମୁଁ ସୋମନାଥ ଦୁହେଁ ବଙ୍ଗଳା ଭିତରେ ବସିଲୁଁ, ଗଦା ଯାଇ ଜଳଖିଆ, ଦୁଧ କିଣି ଆଣିଲା । ‘‘ଖାଣ୍ଟି ଆଉଟା ଦୁଧ’’ର ସ୍ୱାଦୁ ଠିକ୍‌ ପାଣିପରି ମିଠା । ଜଳଖିଆର ମହିମା ଅକଥନୀୟ, ତାହା ଔଷଧ ରୂପେ ବ୍ୟବହୃତ ହୋଇପାରେ, ମାତ୍ର ଖାଦ୍ୟରୂପେ ନୁହେଁ । ଗୁଡ଼ିଆ ତାକୁ ନିଜ ଦେହକରେ ତୟାର କରିନାହିଁ, ବୋଧହୁଏ ତାହାର ପିତା, ପିତାମହ, କିମ୍ବା ତଦୁର୍ଦ୍ଧ ପୁରୁଷ କେହି ତୟାର କରି ନିଜର ସ୍ମୃତିରକ୍ଷା ସକାଶେ ରଖିଯାଇଥିବ । କ୍ଷୁଧାତୁର ନିକଟରେ କୁଖାଦ୍ୟ ବି ସୁଖାଦ୍ୟ ହୁଏ, ସୁତରାଂ ସେଥିରୁ ପେଟେ ଗିଳିବାକୁ ହେଲା । ଭୋକବେଳେ କୁଣ୍ଡାପିଠା ବି କାକରାଠାରୁ ଅଧିକ ସ୍ୱାଦୁ ଲାଗେ ।

 

ପ୍ରାୟ ଦୁଇଟା ସମୟରେ ଯାଇ ରମ୍ଭାବଙ୍ଗଳାରେ ପହଞ୍ଚିଲୁଁ । ଜୟକୃଷ୍ଣ ବାବୁଙ୍କ ସହ ସାକ୍ଷାତ୍ ହେଲା । ଶିଷ୍ଟାଳାପ ଏବଂ କୁଶଳ ସମ୍ବାଦ ଆଦାନ ପ୍ରଦାନ ପରେ ସେ କହିଲେ–ଆପଣଙ୍କୁ ଡାକିବା ପାଇଁ ମହାରାଣୀଙ୍କର ଆଦେଶ ହୋଇଅଛି । ଯୁବରାଜଙ୍କର ଉପନୟନ ଉତ୍ସବ ଖୁବ୍ ନିକଟ-। ଆପଣ ଖଲିକୋଟରେ ରହି ଉତ୍ସବ ଦେଖି ବ୍ରତୋତ୍ସବ ସମ୍ବନ୍ଧରେ ଖଣ୍ଡେ ପୁସ୍ତକ ଲେଖିବେ-। ଆପଣ ଘରଠାରେ ଅଛନ୍ତି କି ଅନ୍ୟତ୍ର ଅଛନ୍ତି, ଜାଣି ପାରିଲି ନାହିଁ । ଆପଣଙ୍କ ଠିକଣା ଜାଣିବା ପାଇଁ କାହାରି କାହାରିକୁ ପତ୍ର ମଧ୍ୟ ଲେଖିଛି । ଶୀଘ୍ର ଉତ୍ତର ପାଇବି ବୋଲି କଟକର ବିଶ୍ୱନାଥ ବାବୁଙ୍କୁ ଲେଖିଥିଲି । ଆଉ ଅଧିକ ସମୟ ନାହିଁ, କାଲି ‘‘ତେଲୁଣୀ ବସା’’ ହେବ । ଆଜି ରାତିରେ ମୁଁ ଆପଣଙ୍କୁ ନେଇ ଖଲିକୋଟ ଯିବି । ଏହିପରି କଥାବାର୍ତ୍ତା ହେଉ ହେଉ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇଗଲା । ଜୟକୃଷ୍ଣ ବାବୁ ଆମ୍ଭମାନଙ୍କୁ ଦେଖି ପୂର୍ବରୁ ସେଥିର ବ୍ୟବସ୍ଥା କରିଥିଲେ । ସୋମନାଥ, ମୁଁ ଏବଂ ଜୟକୃଷ୍ଣ ବାବୁ ତିନିହେଁ ଖାଇ ବସିଲୁଁ । ଗଳ୍ପ ବି ଚାଲିଥାଏ । ମୋର କଟକ ଆସିବା, ବିଶ୍ୱନାଥ ବାବୁଙ୍କଠାରୁ ଶୁଣି ରମ୍ଭା ଆସିବା ସବୁ କଥା ପଡ଼ିଗଲା । ଖିଆପିଆ ସରିଲା, ମୁଁ ଜୟକୃଷ୍ଣ ବାବୁଙ୍କ ଦ୍ୱିତଳ ଅଫିସ୍ ବାରନ୍ଦାରେ ବସି ବିଶ୍ରାମ କଲି, ଜୟକୃଷ୍ଣ ବାବୁ ତାଙ୍କ କର୍ତ୍ତବ୍ୟରେ ଲାଗିଲେ ।

 

ଚିଲିକା କୂଳରେ ରମ୍ଭା ରାଜପ୍ରାସାଦର ଦୃଶ୍ୟ ଅତି ଚମତ୍କାର । ସତେ ଯେପରି ସାଗର ଅପ୍‌ସରୀଟିଏ ଚିଲିକାରୁ ଉଠିଆସି କୂଳରେ ଠିଆ ହୋଇ ଜଳ ଦର୍ପଣରେ ନିଜର ସୁନ୍ଦର ସହାସ୍ୟ ମୁଖ ଦେଖୁଅଛି ଏବଂ ନିଜର ଅତୁଳ ସୌନ୍ଦର୍ଯ୍ୟରେ ନିଜେ ମୁଗ୍‌ଧ ହେଉଅଛି । ତାହାର ଚାରୁ ଚରଣ ଧୋଇ ଦେବା ଉଦ୍ଦେଶ୍ୟରେ ତରଙ୍ଗ-ମାଳିକା ଚିଲିକା ତରଙ୍ଗମାଳ ତୋଳି ହସି ହସି ନାଚି ନାଚି ଧାଇଁ ଆସୁଅଛି । ଗର୍ଜନ ଛଳରେ ଚିଲିକା କଅଣ କହୁଛି, ହର୍ମ୍ୟ ପ୍ରତିଧ୍ୱନି ଆବାଜରେ କି ଉତ୍ତର ଦେଉଛି, ଉଭୟର କଥୋପକଥନ ରହସ୍ୟ ବଡ଼ ଦୁରୂହ ଏବଂ ଅନ୍ୟର ଅବୋଧ୍ୟ । ସେ ମହାବାଣୀର ଅର୍ଥ ମହାଜନ ବୁଝିବେ, ମୋ ଭଳି ଅଭାଜନ ପକ୍ଷରେ ତାହା ଧୃଷ୍ଟତା ସିନା । ଲହରି ଚୂଡ଼ାରେ ଫେନପୁଞ୍ଜ ଜାତହୋଇ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ୁଅଛି । ସଚଳ ଜଳଜ ଲତାରେ ମୂହୁର୍ମୁହଃ ଅସଂଖ୍ୟ ଫୁଲ ଫୁଟିଉଠି ଝଡ଼ି ପଡ଼ିଲା ପରି ତାହା ବୋଧ ହେଉଅଛି । ଅଥବା ଚିଲିକା ସୁନ୍ଦରୀ ତାହାର ମୁକ୍ତ ନୀଳ ବେଣୀରୁ ଭୂଷଣ ହୀରା ମୁକ୍ତା ଝାଡ଼ି ଦେଉଅଛି । ଚିଲିକା ଦର୍ଶନରେ କେତେ ଭାବ-କେତେ ଇତିହାସ ସ୍ମୃତି ମନରେ ଉଦିତ ହେଲା । ଏହି ଚିଲିକା ଦୂରନ୍ତ ଦାନବ ରକ୍ତ ବାହୁର ଦର୍ପଦଳନ କରି ଉତ୍କଳକୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଏହି ବଳିଷ୍ଠ ତରଙ୍ଗ ବାହୁରେ ବେଷ୍ଟନ କରି ରାଜ୍ୟଲୋଭୀ ମତ୍ସରୀକୁ ସଦଳରେ ଗ୍ରାସ କରିଥିଲା । ଏହି ସବୁ ପୁରୁଣା କଥା ସ୍ମରଣ କରି ଚିଲିକା ପ୍ରତି ମୋର ସ୍ୱତଃ ଭକ୍ତି ଜାତ ହେଲା–ଅନିର୍ବଚନୀୟ କୃତଜ୍ଞତାରେ ହୃଦୟ ପୁରି ଉଠିଲା–ଆନନ୍ଦ ଏବଂ ଗର୍ବରେ ଛାତି କୁଣ୍ଢେ ମୋଟରେ ଫୁଲି ଉଠିଲା । ଭାବିଲି–ମୋର ମହୀୟସୀ ମାତୃମହୀ ଉତ୍କଳ ଛଡ଼ା ଏଭଳି ବିଭବ–ଏଭଳି ମହାଶକ୍ତି–ଏଭଳି ଶୋଭାଗନ୍ତାଘର ଆଉ କାହାର ଅଛି । ମାତୃ ଗୌରବରେ ପ୍ରାଣ ପୁଲକିତ ହୋଇଉଠିଲା । ପୁଣି ଭାବିଲି–ବିଧାତା ଏପରି ମହିମାମୟୀ ମା ଯାହାକୁ ଦେଇଛି, ତାକୁ ଆଉ କଅଣ ନ ଦେଇଛି ? ଆତ୍ମଶ୍ନାଘାରେ ରୋମ ଟାଙ୍କୁରି ଉଠିଲା ଖୁବ୍ ଗୋଟାଏ ଆମୋଦ ଭୋଗ ହେଲା । ମୋହରି ମାତୃଭୂମି ଅଙ୍କରେ ଏହି ଚିଲିକା କୂଳରେ ବସି କେତେ ଯୋଗୀ, କେତେ କବି, କେତେ ସାଧକ ନିଜକୁ ଧନ୍ୟ ଏବଂ ଅମର କରି ରଖିଅଛନ୍ତି, କେତେ ଦିଗ୍‌ବିଜୟୀ ମହାବୀର ଏହି ଚିଲିକା କୂଳରେ ସାଧନା ପରିପକ୍ୱ କରିଅଛନ୍ତି, ଅମରକୀର୍ତ୍ତିମାଳିନୀ ଏହି ଚିଲିକା ଉତ୍କଳର କୌସ୍ତୁଭ ପଦକ । ଅମର କବି ରାଧାନାଥ ଭାଗ୍ୟଧର ପୁରୁଷ, ଚିଲିକାର ଗୁଣଗୀତିକା ଗାଇ ଉତ୍କଳକୁ ଧନ୍ୟ କରିଅଛନ୍ତି–ନିଜେ ମଧ୍ୟ ଧନ୍ୟ ହୋଇଅଛନ୍ତି । ନିପୁଣ ହସ୍ତରେ ସେ ଚିଲିକାର ଚିତ୍ର ଉଠାଇଅଛନ୍ତି । ବାଣୀ ବିଶ୍ୱକର୍ମା କବି ଆଉ କିଛି ନ ଲେଖିଥିଲେ ସୁଦ୍ଧା ତାଙ୍କର କବି ଗୌରବ ରେଣୁଏ ମାତ୍ର ଖର୍ବ ହୋଇ ନ ଥାନ୍ତା ।

 

ରାତି ଥାଉଁ ଥାଉଁ ରମ୍ଭାରୁ ବାହାରି ତହିଁ ପରଦିନ ଆଠଟାବେଳେ ଖଲ୍ଲିକୋଟରେ ପହଞ୍ଚିଲୁ । ଆୟୋଜନର ଆଡ଼ମ୍ବର ଏବଂ ନଗର ମଣ୍ଡଣି ଦେଖି ମୁଁ ସ୍ତମ୍ଭୀଭୂତ ହୋଇଗଲି । ପଥର ଉଭୟ ପାର୍ଶ୍ୱରେ ପତାକାଶ୍ରେଣୀ ଫର ଫର ହୋଇ ଉଡ଼ୁଅଛି । କେଉଁଠି ବା ବିବିଧ ବର୍ଣ୍ଣର ଓରମାଳରେ ତୋରଣ ପ୍ରସ୍ତୁତ ହୋଇଅଛି । ମଙ୍ଗଳସୂଚକ ରମ୍ଭାତରୁ ଦ୍ୱାରେ ଦ୍ୱାରେ ରୋପିତ ହୋଇଅଛି । ଗୃହଗୁଡ଼ିକ ଧବଳିତ, ଉତ୍ସବରେ ନବ ବସ୍ତ୍ର ପରିଧାନ କରିଅଛନ୍ତି । ସ୍ଥାନେ ସ୍ଥାନେ ପର୍ଣ୍ଣକୁଟୀରର ଗ୍ରାମ, ଡାଳପତ୍ରରେ ଘର ତୟାର ହୋଇଅଛି । ସେଗୁଡ଼ିକ ଋଷି ଆଶ୍ରମ ପରି ଅତି ମନୋରମ ଦିଶୁଅଛି । ସେହିପରି ଗୋଟିଏ ଘରେ ରହିବାକୁ ମୋର ଇଚ୍ଛା ହେଲା । ଚ୍ୟାଉ ପଟ୍ଟନାୟକଙ୍କୁ ମନୋଭାବ ଜଣାଇଲି । ସେ ଭାରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଡାଳପତ୍ରରେ ସୁନ୍ଦର ଘରଟିଏ ତିଆରି କରାଇ ଦେଲେ । କଞ୍ଚା ଡାଳ କଞ୍ଚା ପତ୍ରରେ ନିର୍ମିତ ହେତୁ ଘରଟି ଶୀତଳ ବୋଧହେଲା, ନିର୍ଜନ ହେତୁ ଶାନ୍ତିପ୍ରଦ ମଧ୍ୟ ହେଲା । ସେ ଦିନ ‘‘ତେଲୁଣୀବସା’’ ଅର୍ଥାତ ଉତ୍ସବର ପ୍ରଥମ ଦିନ । ଉତ୍ସବ ଆରମ୍ଭ ଦିନ ଶୁଭକ୍ଷଣରେ ମିଷ୍ଟାନ୍ନ ପାକ ସକାଶ ଘିଅ କରେଇ ଚୁଲିରେ ବସେ–ତାହାକୁ ତେଲୁଣି ବସା କହନ୍ତି । ଉତ୍ସବ ଶେଷ ପର୍ଯ୍ୟନ୍ତ ସେ ଘିଅ କରେଇ ଚୁଲିରୁ ଓହ୍ଲା ହୁଏ ନାହିଁ । କଟକରୁ କେତେ ଜଣ ପ୍ରସିଦ୍ଧ ଗୁଡ଼ିଆ ଯାଇ ମିଷ୍ଟାନ୍ନ ପ୍ରସ୍ତୁତ କରୁଥାଆନ୍ତି । ପ୍ରତିଦିନ ସକାଳେ ଏବଂ ସଞ୍ଜବେଳେ ନିମନ୍ତ୍ରିତ ଭଦ୍ରବ୍ୟକ୍ତିମାନଙ୍କ ବସାକୁ ସେହି ମିଷ୍ଟାନ୍ନ ହାଣ୍ଡିଏ ଲେଖାଏଁ ପଠାଯାଏ । ଜଳଖିଆ ଗୁଡ଼ିକ ଅତି ଉପାଦେୟ ହୁଏ ବୋଲି ସମସ୍ତେ ପ୍ରଶଂସା କରନ୍ତି । ମୋ ପାଖରେ ଦୁଇଜଣ ଲୋକ ନିଯୁକ୍ତ କରାଗଲା । ଜଣକର କାମ ବଜାର ସଉଦା କରିବା ଏବଂ ଡାକହାକ ଶୁଣିବା, ଅନ୍ୟ ଜଣକର କାର୍ଯ୍ୟ ପାଣି ଆଣିଦେବା । ଉତ୍ସବ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ବସାକୁ ସଞ୍ଚା ପଠାଯାଏ । ତେଣିକି ଦୈନିକ ଖର୍ଚ୍ଚ ଦିଆଗଲା । ଖଲିକୋଟର ସଞ୍ଚାର ଆଡ଼ମ୍ବର ପୂର୍ବରୁ ଥରେ କହିଅଛି, ଆଉ ପୁନରାବୃତ୍ତି ଅନାବଶ୍ୟକ । ଗଞ୍ଜାମ ଏବଂ ଓଡ଼ିଶାରୁ ଅନେକ ଭଦ୍ରବ୍ୟକ୍ତି ଆମନ୍ତ୍ରୀତ ହୋଇଥିଲେ । ଉପଯୁକ୍ତ ବ୍ୟବସ୍ଥା ହେତୁ କେହି କୌଣସି ବିଷୟରେ ଅସନ୍ତୋଷ ପ୍ରକାଶ କରିନାହାନ୍ତି ।

 

ନୀଳମଣି ବିଦ୍ୟାରତ୍ନ ନିମନ୍ତ୍ରୀତ ହୋଇ ଆସିଥିଲେ । କଟକରୁ ପଣ୍ଡିତ ଗୋବିନ୍ଦ ରଥ ଆସିଥିଲେ । ଏ ଦୁହେଁ ମୋ ବସାକୁ ଆସନ୍ତି । ଖଣ୍ଡେ ଟାଙ୍ଗାଗାଡ଼ି ମୋ ପାଇଁ ଥାଏ । ମୁଁ ଯେତେବେଳେ ଯେଉଁଆଡ଼େ ଗଲେ ସେହି ଟାଙ୍ଗାରା ଯାଏଁ । ବେଳେ ବେଳେ ମୁଁ ବୁଲିବାକୁ ଯାଏଁ । ଖଲିକୋଟର ଅନେକ ସ୍ଥାନ ଦେଖିଲି । ଦିନେ ନିର୍ମଳଝର ଦେଖିବାକୁ ଯାଇଥିଲି । ତାହା ଗୋଟିଏ ଅତି ରମଣୀୟ ସ୍ଥାନ । ପୂର୍ବେ ସେଠାରେ ରାଜଧାନୀ ଥିଲା । ସ୍ଥାନୀୟ ଜଳବାୟୁ କି ଅଜ୍ଞାତ କାରଣରୁ ବିଷାକ୍ତ ହୋଇଯିବାରୁ ସେ ସ୍ଥାନ ମନୁଷ୍ୟ ବାସର ଅନୁପଯୁକ୍ତ ହୋଇ ଉଠିଲା, ସୁତରାଂ ରାଜଧାନୀ ଅନ୍ୟ ଉପଯୁକ୍ତ ସ୍ଥାନକୁ ଉଠିଗଲା । ନିର୍ମଳ ଝରରେ ଅଦ୍ୟାପି ରାଜବାଟୀର ଚିହ୍ନ ଅଛି । ସ୍ଥାନଟି ପର୍ବତସଙ୍କୁଳ, ତାହାର ଚାରିପାଖରେ ପର୍ବତ ଘେରି ରହିଅଛି । ଉପକଣ୍ଠରେ ଗୋଟାଏ ନାଗେଶ୍ୱର ପେଟା ଅଛି । ବସନ୍ତ କାଳରେ ତାହା ବସନ୍ତ ରାଜାଙ୍କର ପ୍ରମୋଦ କାନନର ଶ୍ରୀ ଧାରଣ କରେ । ଅଦୂରରେ ଗୋଟାଏ ପଦ୍ମ ପୋଖରୀ ଅଛି । ପଦ୍ମ ନାଗେଶ୍ୱର ଉଭୟର ସୌରଭରେ ମନପ୍ରାଣ ବିମୋହିତ ହୋଇଯାଏ । ତେତେବେଳେ ଋତୁରାଜ ବସନ୍ତର ରାଜଧାନୀରେ ଥିବା ପରି ବୋଧହୁଏ । ସେଠାରେ ପ୍ରଶସ୍ତ ପ୍ରସ୍ତର ବେଢ଼ା ମଧ୍ୟରେ ବିଷ୍ଣୁ ମନ୍ଦିର, ଶିବମନ୍ଦିର, କେତୋଟି ମଣ୍ଡପ ଏବଂ ଜଳକୁଣ୍ଡ ଅଛି । ସ୍ଥାନଟି ‘‘କୁଣ୍ଡ’’ ପର୍ବତର ପାଦ ଦେଶରେ ଅବସ୍ଥିତ । ମନ୍ଦିର, ମଣ୍ଡପ, ପ୍ରାଚୀର ସବୁ ସୂକ୍ଷ୍ମ କାରୁକଳାରେ ମଣ୍ଡିତ । କୁଣ୍ଡପର୍ବତର କଟିରୁ ଗୋଟାଏ ଝରଣା ଆସି ବେଢ଼ା ମଧ୍ୟସ୍ଥ ଗୋଟିଏ ସୁନ୍ଦର ପୁଷ୍କରିଣୀରେ ସଞ୍ଚିତ ହୁଏ । ସେହି ଝରର ନାମ ନିର୍ମଳ ଝର । ଝରର ନାମ ଅନୁସାରେ ସ୍ଥାନର ନାମକରଣ ହୋଇଅଛି । ବେଢ଼ା ମଧ୍ୟରେ ଝରର ଧାର ନାନା ଶାଖାରେ ବିଭକ୍ତ ହୋଇ ବିଭିନ୍ନ କୁଣ୍ଡରେ ପତିତ ହୁଏ । କୁଣ୍ଡଗୁଡ଼ିକ ସବୁବେଳେ ପୂର୍ଣ୍ଣ ଥାଏ । ଅବଶିଷ୍ଟ ଜଳ ବାହାରି ଯିବାର ପଥ ଅଛି । କୁଣ୍ଡରେ ଅନେକ ତପସ୍ୱୀଙ୍କର ମୂର୍ତ୍ତି ଅଛି । ସେଗୁଡ଼ିକ ସର୍ବଦା ଆକଣ୍ଠ ଜଳରେ ତର୍ପଣ କଲାପରି ଦିଶନ୍ତ । ଗୋଟିଏ କୁଣ୍ଡରେ ବିଷ୍ଣୁଙ୍କ ପାଦତଳେ ଗଙ୍ଗା ବାହାରି ଗଙ୍ଗୋତ୍ତରୀ ଶୃଙ୍ଗରେ ପଡ଼ୁଅଛି, ପୁଣି ସେଠାରୁ କିଛି ଦୂର ଯାଇ ଜହ୍ନୁଋଷିଙ୍କ ଜାନୁ ଭେଦ କରି ବହି ଯାଉଅଛି । ସେ ଦୃଶ୍ୟଟି ଅତି ମନୋମୁଗ୍‌ଧକର । ସେଠାରେ ମାଛକଣ୍ଟାରେ ନିର୍ମିତ ଗୋଟିଏ ସୁନ୍ଦର ମଣ୍ଡପ ଅଛି । ମୋର ପ୍ରଣୀତ ‘‘ବିବିଧ ଚିନ୍ତା’’ ପୁସ୍ତକରେ ନିର୍ମଳ ଝରର ବିସ୍ତୃତ ବର୍ଣ୍ଣନା ଅଛି-। ସେ ସ୍ଥାନକୁ ଗଲେ ଫେରିଆସିବାକୁ ଇଚ୍ଛା ହୁଏ ନାହିଁ । ତେତେବେଳେ ମଟର ବାସ ଚାଲି ନ ଥିଲା । ବ୍ରହ୍ମପୁର, ଛତ୍ରପୁର ପ୍ରଭୃତି ଅନେକ ସ୍ଥାନରୁ ଆସୁଥିବା କୁଣିଆ ରହିବା ସକାଶ କୋଡ଼ିଏ ଖଣ୍ଡ ଝଟକା ନିଯୁକ୍ତ ଥାଏ । ରେଳଷ୍ଟେସନ୍‌କୁ ଝଟକା, ଶଗଡ଼ ଏବଂ ରାଜାଙ୍କର ମଟର ଯାତାୟାତ କରୁଥାଏ । ବ୍ରତୋତ୍ସବ ଦିନ ଖୁବ୍ ଲୋକ ଗଳହି ହେଲା । ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଯୁବରାଜଙ୍କର ମାମୁ । ସେ ବ୍ରତ ବେଦୀରେ ଭିକ୍ଷା ପାତ୍ର ଧରିଥିଲେ । ଯୁବରାଜ ବ୍ରହ୍ମଚାରୀ ବେଶରେ ସଜ୍ଜିତ ହୋଇ ବାଳ ତାପସ ପରି ଦିଶୁଥାଆନ୍ତି । ଭିକାରୀକୁ ରାଜବେଶ ମାନେ ନାହିଁ, ମାତ୍ର ରାଜାର ଭିକାରୀ ବେଶ ବଡ଼ ସୁନ୍ଦର ଦିଶେ । ଏକ ଯକ୍ଷପତି ଭିକାରୀ, ଅନ୍ୟ ଏକ ଯକ୍ଷପତି ତାଙ୍କର ସାହାଯ୍ୟକାରୀ, ଦୃଶ୍ୟଟି ଅଭିନୟ ପରି ଚିତ୍ତାକର୍ଷକ । ରାତିରେ ନଗରୀ ଆଲୋକମାଳାରେ ମଣ୍ଡିତ ହୋଇ ଅମରାବତୀର ଶୋଭା ଧାରଣ ପୂର୍ବକ ନକ୍ଷତ୍ର ପୂର୍ଣ୍ଣ ଆକାଶକୁ ପରିହାସ କରିବାକୁ ଲାଗିଲା । ତହିଁ ପରଦିନ ରାତିରେ ଦରବାର ହେଲା । ନିମନ୍ତ୍ରିତ ଏବଂ ଉପସ୍ଥିତ କବି ପଣ୍ଡିତମାନଙ୍କର ଅଭିନନ୍ଦନ ଗୀତ ପାଠ ହେଲା ଏବଂ ସେମାନଙ୍କୁ ଯଥାଯୋଗ୍ୟ ସମ୍ମାନରେ ବିଦାକୀ ପ୍ରଦତ୍ତ ହେଲା । ମୁଦ୍ରା, କୁଣ୍ଡଳ, ପଟ୍ଟବସ୍ତ୍ର ପୁରସ୍କାର ଦିଆଗଲା । ମେନେଜର, ତାଲୁକା ଅଫିସର, କିଲାଦାର, ପ୍ରାଇଭେଟ ସେକ୍ରେଟେରୀ, ଶ୍ରୀବତ୍ସ ପଟ୍ଟନାୟକ, ଜୟକୃଷ୍ଣ ଚ୍ୟାଉ ପଟ୍ଟନାୟକ ପ୍ରଭୃତି ପ୍ରବୀଣ କର୍ମଚାରୀମାନଙ୍କ ସୁବ୍ୟବସ୍ଥାରେ ଉତ୍ସବ ସର୍ବାଙ୍ଗ ସୁନ୍ଦର ହୋଇଥିଲା । ମୋର ପ୍ରଣୀତ ‘‘ଚିତ୍ରମଞ୍ଜୁଷା’’ ନାମକ ପୁସ୍ତକରେ ବିସ୍ତୃତ ଭାବରେ ବ୍ରତୋତ୍ସବ ବିବରଣୀ ବର୍ଣ୍ଣିତ ହୋଇଅଛି, ସୁତରାଂ ସେଥିର ପୁନରାବୃତ୍ତିରୁ କ୍ଷାନ୍ତ ହେଲି । ଉତ୍ସବ ସର୍ବଶୁଭରେ ସମାହିତ ହେଲା । ପୁସ୍ତକ ଲେଖା ଚାଲିଥାଏ । ସମୟ ସମୟରେ ଯାଇ କୌଣସି ଗ୍ରାମ ବା ପର୍ବତରେ ବୁଲି ଆସେଁ । ମୋର ସ୍ୱାସ୍ଥ୍ୟ ଏବଂ ସୁବିଧା ପ୍ରତି ସ୍ୱର୍ଗୀୟା ପୂଣ୍ୟଶ୍ଳୋକାରଣୀ କନକ ମଞ୍ଜରୀ ଦେବୀଙ୍କର ସମଧିକ ଦୃଷ୍ଟି ଥାଏ । ତାଙ୍କ ଆଦେଶରେ ମୋ ପାଇଁ ପ୍ରତ୍ୟହ ନଅରରୁ ଘିଅ, ଚଲ୍‌ହା, ବଡ଼ି, ଆଚାର ପ୍ରଭୃତି ଆସେ, ଖଜା ପିଠା ମଧ୍ୟ ଆସେ । ତେତେବେଳେ ପାକଲା ଆମ୍ବ ସମୟ । ଦିନେ ଦିନେ ଭାରେ ଭାରେ ଆମ୍ବ ମୋ ବସାକୁ ଆସେ । ଆବଶ୍ୟକ ମତେ ରଖି ଅବଶିଷ୍ଟ ବାଣ୍ଟି ଦିଆଯାଏ । ଦୟାବତୀ ରାଣୀ ମହୋଦୟାଙ୍କ ହେତୁ ମୋତେ କୌଣସି ଅସୁବିଧା ଭୋଗ କରିବାକୁ ହୋଇ ନାହିଁ । ତାଲୁକା ଅଫିସର ବଳଭଦ୍ର ମହାପାତ୍ର, କିଲାଦାର ବିଶ୍ୱନାଥ ବ୍ରହ୍ମା, ପ୍ରାଇଭେଟ ସେକ୍ରେଟେରୀ ଶ୍ରୀବତ୍ସ ପଟ୍ଟନାୟକ, ତିନିହେଁ ମୋର ପୁରୁଣା ବନ୍ଧୁ । ସେମାନେ ମୋତେ ଦିନେ ଦିନେ ତାଙ୍କ ଘରକୁ ଡାକି ନେଇ ଷୋଳକଳା ପୂର୍ଣ୍ଣ କରି ଭୋଜନ କରାନ୍ତି । ସେମାନଙ୍କର ସ୍ନେହ, ମମତା ମୁଁ ଜୀବନରେ ଭୁଲି ପାରିବି ନାହିଁ । ଗୋବିନ୍ଦରଥଙ୍କ ସହ ପତ୍ରରେ ପରିଚୟ ଥିଲା, ମାତ୍ର ଚାକ୍ଷୁଷ ପରିଚୟ ନଥିଲା–ଖଲିକୋଟରେ ତାଙ୍କୁ ପ୍ରଥମେ ଦେଖିଲି । ତାଙ୍କର ବେଶଭୂଷା ଦେଖି ଏଡ଼େ ବଡ଼ ବିଜ୍ଞ ବୋଲି ତାଙ୍କୁ କେହି ଚିହ୍ନି ପାରିବ ନାହିଁ । ସମସ୍ତଙ୍କ ସଙ୍ଗରେ ସେ ମିଶିପାରନ୍ତି । ସ୍ୱଭାବ ଅତି ଉଦାର, ହୃଦୟ ଅତି ଉଚ୍ଚ । ସେ ମୋ ସଙ୍ଗରେ ବହୁଦିନର ପୁରୁଣା ବନ୍ଧୁ ପରି ମିଶିଗଲେ । ରଥେ କବି, ଗ୍ରନ୍ଥକାର ଏବଂ ଗ୍ରନ୍ଥ ପ୍ରକାଶକ । ଉତ୍କଳ ସାହିତ୍ୟରେ ସେ ହିମାଳୟ ସୃଷ୍ଟି କରି ଯାଇଅଛନ୍ତି । ତାଙ୍କର ପବିତ୍ର ସ୍ମୃତି ସ୍ୱର୍ଣ୍ଣାକ୍ଷରରେ ଲିଖିତ ହେବାର ଯୋଗ୍ୟ, କିନ୍ତୁ ଦୁଃଖର ବିଷୟ ଅବଧି ସେ ବିଷୟରେ କୌଣସି ଚେଷ୍ଟା ହୋଇ ନାହିଁ । ତାଙ୍କର ଆଦର୍ଶ ଜୀବନୀ ଶୀଘ୍ର ପ୍ରକାଶିତ ହେବା ଉଚିତ । ତାଙ୍କର କେତେ ଖଣ୍ଡ ପୁସ୍ତକ ଅନେକ ବର୍ଷ ଯାଏ ପାଠ୍ୟପୁସ୍ତକରୂପେ ଚଳିଥିଲା । ସେ ଅନେକ ପ୍ରାଚୀନ ଗ୍ରନ୍ଥ ପ୍ରକାଶ କରିଅଛନ୍ତି । ତେଜସ୍ୱୀ ଏବଂ ନିର୍ଭୀକ ଚେତା ପଣ୍ଡିତ ବୋଲି ତାଙ୍କର ଗୋଟାଏ ଖ୍ୟାତି ଥିଲା-

 

ଚିତ୍ରମଞ୍ଜୁଷାର ଲେଖା ଶେଷ ହେଲା । ପାଣ୍ଡୁଲିପି ରାଣୀ ମହୋଦୟାଙ୍କ ଛାମୁରେ ଦିନେ ପଢ଼ାଗଲା । ସେ ଶୁଣି ଅତି ସନ୍ତୁଷ୍ଟ ହେଲେ । ଷ୍ଟେଟ ପ୍ରେସ୍‌ରେ ପୁସ୍ତକ ଛାପା ହେବାର ବ୍ୟବସ୍ଥା ହେଲା । ମୋତେ ପାରିଶ୍ରମିକ ଶହେଟଙ୍କା ଦିଆଗଲା–ଯୋଡ଼େ ପାଟ ଏବଂ ଦୁଇ ଯୋଡ଼ା ଜରୀଲୁଗା ଦିଆଗଲା । ସୋମନାଥକୁ କୋଡ଼ିଏ ଟଙ୍କା ଏବଂ ଜରୀ ଯଥା ଦିଆଗଲା । ରାଣୀ ମହୋଦୟା କହି ପଠାଇଲେ–ଏହି ଶେଷ ବିଦାକୀ ନୁହେଁ, ପୁସ୍ତକ ଛାପା ଶେଷରେ ତାହା ଦିଆଯିବ-। ଛାପାବେଳେ ମୁଁ ସେଠାରେ ବା ରମ୍ଭାରେ ରହି ପ୍ରୁଫ୍ ସଂଶୋଧନ କରିବି । ଏ ପ୍ରସ୍ତାବରେ ମୁଁ ସମ୍ମତ ଜଣାଇ ଖଲିକୋଟରୁ ଅର୍ଦ୍ଧବିଦାୟ ଘେନି ଘରକୁ ଆସିଲି । ଆମ ଦୁଇଜଣଙ୍କର ଯାତାୟାତର ରେଳଖର୍ଚ୍ଚ ପୃଥକ୍ ଦିଆ ହୋଇଥିଲା । ସେଥର ଖଲିକୋଟରେ ମୁଁ ପ୍ରାୟ ମାସାଧିକ କାଳ ରହିଥିଲି-। ମୁଁ ଖଲିକୋଟରୁ ଶଗଡ଼ରେ ଆସି ରମ୍ଭାରେ ରହିଲି, ତହିଁ ପରଦିନ ରେଳରେ ଭଦ୍ରକ ଆସିଲି ।

 

ଘର ପାଖରେ ରହି ସୁଭଦ୍ରା ପରିଣୟର ଟୀକା ଲେଖିଲି । ଭଞ୍ଜଙ୍କର କେତେ ଖଣ୍ଡ କାବ୍ୟ ପୁଣି ପଢ଼ିବାକୁ ହେଲା । ସେଥିର ଟୀକାରୁ କିଛି ଉପାଦାନ ମିଳିଲା । ସନ୍ଦେହ ସ୍ଥାନମାନ କୌଣସି କୌଣସି ପ୍ରାଚୀନ ପଣ୍ଡିତଙ୍କୁ ଦେଖାଇ ଆଶାନୁରୂପ ଉତ୍ତର ପାଇଲି । ଗଞ୍ଜାମର ବିରୁଳିବାସୀ ଗଦାଧର ମଙ୍ଗରାଜ ସାମନ୍ତଙ୍କଠାରୁ ଅନେକ ସାହାଯ୍ୟ ପାଇଲି । ସାମନ୍ତମହାଶୟ ଭଞ୍ଜକାବ୍ୟର ରୀତିମତ ଆଲୋଚନା କରିଥିଲେ । ଅନେକ ସ୍ଥାନର କବିତା ତାଙ୍କର ମୁଖସ୍ଥ । ଲୋକନାଥ ଦାସଙ୍କ ଟୀକା ବୋଲି ଯାହା ପାଇଥିଲି, ତାହା ଏତେ ପଲ୍ଲବିତ ଏବଂ କ୍ଳିଷ୍ଟ ଯେ, ସେଥିରୁ ସାର ବାହାର କରିବା ଦୂରୁହ । ତାହା ପ୍ରକୃତ ଲୋକନାଥ ଦାସଙ୍କ ଟୀକା ବୋଲି ମୋର ବିଶ୍ୱାସ ନୁହେଁ । ଦୁଇମାସ ପରେ ଟୀକା ଲେଖିସାରି ଗୌରୀଶଙ୍କର ବାବୁଙ୍କ ପାଖକୁ ପଠାଇ ଦେଲି-। ସେଥିପାଇଁ ସେ ମୋତେ ତିରିଶ ଟଙ୍କା ପାରିଶ୍ରମିକ ଦେଇଥିଲେ । ପ୍ରୁଫ୍ ସଂଶୋଧନ ପାଇଁ କିଛିଦିନ ପରେ ଖଲିକୋଟରୁ ଡାକରା ଆସିଲା । ମୁଁ ଯାଇ ରମ୍ଭାରେ ରହି ପ୍ରୁଫ୍ ଦେଖିଲି । ପ୍ରାୟ ଦୁଇ ତିନିମାସ ମଧ୍ୟରେ ଚିତ୍ରମଞ୍ଜୁଷାର ଛାପା ଶେଷ ହୋଇଗଲା । ମୁଁ ରମ୍ଭାରୁ ଖଲିକୋଟ ଗଲି । ରାଣୀ ମହୋଦୟା ଛାପା ପୁସ୍ତକ ଦେଖି ଖୁବ୍ ଖୁସି ହେଲେ । ସେଥର ମୋତେ ଶହେ ଟଙ୍କା ପୁରସ୍କାର ମିଳିଲା । ଚିଲିକାରେ ବୁଲିବା ପାଇଁ ମୁଁ ଇଚ୍ଛା ପ୍ରକାଶ କରିବାରୁ ରମ୍ଭାରେ ରହି ଯେତେ ଦିନ ଇଚ୍ଛା ବୁଲିବାକୁ ରାଣୀ ମହୋଦୟା ଆଦେଶ ଦେଲେ ଏବଂ ମୋର ସୁବିଧା କରିଦେବା ସକାଶ ଜୟକୃଷ୍ଣ ବାବୁଙ୍କୁ ମଧ୍ୟ ଆଦେଶ ଦେଲେ । ମୋର ଶରୀର ଟିକିଏ ଅସୁସ୍ଥ ବୋଧ ହେବାରୁ ମୁଁ ଆଉ ରମ୍ଭା ଗଲି ନାହିଁ, ପନ୍ଦର ଦିନ ପରେ ଆସିବି ବୋଲି ଜୟକୃଷ୍ଣ ବାବୁଙ୍କୁ ଖଣ୍ଡେ ପତ୍ର ଲେଖିଦେଇ ଭଦ୍ରଖ ଆସିଲି । ଘର ପାଖରେ ଜ୍ୱର ହେଲା । ଜ୍ୱର ଛାଡ଼ିଲା ପରେ ଆମାଶୟ ଆରମ୍ଭ ହେଲା । ରୋଗ କ୍ରମେ ପ୍ରବଳ ହୋଇ ଉଠିଲା, ଅନେକ ପ୍ରକାର ଔଷଧ ବ୍ୟବହାରରେ ସୁଦ୍ଧା କୌଣସି ଫଳ ହେଲା ନାହିଁ । ମୁଁ ନିତାନ୍ତ ଦୁର୍ବଳ ହୋଇପଡ଼ିଲି, ଶେଷରେ କ୍ଷେତ୍ରମୋହନ ବାବୁ କୂଟଜାଦି ବଟିକା ପ୍ରସ୍ତୁତ କରିଦେଲେ । ତାହା ସପ୍ତାହେ ମାତ୍ର ସେବନ କରି ତୁରନ୍ତ ଆମାଶୟ କବଳରୁ ସମ୍ପୂର୍ଣ୍ଣ ମୁକ୍ତିଲାଭ କଲି । ଏହି ସମୟରେ ଜଳବାୟୁ ପରିବର୍ତ୍ତନର ଆବଶ୍ୟକ ହେଲା । ପୂର୍ବରୁ ଚିଲିକାରେ ବୁଲିବାର ବ୍ୟବସ୍ଥା କରି ଆସିଥିଲି, ସୋମନାଥଙ୍କୁ ସଙ୍ଗରେ ନ ନେଇ ଏକୁଟିଆ ରମ୍ଭା ଗଲି ।

 

ଜୟକୃଷ୍ଣ ବାବୁଙ୍କୁ ପୂର୍ବରୁ ପତ୍ର ଲେଖିଥିଲି, ସେ ଷ୍ଟେସନକୁ ଗାଡ଼ି ପଠାଇଥିଲେ । ରମ୍ଭା ବଙ୍ଗଳାରେ ପହଞ୍ଚିଲା ମାତ୍ରେ ପୂଜକ ଠାକୁର ପ୍ରସାଦ ଆଣି ଦେଇଗଲେ । ତାହା ଉଦର ନାମକ ଗଭୀର ଗହ୍ୱରରେ ନିକ୍ଷେପ କରି ପ୍ରାଣ ଶୀତଳ କରିବାକୁ ହେଲା । ପ୍ରତ୍ୟହ ମୋ ପାଇଁ ଦେବୀ–ମନ୍ଦିରରୁ ପ୍ରସାଦ ଆସେ । ଦେବୀଙ୍କଠାରେ ମାଛ ଭୋଗ ହୁଏ । ଏରିଗା, ପେରିଗା ନାମରେ ଦୁଇଟି ତେଲଙ୍ଗା ଭଣ୍ଡାରି ପିଲା ବଙ୍ଗଳାରେ ଚାକର ଥିଲେ । ସେ ଦୁହେଁ ମୋର ଡାକହାକ ଶୁଣନ୍ତି–ଗୋଧୋଇବା ପାଇଁ ପାଣି ଆଣି ଦିଅନ୍ତି । ରମ୍ଭାରେ ମୋର କୌଣସି ଅସୁବିଧା ହୁଏ ନାହିଁ । ଜୟକୃଷ୍ଣ ବାବୁ ମୋର ଶରୀରର ସତର୍କ ପ୍ରହରୀ ହୋଇଥାଆନ୍ତି । ସେ ମୋତେ ଯେପରି ଭକ୍ତି କରନ୍ତି, କେହି ଗୁରୁକୁ ବି ସେଭଳି ଭକ୍ତି କରିବ ନାହିଁ । ଶୁଭଯୋଗରେ ତାଙ୍କ ସଙ୍ଗରେ ବନ୍ଧୁତା ହୋଇଥିଲା । ମୋର ଅନେକ ବନ୍ଧୁ ଅଛନ୍ତି, କିନ୍ତୁ ତାଙ୍କ ପରି ହିତୈଷୀ ଅନ୍ତରଙ୍ଗ ବନ୍ଧୁ ଦ୍ୱିତୀୟ ନାହାନ୍ତି । ବନ୍ଧୁ ପ୍ରେମର ନିର୍ମଳ ପବିତ୍ର ଜାହ୍ନବୀ ଧାରା କେବଳ ତାଙ୍କର ପ୍ରାଣରେ ପ୍ରବାହିତ ହୁଏ । ଯେ ଦୁଃଖରେ ଦୁଃଖୀ, ସୁଖରେ ସୁଖୀ, ସେହି ସିନା ପ୍ରକୃତ ବନ୍ଧୁ । ସୁଖବେଳେ ଅନେକ ଅଯାଚିତ ବନ୍ଧୁ ମିଳନ୍ତି, ମାତ୍ର ଦୁଃଖ ବେଳେ ଯେ ବଳେ ବଳେ ଆସି ବନ୍ଧୁ ହୁଏ, ସେ ଦେବବନ୍ଧୁ–ତାହାରି ବନ୍ଧୁତା ହିଁ ଅମୃତ । ସେରୂପ ପୁଣ୍ୟ ପ୍ରାଣ ହୃଦୟୀ ସୁବନ୍ଧୁ ଜଗତରେ ଦୁର୍ଲ୍ଲଭ । ଜୟକୃଷ୍ଣ ବାବୁ ମୋର ସେହିପରି ନିଃସ୍ୱାର୍ଥ ବନ୍ଧୁ, ପରାର୍ଥ ସାଧନା ତାଙ୍କର ସ୍ୱାର୍ଥ । ପ୍ରତ୍ୟହ ସକାଳେ ମୋତେ ଜାଲିବୋଟରେ ନେଇ ଚିଲିକାରେ ବୁଲାଇ ଆଣିବା ପାଇଁ ଜୟକୃଷ୍ଣ ବାବୁ ବୋଟ ଖଲାସିମାନଙ୍କୁ ଆଦେଶ ଦେଲେ । ସେମାନେ ପାଳିକରି ଆସି ଜାଲିବୋଟ ବାହାନ୍ତି । ଦିନେ ଦିନେ ଜୟକୃଷ୍ଣ ବାବୁ ମୋ ସଙ୍ଗରେ ଯାଆନ୍ତି । କେବେ ଘଣ୍ଟଶିଳା ପର୍ବତକୁ ଯାଉଁ, କେବେ ଚଢ଼େଇ ଗୁହା ଆଡ଼କୁ ଯାଉଁ, କେବେ ଗୋପକୁଦାକୁ ଯାଉଁ, କେବେ ଯାଇ ଛେଳିଆ କୁଦାରେ ଓହ୍ଲାଇ ବଣ ଭିତରେ ବୁଲୁଁ । କୁଦା ମାନଙ୍କରେ ଅସଂଖ୍ୟ ଆତଗଛ ଅଛି । ଖୁବ୍ ବଡ଼ ବଡ଼ ଆତ ଗଛରେ ପାଚିଥାଏ । ଥରେ ଆମ୍ଭେମାନେ କଞ୍ଚା, ପାକଲା ପ୍ରାୟ ପାଞ୍ଚଶ ଆତ ତୋଳି ଆଣିଥିଲୁଁ । କୁଦାରେ କାଙ୍କଡ଼ ଅପର୍ଯ୍ୟାପ୍ତ ହୁଏ । କୁଦାରୁ ଆସି ଚିଲିକା କୂଳରୁ ଶଙ୍ଖ, ଚିତ୍ରଶାମୁକା ସଂଗ୍ରହ କରିବାକୁ ହେଲା ।

 

କୂଳରୁ ବାର ମାଇଲ ଦୂରରେ ଚିଲିକା ଗର୍ଭରେ ‘‘ବରକୁଦା’’ ନାମରେ ଗୋଟିଏ ରମଣୀୟ ନିର୍ଜନ ଦ୍ୱୀପ ଅଛି । ସ୍ଥାନଟି ବନାକୀର୍ଣ୍ଣ ଏବଂ ମୃଗ କୂଳର ନିର୍ଭୟ ବିହାରସ୍ଥଳୀ । ସେଠାରେ ଅନେକ ପୁରୁଣା ଉଚ୍ଚ ବରଗଛ ଅଛି । ଗଛମୂଳ ବଡ଼ ବଡ଼ କଙ୍କଡ଼ା ଖୋଳ ଏବଂ ମାଛ କଣ୍ଟାରେ ପୂର୍ଣ୍ଣ । କୁରୁବଳ ନାମରେ ଏକ ପ୍ରକାର ବୃହତ୍ ସାମୁଦ୍ରିକ ପକ୍ଷୀ ଚିଲିକାରୁ ବଡ଼ ମାଛ ଏବଂ କଙ୍କଡ଼ା ଉଠାଇ ଆଣି ସେହିସବୁ ବରଗଛରେ ବସି ସୁଖରେ ଭୋଜନ କରେ । ଦ୍ୱୀପ ମଧ୍ୟରେ ‘‘ଚିଲିକା ଆଶ୍ରମ’’ ନାମରେ ଗୋଟିଏ ଦ୍ୱିତଳ ପ୍ରାସାଦ ଅଛି । ସ୍ୱର୍ଗୀୟ ରାଜା ହରିହର ମର୍ଦ୍ଦରାଜଙ୍କ ଆଦେଶରେ ତାହା ନିର୍ମିତ ହୋଇଥିଲା । ରାଜା ଅନେକ ସମୟରେ ଆସି ସେଠାରେ ରହୁଥିଲେ । ତାହାର ବାରଣ୍ଡାରେ ଖରାବେଳେ ମୃଗମାନେ ଆସି ଆଶ୍ରୟ ନିଅନ୍ତି । ଆଶ୍ରମଟି କାନକୁଟୁରୀ ପୋକରେ ପୂର୍ଣ୍ଣ । ତଳ, ଉପର, କାନ୍ଥ, ପିଣ୍ଡା ସର୍ବତ୍ର କାନକୁଟୁରୀମୟ । ଚିଲିକା ଆଶ୍ରମ ଏବେ କାନକୁଟୁରୀରୂପ ବାଳଖିଲ୍ୟ ଆଶ୍ରମରେ ପରିଣତ ହୋଇଅଛି । ଦ୍ୱୀପଖଣ୍ଡି ନିର୍ଜନତାର ଅନ୍ତୁଡ଼ିଶାଳ, ସୁତରାଂ ଶାନ୍ତି ଦେବୀଙ୍କର ଚିରବିଳାସ କାନନ । ଦିନେ ଆମ୍ଭେମାନେ ସେହି ଦ୍ୱୀପରେ ରହିଥିଲୁଁ । ସେଠାରେ ଗଛମୂଳସ୍ଥ ଲତାକୁଞ୍ଜ ମଧ୍ୟରେ ଅଷ୍ଟଭୁଜା ଚଣ୍ଡୀ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି ଅଛି । ଗୋଟାଏ ଜୀର୍ଣ୍ଣ ପ୍ରାଚୀନ ବାମ୍ଫି ଅଛି, ତାହା ଭିତରେ ଶତଶତ ପାରା ବାସ କରନ୍ତି । ସେମାନଙ୍କ ଅତ୍ୟାଚାରରେ ବାମ୍ଫିର ଜଳ ବିଷରେ ପରିଣତ ହୋଇଅଛି । ଦ୍ୱୀପରେ ସାନବଡ଼ ନାନା ଜାତିର ଅସଂଖ୍ୟ ପକ୍ଷୀ ଅଛନ୍ତି । ସେରୂପ ପକ୍ଷୀ ସାଧାରଣତଃ ଅନ୍ୟତ୍ର ଦେଖାଯାଆନ୍ତି ନାହିଁ । ଆଶ୍ରମଟିକୁ ଦୂରରୁ ଦେଖିଲେ ବୋଧହୁଏ ସ୍ୱୟଂ ଚିଲିକା ଦେବୀ ଜଳରୁ ଉଠି ଆସି ଦ୍ୱୀପରେ ଠିଆ ହୋଇ ଆର୍ଦ୍ରକେଶ ଶୁଖାଉ ଅଛନ୍ତି । କେତେଗୁଡ଼ାଏ ଗଛ ଏବଂ ଲତା କୋଠା ଉପରେ ଝୁଙ୍କି ପଡ଼ି ତାହାର କେଶ ତୁଲ୍ୟ ହୋଇଅଛି । ଚିଲିକା ଲହରୀ ସ୍ତରେ ସ୍ତରେ ଆସି ତାହାର ଗୋଡ଼ ଧୋଇ ଦେଉଅଛି । ସ୍ଥାନଟି ଯୋଗୀ ସନ୍ନ୍ୟାସୀର ଉପଯୁକ୍ତ ସାଧନାକ୍ଷେତ୍ର । ସେ ଦୃଶ୍ୟ ନିକଟରେ ଚକ୍ଷୁକୁ ବନ୍ଧା ଦେଲେ ଆଉ ମୁକୁଳାଇ ଆଣି ହୁଏ ନାହିଁ ।

 

ପ୍ରତ୍ୟେହ ଯାଇ ଚିଲିକାରେ ବୁଲିଆସେ । ସେଇ କେତେ ଦିନ ଚିଲିକା ମୋର ବିହାର ଦୀର୍ଘିକା ହୋଇଥିଲା । ଦିନେ ଦିନେ ହଂସ ଯୂଥରେ ଚିଲିକାର ବକ୍ଷ ଛାଇଯାଏ । ବୋଧହୁଏ ସତେ ଯେପରି ମହାତାପସୀ ଚିଲିକା ହୃଦୟରେ ସତ୍ତ୍ୱ ଗୁଣ ରାଶି ଫୁଟି ଉଠିଅଛି । କାଳିଜାଇ ଗିରି ଦେଖିବାକୁ ଏକାଧିକ ଥର ବାହାରିଥିଲୁ, ମାତ୍ର ପ୍ରତିଥର ପ୍ରଖର ପବନ ବହି ସେ ଦୀଦୃକ୍ଷା ପଣ୍ଡ କରିଥିଲା । ପ୍ରଖର ପବନବେଳେ ନାବିକମାନେ କାଳିଜାଇ ଗଣ୍ଡକୁ ନୌକା ନେବାକୁ ସାହସୀ ହୁଅନ୍ତି ନାହିଁ । କେତେ ବର୍ଷ ପରେ ବର୍ତ୍ତମାନ ରାଜାଙ୍କ ଆନୁକୂଲ୍ୟରେ କାଳିଜାଇ ଦେଖିଥିଲି, ତାହା ଯଥାସ୍ଥାନରେ ଲିଖିତ ହେବ । ଚିଲିକା ଭ୍ରମଣ ବୃତ୍ତାନ୍ତ ସ୍ୱତନ୍ତ୍ର ପୁସ୍ତକରେ ମୁଁ ବିସ୍ତୃତ ଭାବରେ ବର୍ଣ୍ଣନା କରିଅଛି, ତେଣୁ ଆଉ ସେ ବିଷୟରେ ଅଧିକ ଅଗ୍ରସର ହେଲି ନାହିଁ ।

 

ମଧ୍ୟାହ୍ନ ସମୟରେ ଜୟକୃଷ୍ଣ ବାବୁଙ୍କ ନିକାଞ୍ଚନ ଅଫିସ ଘରେ ବସି ମୁଁ ଲେଖାଲେଖି କରେଁ । ଚାରିଟା ବେଳେ ଜୟକୃଷ୍ଣ ବାବୁ ଗୋଟାଏ ଦୂରବୀକ୍ଷଣ ଯନ୍ତ୍ର ମୋ ହାତରେ ଦେଇ କାର୍ଯ୍ୟାନ୍ତରରେ ଯାଆନ୍ତି, ମୁଁ ବାରଣ୍ଡାରେ ବସି ଦୂର ପର୍ବତର ଦୃଶ୍ୟ ଆଖି ଆଗରେ ଦେଖେଁ । ଦୂରରୁ ନୌକା ଆସିଲା ବେଳେ ଠିକ୍‌ ଗୋଟାଏ ବଡ଼ ଚିଲ ପାଣିରେ ଲାଗି ଉଡ଼ି ଆସିଲା ପରି ଦେଖାଯାଏ । ଟିକିଏ ପାଖକୁ ଆସିଲେ ନୌକାର ଆରୋହୀମାନେ ଦୂରବୀକ୍ଷଣରେ ଦେଖାଯାଆନ୍ତି-। ସେମାନଙ୍କର ହସ୍ତ–ପଦ ସଞ୍ଚାଳନ, ହାବଭାବ ସବୁ ସ୍ପଷ୍ଟ ଦେଖାଯାଏ, କେବଳ କଥା ଶୁଣାଯାଏ ନାହିଁ । ରାତିରେ ସମୟ ସମୟରେ ଭୟଙ୍କର ଶବ୍ଦ ଶୁଭେ–ତାହା କୌଣସି ବୃହତ୍‍ ପକ୍ଷୀର ଶବ୍ଦ । ଅନେକ ପରିମାଣରେ ଘୁଟୁରୁଘୁମାର ଭୀଷଣ ଗଭୀର କୁନ୍ଥନ ଶବ୍ଦ ପରି । ରମ୍ଭାରେ ଥିବା ବେଳେ ମୋର କନ୍ୟା ଶ୍ରୀମତି ସରସ୍ୱତୀର ଜନ୍ମ ସଂବାଦ ଶୁଣିଲି । ମାସକ ପୂର୍ବରୁ ସୋମନାଥର ପ୍ରଥମ କନ୍ୟା ଶ୍ରୀମତୀ ହରପ୍ରିୟା ଜନ୍ମ ହୋଇଥିଲା, ସେତେବେଳେ ମୁଁ ଘର ପାଖରେ ଥିଲି । ତାହାର ଜନ୍ମର ସପ୍ତମ ଦିନ ମୁଁ ରମ୍ଭା ଗଲି । ବର୍ତ୍ତମାନ ସେ ଦୁଇଟିଯାକ କନ୍ୟା ସୁପାତ୍ରର ହସ୍ତ ଧାରଣ କରିଅଛନ୍ତି ।

 

ଗଦାଧର ସାମନ୍ତ ଅନେକ ସମୟରେ ରମ୍ଭା ଆସନ୍ତି । ଦିନେ ସେ, ମୁଁ, ଜୟକୃଷ୍ଣ ବାବୁ ଏବଂ ଆଉ କେତେଜଣ ମିଶି ଗଞ୍ଜା ଦୁର୍ଗ ଦେଖିବାକୁ ଗଲୁ । ତାହା ମୁସଲମାନ ନବାବ୍‌ ଅମଳର ଦୁର୍ଗ, ସମୁଦ୍ର ଏବଂ ଋଷିକୂଲ୍ୟାର ସଙ୍ଗମ ସ୍ଥଳରେ ଅବସ୍ଥିତ । ବର୍ତ୍ତମାନ ଦୁର୍ଗର ଭଗ୍ନାବଶେଷ ମାତ୍ର ଅଛି । ଗୋଟିଏ ତ୍ରିତଳ ପ୍ରାସାଦ କାଳ–ଦନ୍ତରେ ଚର୍ବିତ ହୋଇ କ୍ଷତ ବିକ୍ଷତ ଜୀର୍ଣ୍ଣ ଦେହରେ ଦଣ୍ଡାୟମାନ ରହି ଅତୀତ ଭାଗ୍ୟର କରୁଣ ସ୍ମୃତି ଧାରଣ କରିଅଛି । ସେଠାରେ ସମୁଦ୍ର ଋଷିକୂଲ୍ୟା ସଙ୍ଗମର ଦୃଶ୍ୟ ଚିର ଅପାଶୋରା । ସମୁଦ୍ର ବାହୁ ବିସ୍ତାର କରି ଆସି ଖଣ୍ଡେ ଦୂରରୁ ଋଷିକୂଲ୍ୟାକୁ ଆଲିଙ୍ଗନ କରି ନେଇ ଯାଉଅଛି । ଋଷିକୂଲ୍ୟା କୁଳୁକୁଳୁ ଶବ୍ଦରେ ହୃଦୟର ବ୍ୟଥା ପତି ପାଖରେ ନିବେଦନ କରୁଅଛି । ତେଜସ୍ୱୀ ପତି ସମବେଦନାରେ ଗର୍ଜନ ଛଳରେ ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛି । କିଛି ଦୂର ଯାଇ ଦୁହେଁ ମିଶି ଏକ ହୋଇ ଯାଉଅଛନ୍ତି–ଆଉ ବାରି ହେଉ ନାହିଁ । ଶଙ୍ଖଚିଲ ଉଡ଼ି ଉଡ଼ି ଦୁହିଙ୍କର ମିଳନର ଶୁଭଶଙ୍ଖ ବଜାଉ ଅଛି । ଅନ୍ୟ ପକ୍ଷୀମାନେ ହୁଳାହୁଳୀ ଦେଉଅଛନ୍ତି । ଏହି ମିଳନ ଅଖଣ୍ଡ ମିଳନ, ଏ ମହାମିଳନର ଆଉ ବିଚ୍ଛେଦ ନାହିଁ । ଦିନେ ଜୀବନନଦୀ ମୃତ୍ୟୁ ମହାସାଗରରେ ଏହିପରି ମିଶିଯାଏ–ପ୍ରକୃତି ବୋଧହୁଏ ସଙ୍କେତରେ ସେହି ଦୃଶ୍ୟ ଦେଖାଉଅଛି । ଜୀବନ ମୃତ୍ୟୁକୁ ଖୋଜି ବୁଲୁଥାଏ, ପାଇଲେ ଆଉ ଛାଡ଼ିଦିଏ ନାହିଁ–ତାହା ସଙ୍ଗରେ ଅଭେଦ ଭାବରେ ମିଶିଯାଏ । ଜୀବନ ବୋଲି ଯାହାକୁ କହନ୍ତି, ସେ ମୃତ୍ୟୁର ଯାମଳ ସହୋଦର । ଦୁହିଁଙ୍କର ବେଶ୍‌ ସଦ୍‌ଭାବ–ଏକମନ, ଏକପ୍ରାଣ, ଏକ ଆତ୍ମା । ଜୀବନ ଏବଂ ମୃତ୍ୟୁ ବିଭିନ୍ନ ନୁହେଁ । ତାହା ଏକ ବ୍ୟକ୍ତିର ଦୁଇଟି ନାମ ପରି । ଯେ ଜୀବନ ନାମ ଧରି ଆସେ, ସେ ମୃତ୍ୟୁ ନାମ ଧରିଯାଏ । ଏକ ଅଭିନେତା ଅନାଦି କାଳ ଜୀବନ ବେଶ ପିନ୍ଧି ଆସି ଅଭିନୟ କରି ସାରି ପୁଣି ମୃତ୍ୟୁ ବେଶ ପିନ୍ଧି ଆସେ ।

 

ଗଡ଼ ଚାରିପାଖରେ ଖାଇ ଅବଧି ଅଛି । ଦୁର୍ଗ ଭିତରୁ ଋଷିକୂଲ୍ୟାକୁ ସୁଡ଼ଙ୍ଗ ପଥ ଅଛି । ସେହି ପଥରେ ଅନ୍ତଃପୁରସ୍ଥା ମହିଳାମାନେ ଋଷିକୂଲ୍ୟାକୁ ସ୍ନାନ କରିବାକୁ ଯାଉଥିଲେ । ବର୍ତ୍ତମାନ ସେ ପଥ ରୁଦ୍ଧ ହୋଇଅଛି । ଘର ସବୁ ଭାଙ୍ଗି ଯାଇଅଛି, କେବଳ ଉପରୋକ୍ତ ତ୍ରିତଳ କୋଠାଟି ମୁମୂର୍ଷୁ ଅବସ୍ଥାରେ ରହି ଅତୀତ ସୌଭାଗ୍ୟ ସ୍ମରଣ କରି ସାଗର ଗର୍ଜନର ପ୍ରତିଧ୍ୱନି ଛଳରେ ହାହାକାର କରୁଅଛି । ଦୁର୍ଗର ଅଭ୍ୟନ୍ତର କଣ୍ଟକାକୀର୍ଣ୍ଣ, ସିଂହ ଗୁମ୍ଫା ଏବଂ ଶୃଗାଳର ବିହାରସ୍ଥଳ ହୋଇଅଛି । ଯେଉଁଠି ଅତର ପୁଷ୍ପସାରର ଧାରା ବହୁଥିଲା ସେ ସ୍ଥାନ ଏବେ କଣ୍ଟାବଣ ନିୟତିର ଅସାଧ୍ୟ କଅଣ ? ବାରୁଦ ରହିବା ଘରଟି ଅଦ୍ୟାପି ଅକ୍ଷତ ଅଛି । ତାହାର କାନ୍ଥ ଏବଂ ଛାତ ଲୁହା ପରି ଶକ୍ତ । ସେ ସ୍ଥାନକୁ ଗଲେ ସଂସାରର ଅନିତ୍ୟତା ଚିନ୍ତା ହୃଦୟକୁ ଅବସନ୍ନ କରିପକାଏ । ଆଜି ଯେ ଅମରାବତୀ, କାଲି ସେ ଶ୍ମଶାନ ! ଆଜି ଯେ ରତ୍ନ ଗନ୍ତାଘର, କାଲି ସେ ଅଙ୍ଗାରପୂର୍ଣ୍ଣ ଚୁଲି ! ବିଧାତାର କି ନିର୍ମମ ପରିହାସ । ଦୁଃଖ ସିନା ମନୁଷ୍ୟର, ମାତ୍ର କାଳର ତ ଦୁଃଖ ବା ଅନୁତାପ ନାହିଁ–ଭଙ୍ଗାଗଢ଼ା ତ ତାହାର କୌତୁକ ! ସେ ନିର୍ବିକାର, ତାହାର ବିକାର ଜାତ ହୁଏ ନାହିଁ–ସବୁ ବିକାର ଏକା ହତଭାଗ୍ୟ ଜୀବ ମନୁଷ୍ୟର ।

 

ଦୁର୍ଗର ଅଦୂରରେ ଗୋଟାଏ ପ୍ରଶସ୍ତ କବର କ୍ଷେତ୍ର ଅଛି । ନବାବ ଇଂରାଜଙ୍କ ଯୁଦ୍ଧବେଳେ ଯେଉଁ ଇଂରାଜ ବୀରମାନେ ଯୁଦ୍ଧରେ ପ୍ରାଣତ୍ୟାଗ କରିଥିଲେ, ସେମାନଙ୍କର କବର ସେଠାରେ ଅଛି । କବରରେ ଖୋଦିତ ପ୍ରସ୍ତର–ସ୍ମୃତି-ଫଳକ ଜଡ଼ିତ ହୋଇ ରହିଅଛି । ସେ ଯୁଦ୍ଧରେ ଅନେକ ପ୍ରଧାନ ଇଂରାଜ ବୀର ନିହତ ହୋଇଥିଲେ । କେଉଁଠି ଜନ୍ମ ହେଲେ, କେଉଁଠି ଆସି ଦେହତ୍ୟାଗ କଲେ ଏହା ଭାବିଲେ ଦେହ ଶୀତେଇ ଉଠେ । ନିଜେ ମରି ଭାବୀ ବଂଶଧରଙ୍କର ଅଦୃଷ୍ଟ ଉଜ୍ୱଳ କରିଗଲେ–ଏହା ସାମାନ୍ୟ ତ୍ୟାଗ–ଗୌରବର ଦୃଷ୍ଟାନ୍ତ ନୁହେଁ । ଗଞ୍ଜା ପୂର୍ବେ ଜିଲାର ରାଜଧାନୀ ଥିଲା । କି ପ୍ରାକୃତିକ କାରଣରୁ ସେଠାର ଜଳବାୟୁ ଦୂଷିତ ହୋଇଗଲା । ଭୀଷଣ ମଡ଼କରେ ନଗର ପ୍ରାୟ ଜନଶୂନ୍ୟ ହୋଇଗଲା । ସେହି ଦିନଠାରୁ ରାଜଧାନୀ ଛତ୍ରପୁରକୁ ଉଠିଗଲା-। ଛତ୍ରପୁରର ଅପର ନାମ ସୀତାରାମ ପଲ୍ଲୀ । ଛତ୍ରପୁର ନାମରେ ରାଜଧାନୀ ହେଲେହେଁ ପ୍ରକୃତ ରାଜଧାନୀ ବ୍ରହ୍ମପୁର । ଛତ୍ରପୁରରେ କଲେକ୍‍ଟର ଥାଆନ୍ତି, ଆଉ ସବୁ ଅଫିସ୍‌ ଅଦାଲତ ବ୍ରହ୍ମପରରେ । ଗଞ୍ଜାମରେ ନଡ଼ିଆ ବଗିଚା ବହୁଳ ପରିମାଣରେ ଦୃଷ୍ଟ ହୁଏ । ଧନୀ ଦରିଦ୍ର ହେଲେ ଯେଉଁପରି ମିଳନ ବିବର୍ଣ୍ଣ ଦେଖାଯାଏ, ଗଞ୍ଜାମର ଅବସ୍ଥା ସେହିପରି ।

 

ପ୍ରାୟ ଛଅମାସ ପୂର୍ବରୁ ସୁରଙ୍ଗୀର ରାଜା ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦେବ ବିଲାତ ଭ୍ରମଣ କରିବାକୁ ଯାଇଥିଲେ, ସେ ଫେରିଆସି ଯେଉଁଦିନ ବ୍ରହ୍ମପୁରରେ ପହୁଞ୍ଚିଲେ ସେଦିନ ତାଙ୍କୁ ଅଭ୍ୟର୍ଥନା କରିବା ସକାଶ ବ୍ରହ୍ମପୁରରେ ବିରାଟ ସଭା ହୋଇଥିଲା । ଜୟକୃଷ୍ଣ ବାବୁ ସେଦିନ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯାଇଥିଲେ । ଫେରିଆସି ମୋତେ କହିଲେ–‘‘ବ୍ରହ୍ମପୁରରେ ଓଡ଼ିଆ, ତେଲଙ୍ଗା ମିଶି ସୁରଙ୍ଗୀ ରାଜାଙ୍କୁ ଅଭିନନ୍ଦନ ଦେଲେ । ଆମ ଏଠାରେ ବି ସଭା କରିବା ଉଚିତ । ରାଜନ୍ୟ ସମାଜ ମଧ୍ୟରେ ସେ ପ୍ରଥମେ ବିଲାତ ଯାଇ ଗୋଟାଏ ବାଟ ଫିଟାଇ ଅଛନ୍ତି, ସେଥିପାଇଁ ସେ ସାମାଜିକ କୁସଂସ୍କାରକୁ ଭୟ କରି ନାହାନ୍ତି । ଏଡ଼େ ବଡ଼ ସଂସ୍କାର କାର୍ଯ୍ୟରେ ଅଗ୍ରସର ହୋଇ ସେ ଗୋଟାଏ ମହତ୍‌ ଆଦର୍ଶ ଦେଖାଇଅଛନ୍ତି, ସେଥିପାଇଁ ତାଙ୍କୁ ଅଭିନନ୍ଦିତ କରିବା କର୍ତ୍ତବ୍ୟ ।’’ ମୁଁ ତାଙ୍କର ଏ ସାଧୁ ପ୍ରସ୍ତାବ ସମର୍ଥନ କଲି । ସେଦିନ ରାତିରେ ସଭା ହେଲା । ସ୍ଥାନୀୟ ଶିକ୍ଷିତ ବ୍ୟକ୍ତି, ବିଶିଷ୍ଟ ବ୍ୟକ୍ତି, ମହାଜନ ପ୍ରଭୃତି ସଭାରେ ଯୋଗଦେଲେ; ମାତ୍ର ଏତେ ଲୋକ ମଧ୍ୟରେ ସଭାପତିର ଦୁର୍ଭିକ୍ଷ ଘଟିଲା । ଯାହା ନାମ ପ୍ରସ୍ତାବ ହେଲା, ସେ ପଛଘୁଞ୍ଚା ଦେଲେ । ସଭାପତି ହେଲେ ହିମାଳୟ ପର୍ବତ ଉପାଡ଼ିବାକୁ ହେବ, କି ସମୁଦ୍ର ବୋହି ଶୁଖାଇବାକୁ ହେବ–କି ଅସାଧ୍ୟ ଗୁରୁଦାୟିତ୍ୱ ମୁଣ୍ଡାଇବାକୁ ହେବ କେଜାଣି, ସମସ୍ତେ ମୁହଁ ମୋଡ଼ିଲେ । ବିଲାତ ଫେରନ୍ତା ରାଜା, କାଳେ ପଛକୁ କି ଅଡ଼ୁଆ ଲାଗିବ, ପୁଣି ସଭାପତି ହେଲେ କିଛି କହିବାକୁ ହେବ, ତାହା ପୁଣି ରାଜାଙ୍କ ସପକ୍ଷରେ । ଗାଇ ନ ଜାଣିଲେ ଚଅଁର ଧରିବା ଲଜ୍ଜାର କଥା, ସୁତରାଂ ଏତେ ବଲେଇକି ଯାଏ କିଏ–ସବ୍‌ସେ ଚୁପ୍‌ ଭଲା–ବୋଧହୁଏ ଏହି କଥା ଭାବି ସମସ୍ତେ ଅମଙ୍ଗ ହେଲେ । ଶେଷରେ ପାଟହାତୀ ସୁନାକଳସ ଆଣି ମୋ ମୁଣ୍ଡରେ ଢାଳିଲା । ମୁଁ ସଭାପତି ହେଲି । କେହି କେହି ବକ୍ତୃତା କଲେ । ମସ୍ତକ ମୁଣ୍ଡନ ଏବଂ ଗୋବର ପାଣି ପିଇବା ବିରୁଦ୍ଧରେ ମଧ୍ୟ ବକ୍ତୃତା ହେଲା । ଶେଷରେ ମୋ ପାଳି ପଡ଼ିଲା, ମୁଁ ଉଠି ଚାରିପଦ କହିଲି, ମାତ୍ର କଅଣ କହିଥିଲି ମନରେ ନାହିଁ । ସେତିକି ଶୁଣିଲେ ବି କାହାରି ଚତୁର୍ଭୁଜ ବା ବହୁଭୁଜ ହୋଇଯିବାର ସମ୍ଭାବନା ଆଦୌ ନାହିଁ । ରାଜାଙ୍କୁ ଅଭିନନ୍ଦନ ଦେବା ପ୍ରସ୍ତାବ ମାମୁଲି ଧାରାରେ ଅନୁମୋଦନ, ସମର୍ଥନ କରାଗଲା । ସେଦିନର ସଭାର ବିବରଣୀ ଟେଲିଗ୍ରାମ୍‌ ଦ୍ୱାରା ତତ୍‌କ୍ଷଣାତ୍‌ ରାଜାଙ୍କୁ ଜଣାଇ ଦିଆଗଲା । ମୁଁ ସଭାପତି, ସୁତରାଂ ଟେଲିଗ୍ରାମ୍‌ ମୋ ନାମରେ ଗଲା । ଶେଷରେ ମଧୁରେଣ ସମାପୟେତ୍‌ ନୀତିରେ ଜଳ ଯୋଗର ବ୍ୟବସ୍ଥା ପରେ ସଭାଭଙ୍ଗ ହେଲା ।

 

ତହିଁ ପରଦିନ ରାଜାଙ୍କର ଟେଲିଗ୍ରାମ୍‌ ପାଇଲି । ସେ ଲେଖିଥିଲେ–ଆସନ୍ତା ରେଲରେ ଅତି ଶୀଘ୍ର ଆସ । ମୁଁ ତଦନୁସାରେ ଇଚ୍ଛାପୁର ଗଲି । ମୁଁ ପହୁଞ୍ଚିବା ପୂର୍ବରୁ ରାଜା ସୁରଙ୍ଗୀ ବାହାରି ଯାଇଥିଲେ । ସୁରଙ୍ଗୀର ପ୍ରଜାମାନେ ସଭାକରି ସେଦିନ ତାଙ୍କୁ ଅଭିନନ୍ଦନ ଦେଇଥିଲେ । ମତେ ସୁରଙ୍ଗୀ ପଠାଇ ଦେବା ପାଇଁ ରାଜା ଜଣେ କର୍ମଚାରୀକୁ କହିଯାଇଥିଲେ । ମୋ ସଙ୍ଗରେ କେହି ନାହିଁ, ଏକୁଟିଆ ଗଲେ ସେଠାରେ ଚଳିବା କଷ୍ଟକର ହେବ । ବିଶେଷତଃ ରାଜା ସେଦିନ ରାତିରେ ଇଚ୍ଛାପୁର ଫେରିଆସିବେ । ହୁଏତ ବାଟରେ ତାଙ୍କୁ ଦେଖି ଫେରିବାକୁ ପଡ଼ିବ, ଏହା ଭାବି ଯିବା ଉଚିତ ମନେକଲି ନାହିଁ । କର୍ମଚାରୀଟି ଶଗଡ଼ ଆଣି ଫେରାଇ ନେଇଗଲା । ଷ୍ଟେସନ ପାଖ ଗଣପତି ଚୌଧୁରୀ ବସା ଘରେ ମୁଁ ରହିଲି । ଚୌଧୁରୀ ମୋର ପୂର୍ବ ପରିଚିତ; ସେ ମୋର ଖାଇବାର ବ୍ୟବସ୍ଥା ତାଙ୍କ ଘରେ କରିଦେଲେ । ଇଚ୍ଛାପୁରରୁ ସୋମନାଥକୁ ଟେଲିଗ୍ରାମ୍‌ କରିଦେଲି, ସେ ତହିଁଆର ଦିନ ରେଲରେ ଯାଇ ପହୁଞ୍ଚିଲା । ଗୋଟାଏ ଘର ଭଡ଼ା ନେଇ ରହିଲୁଁ । ପ୍ରାୟ ରାତି ବାରଟା ବେଳେ ରାଜା ସୁରଙ୍ଗୀରୁ ଫେରି ଆସିଲେ । ତହିଁ ପରଦିନ ମୁଁ ସାକ୍ଷାତ୍ କରିବାକୁ ଗଲି । ରାଜା, ତାଙ୍କ ଭାଇ ଚକ୍ରପାଣି ସାମନ୍ତ ଏବଂ ମୟୂରଭଞ୍ଜର ମନମୋହନ ମହାପାତ୍ର ବସିଥିଲେ, ମୁଁ ଯାଇ ପହୁଞ୍ଚିଲି । ମନମୋହନ ମୟୂରଭଞ୍ଜ ଷ୍ଟେଟ୍‍ର କଲେକ୍‌ଟର ଗୋବିନ୍ଦ ବାବୁଙ୍କ ପୁଅ । ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ କି ଗୋଟାଏ ବିଦ୍ୟା ଶିଖାଇବା ପାଇଁ ତାଙ୍କୁ ବିଲାତ ପଠାଇଥିଲେ । ମନମୋହନ ସେଠାରେ ଯାଇ ପ୍ରେମ ବିଦ୍ୟା ଶିଖି ଜଣେ ଭଦ୍ରଲୋକର କନ୍ୟାକୁ ବିବାହ କଲେ । ମୟୂରଭଞ୍ଜ ମହାରାଜା ତାଙ୍କର ଏ ଉନ୍ନତିର ସମ୍ବାଦ ପାଇ ମାସିକ ଯାହା ବୃତ୍ତି ଦେଉଥିଲେ ତାହା ବନ୍ଦ କରିଦେଲେ । ଅର୍ଥାଭାବରୁ ମହାପାତ୍ରେ ଆସିପାରୁ ନ ଥିଲେ । ସୁରଙ୍ଗୀ ରାଜା ବିଲାତରୁ ଫେରିବା ବେଳେ ଦେବାନ୍‌ ବା ସେକ୍ରେଟରୀ କରିବା ସକାଶ ତାଙ୍କୁ ଶହେ ଟଙ୍କା ବେତନରେ ନିଯୁକ୍ତ କରି ସଙ୍ଗରେ ଘେନି ଆସିଲେ । ସେ ଯେଉଁ ମେମ୍‌କୁ ବିବାହ କରିଥିଲେ ସେ ମଧ୍ୟ ଆସିଥିଲା । ମୁଁ ମୟୂରଭଞ୍ଜରେ ଥିଲାବେଳେ ମହାପାତ୍ରେ ହାଇସ୍କୁଲରେ ପଢ଼ୁ୍ଥିଲେ, ମନୋରମା ଅଫିସକୁ ମଧ୍ୟ ଅନେକଥର ଯାଇଥିଲେ । ସେ ମୋତେ ଚିହ୍ନିପାରିଲେ ନାହିଁ । ସେ ସାହେବ ପୋଷାକ, ସାହେବ ଟୋପି ପିନ୍ଧି ଚଷମା ଲଗାଇ ବସିଥିଲେ, ମୁଁ ବି ତାଙ୍କୁ ଚିହ୍ନିପାରିଲି ନାହିଁ । ରାଜା ଚିହ୍ନାଇ ଦେଲେ । ସେହି ଦିନଠାରୁ ସପ୍ତାହେ ପର୍ଯ୍ୟନ୍ତ ଖାଲି ବିଲାତ କଥା ଲାଗିଲା ।

 

ରାଜା ବିଲାତରୁ ଆସି ପ୍ରାୟଶ୍ଚିତ କଲେ ନାହିଁ ବୋଲି ରକ୍ଷଣଶୀଳ ଦଳ ଫୁସୁର ଫାସର ହେଲେ । ତାହା ଶୁଣି ସଂସ୍କାର ପ୍ରିୟ ସୁରଙ୍ଗୀ ରାଜା କହିଲେ–‘‘ମୁଁ କୌଣସି ପାପ କରିବାକୁ ଯାଇ ନ ଥିଲି, ବିଦେଶ ଭ୍ରମଣ କରି ଅଭିଜ୍ଞତା ଅର୍ଜନ କରିବାକୁ ଯାଇଥିଲି । ଜ୍ଞାନାର୍ଜନ ତ ପାପ ନୁହେଁ, ତେବେ ପ୍ରାୟଶ୍ଚିତ କାହିଁକି କରିବି ?’’ ଗଞ୍ଜାମର ଅନେକ ସ୍ଥାନରୁ, ସଭାସମିତିରୁ ତାଙ୍କଠାକୁ ଅଭିନନ୍ଦନ ପତ୍ର ଆସୁଥାଏ । ଦିନେ ରାଜା କହିଲେ–ଏହି ଅଭିନନ୍ଦନ ଗୁଡ଼ିକ ଏକତ୍ର କରି ଖଣ୍ଡେ ପୁସ୍ତକ ପ୍ରକାଶ କଲେ ଅତିରକ୍ଷଣଶୀଳ ଦଳର ଆଖି ଫିଟନ୍ତା । ଏହି ସମୟରେ ଆମ ଗ୍ରାମର ମାର୍କଣ୍ଡେୟ ମହାନ୍ତି ଇଞ୍ଜିନିୟରିଂ ପାସ୍‌ କରି ବିଲାତରୁ ଆସିଥାଆନ୍ତି । ସେ ବିଲାତରୁ ମୋତେ ଯେଉଁସବୁ ପତ୍ର ଲେଖିଥିଲେ, ସେଥିରୁ ଜ୍ଞାତବ୍ୟ ଅଂଶ ମୁଁ ପତ୍ରିକାମାନଙ୍କରେ ପ୍ରକାଶ କରିଥିଲି । ସେ ଯେଉଁ ଦିନ ଆସି ପହୁଞ୍ଚିଲେ ମୁଁ ତାଙ୍କ ପାଇଁ ଅଭ୍ୟର୍ଥନା ସଭା କରିବାକୁ ଯତ୍ନ କରିଥିଲି । ରକ୍ଷଣଶୀଳଙ୍କ ନିଷେଧ ସତ୍ତ୍ୱେ ମୁଁ ଏହା କରିଥିବାରୁ ସେମାନଙ୍କର ଚକ୍ଷୁଶୂଳ ହୋଇଥିଲି । କେବଳ ମାର୍କଣ୍ଡ ବାବୁଙ୍କ ଘରେ ମୁଁ ଖାଇଥିଲି ନାହିଁ ବୋଲି ମୋତେ ପ୍ରାୟଶ୍ଚିତ କରିବାକୁ ବାଧ୍ୟ କରାହୋଇ ନାହିଁ, ମାତ୍ର ଯେଉଁମାନେ ଖାଇଥିଲେ, ସେମାନେ ମସ୍ତକ ମୁଣ୍ଡନ କରି ଗୋବର ପାଣି ପିଇଥିଲେ । କେହି କେହି ଏକାଧିକ ଥର ପ୍ରାୟଶ୍ଚିତ କରିଥିଲେ । ସେ ସମୟରେ ପ୍ରାୟଶ୍ଚିତର ଧୂମ୍‌ ଲାଗିଥାଏ । ହାଣ୍ଡିହାଣ୍ଡି ଗୋରୁମୂତ, ଗୋବର ପାଣି ପ୍ରାୟଶ୍ଚିତରେ ଉଡ଼ିଯାଇଅଛି । ବିଲାତଫେରନ୍ତା ଘରୁ ଖାଇଥିବା ହେତୁ ଯେଉଁମାନଙ୍କର ଜାତି ଯାଇଥାଏ, ପ୍ରାୟଶ୍ଚିତ କଲାକ୍ଷଣି ତାଙ୍କ ଜାତିଟା ସୁନାପୁଅ ପରି ଫେରି ଆସେ । ଏହିପରି ହାସ୍ୟକର ଅଭିନୟ ଲାଗିଥାଏ । କିନ୍ତୁ ସେକାଳକୁ ଏକାଳ ଅନେକ ଅନ୍ତର । ଯେଉଁମାନେ ମାର୍କଣ୍ଡ ବାବୁଙ୍କୁ ଅଜାତି କରିଥିଲେ, ଏବେ ସେମାନେ ଅନାହୂତ ଭାବରେ ଯାଇ ତାଙ୍କ ଘରେ ପତ୍ର କୁଣ୍ଢାଇ ବସୁଛନ୍ତି । ଜାତିର ମୂଲ୍ୟ–ଜାତିର ଗୌରବ ଯେ ଏହିପରି ବୁଝନ୍ତି, ତାଙ୍କର ଜାତିଥିଲା ପରି ବୋଧହୁଏ ନାହିଁ । ସପକ୍ଷ, ବିପକ୍ଷ ଦୁଇଟା ଦଳ ସୃଷ୍ଟି ହୋଇ ପରସ୍ପରକୁ ଅପଦସ୍ତ କରିବାକୁ ପ୍ରାଣପଣରେ ଲାଗିଥାଆନ୍ତି । ଅନେକ ମାଲିମକଦ୍ଦମା ଚାଲିଥାଏ । ଗୁଡ଼ାଏ ସ୍ୱାର୍ଥପର ମଝିରେ ରହି କାଞ୍ଜି ଗୋଳିଆ ପରି ଏ ପାଖ ସେ ପାଖ ହେଉଥାଆନ୍ତି । ବାଦୁଡ଼ି ପରି କେତେବେଳେ ସେମାନେ ପକ୍ଷୀ ହୁଅନ୍ତି, ପୁଣି କେତେବେଳେ ପଶୁ ହୋଇ ପ୍ରଚ୍ଛନ୍ନ ସ୍ୱାର୍ଥ ସାଧନରେ ଲାଗି ଥାଆନ୍ତି । ଅକାରଣ ଅର୍ଥର ଶ୍ରାଦ୍ଧ ହେଉଥାଏ ।

 

ରାଜାଙ୍କର ପ୍ରସ୍ତାବରେ ମୁଁ ସମ୍ମତ ହୋଇ କହିଲି–ବିଲାତ ଯାତ୍ରା ସମ୍ବନ୍ଧରେ ଉତ୍କଳର ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ ଆଣି ସେହି ପୁସ୍ତକରେ ଦେଲେ ଆହୁରି ଭଲ ହୁଅନ୍ତା । ରାଜା ସେଥିରେ ସ୍ୱୀକୃତ ହୋଇ ମତ ସଂଗ୍ରହର ଭାର ମୋତେ ଗ୍ରହଣ କରିବାକୁ କହିଲେ । ମୁଁ ପ୍ରାୟ ଶତାଧିକ ପତ୍ର ଲେଖି ଉତ୍କଳର ନେତୃସ୍ଥାନୀୟ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ନିକଟକୁ ପଠାଇଲି । ଅଧିକାଂଶ ବ୍ୟକ୍ତିଙ୍କର ମତ ପାଇଲି, ସମସ୍ତେ ଅନୁକୂଳ ମତ ଦେଇଥିଲେ । କେତେକଙ୍କୁ ଏକାଧିକ ପତ୍ର ଲେଖି ଉତ୍ତର ପାଇଲି ନାହିଁ । ପ୍ରାପ୍ତ ଅଭିନନ୍ଦନ ଏବଂ ମତଗୁଡ଼ିକ ଏକତ୍ର କରି ମୁଁ ପାଣ୍ଡୁଲିପି ପ୍ରସ୍ତୁତ କଲି । ରାଜା ପୁସ୍ତକର ନାମ ‘‘ସମୁଦ୍ର ଯାତ୍ରା’’ ରଖିଲେ । ପ୍ରିଣ୍ଟିଂ କୋମ୍ପାନୀ ପ୍ରେସ୍‍ରେ ପୁସ୍ତକ ଛାପା ହେଲା । ମତଦାତାମାନଙ୍କ ନିକଟକୁ ଏବଂ ପାଠାଗାର, ସମ୍ବାଦପତ୍ରମାନଙ୍କୁ ଡାକରେ ପୁସ୍ତକ ପଠାଗଲା । ହାତରେ କେତେ ବିତରଣ କରାଗଲା । ସେହି ପୁସ୍ତକ ବାହାରିଲା ପରେ ମାର୍କଣ୍ଡବାବୁଙ୍କ ସମ୍ବନ୍ଧୀୟ ପ୍ରାୟଶ୍ଚିତ ଆନ୍ଦୋଳନ ଊଣା ହୋଇ ଆସିଲା । ରାମଶଙ୍କର ରାୟ ପ୍ରଭୃତି ବେଦବିତ୍‌ କୃତବିଦ୍ୟ ବ୍ୟକ୍ତିମାନେ ବିଲାତଯାତ୍ରା ସପକ୍ଷରେ ବେଦ ପ୍ରଭୃତିରୁ ଉଦାହରଣ ଦେଇ ଲେଖିଥିଲେ । ବିପକ୍ଷଦଳ ସେଥିରେ ପ୍ରତିବାଦ କରିବାକୁ ସାହସୀ ହେଲେ ନାହିଁ । ତହିଁପରେ ରାଜା ତାଙ୍କ ପ୍ରଣୀତ ପ୍ରହ୍ଲାଦ ନାଟକ ଏବଂ ରୁକ୍ମିଣୀ ପରିଣୟ ନାଟକ ସଂସୋଧନ କରି ପାଣ୍ଡୁଲିପି ପ୍ରସ୍ତୁତ କରିବାକୁ କହିଲେ । ସେ ଦୁଇଖଣ୍ଡ ଖୁବ୍‌ ବଡ଼ ପୁସ୍ତକ । ପାଣ୍ଡୁଲିପି ପ୍ରସ୍ତୁତ ହୋଇ ସେ ଦିଖଣ୍ଡ ରହିଲା । ଆଜି ପର୍ଯ୍ୟନ୍ତ ତାହା ଛପା ହୋଇ ନାହିଁ । ମୁଁ ଘର ପାଖରେ ଥିବାବେଳେ ବିକ୍ରମାଦିତ୍ୟ ଆରମ୍ଭ କରିଥିଲି । ସେହି ଲେଖା ଅବସର କ୍ରମେ ଇଚ୍ଛାପୁରରେ ଅଗ୍ରସର ହେଉଥାଏ । ଏଥିମଧ୍ୟରେ ମୁଁ ଉଦ୍ୟାନଖଣ୍ଡରେ ବୁଲି ଆସି ଉଦ୍ୟାନଖଣ୍ଡ ନାମରେ ପୁସ୍ତକ ଲେଖିଲି । ଉଦ୍ୟାନଖଣ୍ଡର ସମସ୍ତ ଅଂଶ ଦେଖିବାର ସୁବିଧା ହେଲା ନାହିଁ । କେତେକ ଅଂଶ ଦେଖିଥିଲି । ତାହାର କେତେ ବର୍ଷ ପରେ କୃଷ୍ଣଚନ୍ଦ୍ର ମହାନ୍ତି ଇଚ୍ଛାପୁର ଇଲାକାରେ ସ୍କୁଲ ସବ୍‌ଇନ୍‌ସ୍ପେକ୍‍ଟର ହୋଇଗଲେ । ସେ ମୋତେ ସଙ୍ଗରେ ନେଇ ସମୁଦାୟ ଉଦ୍ୟାନଖଣ୍ଡ ଦେଖାଇ ଆଣିଲେ । ତହିଁପରେ ଉଦ୍ୟାନଖଣ୍ଡର ଦ୍ୱିତୀୟ ସଂସ୍କରଣ ଛାପା ହେଲା । କୃଷ୍ଣବାବୁ ଜଣେ ଉଚ୍ଚଶିକ୍ଷିତ ଉନ୍ନତମନା ବ୍ୟକ୍ତି । ମାତୃ ସାହିତ୍ୟର ଅଭିବୃଦ୍ଧି ପାଇଁ ସବୁବେଳେ ତାଙ୍କ ପ୍ରାଣ ବ୍ୟାକୁଳ । ତାଙ୍କର ଗୀତାନୁବାଦ ତାଙ୍କ ଶକ୍ତିର ପରିଚାୟକ ।

 

ଏଥି ପୂର୍ବରୁ ସୁରଙ୍ଗୀ ରାଜା ଯେଉଁସବୁ କବିତା ଲେଖିଥିଲେ, ତାହା ପ୍ରାଚୀନ ଧରଣର । ଏହି ସମୟରୁ ସେ ନୂତନ ଧାରାରେ ଲେଖିବାକୁ ଆରମ୍ଭ କଲେ । ସାହିତ୍ୟର ନିଶା ଏପରି ଧରିଗଲା ଯେ, ଦିନେ ଦିନେ ରାତି ଅନିଦ୍ରା ହୋଇ କବିତା ଲେଖିଲେ । ଯାହା ଲେଖନ୍ତି, ମୋତେ ତାହା ଦେଖାନ୍ତି । ମୁଁ ସଂଶୋଧନ କରିଦିଏଁ, ଯେଉଁଠାରେ ଯେଉଁ ଦୋଷ ତ୍ରୁଟି ଥାଏ ତାହା କହିଦିଏଁ-। ତାଙ୍କର କବିତା ଲେଖା କ୍ରମଶଃ ଅଗ୍ରସର ହେଲା । ମୁଁ ପ୍ରତିଦିନ ଏଗାରଟା ବେଳେ ଯାଏଁ, ପାଞ୍ଚଟା ବେଳେ ଆସେ । ଏହି ଛ ଘଣ୍ଟା କାଳ ସାହିତ୍ୟ ଚର୍ଚ୍ଚାରେ ଅତିବାହିତ ହୁଏ । ତେତେବେଳେ ରାଜାଙ୍କ ପାଖକୁ ଆଉ କେହି ଯାଆନ୍ତି ନାହିଁ । କେହି ସାହିତ୍ୟିକ ବା କବି, ପଣ୍ଡିତ ଆସିଲେ ସେମାନେ ଯାଆନ୍ତି । ମୋ ଠାରୁ ଯାହାର ପରିଚୟ ପାଆନ୍ତି ତାକୁ ଡାକରା ହୁଏ, ନଚେତ୍‌ ନାହିଁ । ସାହିତ୍ୟ ସମ୍ବନ୍ଧୀୟ ଦାନରେ ସେ କୃପଣ ନୁହଁନ୍ତି, ମାତ୍ର ଅପାତ୍ରରେ ଦାନ କରନ୍ତି ନାହିଁ । କବି ପଣ୍ଡିତମାନଙ୍କ ସଙ୍ଗରେ ଖୁବ୍‌ ଯୁକ୍ତି କରି ପାରନ୍ତି । ଦିନେ ଜଣେ ପଣ୍ଡିତ ରାଜାଙ୍କର ପ୍ରଶସ୍ତି ବର୍ଣ୍ଣନା କରି କେତୋଟି ଶ୍ଳୋକ ଲେଖି ନେଇ ଭେଟିଥିଲେ । ସେଥିରେ ଏହିପରି ଭାବ ଥିଲା ଯେ–ଲକ୍ଷ୍ମୀ ତୁମ୍ଭର ଦୁଇଟି ଭାର୍ଯ୍ୟା, ତୁମ୍ଭକୁ ସମାନ ଭାବରେ ଆଲିଙ୍ଗନ କରିଛନ୍ତି । ରାଜା ଶୁଣିସାରି ମୋତେ ଚାହିଁ ରହିଲେ ଅର୍ଥାତ୍‌ ପ୍ରତିବାଦ କରିବାକୁ ସଙ୍କେତ କଲେ । ମୁଁ କହିଲି–ଲକ୍ଷ୍ମୀ, ସରସ୍ୱତୀ ମାତୃସ୍ଥାନୀୟା ଦେବୀ, ତାଙ୍କୁ ସେହି ଭାବରେ ବର୍ଣ୍ଣନା କରିବା ଉଚିତ । ପଣ୍ଡିତେ କହିଲେ–ରାଜା ଦେବତା ନୁହଁନ୍ତି କି ? ମୁଁ କହିଲି–ରାଜା ମର୍ତ୍ତ୍ୟର ଦେବତା ସତ୍ୟ, ମାତ୍ର ଏହା ବୋଲି ତାଙ୍କ ସଙ୍ଗରେ ସ୍ୱର୍ଗର ଦେବତାଙ୍କୁ ବିବାହ କରାଇ ଦେବା କଅଣ ସଙ୍ଗତ ହେଲା ? ସେହିଠୁ ରାଜା ଯୁକ୍ତି ଲଗାଇଲେ । କହିଲେ, ଦେବତା ବୋଲି ଆମକୁ ଉଚ୍ଚକୁ ଉଠାଇ ଦେଇ କଅଣ ମା’କୁ ଆଣି ମାଇପ କରାଇଦେବ ? ଆପଣ ଅଭିଧାନରେ ପଢ଼ିଥିବେ–‘‘ଇନ୍ଦିରା, ଲୋକମାତା, ମା ।’’ ଲକ୍ଷ୍ମୀଙ୍କର ମା ବୋଲି ଗୋଟାଏ ନାମ ସୁଦ୍ଧା ଅଛି । ଏହିପରି ନାନା ଯୁକ୍ତି ଦେଖାଇ ପଣ୍ଡିତଙ୍କୁ ଛନ୍ଦି ପକାଇଲେ । ପଣ୍ଡିତେ ହାବୁଡ଼ୁବୁ ଖାଇ ଶେଷକୁ ନିଜର ତ୍ରୁଟି ସ୍ୱୀକାର କଲେ । କି କଥା ପ୍ରସଙ୍ଗରେ ମୁଁ ଥରେ କହିଥିଲି–‘‘ଜୀବନ ଗୋଟାଏ ଦୀର୍ଘ ଜାଗ୍ରତ ସ୍ୱପ୍ନ ।’’ ଏହି କଥାକୁ ସେ ଏତେ ଦୃଢ଼ରେ ଧରିଥିଲେ ଯେ ଅନେକ ସମୟରେ କହନ୍ତି–ଆପଣ ଯାହା କହିଥିଲେ ଜୀବନ ଜାଗ୍ରତ ସ୍ୱପ୍ନ, ତାହା ଯଥାର୍ଥ । ମୁଁ ଅନେକ ସମୟରେ ଭାବି ବୁଝିଛି, ବାସ୍ତବରେ ଜୀବନ ଦୀର୍ଘ ଜାଗ୍ରତ ସ୍ୱପ୍ନ । ସ୍ୱପ୍ନଟା ସତ୍ୟ ପରି ବୋଧହୁଏ, ମାତ୍ର ଭାଙ୍ଗିଗଲେ ମିଥ୍ୟା । ଦିନେ ଦିନେ ବଡ଼ କୌତୁକ ହୁଏ । ସେ ଧାଡ଼ିଏ କବିତା ଲେଖି ମୋତେ ପୂର୍ଣ୍ଣ କରିବାକୁ କହନ୍ତି । ପୁଣି ମୋତେ ପ୍ରଥମ ପାଦ ରଚନା କରିବାକୁ କହି ଦ୍ୱିତୀୟ ପାଦ ଆପେ ପୂର୍ଣ୍ଣ କରନ୍ତି । ଉପାନ୍ତ୍ୟ ସ୍ୱର ମିଳାଇ ନ ପାରିଲେ ମୋତେ ମିଳାଇ ଦେବାକୁ କହନ୍ତି । ବାତରୋଗ ହେତୁ ରାତିରେ ତାଙ୍କୁ ସୁନିଦ୍ରା ହୁଏ ନାହିଁ, ସେହି ସମୟରେ କବିତା ଲେଖା ହୁଏ । ସାହିତ୍ୟ ଚର୍ଚ୍ଚାରେ ଏତେ ସମୟ ବ୍ୟୟ ହୁଏ ବୋଲି ରାଜକାର୍ଯ୍ୟରେ କିଛି କ୍ଷତି ହୁଏ ନାହିଁ । ସକାଳୁ ଓଳିଟା ଯାକ ଏବଂ ରାତିରେ ରାଜକାର୍ଯ୍ୟ ହୁଏ । ହିସାବ ପ୍ରଭୃତି ସବୁ ତନ୍ନ ତନ୍ନ କରି ଦେଖନ୍ତି, ଆଜିର କାମ କାଲିକି ବାସି ରହେ ନାହିଁ । ସର୍କାରୀ ଚିଠିପତ୍ରର ଉତ୍ତର ରାଜା ନିଜେ ଚିଠା କରି ଦିଅନ୍ତି ।

 

ଦିନେ ରାଜଭ୍ରାତା ଚକ୍ରପାଣି ସାମନ୍ତ ପ୍ରସ୍ତାବ କଲେ–ସୁରଙ୍ଗୀର ରାଜବଂଶାବଳୀ ସଂସ୍କୃତ ଭାଷାରେ ତାଳପତ୍ରରେ ଲେଖା ହୋଇଅଛି । ତାକୁ ଭାଷାରେ ଅନୁବାଦ କରି ଛପାଇଲେ ଭଲ ହୁଅନ୍ତା । ରାଜା କହିଲେ–ସେ କେଡ଼େ ପୁସ୍ତକ ହେବ ଯେ ଖାଲି ସେତକର ଛାପା ହେବ ? ସୁରଙ୍ଗୀର ଦର୍ଶନୀୟ ସ୍ଥାନମାନ ଦେଖିଆସି ସେହି ସମ୍ବନ୍ଧରେ ଖଣ୍ଡେ ପୁସ୍ତକ ଲେଖି ସେଥିରେ ବଂଶାବଳୀ ଯୋଗ କଲେ ପୁସ୍ତକଖଣ୍ଡ ବଡ଼ ହୁଅନ୍ତା ଏବଂ ଉପାଦେୟ ମଧ୍ୟ ହୁଅନ୍ତା । ଏହିପରି ଆଗ୍ରହ ପ୍ରକାଶ କରି ମୋତେ କହିଲେ–ସୁରଙ୍ଗୀର ଅନେକ ଦର୍ଶନୀୟ ସ୍ଥାନ ଅଛି । ଆପଣ ପ୍ରତି ବଣ, ପ୍ରତି ପର୍ବତରେ ବୁଲି ଦେଖିଆସି ଖଣ୍ଡେ କାବ୍ୟ ଲେଖନ୍ତୁ, ମୁଁ ସୁବିଧା କରିଦେବି । ଏ ପ୍ରସ୍ତାବରେ ମୁଁ ଆନନ୍ଦରେ ସ୍ୱୀକୃତ ହେଲି । ତହୁ ସୁରଙ୍ଗୀ ଯିବାର ବ୍ୟବସ୍ଥା ହେଲା । ଗଡ଼ରେ ରାଜାଙ୍କର ଗୋଟାଏ ବାହାର ବଙ୍ଗଳା ଅଛି । କେହି ସର୍କାରୀ କର୍ମଚାରୀ ବା ବିଶିଷ୍ଟ ଅତିଥି, ଅଭ୍ୟାଗତ ଆସିଲେ ସେଠାରେ ରହନ୍ତି । ମୁଁ ଯାଇ ସେହି ବଙ୍ଗଳାରେ କେତେ ଦିନ ରହି ଆଖପାଖ ବଣ ପର୍ବତରେ ବୁଲି ଦେଖିଲି । ତାହାପରେ ମଫସଲକୁ ବାହାରିଲି । ମୁଁ ଏବଂ ସୋମନାଥ ଖଣ୍ଡେ ଗାଡ଼ିରେ ବସିଲୁ । ସଙ୍ଗରେ ଜଣେ ବିଶେଷଜ୍ଞ ପଥ ପ୍ରଦର୍ଶକ, ଜଣେ ପାଚକ, ଜଣେ ଚାକର, ଚାରିଜଣ ସଶସ୍ତ୍ର ଫରେଷ୍ଟ ପାଇକ ଚାଲିଲେ । ଯେଉଁ ଦିନ ଗ୍ରାମ ମିଳେ ସେଠାରେ ରହୁଁ, ଯେଉଁ ଦିନ ଗ୍ରାମ ନ ମିଳେ ସେଦିନ ବଣରେ ରୋଷାଇ ହୁଏ–ରାତିରେ ବଣରେ ମଧ୍ୟ ଶୋଇବାକୁ ହୁଏ ।

 

ସୁରଙ୍ଗୀ ଠାରୁ ନୂଆଗଡ଼ ଯାଏଁ ସବୁ ସ୍ଥାନ ବୁଲି ଦେଖିଲି । ଗୋଟିଏ ଦୃଶ୍ୟ ଅବଧି ନେତ୍ରରେ ଲାଗି ରହିଅଛି । ମୟୂରଲଛା ନାମରେ ଗୋଟିଏ କ୍ଷୁଦ୍ର ପର୍ବତ ଅଛି । ସନ୍ନ୍ୟାସୀର ଜଟା ପରି ପର୍ବତର ଆପାଦମସ୍ତକ କଣ୍ଟାବାଉଁଶରେ ପୂର୍ଣ୍ଣ । ପର୍ବତରେ ଅସଂଖ୍ୟ ମୟୂର ବାସ କରନ୍ତି । ସର୍ବଦା ତାଙ୍କ କେକାରବରେ ବନଭୂମି ପ୍ରତିଧ୍ୱନିତ । ମୟୂର ଗୁଡ଼ିକ ପକ୍ଷ ବିସ୍ତାର କରି ନାଚୁଥିବା ବେଳେ ସେ ଶୋଭା ବଡ଼ ଲୋଭନୀୟ ହୁଏ । ସତେ ଯେପରି ଶତ ଇନ୍ଦ୍ରଧନୁ ପର୍ବତକୁ ଢାଙ୍କି ରଖିଅଛି । ଚନ୍ଦ୍ରିକାର ଶବଳିତ ଜ୍ୟୋତିରେ ଦିଗ ଆଲୋକିତ ହୋଇଯାଏ । ସ୍ଥାନୀୟ ଲୋକେ କହନ୍ତି–ପୂର୍ବେ ସାହେବମାନେ ଆସି ବନ୍ଧୁକରେ ମୟୂର ଲାଛୁଥିଲେ, ଏହି ହେତୁରୁ ପର୍ବତର ନାମ ‘‘ମୟୂରଲଛା’’ ହୋଇଅଛି । କିନ୍ତୁ ଏ ଜନରବ ଠିକ୍ ନୁହେଁ । ପର୍ବତ କେତେ କାଳର, ଆଉ ସାହେବମାନେ କେତେକାଳ ହେଲା ଆସିଲେ, ଏ ବିଷୟ ଭାବିଲେ ଏ ଜନରବ ସମ୍ପୂର୍ଣ୍ଣ ଅମୂଳକ ପ୍ରତିପନ୍ନ ହୁଏ । ପର୍ବତରେ ଅନେକ ମୟୂର ଅଛନ୍ତି । ଯେତେବେଳେ ହେଲେ ଦେଖିଲେ କେଉଁଠି ହେଲେ ଦୁଇ ଚାରିଟା ନାଚୁଥିବାର ଦେଖାଯାଏ । ଏ ହେତୁ ପର୍ବତର ନାମ ‘‘ମୟୂର ନଚା’’ ହୋଇଥିବ ଏହି ସିଦ୍ଧାନ୍ତ ସ୍ୱତଃ ମନରେ ଉଦିତ ହୁଏ । ଆଉ ଗୋଟାଏ ଦର୍ଶନୀୟ ସ୍ଥାନ ବାହୁଦାନଦୀସ୍ଥ ଏଲଗଲ ଗଣ୍ଡ । ତାହା କେତେକାଂଶରେ ମହାନଦୀର ସାତକୋଶିଆ ଗଣ୍ଡ ପରି । ଦୁଇଟା ଦୂରାରୋହ ଉଚ୍ଚ ପର୍ବତ ଭୀଷଣ ଦୈତ୍ୟ ପରି ଦଣ୍ଡାୟମାନ । ମଧ୍ୟରେ ଅତି ସଂକୀର୍ଣ୍ଣ ପଥରେ ନଈଧାର ଖଣ୍ଡୋପଳରେ ପ୍ରତିହତି ହୋଇ ଗତି ପଥରେ ଶତଶତ ଜଳପ୍ରପାତ ସୃଷ୍ଟି କରି କେଉଁଠି ମଧୁର କୁଳୁକୁଳୁ ଶବ୍ଦରେ, କେଉଁଠିବା ଗଭୀର ଗର୍ଜନରେ ଚାଲିଅଛି । ନଦୀ ଜଳରେ ସୃଷ୍ଟି କାଳରୁ ସୂର୍ଯ୍ୟ କିରଣ ପଡ଼ି ନାହିଁ । ସ୍ଥାନଟି ଯେପରି ଭୟଙ୍କର, ସେହିପରି ମନୋହର । ନଦୀସ୍ରୋତରେ ଶାଳଗ୍ରାମ ପରି ଅସଂଖ୍ୟ ଚିକ୍‌ଣ ପ୍ରସ୍ତର–ପେଣ୍ଡୁ ଗଡ଼ିଗଡ଼ି ଚାଲୁଅଛି । ସେଠାରେ ଚମ୍ପାଫୁଲର ଗନ୍ଧ ବିଶେଷ ଅନୁଭୂତ ହୁଏ, ବୋଧହୁଏ ନିକଟରେ ବିସ୍ତୃତ ଚମ୍ପାବଣ ଅଛି । ଭୟ ସେଠାରେ ପଥିକର ସହଚର, ମାତ୍ର ଦୃଶ୍ୟ ଦେଖି ସେଠାରୁ ବାହାରିବାକୁ ଇଚ୍ଛାହୁଏ ନାହିଁ । ଗଭୀର ଜଙ୍ଗଲ, ନିର୍ଜନତାର ସାଇଁ ସାଇଁ ନିଶ୍ୱାସ ଶବ୍ଦ ଭିନ୍ନ ସେଠାରେ ଅନ୍ୟ ଶବ୍ଦ ଶୁଣାଯାଏ ନାହିଁ । ଦୃଶ୍ୟ ଏରୂପ ମୋହକର ଯେ, ଭୟ ସେଠାରେ ପରାଜୟ ସ୍ୱୀକାର କରେ । ସେହି ଅଂଶରେ ଅନେକ ଶୁକଶାରୀ ବାସ କରନ୍ତି । ଅନ୍ୟ ଏକ ସ୍ଥାନରେ ‘‘ଭାଲୁପାଣିଝର’’ ନାମରେ ଗୋଟାଏ ଝର ବହୁଅଛି-। ନିବିଡ଼ ଦୁର୍ଗମ ବନମଧ୍ୟରେ ଏହି ଝରଟି ଭଲ୍ଲୁକ କୁଳର ମାତୃସ୍ତନ୍ୟ, ଭାଲ୍ଲୁମାନେ ସେଠାରୁ ଆସି ପାଣି ପିଅନ୍ତି ବୋଲି ଉପରୋକ୍ତ ନାମ ହୋଇଅଛି । ଶୁଣିଥିଲି–ସବୁବେଳେ ସେଠାରେ ଭାଲୁ ଥାଆନ୍ତି, ମାତ୍ର ଆମ୍ଭମାନଙ୍କ ଦୁର୍ଭାଗ୍ୟ ହେତୁ ଭଲ୍ଲୁକ ଠାକୁରଙ୍କର ଦର୍ଶନ ମିଳିଲା ନାହିଁ । କେବଳ ଦୂରାଗତ ଭୀଷଣ ହୁଳାହୁଳୀ ଶବ୍ଦ ତାଙ୍କର ଅସ୍ତିତ୍ୱ ପ୍ରଚାର କରୁଥିଲା । ଭାଲୁ ଖୁବ୍ ହୁଳାହୁଳୀ ଦେଇପାରେ–ବିଭା-ବ୍ରତ ବେଳେ କେହି ନିମନ୍ତ୍ରଣ କଲେ ସୁନ୍ଦର କାମ ଚଳାଇ ପାରନ୍ତା । ଭାବିଲି ବୋଧହୁଏ ଠାକୁରେ ଆମ୍ଭମାନଙ୍କୁ ତାଙ୍କର ଉପଯୁକ୍ତ ଭକ୍ତ ବୋଲି ପସନ୍ଦ କଲେ ନାହିଁ, ସୁତରାଂ ଅବଜ୍ଞାରେ ମୁହଁଲୁଚା ଦେଇ ରହିଲେ । ସେଠାରେ ଅତିବଡ଼ ତେନ୍ତୁଳିଗଛ ଅନେକ ଅଛି । ସେ ଭଳି ମୋଟ ଗଛ ମୁଁ ଅନ୍ୟତ୍ର ଦେଖିନାହିଁ । ସୁରଙ୍ଗୀରେ ପ୍ରାୟ ପ୍ରତ୍ୟେକ ପର୍ବତରେ ଅଭ୍ରଖଣ୍ଡ ମିଳେ, ବିଶେଷତଃ କୃଷ୍ଣାଭ୍ର ଯଥାତଥା ଦେଖାଯାଏ । ଅନେକ ସ୍ଥାନରେ ଅଭ୍ରଖଣି ଅଛି । ଜଣେ ଶ୍ୱେତାଙ୍ଗ ବୈଜ୍ଞାନିକ ଗୋଟାଏ ସ୍ଥାନ ପରୀକ୍ଷା କରି ଦେଖିଥିଲେ ସେଠାରେ ସାତମାଇଲ ଯାଏଁ ଅଭ୍ରଖଣି ଅଛି-। ସାହେବ ଗୁତା ନେବାକୁ କହିଲେ, ମାତ୍ର ରାଜା ମନାକଲେ ।

 

ନୂଆଗଡ଼ ସୁରଙ୍ଗୀର ପ୍ରାଚୀନ ରାଜଧାନୀ । ସେଠାରେ ରାଜବଂଶର ଇଷ୍ଟ ଦେବୀ କ୍ରୁରାସିନୀଙ୍କର ମନ୍ଦିର ଅଛି । କ୍ରୁରାସିନୀ ପ୍ରତାପୀ ଦେବତା ବୋଲି ସେ ଅଞ୍ଚଳର ଲୋକେ କହନ୍ତି । ନୂଆଗଡ଼ରେ ମାଳଜ୍ୱରର ପ୍ରଭାବ ଅଧିକ । ସେଠାରେ ଘଣ୍ଟାଏ ତଳେ ଶୋଇଲେ ନିଶ୍ଚୟ ଜ୍ୱର ହେବ । ଭୂମି ସନ୍ତସନ୍ତିଆ, ଜଳବାୟୁ ଅତି ଅସ୍ୱାସ୍ଥ୍ୟକର । ଅଧିକାଂଶ ଅଧିବାସୀଙ୍କ ପେଟରେ ଏକାଧିକ ପ୍ଳୀହାମରା ଚିହ୍ନ ପଶାପାଲି ପରି ଛକମୟ । ଲୋକଙ୍କୁ ପ୍ରାୟ ସବୁଦିନେ ଜ୍ୱର । ଲୋକେ କାମଦାମ କରିବା ସଙ୍ଗେ ସଙ୍ଗେ ଜ୍ୱରଭୋଗ କରୁଥାଆନ୍ତି । ନୂଆଗଡ଼ରେ ଜ୍ୱରର ଆଧିପତ୍ୟ ଦେଖି ବୋଧହୁଏ–ସେ ଖଣ୍ଡ ଜ୍ୱରର ଯୌତୁକ ଭୂମି । ତାହାର ସବୁ ଅତ୍ୟାଚାର, ଉପଦ୍ରବ ନୂଆଗଡ଼ ଉପରେ । ଲୋକେ ଭୂମିବାଡ଼ିର ମାୟା ଛାଡ଼ି ନ ପାରି ମାଟି କାମୁଡ଼ି ପଡ଼ିରହିଅଛନ୍ତି ।

 

ଶୋଇଲେ ଜ୍ୱର ହେବ ବୋଲି ମୁଁ ରାତିରେ ଶୋଇଲି ନାହିଁ–ଖଟ ଉପରେ ବସି ପୂର୍ବ ଦୃଷ୍ଟ ସ୍ଥାନମାନଙ୍କର ଟିପା ଲେଖିଲି । ମୋର ସହଚର ଏବଂ ସ୍ଥାନୀୟ କେତେଜଣ ଭଦ୍ରବ୍ୟକ୍ତି ସମସ୍ତେ ନ ଶୋଇ ବସି ରହିଲେ । ନ ଶୋଇବାର କାରଣ ସ୍ଥାନୀୟଲୋକ ମଧ୍ୟରୁ ଜଣେ ପ୍ରବୀଣ ବ୍ୟକ୍ତି ମୋତେ ପଚାରିଲେ । ମୁଁ କହିଲି–ଶୋଇଲା ପରେ ଜ୍ୱର ଆସି ଆକ୍ରମଣ କଲେ ମୁଁ ତାହାର କଅଣ କରିପାରିବି, ତେତେବେଳେ ତ ମୋର ଅଚେତନ ଅବସ୍ଥା । ବସିବାବେଳେ ଯେବେ ଜ୍ୱର ଆସେ ତେବେ ତାହା ସଙ୍ଗରେ ଯୁଦ୍ଧ କରିବି । ମୋ କଥା ଶୁଣି ଗୋଟାଏ ହାସ୍ୟର ଲହରି ଖେଳିଗଲା । ତେତେବେଳକୁ ରାତି ବାରଟା । ପର୍ବତ ଉପରେ ଠିକ୍‌ ବାଉଁଶ ହାଣିଲା ପରି ଖୁବ୍‌ ଜୋରରେ ଶବ୍ଦ ହେଲା । ପର୍ବତଟି ଅତି ନିକଟରେ ନୂଆଗଡ଼ର ପୃଷ୍ଠ ଅପସର ରୂପେ ଅବସ୍ଥିତ । ତାହାର ପାଦ ମୂଳରେ ଗ୍ରାମ, ଆମ୍ଭେମାନେ ସେହି ଗ୍ରାମର ଦେବାଳୟ ବଙ୍ଗଳାରେ ଥିଲୁଁ । ଶବ୍ଦ ଶୁଣି ମୁଁ ପଚାରିଲି–ଏତେ ରାତିରେ କିଏ ପର୍ବତରେ ବାଉଁଶ ହାଣୁଛି ? ଜଣେ କହିଲା, ସେ ଗୋଟାଏ ପକ୍ଷୀର ଶବ୍ଦ । ଧୂର୍ତ୍ତ ପକ୍ଷୀ ଏହିପରି ଶବ୍ଦକରି ବାଘକୁ ପ୍ରତାରିତ କରି ରାତିସାରା ବୁଲାଏ-। ମନୁଷ୍ୟ ବାଉଁଶ ହାଣୁଛି ମନେକରି ବାଘ ସେଠାରେ ଆସି ଉପସ୍ଥିତ ହୁଏ, ତହୁଁ ପକ୍ଷୀଟା ଉଡ଼ିଯାଇ ଅନ୍ୟ ସ୍ଥାନରେ ବସି ସେହିପରି ଶବ୍ଦ କରେ, ବାଘ ପୁଣି ସେଠାକୁ ଧାଏଁ । ପକ୍ଷୀଟା ଏହିପରି ରାତିଯାକ ତାକୁ ଠକାଏ । ମୁଁ ପଚାରିଲି, ପକ୍ଷୀଟିର ନାମ କଅଣ ? ଲୋକଟି କହିଲା ତାହାର ନାମ ‘‘ବାଟଛାପି’’–ଦେଖିବାକୁ ଧୂଳିଆବର୍ଣ୍ଣ । ସେ ବାଟରେ ପେଟେଇ ପଡ଼ି ଧୂଳି ସଙ୍ଗରେ ମିଶି ଯାଇଥାଏ, ପଥିକ ତାହାର ନିକଟବର୍ତ୍ତୀ ହେଲେ ଫର୍‌ କରି ଉଡ଼ିଯାଏ–ବାଟୋଇ ଚମକି ପଡ଼େ-। ପକ୍ଷୀଟିକୁ ଦେଖିବାକୁ ମୁଁ ଆଗ୍ରହ ପ୍ରକାଶ କରିବାରୁ ସେ କହିଲା–‘‘କାଲି ଯିବାବେଳେ ବାଟରେ ଦେଖାଇ ଦେବି ।’’ ମୁଁ ଜାଣେ ‘‘ବେଣା ଫୁତୁକି’’ ବୋଲି ଗୋଟାଏ ପକ୍ଷୀ ଅଛି, ତାହାର ବର୍ଣ୍ଣ ଧୂସର-। ପକ୍ଷୀଟି ଅତି କ୍ଷୁଦ୍ର, ବେଣା ବଣରେ ତାହାର ବାସ । ବୋଧହୁଏ ତାହାର ଦେହ ବଡ଼ ଗରମ, ସେ ଧୂଳିରେ ପେଟେଇ ପଡ଼ି ରହିବାକୁ ଖୁବ୍‌ ସୁଖପାଏ । ସେହି ଅବସ୍ଥାରେ ନିଦ୍ରା ମଧ୍ୟ ଯାଏ । ଦୈବାତ୍‌ ପଥିକ ହାବୁଡ଼ି ଗଲେ ଉଡ଼ିଯାଏ । ମୁଁ ଭାବିଲି–ବାଟଛାପି ସେହି ଫୁତୁକି ଚଢ଼େଇ ହୋଇଥିବ । କିନ୍ତୁ ତାହା ନୁହେଁ, ତହିଁପର ଦିନ ଦେଖିଲି–ବାଟଛାପି କବତୀ ପରି ଗୋଟାଏ ପକ୍ଷୀ । ସାତ ଭାୟା ପକ୍ଷୀ ଅନେକେ ଦେଖିଥିବେ, ସେମାନେ ଦଳଦଳ ହୋଇ ବାଉଁଶ ବଣରେ ଥାଆନ୍ତି । ସ୍ଥାନ ବିଶେଷରେ ତାକୁ ‘‘କୁଣ୍ଡା ଫାପୁଲୀ’’ କହନ୍ତି, ତାହାର ବର୍ଣ୍ଣ ମଧ୍ୟ କୁଣ୍ଡା ପରି ମାଟିଆ । ବାଟଛାପିର ଆକାର ବର୍ଣ୍ଣ ଠିକ୍‌ ସେହିପରି । ସେପରି ପକ୍ଷୀ ମୁଁ ଅନ୍ୟତ୍ର ଦେଖିନାହିଁ, ବୋଧହୁଏ ପାର୍ବତ୍ୟ ପକ୍ଷୀ । ବାଟଛାପିର ବ୍ୟବହାର ମନ୍ଦ ନୁହେଁ–‘‘ଶଠେ ଶାଠ୍ୟଂ ସମାଚରେତ୍‌’’ ନୀତିରେ ସେ ପ୍ରବୀଣ ପଣ୍ଡିତ । ଆଉ ବାଘ ମହାମୂର୍ଖ ହୁଣ୍ଡା, କ୍ଷୁଦ୍ର ପକ୍ଷୀର ଛଳନା ଅନୁଭବ କରି ସୁଦ୍ଧା ସେ ବୁଝିପାରେ ନାହିଁ । ଟେଁଟେଁୟା ପରି ବାଟଛାପି ବାଘର ପରମ ଶତ୍ରୁ । ବାଘର ଠିକ୍‌ ଉପରେ ଟେଁଟେଁୟା ଉଡ଼ି ଉଡ଼ି ଶବ୍ଦ କରି କରି ଚାଲେ, ସେହି ଶବ୍ଦ ଶୁଣି ଅନ୍ୟାନ୍ୟ ଜୀବଜନ୍ତୁ ସାବଧାନ ହୋଇଯାଆନ୍ତି । ଟେଁଟେଁୟାର ସଂସ୍କୃତ ନାମ ତେଣ୍ଟୋଇ । ବିଧାତା ସୃଷ୍ଟିରେ ସବୁ ବିଚିତ୍ର । ବନ୍ୟ ଜନ୍ତୁ ବାଘର ଖାଦ୍ୟ, ପୁଣି ତାଙ୍କୁ ସତର୍କ କରିବା ପାଇଁ ଟେଁଟେଁୟା ସୃଷ୍ଟି, ଏହା ଅଦ୍ଭୁତ ବୈଚିତ୍ର୍ୟ ନୁହେଁ କି ? କ୍ଷୁଦ୍ର ପକ୍ଷୀଠାରେ ଦୁର୍ଦ୍ଦଷ ପଶୁକ୍ଷତ୍ରି ମହାବଳ ବାଘ ପରାସ୍ତ ହୁଏ । ପ୍ରବଳ ଶତ୍ରୁକୁ ସାଧ୍ୟ କରିହୁଏ, ମାତ୍ର କ୍ଷୁଦ୍ର ଶତ୍ରୁକୁ ସାଧ୍ୟ କରି ହୁଏ ନାହିଁ । ହାତୀ ପରା ଜନ୍ତୁ ଅତି କ୍ଷୁଦ୍ର ପତକର ଦଂଶନ ଜ୍ୱାଳାରେ ଅସ୍ଥିର ହୁଏ ।

 

ଆକାଶରେ ମେଘମାଳା ପବନ ଗତିରେ ନାନା ଜୀବଜନ୍ତୁ, ବୃକ୍ଷ ଲତାର ରୂପ ଧରିଲା ପରି ପ୍ରାକୃତିକ ନିୟମରେ ପ୍ରସ୍ତର ଖଣ୍ଡମାନ ଘୋରି ଘାରି ଧୋଇଧାଇ ବିବିଧ ଆକାର ଧରିଯାଏ । କୁମ୍ଭୀର ଦଲି ନାମରେ ଗୋଟାଏ ଗୁମ୍ଫାର ଆକାର ଠିକ୍‌ ଗୋଟାଏ ପ୍ରକାଣ୍ଡ କୁମ୍ଭୀର ପରି, ସତେ ଯେପରି ଗୋଟାଏ କୁମ୍ଭୀର ପୁଚ୍ଛ ବକ୍ର କରି ମୁଖ ବ୍ୟାଦାନ କରି ପଡ଼ିଅଛି । ଆଉ ଏକ ସ୍ଥାନରେ ମାଙ୍କଡ଼ଝର ନାମରେ ଗୋଟାଏ ଝର ଅଛି । ଗୋଟାଏ ଗିରିଚୂଡ଼ାରୁ ଝର ବହି ଆସୁଅଛି, ଚୂଡ଼ାର ଆକାର ଠିକ୍‌ ଗୋଟାଏ ହନୁମାଙ୍କଡ଼ ପରି । ରହସ୍ୟମୟୀ ପ୍ରକୃତି ବଡ଼ କୌତୁକିନୀ; ମାଟି, କାଠ, ପଥର ପ୍ରଭୃତିରେ ସେ କେତେ ପ୍ରକାର ମୂର୍ତ୍ତି ସୃଷ୍ଟି କରୁଅଛି । ମେଘରେ, ଧୂଆଁରେ ବି ତାହାର ମୂର୍ତ୍ତି ସର୍ଜନା ଅସାଧ୍ୟ ନୁହେଁ ।

 

ଠଣା ଗାଁ ଠାରୁ ସୁରଙ୍ଗୀ ତାଲୁକା ଆରମ୍ଭ, ନୂଆଗଡ଼ ସୀମାନ୍ତରେ ଶେଷ । ଏହି ଦୁଇ ସ୍ଥାନର ବ୍ୟବଧାନ ପ୍ରାୟ ପାଞ୍ଚକୋଶରୁ ଅଧିକ ହେବ । ଏହା ଭିତରେ ଯେତେ ବଣ ପର୍ବତ ଅଛି, ମୁଁ ତାହାସବୁ ଦେଖିଅଛି । ଇଚ୍ଛାପୁର ଫେରିବା ବେଳକୁ ମାସେ ଲାଗିଥିଲା । ସମସ୍ତ ବିବରଣ ‘‘ସୁରଙ୍ଗୀ-କାବ୍ୟ’’ରେ ବର୍ଣ୍ଣିତ ହୋଇଅଛି । ସୁରଙ୍ଗୀର ସିଂହାସନ ସାରସ୍ୱତ ସିଂହାସନ, ରାଜାମାନେ ଅନେକ କାବ୍ୟ, କବିତା ଲେଖିଯାଇଅଛନ୍ତି । ଦୀନବନ୍ଧୁରାଜ ଜଣେ ବିଖ୍ୟାତ କବି । ସେ ଭଞ୍ଜକବିଙ୍କ ସମସାମୟିକ କିମ୍ୱା କିଞ୍ଚିତ୍‌ ପରବର୍ତ୍ତୀ । ଅସାଧାରଣ କବିକଳ୍ପନାରେ ସେ ରାଜଧାନୀକୁ ଅଳଙ୍କୃତ କରି ଯାଇଅଛନ୍ତି । ତାଙ୍କ ଆଦେଶରେ ଉଦ୍ୟାନରେ, ପ୍ରାନ୍ତରରେ ଅନେକ ମଣ୍ଡପ ନିର୍ମିତ ହୋଇଥିଲା, ସେଗୁଡ଼ିକ ଅଦ୍ୟାପି ଅଛି । ମତ୍ସ୍ୟ ମଣ୍ଡପ, କୁର୍ମ ମଣ୍ଡପ, ଜଗତି ମଣ୍ଡପ, କୁର୍ଚି-(ଚୌକି) ମଣ୍ଡପ, କାଳୀୟଦଳନ ଚିତ୍ର ପ୍ରଭୃତିର ସୂକ୍ଷ୍ମ ଚାରୁକାରୁକଳା ବାସ୍ତବରେ କବିର ଉପଭୋଗ୍ୟ । ଖଣ୍ଡେ ବୃହତ୍‌ ପ୍ରସ୍ତରକୁ କଚ୍ଛପ ଆକୃତିରେ ନିର୍ମାଣ କରି ତାହା ଉପରେ ମଣ୍ଡପ ତୟାର ହୋଇଅଛି-। ଝରଣାର ଧାରା ତାହା ଭିତରକୁ କୌଶଳରେ ନିଆଯାଇଅଛି, ତାହା କୁର୍ମ ପାଟି ବାଟେ ବାହାରି ଯାଉଅଛି । ଚୌକି ମଣ୍ଡପଟି ଅର୍ଦ୍ଧଶୈଳାକୃତି ଖଣ୍ଡେ ପ୍ରକାଣ୍ଡ ପ୍ରସ୍ତର ଉପରେ ଚୌକି ଆକାରରେ ନିର୍ମିତ ହୋଇଅଛି । ମଣ୍ଡପ ଉପରକୁ ଉଠିବାକୁ ସୋପାନ ଅଛି । ମଣ୍ଡପ ଉପରୁ ଚାହିଁଲେ ସୂର୍ଯ୍ୟାସ୍ତ ରହସ୍ୟ ବଡ଼ ସୁନ୍ଦର ଦେଖାଯାଏ । କବି ଅନେକ ବଡ଼ ବଡ଼ କାବ୍ୟ ଲେଖି ଯାଇଅଛନ୍ତି । ଲେଖା ଠିକ୍‌ ଭଞ୍ଜଙ୍କ ଲେଖାପରି ସାହିତ୍ୟିକ ଚାତୁରୀରେ ପୂର୍ଣ୍ଣ । ଋତୁ ବର୍ଣ୍ଣନା ଗୁଡ଼ିକ ଅତି ସ୍ୱାଭାବିକ । ତାଙ୍କର ଅନେକ ଲେଖା ଅବିକଳ ଆଧୁନିକ ଲେଖା ପରି । ଲକ୍ଷ୍ମୀଙ୍କର ବରପୁତ୍ର ସରସ୍ୱତୀଙ୍କର ସେବକତ୍ୱ ପରିଗ୍ରହଣ କରିଥିଲେ–ଏଦୃଶ୍ୟ ବାଞ୍ଛନୀୟ । ଚୈତନ୍ୟ ଚନ୍ଦ୍ରରାଜ ବୋଲି ଆଉ ଜଣେ ରାଜକବି ଗୌଡ଼ୀୟ ବଙ୍ଗଳା ଭାଷାରେ ହରିବଂଶ ଅନୁବାଦ କରିଯାଇଅଛନ୍ତି । କଥିତ ହୁଏ, କବି ବୃନ୍ଦାବନରେ କେତେବର୍ଷ ବାସ କରି ସେହିଠାରୁ ବଙ୍ଗଳା ଶିଖି ଆସି ବଙ୍ଗଭାଷାରେ କାବ୍ୟ ରଚନା କରିଥିଲେ । ସେହି ସମୟରେ ଗନ୍ତାଘରୁ ମୁଁ ବାବନ ଖଣ୍ଡ ପୁରୁଣା ପୋଥି ବାଛି ଆଣିଥିଲି, ସେଥିମଧ୍ୟରୁ ଅଧିକାଂଶ କାବ୍ୟ । ଖଣ୍ଡିକର ପାଣ୍ଡୁଲିପି ମୁଁ ପ୍ରସ୍ତୁତ କରି ଦେଇଥିଲି; ମାତ୍ର ତାହା ଅବଧି ଛାପାଖାନାର ସୀମା ମାଡ଼ି ନାହିଁ, ବୋଧହୁଏ ଏତେବେଳକୁ କୀଟଖାଦ୍ୟରେ ପରିଣତ ହୋଇଥିବ ।

 

ଯେଉଁ ଟିପାଟିପ୍‌ପଣୀ ସବୁ ଲେଖିଆଣିଥିଲି ତାହା ପ୍ରାକୃତିକ ଦୃଶ୍ୟ, ଐତିହାସିକ ଘଟଣା, କୈମ୍ବଦନ୍ତିକ ବିବରଣ ପ୍ରଭୃତିରେ ପୂର୍ଣ୍ଣ । ସେଗୁଡ଼ିକୁ ବିଭିନ୍ନ ଛନ୍ଦରେ ପଦ୍ୟରେ ଲେଖିବାକୁ ହେଲା । ରାଜବଂଶାବଳୀ ସଂସ୍କୃତରୁ ଭାଷାରେ ପଦ୍ୟାନୁବାଦ କରି ଉଭୟକୁ ମିଶାଇ ପାଣ୍ଡୁଲିପି ପ୍ରସ୍ତୁତ କଲି । ରାଜା ତାହାର ନାମ ‘‘ସୁରଙ୍ଗୀ କାବ୍ୟ’’ ରଖିଲେ । କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସରେ ପୁସ୍ତକ ଛାପା ହେଲା । କେତେ ପୁସ୍ତକ ପ୍ରାକୃତିକ ଉତ୍କଳର ପ୍ରତ୍ୟେକ ରାଜା, ସାହିତ୍ୟିକ, ବିଶିଷ୍ଟ ବ୍ୟକ୍ତିଙ୍କ ନିକଟକୁ ଉପହାର ପଠାଗଲା । ଏହି ସମୟରେ ପୁରୀରେ ଉତ୍କଳସମ୍ମିଳନୀର ଅଧିବେଶନ ହେଲା । ମଧୁବାବୁ ସଭାପତି ହୋଇଥିଲେ । ସମ୍ମିଳନୀରେ ଯୋଗଦେବା ସକାଶ ରାଜା, ଯୁବରାଜ (ବର୍ତ୍ତମାନ ରାଜା) ଏବଂ ଚକ୍ରପାଣି ସାମନ୍ତ ପୁରୀ ଆସିଲେ । ମୁଁ ମଧ୍ୟ ଆସିଥିଲି-। ସମୁଦ୍ର ବାଲିରେ ଗୋଟାଏ ଏକତାଲା କୋଠାରେ ଆମ୍ଭମାନଙ୍କୁ ବସା ଦିଆଯାଇଥିଲା । ସେ ସ୍ଥାନ ସହରକୁ ଦୂର ହେବାରୁ ଏବଂ ଅନ୍ୟ କେତେକ ଅସୁବିଧା ହେତୁ ଦୁଇଦିନ ପରେ ସୁରଙ୍ଗୀ ମଠକୁ ଉଠିଯିବାକୁ ହେଲା । ସୁରଙ୍ଗୀ ମଠ ଦେଉଳର ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ । ସ୍ୱର୍ଗୀୟ ପଣ୍ଡିତ ଜୟକୃଷ୍ଣ କାବ୍ୟତୀର୍ଥ ରାୟଗୁରୁ ପୁରୀର ଅନେକ ପ୍ରସିଦ୍ଧ ସ୍ଥାନ ମୋତେ ଦେଖାଇଥିଲେ । ସାନ ଖେମଣ୍ଡିର ପଣ୍ଡିତ ଗୋପୀନାଥ ରାଜଗୁରୁଙ୍କ ସଙ୍ଗରେ ସେଠାରେ ସାକ୍ଷାତ୍‌ ହେଲା । କଥା ପ୍ରସଙ୍ଗରେ ସେ ସାନଖେମଣ୍ଡି ମାଳର ସିଂହରାଜ ପର୍ବତ ଦେଖି ଖଣ୍ଡେ ପୁସ୍ତକ ଲେଖିବା ପାଇଁ ମୋତେ ଅନୁରୋଧ କଲେ । ଯିବାର ସୁବିଧା କରିଦେବାକୁ ମଧ୍ୟ ସ୍ୱତଃ ସ୍ୱୀକୃତ ହେଲେ । ବିଦ୍ୟାରତ୍ନେ ବି ପୁରୀ ଯାଇଥିଲେ । ସେ ଏ ଏକଥା ଶୁଣି କହିଲେ–ତୁମେ ପୁରୀରୁ ଫେରି ବଡ଼ଖେମଣ୍ଡି ଯିବ । ସେଠାରୁ ସଙ୍ଗ ହୋଇ ସିଂହରାଜ ଦେଖିବାକୁ ଯିବା । ଆଠ ଦଶଦିନ ପରେ ଆମ୍ଭେମାନେ ପୁରୀରୁ ଫେରି ଇଚ୍ଛାପୁର ଗଲୁଁ । ମୁଁ ରାଜାଙ୍କୁ ସିଂହରାଜ ଦେଖିଯିବାକୁ କହିଲି । ସେ ଶୁଣି ବଡ଼ ଆନନ୍ଦ ଅନୁଭବ କଲେ । ମୁଁ ସୋମନାଥକୁ ଘେନି ବଡ଼ଖେମଣ୍ଡି ଗଲି । କାଲିଯିବା କାଲିଯିବା କହି ବିଦ୍ୟାରତ୍ନେ କେତେ ଦିନ ଗଡ଼େଇ ଦେଲେ । ଶେଷରେ ଦିନେ ଦୁଇଖଣ୍ଡ ଶଗଡ଼ରେ ବସି ସାନଖେମଣ୍ଡିର ରାଜଧାନୀ ପୁଡ଼ାମାରୀ ଅଭିମୁଖରେ ଯାତ୍ରା କଲୁଁ । ସ୍ଥାନୀୟ ଯୁବକ ସମିତିର ସଭ୍ୟବୃନ୍ଦ ଆମ୍ଭମାନଙ୍କୁ ପାଛୋଟି ନେବା ପାଇଁ ଗଡ଼ର ଏକକ୍ରୋଶ ଦୂରରେ ଆସି ଅପେକ୍ଷା କରିଥିଲେ । ଆମ୍ଭେମାନେ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ସଙ୍ଗରେ ଚାଲିଲୁଁ । ଠିକ୍‌ ସନ୍ଧ୍ୟାବେଳେ ଯାଇ ଗଡ଼ରେ ପହଞ୍ଚିଲୁଁ । ରାଜଗୁରୁ ବସାର ସୁବ୍ୟବସ୍ଥା କରିଥିଲେ । ରାତ୍ରିରେ ସେଠାରେ ବିଶ୍ରାମ କରି ଖୁବ୍‌ ଭୋର ସିଂହରାଜ ଯିବାର ସ୍ଥିର ହେଲା । ଯୁବକଦଳ ମଧ୍ୟରେ ଅନେକ ଉତ୍ସାହୀ ବ୍ୟକ୍ତି ଥିଲେ । ସ୍ଥାନୀୟ ମଠ ମହନ୍ତଙ୍କ ସୁଯୋଗ୍ୟ ଚେଲା ଚୈତନ୍ୟ ଦାସ ଏବଂ ରାଜଗୁରୁଙ୍କ ଭଣଜା ମାଗୁଣି ତ୍ରିପାଠୀ ଉଭୟଙ୍କର ଉତ୍ସାହ ସମଧିକ । ମାଗୁଣି ଜଣେ ସୁକବି, ସେ ମୋତେ ଗୁରୁପରି ଭକ୍ତି କରନ୍ତି-। କବିତା ରଚନାର କେତେଟା ନିୟମ ସେ ମୋଠାରୁ ଶୁଣିଥିଲେ । ଉପଯୁକ୍ତ ପାତ୍ର ବିବେଚନାରେ ମୁଁ ତାଙ୍କୁ ଯଥେଷ୍ଟ ଉତ୍ସାହିତ କରିଥିଲି । ଚୈତନ୍ୟ ଦାସ ମଧ୍ୟ ଉପଯୁକ୍ତ ସନ୍ନ୍ୟାସୀ । ଖାଲି ଠାକୁର ପୂଜାରେ ଧର୍ମ ହୁଏ ନାହିଁ–ଦେଶ ସେବାରେ ବି ଠାକୁର ପୂଜାପରି ଧର୍ମ ହୁଏ–ଏହା ସେ ଜାଣନ୍ତି । ତେଣୁ ପୂଜା ସଙ୍ଗେ ସଙ୍ଗେ ମହୀୟସୀ ମାତୃମହୀ ମହାଦେବୀଙ୍କ ପୂଜାକୁ ସେ ନିଜ କର୍ତ୍ତବ୍ୟରେ ଗୁନ୍ଥି ନେଇଅଛନ୍ତି ।

 

ରାଜଗୁରୁ ଯୁବକ ଦଳର ଅଗ୍ରଣୀ, ତାଙ୍କ ଦଳ ଏବଂ ଆମ୍ଭେମାନେ ଚାରିଖଣ୍ଡ ଶଗଡ଼ରେ ବସି ରାତି ଥାଉଁ ଥାଉଁ ବାହାରିଲୁଁ । ପଥ ହିଂସ୍ର ଜନ୍ତୁ ପୂର୍ଣ୍ଣ ବିପଦ ସଙ୍କୁଳ; କିନ୍ତୁ ଲୋକାଧିକ୍ୟ ହେତୁ ସେ ଭୟ ରହିଲା ନାହିଁ । ପୁଡ଼ାମାରୀରୁ ଯୁବକ, ବୃଦ୍ଧ, ବାଳକ ପ୍ରାୟ ପଚାଶ ଜଣ ସଙ୍ଗରେ ଯାଇଥିଲେ । ପ୍ରାୟ ସକାଳ ଆଠଟା ସମୟରେ ପର୍ବତ ମୂଳରେ ପହଞ୍ଚିଲୁଁ । ସେଠାରୁ ଗାଡ଼ିରୁ ଓହ୍ଲାଇ ପର୍ବତକୁ ଉଠିବାକୁ ହେଲା । ଚୂଡ଼ାପରେ ଚୂଡ଼ା ଅତିକ୍ରମ କରି ପ୍ରାୟ ଦଶଟା ବେଳେ ତୃତୀୟ ଚୂଡ଼ାରେ ଯାଇ ପହଞ୍ଚିଲୁଁ । ସେଠାରେ ତପ୍ତପାଣି ପ୍ରସ୍ରବଣ ନାମରେ ଗୋଟାଏ ଝରଣା ଅଛି । ଶତ ସହସ୍ର ମହଣ ଗନ୍ଧକ ପୋଡ଼ିଲା ପରି ତୀବ୍ର ଗନ୍ଧ ବାହାରୁଅଛି । ଝରଣା ମୂଳରେ ଗୋଟାଏ ଚତୁଷ୍କୋଣାକୃତି ପ୍ରସ୍ତର କୁଣ୍ଡ । କୁଣ୍ଡରେ ପ୍ରାୟ ଅଣ୍ଟାଏ ପାଣି । ଅଧିକ ପାଣି ହେଲେ ବାହାରି ଯିବାକୁ ବାଟ ଅଛି । କୁଣ୍ଡର ଜଳ ଉଷ୍ଣ । ଅଧିକା ଜଳ ବାହାରି ଯାଇ ନଦୀ ଆକାରରେ ବହିଯାଇ ପ୍ରାୟ ଦୁଇଶ ହାତପରେ ଶୀତଳ ହୋଇଯାଉଅଛି । ଜଳରେ ଗନ୍ଧକର ଗନ୍ଧ ପୂରି ରହିଅଛି; କିନ୍ତୁ ଫୁଟାଇ ନେଲେ ଆଉ ଗନ୍ଧ ରହେ ନାହିଁ । କୁଣ୍ଡ ପାଖରେ ଗୋଟାଏ ଟଭାଗଛ ଅଛି । ଫଳଗୁଡ଼ିକ ବାତାପି ଲେମ୍ବୁ ପରି ଖୁବ୍‌ ବଡ଼, ଲୋଭନୀୟ, କିନ୍ତୁ ଏତେ ଖଟା ଯେ ବିନ୍ଦୁଏ ମାତ୍ର ଜିଭରେ ଦେଲେ ଖଟାରେ ଦେହ ଥରି ଉଠେ । ସ୍ଥାନଟି ଖୁବ୍‌ ରମଣୀୟ, ପାଦପ ଲତାରେ ପୂର୍ଣ୍ଣ । ଅତି ବଡ଼ ବଡ଼ ଗଛ ଅନେକ ଅଛି । ଶିଆଳି ଲତା ସେଥିରେ ମାଡ଼ି ଦୋଳି ସୃଷ୍ଟି କରିଅଛି । ସ୍ଥାନେ ସ୍ଥାନେ ଲତା ଗହଳରେ ପର୍ଣ୍ଣ କୁଟୀରର ସର୍ଜନା ହୋଇଅଛି । କେତେ ଲୋକ ଯାଇ ଦୋଳି ଖେଳିବାକୁ ଲାଗିଲେ, କେତେ ପର୍ଣ୍ଣକୁଟୀରରେ ବସି ଜାତୀୟ ସଙ୍ଗୀତ ଗାଇ ଆମୋଦ ଉପଭୋଗ କଲେ । ଆଉ କେତେ ଯାଇ କୁଣ୍ଡରେ ସ୍ନାନ କଲେ । ମୁଁ ସୋମନାଥ ଦୁହେଁ କୁଣ୍ଡରେ ପଶି ସ୍ନାନ କଲୁଁ । ପ୍ରଥମେ ଦେହ ବୁଡ଼ାଇଲା ବେଳେ ଚାଏଁ ପରି ଟିକେ ଗରମ ଲାଗେ, ମାତ୍ର ପଛକୁ ଏଡ଼େ ଆରାମ ବୋଧ ହୁଏ ଯେ, ଆଉ ଉଠିବାକୁ ଇଚ୍ଛା ହୁଏ ନାହିଁ । କୁଣ୍ଡ ଭିତରେ ଦୁଇଟା ବଡ଼ ପଥର ପଡ଼ିଅଛି । ପଥର ତଳୁ ଜଳ ଫୁଟିଲା ପରି ବୁଦ୍‌ବୁଦ୍‌ ବାହାରୁଛି । ଶଉରାମାନେ ସେ ପଥର ଛୁଇଁବାକୁ ମନାକଲେ । କହିଲେ–ସେ ଠାକୁରାଣୀ ପଥର, ତାକୁ ଛୁଇଁଲେ ଜ୍ୱର ହେବ; କିନ୍ତୁ ମୁଁ ନ ମାନି ପଥର ଉପରେ ବସି ସ୍ନାନ କଲି । ତାହା ଦେଖି ସେମାନେ ମୋର ଭବିଷ୍ୟତ୍‌ ବିପଦର ଆଶଙ୍କା କରି ଦୁଃଖିତ ହେଲେ । ପଥର ତଳେ ଝରଣାର ମୁହଁ ଅଛି । ଅଧିକ ପାଣି ବାହାରିଲେ କୁଣ୍ଡ ବୁଡ଼ିଯାଇ ଭାଙ୍ଗିଯାଇପାରେ । ବୋଧହୁଏ ସେଥିପାଇଁ ଝର ମୁହଁରେ ପଥର ଲଦି ଦିଆଯାଇଅଛି । ଶଉରାମାନେ ବାରବିଶେଷରେ ସେଠାରେ ଛେଳି, କୁକୁଡ଼ା ବଳି ଦିଅନ୍ତି । ଶୁଷ୍କରକ୍ତ କାଦୁଅ ପରି ବସି ଯାଇଅଛି । ମାଛି ଘଣଘଣ ଶବ୍ଦରେ କର୍ଣ୍ଣ ବଧୀର ହେବାର ଉପକ୍ରମ ହୁଏ । ଦୁର୍ଗନ୍ଧରେ ଅନ୍ନପ୍ରାଶନର ଅନ୍ନ ସୁଦ୍ଧା ଉଦ୍‌ଗିରିତ ହୋଇ ପଡ଼ିବ । ଅଶିକ୍ଷିତ ବଣୁଆ ଲୋକଙ୍କର ଅନ୍ଧବିଶ୍ୱାସ ହେତୁ ତୀର୍ଥପରି ସ୍ଥାନ ନରକରେ ପରିଣତ ହୋଇଅଛି । ଗନ୍ଧକ ଜଳ ଶରୀର ପକ୍ଷରେ ବଡ଼ ଉପକାରୀ । ଶୁଣିଲି ସାହେବମାନେ ସେହି ଜଳ ବୋତଲ, କନସ୍ତରା ପ୍ରଭୃତିରେ ନେଇଯାଆନ୍ତି । ସେଠାରେ ଲତାଗୃହ ମଧ୍ୟରେ ରୋଷାଇ ହେଲା । ସଙ୍ଗରେ ଚାଉଳ, ଜାଇ ନିଆଯାଇଥିଲା । ବଣରୁ ଆଳୁ ଖୋଳି ଆଣି ତରକାରୀ କରାଗଲା । ଆଳୁ ଗୁଡ଼ିକ ଖମ୍ବଆଳୁ ପରି ଖୁବ୍‌ ମୋଟ ଏବଂ ସ୍ୱାଦୁ ଠିକ୍‌ ଖମ୍ବଆଳୁ ପରି । ଆଳୁର ଲତା କଣ୍ଟାମୟ । ଏଣୁ ତାହାକୁ କଣ୍ଟାଆଳୁ ବୋଲି କହନ୍ତି । ସେହି କୁଣ୍ଡ ଜଳରେ ରୋଷାଇ କରାଗଲା, କିନ୍ତୁ ଅନ୍ନ ବ୍ୟଞ୍ଜନରେ ଗନ୍ଧକର ଗନ୍ଧ ବା ବିକାର କିଛି ଜଣାଗଲା ନାହିଁ । ଉପରକୁ ଆଉ ଗୋଟାଏ ଚୂଡ଼ା ରହିଲା । ତାହା ଠିକ୍‌ ସିଂହ ମୁଖ ବ୍ୟାଦାନ କଲାପରି ଦେଖା ଯାଉଥାଏ । ଏଣୁ ପର୍ବତର ନାମ ସିଂହରାଜ ହୋଇଅଛି । ଶେଷଚୂଡ଼ା ଦୁରାରୋହ ହେତୁ ଉଠିବା ବଡ଼ କଷ୍ଟକର-। ଖଣ୍ଡେ ଦୂରଯାଇ ଆଉ ଉଠି ହେଲାନାହିଁ । ଅଗତ୍ୟା ସେହିଠାରୁ ଓହ୍ଲାଇବାକୁ ହେଲା । ସେଠାକୁ ଗଞ୍ଜାମର ଅନେକ ରାଜ୍ୟ, ପର୍ବତ, ନଦୀ ପ୍ରଭୃତି ଦେଖାଯାଉଥାଏ । ଆସିବାବେଳେ କୁଣ୍ଡରୁ ଜଳ ନେଇଯିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କଲେ, ମାତ୍ର ପାତ୍ରର ଅଭାବ । ବାଉଁଶ ଚୁଙ୍ଗା କାଟି ସେହିଥିରେ ଜଳ ଆଣିଲେ । ଶୁଣିଲି ସେ ଜଳ ପିଇଲେ କାଛୁ କୁଣ୍ଡିଆ ପ୍ରଭୃତି ଚର୍ମରୋଗ ହୁଏ ନାହିଁ ଏବଂ ବୋଇତାଳୁ, କଖାରୁ, ଜହ୍ନି, ଭେଣ୍ଡୀ ପ୍ରଭୃତି ଗଛରେ ଛିଞ୍ଚିଲେ ପୋକ ଲାଗେ ନାହିଁ । ପର୍ବତର ଦୃଶ୍ୟ ଏବଂ ପ୍ରାକୃତିକ ବର୍ଣ୍ଣନା ‘‘ସିଂହରାଜ’’ ନାମକ ପୁସ୍ତକରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଥିବାରୁ ତାହା ଉପେକ୍ଷିତ ହେଲା । ତପ୍ତ ପାଣି ପ୍ରସ୍ରବଣ ପାଖରେ ରାତିରେ ରହିବାର ଇଚ୍ଛାଥିଲା, ମାତ୍ର ତୁରୁତୁରିଆ ବିଦ୍ୟାରତ୍ନ ତାହା କରାଇ ଦେଲେ ନାହିଁ–ନାନାପ୍ରକାର ଭୟ ଦେଖାଇ ସମସ୍ତଙ୍କୁ ତଡ଼ି ଆଣିଲେ । ସ୍ଥାନଟି ସାଧନ, ଭଜନର ଉପଯୁକ୍ତ । କୁଣ୍ଡରେ ସ୍ନାନ କଲାପରେ ଗୋଟିଏ ନିର୍ଜନ ଗହଳ ଲତା କୁଟୀରରେ ବସି କିଛିକ୍ଷଣ ଇଷ୍ଟ ଚିନ୍ତା କରିବାର ସୁବିଧା ସେଠାରେ ମୋ ଭାଗ୍ୟରେ ଘଟିଥିଲା । ସେଭଳି ସ୍ଥାନରେ ମନ ପ୍ରସନ୍ନ ଏବଂ ପବିତ୍ର ହୁଏ । ସଂସାରର କୋଳାହଳମୟ, ଦ୍ୱେଷହିଂସାଦୂଷିତ ବାୟୁ ସେ ସ୍ଥାନକୁ ଯାଇପାରେ ନାହିଁ । ମନ ଭାବପ୍ରବଣ ହୋଇଉଠେ, ସେହି ଭାବ ପ୍ରବାହରେ ସଂସାର ଚିନ୍ତା କୁଆଡ଼େ ଭାସି ଚାଲିଯାଏ । ସ୍ଥାନର ଶାନ୍ତିପୂର୍ଣ୍ଣ ମୋହନ ମାଧୁରୀ ଆତ୍ମବିସ୍ମୃତି ଆଣିଦିଏ । ତାହା ନୋହିଥିଲେ ଯୋଗୀ, ଋଷିମାନଙ୍କର ଏତେ ଆଦରଣୀୟ ହୋଇ ନଥାନ୍ତା । ମନକୁ ବାନ୍ଧି ରଖିବାର ଶକ୍ତି ବନ, ପର୍ବତାଦିର ଅତୁଳନୀୟ । ଚଗଲା, ଚଞ୍ଚଳମନ ସେହିଠାରେ ପରାଜୟ ସ୍ୱୀକାର କରେ । ମହାଦୃଶ୍ୟ ସାତ୍ତ୍ୱିକ ଭାବ ଆନୟନ କରି ହୃଦୟକୁ ଉଦାର ଏବଂ ପ୍ରଶସ୍ତ କରିଦିଏ । ମନରେ ଏକାଗ୍ରତା ଆଣିଦିଏ, ମନ ମହତ୍‌ ହୋଇଉଠେ ଏବଂ କି ଏକ ଅନାସ୍ୱାଦିତପୂର୍ବ, ଅନାବିଳ ମଧୁମୟ ପ୍ରେମରେ ମତୁଆଲା ହୋଇଯାଏ-। ତେତେବେଳେ ସେ ନିର୍ଦ୍ଦୋଷ, ନିଷ୍ପାପ ଏବଂ ନିରାଲମ୍ବ । ସେ ଦୃଶ୍ୟରୁ ଅମୃତ ଝରେ, ସେ ଅମୃତପାନର ସୁବିଧା ଯାହା ଭାଗ୍ୟରେ ଘଟେ ସେ ଅମର ହୁଏ । ସେ ମହାଦୃଶ୍ୟ ସ୍ୱାଭାବିକ ଚିନ୍ତାର ଧାରା ବଦଳାଇ ଦେଇ ଅତି ସହଜ, ସୁନ୍ଦର, ନବୀନ, ପବିତ୍ର ଚିନ୍ତା ଆଣି ହୃଦୟ ଭିତରେ ଅଲକ୍ଷ୍ୟରେ ପୂରାଇଦିଏ । ତେତେବେଳେ ମର୍ତ୍ତ୍ୟରେ ଥିବାପରି ବୋଧହୁଏ ନାହିଁ–ଜ୍ୟୋତିର୍ମୟ ଆନନ୍ଦମୟ ସ୍ୱର୍ଗରେ ଥିବାପରି ଜଣାଯାଏ ।

 

ସିଂହରାଜରୁ ଫେରି ପୁଡ଼ାମାରୀରେ ପହୁଞ୍ଚିବା ବେଳକୁ ରାତି ହୋଇ ଯାଇଥିଲା । ରାଜଗୁରୁ ଖାଇବା ପାଇଁ ନିମନ୍ତ୍ରଣ କଲେ । ଦିବ୍ୟ ଅନ୍ନ, ବିବିଧ ବ୍ୟଞ୍ଜନ, ଆଚାର, ଚଟଣୀ ପ୍ରଭୃତିରେ ଉଦର ସମୁଦ୍ରକୁ ପୂଜା କରିବାକୁ ହେଲା । ରାଜଗୁରୁଙ୍କ ଘରର ମାଛଝୋଳ ପାସୋରି ହେବ ନାହିଁ । ଗଞ୍ଜାମର ତେନ୍ତୁଳି ନବାତମିଶା ମାଛଝୋଳ ଖୁବ୍‌ ଉପାଦେୟ ହୁଏ । ରାନ୍ଧିବାର ପାଗ ସ୍ତ୍ରୀଲୋକମାନେ ଭଲ ଜାଣନ୍ତି । ରାଜଗୁରୁ ଖଣ୍ଡିଏ ବାଉଁଶ ବାଡ଼ି ମୋତେ ସ୍ନେହୋପହାର ଦେଇଥିଲେ, ସେ ଖଣ୍ଡି ତାଙ୍କ ସ୍ମୃତି ବହନ କରି ଅଦ୍ୟାପି ମୋ ନିକଟରେ ଅଛି । ପଥଶ୍ରାନ୍ତି ପରେ ଭୋଜନରେ ଯେତିକି ତୃପ୍ତି ମିଳିଥିଲା, ଶୋଇବାବେଳେ ତେତିକି ଅଶାନ୍ତି ଭୋଗ କରିବାକୁ ହେଲା-। ମଶାର ଦୌରାତ୍ମ୍ୟରେ ଶୋଇ ହେଲା ନାହିଁ । ବିନା ଦୋଷରେ ନିଜକୁ ଦଣ୍ଡ ଦେବାକୁ ପଡ଼ିଲା । ଚାପୁଡ଼ା ଆଘାତରେ ଦେହ ବଥା କରିଗଲା, ତଥାପି ତ୍ରାହି ମିଳିଲା ନାହିଁ । ସଭାସମିତିରୁ କରତାଳି ଶବ୍ଦ ଉଠିଲା ପରି ଚାପୁଡ଼ାର ଚଡ଼୍‌ଚଡ଼୍ ଶବ୍ଦରେ କର୍ଣ୍ଣ ବଧିର ହୋଇଗଲା । କେହି ପଥିକ ତାହା ଶୁଣିଥିଲେ ବସାଘରଟିକୁ କୁମ୍ଭାରଶାଳ ମନେ କରିଥିବ । ଲଣ୍ଠନ ଜାଳି ବସି ବସି ରାତି କଟାଇବାକୁ ହେଲା । ଆଲୁଅ ଦେଖି ସୁଦ୍ଧା ମଶା ଡରିଲେ ନାହିଁ, ବାଦୀ ପାଲାଦଳ ମୃଦଙ୍ଗ କରତାଳ ବଜାଇ ହୁମୁହୁମୁ ହୋଇ ଉଠିଲା ପରି ମଶାମାନେ ଭଣଭଣ ଶବ୍ଦ କରି ଦଳ ଦଳ ହୋଇ ଆସି ଆମ ନିରୀହ ପ୍ରାଣୀଗୁଡ଼ିକ ଉପରେ ବୀରତ୍ୱ ପ୍ରକାଶ କଲେ । ଅନିଦ୍ରାରେ ରାତି ପାହିଲା । ରାଜଗୁରୁ ସେଦିନ ରହିବା ପାଇଁ ଅନୁରୋଧ କଲେ । ବିଦ୍ୟାରତ୍ନେ କହିଲେ–‘‘ଭାଇ, ବନ୍ଧୁତାରେ ଆଉ ଯନ୍ତ୍ରଣା ଦିଅନାହିଁ । ତୁମ୍ଭେମାନେ ସଭାକରି ଆମ୍ଭମାନଙ୍କୁ ଅଭ୍ୟର୍ଥନା କରିବାପାଇଁ ଫୁସୁରୁଫାସର ହେଉଛ; କିନ୍ତୁ ଗତ ରାତିରେ ତୁମ୍ଭ ପ୍ରତିନିଧି ସ୍ୱରୂପ ମଶକଦଳ ଆମ୍ଭମାନଙ୍କୁ ଯଥେଷ୍ଟ ଅଭ୍ୟର୍ଥନା କରି ସାରିଅଛନ୍ତି । ଦେହରେ ଆଉ ରକ୍ତ ନାହିଁ, କ୍ଷମା କର–ବିଦାୟ ଦିଅ–ସ୍ଥାନ ତ୍ୟାଗେନ ଦୁର୍ଜନଂ ।’’ ଏକଥା ଶୁଣି ଗୋଟାଏ ହାସ୍ୟର ତରଙ୍ଗ ଖେଳିଗଲା । କେହି କେହି କହିଲେ–ରାତିରେ ମଶାରି ଟାଙ୍ଗି ଦିଆଯିବ, ଆଉ ଗତ ରାତିପରି ଅସୁବିଧା ହେବ ନାହିଁ । ବିଦ୍ୟାରତ୍ନେ କହିଲେ–ରାମ ବୋଲ, ତ୍ରାହି ମଧୁସୂଦନ, ମଶାଦଳର ଭାରରେ ମଶାରି ନିଶ୍ଚୟ ଛିଡ଼ିଯିବ, ନଚେତ୍‌ ଚିରି ଧୁଣାଧୁଣା ହୋଇଯିବ । ଏହିପରି ରହସ୍ୟାଳାପ ପରେ ବନ୍ଧୁମାନଙ୍କଠାରୁ ବିଦାୟ ନେଇ ଦିଗପହଣ୍ଡି ଆସିଲୁଁ । ମଶା ଭୟରେ ନୁହେଁ–ସେ ସପ୍ତାହର ଗୁଣଦର୍ପଣ ବାହାରିବାକୁ ବିଳମ୍ବ ହେବ ବୋଲି ଶୀଘ୍ର ଆସିବାକୁ ହେଲା । ବିଦ୍ୟାରତ୍ନଙ୍କ ବସାରେ ଦୁଇଦିନ ଯଜ୍ଞ-ଅନ୍ନ ଶ୍ରାଦ୍ଧ କରି ମୁଁ ଏବଂ ସୋମନାଥ ଇଚ୍ଛାପୁର ଆସିଲୁଁ ।

 

ଇଚ୍ଛାପୁରର ‘ସିଂହରାଜ’ ଲିଖିତ ହେଲା । ଅଳ୍ପଦିନ ପରେ ବର୍ତ୍ତମାନ ରାୟ ବାହାଦୁର ଶ୍ରୀଯୁକ୍ତ ରାମଶଙ୍କର ରାୟଙ୍କ ଅର୍ଥ ସାହାଯ୍ୟରେ ତାହା ପୁସ୍ତକାକାରରେ ପ୍ରକାଶିତ ହେଲା । ତତ୍‌ ପୂର୍ବରୁ ‘‘ସାଳନ୍ଦୀ’’ ପ୍ରକାଶିତ ହୋଇଥିଲା । ରାୟ ବାହାଦୁର ସୁଦାମ ଚରଣ ନାୟକ ତାହାର ପାଣ୍ଡୁଲିପି ପଢ଼ି ସ୍ୱତଃ ପ୍ରବୃତ୍ତ ହୋଇ ସ୍ୱହସ୍ତରୁ ମୁଦ୍ରଣ ବ୍ୟୟ ଦେଇ ସେ ଖଣ୍ଡି ଛପାଇ ଦେଇଥିଲେ । ତାଙ୍କଠାରୁ ମୁଁ ଯଥେଷ୍ଟ ଉତ୍ସାହ ପାଇଅଛି । ରାମଶଙ୍କର ବାବୁ ମୋର ପ୍ରତ୍ୟେକ ପୁସ୍ତକର ଉଚ୍ଚ ସମାଲୋଚନା ଉତ୍କଳ ଦୀପିକାରେ ପ୍ରକାଶ କରି ମୋତେ ପରମ ଉତ୍ସାହିତ କରିଅଛନ୍ତି ଏବଂ ସାଧାରଣରେ ଚିହ୍ନାଇ ଅଛନ୍ତି । ସେ ସମୟରେ ପ୍ରାୟ ପ୍ରତ୍ୟେକ ସପ୍ତାହର ଉତ୍କଳ ପତ୍ରିକାରେ ମୋ ପୁସ୍ତକର ସମ୍ପାଦକୀୟ ଉଚ୍ଚ ମନ୍ତବ୍ୟ ଏବଂ ସମାଲୋଚନା ବାହାରୁ ଥାଏ । ଏହି ସମୟରେ ମୋର ପୁତ୍ରର ବିବାହ ହେଲା । ମୁଁ ସୋମନାଥକୁ ଘେନି ଭଦ୍ରଖ ଆସିଲି । ଶୁଭରେ ବିବାହ ସମାହିତ ହୋଇଗଲା । ସେଥିରେ ଦୁଇଶ ଟଙ୍କା ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ଆଠଶ ଟଙ୍କାରେ ସେଭଳି ଆଡ଼ମ୍ବର ହୋଇପାରିବ ନାହିଁ । ବୋହୂଟି ବଡ଼ ଘରର ଝିଅ, ଶିକ୍ଷିତା । କନ୍ୟାରତ୍ନ ବୋଲି ସଂସାରରେ କହନ୍ତି, ପୁଣି ମୋର ଏକମାତ୍ର ସ୍ନେହର ପୁତ୍ର ବଧୂ–ମୁଁ ତାହାର ନାମ ରତ୍ନପ୍ରଭା ଦେଇଥିଲି । ଦୁଃଖର ବିଷୟ ସେ ରତ୍ନଟି ବର୍ତ୍ତମାନ ନାହିଁ । ବହୁଦିନ ପୂର୍ବରୁ ଭଗବାନ ତାକୁ ସତୀ ବାଞ୍ଛିତ ସଧବା ସ୍ୱର୍ଗକୁ ନେଇ ଯାଇଅଛନ୍ତି । ଓଡ଼ିଆ, ବଙ୍ଗଳା ଭାଷାରେ ତାହାର ଯଥେଷ୍ଟ ପଟୁତା ଥିଲା, ପୁଣି ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲା । ଗଙ୍ଗାଧର ମେହେରଙ୍କର ଏବଂ ମୋର କେତେଖଣ୍ଡ କାବ୍ୟ ତାହାର କଣ୍ଠସ୍ଥ ଥିଲା । ତାହାର ଖଣ୍ଡେ ଖଣ୍ଡେ ଚିଠି ପଢ଼ି ବାସ୍ତବରେ ମୁଁ ଗର୍ବ ଅନୁଭବ କରୁଅଛି । ସେହି ବିଦୂଷୀ, ଗୁଣବତୀ ରତ୍ନପ୍ରଭା ମୋ ହୃଦୟରେ ଗଭୀର ଆଘାତ କରି ଚାଲିଯାଇଛି । ସେହି ଆଘାତର କ୍ଷତ ଅବଧି ଶୁଖି ନାହିଁ କି ଜୀବନରେ ଶୁଖିବ ନାହିଁ । ତାହାର ଅପାସୋରା ସ୍ମୃତି ସେହି କ୍ଷତକୁ ସର୍ବଦା ବିଷର୍ପିତ କରୁଅଛି । ପୁଣି ଆଉ ଗୋଟିଏ ବୋହୂ ଆସି ତାହା ସ୍ଥାନ ଅଧିକାର କଲା–ସଂସାର ପୂର୍ବ ପରି ଚଳିଲା–ସବୁ ହେଲା, କିନ୍ତୁ ତାହାର ସ୍ମୃତି ଲିଭି ନାହିଁ । ସେହି ଦାରୁଣ ସ୍ମୃତି ବେଳେ ବେଳେ ନେତ୍ର ଆର୍ଦ୍ର କରିଦିଏ । ମନୁଷ୍ୟର ମୋହ, ମାୟା ଏହିପରି । ଯାହାକୁ ସେ ଆଉ ପାଇବ ନାହିଁ, ତାହା ପାଇଁ ଶୋକରେ ଝୁରି ହୁଏ । ସେ ଶୋକ ପୁଣି ସାନ୍ତ୍ୱନା ମାନେ ନାହିଁ–ଏହାହିଁ ଆଶ୍ଚର୍ଯ୍ୟ । ଯେ ଗଲା, ସେ ଗଲା–ଆଉ ଫେରିବ ନାହିଁ, ଏହାତ ଅବ୍ୟର୍ଥ ଶାଶ୍ୱତ ନିୟମ । ମନୁଷ୍ୟ ସେଥିର ଦୃଷ୍ଟାନ୍ତ ସର୍ବଦା ଦେଖି ସୁଦ୍ଧା ଗତ ପାଇଁ ଶୋଚନା କରେ-। ପୁଣି ସେ ନିଜେ ଯେ ଦିନେ ଚାଲିଯିବ–ଆଉ ଫେରିବ ନାହିଁ, ଏକଥା ସେ ଭାବେ ନାହିଁ । ବେଳେ ବେଳେ ଭାବିଲେ ସୁଦ୍ଧା ପୁଣି ଭୁଲିଯାଏ । ସେ କାହାର ନୁହେଁ, କେହି ତାହାର ନୁହେଁ–ଏ ଭାବ ଧରିଲେ ସଂସାର ଚଳେ ନାହିଁ । ଧନ୍ୟ ସେ ସଂସାର, ତାହାରି ଗର୍ଭରେ ଥାଇ ତାକୁ ଦୂରୁ ଜୁହାର ।

 

ଶ୍ରୀମାନ୍ ଉପେନ୍ଦ୍ରର ବିବାହ ପରେ ମୁଁ ଇଚ୍ଛାପୁର ଗଲି । ‘‘ମାତୃପୂଜା’’ ନାମକ ସାମୟିକ ପୁସ୍ତକ ଖଣ୍ଡିଏ ଲେଖିଲି । ତେତେବେଳେ ଦ୍ୱିତୀୟବାର ଦେଶମିଶ୍ରଣ ଆନ୍ଦୋଳନ ଆରମ୍ଭ ହୋଇ ସ୍ୱାକ୍ଷର ସଂଗ୍ରହ ଲାଗିଥାଏ । ଖଲିକୋଟ ଅଞ୍ଚଳରୁ ସ୍ୱାକ୍ଷର ସଂଗ୍ରହ କରିବା ସକାଶ ସୁରଙ୍ଗୀ ରାଜା ମୋତେ ପଠାଇଲେ । ମୁଁ ଯାଇ ରମ୍ଭାରେ ପହୁଞ୍ଚି ଜୟକୃଷ୍ଣ ଚ୍ୟାଉ ପଟ୍ଟନାୟକଙ୍କୁ ଉତ୍ତରସାଧକ ରୂପେ ଗ୍ରହଣ କଲି । ତାଙ୍କରି ସାହାଯ୍ୟରେ ରମ୍ଭାରେ ସଭା କରି ସ୍ୱାକ୍ଷର ସଂଗ୍ରହ କଲି । ସେଠାରୁ ଦୁହେଁ ଖଲିକୋଟ ଗଲୁ । ଗଡ଼ରେ ସଭା ହେଲା, ସ୍ୱାକ୍ଷର ସଂଗ୍ରହ କରାଗଲା । ‘‘ନବଗ୍ରହ ପାଟଯୋଷୀ’’ ଉପାଧି ଭୂଷିତ ଜଣେ ଜଣେ ଜ୍ୟୋତିଷ ପଣ୍ଡିତ ଗଣନା କରି ସେହି ମାସ ଅଣତ୍ରିଶ ତାରିଖରେ ଦେଶମିଶ୍ରଣ ହୋଇଯିବ ବୋଲି ଦୃଢ଼ ପ୍ରତିଜ୍ଞା ଦେଖାଇ କହିଲେ । ତାଙ୍କ କଥା ସତ ନହେଲେ ସେ ତାଙ୍କ ପାଞ୍ଜି ପୋଡ଼ି ଦେବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ପଣ୍ଡିତଙ୍କ କଥା ମିଛ ହେଲେ ପାଞ୍ଜିର କି ଦୋଷ ହେଲା, ତାହା ମୁଁ ବୁଝିପାରିଲି ନାହିଁ । ମୁଁ ଆସି ସୁରଙ୍ଗୀ ରାଜାଙ୍କୁ ସେ କଥା କହିଲି । ଗଣନା ସଫଳ ହେଲେ ପଣ୍ଡିତଙ୍କୁ ସେ ଉଚ୍ଚ ପୁରସ୍କାର ଦେବେ ବୋଲି ସ୍ୱତଃ ସ୍ୱୀକୃତ ହେଲେ । କିନ୍ତୁ ପଣ୍ଡିତଙ୍କ କଥା ସତ ହେଲା ନାହିଁ । ସେ ତାଙ୍କ ପାଞ୍ଜି ପୋଡ଼ିଲେ କି ନାହିଁ–ସେ ଖବର ଆଉ ଜାଣିବାକୁ ଚେଷ୍ଟା କରି ନାହିଁ ।

 

ମୋର ଯେତେବେଳେ ଯେଉଁ ପୁସ୍ତକ ଛାପା ହୁଏ, ମୁଁ ତାହା ଲାଞ୍ଜିଗଡ଼ର ସାହିତ୍ୟବନ୍ଧୁ ରାଜା ମାହେଶ୍ୱରୀ ପ୍ରସାଦ ଦେବ ମହୋଦୟଙ୍କୁ ଉପହାର ଦିଏଁ । ପୂର୍ବରୁ ତାଙ୍କ ସହିତ ପରିଚୟ ଥିଲା, ଏହି ସୂତ୍ରରେ ତାହା ଘନିଷ୍ଠତର ହୋଇ ଉଠିଲା । ସେ ମୋତେ ଭାଇ ବୋଲି ସମ୍ବୋଧନ କରନ୍ତି, ମୁଁ ତାଙ୍କୁ ଭାଇ ମହାରାଜା ବୋଲି ପତ୍ରରେ ଲେଖେଁ । ପତ୍ରର ଆଦାନ ପ୍ରଦାନ ଦ୍ୱାରା ସେ ମୋର ସାହିତ୍ୟ ସେବାର ତତ୍ତ୍ୱ ନିଅନ୍ତି । ବର୍ତ୍ତମାନ ଆଉ କଅଣ ଲେଖା ହେଉଅଛି, ଏହାପରେ ଆଉ କି ପୁସ୍ତକ ଲେଖାଯିବ, ପତ୍ରଦ୍ୱାରା ଏହିପରି ପ୍ରଶ୍ନ କରନ୍ତି । ସେ ମୋର ଅନେକ ପୁସ୍ତକ ଛପାଇ ଦେଇ ଅଛନ୍ତି । ତାଙ୍କର ଅନୁକୂଳ ଦୃଷ୍ଟି ପଡ଼ି ନ ଥିଲେ ମୋର ଅନେକ ପୁସ୍ତକର ପରମାୟୁ ପାଣ୍ଡୁଲିପିରେ ଶେଷ ହୋଇଥାଆନ୍ତା । ଖାଲି ପୁସ୍ତକ ପ୍ରକାଶ କରି ସେ କ୍ଷାନ୍ତ ହେଉ ନ ଥିଲେ, ବରାଦ୍ କରି ପୁସ୍ତକ ଲେଖାଇ ନେଇ ନିଜ ବ୍ୟୟରେ ଛପାଇ ଦେଉଥିଲେ । ସେ ବିଷୟ ଯଥାସ୍ଥାନରେ ଲିଖିତ ହେବ । କି ଶୁଭକ୍ଷଣରେ ମୁଁ ତାଙ୍କଠାରେ ପରିଚିତ ହୋଇଥିଲି କେଜାଣି, ତାଙ୍କପରି ପୃଷ୍ଠପୋଷକ ମୁଁ ଜନ୍ମାନ୍ତରରେ ପାଇବି କି ନାହିଁ ସନ୍ଦେହ । ତାଙ୍କରି ପ୍ରଦତ୍ତ ଉତ୍ସାହ, ସାହାଯ୍ୟ, ସହାନୁଭୂତି ମୋତେ ସାହିତ୍ୟ ଚର୍ଚ୍ଚା ଆଡ଼କୁ ବିଶେଷ ଭାବରେ ଆକର୍ଷଣ କଲା । ସେହିଠାରୁ ମୁଁ ଅକ୍ଳାନ୍ତ ଭାବରେ ପୁସ୍ତକ ଲେଖାରେ ଲାଗି ରହିଲି । ଉତ୍ତେଜନା ଏତେ ପ୍ରବଳ ଭାବରେ ବଢ଼ିଲା ଯେ ତାକୁ ଦମନ ବା ସଂଯତ କରି ହେଲା ନାହିଁ । ଲାଞ୍ଜିଗଡ଼ ରାଜାଙ୍କୁ ମୋର ଭାଗ୍ୟବିଧାତା କହିଲେ ଅସଙ୍ଗତ ହେବ ନାହିଁ । ବିକ୍ରମାଦିତ୍ୟର ରଚନା ଶେଷ ହେଲା ପରେ ମୁଁ ତାଙ୍କୁ ପତ୍ରରେ ଜଣାଇଲି । ସେ ପାଣ୍ଡୁଲିପି ଦେଖିବାକୁ ଇଚ୍ଛା ପ୍ରକାଶ କରି ପତ୍ର ଲେଖିଲେ । ମୁଁ ଡାକରେ ପାଣ୍ଡୁଲିପି ପଠାଇଲି । ପଢ଼ିସାରି ସେ ତାହା ଫେରାଇ ଦେଇ ଲେଖିଲେ–‘‘ଶୀଘ୍ର ଏହାକୁ କଟକର କୌଣସି ପ୍ରେସ୍‌ରେ ପରିପାଟୀ ରୂପେ ଛପାଇ ନେଉନ୍ତୁ, ଛାପାଖର୍ଚ୍ଚ ମୁଁ ଦେବି ।’’ ରାଜାଙ୍କର ଏ ଆଦେଶ ପାଇ ମୋର ହୃଦୟ କୃତଜ୍ଞତାରେ ପୂରି ଉଠିଲା–ଉତ୍ସାହ, ଆନନ୍ଦ ଦ୍ୱିଗୁଣିତ ହୋଇ ଉଠିଲା । ଶୁଷ୍କ, ଶୂନ୍ୟଗର୍ଭ, ଶବ୍ଦସମ୍ଭାରମୟ କୃତଜ୍ଞତା ତାଙ୍କ ପୂଜାର ଉପାଦାନ ନୁହେଁ–ତାଙ୍କର ଋଣ ମୁଁ ବହୁ ଜନ୍ମରେ ପରିଶୋଧ କରି ପାରିବି ନାହିଁ । ସାହିତ୍ୟ ପ୍ରେସ୍‌ରେ ପୁସ୍ତକ ମୁଦ୍ରିତ ହେଲା । ଛାପା ଖର୍ଚ୍ଚ ଛଅଶ ତିରିଶି ଟଙ୍କା ଲାଗିଲା । ରାମଶଙ୍କର ବାବୁ ପୁସ୍ତକର ଭୂମିକା ଲେଖିଲେ, ତାହା ପୁସ୍ତକାଦ୍ୟରେ ସଂଯୋଜିତ ହୋଇଅଛି । ସେହି ବର୍ଷ ବିକ୍ରମାଦିତ୍ୟ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସିର ବି. ଏ. କ୍ଳାସର ପାଠ୍ୟ ନିରୂପିତ ହେଲା । ଲାଞ୍ଜିଗଡ଼ ରାଜା ଉପନ୍ୟାସ ଲେଖିବା ସକାଶ ବାରମ୍ବାର ପତ୍ରରେ ପ୍ରବର୍ତ୍ତନା ଦେଲେ । ତାଙ୍କ ବରାତ୍ ଅନୁସାରେ ମୁଁ ଯୁଗଳ ମଠ ଉପନ୍ୟାସ ଲେଖିଲି । ତାହା ମୋର ପ୍ରଥମ ଉପନ୍ୟାସ । ସ୍ୱର୍ଗୀୟ ପାଟନା ରାଜା ପୃଥ୍ୱୀରାଜ ଦେବଙ୍କ ଆନୁକୂଲ୍ୟରେ ତାଙ୍କ ବଲାଙ୍ଗିର ପ୍ରେସ୍‌ରେ ଯୁଗଳ ମଠ ମୁଦ୍ରିତ ହେଲା । ତହିଁପରେ ‘‘ଆର୍ଯ୍ୟବାଳା’’ ମୁଦ୍ରିତ ଏବଂ ପ୍ରକାଶିତ ହେଲା । ଆର୍ଯ୍ୟବାଳା ରେଭେନ୍‌ସା ବାଳିକା ବିଦ୍ୟାଳୟର ଆଇ. ଏ. କ୍ଳାସର ପାଠ୍ୟ ନିର୍ବାଚିତ ହେଲା । ମୋର ଅନେକ ପୁସ୍ତକ ବିହାର ଓଡ଼ିଶାର ପାଠ୍ୟ, ପ୍ରାଇଜ୍ ଏବଂ ଲାଇବ୍ରେରୀ ପୁସ୍ତକ ରୂପେ କ୍ରମେ କ୍ରମେ ମଞ୍ଜୁର ହେଲା । ସୁରଙ୍ଗୀ ରାଜାଙ୍କର କେତେଖଣ୍ଡ ପୁସ୍ତକ ବିହାର ଓଡ଼ିଶାର ଶିକ୍ଷା ବିଭାଗର ଡାଇରେକ୍‌ଟରଙ୍କଠାରୁ ପଠାଇଥିଲି, ତାହା ପ୍ରାଇଜ୍ ଲାଇବ୍ରେରୀ ରୂପେ ମନୋନୀତ ହୋଇଅଛି । ଏକ ଚାଟଶାଳୀର ଚାଟ ପରି ସୁରଙ୍ଗୀରାଜା ଏବଂ ମୁଁ ପୁସ୍ତକ ଲେଖାରେ ଲାଗିଥାଉଁ । ଦିନଦିନକର କଥା ସ୍ମରଣ କଲେ ମନରେ ଦୁଃଖ ଜାତ ହୁଏ । ସେପରି ଉତ୍ସାହଦାତା ଏବେ ବିରଳ ଲକ୍ଷିତ ହୁଅନ୍ତି ।

 

ପ୍ରତିଷ୍ଠା, ସମ୍ପତ୍ତି ବୃଦ୍ଧି ସଙ୍ଗରେ ଶତ୍ରୁ ବୃଦ୍ଧିର ଘନିଷ୍ଠ ସମ୍ବନ୍ଧ । ଏ ସଂସାରରେ କାହାରି ସଙ୍ଗରେ ଶତ୍ରୁତା ନ କଲେ ମଧ୍ୟ ଶତ୍ରୁର ଅଭାବ ହୁଏ ନାହିଁ । ଶତ୍ରୁ ବଳେ ବଳେ ଆସି ଲାଗିଯାଆନ୍ତି-। କେହି ଗୁପ୍ତରେ ଶତ୍ରୁତା କରେ, କେହିବା ପ୍ରକାଶ୍ୟରେ କରେ । ପ୍ରକାଶ୍ୟ ଶତ୍ରୁଠାରୁ ଗୁପ୍ତଶତ୍ରୁ ଭୟଙ୍କର । ସେ ମତ୍ସରୀ ଏବଂ ମାରାତ୍ମକ ଷଡ଼ଯନ୍ତ୍ରୀ । ଗୁପ୍ତଶତ୍ରୁ ଅନ୍ଧାରରେ ଥାଇ ଟେକା ଫିଙ୍ଗେ । ଆଉ ଏକ ଶ୍ରେଣୀର ଶତ୍ରୁ ଅଛନ୍ତି, ସେମାନେ ଦ୍ୱିମୁଣ୍ଡିଆ ସାପ । ଗୋଟାଏ ମୁହଁରେ ଛଦ୍ମଅମୃତ ବୋଳି ଥାଆନ୍ତି, ଆଉ ଗୋଟାଏ ମୁହଁରେ ତୀବ୍ର ବିଷ ଉଦ୍‌ଗାର କରନ୍ତି । କିନ୍ତୁ ସେମାନେ ସହଜରେ ଧରା ପଡ଼ିଯାଆନ୍ତି । ସେମାନଙ୍କର ଦୁର୍ଗନ୍ଧ ପ୍ରକୃତି ସେମାନଙ୍କୁ ଧରାଇ ଦିଏ । ଏହି ଦୁଃସାଧ୍ୟ ବ୍ୟାଧି ଶିକ୍ଷିତ ସମାଜରେ ଅଧିକ ସଂକ୍ରମିତ ହେବାର ଦେଖାଯାଏ । ଏକା ଆମ ଦେଶରେ ନୁହେଁ–ସବୁ ଦେଶରେ ଏହି ‘‘ବିଷକୁମ୍ଭ ପୟୋମୁଖ’’ ଅଛନ୍ତି, କିନ୍ତୁ ଆମ ଦେଶ ଫାଷ୍ଟ ପ୍ରାଇଜ୍ ପାଇବାର ଯୋଗ୍ୟ-। ସଭ୍ୟ, ସମୁନ୍ନତ ସମାଜରେ ଗୁଣଗ୍ରାହୀ ଅଧିକ ଏବଂ ଦୋଷଦର୍ଶୀ ଊଣା, ମାତ୍ର ଆମ ସମାଜରେ ସମ୍ପୂର୍ଣ୍ଣ ବିପରୀତ, ଏ ଅପଦେବତାର ଅଭିଶାପ କେବେ କଟିଯିବ କେଜାଣି । ସଦୁଦ୍ଦେଶ୍ୟପୂର୍ଣ୍ଣ ସରଳହୃଦୟରେ ଯେ ପ୍ରକୃତ ତ୍ରୁଟି ବିଚ୍ୟୁତି ଦେଖାଇଦିଏ, ସେ ପରମବନ୍ଧୁ ଏବଂ ବାସ୍ତବ ହିତୈଷୀ । ତାହା ପାଦରେ ଶିର ଭକ୍ତିରେ ସ୍ୱତଃ ଅବନତ ହୁଏ । ଆଉ ଯେ ଘା ନଥିଲେବି ଦେହ ଫୋଡ଼ି ରକ୍ତ ଶୋଷଣ କରେ, ସେ ମାଛି ଡାଆଁଶ ପରି ଇତର ପ୍ରାଣୀ । ତାଙ୍କର ମାର୍ଜନୀ ଏଡ଼େ ଦୁର୍ଗନ୍ଧ ଯେ, ଭଲ ପଦାର୍ଥରେ ବାଜିଲେ ସୁଦ୍ଧା ତାହା ଦୁର୍ଗନ୍ଧ ହୋଇଯାଏ । ଏହି ଶ୍ରେଣୀୟ ତଥାକଥିତ ସମାଲୋଚକ କେତେଜଣ ବାହାରି ମୋର ସାଳନ୍ଦୀ ପୁସ୍ତକର ସମାଲୋଚନା ସାପ୍ତାହିକ ଆଶା ପତ୍ରିକାରେ ପ୍ରକାଶ କଲେ । ସେ ଅଲଣା ସମାଲୋଚନା ବ୍ୟଙ୍ଗ, ବିଦ୍ରୁପ, ପରିହାସ ଏବଂ ଅଜ୍ଞତାରେ ପୂର୍ଣ୍ଣ । ଜଣେ ପୁରୁଣା କାଳିଆ, ଅନୁସ୍ୱାର ସର୍ବସ୍ୱ ପଣ୍ଡିତଙ୍କ ସଙ୍ଗରେ କେତେଜଣ ନବ୍ୟଶିକ୍ଷିତ ମିଶି ଏ ଘଟଣା ସୃଷ୍ଟି କରିଥିଲେ । ସମାଲୋଚନା ତଳେ ନାମ ନ ଦେଇ ସେମାନେ ନିଜର ନୈତିକ ସାହସର ଚୂଡ଼ାନ୍ତ ପରିଚୟ ଦେଇଥିଲେ । ସେଥିମଧ୍ୟରୁ କେତେଜଣ ବର୍ତ୍ତମାନ ସୁଦ୍ଧା ଜୀବିତ, କେହିବା ଜୀବନ୍ମୃତ । ସେମାନଙ୍କୁ ପଦାରେ ପକାଇ ହଟହଟା କରିବା ମୋର ପ୍ରକୃତି ବିରୁଦ୍ଧ, ସୁତରାଂ ସେମାନଙ୍କ କୀର୍ତ୍ତିପୁତ ନାମ ପ୍ରକାଶ କଲି ନାହିଁ । ସମାଲୋଚନାରେ ମୁଦ୍ରାଙ୍କନ ପ୍ରମାଦର ଚିତା ଆଙ୍କୁଶୀ ଭୁଲ, ସୁଆରି ବୋହିବା ଲୋକଙ୍କୁ ଆପଟ ନ କହି ଗଉଡ଼ କହିବା ଭୁଲ ଏବଂ ବନଷ୍ପତି ପୁଷ୍ପ କହିବା ଭୁଲ, ଏହିପରି ହାସ୍ୟକର ପାଣ୍ଡିତ୍ୟର ଅବତରଣା କରାଯାଇଥିଲା । ସେମାନଙ୍କ ମତରେ କେବଳ ଫୁଲ ନ ଫୁଟିବା ଗଛକୁ ବନଷ୍ପତି କହନ୍ତି, ମାତ୍ର ମେଦିନୀକୋଷର ‘‘ବନଷ୍ପତିର୍ଦ୍ରୁମମାତ୍ରେ, ବିନା ପୁଷ୍ପେ ଫଳି ଦ୍ରୁମଃ’’ ଅର୍ଥାତ୍ ବୃକ୍ଷମାତ୍ରକୁ ବନଷ୍ପତି ବୋଲାଯାଏ, ପୁଣି ବିନା ପୁଷ୍ପରେ ଫଳ ଧରିବା ବୃକ୍ଷକୁ ବି ବନଷ୍ପତି ବୋଲାଯାଏ–ଏକଥା ତାଙ୍କ ଗୁରୁ ଶିଖାଇ ନାହାନ୍ତି-। ଗଞ୍ଜାମର ସୁପ୍ରସିଦ୍ଧ ପଣ୍ଡିତ ଗଦାଧର ବିଦ୍ୟାଭୂଷଣ, ଉତ୍କଳର ମୌଳିକ କବି ବ୍ୟାସୋପମ ଫକୀର ମୋହନ ସେନାପତି ସେହି ସମାଲୋଚନାର ତୀବ୍ର ପ୍ରତିବାଦ ଉତ୍କଳ ପତ୍ରିକାରେ ପ୍ରକାଶ କଲେ । ଆହୁରି ଅନେକ ନବୀନ ପ୍ରାଚୀନ ଲେଖକ ବାହାରି ସମାଲୋଚକଙ୍କ ବୁଦ୍ଧିକୁ ଧିକ୍‌କାର କଲେ । ଅନେକ ଦିନଯାଏ ବାଦ ପ୍ରତିବାଦ ଲାଗିଲା । ଶେଷରେ ସମାଲୋଚକମାନେ ଅପଦସ୍ତ ହୋଇ ମୁହଁଲୁଚା ଦେଲେ । ଆଶାର ସମ୍ପାଦକ ଶଶୀବାବୁ ସଂବାଦପତ୍ରରେ ଲେଖିବା ସମ୍ବନ୍ଧରେ ମୋର ଶିଷ୍ୟ ବୋଲି ନିଜେ ସ୍ୱୀକାର କରନ୍ତି–ସେ ଉକ୍ତ ଅଯଥା ସମାଲୋଚନାକୁ ପ୍ରକାଶ କରିଥିଲେ-। ସେଥିର କାରଣ ଏହି ଯେ–ଆଶାର ଜନ୍ମ ପୂର୍ବରୁ ବିଦ୍ୟାରତ୍ନେ ତାହା ଉଦ୍ଦେଶ୍ୟରେ କେତେକ ଅପ୍ରିୟ ସତ୍ୟ କଥା କହି କଟାକ୍ଷପାତ କରିଥିଲେ । ବିଦ୍ୟାରତ୍ନେ ମୋର ଅନ୍ତରଙ୍ଗ ବନ୍ଧୁ, ତାଙ୍କରି ପ୍ରବର୍ତ୍ତନାରେ ମୁଁ ସେ ପ୍ରବନ୍ଧ ଲେଖିଛି ବୋଲି ଶଶୀବାବୁଙ୍କର ବିଶ୍ୱାସ । ସୁତରାଂ ପ୍ରତିଶୋଧ ନେବା ସକାଶ ସେ ସମାଲୋଚନା ପ୍ରକାଶ କରିଥିଲେ । ଏହି ଭ୍ରମ ଶଶୀବାବୁ ପଛକୁ ବୁଝିପାରି ଅନୁତପ୍ତ ହୋଇଥିଲେ । ସମାଲୋଚକ ପଣ୍ଡିତଟି ଭିକ୍ଷାପାତ୍ର ଘେନି ସୁରଙ୍ଗୀ ରାଜାଙ୍କ ଦ୍ୱାରସ୍ଥ ହୋଇଥିଲେ, ମାତ୍ର ରାଜଦର୍ଶନ ନ ପାଇ ଶୂନ୍ୟ ହସ୍ତରେ ଫେରିଯାଇଥିଲେ । ତାଙ୍କର ଧାରଣା ଯେ, ମୁଁ ରାଜାଙ୍କୁ କହି ତାଙ୍କ ଦକ୍ଷିଣା ପ୍ରାପ୍ତିରେ ପ୍ରତିବନ୍ଧକ ଘଟାଇଲି । ଏହି ହେତୁ ପଣ୍ଡିତଙ୍କ ଉର୍ବର ମସ୍ତିସ୍କ ପ୍ରତିଶୋଧ ପରାୟଣ ହୋଇ ଉଠିଲା-। ଆଉ କେତେଜଣଙ୍କର କି କ୍ଷତି ମୁଁ କରିଥିଲି, ତାହା ଭାବି ଅବଧି କିଛି ମୂଳ ପାଇନାହିଁ । ଗତିପଥରେ ଏହିପରି ବାଧା ବଜ୍ରର ଆଘାତ ମୁଁ ଅନେକ ଥର ସହିଅଛି । କେତେ ଥର ପଡ଼ିଛି, କେତେ ଥର ଝାଡ଼ିଝୁଡ଼ି ହୋଇ ଉଠିଛି, ତାହାର ଠିକ୍ ହିସାବ କହି ପାରିବି ନାହିଁ । ଅନେକ ବାଧା, ବିପଦର ପ୍ରସ୍ତର–ପ୍ରାଚୀର ଲଙ୍ଘନ କରିବାକୁ ବି ହୋଇଅଛି । ସେ ସବୁ ଯଥାସ୍ଥାନରେ ଲିଖିତ ହେବ-। ମନୁଷ୍ୟ କଚଡ଼ା ନ ଖାଇଲେ ଟାଣ ହୁଏ ନାହିଁ । ଯେତେ କଚଡ଼ା ଖାଏ, ସେ ସେତେ ଟାଣ ହୁଏ । ବାଧାବିଘ୍ନକୁ ଡରିଲେ ସଂସାରରେ ଅଗ୍ରସର ହେବା ଦୁରୂହ ହୁଏ । ଆପଦବିପଦକୁ ନ ଡରି ତାହା ଆଗରେ ବୀର ତେଜରେ ଛାତି ପତାଇ ଦେବାକୁ ହେବ । ଶିଶୁ ଚାଲି ଶିଖିବା ବେଳେ ବାରମ୍ବାର କଚାଡ଼ି ପଡ଼େ । ଏହିପରି ପଡ଼ି ପଡ଼ି ତାହାର ଗୋଡ଼, କଙ୍କାଳ ଶକ୍ତ ହୁଏ, ତହୁଁ ସେ ଅବଲୀଳା କ୍ରମେ ଚାଲିପାରେ । ସାଧନାର ପଥ ତୀକ୍ଷ୍ଣ କଣ୍ଟକିତ, ତାହା ଦେଖି ଡରରେ ଥରିଲେ ଚଳିବ ନାହିଁ–ସେହି କଣ୍ଟକରେ କ୍ଷତବିକ୍ଷତ ହେବାକୁ ହେବ–ଦେହରୁ ରକ୍ତ ଝରାଇବାକୁ ହେବ, ପୁଣି ସେ ବ୍ୟଥା ସହିବାକୁ ହେବ, ତେବେ ଯାଇ ବାଟଚଲା ସହଜ ହୋଇ ଆସିବ ।

 

ବଡ଼ଖେମଣ୍ଡି ରାଜାଙ୍କର ପ୍ରଥମ କୁମାରଙ୍କର ବିଯୋଗ ଘଟିଲା । ସୁରଙ୍ଗୀ ରାଜା ସମବେଦନା ପ୍ରକାଶ କରି ସୁରଙ୍ଗୀ ଯାଇ ପୁତ୍ରଶୋକାକୁଳ ରାଜାଙ୍କୁ ସାନ୍ତ୍ୱନା ଦେଇ ଆସିଲେ । ସେହି କୃତଜ୍ଞତାର ନିଦର୍ଶନ ସ୍ୱରୂପ ବଡ଼ଖେମଣ୍ଡିର ରାଜା କେତେ ମାସ ପରେ ଇଚ୍ଛାପୁର ଆସିଲେ-। ତେତିକିରେ ତୃପ୍ତ ନ ହାଇ ସୁରଙ୍ଗୀ ରାଜାଙ୍କ କୀର୍ତ୍ତି ବର୍ଣ୍ଣନା କରି ଖଣ୍ଡେ କ୍ଷୁଦ୍ର ପୁସ୍ତକ ଛପାଇ ଉପହାର ଦେଲେ । ପ୍ରତିବାଦର ଶେଷ ଧାଡ଼ିରେ ଥିଲା ‘‘ସାବାସ୍ ସୁରଙ୍ଗୀ ରାଜା ସାବାସ୍ ସାବାସ୍-।’’ ବିଦ୍ୟାରତ୍ନ ସେହି ଉପହାର ପୁସ୍ତକ ଘେନି ଇଚ୍ଛାପୁର ଆସିଲେ । ଗାଇବା ସକାଶ ତ୍ରିପତି ଗାୟକରତ୍ନ ତାଙ୍କ ସଙ୍ଗରେ ଆସିଥିଲେ । ସେମାନଙ୍କୁ ଉପଯୁକ୍ତ ସମ୍ମାନ ସହ ବିଦାୟ କରାହେଲା । ବଡ଼ଖେମଣ୍ଡିଙ୍କ ଉପହାର ପାଇ ସୁରଙ୍ଗୀଙ୍କର ପ୍ରତ୍ୟୁପହାର ଦେବା ଉଚିତ । ସୁରଙ୍ଗୀରାଜା ଅନେକ ସଂଗୀତ ରଚନା କରିଥିଲେ । ସେଗୁଡ଼ିକ ଏକତ୍ର କରି ସେଥିରେ ପାରଳାଖେମଣ୍ଡିର ପ୍ରସିଦ୍ଧ ଗାୟକ ମାଗତା ପାଢ଼ୀଙ୍କ ସ୍ୱର ସାଧନା ଯୋଗ କରି ‘‘ସଂଗୀତ ସର୍ବସ୍ୱ’’ ନାମରେ ପୁସ୍ତକ ଛାପା ହେଲା । ମୁଁ ସେହି ପୁସ୍ତକ ନେଇ ବଡ଼ଖେମଣ୍ଡି ଗଲି । ମୋ ସଙ୍ଗରେ ମାଗତା ପାଢ଼ୀ ଏବଂ ରାଜଦତ୍ତ ପୂଜାରୀ, ଚାକର ଗଲେ । ରାଜାଙ୍କ ଆଗରେ ପାଢ଼ୀ ସଂଗୀତ ଗାନ କଲେ । ବିଦ୍ୟାରତ୍ନଙ୍କୁ ଯେଉଁପରି ସମ୍ମାନ ଦିଆ ଯାଇଥିଲା, ମୋତେ ବଡ଼ଖେମଣ୍ଡିରୁ ସେହିପରି ସମ୍ମାନ ମିଳିଲା । ଉଧାରକୁ ବଦଳ, ଟିକିଏ ଊଣାଅଧିକ ହେଲେ ଚଳିବ ନାହିଁ । ତାଙ୍କ ଗାୟକରତ୍ନ, ପୂଜାରୀ ଚାକରକୁ ଠିକ୍ ସେହିପରି ପୁରସ୍କାର ମିଳିଥିଲା, ମାଗତା ପାଢ଼ୀ ଏବଂ ମୋ ସଙ୍ଗରେ ଯାଇଥିବା ପୂଜାରୀ ଚାକରକୁ ଯେଉଁପରି ପୁରସ୍କାର ମିଳିଲା । ରାଜଦ୍ୱାରରେ ସମ୍ମାନ ଗୁଡ଼ାକ ନିକ୍ତିରେ ତଉଲା ହୁଏ; ଟିକିଏ ଊଣା ଅଧିକ ହେଲେ ବେଦ ଅଶୁଦ୍ଧ ହୋଇଯାଏ । ଯେଉଁ ରଙ୍ଗର ଲୁଗା ବେଭାର ଆସିଥିବ, ଠିକ୍ ସେହି ରଙ୍ଗର ଲୁଗା ବେଭାର ଯିବ–ସେଥିର ଆଡ଼ବାଙ୍କ ହେବ ନାହିଁ-। ନ ହେଲେ ମାନହାନି ଘଟିବ । କଥାକଥାକେ ମାନହାନି ହୁଏ । ସୁରଙ୍ଗୀ ଖଲିକୋଟର ନିକଟବନ୍ଧୁ ସମ୍ପର୍କ, ସୁରଙ୍ଗୀର ରାଣୀ ଖଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କର ଭଉଣୀ । ଚିଠିପତ୍ର ଲେଖାରେ ରାଜାଙ୍କ ନାମ ପୂର୍ବରେ ତିନୋଟି ଶ୍ରୀ ବସାଇବାକୁ ହୁଏ । ଖଲିକୋଟ ରାଜା ଥରେ ସୁରଙ୍ଗୀ ରାଜାଙ୍କୁ ଚିଠି ଲେଖିଥିଲେ, ଭୁଲକ୍ରମେ ସେଥିରେ ଗୋଟାଏ ଶ୍ରୀ ଛାଡ଼ ହୋଇ ଯାଇଥିଲା । ଏତିକିରେ ବିଷମ ମନାନ୍ତର ଘଟିଲା, ସେ ଦାରୁଣ ମନାନ୍ତର ଆଉ ତୁଟିଲା ନାହିଁ–ସେଥିପାଇଁ ବନ୍ଧୁପଣ ଛିଡ଼ିଗଲା । ବେଭାର ଆଚାର ବନ୍ଦ ହୋଇଗଲା । ଗୋଟିଏ ଶ୍ରୀ ର ଏତେ ଶକ୍ତି । ଦୁଃଖର ବିଷୟ ଆଧୁନିକ ଶିକ୍ଷିତ ରାଜପୁରୁଷମାନେ ସୁଦ୍ଧା ସେହି ପ୍ରାଚୀନ କୁସଂସ୍କାର ଛାଡ଼ି ପାରୁ ନାହାନ୍ତି । ବର୍ତ୍ତମାନ କେହି କେହି ତାହା ଛାଡ଼ି ଆଦର୍ଶ ଦେଖାଉଅଛନ୍ତି–ଏହା ଶୁଭ ଲକ୍ଷଣ ।

 

ଏହି ସମୟରେ ସାହିତ୍ୟ କ୍ଷେତ୍ରରେ ଗୋଟାଏ ଲଢ଼େଇ ପାଲା ଲାଗିଥାଏ । କେତେ ଗାଆଣ, ଶ୍ରୀ ଗାଆଣ, ଉପଗାଆଣ, ଅପଗାଆଣ, ଅନୁଗାଆଣ ଦୁଇ ଦଳରେ ବିଭକ୍ତ ହୋଇ ପାଲାଗାଇବାରେ ପ୍ରମତ୍ତ ଥାଆନ୍ତି । ଇନ୍ଦ୍ରଧନୁ, ବିଜୁଳି ଯୁଗରେ ଭଞ୍ଜଙ୍କ ସଙ୍ଗରେ ରାଧାନାଥଙ୍କୁ ଯୋଡ଼ି ଯେଉଁପରି ଅଭିନୟ କରାହୋଇଥିଲା, ସେହିପରି ରାଧାନାଥ, ମଧୁସୂଦନଙ୍କ ସଙ୍ଗରେ ମୋତେ ଏବଂ ମୋର ଜ୍ୟେଷ୍ଠଗ୍ରଜ ତୁଲ୍ୟ କବି ଗଙ୍ଗାଧରଙ୍କୁ ଲଗାଇ ଆଉ ଗୋଟାଏ ଅଭିନୟ ହେଲା । ପାଲାର ଆଖ୍ୟାନ ଭାଗ ଏହି ଯେ–ବହୁଗଡ଼ଜାତ ରାଜକୁମାରଙ୍କର ସଂସ୍କୃତ ଶିକ୍ଷକ ପଣ୍ଡିତ ସୋମନାଥ କାବ୍ୟତୀର୍ଥ ଗଞ୍ଜାମ ଗୁଣଦର୍ପଣରେ ଗୋଟାଏ ପ୍ରସ୍ତାବ କଲେ । ପ୍ରସ୍ତାବର ମର୍ମ ଏହି ଯେ–ରାଧାନାଥ ଏବଂ ମଧୁସୂଦନ ସାହିତ୍ୟର ନେତା ଥିଲେ । ବର୍ତ୍ତମାନ ସେମାନେ ଇହ ଲୋକରେ ନାହାନ୍ତି । ତାଙ୍କ ଆସନରେ ଆମ ଦୁଇଜଣଙ୍କୁ ନିଆଯାଉ । ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏ ପ୍ରସ୍ତାବ ସମର୍ଥନ କଲେ–କେହି କେହି ଅନୁମୋଦନ କଲେ । ଏଥିରେ ଉତ୍କଳ ସାହିତ୍ୟର ପ୍ରବୀଣ ସମ୍ପାଦକ ବିଚଳିତ ହୋଇ ତାଙ୍କ ସ୍ଵଭାବ ସୁଲଭ ପ୍ରଚ୍ଛନ୍ନ ବ୍ୟଙ୍ଗ ବିଦ୍ରୁପ ଭାଷାରେ ପ୍ରତିବାଦ କଲେ । ଆଉ କେତେ ଜଣ ବି ସୁଯୋଗ ପାଇ ଛଦ୍ମବେଶରେ ବାହାରି ପଡ଼ିଲେ । ଦଳେ ଆସନ ଦେବାକୁ ଇଚ୍ଛୁକ, ଆଉ ଦଳେ ତାହା କାଢ଼ିନେବାକୁ ଉଦ୍ୟତ । ଦୁହେଁ ଟଣାଟଣି ଲାଗିଲେ, ଆମେ ଦୁହେଁ ମଝିରେ ପଡ଼ି ନିଷ୍ପେଷିତ ହୋଇ ଛଟପଟ ହେଉଥାଉଁ । ଉଭୟ ଦଳର ଭ୍ରାନ୍ତି ଦେଖି ହସ ବି ମାଡ଼ୁଥାଏ । ଏ ସଂସାରରେ କାହାରି ଆସନରେ କେହି ବସେ ନାହିଁ–ସମସ୍ତେ ନିଜର ଆସନ ନିଜେ ତିଆରି କରି ନିଅନ୍ତି । ବିଦ୍ୟା, ବୁଦ୍ଧି, ଜ୍ଞାନ, ପ୍ରତିଭାର ଅନୁଶୀଳନ ଦ୍ୱାରା ଲୋକେ ନିଜର ଆସନ ନିଜେ ଗଢ଼ନ୍ତି । ଯାହାର ଶକ୍ତିର ସ୍ଫୁରଣ ଯେତେ ସେ ସେହି ପରିମାଣରେ ଉପରକୁ ଉଠେ । ସେଥିପାଇଁ ଲୌକିକ ପ୍ରସ୍ତାବ, ସମର୍ଥନ, ବିମର୍ଥନ ଲୋଡ଼ାହୁଏ ନାହିଁ । ପୁଣି ସାହିତ୍ୟସେବା ଚାକିରୀ ନୁହେଁ ଯେ, ଜଣେ ଚାକିରୀ ଛାଡ଼ିଲେ ତାହା ସ୍ଥାନରେ ଆଉ ଜଣେ ମନୋନୀତ ହେବ । କିମ୍ବା ଗଙ୍ଗା ଗୋବିନ୍ଦ ସିଂହଙ୍କ ମାତୃଶ୍ରାଦ୍ଧର ବିପୁଳ ଦାନ ପରି ସମ୍ପତ୍ତି ମିଳିବାର ଆଶା ବି ନାହିଁ । ଇତିହାସ ପାଠକମାନେ ଗଙ୍ଗାଗୋବିନ୍ଦଙ୍କ ବୃତ୍ତାନ୍ତ ଜାଣିଥିବେ । ପ୍ରଥମ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓୟାରେନ ହେଷ୍ଟିଂସ୍ ସାହେବଙ୍କର ସେ ଦେବାନ ଥିଲେ । ମାତୃଶ୍ରାଦ୍ଧରେ ସେ ଯେପରି ବିପୁଳ ଦାନର ବ୍ୟବସ୍ଥା କରିଥିଲେ, ସେ ଭଳି ବ୍ୟବସ୍ଥା ଆଜିଯାଏଁ ଭାରତରେ କେହି କରିନାହାନ୍ତି । ପୋଖରୀ ଖୋଳାହୋଇ ସେଥିରେ ଘିଅ ପୂର୍ଣ୍ଣ କରାଯାଇ ଦାନ କରାଯାଇଥିଲା । ବଙ୍ଗଦେଶର ସମସ୍ତ ଜମିଦାରଙ୍କୁ ମହାପ୍ରସାଦ ଭୋଜନ ଦିଆଯାଇଥିଲା । ତେତେବେଳେ ରେଲ ବା ଉଡ଼ାଯାହାଜର ସୃଷ୍ଟି ହୋଇ ନ ଥିଲା, କାନ୍ଥିଠାରୁ ପୁରୀ ପର୍ଯ୍ୟନ୍ତ ଘୋଡ଼ାଡାକ ବସାଇ ମହାପ୍ରାସାଦ ଅଣାଯାଇଥିଲା-। ଯାଉ ସେ କଥା । ସଂସାରର ଅଢ଼େଇ ଦିନର କୁଣିଆଁ ପାଇଁ ପୁଣି ଆସନ ଦରକାର । ସେ କେତେ ଦିନ ରହିବ, ଆଉ ତାହାର ଆସନ ବା କେତେ ଦିନ ରହିବ ? ଆସନ ନେଇ କଅଣ ଅବା କରିବ, ସଙ୍ଗରେ ତ ନେଇଯାଇ ପାରିବ ନାହିଁ କିମ୍ବା ଆସନରେ ବସିଲେ ଭୋକ ଶୋଷ ହରିଯିବ ନାହିଁ–ତେବେ ସେ ଆସନ କି ଲୋଡ଼ା ? ମୋର ଜଣେ ତେଲଙ୍ଗା ବନ୍ଧୁ ସର୍କାରରୁ ପଦ ପାଇଲେ, ସେଥିପାଇଁ ମୁଁ ଆନନ୍ଦ ପ୍ରକାଶ କଲି । ବନ୍ଧୁଟି ହସି ହସି କହିଲେ–‘‘ଭାଇ, ଟାଇଟେଲର ମୂଲ୍ୟ କି ଆପଣ ବୁଝି ନାହାନ୍ତି ? ଆପଣ ମୋର ଟାଇଟେଲଟା ନେଇ ବଜାରରେ ବନ୍ଧା ପକାଇ ବା ବିକ୍ରି କରି ଖଣ୍ଡେ ଖଲିପତ୍ର ଆଣିପାରିବେ କି ?’’ ଆସନର ମୂଲ୍ୟ ମଧ୍ୟ ସେହିପରି-। ଆସନ ପ୍ରସ୍ତାବ ଯେଉଁପରି ଅସଙ୍ଗତ, ସେଥିପାଇଁ କଳିକରି ପ୍ରତିବାଦ କରିବା ତହୁଁ ବଳି ନିର୍ବୋଧତା । କିନ୍ତୁ କ୍ଷୋଭର ବିଷୟ, ଜଣାଶୁଣା ଶିକ୍ଷିତ ଲୋକ ବି ସମୟ ବିଶେଷରେ ଏହି ଦୋଷରେ ଦୁଷ୍ଟ ହୋଇପଡ଼ନ୍ତି ।

 

ସାହିତ୍ୟର ବ୍ୟଙ୍ଗ ବିଦ୍ରୁପ ବିଦ୍ୟାରତ୍ନଙ୍କୁ ବାଧିଲା, ସେ ସ୍ୱଭାବତଃ ଜିଦ୍ଧିଖୋର, ସୁତରାଂ ନିଜେ ଲେଖି ଓ ବନ୍ଧୁବାନ୍ଧବ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ଲେଖାଇ ଆନ୍ଦୋଳନକୁ ପୃଥୁଳ କରି ଆଣିଲେ । ପ୍ରତିବାଦ, ପ୍ରତିବାଦର ପ୍ରତିବାଦ ଓ ତାହାର ପ୍ରତିବାଦ ଖୁବ୍ ଜୋରରେ ଚାଲିଲା । ‘‘ଉତ୍କଳ ସେବକ’’ ‘‘ଗଞ୍ଜାମଗୁଣଦର୍ପଣ’’ ଏବଂ ‘‘ଓଡ଼ିଆ ନବସମ୍ବାଦ’’ ପ୍ରାୟ ଏହି ବିଷୟରେ ପୂର୍ଣ୍ଣ ହେବାକୁ ଲାଗିଲା । କେତେ ଅସ୍ତ୍ରଶସ୍ତ୍ର ବ୍ୟବହାର ହେଲା । ଆମେ ଦୁହେଁ ନିର୍ଦ୍ଦୋଷରେ କ୍ଷତବିକ୍ଷତ ହେଲୁଁ, ଚାରିଆଡ଼ୁ ବାଣ ଆସି ଦେହରେ ଟପ୍‌ଟାପ୍‌ ଭୁକୁଥାଏ, ଆମ୍ଭେମାନେ ତାହାକୁ ବନ୍ଧୁତାର ସ୍ନେହ ଯନ୍ତ୍ରଣା ଭାବି ନୀରବରେ ସହ୍ୟ କରୁଥାଉଁ । ଫକୀରମୋହନ ସେନାପତି ବାରମ୍ବାର ପତ୍ର ଲେଖି ଉପସ୍ଥିତ ପ୍ରସଙ୍ଗରେ ନୀରବ ରହିବା ସକାଶ ମୋତେ ଉପଦେଶ ଦେଉଥାଆନ୍ତି । ଗଙ୍ଗାଧରଙ୍କୁ ବି ସେହିପରି ପତ୍ର ଲେଖୁଥାଆନ୍ତି । ଥରେ ମୋତେ ଲେଖିଲେ–‘‘ତୁମ୍ଭର ଏଥିରେ କଥା କହିବାର ଦର୍କାର ନାହିଁ । ବିଶାଳ ଉତ୍କଳରେ କିଏ କେଉଁଠି ଥାଇ କଅଣ କହୁଛି, ତୁମ୍ଭେ କାହା ମୁହଁରେ ଯାଇ ହାତ ଦେବ । ତୁମ୍ଭେ ତ ସେଥିପାଇଁ କାହାକୁ ପ୍ରବର୍ତ୍ତାଉ ନାହଁ, ତେବେ ତୁମ୍ଭର ବାକ୍ୟବ୍ୟୟ କରିବା ଅକାରଣ । ତୁମ୍ଭେ ନୀରବ ରହି ତୁମ୍ଭର କର୍ତ୍ତବ୍ୟ କରିଯାଅ, ସେ ଆଡ଼କୁ ଲକ୍ଷ୍ୟ ବା ଦୃଷ୍ଟି ରଖନାହିଁ ।’’ ତାଙ୍କର ଏ ମହାଜନ ବାକ୍ୟ ମୁଁ ଅନ୍ୟଥା କରି ନାହିଁ ।

 

ବିଦ୍ୟାରତ୍ନଙ୍କୁ ନିବୃତ୍ତ ହେବା ପାଇଁ ଅନୁନୟ ସହ ପ୍ରାର୍ଥନା କଲି । ସେ ହସି ହସି କହିଲେ–‘‘ତୁମ୍ଭର ଏ ନୈତିକ ଦୁର୍ବଳତା କାହିଁକି ? ମୁଁ ଯାହା କର୍ତ୍ତବ୍ୟ ବୋଲି ଜ୍ଞାନ କରୁଛି, ତାହା କରୁଛି–ତୁମ୍ଭର ସେଥିରେ ବାଧା ଦେବାର ଅଧିକାର ନାହିଁ ।’’ ବିଦ୍ୟାରତ୍ନେ ଖାଲି ପତ୍ରିକାରେ ପ୍ରବନ୍ଧଲେଖି କ୍ଷାନ୍ତ ହେଲେ ନାହିଁ, ନିଜର ମତ ଦୃଢ଼ କରିବା ସକାଶ ପ୍ରାକୃତିକ ଉତ୍କଳର ତତ୍କାଳୀନ ସାହିତ୍ୟିକ, ବିଶିଷ୍ଟ ବ୍ୟକ୍ତି ପ୍ରଭୃତିଙ୍କୁ ଲେଖି ତାଙ୍କର ମତ ଅଣାଇଁ ପତ୍ରିକାରେ ପ୍ରକାଶ କରୁଥାଆନ୍ତି । ଚନ୍ଦ୍ରମୋହନ ମହାରଣାଙ୍କ ମତ ପଢ଼ି ଗୋଟାଏ ରହସ୍ୟ ଲାଗିଲା । ସେ ବିଦ୍ୟାରତ୍ନଙ୍କ ନିକଟକୁ ନିଜର ମତଲେଖି ଶେଷକୁ ଲେଖିଥିଲେ–‘‘ଆପଣ ସାହିତ୍ୟ ସମ୍ପାଦକ ତଥା କୈବର୍ତ୍ତ ସୁନ୍ଦରୀ ସୁଲଭ ପ୍ରତିବାଦ ପରିହାର କରିବେ ।’’ ଏଥିରେ ବିଶ୍ୱନାଥ ବାବୁ ବିବ୍ରତ ହୋଇ ତାଙ୍କୁ କେଉଟୁଣୀ କୁହାଗଲା ବୋଲି ଅଭିମାନ ପ୍ରକାଶ କଲେ । ଏ ଆନ୍ଦୋଳନରେ ଗଞ୍ଜାମର ଦୁଇ ତିନିଜଣ ସାହିତ୍ୟବନ୍ଧୁ ରାଜା ବିଦ୍ୟାରତ୍ନଙ୍କର ପୃଷ୍ଠପୋଷକ ଥିଲେ । ସେମାନଙ୍କ ପ୍ରଦତ୍ତ ଅର୍ଥ ସାହାଯ୍ୟରେ କାର୍ଯ୍ୟ ଚଳୁଥିଲା । କିଛିଦିନଯାଏ ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ ପତ୍ରିକାରେ ବାହାରିଲା । ଫକୀରମୋହନ ବାବୁ, ରାମଶଙ୍କର ବାବୁ, ଚନ୍ଦ୍ରମୋହନ ବାବୁ, ମଧୁସୂଦନ ଦାଶ, ସଦାଶିବ କାବ୍ୟକଣ୍ଠ ମହାମହୋପାଧ୍ୟାୟ, ରାୟ ବାହାଦୂର ସୁଦାମ ଚରଣ ନାୟକ, ଗଦାଧର ବିଦ୍ୟାଭୂଷଣ ପ୍ରଭୃତି ପ୍ରସିଦ୍ଧ ସାହିତ୍ୟିକ ଏବଂ ପଣ୍ଡିତମାନଙ୍କର ମତ କ୍ରମାନ୍ୱୟରେ ପ୍ରକାଶିତ ହେଲା । ତହିଁପରେ ଆନ୍ଦୋଳନ ଧୀରେ ଧୀରେ ଶିଥିଳ ହୋଇ ଆସି କେତେ ମାସ ପରେ ମିଳେଇ ଗଲା । ଆମେ ଦୁହେଁ ଶାନ୍ତିର ନିଃଶ୍ୱାସ ଛାଡ଼ି ତ୍ରାହି ମଧୁସୂଦନ ଡାକି ଆଶ୍ୱସ୍ତ ହେଲୁଁ । ଗତିପଥରେ ଏହିପରି କେତେ ଗ୍ରହରିଷ୍ଟ ଭୋଗ କରିବାକୁ ହୋଇଅଛି । ସମୟ ସମୟରେ କାନ୍ଦିବାକୁ ହୋଇଅଛି–ହସିବାକୁ ବି ହୋଇଅଛି । ଏହି ହସ କାନ୍ଦ ମଧ୍ୟରେ ଚୌଷଠି ବର୍ଷ କଟିଗଲା । ହସ କାନ୍ଦ ଘେନି ସଂସାର । କାନ୍ଦିବା ନ ଥିଲେ ହସିବାର ମୂଲ୍ୟ ଥାଆନ୍ତା ନାହିଁ । ସେହିପରି ହସିବା ନ ଥିଲେ କାନ୍ଦିବା ମଧ୍ୟ ଥାଆନ୍ତା ନାହିଁ । ଜୀବନର ପ୍ରଥମରେ ହସ, ଶେଷରେ କାନ୍ଦଣା ଲାଗି ରହିଅଛି । ପ୍ରଥମେ ଜନ୍ମ ହେବା ବେଳେ ହସ, ଶେଷରେ ମଲାବେଳେ କାନ୍ଦଣା । ଏହା ଜଗତର ଧାରା । ମାତ୍ର ପ୍ରକୃତ ଭାବରେ ବୁଝିଲେ ସେ ହସରେ ସୁଖ ନାହିଁ, କି କାନ୍ଦଣାରେ ଦୁଃଖ ନାହିଁ–ଦୁହେଁ ସମାନ । ଏରୂପ ଭାବ ମନରେ ଜାତ ହୁଏ ସତ୍ୟ, ମାତ୍ର ତାହା କ୍ଷଣକେ ମିଳେଇ ଯାଏ–ଏହା ହିଁ ବୈଚିତ୍ର୍ୟମୟ ସଂସାରର ବିଚିତ୍ରତା ।

Image